Unknown

 

 

 

 

 

 

 

 

 

 

ସାରଳା ମହାଭାରତ

(ଦ୍ୱିତୀୟ ଖଣ୍ଡ)

ଆଦିପର୍ବ

ଆଦିକବି ସାରଳା ଦାସ

 

ସୂଚୀପତ୍ର

 

 

ବିଷୟ

୧।

ଶୁକ୍ରାଜିତ ବଧ

୨।

ଶକ୍ରାଜିତର ପୂର୍ବପୁରୁଷ ବୃତ୍ତାନ୍ତ

୩।

ମଧୁବନ ବୃତ୍ତାନ୍ତ ଓ କିନ୍ନର ଦୈତ୍ୟ ବଧ

୪।

ହିଡ଼ିମ୍ୱକ ବଧ ଓ ଘଟୋତ୍କଚ ଜନ୍ମ ବୃତ୍ତାନ୍ତ

୫।

ଅର୍ଜୁନ କର୍ତ୍ତୃକ କପିଳା ବଧ ଓ ତାହାଙ୍କର ପାପ ଖଣ୍ତନ

୬।

ଦୁର୍ଯ୍ୟୋଧନର ଅଭିଷେକ ଓ କର୍ଣ୍ଣ ମହିମା ବର୍ଣ୍ଣନ

୭।

ଦୁଃଶାସନ ପ୍ରଭୃତି ଭାଇମାନଙ୍କର ବିବାହ

୮।

ଦ୍ରୁପଦର ବର ଲାଭ

୯।

ଦ୍ରୁପଦର ସନ୍ତତି ଯଜ୍ଞ ଓ ଶ୍ରୀଖଣ୍ତୀ ଜନ୍ମ

୧୦।

ଜୟଦ୍ରଥ ସହିତ ଦୁଃଶୀଳାର ବିବାହ

୧୧।

ଶ୍ରୀଖଣ୍ତି ବିବାହ

୧୨।

ମାତାଙ୍କ ଶୋକରେ ଶ୍ରୀଖଣ୍ତୀର ପୁରୁଷତ୍ୱ ପ୍ରାପ୍ତି

୧୩।

ପାଣ୍ତବାଦିଙ୍କର ଭିକ୍ଷାଚରଣ

୧୪।

ଶିବପୁରେ ଚାଣ୍ତାଳ ବଳ ଓ ଭୀମଙ୍କର ରାଜ୍ୟାଭିଷେକ

୧୫।

ବିଷ୍ଣୁକର ପଣ୍ତାଙ୍କର ଶିବପୁର ରାଜ୍ୟ ଲାଭ

୧୬।

ବକାସୁର ବୃତ୍ତାନ୍ତ

୧୭।

କୁନ୍ତୀଙ୍କର ପ୍ରସ୍ତାବରେ ଭୀମଙ୍କୁ ବକାସୁର ବଧ ନିମନ୍ତେ ପ୍ରେରଣ

୧୮।

ଦୌପଦୀ ସ୍ୱୟମ୍ୱରେ ଲାଖ ନିର୍ମାଣ

୧୯।

ଅଙ୍ଗାରପନ୍ନଗ ଯୁଦ୍ଧ

୨୦।

ପାଣ୍ତବଙ୍କର କୁରାଳଶାଳେ ପ୍ରବେଶ

୨୧।

ଦୌପଦୀ ସ୍ୱୟମ୍ୱର

୨୨।

ସ୍ୱୟମ୍ୱର ସଭାରେ ରାଜାମାନଙ୍କର ସ୍ୱରୂପ ନିର୍ଣ୍ଣୟ

୨୩।

ଲାଖବିନ୍ଧା

୨୪।

ରାଜାମାନଙ୍କର ସହିତ ପାଣ୍ତବଙ୍କ ଯୁଦ୍ଧ

୨୫।

ଦୌପଦୀର ପୂର୍ବଜନ୍ମ କଥା

୨୬।

ଦୌପଦୀ ପରିଣୟ

୨୭।

ପାଣ୍ତବଙ୍କ ଅର୍ଦ୍ଧ ରାଜ୍ୟ ଦାନ

୨୮।

ମାଳତୀ ଶବରୀ ଉପାଖ୍ୟାନ

୨୯।

ହରିଜନ୍ମ ବ୍ରତ

୩୦।

ଲକ୍ଷ୍ମଣ କୁମାର ଜନ୍ମ

୩୧।

ପ୍ରଚଣ୍ତାସୁର ବଧ

 

ଆଦିପର୍ବର ଅତିରିକ୍ତ ପାଠ

୩୨।

ମହୀନ୍ଦ୍ରଗିରି ବିବରଣ

୩୩।

ପଞ୍ଚପାଣ୍ତବଙ୍କ କ୍ଷୀରପାନ

 

ଆଦିପର୍ବର ପରିଶିଷ୍ଟ (ସାରଳା ଦେବୀଙ୍କ ବନ୍ଦନା)

ଶକ୍ରାଜିତ ବଧ

ଶୁଣ ବଇବସୁତ ମନୁ ବଦନ୍ତି ଅଗସ୍ତି

ଦ୍ୱାରକାହ୍ନୁଂ ହସ୍ତିନାକୁ ଅଇଲେ ଶ୍ରୀପତି।୧।

 

ଶତଧନୁ ଅନାଧୃଷ୍ଟ ଆବର କୃତବର୍ମା

ରାତ୍ରକାଳେ ତିନିହେଂ ଭାଳିଲେ ପାପ ଆତ୍ମା।୨।

 

କୃତବର୍ମା ବୋଇଲେ ତୁମ୍ଭେ ଶତଧନୁ ଅନାଧୃଷ୍ଟ ଶୁଣ

ଶକ୍ରାଜିତ ରାଜାର ଦେଖିଲଟିକି ମନ୍ଦପଣ।୩।

 

ତାହାର ଦୁହିତା ଯେ ଅଟଇ ଶକ୍ରାବତୀ

ଆମ୍ଭକୁ ଦେବ ବୋଲି କହିଥିଲା ସତ୍ୟବ୍ରତୀ।୪।

 

ପ୍ରସନ୍ନାଜିତ ନିମନ୍ତେ ହରିଙ୍କୁ ଯହୁଂ ଅପବାଦ ଦିଲା

ଡ଼ରେଣ ବାସୁଦେବଙ୍କୁ ସତ୍ୟଭାମା ପ୍ରଦାନ ଯେ କଲା।୫।

 

ୟେସନେକ ଅପବାଦ ଯହୁଂ କଲା ୟେଥେ ମୋତେ

ମୁହିଂ ସେ ଭୋଜବଂଶୀ ଅଟଇ ନା ଯୁଗତେ।୬।

 

କୃତାବର୍ମାର ବଚନେ ବୋଲଇ ଶତଧନୁ

କ୍ଷତ୍ରୀ ଲୋକ ପ୍ରମାଦ କରନ୍ତି ସେହି ଅପମାନୁଂ।୭।

 

ମୋତେ ଦେବ ବୋଲି ବୋଇଲା ସତ୍ୟଭାମା କୁମାରୀ

ବାଳକାଳୁଂ ସେ ମୋତେ ଥିଲା ସତ୍ୟ କରି।୮।

 

ଡରେଣ ବାସୁଦେବଙ୍କୁ ପ୍ରଦାନ କଲା ବାଳୀ

ୟେହ୍ନେକ ଅପମାନ କଲା ଆମ୍ଭଙ୍କୁ ଶକ୍ରାଜିତ ଭଳି।୯।

 

ତାହାର ବଚନ ଶୁଣି ବୋଲେ ଅନାଧୃଷ୍ଟ

ଶକ୍ରାଜିତହୁଂ ଆନ କେ ଅଛଇ ପାପିଷ୍ଠ।୧୦।

 

ବାଳକାଳହୁଂ କୋଳେ ବସାଇଲା ମୁକୁ

ସତ୍ୟ ବାକ୍ୟେଣ ବୋଲିଅଛି ସତ୍ୟଭାମା ଦେମି ତୁକୁ।୧୧।

 

କାଳେଣ ହରିଙ୍କି କନ୍ୟା କଲାକ ପ୍ରଦାନ

କାହାର ବେଳେ ସହି ୟେହେର୍ଣେକ ଅଭିମାନ।୧୨।

 

ହରିଙ୍କି ପିଠିଆଇ କଲା ୟେହେର୍ଣ୍ଣେକ କୃତ୍ୟ

ୟେବେଳକ ରକ୍ଷା କରି ପାରିବେଟିକି ଜଗନ୍ନାଥ।୧୩।

 

କୃତବର୍ମାୟେ ବୋଇଲେ କେ ପାରଇ ଯାଇ

ଶକ୍ରାଜିତକୁ ମାଇଲେ ସକଳ ଅଭିମାନ ସରଇ।୧୪।

 

କରପତ୍ର ଯୋଡ଼ିଣ ବୋଲଇ ଅନାଧୃଷ୍ଟ

ତୁମ୍ଭର ଆଜ୍ଞା ବୋଇଲେ ୟେହି କ୍ଷଣି ମୁଂ

କରି ପାରଇ ପ୍ରାଣଭ୍ରଷ୍ଟ।୧୫।

 

ଶତଧନୁ ଅନାଧୃଷ୍ଟ କୃତବର୍ମା ସମୀପେ

ଶକ୍ରାଜିତ ଶୟନ ମନ୍ଦିରେ ପ୍ରବେଶ ହୋଇଲେ ଗୋପ୍ୟେ।୧୬।

 

ହସ୍ତେ ଖଣ୍ତାୟେକ ଧରିଣ ଅନାଧୃଷ୍ଟ

ଶକ୍ରାଜିତ ଶୟନ ମନ୍ଦିରେ ପଶିଲା ପାପିଷ୍ଠ।୧୭।

 

ବିଷ୍ଣୁର ସୁର ସେ ଅଭୟ ଭୁବନ ଅଟଇ

କାହାରି ଘରେ ତହିଂ କବାଟ ନ ପଡ଼ଇ।୧୮।

 

ଯମର କାଳଦଣ୍ତ ନ ପଶଇ ଯେବଣ ପୁରୀ

ତ୍ରୈଲୋକ୍ୟ ଅଜୟେ ସେ ଦ୍ୱାରିକା ନଗରୀ।୧୯।

 

ରାତ୍ରେଣ ପଶିଲା ସେ ଅନାଧୃଷ୍ଟ ବୀର

ନିଦ୍ରାୟେ ଶକ୍ରାଜିତ ଶୋଇଛି ପଲଙ୍କର।୨୦।

 

କରେ ଧରିଅଛି ବିଜେ କର୍ଣ୍ଣକଟାର

ରାତ୍ର ଅଢ଼ାଇ ପହରେ ମିଳିଲା ଶକ୍ରାଜିତ ପୁର।୨୧।

 

ରତ୍ନପଲଙ୍କ ଉପରେ ନେତର ସୁପାତି

ସୁବର୍ଣ୍ଣ ଶିକୁଳାରେ ଜଳଇ ମାଣିକ୍ୟର

ସହସ୍ରେକ ବତି।୨୨।

 

ସମ୍ପୂର୍ଣ୍ଣ ଯୁବା ସୁନ୍ଦରୀ ସହସ୍ର ବିଳାସୁଣୀ

ପଲଙ୍କ ତଳେ ଶୋଇ ଅଛନ୍ତି ଅପଛରା ବୃନ୍ଦ ଜାଣି।୨୩।

 

ନେତର ଚନ୍ଦ୍ରାତପ ରଞ୍ଚିଲାକ ଅଛି ଉପରେ

ମୁକୁତାର ମାଳମାନେ ଲମ୍ୱନ୍ତି ନିରନ୍ତରେ।୨୪।

 

ମରକତର ତୁଲେ ଖଞ୍ଜିଲେ ସଗ୍ଧତ ସରା

ଠାବେ ଠାବେ ଲାଗିଅଛି ମୁକୁତାର ଝରା।୨୫।

 

ଦୁତୀ ଅମର ସ୍ୱର୍ଗ ଜାଣି ତାହାର ଭୁବନ

ଅମର ବାରସ୍ୱତୀ ତହିଂକି ନୋହଇ ସମାନ।୨୬।

 

ଯାହାର ଜୁଆଇଂ ଅଟନ୍ତି ଗୋବିନ୍ଦେ

ଅଭୟେ ଭୁବନ ତାର ପରମ ସାନନ୍ଦେ।୨୭।

 

ଦୁତୀ ଇନ୍ଦ୍ର ପ୍ରାୟେ ସୁନ୍ଦର ବଳିଷ୍ଠ

ନିର୍ଦ୍ଦୟା ଟସ୍କର ରୂପେ ପଶିଲା ଅନାଧୃଷ୍ଟ।୨୮।

 

ଉତ୍ତାନସାହୀ ହୋଇ ଶୋଇଛି ହଇହୟ ବଂଶ ନୃପମଣି

ହୃଦୟରେ ଅଛି ତା’ର ସ୍ୟମନ୍ତକ ମଣି।୨୯।

 

ବିଜେ କର୍ଣ୍ଣକଟାର ଉର୍ଦ୍ଧ୍ୱ ବାହୁ କରି ଧରି

ଶକ୍ରାଜିତ ନୃପ ଉପରେ ନିରଶେ ପ୍ରହାରି।୩୦।

 

ମହା ପ୍ରତାପୀ ଅଟଇ ସେ ଅନାଧୃଷ୍ଟ ଦୁର୍ଦ୍ଦଣ୍ଡ

ଶକ୍ରାଜିତ ନୃପତି ହୋଇଲା ବେନି ଖଣ୍ତ।୩୧।

 

ପଲଙ୍କ ଉପରେ ତା’କୁ ପକାଇଲା ହାଣି

କରେଣ ଘେନିଲା ସେ ସ୍ୟମନ୍ତକ ମଣି।୩୨।

 

ବାହାର ହୋଇଲା ସେ ମହା ନିଶା କାଳେ

ଅନାଧୃଷ୍ଟ ଶତଧନୁ କୃତବର୍ମା ବସିଲେ ୟେକ ମେଳେ।୩୩।

 

ଅକୂର ଯେ ତାହାଙ୍କର ଅଟଇ ବିଶ୍ୱାସୀ

ତାହାର ଛାମୁରେ ତିନିହେଂ ମିଳିଲେକ ଆସି।୩୪।

 

ଅକୂର ଆଗରେ କହିଲେ ୟେ ସମସ୍ତ ବାରତ

ଆଜ ରାତ୍ରକାଳେ ଆମ୍ଭେ ମାଇଲୁ ଶକ୍ରାଜିତ।୩୫।

 

ଅକୂର ବୋଇଲା ହୋ ତୁମ୍ଭେ ମନ୍ଦ କୃତ୍ୟ କଲ

ରାଗ ସମ୍ଭାଳି ନ ପାରି କିମ୍ପା ମୋତେ ନ କହିଲ।୩୬।

 

ଅବଶ୍ୟ ଜାଣିବେ ୟେହା ଦେବ ଜନାର୍ଦ୍ଦନ

ପାପ କଥା ଗୋଟି କେଭେଂ ନୋହଇ ଗୋପ୍ୟାନ।୩୭।

 

ତିନିହେଂ ପଶିଲ ତୁମ୍ଭେ ନାଶ ଯିବାର ବୁଦ୍ଧି

ନଶନ୍ତ କାଳକୁ ଆସି ଆବୋରିଲା ବ୍ୟାଧି।୩୮।

 

ଚତୁର୍ଦ୍ଦଶ ବ୍ରହ୍ମାଣ୍ତ ଯାହାର ଗର୍ଭଗତ

ସତ୍ୟଭାମା ବାସୁଦେବଙ୍କର ଅଟେ ପଞ୍ଚଭୁତ।୩୯।

 

ନବତନ ଶଶୁର ଯେ ନବତନ ଭାରିଯା

ଅବଶ୍ୟ ତୁମ୍ଭଙ୍କୁ କୋପ କରିବେ ଦେବରାଜା।୪୦।

 

ଅକୂର ବୋଇଲା ତୁ ଶୁଣ ଅମ୍ୱିକାର ବଳା

ଦ୍ୱାରିକାୟେ ନ ଥା ହୋ ବହନ ୟେଥୁଂ ପଳା।୪୧।

 

ସ୍ୟମନ୍ତକ ମଣି କିମ୍ପେ ଆଣିଲ ନ ବିଚାରି

ପ୍ରତ୍ୟକ୍ଷେ ସନ୍ତକ ହୋଇଲା ହସ୍ତରେ ତୋହୋରି।୪୨।

 

ବିଶେଷେଣ ଦୋଷୀ ଆବର ସନ୍ତକ ଯେ ଥିଲେ

କେହି ରଖି ନ ପାରିବେ ବାସୁଦେବ କୋପ କଲେ।୪୩।

 

ଅକୂର ତହୁଂ ନିରାପକ୍ଷ ବଚନ ଶୁଣି

ତାହାର ହସ୍ତରେ ଦିଲା ସ୍ୟମନ୍ତକ ମଣି।୪୪।

 

ମହାଭୟେ କରିଣ ସେ ଶତଧନୁ ଅନାଧୃଷ୍ଟ

ଦୁହେଂ ଆରମ୍ଭେ ନରହିଲେ ଦ୍ୱାରିକା ଭୁବନେ ଗରିଷ୍ଠ।୪୫।

 

ୟେଥୁ ଅନନ୍ତରେ ପ୍ରସରିଲା ରାତି

ଚିଆଂଇ ଉଠିଲେ ଶକ୍ରାଜିତର ଯୁବତୀ।୪୬।

 

ଦେଖିଲେ ବେନି ଖଣ୍ତ ହୋଇ ପଡ଼ିଅଛଇ ନୃପମଣି

ମହାଗହଳେ ସୁନ୍ଦରୀମାନେ କଲେ ଉଚ୍ଚସୁରେ ଧୁନି।୪୭।

 

ହା ହା ସ୍ୱାମୀ ବୋଲି ଯେ ରୋଦନ କଲେ ସର୍ବବାଳୀ

ଉଚ୍ଚ ସ୍ୱରେ ଶବଦ ଯେ ଶୁଭିଲା ବୋବାଳି।୪୮।

 

ଶକ୍ରାଜିତ ଭୁବନେ ଗୋଳ ଚହଳ ଶବଦ ଶୁଣି

ଧାଇଂଲେ ଅନେକ ତହିଂ ଯଦୁ ବୀରମଣି।୪୯।

 

ଯଦୁବଂଶ ଭୋଜବଂଶ ବୃଷ୍ଣୀବଂଶ ଆଦି କରି

ଚଉବିଂଶ ଯୋଜନ ଲୋକେ ସମସ୍ତେ ଆସି ପୂରି।୫୦।

 

ପିତାର ଅଭାବ ଶୁଣିଣ ସତ୍ୟଭାମା

ଅନ୍ତେଶ୍ୱରୁ ବାହାର ସେ ନାରାୟଣଙ୍କର ବାମା।୫୧।

 

ହା ହା ତାତ ବୋଲି କେଶ ବାସ ଅସମ୍ଭାଳେ

ଉଚ୍ଚ ସ୍ୱରେ ରୋଦନ କରି ସେ ଧାମନ୍ତି ବିକଳେ।୫୨।

 

ପିତାର ଭୁବନେ ବିଜୟେ ମହାସତୀ

ଦେଖିଲେ ପିତାର ପ୍ରତକ୍ଷେ ଯେସନେକ ଶାସ୍ତି।୫୩।

 

ତନୁ ଭା ନୁତାହାଙ୍କର ବେନି ପାଟବଂଶୀ

କୋଳ କରି ସ୍ୱାମୀକି ଧରିଛନ୍ତି ଆକ୍ରେଷି।୫୪।

 

ରୁଧିରରେ ବିଲେପନ ସବୁଙ୍କରି କାୟେ

ଅହିବ୍ରତେକ ଯୁବତୀ ସଭିଂୟେ ଶୋଣିତମୟେ।୫୫।

 

ପିତାର ଅଭାବ ଦେଖିଣ ଶକ୍ରାବତୀ

ସବୁଙ୍କୁହିଂ ଚାହିଂ ଦେବୀ ହୋଇଲେ କୋପ ମୂର୍ତ୍ତି।୫୬।

 

କେବଣ ଦୋଷ କଲା ପିତା ଯେ ମୋହୋର

ଅଦୋଷେ ନାଶ କିମ୍ପା ଗଲେ ନୃପବର।୫୭।

 

ସୁଦ୍ରିଶେଣ ଚକ୍ର ଯେ ବୁଲଇ ପରଚଣ୍ତ

ମାଛି ତିରଣ ପଡ଼ିଲେ ହୋଅଇ ଶତେଖଣ୍ତ।୫୮।

 

ଯମର କାଳ ଦଣ୍ତ ନ ପଶଇ ଯେବଣ ପୁରୀ

ଆନର ଦର୍ପେକି ମୋହୋର ପିତାକୁ ନାଶ କରି।୫୯।

 

ସଞ୍ଚିତ କରିଣ ଯେ ମାଇଲେ ମୋହୋର ତାତ

କାହାକୁ ଦୋଷ କଲା ନୃପତି ଶକ୍ରାଜିତ।୬୦।

 

ଗୋସାମଣୀଙ୍କର ମୁଖୁଂ ୟେସନେକ ବାକ୍ୟ ଶୁଣି

ସମସ୍ତହେଂ ଭୟ କଲେ ମନରେ ଚିନ୍ତା ଘେନି।୬୧।

 

ତ୍ରାସେଣ କେହି ନ ରହିଲେ ତାହାଙ୍କର କତି

ଜଗତମାତା ଠାକୁରାଣୀ କିମ୍ପା ଆମ୍ଭଙ୍କୁ ଦେଉଅଛ ଅପଛାତି।୬୨।

 

ଯାହାର ଜୁଆଇଂ ଅଟନ୍ତି ଦେବ ଜନାର୍ଦ୍ଦନ

ତାହାରେ ପ୍ରମାଦ କେ ରହିବ ଦ୍ୱାରିକା ଭୁବନ।୬୩।

 

ଉଗ୍ରସେନ ସହିତେ ନନ୍ଦ ଉପନନ୍ଦ ବସୁଦେବ

ସମସ୍ତେ ରୋଦନ୍ତି ଶକ୍ରାଜିତର ଅଭାବ।୬୪।

 

ତ୍ରୟଲୋକେ ଅସଖ୍ୟ ଯେବଣ ଚରିତ

କାହାର ୟେତେ ଦର୍ପ ୟେ ଭୁବନେ ପ୍ରମାଦ କରି ତ।୬୫।

 

ବେଗେଣ ସତ୍ୟଭାମା ପୁଷ୍ୟେକ ବିମାନ ଆରୋହି

ଦ୍ୱାରକା ପୁରୁଂ ଦେବୀ ଆପଣେ ସଜ ହୋଇ।୬୬।

 

ପୁଷ୍ୟେକ ଆରୋହି ବାହାର ଦେବୀ ଦ୍ୱାରିକା ଭୁବନୁ

ପିତା ଅବା ମୋହୋର ନାଶଗଲା ବାସୁଦେବଙ୍କର ଗ୍ୟାନୁଂ।୬୭।

 

ପ୍ରସନାଜିତ ନାମେ ଯେ ଦିଲାକ ଅପବାଦ

ସେ ରାଗ ନ ପାଶୋରି ଅବା କରାଇଲେ ପରମାଦ।୬୮।

 

ଜାଣିମା ନା ୟେଥିର ତଦନ୍ତ ବିଧାନ

ଦ୍ୱାରିକାଉଂ ବାହାର ଦେବୀ ଆରୋହି ପୁଷ୍ୟେକ ଯାନ।୬୯।

 

ଶୂନ୍ୟେଣ ଗମନ କଲେ ଦେବୀ ହସ୍ତିନା ଭୁବନକୁ

ଉଞ୍ଚ ସୁରେ ରୋଦନ କରିଯାନ୍ତି ସୁମରି ପିତାକୁ।୭୦।

 

ସତ୍ୟଭାମାଙ୍କର ଗମନ୍ତେ ପଦ୍ମନ ଶାମ୍ୱ ଗଦ

ବିଚାରନ୍ତି ଦ୍ୱାରିକାୟେ ପଡ଼ିବ ବହୁତ ପରମାଦ।୭୧।

 

ଆଗେ ଦେବୀ ଗମନ୍ତେ ରୋଦନ୍ତି ଉଞ୍ଚ ସ୍ୱରେ

ସାଙ୍ଗରେ ଗୋଡ଼ାଇଲେ ତିନିଯେ କୁମାରେ।୭୨।

 

ପଛେଣ କୁମାର ଗୋଡ଼ାବନ୍ତି ବିରସେ

ପ୍ରବେଶ ହୋଇଲା ଦେବୀ କୁଞ୍ଜଗଳ ଦେଶେ।୭୩।

 

ପ୍ରେତ କାର୍ଯ୍ୟମାନ ଧୃତରାଷ୍ଟ୍ରଙ୍କୁ କରାଇ

ପରମାର୍ଥ କହି କଷ୍ଟ ମାନ ପଶୋରାଇ।୭୪।

 

ହସ୍ତିନା ପୁରୁ ବାହାର କୃଷ୍ଣ କାମପାଳେ

ନନ୍ଦିଘୋଷ ତାଳଧ୍ୱଜ ଆରୋହି ଆସନ୍ତି ପ୍ରାତ କାଳେ।୭୫।

 

ତାଳଧ୍ୱଜ ରଥେ ବିଜୟେ ଦେବହଳୀ

ନନ୍ଦିଘୋଷ ରଥରେ ବିଜୟେ ବନମାଳୀ।୭୬।

 

ଇନ୍ଦ୍ରପ୍ରଶସ୍ତ ଯାୟେ ଦ୍ରିଯୋଧନ ଅଇଲା ପୋଛୋଟି

ବିଶା ଶତେ ଯୋଜନୁଂ ବାହୁଡ଼ଇ ଧୃତରାଷ୍ଟି।୭୭।

 

ଗୋବିନ୍ଦେ ବୋଇଲେ ଶୋକ ନ କରନି ବାବୁ

ଆବର ପାଣ୍ତବନ୍ତ ଲୋଡ଼ିଲେ ତୁ କାହିଂ ଯେ ପାଇବୁ।୭୮।

 

ନାଶ ଗଲା ପ୍ରାଣୀକି ଚିନ୍ତାକଲେ ଆପଣେ ଦେହ ହାରି

ତୁ ସେ ପଞ୍ଚୁକଟକରେ ଅଟୁ ଅଧିକାରୀ।୭୯।

 

ଦ୍ରିଯୋଧନ ବୋଇଲା ଭୋ ବାସୁଦେବ ପାଶୋରିଲି ପାଣ୍ତବଙ୍କୁ

ତୁ ହୋ ନାରାୟଣ ଅନୁଗୃହ କରିଥିବୁ ମୁକୁ।୮୦।

 

ୟେତେ ବୋଲି ବାହୁଡ଼ଇ କୁରୁସାଇଂ

ଚଳନ୍ତି ନାରାୟଣ ସେ ରଥ ଲେଉଟାଇ।୮୧।

 

ଚଳନ୍ତି ବାସୁଦେବ କୁଞ୍ଜଗଳ ଦେଶେ

ଦେଖିଲେ ବିମାନେକ ଆସଇ ଆକାଶେ।୮୨।

 

ଦାରୁକୁ ବୋଇଲା ଦେବ ଶୁଣିମା କାମପାଳେ

ଅମର ଭୁବନ ତେଜି କି ବିଜେକଲେ ଆଖଣ୍ତଳେ।୮୩।

 

ଗୋବିନ୍ଦେ ନିରୋପନ୍ତି ପୁଷ୍ୟେକ ବିମାନ ଦେଖି

ସ୍ତିରୀଲିଙ୍ଗ ବିମାନ ପ୍ରାୟେକ ଆସଇ ଗଗନ ଉପେକ୍ଷି।୮୪।

 

ନିରୋପିଣ ବଦନ୍ତି ଯେ ଦେବ ହଳପତି

ୟେ ବିମାନ ଦିଶଇ ଦ୍ୱାରକାଉଂ ଅଇଲା ମୂରତି।୮୫।

 

ଦୂରେଣ ଦେଖିଲେ ଦେବୀ ନନ୍ଦିଘୋଷ ତାଳଧ୍ୱଜ

ଉଞ୍ଚ ସୁରେ ରୋଦନ୍ତି ଦେବୀ ନାମଧରି

ପିତା ଶକ୍ରାଜିତ ରାଜ।୮୬।

 

ଯହୁଂ ସନ୍ନିଧ୍ୟେ ଦେବୀ ଭେଟିଲେ ବିମାନ

ଢଳି ପଡ଼ିଲେ ଦେବୀ ହୋଇଣ ମୋହମାନ।୮୭।

 

ଦାରୁକ ସାରଥି ଘୁଞ୍ଚାଇଲା ରଥ ତାଳଧ୍ୱଜ

ଆପଣେ ରଥୁଂ ଡ଼େଇଂ ପଡ଼ିଲେ ଦେବରାଜ।୮୮।

 

ନାରାୟଣ କୋଳ କରି ଧଇଲେ ଶକ୍ରାବତୀ

ଦେଖିଣ ଆଶ୍ରିଜ ଦେବ ହୋଇଲେ ହଳପତି।୮୯।

 

ଗୋବିନ୍ଦେ ବୋଲନ୍ତି ଶୁଣ ଶରଦ ଚନ୍ଦ୍ରମୁଖୀ

କାହିଂର ନିମନ୍ତେ ସଖି ତୁ ହୋଇଲୁ ୟେତେ ଦୁଖୀ।୯୦।

 

ସମ୍ପୂର୍ଣ୍ଣ ଚନ୍ଦ୍ର ବଦନ ତୋର ମଳିନ କିସ ପାଇଁ

ଅମଳିନ ମୁଖ ତୋର ପରିମୁଣ୍ତା ଯାଇ।୯୧।

 

ପ୍ରାଣର ବଲ୍ଲଭୀ ମୋର ହୃଦ ପଞ୍ଚଭୂତ

ତୋହୋର କ୍ରୋଧ ଦେଖି ମୋହୋର

ଶରୀର ତୁଟଇରେ ସଂଘାତ।୯୨।

 

ଶକ୍ରାବତୀ ବୋଇଲା ଦେବ ୟେହ୍ନେକ କପଟ କିଂପା କଲ

ୟେଣିକି ଆପଣେ ଆସି ତେଣେ ମୋର ପିତାକୁ ମରାଇଲ।୯୩।

 

ଅଗ୍ୟାଂନେ ପିତା ମୋର ତୋତେ ଅପବାଦ ଦିଲା

ମୋତେ ସମର୍ପି ଦେଇ ତୋତେ ଶରଣ ପଶିଲା।୯୪।

 

ବିଶ୍ୱାସ ଘାତକ ହୋଇଲୁ ଦେବ ହରି

ଶରଣ ଜନ ନାଶ କଲେ ରୌରବ ନର୍କରେ ଯେ ପଡ଼ି।୯୫।

 

ୟେସନେ ନିରାଶ କରି କହିଲେ ଯହୁଂ ସୁରେଖା

ରାମକୃଷ୍ଣଙ୍କୁ ଗୋଚର ନ ଗଲା ହୋଇଲେତାଟକା।୯୬।

 

ଶ୍ରୀକୃଷ୍ଣ ବୋଲନ୍ତି ସଖି କୋପ କର ଶାନ୍ତି

କେହେନେକ ସରୂପ ଗୋ କହସି ନିଭ୍ରାନ୍ତି।୯୭।

 

ୟେସନେକ ସମୟେ ପଦ୍ମନ ଶାମ୍ୱ ଗଦ

ଶତେ ସହସ୍ର ଦଣ୍ତ ପ୍ରଲମ୍ୱିତ ହୋଇଲେ ରାମ କୃଷ୍ଣ ପଦ୍ମପାଦ।୯୮।

 

ଶ୍ରୀହରି ପଚାରନ୍ତି ବାବୁ ଶୁଣ ମୀନକେତନ

ଶକ୍ରାଜିତ ରାଜାର ଚରିତ କେସନ।୯୯।

 

ପ୍ରଦ୍ୟୁମ୍ନ ପ୍ରତିବାଚ ଶୁଣ ହୋ ଜଗତ ଭୂତ

ଆଜ ରାତିରେ ନାଶ ଗଲା ନୃପତି ଶକ୍ରାଜିତ।୧୦୦।

 

କେବଣ ମହାତମା ନିଶାୟେ ପଶିଲା ତାହାର ପୁରୀ

ଶକ୍ରାଜିତକୁ ଛେଦିଲା ବେନି ଖଣ୍ତ କରି।୧୦୧।

 

ପଦ୍ମନ କହନ୍ତେ ବିସରିଲେ ଜଗତ ଭୂତ

କାହାରି ଫଳୁ ଦ୍ୱାରିକା ୟେ ମୋହୋର ହୋଇଲା ୟେମନ୍ତ।୧୦୨।

 

କାହାକୁ କେବଣ ଦୋଷ କଲା ଶକ୍ରାଜିତ ନୃପତି

କେବଣ ପାତକେ ହୋଇଲା ତାକୁ ୟେତେକ ଯେ ଶାସ୍ତି।୧୦୩।

 

କ୍ରୋଧ ନ କର ସତ୍ୟଭାମା ଗୋ ମୋହୋର ବୋଲ ଶୁଣ

ଅବଶ୍ୟ କରିବି ମୁଂ ତୋହୋର ପିତାର କାରଣ।୧୦୪।

 

ତୋହୋର ପିତାକୁ ଯେ ମାଇଲା ଅନମିତ୍ତେ

ଦ୍ୱାରିକାରେ ଥୋଇବି କି ତାହାର ବଂଶହିଂ ସହିତେ।୧୦୫।

 

ସତ୍ୟଭାମାକୁ ସମାର୍ଜନା କଲେ ଦେବହରି

ଦ୍ୱାରିକା ଭୁବନକୁ ତହୁଂ ଆସନ୍ତି ଖର କରି।୧୦୬।

 

ଦ୍ୱାରିକା ଭୁବନେ ଯେ ଭାଳନ୍ତି ଦୁଷ୍ଟମାନେ

ସତ୍ୟଭାମା ଗଲେ ଯେ ହସ୍ତିନା ଭୁବନେ।୧୦୭।

 

ଅକୂର ବୋଇଲେ ଯେ ହକାରି ଶତଧନୁ

ଦ୍ୱାରକାରେ ନୋହଇ ୟେମନ୍ତ ବାସୁଦେବ ଗ୍ୟାନୁଂ।୧୦୮।

 

ଅବଶ୍ୟ ବାସୁଦେବ ଲୋଡ଼ିବେ ସତ୍ୟଭାମାର ବଚନେ

ତୁ ହୋ ଶତଧନୁ ନଥାଅ ଦ୍ୱାରିକା ଭୁବନେ।୧୦୯।

 

ସତ୍ୟଭାମା କୋପ ଶାନ୍ତି ହୋଇବା ପରିଯନ୍ତେ

ସମୟେକେ ଜଣାଇ ପଛେ ଅଣାଇଂ ସିନା ତୋତେ।୧୧୦।

 

ଅକୂର ବଚନ ଶୁଣିଣ ଶତଧନୁ

ଦ୍ୱାରିକାଉଂ ବାହାର ହୋଇଲା ବୃହଧ୍ୱଜର ତନୁ।୧୧୧।

 

ଦ୍ୱାରକାଉଂ ପଳାଇଲା ସେ ମହା ନିଶାକାଳେ

ଗହଳ ଅରଣ୍ୟେ ପଶିଲା ସେ ପ୍ରାଣର ବିକଳେ।୧୧୨।

 

ସତ୍ୟଭାମାଙ୍କୁ ଘେନି ଦେବ ଯଦୁ ସାଇଂ

ଦ୍ୱାରକା ଭୁବନେଣ ପ୍ରବେଶ ହେଲେ ଯାଇଂ।୧୧୩।

 

ବିଜେ କଲେ ବାସୁଦେବ ଶକ୍ରାଜିତର ଭୁବନେ

ଦେଖିଲେ ରୋଦନ କରୁଛନ୍ତି ବେଢି ସମସ୍ତ ନାରୀଗଣେ।୧୧୪।

 

ଜଗନ୍ନାଥଙ୍କ ମୁଖ ଚାହିଂ ଦନ୍ତେ ତିରଣ ଧରି ପଡ଼ି

ରୋଦନ୍ତି ବିଳାସୁଣୀ ସେ ଶିରେ କର ତାଡ଼ି।୧୧୫।

 

ୟେ ଭୁବନକୁ କେବଣ ଦ୍ରୋହ କଲା ଶକ୍ରାଜିତେ

ୟେଥେ ଆପଦ ନାହିଂ ତୋହୋର ଦେଖନ୍ତେ।୧୧୬।

 

ସମସ୍ତଙ୍କ ବିକଳ ଦେଖିଣ ମଧୁ ରିପୁ

ଦେଖିଲେ ବେନି ଖଣ୍ତ ହୋଇଛି ଶକ୍ରାଜିତର ବପୁ।୧୧୭।

 

ରାଗେଣ କାଳାନଳ ସ୍ୱାମୀ ତେଜ ଯେ ବିକଶି

ବଳରାମେ ବୋଇଲେ ୟେ ପୁରକୁ କେବଣ ସେ ଦୋଷୀ।୧୧୮।

 

ଯମଦଣ୍ତ ନ ପଶଇ ଯେବଣ ଦ୍ୱାରିକାକୁ

କିୟେଟି ଶତ୍ରୁ ହୋଇଲା ୟେ ମୋହୋର ଭୁବନକୁ।୧୧୯।

 

ବଳରାମେ ବୋଇଲେ ସମର୍ଥଜିତକୁ ରାଇ

ପିତାଙ୍କୁ ତୋର ଯେ ଦହନ କର ନେଇ।୧୨୦।

 

ଜାଣିମା ତଦନ୍ତ କରି କେ ୟେଡ଼େକ ବଇରି

ୟେତେବେଳେ ତାହାକୁ ପାଇବା କାହିଂ ଲୋଡ଼ି କରି।୧୨୧।

 

ଗୋବିନ୍ଦେ ସମାର୍ଜନା କରନ୍ତି ସବୁନ୍ତି

ନାରାୟଣେ ବଚନେ ସମସ୍ତେ ହୋଇଲେକ ଶାନ୍ତି।୧୨୨।

 

ଦିବ୍ୟ ପଲଙ୍କରେ କଲେ ଆରୋପଣ

ପ୍ରେତ ପ୍ରତିଗ୍ରହ ଯେ ଘେନିଣ ବ୍ରାହ୍ମଣ।୧୨୩।

 

ପଲଙ୍କ ଉପରେ ନେଇ ଶୁଆଇଲେ ଶବ

ଶମଶାନ ଭୂମିରେ ନେଇ କଲେ ଶକ୍ରାଜିତ

ରାଜଦେବ।୧୨୪।

 

ଚିତା ଆରୋପଣ କରି ବସାଇଲେ ମୃତ୍ୟୁକାୟେ

ମୁଖାଅଗ୍ନି ଦିଲା ଶକ୍ରାଜିତର ତନୟେ।୧୨୫।

 

ଦହନ କଲେ ନୃପତିକି ଶମଶାନ ମଧ୍ୟେ

ପ୍ରତିଦିନ ପ୍ରେତକାର୍ଯ୍ୟ କରନ୍ତି ପ୍ରେତଭୂମିର ସନ୍ନିଧ୍ୟେ।୧୨୬।

 

ହବିପାକ ଶୁଦ୍ଧ ହୋଇଲେ ୟେକାଦଶ ଦିନେ

ବ୍ରାହ୍ମଣେ ଶୁଦ୍ଧ କରାଇଲେ ଘୃତର ପାରଣେ।୧୨୭।

 

ଶକ୍ରାଜିତର ପୂର୍ବପୁରୁଷ ବୃତ୍ତାନ୍ତ

ଅଗସ୍ତିଙ୍କି ପୁଚ୍ଛାକଲେ ବଇବସୁତ ମନୁ

ଶକ୍ରାଜିତ ପୂର୍ବଜନ୍ମ ଗୋତ୍ର ଯେ କହିବା ବ୍ରହ୍ମଗ୍ୟାନୁଂ।୧।

 

କେବଣ ବଶଂରେ ହୋ ଅଟଇ ସେହୁ ରାଜା

ୟେହା ମୋତେ ସଞ୍ଚପି କହିବାକ କୁମ୍ଭ ଋଷିର ଆତ୍ମଜା।୨।

 

ଅଗସ୍ତି ପ୍ରତିବାଚ ଶୂର ବଂଶେ ଅଟଇ ରାଜା

ଶୂରର ପୁତ୍ର ଯେ ହୋଇଲା ଶମ୍ଭୁ ରାଜା।୩।

 

ଶମ୍ଭୁଜିତର ପୁତ୍ର ହୋଇଲା ପୁରୁଜିତ

ୟେହାର ପୁତ୍ର ଯେ ହୋଇଲା ଧର୍ମକ୍ଷେତ୍ର।୪।

 

ଧର୍ମକ୍ଷେତ୍ରର ପୁତ୍ର ହୋଇଲା ଜୟେବନ୍ତ

ୟେହାର ପୁତ୍ର ହୋଇଲା ଯଗ୍ୟଂନିଜ।୫।

 

ଯଗ୍ୟଂନିକର ପୁତ୍ର ହୋଇଲା ଲୀଳାଜିତ

ଲୀଳାଜିତର ୟେକ ପୁତ୍ର ହୋଇଲା ଭିଗ୍ୟଂବନ୍ତ।୬।

 

ସୁକାନ୍ତି ନଗ୍ର ବୋଲି ପୂର୍ବଦିଗ ଭାଗେଣ

ଭିଗ୍ୟଂବନ୍ତ ରାଜାର ମହିମା ତୁ ଶୁଣ।୭।

 

ବ୍ରାହ୍ମଣ ଶାସନ ଯେ ପାଞ୍ଚ ସହସ୍ର ବସଇ

ବେଦ ବିଦ୍ୟାରେ ସେ ନିର୍ଜିତ ହୁଅଇ।୮।

 

ଶିଶିକ ବୋଲିଣ ସେ ୟେକଇ ବ୍ରାହ୍ମଣ

ତାହାର ଭାରିଯାର ନାମ ଶ୍ରୀବନ୍ତୀ ଯେ ପୁଣ।୯।

 

ସମୟେକ ଶିଶିକ ବ୍ରାହ୍ମଣ ପରଲୋକ ହୋଇଲା

ତାହାର ପତ୍ନୀ ବାଳ ବିଧବା ହୋଇଲା।୧୦।

 

କିଛୁଦିନ ଅନ୍ତରେ ସେ କୁମାର୍ଗେ ଚଳିଲା

ସେ ଦେଶେ ସାଧବ ପୁତ୍ରକୁ ଘେନି ଗୁପତେ

ଦୁହିତାୟେ ଜାତକଲା।୧୧।

 

ଦୁହିତାକୁ ସେହି ରାତ୍ରରେ ନେଇ ଗ୍ରାମ ବାହାରେ ପକାଇଲା

ମୁଣ୍ତବଥା ପେଟବଥା ବୋଲି ଘରେ ପାଖେକ ଶୋଇଲା।୧୨।

 

ରାତ୍ରି ପାହାନ୍ତିରେ ଗ୍ରାମରୁ ଶୃଗାଳମାନେ ଯାନ୍ତି

ରୋଦନ କରନ୍ତେ ସେ ବାଳୀକି ଦେଖନ୍ତି।୧୩।

 

ଅତ୍ୟନ୍ତ ସୁନ୍ଦର ସୂର୍ଯ୍ୟର କିରଣ ଜାଣି।

ରାତ୍ର ପାହିଲାର କି ଉଦୟେ ଦିନମଣି।୧୪।

 

ସେ ବାଳୀ ଗୋଟିକି ଜମ୍ୱୁକୀ ଘେନିଗଲା

ଆପଣା ବନଭୂମିରେ ନେଇଣ ରଖିଲା।୧୫।

 

ଅନେକ ଗଛକୁ ସେ କ୍ଷୀର ଆଣଇ ଯେ ଫେଇ

ୟେମାନ ଆଣି ଦିଅଇ ବାଳକୀ ତୁଣ୍ତେଣଇ।୧୬।

 

ଗ୍ରାମ ଭିତରେ ପଶି ରାତ୍ରକାଳେ ନିରାଶରେ ନିଅନ୍ତି ପାଣି ପେଜ

କୁମାରୀ ତୁଣ୍ତରେ ଦିଅଇ ନେଇଣ ଅଗ୍ରାହିଜ।୧୭।

 

ୟେମନ୍ତେ କୁମାରୀକି ସେ ବରଷେକ କଲେ

ବନସ୍ତ ଭିତରୁ ଜାମୁ କରମଙ୍ଗା ବଇଂଚ କୋଳି ଦିଲେ।୧୮।

 

ଯେଉଂ ଋତୁରେ ଯେଉଂ କୋଳି ଫଳ ତୋଳିଣ ଆଣନ୍ତି

ବାଳକୀର ହସ୍ତେ ତାହା ଖାଇବାକୁ ଆଣି ଦ୍ୟନ୍ତି।୧୯।

 

ଆଖୁ କାକୁଡ଼ି ପଣସ ସୁସଂଚ ପଦାର୍ଥ

ତାହା ଆଣି ଦିଅନ୍ତି ସେ ବାଳକୀର ହସ୍ତ।୨୦।

 

ଖାଇ ଭୁଞ୍ଜି ବଢଇ ସେ ନବୀନ କାମ ଜାଣି

ଦେଖଇ ହରଷ ହୋଅନ୍ତି ସେ ଶ୍ରିଗାଳ ଶ୍ରିଗାଳୁଣୀ।୨୧।

 

ସପତ ବରଷ ହୋଇଲା ସେ ବାଳକୀ ଯହୁଂ

ଅନ୍ନ ବ୍ୟଞ୍ଜନ ବସ୍ର ଆଣି ଦିଅନ୍ତି ତହୁଂ।୨୨।

 

 

ୟେମନ୍ତେଣ ପାଳିଣ ଥାଇଂ ସେ ଶୃଗାଳ

ସୂର୍ଯ୍ୟ ତେଜ ଦିଶଇ ସେ ଗମନ ମଣ୍ତଳ।୨୩।

 

ୟେକ ଦିନକରେ ସେ ବେନି ପ୍ରାଣୀ ନାହାନ୍ତି

ବିମ୍ୱରୁ ବାହାର ସେ ବାଳକୀ ରୂପବନ୍ତୀ।୨୪।

 

ମନେଣ ବିଚାରଇ ମୁଂ ତ ବଢଇ ବୃଦ୍ଧ ଜମ୍ୱୁକୀର ଘର

ୟେହାର ଗର୍ଭରୁ ମୁଂ ନୋହଇ ବାହାର।୨୫।

 

ପ୍ରାଣର ସଖା କରି ମୋତେ ୟେ ପାଳନ୍ତି

ସେ ବେନି ପ୍ରାଣୀ ମୋହୋର ମାତା ପିତା ଅଟନ୍ତି।୨୬।

 

ଗଗନେ ଥାଇ ଦିନକର ସେ ରୂପ ନିରେଖନ୍ତି

ଧନ୍ୟ ତୁ ସୁନ୍ଦରୀରେ ନବ ଯୁବା ମୂରତି।୨୭।

 

ଶରୀର ତୋହୋର କୁସୁମ ପ୍ରାୟେକ ଦିଶନ୍ତି

କେଶ ଚାମର ଭ୍ରମର ମୁରାଟ କରନ୍ତି।୨୮।

 

କର୍ଣ୍ଣ ତଡ଼କି କାମ କମାଣ ଜିଣି

ଉଦର ପୃଥୁଳ ନାଭି ଗଭୀର ପଦ୍ମପତ୍ର ରସାଣି।୨୯।

 

ଜାତି ପଦ୍ମିନୀ ସେ ଅଟଇ ରୂପବନ୍ତୀ

ମୁନିଜନମାନେ ତାକୁ ଦେଖି ମୋହଯାନ୍ତି।୩୦।

 

ଦିନୁ ଦିନୁ ସୁନ୍ଦରୀ ସେ ବଢଇ ବିକରାଳ

ଭାରିଯା କହଇ ସେ ଶୃଗାଳ ଆଗର।୩୧।

 

କାହାକଇଂ ଦେବା ଆମର ଦୁହିତା ଗୋଟି

କେ ନବ ନଜାଣି ଆମ୍ଭେ ପଶୁ ଜନ୍ମ ଗୋଟି।୩୨।

 

ବୋଲଇ ଶୃଗାଳ ଶୁଣରେ ସଂଘାତ

ବ୍ରହ୍ମା ବିଷ୍ଣୁ ତାହା ରକପାଳେ ଯାହା କରିଥିବେ ନିର୍ମିତ।୩୩।

 

ୟେମନ୍ତେ କିଛୁ ଦିନ ଅନ୍ତରେ ବିଦର୍ଭନ୍ତ ରାଜା

ବନ ପାରିଧି ନିମନ୍ତେ ଯାଇଂ ସେ ଆପଣେ ସନ୍ୟ ଗଞ୍ଜା।୩୪।

 

ଷୋହଳ ଶାୟେନ୍ତ ବାସ୍ତରୀ ନିଯୋଗନ୍ତ ଘେନି

ବନସ୍ତେ କ୍ଷେପି ସେ ଆସଇ ରାଜଧାନୀ।୩୫।

 

ଖଣ୍ତେ ଦୂରେ ରାଜା ସାହାଡ଼ା ବୃକ୍ଷତଳେ

ବାରୁ ଲାଗି ହୋଇଲା

ନିଗମ ବନ ଭୂଇଂରେ କାମିନୀକି ଦେଖିଲା।୩୬।

 

ଲୋକ ଗହଳ ତୁଣ୍ତ ଶୁଣି ବାଳୀ ବିମ୍ୱରେ ପଶିଲା

ଲୋକ ଗହଳ ତୁଣ୍ତ ଶୁଣି ରାଜନ ଦେଖି ନ ଦେଖିଲା।୩୭।

 

କାହାକୁହିଂ ଫେଡ଼ି ନ କହିଲେ ନୃପନାଥ

ଆପଣା ହୃଦରେ କଥା ରଖି ଖୋଜନ୍ତି

ପରସ୍ତେ ପରସ୍ତ।୩୮।

 

ପାରିଧି କରି ରାଜା ଲେଉଟିଣ ଗଲା

ଛ ମାସ ପରିଯନ୍ତେ ରାଜନ ସେ ଠାବରେ ଜଗିଲା।୩୯।

 

ୟେକ ଦିନକରେ ରାଜା କଷା ବସନ ପରିହରଣ

ବନସ୍ତ ଭିତରରେ ବୁଲଇ ରାଜା ଇତସ୍ତତ ମନ।୪୦।

 

ଦେଖଇ ରାଜା ଯାଇ ଖେପିଲେ ନ ପାଇ

ମାନୁଷ୍ୟ ଦେଖିଲି କେଣେ ୟେ ଠାବଇଂ

ଗଲା ବୋଲି ବୋଲଇ।୪୧।

 

ଗୋପାତେ ବିମ୍ୱର ଭିତରେ ଯାଇଣ ପଶଇ

ମହା ଅଗମ୍ୟ ଜନ ମନୁଷ୍ୟର ଦେଖା ନାହିଂ।୪୨।

 

ସେ ଦିନ ନୃପତି ଯେ ବାହୁଡ଼ି ଆସଇ।୪୩।

ଆର ଦିନ ସେ ଭେସ ନ ଧରି ବନସ୍ତକୁ ଗଲା

ଛଦ୍ରମ ରୂପ ସେ ରାଜନ ଧଇଲା।୪୪।

 

ଚୋର ରୂପେ ଜଗି ବସିଲେ ରାଜା ଜାନ୍ତ ଗଛ ଉପର

ବିମ୍ୱର ଭିତରୁ ବାହାର ଯୁବତୀ ରତ୍ନସାର।୪୫।

 

ନିରେଖି ନିରେଖେ ରାଜା ରୂପ ଯେ ଲକ୍ଷଣ

କାହାର ଦୁହିତା କି ୟେ ବନ ଦେବତୀ ପୁଣ।୪୬।

 

କ୍ଷଣକେ ଉତ୍ତାରୁ ଅଇଲେ ଜମ୍ୱୁକ ବେନି ପ୍ରାଣୀ

ଖାଇବାରେ ଆଣିଥିଲେ ଆଖୁ କାକୁଡ଼ି ପଣସ ପୁଣି।୪୭।

 

ଦୁହିତାର ହସ୍ତେ ସେ ଯେ ସମସ୍ତ ଦ୍ରବ୍ୟ ଦିଲେ

ଥୋକାୟେ ଖାଇ ଥୋକାୟେ ବିମ୍ୱରକୁ ନିଲେ।୪୮।

 

କ୍ଷଣକ ଉତ୍ତାରୁ ରାଜନ ବୃକ୍ଷରୁ ଉତରିଲେ

ୟେହାର ପଦାର୍ଥ ବୋଲି ମନେଣ ବିଚାରିଲେ।୪୯।

 

ୟେହାକୁ ମାଗିଲେ ଯେ ହୋଇବ କାରଣ

ପଶୁ ଜନ୍ମ ଘରେ ୟେ ବାଳକୀ ନ ଯାଇ ସଂହରଣ।୫୦।

 

ୟେତେ ବୋଲି ରାଜା ତାର କତିରେ ହୋଇଲେ

ଜମ୍ୱୁକ ବେନି ପ୍ରାଣୀ ଭୟେ ବିମ୍ୱରେ ପଶିଲେ।୫୧।

 

ସେ ସତ୍ୟଯୁଗରେ ୟେ କଥା ପ୍ରମାଣ

ଚଉପାୟାଙ୍କ କଥା ମନୁଷ୍ୟ ରୂପେଣ।୫୨।

 

ନୃପତି କହନ୍ତି ଶୁଣ ହୋ ଜମ୍ୱୁକି

ୟେ ତୋହୋର ଦୁହିତା ଆମ୍ଭଙ୍କୁ ଦେବୁ କି।୫୩।

 

ଜାମ୍ୱୁକି ବୋଇଲା ଗୋସାଇଂ ମୋହୋର ଝିଅକୁ ତୁମ୍ଭେ

କେମନ୍ତେ ବିଭା ଯେ ହୋଇବ

ମୋହୋର ଝିଅକୁ ବିଭା ହୋଇଲେ ବହୁତ ଲାଜ ଯେ ପାଇବ।୫୪।

 

ମାନୁଷ୍ୟର ଦୁଇ ଗୋଡ଼ ବିଧାତାର ଭିଆଣ

ଆମ୍ଭ ପଶୁଜନଙ୍କର କଲା ଚାରି ଯେ ଚରଣ।୫୫।

 

ଶୁଣିଣ ରାଜନ ଯେ ଅଳପ ହସିଲେ

ତୋହୋର ଦୁହିତା ଦେବୁ ବୋଲିଣ ବୋଇଲେ।୫୬।

 

ନୃପତି ବଚନ ସେ ନାସ୍ତି କରି ନୁଆରିଲା

ଦେବି ଦୁହିତା ବୋଲି ସନମତ କଲା।୫୭।

 

କେବଣ ଦିନରେ ଆମ୍ଭେ ବିଭା ଯେ ହୋଇବୁଂ

ୟେହା ବିଚାରିଣ କହ ବନସ୍ତରୁ ଯିବୁଂ।୫୮।

 

ମକର ମାସ ଶୁକଳ ପକ୍ଷ ପଞ୍ଚମୀ ଭୃଗୁବାର

ସେ ଦିନରେ ବିଚାରିଲେ ବିଭା ଲଗ୍ନ ସାର।୫୯।

 

ବୋଲନ୍ତି ରାଜନ ଶୁଣ ବଚନ ମୋହୋର

ୟେ ତୋହୋର ଦୁହିତାକୁ ଦେବ ଆମ୍ଭର ନବର ଠାର।୬୦।

 

ଶୁଣିଣ ଜମ୍ୱୁକୀ ବୋଲଇ ବଚନ

ତହିଂ ଦିଲେ ହୋଇବ ମୋହୋର ବଂଶକୁ କଥା ହୀନ।୬୧।

 

ୟେ ଠାବରୁ ଆସି ତୁମ୍ଭେ ବିଭା ହୋଇଯିବ

ୟେ ବଚନ ଶୁଣି ରାଜା ବୋଲଇ ସଦିଭାବ।୬୨।

 

ମୋହୋର ଅଇଲେ ସନ୍ୟ ବଳ ଯେ ଆସିବ

ୟେତେକ ଲୋକଙ୍କୁ କାହୁଂ ଅନ୍ନ ଭୋଜନ ଯେ ଦେବ।୬୩।

 

ଶୁଣିଣ ଜାମ୍ୱୁକୀ ଯେ ବୋଲଇ ବଚନ

କେଉଂ ବୃତ୍ତି ମୋତେ ଦେଇଅଛ ଯେ ଶାସନ।୬୪।

 

ୟେ ବଚନ ଶୁଣି ରାଜା ବାହୁଡ଼ିଣ ଗଲା

ମକର ଶୁକଳ ପଞ୍ଚମୀକି ବିଭା ଆରମ୍ଭିଲା।୬୫।

 

ଷୋହୋଳ ସାୟେନ୍ତ ବାସ୍ତୋରି ନିଯୋଗନ୍ତ ଘେନି

ପଞ୍ଚ ସୁରେ ବାଦ୍ୟ ବଜାଇ ବାହାର ରାଜା ବିପ୍ରଙ୍କୁ ଘେନି।୬୬।

 

ରାଜାର ରାଜ କର୍ମ ୟେସନେକ ଜାଣ

ତତକ୍ଷଣେ ପ୍ରବେଶ ହୋଇଲେ ସେହି ଯେ ଠାବେଣ।୬୭।

 

ବେଳ ପ୍ରହରେଣ ଭିତରେ ବିଭା ଆରମ୍ଭ କଲେ

କୁମ୍ଭ ଲଗ୍ନରେ ସେ ବିଭା ଯେ ହୋଇଲେ।୬୮।

 

ବିଭା ହୋଇ ଯଉତୁକ ଦେବାର ବେଳେଣ

ବିପ୍ର ହୋଇଲା କି ଦକ୍ଷିଣା ଦେବୁ ଦିଅ ହୋ ବହନ।୬୯।

 

ଜମ୍ୱୁକୀ ବୋଇଲା ରାଜା ଶୁଣ ମୋ ବଚନ

ୟେ ତୋହୋର ରାଜ୍ୟ ଯେ ପଂଚିଶ ସହସ୍ର ଯୋଜନ।୭୦।

 

ଯାବତ ଉଠିଆୟେ ତୁମ୍ଭର କୋଠଧନ

ପଡ଼ିଆ ପୃଥୀ ୟେ ଅଟଇ ମୋହର ପୁଣ।୭୧।

 

ତାହା ତୋତେ ଦିଲା ହୋ ସତ୍ୟ ସତ୍ୟ କରି

ଉଠାଇ ୟେହା ଭୋଗ୍ୟ କର ହୋ ଦଣ୍ତଧାରୀ।୭୨।

 

ହସ୍ତ ଧରି କନ୍ୟାକୁ ସମର୍ପିଣ ଦିଲା

ୟେହାର ଦଶ ଦୋଷ କ୍ଷମା କରିବ ବୋଇଲା।୭୩।

 

ହାନ୍ଦୋଳାରେ ବସାଇ ରାଜା ରାଣୀ ରାଜ୍ୟକୁ ଗଲେ

ଚନ୍ଦ୍ର ରୋହିଣୀ ଯେସନେକ ଶୋଭା ସେ ପାଇଲେ।୭୪।

 

ଦକ୍ଷିଣା ପୃଥିବୀ ଦେଇ ଶୃଗାଳ ବାହାର ହୋଇଲା

ସେ ଭୂମିରେ ସେ ପାଣି ଆହାର ନକଲା।୭୫।

 

ଅଷ୍ଟଦିନ ପରିଯନ୍ତେ ସେ ରାଜା ପୃଥୀରେ ଚଳିଲା

ଉପାସ ଭୋକ ଶୋଷରେ ଜଳ ଆହାର ନ କଲା।୭୬।

 

ତାହାର ସତ୍ୟ ଦେଖି ଇନ୍ଦ୍ର ପାଣି ବରଷିଲେ

ଭୂମିରୁ ପାଣି ନଖାଇ ଦେହରୁ ପାଣି ସେ ଖାଇଲେ।୭୭।

 

ସେ ରାଜାର ସୀମାନ୍ତୁ ବାହାର ହୋଇଗଲେ

ୟେହ୍ନେକ ସତ୍ୟ ଅନ୍ୟ ଲୋକ ନ ମାନିଲେ।୭୮।

 

ସେ ଭିଗ୍ୟଂଜିତର ପୁତ୍ର ହୋଇଲା ଗୁଣଜିତ

ଗୁଣଜିତର ପୁତ୍ର ହୋଇଲା ଶକ୍ରାଜିତ।୭୯।

 

ୟେହାର ପୁତ୍ର ହୋଇଲା ସେ ସମର୍ଥକ

ବାସୁଦେବର ଶଳା ସେ କହିଲେ ସତ୍ୟନିକ।୮୦।

 

Unknown

ମଧୁବନ ବୃତ୍ତାନ୍ତ ଓ କିନ୍ନର ଦୈତ୍ୟ ବଧ

ବଦନ୍ତି ଅଗସ୍ତି ଶୁଣ ହୋ ମନୁ ମହତ

ପ୍ରସ୍ତାବ ବାକ୍ୟେ କହିଲି ଶ୍ରୀମହାଭାରଥ।୧।

 

ଅଗସ୍ତିଙ୍କି ପୂଜା କଲେ ବଇବସୁତ ମନୁ

ପାଣ୍ତବେ କେବଣ କୃତ୍ୟ କଲେ ଗହନ ଅରଣ୍ୟୁ।୨।

 

କହନ୍ତି ଅଗସ୍ତି ଶୁଣ ହୋ ଯୁଗପତି

ପାଣ୍ତବଙ୍କୁ ଦ୍ରିଯୋଧନ ଯେ ହୋଇଲା ନିଭ୍ରାନ୍ତି।୩।

 

ପାଣ୍ତବେ ପ୍ରବେଶ ଯାଇଂ ଗହନ ଅରଣ୍ୟେ

ଗମନ୍ତି ରାତ୍ର ଦିବସେ ନିର୍ଝର ଝର ବନେ।୪।

 

ରୟଣୀ ପ୍ରଭାତେ ଭୀମକୁ ପୁଚ୍ଛନ୍ତି ଯୁଝେଷ୍ଠି

ନିତ୍ୟକର୍ମ ସାରିବା ବାବୁ ଦେଖନି ପାଣିଘାଟି।୫।

 

ସ୍ୱାମୀର ଆଗ୍ୟାଂୟେ ଚଳଇ ବ୍ରିକୋଦର

ଭ୍ରମଇ ମାରୁତି ଅଟବ୍ୟା ବନଘୋର।୬।

 

ଖେଦଇ ବନ ଗହନଲୋଡ଼ଇ ଚଉକତି

ଲୋଡ଼ି ଜଳଘାଟ ଯେ ନ ପାଇଲା ମାରୁତି।୭।

 

ଦେଢ ପ୍ରହର ଆସି ହୋଇଲା ଦିନକର

ବିଜୟେ ପାବେନୀ ଯାଇଂ ସରଯୂ ନଦୀ ତୀର।୮।

 

ନଦୀର ତୀରେ ଦେଖିଲା ୟେକ ମଧୁବନ

ଭୂମିରେ ଝଡ଼ି ପଡ଼ିଛି ପଙ୍କୁ ଫଳମାନ।୯।

 

ଆମ୍ୱ ପଣସ ଯେ କଦଳୀ ନଟିକାଳ

ନାନା ଫଳ ଭରେ ଶାଖା ଲୋଟନ୍ତି ଭୂମିର।୧୦।

 

ଭୀମସେନ ପଶିଲା ଯାଇ ମଧୁବନ ଭିତରେ

ସମ୍ପୂର୍ଣ୍ଣ ଆଧାର ସେ କଲା ବ୍ରିକୋଦରେ।୧୨।

 

ଫଳ ଭାର ଗୋଟିୟେକ ତୋଳିଲା ମାରୁତି

ଯୁଝେଷ୍ଠିଙ୍କ ପାଇଂ ନେମ ବୋଲି ବିଚାରଇ ତାର ମତି।୧୨।

 

ସରଯୁ ନଦୀରେ ପଶି ବୀର ସ୍ରାହାନ ଯେ କଲା

ଭୋଜନ ଆଳସେ ନିଦ୍ରା ଯେ ତାହାକୁ ଘାରିଲା।୧୩।

 

ଫଳଭାର ଗୋଟି ବୀର ସୀମ ସ୍ଥାନେ ଦେଇ

ଅଚେତନେ ନିଦ୍ରାରେ ଯେ ବୀର ଶୁତିଲା ସୁସ୍ଥ ପାଇ।୧୪।

 

ମନୁ ପୁଚ୍ଛା କଲେ ଶୁଣିମା ଅଗସ୍ତି ମୁନିବର

ସେହି ମଧୁବନ ତୋଟା ଅଟଇ କାହାର।୧୫।

 

ଆହୋ ବଇବସୁତ ମନୁ ପୁଚ୍ଛା କଲୁ ଯାହା

କିନ୍ନର ବୋଲି କରି ଅସୁର କୁଳର ଯେ ନାହା।୧୬।

 

କୁମ୍ଭୀର କିଂନ୍ନର ୟେ ଅଟନ୍ତି ବେନି ଭ୍ରାଥ

ସୁର ନଦୀ ଭିତରେ କୁମ୍ଭୀରକୁ ମାଇଲା ପବନର ସୁତ।୧୭।

 

କିନ୍ନର ଦତ୍ୟ ଯେ ୟେହାର କନିଷ୍ଠ ଭାଇ

ମଧୁବନ ତୋଟାର ଠାକୁର ଅଟଇ ଯେ ସେହି।୧୮।

 

ସେ ଦଇତ ରାୟେର ହାଦେ ତୋଟା ମଧୁବନ

ଅସୁର ଭୟେ ତହିଂ କେହି ନକରନ୍ତି ଗବନ।୧୯।

 

ସେ ତୋଟା ପୁରେଣ ବିଜୟେ ମାରୁତି

ନିଶଙ୍କେ ଭୀମସେନ ଶୋଇଛି ନିଭ୍ରାନ୍ତି।୨୦।

 

ମଣୋହିଂ ବେଳେ ବିଜେ କଲାକ ଅସୁର

ଦେଖଇ ବୁଲି କରି ମଧୁବନ ତୋଟାପୁର।୨୧।

 

ମନୁଷ୍ୟ ଗନ୍ଧ ଯହୁଂ ଗନ୍ଧାଇଲା ମଧୁବନେ

ଦେଖିଣ ଅସୁର ଯେ ଲୋଡ଼ଇ ତୋଷ ମନେ।୨୨।

 

ଯାଇଣ ଭେଟିଲା ସେ ସରଯୂ ନଦୀ ତୀରେ

ଅସାଷ୍ଟମ ହୋଇ ସେ ଶୋଇଅଛି ବ୍ରିକୋଦରେ।୨୩।

 

ମକର କେତନ ଜାଣି ଦିଶଇ ତାର କାୟେ

ଦେଖିଣ ସାନନ୍ଦ ଯେ ଅସୁରେଶ୍ୱର ରାୟେ।୨୪।

 

ବୋଇଲା ଆଜର ଦିବସ ଅଟଇ ମୋର ଧନ୍ୟ

ଇଚ୍ଛାୟେ ନର ବଳି ଆଜ କରିବି ଭୋଜନ।୨୫।

 

ନଦୀରେ ପଶି ସ୍ରାହାନ କରଇ କଉଣୋପ

ଭୀମସେନ ସନ୍ନିଧ୍ୟେ ଆସି ବିକାଶଇ ଗରୁତାପ।୨୬।

 

ନିଦରେ ପାଣ୍ତବ ଯେ ହୋଇଛି ଅସାଷ୍ଟମ

କୋପେଣ ଗର୍ଜଇ ସେ ଅସୁର ମହାତମ।୨୭।

 

ଭୀମସେନ ସନ୍ନିଧ୍ୟେ ଦିଲାକ ଉଞ୍ଚେ ରଡ଼ି

ଯେସନକ ଗିରିବର ଭାଞ୍ଜି ପଡ଼େ ଝଡ଼ି।୨୮।

 

ନିଦ୍ରାୟେଣ କିଛି ନ ଜାଣଇ ମାରୁତି

ପୁଣି ଅସୁର ରଡ଼ି ଦିଲା ଭୀମସେନ କତି।୨୯।

 

ତଦ୍ୟାପି ନିଦ୍ରା ତାହାର ଭଗ୍ନ ଯେ ନୋହିଲା

ଶାଳ ବୃକ୍ଷେକ ଘେନି ଉପରେ ପ୍ରହାରିଲା।୩୦।

 

ଭାଞ୍ଜିଣ ବୃକ୍ଷ ଯେ ହୋଇଲା ଶତେ ଚୂର

ତଦ୍ୟାପି ନିଦ୍ରା ଭଙ୍ଗ ନୋହିଲା ବ୍ରିକୋଦର।୩୧।

 

ପୁଣି ସେ ପର୍ବତେକ ଧରିଣ ବୁଲାଇ

ଭୀମସେନ ବାମ ଅଙ୍ଗେ ପ୍ରହାର କଲା ନେଇ।୩୨।

 

ପର୍ବତ ଚୂର ହୋଇଲା ଭୀମସେନର ବାମ ଅଙ୍ଗେ ପଡ଼ି

ଚିଆଂଇ ଉଠିଲା ବୀର ରେ ରେ କାର କରି।୩୩।

 

ଅସୁରକଇଂ ସମାସ୍ୟା ଦିଅଇ ପାବନି

କାହିଂର ରେ ପାମର ମୂର୍ଖ ତୁ ଅଗ୍ୟାନୀ।୩୪।

 

ପରର ନିଦ୍ରା ଭଞ୍ଜିଣ ନ ଯୋଗାଇ

ଆପଣାର ପୁତ୍ର ଶିର ଛେଦନ ଦୋଷ ପାଇ।୩୫।

 

ଅସୁର ବୋଇଲା ୟେ ମୋହୋର ଅଭୟେ ଭୁବନ ଗୋଟା

ମନୁଷ୍ୟ ହୋଇ କେମନ୍ତେ ରେ ପଶିଲୁ ୟେ ତୋଟା।୩୬।

 

ଇଷ୍ଟଦେବତା ତୋହୋର ସୁମର ରେ ମାନବ

ସଞ୍ଚୟେ ପାଞ୍ଜି ତୋର ପୋଛିଲା ନାଶକର ଦେବ।୩୭।

 

ତୁହି ସେ ମାନବରେ ଅଟୁ ମୋର ଭକ୍ଷ

ଜୀବନ ହରାଇଲୁ ଆଜ ପଡ଼ିଲୁ ପ୍ରତକ୍ଷ।୩୮।

 

ଅସୁର ପ୍ରତଗ୍ୟାଂ ଦେଖି କୋପେଣ ପାବନି

ଗର୍ଜିଣ ଉଠିଲା ସେ ମହାତେଜ ଘେନି।୩୯।

 

ଅସୁରକୁ କୋଳ କରି ଧଇଲା ବାମ ଭୁଜେ

କୋପେଣ ଆକ୍ରେଷଇ ଦୁର୍ଭାର ଦନୁଜେ।୪୦।

 

ଭୀମସେନକଇ ଧରି ପାଡ଼ିଲା ଅସୁରାଧି

ପାଣ୍ତବ ସୁନ୍ଦର ସେ କାଳାନ୍ତକ ମହାଯୋଧୀ।୪୧।

 

ପ୍ରଥମେ ସମରେ ସେ ହାରଇ ଶତଶିଂଗର ଶାପ୍ୟେ

ପ୍ରଥମ ଘାନ୍ତି ହାରିଲା ବଚନ ଅନୁରୂପେ।୪୨।

 

ଦୁତୀୟ ଯୁଦ୍ଧେ ଯେ ଭୀମସେନ ତୁରିତେଣ ଉଠି

ଅସୁରକଇ ବ୍ରିକୋଦର ଯେ ପାଡ଼ିଲା ଲେଉଟି।୪୩।

 

ମନ୍ଦର ମାଡ଼ି ଯେହ୍ନେ ବସଇ ହେମବନ୍ତ

ସତ୍ୟଯୁଗେ ଯୁଦ୍ଧେ ଯେହ୍ନେ ଶସ୍ତ ପରଶସ୍ତ।୪୪।

 

ଭୀମସେନ ମାଡ଼ି ବସିଲା ଅସୁର ବକ୍ଷ ସ୍ଥଳେ

ମୁଥେଳ ପ୍ରହାର କଲା ପବନ ଦୁଲାଳେ।୪୫।

 

ବଜ୍ର ପଡ଼ନ୍ତେ ପର୍ବତ ଯେହ୍ନେ ପଡ଼ଇ ଭାଂଜି

ଭୀମସେନର ମୁଥା ଘାତେ ଅସୁର ପଡ଼ଇ ଗଳଗାଜି।୪୬।

 

ପୁଣ ପ୍ରହାର ଯେ କଲାକ ବ୍ରିକୋଦର

ଅସୁର ଶିର ଭାଞ୍ଜି ହୋଇଲା ଶତେ ଚୂର।୪୭।

 

ଯହୁଂ କିନ୍ନର ଦତ୍ୟକୁ ମାଇଲା ପାବନି

ଆକାଶେ ଶୁଭିଲା ଯେ ସାଧୁ ସାଧୁ ଧୁନି।୪୮।

 

ପୃଥିବୀଦେବୀ ମାରୁତିକୁ ଅନେକ ସ୍ତୁତିକଲା

ତୋହୋର ପ୍ରସାଦେ ଭାରାଭର ମୋର ଉଶ୍ୱାସ

ହୋଇଲା।୪୯।

 

ଶରଣ ପଞ୍ଜର ତୁ କଇଚ୍ଛା ଜଗଜ୍ଜେଠୀ

ପ୍ରତଗ୍ୟାଂ ସାର୍ଥୁକ ତୁ କ୍ଷତ୍ରୀବର ମହାଶ୍ରେଷ୍ଠୀ।୫୦।

 

କୁମ୍ଭୀର ଦତ୍ୟକୁ ପ୍ରହାର କଲୁ ଜଳେ

ଗଙ୍ଗା ଉଶ୍ୱାସ ହୋଇଲା ତୋହୋର ବାହୁ ବଳେ।୫୧।

 

କାଳେବର ଧାରଣା ତୁ ଶରଣ ପଞ୍ଜର ବୀରଧୂ

ପ୍ରତଗ୍ୟାଂ ପାଳନ ତୁ ଜୀବନ ତୋର ସାଧୁ।୫୨।

 

ୟେସନେକ ସ୍ତୁତି ଯେ କଲାକ ବସୁଧା

ପୁରୁଷବର ସାଧୁ ତୁ ବଚନ ତୋର ସିଦ୍ଧା।୫୩।

 

ହିଡ଼ିମ୍ୱକକୁ ବଧକର ୟେହି ହିଡ଼ିମ୍ୱକ ବନେ

ତପୋଧନେ କାରଣ ପାଆନ୍ତୁ ତୋହୋର ପ୍ରସନ୍ନେ।୫୪।

 

ଦେବତାଙ୍କର ଆଗ୍ୟାଂ ତୁମ୍ଭକୁ ହୋଇଲା ଆକାଶେ

ୟେ ଚାରି ଦତ୍ୟ ବଧ ନିମନ୍ତେ

ତୁମ୍ଭନ୍ତ ପେଷିଲେ ବନବାସେ।୫୫।

 

କିନ୍ନର ଦତ୍ୟ ବଧ କରି ଭୀମସେନ

ଫଳଭାର କାନ୍ଧେ ପାଡ଼ି ପବନର ନାନ।୫୬।

 

ପତର ଝରି ୟେକ ସିଇଂ ପୁରୋଇଣ ପାଣି

ବାହୁଡ଼ଇ ବ୍ରିକୋଦର ପବନ ଗତି ଜାଣି।୫୭।

 

ଯୁଝେଷ୍ଠି ବାଟ ଚାହିଂ ଅଛନ୍ତି ଭୀମସେନକୁ

ବାବୁରେ ଅରଜୁନ ଯାଅନି ଥୋକାୟେ ଦୂରକୁ।୫୮।

 

ଭୀମଗଲା ଯେ ୟେତେ ବେଳ ପରିଯନ୍ତେ

କିଅବା ପ୍ରମାଦତାକୁ ପଡ଼ିଲା ବନସ୍ତେ।୫୯।

 

ୟେ ମହାଘୋର ଗହନ ବନ ଯେ ଅଟବ୍ୟା

କେଉଣ ଦାନବ ତାକୁ ବିରୋଧିଲା ଅବା।୬୦।

 

ସ୍ୱାମୀର ଆଗ୍ୟାଂ ନିବେଶିତ ଶିରେ ଘେନି

ଭୀମକୁ ଅନୁସରି ଚଳଇ ଫାଲଗୁନି।୬୧।

 

କରୁଣାକର ବୋଲି ୟେକ ପର୍ବତ ଗୋଟିୟେ

ସେ ସ୍ଥାନରେ ଭେଟିଲା ଭୀମ ଧନୁର୍ଜୟେ।୬୨।

 

ଭୀମସେନର ପାଦେ ଅର୍ଜୁନ ଶତ ସହସ୍ର ଦଣ୍ତ ପରିଣାମି

ଅପାର ବେଳ ତ କିମ୍ପା ବିଳମ୍ୱ କଲ ସ୍ୱାମୀ।୬୩।

 

ଭୀମସେନ ହସିଲା ଅର୍ଜୁନ ବଦନ ଚାହିଂ

କିନ୍ନର ବୋଲି ଦତ୍ୟେ କୁମ୍ଭୀର ଦତ୍ୟର ସାନ ଭାଇ।୬୪।

 

ମଧୁବନ ତୋଟା ପୁରେ ମୋତେ ସେ ବିରୋଧୀ

ମହା ବଳବନ୍ତା ସେ ଅସୁରେଶ୍ୱର ମହାଯୋଧୀ।୬୫।

 

ଅନେକ ଦ୍ୱନ୍ଦ ହୋଇଲା ତାହାର ମୋହୋର

ସଂଗ୍ରାମେ ବଧିଲି ସେ ଅସୁରେଶ୍ୱର ବୀର।୬୬।

 

ତେଣୁ କରି ବିଳମ୍ୱ ହୋଇଲା ଫାଲଗୁନି

ଅପ୍ରମାଦେ ଅଇଲି ୟେ ପଙ୍କୁ ଫଳଭାର ଘେନି।୬୭।

 

ଭୀମ ଅର୍ଜୁନ ଦୁହେଂ ହୋଇଲେ ସମ୍ଭାଷି

ଯୁଝେଷ୍ଠି ଦେବଙ୍କ ଛାମୁରେ ହୋଇଲେକ ଆସି।୬୮।

 

ଜଳଉଦକେ ସ୍ନାହାନ କରନ୍ତି ଧର୍ମସୁତ

ଛାମୁରେ ଅର୍ଜୁନ କହଇ ଅସୁରବଧର ବାରତ।୬୯।

 

ଶୁଣିଣ ଯୁଝେଷ୍ଠି ମହା ବିଷାଦ ଯେ ଚିତ୍ତେ

ଅସୁର ତୁଲେ ଦ୍ୱନ୍ଦ ତୁ ୟେକା

ବାବୁରେ ଭିଆଇଲୁ କେମନ୍ତେ।୭୦।

 

ସଖା ସହୋଦର ବାବୁ ସଙ୍ଗତେ ନାହିଂ କେହି

ଆର ବେଳେ ୟେତେ ସାହାସ

ତୁ ନ କରିବୁଟି ମୋର ଭାଇ।୭୧।

 

ଭୀମସେନ ବୋଇଲା ସ୍ୱାମୀ ଯତୁନେ ନ ଲୋଡ଼ଇ

ପାଇଲେ ନ ଛାଡ଼ଇ ଦେବବ୍ରତ ମୋର ୟେହି।୭୨।

 

ସ୍ରାହାନ ତର୍ପଣ ଯେ ସାରିଲେ ଜପମନ୍ତ୍ର ଦେବପୂଜା

ଫଳ ଭୋଜନେ ବିଜୟେ ଧର୍ମର ଆତ୍ମଜା।୭୩।

 

ଭୋଜନ ସାରି ଦେବ କଲେ ଆଞ୍ଚୋବନ

ଭୋଜନ ଆଳସ୍ୟେ ଦେବ କଲେକ ଶୟନ।୭୪।

 

ୟେକା ଫଳ ଭାରକେ ଦେବ ବଞ୍ଚିଲେ ତିନିଦିନ

ପଞ୍ଚ ଦିବସ ରହିଲେ ସେହି ବନସ୍ତେଣ।୭୫।

 

ସେ ବନସ୍ତୁଂ ଚଳନ୍ତି ଦେବ ଗହନ ଘୋର ଗ୍ରାହି

ସର୍ପିଣୀ ନାମେ ନଦୀ ଗୋଟି ଯମୁନା ନଦୀରୁ ଯେ ବହି।୭୬।

 

ସେ ନଦୀର ତୀରେ ଯାଇଂ ପ୍ରବେଶ ହୋଇଲେ

ବୀରଭୋଜ ପର୍ବତେ ଯାଇଣ ରହିଲେ।୭୭।

 

ଖାଇଦ ଫଳମାନ ଲୋଡ଼ି ନ ପାଇଲେ ଘୋର ବନେ

ଅଖାଇଦ ଫଳ ତହିଂ ଲମ୍ବଇ ଗହନେ।୭୮।

 

ତୁଳ ମାସ ଶୁକଳ ପକ୍ଷ ଚତୁର୍ଦଶୀ ଶଉରି ବାର

ଅଶ୍ୱିନୀ ନକ୍ଷତ୍ର ଭୋଗ ସେ ଦିନର।୭୯।

 

ତତ୍ତୁଲ୍ୟ ନାମେ କରଣ ବରୀୟାନ ନାମେ ଯୋଗ

ବିଛା ସଙ୍କରାନ୍ତିକି ପଚିଶି ଦିବସ ଭୋଗ।୮୦।

 

ସେ ଦିନ ପାଣ୍ତବେ ଯେ ସର୍ପିଣୀ ନଦୀ କୂଳେ

ନିରାଶେ ବଞ୍ଚିଲେ ସେ ନ ପାଇ କନ୍ଦମୂଳେ।୮୧।

 

ବ୍ରାଘ ଭାଲୁଙ୍କ ମୟୋମତ୍ତ ହସ୍ତୀ

ୟେ ଜୀବମାନେ ତହିଂ ଅଛନ୍ତି ଅପ୍ରମିତି।୮୨।

 

ଅଖାଇଦ ଫଳ ଭକ୍ଷନ୍ତି ପୃଥୀର କାର୍ଯ୍ୟ କରି।

ଧର୍ମ ଉଦିତ କରାନ୍ତି ଆପଣେ ଦୁଖ ପଡ଼ି।୮୩।

 

ଅନେକ ଦୂର ମୃଗ ଯେ ଖେଦନ୍ତି ମହାବୀରେ

ଗଣ୍ତା ହରିଣ ମାରି ଖାନ୍ତି ଶଉରି ରାନ୍ଧଣା ବିଧାନରେ।୮୪।

 

ଆକାଶକୁ ଲାଗିଛନ୍ତି ଶାଳ ବୃକ୍ଷମାନେ

ଅନେକ ଶ୍ରଦ୍ଧେ ଯେ ବିହରନ୍ତି ଘୋର ବନେ।୮୫।

 

ବଡ଼ ସୁସ୍ତ ପାଇଣ ରହିଲେ ପଞ୍ଚୁଛତ୍ରୀ

ଜନ ମନୁଷ୍ୟ ଆତାଗମ ନାହିଂ ନା ନଗ୍ର କତି।୮୬।

 

ଅଗର ଚନ୍ଦନମାନ ଅଛନ୍ତି ଅପ୍ରମିତେ

ଖାଇଦ ଫଳମାନ ନ ପାଇଲେ ସେ ବନସ୍ତେ।୮୭।

 

ମୃଗୟା ବିହାରେ ମାରନ୍ତି ବନଜୀବ

ଶଉରି ବିଧି ରାନ୍ଧଣାରେ ବ୍ରତନ୍ତି ପାଣ୍ତେବ।୮୮।

 

ନିର୍ମଳ ଠାବ ଦେଖି ସେ ରହିଲେ ବନସ୍ତେ

ଦତ୍ୟ ଦାନବ ରାକ୍ଷସ ନାହିଂ ବ୍ରତନ୍ତି ବଡ଼ ସୁସ୍ତେ।୮୯।

 

ପତ୍ର କୁଡ଼ିୟା ଆଶ୍ରମ କରି ବ୍ରତନ୍ତି ବନବାସ

ସେ ବନେ ରହିଲେ ପାଣ୍ତବେ ତିନି ଯେ ଦିବସ।୯୦।

 

ହିଡ଼ିମ୍ୱକ ବଧ ଓ ଘଟୋତ୍କଚ ଜନ୍ମ ବୃତ୍ତାନ୍ତ

ବଇଶାଖ ଶୁକଳ ଯେ ପୌର୍ଣ୍ଣମୀର ତିଥି

ଅରୁରାଧା ନକ୍ଷତ୍ର ଯେ ବାର ବୃହସ୍ପତି।୧।

 

ଆକାମାବୈ ସ୍ନାହାନ କରିବା ନିମନ୍ତେ

ପୁନ୍ୟତୋୟା କୂଳକୁ ଚଳନ୍ତି ପଞ୍ଚୁଭ୍ରାଥେ।୨।

 

ସେ ପୁନ୍ୟତୋୟା ନଦୀରେ ସ୍ରାହାନ କରି ପିଣ୍ତଦାନ ଦିଲେ

ସେ ସରସ୍ୱତୀ ନଦୀ ତୀରେ ପାଞ୍ଚ ଦିବସ ରହିଲେ।୩।

 

ତହୁଂ ଚଳନ୍ତି ସେ ଘୋର ଗହନ ବନେ

ପ୍ରବେଶ ହୋଇଲେ ସେ ହିଡ଼ିମ୍ୱକ ବନେ।୪।

 

ହିରଣକେଶୀ ନାମେ ୟେକ ନଦୀ ଗୋଟି

ଆକାଶ ଗଙ୍ଗାଉଂ ସେ ସାଗର ସଙ୍ଗମେ ଯେ ଫୁଟି।୫।

 

ସେ ନଦୀର କୂଳେ ବିଜେ ପଞ୍ଚୁ ଯେ ପୁରୁଷେ

ବିପାକ କର୍ମେ ସେ ଖେଦନ୍ତି ବନବାସେ।୬।

 

ଖେଦନ୍ତି ହିଡ଼ିମ୍ୱକ ବନ ଅତିଅ ବୃଷାଳ

ଅବସନ୍ତେ ବସନ୍ତ ତହିଂ ଅଛି ପଙ୍କୁ ଫଳ।୭।

 

ଆମ୍ୱ ପଣସ ଯେ କଦଳୀ ନଟିକାଳ

ଜାମ୍ୱୁ ଜମ୍ୱିଳ ତାଳ ତମ୍ୱାଳ କଣ୍ଟାହୋଳ।୮।

 

ଅବସନ୍ତେ ବସନ୍ତ ଯେ ଲୋଡ଼ିଲେ ତହିଂ ପାଇ

ଯାହା ମନେ ଇଛା କରି ସମ୍ପଦ ହୋଇ ସେହି।୯।

 

ବଡ଼ାଇ ବିସ୍ତାର ବନ ପାଞ୍ଚ ଯୋଜନ ସ୍ଥଳୀ

ନିତି ପ୍ରତି ନଦୀ ଜଳ ମାଡ଼ଇ ବେନି ତଳି।୧୦।

 

ବନ ଦେଖି ସାନନ୍ଦ ଉଚ୍ଛର୍ଗ ପଞ୍ଚୁଜନ

ବିହଡ଼ନ୍ତି ଦାରାକ୍ଷ ଫଳ କରନ୍ତି ଭୋଜନ।୧୧।

 

ଫଳ ଭକ୍ଷନ୍ତେ ଭାଞ୍ଜିଲା କ୍ଷୁଧା ଖେଦ

ମଳୟ ପବନ ଲାଗି ମାଡ଼ିଲା ଘୋର ନିଦ।୧୨।

 

ଯୁଝେଷ୍ଠି ବୋଇଲେ ବାବୁ ଶୁଣ ଭୀମସେନ

ନିଦ୍ରା ଯିବି ଦଣ୍ତେ ବାବୁ ଜାନୁ ଦିଅ ସୀମ ଥାନ।୧୩।

 

ଭୀମସେନ ଜାନୁରେ ସୀମଥାନ ଦେଇ

କାଶୀ ନଦୀ ତୀରେ ଶୁତିଲେ ଚାରି ଭାଇ।୧୪।

 

ନିଦ୍ରାର ଆଳସେ ଶୋଇଲେ କୋଇନ୍ତା ଦେବୀ ଆୟି

ମହାଶ୍ରମେ ନିଦ୍ରା ମାଡ଼ିଲା ଆହାର ପୃଷ୍ଟପାଇ।୧୫।

 

ବହୁତ ଆହାରେ ସେ ବହୁତ ଯେ ନିଦ୍ରା

ଆତ୍ମା ନ ଅଗୋଚର ଭାଞ୍ଜିଲା ପଞ୍ଚୁ ମୁଦ୍ରା।୧୬।

 

ଶୁତିଲେ ପାଣ୍ତୁର ନନ୍ଦନେ ହୋଇଲେ ଅସାଷ୍ଟମ

କୁଶ ଶେଯ୍ୟାୟେ ଶାଳପତ୍ର ପାଡ଼ି ଶୁତିଲେ ଦେବଧର୍ମ।୧୭।

 

ଭୀମସେନ ଜଗିଅଛି ସୀମଥାନେ ବସି

ଆଦିତ୍ୟଙ୍କ ଅସ୍ତକାଳ ହୋଇଲାକ ଆସି।୧୮।

 

ଦେଖିଣ କ୍ରୋଧ ଯେ କରଇ ମାରୁତି

ଆମ୍ଭନ୍ତ ଉପୁଜାଇ କୋଇନ୍ତା ପାଇଲୁ ୟେଡ଼େ ଶାସ୍ତି।୧୯।

 

କୋନ୍ତଭୋଜ ରାଜାର ଗୋ ଅଟୁ କୁଳର ମଣ୍ତଣୀ

ସୋମବଂଶ ଠାକୁରାଣୀ ଗୋ ଅଟୁ ପଣ୍ତୁରାଜାର ପାଟରାଣୀ।୨୦।

 

ନିରଞ୍ଜନ ଦେବତା, ପବନ ଦେବତା, ବାସବ ତୋହୋର ପତି

ଆମ୍ଭନ୍ତ ଜୀବନ ଥାଉଂ ମାତା ଗୋ

ତୋହୋର ୟେତେକ ଯେ ଶାସ୍ତି।୨୧।

 

ଧିକ ଧିକ ଆମ୍ଭର ଜୀବନ ଯେ କ୍ଷତ୍ରିୟ କୁଳର

ବଳ ଦର୍ପ ଥାଉଂ ଯେ ହୋଇଲୁଂ ହୀନ ଛାର।୨୨।

 

ଭୋ ସ୍ୱାମୀ ଯୁଝେଷ୍ଠି ତୁ ପ୍ରତକ୍ଷେ ନିରଞ୍ଜନ

ଯାହାର ପାଦେ ନାରାୟଣେ କରନ୍ତି ବନ୍ଦନ।୨୩।

 

ଅଜାତଶତ୍ରୁ ଦେବ ଧର୍ମ ଯେ ଯୁଝେଷ୍ଠି

କର ଲେଉଟାନ୍ତେ ଯାର ଲେଉଟଇ ନବ ସୃଷ୍ଟି।୨୪।

 

ଦିବ୍ୟ ସୁପାତି ଦେବ ଶେଯ୍ୟା ଯୁଗତେ

ୟେଥେ ନିଦ୍ରା ସ୍ୱାମୀ ତୋତେ ମାଡ଼ିଲା କେମନ୍ତେ।୨୫।

 

ଅର୍ଜୁନ ବଦନ ଚାହିଁ ନିରୋପଇ ଭୀମସେନ

ବାବୁ ବାସବର ପୁତ୍ର ତୋତେ ବାସୁଦେବେ ଅଭିନ୍ନ।୨୬।

 

କୋଳରେ ବସାଇ ତୋତେ ଶ୍ରୀପୁରୁଷୋତ୍ତମ

ନାରାୟଣ ଦିଲେ ତୋତେ ଦୁତୀକୃଷ୍ଣ ନାମ।୨୭।

 

ୟେ ମହୀମଣ୍ତଳେ ତୋତେ ନାହିଁ ଛତ୍ରୀ ବଳବନ୍ତା

ସୁରବର ସୁନ୍ଦର ତୁ ତ୍ରୈଲୋକ୍ୟ ଜିଣନ୍ତା।୨୮।

 

କାହାର ଭୟେଣ ବାବୁ ତୋହୋର ୟେତେକ ଯେ ଶାସ୍ତି

ଯୁଝେଷ୍ଠିଙ୍କ କଲା କୃତ୍ୟ ଆମ୍ଭଙ୍କୁ ୟେତେକ ଦୁର୍ଗତି।୨୯।

 

ନକୁଳ ବଦନ ଚାହିଁ ଭୀମସେନ ପରଶଂସି

ବାବୁ ଶରଦ ପୌର୍ଣ୍ଣମୀ ଚନ୍ଦ୍ର ଜାଣି

ତୋହୋର ବଦନ ବିକାଶି।୩୦।

 

ଅତି ସୁକୁମାରରେ ଅଟୁ ମୋହୋର ବାପ

ଅଶ୍ୱିନୀ ନନ୍ଦନ ତୋତେ ଜାଣନ୍ତି ବୃନ୍ଦାଅର୍କ।୩୧।

 

ଆକାଶେ ପାଟ ତୋତେ ଅଛି କୁମାର ମୁଖେ

କେବଣ ପାତକେ ରେ ବାବୁ ତୋହୋର ୟେତେ ଦୁଃଖେ।୩୨।

 

ମାଛି ଗୋଟିଏ ଯେବେ ଶରୀରେ ତୋହୋର ବସି

ଶତେ ପଳ ଚନ୍ଦନ ଶରୀରେ ତୋର ଘଷି।୩୩।

 

ବେଳୁରୀ ତୁଳୀ ଉପରେ ନେତର ସୁପାତି

ତହିଂ ତୋତେ ନିଦ୍ରା ନ ମାଡ଼ଇ ନିଶା ରାତି।୩୪।

 

ନେତର ଶେଯ୍ୟା ଉପରେ ବାବୁ ପୁଷ୍ୟର ପାଖଡ଼ି

ତହିଂର ଉପରେ ଯେ କର୍ପୂର ଗୁଣ୍ତି ସିଞ୍ଚଡ଼ି।୩୫।

 

ତହିଂ ତୋତେ ନିଦ୍ରା ନ ମାଡ଼ଇ ରେ ଭାଇ

ୟେ ଶାଳପତ୍ର ଶେଯ୍ୟାୟେ କେସନେ ଶୁତିଲୁ ସୁସ୍ତ ହୋଇ।୩୬।

 

ବାବୁ ସହଦେବ ରେ ମନ୍ତ୍ରୀ ଚୁଡ଼ାମଣି

ଆରେ କରକୁ ଚାହାଂନ୍ତେଣ ତୋତେ

ଚତୁର୍ଦଶ ଭୁବନ ବାରତା ଜାଣି।୩୭।

 

ଭୂତ ଭବିଷ ବର୍ତ୍ତମାନ ତୋତେ ଦିଶଇ ଗତ ଯେ ଆଗତ

ଆମ୍ଭର ତୁଲେ ବାବୁ ରେ ପାଇଲୁ ୟେତେ ଦୁଖ ଭ୍ରାଥ।୩୮।

 

ୟେ ତୋହୋର ଅବସ୍ତା ବାବୁ କଷ୍ଟମାନ ଦେଖି

ଜଳି କିମ୍ପେ ନ ଯାଇ ୟେ ମୋହୋର ବେନି ଆଖି।୩୯।

 

କାହାକୁ ଭୟେ ଆମ୍ଭନ୍ତ ଅଛଇଂ ତ୍ରିୟ ଲୋକେ

କୁରୁବଳଯାକ ସବୁନ୍ତି ମାରି ପାରଇ ମୁଂ ୟେକେ।୪୦।

 

ବଚନ ଦରିଦ୍ର ହୋଇ ତୁ ନାଶ ହଲୁ ସ୍ୱାମୀ

ସମ୍ପଦ ଥାଉଂ କିମ୍ପେ ବିପଦେଣ ଭ୍ରମି।୪୧।

 

ୟେସନେକ ବିଚାରି ସେ କ୍ରୋଧ କରଇ ବ୍ରିକୋଦର

ହିରଣ୍ୟ ପର୍ବତେ ଥାଇ ଶୁଣିଲା ହିଡ଼ିମ୍ୱକ ଅସୁର ମହାବୀର।୪୨।

 

ହିଡ଼ିମ୍ୱକୀ ନାମେଣ ତାହାର କନିଷ୍ଠ ଭୟେଣୀ

ତାହାକୁ ରାଇ ବୋଇଲା ଅସୁର ମୂଢ ଯେ ଅଗ୍ୟାନୀ।୪୩।

 

ଆୟି ଜିଭା ସ୍ରବଣ କଲା ସୁକୃତ ମୋହୋର

ନରବଳି ପ୍ରବେଶ ହୋଇଲା ଆଜ ୟେହି ବନସ୍ତର।୪୪।

 

ଯାଅନି ଚଳିଣ ଗୋ ବେଗ ୟେହି କ୍ଷଣ

ମାନୁଷ୍ୟ ଭକ୍ଷ ମିଳିଲା ଛାମୁକୁ ମୋର ଆଣ।୪୫।

 

ଭ୍ରାଥାର ବଚନେ ଚଳଇ ହିଡ଼ିମ୍ୱକୀ

ନିର୍ଝର ଘୋର ବନସ୍ତେ ଯାଇଣ ସେ ଦେଖି।୪୬।

 

ଦେଖିଲାକ ବସିଅଛଇ ପବନର ତନୟେ

ଦିଶଇ ମାରୁତି ଯେ ଅନଙ୍ଗ ରୂପ ପ୍ରାୟେ।୪୭।

 

ଦେଖିଣ ଦାନବୀ ଯେ ମଦନ ଶରେ ଘାରି

ଅସାଷ୍ଟମ ହୋଇଲା ଧର୍ମ ଧର୍ମ ସୁମରି।୪୮।

 

ଅସୁରୀ ରୂପ ଛାଡ଼ିଲା ଯେ ମଦନେ ଅସାଷ୍ଟି

କାମସେଣା ପ୍ରାୟେ ହୋଇଲା ରୂପ ଗୋଟି।୪୯।

 

ଅତି ସୁକୁମାରୀ ମାନିନୀ ମାନ ରୂପୀ

ମଦନ ଶର ଶରୀରେ ତାହାର ଯେ ବ୍ୟାପି।୫୦।

 

ଭୀମସେନର ପାଦତଳରେ ହୋଇଲା ପରିଣାମି

ବୋଇଲା କାମଜଳ ସାଗରୁ ମୋତେ

ଉଦ୍ଧରି ଧର ଦେବ ସ୍ୱାମୀ।୫୧।

 

ଭୀମସେନ ଆଶ୍ରିଜ ହୋଇଲା ତାହାର ବଚନେ

ଦେବସ୍ତିରୀ ପ୍ରାୟେ ଦିଶୁ ମା ଗୋ ଥିଲୁ କେଉଣ ଭୁବନେ।୫୨।

 

ଅନେକ ଆଭରଣ ଭୂଷଣ ତୋହୋର ଯେ କାୟେ

ପ୍ରତେକ୍ଷେ ଦିଶୁ ତୁ ଯେ ଆକାଶ ରମ୍ଭା ପ୍ରାୟେ।୫୩।

 

ସଦାଶିବର ଭାରିଯା ତୁ ଗୋ ଅଟୁ କି ପାର୍ବତୀ

ପଦ୍ମବନ ତେଜି କି କମଳା ଉତପତ୍ତି।୫୪।

 

ମୁହିଂ ମାନବ ଅଟଇ ମହାଦୁଖୀ

ତୁ କିମ୍ପାଇ ଇଛା କରୁ ଗୋ ଶରଦ ଚନ୍ଦ୍ରମୁଖି।୫୫।

 

ତୁକୁ ହିଂ ବର ଗୋ ଯୋଗାଇ ଅନଙ୍ଗ ସୁନ୍ଦର

ୟେ ମୋହୋର ଅବସ୍ତା କାଳେ କିସ ଶୃଙ୍ଗାର ତୋହୋର।୫୬।

 

ତୁ ଯେବେ ଶୃଙ୍ଗାର ଇଛିଲୁ ମହାମାୟି

ଅଳକା ନାଥ ତୋତେ ବର ପଣରେ ଯୋଗାଇ।୫୭।

 

ଛାଡ଼ିଣ ମେଲ ଗୋ ମୋହୋର ମନୀଷା

ୟେ ଦୁଖ କାଳେ ତୁ କିମ୍ପା ବଢାଇଲୁ ଆଶା।୫୮।

 

ଭୀମସେନ ହିଡ଼ିମ୍ୱକୀ କଥା ହୁଅନ୍ତେଣ ତହିଂ

ହିଡ଼ିମ୍ୱକ ବିମୁଖହୋଇ ହିଡ଼ିମ୍ୱିକୀ ବାଟ ଚାହିଂ।୫୯।

 

ଭୀମସେନ ପଚାରଇ ଗୋ ତୁ ଅଛୁ କାହାର କତି

କେ ତୋହୋର ସ୍ୱାମୀ ତୁ କାହାର ଯୁବତୀ।୬୦।

 

ନିଷ୍ଫଳ ଜୀବନ ତୋର ହୋଇଲା କିସ ଅର୍ଥେ

ନିଜ ସ୍ୱାମୀ ଛାଡ଼ି କିମ୍ପା ପର ବାରା ଇଚ୍ଛୁ ମୋତେ।୬୧।

 

ହିଡ଼ିମ୍ୱିକୀ ବୋଇଲା ତୁ ଶୁଣ ପ୍ରାଣପତି

ହରିଣ୍ୟ ଦତ୍ୟ ବୋଲି ନିଦାଘ କୂଳେ ଉତପତ୍ତି।୬୨।

 

ତାହାର ପୁତ୍ର ଯେ ଦାନବ ଜପାସୁର

ଜପାସୁର ନନ୍ଦନ ହାଦେ ଅସୁର ମହାଘୋର।୬୩।

 

ଘୋର ମୁଖର ନନ୍ଦନ ଦାନବ ରୁଦ୍ରମାଳୀ

ତାହାର ନନ୍ଦନ ଯେ ଅସୁର ବିଂଝମାଳୀ।୬୪।

 

ୟେ ଦାନବର ପୁତ୍ର ଯେ ଭାସ୍କର ଅସୁର

ୟେହାର ନନ୍ଦନ ଯେ କେତୁମାଳୀ ବୀର।୬୫।

 

କେତୁମାଳୀର ପୁତ୍ର ଅସୁର ପ୍ରଳମ୍ୱା

ପ୍ରଳମ୍ୱାର ନନ୍ଦନ ଦତ୍ୟ ବୀର ଅମ୍ୱା।୬୬।

 

ଅମ୍ୱାର ନନ୍ଦନ ଯେ ନିର୍ବାଚକ ପଚ

ନିର୍ବାଚର ନନ୍ଦନ ବଜ୍ର ଯେ କପଚ।୬୭।

 

ବଜ୍ରକପଚର ଚାରି ପୁତ୍ର ଉପୁଜିଲା

କୁମ୍ଭୀର କିନ୍ନର ବକ ହିଡ଼ିମ୍ୱକ ନାମ ଦିଲା।୬୮।

 

ସେ କୁମ୍ଭୀର ଦତ୍ୟ ଅଛି ସୁର ନଦୀ ଭିତରେ

ସେ କିନ୍ନର ଦାନବ ଥାଇ ଯେ ମଧୁବନ ତୋଟାରେ।୬୯।

 

ହିଡ଼ିମ୍ୱକ ଦତ୍ୟ ଅଛଇ ୟେହି ହିଡ଼ିମ୍ୱକ ବନେ

ବକ ରାକ୍ଷସ ଅଛି ୟେକଚକ୍ରା ନଗ୍ର ଭୁବନେ।୭୦।

 

ୟେ ଚାରିଭାଇଙ୍କର ମଧ୍ୟେ ମୁଂ ଅଟଇ ୟେକହିଂ ବହେଣୀ

ହିଡ଼ିମ୍ୱିକୀ ନାମ ମୋହୋର ଶୁଣ ହୋ ବୀରମଣି।୭୧।

 

ମୁକୁ କାହକୁହିଂ ପ୍ରଦାନ ନକଲା ଦଇତା

ଯୁବା ବୟେସ ହୋଇଲି ମୁଂ ଅପ୍ରତିଷ୍ଠା ବିରହିତା।୭୨।

 

ୟେତେ କାଳେ ସ୍ୱାମୀ ପାଇଲି ମୁହିଂ ତୋତେ

ୟେ ଅସୁର ଭୋଗ ଭୂମି ଯେ ପଶିଲ କେମନ୍ତେ।୭୩।

 

ହିଡ଼ିମ୍ୱକ ଦତ୍ୟ ପେଶିଲାକ ରାଇ ମୋତେ

ମୁହିଂ ଅଇଲି ତୁମ୍ଭନ୍ତ ଧରି ନେମାର ନିମନ୍ତେ।୭୪।

 

ନର ମାନୁଷ୍ୟ ତୁମ୍ଭେ ଆମ୍ଭର ଭକ୍ଷ ସିନା ସ୍ୱାମୀ

ମୁହିଂ ଅଇଲି ତୁମ୍ଭନ୍ତ ଅନ୍ତରୀକ୍ଷେ ଧରି ନେମି।୭୫।

 

ତୋହୋର ରୂପ ଦେଖି ମଦନେ ଆରତି

ଛାଡ଼ିଲି ଲଜ୍ଜା ମୁଂ ସୋଦରେ ନ କଲଇଂ ଭୀତି।୭୬।

 

ସୋଦରନ୍ତ ଛାଡ଼ି ମୁଇଂ କଲି କାମ ଇଚ୍ଛା

ତୁମ୍ଭକୁ ହିଂ ମାଗଇ ପ୍ରସନ୍ନ ହୋଇ ପୂରାଅ ମନ ବାଞ୍ଚା।୭୭।

 

ୟେସନେକ ସମୟେ ହିଡ଼ିମ୍ୱକ ହିଡ଼ିମ୍ୱିକୀର ବିଳମ୍ୱ ଦେଖି

ଧାମଇ ହିଡ଼ିମ୍ୱକ ଧର୍ମକୁ ଉପେଖି।୭୮।

 

କାଳାନ୍ତେକ ଅସୁର ସେ ପ୍ରତଗ୍ୟାଂ ସାମରଥା

ଆକାଶ ମଣ୍ତଳେ ଯାଇ ଲାଗିଛି ତାହାର ମଥା।୭୯।

 

ବାମକରେ ପର୍ବତ ଡ଼ାହାଣ କରେ ବୃକ୍ଷ

ଅଭୟେ ମନ୍ଦରଗିରିକି ଉଡ଼ି ଆସଇପ୍ରତ୍ୟକ୍ଷ।୮୦।

 

ଖାଂକର କେଶ ଦିଶଇ ଭଇରୋବ ରୂପ ଜାଣି

ଦିଗ ଶୂନ୍ୟ ମଣ୍ତଳ ଦିଶଇ ବେନି ପାଣି।୮୧।

 

ତମ୍ୱାଚକ୍ର ପ୍ରାୟେକ ଦିଶଇ ବେନି ଆଖି

ଦୂରେ ଥାଇଣ ତାହା ଦେଖିଲା ହିଡ଼ିମ୍ୱିକୀ।୮୨।

 

ଲହ ଲହ ଜିଭ୍ୟା ଦଶନ ବିକଟ

ରେ ରେ କାର ଶବଦେ ଖଂକାଳି କାକଂଳ ପେଟ।୮୩।

 

ଆରେ ଆରେ ବୋଲି ଅସୁର ଆସଇ ଧାମି

ହିଡ଼ିମ୍ୱିକୀ ବୋଇଲା ବହନ ପଳା ସ୍ୱାମୀ।୮୪।

 

ଆସୁଅଛି ହିଡ଼ିମ୍ୱକ ମହା ବଳିଷ୍ଠ

ଯାହାର ଭୟରେ ଆସନ ଛାଡ଼ଇ ସୁର ଶ୍ରେଷ୍ଠ।୮୫।

 

ପାଞ୍ଚବେଳ ଧାଡ଼ି ଦିଲା ଅମର ସ୍ୱର୍ଗକୁ

ବଜ୍ର ଘେନି ବାସବ ପିଟିଲା ୟେହାର ବୁକୁ।୮୬।

 

କୋଟିଏ ରଶ୍ମିର ତେଜ ଯେବଣ ବଜ୍ର ଶକତି

ସେ ଶହସ୍ର ବଞ୍ଚାଇଲା ଅସୁର ମହାକ୍ଷେତ୍ରୀ।୮୭।

 

ତାହାକୁ ସଂଗ୍ରାମେ ସମାନ ନାହିଂ କେହି

ବଜ୍ରେଣ ନିର୍ବାଣ ସେ ଅସୁରର ଦେହୀ।୮୮।

 

ୟେ ମୋହୋର ବଚନ ସ୍ୱାମୀ ଶୁଣିମା ନିରୁତାନ୍ତେ

ଅସୁର ମୁଖୁଂ ପଳାଇତେ ବାଟ ନାହିଂ ତୋତେ।୮୯।

 

ୟେକା ପହଣ୍ତକେ କୋଶେ ଯାଇ ଖେପି

ପୃଥୀ ଡ଼େଇଂତେ ପାରେ ସେ ଅସୁର କାମ ରୂପୀ।୯୦।

 

ଅସୁର ନିକଟ ହୋଇଲା ଆସି ପାଞ୍ଚ ଯୋଜନ

ନୁଆରିନି ପଳାଇ ତୁମ୍ଭେ ଛଡ଼ ଜଣ।୯୧।

 

ମୋହୋର କାନ୍ଧରେ ତୁମ୍ଭେ ସମସ୍ତେହେଂ ବସ

ଅନ୍ତରୀକ୍ଷେ ତୁମ୍ଭନ୍ତ ମୁଂ ଘେନିଯାଇଂ ଅବଶ୍ୟ।୯୨।

 

ଭୀମସେନ ବୋଇଲା ଗୋ ଜାଣିଲି ତୋର ମନ

କାନ୍ଧରେ ବସାଇ ତୁ ସବୁନ୍ତି ଗିଳିବୁ ବହନ।୯୩।

 

ହିଡ଼ିମ୍ୱିକୀ ବୋଇଲା ଯେବେ ଅପ୍ରତେ କଲୁ ମୋତେ

ଅଲଘିଂତ ନିୟମ ମୁଂ କଲି ତ୍ରିବାର ସତ୍ୟ ସତ୍ୟେ।୯୪।

 

ଯେବେ ସ୍ୱାମୀ ତୋହୋର ହୋ ଅଛଇ ପରାକ୍ରମ

ଅସୁରର ତୁଲେ ତୁ କରସି ସାଂଗ୍ରାମ।୯୫।

 

ଯଦ୍ୟପି ହିଡ଼ିମ୍ୱକ ଅଟଇ ମୋର ଭାଇ

ତାହାର ଭୟେ ମୋତେ ବର ନାହିଂ କେହି।୯୬।

 

ତୁ ମୋହୋର ବଲ୍ଲଭ ବଢିଲା କାମ ଖେଦ

ତୋହୋର ମୋହୋର ତ ୟେକତ୍ୱ ଅଭେଦ।୯୭।

 

ତାହାର ମୃତ୍ୟୁ ଭେଦ କହଇ ତୋତେ ସାଧ୍ୟ

ଯେବଣ ଠାରେ ମାଇଲେ ଅସୁର ହେବ ବଧ୍ୟ।୯୮।

 

ଭୀମସେନ ବୋଇଲା ମୋତେ କହସି ପ୍ରିୟବତୀ

ହୋଇଲୁ ଭାରିଯା ମୋହୋର ତ୍ରିବାର ସତ୍ୟି ସତ୍ୟି।୯୯।

 

ସ୍ୱାମୀ ବିଶ୍ୱନାଥ ତପେ ତୋଷିଲା ନବ ସହସ୍ର ବରଷ ପରଯନ୍ତେ

ବୋଇଲା ତ୍ରୈଲୋକ୍ୟେ ଘୋଟିବି

ମୁଇଂ ବିଶ୍ୱ ରୂପେ ବିଶ୍ୱନାଥେ।୧୦୦।

 

ଦେବ ଦାନବ ମାନବ ଆଦି କରି

ସପତ ବ୍ରହ୍ମାଣ୍ତେ ମୋତେ ନୋହିବ କେହି ସମସରି।୧୦୧।

 

ଯେବେ ପ୍ରସନ୍ନ ମୋତେ ହୋଇଲୁ ବିଶ୍ୱରୂପ

କାୟା ମୋହୋର ହୋଉ

ବଜ୍ର ଛଉରି ବଜ୍ର ମୋତେ ଖେପ।୧୦୨।

 

ଭୋଳେଣ ବଜ୍ର ଯେ ଖେପିଲେ ବିଶ୍ୱଭୂତେ

ଜାଳିଲେ ମହାରସ ସେହି ହିଡ଼ିମ୍ୱକର ଗାତ୍ରେ।୧୦୩।

 

ଲାଭି ଗଭୀର ତହିଂରେ ମାତ୍ର ନ ପଡ଼ିଲା

ଶରୀର ଯାକ ତାହାର ବଜ୍ର ଯେ ହୋଇଲା।୧୦୪।

 

ଜାଣିଥିବୁ ସ୍ୱାମୀ ସାଂଗ୍ରାମର କାଳେ

ଗଭୀର ନାଭିରେ ଯେ ମାରିବୁ ନେଇ ଶୂଳେ।୧୦୫।

 

ତେଣେ ନାଶ ଯିବଟି ଦଇତ ତୋ ଅରି

ଆନ ଯୁଦ୍ଧେ ତ୍ରୈଲୋକେ କେ ତାକୁ ନାହିଂ ସମସରି।୧୦୬।

 

ଆହୋ ହିରଣ୍ୟକ ପରବତେ ଅଛଇଟି ଶକତି

ଆକାଶକୁ ଧାଡ଼ି ଦିଲେ ତା ଘେନଇଂ ଦତ୍ୟପତି।୧୦୭।

 

ଭୀମସେନ ବୋଇଲା ତୁ ଶକତି ମୋତେ ଆଣ

ତୋହୋର ଭାବ ମୁଂ ଜାଣିମି ୟେହିକ୍ଷଣ।୧୦୮।

 

ୟେତେକ ବଚନେ ସେ ଖେପିଲା ଅସୁରୀ

ୟେକା ହାଥକ ତହିଂକି ଦିଲାକ ବିସ୍ତାରି।୧୦୯।

 

ପାଞ୍ଚ ଯୋଜନେ କେ ଅଛି ଯେ ହିରଣ୍ୟକ ଗିରି

ହିଡ଼ିମ୍ୱିକୀର ଭୁଜ ପାଇଲା ତହିଂକି ବୋଲି କରି।୧୧୦।

 

ଭୀମସେନ ଦେଖିଲା ସେ ଶକତି ଆଣିଲା ବାମକରେ

ଶକତି ସମର୍ପିଲା ଭୀମସେନର ହାଥରେ।୧୧୧।

 

ଭୀମସେନ ବୋଇଲା ତୁ ହସ୍ତେ ଘେନିଥିବୁ

ସଂଗ୍ରାମେ କଟାଳ ପଡ଼ିଲେ ନେଇ ମୋତେ ଦେବୁ।୧୧୨।

 

ନିଦ୍ରାୟେ ଅସାଷ୍ଟମ ମୋହୋର ଭ୍ରାଥ ମାୟେ

ନିଦ୍ରା ଭଙ୍ଗ କଲେ ଯେ ଅପ୍ରମିତ ଦୋଷ ହୋୟେ।୧୧୩।

 

ତୋତେ ଲାଗିଇଟି ୟେ ପାଞ୍ଚଙ୍କରି କଥା

ମୁହିଂ ୟେହି କ୍ଷଣି ସାଂଗ୍ରାମେ ମାରଇଂ ଦଇତା।୧୧୪।

 

ଆରେକ କଥାୟେ ତୋତେ ମାଗଇ ହିଡ଼ିମ୍ୱିକୀ

ନପୁଣ ମୋତେ କୋପ କରୁ ଭାଇ କଷ୍ଟ ଦେଖି।୧୧୫।

 

ହିଡ଼ିମ୍ୱିକୀ ବୋଇଲା ଯେ ତୋହୋର ବଇରି

ସେ ମୋହୋର ଶତ୍ରୁ ହାଦେ ବେଗେ ପକାଅ ଯେ ମାରି।୧୧୬।

 

ଥିର କରି କାଢିଲା ସେ ସୀମସ୍ଥାନୁଂ ଜାନୁ

ଗର୍ଜିଣ ଉଠିଲା ଯେ ପବନର ତନୁ।୧୧୭।

 

 

ଅସୁର କାୟା ବିକାଶି ଅଛି ଯେତେ

ଭୀମସେନ କାୟା ବିକାଶିଲା ତେତେ।୧୧୮।

 

ହସ୍ତେ ଉପାତି ଧଇଲା ବେନିବୃକ୍ଷ

ରାହୁ ଆକ୍ରଷଣ ପ୍ରାୟେ ପବନର ବଚ୍ଛା।୧୧୯।

 

ହିଡ଼ିମ୍ୱକ ଭୀମସେ ନଦୁହେଂ ହୋଇଲେ ୟେକ ସରି

ଦାନେବ ବୁଲାଉଛି ଦକ୍ଷିଣ କରେ ପର୍ବତେକ ଧରି।୧୨୦।

 

ବୁଲାଇଂ ପିଟିଲା ନେଇ ସେ ଭୀମସେନ ଉପରେ

ପର୍ବତ ପଡ଼ିଲା ଆସି ଭୀମସେନ ମଥାରେ।୧୨୧।

 

ପଡ଼ିଣ ଗିରିବର ଶତେ ଖଣ୍ତ ହୋଇଲା

ଭୀମସେନ ଶରୀରେ ପଡ଼ି ଧୂଳି ଯେ ହୋଇଲା।୧୨୨।

 

ଆରେ ସାଧୁ ସାଧୁ ପ୍ରତଗ୍ୟାଂ ମାନବ ରେ ଦଇତ ଯେ ବୋଲି

କୋପେଣ ଭୀମସେନକୁ ହିଡ଼ିମ୍ୱକ ଦେଲା ପେଲି।୧୨୩।

 

ଅସୁର ଡାକ ଦିଅଇ ଆଲୋ ହିଡ଼ିମ୍ୱିକୀ

ସୋଦର ଛାଡ଼ିଲୁ ତୁ ଯେ ପର ପୁରୁଷକୁ ଦେଖି।୧୨୪।

 

ୟେହାର ରକତ ପାନେ କରଇଂ ଆଜ କେଳି

ତୋହୋର ମୁଣ୍ତ କାଟି ଦେବଇଂ ବିଷାବଳୀ।୧୨୫।

 

ଅନେକ ପ୍ରତଗ୍ୟାଂ ଯହୁଂ କଲାକ ଅସୁର

ହିଡ଼ିମ୍ୱିକୀ ବୋଇଲା ଭାଇ ଆଗେ ୟେଥୁଂ ହୋଅ ପାର।୧୨୬।

 

ରାଗେ ଭୀଷ୍ମ ମୂର୍ତ୍ତି ଧଇଲା ଦଇତେ

ବେନି ଭୁଜ ବଢାଇଲା ବେନି ଯୋଜନା ପରିଯନ୍ତେ।୧୨୭।

 

ଧାତିକରେ ସେ ଉପାଡ଼ିଲେ ବେନି ଯେ ପର୍ବତ

ପୁଣି ପ୍ରହାର କଲା ନେଇ ଭୀମସେନର ମାଥ।୧୨୮।

 

ବାମ ଅଙ୍ଗ ପାତିଲା ପବନର ସୁତ

ପଡ଼ି ଚୁର ହୋଇଗଲା ସେ ବେନି ପରବତ।୧୨୯।

 

ପୁଣି ଭୀମସେନ ପିଟିଲା ନେଇ ବେନି ଶାଳବୃକ୍ଷ

ଅସୁର ଶରୀରେ ପଡ଼ି ଚୂର ହୋଇଲା ପ୍ରତକ୍ଷ।୧୩୦।

 

ହିଡ଼ିମ୍ୱକ ବୋଇଲା ତୁ ମୋହୋର ନରବଳି

କେମନ୍ତେ ୟେତେ ଦର୍ପ ବହିଲୁ ରେ ତୋହୋ ଛାର ଭଳି।୧୩୧।

 

ଭୀମସେନ ବୋଇଲା ତୁ ରେ ଜାଣିଲୁ ତତ୍ତୁ

ମୋହୋର ହାଥେ ଯେ ତୋହୋର ନିଜ ମୃତୁ।୧୩୨।

 

ୟେସନେକ ବଚନ ଶୁଣି ଦୁର୍ଭାର ଦଇତ

କୋପେଣ ଭୀମସେନକୁ ମାଇଲା ବଜ୍ର ମୁଥ।୧୩୩।

 

ରାଗେଣ ବେନି ମୁଥ ମାଇଲା ଯେ ଭୀମ

ତ୍ରିପଣ୍ତ ଗଳିତ ଶରୀରେ ବହଇ ଯେ ଘୃମ।୧୩୪।

 

ରାଗେଣ ଭୀମସେନକୁ ଧଇଲା ଦତ୍ୟରାଜ

ଆକ୍ରେଷଣ କରି ଯେ ଭିଡ଼ି ବେନି ଭୁଜ।୧୩୫।

 

ପାଦେଣ ପାଦକୁ ଛନ୍ଦିଲା ଅସୁର ମହାଦଚ୍ଛ

ଅସୁରକୁ ପେଲି ପକାଇଲା ପବନର ବଚ୍ଛ।୧୩୬।

 

ଅସୁର ବକ୍ଷସ୍ଥଳେ ଭୀମ ବସିଲାକ ମାଡ଼ି

ବେନି ମୁଥ ପ୍ରହାର କଲା କୋପେଣ

ଅଧର କାମୋଡ଼ି ।୧୩୭।

 

ହୁଙ୍କାର ଶବଦ କଲାକ କଉଣୋପେ

ଭୀମସେନକୁ ଲେଉଟାଇ ପାଡ଼ିଲା ନିଜ ଭୁଜ ଦର୍ପେ।୧୩୮।

 

ଭୀମସେନକୁ ମାଡ଼ି ହିଡ଼ିମ୍ୱକ ବସଇ ହୃଦେ

ବଜ୍ର ମୁଥେକ ମାଇଲା ଯେ ଭୀମସେନର ମାଥେ।୧୩୯।

 

ଯେସନ ଆକାଶୁଂ ପଡ଼ଇ କି ବଜ୍ର ଭାଞ୍ଜି

ପ୍ରତଗ୍ୟାଂ କରି ଭୀମସେନ ଉଠିଲା ଗଳଗାଜି।୧୪୦।

 

ପୁଣ ଅସୁରକୁ ଲେଉଟାଇ ପାଡ଼ିଲା ବୀର ଭୀମ

ଅସୁର ବକ୍ଷସ୍ଥଳେ ବସିଲା ଶରୀରୁ ବହଇ ଘୃମ।୧୪୧।

 

ପୁଣ ପୁଣ ଅସୁର ପାଡ଼ଇ ଲେଉଟାଇ

ଭୀମସେନର ହୃଦେ ବସିଲା ନିଠାଇ।୧୪୨।

 

ଭୀମସେନକୁ ହିଡ଼ିମ୍ୱକ କଚାଡ଼ିଲା ତୋଳି

ଡ଼ିଙ୍ଗର ଗିରି ପର୍ବତ ଭାଜି ହୋଇଲାକ ଧୂଳି।୧୪୩।

 

ଭୀମସେନ ଆକ୍ରେଷି ଧଇଲା ଅସୁରକୁ

ବେନି ଭୁଜେ ଭିଡ଼ି ଚାପିଲା ତାର ବୁକୁ।୧୪୪।

 

ଧରନ୍ତି ପଡ଼ନ୍ତି ଗଡ଼ନ୍ତି ମାଲବନ୍ଧେ

କେହି କାହାକୁ ଓଛ ନୋହନ୍ତି ନା ଯୁଧ୍ୟେ।୧୪୫।

 

ହିଡ଼ିମ୍ୱକ ଭୀମସେନରବଢିଲା ସମର

ଦଶ ଯୋଜନ ପରିଯନ୍ତେ ବନସ୍ତ ହୋଇଗଲା ଚୂର।୧୪୬।

 

ରୋଧିର ବିଲେପନ ହୋଇଲା ବେନି ଅଙ୍ଗ

ବେନି ସର୍ପେ ଯେସନେ ଲାଗନ୍ତି ଅଙ୍ଗ ସଙ୍ଗ।୧୪୭।

 

ବାରଣ ନ ଯାଇ ଯେହ୍ନେ ଯାମଳା ବେନି ବୃକ୍ଷ

ରୋମେ ରୋମେ ରୋଧିର ଗଳଇ ପ୍ରତକ୍ଷ।୧୪୮।

 

ଜଡ଼ିତ ହୋଇଲାନି ଦୁହିଙ୍କରି କାୟେ

ପ୍ରତକ୍ଷେ ଦିଶନ୍ତି ସେ ୟେକ ଶରୀରର ପ୍ରାୟେ।୧୪୯।

 

ବ୍ରହ୍ମାଣ୍ତ କମ୍ପୁଅଛି ସାଂଗ୍ରାମେ ଘୋର ମୁଦ୍ରା

ତଦ୍ୟାପି ନ ଭାଞ୍ଜିଲା ଯେ ପାଣ୍ତେବଙ୍କର ନିଦ୍ରା।୧୫୦।

 

ଗତି ଗତି ଗଲେ ଯହୁଂ ଯୋଜନା ପଞ୍ଚଦଶ

ଦେଖଇ ହିଡ଼ିମ୍ୱିକୀ ହୋଇଲା ଅଦୃଶ୍ୟ।୧୫୧।

 

ହିଡ଼ିମ୍ୱିକୀ ବୋଇଲା ଗୋ ଉଠକିନା ମାୟେ

ପୁତ୍ରକୁ ପଡ଼ିଲା ତୋର ଦୁସହ ଅପଚୟେ।୧୫୨।

 

ଝାତିକାରେ ଉଠିଲା ଯେ ଯୁଝେଷ୍ଠି ରାଜଦେବ

ଭୀମସେନକୁ ନଦେଖି ରୋଦନ୍ତି ନକୁଳ ସହଦେବ।୧୫୩।

 

ବୋଲଇ ହିଡ଼ିମ୍ୱିକୀ ଗୋ ନିଦ୍ରାଗଲ ୟେମନ୍ତ ଯେ ହୋଇ

ତୋହୋର ପୁଅକୁ ଧରି ନିଲା ହିଡ଼ିମ୍ୱକ ମୋହୋର ଭାଇ।୧୫୪।

 

ଧାମନ୍ତି ପାଣ୍ତବେ ଯେ ଯୁଝେଷ୍ଠି ଅରଜୁନ

କାନ୍ଦି କାନ୍ଦି ହିଡ଼ିମ୍ୱିକୀ ଧାମଇଂ ବହନ।୧୫୫।

 

ଅନ୍ତରୀଛେ ହିଡ଼ିମ୍ୱିକୀ ଧାମଇ କୋପ ମୂର୍ତ୍ତି

କରେ ଘେନି ଅଛି ଶୂଳ ଯେ ଶକତି।୧୫୬।

 

ଦେଖି ଦିଡ଼ିମ୍ୱକ ସାନନ୍ଦ ହୋଇଲା

ଆଣ ଗୋ ଶକତି ବୋଲି ଭୁଜ ଯେ ପାତିଲା।୧୫୭।

 

ଭୀମସେନ ପ୍ରତଗ୍ୟାଂ କଲା ଅସୁରୀକି ଦେଖି

ଭୀମସେନ ହସ୍ତେ ଦିଲା ଶକତି ହିଡ଼ିମ୍ୱିକୀ।୧୫୮।

 

ଭୀମସେନର ହାଥେ ଯହୁଂ ଶକତି ପଡ଼ିଲା

ଦେଖିଣ ଦାନବର ଆତ୍ମା ଉଚ୍ଛର୍ଗିଲା।୧୫୯।

 

ଯହୁଂ ଦାନବ ହୋଇଲା ବିରସ ଭାବ

ଅସୁର ବକ୍ଷ ସ୍ଥଳ ମାଡ଼ି ବସିଲା ପାଣ୍ତବ।୧୬୦।

 

ବାମ ଭୁଜେ ବକ୍ଷସ୍ଥଳ ମାଡ଼ି ବସିଲା ପାବନି

ନାଭି ମଣ୍ତଳେ ପ୍ରହାର କଲା ଶୂଳ ଘେନି।୧୬୧।

 

ନାଭି ମଣ୍ତଳେ ପଡ଼ି ଫୁଟିଲା ତାହାର ଯେ ପିଠି

ପୃଥୀରେ ପଶିଲା ସେ ଯୋଜନେକ କଣ୍ଟି।୧୬୨।

 

ଶୂଳ ମାରି ଭୀମ ମାଡ଼ି ବସିଲା ବକ୍ଷସ୍ଥଳ

ଯେସନେ ନରସିଂଘ ହରିଣ୍ୟ ବିଦାରଣ କାଳ।୧୬୩।

 

ଯୁଝେଷ୍ଠି ଦେଖି ତ୍ରାସିଲେ ଭୀମସେନର ମୂର୍ତ୍ତି

ଭୟେଣ କେହି ଆସି ନୁଆରନ୍ତି କତି।୧୬୪।

 

ହିଡ଼ିମ୍ୱିକୀ ବୋଇଲା ମାତା ଶୁଣ ନ ଭାଳ କିଛି ମନ

ହିଡ଼ିମ୍ୱକ ବଧ କଲା ତୋହୋର ନନ୍ଦନ।୧୬୫।

 

ଦନୁଜର ପ୍ରାଣ ତ୍ୟାଜେ ଭୀମସେନ ପରମ ଶାନ୍ତିମୂର୍ତ୍ତି

ସନ୍ନିଧ୍ୟେ ପ୍ରବେଶ ହୋଇଲେ ପାଣ୍ତବ ଚାରିମୂର୍ତ୍ତି।୧୬୬।

 

ଭୀମସେନ ପ୍ରଣପତ୍ୟ ମାତାଙ୍କର ପାୟେ

କୋଳେ ଧରି ମୁଖେ ଚୁମ୍ୱନ ଦିଲେ ଧର୍ମର ତନୟେ।୧୬୭।

 

ବାବୁ ମୁହିଂ ତୋହୋର ଘେନିଯାଇ ରେ ଅପାଦ

ମୋତେ ନ କହି କେମନ୍ତେ ପଶିଲୁ ୟେତେକ ପରମାଦ।୧୬୮।

 

ଭୀମସେନ ବୋଇଲେ ତୁମ୍ଭେ ନିଦ୍ରାଗଲ ସ୍ୱାମୀ

କେହି ନ ଜାଣିଲେ ୟେ ଅସୁର ଭୋଗଭୂମି।୧୬୯।

 

କୋଇନ୍ତାଙ୍କ ପାଦତଳେ ପ୍ରଣପତ୍ୟ ହିଡ଼ିମ୍ୱିକୀ

ବ୍ରିକୋଦର ବହୁତ ପ୍ରଶଂସଇ ତାହା ଦେଖି।୧୭୦।

 

ଦାନବୀ ହୋଇ ତୋର ୟେତେ ମହତ ବାଣୀ

ସୋଦର ଛାଡ଼ିଣ ଆମ୍ଭନ୍ତ ରଖି ଆଣି।୧୭୧।

 

କୋଇନ୍ତାୟେ ବୋଇଲେ ମା ଗୋ ହୋଇଲି ତ୍ରିପୁତି

ଯେମନ ବାଞ୍ଚା ଗୋ ଦେବଇ ସତ୍ୟି ସତ୍ୟି।୧୭୨।

 

ହିଡ଼ିମ୍ୱିକୀ ବୋଇଲା ଗୋ ୟେ ତୋହୋର ପୁତ୍ରଗୋଟି

ୟେହାଙ୍କୁ ଦେଖିଣ ମୁହିଂ ମଦନେ ଅସାଷ୍ଟି।୧୭୩।

 

ସୋଦର ଛାଡ଼ିଲି ମୁଂ ୟେହାଙ୍କର ନିମନ୍ତେ

ମଦନଶର ଯେ ପୀଡ଼ିତ କଲା ମୋତେ।୧୭୪।

 

ସ୍ତିରୀଲିଙ୍ଗ ଜନ୍ମ ଗୋଟି ଅଟଇ ଦୁଲଭ

ଆଗ୍ୟାଂ ଦିଅ ତୋହୋର ୟେ ପୁତ୍ରଗୋଟି

ମୋର ହୋଇବ ବଲ୍ଲଭ।୧୭୫।

 

କୋଇନ୍ତାୟେ ବୋଇଲେ ମା ଗୋ

ଜ୍ୟେଷ୍ଠ ପୁତ୍ର ମୋର ଅଛି

ତାହାକୁ କିମ୍ପେ ତୁ ହାଦେ ମନରେ ନ ବାଞ୍ଚି।୧୭୬।

 

ହିଡ଼ିମ୍ୱିକୀ ବୋଇଲା ଯାହାର ଯାହକୁ ଭାବ

ପ୍ରଜାପତି ଭିଆଣ ଗୋ ନୋହଇ ଆନ ଠାବ।୧୭୭।

 

ଦେବ ଦତ୍ୟେ ଯେସନେ ସୋମୋଦ୍ର ମଛିଲେ ସତ୍ୟ ଯୁଗେ

କମଳା ଉପୁଜିଲେ କୃଷ୍ଣର ଉଦି ଯୋଗେ।୧୭୮।

 

ଇଛାୟେ ବର ଯେ ବଢିଲେ ଆଦିନାରୀ

ବ୍ରହ୍ମା ରୁଦ୍ର ଇନ୍ଦ୍ର ଥାଉଂଣ ସେ ନାରାୟେଣଙ୍କୁ ବରି।୧୭୯।

 

ଆମ୍ଭେ କାମବତୀ ଆମ୍ଭର ଯେହେନେକ ଇଚ୍ଛା

ବିଚାରି ମାଳା ଦେଉଂ ଗୋ ଯାହାକୁ ମନ ବାଞ୍ଚା।୧୮୦।

 

ହିଡ଼ିମ୍ୱିକୀ ବୋଇଲା ଆହୋ ଭୀମ ବିଚାରୁ କେମନ୍ତ

ମୁହିଂ ତୋହୋର ବଲ୍ଲଭୀ ତୁହି ମୋହୋର ନିଜ କାନ୍ତ।୧୮୧।

 

ଯୁଝେଷ୍ଠି ବୋଇଲେ ବାବୁ ନ ଭାଳ ଆନ ଚିତ୍ତେ

ଆଦ୍ୟହୁଂ ଭାବିନୀ ଭାବିଅଛି ତୋତେ।୧୮୨।

 

ୟେ ମହାଚଞ୍ଚଳା ତୁ ହାଦେ ମହାବଳିଷ୍ଠ

ୟେହାର ତୋହୋର ସେ ମିଳଇ ସଂଘଟ।୧୮୩।

 

ଆୟୁରବେଦୀ ଯେ ଅଟନ୍ତି ସୋମବଂଶୀ

ଆଦ୍ୟହୁଂ ବ୍ରହ୍ମଗୋତ୍ରୀ ୟେ ଉତପତ୍ତି ପାଠ ଋଷି।୧୮୪।

 

ଆୟୁରବେଦେ ୟେ ଅଟନ୍ତି ନିରିଜିତା

ଅଜପା ଗାୟତିରୀ ୟେ ଜପନ୍ତି ଅଟନ୍ତି ସିଦ୍ଧିବନ୍ତା।୧୮୫।

 

ଗନ୍ଧର୍ବ ଯୋଗେ ଗୁପତେଣ ଅଛି ବିଭା

ଭୀମକୁ ହିଡ଼ିମ୍ୱିକୀ ପ୍ରଦାନ କରନ୍ତି ଆଦିଦେବା।୧୮୬।

 

ପବନ ଦେବତା ଯେ କରନ୍ତି ବେଦ ଧୁନି

ବିଭା ଯୋଗ କରାଇଲେ ହିଡ଼ିମ୍ୱିକୀ କାମେନୀ।୧୮୭।

 

ହୋମ କର୍ମଣ କଲେ ଦୋହୋରା ଆଗେ ପଣ

ଘୃତ ପାରାଣା ତହିଂ କଲେ ବେନି ଜନ।୧୮୮।

 

ଯଉତୁକ ପାଇଲେ ସେ ହିଡ଼ିମ୍ୱକୀ ବନ

ଲଭଇ କୁମାରୀ ଯେ ପାଣ୍ତବ ଭୀମସେନ।୧୮୯।

 

କୁମ୍ଭ ମାସ ଶୁକଳ ପକ୍ଷ ଦଶମୀ ତିଥି ଅର୍କ ବାର

ପୁଷ୍ୟା ନକ୍ଷତ୍ରକୁ ଯେ ଭୋଗ୍ୟ ସେ ଦିନର।୧୯୦।

 

ଶୁଭନାମେ ଯୋଗ ଯେ ଗର ନାମରେ କରଣ

କୁମ୍ଭ ସଙ୍କରାନ୍ତିକି ପଞ୍ଚିଶ ଦିନ ଭୋଗ ଜାଣ।୧୯୧।

 

ଭୀମସେନ ଶୃଙ୍ଗାର ହିଡ଼ିମ୍ୱିକୀର ତୁଲେ

ହିରଣ୍ୟଗିରି ଉପରେ ପୁଣ୍ୟତୋୟା ନଦୀ କୂଳେ।୧୯୨।

 

ସୁସଞ୍ଚ ପର୍ବତ ଯେ ଅତୀୟ ନିର୍ମଳ

ଆମ୍ୱ ପଣସ କଦଳୀ କଣ୍ଟାହୋଳ ନଟୀକାଳ।୧୯୩।

 

କେନ୍ଦୁ କଇଂଥ ବେଲ କଇଂଚ ବୃନ୍ଦାହୋଳ

ଅବସନ୍ତେ ବସନ୍ତ ତହିଂ ଫଳନ୍ତି ପାଚନ୍ତି ସର୍ବକାଳ।୧୯୪।

 

ଯାହା ମନେ ବାଞ୍ଚା ତହିଂ ତାହା ପାଇ

ସଦା ବସନ୍ତ ପବନରେ ପ୍ରଚେତା ସିଦ୍ଧ ଭୂଇଂ।୧୯୫।

 

କଣୟ ଗିରି ପର୍ବତ ତଳେ ବହଇ ପୁନ୍ୟତୋୟା ସରସ୍ୱତୀ

ହିରଣେଶ୍ୱର ଲିଙ୍ଗ ସେ ଜଳେ ଉତପତ୍ତି।୧୯୬।

 

ୟେସନେକ ବନ ସେ ପବିତ୍ର ପର୍ବତ ଶୁଦ୍ଧସ୍ଥାନ

ଜନ ଜନ୍ତୁ ଆତଯାତ ନାହିଂ ଦଶ ସହସ୍ର ଯୋଜନା।୧୯୭।

 

ହିଡ଼ିମ୍ୱକ ଧାଡ଼ି ପଡ଼ଇ ଦଶ ସହସ୍ର ଯୋଜନେ

ତାର ଭୟେ ଆତାଗମ ନାହିଂ ତହିଂ ଜନେ।୧୯୮।

 

ଶତଶିଂଗଉଂ ଉଶ୍ୱାସ ନିର୍ମଳ ଥାନ ଭୂମି

କ୍ରୀଡ଼ା କୁତୋହୋଳେ ରହିଲେ ଦେବ ସ୍ୱାମୀ।୧୯୯।

 

ଗଣ୍ତା ଗୟେଳ ହରିଣ ବାହୁଟିୟା ଜୀବମାନେ

ରାମ ପାରଧି ବେଣ୍ଟ ଧରନ୍ତି ତୋଷ ମନେ।୨୦୦।

 

ରହିଲେ ପଣ୍ତୁର ନନ୍ଦନେ ହିଡ଼ିମ୍ୱକର ବନସ୍ତେ

ମହାସୁସ୍ତେ ରହିଲେ ତହିଂ ସାତବରଷ ପରିଯନ୍ତେ।୨୦୧।

 

ଭୀମ ହିଡ଼ିମ୍ୱିକୀର ବହୁତ ପୀରତି

ସୁରସ ସାନନ୍ଦେ କୁତୋହୋଳ ମତି।୨୦୨।

 

କନ୍ୟଶୁକଳ ଯେ ପୌର୍ଣ୍ଣମୀର ଦିନ

ପଣ୍ତିତ ବାର ଅଶ୍ୱିନୀ ଦ୍ୱିଜା ସନ୍ଧିସ୍ଥାନ।୨୦୩।

 

ରାତ୍ରି ହୋଇଅଛି ଅଢ଼ାଇ ପ୍ରହର

ହିଡ଼ିମ୍ୱିକୀର ସଙ୍ଗେ ଶୃଙ୍ଗାର ବ୍ରିକୋଦର।୨୦୪।

 

ସାତବରଷ ପରିଯନ୍ତେ ନିତ୍ୟେହେଂ କରଇ କେଳି

ସାଧନ ପୁରୁଷର ବୀର୍ଯ୍ୟ ଯେ ନ ଢଳି।୨୦୫।

 

ଚନ୍ଦ୍ର ପବନ ଯେ ୟେକତ୍ୱ କରି ବୁଡ଼ାଇ ଥାଇ ମନ

କାମ ବୁଡ଼ାଇଲା ନେଇ ଗଣ୍ତ ସୁଷୁମୁନ।୨୦୬।

 

ମାରଇ ବୀର୍ଯ୍ୟ ଯେ ତାରଇ ଚଞ୍ଚଳା

ସୂର୍ଯ୍ୟର ତୁଲେଣ କାମକୁ କରଇ ମେଳା।୨୦୭।

 

ପବନ ଉଜାଣି ଯେ ଆକାଶ ଦ୍ୱାରେ ଭେଦି

ଅଶାନ୍ତି ଭଜିଲା ଛାଡ଼ଇ କାମ ବ୍ୟାଧି।୨୦୮।

 

ଆନଠେଇଂ ଥୋଇଲା ପଞ୍ଚୁ ଭୂତ ଆତ୍ମା

କାମଜିତା ପୁରୁଷ ସେ ଧାରଣେ ମହାତମା।୨୦୯।

 

ୟେତେ ବାଗେଣ ସେ ଯେ ଶୃଙ୍ଗାର ରଣ ଇଚ୍ଛା

ସାତବରଷରେ ବୀର୍ଯ୍ୟ ନ ଢାଣିଲା ତାହାର କାମ ବାଞ୍ଚା।୨୧୦।

 

ସେ ଦିନ ଅଟେ ଶରଦ ଋତୁ ଯେ ପୌର୍ଣ୍ଣମୀ

କାମ ଅଂଶ ଗ୍ରହଣ ଚନ୍ଦ୍ରମା ଅଷ୍ଟମୀ।୨୧୧।

 

ଶୃଙ୍ଗାରେ ମତ୍ତ ଯେ ବିକାଶିଲା ତେଜ

କାମ ସଂଘରଣ କଲା ପକାଇ ମହାବୀର୍ଯ୍ୟ।୨୧୨।

 

ହିଡ଼ିମ୍ୱିକୀର ଗର୍ଭେ ପକାଇଲା ମହାରେତ

ସମ୍ଭାଳି ନୁଆରିଲା ବାଳୀ ତାହାର ଗର୍ଭଗତ।୨୧୩।

 

ଅସମ୍ଭାଳ ବୀର୍ଯ୍ୟ ସେ ଅସାଷ୍ଟମ ବାଳୀ

ସମ୍ଭାଳି ନୁଆରି ଗର୍ଭୁଂ ବୀର୍ଯ୍ୟ ଯେ ପଡ଼ୁଅଛି ଢଳି।୨୧୪।

 

ନାଶ ନ ଗଲା ସେ ଅମୋହ ମହାରେତ

ସଇନ୍ଦୁ ପୁତ୍ରେକ ହୋଇଲା ସମ୍ଭତ।୨୧୫।

 

ଗର୍ଭୁ ବୀର୍ଯ୍ୟ ପଡ଼ନ୍ତେ କଣୟ ପର୍ବତେ

ଘଟ ଘଟ ଶବଦ ଶୁଭିଲା ଜଗତେ।୨୧୬।

 

ଆକାଶୁଂ ବସୁନ୍ଧରୀରେ ଯେହ୍ନେ ଜଳଧାରା ପଡ଼ଇ ଗଗନୁଂ

ତେସନ ଶବଦ ଶୁଭିଲା ମଧ୍ୟ ଯେ ଭୁବନୁଂ।୨୧୭।

 

ସେହି ଶବଦ ଯେ ବିକାଶିଲା ବାଣୀ

ସଇନ୍ଦୁ ପୁତ୍ରେକ ଉପୁଜିଲା କେତୁର ତେଜ ଜାଣି।୨୧୮।

 

ରାବେଣ କମ୍ପିଲେ ଆକାଶେ ଦିଗପାଳେ

ଅନ୍ତର ଭୀମସେନ କଣୟ ପର୍ବତର ତଳେ।୨୧୯।

 

କୋଇନ୍ତାୟେ ଯାଇଂ ଧଇଲେ ନନ୍ଦନ

ମହାବଳବନ୍ତା ସେ ପର୍ବତର ସମାନ।୨୨୦।

 

କୋଳରେ ପୁତ୍ରକୁ ଦେବୀ ନ ପାରିଲେ ସମ୍ଭାଳି

ହିରଣ୍ୟଗିରି ଉପରେ ପଡ଼ିଲାକ ଢଳି।୨୨୧।

 

ୟେକାଦଶ ଯୋଜନ ଆୟତନ ପର୍ବତ

କୋଇନ୍ତାଙ୍କ କୋଳୁଂ ପଡ଼ନ୍ତେ ପର୍ବତ ହୋଇଲା ରାସାଂଗତ।୨୨୨।

 

ଆପଣେ କୋଳ କରି ଧଇଲେ ମାରୁତି

ଘଟଉତ୍କଚ ନାମ ଦିଲେ ଦେବୀ କୋନ୍ତୀ।୨୨୩।

 

ଲୋଭ ମୋହ ବସିଲା ଯେ ହିଡ଼ିମ୍ୱିକ ବନେ

ନିଚିନ୍ତେ ରହିଲେ ତହିଂ ପଣ୍ତୁର ନନ୍ଦନେ।୨୨୪।

 

ପତ୍ର କୁଡ଼ିୟା ଆଶ୍ରମ ସ୍ରିଜିଲେ ସେହୁ ବନେ

କରାନ୍ତି କୁତୋହୋଳ ଯେ ପଣ୍ତୁର ନନ୍ଦନେ।୨୨୫।

ଅର୍ଜୁନ କର୍ତ୍ତୃକ କପିଳା ବଧ ଓ ତାହାଙ୍କର ପାପ ଖଣ୍ତନ

ୟେଥୁ ଅନନ୍ତରେ ଶୁଣ ହୋ ଯୁଗପତି

କୁମ୍ଭ ମାସ ଶୁକଳ ପକ୍ଷ ଦୁତୀୟାର ତିଥି।୧।

 

ଶତଭିଷା ନକ୍ଷତ୍ର ଅଟଇ ସେ ଦିନର

ସେ ଦିନ ଅଟଇ ଯେ ଅର୍କ ନାମେ ବାର।୨।

 

ଗର ନାମେ କରଣ ଶୁଭ ନାମେ ଯୋଗ

କୁମ୍ଭ ସଂକ୍ରାନ୍ତିକି ସାତ ଦିନ ଭୋଗ।୩।

 

ସେ ଦିନ ଶାଳବୃକ୍ଷ ତଳେ ବସିଣ ଯୁଝେଷ୍ଠିନ୍ତି

ଅର୍ଜୁନକୁ ବସାଇ ବଚନ ପ୍ରକାଶନ୍ତି।୪।

 

ଆହୋ ପିତୃକାର୍ଯ୍ୟ ଆବର ପିତୃ ପୁତ୍ର ଜାତ

କାମ୍ୟ ଶ୍ରାଦ୍ଧ କରିବା ଗୋ ଆମ୍ଭର ସଂଘାତ।୫।

 

ଯୁଝେଷ୍ଠିଙ୍କ ବଚନେ ବୀର ଧନର୍ଜୟେ

କାନ୍ଧେଣ ଗାଣ୍ତିମ ପାଡ଼ି ବନସ୍ତକୁ ଯାୟେ।୬।

 

କରେଣ ଶୋଭିତ ତାର ଗାଣ୍ତିମ ଶରଧନୁ

ସଧୀରେ ଗବନ କରଇ ବାସବର ତନୁ।୭।

 

ହିରଣ୍ୟଗିରି ନାମେ ୟେକଇ ପର୍ବତ

ତହିଂ ଯାଇ ପ୍ରବେଶ ବାସବର ସୁତ।୮।

 

କରେ ଚାଳଇ ନିରୋପଇ ଚଉକତି

ଦେଖି ଜୀବେ ପଳାଇଲେ ପ୍ରାଣକୁ କରି ଭୀତି।୯।

 

ଗଣ୍ତା ନ ଦେଖିଣ ବୀର ଯେ ଫାଲଗୁନି

କୃଷ୍ଣବେଣୀ ପର୍ବତେ ଉଠିଲା ଧନୁ ଘେନି।୧୦।

 

ଗଣ୍ତା ନ ପାଇଣ ବୁଲଇ ବନଘନ

ଖରତର ହୋଇ ବୁଲଇ ବୀର ଅରଜୁନ।୧୧।

 

ବିସ୍ମୟ ହୋଇଣ ଅରଜୁନ ତହୁଂ ଚଳି

ମହିନ୍ଦ୍ର ତନୟା ନଦୀରେ ଯାଇଂ ମିଳି।୧୨।

 

ଦକ୍ଷିଣ ବାହିନୀ ପବିତ୍ର ମହାନଦୀ

ତହିଂ ବସି ମନ୍ତ୍ର ସିଦ୍ଧ କରି ସାଧି।୧୩।

 

ମହା ପରବତ ସେ ଅଟଇ ସିଦ୍ଧବନ

ସରସ୍ୱତୀ ନଦୀ ଦକ୍ଷିଣ କତିରେ ଭେଦନ।୧୪।

 

ସେ ନଦୀ ତୀରେ ପାଣି ପିଅଇ ସର୍ବସାଚୀ

ମୁଖରେ ପାଣି ପକାଇ କରେ ଧନୁ ଆମଞ୍ଚି।୧୫।

 

ମହିନ୍ଦ୍ର ନାମେଣ ୟେକଇ ପରବତ

ତହିଂ ଉପରେ ଯାଇଂ ଉଠିଲା ବୀର ପାଥ।୧୬।

ପୂର୍ବ ମୁଖ କରି ନିରୋପଇ ବୀର ମଣି

ଦେଖଇ ମଉଦଧିରେ ମହାନଦୀ ଆଣି।୧୭।

 

ମହାପର୍ବତ ସଙ୍ଗମ ତୀର୍ଥ ଦେଖି

ଦକ୍ଷିଣ ତଟକୁ ବୀର ଚାହଂଇ ନିରେଖି।୧୮।

କପିଳା ଗୋମାତା ଚରୁଅଛି ତହିଂ

ଦେଖିଣ ବୀରମଣି ହରଷ ଚିତ୍ତ ହୋଇ।୧୯।

 

ୟେହି ସେ ଗଣ୍ତା ଜୀବ ହୋଇବ ଯୁଗତେ

ଆନ ଜୀବ ନୋହଇ ବୋଲି ବୀର ଭାଳଇ ହୃଦଗତେ।୨୦।

ଖୃପ ଶରେକ ବୀର ବାଛିଣ କହଇ

ଧନୁରେ ବସାଇ ତିଆରଇ ବାସବ ତନୟି।୨୧।

 

ସେ ଜୀବକୁ ମାର ବୋଲିଣ ଆଗ୍ୟାଂ ଦେଇ

ଆଗ୍ୟାଂ ପ୍ରମାଣେ ବାଣ ଅନ୍ତରୀକ୍ଷେ ଚଳଇ।୨୨।

ଚଳଇ ବାଣ ଯେ ଆଗ୍ୟାଂ ପରମାଣେ

କପିଳାର ସନିଧ୍ୟେ ଭେଟଇ ତତକ୍ଷଣେ।୨୩।

 

ଦେଖିଣ ବାଣ ବିଚାରଇ ହୃଦଗତେ

କପିଳାର ପ୍ରାଣ ମୁଂ ଦହିବି କେମନ୍ତେ।୨୪।

ଗୋହତ୍ୟା ସ୍ତିରୀହତ୍ୟା କଲେ ପାରନାହିଂ

ୟେହା ମୁଂ ମାଇଲେ ମୋର କିଛି ଜଣାନାହିଂ।୨୫।

 

କେତେ କୋପ କରି ତୁ ବୀର ପାଥ

ଅକାରଣେ କେମନ୍ତେ କରିବି ୟେହା ଘାତ।୨୬।

ଅନ୍ତର ହୋଇ ସେ ଠାବରେ ବାଣ ବସିଲା

ତିନି ବ୍ରହ୍ମାଣ୍ତ ବସି ସେ ସୁର ବାଣ ହୋଇଲା।୨୭।

 

ବାଣ ନ ଯାନ୍ତେ ବିଚାରଇ ଫାଲଗୁନି

ମହା ପ୍ରକୋପିତ ହୋଇଲା କରେ ଧନୁ ଘେନି।୨୮।

ପୁଣି ଧନୁରେ ବସାଇଲା ଦିବ୍ୟ ଶର

ତୁ ଯାଇ ସେ ଜୀବକୁ ବେଗେ ପ୍ରହାର ଯେ କର।୨୯।

 

ପାଥର ବଚନେ ଚଳଇ ଦିବ୍ୟ ଶର

ତୁରିତେ ପଡ଼ିଲାକ କପିଳା ଉପର।୩୦।

ପଡ଼ନ୍ତେ କପିଳା ହୋଇଲା ବେନି ଖଣ୍ତ

ଶବଦ ଶୁଭିଲା ସପତ ବ୍ରହ୍ମାଣ୍ତ।୩୧।

 

ପ୍ରାଣ ଘେନି ବିଚାରଇ ଦିବ୍ୟ ଶର

କପିଳା ବଧ କରି ପାର ନାହିଂ ତିନି ପୁର।୩୨।

ଇଶ୍ୱର ଦେବତାୟେ ପୂର୍ବେ ଗୋହତ୍ୟା କଲେ

ସେ ମହାଦେବଙ୍କୁ ପାର ନ ଗଲାତ ଭଲେ।୩୩।

 

ବାରାଣସୀ ମଣିକର୍ଣ୍ଣିକାରେ ହର ପଶି

କାହିଂରେ ଈଶ୍ୱରେ ପାର ନାହିଂ ହୋଇଲେକ ଧ୍ୱଂସି।୩୪।

ଭଇରୋବ ରୂପ ଯେ ଧଇଲେ ଈଶ୍ୱରେ

ମୋତେ ତ ପାର ନୋହିବ ତିନି ପୁରେ।୩୫।

 

ୟେତେ ବୋଲି ବାଣ ଭୂମିରେ ବସିଲା

ହତ୍ୟା ଦୋଷେ ବାଣ ବିସ୍ମୟେ ହୋଇଲା।୩୬।

ବାଣ ଲେଉଟି ନ ଯାନ୍ତେ ବୀର ପାଥ

ବାବଲ ଶର ବୀର ଧରିଲାକ ହାଥ।୩୭।

 

ବାଣକୁ ତିଆରଇ ବୀର ସର୍ବସାଚୀ

ମୋହୋର ବୋଲ କରି ନ ଆସିବୁ ଘୁଞ୍ଚି।୩୮।

ସେ ଜୀବକୁ ତୁ ବେଗେ ଘେନି ଆସ

ଧନୁରେ ବସାଇ ସେ କହଇ ବିଶ୍ୱାସ।୩୯।

 

ନିମିଷେକେ ଆଣି କରିବ ମୋର କତି

ବେଗେ ନଇଲେ ତୋତେ ଅନଳେ ଦେବି ଶାସ୍ତି।୪୦।

ରୋଷେଣ ଚଳଇ ସେ ଅତି ଖରତରେ

ଗର୍ଜିଣ ପଡ଼ିଲା ଯାଇ କପିଳା ଉପରେ।୪୧।

 

ଅନ୍ତିଅନ୍ତ କରିଣ ଆଣଇ ଗୋ ମୁଣ୍ତ

ଘେନିଣ ବାଣ ଯେ ଚଳିଲା ପରଚଣ୍ତ।୪୨।

ଆସନ୍ତେଣ ଅନ୍ତରୁ ଫୁଟି ଖସି ପଡ଼ିଲା

ପବିତ୍ରେଶ୍ୱର ବୋଲି ମହାଲିଙ୍ଗେକ ହୋଇଲା।୪୩।

 

ରକତ ବୃଷ୍ଟି ହୋଇଲା ଯେତେ ଦୂର

ମନ୍ଦାକେ ଲିଙ୍ଗେକ ହୋଇ ଉପୁଜିଲା ପୃଥୀର।୪୪।

ଶବ ଘେନି ପାଥର କତିରେ ପ୍ରବେଶ

ନିରେଖି ଦେଖି ପାଥ ହୋଇଲା ବିରସ।୪୫।

 

କପିଳାର ମୁଣ୍ତ ଗୋଟି ଘେନି ବୀରମଣି

ହୃଦଗତେ ପାଥ ବିଚାରଇ ପୁଣ ପୁଣି।୪୬।

କପିଳା ଦ୍ରୋହ ମୁଂ କଲଇଂ ଅଦ୍ୟାପି

ମାଳତୀ ଲତାର ଉପରେ ତାହା ଥାପି।୪୭।

 

ପଞ୍ଚୁଆତ୍ମାରେ ବସି ଭାଳଇ ବୀର ପାଥ

ଅନମିତ୍ତେ ଗୋବଧ ମୁଂ ୟେତେ କୃତ୍ୟ।୪୮।

କି ବୋଲି ବୋଲିବେ ମୋତେ ଦେବ ପୁରନ୍ଦର

ମୋହୋର ମୁଖ ନ ଚାହିଂବେ ଦେବ ଚକ୍ରଧର।୪୯।

 

ଦେବଗଣମାନେ କିସ ବୋଲିବେଟି ମୋତେ

କାହାରି ମୁଖ ମୁଂ ଚାହିଂ ନପାରିବି ଯୁଗତେ।୫୦।

ଯୁଝେଷ୍ଠିଙ୍କରମୁଖ ମୁଂ କେମନ୍ତେ ଚାହିଂବି

ମନେ ମନେ ବସି ଭାଳଇ ବାସେବି।୫୧।

 

ପୁଣ ମନେ ବିଚାର କରଇ ଅରଜୁନ

ଆସି ପ୍ରବେଶ ହୋଇଲେ ଯୁଝେଷ୍ଠିଙ୍କ ସନ୍ନିଧାନ।୫୨।

ମଥା ପୋତି ବୃକ୍ଷ ଉହାଡ଼େଣ ହୋଇ

ତୁମ୍ଭର ମୁଖ କେମନ୍ତେ ଚାହିଂବଇଂ ମୁହିଂ।୫୩।

 

ଯୁଝେଷ୍ଠି ଦେବ ବୋଇଲେ କିସ କଲୁ।

କି ନିମନ୍ତେ ମୋର ମୁଖ ନ ଚାହିଂଲୁ।୫୪।

ସହଦେବ ବଦନ ଚାହିଂଲେ ଯୁଝେଷ୍ଠି

କିସ ଦୋଷ କଲା ବନସ୍ତେ ମୋହୋର ଭାଇ ଗୋଟି।୫୫।

 

ଗଣ୍ତା ଆଣି ପଶିଲାଉଂ ଆମ୍ଭେ

ତୋହୋର ବଚନ କିସ ବିଚାରୁ ସହଦେବେ।୫୬।

ପ୍ରାଣର ସଖା ମୋହୋର ଅଟଇ ଫାଲଗୁନି।

ୟେହାରେ ଉଶ୍ୱାସ ହୋଇବ ମେଦିନୀ।୫୭।

 

କି ନିମନ୍ତେ ମୋହୋର ମୁଖ ନ ଚାହଂଇ ତୋଳି

ବିଚାରି ସହଦେବ ପାତିଲା କୁଣ୍ତଳୀ।୫୮।

କରପତ୍ର ଯୋଡିଣ କହଇ ସହଦେବ

ଶୁଣ ତୁମ୍ଭେ ୟେକ ମନେ ଯୁଝେଷ୍ଠି ରାଜଦେବ।୫୯।

 

ତୁମ୍ଭ ଆଗ୍ୟାଂୟେ ଗଣ୍ତା ଆଣି ଗଲେ ଫାଲଗୁନି

ଅରଣ୍ୟେ ବୁଲନ୍ତେଣ ଦିବା ଯେ ରୟେଣୀ।୬୦।

ଦେଖି ଗଣ୍ତାଜୀବେ ପଳାଇଲେ ବହୁତ ଦୂର

ଡରେ ଲୁଚିଲେ ଯାଇ ବନ ଗିରି କନ୍ଦର।୬୧।

 

ଗଣ୍ତା ନ ପାଇ ସେ ବୁଲନ୍ତି ଘୋର ବନେ

ଗଣ୍ତା ଜୀବମାନ ନ ଦେଖିଲେ ନୟନେ।୬୨।

କ୍ଷୁଧାରେ ଆରତ ହୋଇଣ ଯାଇଂ ପର୍ବତେଣ ଉଠି

ପୂର୍ବ ମୁଖ ହୋଇଣ ଦିଲେ ୟେକ ଦୃଷ୍ଟି।୬୩।

 

ଦେଖିଲେ ଗୋମାତା କପିଳା ତହିଂ ଚରୁଅଛି

ଗଣ୍ତା ଜୀବ ବୋଲି ବିଚାରିଲେ ବିବଚ୍ଛି।୬୪।

ୟେହି ସେ ଗଣ୍ତା ଜୀବ ବୋଲି ବୋଇଲା ଦିବ୍ୟଶର

ବାଣ ପଡ଼ିଲା ଯାଇଂ କପିଳା ଉପର।୬୫।

 

କପିଳାର ମୁଣ୍ତ ଦେଖି ଚକିତ ବୀର ପାଥ

ମନେ ବିରସ ହୋଇ ସୁମରେ ଜଗନ୍ନାଥ।୬୬।

ଲଜ୍ଜା କରି ତୁମର ମୁଖ ନ ଚାହିଂ

ଗୋହତ୍ୟା କଲେ ଦେବ ବସିଲା ଠାବ ନାହିଂ।୬୭।

 

ସହଦେବଙ୍କୁ ବୋଇଲେ କରିବା କିସ ବୁଦ୍ଧି

କେମନ୍ତେ ଖଣ୍ତଣ ହୋଇବ ପାପ ବ୍ୟାଧି।୬୮।

ସହଦେବ ବୋଇଲେ ଦେବତାୟେ ହୋଇଲେ ଗୋଟି

ତେବେ ସେ ଖଣ୍ତିବା ହୋଇବ କି ପାପ ଦୋଷ ସେଟି।୬୯।

 

ଯୁଝେଷ୍ଠି ବୋଇଲେ ପାଥ ହରିଙ୍କି ଧ୍ୟାୟେ କର

ସେହି ସେ ଆପଦ ଖଣ୍ତିବେ ତୁମ୍ଭର।୭୦।

ଯୁଝେଷ୍ଠିଙ୍କର ବଚନେ ବୀର ଧନର୍ଜ୍ଜୟେ

ୟେକ ମନେ କୃଷ୍ଣଙ୍କୁ ବସି କଲା ଧ୍ୟାୟେ।୭୧।

 

ଚନ୍ଦ୍ରଶିଳା ପରେ ବିଜେ କରିଥିଲେ ଚକ୍ରଧର

ସତ୍ୟଭାମା ଦେବୀ ବସିଛନ୍ତି କତିର।୭୨।

ଆସନ କଂପିଲା ଯେ ଜାଣିଲେ ଦେବହରି

ଗରୁଡ଼କୁ ଧ୍ୟାୟେ କଲେ ଯେ ମୁରାରି।୭୩।

 

ସତ୍ୟଭାମାୟେ ବୋଇଲେ ମୋତେ ତେଜ୍ୟା କଲୁ ହରି

କିସ ବିକ୍ରିୟା ମୋର ପାଇଲୁ ଦେବ ଦଇତାରି।୭୪।

ବୋଲନ୍ତି କେଶବ ଶୁଣ ଗୋ ପ୍ରାଣ ସହି

ମୋତେ ସୁମରଣା କଲା ପାଣ୍ତବ ବିବଛଇଂ।୭୫।

 

ସତ୍ୟଭାମା ବୋଇଲା ପାଣ୍ତବେ ଜଦୁର ଘରେ ମଲେ

ପୁଣି ସେ କେମନ୍ତେ ନାଥ ବ୍ରତିଣ ଅଇଲେ।୭୬।

ଦିବସେ ସ୍ୱପ୍ନ କି ଦେଖିଲୁ ଯଦୁସାଇଂ

ପାଣ୍ତବଙ୍କ ମଲାର ଆଜକୁ ଷଷ୍ଠ ବରଷ ହୋଇ।୭୭।

 

କାହିଂ ହୋଇଲ ବାଇ କାହିଂ କଲ କେମନ୍ତ

ୟେଥିର ଚରିତ ମୋତେ କହିବ ଜଗତଭୂତ।୭୮।

ବୋଲନ୍ତି ମାଧବ ଶୁଣ ଗୋ ପ୍ରାଣସହି

ମୋହୋର ଥିଲେ ପାଣ୍ତବେ ପାରି ନୋହି କାହିଂ ? ।୭୯।

 

ଶୁଣ ପ୍ରାଣ ସହି କହଇ ମୁଂ ତୋତେ

ପାଣ୍ତବେ ମଲେ ତୁ କାହିଂ ଦେଖିବୁ ମୋତେ।୮୦।

ସେ ଯେ ପାଣ୍ତବେ ପ୍ରତକ୍ଷେ ଦେବହରି

ମହାଭାରା ନିବାରି ଭାରତେ ଅବତରି।୮୧।

 

ଗୋବିନ୍ଦ ଜଗମୋହନ ପୁଣ ଶକ୍ରାବତୀ

ୟେ କଥା କାହିଂ ଫୁଟ ନୋହିବ ପ୍ରିୟବତୀ।୮୨।

ରାମ୍ୟେକ ଦ୍ୱୀପେ ଯେ ଥିଲା ପକ୍ଷୀବର

କୃଷ୍ଣର ସୁମରନ୍ତେ ଅଇଲା ଖରତର।୮୩।

 

ପକ୍ଷୀର ବାତ ଘାତେ ଗିରିବର କମ୍ପିଲେ

ଗିରିକନ୍ଦର ଅରଣ୍ୟ ସମସ୍ତ ଚୂର ଗଲେ।୮୪।

ଦ୍ୱାରକାୟେ ପ୍ରବେଶ ଖଗେଶ୍ୱର

ଶତେ ସହସ୍ର ପ୍ରଣପତ୍ୟ କୃଷ୍ଣର ପୟର।୮୫।

 

କିସ ଅର୍ଥେ ସୁମରଣା କଲ ଦେବ ହରି

କେହୁ ଅସଖ୍ୟ ମୋତେ ଆଗ୍ୟାଂ ଦେବା ଦଇତାରି।୮୬।

ଶ୍ରୀକୃଷ୍ଣେ ବୋଇଲେ ହୋ ଯୁଝେଷ୍ଠିଙ୍କି ଦେଖିଯିବା

ନିର୍ଝର ଝ ରଅରଣ୍ୟେ ଯାଇଣ ପଶିବା।୮୭।

 

ଗରୁଡ଼ ପିଠିରେ ବିଜେ କଲେ ଦେବହରି

ଘଡ଼ିକେ ମିଳିଲେ ଯାଇ ହିଡ଼ିମ୍ୱିକୀ ନାମେ ପୁରୀ।୮୮।

ଯେତେ ଦୂରେ ଯୁଝେଷ୍ଠିଙ୍କର ଦିଶିଲା ଆସନ

ଗରୁଡ଼ ପୃଷ୍ଠରୁ ଉତୁରି ଭଗବାନ।୮୯।

 

ଯୁଝେଷ୍ଠିଙ୍କ ପୟରେ ପ୍ରଣପତ୍ୟ ଦେବ ହରି

ଉଠିଣ ଜଗନ୍ନାଥଙ୍କୁ ଯୁଝେଷ୍ଠି କୋଳ କରି।୯୦।

ଯୁଝେଷ୍ଠି ବୋଇଲେ ଶୁଣିମା ଜଗତ ଭୂତ

ସ୍ୱାମୀ ଗଣ୍ତା ଆଣିଯାଇ କପିଳା ବଧ କଲା ବୀର ପାଥ।୯୧।

 

ଶୁଣିଣ ନାରାୟଣ ବିରସ ହୋଇଲେ

ଅର୍ଜୁନର ମୁଖ ଚାହିଂ ଦେବ ସମାସ୍ୟା ଦିଲେ।୯୨।

ନ ଜାଣି ଦୋଷ କଲୁ ପ୍ରାଣର ସଂଘାତ

ମୋତେହେଂ ଅଗୋଚର କଲୁ ଯେ ଉତକୃତ।୯୩।

 

ବ୍ରହ୍ମାଙ୍କୁ ଧ୍ୟାୟେ କଲେ ଦେବ ହରି

ଜାଣିଣ ଧାତା ମରୁଳ ପିଠିରେ ବିଜେକରି।୯୪।

ତୁଲେଣ ଅଛନ୍ତି ବ୍ରହ୍ମ ଋଷିମାନେ

ଷାଠିୟେ ସହସ୍ର ଶିଷ ଘେନି ଚତୁର ବଦନେ।୯୫।

 

କାନ୍ଧରେ ପଇତା ହସ୍ତରେ କୁଶବଟୁ

ଛତା ଧୋତି ପୋଥି ଅନ୍ତରୀକ୍ଷ ଭୁବନ ଘଟୁ।୯୬।

ଯହିଂରେ ବିଜେ କରିଛନ୍ତି ଦେବ ହରି

ନାରାୟଣ ସନ୍ନିଧାନେ ଯାଇ ଧାତା ବିଜେ କରି।୯୭।

 

ଦେଖିଣ କୃତ କୃତ ଦେବ ଚକ୍ରଧର

ଯୁଝେଷ୍ଠି ଦେବେ ଯାଇ ନମନ୍ତି ପୟର।୯୮।

ବସିତେ ଆସନ ଦିଲେ ଦେବଧାତା

ସାମାର୍ଜନା ବଚନେ କହନ୍ତି ଧର୍ମସୁତା।୯୯।

 

ଅର୍ଜୁନର କଥା କହନ୍ତି ସଞ୍ଚପି

ଅଛିଟି କି କାରଣ ଦେବ କହିବା ଅଦ୍ୟାପି।୧୦୦।

ବ୍ରହ୍ମାୟେ ବୋଇଲେ ଦେବତାନ୍ତ ସୁମର

ପାପ ଦୋଷ ଖଣ୍ତଣ କରିବେ ଚକ୍ରଧର।୧୦୧।

 

ଧାତାର ବଚନେ ଦେବ ଦଇତାରୀ

ସଉରଭ ପାତ୍ରେ ଜଳ ଭରି ଦେବତାଙ୍କୁ ସୁମରି।୧୦୨।

ନାରାୟଣଙ୍କ ଚିନ୍ତନେ ଜାଣିଲେ ଦେବ ହର

ବିଜେ କଲେ ଦେବ ବୃଷଭ ଉପର।୧୦୩।

 

କରେଣ ତ୍ରିଶୂଳ ଲଲାଟେ ଗନ୍ଧ ଘଟି

କଟିରେ ବ୍ରାଘ ଚର୍ମ ଭୂଷଣ ଲାଙ୍ଗଟି।୧୦୪।

ସୁଦ୍ଧ ସଷ୍ଟିକ ବିରାଜଇ ନିଜ ଗାତ୍ର

ଡ଼ମ୍ୱରୁ ବଜାଇ ବିଜେ କରନ୍ତି ତ୍ରିଅନେତ୍ର।୧୦୫।

 

ଶିବଗଣ ତୁଲେ ଚଉଦ କୋଟି

ନନ୍ଦିକେଶ୍ୱର ତୁଲେ ବିଜୟେ ଧୃଜଟି।୧୦୬।

ବିଘ୍ନରାଜେ ବିଜୟେ ଇନ୍ଦୁର ବାହନେ

କାର୍ତ୍ତିକେଶ୍ୱର ବିଜେ କଲେ ମୟୂର ଆରୋହଣେ।୧୦୭।

 

ଈଶ୍ୱରେ ବିଜେ କଲେ ହିଡ଼ିମ୍ୱକ ବନେ

ଦେଖି ପୂଜାକଲେ ଧର୍ମର ନନ୍ଦନେ।୧୦୮।

ଜଗନ୍ନାଥେ ପ୍ରଣପତ୍ୟ ବିଶ୍ୱନାଥ ପାଦ ତଳେ

ଅର୍ଜୁନ କଥାମାନ କହନ୍ତି ସୋଢଳେ।୧୦୯।

 

ପୂଜା ପାଇ କରି ରହିଲେ ଦେବହର

ଗଜାନନ ସହିତେ କାର୍ତ୍ତିକକୁମାର।୧୧୦।

କାର୍ତ୍ତିକ ପୟରେ ନମନ୍ତି ଯୁଝେଷ୍ଠି

ଦୁର୍ଗା ବିଜେ କଲେ ସିଂଘର ଯେ ପିଠି।୧୧୧।

 

ମାହେଶ୍ୱରୀ ବିଜେ କଲେ ହିଡ଼ିମ୍ୱକ ବନର

କରେ ଶୋଭାବନ ଦେବୀର କାତି ଯେ ଖପର।୧୧୨।

ହିଡ଼ିମ୍ୱକ ବନେବି ଜୟେ ଶାକାମ୍ୱେରୀ

ଦେଖିଣ ଯୁଝେଷ୍ଠି ଦେବ ପ୍ରଣପତ୍ୟ କରି।୧୧୩।

 

ଅସ୍ତୁକାର ବଚନ ଉଚ୍ଚାରନ୍ତି ଭଦ୍ରକାଳୀ

ମଞ୍ଚେଣ ରାଜା ତୁ ହୁଅ ସତ୍ୟ ପ୍ରତିପାଳି।୧୧୪।

ଯୁଝେଷ୍ଠି ବୋଇଲେ ଦେବି ଦୋଷ କ୍ଷମାକର

ୟେ ହତ୍ୟା ଦୋଷ ମା ଗୋ ତୁମ୍ଭର ହୋଉପାର।୧୧୫।

 

ଦୁର୍ଗେ ବୋଇଲେ ତୋର ପୂରୋଇବି ଆଶ

ୟେ ମଞ୍ଚ ମଣ୍ତଳେ ତୁ ଅଟୁ ସାଧୁ ପୁରୁଷ।୧୧୬।

ରହିଲେ ଶାକାମ୍ୱେରୀ ହିଡ଼ିମ୍ୱକ ବନେ

ମୃଗ ବାହନେ ବିଜେ କଲେ ଯେ ପବନେ।୧୧୭।

 

ତୁଲେଣ ଅଇଲେ ଅଣଂଚାଶ ପବନ ଘେନି

ବିଜେ କଲେ ଯହିଂ ଅଛନ୍ତି ପଦ୍ମଯୋନି।୧୧୮।

ସପତ ରତ୍ନ ଘେନି କୁବେର ମହାତମା

ପ୍ରବେଶ ହୋଇଲେ ଯହିଂ ଅଛନ୍ତି ବେଦବ୍ରହ୍ମା।୧୧୯।

 

ଅଇରାବତ କାନ୍ଧରେ ଦେବ ଇନ୍ଦ୍ର

ଚଉଷଠୀ କୋଟି ତୁଲେ ବିଦ୍ୟାଧର ଦେବବୃନ୍ଦ।୧୨୦।

ପୁରନ୍ଦର ଅଶୀଲକ୍ଷ ବୀରମାନ

ଯେ ଯାହାର ଯାନବାହାନେ କରନ୍ତ ଗବନ।୧୨୧।

 

ଜୟେ ମୁନି ଚିତ୍ରସେନ ଆବର ସବୁ ବ୍ରାହ୍ମଣ

ୟେମାନେ ହୋଇଛନ୍ତି ସଇନ ଆଗେଣ।୧୨୨।

ଦେବ ପୁରୁଷ ସଂଗରେ ବିଜେ ନବଗ୍ରହେ

ରାହୁ କେତୁ ଆଦି କରି ବିଜୟେ ସଭିୟେଂ।୧୨୩।

 

ବାୟୁ ବରୁଣ ଦଶ ଦିଗପାଳେ

ଯେ ଯାହାର ଯାନବାହାନେ ଅଇଲେ ସକଳେ।୧୨୪।

ସତାଇଶ ଲକ୍ଷ ଚନ୍ଦ୍ର ଦେବତା ଆଦିକରି

ବିଜେ କଲେ ଯାଇ ହିଡ଼ିମ୍ୱିକ ନାମେ ପୁରୀ।୧୨୫।

 

ରବି ଶୁକ୍ର ବୁଧ ଶନିଶ୍ଚର ମୂଳେ

ପ୍ରବେଶ ହୋଇଲେ ଯାଇଂ ଦେବତାଙ୍କ ମଣ୍ତଳେ।୧୨୬।

ସନକ ସନାତନ ଭୀଷ୍ମ ମହାଦେବ

ପ୍ରବେଶ ହୋଇଲେ ଯହିଂ ଅଛନ୍ତି କେଶବ।୧୨୭।

 

କୋଟିୟେ ଋଷି ଘେନି ବିଜୟେ ବେଦବ୍ୟାସ

ପ୍ରବେଶ ହୋଇଲେ ଯାଇଂ ଯୁଝେଷ୍ଠି ଦେବଙ୍କର ପାଶ।୧୨୮।

ପଉଲସ୍ତି ଅଇଲେ ଲକ୍ଷେ ଚେଲା ଘେନି

କୋଟିୟେ ଚେଲା ଘେନି ବିଜୟେ ମାରକଣ୍ତ ମହାମୁନି।୧୨୯।

 

ଦେବଋଷି, ବ୍ରହ୍ମଋଷି, ରାଜଋଷି ମୂଳେ

ଯମଦଅଗ୍ନିର ମୂଳେ ବସିଲେ ସକଳେ।୧୩୦।

କୃଷ୍ଣ ବୋଇଲେ ବାସବର ମୁଖ ଚାହିଂ

ସୁଧର୍ମା ସଭା ଅଣାଅ ସୁର ସାଇଂ।୧୩୧।

 

ଜଗନ୍ନାଥ ଆଗ୍ୟାଂ ପାଇ ଦେବ ଦଇବତ

ଦେବ ସଭା ବସାଇଲେ ତୁରିତ।୧୩୨।

ସମସ୍ତେ ହେଂ ବିଜେ ଅମର ଆସ୍ତାନେ

ଉପରେ ପୁଷ୍ପ ବୃଷ୍ଟି କଲେ ମଘବାନେ।୧୩୩।

 

ଭର ହରଷ ରଂଗେ ନୃତ୍ୟ କରନ୍ତି ବିଳାସୁଣୀ

ଗାନ୍ଧାରେ ନୃତ୍ୟ କରନ୍ତି ରଙ୍ଗ ଖଟଣି।୧୩୪।

ବ୍ରହ୍ମ ବୀଣା ଧଇଲେ ଯେ ବ୍ରହ୍ମାର ନନ୍ଦନ

ନୃତ୍ୟ ରସେ ମତ୍ତ ହେଲେ ଦେବଗଣ।୧୩୫।

 

ୟେମନ୍ତର ସମୟେ ସଭାରେ ଉଭା ହୋଇଲେ ଯୁଝେଷ୍ଠି

ପ୍ରଣପତ୍ୟ ହୋଇ ଦେବ ସଭାରେ ଯାଇଂ ଉଠି।୧୩୬।

ଉଠ ଉଠ ବୋଲନ୍ତେ ଦେବ ହର

ୟେମନ୍ତେ ବାଞ୍ଚା ପୂରୋଉଂ ତୋହୋର।୧୩୭।

 

ଯୁଝେଷ୍ଠି ବୋଇଲେ ପିତା ଅର୍ଜୁନ କପିଳା ବଧ କଲା

ତେଣୁ କରି ମୋତେ ଶଙ୍କା ଲାଗିଲା।୧୩୮।

ଇନ୍ଦ୍ର ଗୋବିନ୍ଦ ଧାତା ଯେ ଆପଣ

ହରି ହର ବରିତ ବୁଝିଲ କେସନ।୧୩୯।

 

କୃଷ୍ଣ ବୋଇଲେ ଧାତା ଭାରାଭର ଅର୍ଥେ

ପୃଥୀରେ ଜାତ ଆମ୍ଭେ ହୋଇଲୁ କୃଷ୍ଣ ପାର୍ଥେ।୧୪୦।

ସେ ଯେବେ ପାପୀ ମୁଂ କିସ ଅପାପୀ

କୃଷ୍ଣ ଅର୍ଜୁନ ଶୟଳେ ବୋଲନ୍ତି ଅଦ୍ୟାପି।୧୪୧।

 

ତୁ ଯେବେ ଧାତା ବିହିଲୁ ପାପ ଦୋଷେ

ଆମ୍ଭେ ଦୁହେଂ କିଂପା ଥିବୁ ମଞ୍ଚ ଦେଶେ।୧୪୨।

ପୃଥୀର ଭାରା ଭର ଉଶ୍ୱାସ ନିମନ୍ତେ

ଆମ୍ଭେ ଦୁହେଂ ଜାତ ହୋଇଛୁଂ କୃଷ୍ଣ ପାଥେ।୧୪୩।

 

ସଂଗ୍ରାମ ଭୂମିରେ ଗୋ ବ୍ରାହ୍ମଣ ସମସ୍ତେ ପଡ଼ି

ତହିଂର ଦୋଷ ଯେବେ ମୋତେ ବିଚାରିବ ବେଦ ଚାରି।୧୪୪।

ୟେତ ନୟନେ ନ ଦେଖିଲା କଲା ଜୀବ ଘାତ

ୟେ କଷଣୁଂ ଯେବେ ପାର ନ କରିବୁ ବିଧାତ।୧୪୫।

 

କୃଷ୍ଣ ବୋଇଲେ ଅର୍ଜୁନଙ୍କୁ ପାପ ଦଶା ବିହିଲେ

ଭାରା କେମନ୍ତେ ଉଶ୍ୱାସ ହୋଇବ ବୋଇଲେ।୧୪୬।

ଇନ୍ଦ୍ର ବୋଇଲେ କୃଷ୍ଣ ଅର୍ଜୁନ ୟେକ ଆତ୍ମା

ତୋହୋର ଦେହରୁ ଜାତ ଅଟନ୍ତି ୟେକ ଆତ୍ମା ବେଦ ବ୍ରହ୍ମା।୧୪୭।

 

ବ୍ରହ୍ମାଙ୍କର ରୋଧିର ଈଶ୍ୱର ବିଭୂତି

ବିଷ୍ଣୁର ଦେହ ୟେ ଇନ୍ଦ୍ରର ଆଗତି।୧୪୮।

ଇନ୍ଦ୍ର ବୋଇଲେ ୟେ ମୋହୋର କୁମର

ୟେହାକୁ ମୁକତ କରିବା ବେଦବର।୧୪୯।

 

ବିଷ୍ଣୁ ଇନ୍ଦ୍ର ଯହୁଂ ହୋଇଲେ ବିନୋଇ

ୟେହାକୁ ହତ୍ୟା ଦୋଷ ଅଛି ଦେବ କାହିଂ।୧୫୦।

ଧାତା ଆଗ୍ୟାଂ ଦିଲେ ନାରଦ କଇଂ ରାଇ

ଯଗ୍ୟଂକୁ ଆରମ୍ଭ କର ବ୍ୟାସଙ୍କୁ ବସାଇ।୧୫୧।

 

ନାରଦ କହିଲେ ନାରାୟଣଙ୍କ ଅଗ୍ରତେ

ଯାଗକୁ ଆରମ୍ଭ ହୋ କର ନରପତ୍ୟେ।୧୫୨।

କୃଷ୍ଣଙ୍କୁ ଅନେକ ବିନୋଇ ଯୁଝେଷ୍ଠି

ତୋହୋର ସକଳ ନାଥ ଖଣ୍ତଇ ଅରିଷ୍ଟି।୧୫୩।

 

ଯାଗକୁ ସମ୍ଭାର ନାଥ ପାଇବୁ ଆର କାହିଂ

ତୋ ତହୁଂ ଆନ ତ ସଖା ନାଥ ନାହିଂ।୧୫୪।

ନାରଦଙ୍କୁ ରାଇ ବୋଇଲେ ଦେବ ହରି

ରତ୍ନାକର ଭୁବନୁଂ ସମ୍ଭାର ଆଣ ଶକ୍ୟ ଯେତେ ତୁମ୍ଭରି।୧୫୫।

 

ମାୟାଧର ନାଥ ସେ ମାୟାକୂଟ କଲା

ରତ୍ନାକର ଭୁବନେ ମୁନି ସମସ୍ତ ପାଇଲା।୧୫୬।

ବିଶ୍ୱକର୍ମାଙ୍କୁ ରାଇ ଆଗ୍ୟାଂ ଦିଲେ ଦେବହରି

ଯଗ୍ୟଂ ଶାଳ ଭୁବନ ଭିଆଅ ଯତ୍ନକରି।୧୫୭।

 

ଜଗନ୍ନାଥଙ୍କର ଆଗ୍ୟାଂୟେ ଶିଳ୍ପୀ ବେଗେ ଗଲା

କ୍ଷଣକର ମଧ୍ୟେ ଯଗ୍ୟଂ ଶାଳା ଭିଆଇଲା।୧୫୮।

ଦେବଋଷି, ବ୍ରହ୍ମଋଷି ବସିଲେ ଯଗ୍ୟଂଶାଳେ

ଦାବାନଳ ଅଗ୍ନି ଥାପିଲେ ମହାନଳେ।୧୫୯।

 

ଗୁଆଘୃତ ଯେ ଜଳ ତିଳ ଘେନି

ଆହୁତିରେ ବରଣ ହୋଇଲେ ବିଶ୍ୱାମିତ୍ର ମୁନି।୧୬୦।

ମୁକତି ଘଟି ନେଇ ଯଗ୍ୟେଂ ଆରୋପିଲେ

ଈଶ୍ୱର ଦେବତା ସନିଧ୍ୟେ ବିଜେ କଲେ।୧୬୧।

 

ପବନ ଦେବତା ମୁନି ବେଦବ୍ୟାସ

ପାପ ଶାନ୍ତି ମନ୍ତ୍ର ପଢନ୍ତି ଭାରଦ୍ୱାଦଶ।୧୬୨।

ଅଗସ୍ତି ପଢନ୍ତି ମୁକତି ଗାୟତିରୀ

ଅଜପା ପଢ଼ନ୍ତି ଦେବ ବଶିଷ୍ଠ ତପଚାରୀ।୧୬୩।

 

ଅର୍ଜ୍ଜୁନ କଇଂ ଆଣି ଯାଗ କତିରେ ବସାଇଲେ

ମୁକତ ମନ୍ତ୍ର ତୀର୍ଥ ଜଳ ସ୍ନାହାନ କରାଇଲେ।୧୬୪।

ଅଜପା ଗାୟତ୍ରୀ ପଢନ୍ତି ସମସ୍ତ ଋଷି

ଆପଣେ ବେଦବର ବୋଲନ୍ତି ନ ଲାଗୁ ଗୋହତ୍ୟା ଦୋଷି।୧୬୫।

 

ସକଳ ଦେବତାୟେ ଜୟେ ଜୟେ ଧୁନି କଲେ

ପାଥର ଶିରେ ପଞ୍ଚାମୃତ ସିଞ୍ଚିଲେ।୧୬୬।

କୋଟିୟେ ତୀର୍ଥ ଘେନି ଅଇଲେ ପୁଷ୍କର

ଅଭିଷେକ କଲା ନେଇ ଅର୍ଜୁନର ଶିର।୧୬୭।

 

ଅପସରୀମାନେ କରନ୍ତି ମଙ୍ଗଳ ଧୁନି

ହୁଳହୁଳି ନାଦ କରନ୍ତି କାମିନୀ।୧୬୮।

ସୁସ୍ୱରେ କାମିନୀମାନେ କରନ୍ତି ନୃତ୍ୟଗୀତ

ମଙ୍ଗଳ ପଢନ୍ତି ଚଣ୍ତମୁନି ପୁତ୍ର।୧୬୯।

 

ଗୋମତୀରେ ସ୍ନାହାନ କରାଇଲେ ଝୀନ ବାସ ପିନ୍ଧାଇ

ଦେବସଭାରେ ପାଥକୁ ବସାଇଲେ ନେଇ।୧୭୦।

ୟେମନ୍ତେ ମତେ ପାଥକୁ ମୁକତି ହୋଇଲା

ମର୍କତେଶ୍ୱର ଲିଙ୍ଗ ପୃଥୀରେ ରହିଲା।୧୭୧।

 

ମାଳତୀ ଲିଙ୍ଗେକ ଯେ ଘୋଡ଼ାଇଲା ମୁଣ୍ତର

ଗୋକର୍ଣ୍ଣଶ୍ୱର ସେ ହୋଇଲା ପୃଥିବୀର।୧୭୨।

ଋଷିଗଣମାନେ ଅନେକ କଲ୍ୟାଣ ଭାଷି

ଅସ୍ତୁ କରାଇଲେ ପାତେକ ହୋୟେ ଧଂସି।୧୭୩।

 

କୃଷ୍ଣ ଆଗ୍ୟାଂଦିଲେ ଯୁଝେଷ୍ଠିଙ୍କି ଚାହିଂ

ତୁମ୍ଭର ପାପମାନ ଶରୀରେ ହୋଉ ନାହିଂ।୧୭୪।

ପାପ ପୁଣ୍ୟ କହି ତୁମ୍ଭେ ୟେଥେ ଯାଅ ପାଞ୍ଚ ଭାଇ

ଶରୀର ନିର୍ମଳ ହୋଉ ତୁମ୍ଭର ଦେବତାଗଣ ଚାହିଂ।୧୭୫।

 

ନାରାୟଣ ବଚନେ ଗଲେ ପଣ୍ତୁର ନନ୍ଦନ

ନାରାୟଣ ପ୍ରସନ୍ନେ ପାପ କଲେ ଦହନ।୧୭୬।

ଜଗନ୍ନାଥେ ବୋଇଲେ ପାପ ଶରୀରେ ଯେବେ ଥାନ୍ତା

ତୁମ୍ଭର ଦୁଇ ଭାଗେ ଦୁଇ ଦ୍ୱାର ଲାଗନ୍ତା।୧୭୭।

 

ୟେବେ ନିକଳଙ୍କ ହୋଇବ ତୁମ୍ଭର ଦେହୀ

ନାରାୟଣ ହରଷ ହୋଇଲେ ପାଣ୍ତବନ୍ତ ଚାହିଂ।୧୭୮।

ୟେବେ ସେ ନିର୍ମଳ ହୋଇଲେ ପାଣ୍ତବ ଧର୍ମ ରାୟେ

ୟେ ପାଥକୁ ଘେନି ଭାରା ରହିବି ଥୋକାୟେ।୧୭୯।

 

ତୁ ଧର୍ମରାୟେ ସ୍ୱାମୀ ଦୟା କରିଥିବା

ତୋହୋର ଚରଣେ ଥାଉ ମୋହୋର ସେବା।୧୮୦।

ଯୁଝେଷ୍ଠି ବୋଇଲେ ସ୍ୱାମି ତୋହୋର ଆଶ୍ରିତେ

ସତ୍ୟେ ବ୍ରତୁ ଆମ୍ଭେ ପଣ୍ତୁର ପଞ୍ଚୁପୁତ୍ରେ।୧୮୧।

 

ସ୍ୱାମି ଯେବଣ କୂଟ କଲେକ କଉରୋବ

ଦୁସ୍ତରୁ ତରିଲୁ ତୋହୋ ଯୋଗୁଂ ବାସୁଦେବେ।୧୮୨।

ହରି କୂଟେ ନେଇ ଭୀମକୁ ବିଷ ଲଡ଼ୁ ଦେଲେ

ନାଗେଣୀ ଖାଉ ବୋଲି ଜଳେ ପକାଇଲେ।୧୮୩।

 

ବାରୁଣାବନ୍ତେ ନେଇ କଲେ ଯେଉଂ କୂଟେ

ପୁରେକ ଭିଆଇଲେ ଗୁଆଘୃତ ଛଣପଟେ।୧୮୪।

ତରିଲୁ ତହୁଂ ହରି ତୋହୋର ପରସାଦେ

ଦ୍ୱାପର ଯୁଗେ ଶରଣ ତୋର ପାଦେ।୧୮୫।

 

ଗୋହତ୍ୟା ବ୍ରହ୍ମହତ୍ୟା ଦୋଷମାନ

ତୋହୋର ଶରଣେ ଖଣ୍ତୁ ପାତକମାନ।୧୮୬।

ସଦୟା ଦୟା ହୋଇବୁ ଦେବ କାଶି

ଅବିଚ୍ଛନ୍ନେ ବିଜୟେ ବିଶ୍ୱବାସୀ।୧୮୭।

 

ଯେ ତୋତେ ୟେକା ବେଳେ ନୟନେ ଦେଖିବ

କୋଟିୟେ ଜନ୍ମର ପାପ ଯେ ହରିବ।୧୮୮।

ଦେଖିଲେ କିଂଚିତ ପାପ ନଥିବ ଶରୀରେ

ତୋର ମୁଖ ଦେଖନ୍ତେ ବସିବ ସ୍ୱର୍ଗପୁରେ।୧୮୯।

 

ସଦାଶିବ ନାଥ ପ୍ରତକ୍ଷେ ଉଭାହୋଇ

ଇନ୍ଦ୍ର ନିତି ବରଷା କରିବ ତୋର ତହିଂ।୧୯୦।

ନିତି ହିଂ ବରଷା କରିବ ସୁରପତି

ମୋହୋର କଥା ରହିଥିବ ପୃଥି।୧୯୧।

 

ଇନ୍ଦ୍ର ଗୋବିନ୍ଦ ଧାତା ଯୁଝେଷ୍ଠି ପାଞ୍ଚଭାଇ

ଧାତା ବୋଇଲେ ତୁମ୍ଭେ ୟେଥେ ଲିଙ୍ଗେ ଲିଙ୍ଗେ ଥୋଇ।୧୯୨।

ତେତିଶ କୋଟି ଦେବତା ପାଣ୍ତବ ପାଞ୍ଚଭାଇ

ଲିଙ୍ଗ ପୂଜନ୍ତି ଯେ ମନ୍ତ୍ର ପରିଘାଇ।୧୯୩।

 

ବାଲୁକା ଲିଙ୍ଗେକ ପୂଜି ଉପରେ ବେଲପତ୍ରି ଢାଳି

ଲିଙ୍ଗେ ବିଦାରି ବିଜେ କଲେ ଦେବଶୂଳୀ।୧୯୪।

ଇନ୍ଦ୍ରେ ଯାହା ପୂଜିଲେ ଇନ୍ଦ୍ରେଶ୍ୱର ବୋଲି ହୋଉ

ଯମେ ଯାହା ପୂଜିଲେ ଯମେଶ୍ୱର ବୋଲାଉ।୧୯୫।

 

ବ୍ରହ୍ମା ଯାହାକୁ ପୂଜିଲେ ବ୍ରହ୍ମେଶ୍ୱର ଜାଣ

ଚନ୍ଦ୍ର ଯାହା ପୂଜିଲେ ଚନ୍ଦ୍ରେଶ୍ୱର ପୁଣ।୧୯୬।

ବରୁଣ ଯାହା ପୂଜିଲେ ବରୁଣେଶ୍ୱର ନାମ ହୋଇ

କୁବେର ଯାହା ପୂଜିଲେ କୁବରେଶ୍ୱର ନାମ ବହି।୧୯୭।

 

ତେତିଶ କୋଟି ଦେବେ ପୂଜିଲେ ତେତିଶ ନାମ ବହି ହୋଇ

ଠିକ ଠିକ ନାମ ମୁଂ ଯେ କହିଲି ବଞ୍ଚାଇ।୧୯୮।

ପଞ୍ଚୁ ପାଣ୍ତେବ ଯେ ଲିଙ୍ଗେ ଲିଙ୍ଗେ ପୂଜି

ଧର୍ମେଶ୍ୱର, ଭୀମେଶ୍ୱର, ଅର୍ଜୁନେଶ୍ୱର, ନକୁଳେଶ୍ୱର,

ସହଦେବେଶ୍ୱର ପୃଥୀରେ ଉପୁଜି।୧୯୯।

 

କୋଇନ୍ତା ଯାହା ପୂଜିଲେ କୋନ୍ତେଶ୍ୱର ନାମ ହୋଇ

ବ୍ରହ୍ମାୟେ ଆଗ୍ୟାଂ ଦିଲେ କୋଇନ୍ତାଙ୍କର ତନଇ।୨୦୦।

ବ୍ୟାସେ ବୋଇଲେ ପାତେକ ମୁକତ ୟେ ତୀର୍ଥ

ସ୍ୱର୍ଗୁଂ ପୁଷ୍ପ ବୃଷ୍ଟି କରୁଥିବ ସୁରନାଥ।୨୦୧।

 

ନିତି ଇନ୍ଦ୍ର ଦେବତା ୟେଥି ବରଷିବ

ତେବେ ସେ ହରନାଥ ଦେହ ଶୀତଳ ହୋଇବ।୨୦୨।

ବ୍ରହ୍ମା ଆଗ୍ୟାଂ ଦିଲେ ବ୍ୟାସଙ୍କୁ ଯେ ଚାହିଂ

ପୂଜା ୟେଥିରେ କେ କରୁଥିବ ରହି।୨୦୩।

 

ସହଦେବ ବଦନ ଚାହିଂଲେ ବ୍ୟାସ ମହାଋଷି

ଚଉକତି ବୁଲି ବାବୁରେ ଦେଖ ଉପଲେସି।୨୦୪।

ବ୍ୟାସଙ୍କର ବଚନେ ଚଳଇ ସହଦେବ ମନ୍ତ୍ରୀବର

ଟୁଙ୍ଗା କରବା ଖୋଳନ୍ତେ ଦେଖିଲା ଶବର।୨୦୫।

 

ଶବରକୁ ଘେନି ଚଳିଲା ମନ୍ତ୍ରୀ ବେଗେ

ଧାତିକାରେ କଲା ନେଇ ବ୍ୟାସଙ୍କର ଆଗେ।୨୦୬।

କୃଷ୍ଣ ବୋଇଲେ ଶୁଣ ହୋ ଶବର

ପାଣି ପତ୍ର ନେଇ ପୂଜା କର ହର।୨୦୭।

 

ତଟେଣ ମାଛ ବାହଇ କପିଳା

ଗେଣ୍ତା ମାଂସ ଭକ୍ଷନ୍ତି ଜାତିରେ ତୟେଂଳା।୨୦୮।

ତାହାକୁ ଘେନି ବୀର ସଭାରେ ପରବେଶ

ଦେଖିଣ ଯୁଝେଷ୍ଠି ଦେବ କଲେ ଉପହାସ।୨୦୯।

 

ବ୍ୟାସ ବୋଇଲେ ତୁ ସର୍ବଭୂତେ ନାଥ

ୟେ ଯେବେ ଅନୀତି, ଅଛଇ କେ ନାଥ।୨୧୦।

ଛପନ କୋଟି ଜୀବ ଜନ୍ତୁ ସଭିୟେଂ ୟେକ ପ୍ରାଣ

ୟେବେ ନାରାୟଣ କେହ୍ନେ କଲୁ ଭିଆଣ।୨୧୧।

 

ସହଦେବ ବୋଇଲା ନାଥ ଜନ୍ମରେ ବାଉରୀ

ଗେଣ୍ତା ଶାମୁକେ ବ୍ରତନ୍ତି ୟେ ଆହାରି।୨୧୨।

କୃଷ୍ଣ ବୋଇଲା ୟେ ଶବର ଭାବକୁ ବହିଲା

ୟେହାର ଦେହରୁ ପାପ ସକଳ ଧ୍ୱଂସଗଲା।୨୧୩।

 

ନର ନାରାୟଣ ମଞ୍ଚେ ଅବତାର

କ୍ଷୟେ ଜୀବ ତ ତୋଷିବ ସବୁ ୟେକକାର।୨୧୪।

ବ୍ରହ୍ମାୟେ ୟେହାକୁ ଦିଅ ପଇତା

ଯୁଗେ ଯୁଗେ ୟେହାର ପୁରାଣେ ଥାଉ କଥା।୨୧୫।

 

ଆପଣେ ବେଦବ୍ୟାସେ କୋଇଲି ସୁତା ଘେନି

ତୟେଂଳା ଗଳାରେ ପକାଇଲେ ମହାମୁନି।୨୧୬।

ତୀର୍ଥ ଜଳ ପୁଣି ସେ ସିଞ୍ଚିଲେ ମୁନିବର

ଆଜହୁଂ ହୋଇଲୁ ତୁ କାଳିନ୍ଦୀ ବିପ୍ରବର।୨୧୭।

 

ବାଉରୀ ଶାସନ ବୋଲି ୟେହାର ନାମ ହୋଉ

ୟେ ଆମ୍ଭର କଥା ଯୁଗେ ଯୁଗେ ଥାଉ।୨୧୮।

 

ବାଉରୀ ଆଣି କରି ଯେ ବସାଇଲା ଗ୍ରାମ

ତେଣୁ କରି ହୋଇଲା ବାଉରୀ ଶାସନ ନାମ।୨୧୯।

ଦେବତାୟେ ଥାଇ ତମ୍ୱା ପଟା ଲେଖନ କରାଇ

ଯେ ୟେହା ହରଇ ୟେ ସେ ଦୋଷଅ ପହରଇ।୨୨୦।

 

ଯୁଗେ ଯୁଗେ ହୋଇ ପୁରାଣରେ ଥାଉ କଥା

କଥା ରହିବ ଦୋଷ ହରିବେ ସର୍ବଥା।୨୨୧।

ୟେସନେକ ତାମ୍ରପଟା ମହାଜନଙ୍କୁ ଦେଇ

ଦେବତା ଗଣମାନେ ଗଲେ ଯେ ଯାହାର ତହିଂ।୨୨୨।

 

ରହିଲେ ପାଣ୍ତବେ ହିରଣକ ବନେ

ଆର ଦିନ ମହୀନ୍ଦ୍ର ପର୍ବତକୁ କରନ୍ତି ଗମନେ।୨୨୩।

କୋଇନ୍ତା ଆଦି କରି ପଞ୍ଚୁପାଣ୍ତବେ

ଗୋକର୍ଣ୍ଣଶ୍ୱରକୁ ଦେଖନ୍ତି ଯୁଝେଷ୍ଠି ରାଜଦେବେ।୨୨୪।

 

ମଛ କୁଣ୍ତେ ପଶି ସ୍ନାହାନ ଦେବ କରି

ଦେଖନ୍ତି ସଦାନନ୍ଦ ମାହେନ୍ଦ୍ର ନାମେ ଗିରି।୨୨୫।

ନିଜ ସ୍ୱରୂପ ଧରିଣ ବିଶ୍ୱନାଥ ତହିଂ ଉଭା

କି ଜାଣ ଦିଶଇ ସେ ଚନ୍ଦ୍ର କିରଣ ଆଭା।୨୨୬।

 

ପଞ୍ଚରତ୍ନ ଦେଇ ପୂଜା କଲେ ପାଣ୍ତୁର ଆତ୍ମଜ

ସ୍ୱର୍ଗେଣ ପୁଷ୍ପବୃଷ୍ଟି କଲେ ଦେବରାଜ।୨୨୭।

ପୂଜନ୍ତି ୟେକ ମନେ ଦେବ ବିଶ୍ୱବାସୀ

ଯୋଗ ଲୟେ କରି ଦେବ ତୁସ୍ତି ଅଭ୍ୟାସି।୨୨୮।

 

ଜୟ ତ୍ରିଅମ୍ୱକ ଆଦି ଶୂଳ ହସ୍ତା

ଜୟ ତୁ ସଦାଶିବ ଅଭୟେ ବରଦାତା।୨୨୯।

ଜୟ ତୁ ସଦାଶିବ କପିଳ ସ୍ୱର୍ଗବାସୀ

ଜୟ ତୁ ସଦାନନ୍ଦ ତ୍ରିପୁର ଦର୍ପ ଧ୍ୱଂସି।୨୩୦।

 

ଜୟ ତୁ ସଦାନନ୍ଦ ମତି ଭୋଳା

ଜୟ ତୁ ସଦାନନ୍ଦ ଆନନ୍ଦ ମତି ମୁକୁଳା।୨୩୧।

ଜୟ ତୁ ସଦାନନ୍ଦ ଦକ୍ଷର ଯଗ୍ୟଂ ଦର୍ପ ଭାଞ୍ଜୁ

ଜୟ ତୁ ସଦାନନ୍ଦ ଯୋଗୀଜନ ମନ ରଂଜୁ।୨୩୨।

 

ଜୟ ତୁ ସଦାନନ୍ଦ କପିଳାସ ବାସୀ

ଜୟ ତୁ ସଦାନନ୍ଦ ଅନ୍ଧକ ଦର୍ପ ଧ୍ୱଂସି।୨୩୩।

ଜୟ ତୁ ସଦାନନ୍ଦ ଆଦି ନିରଞ୍ଜନ

ଜୟ ତୁ ସଦାନନ୍ଦ ଆଦି ଈଶାନ।୨୩୪।

 

ଜୟ ତୁ ସଦାନନ୍ଦ ରାବଣ ବର ଦ୍ୟନ୍ତା

ଜୟ ତୁ ସଦାନନ୍ଦ ପଞ୍ଚମ ବକ୍ତ୍ର ତ୍ରାତା।୨୩୫।

ଜୟ ତୁ ସଦାନନ୍ଦ ଅନାଦି ପଞ୍ଚମୁଖ

ଜୟ ତୁ ସଦାନନ୍ଦ ଜୟ ଶଶିରେଖ।୨୩୬।

 

ଜୟ ତୁ ସଦାନନ୍ଦ ଭଗତ ମଚ୍ଛଳା

ଜୟ ତୁ ସଦାନନ୍ଦ ଭଗତକୁ ଭୋଳା।୨୩୭।

ଜୟ ତୁ ସଦାନନ୍ଦ ସଞ୍ଚାରଞ୍ଚା

ଜୟ ତୁ ସଦାନନ୍ଦ ଅଭୟେ କାଳ ବଞ୍ଚା।୨୩୮।

 

ଜୟ ତୁ ସଦାନନ୍ଦ ପାର୍ବତୀ ପ୍ରାଣନାଥା

ଜୟ ତୁ ସଦାନନ୍ଦ ଶଶି ଗଙ୍ଗା ମଥା।୨୩୯।

ଜୟ ତୁ ସଦାନନ୍ଦ ସୃଷ୍ଟି ଉଦ୍ଧାରଣ

ଜୟ ତୁ ସଦାନନ୍ଦ ପାପମାନ ଖଣ୍ତଣ।୨୪୦।

 

ଜୟ ତୁ ସଦାନନ୍ଦ ଦେବଙ୍କର ରାଜ

ସର୍ବ ଭୂତ ନାଥ ତୁହି ଅନାଦି ଆତ୍ମଜ।୨୪୧।

ଜୟ ତୁ ସଦାନନ୍ଦ ରେଖ ଅରେଖ

ଜୟ ତୁ ସଦାନନ୍ଦ କାଳ ଗରଳ ଭକ୍ଷ।୨୪୨।

 

ଜୟ ତୁ ସଦାନନ୍ଦ କରୁଣା କର ଇଚ୍ଛା

ଜୟ ତୁ ସଦାନନ୍ଦ ଜଗତ ଜନ ମୋଚ୍ଛା।୨୪୩।

ଜୟ ତୁ ସଦାନନ୍ଦ ଅନାଦି ବିଶ୍ୱ ବାସୀ

ଜୟ ତୁ ସଦାନନ୍ଦ ଅଭୟେ ବ୍ରହ୍ମରାଶି।୨୪୪।

 

ଜୟ ତୁ ସଦାନନ୍ଦ କାଳ ଗରଳ ଭକ୍ଷନ୍ତା

ଜୟ ତୁ ସଦାନନ୍ଦ ସଂସାର ଜୀବଦାତା।୨୪୫।

ଜୟ ତୁ ସଦାନନ୍ଦ ଲୋହିତ ପିଙ୍ଗଳ ଦେବ

ଜୟ ତୁ ସଦାନନ୍ଦ ଲାଙ୍ଗଟ ନାମ ବହିବ।୨୪୬।

 

 

ଜୟ ତୁ ସଦାନନ୍ଦ ସମ ସୁଖ ଦୁଖ

ଜୟ ତୁ ସଦାନନ୍ଦ ଉଦ୍ଧାରଣ ମମ ଦୁଖ।୨୪୭।

ଜୟ ତୁ ସଦାନନ୍ଦ ଭଗତ ଅନୁମତେ

ଜୟ ତୁ ସଦାନନ୍ଦ ତୁ ଦୁଦୁରା ଘେନୁ ଚିତ୍ତେ।୨୪୮।

ଜୟ ତୁ ସଦାନନ୍ଦ ଅନାଦି ଶୂଳପାଣି

ଜୟ ତୁ ସଦାନନ୍ଦ ଅଭୟେ ବ୍ରହ୍ମଗ୍ୟାନୀ।୨୪୯।

 

ଜୟ ଜୟ ମହାଦେବ ଉମା ପ୍ରାଣନାଥ

ଶୂଦ୍ରମୁନି ସାରୋଳା ଦାସ ତବ ଭକ୍ତ।୨୫୦।

ୟେମନ୍ତେ ଅନେକ ତୁସ୍ତି କଲେକ ଯୁଝେଷ୍ଠି

ନିଜ ରୂପ ଧରି ଉଭା ପ୍ରସନ୍ନ ଧୂର୍ଜଟି।୨୫୧।

 

 

ଯୁଝେଷ୍ଠି ଦେବ ଶତବାର ଯେ ପ୍ରଣମି

ତୋର ପ୍ରସନ୍ନ ମୁକତି ହେଲି ଦେବ ସ୍ୱାମୀ।୨୫୨।

ହର ବୋଇଲେ ସମସ୍ତ ଜନ୍ମ ପାତକ ତୋର କ୍ଷୟେ ଯାଉ

ସମସ୍ତ ଅରିଷ୍ଟି ଖଣ୍ତ ରାଜ୍ୟ ପ୍ରାପତ ହୋଉ।୨୫୩।

 

ବର ଦେଇ ଅନ୍ତରୀକ୍ଷେ ଗମିଲେ ତ୍ରିପୁରାନ୍ତ

ରହିଲେ ମହୀନ୍ଦ୍ରଗିରି ଶିଖେ ପଣ୍ତୁଙ୍କର ସୁତ।୨୫୪।

***

 

Unknown

ଦୁର୍ଯ୍ୟୋଧନର ଅଭିଷେକ ଓ କର୍ଣ୍ଣ ମହିମା ବର୍ଣ୍ଣନ

 

ଯେଥୁ ଅନନ୍ତରେ ଶୁଣ ହୋ ଯୁଗପତି

ଇତିଶ୍ରୀ ମହାଭାରଥ ଏ ଆଦିପର୍ବ ରୀତି।୧।

ପାଣ୍ତବଙ୍କର ନିଧନେ ନୃପତି ଧୃତିରାଷ୍ଟି

ବରଷ ବେନି ପରିଯନ୍ତେ ହୋଇଲା କଷ୍ଟି କଷ୍ଟି।୨।

ପାସୋରିଲା ପୁଅନ୍ତ ଉପେକ୍ଷିଲା ସର୍ବ ଭ୍ରାନ୍ତି

ଭୀଷ୍ମ ଭୂରିଶର୍ବାନ୍ତ ଘେନି ଭାଳଇ କୁରୁପତି।୩।

 

ଦ୍ରୋଣ କର୍ଣ୍ଣ ଶଲ୍ୟ ମନ୍ତ୍ରୀ ଶକୁନି

ଭାଳଇ ଧୃତିରାଷ୍ଟ ସବୁନ୍ତି ହିଂ ଘେନି।୪।

ଧୃତରାଷ୍ଟ୍ର ବସିଣ ଭାଳଇ ସଭାର

ସମସ୍ତ କୁଟୁମ୍ୱ ସୋଦର ବାନ୍ଧବ ମୋହର।୫।

ମୁହିଂ ଚକ୍ଷୁହୀନ ରାଜକୁ ନୋହଇ ଯୋଗି

ତୁମ୍ଭର ବିଚାରେ କହ ମୁଂ ଦ୍ରିଯୋଧନକୁ ରାଜ୍ୟ ଦେବି।୬।

 

ଭୀଷ୍ମେ ବୋଇଲେ ସେହି ସେ ଭାଗ୍ୟବନ୍ତା

ଶ୍ରୀବନ୍ତଶୂରବନ୍ତ ଅଭୟ ବଳବନ୍ତା।୭।

ହସ୍ତେ ପଦ୍ମ ପାୟେ ପଦ୍ମ ଯାହାର ସେ ଅଛି

ଅନୁବ୍ରତେ କନ୍ଧରୁ ନ ଛାଡ଼ଇ ଲଛୀ।୮।

ଗୁଣ ଦେବ ନାମେଣ ଯେ ୟେକଇ ଗ୍ରହପୁତ୍ର

ତାକୁ ରାଇ ପୁଚ୍ଛା କଲେ ଅମ୍ୱିକାର ସୁତ।୯।

 

ଗୁଣ ଦେବ ପଣ୍ତିତ ଶୁଭ ଅନକୂଳ କହିଲେ

ଶ୍ରୀରାମଚନ୍ଦ୍ର ଯେବଣ ଦିନ ଅଯୋଧ୍ୟାୟେ

ଅବିଷେକ ହୋଇଲେ।୧୦।

ଧନୁ ଶୁକଳ ଯେ ପୌର୍ଣ୍ଣମାର ତିଥି

ପୁଷ୍ୟା ନକ୍ଷତ୍ର ଯେ ବାର ବୃହସ୍ପତି।୧୧।

ତୈତିଳ ନାମେ କରଣ ଆୟୁଷ୍ମାନ ନାମେ ଯୋଗ

କକଡ଼ା ଘରେ ଚନ୍ଦ୍ର ଅଟଇ ଯେ ଭୋଗ।୧୨।

 

ଶ୍ରୀରାମ ଅଭିଷେକ ତହିଂକି ନିର୍ଦ୍ଦୋଷ ବାଛି

ସେ ଦିନୁକୁ ଅବିଗୁଣ ଦୋଷ ନାହିଂ କିଛି।୧୩।

ଧଇଲେ ଅନକୂଳ ଶୁଭ ଯୋଗ ଲଗ୍ନେ

ଗୁରୁ ପୁଷ୍ୟା ଅନକୂଳ ଅମୃତ ଯୋଗ ମାନେ।୧୪।

ଅଭଷେକ ଯୋଗାଡ଼ ଯେ କରାଇଲେ ସମସ୍ତ

ରାଜ୍ୟେଣ ଉଚ୍ଛବ କରାନ୍ତି ନରନାଥ।୧୫।

 

ବ୍ରାହ୍ମଣନ୍ତ ବରି ଅନେକ ଦାନଦେଇ

ଅପାଦ ଶାନ୍ତି ନିମନ୍ତେ ଚଣ୍ତିକା ସ୍ତୋତ୍ର ପଢାଇ।୧୬।

ପଞ୍ଚଶାଖା ତାଳ କଲେ କନେକ ଦଣ୍ତ ଗୋଟି

ଦେବ ବରଣ ପ୍ରତିମା ମାନ ହୀରକରେ ଘଟି।୧୭।

ସମସ୍ତ ସମ୍ପାଦିଲା ଶଙ୍କୁନି ମହାମନ୍ତ୍ରୀ

ଶୀତଳ ଯୋଗାଡ଼ମାନନ୍ତ ଦେଇ ଦେବତାନ୍ତ ତ୍ରିପୁତି।୧୮।

 

ଶ୍ୱେତ ହସ୍ତୀ ଏକ ସାଜିଲେ ଅନେକ ସମ୍ଭରେ

ପାଟଅଶ୍ୱ ସାଜିଲେ ଦେବାଙ୍ଗ ବସନରେ।୧୯।

ବଶିଷ୍ଠ ବିଶ୍ୱାମିତ୍ର ବାମଦେବ ପୁରୋହିତ

ମାରକଣ୍ଡ ବାଲମିକ ବ୍ୟାସଦେବ ସହିତ।୨୦।

ଅଗସ୍ତି ଜନକ ସନକ ତପଚାରୀ

ସମସ୍ତ ଋଷିମାନେ ପ୍ରବେଶ ହସ୍ତିନା ରାଜ୍ୟ ପୁରୀ।୨୧।

 

ପଞ୍ଚୁ କଟକେ ଦ୍ରିଯୋଧନ ଆଗ୍ୟାଂ ଅବଧାରି

ସମସ୍ତ ବିଧାନେ ଅବିଷେକ ରାୟେ କରି।୨୨।

କୋଟିୟେ ତୀର୍ଥର ଆଧିପତି ଯେ ପୁଷ୍କର

ଅବିଷେକ କଲା ନେଇ ଦ୍ରିଯୋଧନ ଶିର।୨୩।

ହବି କି ଆହୂତି ଦିଲେ ଘୃତ ଯୋଗେ

ଭାନୁମତୀକି କୋଳେ ଘେନି ରାୟେ ବିଜେ କଲେ ବେଗେ।୨୪।

 

କୋଳେ ଶୋଭାବନ ଭାନୁମତୀ ପାଟରାଣୀ

ପଞ୍ଚାମୃତ ପଦାର୍ଥ ପୁରୋହିତେ ଦିଲେ ଆଣି।୨୫।

ଡାହାଣ ପଖାୟେ କନେକ ଦଣ୍ତ ଧରି

ଶଙ୍କୁନି ମହାମନ୍ତ୍ରୀ ମଙ୍ଗଳ ସୀଉକାର କରି।୨୬।

ବାମ ପଖାୟେଣ ଯେ କର୍ଣ୍ଣ ଅଶସ୍ତମା

ଦ୍ରୋଣଗୁରୁ, ଶଲ୍ୟ, ବାହ୍ଲିକ, କୃପବ୍ରହ୍ମା।୨୭।

 

ଭୁରିଶର୍ବାୟେ ଆଗରେ ଚାମରେକ ଢାଳି

ମଙ୍ଗଳ ହୁଳହୁଳି କଲେ ସର୍ବ ବାଳୀ।୨୮।

ଲକ୍ଷେକ ପାଟଛତ୍ର ଧରନ୍ତି ଚଉକତି

ଆଲମ୍ୱ ୟେକ ଲକ୍ଷି ଉଦ୍ଦଣ୍ତ ପଞ୍ଚ ଲକ୍ଷି ବିରାଜନ୍ତି।୨୯।

ବାଜଇ ବୀରତୂର ସାଜଇ ସମଦଣ୍ତ

ହୁଳହୁଳି ନାଦେ କମ୍ପଇ ଭୂଅଖଣ୍ତ।୩୦।

 

ସୁବର୍ଣ୍ଣ ବନ୍ଧା କୋଟିଏ ଶଙ୍ଖ ଆଗେ ଫୁରି

ଲକ୍ଷେକ ବିଳାସୁଣୀ ମଙ୍ଗଳ ସୀଉକାରୀ।୩୧।

ରାଜ୍ୟେଣ ଅବିଷେକ ହୋଇଲେ କୁରୁପତି

ପଞ୍ଚୁକଟକେ ସେ ଭ୍ରମଇ ମାନ ଚକ୍ରବ୍ରତ୍ତୀ।୩୨।

ଶଚୀକି ଘେନିଣ ଯେହ୍ନେ ବିଜୟେ ମଘବା

ଅମର ବୃନ୍ଦ ପ୍ରାୟେ ସମସ୍ତ ଦିଶଇ ଶୋଭା।୩୩।

 

ଅନେକ ରାଜ୍ୟରୁ ଯେ ମିଳିଲେ ସର୍ବରାୟେ

ଅନେକ ଗହଳ ସେ ରାଜାଙ୍କର ସନ୍ୟ ଘାୟେ।୩୪।

ଅନେକ ଭଣ୍ତାର ଯେ ବିଧ୍ୱଂସିଲା ଅଧିକାରୀ

ପାତ୍ର ଅମାନାତ୍ୟ ଯୋଦ୍ଧା ସବୁକୁହିଂ ଶାଢୀ।୩୫।

ଅନେକ ଅଳଂକାର ଯେ ଆଭରଣ ସର୍ବ କାୟେ

ଦିଶଇ କୁରୁପତି ଅଳକାନାଥ ପ୍ରାୟେ।୩୬।

 

ଆସ୍ତାନେ ବିଜେ କଲେ ଦ୍ରିଯୋଧନ ନରପତ୍ୟେ

ନିଯୋଗ ଅଧିକାରୀମାନେ ଭିଆଇଲେ ସମସ୍ତେ।୩୭।

ପାରିଦଣ୍ତ ସମଦଣ୍ତ ସମସ୍ତ ଭିଆଣ

ଅମାନାତ୍ୟମାନଙ୍କ ମୂଳେ ଦିଲା ତତକ୍ଷଣ।୩୮।

ପୃଥିବୀରେ ଯେତେ ଶସ୍ୟ ଉପୁଜାନ୍ତି ପ୍ରଜା

ବାଟିକେ ଚାରି ହାର ଦେଉଥିବ ସଞ୍ଜା।୩୯।

 

ବାଟିକେ ଶ୍ରୀରାମ ମୁଦ୍ରା ଯେ ଚିନାୟେ ବାରି ବାସ୍ତୁ ଭୂମି

ୟେସନେକ ଆଗ୍ୟାଂଦିଲେ ଦ୍ରିଯୋଧନ ସ୍ୱାମୀ।୪୦।

ଆପଣାର ବେନି କରସ୍ଥଳ କଣ୍ଟି

ପଞ୍ଚବିଂଶ ହାଥେ ଭିଆଇଲେ ନଳକାଠି।୪୧।

ୟେଥକୁ ଦଣ୍ତା ଗୋପଛ ମାଢକ ମାଣେ

ୟେସନେକ କରି ଭିଆଇଲେ କୁରୁରାଣେ।୪୨।

 

ବେନିମାଣ ମାଢକେ ବରତନ ପରଜାଙ୍କୁ

ବିହନ ଭିଆଣ କଲେ ଭଣ୍ତାରୁ ଦେବାକୁ।୪୩।

ବାରରାଷ୍ଟ୍ର ସେ ଯେ ଛତିଶ ମଣ୍ତଳେ

ଦେବତା ପୂଜା ୟେଥି ଘେନନ୍ତି ସର୍ବକାଳେ।୪୪।

ନିଯୋଗ ଭୂମି ଫେଡ଼ି ଦିଲେ ଦେବତାଙ୍କୁ

ଯଯାତିଙ୍କ ପାଞ୍ଜି ପ୍ରମାଣେ ଦିଲେ ସମସ୍ତଙ୍କୁ।୪୫।

 

ତହୁଂ ବିଜେ ସେ ନିଜ ଭୁବନେ

ଶିରେ ଅର୍ଘ ଦିଲେ ଋଷିଙ୍କର ଭାର୍ଯ୍ୟାମାନେ।୪୬।

ଯେ ବିଧି ସ୍ନାହାନ ସାରିଣ ମୋଣୋହିରେ ବିଜେ

ଦେବ ଦୋବୋରାଙ୍କୁ ଭୂତେଣ ବଳି ଦ୍ୱିଜେ।୪୭।

ଆପଣା ପିତୃ ଲୋକନ୍ତ ଦେଇ ଅନ୍ନ

ପାଣି ଛାଡ଼ି ନୃପତି କଲେକ ଭୋଜନ।୪୮।

 

ଅମୃତ ରସ ପାକ ପରସନ୍ତି ସୂପକାରେ

ମୁଣୋହି ସାରି ରାଜା ଆଞ୍ଚୋବନ ମନ୍ଦିରେ।୪୯।

ଛତ୍ରଶାଳେ ଭୋଜନ ପାତ୍ର ଅମାନାତ୍ୟମାନେ

ଯେ ଯେତେବେଳେ ଇଚ୍ଛନ୍ତି ସୁଖେଣ ଭୁଞ୍ଜନ୍ତି ଅନ୍ନେ।୫୦।

କର୍ଣ୍ଣକଇଂ ଶାଢୀ ଦିଲେ ଆପଣେ କୁରୁରାଜେ

ଦୁଷ୍ଟ ନିବାରିବା ମୈତ୍ର ତୁ କରିବୁ ଦିଗବିଜେ।୫୧।

 

ମୁହିଂ ପାଟେ ଠାକୁର ତୁ ଥାଠେଣ ଆଧିପତି

ତୋତେ ସମର୍ପିଲି ୟେ ସଚରାଚର ପୃଥୀ।୫୨।

ରାଜାର ଆଗ୍ୟାଂୟେ ସେ କର୍ଣ୍ଣ ମହାବୀର

ମହା ବଳବନ୍ତା ସେ ପୃଥୀକି ମହାଭାର।୫୩।

ବାରୁଣାବନ୍ତେ ଉଠି ସେ ବିକ୍ରମଇ ପାଦେକ

ପାଞ୍ଚ ପହଣ୍ତେ ଡ଼େଇଂ ଯାଅଇ ପଞ୍ଚୁକଟକ।୫୪।

 

ଯେବଣଠାବେ ବିକ୍ରମି ଡ଼େଇଂ ପଡ଼ଇ ଭୂମିରେ

ବସୁଧା ମୁଖୁଂ ରୁଧିର ବହଇ ଝରଝରେ।୫୫।

କର୍ଣ୍ଣ ଅନେକ ଦେବୀ ତୁସ୍ତି

ଧୀର ହୋଇ ବିକ୍ରମିବୁ ବାବୁ ରେ ବୋଲେ ବସୁମତୀ।୫୬।

କର୍ଣ୍ଣ ବୋଇଲା ବିକ୍ରମ ନ କରିବି ପାଦଘାତେ

ପ୍ରତିଦିନ ଦେଉଥିବୁ ସୁବର୍ଣ୍ଣ ଭାର ଶତେ।୫୭।

 

ଭୟେଣ ସନମତ କଲା ଦେବୀପୃଥୀ

ତୁ ଥିର ହୋଇ ଗମିବୁ ମୁଂ ଶତେ ସୁବର୍ଣ୍ଣ

ଦେଉଥିବି ନିତି।୫୮।

ବସୁଧା ଦେବୀ ଯହୁଂ କଲାକ ସନମତ

ସଧୀରେ ଗମଇ ସେ କର୍ଣ୍ଣ ମହାମତ୍ତ।୫୯।

ବସୁଧାର ମୁଖେ ଯେ ଅଛଇ ମହାରସ

ତାହା ନେଇ ଢାଳଇ ପାଷାଣ ପରଶ।୬୦।

 

ସେ ପରଶ ପାଷାଣ ଲଗାନ୍ତେ ପଥରେ

ଶତେ ଭାର ସୁବର୍ଣ୍ଣ ଝରଇ ସେ ବାରୁଣାବନ୍ତ

ପର୍ବତରେ।୬୧।

ଉଜାଣ ବଂଶିକ କିରାତ ଅଟଇ ଅଜପତି

ଶତେ ବାର ସୁବର୍ଣ୍ଣ ସେ ବହିଣ ନିଅଇ ନିତି।୬୨।

ମିଥିଳା ଭୁବନ ଯେ କର୍ଣ୍ଣର ନିଜ ବାସ

ସ୍ନେହେ ଦ୍ରିଯୋଧନ ଦିଲା ତାହାରେ ଅଙ୍ଗଦେଶ।୬୩।

 

ତହିଂ ଯାଇ ନିତ୍ୟେ ପ୍ରବେଶ ହୋଅଇ ଶତେ ଭାର ସୁବର୍ଣ୍ଣ

ରାଜାଙ୍କୁ ପଞ୍ଚବିଂଶ ଭାର ଦିଅଇ ବୀରକର୍ଣ୍ଣ।୬୪।

ଧୃତରାଷ୍ଟ୍ରକୁ ଭାରେ ଗାନ୍ଧାରୀ କିଭାରେ

ସଞ୍ଜୟଙ୍କୁ ଭାରେ ଭୂରିସର୍ବାକଇ ଭାରେ।୬୫।

ଭୀଷ୍ମଙ୍କୁ ଭାରେ ଦ୍ରୋଣକୁ ଭାର ବେନି

ଅନ୍ତେଶ୍ୱରେ ଭାନୁମତୀ ତହିଂକି ଦିଅଇ ଭାର ତିନି।୬୬।

 

ଅଶସ୍ତମାକୁ ଭାରେ କୃପକଇଂ ୟେକ ଭାର

ଦୁଇ ଭାର ନିତ୍ୟାପତି ପାବନ୍ତି ବିଦୁର।୬୭।

ଶତେକ କନେଷ୍ଟ ଯେ ରାଜାଙ୍କର ଭ୍ରାଥ

ୟେହାଙ୍କୁ ସବୁକହିଂ ଦିଅଇ ପଞ୍ଚବିଂଶ ଭାର ନିତ୍ୟ।୬୮।

ରାଜାଙ୍କର ଭଉଣୀ ଯେ ଅଟଇ ଦୃଶିଳା

ତାହାକୁ ଭାରେ ଦିଅଇ କର୍ଣ୍ଣ ମହାବୀରା।୬୯।

 

ଦ୍ରିଯୋଧନ ରାଜାର ଯେତେକ ସେବକ ପ୍ରକୃତି

ସବୁକଇଂ କରି ପାଞ୍ଚଭାର ଦିଅଇ ନିତି।୭୦।

ଯେବଣ କିରାତମାନେ ନିତ୍ୟେହେଂ ଆଣନ୍ତି ବହି

ତାହାଙ୍କଇଂ ଭାରେ ଦିଅଇ ସବୁଙ୍କୁହିଂ।।୭୧।

ନିତ୍ୟକର୍ମ ସ୍ନାହାନ ବେଳେ ଯେ କର୍ଣ୍ଣ ମହାବଳୀ

ଗଙ୍ଗାକୁ କନକ ପକାଇ ତିନି ଯେ ଆଞ୍ଜୋଳି।୭୨।

 

ଆର ଅଙ୍ଗାକ ଆକାଶକୁ କରଇ ବୃଷ୍ଟି

ଯେ ଯେତେ ପାରଇ ସୁଖେଣ ସାଉଣ୍ଟି।୭୩।

ପୃଥ୍ୱୀ ଉପରକୁ ବେନି ଭାର ବିଞ୍ଚି

କୁଟୁମ୍ୱ ମାଗନ୍ତାଙ୍କୁ ବେନି ଭାର କାହାକୁହିଂ ନ ବଞ୍ଚି।୭୪।

ବୟେ ଯାଇଂ ରହିଲା ଚଉବନ ଭାର

ଭାରେକ ନିତି ପେଷଇ ଆପଣା ଭଣ୍ତାର।୭୫।

 

ତେପନ ଭାର ଘେନି ବସଇ କର୍ଣ୍ଣ ମହାଛତ୍ରୀ

ସାତଘଡ଼ି ପରିଯନ୍ତେ ଦାନ ଦିଅଇ ନିତି।୭୬।

ବଦୟନ୍ତି ଅଗସ୍ତି ବଇବସୁତ ମନୁଙ୍କ ଆଗେ

କର୍ଣ୍ଣର ମହିମା ଉଦିତ ଚାରିଯୁଗେ।୭୭।

କର୍ଣ୍ଣର ମହିମା ଯହୁଂ ଜଗତେ ବିଖ୍ୟାତି

କଞ୍ଚନ ଦେଶର ରାଜା ଅନଙ୍ଗ ଚକ୍ରବ୍ରତ୍ତୀ।୭୮।

 

ତାହାର ଭାରିଯା ନାମ ଅଟଇ ତୁଳସା

ପତିଭକ୍ତା ସ୍ତିରୀ ସେ ପତିବ୍ରତାହିଂ ମନୀଷା।୭୯।

ତାହାର ଦୁହିତା ନାମ ଅଟେ ରିତୁବତୀ

କର୍ଣ୍ଣକୁ ପ୍ରଦାନ କଲା ଅନଙ୍ଗସେନ ନୃପତି।୮୦।

ରିତୁବତୀର ପତି ସେ ଅଙ୍ଗଦେଶ ରାଜା

ଜଗତେ ବନ୍ଦନ ସେ କୋଇନ୍ତାଙ୍କର ଆତ୍ମଜା।୮୧।

 

ଦୁଃଶାସନ ପ୍ରଭୃତି ଭାଇମାନଙ୍କର ବିବାହ

ଅଗସ୍ତି ପୂଚ୍ଛାକଲେ ବଇବସୁତ ମନୁ

ଭାନୁମତୀ ପ୍ରଦାନ ହୋଇଲା ଦ୍ରିଯୋଧନୁ।୧।

ଆବର ଶତେ ଭାଇଙ୍କର ବିଭା

ସଞ୍ଚପି ମହାତ୍ମା ମୋତେ ତାହା କହିବା।୨।

ବୃନ୍ଦାଅର୍କ ଦେଶର ବୀର ବାହୁଦଣ୍ତଧାରୀ

ଧୁଶାସନକୁ ପ୍ରଦାନ କଲାକ କୁମାରୀ।୩।

 

ତାହାର ନାମ ଯେ ଅଟଇ ହଂସାବଳୀ

ହଇହୟ ବଂଶିକ ପବିତ୍ର ଶୁଦ୍ଧଶାଳୀ।୪।

କୃପାଣ ଦେଶର ରାଜା ଅଟେ ସୂର୍ଯ୍ୟସେନ

ସୂର୍ଯ୍ୟାବତୀ କନ୍ୟାକୁ ଦୁର୍ଜୟେ ପ୍ରଦାନ।୫।

କର୍ଣ୍ଣାଟ ଦେଶର ରାଜା ଯେ ଅନନ୍ତ

ଦୁର୍ବିନ୍ଦକୁ ଦିଲା ଅନନ୍ତାବତୀ ଦୁହିତ।୬।

 

ମାନଭଙ୍ଗ ଦେଶର ଯେ କେଶବ ନୃପମଣି

ଦୁକର୍ଣ୍ଣକଇ ଦିଲା କମଳା ନାମେ ଦୁଲଣୀ।୭।

ଉଜାଣ ଦେଶର ଯେ କର୍ଣ୍ଣକେଶରର ରାଜା

ଦୁରାକର୍ଣ୍ଣକୁ ଦିଲା ଚନ୍ଦ୍ରାବତୀ ନାମେ ତନୁଜା।୮।

ପଦ୍ମଦଳ ଦେଶର ରାଜା ଯେ ପଦ୍ମକେଶରୀ

ଦୁର୍ନାମକୁ ଦିଲା ପଦ୍ମାବତୀ କୁମାରୀ।୯।

 

ମାଧବ ଦେଶର ରାଜା ନୃପତି ସଉଭରୀ

ଦୁର୍ଭାନୁକୁ ଦିଲା ସତ୍ୟା ନାମେ କୁମାରୀ।୧୦।

ମଳୟ ଦେଶରବସନ୍ତସେନ ରାୟେ

ଦୁରାନ୍ତେକକଇ ଦିଲା ତାହାର ବସନ୍ତାବତୀ କନ୍ୟାୟେ।୧୧।

ଅନୁହର ଦେଶର ରାଜା ପଦ୍ମସେନ ନୃପତି

ଦୁରାଷ୍ଟକୁ ଦିଲା ତାର ନୀଳା ନାମେ ଦୁହିତୀ।୧୨।

 

ବଜ୍ରଗିରି ଦେଶର ବାମଦେବ ରାୟେ

ଦୁର୍ବାଳକୁ ଦିଲା ଯେ ମୋହିନୀ ନାମେ କନ୍ୟାୟେ।୧୩।

ଚଣ୍ତୀହର ଦେଶର ରାଜା କୃତକେଶୀ

ଦୁକାଳକୁ ଦିଲା ତାର ଦୁହିତା ସୌଦାସୀ।୧୪।

ମଗଧ ଦେଶର ରାଜା ଯେ ଦୁନ୍ଦୁଭିସେନ ରାୟେ

ଦୁଷନ୍ତକୁ ଦିଲା ଯେ ଜାନକୀ ନାମେ କନ୍ୟାୟେ।୧୫।

 

ତରଙ୍ଗ ଦେଶର ରାଜା ଯେ ଅଢମିତ

ଦୁର୍ମନକୁ ଦିଲା ଯେ ସନ୍ଧ୍ୟାନାମେ ଦୁହିତ।୧୬।

ଅନୁଭବ ଦେଶର ଯେ ଦରଦସେନ ରାୟେ।

ଦୁର୍ବୀରକୁ ଦିଲା ଯେ ଜରତା ନାମେ କନ୍ୟାୟେ।୧୭।

ସୁରସିଦ୍ଧ ଦେଶର ରାଜା ସୁରପତି

ଦୁର୍ଦାସକୁ ତାହାର ଦୁହିତା ହାରାବତୀ।୧୮।

 

ମଧୁବନ ଦେଶର ଯେ କୈଟଭସେନ ରାଜା

ଦୁକେଶକୁ ଦିଲା ଯେ ଜନିତା ନାମେ ତନୁଜା।୧୯।

ନିର୍ଝର ଦେଶର ରାଜା ଗଣପତି

ଦୁଷ୍କାମକୁ ଦିଲା ଯେ ଦୋହିତୀ ଚନ୍ଦ୍ରକାନ୍ତି।୨୦।

ବିନ୍ଧ୍ୟଗିରି ଦେଶର ନୃପତି ବିନ୍ଧ୍ୟାଳୀ

ଦୁସେକକୁ ଦିଲା ଯେ ଦୁହିତା ରତ୍ନାବଳୀ।୨୧।

 

ମଣ୍ତଳଦେଶର ରାଜା ମଣ୍ତଳ ଚକ୍ରବ୍ରତୀ

ଦୁସାମକଇଂ ଦିଲା ଯେ ତାହାର ଦୁହିତା ତାରାବତୀ।୨୨।

ବେଲାଉଳ ଦେଶର ରାଜା ବେଳାଳ କେଶରୀ

ଦୁଇନ୍ଦ୍ରକୁ ଦିଲା ତାହାର ଦୁହିତା ବେଲାବଳୀ।୨୩।

ଭୋଟଦେଶର ରାଜା ଉଦେଭାନୁ

ମାନିନୀ ନାମେ କନ୍ୟା ଦୁରାଷ୍ଟକୁ କଲା ପ୍ରଦାନୁ।୨୪।

 

ମାଳତୀ ଦେଶର ରାଜା ମାନକେତୁ

ଦୁଷୟକୁ ଦିଲା ମାଳତୀ ଦୋହିତୁ।୨୫।

ଅରଣି ଦେଶର ରାଜା ପ୍ରଚଣ୍ତମଲ୍ଲ

ଦୁସନକୁ ଦିଲା ତାର ଦୁହିଲା ଅବାହୁଳ।୨୬।

ତାରଣ ଦେଶର ରାଜା ନୃପତି

ଦୁର୍ଣ୍ଣୟକୁ ଦିଲା ତାର କନ୍ୟା ଇଚ୍ଛାବତୀ।୨୭।

 

ମହ୍ଲାର ଦେଶର ମହ୍ଲାରସେନ ରାଜା

ଦୁର୍ଦ୍ଦଣ୍ତକୁ ଦିଲା ତା’ର ସାରମତୀ ତନୁଜା।୨୮।

ମେରୁ ଦେଶର ରାଜା ମେରୁଶୁଳ

ଚଞ୍ଚଳା କନ୍ୟାକୁ ପ୍ରଦାନ କଲା ଯେ ଦୁର୍ବାଳ।୨୯।

ବୈଶ୍ୱାନର ଦେଶର ଅନଳସେନ ଦେବା

ଦୁର୍ଜନକୁ ଦିଲା ତା’ର ଦୁହିତା ବଲ୍ଲଭା।୩୦।

 

ମାଳବ ଦେଶର ଯେ ରାଜା କୃତବର୍ମା

ଦୁରାପଦକୁ ଦିଲା ଦୁହିତା ନାମେ ବାମା।୩୧।

ନୀଳ ଦେଶର ରାଜା ନୀଳସେନ

ଦୁସମକଇଂ କନ୍ୟା ଦିଲା ନୀଳାବତୀ ନାମ।୩୨।

ଚକୋର ଦେଶ ରାଜାର କନ୍ୟା ଚନ୍ଦ୍ରକାନ୍ତି

ଦୁର୍ଦ୍ଦାନ୍ତକଇଂ ପ୍ରଦାନ କଲା ଦୁହିତା ଚନ୍ଦ୍ରାବତୀ।୩୩।

 

ନୈରତ ନୃପତି ମରୁତସେନ ରାୟେ

ଦୃକେଶକୁ ଦିଲା ତାହାରି ମାଧବୀ ନାମେ ଦୁହିତାୟେ।୩୪।

ଡ଼ାହାଳ ଦେଶର ରାଜା ଅଟଇ କୃତକେଶୀ

ଦୁତନୁକୁ ଦିଲା ଦୁହିତା ଶୁଭ୍ରକେଶୀ।୩୫।

କାଉଂରୀ ଦେଶର ରାଜା ଅଟେ କାମପାଳା

ଦୁର୍ଧଂସକୁ ଦିଲା ବାଳାବତୀ ବାଳା।୩୬।

 

ଅସ୍କନ୍ଦ ଦେଶର ଯେ ରାଜା ତ୍ରିଗର୍ତ୍ତ

ତ୍ରିବଞ୍ଚା କନ୍ୟାକୁ ଦିଲା ଯେ ଦୁର୍ଦ୍ଦନ୍ତ।୩୭।

କନାଉଜ ଦେଶର ରାଜା ବନମାଳୀ

ଦୁରାଧକୁ ଦିଲା ପୁଷ୍ପମାଳୀ।୩୮।

ବଙ୍ଗାଳ ଦେଶର ରାଜା ଅଟେ ସଦାଶିବ

ମଦନାବତୀ କନ୍ୟା ଦିଲା ଯେ ଦୁଶିବ (ଦୁଷ୍ପ୍ରଭ) ।୩୯।

 

ଶାକଲ୍ୟ ଦେଶର ଯେ ଶାଲୁ ନାମେ ନୃପତି

ଦୁବ୍ରହ୍ମକୁ ଦିଲା ଯେ କନ୍ୟା ଶାଲୁବତୀ।୪୦।

ଭୀମାଉର ଦେଶର ରାଜା ଯେ ମାନ ଅରଜୁନ

ଦୁର୍ମହାକୁ ଅନୁପମା କଲାକ ପ୍ରଦାନ।୪୧।

ଖାଞ୍ଜଣ ଦେଶର ରାଜା ଉର୍ଦ୍ଧବାହୁ

ସୁମତି କନ୍ୟାକୁ ପ୍ରଦାନ କଲା ଯେ ଦୁର୍ବାହୁ।୪୨।

 

ତ୍ରିହୁତ ଦେଶର ରାଜା ଅଟଇ ବୈଡ଼ୁର୍ଯ୍ୟସେନ

ବିଶାଖା ନାମେ କନ୍ୟାକୁ ଦିଲା ଦୁରାନନ।୪୩।

ମାନଦେଶର ରାଜା ମାନଚକ୍ରବ୍ରତ୍ତୀ

ଦୁକେତୁକୁ ଦିଲା ତାହାର ଦୁହିତା ମାଳାବତୀ।୪୪।

ଶରଦ ଦେଶର ରାଜା ଶରଦଞ୍ଚନ

ଦୁଷ୍ଟକୁ ଦିଲା ତାର ଦୁହିତା କାଞ୍ଚନ।୪୫।

 

ମହାରାଷ୍ଟର ରାଜା ଅଟଇ ସୁମନ୍ତକ

ସୁମନ୍ତା କନ୍ୟା ଦିଲା ଯେ ଦୁର୍ବାକ।୪୬।

ବୀରଦେଶର ରାଜା ଅଟଇ ବୀରବାହୁ

ବୀରବତୀ କନ୍ୟାକୁ ପ୍ରଦାନ କଲାକ ଦୁସହୁ।୪୭।

ମହାଚୀର ଦେଶର ରାଜା ଅଟଇ ମାନଧାତା

ଦୁର୍ଭୀମକୁ ଦିଲା କନ୍ୟା ଅଳକା ନାମେ ଦୁହିତା।୪୮।

 

ସମଦୀର୍ଘ ଦେଶର ରାଜା ଯେ ଶତଧନୁ

ଶ୍ରୀବତ୍ସା ନାମ କୁମାରୀ ଦିଲାକ ଦୁଦାନୁ।୪୯।

କ୍ଷୀରଦେଶର ରାଜା ଅଟଇ ସୋମଦତ୍ତ

ଦୁର୍ଭାବକୁ ଦିଲା ଗୋପବାଳୀ ନାମେ ଦୋହିତ।୫୦।

ସୌରାଷ୍ଟ ଦେଶର ରାଜା ନାମ ତା ଶଉରି

ଦୁକଞ୍ଚକଇ ଦିଲା ଯେ କନ୍ୟା ଶାକାମ୍ୱେରୀ।୫୧।

 

କାଶୀଦେଶର ଯେ କାଶୀଶ୍ୱର ରାଜା

ଦୁର୍ହରକୁ ଦିଲା କାମାଶ୍ରୀ ନାମେ ତନୁଜା।୫୨।

କୌଶିକ ଦେଶର ରାଜା ଅଟଇ କାକୁସ୍ତ

କୌଶିକୀ କନ୍ୟାକୁ ଦିଲା ଯେ ଦୁରାଗତ।୫୩।

ଛତ୍ରଦେଶର ରାଜା ଅଟଇ ବୀରଭଙ୍ଗ

ଛତ୍ରାବତୀ କନ୍ୟାକୁ ଦିଲା ଯେ ଦୁରାଙ୍ଗ।୫୪।

 

ଅସଂଖ୍ୟେକ ମହାଭାରଥ ଅକଳିତ ସାଗର

ତାହା ଗଣିବାକୁ ଶକ୍ୟ ଅଛଇ କାହାର।୫୫।

ଖଡ଼ିରେ ଲେଖନ କେ କରି ପାରିବ ଗଙ୍ଗାର ବାଲି

ଅକଳିତ ସାଗର କେ ପାରିବାକ କଳି।୫୬।

ମାରକଣ୍ତ ଲେଖନ କରି ନପାରିଲେ କଳ୍ପ ମୁଖେ

ଅଗାଦ ସାଗରେ ନେଇ ମେଲିଲେ ବିମୁଖେ।୫୭।

 

ଧର୍ମ ଅର୍ଥ କାମ ମୋକ୍ଷ ବହଇ ଯେବଣ ନଦୀ

ଉତପତ୍ତି ପ୍ରଳୟ କୁସେ ପାରିବ ସମ୍ପାଦି।୫୮।

ମାନବେ ଜନମିଲି ମୁଂ ପୂର୍ବର ଦୁଷ୍କୃତେ

ମୁନିମାନଙ୍କର ସଙ୍ଗ ମୁଂ ଯେ ନୋହିଲି ଯୁଗତେ।୫୯।

ଅନୀତି ସଂସାର ମୁଂ ନୁଆରିଲି କଳି

ଅନ୍ତକରି କେତେ ମୁଂ କହିବି ମନର ହିଆଳି।୬୦।

 

ଜଙ୍ଖେର ପୁର ବାସିନୀ ନର୍ମଦା ସରସ୍ୱତୀ

ଅଭୟେ ହିଙ୍ଗୁଳା ନାମ ସାରୋଳା ଚଣ୍ତୀମୂର୍ତ୍ତି।୬୧।

କଳିକାଳ ବିଚାରି ଶରୀର କଲା ଗୋପ୍ୟ

ସେ ଦେବୀ ଖଣ୍ତିଲା ମୋର ଗତ ଦୋଷ ପାପ।୬୨।

ସରୂପ ଦେଖାଇଲା ସେ ନୀଳ ସୁନ୍ଦରେ

ସିଦ୍ଧ ପୋଥି ଦେଇଣ ଆଗ୍ୟାଂ ଦିଲେକ ମୋହୋରେ।୬୩।

 

ତାହାର ଆଗ୍ୟାଂୟେ ମୁଂ କହିଲି ୟେତେ କଥା

ଶ୍ରୀଚଣ୍ତୀ ସାରୋଳା ପ୍ରସନ୍ନେ ମୁଂ ଅଭୟେ ବକତା।୬୪।

ସଂସାର ଜନ ହିତେ ପ୍ରକାଶିଲି ଗ୍ରନ୍ଥ ମୁହିଂ

ଶୂଦ୍ରମୁନି ସାରୋଳ ଦାସ ମୁକତି ଗତି ପାଇଂ।୬୫।

 

Unknown

ଦ୍ରୁପଦର ବରଲାଭ

ୟେଥୁଂ ଅନନ୍ତରେ ବଇବସୁତ ମନୁ ରାଜା

ଅଗସ୍ତିଙ୍କ ପାଦ ପଦ୍ମେ କଲା ଦିବ୍ୟ ପୂଜା।୧।

ବ୍ରହ୍ମପଦ ସାଧକ କୁମ୍ଭଋଷିର ତନୁ

କଥାୟେ ପୁଚ୍ଛାକରିବି କହିବା ବ୍ରହ୍ମଗ୍ୟାଂନୁ।୨।

ଦ୍ରୋଣଙ୍କର ଅପାମାନେ ଯେ ଦ୍ରୋପଦେଶ୍ୱର ଗଲା

ବୋଇଲ ଯେ ଈଶ୍ୱର ଦେବତାଙ୍କୁ ତପ କଲା।୩।

 

ପ୍ରସନ୍ନ ହୋଇଲେ ଟି କି ଦେବ ଉମାପତି

କିସ କାମନା କଲା ସେ ପଞ୍ଚାଳ ଚକ୍ରବ୍ରତୀ।୪।

ତୁ ମହାପଣ୍ତିତ ଯେ ଅଟୁ ଭିଗ୍ୟଂଋଷି

ୟେ କଥା ଅଗସ୍ତି ମୋତେ କହିବା ବିଶେଷି।୫।

ବଦନ୍ତି ଅଗସ୍ତି ଯେ ପଣ୍ତିତ ମହାବ୍ରହ୍ମ

ଭବିଷ୍ୟ କଥା ମାନ କହନ୍ତି ମହାତମ।୬।

 

ଶୁଣିମାସାବଧାନେ ବିଲଙ୍କ ଆଧିପତି

ରୁଦ୍ରକୁ ତଲୟେ କଲା ଦ୍ରୋପଦେଶ୍ୱର ନୃପତି।୭।

ଅଠର ବରଷ ତପ କଲା ସେ ନିରାଶେ

ପବନହିଂ ମାଇଲା ସେ ନିରାଶ ଉପବାସେ।୮।

ବୁଡ଼ିଲା କାୟା ଯେ ଶରୀର ପଡ଼ଇ ଲୋଟି

କଠୋର ଦେଖିଣ ବିଜେ କଲେକ ଧୂର୍ଜଟି।୯।

 

ଦେଖିଲେ ଦ୍ରୋପଦ ଯେ ଅତି ଅଶକତ

ତାରଣ ମନ୍ତ୍ରେଣ ଜଳ ଯେ ସିଞ୍ଚିଲେ ବିଶ୍ୱନାଥ।୧୦।

ଚେତନା ପାଇଣ ସେ ଯେ ବସିଲା ରାଜ ଦେବା

ଧୂର୍ଜଟୀ ପୁରୁଷ ଦେଖି ହୋଇଲେ ରାୟେ ଉଭା।୧୧।

ୟେକା ମହାତ୍ମା ଯେ ଉଭା ପରମ ମହାଯୋଗୀ

ହୋଇଲି ପ୍ରସନ୍ନ ବର ମାଗହୋ ବେଗି ବେଗି।୧୨।

 

ଦ୍ରୋପଦ ବୋଇଲା ତୁ କାହିଂର ମହାତମା

ଦୁଖେ ଅର୍ଜିଲା ତପକୁ କଷଣ କରୁ ଅନୁକର୍ମା।୧୩।

ବିଶ୍ୱନାଥ ବୋଇଲେ ତୁ କାହାକୁ କରୁ ତପ

ଦ୍ରୋପଦ ବୋଇଲା ମୁଂ ସେବଇ ବିଶ୍ୱରୂପ।୧୪।

ତୁମ୍ଭେ ଯେବେ ଅଟ ଦେବ ଅନାଦି ଈଶାନ

ଦେଖିବି ତୋହୋର ନାଥ ମୁହିଂ ଯେ ବର୍ଣ୍ଣଚିହ୍ନ।୧୫।

 

ଦ୍ରୋପଦର ବଚନ ସ୍ୱାମୀ ସେହିଠାରେ କଲେ ମାୟା

ଝାତିକାରେ ଦ୍ରୋପଦକୁ ଦେବ ଦେଖାଇଲେ ନିଜ କାୟା।୧୬।

ଶୁକ୍ଲାମ୍ୱର ଶରୀର ଧବଳ କୁସୁମ ଜାଣି

ବକ୍ଷସ୍ଥଳ ବିରାଜି ତିମିର ବିଦାରଣ ମଣି।୧୭।

ଦେଖିଣ ସାନନ୍ଦ ଯେ ଦ୍ରୋପଦଶ୍ୱର ରାୟେ

ରାତ୍ରି ଦିଶିଲା ଯୁଗତେ ଦିବସ ପରାୟେ।୧୮।

 

ସିଦ୍ଧ ଧ୍ୟାନ ବୋଧନ ସାଧନ ଅଧ୍ୟାନ

ସର୍ବଗ୍ୟାଂନ ନାଥ ବିକାଶିଲେ ପଞ୍ଚୁ ଯେବଦନ।୧୯।

ଭସ୍ମ ଲେପନ ପିଙ୍ଗଳ ନିଖିଳ ପବିତ୍ର କେଶୁ

ବିସ୍ତାର ବକ୍ଷସ୍ଥଳ ପ୍ରଳମ୍ୱିତ ଶୀତାଂଶୁ।୨୦।

 

ଶରୀର ଧବଳ ଚନ୍ଦ୍ର ଧବଳ ମଉଳି

ମହାରସ ଘେନିଣ ଶତ ଋତୁ ଗଳି।୨୧।

ସୋମ ସୂର୍ଯ୍ୟ ଅନଳ ଦଳିତ ପଞ୍ଚଦଶ ତୋଳେ

ବିରାଗ ଭରିଣ ଯେ ଦୃଶ କପାଳେ।୨୨।

ଅର୍କଇନ୍ଦୁ ଅନଳ ରୂପ ବିଧାରଣ ପଣ୍ତିତ

ଜୟ ତୁ ଅନଙ୍ଗ ଅନ୍ଧକ ବିଦାରଣ ଅକାରଣ ଅନମିତ।୨୩।

 

ଅସମ୍ଭବ ଗଙ୍ଗା ଯମୁନା ସରସ୍ୱତୀ ପୂନ୍ୟତୋୟା

ଶିରପଞ୍ଚ ଜଟାରୁ ଅଦଭୁତେ ବହନ୍ତି ମହାମାୟା।୨୪।

ଧବଳ ପିଙ୍ଗଳ ଲୋହିତ ବର୍ଣ୍ଣ କଳା

ନୀଳ ଆରକତ ଯେ ଶରୀର ପିଙ୍ଗଳା।୨୫।

ଉଡ଼ଙ୍ଗ ଶିଖର ମଉଳି ଛଡ଼ କୁଣ୍ତଳୀ

ରୁଦ୍ର ସ୍ୱରୂପ ସୂର୍ଯ୍ୟହୁଂ ତେଜ ବଳି।୨୬।

 

ବୈଶ୍ୱାନର କାଳାନଳ ପ୍ରାଣତ୍ୟାଜ ପିଙ୍ଗଳା

ଜାତ ଅନଳ ଲାଇ ୟେ ପାଞ୍ଚ ପିଙ୍ଗଳା।୨୭।

ପଞ୍ଚ ଲଲାଟେଣ ପଞ୍ଚଦଶ ଅନଳ ଫୁଟି

କିଞ୍ଚିତ ଦୋଷେ ଦହିଲା ବିଷ୍ଣୁର ପୁତ୍ର ଗୋଟି।୨୮।

ସଚରାଚର ରାସାଂଗତ ତାଣ୍ତବେ ଚଞ୍ଚଳା

କୁତୋହୋଳ ଖେଡ଼ ଯୁଦ୍ଧ ସ୍ୱାମୀ ଆରମ୍ଭ ମହାଖଳା।୨୯।

 

ମାତଙ୍ଗ ଲୋଟେ ଯାହାର ଶରୀର ଦୃଦଣ୍ତ

ଦଶ ଲହ ଦିଶଇ ଜାଣି ମାରତଣ୍ତ।୩୦।

ଦିଖଟ୍ୱାଙ୍ଗ ଦଣ୍ତ ମଣ୍ତଳ ଦେବ ମଉଳି

ଭୁଷଣ କୋଦଣ୍ତ ଉବ୍ଦଣ୍ତ କପାଳୀ।୩୧।

ମାୟା ଆରୋପଣ ଶରୀରେ ହିରଣ୍ୟ ଚିରକୁଟି

ହୃଦେ ଭୁଜଙ୍ଗ ମାଳ ଅନନ୍ତ କାଛେଟି।୩୨।

 

ଉତ୍ତରାୟଣ ଦକ୍ଷିଣାୟନ ପୁରୁଷ ବେନି

ବାମେ ଦକ୍ଷିଣେ ଲାଗିଅଛନ୍ତି ଶୂଳେ ଶୂଳେ ଘନି।୩୩।

ବିସ୍ତୀର୍ଣ୍ଣ ଘର୍ଘର ଗଗନେ ବନମାଳ

ବାରାନିଧିର ନାୟକ ପ୍ରସନ୍ନ ସୁଢଳ।୩୪।

ଡାକି ଡମ୍ୱୁରୁ ବୀଣା କର୍ଣ୍ଣାଟ ସ୍ୱର ନାଦେ

ଚଳନ୍ତି ଭ୍ରୂକୁଟିଗଣ ମତ୍ତା ରସ ଖାଦ୍ୟେ।୩୫।

 

ପରିହରଣ ବାସ ଅଞ୍ଚଳ ଦିଗବସନ

ତ୍ରଇଲୋକେ ଏକ କାୟା ବଇଲ ବାହାନ।୩୬।

ମନୁଷ୍ୟ ଶିର ମାଳୀ ବକ୍ଷ ସ୍ଥଳେ ମାତଙ୍ଗୀ

ହରି ବ୍ରହ୍ମା କ୍ଷୟେ ଯାନ୍ତେ ଧାରଣ ପରମ ଯୋଗୀ।୩୭।

କନ୍ଧେଣ ବିରାଜଇ ଅନନ୍ତନାଗ ନାମେଣ ପବିତ୍ରା

କଣୟଗିରି କୁଣ୍ତଳ ସ୍ୱାମୀ ଗନ୍ଧ ମଳୟ ଚିତା।୩୮।

 

ଅନଙ୍ଗ ଦହନ କରି ଲେପନ ଦେହେ ପାଂଶୁ

କାମଦେବ ତହୁଂ ସୁନ୍ଦର ଯେବଣ ଦେହ ଦିଶୁ।୩୯।

ୟେହେନେକ ସ୍ୱରୂପେ ସ୍ୱାମି ବିଜୟେ କାପାଳୀ

ପାଞ୍ଚାଳକଇ ଦୃଶ ହୋଇଲେ ଆକାଶ ମଣ୍ତଳୀ।୪୦।

ସ୍ୱରୂପ ବର୍ଣ୍ଣ ଦେଖାଇଲେ ବାମଦେବ ସ୍ୱାମୀ

ଦ୍ରୋପଦେଶ୍ୱର ଶତ ସହସ୍ର ଦଣ୍ତ ପରିଣାମି।୪୧।

 

ଭଗତି ଦେଖି ବିଶ୍ୱନାଥ କଲେ ଅନୁରାଗ

ବଦନ୍ତି କାଶୀ ଆରେ ଦ୍ରୋପଦ ବର ମାଗ।୪୨।

ଦ୍ରୋପଦ ବୋଇଲା ସ୍ୱାମୀ ସାବଧାନେ ଶୁଣ

ମୁଇଂ ସାଂଗ୍ରାମେ ଜିଣିମି ଗୁରୁଦ୍ରୋଣ।୪୩।

ତହିଂକି ପ୍ରସନ୍ନ ହୋଇ ମୋତେ ବର ଦେବା

ଅନ୍ଧକ ବିଦାରଣ ସ୍ୱାମି ଅନାଦି ଗୁରୁଦେବା।୪୪।

 

ଈଶ୍ୱର ହସ୍ତେ ଯେବଣ ଧନୁ ଦେଖି

ଭଗତି ଭାବେ ଦ୍ରୋପଦ ମାଗିଲା ପିନାକୀ।୪୫।

କୋଟିୟେ ସହସ୍ର ବଳ ଯେବଣ ଧନୁ

ସେ ଧନୁ ବହନ୍ତା ନାହିଂ ତିନି ଯେ ଭୁବନୁ।୪୬।

ଅନନ୍ତ ପିନାକୀ ସେ ଶତ ସହସ୍ର ବଳ

ଦ୍ରୋପଦ ରାଜା ହାତରେ ଦିଲେକ ସୁଢଳ।୪୭।

 

ରୁଦ୍ର ଶହସ୍ର ପଶୁପତ୍ର ତୀକ୍ଷମୂନା

ଖଟ୍ୱାଙ୍ଗ ତ୍ରିଶୂଳ ଅଭୟେ ବଜ୍ରସେହ୍ନା।୪୮।

ଦ୍ରୋଣନ୍ତ ଜିଣ ବୋଲି ଦିଲେ ପଶୁପତି

ଦ୍ରୋପଦ ବୋଇଲେ ଭୋ ଦେବ ଭୀଷ୍ମ,ଭୂରିସର୍ବା,

ଅଶସ୍ତମା ଦ୍ରୋଣଙ୍କୁ ଆବୋରନ୍ତି।୪୯।

ୟେହାନ୍ତ ଜିଣିଲେ ସେ ଦ୍ରୋଣଙ୍କୁ ହୋୟେ କାଶୀ

ୟେ ବର ପ୍ରାପତ ମୋତେ କରିବା ଦେବ କାଶୀ।୫୦।

 

କର୍ଣ୍ଣ କୃପା ଶଲ୍ୟ ଶଙ୍କୁନି କୁରୁପତି

ଅଦୋଷେ ୟେମାନେ ମୋତେ କଲେ

ସାତ ବେଣ୍ଟି ଶାସ୍ତି।୫୧।

ୟେହାନ୍ତ ସହିତେ ଜିଣିମି ମୁଂଇ ରଣେ

ୟେମାନଙ୍କର ଗୁରୁ ଅଟନ୍ତି ହାଦେ ଦ୍ରୋଣେ।୫୨।

ଈଶ୍ୱରେ ବୋଇଲେ ଅସସ୍ତମା ଭୀଷ୍ମ

ମୋହୋରେ ଜୟ ଯେ ନୁହନ୍ତି ସତ୍ୟ ଧର୍ମ।୫୩।

 

ଭୋଳେ ତୋତେ ମୁଂ ବର ଦେବଇଂ ନିଶ୍ଚେ ଅବା

ପଛେ ସିଦ୍ଧି ନୋହିଲେ ସମସ୍ତେ ନାଶ ଯିବା।୫୪।

ଆରେ ୟେହାନ୍ତ ଦ୍ରୋପଦ ନ ଜିଣିମୁ କଦାଶ୍ଚିତେ

ଅର୍ଜୁନର ସୋଦର ୟେ ଅଟନ୍ତି ଯୁଗତେ।୫୫।

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଇନ୍ଦ୍ର ୟେ ଚାରି ଦିଗପାଳେ

ୟେକା ଅର୍ଜୁନ ଉତପତ୍ତି ୟେ ମୃତୁ ମଣ୍ତଳେ।୫୬।

 

ଆମ୍ଭେ ୟେକେ ୟେକେ ଯୁଦ୍ଧେ ଅର୍ଜୁନକୁ ନୋହୁ ସରି

ତୁ ତାହାନ୍ତ କେମନ୍ତେ ଜିଣିମୁ ଅର୍ଜୁନ ଯେ ଆବୋରି।୫୭।

ଦ୍ରୋପଦ ବୋଇଲା ସ୍ୱାମୀ ଶୁଣିମା ଦେବରାୟେ

ମୋତେ ଦେବ ଦେବା ଦୁହିତା ଗୋଟିୟେ।୫୮।

ସେ ଦୁହିତା ଗୋଟିକି ଅର୍ଜୁନକୁ ପ୍ରଦାନ କରିବି

ଦୁହିତା ଦେଇ ତାକୁ ସମର୍ପି ହୋଇବି।୫୯।

 

ସେ ମୋହୋର ଜାମାତା ଯେ ହୋଇବ ଯୁଗତେ

କଉରୋବନ୍ତ ମରାଇବି ମୁଂ ଅର୍ଜୁନର ହସ୍ତେ।୬୦।

ଈଶ୍ୱର ବୋଇଲେ ସାଧୁ ସାଧୁ ହୋ ଦ୍ରୋପତ

ୟେ ବଚନ ଗୋଟି ତୋର ହୋଇବ ନିରୁତାନ୍ତ।୬୧।

ଯାଅ ଯା ଦ୍ରୋପଦ ତୋତେ ଜିଘ୍ନସେନୀ ହୋଉ ପରାପତ

ତାହାରେ ଭାରାଭର ହୋଉ ନା ସମାପତ।୬୨।

 

ଇନ୍ଦ୍ର ଯେ ନାଶ ଗଲା ତ୍ୱଷ୍ଟା ଋଷିର କୋପେ

ସ୍ୱାମୀ ଅଭାବେ ଶଚୀ ଯେ ବସିଲା ଘୋର ତପେ।୬୩।

ଆମ୍ଭେ ପ୍ରସନ୍ନ ହୋଇଲୁ ହର ଯେ ପାର୍ବତୀ

ପତିଂ ଦେହିପତିଂଦେହି ବୋଲି ସେ ବୋଇଲା ପଞ୍ଚୁଘାନ୍ତି।୬୪।

ଆମ୍ଭେ ବୋଇଲୁ ଯାହା ଇଚ୍ଛିଲୁ ବନିତା

ଆରେ ସୁନ୍ଦରୀ ତୋର ହୋଉ ପଞ୍ଚୁ ଭ୍ରଥା।୬୫।

 

ଇନ୍ଦ୍ର ଦେବତା ୟେକା ଜନ୍ମିଲା ପାଞ୍ଚମୃତି

ସେ ପାଣ୍ତବଙ୍କୁ ହୋଉ ୟେକା ସତୀ।୬୬।

ଈଶ୍ୱରେ ବୋଇଲେ ଦୁର୍ଭାସା ବଶିଷ୍ଠ

ଦ୍ରୋପଦ ଭୁବନେ ଯାଗ ଆରୋପଣ କର ମନ୍ତ୍ର ଜଳଘଟ।୬୭।

ଯାଗରୁ ଜାତକର ଦୁହିତା ଗୋଟିୟେ

ଦ୍ରୋପଦ ପ୍ରଦାନ କରୁ ପାଣ୍ତବ ଧନୁର୍ଜୟେ।୬୮।

 

ୟେହାର ମନ ବାଞ୍ଚା ହୋଉ ଯେ ପ୍ରାପତ

ଅନେକ କଷ୍ଟ ୟେ ଆମ୍ଭଙ୍କୁ ହୋଇଲା ଭଗତ।୬୯।

ବର ଦେଇ ବିଜେ କଲେ ସଦାଶିବ

ପୁଷ୍ୟେକ ବିମାନ ଦ୍ରୋପଦକୁ ଦିଲେ ଆଦି ଦେବ।୭୦।

ରୁଦ୍ରଙ୍କ ଶହସ୍ରମାନ ଘେନି ଅଛି ନିଜ ହସ୍ତେ

ଅନେକ ଅଳଙ୍କାର ଆଭରଣ ତାହାର ଯେ ଗାତ୍ରେ।୭୧।

 

ଈଶ୍ୱର ସେବାରେ ୟେହେନେକ ଫଳ ଶ୍ରୁତି

ଅମର ବିଳାସୁଣୀମାନେ ଚାମର ଢାଳନ୍ତି।୭୨।

ୟେତେବେଳେ ଅର୍ଜୁନ ଦ୍ରୋପଦକୁ ଧରିନେଲା

କିରାତ ରାଜା ତେଣେ ତାର ରାଜ୍ୟ ମାଡ଼ିଣ ବସିଲା।୭୩।

ଦ୍ରୋପଦର ସନ୍ୟମାନ ମାଇଲା ସବୁଖେଦି

ପୁତ୍ର ଦୁହିତା ତାର ଯେ ନଥିଲା ସମ୍ପାଦି।୭୪।

 

ଦ୍ରୋପଦ ରାଜାର ଭାରିଯା ନାମ ପଦ୍ମାବତୀ

ପଦ୍ମକେଶର ରାଜାର ସେ ଅଟଇ ଦୋହିତୀ।୭୫।

ରାତ୍ରକାଳେ ମହାଦେଈ ପଳାଇଣ ଗଲା

ବିମ୍ୱାଧର ଶବରର ଘରେଣ ରହିଲା।୭୬।

ସେ କିରାତ ତହୁଂ ତାହାକୁ ଘେନିଗଲା ରାତ୍ରେ

ପଦ୍ମଦଳ ଦେଶେ ନେଇ ଦିଲା ରାଜାର ଅଗ୍ରତେ।୭୭।

 

ଦୁହିତାକୁ ସମ୍ଭାଳିଲା ପଦ୍ମ ଦଳ କେଶରୀ

ଭିନ୍ନ ନବରେ ଥୋଇଲା ଅତି ଯତ୍ନ କରି।୭୮।

ବିଶ୍ୱନାଥ ପ୍ରସନ୍ନେ ନୃପତି ଦ୍ରୋପତ

ପାଞ୍ଚାଳ ଦେଶେ ଆସି ବିଜୟେ ନରନାଥ।୭୮।

ଆକାଶ ମଣ୍ତଳେ ରାଜା ପୁଷ୍ୟେକ ବିମାନ ଉଡ଼ାଇ

ଜଗତି ଉପରେ ରାଜା ବିଜେ କଲା ଯାଇଂ।୮୦।

 

ରାଜାର ଅଗ୍ରତେ ଯାଇଂ କହିଲେ ମୁନେହିଂ

କୋପେଣ କିରାତ କରେ ଖଡ଼ଗ ଘେନି ଧାଇଂ।୮୧।

ଧାମଇଂ କିରାତେଶ୍ୱର ଜଗତୀ ଉପରକୁ

ଯୋଧା ଆମାନାତ୍ୟ କେହି ଗୋଡ଼ାଇ ନ ପାରିଲେ ତାକୁ।୮୩।

ଜଗତୀ ଉପରେ ବିଜୟେ ଦ୍ରୋପଦ ନୃପତ୍ୟେ

ଈଶ୍ୱର ଦୂତୀ ପିନାକ ଧରି ଅଛି ହସ୍ତେ।୮୩।

 

କିରାତ ଉଠିଆସନ୍ତେ ବିନ୍ଧିଲା ୟେକ ଶର

ରୁଦ୍ର ଶର ପଡ଼ିଲା ଯାଇଂ କିରାତ ଉପର।୮୪।

ଶହସ୍ରର ତେଜେ ଦହିଜ ହୋଇଲା ତାହାର କାୟେ

ପ୍ରତ୍ୟକ୍ଷେ ଦିଶିଲା ସେ କାମଦେବ ଦହନ ପରାୟେ।୮୫।

 

କିରାତ ଧାମନ୍ତେ ଯେ ଆସୁଥିଲେ ଅମନାତ୍ୟେ

ସେ ଦହିଜ ହୋଇଲେ ଦ୍ରୋପଦର ଶର ଘାତେ।୮୬।

ପଳାଇଲେ ସଇନି ଯେ ସମସ୍ତ ଆଶା ତେଜି

ବିନ୍ଧଇ ନାରାଜ ଦ୍ରୋପଦ ଗଳଗାଜି।୮୭।

ଅବିଛନେ ବାଣ ବିନ୍ଧଇ ପଶୁପତ୍ର

ନାରାଜ ପଡ଼ି ଭସ୍ମ ହୋଅନ୍ତି ସମସ୍ତ।୮୮।

 

ରଥ ଗଜ ଅଶ୍ୱ ସମସ୍ତ ଛାଡ଼ି ପଳାଇଲେ

ଗୋଡ଼ାଇ ଅନେକ ସଇନି ମାଇଲେ।୮୯।

ଈଶ୍ୱରଙ୍କ ଶହସ୍ରମାନ ତହିଂ ପରୀକ୍ଷ କରନ୍ତେ

କିରାତର ସନ୍ୟ ନାଶ ଗଲେକ ସମସ୍ତେ।୯୦।

ଦଶ ପଦ୍ମ ରଥ କୋଡ଼ିୟେ ପଦ୍ମହସ୍ତୀ

ତିରିଶ ପଦ୍ମ ଅଶ୍ୱ ଯେ ଅଗଣିତ ପାଦାନ୍ତି।୯୧।

 

ମହା ସମ୍ପଦେ କିରାତ ରାଜ୍ୟ କରିଥିଲା

ସେହି ସମ୍ପଦ ଦ୍ରୋପଦ ମାଡ଼ିଣ ବସିଲା।୯୨।

ପାରିଦଣ୍ତ ରାଜା ମାନେ ପଳାଇଣ ଥିଲେ

ଦ୍ରୋପଦ ରାଜାକୁ ଯେ ଦ୍ରଶନ ଆସି କଲେ।୯୩।

ବାରତା ପାଇଣ ରାଜା ପଦ୍ମ ଦଳ କେଶରୀ

ପଦ୍ମାବତୀକି ଘେନି ଅଇଲା ବିଜେକରି।୯୪।

 

ତୁଲେଣ ଅଇଲେ ତାର ସାତ କ୍ଷେଉଣି ସନ୍ୟ

ଅନେକ ରଥ ଅଶ୍ୱ ଯେ ଆଣିଲା ବହୁତଧନ।୯୫।

ଦ୍ରୋପଦ ନୃପତିକି କଲା ଦରଶନ

ମହାଦେଈ ବିଜେ କଲେ ଅନ୍ତେଶ୍ୱର ଭୁବନ।୯୬।

ଅନେକ ଦେଶର ଯେ ରାଜାଗଣମାନେ

ଦ୍ରଶନ କଲେ ଆସି ଦ୍ରୋପଦର ସନ୍ନିଧାନେ।୯୭।

 

ଅନେକ ସମ୍ପଦ ଅରଜିଲା ଦ୍ରୋପଦ ଈଶ୍ୱର ପରସନ୍ନେ

ଅଳକା ପୁର ଜାଣି ତାହାର ଭୁବନେ।୯୮।

ତିନି ଯୋଜନ ମାଡ଼ି କଟକ ତାହାର

ଅନ୍ୟ ଜାତି ଲୋକଙ୍କର ସହିତେ ସୁବର୍ଣ୍ଣର ଘର।୯୯।

ଦେଖିଣ ପ୍ରଶଂସା ଯେ କରନ୍ତି ଦେବତାୟେ

ହରଷେ ବରଷନ୍ତି କଣୟ ରତ୍ନମୟେ।୧୦୦।

 

ଯହିଂ ଆନନ୍ଦ ତହିଂ ସମସ୍ତେହେଂ ଭଜି

ପୁଣ୍ୟବନ୍ତ ଲୋକକଇଂ ସମସ୍ତେହେଂ ପୂଜି।୧୦୧।

ପୁଣ୍ୟ ସ୍ଥାନକୁ ସେ ପୁଣ୍ୟବନ୍ତ ଲୋକେ ଯାନ୍ତି

ଉଚ୍ଛବ ଭୁବନେ ସେ ଯେ ଉଚ୍ଛବ କରନ୍ତି।୧୦୨।

ପୁଣ୍ୟକୁ ପୁଣ୍ୟ ସେ ହୋଅଇ ଘଟଣ

ପାପକୁ ପାପ ସେ ହୁଅଇ ବନ୍ଧୁପଣ।୧୦୩।

 

ଯେବଣ ରାଜା ରାଜ୍ୟ ପାଳଇ ସୁବିଧାନେ

ତହିଂ ସେ ପାଳନ୍ତି ଟି ଦିଗପାଳ ମାନେ।୧୦୪।

ପୁଣ୍ୟ ଭୁବନେ ସେ ବସନ୍ତି ଦଇବତେ

ପାପ ଆଚାର ସ୍ଥାନକୁ ନ ଯାନ୍ତି କଦାଶ୍ଚିତେ।୧୦୫।

ଧର୍ମ ଦେଖିଣ ଯହୁଂ ଦେବତାୟେ କରନ୍ତି ବିଜେ

ପୃଥୀ ଫଳ ଦାୟେକ ହୋଅଇ ପାଳନ୍ତି ଦେବରାଜେ।୧୦୬।

 

ଈଶ୍ୱର ସେବା ଯହୁଂ କଲାକ ଦ୍ରୋପଦ

ସମସ୍ତେ ଧାର୍ମିକ ଯେ ପାଳନ୍ତି ଧର୍ମ ଅର୍ଥ।୧୦୭।

ଘରେ ଘରେ ପୁରାଣ ଅର୍ଥ ଯେ ବଖାଣି

ଯିସ ଅବା ପାତେକ ଥାଇ ଛାଡ଼ଇ ତାହା ଶୁଣି।୧୦୮।

ପୁଣ୍ୟ ପୁର ଭୁବନ ଦେଖି ପାପ ପୁରୁଷେ

ଭୟେ ଆଡ଼େ ହୋଇ ପଳାନ୍ତି ପଶି

ନ ପାରନ୍ତି ପାଶେ।୧୦୯।

 

ଅନୀତି ସଂସାର ୟେ ମାୟା ପଟଳ ବାବା

ପାପ ଆଚାର ଲୋକଙ୍କ ସଙ୍ଗେ ପ୍ରସଙ୍ଗ ନୋହିବା।୧୧୦।

ପାପ ଆଚାର ଛାଡ଼ି ଧର୍ମ କର ଇଚ୍ଛା

ଯାହା ହୃଦେ ଚିନ୍ତିବ ପ୍ରାପତ ହୋୟେ ବାଞ୍ଚା।୧୧୧।

ଧର୍ମ ଆଚାରି ଯେବେ ନାଶ ଯିବ ପ୍ରାଣୀ

ସ୍ୱର୍ଗେ ବସଇଟି ଅମର ଲୋକ ଜାଣି।୧୧୨।

 

ଯମ କ୍ଷିଦ୍ର ନପାଇଟି ଧର୍ମ ଅର୍ଥ ଲେକଙ୍କୁ

ନିରାଧାର ଆଗ୍ୟାଂ ଦେଇ ଥାଇ ଯେ ଚିତ୍ରଗୁପତଙ୍କୁ।୧୧୩।

ପାପ ଆଚାର ନ କରାଇଟି ପୁଣ୍ୟବନ୍ତ ପ୍ରାଣୀଙ୍କି

ଯୁଗତେ କହିବ ତୁମ୍ଭେ ଯାହାର ଯେହ୍ନେ ଦେଖି।୧୧୪।

ଯମ ବୋଲି କରି ଯେବଣ ପୁରୁଷଇ

ଧର୍ମ ଦେବତା ଶରୀରେ ତାହାର ବସଇ।୧୧୫।

 

ପାପକୁ ଅପରାଧ ପୁଣ୍ୟକୁ ଦିଅଇ ଗତି

ୟେହା ବିଚାରି ନାରାୟଣଙ୍କୁ ହୋଅ ଭଗତି।୧୧୬।

ପାପ ନ ପଶଇଟି ଶରୀରେ ଗ୍ୟାଂନ ଥିଲେ

ଶୂଦ୍ରମୁନି ସାରୋଳ ଦାସେ ୟେହା ବିଚାରି

ବୋଇଲେ।୧୧୭।

***

 

ଦ୍ରୂପଦର ସନ୍ତତି ଯଜ୍ଞ ଓ ଶ୍ରୀଖଣ୍ତି ଜନ୍ମ

 

ବଦନ୍ତି ଅଗସ୍ତି ବଇବସୁତ ମନୁ

ଦ୍ରୋପଦ ରାଜାର କଥା ଶୁଣିଲୁ ଅବଧାନୁଂ।୧।

ଦ୍ରୋପଦ ରାଜାର ଯହୁଂ ଦେଖିଲେ ଧର୍ମକଥା

ସୁବିଧାନେ ପାଳିଲେ ଧର୍ମ ଯେ ଦେବତା।୨।

ଦିବସେଣ ଖରା କରଇ ରାତ୍ରେଣ କରଇ ବୃଷ୍ଟି

ଦିଗୁଣ ଫଳଦାୟେକ ହୋଅଇ ତାର ବୃଷ୍ଟି।୩।

 

ଦ୍ରୋପଦ ରାଜାର ଧର୍ମ ଶୁଣିଣ ଧାର୍ମିକେ

ଆକାଶୁଂ ଆସନ୍ତି ବଶିଷ୍ଠ ଦୁର୍ଭାସା ବାଲମିକେ।୪।

ବ୍ୟାସ ବଇଶମ୍ପାୟନ ମାରକଣ୍ତ ଶୁକ ବ୍ରହ୍ମା

ଜୟେ ମୁନି ବିଶ୍ୱାମିତ୍ର ଗଉତମ ମହାତ୍ମା।୫।

ମହାମନ୍ତ୍ର ପବିତ୍ର ଉତ୍ତରୀ ପାତ୍ରୀ କରେ ଘେନି

ଦ୍ରୋପଦ ରାଜ୍ୟେ ଯାଇଂ ବିଜୟେ ସର୍ବମୁନି।୬।

 

ଆସ୍ତାନେ ବିଜୟେ କରିଅଛଇଂ ଦ୍ରୋପତେ

ଋଷିମାନେ ଆସି ପ୍ରବେଶ ହୋଇଲେ ସମସ୍ତେ।୭।

ଋଷିମାନଙ୍କୁ ଦେଖି ଉଠିଲେ ମହାରାଜା

ଚରଣ ପଖାଳିଣ କଲା ପାଦ ପୂଜା।୮।

ସୁବର୍ଣ୍ଣ ପୀଢାରେ କୃଷ୍ଣାଞ୍ଜିନ ଛଉରୀ ପାଡ଼ି

ପୂଜା ପାଇ ବସିଲେ ସମସ୍ତ ତପଚାରୀ।୯।

 

ବେଦ ଆଧ୍ୟାନ ଯେ କରନ୍ତି ସର୍ବଋଷି

ସହସ୍ରେ ଆଷ୍ୟ ଭାର୍ଜନ ତୁ କୋଟିକଳ୍ପ ହୋଅସି।୧୦।

ସବୁଙ୍କରି ପାଦ ଯେ ଦ୍ରୋପଦ ପଖାଳିଲେ

ଭାରିଯା ସହିତେ ଉଷତେ ପାଦ ଉଦେକ ଘେନିଲେ।୧୧।

ଶତେ ସହସ୍ର ଦଣ୍ତ ପ୍ରଳମ୍ୱିତ କରି

ଗଡ଼ଘାଲି ଶୁତିଲା ପାଞ୍ଚାଳ ଦେଶର ଦଣ୍ତଧାରୀ।୧୨।

 

ସମସ୍ତ ଋଷିମାନେ କଲ୍ୟାଣ ଯେ କଲେ

ଚିର ଆଇଷ ହୋଅ ବୋଲି ସାନନ୍ଦେ ବୋଇଲେ।୧୩।

ବସ ବସ ରାଜା ହୋ ବୋଇଲେ ଋଷିମାନେ

ରାଜ୍ୟ ତୋହୋର ହୋଉ ଅଛି ନା ସୁବିଧାନେ।୧୪।

ହବିର୍ଭାଗ ପାଉଅଛନ୍ତି ନା ଦେବଲୋକେ

ଇନ୍ଦ୍ର ବୃଷ୍ଟି ରାଜ୍ୟେ କରେନା ସୁପାଳକେ।୧୫।

 

ଦେବତା ବ୍ରାହ୍ମଣେ ହୋଉଅଛୁ ନା ଭଗତି

ସୁବିଧାନେ ଫଳଦାୟେକ ହୋଉଅଛି ନା ପୃଥୀ।୧୬।

ଅନ୍ନ ଜଳଛତ୍ର ଦାନ ଦେଉଅଛୁ ନା ତୁହି ଭଲେ

ପାତ୍ର ଅମନାତ୍ୟେ ଚଳନ୍ତି ନା ତୋର ବୋଲେ।୧୭।

ପର ରାଷ୍ଟ୍ର ଅପଚୟେ ନାହିଂନା ରାୟେ ତୁକୁ

ଅସୁର ଭୟରୁ ରକ୍ଷା କରୁ ନା ତପି ଜନଙ୍କୁ।୧୮।

 

ଧାଡ଼ି ଦିଲେ ସାବଧାନ ହୋଉଅଛୁ ନା ରାୟେ

କୃଷିକାରୀ ଲୋକଙ୍କୁ କରୁଛୁ ନା ତଲୟେ।୧୯।

ଦଣ୍ତ ମଣ୍ତ ରାଜା ଶୁଣୁଟିକି ଗୁହାରି

ଆରୋଗ୍ୟ ବ୍ରତନ୍ତି ନା ତୋ ପୁର ନରନାରୀ।୨୦।

ଗଢ ଅଶ୍ୱଙ୍କୁ ଅନୁବ୍ରତେ କରୁଛୁ ନା ଚିନ୍ତା

ରସମୂଳ ପରୀକ୍ଷା ହୋଉଛୁ ନା ଭୁଗତା।୨୧।

 

ଦଣ୍ତମଣ୍ତଳ ଯେ ସମସ୍ତ ପାରିଦଣ୍ତ

ଭଣ୍ତାର ରକ୍ଷା କରନ୍ତି ନା ହୋଇଣ ସେ ରୁଣ୍ତ।୨୨।

ଅଶ୍ୱ ଗଜକୁ ଦେଉ ନା ଚରଣି ପିଉଣି

ମୁଣୋହି କରୁଅଛୁ ନା ସୂର୍ଯ୍ୟ ବେଳ ଜାଣି।୨୩।

ଦେବାର୍ଚ୍ଚନ ନିଯୋଗ ହୋଉଛି ନା ସର୍ବ ଚିନ୍ତା

ଦେଶାଉରେ କହୁଛନ୍ତି ନା ପର ରାଷ୍ଟ୍ରର ବାରତା।୨୪।

 

ଆରୋଗ୍ୟ ହୋଇ ବ୍ରତୀଅଛୁ ନା ମହାରାଜା

କୁଶଳେ ବ୍ରତନ୍ତି ଟି କି ତୋହୋର ଜନପ୍ରଜା।୨୫।

କର୍ମ ତଣ୍ତକାରେ ବ୍ରତିବୁ ନରପତି

ଅପରାଧ କଲା ଲୋକକୁ ନ ଦେବୁ ଶିର ଶାସ୍ତି।୨୬।

ପରଜାଙ୍କୁ ଚିନ୍ତା ନ ଛାଡ଼ିବୁ ତୋହୋର ହୃଦେ

କୃଷିଭାଗୀ ଲୋକଙ୍କୁ ରାଜା ନ କରିବୁ ପରମାଦେ।୨୭।

 

ସ୍ୱ ଦାରାୟେ ବ୍ରତୀ ଅଛୁ ନା ରାୟେ ମଣି

ପୁତ୍ର ପଉତ୍ରୀ କୁଶଳେ ଅଛନ୍ତି ନା ପୁଣି।୨୮।

ଦ୍ରୋପଦେ ବୋଇଲେ ସମସ୍ତ ସିଦ୍ଧ କଥା

ଭୋ ବ୍ୟାସେ ନାହିଂ ମୋର ପୁତ୍ର ଯେ ଦୁହିତା।୨୯।

ବଶିଷ୍ଠ ଦୁର୍ଭାସା ରାଇ ଈଶ୍ୱରେ ଆଗ୍ୟାଂ ଦିଲେ

ବିପାକ କର୍ମ ମୋହୋର ତାହା ପାସୋରିଲେ।୩୦।

 

ବଶିଷ୍ଠେ ବୋଇଲେ ରାଜା କ୍ରୋଧ କର ଶାନ୍ତି

ଆମ୍ଭେ ଆସି ଅଛୁନା ଯେ ତହିଂର ନିମନ୍ତି।୩୧।

କାଶୀ ନଦୀ ତୀରେ ପବିତ୍ର ଥାନଭୂମି

ୟେଥେଂ ଯାଗଶାଳ ତୋଳାଅ ଆରମ୍ଭି।୩୨।

ପୂର୍ବେ ନନ୍ଦ ଭୋପାଳ ରାଜା ୟେଥେ ସନ୍ତତି ଯାଗ କଲା

ବୃହଦ୍ଧ୍ୱଜ ନାମେ ତାର ପୁତ୍ରେକ ଉପୁଜିଲା।୩୩।

 

କନ୍ୟା ଶୁକଳ ତ୍ରେୟୋଦଶୀ ଚନ୍ଦ୍ର ବାର

ଉତ୍ତରଭୋଦୋ ନକ୍ଷତ୍ର ଭୋଗ ସେ ଦିନର।୩୪।

ତତ୍ତୁଲ୍ୟ ନାମେ କରଣ ହର୍ଷ ନାମେ ଯୋଗ

ତୁଳ ସଂକ୍ରାନ୍ତିକି ତିନିଦିନ ଭୋଗ।୩୫।

 

ଶରଦ ଋତୁ ଅନୁଭବ ନାମେଣ କାଳ

ଦଶଦଣ୍ତ ଉତ୍ତାରେ ବୃହସ୍ପତିଙ୍କର ବେଳ।୩୬।

ତାର ବାର ନକ୍ଷତ୍ର ଯୋଗ ଅନକୂଳେ

ଯାଗଶାଳ ଶୁଭ ହୋଇଲା ସର୍ବମଙ୍ଗଳେ।୩୭।

ଜଟି ହଟି ବଟି ଯେ ଶାଖୋଟି

ୟେ ଚାରି ବୃକ୍ଷ ପ୍ରଳୟ ଉତ୍ତାରେ ହେଟି।୩୮।

 

ୟେ ଚାରିକାଠେ କଲେ ଯାଗ ଶାଳ ଓରା

ବରୁଣ ଦଇବତମାନେ କଲେ ଜଳଧାରା।୩୯।

ଈଶାନେ ମାରକଣ୍ତ ପଛିମେ ମୁନି ଶାନ୍ତି

ଦକ୍ଷିଣେ ଈଶ୍ୱର ମୁନି ପୂର୍ବେ ଦୁର୍ଭାସା ନିମନ୍ତ୍ରି।୪୦।

ବ୍ରହ୍ମା ବରଣ ଯେ କଲେ ମହାମନ୍ତ୍ରେ

ଯାଗେଣ ଯାଗନିକ ହୋଇଲେ ବଶିଷ୍ଠ ପୁରୋହିତେ।୪୧।

 

ଦୁର୍ଭାସା ମାରକଣ୍ତ ବ୍ୟାସ ଗଉତମେ

ୟେ ଚାରିହେଂ ବରଣ ଯେ ହୋଇଲେ ହୋମ କର୍ମେ।୪୨।

ଅଷ୍ଟାଦଶ ସମିଧ ଦୁର୍ବାଙ୍କୁର ଘେନି

ଯବ ମକର ତିଲ କାମ୍ୟୋଦ ଅଗ୍ନି।୪୩।

କୃଷ୍ଣ ଗୋମାଳ ମେଦି ଅଗ୍ନିକି ସମିଧ

ନବ ତୀର୍ଥ ଜଳ ଅଖଣ୍ତିତ ତଣ୍ତୁଳ ପରାର୍ଦ୍ଧ।୪୪।

 

ପଞ୍ଚୁହୋମ ମନ୍ତ୍ର ଲକ୍ଷେକ ଶାକଲ୍ୟ ବୈଶ୍ୱାନର

ସ୍ୱାହା ସ୍ୱଧା ମନ୍ତ୍ରେ ଜପ ୟେକାକ୍ଷର।୪୫।

ଶତେ ଯବ ଆୟେତନ ଖୋଳିଲେ ଯାଗକୁଣ୍ତ

ଆଗେଣ ଉତ୍ତାରିଲେ ସେ ମେଦାସୁର ପିଣ୍ତ।୪୬।

ଅଗ୍ନିଦେବତାଙ୍କୁ ତହିଂ କଲେକ ବରଣ

ଦ୍ରୋପଦେଶ୍ୱର ବିନୟେ କରଇ ପ୍ରଦକ୍ଷିଣ।୪୭।

ଯେବଣ ବ୍ରାହ୍ମଣ ଅଛନ୍ତି ପ୍ରତକ୍ଷେ ଦୁତୀବ୍ରହ୍ମା

ମୁଂ କିସ ସଞ୍ଚପି କହିବି ତାହାଙ୍କର ମହିମା।୪୮।

ଅନୁସାମଧେନୀ ମନ୍ତ୍ରେ ପ୍ରଥମ ଆହୂତି

ବାତ ପବନ ବୈଶ୍ୱାନର ମନ୍ତ୍ରେଣ ପଞ୍ଚ ସହସ୍ର ମୂରତି।୪୯।

 

ପ୍ରଥମ ଆହୂତି ଯେ ସପତମ ଦିନେ

ଚରୁ ଫୁଟାଇଲେ ଘୃତ ରସ ପାନେ।୫୦।

ଚରୁ ଫୁଟାଇ ଦିଲେ ରାଜାର ଅଗ୍ରତେ

ପଦ୍ମାବତୀକି ଦେଲେ ସାନନ୍ଦ ମନ ଚିତ୍ତେ।୫୧।

ଚରୁ ଘେନି ରାଜା ଚଳଇ ଅନ୍ତେଶ୍ୱର ପୁରେ

ସ୍ନାହାନ କରିଗଲେ ମହାଦେଈ ଅଇଲେ ଉଛୁରେ।୫୨।

 

ଉଛୁର ହୋଅନ୍ତେ ଚରୁ ତେଜ ଭଗ୍ନ ଯେ ହୋଇଲା

ଋଷିଙ୍କ ଆଗ୍ୟାଂୟେ ପ୍ରାଶନ ଦେବୀକଲା।୫୩।

ତୁଳା ବିଚ୍ଛା ଧନୁ ମକର କୁମ୍ଭ ମୀନ ମେଷ

ବୃଷ ମିଥୁନ କକଡା ଘେନି ହୋଇଲା ଦଶମାସ।୫୪।

କକଡା ମାସ ଶୁକଳ ଯେ ଦ୍ୱାଦଶୀ ତିଥି ଗୁରୁବାର

ଅନୁରାଧା ନକ୍ଷତ୍ର ବେଳ ଅଢାଇ ପହର।୫୫।

 

ଶୁଭେଣ ପ୍ରସବ ହୋଇଲାକ ସୁତ

ଦେଖଇ ଜନନୀ ୟେତ ଅଟଇ ବିପରୀତ।୫୬।

ସ୍ତିରୀ ପୁରୁଷ ବେନି ଲକ୍ଷଣ ନାହିଂ ଚିହ୍ନ

ପୁତ୍ର ହୋଇଲା ବୋଲି ଶବଦ ଉଚ୍ଛନ୍ନ।୫୭।

ରାଜାକଇଂଗୁପତେ କହିଲେ ମୁଦସୁଲୀଗଣ

ସ୍ତିରୀ କି ପୁରୁଷ ଅଙ୍ଗେ ନଦେଖିଲୁ ବର୍ଣ୍ଣ ଚିହ୍ନ।୫୮।

 

ବିସ୍ମୟେ ହୋଇଲା ରାଜା ବ୍ୟାସଙ୍କୁ ସୁମରି

ଜାଣି ବିଜେ ଆସି କଲେ ତପଚାରୀ।୫୯।

ବଇକୁଲ୍ୟ ହୋଇ କରି କହିଲେ ଦ୍ରୋପଦ ନୃପତ୍ୟ

ତୁମ୍ଭର ସିଞ୍ଚିତେ ହୋଇଲା ଅପୂର୍ବ ପୁତ୍ର ଜାତ।୬୦।

ମୁହିଂ ଯାଗକଲିଦୁହିତାର ନିମନ୍ତେ

ଈଶ୍ୱରେ ଆଗ୍ୟାଂ ଦିଲେ ଆବର ସକଳ ତପୋବନ୍ତେ।୬୧।

 

ସ୍ତିରୀ ପୁରୁଷ ଯେ ନୋହିଲାକ ବେନି

ନ ଚ ସ୍ତିରୀ ନ ଚ ପୁରୁଷ ହୋଇଲା ଅଭାଗିନୀ।୬୨।

ହସ୍ତେଣ ଖଡ଼ଗ ଘେନି ଉଠିଲା ନୃପବର

ଶିର ଛେଦି ପକାଇବି ବ୍ୟାସଙ୍କ ଆଗର।୬୩।

ବ୍ୟାସ ବୋଇଲେ ରାଜା ଛାଡ଼ ଛାଡ଼ କୋପ

ତେଣେହେଂ କାରଣ ତୋତେ ଅଛି ନା ସରୂପ।୬୪।

 

ଭୀଷ୍ମେ ନାଶ ଗଲେ ସେ ନଶନ୍ତି କଉରୋବେ

ୟେହାର ଦ୍ରଶନେଣ ଶହସ୍ର ଛାଡ଼ିବେ ଗାଙ୍ଗବେ।୬୫।

ଅମ୍ଭେ ନାମେ କନ୍ୟାୟେ ଅଟଇ ଜାଣ ପୂର୍ବେ

ବରପ୍ରଦାନ ୟେହାକୁ ନୋହିଲେ ଗାଙ୍ଗବେ।୬୬।

ଭୀଷ୍ମର ଉପରେ ଯେ ଅଗ୍ନି ଆରୋପିଲା

ତୋତେ ଯେହ୍ନେ ସାଧିବି ବୋଲି ଅଗ୍ନିରେ ଝାସିଲା।୬୭।

 

ୟେହାକୁ ଦେଖିଣ ଯେ ଭୀଷ୍ମ ନାଶ ଯିବେ

ତେବେ ସେ ଦ୍ରୋଣ କର୍ଣ୍ଣ ନଶିବେ କଉରୋବେ।୬୮।

ଶିର ଯେ ୟେହାର ଖଣ୍ତୁଥିଲୁ ୟେବେ

ଶ୍ରୀଖଣ୍ତି ନାମ ୟେହାର ଦେଅସି ରାଜ ଦେବେ।୬୯।

ବ୍ୟାସେ ବୋଇଲେ ଯହୁଂ ୟେସନେକ କଥା

ଜନ୍ମ କଲା ନପୁଂସେକକୁ ଛାଡ଼ିଲା ମନ ବ୍ୟାଥା।୭୦।

 

ତୋହୋର ବଚନ ବ୍ୟାସେ ମୋତେ ହୋଉ ପରମ ହିତ

କାହାର ବେଳେ ଭାଙ୍ଗି ହୋଅଇ ମହତଙ୍କ କୃତ୍ୟ।୭୧।

ଦୁହିତା ଗୋଟିୟେ ମୋତେ ଉପୁଜାଇ ଦେବୁ

ଆପଣେ ଥାଇ ଅର୍ଜୁନକୁ ପ୍ରଦାନ କରିବୁ।୭୨।

ରାଜାର ବଚନେ ସେହି ଶକ୍ତିମୁନି ନାତି

ପୁଣିହିଂ ପାତିଲେ ଯାଗ୍ୟଂ ସନ୍ତାନ ଆହୂତି।୭୩।

 

ମକର ମାସ କୃଷ୍ଣ ପକ୍ଷ ଦୁତୀୟା ବୁଧବାର

ମଘା ନକ୍ଷତ୍ର ଯୋଗ ଲଗ୍ନ ସାର।୭୪।

ସେ ଦିନରେ ବ୍ୟାସେ ଦିଲେ ଯେ ଆହୂତି

ଯାଗ୍ୟେଂ ବିକାଶିଲା ଧୃମବର୍ଣ୍ଣ ଜ୍ୟୋତି।୭୫।

ଧୃମମୟେ ଦେଖି ବ୍ୟାସ ଦୃଷ୍ଟିରେ ଚାହିଂଲା

ଅଗ୍ନି ବିଦାରି ପୁତ୍ରେକ ଉପୁଜିଲା।୭୬।

 

ଦୃଷ୍ଟିରେ ଚାହିଂଲେ ଧୃମ ଅବଲୋକନ

ୟେ ପୁତ୍ର ନାମ ତୋର ହୋଉ ଦୃଷ୍ଟ ଯେ ଧୃମନ।୭୭।

ଦ୍ରୋପଦ ଦୋଇଲା ମୋର ପୁତ୍ରେ କାର୍ଯ୍ୟ କିସ

ଦୁହିତା ଜାତ ହୋଇଲେ ନାଶିବ କୁରୁବଂଶ।୭୮।

ଅର୍ଜୁନକୁ ପ୍ରଦାନ କରିବି କୁମାରୀ

ସେ ମୋର ଅଭିମାନନ୍ତ ସାରିବ କୌରବନ୍ତ ମାରି।୭୯।

 

ବ୍ୟାସେ ବୋଇଲେ ୟେହାକୁ ନ କର ଅଯତନ

ଦ୍ରୋଣର ଶିର ଛେଦିବ ୟେ ଦୃଷ୍ଟି ଯେ ଧୃମନ।୮୦।

ଦ୍ରୋଣେ ନାଶ ଗଲେ ଜିଣିମୁ କୁରୁଥାଠ

ଦ୍ରୋପଦ ବୋଇଲେ ୟେ ପୁତ୍ର ମୋର ଶ୍ରେଷ୍ଠ।୮୧।

ଦ୍ରୋଣେ ଯେବେ ନାଶ ଯିବେ ୟେହାର ହସ୍ତେ

ୟେ ପୁତ୍ର ମୁଂ ଅଯତନ କରିବି କେମନ୍ତେ।୮୨।

 

ଭୋ ବ୍ୟାସେ ତୋତେ ମୋରଶତେ ସହସ୍ର ଦଣ୍ତ ପ୍ରଳମ୍ୱିତ

ଦୁହିତା ମୋତେ ଗୋଟିୟେ କରି ଦେବା ଜାତ।୮୩।

ଦ୍ରୋପଦର ବଚନେ ସେ ପୁରୁଷଉତ୍ତମି

ପାତିଲେକ ମହାଯାଗ ସେ ବେଦବ୍ୟାସ ମହାମୁନି।୮୪।

ମହାତେଜ ବୈଶ୍ୱାନର ପିଙ୍ଗଳାଜାଳା କାଳାନଳ

ଜାତ ଅନେକ କ୍ରୋଟାନଳ ପଞ୍ଚୁ ଯେ ଅନଳ।୮୫।

 

ପଞ୍ଚ ଅଗ୍ନିୟେକତ୍ୱ କରି ମୁନି ଦିଲେ ଯେ ଆହୂତି

ବ୍ରହ୍ମାଣ୍ତେ ଖେପିଲା ଯେ ବହନିର ଶିଖା ଜ୍ୟୋତି।୮୬।

ଶୂନ୍ୟପୁରୁଷମାନେ ନୁଆରିଲେ ରହି

ମହାଜାଳା ବହ୍ନିରେ ସର୍ବେ ହେଲେ ଦହି।୮୭।

ଦେଖ ହୋ ବଇବସୁତ ମନୁ ବ୍ରାହ୍ମଣଙ୍କର ମନ୍ତ୍ର

ୟେହି ଅଗ୍ନିରୁ ଭିଆଉ ଅଛନ୍ତି ସମସ୍ତ।୮୮।

 

ଡ଼ାହାଣ ବ୍ରତେକ ହୋଇ ସେ ବୁଲଇ ବହନି

ଜୀବନ୍ୟାସ ଆହୂତି ଯେ ଦିଅନ୍ତି ବ୍ୟାସ ମହାମୁନି।୮୯।

ଡ଼ାହାଣ ବ୍ରତେକ କରି ଆହୂତି ପୁଣ ଦିଲେ

ପୁତ୍ର ସେ ଉତପତ୍ତି ହୋଅଇ ହବି ର୍ଭାଗ ପାଇଲେ।୯୦।

ଯହୁଂ ନ ଦେଖିଲେ ସେ ଅଗ୍ନିର ବାମ ମୂର୍ତ୍ତି

ଜଟା ୟେକ କାଟି ପକାଇଲେ ଆହୂତି।୯୧।

 

ତଦ୍ୟାପି ଅନଳର ତେଜ ନ ବିକାଶି

କପାଳୁଂ ମାଂସ କାଟି ପକାଇଲେ ବ୍ୟାସ ମହାଋଷି।୯୨।

ମହା କଠୋର ଦେଖିଣ ବୈଶ୍ୱାନରେ

ବାମାବର୍ତ୍ତ ମୂର୍ତ୍ତି ହୋଇଣ ବୁଲିଲେ ପରଖରେ।୯୩।

ବ୍ୟାସଙ୍କର ତେଜ କହି ତ କିପାରି

ଅଗ୍ନି ଦେବତା ୟେ ଦେଖି ମହାଭୟ କରି।୯୪।

 

ମକର ଶୁକ୍ଳ ସପ୍ତମୀ ତିଥି ଗୁରୁବାର

ରୋହିଣୀ ନକ୍ଷତ୍ର ଭୋଗ ପୂର୍ଣ୍ଣ ସେ ଦିନର।୯୫।

ତତ୍ତୁଲ୍ୟ ନାମେ କରଣ ବଇଧୃତି ଯୋଗ

ବୃଷ ଘରେ ଚନ୍ଦ୍ର କରେ ସେହି ଦିନ ଭୋଗ।୯୬।

ପଞ୍ଚ ଅଗ୍ନି ବିଦାରିଣ ଦିଶିଲାକ ମୂରତି

ଅଗ୍ନିରୁ କନ୍ୟାୟେ ଯେ ହୋଇଲେ ଉତପତ୍ତି।୯୭।

 

ଲଲାଟ ମୁଖ ନାସିକା ଚାରୁ ଚରଣ ବିକାଶି

ଜିଘ୍ନସେନୀର ତେଜେ ଅଗ୍ନି ଦେବତାୟେ ମଳିଣ ଦିଶି।୯୮।

ଶରୀର ମଧ୍ୟେ ଯେହ୍ନେ ଜଡ଼ିଥାଇ ମଳି

ତେହେନ୍ନେକ ପ୍ରାୟେ ଅଗ୍ନି ଦିଶିଲା ପ୍ରଜଳି।୯୯।

ଯାଗ ସମାପତ କଲେ ବ୍ୟାସ ମହାମୁନି

ମହା ଅନଳ ଭେଦି ସମ୍ଭୁତ ଜିଘ୍ନସେନୀ।୧୦୦।

 

ଶୂନ୍ୟ ଦେବତା ସେ ଅନାଦି ଅପର୍ଣ୍ଣା

ତ୍ରୈଲୋକ୍ୟ ମୋହିନୀ ସେ ଭାରା ବିନାଶନା।୧୦୧।

ଅଗ୍ନି ବିଦାରିଣ ଯେବଣ ଦେବୀ ସମ୍ଭବି

ଶୟଳ ମୋହିନୀ ସେ ଯେ ଅନାଦି ସିଦ୍ଧ ଦେବୀ।୧୦୨।

ବ୍ୟାସେ କହିଲେ ଶୁଣ ହୋ ଦ୍ରୋପଦ

ୟେ ଦ୍ୱାପର ଯୁଗକଇଂ ୟେହାର ବଚନ ସିଦ୍ଧ।୧୦୩।

 

ଦ୍ରୋପଦକୁ ସମର୍ପି ଚଳିଲେ ବ୍ରହ୍ମଋଷି

ବିଚାରି ଦ୍ରୋପଦ ପାଳଇ ଶୁଭ୍ରକେଶୀ।୧୦୪।

ଦୁହିତାର ନାମ ଗୋଟି ଦିଲାକ ନରପତି

ଉଚ୍ଛବ କରାଇ ବୋଇଲା ୟେହାର ନାମ ହୋଉ

ଦ୍ରୋପଦୀ।୧୦୫।

 

***

ଜୟଦ୍ରଥ ସହିତ ଦୁଃଶୀଳାର ବିବାହ

ସିନ୍ଧୁଦେଶର ରାଜା ଅଟଇ ମନମଥ

ତାହାର ପୁତ୍ରର ନାମ ଅଟଇ ସୁରଥ।୧।

ସୁରଥ ଦୂତ ଗଲା ପାଞ୍ଚାଳ ଦେଶକୁ

ଦ୍ରୂପଦ ଦୁହିତା ଗୋଟି ଦେବ ଯେ ମମ ପୁତ୍ରକୁ।୨।

 

 

ଅନେକ ସମ୍ଭର୍ବେ ସେ ବରଗିଲା ଦୂତ

ପଞ୍ଚାଳ ଦେଶେ ଯାଇଂ ପ୍ରବେଶ ତୁରିତ।୩।

ବିଜୟସେନ ବୋଲିଣ ଅଟଇ ତାର ମନ୍ତ୍ରୀ

ପାଞ୍ଚାଳ ଦେଶେ ଯାଇଂ ପ୍ରବେଶ ତଡ଼ତି।୪।

ଦ୍ରୋପଦର ମନ୍ତ୍ରୀ ଯେ ସଦାନନ୍ଦ ନାମ

ବିଜୟସେନ ମନ୍ତ୍ରୀ ଯାଇଂ ପ୍ରବେଶ ତାହାର ଆଶ୍ରମ।୫।

 

ସଦାନନ୍ଦ ମନ୍ତ୍ରୀ ବିଜୟମନ୍ତ୍ରୀକୁ ଯୋଗାଣ କରାଇ

ସ୍ନାହାନ ଭୋଜନ ଆଞ୍ଚୋବନ ସାରଇ।୬।

କର୍ପୁର ତାମ୍ୱୋଳ ଯେ ଭୁଞ୍ଜନ୍ତି ବେନି ମନ୍ତ୍ରୀ

ବିନୟେ ପୁଚ୍ଛା କଲା ସଦାନନ୍ଦ କତି।୭।

ସିନ୍ଧୁ ଦେଶର ରାଜା ଯେ ଅଟଇ ସୁରଥ

ତାହାର ନନ୍ଦନ ନାମ ଅଟେ ଜଦ୍ୟରଥ।୮।

 

ରାଜାର ଅଗ୍ରତେ ବାରତା ଅବଧାରି

ଜଦ୍ୟରଥକୁ ଦେବା ଦ୍ରୋପଦ କୁମାରୀ।୯।

ସଦାନନ୍ଦ ମନ୍ତ୍ରୀ ବୋଇଲା ନୋହଇ ୟେମନ୍ତ

ଦ୍ରୋପଦ ରାଜା କିମ୍ପା କରିବ ସନମତ।୧୦।

ଅଗ୍ନିରୁ ଜାତ ହୋଇଲା ଯେବଣ କୁମାରୀ

ତାହାକୁ ବର ସେ ବ୍ରହ୍ମା ରୁଦ୍ର ହରି।୧୧।

 

ଇହ ଲୋକେ ରାଜା ନାହିଂ ତାହାୟେ ପ୍ରଦାନ

ମାନବେ କାହିଂ ଲୋଡ଼ୁ ବର ବେଶ ବିଧାନ।୧୨।

ସଦାନନ୍ଦ ବଚନେ ସେ ବୋଇଲା ବିଜୟସେନ ମନ୍ତ୍ରୀ

ମୋତେ ଯେ ପଠିଆଇଲା ସିନ୍ଧୁ ଦେଶ ଅଧିପତି।୧୩।

ରାଜାଙ୍କର ଛାମୁରେ କଥାୟେ ମୋତେକୁହା

କିସ ବଚନ ମୋତେ ଯେ ବୋଲଇ ନରନାହା।୧୪।

 

ମନ୍ତ୍ରୀ ବୋଇଲା ମୁଂ ନୁଆରଇ ଜଣାଇ

ଆସ୍ତାନେ ବିଜୟେ ବେଳେ ଦର୍ଶନ କର ଯାଇ।୧୫।

ବେନି ମନ୍ତ୍ରୀ ସେ ଯେ ୟେକ ଯୋଗ ହୋଇଲେ

ତୁମ୍ଭେ ପୁରୋଇ କହିବଟି ମୋହୋର କଥା ପାସୋରିଲେ।୧୬।

ଆଗ ହୋଇ ଦ୍ରଶନ କଲା ସଦାନନ୍ଦ ମନ୍ତ୍ରୀ

ଅବକାଶ ସ୍ଥାନେ ଯେ ବିଜୟେ ଭୁଅପତି।୧୭।

 

ସିନ୍ଧୁ ଦେଶର ମନ୍ତ୍ରୀ ବାରତା ଜଣାଇ

ରାଜାଙ୍କୁ ଦ୍ରଶନ ସେ କଲା ବେଗେ ଯାଇଂ।୧୮।

ଦ୍ରୋପଦ ପଚାରିଲେ ୟେ କେଉଣ ରାଜାର କତି

ସଦାନନ୍ଦ ବୋଇଲା ୟେ ସିନ୍ଧୁଦେଶର ମନ୍ତ୍ରୀ।୧୯।

ୟେଥକୁ ଆଗତ ୟେ କେବଣ ବିଧାନେ

ନିଉଛାଳି କରି ମନ୍ତ୍ରୀ କହି ବିଦ୍ୟମାନେ।୨୦।

 

ଦେବ ସିନ୍ଧୁଦେଶ ରାଜା ଅଟଇ ମନୁମଥ

ତାହାର ନନ୍ଦନ ଯେ ଅଟଇ ସୁରଥ।୨୧।

ଧାର୍ମିକ ବିବେକ ସେ ପଣ୍ତିତ ଭାଗ୍ୟବନ୍ତା

ସୋହୋଡ଼ ବଂଶିକ ସେ ସାଂଗ୍ରାମେ ଶକତା।୨୨।

ତାହାର ନନ୍ଦନ ଯେ ଅଟଇ ଜଦ୍ୟରଥ

ତାହାକୁ ପ୍ରଦାନ କରିବନି ତୁମ୍ଭର ଦୋହିତା।୨୩।

 

ଅନେକ ସମ୍ଭରେ ଯେ ପଠିଆଇଲେ ମୋତେ

ମୁହିଂ ଆସିଅଛି ଦେବ ତହିଂର ନିମନ୍ତେ।୨୪।

ଶୁଣିଣ କୋପ କଲା ନୃପତି ଦ୍ରୋପଦ

ନଗ୍ରର ବାହାରେ ନେଇ ୟେହାର ଶିରଚ୍ଛେଦ।୨୫।

ଉଚ୍ଚ କାଠ ଉପରେ ବସାଅ ୟେହାକୁ ନେଇ

ଆବର ବେଳେ ଦୂତ ନପେଷିବେ କେହି।୨୬।

 

ଅର୍ଜୁନକଇଂ ପ୍ରଦାନ କରିବି କୁମାରୀ

ନୋହିଲେ ଦେବି ମୁଂ ଯେ ବ୍ରହ୍ମା ରୁଦ୍ର ହରି।୨୭।

ରାଜାର ଆଗ୍ୟାଂରେ ଶ୍ରୀଖଣ୍ତୀ ଦୃଷ୍ଟଦୃମନ ବାଳ

ସିନ୍ଧୁ ଦେଶ ମନ୍ତ୍ରୀକି ଧରିନେଲେ କୋପାନଳ।୨୮।

ନଗ୍ର ବାହାରେ ନେଇ ଛେଦିଲେ ତାହାର ଶିର

ଆଗ୍ୟାଂୟେ ବସାଇଲେ ନେଇ ଉଚ୍ଚ କାଠ ଉପର।୨୯।

 

ମନ୍ତ୍ରୀର ତୁଲେ ଯେ ଆସିଥିଲେ ଯେତେ ଲୋକେ

ସିନ୍ଧୁ ଦେଶକୁ ଯେ ପଳାଇଗଲେ ଅତି ଶୋକେ।୩୦।

ବାରତା କହିଲେ ଯାଇ ସିନ୍ଧୁ ରାଜାର ଅଗ୍ରତେ

ମନ୍ତ୍ରୀକି ନାଶକଲା ଯେ ପଞ୍ଚାଳ ଦେଶର ନୃପତ୍ୟେ।୩୧।

ବୋଇଲା ଅର୍ଜୁନକୁ ଦେବି ମୋହୋର କୁମାରୀ

ଆନର ବେଳେ କି ମୋତେ କନ୍ୟା ପୁରସରି।୩୨।

 

ଶୁଣିଣ କୋପ କଲା ଯେ ସିନ୍ଧୁଦେଶର ରାୟେ

ଦ୍ରୋପଦ ଉପରକୁ ଆପଣେ ଦଣ୍ତ କୟେ।୩୩।

ଯାନ୍ତେଣ ପଥେ ଦେଖନ୍ତି ଯେ ସୁବାହୁ ନୃପତି

ସୁରଥ ରାଜାର ତାର ଅନେକ ପୀରତି।୩୪।

ଦ୍ରୋପଦର ତୁଲେ ରାୟେ ନ କର ତୁ ଦ୍ୱନ୍ଦ

ଅନେକ ଶହସ୍ର ତାକୁ ଦେଇଛନ୍ତି ସଦାନନ୍ଦ।୩୫।

 

ଯେବଣ କିରାତ ସହସ୍ରେ ରାଜାଙ୍କୁ ଜିଣିଲା

ଦ୍ରୋପଦର ୟେକା ନାରାଜକେ ନାଶ ଗଲା।୩୬।

ମୁଇଂ ସେ କିରାତ ରାଜାର ଅଟଇ ସୋହୋଦର ଭ୍ରାଥ

ଦ୍ରୋପଦର ଭୟେ ଆସିଲୁନି ଅଛି ୟେଥ।୩୭।

ମଞ୍ଚରେ ରାଜା ହୋଇ ଦ୍ରୋପଦକୁ ନାହିଂ ପ୍ରତିବାଦୀ

ତାହାର ତୁଲେ କିମ୍ପେ ଲାଇବୁ ପରମାଦୀ।୩୮।

 

ଦ୍ରୋପଦ ହୋଇଲାନି ଆମ୍ଭର ବଇରି

ପାଣ୍ତବକୁ ଦେବ ଯେବେ ତାହାର କୁମାରୀ।୩୯।

ଆମ୍ଭେ ବନ୍ଧୁ ହୋଇବା ଦ୍ରିଯୋଧନର ତୁଲେ

ଦ୍ରୋପଦକୁ ନାଶ କରିବା ଦ୍ରୋଣଙ୍କର ବୋଲେ।୪୦।

ସୁବାହୁ ବଚନେ ବାହୁଡ଼ଇ ସିନ୍ଧୁଦେଶ ରାୟେ

ହସ୍ତିନାପୁରକୁ ଆପଣେ ଚଳିଯାୟେ।୪୧।

 

ଅନେକ ରତ୍ନ ଯୋଗାଡ଼ ଘେନିଣ ତହୁଂ ଗଲା

କର୍ଣ୍ଣର ତୁଲେ ଜଦ୍ୟରଥକୁ ମଇତ୍ର କରାଇଲା।୪୨।

ଅନେକ ବିନୋୟି ଯେ ହୋଇଲା କର୍ଣ୍ଣକୁ

ଦୁଶୀଳା କନ୍ୟାକୁ ପ୍ରଦାନ କର ଜଦ୍ୟରଥକୁ।୪୩।

କର୍ଣ୍ଣ ବୋଇଲେ ଯେବେ କହିଲ ୟେମନ୍ତ

ଦୁଶୀଳାକୁ ପ୍ରଦାନ ଯେ କରାଅ ଜଦ୍ୟରଥ।୪୪।

 

ଜଦ୍ୟରଥକୁ ଘେନି କର୍ଣ୍ଣ ଚଳିଗଲା ବେଗେ

କୁମାର ଘେନି ପ୍ରବେଶ ହୋଇଲା ଦ୍ରିଯୋଧନ ଆଗେ।୪୫।

ଭୋ ସ୍ୱାମୀ କୁରୁନାଥ ମୋହୋର ବଚନ କରିବା

ଦୁଶୀଳା କନ୍ୟାକୁ ଜଦ୍ୟରଥକଇଂ ଦେବା।୪୬।

କର୍ଣ୍ଣର ବଚନ ନଭାଞ୍ଜଇ କୁରୁପତି

ୟେହାର ଦର୍ପେ ସେ ପାଇଲା ଭାନୁମତୀ।୪୭।

 

ଦ୍ରିଯୋଧନକୁ ସନମତ କରାଇଗଲା ବେଗେ

ଯାଇଂଣ ଜଣାଇଲା ସେ ଧୃତରାଷ୍ଟଙ୍କର ଆଗେ।୪୮।

ସିନ୍ଧୁଦେଶର ରାଜା ଅଟଇ ସୁରଥ

ତାହାର ନନ୍ଦନ ଯେ ଅଟଇ ଜଦ୍ୟରଥ।୪୯।

ଧାର୍ମିକ ବିବେକ ଅଟଇ ବଳବନ୍ତା

କ୍ଷତ୍ରୀବର ସୁନ୍ଦର ବଂଶିକ ରଣ ଜିତା।୫୦।

 

କର୍ଣ୍ଣର ବଚନେ ବଦନ୍ତି ଧୃତରାଷ୍ଟଇ

ଜଦ୍ୟରଥ ମୋହୋର ମନକୁ ଖଟଇ।୫୧।

ଗାନ୍ଧାରୀ ବିଦୁରନ୍ତ କରାଇ ସନମତ

ଭୁରିସର୍ବା ଭୀଷ୍ମ ଯେ ଦ୍ରୋଣ ଶଙ୍କୁନି ସହିତ।୫୨।

ବିଭାକୁ ସମ୍ଭାର ଯେ କରାଇଲେ ବିଧାନ

ଅନକୂଳ ଧଇଲେ ନକ୍ଷତ୍ର ଯୋଗମାନ।୫୩।

 

ବଇଶାଖ ଶୁକଳ ପକ୍ଷ ଅଛୟେ ତୃତୀୟା

ରୋହିଣୀ ନକ୍ଷତ୍ର ସେ ଶୁଭଯୋଗେ ଅଛି ବିଭା।୫୪।

ବାରତା ପାଇଣ ସେ ସିନ୍ଧୁଦେଶର ରାୟେ

ଅନେକ ସମ୍ଭାରେ ସେ ସମଦଣ୍ତ ଘେନି ଆୟେ।୫୫।

ଉଦ୍ଦାଳେକ ନାମେ ଯେ ଅଟନ୍ତି ପୁରୋହିତ

ବିଭାର ସମ୍ଭାର ସେ କରନ୍ତି ସମସ୍ତ।୫୬।

 

ଛାୟା ମଣ୍ତୋପେକ ହୋଇଲା ଅତି ବୃଷାଳ

ଅନେକ ଦେଶର ଯେ ଅଇଲେ ମହୀପାଳ।୫୭।

ସୀଉକାର କରିଣ କିସ କରନ୍ତି ମଙ୍ଗଳଣ

ଅନେକ ଉଚ୍ଛବେଣ ବିଭାର ଆରୋପଣ।୫୮।

ବିବିଧ ଛନ୍ଦେ ଯେ ବାଜଇ ବାଜଣା

ବରବେଶ କରାଇଲେ ସୁରଥ ଦୁଲଣା।୫୯।

 

ପିତାର କୋଡ଼ରେ ଯେ ବସିଲା ଜଦ୍ୟରଥ

ଧୃତରାଷ୍ଟ କୋଡ଼ର ଯେ ଦୁଶୀଳା ଦୁହିତ।୬୦।

ଯଥା ବିଧି ବାକ୍ୟ କରନ୍ତି ପୁରୋହିତେ

ସିନ୍ଧୁରାଜାର ଯେ କଉଶିକ ନାମ ଗୋତ୍ରେ।୬୧।

ଜଳଦ ଗୋତ୍ର ରାଜା ଯେ ଅଟଇ କୁରୁପତି

ବେନି କୁଳ ଗୋତ୍ର ଉଚ୍ଚାରି ପ୍ରଦାନ କରନ୍ତି।୬୨।

 

ଜଦ୍ୟରଥ ଦୁଶୀଳା ବେନିକର ଗୋଟି

ମହାମନ୍ତ୍ର ବାକ୍ୟେ ଯେ ପାଡ଼ିଲେ କୁଶ ଗଣ୍ଠି।୬୩।

ଅନେକ ଯଉତୁକ ଦିଲେକ କଉରୋବେ

ରଥ ଗଜ ଅଶ୍ୱ ଗୋଧନ ରତ୍ନ ଅନେକ ସମ୍ଭର୍ବେ।୬୪।

ବିଭା ସାରିଣ ତହୁଂ ଗଲେ ଧୃତିରାଷ୍ଟେ

ଲାଜ୍ୟା ହୋମ କରାନ୍ତି ପୁରୋହିତେ ଅନକୂଳ ଘଟେ।୬୫।

 

ଘୃତ ପ୍ରାଶନ କଲେ ବର କନ୍ୟା ଘେନି

ଅନ୍ତପୁରେ ବିଜେ ଜଦ୍ୟରଥ ଦୃଶିଳାକୁ ଘେନି।୬୬।

ୟେକ ଆସନେ ଭୋଜନ କରାନ୍ତି କୁମର କୁମାରୀ

ମଙ୍ଗଳ ଗୀତ ଗାଇଲେ ହୁଳିହୁଳି ଧୁନି କରି।୬୭।

ରମଣ ମନ୍ଦିରେ ବିଜେ ଆଞ୍ଚୋବନ ସାରି

କର୍ପୂର ତାମ୍ୱୋଳ ଭୁଞ୍ଜନ୍ତି ମନୋହାରୀ।୬୮।

 

ମଧୁଶଯ୍ୟା ଯୁଗତେ ଶୁତିଲେ ଯାଇଂ ବେନି

ହରଷ ବିନୋଦ ଯେ ପାହିଲା ରୟଣୀ।୬୯।

ଚତୁର୍ଦିବସେ ଯେ ଚଉଠୀ ବିଧାନ

ପଞ୍ଚମ ଦିବସେ ଯେ ଉଚ୍ଛବେକ ଭିଆଣ।୭୦।

ସପତମ ଦିନେ ମଙ୍ଗଳଣ ସାରି

କନ୍ୟାକୁ ଘେନି ଜଦ୍ୟରଥ ବିଜୟେ ସିନ୍ଧୁପୁରୀ।୭୧।

 

***

ଶ୍ରୀଖଣ୍ତୀ ବିବାହ

ବଇବସୁତ ମନୁ ପଚାରିଲେ ତପୋବନ୍ତ

ପୁତ୍ର ଦୁହିତା ଉପୁଜାଇ କିସ କଲା ଦ୍ରୋପଦ ନୃପତ୍ୟ।୧।

ବଦୟନ୍ତି ଅଗସ୍ତି ଶୁଣ ବଇବସୁତମନୁ ପୁରୁଷ

ଜ୍ୟେଷ୍ଠପୁତ୍ର ଦ୍ରୋପଦର ଶ୍ରୀଖଣ୍ତୀ ନାମ ପ୍ରକାଶ।୨।

ଅଶ୍ୱେକ ସାଜିଣ ସେ ଅନେକ ଆୟୁଧେ

ଅନୁବ୍ରତେ ଖେଦଇ ସେ ପର୍ବତ ବନ ମଧ୍ୟେ।୩।

 

ମାରଇ ସେ ଦୁଷ୍ଟ ଦାନବନ୍ତ ଖେଦି

ରଖଇ ତପୋବନ୍ତ ଜଗତ ପରସିଦ୍ଧି।୪।

କୁମ୍ଭ ମାସ କୃଷ୍ଣ ପକ୍ଷ ସପତମୀ ଦିନ

ଭୃଗୁବାର ଅନୁରାଧା ନକ୍ଷତ୍ର ବିଦ୍ୟମାନ।୫।

ସେଦିନ ଶ୍ରୀଖଣ୍ତୀ ଚଳଇ ଉଡ଼ଙ୍ଗ ମଣ୍ତଳେ

ଲକ୍ଷେକ ଯୋଦ୍ଧା ଘେନି ବିଜୟେ କୁତୋହୋଳେ।୬।

 

ଉଡ଼ଙ୍ଗ ଦେଶର ରାଜା ମଧୁକେଶର ବୋଲି

ସେହି ଦଣ୍ତେକ ଘେନି ଆସଇ ଥାଠ ଚାଳି।୭।

ତ୍ରିବେଣୀ କୂଳେ ହୋଇଲେ ଭେଟାଭେଟି

ନୃପତି ପଚାରଇ ୟେ କାହାର କୁମାର ଗୋଟି ।୮।

ଅମନାତ୍ୟେ ବୋଇଲେ ୟେ ପାଞ୍ଚାଳ ଆଧିପତି

ଦ୍ରୋପଦ ରାଜାର ଯେ ଅଟଇ ସନ୍ତତି।୯।

 

ଶୁଣିଣ ମଧୁକେଶର ଯେ ସାନନ୍ଦ ହୋଇଲା

ଗଉରୋବ କରି ଆପଣା ରାଜ୍ୟକୁ ଘେନିଗଲା।୧୦।

ଅନଙ୍ଗର ସାଦ୍ରିଶେ ସୁନ୍ଦର ଶ୍ରୀଖଣ୍ତୀ

ବୀର ବେଶ ଅଳଙ୍କାର ସବୁଙ୍କୁହିଂ ମଣ୍ତି।୧୧।

ଜଗତୀ ଉପରେ ଶ୍ରୀଖଣ୍ତୀକି ବସାଇ

ଅନେକ ସମ୍ଭର୍ବେ ଯୋଗାଡ଼ କରାଇ।୧୨।

 

ମଦନାବତୀ ବୋଲି ତାହାର ପାଟରାଣୀ

ଭାରିଯାକୁ ବସାଇ ଭାଳଇ ନୃପମଣି।୧୩।

ଆଗୋ ମହାଦେଈ ଆମ୍ଭେ କଥାୟେକ କରିବା

ମଧୁବତୀ କନ୍ୟାକୁ ଆମ୍ଭର ଶ୍ରୀଖଣ୍ତୀକୁ ଦେବା।୧୪।

ସୁସଞ୍ଚ ସୁନ୍ଦର ଦେଖି ସମସ୍ତେହେଂ ଚାହିଂ

ରାଜ୍ୟଯାକ ସମସ୍ତେ ହୋଇଛନ୍ତି ମୋହି।୧୫।

 

ବିଶେଷ ସ୍ତିରୀଜନ ଆବର ପୁରୁଷବେଶୀ

ବିଦ୍ୟାଧର ପରାୟେକ ସୁନ୍ଦର ରୂପ ଦିଶି।୧୬।

ସମସ୍ତ ସ୍ତିରୀ ପୁରୁଷ ବଦୟନ୍ତି ବଚନ

ମଧୁବତୀକି ରାୟେ କରସି ପ୍ରଦାନ।୧୭।

ଜୁଆଇଂ ବନ୍ଦାପନା ୟେ ଆସୁଥିବ ଆମ୍ଭର ଭୁବନେ

ମାସ ପଡ଼ି ଦେଖୁଥିବା ନା ଆମ୍ଭର ନୟନେ।୧୮।

 

ସମରାଜ୍ୟ ଲୋକେ କରନ୍ତି ୟେସନେକ ସାଧୁ ବାଣୀ

ଶ୍ରୀଖଣ୍ତୀକି ବରଣ କଲେ ମଧୁକେଶର ନୃପମଣି।୧୯।

ଶୁଭ ଯୋଗେଣ ରାଜା ବିଭା କରାଇଲା

ଅଶ୍ୱ ଗଜ ଭଣ୍ତାର ଅନେକ ଯଉତୁକ ଦିଲା।୨୦।

ସହସ୍ରେକ ରଥ ପାଞ୍ଚ ସହସ୍ର ହାଥୀ

ଶତେ ସହସ୍ର ଶ୍ୱେତ ବାରୁ ଦିଲାକ ନୃପତି।୨୧।

 

ଲକ୍ଷେକ ଗୋଧନ ଦିଲା ଧେନୁ ଗାଈ

ମଧୁବତୀକି ସମର୍ପିଲା ରାଜା ବିଭା ଯୋଗ କରାଇ।୨୨।

କନ୍ୟାକୁ ଘେନିଣ କୁମାର ଶ୍ରୀଖଣ୍ତୀ

ସମଦଣ୍ତ ସାଜି ରଥ ମଣ୍ତି।୨୩।

ସହସ୍ରେ ପାଟଛତ୍ର ବେନି ସହସ୍ର ଆଲମ୍ୱ

ସହସ୍ରେ ସୋଆରୀ ଛତ୍ର ରାୟେ କରଇ ଆରମ୍ଭ।୨୪।

 

ଟମକ ନିଶାଣ ବୀର ତୂର ବିଜିଘୋଷ କାହାଳି

ଲକ୍ଷେକ ବାଦ୍ୟେଣ କମ୍ପଇ ମହୀଆଳି।୨୫।

ସବସ୍ରେକ ଶଙ୍ଖ ସହସ୍ରେକ ମହୁରୀ

ଛାମୁରେ ନୃତ୍ୟ କରନ୍ତି ସହସ୍ରେ ବିଦ୍ୟାଧରୀ।୨୬।

ସୁବର୍ଣ୍ଣର ରଥେ ବିଜେ କୁମାର କୁମାରୀ

କନ୍ୟା ଘେନି ଶ୍ରୀଖଣ୍ତୀ ଚଳଇ ନିଜପୁରୀ।୨୭।

 

ଯଉତୁକ ଯୋଗାଡ଼ମାନ ଆସୁଛନ୍ତି ପଛେ

ରଥ ଗଜ ଅଶ୍ୱ ଲାଗିଅଛି କାଛେ କାଛେ।୨୮।

ଅଷ୍ଟରତ୍ନ ପାଣିଦ୍ରବ୍ୟ ସୁବର୍ଣ୍ଣ ଯୋଗାଡ଼

ୟେମାନ ଆସୁଅଛି ପାଞ୍ଚ ଅଇବ୍ରତେ ଭାର।୨୯।

ମଧୁକେଶର ପଠିଆଇଲା ଅନେକ ସମ୍ଭରେ

ମଧୁବତୀକି ଘେନି ଶ୍ରୀଖଣ୍ତୀ ବିଜୟେ ନିଜପୁରେ।୩୦।

 

ରତିକି ଘେନି ଯେହ୍ନେ ବିଜୟେ କାମଦେବ

ପାଞ୍ଚାଳ ଦେଶ ଲୋକେ ଦେଖି ୟେସନେକ ଭାବ।୩୧।

ଦ୍ରୋପଦ ଦେଖିଲେ ଜଗତୀ ଉପରେଣ ଥାଇଂ

ଚିତ୍ରସେନ ଗନ୍ଧର୍ବ କି ଆସଇ ଆକାଶୁଂ ଓହ୍ଲାଇ।୩୨।

ମାନବ ରଥ ତ ୟେମନ୍ତ ନ ମଣ୍ତି

ଦେଶାଉରେ ଜଣାଇଲେ ଦେବ ଆସ କୁମାର ଶ୍ରୀଖଣ୍ତୀ।୩୩।

 

ଦେଖିଣ ନରନାଥ ଅନେକ ସାନନ୍ଦ ହୋଇଲା

ଭୋ ଦଇବ ସୁମରି ରାଜା କପାଳେ ହସ୍ତ ଦିଲା।୩୪।

ବିଭାର କାଳେ ଯେ ପାଲଟାଇଲେ ବସନ

କେହି ନ ଦେଖିଲେ ଯେ ନପୁଂସକ ଲକ୍ଷଣ।୩୫।

ୟେ ଯେ ସଂସାର ଜନଙ୍କର ଅସ୍ତୁକାର ବାଣୀ

ଧର୍ମ୍ମ ଉଦିତହୋଇବ କି ସବୁଙ୍କରି ସାଧୁ ବାକ୍ୟ ଶୁଣି।୩୬।

 

ୟେହେନେକ ବିଚାରି ରାଜା ବଇକୁଲ୍ୟ ମତି

ମଧୁବତୀ କନ୍ୟା ମୁଖ ଚାହିଂ ଭାଳଇ ପଦ୍ମାବତୀ।୩୭।

ମଧୁବତୀ ଶ୍ରୀଖଣ୍ତୀକି ବନ୍ଦାନ୍ତି ଅର୍ଘ୍ୟ ଘେନି

ପିତାମାତାଙ୍କୁ ନମସ୍କାର କରନ୍ତି ଯାଇ ବେନି।୩୮।

ପିତାମାତାୟେ ସ୍ନେହଭରେ କରନ୍ତି କଇଲ୍ୟାଣ

ଧର୍ମେ ପ୍ରାପତ ହୋଉ ତୋତେ ପୁରୁଷ ଲକ୍ଷଣ।୩୯।

 

ଅନେକ ବାଳୀ ଅର୍ଘ୍ୟ ଘେନି ଆନନ୍ଦେଣ ବନ୍ଦାଇ

ସୁଲକ୍ଷଣୀ ନାରୀମାନେ ହୁଳହୁଳୀ ଦେଇ।୪୦।

ନପୁଂସେକ ହୋଇ ମାତା ଗର୍ଭୁ ଜାତ ଯେ ହୋଇଲା

ପୁତ୍ର ଜାତ ହୋଇଲା ବୋଲି ରାଜ୍ୟରେ ଘୋଷଣ ପଡ଼ିଲା।୪୧।

ନିସନ୍ଧେ ଜାଣିଲେ ୟେ ଅଟଇ ନପୁଂସେକ

ମୁଦୁସୁଲୀ ରାଣୀ ଆଗେ ବାରତା କଲା ଗୋପ୍ୟେକ।୪୨।

 

ବ୍ୟାସଙ୍କୁ ଘେନି ୟେହା ଜାଣନ୍ତି ଚାରିଜଣ

ଆନ କେହି ନଜାଣନ୍ତି ନପୁଂସେକ ଲକ୍ଷଣ।୪୩।

ପରରାଷ୍ଟେ ପ୍ରତାପୀ ହୋଇଲା ଶ୍ରୀଖଣ୍ତୀ

ଜଗମୋହିନୀ କନ୍ୟା ଘେନି ଅଇଲାକ ଭଣ୍ତି।୪୪।

ଯେତେ ସ୍ତିରୀ ପୁରୁଷ ଅଇଲେ ସଙ୍ଗତରେ

ତାହାକୁ ନୃପତି ଦିଲା ଅନେକ ସମ୍ଭରେ।୪୫।

 

ବହୁତ ଉଚ୍ଛବ ରାଜା କଲେକ ଦ୍ରୋପଦେ

ରାଜାର ସମ୍ପଦ ଦେଖି ଅନେକ ସାନନ୍ଦେ।୪୬।

ଦିନ ପାଞ୍ଚ ସାତ ପାଞ୍ଚାଳ ଦେଶେ ଥିଲେ

ଆଗ୍ୟାଂ ମାଗି କରି ଉଡ଼ଙ୍ଗ ଦେଶେ ଚଳିଗଲେ।୪୭।

ମଧୁକେଶର ରାଜା ଆଗେ କହିଲେ ବାରତା

ବାବୁ ଅନେକ ସମ୍ପଦ ସେ ପାଞ୍ଚାଳ ଦେଶର କଥା।୪୮।

 

ବର ମାତାର ନାମ ଅଟଇ ଯେ ପଦ୍ମାବତୀ

ପତିବ୍ରତା ସ୍ତିରୀ ସେ ପ୍ରତକ୍ଷେ ଲକ୍ଷ୍ମୀର ମୂରତି।୪୯।

ଜନଙ୍କର ମୁଖରୁ ୟେସନକ ବାକ୍ୟ ଶୁଣି

ଅନେକ ହରଷ ସେ ମଧୁକେଶର ନୃପମଣି।୫୦।

ବହୁତ ଅଲେଖ ସେ ହୁଅନ୍ତି ମଧୁବତୀ

ତିନି ବରଷେ ହୋଇଲା ସୁନ୍ଦରୀ ପାକାସ୍ୱତୀ।୫୧।

 

ମଧୁବତୀର ରଜ ଉଚ୍ଛବ ଦେଖିଣ ପିତାମାତା

ଭାଳନ୍ତି ରାତ୍ର ଦିବସେ ସୁମରନ୍ତି ବିଧାତା।୫୨।

ସପତମ ଦିନେ ସେ ହୋଇଲା ଶୁଦ୍ଧସ୍ରାହାନ

ଅଷ୍ଟ ରତ୍ନ ଖଞ୍ଜିତ ପଦ୍ମଫୁଲ ଲକ୍ଷେ ଦିଲେ ଦାନ।୫୩।

ଯୋଗ ଲଗ୍ନ ମଙ୍ଗଳ ଗ୍ରହ କରଣ ଶୁଭ ଅନକୂଳେ

ମଧୁବତୀକି ଶୁଆଇଲେ ଶ୍ରୀଖଣ୍ତୀର କୋଳେ।୫୪।

 

ଦିବ୍ୟ ପଲଙ୍କେଣ ପହୁଡ଼ିଲେ ୟେକ ଯୋଗେ

ପୁରୁଷ ଲକ୍ଷଣ ନାହିଂ କିସ ହୋଇବ ସତସଙ୍ଗେ।୫୫।

ବାଳୁତ କୁମାରୀ ନଜାଣଇ ରତି ରସ

ହରଷ ପ୍ରେମ କୁତୋହୋଳେ ଗଲା ବେନି ଯେ ବରଷ।୫୬।

ପରର ଶୃଙ୍ଗାର ଯହୁଂ ଶୁଣିଲା କୁମାରୀ

ଦିନୁଂ ଦିନୁଂ କାମ ଶରେ ହୋଇଲା ତନୁ ଘାରି।୫୭।

 

ଲଜ୍ୟା ଉପେକ୍ଷା କରି ସ୍ୱାମୀକି ଧଇଲା କୋଳରେ

ମୁଖେ ଚୁମ୍ୱନ ଦେଇ ବୋଇଲା ସ୍ୱାମୀ ମୋତେ

ଦେବୁ ନା ଶୃଙ୍ଗାରେ।୫୮।

କୋଳେ ବସାଇ ଚାଟୁ ପଟଳ ବୋଇଲା ଶ୍ରୀଖଣ୍ତୀକି

ଶୃଙ୍ଗାର ନଦେଇ ମୋତେ ଦୁଇ ବରଷ

ଭଣ୍ତିଲୁ କାହିଂକି।୫୯।

ଶ୍ରୀଖଣ୍ତୀ ବୋଇଲା ସଖି ବାଳୁତ କାଳେ କିସ କାମ ସଧ

ଆଷ୍ୟ କ୍ଷୟେ ହୋଅଇ ଅଳପ ଦିନେ ଛିଡ଼ଇ କନ୍ଧ।୬୦।

 

ମଧୁବତୀ ବୋଇଲା ତୁ ରାଜାର କୁମାର ଅଟୁ ସୁଖ ଭୋଗୀ

ୟେମାନ ବିଚାରଇ ଯେ ସେ ହୋଅଇ ଯୋଗୀ।୬୧।

ଭୋଜନ ସାଧନ ଶୃଙ୍ଗାର ରସଭୋଗ

ବଂଶିକ କୁମାର ତୁ ସନ୍ତାନ ହୋଇବ ବେଗ।୬୨।

ମୋହୋର ସଙ୍ଗତରେ ଯେତେକ କୁମାରୀ

ତାହାଙ୍କର ହୋଇଲାନି ପୁତ୍ର ଚାରି ଚାରି।୬୩।

 

ୟେହେନେକ କର୍ମ ମୋହୋର ନିଷ୍ଫଳେ ଗଲା ତପ

ରାଜାର କୁମାରୀ ହୋଇ ମୋହୋର ୟେଡ଼େକ ପାପ।୬୪।

କହୁଂ କହୁଂ ଶ୍ରୀଖଣ୍ତୀ ନିଦ୍ରା ଗଲା ଅସାଷ୍ଟମ ହୋଇ

କାମ କଷ୍ଟେ ସୁନ୍ଦରୀକି ନିଦ୍ରାଭାବ ନାହିଂ।୬୫।

ଅସାଷ୍ଟମେ ନିଦ୍ରା ଯହୁଂ ଗଲାକ ଶ୍ରୀଖଣ୍ତୀ

ଉଠି ମଧୁବତୀ ପିନ୍ଧିଲା ବସ୍ତ୍ର ତାର ଫେଡ଼ି।୬୬।

 

ବିବସନ କରି ତା ଅଙ୍ଗ ଆଉଂଶଇ ସବୁ ଠାବ

ଲୋଡ଼ି ନପାଇଲା ସେ ପୁରୁଷ ରସ ଭାବ।୬୭।

ଉଠିଣ ସୁନ୍ଦରୀ କରେ ଘେନିଣ ଦୀପାବଳୀ

ନିରେଖି ଚାହିଂଲା ନପୁଂସେକ ହୋଇଲା କିଭଳି।୬୮।

ସ୍ତିରୀ ପୁରୁଷ ଲକ୍ଷଣ ହାଦେ ନାହିଂ

ମୃକ୍ଷାଗତ ହୋଇଲା ବାଳୀ ଶ୍ରୀଖଣ୍ତୀକି ଚାହିଂ।୬୯।

 

ହା ହା ଦଇବ ମୋତେ ୟେହା ସେ ଭିଆଇଲୁ

ହସ୍ତଗତ ନିଧି ତୁ ଅନ୍ତର କରାଇଲୁ।୭୦।

ପୁରୁଷ ମଧ୍ୟରେ ଯେ ଅଟଇ ସୁଲକ୍ଷଣ

ବଂଶ ଉଦ୍ଧାରଣ ୟେ ଅଟଇ ବିତକ୍ଷଣ।୭୧।

ପୂର୍ବେ ସେବା କଲି ଯେବେ ହର ପାର୍ବତୀ

ତେବେ ସେ ସୁଲକ୍ଷଣ ଯେହ୍ନେ ପାଇଲି ପତି।୭୨।

 

ସମୋଦ୍ର ପ୍ରାୟେକ କରିଥିଲି ଆଶ

ମୁଇଂ ସୁନ୍ଦରୀ ସ୍ତିରୀ ୟେ ସୁନ୍ଦର ପୁରୁଷ।୭୩।

ସ୍ତିରୀ ଜନମ ବୋଲି ଯେହ୍ନେ ମନ ଇଚ୍ଛା

ସୁନ୍ଦର ପୁରୁଷଙ୍କୁ ସେ ସ୍ତିରୀ କରଇ ମନବାଞ୍ଚା।୭୪।

ସୁନ୍ଦର ସୁଲକ୍ଷଣ ଦେଖି ପିତା ମୋର ଦିଲା

ବିପାକ କରମ ମୋର ୟେମନ୍ତ ହୋଇଲା।୭୫।

 

ୟେସନେକ ବଇକୁଲ୍ୟ ହୋଅନ୍ତେ ମଧୁବତୀ

କରମକୁ ସନ୍ତାପୁଂ ପାହିଲାକ ରାତି।୭୬।

ବେଶ ବେଶନମାନ ସବୁ ପକାଇଲା ଭାଞ୍ଜି

ହାର ଅଳଙ୍କାରମାନ ସମସ୍ତ ଦୂରେ ତେଜି।୭୭।

ଅନ୍ନ ଆହାର ସହିତେ ସକଳ କଲା ଉପେକ୍ଷା

ଛାଡ଼ିବି ନିଜ ପ୍ରାଣ ବ୍ରତ ସ୍ତିରୀ ଦୀକ୍ଷା।୭୮।

 

ପିତାର ଘରର ଯେ ଥିଲା ମୁଦୁସୁଲୀ

ପିତାକୁ କହ ଯାଇଂଲୋ ମୁଂ ନିରାଶ ହୋଇଲି।୭୯।

ଯାହାକୁ ପ୍ରଦାନ କଲା ମୋତେ ମୋହେର ତାତ

ସ୍ତିରୀ ପୁରୁଷୁଂ ବାହାର ସେ ନପୁଂସେକ ଜାତ।୮୦।

ମୁହିଂ ଦେହ ଛାଡୁଅଛି ଦ୍ରୋପଦର ପୁରେ

ଯାଇଂଣ କହଲୋ ମୋର ପିତାର ଛାମୁରେ।୮୧।

 

ୟେସନେକ ବାରତା ଶୁଣିଣ ମୁଦୁସୁଲୀ

କ୍ରୋଧ ଅବସ୍ଥା ହୋଇଣ ଚଳିଲେ ସମସ୍ତ ପୋଇଲି।୮୨।

ପଞ୍ଚଦଶ ଦିନେ ଯାଇଂ ହୋଇଲେ ପରବେଶ

ବାରତା ଜଣାଇଲେ ଯାଇଂ ମଧୁକେଶର ରାଜା ପାଶ।୮୩।

ଭବିଷ୍ୟ ବାରତା ଦେବ ଶୁଣିମା ରାଜେଶ୍ୱର

ସ୍ତିରୀ ପୁରୁଷ ଦେବ ନାହିଂ ସେ ଶ୍ରୀଖଣ୍ତୀର।୮୪।

 

ମଧୁବତୀର କଷ୍ଟ ଦେବ କେ ସହିତେ ପାରି

ଅଗ୍ନି ଜାଳି ଝାସିବ ବୋଲି ବସିଲା ଦୃଢ କରି।୮୫।

ଶୁଣିଣ ମଧୁକେଶର କୋପେଣ ପରଚଣ୍ତ

ସାଜରେ ପାଞ୍ଚାଳ ଦେଶକୁ ମୋହୋର ସମଦଣ୍ତ।୮୬।

ୟେହେନେକ ପାମର କିମ୍ପା ବିଭା ଯେ ହୋଇଲା

ନପୁଂସେକ ବୋଲି ମୋତେ କିମ୍ପା ନ କହିଲା।୮୭।

 

ଅଗ୍ନି ଜାଳି ମରିବ ଯେବେ ମୋହୋର ଦୁଲଣୀ

ସେହି ଅଗ୍ନିରେ ଶ୍ରୀଖଣ୍ତୀକି ପକାଇବି ହାଣି।୮୮।

ମୋହୋର ଦୁହିତା ଯେବେ ତାହାରେ ନାଶ ଯିବ

ସେ ନପୁଂସେକ ଛାର କିମ୍ପେ ବ୍ରତି ଥିବ।୮୯।

 

ମାତାଙ୍କର ଶୋକରେ ଶ୍ରୀଖଣ୍ତୀର ପୁରୁଷତ୍ୱ ପ୍ରାପ୍ତି

ୟେତେ ବୋଲିଣ ରାୟେ କୋପେଣ ପରଚଣ୍ତ

ଦ୍ରୋପଦ ଉପରକୁ ସାଜିଲା ସମଦଣ୍ତ।୧।

ମର୍ଭୁତେକ ରଥ ବେନି ମର୍ଭୁତେକ ହସ୍ତୀ

ଦଶ ମର୍ଭୁତେ ଅଶ୍ୱ ତେର କ୍ଷେଉଣୀ ପାଦାନ୍ତି।୨।

ଅଶୀ ଲକ୍ଷ ମୁକୁଟ ବନ୍ଧା ଯୋଦ୍ଧା ଅହିବ୍ରତେକ ପାରିଦଣ୍ତ

ଘୋର ବାଦ୍ୟ ଶବଦେ ଯେ କମ୍ପଇ ବ୍ରହ୍ମାଣ୍ତ।୩।

 

ଦ୍ରୋପଦର ଆସ୍ତାନେ ଦେଶାଉର ଯେ କହିଲା

ତୋହୋର ରାଜ୍ୟକୁ ଦେବ ଉଡ଼ଙ୍ଗେଶ୍ୱର ବାହିଲା।୪।

ଦଣ୍ତ ସାଜି ହୋଇଲା ଦ୍ରୋପଦ

ତୋହୋର ତୁଲେ ମଧୁକେଶର କରିବ ଆଜ ଦ୍ୱନ୍ଦ।୫।

ଦୋହିତାର ଅଭିମାନ ନେବ ବାହିଲା ସମରାଷ୍ଟ୍ର

ଦ୍ରୋପଦ ବୋଇଲା କିମ୍ପା ସାଜିବି ମୋହୋର ଥାଠ।୬।

 

ତାହାର ମୋହୋର ଯେ ଅଛଇ ବନ୍ଧୁପଣ

ଅଭିନ୍ନ ଆତ୍ମା ଆମ୍ଭର କେ କରିବ ବାରଣ।୭।

ହସ୍ତୀୟେ ଆରୋହି ଯେ ଦ୍ରୋପଦ ନୃପତି

ସଙ୍ଗେ ଅଛି ତାର ୟେକା ସଦାନନ୍ଦ ମନ୍ତ୍ରୀ।୮।

ବାମ ପାଶେ ପୁତ୍ର ତାର ଦୃଷ୍ଟ ଯେ ଦୃମନ

ମଧୁକେଶର ଛାମୁକୁ ରାଜା କରଇ ଗମନ।୯।

ଉଡ଼ଙ୍ଗେଶ୍ୱର ରହି ଅଛି ତ୍ରିପୁରାନ୍ତେକ ଘାଟେ।

ପଞ୍ଚାଳେଶ୍ୱର ଯାଇଂ ଭେଟିଲା ନିକଟେ।୧୦।

 

ମଧୁକେଶର ନିକଟେ କହିଲେ ମୁନେହି

ଦ୍ରୋପଦେଶ୍ୱର ଦେବ ତୋର ସନ୍ନିଧ୍ୟେଣ ରହି।୧୧।

କୋପେଣ ଆଗ୍ୟାଂ ଦିଲା ସେ ମଧୁକେଶର

ଯୋଦ୍ଧାଙ୍କୁ ବୋଇଲାରେ ଦ୍ରୋପଦଙ୍କୁ ଧର।୧୨।

ଦ୍ରୋପଦେ ବୋଇଲେ ଶୁଣ ହୋ ସମୁଧି

ମୋହୋର କିସ ଦୋଷ ତୋହୋର ୟେହେନେକ ବୁଦ୍ଧି।୧୩।

 

ପରୀଛି ନବୁଝି କିମ୍ପା ତୁହି କଲୁ ୟେହା

ନଜାଣି ଧାତିକାରେ କଲୁକିନା ବିହା।୧୪।

ଆପଣାର ଦୋଷ ଆପଣେ ନ ବିଚାରୁଂ

ତୋହୋର କଲା କୃତ୍ୟ ମୋତେ କିମ୍ପା କୋପକରୁ।୧୫।

ମଧୁକେଶର ବୋଇଲା ମୋହୋର ଦୋଷ ନାହିଂ

ସୁନ୍ଦର ବିଚକ୍ଷଣ ବଂଶିକ ଦେଖି ଭଜିଲି ଅବା ମୁହିଂ।୧୬।

 

ସେ କିମ୍ପା ମୋତେ ନ କହିଲା ଶ୍ରୀଖଣ୍ତୀ

ଦୁହିତାକୁ ମୋହୋର ବିଭା ହୋଇଲା ମୋତେ ଭଣ୍ତି।୧୭।

ୟେବେ ଯେବେ ମୋହୋର ଦୁହିତା ନାଶଯିବ

ସେ ନପୁଂସେକ ଛାର ବ୍ରତି କିସ ଯେ କରିବ।୧୮।

ତୁ ଯେବେ ଦ୍ରୋପଦ ମୋତେ ଦିଅସି ଶ୍ରୀଖଣ୍ତିକି

ଅଗ୍ନିର ମଧ୍ୟେ ପକାଇବି ଶ୍ରୀଖଣ୍ତୀ, ଦୁହିତୀକି।୧୯।

 

ଦ୍ରୋପଦ ରାଜାକୁ ସେ ଧରି ନିଲା ବଳେ

ଦୃଷ୍ଟଦୃମନ ପଳାଇଲା ପ୍ରାଣର ବିକଳେ।୨୦।

ସମଦଣ୍ତ ସାଜିଣ ସେ ଦୃଷ୍ଟଦୃମନ

ମଧୁକେଶର ତହିଂକି ଯେ ଖେଦାଇଲା ସଇନ।୨୧।

ଓହୋ ବଳ ଥାଠ ହୋଇଲେ ଉଚ୍ଚ ବାଚି

ଉଭାରନ୍ତି ଲାଙ୍କିଆ ଧନୁ ସହସ୍ର ଆମଞ୍ଚି।୨୨।

 

ୟେମନ୍ତର ସମୟେ ମହାଘୋର ରୟଣୀ

ମହାଦେଈ ପଳାଇଲେ ଶ୍ରୀଖଣ୍ତୀକି ଘେନି।୨୩।

ପୁତ୍ର ଘେନି ପଳାଇ ପଶିଲା ଗନ୍ଧମାରଦନ ପର୍ବତରେ

ପୁତ୍ର କୋଳେ ଧରି ଯେ ରୋବଇ ଉଞ୍ଚସ୍ୱରେ।୨୪।

ମହା ନିଶାକାଳେ ଯେ ନିଶବଦ ବାଣୀ

କାନ୍ଦନ୍ତେ ଶୁଭଇ ଯେ କୋକିଳସ୍ୱର ଜାଣି ।୨୫।

 

ବାଉନି କାନ୍ଦଇ ଶ୍ରୀଖଣ୍ଡୀର ରୂପ ଗୁଣ ଗୁଣି

ଦୁଖୀର ସଂଘାତ ବାବୁ ରେ ମୋର ଅନ୍ଧର ଲଉଡି ପୁଣି ।୨୬।

ଦଶମାସ ତୋତେ ଗର୍ଭରେ ଧରିଲି ରେ ବାଳ

ସର୍ବଗୁଣେ ସୁଲକ୍ଷଣ ବାବୁ ରେ ତୋହୋର କପାଳ ।୨୭।

ଦାନେଣ ଶୂରବନ୍ତା ବାବୁ ସାଂଗ୍ରାମେ ଶକତା

ୟେତେକ ଲକ୍ଷଣ ବାବୁ ତୋତେ କଲାକ ବିଧାତା ।୨୮।

 

କେଉଂଣ ଲିଙ୍ଗ ତୁ ଉପାଡିଲୁ ପୂର୍ବେ

ଲିଙ୍ଗ ଭଗ୍ନ ଦୋଷ ତୋତେ ହୋଇଲା ପୁତ୍ର ୟେବେ ।୨୯।

ସୁଶୀତଳ ମୃଦୁବାଣୀ କୋକିଳ ଧୂନି ଭାଷି

ଅନ୍ଧାରି ବିଜେ କରି ସେ ଯେ ତୁଳାକର୍ଣ୍ଣା ଆସି ।୩୦।

ଗନ୍ଧମାର୍ଦ୍ଦନ ପର୍ବତେ ଶୁଭିଲା କ୍ରୋଧ ବାଣୀ

ଅନୁସରି ତାହା ଭଗତମକ୍ଷଳ ନାଥ ଶୁଣି ।୩୧।

 

ବାଉନି କାନ୍ଦନ୍ତେ ଯେ ଦୟା କଲେ ବୀରମଣି

ଦୃଶ ହୋଇଲାକ ସେ ଯେ ଗନ୍ଧର୍ବ ଚୂଡ଼ାମଣି ।୩୨।

ତୁଳାକର୍ଣ୍ଣ ବୋଇଲା ତୁ ଅଟୁ କାହାର କତି

ୟେ ଘୋର ଅରଣ୍ୟେ କିମ୍ପାଇ ରୋଦନ କରୁ

ନିଶାରାତି ।୩୩।

ରାଣୀ ବୋଇଲେ ତୁମ୍ଭେ ମହାତମା କେଉଣ ଦେବତା

ମୁହିଂ ମହାଦୁଖୀ ନ ପାଡନି ମୋହୋର କଥା ।୩୪।

 

ବଦୟନ୍ତି ଗନ୍ଧର୍ବ ଶୁଣ ଗୋ ଯୁବତୀ

ମୋହୋର ନାମ ତୁଳାକର୍ଣ୍ଣ ମୁଂ ଅଳକା ଚକ୍ରବ୍ରତୀ ।୩୫।

ଅମରାଧି ନାଥର ମୁଂ ଭଣ୍ଡାର ଅଧିକାରୀ

ମୋହୋର ମାତାର ନାମ ପଦ୍ମାବତୀ ଅପକ୍ଷରୀ ।୩୬।

ନଳକୁମାର ମୋହୋର ତୁଲେ ପୀରତି ହୋଇଲେ

ମୁଂ ନ ଜାଣଇ ଆଈ ଗୋ ଭଣ୍ଡାରୁ ଅନେକ

ଧନ ଚୋରାଇଲେ ।୩୭।

 

ଅବିଷେକ ଯୋଗାଡ଼ମାନ ନେଲେ ଚୋରାଇ

ଅବିଷେକ କାଳେ ଦେଖିଲି ଭଣ୍ଡାରେ ଧନ ନାହିଂ ।୩୮।

ବାସବ ଦେବତା ଯେ ମୋତେ କୋପ କଲା

ଦେବ ଭଣ୍ଡାରୁ ମୋତେ ବାହାର କରି ଦିଲା ।୩୯।

ପଦ୍ମାବତୀ ବୋଇଲେ ମୁଂ ଦ୍ରୋପଦର ଭାରିଯା

ମୋହୋର ପିଅର ଅଛି ପଦ୍ମକେଶର ରାଜା ।୪୦।

 

ମୋହୋର ନାମ ହାଦେ ଅଟଇ ପଦ୍ମାବତୀ

ୟେକା ୟେହି ପୁତ୍ର ଗୋଟି ମୋହୋର

ହୋଇଲା ଉତପତ୍ତି ।୪୧।

ଦିନେକ ୟେହି ପୁତ୍ର ଦିଗବିଜେ କରିଗଲା

ମଧୁକେଶର ରାଜା ୟେହାକୁ ମଧୁବତୀକୁ

ପ୍ରଦାନ କଲା ।୪୨।

ପୁରୁଷ ଲକ୍ଷଣ ଯହୁଂ ୟେହାର ତହିଂ ନାହିଂ

ମଧୁବତୀ ବୋଇଲା ମୁଂ ହୋଇବି ଅଗ୍ନି ଦାହି ।୪୩।

 

ମଧୁକେଶର ବାହିଲା ପାଞ୍ଚାଳ ଦେଶକୁ

ଶ୍ରୀଖଣ୍ଡୀ ନିମନ୍ତେ ଧରିଅଛି ରାଜା ଦ୍ରୋପଦକୁ ।୪୪।

ଶ୍ରୀଖଣ୍ଡୀକି ଦ୍ରୋପଦ ଲୋଡ଼ଇ ଚଉକତି

ବିକଳେ ଘେନି ପଳାଇ ଅଇଲି ମୁଂ ନିଶାରାତି ।୪୫।

ଗନ୍ଧର୍ବ ବୋଇଲା ମୋହୋର ମାତା ପଦ୍ମାବତୀ

ତୁ ମୋହୋର ମାଉସୀ ହୋଇଲୁ ଯୁଗତି ।୪୬।

 

ଶ୍ରୀଖଣ୍ଡୀ ମୋହୋର ହୋଇଲାକ ଭ୍ରାଥ

ମୁଁ ୟେହାକଇଂ କାରଣ କରିବଇଂ ଗୋ ମାତ ।୪୭।

ଶ୍ରୀଖଣ୍ଡୀକି ଘେନି ଗନ୍ଧର୍ବ ଅନ୍ତର ହୋଇଲା

ଆପଣାର ଇନ୍ଦ୍ରି କାଟି ଶ୍ରୀଖଣ୍ଡୀ ତହିଂ ଲଗାଇଲା ।୪୮।

ସଞ୍ଜିବନୀ ମଉଷଧି ଦିଲା ନେଇ ତହିଂର ଉପରେ

ଲାଗିଲା ମହାମନ୍ତ୍ରେ ଶ୍ରୀଖଣ୍ଡୀ ଶରୀରେ ।୪୯।

ବଇବସୁତ ମନୁ ପଚାରିଲେ ପରସ୍ତାବେ

ତୁଳାକର୍ଣ୍ଣର ମହିମା ଅସଂଖ୍ୟ ମୁନିଦେବେ ।୫୦।

 

ୟେହାକୁ ପରାପତ ତାହାର କେବଣ ପାପ

ପୁରୁଷ ଲକ୍ଷଣ ଛାଡ଼ିଲା କେବଣ ଭଗତି ଅନୁରୂପ ।୫୧।

ଅଗସ୍ତି ବୋଇଲେ ଯାହା ପଚାରିଲୁ ବାରତା

ସାବଧାନେ ଶୁଣ ଯେ ୟେଥିର ତଥ୍ୟ କଥା ।୫୨।

ତୁଳାକର୍ଣ୍ଣକୁ ଅନେକ ଦୟା କଲେ ସହସ୍ରାକ୍ଷ

ଅମରେ କଲେ ତାକୁ ନୃତ୍ୟରେ ପରୀକ୍ଷ ।୫୩।

 

ବାସବର ତହୁଂ ସେ ସୁନ୍ଦର ଅଟଇ ତୁଳାକର୍ଣ୍ଣ

ଦେବତାନ୍ତ ଛାଡ଼ି ବିଦ୍ୟାଧରୀ ୟେହାକୁ କଲେ ମନ ।୫୪।

ସବୁ ଅପକ୍ଷରୀନ୍ତ ୟେ ରମଣ କରଇ ରସେ

ୟେହାକଇଂ ଛାଡ଼ି ଅପକ୍ଷରୀ ନ ଗଲେ ଇନ୍ଦ୍ର ପାଶେ ।୫୫।

ୟେହାର ମାତା ଯେ ଅଟଇ ପଦ୍ମାବତୀ

ରମ୍ଭାର ସାରିକ୍ଷେ ସେ ଅଟଇ ରୂପବନ୍ତୀ ।୫୬।

 

ମାତାକୁ ଦେଖି ୟେ ମଦନେ ଆରତ ହୋଇଲା

ଦିନେକ ଟି ପଦ୍ମାବତୀକି ବଳତ୍କାରେ ଧଇଲା।୫୭।

ମାତାକୁ ବଳେ ଧରି କଲାକ ଶୃଙ୍ଗାର

ତାହା ଜାଣି ଅମରୁ ଇନ୍ଦ୍ର ୟେହାକୁ କଲେକ ବାହାର।୫୮।

କେହି ନଚାହାନ୍ତି ଅମରେ ୟେହାର ମୁଖ

ବନଗାମୀ ହୋଇ ୟେ ପାଇଲା ବହୁତ ଦୁଖ।୫୯।

 

ସେହି ରାଗେ ଇନ୍ଦ୍ରି ଛେଦନ ହାଦେ କଲା

ନପୁଂସେକ ଲକ୍ଷଣ ଯେ ଆପଣେ ବହିଲା।୬୦।

ଆକାଶେ ଅନେକ ଯହୁଂ ପାଇଲା ଅପଛାତି

ତେଣୁ କରି ରାଗେ ଇନ୍ଦ୍ରିକି ଗନ୍ଧର୍ବ ଦିଲା ଶାସ୍ତି।୬୧।

ହେ ବୁଧ ଜନେ ବିଚାର କର ମନେ

ଅକାରଣେ କାରଣ ପାଇ ମହତ ଦରଶନେ।୬୨।

 

ପାଇଲା କାରଣ ସେ ଦ୍ରୋପଦର ଆତ୍ମଜ

ତୁଳାକର୍ଣ୍ଣ ପ୍ରସାଦେ ପାଇଲା ନିଜ କାର୍ଯ୍ୟ।୬୩।

ପୁଷ୍ୟେକ ବିମାନ ତାକୁ ଦିଲାକ ତୁଳାକର୍ଣ୍ଣ

ୟେଥି ଆରୋହି ମାୟେ ପୋୟେ କର ଯେ ଗମନ।୬୪।

ଆପଣା ଶରୀରେ ଯେତେ ଅଳଂକାର ଥିଲା

ଶ୍ରୀଖଣ୍ତୀ ଅଙ୍ଗେ ସବୁ ଆଭରଣ କଲା।୬୫।

 

ଦେବାଙ୍ଗ ବସନମାନ କରିଣ ଆଭରଣ

ବିମାନ ବିଜେ କଲା ଶ୍ରୀଖଣ୍ତୀ ତତକ୍ଷଣ।୬୬।

ସମସ୍ତ ଶହସ୍ର ଶାହାସ୍ର ମାନ ତୁଳାକର୍ଣ୍ଣ ଦିଲା ଶ୍ରୀଖଣ୍ତୀକି

ରୂପେଣ କୁମାର ତେଜ କାମଦେବ ସତେକି।୬୭।

ପୁତ୍ରକୁ ଘେନିଣ ତହୁଂ ଚଳିଲେ ପଦ୍ମାବତୀ

ଦଣ୍ତ ଘେନି ଯହିଂ ରହିଛି ପଦ୍ମକେଶର ନୃପତି।୬୮।

 

ତ୍ରିପୁରାନ୍ତକ ପର୍ବତ ଉପରେ ଉଡ଼ଙ୍ଗେଶ୍ୱର ବସିଛି ଆସ୍ତାନେ

ଧାତିକାରେ ପ୍ରବେଶ ହୋଇଲେ ପୁଷ୍ୟେକ ବିମାନେ।୬୯।

ବିମାନରୁ ଉତ୍ତାରିଲା ଦ୍ରୋପଦର ଶିଷି

ଦେଖିଣ ମଧୁକେଶର ଆସନୁଂ ଉଠିଲାକ ତ୍ରାସି।୭୦।

ଇନ୍ଦ୍ରଦେବତା କି ବିଜେ କଲେ ଅମରୁଂ

ଯୋଦ୍ଧା ଅମନାତ୍ୟେ ତ୍ରାସିଲେ ଦେଖି ଦୂରୁଂ।୭୧।

 

ଶହସ୍ରାନ୍ତ ପକାଇ ସମସ୍ତେ ପରିଣାମି

ଶ୍ରୀଖଣ୍ତୀ ପ୍ରଣପତ୍ୟ ହୋଇଲା ଉଡ଼ଙ୍ଗେଶ୍ୱର ସ୍ୱାମୀ।୭୨।

ଆସ୍ତାନେ ବିଜେ ଆସି କଲେକ କୁମର

ଦେଖିଣ ଦ୍ରୋପଦ ପୁତ୍ରକୁ ଧଇଲେ କୋଳର।୭୩।

ଶ୍ରୀଖଣ୍ତୀ ବୋଇଲା ଶୁଣସି ଶଶୁରାନ୍ତ

କାହିଂର ନିମନ୍ତେ ତୁମ୍ଭେ ଭିଆଇଲ ୟେମନ୍ତ।୭୪।

 

ମଧୁକେଶର ବୋଇଲା ତୁ ଅମରାଧିନାଥ ପ୍ରାୟେ

କେଉଂଣ ପାତକେନ ପୁଂସେକ ଲକ୍ଷଣ ତୋର କାୟେ।୭୫।

ଶ୍ରୀଖଣ୍ତୀ ବୋଇଲା ତୋର ଦୁହିତା ଦୁର୍ଭାଗୀ

ସାଧନ ପୁରୁଷ ମୁଂ ଅଟଇ ପରମ ଯୋଗୀ।୭୬।

ଇଚ୍ଛାୟେଣ ରତି ମୋର ଇଚ୍ଛାୟେଣ ବିଭୂତି।

ତହିଂକି ମାନ ଯେ ବସିଲା ମଧୁବତୀ।୭୭।

 

ମୁଦୁସୁଲୀ ଦେଖିଲେ ଯେ ପରୀକ୍ଷ ନିମନ୍ତେ

ତତକ୍ଷଣେ କହିଲେ ନୃପତି ଅଗ୍ରତେ।୭୮।

ଶୁଣିଣ ରାଜନ ଯେ ମନରେ ହରଷ

ସନ୍ୟ ଘେନିଣ ପ୍ରବେଶ ହୋଇଲା ପଞ୍ଚାଳ ଦେଶ।୭୯।

ଶ୍ରୀଖଣ୍ତୀ ହସ୍ତ ଧରି ନେଲାକ ମଧୁବତୀ

ଇଚ୍ଛାୟେ କୁମର ତୁଲେ ବଢାଇଲା ପୀରତି।୮୦।

 

ଅନେକ ଶୃଙ୍ଗାର ହୋଇଲା ମନଇଚ୍ଛା

ପୂରୋଇଲା ସୁନ୍ଦରୀ ତାହାର ମନ ବାଞ୍ଚା।୮୧।

ଶ୍ରୀଖଣ୍ତୀ ନିମନ୍ତେ ରାଜାଅନେକ ବିରସ ହୋଇଥିଲା

ଓହୋ କୁଳରେ ଅନେକ ହରଷ ଉପୁଜିଲା।୮୨।

ମଧୁକେଶର ପ୍ରଣପତ୍ୟ ଯେ ଦ୍ରୋପଦର ପାଦତଳେ

ମମ ଦୋଷଉପେକ୍ଷା କରିବା ସର୍ବକାଳେ।୮୩।

 

ଦ୍ରୋପଦ କୁସମାଦି ଚଳଇ ମଧୁସେନ

ଓଡ଼ଙ୍ଗ ଦେଶେ ପ୍ରବେଶ ହୋଇଲା ରାଜନ।୮୪।

ମହାଦେଈ ଅଗ୍ରତେ କହିଲେ ସର୍ବକଥାନ୍ତ

ଶୁଣିଣ ହରଷ ସେ ମଧୁବତୀର ମାତ।୮୫।

ଭ୍ରଥଖଣ୍ତ ରାଜା କର୍ଣ୍ଣମାଧବ ନୃପତି

ତାହାର ଭାରିଯା ନାମ ଅଟଇ ଶୁଦ୍ଧମତି।୮୬।

 

ସେ ରାଣୀର ଗର୍ଭୁଂ ଦୁହିତାୟେ ଉତପତ୍ତି

ତାହାର ନାମ ରଜା ଦିଲା ହାରାବତୀ।୮୭।

ଦ୍ରୁପଦର ନନ୍ଦନ ଦୃଷ୍ଟ ଯେ ଦୃମନ

ସେ ହାରାବତୀକି ରାଜା କଲାକ ପ୍ରଦାନ।୮୮।

ଶୁଣ ହୋ ବୈବସୁତ ମନୁ ବଦନ୍ତି ଅଗସ୍ତି

ଶ୍ରୀଖଣ୍ତୀର ହୋଇଲା ବେନି ପୁତ୍ର ଉତପତ୍ତି।୮୯।

 

ଅନଙ୍ଗ ମକରଧ୍ୱଜ ବେନିଙ୍କର ନାମ

ଅତିଅନ୍ତ ସୁନ୍ଦର ସେ ଜାଣିଣ ଦେବକାମ।୯୦।

***

 

ପାଣ୍ତବାଦିଙ୍କର ଭିକ୍ଷାଚରଣ

 

ୟେଥୁ ଅନନ୍ତରେ ବିଲଙ୍କ ଦେଶ ରାଜା

ଅଗସ୍ତିଙ୍କ ପାଦପଦ୍ମେ କଲେ ଦିବ୍ୟପୂଜା।୧।

ପାଣ୍ତବେ ରହିଥିଲେ ଯେ ହିଡ଼ିମ୍ୱକ ବନେ

ତହୁଂ କେବଣ କୃତ୍ୟ କଲେ ପଣ୍ତୁ ପଞ୍ଚୁ ନାନେ।୨।

ହିଡ଼ିମ୍ୱକ ବନେ ଘଟଉତ୍କଚକୁ କଲେ ରାଜା

ଦଶ ବରଷର ସେ ଅଟଇ ଆତ୍ମଜା।୩।

ପୁତ୍ରଗୋଟି ଘେନି ହିଡ଼ିମ୍ୱିକୀ ଥାଅସି ୟେହି ବନେ

ଆମ୍ଭେ ସମୟେକେ ଯେ ଆସିବୁ ୟେହି ସ୍ଥାନେ।୪।

 

ରାଜ୍ୟ ତେଜି ଯେବେ ହୋଇଲୁ ତୀର୍ଥବାସୀ

ପାଦଶ୍ରମେ ସେ ମିଳଇ ଧର୍ମ ସିନା ଆସି।୫।

ମଗୁଶିର ମାସ ଚଉଠୀ ଶୁକଳ ପକ୍ଷ ଗୁରୁବାର

ହିଡ଼ିମ୍ୱକ ବନୁଂ ଚଳିଲେ ପଞ୍ଚୁବୀର।୬।

ବନ ତେଜିଣ ଯାଆନ୍ତେ କାମେନୀ ନଦୀ କୂଳେ

ନଗ୍ରେକ ଦେଖିଲେ ସେ ଅତୀଅ ପରିମଳେ।୭।

 

ଯୁଝେଷ୍ଠି ବୋଇଲେ ଭଲ ନଗ୍ର ଯେ ଗୋଟିୟେ

ନଦୀର ସ୍ରାହାନ କରି ୟେଥି ରହିବା ସମୟେ।୮।

ବ୍ରାହ୍ମଣ ରୂପ ବାବୁ ଧର ହୋ ମନଇଚ୍ଛା

ଦିନ ବଞ୍ଚିବା ନିମନ୍ତେ ମାଗିବା ଯାଇଂ ଭିକ୍ଷା।୯।

ବ୍ରାହ୍ମଣ ରୂପ ହୋ ଧରସି ଯୁଗତେ

ଯେ ଯାହାର ଅନରୂପେ ଘେନିଲା ଭିକ୍ଷା ପାତ୍ରେ।୧୦।

 

ଲମ୍ୱିତ ଜୂଟ ଯେ ତ୍ରିକଚ୍ଛ ବସନ

ଉତ୍ତରୀ ପବିତ୍ର ଶ୍ରୀବତ୍ସ ଲକ୍ଷଣ।୧୧।

ହାଥେ ତ୍ରିଦଣ୍ତ କାଖେଣ ବେଦି ଯେ କରାଣ୍ତି

ଗୋପ୍ୟାନେ ଶୋରେହା ବଟୁ ଅଣ୍ଟିରେ କୁଶ ବିଡ଼ି।୧୨।

କାନ୍ଧେଣ ଛତା କାଖେଣ ବେଦ ପୋଥି

ପୟରେ ପାଦୁକା ଯେ କରେଣ ଗଡୁ ପାତ୍ରୀ।୧୩।

 

ୟେସନେକ ବିଧାନ ବିପ୍ର ଯେ ସରୂପ

ନିଜ କାୟେ ଗୋପ୍ୟାନେ କରି ଧଇଲେ ଦ୍ୱିଜରୂପ।୧୪।

ଯୁଝେଷ୍ଠି ବୋଇଲେ ମାଗିବା ଯେବେ ଭିକ୍ଷା

କେ କିସ ପାତ୍ର ଘେନିମା ମନବାଞ୍ଚା।୧୫।

ଯୁଝେଷ୍ଠି ଘେନିଲେ ଶୌର ତମ୍ୱା ପାତ୍ର ଗୋଟିୟେ

ମୁଣି ଗୋଟି ୟେକ ଘେନିଲେ ଧନଞ୍ଜୟେ।୧୬।

 

ହରି ବିତ୍ରକେ ଆନ ନ ଆସଇ ମୋ ତୁଣ୍ତରେ

ହରି ଗୋବିନ୍ଦ ବୋଲି ବୋଲୁଥିବି ମୁଂ ଦ୍ୱାରେ।୧୭।

ଅର୍ଜୁନ ମନେ ଇଚ୍ଛା କଲେକ ଚକ୍ରପାଣି

କରେଣ ଘେନିଲେ ସେ ହରିଗୋବିନ୍ଦ ଯେ ମୁଣି।୧୮।

ନକୁଳ ସହଦେବ ଘେନିଲେ ତମ୍ୱା ପାତ୍ରେ

ଶୌରା ପେଟୁଲି ଘେନିଲେ ଦେବୀ କୋନ୍ତେ।୧୯।

 

ଯୁଝେଷ୍ଠି ପୁଚ୍ଛା କଲେ ସେ ଯେ ଅର୍ଜୁନକୁ

କିସ ବୋଲି ଭିକ୍ଷା ମାଗିବା ପଚାରିନି ଭୀମସେନକୁ।୨୦।

ଜନମର ମଧ୍ୟେ ହୀନ ଅଟଇ ଯେ ଭିଖ

ବଳବପୁ ଥାଉଂ ହୋଇଲଇଂ ଯେ ନିରେଖ।୨୧।

ପରେ ବିନୋୟି ହୋଇ କହୁଥିବ କଥା

ଭିକ୍ଷାବାସୀ ଜନଙ୍କର ୟେସନେକ ବେବସ୍ଥା।୨୨।

 

କୋପ ଦୂର କରି ଯେବେ ଭଜି

ବହୁତ ସମ୍ପଦ ନୋହଇ କଣ କଳ୍ପ ଅରଜି।୨୩।

ୟେହା ପରି ପାଳି ଯେବେ ପାରିବୁ ଭୀମସେନ

ଜନ ମୁଖ ଚାହିଂ ସୁଖେ ନେମା ଦିନ।୨୪।

ଭୀମସେନ ବୋଇଲା ଦେବ ଦଶ ବରଷ ପରିଯନ୍ତେ

ଜନ ମନୁଷ୍ୟ ନ ଦେଖ ପଶିଲୁ ବନସ୍ତେ।୨୫।

 

ଅନ୍ନ ନପାଇଣ ଯେ ବନ ଫଳ ଭକ୍ଷି

ଆବର ବଳ ବପୁ ରାଗ ଦେବ କାହାର ଦେହେ ଅଛି।୨୬।

ଭଜିଲୁ ଶାନ୍ତି ଯେ ହୋଇଲୁ ବୀର୍ଯହୀନ

କଣ କଳପ ଭିକ୍ଷାରେ ବଞ୍ଚିବା ଆମ୍ଭେଦିନ।୨୭।

ଜନ ମୁଖ ଚାହିଂ ଦେବ ଥିବାକ ସମୟେ

ଶୁଣି ବିଚାରିଲେ କୋଇନ୍ତା ଦେବୀ ମାୟେ।୨୮।

 

ବାବୁ ଭିକ୍ଷା ବୋଲିକରି ଯେବଣ ବଣିଜ

କଣ କଳ୍ପ କରି ସେ ଯେ ଦିଅନ୍ତି ଗ୍ରାହିଜ୍ୟ।୨୯।

ବହୁତ ଦିଅନ୍ତା ନାହିଂ ଅଳପ ନ ଦିଶଇ ନୟନେ

ଯାଓ ତ ବୋଲି ବୋଲନ୍ତି ଅଗ୍ୟାଂନ ସ୍ତିରୀମାନେ

ନପାଇଲା ଘରୁ ତାର କୁଡ଼ିଆ ନ ପୁଣ ଉପାଡୁ

ରାଗ ଧରି ନପୁଣ ସବୁଙ୍କୁ କଚାଡୁ।୩୨।

 

ବାବୁ ୟେତିକି ଭ୍ରାନ୍ତିରେ ଭାଳଇ ମୋର ମନେ

ମାତାଙ୍କ ବଚନେ ଯେ ହସିଲା ଭୀମସେନେ।୩୨।

କେବଣ ଭିକ୍ଷା ମାଗୋ ବାହୁଡାନ୍ତି ନାହିଂ

ସେହି ଭିକ୍ଷା କରେ ମା ଗୋ ଘେନିମଇ ମୁହିଂ।୩୩।

କୋଇନ୍ତାୟେ ବୋଇଲେ ଚକ୍ର ବୋଲି ୟେକ ଭିକ୍ଷା

ସମସ୍ତେ କରେ ଦିଅନ୍ତି ସେ ନିରଞ୍ଜନ ଦୀକ୍ଷା।୩୪।

 

ଧାନ ଚାଉଳ ବିରିମୁଗ ଆବର ପରିବା

ହିରଣ୍ୟ ବସ୍ର ହାଣ୍ତି ଆଦି କରି ଦେବା।୩୫।

ସେ ବ୍ରାହ୍ମଣଙ୍କୁ ଦେଖିଲେ ଦିନକର ପାପ ହରି

ୟେହାଙ୍କୁ ନମସ୍କାର କଲେ ଅଷ୍ଟୋତ୍ତର ଶତେ ବିପ୍ର ସରି।୩୬।

ବେନି ଚକ୍ର ପୂରୋଇ ଯେବେ ଦିଅଇ ଅନ୍ନ

ଜନ୍ମେ ଜନ୍ମେ ଅନ୍ନ କଷ୍ଟ ସେ ନ ପାବନ୍ତି ଜନ।୩୭।

 

ଭୀମସେନ ବୋଇଲା ଭଲ ହିଂ କହିଲ ମାତା କୋନ୍ତେ

ସେହି ଚକ୍ର ଭିକ୍ଷା ମା ଗୋ ଯୋଗାଇଲା ମୋତେ।୩୮।

କୋଇନ୍ତା ବୋଇଲେ ବାବୁ ଚକ୍ରଭିକ୍ଷା ମାଗିଲେ ଅନେକ ଅଛି ଦୋଷ

ଦୋହୋରା ଅଗ୍ନି ଥାଇଂ ତାହାଙ୍କରି ପାଶ।୩୯।

ଯେଉଂଣ ଭିକ୍ଷା ସେ ମାଗିକରି ନେବ

ଦୁଇ ଭାଗ କରି ଭାଗେ ଦୋହୋରାଙ୍କୁ ଦେବ।୪୦।

 

ଯଜମାନ କଲ୍ୟାଣ ଚକ୍ରଭିକ୍ଷାକୁ ଦେବା

ୟେତେକ କହି ସମାସ୍ୟା ଦେବା ଆନ କଥା ନ କହିବା।୪୧।

ଚକ୍ରଭିକ୍ଷାରେ ବାବୁ ଅନେକ ଅବିଗୁଣ

ମିଥ୍ୟା କହିଲେ ସେ ରଉରୋବ ନର୍କରେ ପଡ଼ଇ ବ୍ରାହ୍ମଣ।୪୨।

ଭୀମସେନ ବୋଇଲା ଯାହିଂର ଯେମନ୍ତ ଭିକ୍ଷା

ମୁହିଂ କିବା ମାତା ଗୋ କହିବଇଂ ହାଦେ ମିଥ୍ୟା।୪୩।

 

ବନସ୍ତୁ କାଟିଲା ଭୀମ ବେତ ଲଟୀ ମାନ

ଚିରି ବେନି ଚକ୍ର ଯେ ବୁଣିଲା ଅରଜୁନ।୪୪।

ବାଆଂଶେକ କାଟି ଯା କଲେ ଭାରଯଷ୍ଟି

ଲଇରେ ଗୁନ୍ଥି ଭୀମସେନ କନ୍ଧେ ଦିଲେ ଚକ୍ର ଭାର ଗୋଟି।୪୫।

ଚିତାନ୍ତ ପ୍ରସାରି କୁଶ ବଟୁ ଘେନି କରେ

ଗମନ୍ତି ପାଣ୍ତବେ ଯେ ଓଡାଦି ଶିବପୁରେ।୪୬।

 

ଦେଖନ୍ତି ଓଆସେକ ନଗ୍ରର ବାହିଜେ

ଅନ୍ତଚାରୀ ହୋଇ ତହିଂ ରହିଛି ୟେକ ଦ୍ୱିଜେ।୪୭।

ଭୀମସେନ ବାଟ କଢାଇଲା ତାହାର ଦ୍ୱାରକୁ

ସେ ଦ୍ୱାରକଇଂ ନ ଯାଇଂ ବୋଲି ବୋଇଲେ କୋଇନ୍ତାୟେ ଭୀମସେନକୁ।୪୮।

ନିୟତ ନାମ ମାନ ଯେ ଲୁଚାଇଂ ଗୋପ୍ୟ କରି

ଜାଣନ୍ତା ହୋଇବ ନା ନିରୁତାନ୍ତ ନାମ ଧରି।୪୯।

 

ଯୁଝେଷ୍ଠି ନାମ ଯେ ବହିଲେ ଜୟନ୍ତ

ଭୀମସେନ ନାମ ଯେ ବହିଲେ ଜୟବନ୍ତ।୫୦।

ଅର୍ଜୁନ ନାମ ଯେ ବହିଲେ ଅଜୟେ

ଜୟସେନ ନାମ ନକୁଳବୀର ବହେ।୫୧।

ଜୟେରାଷ୍ଟ ନାମ ବହିଲା ସହଦେବ ମନ୍ତ୍ରୀ

ୟେମନ୍ତେ ଗୁପତମାନ ବହିଲେ ପଞ୍ଚଛତ୍ରୀ।୫୨।

 

ଜୟନ୍ତ ବୋଇଲାରେ ରହ ରହ ଭାଇ

ଅଛବ ଲୋକ ସେ ଯେ ନଗ୍ର ବାହାରରେ ଥାଇ।୫୩।

ଭୀମସେନ ବୋଇଲା ଦେବ ପରିମଳ ଭୁବନ

ବାହ୍ୟ ବଳି କଲା ୟେତ ଅଟଇ ବିପ୍ରଜନ।୫୪।

ପଥୁକି ଜନ ପଚାରିଲେ ସନ୍ନିଧ୍ୟେଣ ରାଇ

ୟେ କିସ ଘର ବାଭିୟେ ବାହିଜ୍ୟେ ଅଛି ରହି।୫୫।

 

ସଜ୍ଜନ ହୋଇଲା ଗୋସାଇଂ ୟେ ଅଟଇ ବିପ୍ରଙ୍କର ଘର

ନଗ୍ରରୁ ବାହାର କରି ଦିଲେ ବାହିଜ୍ୟ ପ୍ରକାର।୫୬।

ଗୋସାଇଂ ଉଦ୍ଦାଳେକ ନାମେଣ ୟେକଇ ଦ୍ୱିଜବର

ବ୍ରାହ୍ମଣୀ ଶୂଦ୍ରାଣୀ ବେନି ଭାରିଯା ଘେନି କରଇ ସେ ଘର।୫୭।

ବେନି ଭାରିଯାଙ୍କର ଉପୁଜିଲା ଦଶ ଦଶ ପୁତ୍ର

ଦୁଇ ବାଡ଼ କରି ତାହା ବସାଇଲା ମହତ।୫୮।

 

ଶିବପୁର ନଗ୍ର ଯେ ଈଶାନ ଭାଗକତି

ଲକ୍ଷେ ନବ ସହସ୍ର ବ୍ରାହ୍ମଣ ବସନ୍ତି।୫୯।

ଓଡ଼ାଦି ନଗ୍ର ଯେ ପଶ୍ଚିମ ଭାଗର

ଦୁଇଲକ୍ଷ ପାଞ୍ଚ ସହସ୍ର ବସାଇ ଯେ ଘର।୬୦।

ୟେ ଶିବପୁର ନଗ୍ରେ ବ୍ରାହ୍ମଣେ ବସନ୍ତି

ଅପୁତ୍ରିକ ହୋଇଲେ ନଗ୍ରୁଂ ବାହର କରିଦ୍ୟନ୍ତି।୬୧।

 

ବିଷ୍ଣୁକର ପଣ୍ତାୟେ ନଗ୍ରର ଗ୍ରାମୀଣ

ଯତ ସତେ ବଂଶ ନୋହିଲା ବର୍ଦ୍ଧମାନ।୬୨।

ନଗ୍ର ଲୋକେ ପନ୍ତିରୁ ବାହର କରିଦିଲେ

ଅପୁତ୍ରିକ ଲୋକ ବୋଲି କତିରେ ନ ରୁହାଇଲେ।୬୩।

ବିଷ୍ଣୁକର ପଣ୍ତାଙ୍କର ୟେ ଅଟଇ ଗୃହବାସ

ସନ୍ତାନ ଅଭାବେ ୟେ ଛାଡ଼ିଲେ ନିଜଦେଶ।୬୪।

 

ଯୁଝେଷ୍ଠି ବୋଇଲେ ମା ଗୋ ୟେହି ସେ ଯୋଗାଇ

ଗୁପତ କାଳକୁ ୟେ ବାହିଜ୍ୟ ଚରଭୂଇଂ।୬୫।

ପ୍ରଥମେ ଭିକ୍ଷା କରିବା ୟେହାଙ୍କର ଘରେ

ବସା ଖଣ୍ତିୟେ ମାଗିବା ରହିବା ୟେହି ଠାରେ।୬୬।

ବିଚାରିଣ ବିଜେ କଲେ ପଞ୍ଚୁ ପ୍ରାଣୀ

ତୁଲେଣ ଗୋଡ଼ାବନ୍ତି କୋଇନ୍ତା ମହାତ୍ମାଣୀ।୬୭।

 

ଭିକ୍ଷା ପାତ୍ର କଲେ ବିଷ୍ଣୁକର ପଣ୍ତା ଘରେ

ବ୍ରାହ୍ମଣ ବ୍ରାହ୍ମଣୀ ଭୋଜନ ସାରି ବସିଅଛନ୍ତି ଭିତରେ।୬୮।

ମହା ବ୍ରହ୍ମବାକ୍ୟ ଯେ ପ୍ରଥମ ଆଧ୍ୟାନ ଖଣ୍ତି

ପିଣ୍ତାରେ ବସି ଉଚ୍ଚାରନ୍ତି ବୁଭୁକ୍ଷିତ ଯଜମାନ କାଣ୍ତି।୬୯।

ଭିତରେଣ ଥାଇ ଶୁଣିଲେ ବିଷ୍ଣୁକର

ନିର୍ଧୂମ ଅଗ୍ନି ଜାଣି ଦିଶଇ ତାହାଙ୍କର ଶରୀର।୭୦।

 

ବ୍ରାହ୍ମଣ ବିଚାରନ୍ତି ୟେତ ନାରାୟଣ ଦୀକ୍ଷା।

ଦଇବ ପୁରୁଷମାନେ କପଟେ ମାଗନ୍ତି ଭିକ୍ଷା।୭୧।

ବ୍ରାହ୍ମଣୀକି ବୋଇଲା ସୁଫଳ ଆଜ ଦିନ

ବ୍ରହ୍ମା ବିଷ୍ଣୁ ମହେଶ୍ୱର ଇନ୍ଦ୍ର କୁବେର ପାଞ୍ଚଜଣ।୭୨।

ତୁଲେଣ ମାତା ୟେହାଙ୍କର ଅନାଦି ଶକତି

ଦ୍ୱାରେଣ ଉଭା ହୋଇଲେ ୟେ ମୋତେ କଷଣ ନିମନ୍ତି।୭୩।

 

ତୁ ଦେଖି ଦ୍ରଶନ କରନି ଯାଇ ଆଗେ

ସେ କିସ ଆଗ୍ୟାଂ ଦିଅନ୍ତି ତୋତେ ଅନୁରାଗେ।୭୪।

ଅନେକ ବେଶ ବେଶନ ହୋଇଣ ବ୍ରହ୍ମଣୀ

ସୁଢଳି ଆଭରଣ ହେଲା ଦେବ ସ୍ତିରୀ ଜାଣି।୭୫।

ପାଟେକ ପିନ୍ଧି ଝୀନ ବସ୍ରେକ ଉପୁରାଣ

ଅର୍ଘ୍ୟ ଯୋଗାଡ଼ ପୂରୋଇ ଘେନିଲା ସୁବର୍ଣ୍ଣ ଥାଳୀରେଣ।୭୬।

 

ଭିତରୁ ବାହାର ହୋଇଲା ବିଷ୍ଣୁକର ବନିତା

ପାଦାର୍ଘ୍ୟ ଦେଇଣ ସେ ହୋଇଲା ପ୍ରଳମ୍ୱିତା।୭୭।

କୋଇନ୍ତାୟେ ଆଶ୍ୱସନା କଲେ ତାହାଙ୍କର ଗାତ୍ର

ବୋଇଲା ମୋହୋର ତୋହୋର ହୋଉ ପଞ୍ଚ ପୁତ୍ର।୭୮।

ଭାଗ୍ୟବନ୍ତ ହୋନ୍ତୁ ସେ ସହି ଶ୍ରେଷ୍ଠ ହୋଅନ୍ତୁ

ଶୂରବନ୍ତ ପଣ୍ତିତ ଦୁଇ ଯେ ହୋଅନ୍ତୁ।୭୯।

 

ୟେସନେକ ବଚନ ଶୁଣିଣ ବ୍ରାହ୍ମଣୀ

ଭିତର ମନ୍ଦିରୁ ସେ ବାହାର ହୋଇଲା ତତକ୍ଷଣି।୮୦।

ପ୍ରଣପତ୍ୟ ହୋଇଲା ସେ କୋଇନ୍ତାଙ୍କ ପଦ୍ମ ପାୟେ

ବୋଇଲେ ପରମ ମାହେଶ୍ୱରୀ ତୁ ଅଟୁ ମହାମାୟେ।୮୧।

ପର ମନ ଜାଣିଲୁ ତୁ ପର ଦୁଖେ ଚିନ୍ତା

ଅପୁତ୍ରକ ଜାଣି ପ୍ରସନ୍ନ ହୋଇଲୁ ଗୋ ମାତା।୮୨।

 

ଯେହ୍ନେ ସାତ୍ତ୍ୱିକ ସାର୍ଥୁକ ମାତା ଗୋ ତୋହୋର ଆଗ୍ୟାଂବ୍ରତୀ

ସଞ୍ଚୟେ ହୋଇବ ମୋର ପଞ୍ଚ ଯେ ସନ୍ତତି।୮୩।

ଯେବେ ପଣ୍ତିତ ସେ ଶୂରବନ୍ତ ନୋହିବେ

ସେ ପୁତ୍ର ଛା ରଆଉ କିସ ଯେ କରିବେ।୮୪।

କୋଇନ୍ତାୟେ ବୋଇଲେ ତୁ ଶୁଣି ହୋ ଦ୍ୱିଜବର

ଶୂରବନ୍ତ ପଣ୍ତିତ ହାଦେ ପୁତ୍ର ଯେ ମୋହୋର।୮୫।

 

ଭିକ୍ଷା ଆଶା କଲେ କରେ ଘେନି ଭିକ୍ଷା ପାତ୍ରେ

ମାଗନ୍ତି କଣ ଭିକ୍ଷା ବ୍ରତନ୍ତି ୟେମନ୍ତେ।୮୬।

ଅଚ୍ଛରଚ କୃପଣ ଅକ୍ରିୟା ଅଜାତି

ତାହାଙ୍କର ଘରେ ହଦେ ଭିକ୍ଷା ଯେ ମାଗନ୍ତି।୮୭।

ହେ କର୍ମପୁରୁଷ ହାଦେ ତୋତେ ମୋହୋର ନମସ୍କାର

ତବ ପଦ୍ମପାଦେ ଶତ ସହସ୍ର ଦଣ୍ତବତ ମୋହୋର।୮୮।

 

ତୁ ଯାହାକରୁ ତାହା କର୍ମ ବୋଲି ବୋଲି

ଅନ୍ତେ ବୁଦ୍ଧି ଶିଖି ୟେକା ତୁକୁହିଂ ହାରିଲି।୮୯।

ସମ୍ପଦ କରିଣ ଯେ ଭିଆଲୁ ପିଣ୍ତ ଗୋଟି

ଆବର କିମ୍ପାଇ ବିପଦ କରିଦେଲୁ କଷ୍ଟି।୯୦।

ତୁହି ସେ ଉଶୁଆସ ତୁହି ସେ ମହାଭାରା

ୟେ ମାନବ ଜନକୁ ମୋତେ ବିପତ୍ତି ନକରା।୯୧।

 

ସଚଳ ନିଚଳ ଚଞ୍ଚଳ ଦେବ ତୁହି

ଭାବ ଅଭାବ ତୋ ତହୁଂ ଆନ ନାହିଂ।୯୨।

ହେ ସଂସାର ଜନେ କେହି ନୋହ ବଣା

କର୍ମ ପୁରୁଷ ଗୋଟି ଜୀବକୁ ଧାରଣା।୯୩।

ହେ କର୍ମ ପୁରୁଷ ତୋହୋର ଚରଣେ ଶରଣ ଭାବେ

ଶୂଦ୍ରମୁନି ସାରୋଳ ଦାସେ ନନ୍ଦୀକେଶ୍ୱର ସେବେ।୯୪।

 

Unknown

ଶିବପୁରେ ଚାଣ୍ତାଳବଳ ବଧ ଓ ଭୀମଙ୍କର ରାଜ୍ୟାଭିଷେକ

କୋଇନ୍ତାୟେ ବୋଇଲେ ତୁ ଶୁଣ ଦ୍ୱିଜବର

ଭାଗ୍ୟବନ୍ତ ଶ୍ରେଷ୍ଠମତି ଜ୍ୟେଷ୍ଠପୁତ୍ର ହୋଇବ ତୋହୋର।୧।

କୋଇନ୍ତାଙ୍କ ବଚନେ ସାନନ୍ଦ ବ୍ରାହ୍ମଣ

ବ୍ରହ୍ମଣୀକି ବୋଇଲା ପାଗ ସମ୍ପାଦ ଯେହିକ୍ଷଣ।୨।

କୋଇନ୍ତାୟେ ବୋଇଲେ ଆମ୍ଭେ ଗୃହବନ୍ତ ଯୋଗେ

ପର ଅନ୍ନଭୋଗୀ ଆମ୍ଭେ ନୋହୁଂ ଜାଣ ୟେବେ।୩।

ବ୍ରାହ୍ମଣ ବ୍ରାହ୍ମଣୀ ଯେ ନେଲେ କୋଇନ୍ତାଙ୍କୁ

ଈଶାନପୁର ତୁଚ୍ଛା କରି ଦିଲେ ତାଙ୍କୁ।୪।

 

ଧାନ ଚାଉଳ ମୁଗ ବିରି ଆଦି କରି

ଯେତେକ ଶଙ୍ଖାଳି ଥିଲା ସେ ପୁରରେ ଭରି।୫।

ଗୁପତ ଧନ ଆଦି କରି ଯେତେକ ତହିଂ ଥିଲା

ବିପୁଳ ଦାନ କରି ବ୍ରାହ୍ମଣ ଘରଯାକ ଛାଡ଼ିଲା।୬।

ପୁଅନ୍ତ ଘେନିଣ କୋନ୍ତଭୋଜର କୁମାରୀ

ନିଶ୍ଚିନ୍ତେ ରହିଲେ ଯେ ବିଷ୍ଣୁକର ପୁରୀ।୭।

 

ଅନେକ ଭଗତି ହୋଅନ୍ତି ବ୍ରାହ୍ମଣ ବ୍ରାହ୍ମଣୀ

ପଦାର୍ଥ ନଦେବା ନକରନ୍ତି ଇଷ୍ଟ ଦେବତା ଜାଣି।୮।

କୁତୋହୋଳେ ଭିକ୍ଷାପାତ୍ର ଘେନି ନିଜକରେ

ନଗ୍ରେ ପରିମିଳନ୍ତି ଯେ ଓଡ଼ାଦି ଶିବପୁରେ।୯।

ଦେଖିଣ ଅନେକ ଭଗତି ହୋଅନ୍ତି ପୁରଜନେ

କେଉଣ ଦେଶୀ ବୋଲି ପଚାରନ୍ତି ସାବଧାନେ।୧୦।

 

ପଶ୍ଚିମ ସଉରାଷ୍ଟେ ହସ୍ତିନା ନାମେ ପୁରୀ

ଜନ୍ମିଲା ନିଜ ଦେଶ ଅଟଇ ଆମ୍ଭରି।୧୧।

ଅନେକ ପୁରୁଷ ଆମ୍ଭେ ଅଟୁ ତୀର୍ଥବାସୀ

ପରିମଳ ନଗ୍ର ବୋଲି ଆମ୍ଭେ ରହିଲୁ ୟେଥେଂ ଆସି।୧୨।

ବିଷ୍ଣୁକର ପଣ୍ତା ଘରେ କଲୁ ଆମ୍ଭେ ବାସ

ଗ୍ରାମୀଣେ ବୋଲନ୍ତି ତୁମ୍ଭେ ଭିତରକୁ ଆସ।୧୩।

 

ସୋଦର ବଢିବା ନିମନ୍ତେ ଆମ୍ଭେ ଭିକ୍ଷା ବାସୀ

ବିଷ୍ଣୁ ଆଶ୍ରିତେ ଅଛୁଂ ଆମ୍ଭେ ପବିତ୍ର ସୋମବଂଶୀ।୧୪।

ଯାହାକୁ ଲୟେ କରି ଅଛନ୍ତି ବାସୁଦେବ

କେ ଅବା ତାହାଙ୍କର ବଶ୍ୟ ଯେ ନୋହିବ।୧୫।

ନେତ୍ର ଗାତ୍ର ଅଧର ବତିଶ ଲକ୍ଷଣ

ଧାର୍ମିକ ବିବେକ ସେ ପଣ୍ତିତ ଧର୍ମପଣ।୧୬।

 

ଲକ୍ଷଣବନ୍ତ ପୁରୁଷକୁ ନଛାଡ଼ଇ ଶିରୀ

ଭାରା ନିବାରଣେ ସେ ପ୍ରତକ୍ଷେ ଅଛନ୍ତି ଅବତରି।୧୭।

ଅନେକ ଗଉରୋବ ପାଇଲେ ସେହୁ ପୁରେ

ଭିକ୍ଷା ମାଗନ୍ତି ରାତ୍ର ପାହାନ୍ତି ପ୍ରହରେ।୧୮।

ତେଣେ ରାତ୍ର ପ୍ରହରେ ଥାଇଂ ମାଗି

ନିତ୍ୟକର୍ମ ସାରି ଗୋପ୍ୟାନ ହୋଅନ୍ତି ସେ ବେଗି।୧୯।

 

ଦିବସେ ପଶିଥାନ୍ତି ବନସ୍ତ ଭିତରେ

କୋଇନ୍ତାୟେ ମାତ୍ର ଥାଆନ୍ତି ନିଜ ପୁରେ।୨୦।

କନ୍ଦମୂଳ ପଙ୍କୁଫଳ ବନେଣ ଗଣ୍ତା ହରିଣ ମାରି

ନିତ୍ୟକର୍ମ ଭୋଜନ ବେଳକ ଆସନ୍ତି ସାରି।୨୧।

ରାତ୍ରେଣ ଭିକ୍ଷା ସେ ମାଗନ୍ତି ପଞ୍ଚୁଜନ

ଯିସ ତଣ୍ତୁଳ ଉପୁଜଇ କୋଇନ୍ତାୟେ କରନ୍ତି ରନ୍ଧନ।୨୨।

 

ଅଧକଇଂ କୋଇନ୍ତାୟେ ଭୀମକୁ ଦିଅନ୍ତି

ଅଧେକ ମାତାଙ୍କୁ ଘେନି ପାଞ୍ଚେହେଂ ଭୁଞ୍ଜନ୍ତି।୨୩।

ବଡ଼ାଇ କୁତୋହୋଳେ ବଞ୍ଚୁଛନ୍ତି ଦିନ

ଯୁଝେଷ୍ଠି ବୋଇଲେ ୟେଥକୁ ନଅଣ୍ଟଇ ରାଜ୍ୟର ବିଧାନ।୨୪।

ତୁଳ ବିଛା ଧନୁ ମକର କୁମ୍ଭ ମୀନ ମେଷ ବୃଷ

ଶିବପୁରେ ପାଣ୍ତବେ ରହିଲେ ଅଷ୍ଟମାସ।୨୫।

 

ସେଘାନ୍ତି ବୃହସ୍ପତି ବସିଲେ ମଘା ସିଂଘେ

ଗଉତମୀ ତୀର୍ଥେ ପଡ଼ିଲା ସ୍ରାହାନ ପ୍ରୀତି ଯୋଗେ।୨୬।

ସିଂଘ ମାସ ଶୁକଳ ପକ୍ଷ ଦୁତୀୟା ଦିନରେ

ସେ ଦିନ ବୃହସ୍ପତି ରହିଲେ ମଘା ସିଂଘରେ।୨୭।

ଆକାଶୁଂ ଓହ୍ମାଇଲେ ଯେ ପିତୃ ଲୋକମାନେ

ସମସ୍ତ ଦେବତାୟେ ବିଜୟେ ସେହୁ ସ୍ଥାନେ।୨୮।

 

କୋଟିୟେ ତୀର୍ଥ ଘେନି ତୀର୍ଥାଧି ପୁଷ୍କର

ତିନି ଦିବସ ରହିବେ ସେହୁ ସେ ତୀର୍ଥର।୨୯।

ସେ ତିନି ଦିନର ମଧ୍ୟେ ଯେ ସ୍ନାହାନ କରନ୍ତି

ଜନ୍ମେକର ପାପ କ୍ଷୟେ ଯାଇ ପାଆନ୍ତି ଫଳଶ୍ରୁତି।୩୦।

ୟେକା ଘାନ୍ତିଯେ ତହିଂ ମଥାକୁ ବୁଡ଼ାଇ

ଜନ୍ମେକର ପାତେକ ସ୍ନାହାନ କଲେ ତହିଂ ନାହିଂ।୩୧।

 

ଲେଞ୍ଚ ଲୋକମାନ ଛୁଅଂନ୍ତି ଯେ ଅଗ୍ୟାଂନେ

ମାନିତି ଜନମାନନ୍ତ ଛୁଇଂଥାନ୍ତି ବିଦ୍ୟମାନେ।୩୨।

ୟେ ପାତକମାନ ଯେ ସମସ୍ତ ରହିଥାଇ

ଅନ୍ୟ ଜଳେ ସ୍ନାନ କଲେ ଖଣ୍ତଣ ନଯାଇ।୩୩।

ସ୍ୱଜାତି ଯେବେ ରମନ୍ତି ଅନ୍ୟ ଜାତି ସ୍ତିରୀ

ସେ ପାତେକମାନେ ଯେ ଥାଆନ୍ତି ଆବେରି।୩୪।

 

ମହୋଦଧିରେ ସ୍ନାହାନ କରଇ ବୃହଷ୍ପତି ଯୋଗେ ଯେବେ

ୟେ ପାପ ଦୋଷମାନ ଛାଡିଯାଇ ତେବେ।୩୫।

ମହାକାର୍ତ୍ତିକ ପଡିଲେ ଚନ୍ଦ୍ରଭାଗା ତୀର୍ଥେ ଯେ କରଇ ସ୍ରାହାନ

ତେବେ ସେ ଛାଡ଼ଇ ୟେଥି ମହା ପାତକମାନ।୩୬।

ସିଂହରେ ବୃହସ୍ପତି ବସନ୍ତି ଯେଉଂଣ ବେଳେ

ମଥା ବୁଡାଇ ଯେ ଗଉତମୀ ତୀର୍ଥ ଜଳେ।୩୭।

 

ତହିଂ ଛାଡ଼ଇ ଯେ ସମସ୍ତ ପାପ ଦୋଷମାନ

ତେବେ ସେ ପିତୃଲୋକେ ବସଇ ସ୍ୱର୍ଗେ ପାଆନ୍ତି ଉଦକମାନ।୩୮।

ସିଂହ ଛାଡି ଗୁରୁ ଯେବେ ବସଇ କନ୍ୟରେ

କନ୍ୟ ବୃହଷ୍ପତି ତୀର୍ଥ ପଡ଼ଇ କୃଷ୍ଣବେଣୀରେ।୩୯।

କୋଟିୟେ ତୀର୍ଥଘେନି ତହିଂ ବିଜେ କରଇ ପୁଷ୍କର

କୃଷ୍ଣବେଣୀ ସ୍ନାହାନ କଲେ ଦୋଷ ହୁଅଇ ଅପହାର।୪୦।

 

ଉତ୍ରାଙ୍କୁରେ ସ୍ନାହାନ ଯେ କରଇ ମକରମାସେ

ତହିଂରେ ଛାଡ଼ଇ ସେ ଛୁଇଂଲା ପାତେକ ଦୋଷେ।୪୧।

ମଣିକର୍ଣ୍ଣିକାରେ ଯେ ସ୍ନାହାନ କରଇ ବେଳେ

ସମସ୍ତ ମହାପାତେକ ଛାଡ଼ଇ ସେ ଜଳେ।୪୨।

ପ୍ରୟାଗ ତ୍ରିବେଣୀରେ ବୁଡ଼ାଇବେଳେ ମଥା

ନାଶକର ଦଣ୍ତେ ସେନ ପାଇବ ଅବସ୍ଥା।୪୩।

 

ୟେସନେକ ବାକ୍ୟ ଯେ ଉପୁଜିଲା ପୁରାଣେ

ତୀର୍ଥକୁ ସଜ ହୋଇଲେ ପାଣ୍ତବ ପଞ୍ଚୁଜଣେ।୪୪।

ବିଷ୍ଣୁକର ପଣ୍ତା ଯେ ଅପୁତ୍ରିକ ହୋଇଥିଲା

ପାଣ୍ତବଙ୍କ ପ୍ରସାଦେ ତାହା ଭାରିଯା ଆଶାବତୀ ହୋଇଲା।୪୫।

ପାଞ୍ଚମାସ ବ୍ରାହ୍ମଣୀ ଯହୁଂ ହୋଇଲା ଗର୍ଭବାସ

ନଗ୍ରେ ଘୋଷଣା ପଡ଼ିଲା ବିଷ୍ଣୁକର ପଣ୍ତାର ଗଲା ଅପୁତ୍ରିକ ଦୋଷ।୪୬।

 

ପନ୍ତିରୁ ପଣ୍ତାୟେ ଯେ ହୋଇଥିଲେ ବାହାର

ଗଉରୋବ କରି ତାଙ୍କୁ ବସାଇଲେ ସଭାର।୪୭।

ଜୟନ୍ତେ ବୋଇଲେ ମାତା ଗୋ ତୁମ୍ଭେ ଥାଅ ୟେଥେ

ଗଉତମ ତୀର୍ଥକୁ ଆମ୍ଭେ ଯିବୁ ପଞ୍ଚୁଭ୍ରାଥେ।୪୮।

କଇନ୍ତାୟେ ବୋଇଲେ ନ ଯାଉ ଭୀମସେନ

ଦ୍ରିଯୋଧନ ଦେଖିଲେ ତହିଂ କରିବ ସାଂଗ୍ରମ।୪୯।

 

ବନସ୍ତେ ଅଛିୟେ ମହା ଦୁଃଖ ପାଇଂ

ସେ ରାଗ ସଂହରଣ କରି ନୁଆରିବ ତହିଂ।୫୦।

ଯୁଝେଷ୍ଠି ବୋଇଲେ ବିଷ୍ଣୁକର ପଣ୍ତାକୁ

ଆମ୍ଭେ ଚାରିଭାଇ ଯିବା ଗଉତମ ତୀର୍ଥକୁ।୫୧।

ଜୟେବନ୍ତ ପଣ୍ତା ମାୟେ ଦୁହେଂ ୟେଥି ଥିବେଟି

ଆମ୍ଭେ ଆସିବା ଯାୟେ ସମ୍ଭାଳିଥିବାଟି ମାତା ଭାଇ ଦୁଇଗୋଟି।୫୨।

 

ଶୁଣିଣ ପଣ୍ତାୟେ ହୋଇଲେ ଅତିଅ ହରଷ

ଯେତେକ ପନ୍ତି ଯୋଗାଡ଼ ଲାଗଇ ମୁଂ ତୁଲାଇବି ଚାରି ମାସ।୫୩।

ଭୋଜନେ ତୁଷ୍ଟ ଯେ ହେଉଥିବେ ନିତି

ତୁମ୍ଭର ପରସାଦେ ମୁଂ ଲଭିବି ପରମଗତି।୫୪।

ଭୀମକୁ ତିଆରିଲେ ଧର୍ମର ତନୟେ

ଚଳନ୍ତି ଚାରି ଭାଇ ଗଉତମୀ ତୀର୍ଥ ଯାୟେ।୫୫।

 

ବ୍ରାହ୍ମଣ ରୂପେଣ ସେ କରନ୍ତି ଗମନ

ତାର୍ଥେ ପ୍ରବେଶ ହୋଅନ୍ତି ଅଣତିରିଶ ଦିନ।୫୬।

କକଡା ଶୁକଳପକ୍ଷ ପୌର୍ଣ୍ଣମୀର ଦିନ

ସେ ବେନି ନଗ୍ରେ ସାଂଗ୍ରାମ କରନ୍ତି ଅନ୍ୟୋଅନ୍ୟ।୫୭।

ସାଂଗ୍ରାମ ପାଞ୍ଚ ଦିନ ଥାଉଂ ନଗ୍ରେ ପଡ଼ିଲା ଘୋଷଣା

ୟେହି ଭୂମିବାର ଦିନ ଯୁଦ୍ଧଟି ସାଜହୋ ଧନୁତ୍ରୋଣ।୫୮।

 

ଘୋଷଣ ଶବଦ ଶୁଣି ଉଚ୍ଚବାଚେ

ରଥ ଗଜ ବାଜି ନାହିଂ ପାଦାନ୍ତି ଯୁଦ୍ଧ ସଞ୍ଚେ।୫୯।

ସାଜନ୍ତି ସହସ୍ରନ୍ତ ମାଜନ୍ତି ଖଡ଼ଗମାନ

ଗର୍ଜନ୍ତି ତର୍ଜନ୍ତି ଦୁର୍ଜନ ବିଧାନ।୬୦।

ତ୍ରିକଚ୍ଛ ବସନ ପିନ୍ଧନ୍ତି ମାଲକାଛେ

ଲମ୍ୱିତ ଜୁଡାନ୍ତ ଫେଡ଼ି ପାଡ଼ନ୍ତି ବେଣୀ ସୁସଞ୍ଚେ।୬୧।

 

ହସ୍ତରେ ଯଷ୍ଟି ଯେ ଗଳାରେ ମନ୍ଦାରର ମାଳା

କେ ଇଟାର ଧୂଳି ଭୂଷଣ କେ ବିଭୂତି ଭୂଷଣ କଳା।୬୨।

କର୍ଣ୍ଣରେ ଦୁଦୁରା କୁସୁମ ତାଳୁରେ ରଙ୍ଗ ଝୁମ୍ପା

ଭୀମସେନ ପଚାରଇ ପଣ୍ତା ହେ ତୁମ୍ଭର ୟେସନେକ ସରୂପ କିମ୍ପା।୬୩।

ବିଷ୍ଣୁକର ବୋଇଲେ ତୁମ୍ଭେ ଶୁଣିମା ଜୟବନ୍ତେ

ଉପର ବଂଶେ ଆମ୍ଭର ପିତାର ପାଳକ ପ୍ରୋହିତେ।୬୪।

 

ଯଶୋବନ୍ତୀ ନାମେଣ ତାହାଙ୍କର ବ୍ରାହ୍ମଣୀ

ଦୁଇ ପୁତ୍ର ଉପୁଜିଲା ମକର କେତନ ଜାଣି।୬୫।

ଭାଗ୍ୟବର ବସୁବର ଦୁହିଂଙ୍କର ନାମ

ବେଦମନ୍ତ୍ର ବାକ୍ୟେ କେହି ନାହିଂ ତାଙ୍କୁ ସରିସମ।୬୬।

ମକର ମାସେ ଯେ ଗଲେ ବଇତ୍ରଣୀ ସ୍ନାହାନେ

ୟେକା ମହାତ୍ମା ଉଦ୍ଦାଳେକ ଚଳନ୍ତି ଘୋର ବନେ।୬୭।

 

ବିଷ୍ଣୁକୂଟ ବୋଲି ୟେକଇ ପରବତ

ସୁରାନ୍ତକ ନାମେ ତହିଂ ଚଣ୍ତାଳେକ ଥିତ।୬୮।

ତାହାର ଦୁହିତା ନାମ ଅଟେ ହାଦେ ଶ୍ରୀୟା

ବନେ ୟେଠାୟେ ପ୍ରୋହିତଙ୍କୁ ଦେଖିଲା ଚାଣ୍ତାଳୁଣୀ ଶ୍ରୀୟା।୬୯।

ଉଦ୍ଦାଳେକ ପ୍ରୋହିତଙ୍କୁ ଧଇଲାକ ବଳେ

ଶୃଙ୍ଗାର କରାଇଲା ସେ ପର୍ବତର ତଳେ।୭୦।

 

ଚାଣ୍ତାଳୁଣୀ ଗର୍ଭେ ମୁନି ଛାଡିଲେ ମହାରେତ

ସଇନ୍ଦୁ ପୁତ୍ରେକ ହୋଇଲାକ ଜାତ।୭୧।

ୟେହି ମତି ସ୍ନାହାନେ ଯାନ୍ତି ନିତି

ବଳେଣ ଶୃଙ୍ଗାର ସେ କରାଇ ଦୁରାପାତି।୭୨।

 

ୟେମନ୍ତେ ମାସକେ ଉପୁଜିଲେ ଦଶପୁତ୍ର

ଦୁଷ୍ଟ ଆଚାରେ ସେ ଯେ ହୋଇଲେ ସାମରଥ।୭୩।

ବ୍ରାହ୍ମଣେ ଉତପତ୍ତି ହୋଇଲା ଦଶ ସନ୍ତତି

ଡରେଣ ବେନି ଭାଗ କଲେ ବ୍ରହ୍ମଯତି।୭୪।

ଓଡ଼ାଦି ଶିବ ନଗ୍ରେ ୟେ ଚାଣ୍ତାଳଙ୍କ ବାସ

ବରଷକେ ଦ୍ୱନ୍ଦ ହୋୟେ ୟେହି ଶ୍ରାବଣର ମାସ।୭୫।

 

କାଲି ଯେ ସାଂଗ୍ରାମ ହୋଇବ ୟେହି ନଗ୍ରେ

ତୁମ୍ଭେ ହେ ଯିବଟିକି କାଲି ଆମ୍ଭର ସାଙ୍ଗେ।୭୬।

କୋଇନ୍ତାୟେ ବୋଇଲେ ୟେ ଦୁଷ୍ଟ ପୁତ୍ର ଯେ ବାପୁଡ଼ା

ୟେହାକୁ ତୁମ୍ଭେ ଯେ ଉଦବେଗ ନ କରା।୭୭।

ଅହି ନୃପ ବଲୁରି ବ୍ୟାଘ୍ର ଭୟଙ୍କର

ଶ୍ୱାନ ମୂର୍ଖ ରକ୍ଷ ସିଂହ ମର୍କଟ ଆବର।୭୮।

 

ମହାଖଳା ଦେବତା ଆବର ବୀର ଚଣ୍ତ

ୟେହାନ୍ତ ଚାଳିଲେ ଉପୁଜଇ ଅବଶ୍ୟ ବିଖଣ୍ତ।୭୯।

ବ୍ରାହ୍ମଣ ବୋଇଲେ ଗୋ ଶୁଣିମା ମହାମାୟି

ପୁରୁଷ ହୋଇୟେ ନଗ୍ରେ ତ ରହି ନପାରଇ।୮୦।

ଭୀମସେନ ବୋଇଲା ମା ଗୋ କିଛିହିଂ ନକହ

ସାଂଗ୍ରାମକୁ ଯିବାବେଳେ ମୋତେ ତୁମ୍ଭେ ରାଅ।୮୧।

 

ଡରେଣ କୋଇନ୍ତାୟେ ହୋଇଲେକ ତୁନି

ଆର ବେଳେ ସମାସ୍ୟା ନ ଦିଲେ ଭୋଜର ନନ୍ଦିନୀ।୮୨।

ଭୀମକୁ ଘେନିଗଲେ ବିଷ୍ଣୁକର ଦ୍ୱିଜବର

ନେଇଣ ଉଭା କଲା ସେ ସଭାର ଉପର।୮୩।

ବ୍ରାହ୍ମଣେ ଦେଖିଣ ମହାତେଜ ମୂର୍ତ୍ତି

ଚତୁଃସମ ଖୋରାୟେ ଲେପନ କଲେ ଝାତି।୮୪।

 

ଶତେ ସରି ରତ୍ନମାଳା ନେଇ ଆଭରଣ କଲେ ହୃଦେ

ବୋଇଲେ ଆମ୍ଭେ ମୁକତି ହୋଇବା ତୁମ୍ଭର ପରସାଦେ।୮୫।

ଦେବାଙ୍କ ବସନ ଯେ ନେତର ପତନି

ଠାକୁର ସମାନେ ଆଭରଣ କଲେ ଆଣି।୮୬।

 

ସେ ଶିବପୁର ନଗ୍ରେ ଓଡ଼ାଦି ନଗ୍ରେ ରାଜା ନାହିଂ

ଘରେ ଘରେ ଠାକୁର ବୋଲାବନ୍ତି ସେହି।୮୭।

ଭୀମକୁ ପୂଜାକଲେ ଅନେକ ଗଉରୋବେ

ବରଣେ ଉଷତ ସେ ପ୍ରକୃତି ଦୁଷ୍ଟଭାବେ।୮୮।

ଓଡ଼ାଦି ନଗ୍ରୁଂ ବାହାର ହୋଇଲେ ଚାଣ୍ତାଳେ

ମାରିଣ ଜିତୁ ଅଛନ୍ତି ସେ ସର୍ବକାଳେ।୮୯।

 

ଖାଙ୍କର କେଶ ଯେ ବଦନ ବିକଟ

ପ୍ରଳମ୍ୱଶରୀର ଯେହ୍ନେ ଦିଶଇ ମୟୁରର କଣ୍ଠ।୯୦।

ଧୂସୁରା ଧୂସୁରା ଯେ କାଛେଟୀ ବାଳ ପୁଞ୍ଜି

ରେ ରେ କାର କରି ବାହାନାଦେ ଗଳଗାଜି।୯୧।

କୋନ୍ତ ଅସିବର ଛେଲ ଚକ୍ରଯାଠି

ଗଦା ମୁଦୁଗର ଉଭାରନ୍ତି ଡାକନ୍ତି ହାଦେ ଉଠି।୯୨।

 

ଧାଇଂଲେ ବ୍ରାହ୍ମଣେ ଯେ ଚାଣ୍ତାଳ ବଳଦେଖି

ପ୍ରହାରନ୍ତି ଶହସ୍ର ଯେ ଧର୍ମନ୍ତ ଉପେକ୍ଷି।୯୩।

ବ୍ରାହ୍ମଣଙ୍କୁ ଦେଖି ଧାଇଂଲେ ମତ୍ତାଳ ବଳ

ଶହସ୍ରେ ନିର୍ଜିତା ସେ ମଦିରା ରସେ ଭୋଳ।୯୪।

କଡ଼ା ମର୍ଦ୍ଦଳ ଯେ ଘୁମୁରା ଦାଉଂଣ୍ତି

ରେ ରେ କାର ଶବଦ କରିଣ ହୁଅନ୍ତି ପିଟା ପିଟି।୯୫।

 

କୁରୁଳି ବୋବି ଦିଅନ୍ତି ଅଣ୍ଟାରେ ଲାଇ ବିଣ୍ତା

ଯଷ୍ଟିନ୍ତ ବୁଲାଇ ଧାମନ୍ତି ପରଚଣ୍ତା।୯୬।

ମାର ମାର ବୋଲି ଉଠନ୍ତି ଗଳଗାଜି

ତ୍ରାସେଣ ବ୍ରାହ୍ମଣେ ପଳାଇଲେ ଭାଞ୍ଜି।୯୭।

ଗୋଡ଼ାଇ ପିଟନ୍ତି ଯେ କଚାଡ଼ନ୍ତି ଧରି

ରକତେ ନଦୀ କଲେ ବ୍ରାହ୍ମଣଙ୍କୁ ମାରି।୯୮।

 

ସିନ୍ଦୁର ବିଲେପନ ଯେହ୍ନେ ଭଇରୋବ ମହାକାଳେ

ସେହି ମତି ଦିଶନ୍ତି ମତ୍ତାଳ ଚାଣ୍ତାଳେ।୯୯।

ଅନେକ ଦ୍ୱିଜ ମାଇଲେ ବିକଟାଳ ଘୋର ରୂପେ

ଜୟେବନ୍ତ ତୁନୀ ହୋଇ ବସିଅଛି ଗୋପ୍ୟେ।୧୦୦।

ବିଷ୍ଣୁକର ଭୁଜ ଧରି ଅଛନ୍ତି ବାମ କରେ

ବିଷ୍ଣୁକର ବୋଇଲେ ପଣ୍ତା ହେ ପଳାଇଯିବା ଦୂରେ।୧୦୧।

 

କଟାଳ ବେଳ ଯାୟେଂ ରହି କିସ ବା କରିବା

ବହୁତର ନିମନ୍ତେ କିମ୍ପା ଆମ୍ଭେ ନାଶ ଯିବା।୧୦୨।

ଚଣ୍ତାଳଙ୍କ ହସ୍ତେ କି ପ୍ରାଣ ହରାଇବା।୧୦୩।

ଜୟେବନ୍ତ ବୋଇଲେ ହୋ ସାଂଗ୍ରାମକୁ ଅଇଲେ

କୃତାନ୍ତକ ଶାସ୍ତି ଦିଅଇ ଭାଜି ପଳାଇଲେ।୧୦୪।

 

ଜିଣିଲେ ଉଚ୍ଛବ ଯେ ମଲେ ସ୍ୱର୍ଗଲଭି

କ୍ଷତ୍ରୀଙ୍କର ଧର୍ମ ହୋ ଦୁଲଭ ସୁଲଭି।୧୦୫।

ଭୀମସେନ ବୋଇଲା ରହିଥାଅ ପଣ୍ତାୟେ

ଆସନ୍ତୁ ଚଣ୍ତାଳ ବଳ ଆମ୍ଭର କତି ଯାୟେ।୧୦୬।

ବିଷ୍ଣୁକର ପଣ୍ତାୟେ ବୋଇଲେ ଆସେ ପ୍ରତି ବରଷ

ଆମ୍ଭେ ଭାଞ୍ଜି ପଳାଉ ସେ ସମସ୍ତ କରନ୍ତି ଧ୍ୱଂସ।୧୦୭।

 

ଥୋକାୟେ ମାରନ୍ତି ସେ ଥୋକାୟେ ନିଅନ୍ତି ଧରି

ଛାଡ଼ି ଦିଅନ୍ତି ସେ ପୁଣ ସାତ ବେଣ୍ଟି କରି।୧୦୮।

ନଗ୍ର ପୋଡ଼ିଣ ଧନ ବସ୍ର କରନ୍ତି ସେ ଜୂର

ସୁନ୍ଦରୀ ବ୍ରାହ୍ମଣୀ ନେଇ ସେ କରନ୍ତି ଯେ ଘର।୧୦୯।

ୟେହି ମତି ହୋଇ ଯାଉଛି ସର୍ବ କାଳେ

ତାହାଙ୍କୁ ସମସରି ନୋହୁଂ ଆମ୍ଭେ କେଉଂଣିସି ବେଳେ।୧୧୦।

 

ଜୟେବନ୍ତ ବୋଇଲା ପଣ୍ତାୟେ ଥିରହୋଇ ରହ

ମୋ ଦେହ କମ୍ପୁଅଛି ୟେମନ୍ତ ନ କୁହ।୧୧୧।

ଯହୁଂ କଟାଳିଲେ ଚାଣ୍ତାଳ ବଳମାନ

ବିଷ୍ଣୁକର ପଣ୍ତା ଦୟନି କରଇ ଜୟବନ୍ତେଣ।୧୧୨।

ଚାଲିକିନା ପଳାଇଯିବା ଗୋସାଈଂ

ତୁହି ଆପଣେ ନାଶ ଯିବୁ କାହାର ପାଇଂ।୧୧୩।

 

ଭାଇମାନେ ତୋହୋର ମୋତେ ସମର୍ପିଣ ଗଲେ

ମାତା ମାହାତ୍ମାଣୀ ଆସୁଂ ନିରୋଧ ଯେ କଲେ।୧୧୪।

ଭୀମସେନ ବୋଇଲା ତୁମ୍ଭେ ଥାଅ ଥିର ହୋଇ

ୟେହିକ୍ଷଣି ମାରିବି ଯିବେ ଆର କାହିଂ।୧୧୫।

ବିଷ୍ଣୁକର ବିଚାରଇ ଜାଣିଲି ୟେହାର ମନ

ଦୃମୋଟା ଶରୀର ୟେହାର ଯେ ପର୍ବତ ସମାନ।୧୧୬।

 

ଡରେ କେହି ନଆସିବେ ୟେହାର କତିକି

ମୋତେ ପେଲି ପକାଇବ କଟାଳ ଯହୁଂ ଦେଖି।୧୧୭।

ମୋତେ ମାରିବେ ସେ ୟେ ପଳାଇଣ ଯିବ

ମୋହୋର ଗୃହବାସ ୟେ ମାଡ଼ିଣ ବସିବ।୧୧୮।

ସଞ୍ଚୟେ ବିଚାର ୟେ କଲା ପାପ ମନ

ଜଳ ତୁଣ୍ତିର ତୁଲେ ମୁଂ ହୋଇଲି ପ୍ରୀତମାନ।୧୧୯।

 

ଦନ୍ତେଣ ତିରଣ ଘେନି ସେ କରଇ ଦୟିନି

ଛାଡ଼ୁକିନା ଗୋସାଈଂ ମୋହୋର ଭୁଜ ବେନି।୧୨୦।

ୟେତେ ବିଚାରନ୍ତେ କଟାଳ କଲେ ଆସି

ଅନେକ ଦାରାଜ ଯେ ସମରେ ବରଷି।୧୨୧।

ସହସ୍ରେ ବ୍ରାହ୍ମଣ ଯହୁଂ ପଡ଼ିଲେ ନିମଜ୍ଜି

ରାଗେଣ ଭୀମସେନ ଉଠିଲା ଗଳଗାଜି।୧୨୨।

 

ଯେସନେକ ବରଷା କାଳେ ଦିଶଇ ବିଂଝଗିରି

ରାଗେ ବ୍ରିକୋଦର ବେନି ବୃକ୍ଷ ଯେ ଉପାଡ଼ି।୧୨୩।

ତମ୍ୱା ଚକ୍ର ପ୍ରାୟେ ଦିଶଇ ବେନି ଡୋଳ

ଗର୍ଜିଣ ମାରୁତି ଯେ ଉଠିଲା କୋପାଳନ।୧୨୪।

ବ୍ରହ୍ମାଣ୍ତ କମ୍ପିଲା ଯେ ଭୀମର ପାଦଘାତେ

ତରସ୍ତ ହୋଇଣ ରହିଲେ ଦୁରାପାତେ।୧୨୫।

 

ବୃକ୍ଷ ବୁଲାଇଣ ପିଟିଲା ପାବନି

ଭାଜି ପାଳାଇଲେ ଚାଣ୍ତାଳ ବଳ ସଇନି।୧୨୬।

ଗୋଡ଼ାଇ ମାଇଲା ତାଙ୍କୁ ବୀର ଭୀମସେନ

ମାରି ଲୋଟାଇଲା ଯେ ପଞ୍ଚବିଂଶ ଯୋଜନ।୧୨୭।

ମହାବାତେ ଯେସନେ କମ୍ପଇ କଦଳୀ ବନ

ପାଦଘାତେ ଉଠିଲା ରକ୍ତ ମାଂସ କର୍ଦ୍ଦନ।୧୨୮।

 

ପିଟଇ ବ୍ରିକୋଦର ବଜ୍ରର ବିଘାତେ

ନଗ୍ର ଛାଡ଼ି ପଳାଇଲେ ପଞ୍ଚବିଂଶ ଯୋଜନ ପରିଯନ୍ତେ।୧୨୯।

କାହାକୁ ମୁଥେ କାହାକୁ ଚାପୁଡ଼େ ପ୍ରହାର କରି

କେ ମୁଥଘାତେ ପଡ଼ନ୍ତି ବସୁନ୍ଧରୀ।୧୩୦।

ଜନ୍ମ କାଳେ ଯାହାର ପଡ଼ନ୍ତେ ଭାଞ୍ଜିଲା ଶତଶିଂଗ ଗିରି

ମାନବ ମାତ୍ରକେ କେହୁ ଅଛି ତାକୁ ସମସରି।୧୩୧।

 

ଦଣ୍ତ ଭଗ୍ନ ଦେଖିଣ ଧାଇଂଲେ ବ୍ରାହ୍ମଣେ

ଗୋଡ଼ାଇ ମାଇଲେ ଯେ ନଥୋଇଲେ ଜଣେ।୧୩୨।

ସମସ୍ତ ନାଶ କଲେ ସ୍ତିରୀବୃନ୍ଦ ଆଦିକରି

ଅନେକ ଧନ ଦ୍ରବ୍ୟ ଆଣିଲେ ଜୁରକରି।୧୩୩।

ସାମାନ୍ୟ ପୁଅନ୍ତ କଚାଡ଼ିଲେ ଦ୍ୱିଜବରେ

ନିକଳଙ୍କ କଲେ ସେ ଓଡ଼ାଦି ନଗ୍ର ପୁରେ।୧୩୪।

 

ଶିବପୁର ଆସ୍ତାନେ ବସିଲେ ଗନ୍ଧମାର୍ଦ୍ଦନ ନଦୀ କୂଳେ

ମହାମେଳ ହୋଇଲେ ଅନନ୍ତ ବଟର ତଳେ।୧୩୫।

ଦନ୍ତେ ତିରଣ ଧରି ଶରଣ ପଶନ୍ତି ଦ୍ୱିଜବରେ

ତ୍ରାହି ତ୍ରାହି ବୋଲି ପଡ଼ିଲେ ସମସ୍ତେ ଭୀମସେନ ପୟରେ।୧୩୬।

ଅନେକ କାଳର ୟେ ଅଟନ୍ତି ମହାମଲ୍ଲ

ବ୍ରାହ୍ମଣନ୍ତ ଉଦ୍ଧରିଲୁ ଧଂସିଲୁ ଚାଣ୍ତାଳଙ୍କ ବଳ।୧୩୭।

 

ବ୍ରାହ୍ମଣ ଚଣ୍ତାଳେ ହୋଇଥାଉ ୟେକ ଗୋଳ

ପ୍ରତିଦିନ ଗୋଳ ୟେ କରନ୍ତି ମତୁଆଳ।୧୩୮।

ଆମ୍ଭନ୍ତ ରକ୍ଷାକଲୁ ଦୁଷ୍ଟ ଜନନ୍ତ ବିନାଶି

ୟେ ରାଜ୍ୟେ ସ୍ୱାମୀ ତୁ ଅବିଷେକ ହୁଅସି।୧୩୯।

ଆମ୍ଭର ରାଜ୍ୟେ ସ୍ୱାମୀ ନିଶ୍ଚୟେ ତୋତେ ପାଟ

ୟେ ବେନି ରାଜ୍ୟ ମାଡ଼ି ତୁ ହୋଇବୁ ମୁରାଟ।୧୪୦।

 

ୟେ ଗନ୍ଧମାର୍ଦନ ନଦୀ ଅଟଇ ପରସିଦ୍ଧି

ଯେ ଅନନ୍ତ ବୈକୁଣ୍ଠରୁ ଅଛି ୟେହି ଭେଦି।୧୪୧।

ସମସ୍ତ ବ୍ରାହ୍ମଣେ ବେଦ ଅଧ୍ୟାନ ଯେ କଲେ

ମୃଦ୍ଧୁନା ଅବିଷେକୀ କରି ମଥାରେ ପାଟ ଯେ ବାନ୍ଧିଲେ।୧୪୨।

ଓଡ଼ାଦି ଶିବପୁର ନଗ୍ରେ ଅଧିକାରୀ

ଅମନାତ୍ୟ ପଣେ ବିଷ୍ଣୁ ପଣ୍ତାଙ୍କୁ ଦିଲେ ଶାଢୀ।୧୪୩।

 

ଜୟେବନ୍ତ ନାମେ ନୃପତି କାଳେବର

ରାଜ୍ୟ ବିଧି ନିଯୋଗ ମଢଫୁଲି ସୂପକାର।୧୪୪।

ପାତ୍ର ଅମନାତ୍ୟ ମହାପାତ୍ର ସାମଲ ଯେ ଜେନା

ପଦ ପଦ କରି ଶାଢୀ ଦିଲେ ଭୀମସେନା।୧୪୫।

ଆବାହନ ବିସର୍ଜନ ବିଷ୍ଣୁକର ପଣ୍ତା ମହାପାତ୍ରେ

ନଗ୍ରେକ ଭିଆଇଲେ ଲାଗିଣ ସମସ୍ତେ।୧୪୬।

 

ନବର ପରୀଚ୍ଛ ବିଷ୍ଣୁକର ପଣ୍ତାର ଘର

କୋଇନ୍ତାୟେ ରହିଛନ୍ତି ସେହି ଉଆସର।୧୪୭।

ସହସ୍ରେ ସୂପକାର ରାନ୍ଧନ୍ତି ମଢଫୁଲି

ବିଚାରଇ ଭୀମସେନ ୟେଘାନ୍ତି ସୁସ୍ତ ମୁଂ ପାଇଲି।୧୪୮।

ବନନର ମାନଙ୍କୁ ସେ ଖେଦଇ ଚଉକତି

ଆଣଇ ଧନଭଣ୍ତାର ରଥ ହୟେ ହସ୍ତୀ।୧୪୯।

 

କକଡା ସିଂଘ କନ୍ୟ ତୁଳା ବିଛା

ସମ୍ଭରେଣ ରାଜ୍ୟ ହୋଇଲା ସୁରକ୍ଷା।୧୫୦।

ବେଣ୍ଟେ ଯାଇଂ ଆଣଇ ଗଜ ଅଶ୍ୱ ଧରି

ଶାର୍ଦ୍ଦୋଳ ଓଟ ବ୍ୟାଘ୍ର ଗଣ୍ତା ଗୟଳ ମୃଗାରି।୧୫୧।

ନିଶାଣ ଟମକ ଯେ ବୀର ତୂର ବାଜି

ପଞ୍ଚ କ୍ଷେଉଣୀ ବଳ ସମ୍ଭର କରିଣ ଯେ ସାଜି।୧୫୨।

 

ଅନେକ ସାଧିଲା ବନ ନଗ୍ର ଖଣ୍ତ

ଅସ୍ତାନେ ଖଟିଲେ ଶତେ ପାରିଦଣ୍ତ।୧୫୩।

ଅନେକ ବ୍ରାହ୍ମଣ ଯେ କରନ୍ତି ପାଦପୂଜା

ବନ ନଗ୍ର ଦେଶେ କାଳେବର ମହାରାଜା।୧୫୪।

ମହା ସମ୍ଭର୍ବ କରି ସେ ସାଜଇ ସଇନୀ

ବୋଇଲା ହସ୍ତୀନାକୁ ବାହିବି ମୋର ନିଜ ବଳ ଘେନି।୧୫୫।

 

ବିଷ୍ଣୁକର ପଣ୍ତାଙ୍କର ଶିବପୁର ରାଜ୍ୟଲାଭ

 

ୟେଥୁ ଅନନ୍ତରେ ଶୁଣ ମନୁ ମହାଶୟେ

ଶ୍ରୀମହାଭାରଥ ଶୁଣି ପାପ କର କ୍ଷୟେ।୧।

ଗଉତମ ତୀର୍ଥ କଲେ ପଣ୍ତୁର ଚାରି ନାନେ

ରାତ୍ରେଣ ଚାଲନ୍ତି ଦିବସେ ରହନ୍ତି ବନେ।୨।

ଗଉତମୀ ସିଂଘ ଶୁକଳ ଅଷ୍ଟମୀର ଦିନ

ରାତ୍ର ପ୍ରହରେ ଥାଉଂ ମିଳିଲେ ତୀର୍ଥସ୍ଥାନ।୩।

 

ରାଜାମାନେ ବିଜେ କରି ଅଛନ୍ତି ସମସ୍ତେ

ଜାରା ନାରକା କାଳଯବନ ସହିତେ।୪।

ବାଣା ବଜ୍ରନାଭ ଯେ ସୟେମ୍ୱର ସହିତେ

କାଶୀଶ୍ୱର ରାଜା ଯେ ନିର୍ଝର ଗଣପତ୍ୟେ।୫।

ମାଳବ ବିରାଟ ସଂକୋଚନ ମାଧବ ବାଲ୍ଲିକ ଭଇରୋବ

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ସମସ୍ତ କଉରୋବ।୬।

 

ରାତ୍ରକାଳେ ରାଜାନ୍ତ ସମସ୍ତଙ୍କୁ ଦେଖିଲେ

ରାତ୍ର ଥାଉଂ ସ୍ନାହାନ ପିଣ୍ତ ଦାନ ଦିଲେ।୭।

ପଞ୍ଚ ଦିବସ ତହିଂ ରହିଲେ ପଞ୍ଚରାତି

ସ୍ନାହାନ ତର୍ପଣ ଯେ କରନ୍ତି ପାହାନ୍ତି।୮।

ଦିବସେଣ ଥାଆନ୍ତି ଗହନ ବିପୁନ୍ୟେ

ଅନେକ ପିଣ୍ତଦାନ ଦିଅନ୍ତି ରାଜାଗଣମାନେ।୯।

 

ବଦୟନ୍ତି ଅଗସ୍ତି ଶୁଣ ଯୁଗପତି

ଭୂରିସର୍ବାଙ୍କୁ ୟେକାନ୍ତେ ପୁଚ୍ଛନ୍ତି ଦ୍ରୋପଦ ନୃପତି।୧୦।

ଶୁଣ ସାବଧାନେ ପାର୍ଥିବ ନୃପତିର ସୁତ

ପାଣ୍ତବଙ୍କୁ ମୁହିଂ ଯେ ଖୋଜିଲି ବହୁତ।୧୧।

ଖୋଜି ନପାରିଲି ଦେବ ପଣ୍ତୁର ନନ୍ଦନ

ପାଣ୍ତବେ କାହିଂଛନ୍ତି କହ ସରୂପ ବଚନ।୧୨।

 

ଶୁଣିଣ ବୋଲନ୍ତି ଯେ ନୃପତି କୁଳସୁତେ

ଯାହା ପଚାରିଲୁ ରାଜା ଶୁଣସି ଦ୍ରୋପତେ।୧୩।

ଭୀମ ଦ୍ରିଯୋଧନ ଯେ ହୋଇଲେ ଅଭାବ

ଧୃତରାଷ୍ଟ ପାଣ୍ତବଙ୍କୁ ଦିଲା ବାରୁଣାବନ୍ତେ ଠାବ।୧୪।

ବାରୁଣାବନ୍ତେ ଯେ ଜଦୁର ଘରେ ଥିଲେ

ପାଞ୍ଚଭାଇ ମାତା ସହ ଦହନ ହୋଇଲେ।୧୫।

 

ପାଣ୍ତବଙ୍କର ମରିବାର ଚଉଦ ବରଷ ହୋଇଲା

ଶୁଣି ଦ୍ରୋପଦେଶ୍ୱର ଆଶ୍ରିଜହୋଇଲା।୧୬।

ଭୂରିସର୍ବା ମୁଖରୁ ନିଷ୍ଠୁର ବାକ୍ୟ ଶୁଣି

ବହୁତ ବିସରିଲା ପାଞ୍ଚାଳ ନୃପମଣି।୧୭।

ବିଚାରି ବୋଇଲେ ହୋଇଲା କିମ୍ପା ୟେମନ୍ତ

ଈଶ୍ୱରଙ୍କର ବର ଦେବାର ତ ନୋହିଲା ପରାପତ।୧୮।

 

ୟେତେ ବିଚାରି ଦ୍ରୋପଦ ନୃପମଣି

ବହୁତ ବିସରିଲା ଅର୍ଜୁନର ନାମ ଗୁଣି।୧୯।

ୟେବେ ରାଜାମାନନ୍ତ ମୁଂ କରିବି ବରଣ

ଈଶ୍ୱରଙ୍କର ସଞ୍ଚିଲାର ତ ହୋଇଲା ଅକାରଣ।୨୦।

ୟେତେ ବୋଲି ବିଚାରେ ଦ୍ରୋପଦ ନୃପବର

ଅର୍ଘ୍ୟ ଯୋଗାଡ଼ ଗୋଟିୟେ ଘେନିଲା ହସ୍ତର।୨୧।

 

ଚାରି ଊଣା ଲକ୍ଷେ ରାଜା ଅଛନ୍ତି ସମସ୍ତ

ଶ୍ରୀହସ୍ତେ ଅକ୍ଷତ ଶ୍ରୀଫଳ ଘେନିଣ ଦ୍ରୋପତ।୨୨।

ସମ୍ଭରେ ଆସ୍ତାନ ତଳେ ପ୍ରଣପତ୍ୟ କରଇ

କରପତ୍ର ଯୋଡ଼ି ଦ୍ରୋପଦ କାର୍ପୁଣ୍ୟେ ପଚାରଇ।୨୩।

ସାବଧାନ ହୋଇ ଶୁଣିମା ସକଳ ରାୟେ

ମୋହୋର ଅଛି ଦେବ ଦୋହିତା ଗୋଟିୟେ।୨୪।

 

ମହାଯାଗରୁ ଜାତ ହୋଇଲା ଜିଘ୍ନସେନୀ

ଦ୍ରୋପତୀ ସୟେମ୍ୱର କରିବି ରାଜାମାନନ୍ତ ଘେନି।୨୫।

ଅପୂର୍ବ ଲାଖେକ ମୁଂ କରିବି ନିର୍ମିତ

ତାହା ଯେ ବିନ୍ଧିବ ପ୍ରଦାନ ହୋଇବ ମୋହୋର ଦୋହିତ।୨୬।

ମକର ଶୁକଳ ଦୁତୀୟାର ଦିନ

ପ୍ରବେଶ ହୋଇବ ମୋହୋର ଭୁବନ।୨୭।

 

ଅକ୍ଷତ ଦେଇଂଣ ମୁଂ ସମସ୍ତଙ୍କୁ ବରି

ସରୂପ ଆଗ୍ୟାଂ ମୋତେ ଦେବାକ ନିରାଧାରି।୨୮।

ରାଜାୟେ ବୋଇଲେ ୟେ ଅଟଇ ମହାତୀର୍ଥ

ସମସ୍ତ ରାଜାୟେ ଆମ୍ଭେ ଧର୍ମ ନିମନ୍ତେ ଅଇଲୁ ୟେଥ।୨୯।

ୟେଥେଂ ସତ୍ୟ କରି ଯେବେ ସଭାକୁ ନଯିବୁ

ଯେ ଅବା ନଯିବ ତାକୁ ଅବରଣି କରିବୁ।୩୦।

 

ୟେ କଥା ଆମ୍ଭର ଅଲଘିଂତ ନିୟମ

ୟେହା ଯେ ନକରଇ ସେ ନ ପାଇ ତୀର୍ଥକଲା ଧର୍ମ।୩୧।

ନିମନ୍ତ୍ରଣ ବରଣକୁଗଲେ ଧର୍ମଅଛି

ନଗଲେ ଅଧର୍ମ ଆମ୍ଭେସମସ୍ତେ କରିବାଛି।୩୨।

ରାଜାମାନନ୍ତ ନିମନ୍ତ୍ରଣ କରି ଦ୍ରୋପଦେଶ୍ୱର ରାୟେ

ପଞ୍ଚାଳ ଦେଶକୁ ସମଦଣ୍ତ ଘେନିଣ ରାୟେ ଯାୟେ।୩୩।

 

ବ୍ୟାସଙ୍କୁ ଦେଖିଲେ ଗଉତମୀ ତୀର୍ଥ କୂଳେ

କରପତ୍ର ଯୋଡ଼ିଣ ପୁଚ୍ଛା କଲା ମହୀପାଳେ।୩୪।

ଭୋ ବ୍ୟାସେ ଦ୍ରୋପତୀ କି ଜାତ କଲି ଅର୍ଜୁନ ନିମନ୍ତେ

ପାଣ୍ତବେ କାହିଂ ଛନ୍ତି କହିବା ମୁନି ମୋତେ।୩୫।

ମୁହିଂ ପୁଚ୍ଛା କଲି ହାଦେ ଭୂରି ଯେ ସର୍ବାଙ୍କୁ

ସମସ୍ତେ ଅଛ ତ ନ ଦେଖିଲି ପାଣ୍ତବଙ୍କୁ।୩୬।

 

ଭୂରିସର୍ବାୟେ ବୋଇଲେ ପାଣ୍ତବେ ବାରୁଣାବନ୍ତେ ଥିଲେ

ଜଦୁର ଘର ଦହନେ ସମସ୍ତେ ନାଶ ଗଲେ।୩୭।

ଚଉଦ ବରଷ ହୋଇଲାନି ପାଣ୍ତବଙ୍କର ମଲା

ଭୋ ବ୍ୟାସେ ମୋତେ ୟେମନ୍ତ ବୋଲି ଭୂରିସର୍ବା କହିଲା।୩୮।

ବ୍ୟାସେ ବୋଇଲେ ହୋ ଶୁଣିଲୁ ୟେମନ୍ତ

ଦ୍ରୋପତୀକି ୟେବେ ତୁ କରିବୁ କେମନ୍ତ।୩୯।

 

ବ୍ୟାସେ ବୋଇଲେ ତୁ ୟେବେ ସୟମ୍ୱର କର

ଆମ୍ଭେ ଲାଖେକ ପାତିବୁ ତୋହୋର ସଭାର।୪୦।

ଦ୍ରୋପଦ ବୋଇଲେ ରାଜାମାନଙ୍କୁ ନିମନ୍ତ୍ରଣ କଲି ମୁଇଂ

ମାଘର ପ୍ରଥମ ପକ୍ଷେ ଯିବଟି ତୁମ୍ଭେ ସମସ୍ତହିଂ।୪୧।

ତୁମ୍ଭେ ଥାଇଣ ଭିଆଇବ ସମସ୍ତ

ତୁମ୍ଭେହେଂ ପ୍ରଦାନ କରିବ ତୁମ୍ଭେ କରିଅଛ ଜାତ।୪୨।

 

ସମଦଣ୍ତ ଘେନିଣ ବାହୁଡ଼ଇ ଦ୍ରୋପତ

ତାହାର ପଛେ ଚଳନ୍ତି ପାଣ୍ତବ ଚାରିଭ୍ରାଥ।୪୩।

ଦ୍ରୋପଦ ଚଳିଲାକ ନିଜର ଭୁବନେ

ଯେ ଯାହାର ଦେଶକୁ ଗଲେ ରାଜାମାନେ।୪୪।

ପାଣ୍ତବେ ଚଳିଲେ ଯେ ଓଡ଼ାଦି ଶିବପୁରେ

ଦେଖିଲେ ସେ ରାଜ୍ୟେ ହୋଇଅଛି ମହା ଯେ ସମ୍ଭରେ।୪୫।

 

ରଥ ଗଜ ଅଶ୍ୱ ସଇନି ପାଦାନ୍ତି

କେବଣ ରାଜା ଅବା ମାଡ଼ି ବସିଲାକ ୟେଥି।୪୬।

ୟେତେକ ବିଚାରିଣ ଯେ ରହିଲେ ବନବାସେ

ରାଜ୍ୟେ ଭିତରକୁ ନପଶିଲେ ଦିବସେ।୪୭।

କଟକ ଭିତରେ ପଶିଲେ ନିଶାରାତି

ଶୂନ୍ୟ ମନ୍ଦିରେ ଦେଖିଲେ ୟେକା ଅଛନ୍ତି କୋଇନ୍ତୀ।୪୮।

 

ସଙ୍କୋଚେଣ ପାଣ୍ତବେ ନପଶିଲେ ଭିତରେ

ଜୟେବନ୍ତ ଜୟେବନ୍ତ ବୋଲି ଡାକନ୍ତି ଦୁଆରେ।୪୯।

ଭିତରେ ଥାଇଂ ଦେବୀ ବାରିଲେ ଯୁଝେଷ୍ଠିଙ୍କ ତୁଣ୍ତ

ବାହାର ହୋଇଲେ ଦେବୀ କରେଣ ଜଳଭାଣ୍ତ।୫୦।

ମାତାଙ୍କର ଚରଣେ ପ୍ରଣପତ୍ୟ ଚାରି ଭାଇ

ଯୁଝେଷ୍ଠି ପୁଚ୍ଛା କଲେ ମା ଗୋ ଭୀମସେନ ଅଛି କାହିଂ।୫୧।

 

ମାତାୟେ ବୋଇଲେ ବାବୁ ଆସ ଭିତରକୁ

ସୁସ୍ତ ହୋଇ ବସ କିନା ମୁଂ କହଇ ତୁମ୍ଭଙ୍କୁ।୫୨।

ସ୍ନାହାନ ଶୁଚିବନ୍ତ ହୋଇ ପଶିଲେ ଭିତରେ

ଅନ୍ନ ପୁଡ଼ାୟେ ମାୟେ ଦିଲେ ଦିବ୍ୟସାରେ।୫୩।

ଭୋଜନ ସାରିଣ ସେ ଆଞ୍ଚୋବନ କଲେ

ସୁସ୍ତ ହୋଇ ବସିଲେ କୋଇନ୍ତାୟେ କହିଲେ।୫୪।

 

ତୁମ୍ଭେ ତେଣେ ଗଲ ବାବୁ ଗଉତମ ତୀର୍ଥେ

କକଡା ପୌର୍ଣ୍ଣମୀ ଦିନ ଯୁଦ୍ଧ ହୋଇଲାକ ୟେଥେ।୫୫।

ବିଷ୍ଣୁକର ପଣ୍ତା ଯେ ଭୀମକୁ ଘେନିଗଲା

ଓଡ଼ାଦି ଶିବପୁରେ ଭୀମ ଚଣ୍ତାଳ ସବୁନ୍ତି ମାଇଲା।୫୬।

ଶିବପୁରେ ବ୍ରାହ୍ମଣେ ଅବଧାରି କଲେ

ସେ ବେନି ନଗ୍ରେ ଭୀମସେନକୁ ଅବିଷେକ କରାଇଲେ।୫୭।

 

ବିଷ୍ଣୁକର ପଣ୍ତାୟେ ରାଜ୍ୟରେ ମହାମନ୍ତ୍ରୀ

ପ୍ରତଗ୍ୟାଂ ବହିଲା ଭୀମ କାଳେବର ଚକ୍ରବ୍ରତୀ।୫୮।

ଅନେକ ବନ ନଗ୍ର ମାରି ଘେନିଣ ଅଇଲା

ରଥ ଗ ଜଅଶ୍ୱ ପାଞ୍ଚ କ୍ଷେଉଣୀ ବଳ କଲା।୫୯।

ଯୁଝେଷ୍ଠି ବୋଇଲେ ଆମ୍ଭେ ଗଲୁ ଯେ ଋଷଭ

ମିଥୁନ କକଡ଼ା ସିଂଘ କନ୍ୟ ତୁଳ ମାସ ଛ ହୋଇବ।୬୦।

 

ଭୀମ ଭିଆଇଲା ୟେସନେକ ଚରିତ

ଦ୍ରିଯୋଧନ ତୁଲେ କରନ୍ତା ଦ୍ୱନ୍ଦ ଯାଇଥିଲେ ତୀର୍ଥ।୬୧।

ତୁମ୍ଭେ ଯେ ୟେଥେଂ ଗୋ ୟେକା ରହିଅଛ ମାତା

ତୁମ୍ଭନ୍ତ ନକଲା ସେ ଦୟା ଭାବ ଚିନ୍ତା।୬୨।

କୋଇନ୍ତାୟେ ବୋଇଲେ କଉଂଲକ୍ଷଣେ ଜାତ କଲି ତାହାକୁ

ଶତ୍ରୁ ପ୍ରାୟେ କରି ବୁଝିଥାଇ ମୁକୁ।୬୩।

 

ଯୁଝେଷ୍ଠି ବୋଇଲେ ମାତା ଗୋ କେମନ୍ତ କରିବା

ଦ୍ୱାରେଣ ଯାଇ ଗୋ ବାରତା କରାଇବା।୬୪।

ପୋଅନ୍ତ ଘେନିଣ କୋନ୍ତଭୋଜର କୁମାରୀ

ଦ୍ୱାର ନାୟକକୁ କଲ୍ୟାଣ ଅବଧାରି।୬୫।

ବାବୁ ଆମ୍ଭେ ତୀର୍ଥବାସୀ ବ୍ରାହ୍ମଣ ଜଣ ଚାରି

ଆମ୍ଭଙ୍କୁ ଦ୍ରଶନ କରାଇ ପାରିବକି ପଢିଆରୀ।୬୬।

 

ଦ୍ୱାର ନାୟକ ବୋଇଲା ୟେ ଦଣ୍ତେ ରହିଥିବା

ଦେବାର୍ଚ୍ଚନ ବେଳେ ନେଇ ତୁମ୍ଭଙ୍କୁ ଦ୍ରଶନ କରାଇବା।୬୭।

ୟେତେ ବୋଲି ରୁହାଇ ଗଲେ ଦୂତକାରୀ

ରାଜାଙ୍କ ଛାମୁରେ କହିଲା କର ଯୋଡ଼ି କରି।୬୮।

ଭୋ ଦେବ ଅବଧାନ ହୋଇବା କାଳେବର କାଳଦଣ୍ତ ଚକ୍ରବ୍ରତୀ

ପଶ୍ଚିମ ସୋମରାଷ୍ଟର ଚାରି ଜଣ ଦ୍ୱିଜବରଆସିଛନ୍ତି।୬୯।

 

ମାତା ମହାତ୍ମାଣୀ ଅଛନ୍ତି ତାହାଙ୍କର ତୁଲେ

ଜୟନ୍ତ ଅଜୟ ଜୟସେନ ଜୟରାଷ୍ଟ ବୋଇଲେ।୭୦।

ଯାଇଣଥିଲେ ଦେବ ଯେ ଗଉତମୀ ତୀର୍ଥକୁ

ଦ୍ରଶନ କରି ଲୋଡ଼ନ୍ତି ଦେବ ଆସିବେ କି ଛାମୁକୁ।୭୧।

ବିଷ୍ଣୁକର ମହାମନ୍ତ୍ରୀ କହିଲେ କର୍ଣ୍ଣଲାଗି

ତୁମ୍ଭର ମାୟେ ୟେବେ ଛାମୁକୁ ଆସନ୍ତି ବେଗି।୭୨।

 

ଯୁଗତେଣ ସୋଦର ଆବର ତୀର୍ଥବାସୀ

ମୁଖ ଚାହାନ୍ତେ ଦେବ ପାତକ ହେବ ଧଂସୀ।୭୩।

ଭୀମସେନ ବିଚାରଇ ମନେ ମନେ ଗୁଣି

ବନେ କନ୍ଦମୂଳ ଖୁଆଇବେ ନେଇ ପୁଣି।୭୪।

ସ୍ୱାମୀ କେମନ୍ତ ଆଗ୍ୟାଂ ହୋଇଲା ପୁଚ୍ଛନ୍ତି ଦୂତକାରୀ

ରାଗେଣ ଚାହିଂଲା କାଳ ନୟନ ଚକ୍ରକରି।୭୫।

ଭୟେ ପଳାଇଲେ ଦ୍ୱାରପାଳମାନେ

ଯାଇଂଣ କହିଲେ ସେ ବ୍ରହ୍ମଣଙ୍କ ସନ୍ନିଧାନେ।୭୬।

 

ପଣ୍ତା ହେ ଠାକୁରଙ୍କର କୋପ ଯେ ହୋଇଲା ତୁମ୍ଭଙ୍କୁ

ଆଗ୍ୟାଂ ନୋହିଲା ତୁମ୍ଭେ ଛାମୁକୁ ଯିବାକୁ।୭୭।

ଆବର ଆମ୍ଭଙ୍କୁ କୋପ ହୋଇଲା ବହୁତ

ତୁମ୍ଭେ ଛାମୁକୁ ଗଲେ ଅପ୍ରାଧ ପାବନ୍ତ।୭୮।

ଯୁଝେଷ୍ଠି ବୋଇଲେ ବାବୁ ଘୁଞ୍ଚ ହୋ ଅରଜୁନ

ଦୁଷ୍ଟନ୍ତ ପ୍ରବୋଧିବା ମାଧୁର୍ଯ୍ୟ ବଚନ।୭୯।

 

ଆମ୍ଭର ତୁଲେ ପାଉଥିଲା ସେ ବଡ଼ ଦୁଖ

ରାଜନୀତି ହୋଇବନା ଅତି ବଡ଼ ସୁଖ।୮୦।

ୟେତେକ ବୋଲିଣ ସେ ଘୁଞ୍ଚିଲେ ଦେବ ଧର୍ମେ

ବାହୁଡ଼ି ବନସ୍ତେ ପଶିଲେ ନିଜକର୍ମେ।୮୧।

ଉତ୍ତରୀ ପବିତ୍ରା ଘେନି ସୁମନ୍ତେକ ପ୍ରୋହିତେ

ଭୀମସେନ ତହିଂକି ଯାଆନ୍ତି ସେ ନିତ୍ୟେ।୮୨।

 

ଯୁଝେଷ୍ଠି ଦେଖି ସେ ମୁନିଙ୍କି କଲେ ନମସ୍କାର

କଲ୍ୟାଣ କରି ପୁଚ୍ଛିଲେ ମୁନି ଭୀମନ୍ତ ନାହିଂ ଯେ ବାବୁ ତୁମ୍ଭର ସଙ୍ଗର।୮୩।

ଯୁଝେଷ୍ଠି ବୋଇଲେ ସେ ଆମ୍ଭନ୍ତ ଉପେକ୍ଷି

ଶିବପୁର ନଗ୍ର ଭୀମା ରାଜା ହୋଇଅଛି।୮୪।

ଆମ୍ଭନ୍ତ ଦେଖିଣ ସେ ନ କଲାକ କତି

ଶୁଣିଣ ହସିଲେ ସେ ସୁମନ୍ତେକ ବ୍ରହ୍ମଯତି।୮୫।

 

ତୁମ୍ଭେ ଯେ ବସିଥଅ ୟେହି ଠାବରେଣ

ଭୀମକୁ ଘେନିଣ ଆମ୍ଭେ ଆସିବୁଂ ୟେହି କ୍ଷଣ।୮୬।

ଯୁଝେଷ୍ଠି ସମାର୍ଜି ଗଲେ ପୁରୋହିତେ

ପବିତ୍ରା ଉତ୍ତରୀ ଲାଗି କରାଇଲେ ଭୀମସେନର ଗାତ୍ରେ।୮୭।

ପୁରୋହିତେ ବୋଇଲେ ତୁ ଯେ ଅଗ୍ୟାନ ମୂରୁଖ

ଯୁଝେଷ୍ଠିଙ୍କି ଉପେକ୍ଷିଣ ତୋର କିସ ରାଜ୍ୟ ସୁଖ।୮୮।

 

ଭୀମସେନ ବୋଇଲା ତୁମ୍ଭେ ତୁନୀ ହୋଇଥାଅ ମୁନ୍ୟ

ମୁହିଂ ଘାନ୍ତିୟେ ଯାଇ ଆସଇ ହସ୍ତିନା ଭୁବନ।୮୯।

ଧୃତରାଷ୍ଟ ପୁଅନ୍ତ ମୁଂ ମାରି ଆସଇ ରଣ

ତେବେ ସେ ହୋଇବି ଯୁଝେଷ୍ଠିଙ୍କ ସଙ୍ଗତେଣ।୯୦।

ସୁମନ୍ତେକ ବୋଇଲେ ସେ ହସ୍ତିନାରେ ନାହିଂ

ଦ୍ରୋପଦ ପୁରକୁ ଗଲେନି ସବୁ ରାଜାୟେ ଦଣ୍ତବାହି।୯୧।

 

ଦ୍ରୋପଦ ରାଜା ଯେ କରିଅଛି ସୟମ୍ୱର

ଲକ୍ଷେକ ନୃପତି ରୁଣ୍ତ ହୋଇବେ ତାହାର ପୁର।୯୨।

ରାଧାଚକ୍ର ଲାଖ ବିନ୍ଧିବ ଯେ ବୀର ଫାଲଗୁନି

ତୁମ୍ଭଙ୍କୁ ପ୍ରାପତ ହୋଇବ ସେ ଜିଘ୍ନସେନୀ।୯୩।

ଅନେକ କଉତୁକ ଯେ ହୋଇବ ରଣ ରଙ୍ଗ।

ତୁ ୟେବେ ଯାଅ ବାବୁ ଯୁଝେଷ୍ଠିଙ୍କ ସଙ୍ଗ।୯୪।

 

ଶୁଣିଣ ମହା ସାନନ୍ଦ ବୀର ଯେ ମାରୁତି

ପଞ୍ଚାଳ ଦେଶେଣ ଯେ ଭେଟିବା କୁରୁପତି।୯୫।

ଭୀମସେନ ବୋଇଲା ରାଜ୍ୟ ଜନନ୍ତ ଯେ ରାଇ

ରାଜା ହୋଇ ପୁତ୍ର ଭାରିଯା ମୋହୋର ତ ନାହିଂ।୯୬।

 

ମୁହିଂ ୟେବେ ଯିବି ପ୍ରାଗ ତୀର୍ଥକୁ

ବିଷ୍ଣୁକର ମହାପାତ୍ରେ ଠାକୁରଟି ତୁମ୍ଭଙ୍କୁ।୯୭।

ସୁମନ୍ତେକ ପୁରୋହିତେ ଆଗ୍ୟାଂ ଅବଧାରି

ଶିବପୁରେ ହୋଇଲେ ବିଷ୍ଣୁକରେ ଅଧିକାରୀ।୯୮।

ଶୁଣ ହୋ ପଣ୍ତିତଜନେ ହୋଇ ସାବଧାନେ

ସମସ୍ତ ସୁଫଳ ହୋଇଟି ମହତଙ୍କର ଦରଶନେ।୯୯।

 

ବିଷ୍ଣୁଙ୍କର ପଣ୍ତା ଯେ ନଗ୍ର ବାହିଯ୍ୟ ହୋଇଥିଲା।

କୋଇନ୍ତାଙ୍କର କଲ୍ୟାଣେ ବେନିପୁତ୍ର ଯେ ହୋଇଲା।୧୦୦।

ସଭାରୁ ବାହାର କଲେ ପନ୍ତିରେ ନ ବରି

ଅନ୍ତେଣ ହୋଇଲା ସେ ରାଜ୍ୟରେ ଅଧିକାରୀ।୧୦୧।

ମହତ ସେବା କଲେ ୟେସନେକ ବିଧି

ମହତ ଦରଶନେ ସକଳ କାର୍ଯ୍ୟ ସିଦ୍ଧି।୧୦୨।

 

ସୁମନ୍ତେକ ମୁନି ଘେନିଗଲେ ବ୍ରିକୋଦର

ନେଇଂଣ ଦ୍ରଶନ କରାଇଲେ ଯାଇଂ ଯୁଝେଷ୍ଠିଙ୍କ ଛାମୁର।୧୦୩।

ଭୀମସେନ ଯୁଝେଷ୍ଠିଙ୍କ ଚରଣେ ପରିଣାମି

ଭୀମସେନ ଶରୀର ଆଶ୍ୱସନା କଲେ ଦେବ ସ୍ୱାମୀ।୧୦୪।

ତହୁଂ ବିଜେ କରିଗଲେ ସୁମନ୍ତେକ ପୁରୋହିତେ

ଅଗମ୍ୟ ବନସ୍ତେ ଚଳନ୍ତି ଯେ ପଞ୍ଚୁଭ୍ରାଥେ।୧୦୫।

 

ଶିବପୁର ନଗ୍ର ଜିଣି ଉତ୍ତର କୋଣ ଆଡ଼େ

ତିନିଶତ ଯୋଜନ ଗଲେ ମହୋଦଧିକଇଂ ଛାଡ଼େ।୧୦୬।

 

ବକାସୁର ବୃତ୍ତାନ୍ତ

ଶୁଦ୍ଧତପା ନାମେଣ ଅଛଇ ୟେକ ନଦୀ

ଆକାଶ ଗଙ୍ଗାରୁ ମଉଦଧିକି ଅଛି ଭେଦି।୧।

ସେ ନଦୀର ତୀରେ ୟେକଇ ନଗ୍ର ଗୋଟିୟେ

ୟେକା ଚକ୍ର ବୋଲିଣ ତାହାର ନାମ ହୋୟେ।୨।

ବିପ୍ର ଆଦି କରି ଅଷ୍ଟାଦଶ ଜନ କୁଳ

ନିର୍ମଳ ସ୍ଥାନ ଦେଖି ବସନ୍ତି ସକଳ।୩।

 

ନଦୀ କୂଳ ପରିମଳ ଶଉଚ ପୁଣ୍ୟ ଭୂମି

ବହଇ ମାହେଶ୍ୱରୀ ନଦୀ ଉତ୍ତରଗାମୀ।୪।

ବନ ତେଜିଣ ଗମନ୍ତି ସେ ପଞ୍ଚୁବୀରେ

ଭିକ୍ଷା କୁତୋହୋଳେ ପଶିଲେ ସେ ପୁରେ।୫।

ଯୁଝେଷ୍ଠି ସଉରଭ ପାତ୍ର ଭୀମସେନ ଚକ୍ରଭାର

ହରି ଗୋବିନ୍ଦ ମୁଣି ଅର୍ଜୁନ ହସ୍ତର।୬।

 

ନକୁଳ ତମ୍ୱା କପୋରା ସହଦେବ ହାଥେ ପାତ୍ରୀ

କଉତୁକେ ନଗ୍ରେ ବିହରନ୍ତି ପଞ୍ଚୁ ଛତ୍ରୀ।୭।

ଦେଖନ୍ତି ଜନଗହନ ମହାନଗ୍ର ଗୋଟା

ସମସ୍ତେହେଂ ଭାଗ୍ୟବନ୍ତ ଶରୀର ଦୃମୋଟା।୮।

ଭ୍ରମନ୍ତେ ଭ୍ରମନ୍ତେ ଆଦିତ୍ୟ ଅସ୍ତି ଗୟେ

କାହିଂ ରହିବା ବୋଲି ଭାଳନ୍ତି ସଂଶୟେ।୯।

 

ବେଦଶର୍ମଣ ବୋଲି ୟେକଇ ଦ୍ୱିଜବର

ଭିକ୍ଷା ପାତ୍ର କଲେ ନେଇ ତାହାଙ୍କର ଦ୍ୱାର।୧୦।

ସେ ବେଦଶର୍ମଣ ପଣ୍ତା ଅଟନ୍ତି ଭିକ୍ଷା ବାସୀ

ତାହାଙ୍କ ଦ୍ୱାରେ ବେଦ କରାଣ୍ତିୟେ ଘୋଷି।୧୧।

ବିସ୍ମୟେ ବ୍ରାହ୍ମଣୀ ଯେ ହୋଇଲା ତାହା ଚାହିଂ

ପଣ୍ତାୟେ ଭିକ୍ଷାରୁ ନୁଆସନ୍ତି ଦେବାକୁ କିଛି ନାହିଂ।୧୨।

 

ମୋହୋର ସ୍ୱାମୀ ୟେହି ମତେ ଭିକ୍ଷାବାସୀ

ଯିବ ତ ବୋଲି ତ ମୋହୋର ବଚନକୁ ନୁଆସି।୧୩।

ଯେ ସେ ହୋଅନ୍ତା ମହତ ଦୟାବନ୍ତ

ବଚନ ମଧୁର କହି ବୋଧନ୍ତା ତାହାନ୍ତ।୧୪।

ବଚନ ସମାର୍ଜି ବୋଲନ୍ତି ଭିକ୍ଷାରୁ ଆସନ୍ତୁ ମୋହୋର ସ୍ୱାମୀ

ଅତିଥି ତ୍ରିପୁତି କରି ତଣ୍ତୁଳ ଅଧେ ଦେମି।୧୫।

 

ବ୍ରାହ୍ମଣୀ ବୋଇଲା ଗୋ ଅପାର ହୋଇଲାନି ନିଶି

ମୋହୋର ଘରେ ଆଜକ ବସା କରି ରହସି।୧୬।

ଦଇବେ ଭିକ୍ଷାଶୀ ଘରେ ନାହିଂ କିଛି

ଉଆସରୁ ଅଧେକ ଯେ ତୁଚ୍ଛା ହୋଇଅଛି।୧୭।

ତହିଂ ଭିତରେ ରୁହାଇଲେ ନେଇ

ରହିଲେ ପାଣ୍ତବେ ମହା ସୁସ୍ତ ପାଇଂ।୧୮।

 

ସନ୍ନିଧ୍ୟେ ବସି ବ୍ରାହ୍ମଣୀ ସରୂପ ପଚାରି

ବେଦଶର୍ମଣ ପଣ୍ତାୟେ ଅଇଲେ ଭିକ୍ଷା କରି।୧୯।

ବ୍ରାହ୍ମଣୀ ଆସିଣ ସନିଧ୍ୟେ ହୋଇଲେକ ବେଗେ

ସମସ୍ତ କଥା ବ୍ରାହ୍ମଣୀ କହିଲା ବ୍ରହ୍ମଣଙ୍କ ଆଗେ।୨୦।

ତାହାର ଭିକ୍ଷା ଯେତେକ ସେ ଆଣିଥିଲା

କଣ କଳ୍ପ ଥୋଇ ଆଉ ହାଣ୍ତିରେ ଭରିଲା।୨୧।

 

ହାଣ୍ତି ତଣ୍ତୁଳ ମୁଗ ନାନାଦି ପରିବା

ଛାମୁରେ ବେଦଶର୍ମଣ ପଣ୍ତା ଥୋଇ ଅନେକ କଲଇ ସେବା।୨୨।

ୟେ ନଗ୍ରରେ ତୁମ୍ଭେ ଥିବ ଯେତେ ଦିନ

ମୁହିଂ ତୁମ୍ଭଙ୍କୁ ଦେଉଥିବି ଅନ୍ନ ଯେ ଭୋଜନ।୨୩।

ଯହୁଂ ଉଆସରୁ ଅଧେକ ଦିଲେ ବେଦଶର୍ମଣ

ରହିଲେ ନିଶ୍ଚିତେ ମାଆନ୍ତ ଘେନି ଷଡ଼ଜଣ।୨୪।

 

ଦିବସ ଭିକ୍ଷାକୁ ସଜ ହୋଅନ୍ତି ଚାରିଭାଇ

କୋଇନ୍ତାୟେ ବୋଇଲେ ସଙ୍ଗେ ନ ନିଅ ଭୀମକଇ।୨୫।

ଯୁଝେଷ୍ଠି ବୋଇଲେ ଭୀମ ନ ଯାଉ ଭିକ୍ଷାକୁ

ବହୁତ ଦିଅନ୍ତା ନାହିଂ ଅଳପ ନଦିଶଇ ୟେହାକୁ।୨୬।

ଯିବ ତ ବୋଲିଣ ୟେହାକୁ ଯେବଣ ଜନ ବୋଲିବ

କୁଡ଼ିଆ ଭାଙ୍ଗି ତାର ସବୁନ୍ତି ମାରିବ।୨୭।

 

ଭୀମସେନ ମାତା ଦୁହିନ୍ତି ଘରେ ଛାଡ଼ି

ଭିକ୍ଷା ପାତ୍ରେ ୟେକଚକ୍ରା ନଗ୍ରେ ସୁଖେଣ ବିହଡ଼ି।୨୮।

ଯିସ ଅବା ଭିକ୍ଷାରୁ ନିଅନ୍ତି ଉପୁଚାଇ

ଆପଣେ ପାଞ୍ଚନ କରନ୍ତି କୋଇନ୍ତାଦେବୀ ଆଈ।୨୯।

ଦୁଇ ଭାଗ କରି ଅଧେକ ଦିଅନ୍ତି ଭୀମକୁ

ୟେହାଙ୍କର ଅଧକରୁ ଦିଅନ୍ତି ଦେବତା ଅତିଥିଙ୍କୁ।୩୦।

 

ଯେତେକ ଭାତରୁ ଗଳଇ ପେଜ ଫୁଟିୟେ

ଭୀମକୁ ଦିଅନ୍ତି ତାହା କୋଇନ୍ତାଦେବୀ ମାୟେ।୩୧।

ଅଧେକ ଆହାର ଯେ କରଇ ଭୀମସେନ

କାହାକଇ କଥା ନ କହଇ ଅବିକ୍ଷଣେ କୋପମନ।୩୨।

ତୁଳ ବିଛା ତହିଂ ରହିଲେ ମାସ ବେନି

ଧନୁମାସର ଭୋଗ ହୋଇଲା ଦିନା ତିନି।୩୩।

 

ଧନୁମାସ କୃଷ୍ଣପକ୍ଷ ଦୁତୀୟାର ଦିନ

ବେଦଶର୍ମଣ ବ୍ରାହ୍ମଣୀକି ବୋଲଇ ବଚନ।୩୪।

ଶରୀର ଅଳସ ମୋର କପାଳ ବଥାଇ

ଆଜକ ଭିକ୍ଷାକୁ ଗୋ ମୁଂ ନ ପାରଇ ଯାଇ।୩୫।

ବ୍ରାହ୍ମଣୀ ବୋଇଲା ଯେବେ ଅଳସ ତୁମ୍ଭର କାୟେ

ଥାଅ ଭିକ୍ଷାକୁ ତୁମ୍ଭେ ନଯାଅ ପଣ୍ତାୟେ।୩୬।

 

ଘରେ ତଣ୍ତୁଳତ ଗୋଟିୟେ କାହିଂ ନାହିଂ

ସ୍ୱାମୀ ଆଳସ କଲେ କେମନ୍ତେ ଦିନ ବଞ୍ଚିବଇଂ।୩୭।

ବ୍ରାହ୍ମଣକୁ ମୁଂ ଯେବେ ପଠିଆଇବି ବଳେ

ଘରଣୀ ପଣ ମୋର ଦିଶିବ ସର୍ବ କାଳେ।୩୮।

ବୋଲିବେ ୟେକା ଦିନେ ୟେବେ ନ ପାରିଲୁ ପୂରୋଇ

କେତେଦିନ ଅଳସ ହୋଇବା ରକତ ମାଂସ ଦେହ ବହି।୩୯।

 

ଜରା ଅବସ୍ତା ରୋଗ ବ୍ୟାଧି ଯେ ହୋଇଲେ

ସଭିୟେଂ ମରିବା ତ ମୋହୋର ଭିକ୍ଷାକୁ ନ ଗଲେ।୪୦।

ୟେତେ ବୋଲି ଘରଣୀ ପଣ ମୋର କରିବ ଦୂଷିତ

ନଯାଉ ଦ୍ୱିଜବର ଆଜକ ହୋଉ ସୁସ୍ତ।୪୧।

ପୁତ୍ରଦୋହିତା ଦୁଇ ଗୋଟି ଆମ୍ଭେ ଜଣ ବେନି

ଉଦ୍ଧାର କରି ଆଣିବା ପଛେ ତଣ୍ତୁଳ ମାଣ ତିନି।୪୨।

 

ବ୍ରାହ୍ମଣ ବ୍ରାହ୍ମଣୀ ଦୁହେଂ ବସିଲେ ୟେକ ଥାନେ

ଦୁଖ ସୁଖ କଥା ବସି ଭାଳନ୍ତି ବେନି ଜନେ।୪୩।

ବ୍ରାହ୍ମଣଙ୍କର ନାମ ଅଟେ ବେଦଶର୍ମଣ

ବ୍ରାହ୍ମଣୀର ନାମ ରମାଦେବୀ ଜାଣ।୪୪।

ପୁତ୍ର ଗୋଟି ନାମ ଯେ ଅଟଇ ବିଦ୍ୟାଧର

ଭାନୁବତୀ ନାମ ଅଟଇ ଦୁହିତା ଗୋଟିର।୪୫।

ଖେଳି ଯାଇଥିଲେ ଆସି ମିଳିଲେ ନିଜ ବାସେ

ଅନ୍ନ ପୁଡାୟେ ମାୟେ ଦିଲେକ ହରଷେ।୪୬।

 

ୟେମନ୍ତ ସମୟେ ଅମ୍ୱିକା ନାମେଣ ଚାଣ୍ତାଳ

ସେ ନଗ୍ରେ ଘୋଷଣା ଦିଅଇ ସର୍ବକାଳ।୪୭।

ସାଚୋ ସାଚୋ ବୋଲି ଘଣ୍ଟା ବଜାଇ ଅନ୍ତରାଳି

ବେଦଶର୍ମଣ ପଣ୍ତାଙ୍କ ଘରେ କାଲି ଠାକୁରଙ୍କର ପାଳି।୪୮।

ଘଣ୍ଟ ଶବଦ ଶୁଣି ଯେ ବ୍ରାହ୍ମଣୀ ବୋଇଲା

ରହ ରହ ଶୁଣିମା କାଲି କାହା ଘରେ ପାଳି ଯେ ପଡ଼ିଲା।୪୯।

 

ସାଚୋ ସାଚୋ ବୋଲି ଯେ ଡାକିଲା ଚାଣ୍ତାଳି

ବେଦଶର୍ମଣ ପଣ୍ତାଙ୍କ ଘରେ କାଲି ଠାକୁରଙ୍କର ପଡ଼ିଲା ପାଳି।୫୦।

ବ୍ରାହ୍ମଣୀ ବୋଇଲା ପଣ୍ତା ହେ ମୋହୋର ମୁଣ୍ତ ତ ପୋଡ଼ିଲା

କାଲି ଆମ୍ଭର ଘରେ ଠାକୁରଙ୍କର ପାଳିତ ପଡ଼ିଲା।୫୧।

ବ୍ରାହ୍ମଣ ବୋଇଲା ସେ ମିଛହେଂ ନୁହ ବାଇ

କେତେହେଂ ବେଦଶର୍ମଣ ୟେହି ପୁରେ ନାହିଂ।୫୨।

 

ବ୍ରାହ୍ମଣୀ ବୋଇଲା ଲେଖନି ପଣ୍ତା ହେ

ଆମ୍ଭର ପାଳି ଦିଲାର କେତେ କାଳ ହୋୟେ।୫୩।

ଖଡ଼ି ଘେନି ଲେଖା କରଇ ଦ୍ୱିଜବର

ୟେକ ଚକ୍ରାନଗ୍ରେ ବସଇ ୟେଗାର ସହସ୍ର ନଉ ଷାଠିୟେ ଘର।୫୪।

ଘରକେ ପାଳିୟେ କରି ନେଉଅଛି ଲେଖି

ପୁଣ ପୁଣ ଲେଖଇ ବିପ୍ର ଭ୍ରାନ୍ତି ଯେ ଉପେକ୍ଷି।୫୫।

 

ୟେଗାର ସହସ୍ର ନଉ ଷାଠିୟେ ଘର

ପାଳି ପଡ଼ଇ ତେତିଶ ବରଷ ଦୁଇ ମାସ କୋଡ଼ିୟେ ଦିନର।୫୬।

ଲେଖି ଲେଖି ବିରସ ହୋଇଲା ଦ୍ୱିଜବର

ରାତ୍ର ପାହିଲେ ପାଳି ପଡ଼ିବ ଆମ୍ଭଘର।୫୭।

ଜାଣିଣ ଅସାଷ୍ଟମ ବ୍ରାହ୍ମଣ ବ୍ରାହ୍ମଣୀ

ଦୁହେଂ ମୋହେ ପଡିଲେ ବଜ୍ରଘାତ ଜାଣି।୫୮।

 

ମାତା ପିତାଙ୍କର ଅବସ୍ତା ଦୁଖ ଦେଖି

ବାଳୁତ ପୁତ୍ର ଦୋହିତା ସେବନ୍ତି ନିରିମାଖି।୫୯।

ବ୍ରାହ୍ମଣ ଘରେ ଚହଳ କ୍ରୋଧ ବାଣୀ ଶୁଣି

ଜଳାକବାଟି ବାଟେ ଚାହାନ୍ତି କୋନ୍ତଭୋଜର ଦୁଲଣୀ।୬୦।

ବ୍ରାହ୍ମଣୀ ବୋଇଲା ପଣ୍ତାୟେ ଅଳସ ତୁମ୍ଭେ କଲ

ଘରେ କିଛି ନାହିଂ ତୁମ୍ଭେ ଭିକ୍ଷାକୁ ନ ଗଲ।୬୧।

 

ଉଦ୍ଧାର କରି ନାଥ ବଞ୍ଚିଲି ଆଜ ମୁହିଂ

ଦୁବ ଅର୍ଘ୍ୟ ଦେବାକୁ ଘରେ ତଣ୍ତୁଳ ଗୋଟିୟେ ନାହିଂ।୬୨।

କାନ୍ଦନ୍ତି ସମସ୍ତେ ପଡ଼ି ଲୋଟନ୍ତି ମହୀଆଳୀ

ୟେମନ୍ତ ସମୟେ ପଡ଼ିଲା ବକ ରାକ୍ଷସର ପାଳି।୬୩।

ଭାତ ଶଗଡ଼େ ପିଠା ଶଗଡ଼େ ପୋଢୁଅ ହଳେ ବଳଦ ହଳେ

ନରବଳି ଜଣେ କାହିଂ ପାଇବା ବୋଲି ରୋଦନ୍ତି ବିକଳେ।୬୪।

 

ବ୍ରାହ୍ମଣୀ ବୋଇଲା ମୋହୋର ପିତା ଘରକଇ ଯିବି

ପୋଢୁଅ ହଳେ ବଳଦ ହଳେ ଶଗଡ଼ ଦୁଇ ଗୋଟି ମାଗିବି।୬୫।

ବ୍ରାହ୍ମଣ ବୋଇଲା ମୁଂ ଅତିଥି ପଣ କରିବି

ଭାତ ପିଠା ଥାଳିୟେ ଥାଳିୟେ କରି ନଗ୍ରରେ ମାଗିବି।୬୬।

କେଉଣସି ବାଗେ ୟେହା ପୂରୋହିତ

ନରବଳି ଜଣେ ଆମ୍ଭେ କାହୁଂ ଭିଆଇବା।୬୭।

 

ବ୍ରହ୍ମଣୀ ବୋଇଲା ନାଥ ବୁଦ୍ଧିୟେ କରିବା

ପୁତ୍ର ଦୋହିତା ବେନି ଗୋଟି ତୁମ୍ଭେ ସମ୍ଭାଳୁଣଥିବ।୬୮।

ମୁଇଂ ଭୋଜନ କାଲି ହୋଇବି ଦତ୍ୟକୁ

ତୋହୋର ବ୍ରତି ନାଥ ଭାରିଯା ଅଛି ନି ତୁକୁ।୬୯।

କର୍ମେଣ ଧନ ଅର୍ଜିଲେ ହୋଇବୁ ପୁଣ ବିଭା

ୟେକା ଥାଉଂ ସ୍ୱାମୀ ମନେ ଆନ ନ ଧରିବା।୭୦।

 

ବ୍ରାହ୍ମଣ ବୋଇଲା ୟେ ନୋହଇ ସଂଘାତ

ପୁତ୍ର ଦୁହିତା ବେନି ଗୋଟି ଅଟନ୍ତି ବାଳୁତ।୭୧।

ୟେକା ବାଳୁତକଇ ଛାଡ଼ି ମାତା ଯେବେ ମରଇ

ତାହାର ବିକଳେ ପିତା କାହିଂ ଦେହ ଯେ ଧରଇ।୭୨।

ଦେଖୁ ଦେଖୁ ୟେ ତୋହୋର ବାଳୁତ ବେନି

ୟେହାଙ୍କର ବିକଳେ କେ ବ୍ରତିବ ଦେହ ଘେନି।୭୩।

 

ୟେ ପୁତ୍ର ଦିହିତା ତୁମ୍ଭେ ଥାଅସି ସମ୍ଭାଳି

ମୁଂ ହୋଇବି କାଲି ନାଥ ବକ ରାକ୍ଷସର ପାଳି।୭୪।

ବ୍ରାହ୍ମଣୀ ବୋଇଲା ନାଥ ତୋହୋର ନାଶ ଗଲେ

ମରଣହୁଂ ଅଧିକ କଷ୍ଟ ମୋତେ ବିଧବା ହୋଇଲେ।୭୫।

ସ୍ୱାମୀର ଅଭାବେବ୍ରତନ୍ତି ଯେବଣ ନାରୀ

ସେ ନାରୀ ପୁଣି ହୋଅନ୍ତି ଦୋଚାରୀ।୭୬।

 

ବ୍ରାହ୍ମଣ ବୋଇଲା ମୋହୋର ଜୀଇଂ ଥାନ୍ତେ

ବକରାକ୍ଷସ ତୋତେ ଭକ୍ଷିବ କେମନ୍ତେ।୭୭।

ପିତା ମାତାରେ ବୈକୁଲ୍ୟ ଦେଖି ପୁତ୍ର ବୋଇଲା

ଭୋ ପିତା ଆମ୍ଭର ଘରେ ଯେବେ ବକରାକ୍ଷସର ପାଳି ପଡ଼ିଲା।୭୮।

ପିତା ମାତା ବ୍ରତ ଥିଲେ ପୁତ୍ର ଉପୁଜିବ

ତୁମ୍ଭର ନାଶ ଗଲେ ସନ୍ତାନ କାହୁଂ ଯେ ହୋଇବ।୭୯।

 

ଅଜା ଯୂଥ ଥିଲେ ଗୋସାଇଂକି ଅପାଦ ଯେ ନାହିଂ

କାଲି ପାଳିକି ତାତ ସୁଝ ମୋତେ ବକ ରାକ୍ଷସକୁ ଦେଇ।୮୦।

ପୁତ୍ର ଥିଲେ ପିତାମାତାଙ୍କୁ କାହିଂ କଷ୍ଟ

ମୋତେ ଭକ୍ଷଣ କରୁ କାଲି ବକରାକ୍ଷସ ଦ୍ରପିଷ୍ଠ।୮୧।

ଦଶ ବରଷ ପୁତ୍ର ଗୋଟିର ୟେ ବଚନ ଶୁଣି

ପୁତ୍ର କୋଳେ ଧରିଣ ରୋବନ୍ତି ବ୍ରାହ୍ମଣ ବ୍ରହ୍ମଣୀ।୮୨।

ନିରାଶ ବଚନ ଗୋଟି ମୁଂ ପରିମୁଣ୍ତା ଯାଇ

ତୋତେ ଦେଇ ଦେହ କିମ୍ପେ ଧରିବଇ ମୁହିଂ।୮୩।

 

ୟେ ତୋହୋର ମୁଖରୁ ନିରାଶ ବଚନ ଗୋଟି ଶୁଣି

ଶରୀର ଦହନ କିମ୍ପେ ଆମ୍ଭର ନୋହିଲା ୟେହି କ୍ଷଣି।୮୪।

ପରେଣ ପ୍ରଦାନ କରିବ ସିନା ମୋତେ

ଦୁହିତା ଗୋଟି ବୋଇଲା ନ ରୋବ ପିତାମାତେ।୮୫।

ମୁଇଂତ ପରଗୋତ୍ରୀ ସିନା ତାତ ଆନ ନ ବୁଝ

ମୋତେ ଦେଇ ମାତା ଗୋ ବକରାକ୍ଷସର ପାଳି ଶୁଝ।୮୬।

 

ବ୍ରହ୍ମଣ ବୋଇଲା ମାତା ତୁ ଅଟୁ ବାଳୁତୀ

ତୋତେ ଦେଖି ରାକ୍ଷସ କିମ୍ପେ ହୋଇବ ତ୍ରିପୁତି।୮୭।

ବ୍ରାହ୍ମଣବ୍ରହ୍ମଣୀର ୟେସନେକ ବଚନ ଶୁଣି

ଛାମୁରେ ପ୍ରବେଶ ହୋଇଲେ କୋନ୍ତଭୋଜର ଦୁଲଣୀ।୮୮।

ତୁମ୍ଭର ୟେତେକ ବଇକୁଲ୍ୟ ଗୋ କାହିଂର ନିମନ୍ତେ

କହ କିନା ପଣ୍ତା ତାହା ମୋହୋର ଅଗ୍ରତେ।୮୯।

 

ବ୍ରହ୍ମଣ ବୋଇଲା ଗୋ ଦୃଷହ ବଡ଼ କଥା

ହିରଣ୍ୟକପଚ ବୋଲି ୟେକଇ ଦୟିତା।୯୦।

ତାହାର ନନ୍ଦନ ହାଦେ ନିର୍ବାତକପଚ

ତାହାର ତହୁଂ ଉପୁଜିଲା ଦୁହିତାୟେ ଚାରି ବଚ୍ଛ।୯୧।

କିମ୍ଭୀରୀ କିନ୍ନରୀ ହିଡ଼ିମ୍ୱେକ ବକ

ହିଡିମ୍ୱିକୀ ନାମେଣ ତାର ଦୋହିତା ଯେ ୟେକ।୯୨।

 

କିମ୍ଭୀରୀ ଦତ୍ୟ ଥାଇ ସୁରନଦୀ ତୀରେ

କିନ୍ନରୀ ଦତ୍ୟ ଥାଇ ମଧୁବନ ତୋଟାରେ।୯୩।

ହିଡିମ୍ୱିକୀ ବନେ ଥାଇ ହିଡିମ୍ୱକ ଦଇତ

ବକରାକ୍ଷସର ୟେକା ଚକ୍ର ନଗ୍ରେ ସ୍ଥିତ।୯୪।

ଭାତ ଶଗଡ଼େ ପିଠା ଶଗଡ଼େ ୟେ ରାଜ୍ୟରେ ଭିଆଣେ

ପୋଢୁଅ ହଳେ ବଳଦ ହଳେ ନରବଳି ଜଣେ।୯୫।

 

ତେତିଶ ବରଷ ବେନି ମାସ କୋଡ଼ିୟେ ଦିନେ ୟେତେକ ଦେଇ

ୟେତେକ ଦିଲେ ଯମ ପଶି ନୁଆରଇ ୟେ ପୁରକଇ।୯୬।

ଡରେଣ ମେଘମାନ କରୁଥାନ୍ତି ବୃଷ୍ଟି

ପଞ୍ଚାଶ ଭରଣ ଧାନ ଫଳଇ ୟେକ ବାଟି।୯୭।

ଆନ ଉପଦର୍ପ ନାହିଂ ୟେଥେ ରୋଗ ବ୍ୟାଧି

ଜରାମୃତ୍ୟୁ ନାହିଂ କିଛି ହିଂ ଅବିଧି।୯୮।

 

ମୋହୋର ଘରେ ତାର ପଡ଼ିବ କାଲି ପାଳି

ସମସ୍ତ ଭିଆଇ ପାରେ ନାହିଂ ନରବଳି।୯୯।

କୋଇନ୍ତାୟେ ବୋଇଲେ ମା ଗୋ ମୁଂ ରହିଲି ତୁମ୍ଭ ଘରେ

ପାପପୁଣ୍ୟ ଭାଗୀ ହୋଇ ପଶିଲୁ ତୋହୋର କର୍ମରେ।୧୦୦।

ୟେ ଯୋଗାଡ଼ମାନ ବେଗେ କରସି ସମ୍ଭାର

ନରବଳି ଜଣେକ ହୋଇଲା ଆମ୍ଭର ଭାଗର।୧୦୧।

 

ଭୂଇଂ ଛୁଇଂ ବ୍ରାହ୍ମଣ ଶ୍ରବଣେ ଦିଲା ହାଥ

ତୁମ୍ଭେ ଠାକୁରାଣୀ କିମ୍ଫେ କହିଲ ୟେମନ୍ତ।୧୦୨।

ମୋହୋର ଘରେ ତିନିମାସ ରହିଲ ଯେ ସର୍ବେ

ମୁହିଂ ପାପିଷ୍ଠ ତୋର ପୁତ୍ରକୁ କେମନ୍ତେ ଦେବି ୟେବେ।୧୦୩।

ମୁହିଂ ଯାଉଅଛି ଗୋ ୟେବେ ଅସୁର ତହିଂକି

ପୁଅ ଝିଅ ଭାରିଯାକୁ ମୋହୋର ଥିବ ତୁମ୍ଭେ ରଖି।୧୦୪।

 

କୋଇନ୍ତାୟେ ବୋଇଲେ ୟେ ମୋହୋର ସତ୍ୟ ସତ୍ୟ

ତୋହୋର ନିମନ୍ତେ ଦେବି ମୋହୋର ୟେକ ପୁତ।୧୦୫।

ତୁମ୍ଭେ କିଛି ବିସ୍ମୟେ ନୁହନି ପଣ୍ତାୟେ

ମୋହୋର ଅଛି ହାଦେ ଦୁଷ୍ଟ ପୁତ୍ର ଯେ ଗୋଟିୟେ।୧୦୬।

ଭିକ୍ଷା ମାଗି ନ ଯାଇ ଅଧେକ ଅନ୍ନ ଖାଇ

କଥା ନ କହଇ ବସିଥାଇ ମୁହଂ ଯେ ଫୁଲାଇ।୧୦୭।

 

ତାହାର ମରିବାର ମୁଂ ମନାସଇ ଯୁଗତେ

ଆମ୍ଭେ ଯାହା ମାରିବୁଂ ସେ ମରୁହାଦେ ୟେମନ୍ତେ।୧୦୮।

ଦୁଷ୍ଟ ପୁରୁଷ ଆବର ନଷ୍ଟ ଯେ ଭାରିଯା

ରଣକାରୀ ପିତା ଯେ ଅଭାବ ମଇତ୍ରା।୧୦୯।

କୁସ୍ଥାନ ଭୂମି ଅସୁର ଭୋଗ ତୀର୍ଥ

ୟେତେକ ଉପେକ୍ଷନ୍ତି ଯେ ଧାର୍ମିକ ପଣ୍ତିତ।୧୧୦।

 

ଦ୍ୱିଜବରକୁ ବୁଝାଇ ଗଲେ ଦେବୀ କୋଇନ୍ତେ

ଭୀମସେନ ସନ୍ନିଧ୍ୟେ ପ୍ରବେଶ ହୋଇଲେ ତୁରିତେ।୧୧୧।

ଭୀମସେନ ହସିଲା ମାତାଙ୍କ ମୁଖ ଚାହିଂ

ଭାତ ପିଠା ବେନି ଶଗଡ଼ ବୋଲୁଥିଲ କାହିଂ।୧୧୨।

କୋଇନ୍ତାୟେ ବୋଇଲେ ମୁଂ ତୋହୋର ଆପଦ ଘେନିଯାଇ

କେତେ ଅନ୍ନକଷ୍ଟ ସେ ଦେଖିବି ତୋହୋର ମୁହିଂ।୧୧୩।

 

ବାବୁ ବେଦଶର୍ମଣ ପଣ୍ତା ଘରେ କାଲି ବକ ରାକ୍ଷସର ପାଳି

ଭାତ ପିଠା ବେନି ଶଗଡ଼ ପୋଢୁଅ ବଳଦ ବେନି ହଳି।୧୧୪।

ୟେତେକ ଘେନି ବାବୁ ଯାଅସି ଅଡାଇ

ଭାଲୁଙ୍କି ନଦୀ କୂଳେ ରାକ୍ଷସକୁ ଦେଇ ଆସ ଯାଇ।୧୧୫।

ଭାତ ପିଠା ଶଗଡ଼ ଭିଆଇ କେହି ନିଅନ୍ତା ନାହିଂ ଡରେ

ମୁହିଂ ସତ୍ୟ କଲି ବ୍ରାହ୍ମଣକୁ ପୋୟେକ ଦେବି ସେ ସଙ୍ଗରେ।୧୧୬।

 

ଭୀମସେନ ବୋଇଲା ମା ଗୋ ମୁହିଂ ଯିବିଟି କି ?

ରାକ୍ଷସ କେମନ୍ତଟି ଆସଇନା ଦେଖି।୧୧୭।

ଭୀମସେନ ସୁମରଇ ଦେବୀ ଅନାଦି ଶକତି

ମୁକୁଇଂ ୟେଠାକୁ ପଠିଆଇ ଦିଅନ୍ତୁ ଦେବୀ କୋନ୍ତି।୧୧୮।

ୟେସନେକ ପ୍ରସ୍ତାବେ ବିରସ ମନେ ମାୟେ

ବେଳ ଅବସାନେ ମିଳିଲେ ଚାରି ଯେ ତନୟେ।୧୧୯।

 

ଦ୍ୱାରେ ଉଭାହୋଇ ଡାକନ୍ତି ବୀରମଣି

ମା ଗୋ ପାଦ ଶଉଚ କରିବା ବହନ ଦିଅ ପାଣି।୧୨୦।

କୋଇନ୍ତାୟେ ବିରସେ ବାହାର ନୋହିଲେ

ଭିକ୍ଷା ତଣ୍ତୁଳ ଘେନି ଭିତରକୁ ଗଲେ।୧୨୧।

ଚାରି ଭାଇ ମାତାଙ୍କ ଚରଣେ ବିନୋୟି

ମା ଗୋ ଭୀମା ଗାଳି ଦିଲା କି ବସିଛ ବିରସ ହୋଇ।୧୨୨।

 

ଶୁଣସିରେ ବାବୁ ବଦୟନ୍ତି କୋନ୍ତଭୋଜର ଦୁଲାଳୀ

ବେଦଶର୍ମଣ ପଣ୍ତା ଘରେ କାଲି ବକ ରାକ୍ଷସର ପାଳି।୧୨୩।

ସମସ୍ତ ଦ୍ରବ୍ୟ ଦ୍ୱିଜବର ସମ୍ପାଦନା ହାଦେ କଲା

ନରବଳି ଜଣେ ସେ ଭିଆଇ ନପାରିଲା।୧୨୪।

ପୁଅ ଝିଅ ବେନି ଗୋଟି ବ୍ରାହ୍ମଣ ବ୍ରାହ୍ମଣୀ

ବସିଣ ରୋଦନ ଯେ କରନ୍ତି ଚାରି ପ୍ରାଣୀ।୧୨୫।

 

ତାହାଙ୍କର ବେକୁଲ୍ୟ ଦେଖି ମୁଂ ସହି ନପାରିଲି

ମୁଇଂ ନରବଳି ଜଣେ ଦେବି ବୋଲି ସତ୍ୟ କଲି।୧୨୬।

ଶୁଣିଣ ଥମ୍ଭୀଭୂତ ହୋଇଲେ ଯୁଝେଷ୍ଠି

ମା ଗୋ ସର୍ବେ ଆମ୍ଭେ ତୋହୋର ପୁତ୍ର ପାଞ୍ଚ ଗୋଟି।୧୨୭।

ଶତେ ଶତେ ପୁତ୍ର ଗୋ ଯାହାର ଅଛନ୍ତି

ତାହାଙ୍କର ମାୟେ ଗୋ ୟେମନ୍ତ ନବୋଲନ୍ତି।୧୨୮।

 

ମା ଗୋ ଭୀମକଇ ଦିଲ ଘାନ୍ତିୟେ କିମ୍ଭିରୀ ଦତ୍ୟକୁ

ଧର୍ମ ବଳେ ବ୍ରତି ସେ ଅଇଲା ସାଙ୍ଗକୁ।୧୨୯।

କିନ୍ନରୀ ଦଇତ ଯେ ମଧୁବନେ ମାରୁଥିଲା

ହିଡିମ୍ୱକ ଦତ୍ୟ ଗୋ ଅନେକ ଦୁଖ ଦିଲା।୧୩୦।

ଭୀମସେନ ବାହୁବଳକୁ କରି ଅଛଇ ଆଶ

ଆନ ଜଣେ ଦିଅ ଗୋ ଭକ୍ଷୁ ସେ ରାକ୍ଷସ।୧୩୧।

 

ନକୁଳ ସହଦେବ ବଇମାତ୍ରି ବେନି ଭାଇ

ମୋହୋର ଦେହେ ପ୍ରାଣ ଥିଲେ ତାହାଙ୍କୁ ଦେଇ ନ ପାରଇ।୧୩୨।

ଆମ୍ଭେ ସର୍ବେ ତୋହୋର ଅଟୁ ତିନି ପୁତ୍ର

ଭୀମସେନ ଅଟେ ମୋ ସାଂଗ୍ରାମେ ସାମରଥ।୧୩୩।

ଅର୍ଜୁନ ଅଟଇ ଗୋ କ୍ଷତ୍ରିୟ ଧନୁର୍ଦ୍ଧାରୀ

ଦୃତୀକୃଷ୍ଣ ନାମ ଦିଲେ ହରି ତାହାନ୍ତ ଦେଇ ତ ନୁଆରି।୧୩୪।

 

ମୁହିଂ ହାଦେ ଯୋଗ୍ୟ ନୋହଇ କାହିଂକି

ମୋତେ ପଠିଆଅ ବକ ରାକ୍ଷସ ତହିଂକି।୧୩୫।

କୋଇନ୍ତାୟେ ବୋଇଲେ ବାବୁ ଦେବା ଭୀମସେନକୁ

ଅବଶ୍ୟ ମାରିବ ସେ ବକ ରାକ୍ଷସକୁ।୧୩୬।

ମୁଇଂ ପ୍ରତକ୍ଷେ ଜାଣଇ ୟେହାରି ବଳବୀର୍ଯ୍ୟ

ଦୁର୍ଦ୍ଦଣ୍ତ ପବନର ୟେ ଅଟଇ ଆତ୍ମଜ।୧୩୭।

 

ଜନ୍ମ କାଳେ ୟେହାକୁ କୋଳେ ଅଛି ଧରି

ରାତ୍ରକାଳ ପର୍ବତ ତଳେ ବ୍ୟାଘ୍ରେକ ଦିଲା ରଡ଼ି।୧୩୮।

କୋଡ଼ରୁ ପୁଅକୁ ମୁଂ ପକାଇଲି ତଳେ

ଶତଶିଂଗ ଗିରି ପଶିଲା ପାତାଳ ଭୁବନରେ।୧୩୯।

ପକାଇ କରି ମୁଂ ଯେ ଡରେ ପଳାଇଲି

ବୃକ୍ଷ ଗୋଟାକର ଉପରେ ଯାଇଣ ଉଠିଲି।୧୪୦।

 

ପାଦ ହଲାଇଣ କାନ୍ଦଇ ଯେ ବାଳ ଶିଷି

ଗିଳିବ ବୋଲି ବ୍ୟାଘ୍ର ଧାଇଂଲା ଆକ୍ରେଷି।୧୪୧।

ଭୀମସେନ ପାଦ ଅଙ୍ଗୁଷ୍ଠି ବାଜିଲା ବ୍ୟାଘ୍ରର ମୃଧୁନା

ଭାଞ୍ଜିଣ ମୁଣ୍ତ ତାର ହୋଇଲା ଶତେ ଚୂନା।୧୪୨।

ଡାହାଣ ପାଦର କାଣି ଅଙ୍ଗୁଷ୍ଠିଟି ବାଜି

ଶତେ ଯୋଜନ ଆୟେତନ ପର୍ବତ ଶିଂଗ ଗଲା ଭାଜି।୧୪୩।

 

କୋପେଣ ଶାପ୍ୟ ଯେ ଦିଲା ଗିରିବର

ପ୍ରଥମହୁଂ ମୋତେ ଯେ ପ୍ରହାର କଲୁ, ତୁ ପ୍ରଥମ ଯୁଦ୍ଧେ ହାର।୧୪୪।

ବ୍ୟାଘ୍ରର ନିଧନ ଦେଖି ମୁଂ ବୃକ୍ଷରୁ ଓହ୍ଲାଇଂ

ପର୍ବତକୁ ବୋଇଲି କିମ୍ପା ଶାପ୍ୟ ଦିଲୁ ମୋହୋର ପୁତ୍ରକଇ।୧୪୫।

ଅକଳଙ୍କ କରି ମୁଂ ପୁତ୍ରକୁ କଲି ଜାତ

ଶତଶିଂଗ ବୋଇଲା ମୋତେ କୋପ ନ କର ଗୋ ମାତ।୧୪୬।

 

ପ୍ରଥମ ଯୁଦ୍ଧେ ୟେ ହାରିବ ଯୁଗତେ

ଦୁଜ ଯୁଦ୍ଧରେ ମୁଂ ବସିବି ୟେହାର ଗାତ୍ରେ।୧୪୭।

ଯଦ୍ୟପି ବ୍ରହ୍ମା ବିଷ୍ଣୁ ଇନ୍ଦ୍ର କୋବେର ମହେଶ୍ୱର

ବ୍ରିକୋଦର ମୂରତି ସେ ଯେ କରିବ ପ୍ରହାର।୧୪୮।

ବାବୁ ୟେସନେକ ସନ୍ଦେଶ ମୁଂ ପାଇଅଛି ପୂର୍ବେ

ତେବେ ସେ ଭୀମସେନକୁ ପଠିଆଉଂ ଅଛି ୟେବେ।୧୪୯।

 

ତୁମ୍ଭେ କିଛି ଚିନ୍ତା ବାବୁ ନକର ୟେ କଥାକୁ

ଆଜ ଅବଶ୍ୟ ଭୀମସେନ ମାରିବ ବକରାକ୍ଷସକୁ।୧୫୦।

ବାବୁ ଆମ୍ଭେ ରହିଲାଇଂ ଆସି ୟେହୁ ଭୁବନେ

କାଳକଇ ସୁମରଣା କରୁଥିବେ ନାହିଂକି ନଗ୍ର ଜନମାନେ।୧୫୧।

 

***

କୁନ୍ତୀଙ୍କର ପ୍ରସ୍ତାବରେ ଭୀମଙ୍କୁ ବକାସୁର ବଧ ନିମେନ୍ତେ ପ୍ରେରଣ

ଯୁଝେଷ୍ଠି ଚାହିଂଲେ ସହଦେବର ବଦନ

ସଂଚୟେ ବକ ରାକ୍ଷସକଇଂ ମାରିବ କି ଭୀମସେନ।୧।

ସହଦେବ ବୋଇଲା ସ୍ୱାମୀ ଶୁଣିମା ସାବଧାନେ

କୁମ୍ଭିରୀ କିନ୍ନରୀ ବକ ହିଡିମ୍ୱକ ୟେକ ପିତାରୁ ଉତପନ୍ନେ।୨।

ହିଡିମ୍ୱିକୀ ବହେଣୀ ଅଟଇ ୟେହାଙ୍କର

ତିନି ଭାଇଙ୍କି ମାଇଲେନି ଠାକୁର ବ୍ରିକୋଦର।୩।

 

ୟେ ଚାରିଙ୍କର ଭାରା ଯହୁଂ ନ ସହିଲା ମହୀ

ଆକାଶେ ଦିଗପାଳେ ନୁଆରିଲେ ରହି।୪।

ଅମର ସ୍ୱର୍ଗରୁ ୟେ ଆଣିଲେ ଅପକ୍ଷରୀ

ଦେବ ଭଣ୍ତାର ମାନ ଆଣିଲେ ସବୁନ୍ତି ଜୂର କରି।୫।

ଇନ୍ଦ୍ରଦେବତା ପଳାଇଲା ଅସୁରଙ୍କ ଡରେ

ଯମଦେବତା ରହି ନ ପାରିଲା ସଞ୍ଜୀବନୀ ପୁରେ।୬।

 

ଈଶ୍ୱର ଇନ୍ଦ୍ର କୋବେର ବହୁତ ଯୁଦ୍ଧ କଲେ

ୟେ ଚାରି ଭାଇନ୍ତ ସାଂଗ୍ରାମେ ଦେବେ ହାରି ପଳାଇଲେ।୭।

ଦେବେଣ ବଧ ଯହୁଂ ନୋହିଲେ କଉଣୋପେ

ଆମ୍ଭେ ଉତପତ୍ତି ହୋଇଲାଇଂ ମନୁଷ୍ୟ ସରୂପେ।୮।

ୟେହାନ୍ତ ବଧ କରିବା ନିମନ୍ତେ

ଆମ୍ଭନ୍ତ ବନବାସ କରାଇଲେ ଗୁପତେ।୯।

 

ଯୁଝେଷ୍ଠି ଦେବଙ୍କୁ କହିଲେ ସହଦେବ ମନ୍ତ୍ରୀ

ଭୀମସେନର ବଳ କୋଇନ୍ତାୟେ ଜାଣନ୍ତି।୧୦।

ସହଦେବର ବଚନେ ସାନନ୍ଦ ଯୁଝେଷ୍ଠି

ଯାଅ ବାବୁ ଆମ୍ଭ ଆଷ୍ୟ ଘେନି ବ୍ରତ ଭାଇ ଗୋଟି।୧୧।

ଅପାଦ ଖଣ୍ତନ୍ତୁ ଦେବୀ ପ୍ରତକ୍ଷେ ହେଙ୍ଗୁଳା

ସେ ତୋତେ ଅନୁଗ୍ରହ କରନ୍ତୁ ସର୍ବ ମଙ୍ଗଳା।୧୨।

 

ତହୁଂ ବିଜେ କରି ଅଇଲେ କୋଇନ୍ତାୟେ

ସମ୍ଭର କରି ଯୋଗାଡ଼ କରସି ପଣ୍ତାୟେ।୧୩।

ଯହିଂର ନିମନ୍ତେ ତୁମ୍ଭେ ହୋଇଥିଲ ବିକଳି

ମୁହିଂ ତୁମ୍ଭଙ୍କୁ ଦେବି ଜଣେକ ନରବଳି।୧୪।

ଶୁଣିଣ ସାନନ୍ଦ ହୋଇଲା ଦ୍ୱିଜବର

କରଇ ଯୋଗାଡ଼ ଯେ ଅନେକ ସମ୍ଭାର।୧୫।

 

ବ୍ରାହ୍ମଣୀ ଗଲା ତାର ପିତାର ଘରକୁ

ଭାତ ପିଠା ମାଗିଲା ବେନି ଶଗଡ ତାହାର ପିତାମାତାଙ୍କୁ।୧୬।

ଭଲ ଭଲ ଲୋକେ ସଞ୍ଚି ଥାଆନ୍ତି ସର୍ବକାଳେ

ଶ୍ରୀଗତ ନିର୍ଗତ ଲୋକ ଲୋଡ଼ଇ ଯେତେବେଳେ।୧୭।

ସଞ୍ଚିତ ଘରେ ସେ ପାଇଲାକ ମାଗି

ଦୁଇ ଶଗଡ଼ ପୂରୋଇ ଦୁଇ ହଳ ଯୋଡି ଆଣଇ ବେଗି ବେଗି।୧୮।

 

ଆଣି ଉଭାରିଲା ଆପଣାର ଦ୍ୱାରେ

କୋଇନ୍ତାୟେ ବୋଇଲେ ଯାଅରେ ବ୍ରିକୋଦରେ।୧୯।

ଯୁଝେଷ୍ଠି କାନେ କହିଲେ ଗୁପତେଣ ମାର

କେହି ନ ଜାଣୁ ୟେଥୁଂ ହୋଇଯିବା ବାହାର।୨୦।

ଶଗଡ଼ ଓଡ଼ାଇ ଚଳଇ ଭୀମସେନ

କୋଇନ୍ତାୟେ ଗୋଡ଼ାଇ ଅଛନ୍ତି ସନ୍ନିଧାନ।୨୧।

 

ନଗ୍ର ସ୍ତିରୀମାନେ ପଚାରନ୍ତି ଦେଖି

ୟେହାର ପରା ପୁତ୍ର ଗୋଟିକି ଗୋ ପଠିଆଅ କାହିଂକି।୨୨।

ୟେ ଯୋଗାଡ଼ ଲେଉଟି ଆସିବା ପ୍ରାୟେକ ମଣୁ

ଯେବଣ ଜଣେ ଯାଇ ଗୋ ପୋଡାବଳି ଏହା କି ନ ଜାଣୁ।୨୩।

ଶତେ ଚନ୍ଦ୍ର ଜିଣି ୟେହାର ବଦନ ଗୋଟି

କି ୟେ ଚିତ୍ରସେନ ନଳ କୁବେର କାମଦେବ ହେଟି।୨୪।

 

କି ଅବା ୟେହାକଇ ନ ପାରିଲୁ ପୋଷି

ଅକାରଣେ ବିନାଶ ନକର ଆମ୍ଭଙ୍କୁ ଦିଅସି।୨୫।

କୋଇନ୍ତାୟେ ବୋଇଲେ ମୁଂ ରହିଲି ୟେହାର ପୁରୀ

ପାପ ପୁଣ୍ୟେ ରହିଲି ମୁଂ ୟେହାର ଘର ଅଧେକ ଆବୋରି।୨୬।

ମୋହୋର କର୍ମେ ସେ ଯେବେ ହୋଇଲା ୟେମନ୍ତ

ଧର୍ମ କି ଗଚ୍ଛଇ ଯେ ହୋଇଲେ ନିସତ।୨୭।

 

ତେତିଶ ବରଷ ବେନି ମାସ କୋଡିୟେ ଯେ ଦିନେ

ପାଳି ପଡଇ ଗୋ ବକ ରାକ୍ଷସ ଭୋଜନେ।୨୮।

ସର୍ବେ ତୋହୋର ଯେ ୟେଥେଂ ରହିଲା ତିନିମାସ

ତୁ କେମନ୍ତେ ନରବଳି ଗୋ ଦେବୁଟି ରାକ୍ଷସ।୨୯।

କୋଇନ୍ତାୟେ ବୋଇଲେ ମୋତେ ନ ବୋଲ ଗୋ ୟେହା

ଆପଣେ ଯାହା କରି କର୍ମ ବୋଲି ତାହା।୩୦।

 

ସମସ୍ତ ଜନେ ବଦନ୍ତି ବଇକୁଲ୍ୟ ବାଣୀ

ପୁତ୍ର ନୋହଇ କି ତୋର ଶତ୍ରୁ ମହାତ୍ମାଣୀ।୩୧।

ପଣ୍ତିତ ଜନେ ବୋଲନ୍ତି ବାବୁ ୟେ ମହତ

ପର ଦୁଖେଣ କାତର ୟେ ପର ଦୁଖେଣ ହିତ।୩୨।

ନଗ୍ର ବାହାରୁ ବାହୁଡ଼ିଲେ ଭ୍ରାତା ମାୟେ

ଶଗଡ଼ ଓଡାଇ ଚଳଇ ପବନ ତନୟେ।୩୩।

 

ଘୋର ଗହନ ବନେ ଚଳଇ ମାରୁତି

ନଗ୍ର ଛାଡ଼ିଲାକ ଷାଠିୟେ ଜୁଣ ପ୍ରତି।୩୪।

ବଳଦ ହଳେ ପୋଢୁଅ ହଳେ ଓଡ଼ାଇଣ ନେଲା

ସ୍ନାହାନ କରି ଆସି ରୋଦର ତଳକୁ ଓହ୍ଲାଇଲା।୩୫।

ଡାହାଣ କରେଣ ଭାତ ବାମ କରେ ପିଠା

ବାମ ଆଣ୍ଠୁ ମାଡ଼ିଣ ଆକର୍ଷଣ ସନ୍ତୁଷ୍ଟା।୩୬।

 

ଡାହାଣ କରେ ଭାତ ଗୁଣ୍ତା ୟେକ ଖାଇ

ବାମ କରେ ପିଠା ଗୋଟାୟେ ଗୋଟାୟେ ଗର୍ଭକୁ କ୍ଷେପଇ।୩୭।

ମହା କ୍ଷୁଧାର୍ତ୍ତୀ ହୋଇଣ ଯେ ଭୀମସେନ

ପବନହୁଂ ବେଗ କରି ସେ କରଇ ଭୋଜନ।୩୮।

ଯହୁଂ ବେଳ ହୋଇଲା ପ୍ରହରକ ବେନି

ରାକ୍ଷସ ବିଜେ କଲାକରେ ଶୂଳ ଦୁଇଗୋଟି ଘେନି।୩୯।

 

ଦେଖିଲା ଭୀମସେନ ମହାସମ୍ଭର କାୟେ

ଭୋଜନ କରନ୍ତେ ଦିଶିଲା ରାହୁର ତେଜ ପ୍ରାୟେ।୪୦।

ଆରେ ଆରେ ବୋଲି ଧାମଇଂ ଦୈତ୍ୟେଶ୍ୱର

ଉତ୍ତିଷ୍ଠ କିପାଇଂ କରୁରେ ମୁଣୋହି ମୋହୋର।୪୧।

ଧାଇଂଣ ଡାକ ଦିଅଇ ଦୁଷ୍ଟ ରାକ୍ଷସେ

ବ୍ରିକୋଦର ବଚନ ନଶୁଣଇ ଭୁଞ୍ଜିବାର ରସେ।୪୨।

 

ଡାକ ଯହୁଂ ନଶୁଣିଲା ପବନ ତନୟେ

ଗର୍ଜଇ ବକାସୁର ମହାମତ୍ତ ନାଗ ପ୍ରାୟେ।୪୩।

ଦଇତର ଗର୍ଜନ୍ତେ କମ୍ପିଲା ଯେ ସପତ ବ୍ରହ୍ମାଣ୍ତ

ଭୁଞ୍ଜଇ ଭୀମସେନ ବେନି କରେ ବିସ୍ତାରିଣ ତୁଣ୍ତ।୪୪।

ଡାକିଣ ବିରସ ଯେ ହୋଇଲା ବୀରମଣି

ନଶୁଣଇ ମାରୁତି ବଧୀର ମତଜାଣି।୪୫।

 

କୋପେଣ ବେନି ଶୂଳ ଯେ ବୁଲାଇ ଅସୁର

ବଜ୍ରଜାଣି ପିଟିଲା ଭୀମସେନର ଉପର।୪୬।

ଭାଞ୍ଜିଲା ବେନିଶୂଳ ହୋଇଲା ମସୀଗୁଣ୍ତା

ତହିଂ ନମାନିଲା ସେ ମାରୁତି ପରଚଣ୍ତା।୪୭।

ରାଗେଣ ଦାନବ କୁଳଷଣ୍ଢ ପର୍ବତେକ ଉପାଡ଼ି

ଭୀମସେନ ଉପରେ ଉର୍ଦ୍ଧ୍ୱବାହୁ କରି କଚାଡ଼ି।୪୮।

 

ବ୍ରିକୋଦର ମୁଣ୍ତେ ଯେ ପଡ଼ିଲା ଗିରିବର

ଧୂଳି ପ୍ରାୟେ ହୋଇଣ ସେ ପଡ଼ିଲା ଭୂମିର।୪୯।

ଦେଖିଣ ବିରସ ଯେ ହୋଇଲା ରାକ୍ଷସେ

ତାହା ନମାନିଲା ଭୀମ ଭୁଞ୍ଜିବାର ରସେ।୫୦।

ଭୁଞ୍ଜିଣ ଶରୀର ଯହୁଂ ହୋଇଲା ତାର ତୁଷ୍ଟି

ରାକ୍ଷସକୁ ମାରୁତି ଚାହିଂଲା ଲେଉଟି।୫୧।

 

ବାମକରେ ଦରାଣ୍ତି ଧଇଲା ଦତ୍ୟର ବେନି ଭୁଜ

ସଞ୍ଚୟେ ମୋଢା ତୁ ରେ ଅଟୁ ଦୁଷ୍ଟ ଯେ ଦନୁଜ।୫୨।

ଅଗ୍ୟାନ ପାମରରେ ଗ୍ୟାନ ତୋର ନାହିଂ

ଭୁଞ୍ଜିବାର ବେଳେ ଶତ୍ରୁକୁ ମାରିତ ନ ଯୋଗାଇ।୫୩।

ଦେଖିଣ ରାକ୍ଷସ ଯେ ବିଷାଦ ହୋଇଲା

ଜାଣିଲିୟେ ମୋଢା ତ ମୋ ତହୁଂ ବଳିଲା।୫୪।

 

ଦାନବ ବୋଇଲା ତୁ ରେ କାହିଂର ବ୍ରାହ୍ମଣ

ମୋହୋର ମୁଣୋହି ଉତ୍ତିଷ୍ଟ କଲୁ କେଉଂଣ କାରଣ।୫୫।

ଭୀମସେନ ବୋଇଲା ଆବର ଜୀବନ ତୋର କାହିଂ

ସୁମର ଇଷ୍ଟ ଦେବତାରେ ମରିବୁ ଆଜ ତୁହି।୫୬।

ରାଗେଣ ନିଶାଚର ଭୀମକୁ ଦିଅଇ ପେଲି

ହାଥ ଛାଡ଼ ବ୍ରାହ୍ମଣ ହୋ ଅସୁରେଶ୍ୱର ବୋଲି।୫୭।

 

ଅସୁର ବେନି ଭୁଜ ଧରିଣ ବାମହସ୍ତେ

ଡାହାଣ କରେ ମାରୁତି ମାଇଲା ବଜ୍ର ମୁଥେ।୫୮।

ଭୀମସେନର ବଜ୍ର ମୁଥ ପଡ଼ିଲା ଅସୁରର ମୁଣ୍ତେ

ଶ୍ରୋଣିତ ଉଦୁଗାର ହୋଇଲା ତାହାର ତୁଣ୍ତେ।୫୯।

ପୁଣ ସାଷ୍ଟାମ ହୋଇଣ ଦାନବ ମହାବଳୀ

ଭୀମକୁ ପେଲି ଦିଲା ସେ ପଡିଲା ମହୀ ଥଳୀ।୬୦।

 

ଭୀମସେନକୁ ମାଡ଼ିଣ ବସିଲା ହୃଦଗତେ

ପ୍ରଥମ ଯୁଦ୍ଧେ ହାରଇ ସେ ପବନର ସୁତେ।୬୧।

ବକକଇ ମାଡ଼ି ଯେହ୍ନେ ବସଇ ଶ୍ୟାମଳ

ପ୍ରତଗ୍ୟାଂ କରଇ ସେ ଅସୁର ଅଚାର୍ଗଳ।୬୨।

ତୁ ଯେ ମୁଣୋହି ମୋହୋର କଲୁସି ରେ ନଷ୍ଟ

ବିକୋଡି ମାଂସ ତୋହୋର ରେ ଭକ୍ଷିବି ପାପିଷ୍ଠ।୬୩।

 

ଭୀମସେନ ବୋଇଲା ରେ ଅସୁରେଶ୍ୱର ନଷ୍ଚ

ଧର୍ମଯୁଦ୍ଧ ତୋହୋର ମୋହୋର ହୋଇଲା କିରଣ୍ଟ।୬୪।

କିରଣ୍ଟ ବୋଇଲେ ଛାଡ଼ିଲା ଦଇତ୍ୟ ଅଇରି

ଆକ୍ରେଷି ବ୍ରିକୋଦର ଲେଉଟାଇ ପାଡ଼ି।୬୫।

ମାଡ଼ି ବସିଲା ବ୍ରିକୋଦର ଦତ୍ୟର ବକ୍ଷସ୍ଥଳେ

ବ୍ରିକୋଦର ରୂପ ଯେ ବିକାଶିଲା ମହାବଳେ।୬୬।

 

ମନ୍ଦର ମାଡ଼ି ଯେହ୍ନେ ବସଇ ମାହିନ୍ଦ୍ରଗିର

ମାଡ଼ିଣ ବ୍ରିକୋଦର ଯେ ଦିଅଇ ମହା ରଡ଼ି।୬୭।

ତୋଟି ମାଡ଼ିଣ ମାଇଲା ବଜ୍ରମୁଥେ

ଲଲାଟ ଫାଟିଣ ଯେ ବହଇ ଶ୍ରୋଣିତେ।୬୮।

ଅସୁର ବୋଇଲା ହୋ କିରଣ୍ଟ ମୋହର

ଧର୍ମଯୁଦ୍ଧେ ହାରିଲି ହୋ ଛାଡ଼ ଦ୍ୱିଜବର।୬୯।

 

ଆରେ ଆରେ ଦାନବ ଗ୍ୟାନ ତୋର ନାହିଂ

ବ୍ରାହ୍ମଣ ଯୁଦ୍ଧ ସେ କିରଣ୍ଟ ଲୋଡୁ କାହିଂ।୭୦।

ଦାନବ ବୋଇଲା ମାଲ ଯୁଦ୍ଧରେ ୟେ ବାଟ

ମରଣ ସମ୍ଭାଳି ଯେ ବୋଇଲୁ କିରଣ୍ଟ।୭୧।

ଭୀମସେନ ବୋଇଲା ମୋହୋର କିରଣ୍ଟ ତୋହୋର କିରଣ୍ଟକି

ମରିବାର ବେଳେ ନିଷତ ହୋଉଛୁ କାହିଂକି ? ।୭୨।

 

ଆରେ ଚାରି ପୁତ୍ର ଉପୁଜାଇଲା ନିର୍ବାତ କପଚ

ମୋହୋର ହାଥେ ମରଣ ତୋହୋର ପ୍ରତ୍ୟକ୍ଷ।୭୩।

ଆରେ କୁମ୍ଭୀରୀ ଦତ୍ୟକୁ ମାଇଲି ସୁରନଦୀର ଭିତରେ

କିନ୍ନରୀ ଦତ୍ୟକୁ ମାଇଲି ମଧୁବନ ତୋଟାରେ।୭୪।

ହିଡ଼ିମ୍ୱକ ଦତ୍ୟକୁ ମାଇଲି ହିଡ଼ିମ୍ୱକ ବନେ

ତୁ ଉବୁରି ଥିଲୁ ପଡ଼ିଲୁ ୟେତେ ଦିନେ।୭୫।

 

ୟେତେ ବୋଲି ଆକ୍ରେଷିଣ ମାଡିଲା ତାର ତଣ୍ଟି

ଅସୁର ପ୍ରାଣ ଛାଡ଼ିଲା ବେନି ଚଛୁ ଫୁଟି।୭୬।

ଜିଭା ବାହାର ହୋଇଲା ବେନି ଦଣ୍ତ ପରିଯନ୍ତେ

ନିଜ ପ୍ରାଣ ବିସର୍ଜିଲା ପଡ଼ିଲା ଦୁରାପାତେ।୭୭।

ଆଦିତ୍ୟ ଅସ୍ତଗଲା ପଶ୍ଚିମ ପ୍ରଦେଶେ

ସାଧୁ ସାଧୁ ପାବେନି ବୋଲନ୍ତି ତ୍ରିଦଶେ।୭୮।

 

ଅସୁର କେଶ ଧରି ରାତ୍ର କାଳେ ନେଲା

ନଗ୍ର ଆଡ଼ ମୁହାଣେ ନେଇ ମୂର୍ତ୍ତି କରି ଥାପିଲା।୭୯।

ଶାଳବୃକ୍ଷ ଗୋଟାକରେ ଅସୁରକୁ ଆଉଜାଇ

ମହା ମୃତି କରି ଥାପିଲା ନଗ୍ରକୁ ଅନାଇଂ।୮୦।

ରାତ୍ର ହୋଇଅଛି ଅଢାଇ ପ୍ରହର

ପାଞ୍ଚେହେଂ ବାଟ ଚାହୁଂଅଛନ୍ତି ବସିକରି ଦ୍ୱାର।୮୧।

 

ସଂପୂର୍ଣ୍ଣ ତିନିପ୍ରହର ହୋଇଅଛି ନିଶି

ଯୁଝେଷ୍ଠି ଛାମୁରେ ଭୀମସେ ନମିଳିଲାକ ଆସି।୮୨।

ଯୁଝେଷ୍ଠି ବୋଇଲେ ମା ଗୋ ବହନ ହୋଇଯିବା

ରାତ୍ର ପାହିଲେ ପୁଣ ଜାଣନ୍ତା ହୋଇବା।୮୩।

ୟେ ନଗ୍ରଲୋକେ ସମସ୍ତେ କରିବେ ଯେ ପୂଜା

ୟେ ନଗ୍ରେ ଭୀମକୁ ପୁଣ କରିବେଟି ରାଜା।୮୪।

 

ୟେତେ ବିଚାରିଣ ବାହର ନିଶାରାତି

ନଗ୍ରତେ ଜିବନେ ପଶିଲେ ତତ୍‌କ୍ଷଣାନ୍ତି।୮୫।

ବଡ଼ ବଡ଼ ବିଟପ ଯେ ଗହନ କଣ୍ଟାଭୂମି

ଚାଲି ନପାରନ୍ତି ମାତାୟେ ଯୁଝେଷ୍ଠି ଦେବସ୍ୱାମୀ।୮୬।

ଯୁଝେଷ୍ଠି ବୋଇଲେ ଚାଲ ଧୁର ହୋଇ ଯିବା ୟେ ବନ ଉପେକ୍ଷି

ଲୋଡ଼ିଣ ନଗ୍ରଜନେ ନପାବନ୍ତି ଯେମନ୍ତେ ଆମ୍ଭଙ୍କୁ ଦେଖି।୮୭।

 

ଭୀମସେନ ବୋଇଲା ମାତା ଗୋ ଶିରେ ମୋର ବସ

ଶିରେ କୋଇନ୍ତା ଦେବୀ ବସି ହୋଇଲେ ହରଷ।୮୮।

ଡାହାଣ କନ୍ଧେ ଯୁଝେଷ୍ଠି ବାମ କନ୍ଧେ କିରଟୀ

ଦୁଇ କାଖେ ବସିଲେ ନକୁଳ ସହଦେବ ଭାଇ ବେନି ଗୋଟି।୮୯।

ପବନହୁଂ ବେଗେ ଯେ ଚଳଇ ବ୍ରିକୋଦର

ଝୁଣ୍ଟି ଆଣି ଘାୟେ ଗିରିବର ହୋଉଛନ୍ତି ଚୂର।୯୦।

 

ନଗ୍ରୁଂ ବାହାର ହୋଅନ୍ତେ ରାତ୍ର ପ୍ରହରେକ ଥିଲା

ୟେକା ପ୍ରହରକେଭୀମସେନ ବିଶା ଶତେ ଯୋଜନ ଗଲା।୯୧।

ଶ୍ରୀରାମ ବେଣୀ ବୋଲି ୟେକ ନଦୀ ଗୋଟିୟେ

ତହିଂର କୂଳେ ପ୍ରବେଶ ହୋଇଲେ ଯାଇ ରଜନୀ ପ୍ରଭାତ ହୋୟେ।୯୨।

ଲକ୍ଷଣ ଜପାସୁରକୁ ମାଇଲେ ସେହୁ ବନେ

ଶତତପା ବୋଲିଣ ସେ ବନସ୍ତର ନାମେ।୯୩।

 

ସେ ନଦୀରେ ବୀରେ ସାରିଲେ ପ୍ରାତଃ ସ୍ରାହାନ

ରଣସୁନ୍ଦର ବୋଲି ଯେ ପର୍ବତେକ ବିଦ୍ୟମାନ।୯୪।

ଦେଖନ୍ତି ଗଣ୍ତା ହରିଣ ଚରନ୍ତି ପଲପଲ

ବୋଲନ୍ତି ଯୁଝେଷ୍ଠି ବାବୁ ୟେ ବନ ଅଟଇ ଭଲ।୯୫।

ରହିଲେ ପଣ୍ତୁନନ୍ଦନ ଘୋର ଗହନ ଅଟବ୍ୟା

ସୁଖେ ବିହଡ଼ନ୍ତି ବନେ ସେ ଶୂରବର ପାଣ୍ତବା।୯୬।

 

ଅଗସ୍ତି ପଚାରିଲେ ବଇବସୁତ ମନୁ

ବକ ଦତ୍ୟ ବଧ ହୋଇଲା ଯୁଝେଷ୍ଠିଙ୍କର ଗ୍ୟାନୁ।୯୭।

ଭୀମସେନ ରାକ୍ଷସକୁ ଆଣିଲା କେଶ ଧରି

ନଗ୍ର ବାହାରେ ଥାପିଲା ପ୍ରେତାଧିରୂପ କରି।୯୮।

ପାଣ୍ତବେ ଯେ ବାହାର ହୋଇଲେ ମହା ନିଶାକାଳେ

ମହାଗହନେ ପଶିଲେ ରଜନୀ ପ୍ରସରର ବେଳେ।୯୯।

 

ଶୁଣ ହୋ ଯୋଗେଶ୍ୱର ବୋଲନ୍ତି ଅଗସ୍ତି

ତିମିରି ବିଦାରଣ ସ୍ୱାମୀ ବିକାଶିଲେ ଜ୍ୟୋତି।୧୦୦।

ପ୍ରଭାତେ ନଗ୍ରୁଂ ବାହାର ହୋନ୍ତି ଯେ ପୁରଜନମାନେ

ଦେଖିଲେ ଭୀଷ୍ମରୂପେ ଚାହଂଇ ରାକ୍ଷସ ପ୍ରଜ୍ୱଳିତ ନୟନେ।୧୦୧।

ବିକଟାଳ ବଦନ ଯେ ଉର୍ଦ୍ଧ୍ୱ ଜିହ୍ୱାବଳୀ

ଦଶ ନହ ବିରାଜିତ ତେଜ ତା ବିଜୁଳି।୧୦୨।

 

ବିସ୍ତାର ତୁଣ୍ତ ଯେ ହୃଦେ ଲୁଳଇ ଜିଭା

ଦେଖିଲେ ପୁରଜନମାନେ ଆକର୍ଷଣ ଦୁଲ୍ଲଭା।୧୦୩।

ନଗ୍ରକୁ ଆକ୍ରଷଣ ମହାଭୀଷ୍ମ ମୂର୍ତ୍ତି

ଭାଳନ୍ତି ପୁରଜନେ ଠାକୁର ହୋଇଲେ ଅତ୍ରପୁତି।୧୦୪।

ଅମ୍ୱିକା ନାମେଣ ହକାରିଲେ ଘୋଷଣକାରୀ

କାହାର ଘରେ ହୋଇଥିଲା କାଲି ଠାକୁରଙ୍କର ପାଳି।୧୦୫।

 

ଝାଡ଼ିକାରେ ଘୋଷଣକାରୀ ଗଲା ବେଗେ ଧାଇଂ

ବେଦଶର୍ମଣ ପଣ୍ତାକୁ ସେ ଡାକିଲେ ହକରାଇ।୧୦୬।

ପୁରଜନମାନେ ପଚାରନ୍ତି ବ୍ରାହ୍ମଣକୁ

ତ୍ରିପୁତି କରି ହୋ ନ ପାରିଲୁ ଠାକୁରଙ୍କୁ।୧୦୭।

କିସ କିସ ଯୋଗାଡ଼ ପଣ୍ତା ହେ କିସ ଦିଲ କାଲି

ଦେବଶର୍ମଣ ବୋଇଲା ମୁଂ ସମ୍ଭର୍ବେଣ କାଲି ଯୋଗାଡ଼ ଦିଲି।୧୦୮।

 

ନରବଳି ଜଣେ କିସ କଲ ହେ ଦ୍ୱିଜବର

ବେଦଶର୍ମଣ କହଇ ନଗ୍ରଜନଙ୍କ ଆଗର।୧୦୯।

ମୋହୋର ପୁରେ ରହୁଥିଲେ ମାତା ପାଞ୍ଚପୁତ୍ର

ମୋର କଷ୍ଟ ଦେଖି ଦିଲେ ସେ ଭାଇନ୍ତ।୧୧୦।

ନଗ୍ରଜନ ବୋଇଲେ ପଣ୍ଡା ହେ ମନ୍ଦକୃତ୍ୟ କଲ

ଆପଣେ ନଯାଇ କିମ୍ପେ ପରକୁ ପେଷିଲ।୧୧୧।

 

ଯାହାକୁ ପଠିଆଇଲ ଦେଖନି ତୋହୋର ପୁରେ

ତତକ୍ଷଣେ ଧାଇଯାଇଂ ଦେଖନ୍ତି ବ୍ରହ୍ମଣ ଅନ୍ତପୁରେ।୧୧୨।

ଦେଖିଲେ ସେ ପୁରେ ଜନ ମନୁଷ୍ୟ କେହି ନାହିଂ

ବେଦଶର୍ମଣ ବ୍ରାହ୍ମଣ ଅଗ୍ରତେ ଯାଇ କହି।୧୧୩।

ପଣ୍ଡାୟେ ମୋଣୋହି ଯୋଗାଡ଼ ଖାଇଲା ସେ ଦୁର୍ମୁଖ ବ୍ରାହ୍ମଣ

ରାତ୍ରେ ପଳାଇ ସେ ଗଲେ ଛଡ଼ ଜଣ।୧୧୪।

 

ବେଢିଣ ପୁରଜନେ ହୋଇଣ ବଜ ବଜ

ପର କରଇନି କି ହୋ ଆପଣାର କାର୍ଯ୍ୟ।୧୧୫।

ଠାକୁରଙ୍କର କୋପ ହୋଇଲା ତୋହୋର ପରମାଦେ

ୟେହି କ୍ଷଣି ନଗ୍ରକୁ ପଡ଼ିବ ଦୁସହ ପରମାଦେ।୧୧୬।

ଚଳହୋ ବେଦଶର୍ମଣ ପଣ୍ଡା ହେ ୟେ ମହାନଗ୍ର ରଖ

ୟେହିକ୍ଷଣି ଠାକୁରଙ୍କୁ ହୋଅ ବଳି ଭକ୍ଷ।୧୧୭।

 

ଅନେକ ଶୀତଳ ଯୋଗାଡ଼ ଘେନି ପୁରଜନେ

ମୋଣୋହି ଯୋଗାଡ଼ ଅପ୍ରମିତେ ଆଣନ୍ତି ବହନେ।୧୧୮।

ଶଗଡ଼ ଭିତରେ ଅନେକ ଶୀତଳ ଯୋଗାଡ଼ ସେ ଭରି

ଚଳଇ ବେଦଶର୍ମଣ ନାରାୟଣ ନାରାୟଣ ସୁମରି।୧୧୯।

ଭାତ ପିଠା ଯେତେ ଶଗଡ଼େ ପୂରୋଇ

ବକ ଦତ୍ୟ ଛାମୁରେ ପ୍ରବେଶ ବିପ୍ର ଯାଇ।୧୨୦।

 

ଦୂରେଣ ଥାଇ ବିପ୍ର ଯେ ହୋଇଲା ପ୍ରଣପତ୍ୟ

ବିନୟ ଭାବ ହୋଇ ସ୍ତୁତି କରଇ ବହୁତ।୧୨୧।

ପହଣ୍ତେ ଯାଇଂ ନିଉଛାଳି କରଇ ପରିଣାମି

ହୋଇଲା ପୁରଜନମାନଙ୍କୁ କୋପ ନ କରିବା ଦେବସ୍ୱାମୀ।୧୨୨।

କୋପ ଶାନ୍ତି କରିବା ୟେ ଭୁବନ ଦେବ ରକ୍ଷ

ମୋହୋର ଘରେ ପାଳି ମୋତେ ଦେବ ଭକ୍ଷ।୧୨୩।

 

ଅନେକ ବଇକୁଲ୍ୟେ ତୁସ୍ତି କରଇ ବିପ୍ର କ୍ରୋଧେ

ପ୍ରଣପତ୍ୟ ହୋଇ ଯାଇ ମିଳିଲା ସନ୍ନିଧ୍ୟେ।୧୨୪।

ଦେଖଇ ବିପ୍ର ଅଲକ୍ଷଣ ବକ ରାକ୍ଷସର କାୟେ

ଜୀବନ ନିଆଶୀ ବିପ୍ର ହୋଇଲା ନିର୍ଭୟେ।୧୨୫।

ଅସୁରର ଭୁଜ ଧରି ଉଭା ଦ୍ୱିଜବର

ସ୍ୱାମୀ ତୋହୋର ସଞ୍ଚିଲା ସିନା ୟେକ ଚକ୍ର ନଗ୍ରପୁର।୧୨୬।

 

ସମସ୍ତ ପୁରଜନ ଆମ୍ଭେ ଅଛୁ ତୋର ଗର୍ଭେ

ଅନେକ ଦୋଷୀ ଆମ୍ଭେ ତୋତେ ଭାବେ ଅଭାବେ।୧୨୭।

ୟେତେ ବୋଲି ବିପ୍ର ଅସୁର ଭୁଜ ଧରି

ସ୍ୱାମୀ ମୋତେ ଭକ୍ଷ୍ୟ ପାନ କର ବୋଲି ଅସୁର ଭୁଜ ଉଛୁଡ଼ି।୧୨୮।

ବୃକ୍ଷକୁ ଆଉଜାଇ ସିନା ଥିଲା ଅସୁର ଥାପି

ଗଡ଼ିଣ ପଡ଼ିଲା ସେ ଅସୁର କାମରୂପୀ।୧୨୯।

 

ଅସୁରକଇ ଦେଖି ନିରୋପଇ ବେଦ ଯେ ଶର୍ମଣ

ଦେଖଇ ରାକ୍ଷସର ଶରୀରେ ନାହିଂ ପ୍ରାଣ।୧୩୦।

ନଗ୍ରଲୋକମାନେ ରହିଥିଲେ ଦୂରେ

ଧାଇଂ ଯାଇଂ ସମସ୍ତେ ମିଳିଲେ କତିରେ।୧୩୧।

ଅସୁର ବଧ ଦେଖି ବେଦଶର୍ମଣକୁ ତୁସ୍ତି କରି

ତୋହୋର ପ୍ରସନ୍ନେ ଆମ୍ଭର କଷ୍ଟ ଗଲା ପାରି।୧୩୨।

 

ମହତ ଭେଟିଲୁ ତୁ ଆମ୍ଭନ୍ତ କଲୁ ହେ କାରଣ

ଚଉକତି ଲୋଡ଼ନ୍ତି ସେ ଭିକ୍ଷୁକ ବ୍ରାହ୍ମଣ।୧୩୩।

ଅଦଭୁତ ପୁରୁଷନ୍ତ ପାଇବା କାହିଂ ଲୋଡ଼ି

ଆମ୍ଭର ରାଜ୍ୟେ ହୁଅନ୍ତା ଠାକୁର ଅଧିକାରୀ।୧୩୪।

ୟେକଚକ୍ରା ନଗ୍ରେ ଲୋକେ ବେଦଶର୍ମଣକୁ କଲେ ପୂଜା

ୟେକଚକ୍ରା ନଗ୍ରେ ବେଦଶର୍ମଣ ହେଲା ରାଜା।୧୩୫।

 

ବଦୟନ୍ତି ଅଗସ୍ତି ଶୁଣ ମନୁ ମହତ

ମହତ ଆଶ୍ରେ କଲା ପ୍ରାଣୀ ହୋଅନ୍ତି ୟେମନ୍ତ।୧୩୬।

ସେହି ନଗ୍ର ବେଦଶର୍ମଣ ଭିକ୍ଷା ପାତ୍ର କରୁଥିଲା

ବଡ଼ ଲୋକ ଆଶ୍ରେ କରି ନୃପତି ହୋଇଲା।୧୩୭।

ବେଦଶର୍ମଣ ଭାରିଯା ଭିକ୍ଷୁକ ବ୍ରାହ୍ମଣୀ

ପୁଣ୍ୟ ପ୍ରସାଦେ ସେହି ନଗ୍ରେ ହେଲା ଠାକୁରାଣୀ।୧୩୮।

 

ବନସ୍ତେ ବକରାକ୍ଷସର ମୂଳେ ଯେତେକ ଥିଲା ଧନଭଣ୍ତାର

ପୁରଜନମାନେ ସେ ସମସ୍ତ କଲେ ଜୂର।୧୩୯।

ରାଜ୍ୟେଣ ଅଭିଷେକ ବେଦଶର୍ମଣ ବ୍ରାହ୍ମଣ

ପାତ୍ର ଅମନାତ୍ୟମାନ କଲାକ ଭିଆଣ।୧୪୦।

ଅନେକ ସୁସ୍ତ ପାଇଲେ ସେ ନଗ୍ର ପୁରଜନେ

ଅସୁରକୁ ଅନେକ ଭୟ ଉପୁଜୁଥିଲା ମନେ।୧୪୧।

 

ଇନ୍ଦ୍ରଦେବତା ହୋଇଲା ଅନେକ ତୁଷ୍ଟି

ଅସୁର ନାଶ ଗଲା ସରିଲା ସ୍ୱର୍ଗର ଅରିଷ୍ଟି।୧୪୨।

ସୋଦରନ୍ତ ଅନେକ ନାଶ କରିଥିଲା ରାକ୍ଷସ

ପାସୋରିଲା ସମସ୍ତ କଷ୍ଟ ଫିଟିଲା ତରାସ।୧୪୩।

ପୃଥୀର ଭାରା ଭର ଉଶ୍ୱାସ ହୋଇଲା

ଦୁର୍ଭାର କଉଣୋପ କିଞ୍ଚିତେ ନାଶ ଗଲା।୧୪୪।

 

ବଦନ୍ତି ଅଗସ୍ତି ଶୁଣ ହୋ ଯୁଗପତି

ଆପଣେ ଦୁଖେ ପଡ଼ି ପାଣ୍ତାବେ ଫେଡ଼ନ୍ତି ପରର ଦୁର୍ଗତି।୧୪୫।

କୁମ୍ଭୀରୀ କିନ୍ନରୀ ହିଡିମ୍ୱକ ବକାସୁର

ମନୁଷ୍ୟ ଧ୍ୱଂସନ ୟେ ପୃଥ୍ୱୀକି ମହାଭାରା।୧୪୬।

ଅନେକ ବ୍ୟଥା ଯହୁଂ ପାଇଲେ ଦେବତାମାନେ

ବସୁଧା ବଇକୁଲ୍ୟ ଯେ ଅସୁରଙ୍କର ଗହନେ।୧୪୭।

 

ଋଷି ବିପ୍ର ତପୋଧନେ କରନ୍ତି ତପ ଉପଇଛା

ଦୁରାପଦ ଭୟରୁ କେହି କରନ୍ତା ନୋହିଲାକ ରକ୍ଷା।୧୪୮।

ତ୍ରିଦଶ ଦେବେ ଯେ ବସି ଭାଳିଲେ ଆକାଶେ

ଅଦଭୁତେ ପାଣ୍ଡବନ୍ତ ପେଶିଲେ ବନବାସେ।୧୪୯।

ୟେ ଚାରିଦତ୍ୟନ୍ତ ବଧ କରିବାର ନିମନ୍ତେ

ପାଣ୍ଡବେ ବନବାସ ହୋଇଲେ ୟେଥିର ଯେ ଅର୍ଥେ।୧୫୦।

 

ବନଭୁବନ ରକ୍ଷା କଲେ ଦୁଷ୍ଟାନ୍ତ ନିବାରି

ମଧୁବନେ, ହିଡିମ୍ୱକ ବନେ ଘଟଉତ୍କଟକୁ କଲେ ଅଧିକାରୀ।୧୫୧।

ଓଡ଼ାଦି ଶିବପୁରେ ଚାଣ୍ଡାଳ ବଳ ଧଂସି

ଧର୍ମ ଉଦିତ କଲେ ଗୁପତେ ବନବାସୀ।୧୫୨।

ବିଷ୍ଣୁକର ବ୍ରାହ୍ମଣର ଆଶ୍ରିତେ ରହିଲେ

ଶିବପୁରେ ବିଷ୍ଣୁକରକୁ ଠାକୁର କରାଇଲେ।୧୫୩।

 

ୟେକାଚକ୍ରା ନଗ୍ରେ ରହିଲେ ବେଦଶର୍ମଣର ଘରେ

ସେହି ଠାକୁର ହୋଇଲେ ୟେକଚକ୍ରା ନଗ୍ର ପୁରେ।୧୫୪।

***

 

ଦ୍ରୋପଦୀ ସ୍ୱୟମ୍ୱରେ ଲାଖ ନିର୍ମାଣ

 

ମନୁ ପଚାରିଲେ ଅଗସ୍ତିଙ୍କର ପାଶେ

ଶୁଣିଲେ ମହାମୁନି ହୋଇଲେ ସନ୍ତୋଷେ।୧।

ୟେଥି ଉତ୍ତାରୁ କିସ ହେଲା ମହାମୁନି

ତବ ମୁଖୁଂ ଶୁଣି ଚିତ୍ତ ହୋଇବ ମୋର ଧନି।୨।

କାର୍ତ୍ତିକ ଶୁକଳ ଯେପୌର୍ଣ୍ଣମୀର ଦିନ

ଗୁରୁବାର ରୋହିଣୀ ନକ୍ଷତ୍ର ବିଦ୍ୟମାନ।୩।

 

ଦ୍ୱାରିକାକୁ ବିଜେ କଲେ ରାମକୃଷ୍ଣ ବେନି ଭ୍ରାଥେ

ହସ୍ତିନାକୁ ବିଜେ କଲେ ଧୃତରାଷ୍ଟଙ୍କୁ ଦେଖିବା ନିମନ୍ତେ।୪।

ଦେଖିଣ ଧୃତରାଷ୍ଟ ଅନେକ ଗଉରୋବେ କଲେ ପୂଜା

ଆସ୍ତାନେ ବିଜେ କଲେ ଦେବାଧିଦେବ ରାଜା।୫।

ଗୋବିନ୍ଦ ବିଜେ ବିଦୁରଙ୍କୁ ଘେନିଣ ୟେକାନ୍ତେ

କୁଶଳ ବାରତା ପଚାରନ୍ତି ଜଗନ୍ନାଥେ।୬।

 

ବିଦୁରେ ବୋଇଲେ ସ୍ୱାମୀ ପୋୟେ ଗଲେ କେଉଂଣ ବନେ

ବାରତା ନ ପାଇଲୁ କେଣେ ଗଲେ ଛଡ଼ଜଣେ।୭।

ବିଦୁର ବୋଇଲେ ସ୍ୱାମୀ ପୋୟେ କେମନ୍ତେ ବାରତା ପାଆନ୍ତୁ

ପଞ୍ଚାଳ ଦେଶକୁ ଯେ ବହନ ହୋଇଯାନ୍ତୁ।୮।

ଅର୍ଜୁନକୁ ପ୍ରାପତ ହୋଇବାକ ଦ୍ରୋପତୀ

ରାଜାନ୍ତ ନିମନ୍ତି ଅଛି ପଞ୍ଚାଳ ଆଧିପତି।୯।

 

ଦ୍ରୋପଦ ରାଜା ଯେ କରିଅଛି ସୟମ୍ୱର

ଦ୍ରିଯୋଧନ ଯିବ ଆଜ ଅଢାଇ ପହର।୧୦।

ସମସ୍ତ ଦେଶର ଯେ ବିବେକ ନୃପତି

ଅର୍ଜୁନ ନିମନ୍ତେ ଜାତ କରି ଅଛି ଦ୍ରୋପତୀ।୧୧।

ଖୋଜି ନପାଇଲୁ ବୀରେ ଅଛନ୍ତି କାହିଂ

ୟେଥକୁ ଚିନ୍ତା କର ତୁ ଯଦୁକୁଳ ସାଇଂ।୧୨।

 

ସ୍ୱାମୀ ପାଣ୍ଡବେ ଯେବେ ବ୍ରତନ୍ତି ବିଷ୍ଣୁଙ୍କ ଆଶ୍ରିତେ

ତୋହର ଚିନ୍ତା ନ କଲେ ସେ ରାଜ୍ୟପାଇବେ କେମନ୍ତେ।୧୩।

ବିଦୁର ତୁଲେ କଥା ହୋଅନ୍ତେ ନାରାୟଣ

ବ୍ୟାସଙ୍କୁ ଲୟେ କରି କଲେ ସୁମରଣ।୧୪।

ଦଣ୍ତକ ମଣ୍ତଳ କଷା କଉପୁନି ବିଭୂତି

ପାରେଶ୍ୱର ନନ୍ଦନ ଯାଇଂ ମିଳିଲେ ତତ୍‌କ୍ଷଣାନ୍ତି।୧୫।

ଉଠିଣ ବିଦୁର ଯେ ଶତ ସହସ୍ରେ ଦଣ୍ତ ପରିଣାମି

ବ୍ୟାସଙ୍କୁ ପୂଜାକଲେ ଶ୍ରୀପୁରୁଷୋତ୍ତମ ଦେବସ୍ୱାମୀ।୧୬।

 

ନାରାୟଣ ପୁଚ୍ଛାକଲେ ବ୍ୟାସଙ୍କର ମୁଖଚାହିଂ

ଭୋ ବ୍ୟାସେ ୟେତେବେଳେ ପାଣ୍ତବେ ରହିଛନ୍ତି କାହିଂ।

ଧ୍ୟାନେଣ ଚିନ୍ତିଲେ ଯେ ସତ୍ୟବତୀର ସୁତେ

ଦେଖିଣ ପାଣ୍ତବେ ରହିଛନ୍ତି ପଞ୍ଚୁବଟୀ ବନସ୍ତେ।୧୮।

ବ୍ୟାସେ ବୋଇଲେ ଶୁଣିମା ଦାମୋଦର

ପାଣ୍ତବେ ରହିଛନ୍ତି ଯେ ଶ୍ରୀରାମବେଣୀ ତୀର୍ଥର।୧୯।

ସୁର ନଦୀରେ ମାଇଲେ କୁମ୍ଭୀରୀ ଦତ୍ୟକୁ

ମଧୁବନେ ନାଶ କଲେ କିନ୍ନରୀ ରାକ୍ଷସକୁ।୨୦।

 

ହିଡିମ୍ୱକ ବନେ ହିଡିମ୍ୱକକୁ ମାରି

ୟେକଚକ୍ରା ନଗ୍ରେ ବକାସୁରକୁ ନିବାରି।୨୧।

ହିଡିମ୍ୱିକୀ ପ୍ରଦାନ ହୋଇଲା ଭୀମସେନ

ଘଟଉତ୍‌କଚ ନାମେ ତହିଂ ପୁତ୍ରେକ ଉତପନ୍ନ।୨୨।

ସର୍ବକୁଶଳେ ପାଣ୍ତବେ ତହିଂ ବ୍ରତିଛନ୍ତି କ୍ଷମେ

ଯାହାକଇଂ ଚିନ୍ତା କରନ୍ତି ପୁରୁଷଙ୍କ ଉତ୍ତମେ।୨୩।

 

ବ୍ୟାସେ ବୋଇଲେ ବିଦୁରର ବଡ଼ ଦୟା।

ୟେହାର ବୁଦ୍ଧି ବଳେ ପାଣ୍ତବେ ପାର ଗଲେ ମାୟା।୨୪।

ଜଗନ୍ନାଥେ ବୋଇଲେ ବ୍ୟାସେ ତୁମ୍ଭେ ଦ୍ରୋପଦର ଦେଶକୁ ଯିବ

ବ୍ୟାସ କୂଟ କରି ତହିଂ ଲାଖେକ ପାତିବ।୨୫।

ଅଶ୍ରୁତି ଅଦୃଷ୍ଟି ତ୍ରିଲେକ୍ୟେ ହୋଇବ

ମନଭେଦୀ ନାରାଜେ ସେ ଲାଖ ଜୟେ ଯିବ।୨୬।

 

ୟେମନ୍ତ କରିଣ ପାତିବାକ ଲାଖ

ତଳେ ଧନୁ ୟେକ ଥୋଇବ ବଳ ୟେକ ଲକ୍ଷ।୨୭।

ୟେହା ସଞ୍ଚିଣ ତୁମ୍ଭେ ଯିବ ଘୋର ବନେ

ପାଣ୍ତବନ୍ତ ପଠିଆଇ ଦେବ ଦ୍ରୋପଦ ଭୁବନେ।୨୮।

ଦ୍ରିଯୋଧନ ଶକୁନି ଯେ କଲେକ ଗାରିମା

ଲକ୍ଷେ ରାଜାଙ୍କୁ ଦେଖାଇବା ନା ଅର୍ଜୁନର ମହିମା।୨୯।

 

ଗୋବିନ୍ଦେ ବୋଇଲେ ଆମ୍ଭନ୍ତ ନିମନ୍ତ୍ରିଲେ ଦ୍ରୋପତେ

ଆମ୍ଭେ ବେନି ଭାଇ ଯାଉଅଛୁ ଉଗ୍ରସେନ ସହିତେ।୩୦।

ନାରାୟଣଙ୍କ ଆଗ୍ୟାଂୟେ ଯେ ଚଳନ୍ତି ମୁନିବରେ

ମନଭେଦୀ ନାରାଜ ଦିଲେ ବ୍ୟାସଙ୍କ ହାଥରେ।୩୧।

ୟେ ନାରାଜ ଗୋଟି ନେଇ ଅର୍ଜୁନକୁ ଦେବ

ୟେ ଶହସ୍ରେ ବାସବି ରାଧା ଚକ୍ର ବିନ୍ଧିବି।୩୨।

 

ରାଧାଚକ୍ର ନେଇ ପାତିବ ସଭାରେ

ଅନ୍ତର୍ଦ୍ଧାନେ ବୁଲୁଥିବଟି ଆକାଶ ଶୂନ୍ୟରେ।୩୩।

ରାଧାଚକ୍ର ମନଭେଦୀ ଶହସ୍ର ଯେ ଘେନି

ଚହୁଂ ଚଳିଗଲେ ସେ ବ୍ୟାସ ମହାମୁନି।୩୪।

ସଦାନନ୍ଦ ମନ୍ତ୍ରୀ ଜଣାଇଲା ବିଜେ କଲେ ବ୍ୟାସେ।୩୫।

 

ଧାତିକାରେ ଆସ୍ତାନ ତେଜିଲେ ଦ୍ରୋପଦେ

ପାଦ୍ୟଅର୍ଘ୍ୟ ଦେଇ ପ୍ରଣପତ୍ୟ ବ୍ୟାସଙ୍କ ପଦ୍ମପାଦେ।୩୬।

ବ୍ୟାସେ ବୋଇଲେ ରାଜା ପରମ କଲ୍ୟାଣ ହୋଅସି

ସୟମ୍ୱର ବିଧାନ ରାଜା ପାତିଲୁ କି ବିଶେଷି।୩୭।

ଗଙ୍ଗାନଦୀ କୂଳେ ଉଠଇ ଘରମାନ

ପାଞ୍ଚ ମର୍ଭୁତ ଘଟଣକାରୀ ଲାଗି ଅଛନ୍ତି ବହନ।୩୮।

 

ପାଞ୍ଚଦଣ୍ତ ଘେନି ନିର୍ମିତ ଯେ ନଳକାଠି

ତିନି ତିନି ନଳ ଆୟତନ ୟେକ ବଖରା ଗୋଟି।୩୯।

ବାଆଷଠି ବଖରାୟେ ଘରେକ ନିର୍ମିତ

ଛତ୍ରଘରମାନ ହୋଇଲାନି ଚଉବିଂଶ ଅହିବ୍ରତ।୪୦।

ଗଜଶାଳମାନ ପାଞ୍ଚମେବଚ୍ଛ ପନ୍ଦର ସହସ୍ର ଘର

ଅଶ୍ୱଶାଳମାନ ହୋଇଲା ସତୁରି ସାଗର।୪୧।

 

ରାଜାମାନନ୍ତ ଯେ ନବର ଆୟେତନ

ଦଶ ଅହିବ୍ରତ ଘର କଣୟ ନିର୍ମାଣ।୪୨।

ଥମ୍ୱର ଉପରେ ଯେ କଣୟ ଛାୟେଣୀ

ରୁଅ ଘର ବତା ସୁବର୍ଣ୍ଣେ ନିର୍ବାଣି।୪୩।

ତହିଂର ଉପର ଯେ ରୂପାର ଛାୟେଣୀ

ବସନ୍ତି କଳଶ ଯେ ଢଳନ୍ତି ରତ୍ନମଣି।୪୪।

 

ଲକ୍ଷେଣ ଜଗତୀ ଆସ୍ତାନ ରାଜା ବସିବାକୁ

ସହସ୍ରେ ସହସ୍ରେ ଯୋଗାଡ଼ ମୁଣୋହି ଠାବକୁ।୪୫।

କଣୟ ଘଟଣ ଲକ୍ଷେକ ଯୋଗାଡ଼

ଳକ୍ଷେକ ରାଜାଙ୍କୁ ୟେହି ମତି ସମ୍ଭାର।୪୬।

ଛାୟା ମଣ୍ତୋପେ ସୟମ୍ୱର ଥାନକୁ ନିର୍ବାଣ

ପାଞ୍ଚ ଯୋଜନା ଆୟେତନ ଛାୟେଣି କଣୟ ରତ୍ନମାନ।୪୭।

 

ଲକ୍ଷେକ ଥମ୍ୱ ଅଛି ଛାୟା ମଣ୍ତୋପର

ଅଷ୍ଟରତ୍ନ ନିର୍ମିତ କଲେ ସୁବର୍ଣ୍ଣ ଥମ୍ୱର।୪୮।

ରାଜାଙ୍କର ବସିବାକୁ ସୁବର୍ଣ୍ଣ ସିଂଘାସନ

ସେହି ଥମ୍ୱ ଆଉଜଣା ଆହୁଟ ହାଥ ସୁବର୍ଣ୍ଣ।୪୯।

ନେତର ସୁପାତି ଯେ ଗୋଟିୟେ ଗୋଟିୟେ

ନେତର ଚନ୍ଦ୍ରାତପ ଉପରେ ଶୋଭାପାୟେ।୫୦।

 

ୟେସନେକ ନିର୍ମିତ ଯେ ସଭାର ଆୟେତନ

ଲମ୍ୱନ୍ତି ମୁକୁତାମାଳ ଝରା ଅଷ୍ଟରତ୍ନ।୫୧।

ଅଲେଖ ସୁପକାର ଛତ୍ରଶାଳମାନଙ୍କୁ

ଚାରି ଚାରି ମହାଜନମାନ ତୁଲେଣ ତାହାଙ୍କୁ।୫୨।

ଅଶ୍ୱ ଗଜମାନଙ୍କୁ ଚରଣୀ ପିଉଣୀ ଘାସ ବିହିରି

ସମସ୍ତ ସମ୍ପାଦିଲା ରାଜା କଲା ଦୃଢକରି।୫୩।

 

ବ୍ୟାସେ ପରଶଂସା କଲେ ଦ୍ରୋପଦ ରାଜାକୁ

ସାଧୁ ସାଧୁ ଧୁନି ଗୋଟିୟେ କଲୁ ଦ୍ୱାପର ଯୁଗକୁ।୫୪।

ଦ୍ରୋପଦ ବୋଇଲେ ବ୍ୟାସେ ଅର୍ଜୁନ ଯେବେ ଥାଆନ୍ତା

ତାହାକଇ ପ୍ରଦାନ ମୁଂ କରନ୍ତି ଦୁହିତା।୫୫।

ୟେ ତ ଜିଘ୍ନସେନୀ ଅଗ୍ନିରୁ ଉତପତ୍ତି

ୟେହାର ନିମନ୍ତେ ମୁଂ ସବୁନ୍ତି ନିମନ୍ତ୍ରି।୫୬।

 

ବ୍ୟାସେ ବୋଇଲେ ରାଜା ଆମ୍ଭର ବୋଲକର

ଲାଖେକ ପାତିବୁ ଆମ୍ଭେ ତୋହୋର ସୟମ୍ୱର।୫୭।

ପାଣ୍ତବେ ମଲେ ବୋଲି ଯେ ସଂସାର ବାରତା ପାଉ

ଆମ୍ଭେ ୟେକଥାକୁ ଯେ ପରତେ ନଯାଉ।୫୮।

ଧର୍ମ ପବନ ଇନ୍ଦ୍ର ଅଶ୍ୱିନୀ କୁମାରେ

ୟେମାନଙ୍କର ପୁତ୍ର ସେ ଅଟନ୍ତି ପଞ୍ଚୁବୀରେ।୫୯।

 

ଅର୍ଜୁନ ଆତ୍ମା ଯେ ଅଟନ୍ତି ଜଗନ୍ନାଥ

କୋଳେ ଧରି ଦୁତୀକୃଷ୍ଣ ନାମ ଦିଲେକ ଅଚ୍ୟୁତ।୬୦।

ବିଦୁରଇ ସର୍ବଗ୍ୟଂ ଆବୋରନ୍ତି ପାଣ୍ତବ

ଆବର ସମସ୍ତ କଥା ଜାଣଇ ସହଦେବ।୬୧।

ୟେମାନଙ୍କର ଥାଆନ୍ତେ କି ପାଣ୍ତବଙ୍କର ହୋଇବ ପରମାଦେ

ୟେ କଥାକୁ କେବେହେଂ ଆମ୍ଭେ ନ ଯାଉ ସଂପ୍ରତେ ହାଦେ।୬୨।

 

ମହାଯାଗରୁ ଜାତ କରାଇଲୁ ଜିଘ୍ନସେନୀ

ମାନବେ ପ୍ରଦାନ କରାଇବୁକି ତୋହୋର ନନ୍ଦନୀ।୬୩।

ଲାଖ ଗୋଟିୟେକ ଆମ୍ଭେ କରିବୁ ନିର୍ବାଣ

ସେ ଲାଖ ବିନ୍ଧିବି ଯେ କନ୍ୟା ଦେବୁ ତତକ୍ଷଣ।୬୪।

ବ୍ୟାସ କୂଟ ଲାଖ ପାତିଲେ ମୁନିବ୍ୟାସ

ଦେବେ ଅଗୋଚର ସେ ଯେ ମାନବେ ଅଦୃଶ୍ୟ।୬୫।

 

ମାନବ ତାଳେ ସାତ ତାଳ ଦେବେଣ ୟେକ ତାଳବୋଲି

ଦେବ ତାଳେ ସାତ ତାଳ ରାଧାଚକ୍ର ଘଟଣ କଲି।୬୬।

ମାନବ ତାଳେ ଅଣଚାଶ ତାଳ ହୋଇଲା ଉଚ୍ଛର୍ଗ

ଆକାଶକୁ ଚାହିଂଲେ ଅଦୃଶ ଦୁତୀ ସ୍ୱର୍ଗ।୬୭।

ରାଧାଚକ୍ର ଦିଶଇ ସହସ୍ରେକ ଧାର

ଅନୁବ୍ରତେ ବୁଲୁଥାଇ କୁରାଳ ଚକ୍ର ଆକାର।୬୮।

 

ତହିଂର ଉପରେ ବସାଇଲେ ସୁବର୍ଣ୍ଣ ୟେକ ମାଛ

ତଳେ ଧନୁ ୟେକ ଥୋଇଲେ ବଳ ୟେକ ଲକ୍ଷ।୬୯।

ତାଳେକ ଉଚ୍ଛର୍ଗ ସୁବର୍ଣ୍ଣ ପଟାୟେକ କଣ୍ଟି

ତହିଂର ତଳେ ଥୋଇଲେ ତୀର୍ଥଜଳ ଘଟ ଗୋଟି।୭୦।

ବ୍ୟାସେ ବୋଇଲେ ରାଜା ଶୁଣ ହୋ ଦ୍ରୋପଦ ନୃପତ୍ୟ

ଲକ୍ଷେ ବଳ ପିନାକ ଧରିବାକୁ କେହୁ ସାମରଥ।୭୧।

ତଳକଇଂ ଚାହିଂ ଉପର କଇଂ ମୁଷ୍ଟି

ଚକ୍ରଭେଦୀ ନାରାଜ ମାଛ ବାମ ଚଛୁ ଯିବ ଫୁଟି।୭୨।

 

ୟେହେନେକ ସରୂପେ ଯେ ଲାଖ ବିନ୍ଧେ

ତାହାକୁ ଦୁହିତା ଦେବୁଟି ପରମ ସାନନ୍ଦେ।୭୩।

ୟେକାନ୍ତେ ଦ୍ରୋପଦଙ୍କୁ କହିଲେ ବ୍ୟାସ ମହାମୁନି

ଯେ ଲାଖ ବିନ୍ଧିବ ସେ ଇନ୍ଦ୍ର ଗୋବିନ୍ଦ ଫାଲଗୁନି।୭୪।

ୟେହା ତଦନ୍ତ କରି ଜାଣି ଥାଅସି ତୋହୋର ମନେ

ୟେତେ କହି ମହାତମା ଚଳିଲେ ଅନ୍ତର୍ଦ୍ଧାନେ।୭୫।

 

ପାଣ୍ତବେ ରହିଛନ୍ତି ଯେ ଶ୍ରୀରାମ ବେଣୀ କୂଳେ

କୃପଚ୍ଛନ୍ନ ରୂପ ଧଇଲେ ବ୍ୟାସେ କୁତୂହୋଳେ।୭୬।

ଲମ୍ୱିତ ଜୁତା ବାଳ ପୁଞ୍ଜା ଯେ କାଛେଟି

ପଞ୍ଚବକ୍ର ଚାଲି ପ୍ରପଞ୍ଚ ଲାଙ୍ଗଟି।୭୭।

ଲମ୍ୱିତ ରୋମମାନେ ଦଉଡ଼ିବର୍ଣ୍ଣି ଶିରେ

ଧବଳ ଚିହ୍ନ ମାତ୍ର ଅଛଇ ଶରୀରେ।୭୮।

 

ଲାଙ୍ଗଟ ଭ୍ରୂକୁଟ କୁବୁଜ ଗଳିତ ଆଖି

ଭୀମସେନ କରତାଳି ମାରି ହସିଲା ତାହା ଦେଖି।୭୯।

ମଣିଷ ବାତୁଳ କି ପ୍ରପଞ୍ଚ ରୂପକାୟେ

ଦେଖିଲିକି ମାୟେ ଗୋ ଅନ୍ୟାକାର ରୂପ ଗୋଟାୟେ।୮୦।

ଯୁଝେଷ୍ଠି ବୋଇଲେ ସହଦେବର ମୁଖ ଚାହିଂ

ଚଉଦ ବରଷ ବନେ ବୁଲିଲୁ ୟେମନ୍ତ ରୂପ ଦେଖିଲାତ ନାହିଂ।୮୧।

 

ସହଦେବ ବୋଇଲେ ଦେବ ନ କର ଉପହାସ୍ୟ

ଆମ୍ଭନ୍ତ କଷଣ ନିମନ୍ତେ ବିଜେ କଲେ ମୁନିବ୍ୟାସ।୮୨।

ବିଦୁର ବାସୁଦେବ ଦିଲେ ପଠିଆଇଂ

ଆମ୍ଭନ୍ତ ଡରାଉଛନ୍ତି କୃପଚ୍ଛନ୍ନ ରୂପ ହୋଇ।୮୩।

ପୁତ୍ରନ୍ତ ଘେନି ସେ କୋଇନ୍ତା ମହାମାଈ

ଶତ ସହସ୍ର ଦଣ୍ତ ପ୍ରଳମ୍ଭିତ ହୋଇ ଭୂମିରେଣ ଶୋଇ।୮୪।

ବ୍ୟାସ ବୋଇଲେ ହୋ ତୁମ୍ଭେ ଚିହ୍ନିଲ କେମନ୍ତେ

ନଚିହ୍ନିବୁ ବୋଲି ଆମ୍ଭେ ଅଇଲୁ ୟେମନ୍ତେ।୮୫।

 

ପ୍ରପଞ୍ଚ ରୂପ ଗୋଟି ଛାଡ଼ିଲେ ମୁନିବର

ନିଜ ରୂପ ଧରି ସେ ବସିଲେ ଆସ୍ତାନର।୮୬।

ପୁଣ ପୁଣ ପ୍ରଣପତ୍ୟ ପଣ୍ତୁର ତନୟେ

ଆସନ ଦିଲେ ନେଇ କୃଷ୍ଣାଜିନ ମୃଗଛାଲ ଗୋଟିୟେ।୮୭।

କୋଇନ୍ତାୟେ କ୍ରୋଧ କଲେ ବ୍ୟାସଙ୍କର ମୁଖ ଚାହିଂ

ତୁମ୍ଭର ଥାଆନ୍ତେ ପୋୟେ ମୋର ବନସ୍ତେ ବୁଲନ୍ତି ଦୁଖ ପାଇ।୮୮।

 

ହୀନଜନ ପ୍ରାୟେ ନଗ୍ରେ ମାଗନ୍ତି ଯେ ଭିଖ

ଗାନ୍ଧାରୀ ପୁଅଙ୍କର ସେ ସମ୍ପଦ ମୋହୋର ପୁଅଙ୍କର ୟେଡ଼େ ଦୁଖ।୮୯।

କୋନ୍ତଭୋଜର ଦୁଲଣୀ ମୁଂ ସୋମବଂଶର କୁଳବଧୂ

ୟେତେ ଜୀବନଯାକ ଆମ୍ଭର ହୋଇଲା ଅସାଧୁ।୯୦।

ଛତ୍ରୀପଣେ ଜାତ ହୋଇଲେ ୟେ ମୋହୋର ପୁତ୍ରେ

ଅପୂଜ୍ୟେକ ହୋଇଲା କେବଣ ଦୋଷ ଅର୍ଥେ।୯୧।

 

କହନ୍ତେ କୋନ୍ତାଙ୍କର କ୍ରୋଧ ଯେ ହୋଇଲା ଅପାର

ବ୍ୟାସେ କହିଲେ ମା ଗୋ କ୍ରୋଧ ଶାନ୍ତି କର।୯୨।

ଆକାଶ ନାଶ କଲେ ଯହୁଂ ଅସୁର ଚାରି ବୀରେ

କିମ୍ଭିରୀ କିନ୍ନରୀ ହିଡିମ୍ୱକ ବକାସୁରେ।୯୩।

ତାହାଙ୍କର ଭାରା ଯହୁଂ ନ ସହିଲା ମେଦିନୀ

ତେଣୁ କରି ଆଗ୍ୟାଂ ତୁମ୍ଭକୁ ଦିଲେ ପଦ୍ମଯୋନି।୯୪।

 

ଅସୁର ବଧ କଲେ ପିତାମହର ବଚନେ

ଅନେକ ସାନନ୍ଦ ଯେ ହେଲେ ଦେବମାନେ।୯୫।

ୟେବେ ପୁଅନ୍ତ ଘେନି ଭୋଗ ପାଇବ ଗୋ ମାୟେ

ନିକଣ୍ଟେକ ରାଜ୍ୟ ସଞ୍ଚିଲେନି ଦେବତାୟେ।୯୬।

ଭାରା ନିବାରଣେ ତୁମ୍ଭେ ହୋଇଛ ଜନମ

ଅପାଦ ଅନ୍ତେଣ ଗୋ ଉଦିତ ହୋଇ ଧର୍ମ।୯୭।

 

ଜନମ କରମ ଆଧ୍ୟାନ ସମସ୍ତ ନାଶି

ୟେକା ଶରୀର ଗୋଟି ଭୋଗ୍ୟ ଚାରି ଗୋଟି ରାଶି।୯୮।

ଜନ୍ମ ନକ୍ଷତ୍ରେ ଗୋ ପାଇଲେ ୟେତେ ଦୁଖ

କରମ ନକ୍ଷତ୍ରେ ୟେବେ ଭୁଞ୍ଜିବ ପରମ ସୁଖ।୯୯।

ଦୁଖ ପାର ଗଲାନି ୟେବେ ଅଳପ ଦିନ ସହ

ରାତ୍ର ଦିବସେଣ ଚଳ ୟେଥେଂ ଦଣ୍ତେହେଂ ନ ରୁହ।୧୦୦।

 

ଦ୍ରୋପଦ ରାଜା ଯେ ୟେବେ କରୁଅଛି ସୟମ୍ୱର

ଲକ୍ଷେକ ନୃପତି ବିଜେ କରିବେ ତାହାର ପୁର।୧୦୧।

ରାଧାଚକ୍ର ବିନ୍ଧିବ ୟେ ବୀର ଫାଲଗୁନି

ତାହାକୁ ପ୍ରାପତ ଯେ ହୋଇବ ଜିଘ୍ନସେନୀ।୧୦୨।

କନ୍ୟା ଆଣନ୍ତେ ଗୋଳ ହୋଇବ ସାଂଗ୍ରାମ

କଉରୋବଙ୍କର ଦର୍ପ ତହିଂ ମର୍ଦ୍ଦିବ ଭୀମସେନ।୧୦୩।

 

ହରି ବଳରାମେ ଆସୁଛନ୍ତି ବେନି ଭ୍ରାଥେ

ତହିଂରେ ଭେଟ ସିନା ପୁଣି ହୋଇବ ସମସ୍ତେ।୧୦୪।

ସୟମ୍ୱର ହୋବାକୁ ଅଛଇ ଷୋଳଦିନ

ୟେଥକୁ ଦ୍ରୋପଦ ରାଜ୍ୟ ତିନିଶତ ପଞ୍ଚାଶ ଯୋଜନ।୧୦୫।

ବାବୁ ଅର୍ଜୁନ ତୁହି ସେ ପାରିବୁ ଲାଖ ବିନ୍ଧି

ଶ୍ରୀଜଗନ୍ନାଥେ ଦିଲେ ଆମ୍ଭର ହସ୍ତେ ନାରାଜ ମନଭେଦୀ।୧୦୬।

 

ୟେ ମନଭେଦୀ ନାରାଜ ତୁ ସମ୍ଭାଳସି ଯତନେ

ୟେକା ଘାନ୍ତିକେ ଭେଟଇଟି ଯାହାକୁ କରିବୁ ମନେ।୧୦୭।

ଆମ୍ଭେତ ଯାଉଅଛୁ ସୟେମ୍ୱରକଇଂ ବୋଲି

ପବନହୁଂ ବେଗେ ଯିବଟି ତୁମ୍ଭେ ସମସ୍ତେ ଚଳି।୧୦୮।

ୟେତେ ବୋଲି ମୁନି ପାଦୁକା ମନ୍ତ୍ର ଦିଲେ

ନିମିଷକେ ଲକ୍ଷେ ଯୋଜନା ଯାଇଟି ୟେ ମନ୍ତ୍ର ପଢି ପାଦୁକା ଆଉଂଶିଲେ।୧୦୯।

 

ଶହସ୍ର ମନ୍ତ୍ର ଦେଇ ଚଳନ୍ତି ବେଦବ୍ୟାସେ

ଯୁଝେଷ୍ଠି ଦେବ ପଚାରିଲେ ବ୍ୟାସ ମୁନିଙ୍କର ପାଶେ।୧୧୦।

ଦ୍ରୋପଦୀ ପ୍ରାପତ ହୋଇବକି ମୁନି ହେ ମୋତେ

କନ୍ୟା ପାଇବାର ହୋଇଲେ ଯିବଇଂ ଯୁଗତେ।୧୧୧।

ଯେବେ ପ୍ରାପତ ନୋହିବଟି ଦ୍ରୋପଦ କୁମାରୀ

ଆବର କିମ୍ପାଇ ପର ସମ୍ପଦ ଦେଖିଯିବୁ ଝୁରି।୧୧୨।

 

ବ୍ୟାସେ ବୋଇଲେ ବାବୁ ଶୁଣିମା ଯୁଝେଷ୍ଠିର

ଅର୍ଜୁନ ନିମନ୍ତେ ଦ୍ରୋପଦ କରିଛି ସୟମ୍ୱର।୧୧୩।

ଯୁଝେଷ୍ଠି ବୋଇଲେ ଦେବ କହିଲ ତୁମ୍ଭେ ମିଥ୍ୟା

ଆମ୍ଭେ ଶୁଣିଲୁ ଯେ ଦ୍ରୋପଦଙ୍କର ସୟମ୍ୱର ବାରତା।୧୧୪।

ତୁମ୍ଭେ କହିଲ ଅର୍ଜୁନ ଲାଗି ସୟମ୍ୱର

ତୁମ୍ଭର କଥା ମୋତେ ଶୁଣିତେ ଅଗୋଚର।୧୧୫।

 

ପାଣ୍ତବେ ମଲେ ବାରୁଣାବନ୍ତେ ଜଦୁର ଘରେ।

ୟେହୁ ବାରତା ଯାଇ ଶୁଭିଲା ତିନି ପୁରେ।୧୧୬।

ୟେତେକ ଧାର୍ମିକ କାହୁଂ ଯେ ହୋଇଲା ଦ୍ରୋପତେ

ଅର୍ଜୁନ ନିମନ୍ତେଣ ସୟମ୍ୱର କରଇ କେମନ୍ତେ।୧୧୭।

ବ୍ୟାସେ ବୋଇଲେ ବାବୁ ଶୁଣହୋ ଆଦି କଥା

ତୁହି ସେ ଜାଣିଅଛୁନା ତହିଂର ବାରତା।୧୧୮।

 

ଦ୍ରୋଣେ ଦ୍ରୋପଦେ ଯେ ହୋଇଲେ ବିବାଦୀ

ଦ୍ରୋଣେ ଦ୍ରୋପଦକୁ ନିଆଇଲେଟି ଅର୍ଜୁନ ହାଥେ ବାନ୍ଧି।୧୧୯।

ଦ୍ରିଯୋଧନ ଅପ୍ରାଧ ଯେ କଲା ଦ୍ରୋପଦକୁ

ଝିଘାଂସି ଦ୍ରୋଣେ ଯେ ଛାଡ଼ିଲେ ମଇତ୍ରକୁ।୧୨୦।

ଲାଜେଣ ଦ୍ରୋପଦ ତାର ରାଜ୍ୟକୁ ନଗଲା

କୌରବନ୍ତ ଜିଣିମ ବୋଲି ଈଶ୍ୱରଙ୍କୁ ସେବାକଲା।୧୨୧।

 

କଷ୍ଠୋର ତପ ଦେଖି ବିଜୟେ କାପାଳୀ

ବୋଇଲେ କୌରୋବନ୍ତ ଜିଣି ନପାରିବୁ ତୋହୋର ଭଳି।୧୨୨।

ଭାରାଭର ନାଶ କରନ୍ତା ଯେ ପାଣ୍ତବ ଧନୁର୍ଜୟେ

ତାହାର ହାଥେ ଭୀଷ୍ମ ଦ୍ରୋଣ ସମସ୍ତେ ଯିବେ କ୍ଷୟେ।୧୨୩।

ପୀରତି ବଢାଅ ତୁ ରେ ଅର୍ଜୁନର ତୁଲେ

କୌରବ ନାଶ ଯିବେ ହାଦେ ୟେକା ଅର୍ଜୁନର ବଳେ।୧୨୪।

 

ବିଶ୍ୱନାଥ ଆଗ୍ୟାଂୟେ ଦ୍ରୋପଦେଶ୍ୱର ଗଲା

ଆମ୍ଭନ୍ତ ବରିଣ ସେ ସନ୍ତତି ଯଗ୍ୟଂ କଲା।୧୨୫।

ଆମ୍ଭନ୍ତ ପୂଜା କରି ବୋଇଲା ଦ୍ରୋପଦେଶ୍ୱର ରାୟେ

ମୋତେ ଜାତ କରିଦେବ ହୋ ଦେହିତା ଗୋଟିୟେ।୧୨୬।

ସେ କନ୍ୟା ଗୋଟିକି ମୁହିଂ ଅର୍ଜୁନକଇଂ ଦେବି

ତାହାର ହାଥେ କୌରବନ୍ତ ନାଶ କରାଇବି।୧୨୭।

 

ତାହାର ବଚନେ ଆମ୍ଭେ ଯାଗ ଆରୋପଣ କଲୁ

ପୁତ୍ର ଦୋହିତାୟେ ଆମ୍ଭେ ଯାଗରୁ ଉପୁଜାଇଲୁ।୧୨୮।

ଧୃଷ୍ଟଦ୍ୟୁମନ କୁମାର, କୁମାରୀ ଦ୍ରୋପତୀ

ଅର୍ଜୁନକୁ ଦେବ ବୋଲି କରିଛି ସମ୍ପ୍ରଧି।୧୨୯।

ଶବଦେକ ଶୁଭିଲା ପାଣ୍ତବେ ନାଶ ଗଲେ

ତେଣୁକରି ଦ୍ରୋପଦ ସୟମ୍ୱର କଲେ।୧୩୦।

 

ବିତକ୍ଷଣ ରାଜା ସେହି ଦ୍ରୋପଦ ନୃପତି

ତୁମ୍ଭର ନାଶଗଲା କଥା ମନରେ କରଇ ଭ୍ରାନ୍ତି।୧୩୧।

ତେଣୁକରି ମହା ଲାଖ ପାତିଲା ଦ୍ରୋପଦ

ଅର୍ଜୁଂନହୁଂ ଆନ ନଜାଣଇ ସମ୍ପାଦ।୧୩୨।

ସଂସାରକୁ ଶୁଭକୁ ଦ୍ରୋପତୀ ସୟମ୍ୱର

ଅର୍ଜୁନକୁ ସୟମ୍ୱରଟି ଦ୍ରୋପଦ ହୃଦୟର।୧୩୩।

 

ଅନେକ ଦେଶର ଯେ ମିଳିଲେ ରାଜଦେବ

ଅର୍ଜୁନ ଗଲେ ସେ ସୟମ୍ୱର ହୋଇବ।୧୩୪।

ଦ୍ରୋପତୀର ସୟମ୍ୱର ଶୁଣିଲ ତୁମ୍ଭେ କାହିଂ

ଅର୍ଜୁନ ନଗଲେ ସେ ସୟମ୍ୱର ନାହିଂ।୧୩୫।

ବ୍ୟାସଙ୍କ ମୁଖରୁ ୟେସନେକ ବାକ୍ୟ ଶୁଣି

ପାଣ୍ତବେ ସାନନ୍ଦ ହୋଇଲେ ମନେ ଗୁଣି।୧୩୬।

 

ୟେତେ କହି ମହାତ୍ମା ଚଳିଲେ ଅନ୍ତର୍ଦ୍ଧାନେ

ଚଳନ୍ତି ପାଣ୍ତବେ ତହୁଂ ମହା ତୋଷ ମନେ।୧୩୭ ।

 

Unknown

ଅଙ୍ଗାରପନ୍ନଗ ଯୁଦ୍ଧ

ଶତେ ଯୋଜନ ଗଲେ ୟେକଇ ଦିବସେ

କେତୁମାଳ ବନେ ଯାଇ ହୋଇଲେ ପ୍ରବେଶେ।୧।

ଗନ୍ଧର୍ବ ନଦୀ ଯେ ବହଇ ଦକ୍ଷିଣଗାମୀ

ଗନ୍ଧମାର୍ଦନ ପର୍ବତ ସେ ଅଟଇ ଊର୍ଦ୍ଧ୍ୱଗାମୀ।୨।

ଯୁଝେଷ୍ଠି ବୋଇଲେ ବାବୁ ଶୁଣସି ଅର୍ଜୁନ

ପ୍ରାତ ସ୍ରାନ ସାରିବାକୁ ଦେଖ ଜଳ ଯେ ଉଦ୍ଦାନ।୩।

 

କେତେ ଦୂରେ ବାବୁରେ ଅଛଇ ଜଳଘାଟି

ପ୍ରକୃତି ଶଙ୍କାୟେ ଶରୀର ବଡ଼ କଷ୍ଟି।୪।

କରେ ଶୋଭାବନ ଧନୁଶର ଭାରଥି

ଗନ୍ଧର୍ବ ନଦୀ ତୀରେ ଯାଇଂ ପ୍ରବେଶ ତଡ଼ତି।୫।

ସେ ନଦୀ କୂଳେ ଯେ ତୋଟା ବନ

ପାଚି ପଡୁଅଛି ଯେ ପଙ୍କୁ ଫଳମାନ।୬।

 

ଅନେକ କୁସୁମ ଅବସନ୍ତେ ତହିଂ ବହଇ ବସନ୍ତ

ତୋଟା ଦେଖି ପ୍ରଶଂସା କରଇ ବୀରପାଥ।୭।

ତହିଂର ନିକଟେ ଅଛନ୍ତି ସହସ୍ରେ ବିଳାସୁଣୀ

ଜଗୁଜନ ମୋହୋନୀ ସେରମ୍ଭା ତୁଲ ଜାଣି।୮।

ସର୍ବଅଳଙ୍କାର ସେ ଆଭରଣ ହୋଇଣ କାମିନୀ

ଶରୀରେ ପରିହରଣ ଝୀନ ରଙ୍ଗ ପତନି।୯।

 

ଜଳ କ୍ରୀଡ଼ା ରଙ୍ଗେ ସେ ମାତିଥିଲେ ଯୁବତୀ

ସ୍ତନ ଜଂଘ ଯଉବନ ସବୁ ଫୁଟିଣ ଦିଶନ୍ତି।୧୦।

ଅମୂଲ୍ୟ ବିଳାସୁଣୀ ବଧୂକ ମଞ୍ଜୁଳ ବିମ୍ୱ ଓଷ୍ଠି

ପୁଷ୍ପ ତୋଳନ୍ତି ବିଳାସୁଣୀ ମଧୁର ଗୀତ ଗାବନ୍ତି।୧୧।

ଅର୍ଜୁନକୁ ଦେଖିଲେ ଯହୁଂ ତୋଟାର ଭିତରେ

ଅତିଅନ୍ତ ସୁନ୍ଦର ସେ ଘାରିଲେ ମଦନ ଜ୍ୱରେ।୧୨।

 

ଭୟେଣ ସଂକୋଚେ ସେ ପଳାଇଲେ ତହୁଂ ବେଗେ

ଧାଇଂ ଯାଇ ପଡ଼ିଲେ ସେ ଅଙ୍ଗାରପନ୍ନଗର ଆଗେ।୧୩।

ଗନ୍ଧର୍ବ ବୋଇଲା ୟେ ହୋଇଲା କେମନ୍ତ

କାହାକୁ ଦେଖିଲ ଲୋ ୟେଡ଼େ ଭୟ ଚିତ୍ତ।୧୪।

ବିଦ୍ୟାଧାରୀ ବୋଇଲେ ପୁରୁଷେକ ଦେଖିଲୁ

ଅତିଅନ୍ତ ସୁନ୍ଦର ସେ ଦେଖିଣ ମୋହଗଲୁ।୧୫।

 

ପଳାଇ ଅଇଲୁ ଦେବ ତାହାଙ୍କର ଭୟେ

କି ସେ ମକରଧ୍ୱଜ ବିଷ୍ଣୁର ତନୟେ।୧୬।

କନ୍ୟାଙ୍କର ସମସ୍ୟା ଶୁଣି ଅଙ୍ଗାରପନ୍ନଗ

କଦଳୀ ପତ୍ର ଜାଣି କମ୍ପଇ ତାର ଅଙ୍ଗ।୧୭।

ମୁହିଂ ସେ ସୁନ୍ଦର ଅଟଇ ତ୍ରିଭୁବନେ

ଅମର ନାୟେକର ପୁତ୍ର ମୁଂମୋ ତହୁଂ ସୁନ୍ଦର କେ ଆନେ।୧୮।

 

କୁତୂହଳେ ତେଜର ମୁଂ ଅମର ବାରସ୍ୱତୀ

ସସସ୍ରେ କନ୍ୟା ଘେନି ମୁଂ ଜଳକ୍ରୀଡ଼ା କରଇ ନିତି।୧୯।

ଶ୍ରୀହସ୍ତେ ଧରିଅଛି ଉଦ୍ଦଣ୍ଡ ନାମେ ଧନୁ

ରେ ରେ କାର କରିଣ ସେ ବାସେବର ତନୁ।୨୦।

ଦେଖଇ ପଙ୍କୁ ଫଳ ତୋଳଇ ଫାଲଗୁନି

ବିଦ୍ୟାଧର ବିନ୍ଧିଲା ତୀକ୍ଷ ଶର ମୁନା ଘେନି।୨୧।

 

ଗୁଣଟଙ୍କାର ଶବଦ ଶୁଣିଣ ସର୍ବସାଚୀ

ଭୟେ କରି ଫାଲଗୁନି ନାରାଜ ତାହାର ଆମଞ୍ଜି।୨୨।

 

ପୁଣ ବିଦ୍ୟାଧର ଯେ ବିନ୍ଧିଲା ପଞ୍ଚୁଶର

ନାରାଜେ ଆଲିଙ୍ଗନ କଲେ ଅର୍ଜୁନ ବଦନର।୨୩।

ପୁଣ ପୁଣ ବିନ୍ଧଇ ସେ ଶଚୀ ଦେବୀର ବଳା

ରାଗେଣ ଫାଲଗୁନି ଯେ ତେଜେଣ ଅନର୍ଗଳା।୨୪।

ଆପଣେ ଶ୍ରୀକରେ ଯେ ଧଇଲା ପାଥ ଧନୁ

ଅଙ୍ଗାରପନ୍ନଗକୁ କଲାକ ଶର ଆଧ୍ୟାନୁ।୨୫।

 

ବେନି ସହସ୍ର ନାରାଜ ବିନ୍ଧିଲା ସର୍ବସାଚୀ

ଅଙ୍ଗାରପନ୍ନଗ ପାଦ ତଳେ ନାରାଜ କରଇ ପ୍ରାଚୀ।୨୬।

ନ ଚିହ୍ନି ବେନି ଭ୍ରାଥେ କରନ୍ତି ସାଂଗ୍ରାମ

ନାରାଜ ମାନ ତହିଂ ନଛାଡ଼ନ୍ତି ଧର୍ମ।୨୭।

ଯେବଣ ନାରାଜ ବିନ୍ଧଇ ବିଦ୍ୟାଧର

ଅର୍ଜୁନ ମୁଖେ ଚୁମ୍ବ ଦେଇ ପଡ଼ଇ ଭୂମିର।୨୮।

 

ଅର୍ଜୁନ ନାରାଜ ଯେ ବିନ୍ଧଇ କୋପାନଳେ

ଶହସ୍ରେ ପଡ଼ଇ ଯାଇ ଅଙ୍ଗାରପନ୍ନଗ ପାଦ ତଳେ।୨୯।

ଅପାର ଯୁଦ୍ଧ ଯହୁଂ ହୋଇଲା ଅପ୍ରମିତେ

ଗନ୍ଧର୍ବକୁ ଜିଣି ନପାରିଲା ଶହସ୍ର ଘାତେ।୩୦।

ବେଳ ବେଳ କୋପ ଯେ ବାସବର ବାଳେ

ଦେବ ଶହସ୍ର ଅଙ୍ଗାରପନ୍ନଗ ବିନ୍ଧଇ କୋପାନଳେ।୩୧।

 

ବଜ୍ର ଶହସ୍ରେକ ସେ କଲାକ ଆଧାନ

ନ ବିନ୍ଧୁ ଛେଦିଲା ତାହା ପଣ୍ଡୁର ନନ୍ଦନ।୩୨।

ଗନ୍ଧର୍ବ ଶହସ୍ରେକ ବିନ୍ଧିଲା ବିଦ୍ୟାଧର କୋପଭରେ

ଅର୍ଜୁନ ନିବାରିଲା ତାହା ବଜ୍ର ମୁଦୁଗରେ।୩୩।

ଅଗ୍ନି ଶହସ୍ରେକ ଯେ ବିନ୍ଧିଲା ବାସବି

ଜଳଧାରା ଶହସ୍ରେ ତାହା ଫାଲଗୁନି ଛେଦି।୩୪।

 

ପର୍ବତାଶରକେ ଯେ ପେଷିଲା ଜମ୍ବୁ ଭେଦୀ

ବଜ୍ରାଶହସ୍ରେ ତାହା ଫାଲଗୁନି ଛେଦି।୩୫।

ପନ୍ନଗ ଶହସ୍ରେ ଯେ ଅଙ୍ଗାରପନ୍ନଗ ମାରି

ଗରୁଡ଼ା ଶହସ୍ରେ ତାହା ଅର୍ଜୁନ ନିବାରି।୩୬।

ବେଳୁଂ ବେଳ ଅର୍ଜୁନର ବଢିଲାକ କୋହ

ରାଗେଣ ଶହସ୍ର ଯେ ବିନ୍ଧିଲା ଅମୋହ।୩୭।

 

ଅନେକ ଶହସ୍ର ମୋତେ ବିନ୍ଧିଲୁ ରେ ଚଣ୍ଡାଳ

ୟେ ଘାନ୍ତି ତୁ ମୋର ଶହସ୍ର ମୋତେ ସମ୍ଭାଳ।୩୮।

ବିଦ୍ୟାଧର ବୋଇଲା ମୁଂ ୟେ ବନର ଅଧିକାରୀ

ଅଦଭୁତେ ମୋଢା ରେ କାହୁଂ ପଶିଲୁ ମୋହୋର ପୁରୀ।୩୯।

ନିଜ ବଂଶେ ତୋହୋର ଲଗାଇଲୁ କଳି

ଅସ୍ଥି ମାଂସ କାଟି ତୋର ଆଜ ଦେବି ବିଶା ବଳି।୪୦।

 

ଅର୍ଜୁନ ବୋଇଲା ତୁ ରେ ଅଟୁ ବାଟପଡ଼ା

ସଞ୍ଚୟେ ପ୍ରାଣ ତ୍ୟାଜ ହୋଇବୁ ବାପୁଡ଼ା।୪୧।

ସହସ୍ରେ ଯୁବତୀ ତୋତେ କରିଛନ୍ତି ଆଶ୍ରେ

ୟେହାଙ୍କର ବିକଳେ ତୋତେ ନମାରିବି ୟେକ ବାରେ।୪୨।

ଗନ୍ଧର୍ବ କୋପ କଲା ପାଥର ବଚନ ଶୁଣି

ବେନି ଗଦା ବୁଲାଇ ଧାମଇ ଶିର ଝୁଣି।୪୩।

 

ମୋହୋନା ଶହସ୍ର ଯେ ବିନ୍ଧିଲା ଧନୁର୍ଜୟେ

ଅଙ୍ଗାରପନ୍ନଗ ପଡ଼ିଲା ଅର୍ଜୁନ ଶର ଘାୟେ।୪୪।

ଗର୍ଜିଣ ଅର୍ଜୁନ ଯେ ଧାଇଂଲା କୋପାନଳ

ବାମ କରେ ଧଇଲା ଅଙ୍ଗାରପନ୍ନଗର ବାଳ।୪୫।

ବାଳ ଧରି ବାମ ଆଣ୍ଠୁରେ ଶିର ପାଡ଼ି

ଡାହାଣ କରେ ଘେନିଲା ବୀର ବିଜେ କର୍ଣ୍ଣ କଟାରି।୪୬।

 

ବଦନ ନିରୋପଇ ଯେ ବୀର ଫାଲଗୁନି

କାହାର ପୁତ୍ର ତୁ ରେ କେ ତୋହୋର ଜନନୀ।୪୭।

ବିଦ୍ୟାଧର ପ୍ରାୟେ ତୁ ଯେ ଦିଶୁରେ ସୁନ୍ଦର

ମାରିତେ ସତ ଯେ ନ ବଳଇ ମୋହୋର।୪୮।

ସହସ୍ରେକ ଯୁବତୀ ଜଳୁଂ ବାହାର ହୋଇଲେ

ଲାଜ ଅଭିମାନ ତେଜି ପ୍ରଣପତ୍ୟ ହୋଇଲେ।୪୯।

 

ୟେସନେକ ସମୟେ ଯୁଝେଷ୍ଟି ଆସନ୍ତି ଗନ୍ଧର୍ବ ନଦୀ କୂଳେ

ସହସ୍ର କନ୍ୟା ଯାଇଂ ପଡ଼ିଲେ ପାଦତଳେ।୫୦।

ଗୋସାଇଂ କାହାର କତି ସେ ଅଟଇ ପୁରୁଷ

ଆମ୍ଭର ସ୍ୱାମୀ କି ଅଦୋଷେ କରଇ ପ୍ରାଣନାଶ।୫୧।

ୟେକ ପୁରୁଷକୁ ଯେବେ ସେ ନାଶହିଂ କରିବ

ସହସ୍ରେ ଯୁବତୀ ଆମ୍ଭେ ହୋଇବୁଂ ବିଧବ।୫୨।

 

ପତିଂ ଦେହି ପତିଂ ଦେହି ପତିଂ ଦେହି ତ୍ରାହି

ଦନ୍ତରେ ତିରଣ ଘେନି କାର୍ପୁଣ୍ୟମତେ କହି।୫୩।

ତୋହୋର ଚରଣେ ଦେବ କରୁଅଛୁଂ ସେବା

ଅନୁଗ୍ରହ କରି ନାଥ ସ୍ୱାମୀ ଦାନ ଦେବା।୫୪।

ଧାଆଂରେ ମାରୁତି ବୋଲି ବୋଇଲେ ଯୁଝେଷ୍ଠି

ନ ପୁଣ ମାରି ପକାଇ ସେ କଇଚ୍ଛା ଜଗଜ୍ଜେଠି।୫୫।

 

ବାବୁ ମୋହୋର ରାଣ ପାଡ଼ି ରୁହାଅ ଅର୍ଜୁନକୁ

ସ୍ୱାମୀ ଦାନ ଦେବାପରେ ୟେ କନ୍ୟାମାନଙ୍କୁ।୫୬।

ଧାଆଂରେ ନକୁଳ ସହଦେବ ବେନି

ମୋହୋର ରାଣ ପାଡ଼ି ରୁହାଅ ଫାଲଗୁନି।୫୭।

ଆଗ୍ୟାଂ ପ୍ରମାଣେ ଧାମଇଂ ବିକ୍ରୋଦର

ଯୁଝେଷ୍ଠି ବୋଇଲେ ଆମ୍ଭେ ମନ୍ଦ କଲୁ ୟେ କଥାର।୫୮।

 

ତା ତହୁଂ ଦୁଷ୍ଟ ୟେ ଅଟଇ ଭୀମସେନ

ଅର୍ଜୁନ ତହୁଂ ଛଡାଇ ନିକି ୟେ କରଇ ନିଧନ।୫୯।

ଆପଣେ ଧାମନ୍ତି ଦେବ ଧର୍ମ ଧର୍ମ ସୁମରି

ଆମ୍ଭର ଯିବା ଯାୟେ ଅର୍ଜୁନ ଥାୟେ କି ରକ୍ଷା କରି।୬୦।

ଧାମଇଂ ପାବନି ଯେ ହାକ ଦିଅଇ ଦୂରେ

ରକ୍ଷା କରିଥାଅ ବାବୁ ଆସୁଛନ୍ତି ଠାକୁରେ।୬୧।

 

ସହଦେବ ଯାଇଂ ଆବୋରିଲା ଗନ୍ଧର୍ବକୁ

ଠାକୁରଙ୍କର ଆଗ୍ୟାଂ ଯେ ନ ମାର ୟେହାଙ୍କୁ।୬୨।

ଯୁଝେଷ୍ଠି ଡାକ ଦିଲେ ରହ ରହ ପାଥ

ନ ମାର ତାହାକୁରେ ମୋହୋର ଶପଥ।୬୩।

ନାରୀଗଣେ ମାଗନ୍ତି ରେ ଦେବା ସ୍ୱାମୀ ଦାନ

ଅନାସ୍ତ ନାଶ କରିବା ହୋ କେବଣ କାରଣ।୬୪।

ବାବୁରେ ୟେକା ପୁରୁଷକୁ ସହସ୍ରେକ ନାରୀ

ଯୁବା ଯୁବତୀ ୟେହାନ୍ତ ନାହିଂ ପଟାନ୍ତରି।୬୫।

 

ଅର୍ଜୁନ ବୋଇଲେ ସ୍ୱାମୀ ୟେ ସେ ବାଟପଡ଼ା

ୟେହାକୁ ମାଇଲେ ଦୋଷ ନାହିଂ ୟେ ପୃଥୀକି ମହାଭରା।୬୬।

ଅର୍ଜୁନ ହସ୍ତରୁ ଖଡ଼ଗ ଧଇଲେ ଯୁଝେଷ୍ଠି

ପ୍ରତଗ୍ୟାଂ ସାର୍ଥୁକ ତୁ କଇଚ୍ଛା ଜଗଜ୍ଜେଠି।୬୭।

ସ୍ୱାମୀର ବଚନେ ଛାଡ଼ିଲା ତାର ବାଳ

ବିଦ୍ୟାଧର ପ୍ରଣପତ୍ୟ ଅର୍ଜୁନର ପାଦତଳେ।୬୮।

ସାଧୁ ମହିଂମା ତୋର ମାନବ ଦେହ ବହି

ତିନିପୁରେ ଜିଣନ୍ତା ତିନିଜଣ ଆନ କେହି ନାହିଂ।୬୯।

 

ଆଙ୍ଗାରପନ୍ନଗ ବଚନ ଧନୁର୍ଜୟେ ଶୁଣି

ତ୍ରୈଲୋକ୍ୟେ କେ କେ ତୋତେ ପାରନ୍ତା ଜିଣି।୭୦।

ଆକାଶେ ଜିଣିପାରଇ ମୋତେ ବାସବ ଦେବତା

ପାତାଳେ ବାସୁକି ବାସୁଦେବ ଯଥା।୭୧।

ମଞ୍ଚରେ ଜିଣିପାରଇ ମୋତେ ଫାଲଗୁନି

ଆନ ଭଳି ଜିଣନ୍ତା ମୋତେ ନାହିଂ ଭୁବନ ତିନି।୭୨।

 

ଇନ୍ଦ୍ର ମୋତେ ଜିଣିବାକୁ କେମନ୍ତେ ସାମରଥ

ଅଙ୍ଗାରପନ୍ନଗ ମୁଂ ବାସବର ସୁତ।୭୩।

ସେହୁ ପୁରନ୍ଦର ଅଟଇ ମୋର ପିତା

ତେଣୁ କରି ଜିଣି ପାରଇ ମୋତେ ବାସବ ଦେବତା।୭୪।

ମଞ୍ଚେଣ ଅର୍ଜୁନ ଜିଣି ପାରଇ ଯେ ମୋତେ

ସେ ମୋର ସୋଦର ଯେ ଅଟଇ ଯୁଗତେ।୭୫।

 

ଯୁଝେଷ୍ଠି ବୋଇଲେ ହୋ କିସ ତୋହୋର ନାମ

ମୁହିଂ ସେ ଅଙ୍ଗାରପନ୍ନଗ ବିଦ୍ୟାଧର ଉତ୍ତମ।୭୬।

ୟେସନ ବଚନ ଶୁଣି ଅର୍ଜୁନ ପରିଣାମି

ଦଶ ଦୋଷ ଅପ୍ରାଧ ମୋହୋର କ୍ଷମା କରିବାକୁ ସ୍ୱାମୀ।୭୭।

ମୋହୋର ନାମେ ଦେବ ଅଟଇ ଫାଲଗୁନି

ଅଗ୍ୟାଂନ ପଣେ ମୁଂ ନୁଆରିଲି ଚିହ୍ନି।୭୮।

 

ମୁହିଂ ଅନେକ ଦୋଷ କଲଇଂ ହୋଇଲି ଦୋରେହା

ଛେଦିପ କାଅ ଦେବ ୟେ ମୋହୋର ବେନି ବାହା।୭୯।

ୟେ ଭୁଜେ ସ୍ୱାମୀ ମୁଂ ଯେ ଧଇଲି ତୋର ବାଳ

ଆବର ବ୍ରତି କିସ କରିବି ଚାଣ୍ଡାଳ।୮୦।

ବିଦ୍ୟାଧର ତୋଷ ହୋଇଲା ଅର୍ଜୁନର ବଚନେ

ମୋହୋର ବଡ଼ ଭାଗ୍ୟ ଧଂସି ନୋହିଲି ତ ଆନେ।୮୧।

 

ମୋହୋର ଭ୍ରାଥ ମୋତେ କଲା ଅପମାନ

ନିସ୍ତରିଲି ଆବର ମୋହୋର କାହାକୁ ଅଭିମାନ।୮୨।

ଅର୍ଜୁନକୁ କୋଳେ ବସାଇ ଅଙ୍ଗାରପନ୍ନଗ

ମୁଖେ ଚୁମ୍ବନ ଦେଇ ଆଉଂଶଇ ପାଥର ଅଙ୍ଗ।୮୩।

ବାବୁ ତୋତେ ଜିଣି ନ ପାରିଲି ସାଗ୍ରାଂମେ ପ୍ରସ୍ତାବେ

ତୋହୋର ଛତ୍ରୀପଣ ଜାଣିଲିନି ବାବୁ ୟେବେ।୮୪।

 

ବାବୁ ଆଦ୍ୟହୁଂ ପୃଥୀକି ଉଦ୍ଧାରଣ ସୋମବଂଶ

ଚନ୍ଦ୍ରଦେବତାଙ୍କ ବୀର୍ଯ୍ୟେ ବୁଧ ଯେ ପରକାଶ।୮୫।

ବୁଧର ନନ୍ଦନ ହୋଇଲେ ପୁରରବା

ଅମରାଧିନାଥ ୟେ ସ୍ୱର୍ଗେଣ ସୁରଦେବା।୮୬।

ତ୍ରୈଲୋକ୍ୟ ନାଥ ୟେ ଯେ ଅମର ଭୁବନୁଂ

ୟେକସ୍ତରି ଗଣ୍ଡା ଯୁଗ ଭୋଗ କଲେ ସେ ମହାମନୁ।୮୭।

 

ପୁରରବାର ନନ୍ଦନ ଆୟୁର ନୃପତି

ୟେହି ସୋମବଂଶେ ବସିଲେ ଅମର ବାରସ୍ୱତୀ।୮୮।

ଆୟୁର ନନ୍ଦନ ଯେ ହୋଇଲେ ନଘୋଷ

ୟେହି ଇନ୍ଦ୍ର ପଦେ ବସିଲେ ସ୍ୱର୍ଗେ ଯୁଗ ପଞ୍ଚାଶ।୮୯।

ଋଷିନ୍ତ ଦୁଖ ଦିଲେ ମହା ଉଗ୍ରେ ତପେ

ଶାପ୍ୟ ପାଇଣ ସେ ହୋଇଲେ ମହା ସର୍ପେ।୯୦।

 

ନଘୋଷ ନନ୍ଦନ ହୋଇଲା ଯଯାତି

ନବ କନ୍ୟା ପ୍ରଦାନ ହୋଇଲେ ସ୍ୱର୍ଗୁଂ ନବ ଜାତି।୯୧।

ସେ କନ୍ୟାଙ୍କର ତହୁଂ ଜାତ ନବ ପୁତ୍ର

ନବ ଖଣ୍ଡ କରି ପୃଥୀ ବାଣ୍ଟି ଦିଲେ ତାତ।୯୨।

ତହୁଂ ସେ ନବ ଖଣ୍ଡ ନାମ ବହଇ ମେଦିନୀ

ଅଙ୍ଗାରପନ୍ନଗ କହଇ ଶୁଣ ଫାଲଗୁନି।୯୩।

 

ଦେବଯାନୀ ବୋଲି କରି ଶୁକ୍ରଙ୍କର ଦୋହିତା

ପ୍ରଥମ ପ୍ରଦାନ ହୋଇଲେ ଯଯାତିକଇ ସେ

ଦେବକୁଳର ବନିତା।୯୪।

ଦୋବଯାନୀର ହୋଇଲା ପୁରରବା ନାମେ ପୁତ୍ରେ

କୋବେର ପଦ ଘେନି ବସିଲା ମନୁ ସାତେ।୯୫।

ପୁରର ନନ୍ଦନ ଯେ ହୋଇଲା ପ୍ରବୀର

ୟେ ଯମର ତହୁଂ ବଳେ ଘେନିଲେ କାଳଗଣ୍ଡ

ବଳତ୍କାର।୯୬।

 

ନବଯୁଗ ପରିଯନ୍ତେ ଯମଦଣ୍ଡ ଘେନିଲା

ଅମର ହୋଇଲେ ସଂସାରେ କେହି ନାଶ ଯେ ନଗଲା।୯୭।

ମନୁରାଜା ତହୁଂ ଯେ ଅନେକ ସାନନ୍ଦ ହୋଇଲା

ପୁତ୍ରେକ ଉପୁଜିଲା ମନୁ ସାନନ୍ଦ ନାମ ଦିଲା।୯୮।

ୟେହାଙ୍କର ନନ୍ଦନ ଯେ ହୋଇଲା ଇଳାବୀର

ଦୁଷ୍ୟନ୍ତ ବୋଲି ପୁତ୍ରେକ ହୋଇଲା ତାହାର।୯୯।

 

କହଣା ନୁହଇ ସେ ଦୁଷ୍ୟନ୍ତ ମହିମା

ସପତ ଦୀପେଶ୍ୱର ହୋଇଲା ୟେକାଙ୍କ ମହାତମା।୧୦୦।

ଦୁଷ୍ୟନ୍ତର ନନ୍ଦନ ଭରଥ ଉପୁଜିଲା

ଭ୍ରଥଖଣ୍ଡ ମେଦିନୀୟେ ଦେବତାନ୍ତ ଭୋଗ କରାଇଲା।୧୦୧।

ଭ୍ରଥର ନନ୍ଦନ ଯେ ହୋଇଲା ଭୂମନୁ

ଭୂମନୁ ଭୋଗକଲା ସେ ଯେ ଭୂତଳ ଭୁବନୁଂ।୧୦୨।

 

ବିରଥ ବୋଲିଣ ତାର ପୁତ୍ରେକ ଉତପତ୍ତି

ସବୁନ୍ତି ବିରଥୀ କରି ମଞ୍ଚେ ହୋଇଲା ୟେକ ଛତ୍ରୀ।୧୦୩।

ତାହାର ନନ୍ଦନ ଯେ ଶୁଣ ଶମ୍ଭୁ ରାଣ ନୃପତି

ସୂର୍ଯ୍ୟର ଦୋହିତା ପ୍ରଦାନ ହୋଇଲାକ ତାପତୀ।୧୦୪।

କୁରୁ ନାମେ ତହୁଂ ଯେ ପୁତ୍ରେକ ଉପୁଜିଲା

ତହୁଂ ସେ କୁରୁବଂଶ ଉତପତ୍ତି ହୋଇଲା।୧୦୫।

 

ବାବୁ ୟେହେନ୍ନେକ ମହିମା ଯେ ଅଛି ତୁମ୍ଭର ବଂଶ

ମୁହିଂ ହାଦେ ଇନ୍ଦ୍ର ଦେବତାଙ୍କର ଅଟଇ ଜ୍ୟେଷ୍ଠ ଶିଷ।୧୦୬।

ମୋହୋର ମାତାର ନାମ ଅଟଇ ଜାନକୀ ସରସ୍ୱତୀ

ବୈଶାନର ବଂଶେ ମୁଂ ହୋଇଲି ଉତପତ୍ତି।୧୦୭।

ବାବୁ ଇନ୍ଦ୍ର ଦେବତାଙ୍କର ଯେତେବେଳେ ପଡ଼ଇ ଅପଚୟେ

ସ୍ୱର୍ଗେ ଇନ୍ଦ୍ରପଦ ମୋତେ ଦିଅନ୍ତି ଦେବତାୟେ।୧୦୮।

 

ଅଙ୍ଗେଣ ଭୋଗ୍ୟ ମୁଂ କରଇ ଦିବ୍ୟସ୍ୱର୍ଗ

ତେଣୁ ସେ ନାମ ମୋର ଅଙ୍ଗାରପନ୍ନଗ।୧୦୯।

ଅର୍ଜୁନ ବୋଇଲେ ତୁ ଅଙ୍ଗେ ତ୍ରୈଲୋକ୍ୟ ରକ୍ଷା କଲୁ

ଅଙ୍ଗୀର ନାମ ତୁ ସ୍ୱାମୀ ପ୍ରତ୍ୟକ୍ଷେ ବହିଲୁ।୧୧୦।

ପନ୍ନଗ ନାମ ସ୍ୱାମୀ ବହିଲୁ କିସ ଅର୍ଥେ

ୟେଥିର ଚରିତ ସ୍ୱାମୀ କହିବାକ ମୋତେ।୧୧୧।

 

କହଇ ବିଦ୍ୟାଧର ଶୁଣ ହୋ ଫାଲଗୁନ୍ୟ

ଖଗେଶ୍ୱର ନାଶ କଲା ସକଳ ସର୍ପମାନ।୧୧୨।

ଗରୁଡ଼ ଭୟେ ରହି ନ ପାରିଲେ ଉଡଙ୍ଗେ

ବାବୁ ମୋହୋର ଶରଣ ଯାଇ ପଶିଲେ ସେ ସ୍ୱର୍ଗେ।୧୧୩।

ମୁହିଂ ସାଂଗ୍ରାମେ ସରି ନୁହଇ ଗରୁଡ଼କୁ

ଶରଣ ରକ୍ଷା ନିମନ୍ତେ ସମ୍ଭାଳିଲି ନାଗଙ୍କୁ।୧୧୪।

 

ଯହୁଂ ଗରୁଡ଼ର ଶୁଭିଲା ଘୋର ରଡ଼ି

ସର୍ପେ କିଂକର ହୋଇ ଲାଗିଲେ ମୋହୋର ଶରୀ।୧୧୫।

ସମସ୍ତ ସର୍ପଙ୍କର ବିକଳ ଦେଖିଲି ମୁହିଂ ଯେବେ

ସମସ୍ତ ସର୍ପନ୍ତ ମୁହିଂ ଲାଇଲଇଂ ଗର୍ଭେ।୧୧୬।

ସର୍ପମୟ ମୋର ହାଦେ ହୋଇଲାକ ଅଙ୍ଗ

ତେଣୁ ସେ ନାମ ମୋହୋର ଅଙ୍ଗାରପନ୍ନଗ।୧୧୭।

 

ଗର୍ଭ ବିସ୍ତାରି ଦିଅଇ ଅଙ୍ଗାରପନ୍ନଗ

ଅର୍ଜୁନ ଦେଖଇ ତାର ଗର୍ଭେ ପାତାଳ ବିସ୍ୱର୍ଗ।୧୧୮।

ବିହଡ଼ନ୍ତି ସର୍ପେ ଯେ ଖେଳନ୍ତି କୁତୋହଳେ

ଅନେକ ଯୋଜନ ବିସ୍ତାର ଦେଖିଲା ବେନି ଡୋଳେ।୧୧୯।

ଦେଖିଣ ଅର୍ଜୁନ ଶତେ ସହସ୍ର ଦଣ୍ଡ ପରିଣାମି

ଯେତେ ଦୋଷ କଲି ମୋତେ କ୍ଷମା କରିବାକୁ ସ୍ୱାମୀ।୧୨୦।

 

ଅଙ୍ଗାରପନ୍ନଗ ବୋଇଲା ମୁଂ ଆନକୁ ଭୀଷ୍ମ ମୂର୍ତ୍ତି ଦିଅଇ

ତୋତେ ଯେ ସାଂଗ୍ରାମେ ହାରିଲି ତୁ ଯେଣୁ ମୋର ଭାଇ।୧୨୧।

ବର ମାଗ ପାଥ ହୋ ଦେବଇଂ ମୁହିଂ ତୋତେ

ଅର୍ଜୁନବୋଇଲାବରମାଗିବିକେମନ୍ତେ।୧୨୨।

ଅଭଗତେ କିସ ବର ମାଗିବି ଦେବ ସ୍ୱାମୀ

ଜାଣି ଅନୁଗ୍ରହ ମୋତେ କରିବା ଦେବ ସ୍ୱାମୀ।୧୨୩।

 

ଶୁଣିଣ ଅନୁଗ୍ରହ କଲାକ ବିଦ୍ୟାଧର

ଅର୍ଜୁନକୁ ଦିଲା ଗନ୍ଧର୍ବା ଶହସ୍ର ଯେ ସାର।୧୨୪।

ଅରୁଣ କିରଣ ବର୍ଣ୍ଣ ୟେକ ଯେ ବିମାନ

ୟେ ମାନ ପ୍ରାପତ ତୋତେ ହୋଉ ଫାଲଗୁନ।୧୨୫।

ମୋହୋର ତହିଂ ୟେ ଥିବ ଅନୁବ୍ରତେ

ସୁମରନ୍ତେ ପ୍ରାପତ ହୋଇବ ଯୁଗତେ।୧୨୬।

 

ପଞ୍ଚାଳ ଦେଶେ ଲାଖ ବିନ୍ଧିବୁ ବୀର ପାଥ

ସେ ଜିଘ୍ନସେନୀ ତୋତେ ହୋଇବ ପରାପତ।୧୨୭।

ବାବୁ ଅଭିଷେକ କାଳକୁ ପୁରୋହିତ ଜଣେ ଲୋଡ଼ି

ଧର୍ମ ପ୍ରୋହିତେ ଅଛନ୍ତି ଅମର ଅଧିକାରୀ।୧୨୮।

ସେ ତୁମ୍ଭର ତୁଲେ ପଞ୍ଚାଳ ଦେଶକୁ ଯାଆନ୍ତୁ

ଦ୍ରୋପତୀକି ତୁମ୍ଭନ୍ତ ପ୍ରଦାନ କରନ୍ତୁ।୧୨୯।

 

ଅଙ୍ଗାରପନ୍ନଗ ସୁମରିଲେ ଧୌମ୍ୟ ପୁରୋହିତଙ୍କୁ

ଅମରୁ ଆସି ପ୍ରାପତ ମଞ୍ଚ ଜଗତକୁ।୧୩୦।

ପାଣ୍ଡବଙ୍କୁ ସମର୍ପିଲେ ଧୌମ୍ୟ ପୁରୋହିତେ

ପାଣ୍ଡବ ସୁମରନ୍ତେ ଯାଇଂ ମିଳିବ ଅଗ୍ରତେ।୧୩୧।

ବାବୁ ଆମ୍ଭେ ଯିବୁଟି ବୃନ୍ଦାଅର୍କ ମେଳେ

ଦେବତାମାନେ ଥିବେଟି ପଞ୍ଚାଳ ଦେଶେ ଆଳେ।୧୩୨।

 

ୟେତେ କହି ଅନ୍ତରୀକ୍ଷେ ଗଲେ ବିଦ୍ୟାଧର

ତହୁଂ ପଞ୍ଚବୀରେ ମାତା ଗଲେ ବନଘୋର।୧୩୩।

******

 

ପାଣ୍ଡବଙ୍କର କୁରାଳଶାଳେ ପ୍ରବେଶ

 

ଦ୍ରିଯୋଧନ ଆଗତ ବୋଲି କହିଲେ ବେଦବ୍ୟାସେ

ତହୁଂ ପବନ ନନ୍ଦନ ଚଳି ମହାରୋଷେ।୧।

ବନ ଗହନ କନ୍ଦରେ ଚାଲଇ ବୀର ପେଲି

ଗିରି ଡିଙ୍ଗର ଖାଲ ଟିକରେ କୋନ୍ତାୟେ ନପାରନ୍ତି ଚାଲି।୨।

ଥୋକାୟେ ଦୂର ଯାଇ ରହଇ ମାରୁତି

ସୟଂମ୍ବର ନିକଟେ ଦେବ ଯିବାନା ତଡ଼ତି।୩।

 

ଯୁଝେଷ୍ଠି ବୋଇଲେ ବ୍ୟାସେ ମନ୍ଦ କୃତ୍ୟ କଲେ

ସୟଂମ୍ବର ବାରତା କିମ୍ପା ଆମ୍ଭନ୍ତ କହିଲେ।୪।

ଅନେକ ସମ୍ଭରେ ସେ ଅଛନ୍ତି କୁରୁପତି

ନଦେଖୁଂ ୟେହାର ତ ୟେଡ଼େ ଭୀଷ୍ମମୂର୍ତ୍ତି।୫।

ବନସ୍ତେ ଅଛି ୟେ ଅନେକ କଷ୍ଟ ପାଇ

ଭାଇନ୍ତ ମାରିବ ଦୟା ୟେହାର ତ ନାହିଂ।୬।

 

ୟେହାର କୋପରେ ଦ୍ରିଯୋଧନ ନାଶ ଯିବ

ଅନ୍ଧରାଜା ଗୋଟି ମୋର ଅନାସ୍ତ ହୋଇବ।୭।

ଧୀର ଥିର ହୋଇ ଆମ୍ଭେ ଯାଉଥିବା ବନେ

ସୟମ୍ବର ସରୁ ତେଣେ ଦ୍ରୋପତୀକି ନେଇଯାଉ ଆନେ।୮।

 

କନ୍ୟା ଗୋଟିୟେକ ଗଲେଣ ପାଇବା

ସ୍ତିରୀ ଅର୍ଥେକି ସେ ସୋଦର ମରାଇବା।୯।

ୟେସନେକ ବିଚାରି ଦେବ ଚାଲନ୍ତି ଧୀର ଧୀର

ଆସକି ନା ବୋଲି ଡାକ ଦିଅଇ ବ୍ରିକୋଦର।୧୦।

ଯୁଝେଷ୍ଠି ବୋଇଲେ ତୁ ଯେ ପବନୁ ବେଗେ ଚାଲୁ

ତେତେ ବେଗେ ଆମ୍ଭେ ଚାଲି ଯେ ନପାରୁ।୧୧।

 

ଭୀମସେନ ବୋଇଲା ମୋତେ ଯେବେ ଗୋଡ଼ାଇ ନ ପାର

ତୁମ୍ଭେ ଆଗ ହୁଅ ମୁଂ ଚାଲଇ ତୁମ୍ଭ ପଛର।୧୨।

ଆଗେଣ ଯୁଝେଷ୍ଠି ପଛେଣ ମାରୁତି

କୋଇନ୍ତାଙ୍କ ପାଦ ଭୀମ ମାଡ଼ଇ ଧାତି ଧାତି।୧୩।

ଭୀମସେ ନବୋଇଲା ୟେ କେବଣ ବିଚାର

ଆଗରେ ନଚାଲ ପଛରେ ଓଟାରି ହୋଇପଡ଼।୧୪।

 

ଭୀମସେନ ଭୁଜ ଧରି କୋଇନ୍ତା ଦେବୀ ମାୟେ

କୋଇନ୍ତାଙ୍କୁ ତୋଳି ଭୀମସେନ ବସାଇଲା ମଥାୟେ।୧୫।

ଡାହାଣ କାନ୍ଧେ ଯୁଝେଷ୍ଠି ବାମ କନ୍ଧେ କିରଟୀ

ଦୁଇ କାଖେ ନକୁଳ ସହଦେବ ଭାଇ ବେନି ଗୋଟି।୧୬।

ଚାଲଇ ଭୀମସେନ ପବନ ଆପାତେ

ଡିଙ୍ଗର ଚୂର ହେଉଅଛି ଭୀମସେନର ପାଦ ଘାତେ।୧୭।

 

ଆକର୍ଷଣ ମୂରତି ହୋଇ ଚାଲଇ ଭୀମସେନ

ୟେକା ରାତ୍ରକେ ଗଲା ଶୟେ ସତୁରି ଯୋଜନ।୧୮।

ଦ୍ରୋପଦର ରାଜ୍ୟକୁ ପଞ୍ଚାଶ ଯୋଜନ ଅନ୍ତରେ

ଗଙ୍ଗାଧାର ବହୁଅଛି ସଙ୍ଗମ ସାଗରେ।୧୯।

ଭୀମସେନର ତହୁଂ ଓହ୍ଲାବନ୍ତି ସେହି ନଦୀର କୂଳେ

ବସିଲେ ପାଣ୍ଡବେ ଅଗ୍ର ବନିକାର ତଳେ।୨୦।

 

ପ୍ରାତ ସ୍ରାହାନ ସାରିଲେ ସେହି ନଦୀର ଜଳେ

ଉଠିଲେ ବାରଣଗିରି ପର୍ବତ ଉପରେ।୨୧।

ଦେଖିଲେ ଆସୁଅଛନ୍ତି ରାଜାଗଣମାନେ

ରଥ ଗଜ ଅଶ୍ୱ ଯେ ପାଦାନ୍ତି ଗହନେ।୨୨।

ଚଉବିଂଶ ଦାଣ୍ଡ ପଡ଼ିଅଛି ପାଞ୍ଚାଳ ଦେଶକୁ

ପଞ୍ଚାଶ ଯୋଜନ ଥାଉଂ ପଶି ନୁଆରନ୍ତି ଭିତରକୁ।୨୩।

 

ଉତ୍ତର ଦେଶରୁ ଆସୁଛନ୍ତି ଦୁଇଊଣା ପଚାଶ ସହସ୍ର ନୃପତି

ପଶ୍ଚିମ ଦିଗରୁ ଆସନ୍ତି ୟେକ ଊଣା ପଚାଶ ସହସ୍ର ନୃପତି।୨୪।

ପୂର୍ବ ଦିଗରୁ ଆସୁଛନ୍ତି ସାତ ସହସ୍ର ରାୟେ

ଦକ୍ଷିଣ ଦିଗରୁ ତିନି ସହସ୍ର ନୃପତି ଆୟେ।୨୫।

ପଞ୍ଚତିରିଶ ଯୋଜନ ଥାଉଂ ଦିଶୁଅଛି ଆଠ

ଯୁଝେଷ୍ଠି ବୋଇଲେ ହୋ ପଶିବାକୁ ନାହିଂ ବାଟ।୨୬।

 

ବାବୁ ନଦୀରେ ପାଣି କେତେ କଣ୍ଟନି ଭୀମସେନ

ପାଞ୍ଚ ତାଳ ଗଭୀର ସେ ନଦୀର ପୂର୍ଣ୍ଣମାନ।୨୭।

ଆହୋ ଆମ୍ଭେ କେମନ୍ତେ ଯିବୁ ଯୁଝେଷ୍ଠି ଦେବ ବୋଇଲେ

ସାତ ତାଳ ଉତ୍ସର୍ଗ ଯେ ଭୀମସେନ ହୋଇଲେ।୨୮।

ବେନିଭୁଜ ବିସ୍ତାରି ଭୀମସେନ ଦିଲେ

ଦୁଇ କାନ୍ଧେ ଚାରି ଭାଇ ମଥାୟେ ମାତାଙ୍କୁ ବସାଇଲେ।୨୯।

 

ଭୁଜ ବୁଡ଼ିଶିର ପରିଯନ୍ତେ ହେଲା ପାଣି

ବୁଡ଼ଜ ସବୁନ୍ତି ମାରୁତି ପାରି କରି ଆଣି।୩୦।

ଉତ୍ତର କୂଳେ ବୀରେ ଉଭା ଯେ ହୋଇଲେ

ଅନେକ ଗହନ ସଇନ୍ୟ ତହିଂ ଯେ ଦେଖିଲେ।୩୧।

ରଥ ଗଜ ହୟ ପାଦାନ୍ତି ସୈନ୍ୟ ଥାଠ

ପଞ୍ଚାଶ ଯୋଜନ ଥାଉଂ ପଶିତେ ନାହିଂ ବାଟ।୩୨।

 

ଭୀମସେନ ବୋଇଲା ସ୍ୱାମୀ ମୁଂ ହୋଇ ଥାଇ ଆଗେ

ମୋତେ ଗୋଡ଼ାଇ ତୁମ୍ଭେ ଆସ ବେଗେ ବେଗେ।୩୩।

ଚାଲଇ ବ୍ରିକୋଦର ହଲାଇ ଭୁଜ ବେନି

ହାବୋଡ଼ାର ଘାୟେ ଦୁଇ ପାଶେ ପଡୁଛନ୍ତି ସଇନି।୩୪।

ଭୁଜ ହାବୋଡ଼ନ୍ତେ ଯେ ଗଜେ ପଡ଼ନ୍ତି ଢଳି

ହାବୋଡ଼ା ହାବୋଡ଼ି ଘାୟେ ରଥେ ହେଉଛନ୍ତି ଧୂଳି।୩୫।

 

ଯୁଝେଷ୍ଠି ବୋଇଲେ ରହ ରହ ଭୀମସେନ

ୟେହି କ୍ଷଣି ଜାଣନ୍ତାରେ ହୋଇବ ବିଦ୍ୟାମାନ।୩୬।

ଦିବସେ ବଞ୍ଚିବା ୟେ ଗହଳ ଦଣ୍ଡ ଛାଡ଼ି

ରାତ୍ର ହୋଇଲେ ସିନା ଯିବା ପଥ ମାଡ଼ି।୩୭।

ଯୁଝେଷ୍ଠି ବାଟ ଛାଡ଼ି ରହିଲେ ନିମ ବନିକାୟେ

ଯୁଝେଷ୍ଠି ବୋଇଲେ ଭୀମ ଯାଆ ତୁ ୟେକାୟେ।୩୮।

 

ଠାବ ଗୋଟିୟେ ବାବୁ ତୁ ଖୋଜି ଆସ ଯାଇ

ସୁସଞ୍ଚ ସ୍ଥାନ ହୋଇବ ଆଗମ ନିଗମ ଭୂଇଂ।୩୯।

ଆଗ୍ୟାଂ ପ୍ରମାଣେ ଯେ ଚଳଇ ବ୍ରିକୋଦର

ସନ୍ଧ୍ୟା କାଳେ ପଶିଲା ଯାଇ ଦ୍ରୋପଦ କଟକର।୪୦।

ରାଜାମାନଙ୍କର ଯେ ଅଟଇ ମଧ୍ୟସ୍ଥାନ

ସଇନି ମାଡ଼ି ରହିଛନ୍ତି ପଞ୍ଚ ଯେ ଯୋଜନ।୪୧।

 

ତିଳ ପକାଇଲେ ନ ପଡଇ ଭୂଇଂ

ଦ୍ୱାଦଶ ଯୋଜନ ଆୟେତନ ଲିତାୟେ ଠାବ ନାହିଂ।୪୨।

ନଗର ପଶ୍ଚିମ ଆଡ଼େଯମୁନା ନଦୀ କୂଳେ

ତହିଂ ୟେକା ମାତ୍ର ଦେଖିଲା ତୁଚ୍ଛା କୁରାଳ ଶାଳେ।୪୩।

ଦେଖଇ ଦ୍ରୋପଦର ରାଜ୍ୟ ସଭା ନବର

ଦିବ୍ୟପୁର ଦେଖି ବିଚାରଇ ବ୍ରିକୋଦର।୪୪।

 

ଭୀମସେନ ବିଚାରଇ ଯେ ଦୂରେଣ ଥାଇଂ ଚାହିଂ

ରାଜାୟେ ବସିଲେ ଯେ ମେଢରେ କେହି ନାହିଂ।୪୫।

ବିଚାରଇ ପାବେନି ସୁସଞ୍ଚ ମେଢ ଦେଖି

ୟେଥି ଆଣି ୟେହି କ୍ଷଣି ବସାଇବି ଯୁଝେଷ୍ଠିଙ୍କି।୪୬।

ଅନେକ ସାନନ୍ଦେ ଭୀମ ଧାମଇଂ ହରଷେ

କର ଯୋଡ଼ି ଜଣାଇ ଯାଇଂ ଯୁଝେଷ୍ଠିଙ୍କ ପାଶେ।୪୭।

 

ସଭାର ମଧ୍ୟରେ ଦେବ ମେଢେକ ନିର୍ମିତ

ଆମ୍ଭନ୍ତ ବୋଲି ତାହା ଯେ ତୋଳାଇ ଅଛି ଦ୍ରୋପଦ।୪୮।

ଯୁଝେଷ୍ଠି ହସିଲେ ଭୀମସେନର ବଚନ ଶୁଣି

ମୂର୍ଖଲୋକେ କହନ୍ତି କି ପଣ୍ଡିତଙ୍କର ବାଣୀ।୪୯।

ଆମ୍ଭର ନାଶ ଗଲା ଚିହ୍ନ ବର୍ଣ୍ଣ ନାହିଂ

ଆମ୍ଭନ୍ତ ଦ୍ରୋପଦ ଅବା ଜାଣି ଅଛି କାହିଂ।୫୦।

 

ତୋତେ କିସ ବୋଲିବୁଂ ପ୍ରକୃତି ଆମ୍ଭର ମନ୍ଦ

ଭଲ କଲୁ ବାବୁ ଯାଇରେ ନ କଲୁ ତହିଂ କଳିଦ୍ୱନ୍ଦ।୫୧।

ୟେହି ଯେ ଅଟଇ ଆମ୍ଭର ପରମ ଭାଗ୍ୟ

ରାଜାମାନନ୍ତ ଦେଖି ଯେ ନ କଲୁ ମନେ ରାଗ।୫୨।

ଯୁଝେଷ୍ଠି ଦେବ ବୋଇଲେ ଶୁଣ ରେ ଅର୍ଜୁନ

ବ୍ରାହ୍ମଣ ରୂପ ଥାଉ ଭିକ୍ଷା ପାତ୍ର ଘେନ।୫୩।

 

ଠାକୁରଙ୍କ ବଚନେ ଚଳଇ ଫାଲଗୁନି

ଦଦରା ଛତା କାନ୍ଧେ ହାତେ ହରିଗୋବିନ୍ଦ ମୁଣି।୫୪।

ପଞ୍ଚାଳ ଦେଶ ରାଜାର ସୟଂମ୍ବର ଦେଖିଲା

ସାଧୁ ସାଧୁ ବୋଲି ପ୍ରଶଂସା ବୀର କଲା।୫୫।

ଠାବ ନ ପାଇଲା ଯେ ଦ୍ୱାଦଶ ଯୋଜନେ

ସେହି କୁରାଳଶାଳ ଦେଖଇ ଫାଲଗୁନ୍ୟେ।୫୬।

 

ବନସ୍ତର ନିକଟେ ଯେ ପର୍ବତର ତଳେ

ବହଇ ଜାହ୍ନବୀ ଗଙ୍ଗା ନିର୍ମଳ ନଦୀ କୂଳେ।୫୭।

ଅର୍ଜୁନ ବିଚାରିଲେ ୟେହା ସଞ୍ଚିଲେ ବାସୁଦେବ

ଆନକୁ ପ୍ରାପତ ହୋଇବ କାହୁଂ ୟେହୁ ଠାବ।୫୮।

ଯୁଝେଷ୍ଠି ପାଶେ ପାଥ ହୋଇଲା ପ୍ରବେଶ

କୁରାଳଶାଳ ତୁଚ୍ଛା ହୋଇଅଛି ରହିବା ଦେବ ଆସ।୫୯।

 

ଭୀମସେନ ବୋଇଲା ବାବୁ ଭଲ ଠାବ କଲୁ

ୟେଡ଼େ ଠାବ ଗୋଟିୟେ ଖୋଜିଣ ଅଇଲୁ।୬୦।

ସ୍ୱାମୀ ଖାଲ ଖୁଞ୍ଚ କଣା ଖପରା ଖାର ଭୂମି

ସେଠାରେ କେମନ୍ତେ ରହିବେ ଯୁଝେଷ୍ଠି ଦେବ ସ୍ୱାମୀ।୬୧।

ଧର୍ମ ନନ୍ଦନ ବୋଲନ୍ତି ରହ ରହ ବ୍ରିକୋଦର

ସେ ଠାବ ଗୋଟି ବାବୁ ବଡାଇ ପବିତ୍ର ସ୍ଥାନ ସାର।୬୨।

 

ଗାଈ ଗୋରୁ ଗୁହାଳ ଆବର କୁରାଳ ଶାଳ

ପୁଣ୍ୟ ଦେହା ଭୂମିୟେ ପାତେକ ଦହଇ ସର୍ବ କାଳ।୬୩।

ଦିବସେକ ଯେବେ ବାବୁ ସେ ସ୍ଥାନରେ ରହି

ଛଡ଼ମାସ ପରିଯନ୍ତେ ଯେ ପାତକେ ହୋୟେ ଦହି।୬୪।

ନଗ୍ର ବାହାରୁ ସେ ଚଳିଲେ ରାତ୍ର କାଳେ

ସୁବେଳ ଯାଇ ପ୍ରବେଶ ହୋଇଲେ କୁରାଳ ଶାଳେ।୬୫।

 

ସୁମରନ୍ତି ଭଗବାନ ଦେବ ଦାମୋଦର

ୟେ କଷ୍ଟ ଅବସ୍ଥାରୁ କରିବା ଦେବ ପାର।୬୬।

ହେ ମହେଶ୍ୱର ଦେବ ତବ ଚରଣେ ନମାମି

ତବପଦ୍ମ ପାଦେ ଶତ ସହସ୍ର ଦଣ୍ଡ ପରିଣାମି।୬୭।

କାଳ ବ୍ରତମାନେ ଯେ ବ୍ରତନ୍ତି ପାଣ୍ଡବେ

ଯେଣୁ କରି ପ୍ରିୟ ହରି ଧରନ୍ତି ହୃଦ ଭାବେ।୬୮।

 

ନୀଳେନ୍ଦ୍ରି ଦଳ ଉତ୍ପଳ ଯାହାର ବଦନ ମଣ୍ଡଳ

ଶ୍ରୀବତ୍ସ ବିରାଜିତ ହୃଦେ ଶଙ୍ଖେ ଶାର୍ଦ୍ଦୋଳ।୬୯।

ଭାବାଙ୍ଗ ପୁରୁଷ ଦେବ ଶୟଳ ଜନଚିନ୍ତା

ତେଣୁ କରି ଜନାର୍ଦ୍ଦନ ନାମ ବହନ୍ତି ସୃଷ୍ଟିକରତା।୭୦।

ଯାବତ ଚନ୍ଦ୍ର ଦିବାକର ଥିବ

ଶ୍ରୀଜଗନ୍ନାଥ ନାମ ଗୋଟି ହୃଦୟରେ କର ଠାବ।୭୧।

 

ସଂସାର ମୋହ ଜଳେ ପଡି ୟେଥେଂ ଭାସି

ଧର୍ମଇଂ ସେ ତୀର ନାବ ହୋଇଲାକ ଆସି।୭୨।

ସେ ନାବେ ବସି ନରେ ତରନ୍ତି ଅଗାଦ ଜଳ

ନାରାୟଣ ନାମ ଗୋଟି ଅଟଇ ବେନି କୂଳ।୭୩।

ଅନୁଗ୍ରହ ନାଥ ସଦୟେ ଜଗବନ୍ଧୁ

ସଂସାର ଅଗାଦ ଜଳେ ନାରାୟଣ ପରମ ବନ୍ଧୁ।୭୪।

 

ଜଳେଣ ଦେବ ମେଦାସୁର ଶରୀର କର୍ଦ୍ଦନ କରି

ତାହାକୁ ମେଦି ମେଦିନୀ ନାମ ଦିଲେ ବସୁନ୍ଧରୀ।୭୫।

ଶରଣ ରକ୍ଷଣ ନାଥ କଇକ୍ଷା ଜଗଜ୍ଜେଠି

ଜନ୍ମେ ଜନ୍ମେ ଭାବଇ ମୁଂ ଶ୍ରୀକୃଷ୍ଣ ନାମ ଗୋଟି।୭୬।

ତୁଳୁସାର ବଲ୍ଲଭ କାଳିନ୍ଦୀ ପ୍ରାଣନାଥ

ଶୂଦ୍ରମୁନି ସାରୋଳା ଦାସ ଶତ ସହସ୍ର ଦଣ୍ଡ

ପ୍ରଳମ୍ବିତ।୭୭।

 

Unknown

ଦ୍ରୌପଦୀ ସ୍ୱୟମ୍ବର

ବଦୟନ୍ତି ଅଗସ୍ତି ଶୁଣ କୁମ୍ଭ ଋଷିର ବାଳ

ନାରାୟଣ ସୁମରନ୍ତେ ସକଳ କାର୍ଯ୍ୟ ସୁଫଳ।୧।

ନିର୍ଜନ ସ୍ଥାନ ଭୂମି ପବିତ୍ର କୁରାଳ ଶାଳ

ରହିଲେ ପାଣ୍ଡବେ ଯେ ମଙ୍ଗଳ ଶୁଭ ବେଳ।୨।

କୋଇନ୍ତାୟେ ବୋଇଲେ କୁରାଳ ଶାଳ ଦେଖି

ମୋହୋର ବିଚାରକୁ ୟେ ସ୍ଥାନ ବଡ଼ ସୁଖୀ।୩।

 

କାଠ ଲୋଡ଼ି ନ ଯିବା ଅଗ୍ନି ଲୋଡ଼ି ନ ଯିବା

ନବତନ ହାଣ୍ଡି ଯେ ଲୋଡିଲେ ପାଇବା।୪।

ୟେ ମାଘ ମାସ ଆମ୍ଭର ଶୀତ ବସ୍ର ନାହିଂ

ପାଉଂଶ ଗୁଡାୟେ ପାଡ଼ି ଶୋଇବା ଉଷୁମ ହୋଇ।୫।

 

ପଞ୍ଚୁକଟକର ମଧ୍ୟେ ସେ ଯେ ନରନାଥ

ଆବର ବିଶେଷେ ଜଗନ୍ନାଥଙ୍କ ପଞ୍ଚଭୂତ।୬।

ଧର୍ମ ପବନ ଇନ୍ଦ୍ର ଅଶ୍ୱିନୀକୁମାରୁଂ ଜାତ

କର୍ମର ଅବେଳ ହୋଇ ଅଛନ୍ତି ୟେମନ୍ତ।୭।

ରତ୍ନ ଖଟେ ହଂସୁଲି ନେତ ତୁଳି ପାଟ ମୁଚୁଳା ସୁପାତି

ଛାର ପାଉଂଶ ପାଇ ସେ ଯେ ଭଜିଲେ ତ୍ରିପୁତି।୮।

 

ଆହୋ ବିପଦ କାଳେ ଯେବେ ବିଚାର କରଇ ପ୍ରାଣୀ

ଦୁଖ ସୁଖ ସହଣା କ୍ଷତ୍ରୀଙ୍କ ଧର୍ମ ପୁଣି।୯।

ସେ ଆପଣେ କଷ୍ଟ ସହିଲେ ସଂସାର ତାରଣ ନିମନ୍ତେ

ତାହାଙ୍କର ଚରିତ ଶୁଣିଲେ ଛାଡ଼ଇ ଦୁର୍ଗତି ବିପତ୍ୟେ।୧୦।

ଇତିଶ୍ରୀ ମହାଭାରତ ଆଦି ପର୍ବ କଥା

ବାଞ୍ଛା ପୂରୋଇ ୟେ ମହା ପାତକ ହରନ୍ତା।୧୧।

 

ସମ୍ପତ୍ତି ବିପତ୍ତି ଯେ ହୋଅଇ ଅବଶ୍ୟ

ଶ୍ରୀମହାଭାରତ ଶୁଣନ୍ତେ ପାତକେ ହୋୟେ ଧ୍ୱଂସ।୧୨।

କୋଇନ୍ତା ବୋଇଲେ ପୁତ୍ରନ୍ତ ପାଶେ ରାଇ

ବ୍ରାହ୍ମଣ ସଭାକୁ ଯାଅ ବ୍ରାହ୍ମଣ ବେଶ ହୋଇ।୧୩।

ଦ୍ରୋପଦ ରାଜାର ଦାନ ଦେବା ବେଳେ

ତୁମ୍ଭେ ହୋ ଥାଅ ଯାଇ ବ୍ରାହ୍ମଣଙ୍କର ମେଳେ।୧୪।

 

ଯୁଝେଷ୍ଠି ବୋଇଲେ ମା ଗୋ ୟେହି କ୍ଷଣି ଯାଇ ପାରଇ

ତୋର ପୁଅ ଭୀମା କୋପକୁ ବଡ଼ ମୁଂ ଡରଇ।୧୫।

ଅନେକ ସମ୍ପଦ ଘେନି ଆସିଅଛି ରାଜା ମାନଗୋବିନ୍ଦ

ନ ପୁଣ ତାହାର ତୁଲେ ଭୀମା କରଇ ଦ୍ୱନ୍ଦ।୧୬।

 

କୋଇନ୍ତାୟେ ବୋଇଲେ ବାବୁ ଭୀମା ରେ

ମୋହୋର ଶପତ

ଯୁଝେଷ୍ଠିଙ୍କ ଆଗ୍ୟାଂ ତୁ ନଲଘିଂବୁ ଅନୁବ୍ରତ।୧୭।

ବ୍ରାହ୍ମଣ ବେଶ ଯେ ଧଇଲେ ପଞ୍ଚୁ ବୀରେ

ତ୍ରିକଚ୍ଛ ବସନ ଆରୋପିଲେ କଟୀରେ।୧୮।

ନବ ଗୁଣ ପଇତା କନ୍ଧରେ ଉତ୍ତୁରୀ ଅଛି

ଆଧ୍ୟାନ ମନ୍ତ୍ର ପୋଥି କାଖରେ ସବୁରି ଅଛି।୧୯।

 

ଦ୍ୱାଦଶ ଚିତା ଯେ ଶ୍ରୀବତ୍ସ ଲକ୍ଷଣ

କାଖେ ବେଦ କରାଣ୍ଡି ତେଜମୟେ ବ୍ରାହ୍ମଣ।୨୦।

କାନ୍ଧେଣ ଛତା ତଥି ପ୍ରୋକ୍ଷଣୀ ଯେ ଶ୍ରୁଆ

ତମ୍ବାର ବର୍ଣ୍ଣ ଜାଣି ବିକାଶଇ ସର୍ବ କାୟା।୨୧।

ଗୋପ୍ୟାନ ଦୋହୋରା ଅଣ୍ଟାରେ କୁଶ ବିଡ଼ି

ଚକ୍ରସ୍ୱାମୀ ଦେବତା ବିଜୟେ କରାଣ୍ଡି।୨୨।

 

କ୍ଷତ୍ରୀ ବୃତ୍ତି ଛାଡ଼ି ବ୍ରାହ୍ମଣ ସରୂପେ

ସଭାକଇ ପାଣ୍ଡବେ ଚଳନ୍ତି ଗୋପ୍ୟାନ ରୂପେ।୨୩।

ଗଡ଼ୁ ତମ୍ବାପାତ୍ରୀ କପୋରା କରେଣ ଜପା ମାଳୀ

କଣ୍ଠେଣ ତୁଳସୀ ଭୁଜେ ରୁଦ୍ରାକ୍ଷର ମାଳୀ।୨୪।

ଯଦ୍ୟପି ଗୋପ୍ୟାନ ରୂପେ ଲୁଚାବନ୍ତି କାୟେ

ସରୂପ ବିକାଶଇ ନିର୍ଧୁମ ଅଗ୍ନି ପ୍ରାୟେ।୨୫।

 

ଛାୟା ମଣ୍ଡୋପ ଦକ୍ଷିଣ ଆଡ଼େ ବ୍ରାହ୍ମଣଙ୍କର ସଭା

ମହା ସମ୍ଭର୍ବେ ଯେ ଆଦିତ୍ୟ ଜ୍ୟୋତି ପ୍ରଭା।୨୬।

ବ୍ରାହ୍ମଣ ସଭାୟେ ବିଜେ ପାଞ୍ଚ ବୀର

ବିପ୍ର ପ୍ରତକ୍ଷେ ଦିଶନ୍ତି ବ୍ରହ୍ମା ରୁଦ୍ର କୋବେରେ।୨୭।

ସୁନା ସୀର ନାରାୟଣ ପ୍ରାୟେ ଦିଶନ୍ତି ପଞ୍ଚୁ ବୀରେ

ବସୁଦେବ ନାମେ ତହିଂ ୟେକଇ ଦ୍ୱିଜବରେ।୨୮।

 

ବୈତରଣୀ ନଦୀ କୂଳେ ଈଶାନ୍ୟ ନଗ୍ର ପୁରେ।୨୯।

ବଡ଼ାଇ ଧାର୍ମିକ ସେ ଅଟଇ ଅଥର୍ବବେଦୀ।

ଧାର୍ମିକ ବିବେକ ସେ ମନ୍ତ୍ରେଣ ପ୍ରସିଦ୍ଧି।୩୦।

ଗୁଣବନ୍ତ ବ୍ରାହ୍ମଣ ସେ ପାଣ୍ଡବନ୍ତ ରୂପ ଚାହିଂ

ୟେ ପାଞ୍ଚଙ୍କର ମୂରତି ବ୍ରାହ୍ମଣ କୂଳେ ନାହିଂ।୩୧।

 

ଆକାଶୁଂ ବିଜେ କଲେ କି ପଞ୍ଚୁ ଦିଗପାଳେ

କଷଣ ଦେଖି ବିଜେ କଲେ ରାଜ୍ୟେ ପାଞ୍ଚାଳେ।୩୨।

ମାନବ ଜନ୍ମ ପ୍ରାୟେ ନ ଦିଶଇ ୟେହାଙ୍କର ତେଜ

ଅନ୍ତେଣ ଜାଣିବା ୟେପାଞ୍ଚଙ୍କର ବଳବୀର୍ଯ୍ୟ।୩୩।

ଗୁଣବନ୍ତ ଲକ୍ଷଣବନ୍ତ ଦେଖି ବସିତେ ଦିଲେ ଠାବ

ବ୍ରାହ୍ମଣଙ୍କ ସଭାରେ ବସିଲେ ପଞ୍ଚୁ ଯେ ପାଣ୍ଡବ।୩୪।

ଭୀମସେନ ବିଚାରଇ ୟେ ରାଜାଗଣମାନେ

ମହା ସମ୍ଭର୍ବେ ବସିଅଛନ୍ତି ୟେ କନକ ଆସନେ।୩୫।

 

କିଞ୍ଚିତ କରି ଆଗ୍ୟାଂ ଦେବେ କି ଯୁଝେଷ୍ଠି

ନିମିଷକେ ମୋଡି ପକାଇବି ଲକ୍ଷେ ରାଜାଙ୍କର ମୁଣ୍ଡ ଗୋଟି।୩୬।

ଚତୁର୍ଦ୍ଦିଗର ରାଜାମାନେ ଆସିଅଛନ୍ତି ସମ୍ଭରେ

ପୂଜା କରି ଦ୍ରୋପଦ ବସାଇଲା ସଭାରେ ।୩୭।

ଗଙ୍ଗାରେ ସ୍ରାହାନ କରି ମୁଣୋହି କରନ୍ତି ସର୍ବ ରାୟେ

ଆଞ୍ଚୋବନ ସାରି ସଭାୟେ ବିଜେ କୟେ ।୩୮।

କର୍ପୂର ତାମ୍ବୋଳ ଦଇଣ ସବୁନ୍ତି

ଜଣେ ଜଣେ ସମାର୍ଜଇ ସଦାନନ୍ଦ ମନ୍ତ୍ରୀ ।୩୯।

 

ଉତ୍ତର ଦକ୍ଷିଣ ପୂର୍ବ ପଶ୍ଚିମ ଦିଗ ଚାରି

ଯେ ଯାହାର ଆସନେ ରାଜାୟେ ବସନ୍ତି ଆବୋରି ।୪୦।

ଅନେକ ଉଚ୍ଛବ ଦ୍ରୋପଦର ଭୁବନେ

ରାଜାମାନେ ପରବେଶେ ହୋଇଲେ ପଞ୍ଚଦଶ ଦିନେ।୪୧।

ଶ୍ରୀକରେ ଅର୍ଘ୍ୟ ଘେନି ଧୃଷ୍ଟ ଯେ ଦ୍ୟୁମନ

ସମସ୍ତ ନୃପତିନ୍ତ କରଇ ସମାଧାନ ।୪୨।

 

ଶିରେମଣି ମୁକୁଟ ହୃଦର ରତ୍ନମାଳା

କର୍ଣ୍ଣେ କର୍ଣ୍ଣାଞ୍ଚଳ ସୀମନ୍ଥନୀ ଜଗଦଳା।୪୩।

ଭୁଜେଣ ବାହୁଟି ଚରଣେ ନୂପୁର

ହାର କୁଣ୍ଡଳମଣିମୟେ ଦିବ୍ୟସାର ।୪୪।

ଶରୀରେ ମୃଗଲାଭ ଚତୁସମ ଲେପନ

ଶିରେ ଆଭରଣ ସୁସଞ୍ଚ ପୁଷ୍ୟମାଳମାନ ।୪୫।

ୟେକ ରାଜାକେ ବରଣ ଶତେ ଶତେ ଖଦି

ଲକ୍ଷେ ରାଜାଙ୍କୁ ଦ୍ରୋପଦ ୟେହେନ୍ନେକ ସମ୍ପାଦି ।୪୬।

 

ସମସ୍ତ ରାଜାନ୍ତ ବରଣ କରଇ କୁମର

ଅର୍ଘ୍ୟ ଘେନି ଦ୍ରୋପଦ ମିଳିଲା ସଭାର।୪୭।

ଅର୍ଘ୍ୟ ଆଣି ଥୋଇଲା ସଭାର ମଧ୍ୟ ସ୍ଥାନେ

ଶତ ସହସ୍ର ଦଣ୍ଡ ପ୍ରଣପତ୍ୟ ବିଧାନେ।୪୮।

ଜରାସନ୍ଧ ବୋଇଲା ଉଠ ହେ ଦ୍ରୋପଦ

କେବଣ ତୋହୋର କାମାର୍ଥ କହନି ସମ୍ପାଦ।୪୯।

 

ଦ୍ରୋପଦ ବୋଇଲା ସ୍ଵାମୀ ସାବଧନେ ଶୁଣିମା

ଅଗ୍ନିରୁ ଜାତ ମୋହୋର ଦୋହିତା ଦ୍ରୋପତୀ ଶୁଦ୍ଧ ବାମା ।୫୦।

କୋଟିୟେ ଋଷି ଘେନି ହୋମ କୟେ ମହାତ୍ମା ବେଦବ୍ୟାସ

ମହା ଅନଳୁଂ ତାହାର ଶରୀର ପ୍ରକାଣ।୫୧।

ସୋହୋର ମନ କାମନା କଲି ଯାହାର ଅର୍ଥେ

ଦୈବର ବିପାକେ ସେ ନାଶ ଗଲେ ଅନମିତ୍ତେ।୫୨।

 

ତାହାର ତୁଲ୍ୟ ବର ନ ପାଇଲି ୟେ ମଧ୍ୟ ଭୁବନେ

ତେଣୁ କରି ସୟମ୍ବର ରଞ୍ଚିଲି ବିଦ୍ୟମାନେ।୫୩।

ମୋହୋର ପୂର୍ବ ଭାଗ୍ୟଂ ଦୁହିତା ଅନୁଯାୟୀ

ୟେ ଲକ୍ଷେ ନୃପତିଙ୍କି କେତେ ପୁଣ୍ୟେ ପାଇ।୫୪।

ସମସ୍ତେ ବରଣ ହୋଇଲ ତୁମ୍ଭେ ଚାରି ଉଣା ଲକ୍ଷେ ଯେ ନୃପତି

କାହାକୁଇଂ ଆସ୍ତି କରିବି କାହାକଇଂ କରିବି ନାସ୍ତି।୫୫।

 

ମହାଲାଖ ପାତିଲି ମୋହୋର ବ୍ରତର ନିମନ୍ତେ

ଇଚ୍ଛାୟେ ବରିବ କନ୍ୟା ମୋହୋର ନୋହଇ ଯୁଗତେ ।୫୬।

ୟେ ମହାଲଖ ମୋହର ଯେହୁ ବିନ୍ଧିବ ଗୋସାଇଂ

ଲାଖର ଚରିତ କହଇ ଶୁଣିମା ସାବଧାନ ହୋଇ।୫୭।

ରାଧାଚକ୍ର ବୁଲଇ ଯେ ସହସ୍ରେକ ଧାର

କନକର ମୀନ ଅଛି ତହିଂର ଉପର।୫୮।

 

କୁରାଳ ଚକ୍ର ପ୍ରାୟେ ସେ ବୁଲଇ ଅନ୍ତରୀକ୍ଷେ

ତଳେ ଧନୁ ୟେକ ଅଛଇ ବଳ ୟେକ ଲକ୍ଷେ।୫୯।

ରାଧାଚକ୍ର ବୁଲୁଅଛି ସାତତାଳ ଉଚ୍ଚେ

ତାଳେକ ଉପରେ କନେକ ପଟାୟେ କଣ୍ଟିଲା ଅଛି ସଞ୍ଚେ।୬୦।

ଲକ୍ଷେ ବଳ ଧନୁ ଧରି ସେ ପଟାର ଉପରେଣ ଉଠି

ତହିଂର ତଳେ ଥୋଇଲା ଅଛି ତୀର୍ଥ ଜଳ ଘଟୀ ଗୋଟି।୬୧।

 

ତଳକୁ ହେବ ଦୃଷ୍ଟି ଉପରକୁ ହୋଇବ ମୁଷ୍ଟ

ବିନ୍ଧିବ ନାରାଜ ଚକ୍ର ଭେଦି ମୀନ ବାମ ଚକ୍ଷୁ ଯିବ ଫୁଟି।୬୨।

ୟେହେନ୍ନେକ ସରୂପେ ଯେଉଣ କ୍ଷତ୍ରୀ ଲାଖ ବିନ୍ଧିବ

ମୋହୋର ଦୁହିତା ଦ୍ରୋପତୀକି ସେ ପ୍ରଦାନ ହୋଇବ।୬୩।

ଯେ ଲାଖ ବିନ୍ଧିବ ସେ ଲଭିବ କୁମାରୀ

ତହିଂକି କେହି ତୁମ୍ଭେ ନୋହିବ ହିଂସାକାରୀ ।୬୪।

ଅଛ ତୁମ୍ଭେ ନୃପତିଗଣ ମହିମା ମହାବଳ

କନ୍ୟା ନିଅନ୍ତେ ତାହାକୁ ନ ପୁଣ କର ଗୋଳ ।୬୫।

 

ୟେଥକୁ ସ୍ଵାମୀ ତୁମ୍ଭେ କହିବା ଦୃଢବାଣୀ

ତେବେ ସେ ସଭାକୁ ମୋହୋର ଦୋହିତା ପାରଇ ଆଣି ।୬୬।

ସମସ୍ତେ ରାଜାୟେ ବୋଇଲେ ୟେହି ସେ ସତ୍ୟ ସତ୍ୟ

ଯାହାର ପୁଣ୍ୟ କର୍ମ ତାହାକୁ କନ୍ୟା ପରାପତ ।୬୭।

ତାହାକୁ ନ ସହି ଯେ କରିତ ଲୋଡ଼ଇ ଦ୍ଵନ୍ଦ

ସମସ୍ତ ନୃପତି ତାହାକୁ କରିବା ଶିରଚ୍ଛେଦ ।୬୮।

 

ସୟମ୍ବର ସ୍ଥାନ ବରଣ ଲାଖ କଥା ନିବର୍ତ୍ତି

ନିଜ ଭୁବନେ ପ୍ରବେଣ ପଞ୍ଚାଳ ଅଧିପତି ।୬୯।

ଶ୍ରୀଖଣ୍ଡୀ ଧୃଷ୍ଟଦ୍ୟୁମନ ବେନି ପୁତ୍ରନ୍ତ ରାଇ

ଦ୍ରୋପତୀକି ଆଣ ବାବୁ କନ୍ୟାବେଶ କରାଇ ।୭୦।

କେଶିନୀ ନାମେ ଯେ ଅଟଇ ମୁଦୁସୁଲୀ

ସର୍ବାଳଙ୍କର କରାଇ ଲକ୍ଷେକ ପୋଇଲି ।୭୧।

 

କନ୍ୟାକୁ ସ୍ରାହାନ କରାନ୍ତି ସର୍ବେମିଳି

ନାନା ଗନ୍ଧେଣ ଯେ କବେରୀ ଭାର ପଖାଳି ।୭୨।

କୁଙ୍କମ କସ୍ତୁରୀ ଯେ ଲେପନ୍ତି ଶରୀରେ

ମୃଗଲାଭ କସ୍ତୁରୀ ଲେପିଲେ ତଥି ଭପରେ ।୭୩।

ଆଲଟ ଢାଳିଣ ଶୁଖାବନ୍ତି କେଶ

ଅଙ୍ଗେ ପରିଧାପନ କରନ୍ତି ନବତନ ଝୀନବାସ ।୭୪।

 

ଜାଇ ଯୁଇ ମଲ୍ଲୀ ମାଳତୀ ନାଗେଶ୍ଵର ପାଖୁଡା

ସୁଗନ୍ଧ ପୁଷ୍ପ ଦେଇ ସାଞ୍ଜେଇଲେ କବେରୀ ଭାରା ।୭୫।

ସୁସଞ୍ଚ ଖୋପା ପରିମଳ ସୁବାସେ

ଲୁବୁଧେ ମଧୁକରେ କୁରୁଳନ୍ତି ପାଶେ ।୭୬।

ମୁକୁତା ଜାଲି ଉପରେ ସୀମନ୍ତିନୀ ମଣି

ଲଲାଟ ପାଟିରେ ହୀରା ଅଷ୍ଟରତ୍ନେ ଖଞ୍ଜଣି ।୭୭।

 

କର୍ଣ୍ଣେଣ ତଡକୀ ନାଶାରେ ରତ୍ନଫୁଲ

ହୃଦେଣ ଝଟକନ୍ତି ରତ୍ନହାର ଅମୂଲ୍ୟ ।୭୮।

ଭୁଜେଣ କଙ୍କଣ ଶୋଭିତ ରତ୍ନଚୂଡି

ଅଷ୍ଟରତ୍ନେ ଖଞ୍ଜି ଅଙ୍ଗୁଷ୍ଠିରେ ମୁଦି ଜତି ।୭୯।

ପାଦେଣ ନୂପୁର ଝଲକନ୍ତି ହୀରା

ନସହଇ ସୁନ୍ଦରୀ ବହୁତ ରତ୍ନଭାରା ।୮୦।

 

ମିଳିଣ ଗଣିକାୟେ କରନ୍ତି ଅଲେଖ

ସେ ବେଶନମାନ ସୁନ୍ଦରୀ ବୁଝଇ ବିମୁଖ ।୮୧।

ଉପରେ ପରିଧାପନ ଇନ୍ଦ୍ରଗୋବିନ୍ଦ ଦାସୀନେତ ଗୋଟି

ଅନଳ ଜ୍ୟୋତିକି ସେ ବିକାଶଇ ଦେହ ଫୁଟି ।୮୨।

ତୁଲେଣ ଅଛନ୍ତି ସେ ଲକ୍ଷେକ ପରିବାରୀ

ତାହାଙ୍କର ବେଶମାନ କହିତ କି ପାରି ।୮୩।

 

ସଂପୂର୍ଣ୍ଣ ଯୁବତୀ ସେ ସ୍ତିରୀ ରତ୍ନକାନ୍ତି

ଅନେକ କନ୍ୟା ଉପରେ ଯେ ଅଟନ୍ତି ରୂପବନ୍ତୀ ।୮୪।

ଅମର ବିଳାସୁଣୀମାନେ ଉତପତ୍ତି ହୋଇଅଛନ୍ତି ଆସି

ଆନକୁ ନାୟେକା ସେ କୃଷ୍ଣାକଇଂ ଅଟନ୍ତି ଦାସୀ।୮୫।

ଅନେକ ବେଶ ବେଶନ ଯେ ହୋଇଣ ଯୁବତୀ

ସ୍ତିରୀରତ୍ନ ନାୟେକା ସେ ଜଗତ ମୋହନ୍ତି।୮୬।

 

ସହସ୍ରେକ ଚାମର ଢାଳନ୍ତି ଚଉକତି

ସହସ୍ରେକ ଚାମର ଯେ ସୁବର୍ଣ୍ଣ ଝଟକନ୍ତି ।୮୭।

ଉଭାରିଲେ ସୁନ୍ଦରୀ ସହସ୍ରେକ ଉଲ୍ଲୋଳ ନେତଛତ୍ରୀ

ଛାମୁରେଣ ନୃତ୍ୟ କରନ୍ତି ସହସ୍ରେକ ଯୁବତୀ ।୮୮।

ମଧୁର ରାସ ବାଦ୍ୟ ବାଜଇ ଶୁଦ୍ଧ ବାଣୀ

କୋକିଳ ଧୁନି ସୁସ୍ଵରେ ଗାବନ୍ତି ଗାୟେଣୀ।୮୯।

 

ସୁବର୍ଣ୍ଣ ଯୋଗାଡ଼ ଘେନି ସହସ୍ରେ ପରିବାରୀ

ସହସ୍ରେ କନ୍ୟା ଚଳନ୍ତି ଆଗେ ପୁଷ୍ପ ବୃଷ୍ଟିକରି ।୯୦।

କନେକ ହାନ୍ଦୋଳାୟେ ବିଜୟେ ପାଞ୍ଚାଳୀ

ଚଳନ୍ତି ଯୁବତୀଗଣେ ସମସ୍ତେହେଂ ଶୁଦ୍ଧଶାଳୀ ।୯୧।

ନାନା ବାଦ୍ୟରେଣ ଯେ ପୂରିତ ଗହଳ

ଶରଦ ଉଚ୍ଛବେ ଯେହ୍ନେ ମାତଙ୍ଗୀ ବୃନ୍ଦମେଳ ।୯୨।

 

ତେସନେକ ଶୋଭାବନ ସରୂପ ପ୍ରକାଶି

ଦେଖିଣ ରାଜାଗଣମାନେ ସମସ୍ତେ ପ୍ରଶଂସି।୯୩।

ଦ୍ରୋପତୀର ବଦନ କେହି ନପାରନ୍ତି ଚାହିଂ

ଧାତ୍ରୀଗଣମାନଙ୍ଗ ମୁଖ ଚାହିଂ ସମସ୍ତେ ହୋଇଲେକ ମୋହି ।୯୪।

ୟେଣେ ବେଢିଛନ୍ତି ଲକ୍ଷେକ ଯୁବତୀ

ଲକ୍ଷେ ରାଜାଙ୍କୁ ୟେ ଯୋଗାନ୍ତି ପ୍ରିୟବତୀ।୯୫।

 

ସଭାର ମଧ୍ୟରେ ନେଇ ଉଭାରିଲେ ବାଳୀ

ସମସ୍ତ ଗଣିକାମାନେ ମଙ୍ଗଲ ଧୁନିତୋଳି ।୯୬।

ମେଢର ମଧ୍ୟେ ବିଜେ କରାଇଲେ ଯୁବତୀ

ପୂର୍ଣ୍ଣମୀ ଚନ୍ଦ୍ର ଜାଣି ବିରାଜଇ ବଦନ ଜ୍ୟୋତି।୯୭।

ସଭାରେ ଉଭାହୋଇ ଧୃଷ୍ଟ ଯେ ଦୃମନ

ରାଜାଗଣମାନଙ୍କୁ ପଚାରନ୍ତି ବଚନ ।୯୮।

 

ଲକ୍ଷେ ରାଜାୟେ ତୁମ୍ଭେ ଯେ ବସିଲ ଆସ୍ତାନେ

ସବୁନ୍ତି ବରିଲି ମୁଂ ବରବେଶ ବିଧାନେ ।୯୯।

ୟେ ମୋହୋର ଭଗ୍ନୀ ଯେ ଆଣିଲି ଦ୍ରୋପତୀ

ବିଚାରି ନିରୋପିବା ୟେହାର ମୂରତି ।୧୦୦।

ଯେହୁ ପାର ଲାଖ ବିନ୍ଧିବା ଗୋସାଇଂ

ସୟମ୍ବର କଲି ମୁଂ ପାଞ୍ଚାଳୀର ପାଇଂ।୧୦୧।

 

ସମସ୍ତ ରାଜାମାନେ ବସିଅଛନ୍ତି ମଉନ ବ୍ରତେ

ସମସ୍ୟା ଦିଲା ସେ ମଗଧେଶ୍ଵର ନରନାଥେ।୧୦୨।

ଜାରାସନ୍ଧ ବୋଇଲା ହୋ ଶୁଣ ଧୃଷ୍ଟଦୃମନ

କେହି ନ କହନ୍ତି ତୋତେ ତଥ୍ୟ କଥାମାନ ।୧୦୩।

ତୁ ଯେ ହାନ୍ଦୋଳାରେ ବସାଇ ଆଣିଲୁ ଦ୍ରୋପତୀ

କେହି ନ ଦେଖିଲେ ତାହାର ଚିହ୍ନବର୍ଣ୍ଣ ମୂରତି ।୧୦୪।

 

ମେଢରୁ ଓହ୍ଲାଇ ଆଣ ଦ୍ରୋପତୀ ଯେ ବାଳୀ

ଦେଖନ୍ତୁ ରାଜାଗଣମାନେ ସରୂପ ହିଆଳୀ ।୧୦୫।

ଜାରାସନ୍ଧ ବଚନେ ଦ୍ରୋପଦ ନୃପତି

ମେଢରୁ ଓହ୍ଲାଇ ଆଣଇ ତତକ୍ଷଣାନ୍ତି ।୧୦୬।

କେଶିନୀ ଜୟସେନୀ ଧରିଛନ୍ତି ଦ୍ରୋପତୀର ହସ୍ତ

ଦେଖନ୍ତି ଚିହ୍ନ ବର୍ଣ୍ଣ ସରୂପ ସଂଜାତ ।୧୦୭।

 

ବଦନ ଦେଖି ରାଜାୟେ ହୋଇଲେ ମତିଭ୍ରମ

ଭେଦିଲା କାମ ଶର ମଦନେ ଅସାଷ୍ଟମ ।୧୦୮।

ନିର୍ଝର ଦେଶର ରାଜା ଯେ ଗଣପତି

ଦେଖିଣ ବିସରିଲା ସେ ସୁନ୍ଦରୀର ମୂର୍ତ୍ତି ।୧୦୯।

 

ସାଧୁ ୟେ ସୁନ୍ଦରୀ ରାଜାର ଦୁଲାକୀ

ବଂଶର ସାଧୁ ଯେ ୟେହାକୁ ପ୍ରତିପାଳି।୧୧୦।

ଆକୁଞ୍ଚିତ କେଶ ଗହଳ ଚକୁର

କୁସୁମ ବିହୁନେ ବିହଡ଼ନ୍ତି ମଧୁକର ।୧୧୧।

ରସାଣ ପତ୍ର ପ୍ରାୟେ ଦିଶଇ ଲଲାଟ ପାଟି

ବଧୂକ ଅଧର ଡାଳିମ୍ବ ବୀଜ ଦଶନ ବିମ୍ବ ଓଷ୍ଠୀ ।୧୧୨।

 

ୟେକଖଣ୍ଡ କପୋଳ ଖଞ୍ଜିତ ଭ୍ରୂଲତା

ରୋମାବଳୀ ଅମୂଲ୍ୟ କି ଦିଶଇ ବନିତା ।୧୧୩।

ଆରକତ ଶୋଭାବନ ଦିଶେ ବେନି ଡୋଳ

ଅବଲୋକନେ ଚାହିଂଲେ ଢଳିବେ ସକଳ ।୧୧୪।

ଚାହାନ୍ତେ ବକ୍ର ନୟନେ ହୃଦୟ ଯିବ ଫୁଟି

ସଂସାର ରକ୍ଷା ନିମନ୍ତେ ତଳକୁ କଲା ଦୃଷ୍ଟି ।୧୧୫।

 

କିଞ୍ଚିତ କରି ସେ ଯେବେ ଚାହିଂବ ସଭାକୁ

ଅନେକ ପୁରୁଷ ହତ୍ୟା ଦୋଷ ଲାଗିବ ୟେହାକୁ ।୧୧୬।

ସ୍ତିରୀ ଧର୍ମ ୟେହୁ ଅଟଇ ସୁଗ୍ୟାନୀ

ପାପକୁ ଭୟେ କରି ସେ ହୋଇଲା ମାନିନୀ ।୧୧୭।

ଭୋ ଧର୍ମଦେବତା ୟେ ସଭାକୁ ନ ଚାହିଂ

ଲଭେ ଅଇଲୁ ଆମ୍ଭେ ଅପ୍ରମାନେ ୟେଥୁଂ ଯାଉଂ ।୧୧୮।

 

ୟେସନେକ ମନେ ବିଚାରନ୍ତି ସର୍ବ ରାୟେ

ଅଦାରା ଅଯୋନି ଅଗ୍ନିରୁ ଜାତ ହୋୟେ ।୧୧୯।

ଯଦ୍ୟପି ପାଷାଣ ହୋଇବ ବଜ୍ର ଗୋଟି

ଅପାଙ୍ଗ ନୟନେ ଚାହିଂଲେ ସେହି ଯିବ ଫୁଟି।୧୨୦।

ୟେସେ ଦେବ କାର୍ଯ୍ୟେ ଜଗତ ମୋହିନୀ

ଋଷି ବିପ୍ର ତପୋଧନ ତପ ଯେ ଭଞ୍ଜନୀ ।୧୨୧।

 

ନାସାକୁ ପଟାନ୍ତର ନୋହୋଇ ତିଳ ଫୁଲ

ଦିନକର ବିଳମ୍ବେ ଝଡି ପଡଇ ଭୂମି ତଳ  ।୧୨୨।

ଅତୁଟ ଶୋଭାବନ କନକ ପତ୍ର ଜାଣି

ସୁଶୀତଳ ପବନ ମଳୟାନିଳ ମଣି ।୧୨୩।

ୟେହାର ନାସାରୁ ବାହାର ଯେବଣ ପବନ

ନିମ୍ବ ବନିକାରେ ଲାଗିଲେ ହୋଇବ ଚନ୍ଦନ ।୧୨୪।

 

ତାମ୍ବୁଳ ବିହୁନେ ଯେ ଅଧରେ ରଙ୍ଗ ଫୁଟି

ବାଳ ଆଦିତ୍ୟଙ୍କର ତେଜ ବିମ୍ବକୁ ନ ଘଟି ।୧୨୫।

ବିମ୍ବ ପଟାନ୍ତର ଅଧର, ବୃଦ୍ଧ କାଳେ

ସେହି ସେ ତୁଲ୍ୟ ନୋହିବେ ଝଡ଼ିବ ଅବଶ୍ୟ ତଳେ ।୧୨୬।

ଯେସନ ଘଟଣା ଶୁଦ୍ଧ ହିଙ୍ଗୁଳର ପାଟି

ତେଶନେକ ଶୋଭାବନ ତାହାର ଅଧର ଗୋଟି ।୧୨୭।

 

ବଞ୍ଜୁଳ ନ ଗଚ୍ଛଇ ତାହାର ଦନ୍ତପନ୍ତି

ପଙ୍କୁ ଡାଳିମ୍ବ ସେ ରୂପ ବିକାଶନ୍ତି ।୧୨୮।

ସୁଲଳିତ ସୁସଞ୍ଚ ଅଧର ପାଟି ଗୋଟି

ବତିଶ କଳାରେ କି ଚନ୍ଦ୍ରମା ତେଜ ଘୋଟି ।୧୨୯।

ଗ୍ୟାଂନବନ୍ତ ସୁନ୍ଦରୀ ସେ ବିକାଶଇ ବାଣୀ

ମତ୍ତ ପିକ ଚୂତବନ ଉପେକ୍ଷିବେ ୟେହାର ବାକ୍ୟ ଶୁଣି ।୧୩୦।

 

ଯେବଣ ପୁରୁଷକୁ ୟେ ବିକାଶିବ ବାକ୍ୟ

ଶରୀର କେ ଧରିବ ହୋଇବ ଅଶକ୍ୟ ।୧୩୧।

ଶରଦ ପୂର୍ଣ୍ଣମୀ ଚନ୍ଦ୍ର ଯେ ବଦନ ଭଲା

ରାହୁର ତେଜ ଲାଗି ସେ କଳଙ୍କ ବହିଲା  ।୧୩୨।

ନିକଳଙ୍କ ବଦନ ୟେହାର ଅଟଇ ନିରିଦୋଷୀ

ତେଣୁକରି ପଟାନ୍ତର ନ ଘଟଇ ଶଶୀ।୧୩୩।

 

ନଜାଣି ପଟାନ୍ତର କରିବା କେହ୍ନେ ଜହ୍ନ

ପ୍ରଜାପତିର ଶାପେ ତନୁ ହୋଇଲାକ କ୍ଷୀଣ ।୧୩୪।

ସୁବର୍ଣ୍ଣ ଘଟ ଜାଣି ଦିଶଇ ଗଳ କନ୍ଧ

କ୍ଷୁଦ୍ର କୁନ୍ଦରେ ଦେଇ କି ଘଟିଲା ପ୍ରବନ୍ଧ।୧୩୫।

ବେନି ଶ୍ରବଣେ ଢଳନ୍ତି ବେନି ବାହୁ ଶିଖେ

କୃଷ୍ଣ ମେଘ ଉଦେ ହୋଇ ଯେହ୍ନେ ଉଡ଼ନ୍ତି ବଳାକେ  ।୧୩୬।

 

ତେସନେକ ପଟାନ୍ତର ଅଇରି ଦର୍ବ ଭଞ୍ଜା

ବିସ୍ତୀର୍ଣ୍ଣ ବଛଥଳ ତାହାର କୃପଣ ଦାନମଝା ।୧୩୭।

ଅନାଦି ଅପର୍ଣ୍ଣା ୟେ ସିଦ୍ଧ ଯେ ସମ୍ଭବି

ଶରୀର ବର୍ଣ୍ଣିବାକୁ କି ସକ୍ଷମ ଯେ ହୋଇବ ।୧୩୮।

ଅନଳୁଂ ଉତପତ୍ତି ୟେ ତେଜ ବିସ୍ତାରି

ମୁଂ କିସ ବର୍ଣ୍ଣିବି ମାନୁଷେ ଅବତରି ।୧୩୯।

 

ପୃଥୁଳ ସୁସଞ୍ଚ ସୁନ୍ଦର ୟେ ତୋହୋର ଭୁଜ ବେନି

କୁମୁଦ ନୀଳ କମଳ ଜଡ଼ିତ ହିରଣ୍ୟ ଘେନି ।୧୪୦।

ସୁରଭି ପଟାନ୍ତର ବେନି କର ସ୍ଥଳୀ

ଚମ୍ପେକ କଢି ଜାଣି ଦିଶଇ ଅଙ୍ଗୁଳି ।୧୪୧।

ଜାତି ପାଖୁଡ଼ା ଜାଣି ଦିଶଇ ଲଖ ରେଖ

ନୋହଇ ଅତି ସୂକ୍ଷ୍ମ ନୋହଇ ଅତି ତୀକ୍ଷ ।୧୪୨।

 

ଉଲଟ କଦଳୀ ଜାଣି ବେନି ଜାନୁ ସ୍ଥଳୀ

ରକତ କୁମୁଦ ଜାଣି ବେନି କର ତଳି ।୧୪୩।

ପାଟ ପୋୟେଳା ଜାଣି ପାଦ ନଖ ରେଖ

ହରିଲା ସବୁରି ଦର୍ପ ହୋଇଲୁ ନିରେଖ ।୧୪୪।

ସଭାୟେଣ ଥାଇ ବୋଲଇ କାଳଦମୁନ

କନ୍ୟାର ଶରୀରେ ତ ଅଳଙ୍କାର କ୍ଷୀଣ ।୧୪୫।

 

ଦ୍ରିଯୋଧନ ବୋଇଲା ହୋଇଲୁକି ବାଇ

ଶରୀରକୁ ଭାରା ବୋଲି ଅଳଙ୍କାର ନ ବହି ।୧୪୬।

କର୍ଣ୍ଣ ବୋଇଲା କିସ କରିବ ଅଳଙ୍କାର

କଣୟରୁ ଶତେ ଗୁଣ ତେଜ ଯେ ୟେହାର ।୧୪୭।

ଅଗ୍ନି ସାରିକ୍ଷେ ଯାହାର ତେଜ ଝଳି

କିସ ଶୋଭାବନ କରିବ କଣୟ ଛାର ଭଳି ।୧୪୮।

 

ଯେସନେକ ଜଳରେ ଗମଇ ହଂସ ପନ୍ତି

ଚଳନ୍ତି ସୁନ୍ଦରୀ ତେସନେକ ପାଦ ଗତି ।୧୪୯।

ନ ଜାଣିଣ ଦ୍ରୋପଦ କଲାକ ସୟମ୍ବର

ୟେ ସଭାରେ ନାହିଂ ୟେହାକଇଂ ପଟାନ୍ତର ବର ।୧୫୦।

ପୁଣିହିଂ ଜନମି ଯେବେ ଆସଇ କାମଦେବ

ୟେହାର ରୂପକୁ ସେହି ସେ ଶୋଭା ପାଇବ ।୧୫୧।

 

ୟେସନେକ ବିଚାରନ୍ତି ସମସ୍ତ ଦଣ୍ଡଧାରୀ

କେଶିନୀ ମୁଦୁସୁଲୀ ଦେଖାୟେ ରାଜନ୍ତ ନିରାଧାରି ।୧୫୨।

 

 

ସ୍ଵୟମ୍ବବ ସଭାରେ ରାଜାମାନଙ୍କର ସ୍ଵରୂପ ନିର୍ଣ୍ଣୟ

 

ଦ୍ରୋପତୀ ବୋଇଲେ ଶୁଣ ଗୋ କେଶିନୀ

ୟେମାନେ କେବଣ ଦେଶରୁ ଅଇଲେ ସନ୍ୟ ଘେନି ।୧।

ଆମ୍ଭର ରାଜ୍ୟକୁ ଅଇଲେ କି ନିମନ୍ତେ

କେଶିନୀ ବୋଇଲା ରାୟେ ସୟମ୍ବର କଲେ ତୋତେ ।୨।

ତୁ ଦେବୀ ବାଳୁତ ଯେ ନ ଜାଣୁ ଗୋ ୟେହା

ରାଜାମାନେ ମିଳିଲେ ହୋଇବ ତୋହୋର ବିହା ।୩।

 

ମୁଦୁସୁଲୀର ବଚନେ ବୋଲଇ ଦ୍ରୋପତୀ

ୟେ ସଭାର ମଧ୍ୟେକେ ମୋହୋର ପତି ।୪।

କେଶିନୀ ବୋଇଲା ମା ଗୋ ସୟମ୍ବର ତୋହୋର

ଯେହୁ ଲାଖ ବିନ୍ଧିବ ସେ ତୋହୋର ବର ।୫।

ଦ୍ରୋପତୀ ବୋଇଲେ କେ କେବଣ ଦେଶର ଅଧିକାରୀ

ଧନବନ୍ତ ଗୁଣବନ୍ତ ବିବେକ କେ କେବଣ ଗୁଣେ ପ୍ରଚରୀ ।୬।

ୟେ ମାନ କେଶିନୀ ମୋତେ କହନି ସଞ୍ଚପି

ୟେହାଙ୍କର ଗୁଣ ସରୂପ ବୁଝଇ କି ନା ଅଦ୍ୟାପି ।୭।

 

ଦ୍ରୋପତୀର ଅଗ୍ରତେ କହଇ କେଶିନୀ

ରାଜାମାନଙ୍କର ମହିମା ଶୁଣିମା ଜିଘ୍ନସେନୀ ।୮।

କୁଞ୍ଜଗଳ ଦେଶର ଗୋ ଦେଖ ଆଧିପତି

ଧୃତରାଷ୍ଟ ନନ୍ଦନୟେ ମାନ ଚକ୍ରବ୍ରତୀ ।୯।

କାଳ ବଞ୍ଚାୟେ ୟେ ଯେ ମାନଗୋବିନ୍ଦର ପଣେ

ଗାନ୍ଧାରସେନ ବଂଶ ୟେ ନାଶିଲା ଅକାରଣେ ।୧୦।

 

ଶଙ୍ଖ ନିଧି ପଦ୍ମ ନିଧି ଶୋଭିତ କର ସ୍ଥଳେ

ପାଷାଣେ କର ଲାଗନ୍ତେ ପାଣି ଦ୍ରବ୍ୟ ସର୍ବ କାଳେ ।୧୧।

ଅତି ମାନେ ମାନଗୋବିନ୍ଦ ରାଜା ଅଟଇ

ଚାଲନ୍ତେ ଭୂମିରେ ଅବେଣ୍ଟ ସୁବର୍ଣ୍ଣ ପଦ୍ମ ଫୁଟଇ ।୧୨।

ଭୀଷ୍ମ ବୋଲି କରି ଯେବଣ ସେନାପତି

ଇଚ୍ଛାମୃତ୍ୟ ସେ ଗଙ୍ଗାଙ୍କର କୋଳେ ଉତପତ୍ତି ।୧୩।

 

ଶରୀର ନ ଛାଡ଼ଇ ୟେ କାଳର ଯୁଗତେ

ଦାରା ସଂଘରଣ କଲେ ୟେ ପିତାର ନିମନ୍ତେ ।୧୪।

ଭାରଦ୍ଵାଦଶଙ୍କର ନନ୍ଦନ ୟେ ଦେଖ ଗୁରୁଦ୍ରୋଣ

ପ୍ରସୁରାମଙ୍କର ବିଦ୍ୟାୟେଣ ସକଳ ଜିଣି ପାରଇ ପୁଣ ।୧୫।

 

ହସ୍ତେ ଶହସ୍ର ୟେହାଙ୍କର ଥାଇଟି ଯେତେବେଳେ

ଜିଣନ୍ତା ନାହିଂ ୟେହାଙ୍କୁ କେ ତ୍ରଇଲୋକ୍ୟ ମଣ୍ଡଳେ  ।୧୬।

ୟେହାଙ୍କର ନନ୍ଦନ ଯେ ଅଶସ୍ତମା ମହାରଥୀ

ତ୍ରିଜୀବୀ ଯୋଦ୍ଧାୟେ ୟେହାଙ୍କୁ ଜିଣନ୍ତା ନାହିଂ ପୃଥୀ ।୧୭।

ଅଶସ୍ତମାଙ୍କର ମାତୁଳ ଦ୍ରୋଣଙ୍କର ଶାଳେକ ଉତ୍ତମ

କୃପଆଚାର୍ଯ୍ୟ ଗୋ ଅଟଇ ୟେହାଙ୍କର ନାମ ।୧୮।

 

ଦେଖ ସଖୀ ଶାକଲ୍ୟ ଦେଶର ରାଜା ଶଲ୍ୟ ମହାରଥୀ

ପାଣ୍ଡବଙ୍କର ମାତୁଳ ୟେ ଦ୍ରିଯୋଧନ ସେନାପତି ।୧୯।

ସଞ୍ଚୟେ କରି ଯେବେ କରିବ ସାଂଗ୍ରାମ

ୟେହାଙ୍କର ଧନୁ ଧଇଲେ ତ୍ରାସନ୍ତି ଶ୍ରୀପୁରୁଷ ଉତ୍ତମ ।୨୦।

ଶଙ୍କୁନି ମହାମନ୍ତ୍ରୀ ଦେଖ ଗୋ ଗାନ୍ଧାର ଦେଶର

ୟେହାର ବଂଶ ନାଶ କଲା ଭରିଣ ପଥର ଘର ।୨୧।

 

ଦେଖ ଦେଖ ସଖୀ ୟେ ଭୂରିସର୍ବା ମହାରଥୀ

ପ୍ରତକ୍ଷେ ସୋମବଂଶୀ ୟେ ଅଟଇ ଚକ୍ରବ୍ରତୀ ।୨୨।

ଦୃଶିଳାର ବଲ୍ଲଭ ଗୋ ଦେଖ ଜଦ୍ୟରଥ

ସିନ୍ଧୁଦେଶ ଠାକୁର ୟେ ସୁରଥର ସୁତ ।୨୩।

ୟେହାଙ୍କର ଚରିତ ଗୋ ଦେଖ ମହାସତୀ

ତୋତେ ବିଭା ହୋଇବାକୁ କରିଥିଲା ମତି ।୨୪।

 

ୟେହାର ଅନ୍ତେଣ ଗୋ ଦେଖ ଦ୍ରୋପତୀ

ୟେ ସେ ଜାରାସନ୍ଧ ମଗଧ ଦେଶର ନୃପତି ।୨୫।

ଛୟାଣୋଇ ସହସ୍ର ରାଜା ଖଟନ୍ତି ୟେହାକୁ

ତେଇଶି କ୍ଷଉଣୀ ବଳ ଘେନିୟେ ଅଇଲା ୟେଥକୁ।୨୬।

ଶତେ ନଳ ଆୟେତନ ନାମ ଗିରି ଟାଣି

ରାଜାଙ୍କର ଉରଶଲ ୟେ ଅଟେ ନୃପମଣି ।୨୭।

 

ଚେଦି ଦେଶର ରାଜା ଗୋ ଅଟଇ ଦମଘୋଷ

ସାତ କ୍ଷଉଣୀ ବଳ ଘେନି ହେଲା ପରବେଶ ।୨୮।

ଶିଶୁପାଳ କୁମର ୟେ ଅତିଅନ୍ତ ସୁନ୍ଦର

ୟେ ସେ ରୁକୁଣୀ କି ଗୋ ହୋଇଥିଲା ବର।୨୯।

ବଳାତ୍କାର ତାହା ଜଗନ୍ନାଥେ ନିଲେ ହିର

ନାରାୟଣର ତୁଲେ ସେ ଅହର୍ନିଶି ଦ୍ଵନ୍ଦ ।୩୦।

 

ଦ୍ରୋପତୀ ବୋଇଲେ ୟେଣେ ତହିଂ ନାହିଂ ପିରୋଜନ

ଦଣ୍ଡେ କ୍ଷଣେ ସିନା ଗୋ ୟେହାଙ୍କର ଜୀବନ ।୩୧।

ଦେଖ ଦେଖ ସଖୀ ଗୋ କୁଣ୍ଡୀ ନଗ୍ର ରାୟେ

ଋକ୍ମ ଋକ୍ମଣ ଋକବାହୁ ଋକମାଳି ୟେ ଚାରି ତନୟେ ।୩୨।

ଦୁହିତାର ନାମ ୟେ ୟେହାର ଅଟଇ ଋକୁଣୀ

ନାରାୟଣଙ୍କ ବଲ୍ଲଭୀ ସେ ପ୍ରତ୍ୟକ୍ଷେ କମଳଣୀ ।୩୩।

 

ମା ଗୋ ବଜ୍ରଗିରି ଦେଶର ରାଜା ବନମାଳି

ବେନି ମର୍ଭୂତ ରଥ ଘେନି ଅନୁବ୍ରତେ ଚଳି ।୩୪।

ଅତି ସୁକୁମାର ବେଗ ଅଟଇ ୟେହାର କାୟେ

ଆକାଶ ଚଳଇ ସେ ଅଙ୍ଗାରପନ୍ନଙ୍ଗର ପ୍ରାୟେ ।୩୫।

ମାଳବ ଦେଶ ରାଜା ୟେ ଅଟଇ କୃତବର୍ମା

ୟେହାର ହସ୍ତୀର ନାମ ଅଟଇ ଅଶସ୍ତମା ।୩୬।

 

ନବକ୍ଷେଉଣୀ ବଳ ଗୋ ଅଟଇ ଅନୁବ୍ରତେ

କୋବେର ସାରିକ୍ଷେ ରାଜା ଅଟନ୍ତି ଧନବନ୍ତେ ।୩୭।

କାଶୀ ଦେଶର ରାଜା ଗୋ ଅଟଇ କାଶୀଶ୍ଵର

ୟେକାଦଶ କ୍ଷଉଣୀ ବଳ ଅଟଇ ୟେହାର ।୩୮।

ନିର୍ଝର ଦେଶର ରାଜା ଅଟଇ ଗଣପତି

ବଡ଼ାଇ ପ୍ରତାପୀ ରାଜା ୟେ ଜଗତେ ବିଖ୍ୟାତି ।୩୯।

 

ପାଞ୍ଚ ଲକ୍ଷ ରଥ ଆଠ ଲକ୍ଷ ହାଥୀ

ପାଞ୍ଚ ଲକ୍ଷ ହୟେ ତେର କ୍ଷଉଣୀ ପାଦାନ୍ତି ।୪୦।

କଳିଙ୍ଗ ଦେଶର ରାଜା ୟେ ଅଟେ କଳିଙ୍ଗସେନ

ନବଲକ୍ଷ ଗୁଞ୍ଜର ତୁଲେ ସାତ କ୍ଷଉଣୀ ସନ୍ୟ ।୪୧।

ସଖୀ ଉଡ଼ଙ୍ଗ ଦେଶର ରାଜା ଯେ ମଧୁକେଶର

ଶ୍ରୀଖଣ୍ଡୀର ଶଶୁର ଗୋ ଅଟଇ ମହାବୀର ।୪୨।

 

ବଶ୍ୟାନର ଦେଶର ଗୋ ଧୃତସେନ ରାୟ

ଦଶ ଲକ୍ଷ ଯୋଦ୍ଧା ଘେନି ତୋହୋର ଆଶେ ଆୟେ ।୪୩।

କନାଉଜ ଦେଶର ଗୋ ରାଜା ଜମ୍ବୁମାଳୀ

ଆଠ କ୍ଷଉଣୀ ବଳ ଘେନିୟେ ପଞ୍ଚାଳ ଦେଶେ ମିଳି ।୪୪।

ଡାହାଳ ଦେଶର ରାଜା ଗୋ ଅଟେ ଜନାର୍ଦ୍ଦନ

ଶ୍ଵେତ ଅଶ୍ଵ ପଦ୍ମେକ ତୁଲେ କଲାକ ଗବନ ।୪୫।

 

ବଙ୍ଗ ବଂଶିକ ରାଜା ଗୋ ନୃପତି ବୀରବାହୁ

ସାତ ଲକ୍ଷ ରଥୀ ଘେନି ବିଜୟେ କଲା ସେହୁ ।୪୬।

ତେଲଙ୍ଗ ଦେଶର ଗୋ ତୋଡଙ୍ଗ ଚକ୍ରବ୍ରତୀ

ସୂର୍ଯ୍ୟବଂଶୀ ରାଜା ଗୋ ପ୍ରତାପୀ ମହାଛତ୍ରୀ।୪୭।

ଖାଞ୍ଜଣ ଦେଶର ରାଜା ଗୋ ଅନୁପାମ ଚକ୍ରବ୍ରତୀ

ଗଜ ଅଶ୍ଵ ନାହିଂ ତୁଲେ ତିନି କୋଟି ରଥୀ ।୪୮।

 

ଶତେ ନଳ ଆୟତନ ୟେହାର ମଲ୍ଲାର ନାମେ ଗିରି

ପଶ୍ଚିମ କୋଶଳେ ୟେହାକୁ ନୃପତି ନାହିଂ ସମସରି ।୪୯।

ତ୍ରିହୁତି ଦେଶର ରାଜା ଅଟଇ ବୀରବାହୁ

ମହା ଭୀଷ୍ମରୂପୀ ସାଂଗ୍ରାମରେ ନିଶଙ୍କ ରାହୁ ।୫୦।

ଗୁଞ୍ଜର ଦେଶର ଦାମୋଦରସେନ ନୃପତି

ରଥ ଗଜ ଅଶ୍ଵ ତୁଲେ ୟେଗାର କ୍ଷଉଣି ପାଦାନ୍ତି ।୫୧।

 

ମଘ ଦେଶର ରାଜା ଗୋ ଅଟଇ ତ୍ରିଗର୍ତ୍ତ

ପାଞ୍ଚ କ୍ଷଉଣୀ ବଳ ତାହାର ତିନି କୋଟି ରଥ ।୫୨।

କୀଞ୍ଚେକ ୟେହାର ରାଜ୍ୟ ଘେନିଲାକ ବେଳେ

ହାତରାଜ୍ୟ ହୋଇ ବୁଲଇ ବନସ୍ତ ମଣ୍ଡଳେ ।୫୩।

ମତ୍ସ୍ୟ ଦେଶର ରାଜା ଅଟଇ ବିରାଟେଶ୍ଵର

ସାତ କ୍ଷଉଣୀ ବଳ ଗୋ ତୁଲେଣ ୟେହାର ।୫୪।

 

ଦୁହାଂଳ ଦୁଇ ପଦ୍ମ ବରଡ଼ ବାରଲକ୍ଷ ଗାଈ

ଅଣ୍ଡିରା ବାର ଲକ୍ଷ ବତ୍ସା ତିରିଶ ଲକ୍ଷ ମାଈ ।୫୫।

ସଖୀ, ଦୁହାଂଳ ଦୁଇ ପଦ୍ମ ଗୋପାଳ ଦୁହନ୍ତି

ପ୍ରଥମ ଚିରେକ ଯେ ପୃଥୀକି ଦୁହିଂପକାବନ୍ତି ।୫୬।

କଟକ ବେଢି ସାତ ଘଡ଼ି ପରିଯନ୍ତି ବହଇ କ୍ଷୀର ନଦୀ

ତାଳେକ ଉଚ୍ଛର୍ଗେ କ୍ଷୀର ବହଇ ଧବଳ ମୁଖୀ ଭେଦି ।୫୭।

 

ୟେହାର ବନସ୍ତେ ସଖୀ ଗୋ ଅଛନ୍ତି ଯେତେକ ଜୀବଜନ୍ତୁମାନେ

ସମସ୍ତ ଜୀବମାନେ ଯେ ବ୍ରତନ୍ତି କ୍ଷୀରପାନେ ।୫୮।

ପୂର୍ବ ଜନ୍ମେ ଯେବେ ପ୍ରୟାଗେ ଥାଇ ଝାସି

ତେବେ ସେ ୟେହାର ଗୋ ରାଜ୍ୟେଣ ବିଳସି ।୫୯।

ଦେଖ ଦେଖ ସଖୀ ଗୋ ଶରଦେଶ୍ଵର ଚକ୍ରବ୍ରତୀ

କଞ୍ଚନ ନାମେଣ ରାଜାୟେ ଉତ୍ତର ଦିଗେ ବିଖ୍ୟାତି ।୬୦।

 

କିଞ୍ଚକ ମୂଳେ ଗୋ ଶତେ ପୁତ୍ର ଘେନି

ପୁଣ୍ୟେଣ ତୋଷିଲା ୟେ ଦୁର୍ବାସା ମହାମୁନି ।୬୧।

ଶତେ ସିଙ୍ଘର ବଳ ସଖୀ ଗୋ କୀଞ୍ଚକ ସେନାପତି

କଣୟଗିରି ଉପାଡ଼ିଲା ନବ ଯୋଜନ ଦୀର୍ଘ ପ୍ରତି ।୬୨।

ଚିର ଦେଶର ଗୋ ବାମଦେବ ବୀର

ରଥ ଗଜ ଅଶ୍ଵ ୟେହାର ସତର ସାଗର ।୬୩।

 

ବୀର ଦେଶର ରାଜା ଗୋ ଅଟଇ ସୁବାହୁ

ସୁମନ୍ତେକ ମଣି ପାଇ ଧନେଣ ବଡ଼ ସାହୁ ।୬୪।

ମହାରାଷ୍ଟର ରାଜା ଗୋ ନୃପତି ଦୁର୍ଜୟେ

ଦେବ ଦାନବ ମାନବେ ଗୋ ନକରଇ ଭୟେ ।୬୫।

ଭୋଟ ଦେଶର ରାଜା ଗୋ କର୍ଣ୍ଣକେଶର ବୀର

ସନ୍ୟ ନଆଣିଲା ରଥ ତିନି କୋଟି ସାଗର ।୬୬।

 

ସବୁ ରଥ ୟେହାର ଦିଶଇ ରତ୍ନମୟେ

ଇଚ୍ଛା ହୋଇଲେ ତାହାକଇ ବରସି ଗୋ ମାୟେ ।୬୭।

ମନ୍ଦାର ଦେଶର ରାଜା ଅଟଇ ଋଷିକେଶୀ

ବାସ୍ତୋରି ପଦ୍ମ ସନ୍ୟ ଘେନିଣ ୟେହୁ ଆସି ।୬୮।

କାଉଂରୀ ଦେଶର ରାଜା ଗୋ ସଖୀ କାମପାଳ

ମନସିଜ ଜାଣି ଗୋ କ୍ଷତ୍ରିୟ ମହାମଲ୍ଲ ।୬୯।

 

ଦଶ ଲକ୍ଷ ରଥ ତାର ଦଶ ଲକ୍ଷ ହାଥୀ

ଦଶ ଲକ୍ଷ ତୁରଙ୍ଗମ ଦଶ ଲକ୍ଷ ପାଦାନ୍ତି ।୭୦।

ବଙ୍ଗାଳ ଦେଶର ଗୋ ରାଜା ସଦାଶିବ

ପାଞ୍ଚ କ୍ଷଉଣୀ ସନ୍ୟ ଘେନି ଅଇଲା ରାଜଦେବ ।୭୧।

ଖେଚର ଦେଶର ରାଜା ସଖୀ ମନୋହର

ସନ୍ୟ ବଳ ତୁଲେ ୟେହାର ପାଞ୍ଚ ଯେ ସାଗର ।୭୨।

ଗୁର୍ଜର ଦେଶର ରାଜା ମଦନ ମହାଦେବ

ଲକ୍ଷେ ଯୁବତୀ ବିଳସଇ ପ୍ରିୟଭାବ ।୭୩।

 

କାମ୍ୟେକ ନୃପତି ୟେ କାମାକ୍ଷୀ ପ୍ରସନ୍ନେ

ଜାଣଇ ସାଧନ ବିଦ୍ୟାୟେ ସମସ୍ତ ବିଦ୍ୟମାନେ ।୭୪।

କୌଶିକ ଦେଶର ରାଜା କର୍ଣ୍ଣମାଧବସେନ

ଦଶ ମର୍ଭୁତ ଯୋଦ୍ଧା ଘେନି ଅଇଲା ତୋହୋର ଭୁବନ ।୭୫।

ଛତ୍ର ଦେଶର ନୃପତି ଗୋ ଅଟଇ ଚଣ୍ଡବଳୀ

ଅସଂଖ୍ୟ ସନ୍ୟ ଘେନି ୟେ ଭ୍ରମଇ ମହୀଆଳୀ ।୭୬।

 

ବିଚିତ୍ର ଦେଶର ଗୋ ନୃପତି ବିକର୍ଣ୍ଣ

ଚାରି କ୍ଷଉଣୀ ବଳ ଘେନି ବିଜୟେ ରାଜନ ।୭୭।

ନେପାଳ ଦେଶର ଗୋ ରାଜା ନରାନ୍ତେକ

ରଥ ଗଜ ଅଶ୍ଵ ପାଦାନ୍ତି ତାହାର ଅନେକ ।୭୮।

ବାରସ୍ପତୀପୁରର ଗୋ ବାମଦେବ ନୃପତି

ଶ୍ଵେତ ବର୍ଣ୍ଣ ୟେହାର ତିନି ସାଗର ହାଥୀ ।୭୯।

 

ରଥ ଗଜ ପାଦାନ୍ତି ଗୋ ତୁଲେ ନାହିଂ କିଛି

ଅନୁବ୍ରତେ ୟେହାର କନ୍ଧୁ ନଛାଡ଼ନ୍ତି ଲଛୀ ।୮୦।

ଅତି ପୁଣ୍ୟ ସଖୀ ଗୋ କରିଥାଇ ଯେବେ

ୟେ ରାଜାର ଭାରିଯା ହୁଅ ସଖୀ ତେବେ ।୮୧।

ପାରିଜାତ ଦେଶର ରାଜା ମାଳିଅଞ୍ଚ

ପ୍ରଶୁରାମ ବିଦ୍ୟାୟେ ଜିଣି ପାରଇ ମଞ୍ଚ ।୮୨।

 

ୟେହା ପିତା ସଖୀ ଗୋ ଜଳ ତରଙ୍ଗ ନୃପତି

ତ୍ରେତା ଯୁଗେ ବରୁଣକୁ ଦଣ୍ଡିଲାକ ତିନି ଘାନ୍ତି ।୮୩।

ଭୋଜ ଦେଶର ରାଜା କୋନ୍ତଭୋଜ

ପୃଥିବୀର ମଧ୍ୟେ ଗୋ ଆଟନ୍ତି ମହାରାଜ ।୮୪।

ୟେହାଙ୍କର ଦୁହିତା ଅଟଇ ଦେବୀକୋନ୍ତୀ

ତାହାକୁ ପ୍ରଦାନ ହୋଇଲେ ପଣ୍ଡୁ ଯେ ନୃପତି ।୮୫।

 

କୋଇନ୍ତାଙ୍କର ତହୁଂ ଯେ ଉପୁଜିଲେ ତିନିପୁତ୍ର

ଯୁଝେଷ୍ଠି ଭୀମ ଅରଜୁନ ତିନିହେଂ ବଳବନ୍ତ ।୮୬।

ମାଦ୍ରୀ ବୋଲି କରି କୋଇନ୍ତାଙ୍କର ସପତଣୀ

ନକୁଳ ସହଦେବ ତାହାଙ୍କର ବେନି କୁମର ଜାଣି ।୮୭।

ୟେ ପଞ୍ଚୁପାଣ୍ଡବେ ମହା ମହା ବଳିଷ୍ଠ

ଉପାୟେ ଦ୍ରିଯୋଧନ ତାହାଙ୍କୁ କଲା ପ୍ରାଣ ଭ୍ରଷ୍ଟ ।୮୮।

 

ଭୋଟ ଦେଶର ରାଜା ସୁରଙ୍ଗସେନ ବୀର

ଚନ୍ଦ୍ରକିରଣ ଜାଣି ୟେହାର ହୃଦେ ହାର ।୮୯।

ଅଷ୍ଟାଦଶ ମର୍ଭୂତ ହାଥୀ ୟେହାର ତଳେ

ସେ ତୋହୋର ସୟମ୍ବର ଦେଖିତେ ଅଇଲେ ।୯୦।

 

ଭୋଟାଙ୍ଗ ଦେଶର ରାଜା ମନୁମଥ ବ୍ରହ୍ମା

ଚାରି କ୍ଷଉଣୀ ବଳ ଘେନି ସଭାରେ ଆରମ୍ଭା ।୯୧।

ଅନୁପାମ ଦେଶର ରାଜା କୃତାନ୍ତେକ

ଅଶ୍ୱ ଗଜ ରଥ ତୁଲେ ସଇନି ଅନେକ ।୯୨।

ଚଣ୍ଡୀହର ଦେଶର ରାଜା ଦମନିକ

ସଙ୍ଗେ ଅଛି ୟେହାର ତୁରଙ୍ଗ ନବ ଲକ୍ଷ ।୯୩।

 

ଗିରିବଜ୍ର ଦେଶର ଗୋ ପୁଣ୍ଡରିକ ବାସୁଦେବ

କାଠର ଗରୁଡ଼ ଚଢି ବୁଲଇ ବିଷ୍ଣୁର ସଭାବ ।୯୪।

କାଠର ବେନି ଭୁଜ କରି ଶଙ୍ଖ ଚକ୍ର ବହଇ

ଜଗନ୍ନାଥଙ୍କୁ ନିନ୍ଦଇ ଦୁର୍ଭାର କଥା କହି ।୯୫।

ବୋଲଇ ଜିଘ୍ନସେନୀ ଗୋ ନ ପାଡ଼ ୟେହାର କଥା

ଜୀବନଯାକ ୟେହାର ଲୋ ଦିନ ଗଣିତା ।୯୬।

 

ୟେ ସଂସାର ଯାକ ଲୋ ଅଟଇ ବିଷ୍ଣୁମୟେ

ଅସୁର ଅଂଶ ଲୋକ ଜଗନ୍ନାଥଙ୍କୁ ନିନ୍ଦା କୟେ ।୯୭।

ଅରବିନ୍ଦ ଦେଶ ରାଜା ଅନଙ୍ଗ ବାସୁଦେବ

ବଡ଼ ବିଦ୍ୟାବନ୍ତ ଗୁଣବନ୍ତ ଶାନ୍ତଶୀଳ ରାଜା ସୁସ୍ଵଭାବ ।୯୮।

ଶାକଲ୍ୟ ଦେଶର ରାଜା ଶାଳୁ ଯେ ନୃପତି

ଦଶ ସହସ୍ର ରଥ ଘେନି ସେ ଚଳଇ ଶ୍ଵନ୍ୟ ଗତି ।୯୯।

ପ୍ରାଗଜ୍ୟୋତିଷ ପୁର ରାଜା ମନସିଜ

ସାତ କ୍ଷଉଣୀ ବଳ ଘେନି ଚଳଇ ମହାରାଜା ।୧୦୦।

 

ସଖୀ କାମପୁର ନଗ୍ର ରାଜା ବିରୁପାକ୍ଷ

ଶାର୍ଦ୍ଦୋଳ ବାହାନେ ରାଜା ମୁକୁଟ ବନ୍ଧା ଯୋଦ୍ଧା ଦଶ ଲକ୍ଷ ।୧୦୧।

ସଖୀ ନିଖିଳ ଦେଶର ରାଜା ଦରଦସେନ

ଅଶି ପରାର୍ଦ୍ଧ ୟେହାର ତୁଲେଣ ସଇନ ।୧୦୨।

ଯମୁନା ପୁର ରାଜା ଗୋ ଅଟଇ ଜମାଗୋଷ୍ଠ

ଉଣେଇଶ ପଦ୍ମ ସନ୍ୟ ତୁଲେ ଚଳଇ ନୃପଶ୍ରେଷ୍ଠ ।୧୦୩।

 

ୟେହାର ମହିମା ସଖୀ ଗୋ ଦେବଙ୍କୁ ଦୁର୍ଲ୍ଲଭ

ଦକ୍ଷିଣ କାଣି ଅଙ୍ଗୁଷ୍ଠିରେ ଅଛି ୟେହାର ଜୀବ ।୧୦୪।

ନାମ ଧରି ଲିହି ପୋଛିଲେ ହୁଅଇ ବେନିଖଣ୍ଡ

ୟେହାର ତୁଲକୁ ସରି ନୋହେ ଯମଦଣ୍ଡ ।୧୦୫।

 

ହିରଣ୍ୟପୁର ରାଜା ଯେ ଅଟେ ପଦ୍ମନାଭ

ମହା ବଇଷ୍ଣବ ସେ ସେବଇ ବାସୁଦେବ ।୧୦୬।

ତେଲଙ୍ଗ ପୁରର ରାଜା ଅଟଇ ବିଶ୍ଵନାଥ

ଭସ୍ମ ଲୋପନ ଶରୀରେ ଜଟା ଭାର ମାଥ ।୧୦୭।

ଧର୍ମ କଥାଉଂ ୟେହାର ଅନେ ନାହିଂ ବାଞ୍ଛା

ଯୋଗ ଲୟେ କରିଣ ଭାବି ବିଶ୍ଵନାଥା ।୧୦୮।

 

ତିନିଶତ ଯୋଜନର ୟେ ଅଟଇ ଚକ୍ରବ୍ରତୀ

ସତ୍ୟ ଆଚାରବନ୍ତ ୟେ ସ୍ଵଦାରାୟେଣ ବ୍ରତୀ ।୧୦୯।

ଭଇରୋବ ଦେଶର ସଖୀ ଭଇରୋବ ରାଜ

ୟେକଇ ଚରଣ ସବୁରି ଚାରି ଚାରି ଭୁଜ ।୧୧୦।

ଡମ୍ବରୁ ତ୍ରିଶୂଳ ଖଟ୍ଵାଙ୍ଗ ପାତ୍ର ହସ୍ତେ

ମଉଳେକ ଜଟା ଧବଳ ବର୍ଣ୍ଣଗାତ୍ରେ ।୧୧୧।

 

ସମସ୍ତେ ଚଳନ୍ତି ଯେ ବଇଲ ବାହାନେ

ନିମିଷକେ ଜିଣିପାରନ୍ତି ୟେ ମଧ୍ୟ ଭୁବନେ ।୧୧୨।

ଜେନାବଳୀ ନଗ୍ରେ ରାଜା ଗୋସିଙ୍ଘ ନୃପତି

ଅଶି କୋଟି ସନ୍ୟ ତୁଲେ ୟେହୁ ମହାରଥୀ ।୧୧୩।

ବିଜୟନଗ୍ର ରାଜା ଅଟଇ ଋତୁପର୍ଣ୍ଣ

ଅମଳାନ ସୂର୍ଯ୍ୟବଂଶୀ ୟେ ଶ୍ରୀରାମ ନନ୍ଦନ ।୧୧୪।

 

ପଞ୍ଚାଣ ସାଗର ଗୋ ଖଟଇ ୟେହାକୁ ସଇନି

ତୋହୋର ପ୍ରତିଆଶେ ସେ କଲେ ଗବନି ।୧୧୫।

ବିରାଳ ଦେଶର ଗୋ ରାଜା ନରସିଙ୍ଘ

ଶଙ୍ଖ ଚକ୍ର ଧରନ୍ତା ୟେ ସେବଇ ଶ୍ରୀରଙ୍ଗ ।୧୧୬।

କର୍ଣ୍ଣାଟ ଦେଶର ଗୋ ରାଜା ଯୁଦୁରାଷ୍ଟ

ଅଶି ଲକ୍ଷ ଯୋଦ୍ଧା ଘେନି ଅଇଲା ରାୟ ଶ୍ରେଷ୍ଟ ।୧୧୭।

 

ଯାଜନଗ୍ର ରାଜା ଗୋ ଅଟଇ ଧରଣୀଧର

ସମଦଣ୍ଡ ଘେନିଣ ବିଜୟେ ନୃପବର ।୧୧୮।

ଯମନିକ ଦେଶର ଗୋ ରାଜା ଯମନିକ

ତବ ଆଶେ ଅଇଲା ଗୋ ଦ୍ରୋପଦ ଦୁହିତ ।୧୧୯।

ଦ୍ଵିଜନଗ୍ରର ଗୋ ଚନ୍ଦ୍ରକେତୁ ନୃପତି

ସମଦଣ୍ଡ ଘେନି ଅଇଲା ସୟମ୍ବର ପ୍ରତି ।୧୨୦।

 

ଅନିଳ ଦେଶର ଗୋ ରାଜା ସୁରପତି

ନବ ସାଗର ରଥୀ ଘେନି ଗୋ ବିଜୟେ ଦ୍ରୋପତୀ ।୧୨୧।

ରଣଜୟେ ନଗ୍ରର ଗୋ ରାଜା ବୀରମଣି

ତୋହୋର ସୟମ୍ବରେ ବିଜେ କଲାକ ଠାକୁରାଣୀ ।୧୨୨।

ପଦ୍ମଦଳ ଦେଶର ଗୋ ରାଜା ସୁରମଣି

ସୟମ୍ବରେ ବିଜେ କଲେ ନୃପମଣି ।୧୨୩।

 

ଚଣ୍ଡପୁର ଦେଶର ରାଜା ଚଣ୍ଡେଶ୍ଵର

ଚଉଦ କ୍ଷଉଣୀ ବଳ ଘେନି ଗୋ ବିଜୟେ ସୟମ୍ବର ।୧୨୪।

ଖଡ଼ଗ ନଗ୍ର ରାଜା ଯେ କାର୍ତ୍ତିକସେନ

ଅସଂଖ୍ୟ ସନ୍ୟ ଘେନି ଅଇଲା ରାଜନ ।୧୨୫।

ଦେବନଗ୍ର ରାଜ ଅଟଇ କୁଶକେତି

ପାଞ୍ଚ ଲକ୍ଷ ସନ୍ୟ ୟେହାର ତୁଲରେ ଚଳନ୍ତି ।୧୨୬।

 

କାଞ୍ଚନଗ୍ରୀ ରାଜା ଅଟଇ ନଳସେନ

ଅଷ୍ଟାଦଶ କ୍ଷଉଣୀ ସନ୍ୟ ଘେନି ଅଇଲା ରାଜନ ।୧୨୭।

କେଶରୀ ନଗ୍ରେ ଗୋ ରାଜା ପଦ୍ମକେଶରୀ

ନବସାଗର ସନ୍ୟ ତୁଲେ ବିଜେ ଦଣ୍ଡଧାରୀ ।୧୨୮।

କୁଶମଣ୍ଡଳ ରାଜା ପରମାନନ୍ଦ ମଲ୍ଲ

ପାଞ୍ଚ କ୍ଷଉଣୀ ବଳ ଘେନି ୟେହାର ତୁଲ ।୧୨୯।

 

ଦୁର୍ଗମଣ୍ଡଳ ରାଜା ଅଟଇ ପର୍ଶୁଧ୍ଵଜ

ତୋହୋର ଆଶେ ଗୋସାମଣୀ ଛାଡ଼ିଲା ନିଜରାଜ୍ୟ ।୧୩୦।

ଚନ୍ଦ୍ରମଣ୍ଡଳ ଦେଶ ରାଜା ମାରକଣ୍ଡ

ଦ୍ଵାଦଶ କ୍ଷଉଣୀ ଗୋ ଆଣିଛି ସମଦଣ୍ଡ ।୧୩୧।

ଶିବମଣ୍ଡଳର ରାଜା ଧ୍ଵର୍ଜଟି

ରଣେ ଅଜୟ ବିରଧୂ ସାଂଗ୍ରାମେ ନ ଲେଉଟି ।୧୩୨।

 

ଗଉରୀମଣ୍ଡଳର ରାଜା ରୁଦ୍ରଦାସ

ଅନେକ ଦୂରୁଂ ଗୋସାମଣୀ ଅଇଲା ତୋର ପାଶ ।୧୩୩।

ବୀରମଣ୍ଡଳ ରାଜା ଭୀଷ୍ମେକ ଚକ୍ରବ୍ରତୀ

ପଞ୍ଚବିଂଶ ବୃନ୍ଦ ଗୋ ୟେହାର ପାଦାନ୍ତି ।୧୩୪।

ଭୂମନୁ ମଣ୍ଡଳ ରାଜା ଭୂମନୁ ନୃପତି

ପଦ୍ମେକ ରଥ ୟେହାର ଚାରି ପଦ୍ମ ହସ୍ତୀ ।୧୩୫।

 

ଦଶ ପଦ୍ମ ତୁରଙ୍ଗମ ପଞ୍ଚାଶ ପଦ୍ମ ସଇନି

ବହୁତ ଦୂରୁ ଅଇଲା ୟେଥକୁ ସନ୍ୟ ଘେନି ।୧୩୬।

ମଧୁବନ ମଣ୍ଡଳେ ଗୋ ରାଜା ଉଗ୍ରସେନ

ତୁଲେ ଆଣିଲା ପାଞ୍ଚ ପରାୟୁଧ ସଇନ ।୧୩୭।

ପ୍ରଜାପତି ନାମ ୟେକଇ ମଣ୍ଡଳ

ନଉଶତ ପାରିଦଣ୍ଡ ରାଜାକୁ ଖଟନ୍ତି ସର୍ବକାଳ ।୧୩୮।

 

ପାଞ୍ଚ ଅହିବ୍ରତ ପାରିଦଣ୍ଡ ସଇନି

ତୋହୋର ଆଶେ ଠାକୁରାଣୀ ଅଇଲା ବଳ ଘେନି ।୧୩୯।

ଧ୍ରୁବମଣ୍ଡଳ ବୋଲି ଗୋ ଉତ୍ତର ଦିଗ ଅନ୍ତେ

ତହିଂର ନୃପତି ଗୋ ଅଟଇ ଧୂମକ୍ଷେତ୍ରେ ।୧୪୦।

ନବ ସାଗର ସନ୍ୟ ସେହୁ ସଙ୍ଗେ ଘେନି

ତୋହୋର ସୟମ୍ବରେ ଗୋ ବିଜୟେ ନୃପମଣି ।୧୪୧।

 

ପଶ୍ଚିମ ପ୍ରଦେଶେ ମେରୁ ଯେ ମଣ୍ଡଳ

ତହିଂର ନୃପତି ଗୋ ଅଟଇ ମେରୁ ଶୂଳ ।୧୪୨।

ପାଞ୍ଚସାଗର ଯୋଦ୍ଧା ସର୍ବେ ବ୍ୟାଘ୍ର ବାହାନ

ସମସ୍ତ ସନ୍ୟ ଦିଶନ୍ତିଲୋହିତ ବରଣ ।୧୪୩।

ମନ୍ଦର ମଣ୍ଡଳ ରାଜା ଅଟଇ ବସନ୍ତ

ତୁଲେଣ ଆଣିଲା ସେ ଯେ ପାଞ୍ଚ କୋଟି ରଥ ।୧୪୪।

 

ମରୁତ ଦେଶର ରାଜା ଗୋ ମାନଅରଜୁନ

ପାଞ୍ଚ ଲକ୍ଷ ଯୋଦ୍ଧା ତୁଲେ ବସିଛି ରାଜନ ।୧୪୫।

କେଶରୀ ରାଷ୍ଟ୍ରେ ଯେ ରାଜା ଇନ୍ଦୁବର

ତୁଲେଣ ସନ୍ୟ ଆଣିଲା ଛଡ଼ ଯେ ସାଗର ।୧୪୬।

ନରକେଶରୀ ରାଜା ଗୋ ଅଟଇ ଉଡ଼ରାଷ୍ଟ୍ରେ

ବାଆନ ଲକ୍ଷ ସନ୍ୟ ଅଟଇ ୟେହାର ଥାଟେ ।୧୪୭।

 

ବଇରାଷ୍ଟ ରାଜା ବଇରି ଧୂମାନ୍ତ

ବୈଡୁର୍ଯ୍ୟମଣି ଗୋ ୟେହାର ରାଜ୍ୟେ ହୋୟେ ଜାତ ।୧୪୮।

ହରିରାଷ୍ଟ୍ର ଦେଶ ରାଜା ଯମନିକ ମହାରାୟେ

କରତାର ପ୍ରସନ୍ନେ ସଖୀ ସାଂଗ୍ରାମେ ଅଭୟେ ।୧୪୯।

ଉତ୍ତର ଦିଗ ପ୍ରାନ୍ତେ ଦେଶ ସଉରାଷ୍ଟ୍ର

ଉତ୍ତଙ୍ଗସେନ ନୃପତି ଅସଂଖ୍ୟ ସନ୍ୟ ଥାଟ ।୧୫୦।

 

ରତ୍ନରାଷ୍ଟ୍ର ବୋଲି ଗୋ ପଶ୍ଚିମ ଦିଗ ରାଷ୍ଟ୍ରେ

ବିଷ୍ଣୁବଂଶେ ରାଜା ସେ ଅଟଇ ବଳିଷ୍ଠେ ।୧୫୧।

ଡାହାଳ ଦେଶର ଗୋ ନୃପତି ଦାମ୍ବୋଦର

ତୁଲେଣ ଆଣିଛନ୍ତି ରଥ ତେର ଯେ ସାଗର ।୧୫୨।

ବିଂଝଗିରି ଦେଶର ଗୋ ନୃପତି ବିଂଝମାଳୀ

ତେର ସାଗର ସନ୍ୟ ଘେନି ସୟେଂବରେ ଚଳି ।୧୫୩।

 

ମାହିନ୍ଦ୍ର ଦେଶର ଗୋ ରାଜା ମଧୁସେନ

ଷୋଳ ଲକ୍ଷ ରଥଘେନି ବିଜୟେ ରାଜନ ।୧୫୪।

ବାର ରାଷ୍ଟ୍ର ଛତିଶ ମଣ୍ଡଳ ଭିଆଣ

କେଶିନୀ ଚିହ୍ନାଇଲା ସମସ୍ତ ରାଜାଗଣ ।୧୫୫।

ବିଂଝମାଳ ଦେଶର ଗୋ ରାଜା ଜାରାଶବର

ଅମନାତ୍ୟ ମନ୍ତ୍ରୀ ତୁଲେ ସନ୍ୟ ତେର ସାଗର ।୧୫୬।

 

ମାହିନ୍ଦ୍ରମାଳେ ରାଜା ମଲ୍‌ହାର ଚକ୍ରବତୀ

ତୁଲେଣ ଅଛି ତାର ପାଞ୍ଚ ଲକ୍ଷ ହାଥୀ ।୧୫୭।

ହେମମାଳ ରାଜା ଗୋ କୋଦାଳ ହରିହର

ପାଞ୍ଚ ପଦ୍ମ ଅଶ୍ୱ ଘେନିବିଜୟେ ସୟଂବର ।୧୫୮।

ଗିରିମାଳ ଦେଶର ରାଜା କିରାତ ଧ୍ୱଜମାଳୀ

ଚାରି ଲକ୍ଷ ଓଟ ସୟଂବରେ ମିଳି ।୧୫୯।

ଦରଦ ଦେଶର ରାଜା ଗୋ ଚିତ୍ରବଳୀସେନ

ତୁଲେଣ ଅଛି ତାର ତିନି ପଦ୍ମ ସନ୍ୟ ।୧୬୦।

 

ଦକ୍ଷିଣ କୋଶଳ ରାଜା କେତୁମାଳୀ

ମେବଚ୍ଛେକ ସନ୍ୟ ଘେନି ଅଇଲାକ ଚଳି ।୧୬୧।

ପଶ୍ଚିମ କୋଶଳ ରାଜା ଗୋ ମୃଗସେନ

ମୁକୁଟବନ୍ଧା ଯୋଦ୍ଧା ତୁଲେ ତେର ସାଗର ସନ୍ୟ ।୧୬୨।

ସୁରଭି କୋଶଳେ ରାଜା ଅଟେ ସୁରଜିତ

ତୁଲେଣ ସନ୍ୟ ତାହାର ନଉ ଅହିବ୍ରତ ।୧୬୩।

ଉତ୍ତର କୋଶଳର ଯେ ରାଜା ଲଗ୍ନାଜିତ

ଚୋଖାର ଶ୍ୱେତ ଅଶ୍ୱ ତୁଲେ ଚଉଦ ମର୍ଭୁତ ।୧୬୪।

 

ଚାଣ୍ଡାଳ କୋଶଳେ ରାଜା ଗୋ ନାରକା

ଅଶୀ ପଦ୍ମ ସନ୍ୟ ଘେନି ସଂସାର ଦହଇ ୟେକା ।୧୬୫।

ଈଶାନ୍ୟ କୋଶଳ ରାଜା ଅଟେ ଯମନିକ

ପଞ୍ଚ ପଦ୍ମ ସନ୍ୟ ଘେନି ଗୋ ବିଜୟେ ରଣ ରଙ୍କ ।୧୬୬।

 

ଆନନ୍ଦ ପାଟଣାର ୟେ ସୁଜାଣ ଚକ୍ରବ୍ରତୀ

ଅହିବ୍ରତେକ ନାବ ଘେନି ଅଇଲା ରାଜା ୟେଥି ।୧୬୭।

ଚଇତନ ପାଟଣା ଗୋ କନ୍ଦର୍ପ ଚକ୍ରବ୍ରତୀ

ନବ ଲକ୍ଷ ନାବ ଘେନି ଗୋ ଅଇଲା ଭୂଅପତି ।୧୬୮।

ନିରନ୍ତର ପାଟଣା ରାଜା କର୍ଣ୍ଣାଟ ଚକ୍ରବ୍ରତୀ

କୋଟିୟେ ନାବ ଘେନି ଗୋ ବିଜୟେ କଲା ୟେଥି ।୧୬୯।

 

କମଳାଉର ପାଟଣାର ଗୋ ଅରବିନ୍ଦ ଚକ୍ରବ୍ରତୀ

ତିରିଶ ସହସ୍ର ନାବ ଘେନି ଗୋ ବିଜୟେ କଲା ୟେଥି ।୧୭୦।

ମିଥୁନ ପାଟଣା ରାଜା କଣୟ ଚକ୍ରବ୍ରତୀ

ଅହିବ୍ରତେକ ନାବ ଘେନି ବିଜୟେ ନୃପତି।୧୭୧।

ହରିହର ପାଟଣା ରାଜା ଅଜାଣ ଚକ୍ରବ୍ରତୀ

ଲକ୍ଷେକ ନାବ ଘେନି ବିଜେ କଲା ୟେଥି ।୧୭୨।

 

କନକାବତୀ ପାଟଣାର ନୀଳରାମ ଦଣ୍ଡଧର

ଅଶୀ ସହସ୍ର ନାବ ଘେନି ଆସିଲା ସୟେମ୍ବର ।୧୭୩।

ନରପୁର ପାଟଣା ରାଜା ଗୋ ଅମରାରି

ଅଶୀ ସହସ୍ର ନାବ ଘେନି ବିଜୟେ ଦଣ୍ଡଧାରୀ ।୧୭୪।

କଣ୍ଟାଝରି ପାଟଣା ଗୋ ଦାସସେନ ନୃପତି

ପରାର୍ଦ୍ଧେକ ନାବ ଘେନି ବିଜୟେ କଲା ୟେଥି ।୧୭୫।

 

ବେଲାଳ ପାଟଣାର ବେଲାଳସେନ ରାୟେ

ଦଶ ଲକ୍ଷ ନାବ ଘେନି ତୋର ସୟମ୍ବରେ ଆୟେ ।୧୭୬।

ଜମ୍ବୋଦ୍ୱୀପର ମଧ୍ୟେଣ ନବ ସହସ୍ର ନବ ଶତ ଶତାଣୋଇ ପାଟଣା

ଲେଖନ ବାକ୍ୟେ କେତେ କରିବି ଘଟଣା ।୧୭୭।

 

ସମସ୍ତ ପାଟଣାରେ ଗୋ ଯେତେ ଚକ୍ରବ୍ରତୀ

କେଶିନୀ ମୁଦୁସୁଲୀ ଯେ ଚିହ୍ନାଇଲା ସବୁନ୍ତି ।୧୭୮।

କେଶିନୀ ବୋଇଲା ଶୁଣ ଗୋସାମଣୀ

ଦାନବ ରାଜାମାନନ୍ତ କେ କହୁ ପରିମାଣି ।୧୭୯।

 

ଶାଖାପୁର ନଗ୍ରେ ଗୋ ବଜ୍ରଲାଭ ସଉଲାଭ

ୟେହାଙ୍କ ଥାଠକୁ ପୃଥ୍ୱୀ ନ ଦିଅଇ ଗୋ ଠାବ ।୧୮୦।

ଆକାଶହୁଂ ତଳ ଗୋ ମଞ୍ଚହୁଂ ଉପର

ପବନ ନ ବହଇ ଗୋ ୟେହାଙ୍କର ପୁର ।୧୮୧।

ହିରଣ ଭୁବନେ ଗୋ ରାଜା ସଅମ୍ବର

ଶତେ ସହସ୍ର ବଳ ୟେହାର ଶତେକ କୁମର  ।୧୮୨।

 

ଅସୁର କୁଳକୁ ଗୋ ନାହିଂ ପଟାନ୍ତର ।୧୮୩।

ଶୋଣିତ ନବରେରାଜା ବାଣାସୁର ଦତ୍ୟ

ଚଉରାଶୀ କ୍ଷଉଣୀ ସନ୍ୟ ୟେହାର ସହସ୍ରେ ଭୁଜମତ୍ତ ।୧୮୪।

ବିରାଳ ଭୁବନେ ରାଜା କୁମ୍ଭ ଯେ ନିକୁମ୍ଭ

ମହା ମହା ଦୁରାନ୍ତକ ଅଟନ୍ତି ଦାନବ ।୧୮୫।

 

ବିଜୟା ଭୁବନେ ଗୋ ଦାନବ କଞ୍ଚଣ

ଅସଂଖ୍ୟ ଥାଠ ଘେନି କଲାକ ପୟାଣ ।୧୮୬।

ମହୀଦାସ ନଗ୍ର ରାଜା କାଳନଉମି

ବେନି ଅଙ୍କୁଶ ବଳ ଘେନି ଅଇଲାକ ଭ୍ରମି ।୧୮୭।

ଦେଖ ଦେଖ ସଖୀ ରେ ଉତ୍ତର କୋଶଳର ମଧ୍ୟେ

ଯମାଗୋଷ୍ଠ ନାମ ୟେ ବହିବଟି ହାଦେ ।୧୮୮।

 

ଲେଖି ପୋଛିଲେଣ ହୋଅନ୍ତି ବେନି ଖଣ୍ଡ ଜାଣ

କାଳିକା ଦାଢେ ଦିଲେ ତାହାର ଦକ୍ଷିଣ ହସ୍ତେଣ ।୧୮୯।

ଦେଖ ଦେଖ ସଖୀ ୟେ ତ ଅଟେ ଦରଦସେନ

ବଡାଇ ଶକତା, କେ ସାଂଗ୍ରାମେ ନୋହଇ ସମାନ ।୧୯୦।

କୃତାନ୍ତେକ ବଳ ଅନ୍ତ ନ ଯାଇ ଗୋ ମାୟେ

ବସିଲେ ଦାନବ ବଳ ଗୋ ତୋହୋର ସଭାୟେ ।୧୯୧।

 

ୟେହେନେକ ଜଗମୋହିନୀ ଅଟୁ ମାହେଶ୍ୱରୀ

ସମସ୍ତେ ହେଂ ବଶ୍ୟ ଗଲେ ଯେ ତୋହୋର ବାକ୍ୟ କରି ।୧୯୨।

ଯେତେକ ନୃପତି ଦେଖାଇଲି ତୋର ଆଗେ

ଶତ୍ରୁ ମଇତ୍ର ସମସ୍ତେ ଛନ୍ତି ପ୍ରିୟ ଭାବେ ।୧୯୩।

ଲକ୍ଷେ ରାଜାର ଗୋ ଯେତେକ ସଇନ

ସମସ୍ତେ ହୋଇଛନ୍ତି ଗୋ ନକ୍ଷତ୍ର ଗଣମାନ ।୧୯୪।

 

ସେହି ମହାସଭାକୁ ଗୋ ତୁହି ସେ ଅଟୁ ଶଶୀ

ଉଦେ ହୋଇଲୁ ଗୋ ଭାଜିଲା ଦର୍ପ ନିଶି ।୧୯୫।

ବଦନ୍ତି ଅଗସ୍ତି ଶୁଣ ହୋ ମନୁ ପୁରୁଷ

ଦ୍ରୋପତୀଙ୍କ ଆଗେ କେଶିନୀ କହିଲା ବିଶେଷ ।୧୯୬।

କହିଲେ ଦ୍ରୋପତୀ ଶୁଣିଲି ରାଜାଙ୍କର ନାମ

ୟେବେ କହ କେଶିନୀ ରାଜ୍ୟମଣ୍ଡଳ ବିଧାନ।୧୯୭।

 

କହଇ କେଶିନୀ ଶୁଣ ଗୋ ପାଞ୍ଚାଳୀ

ବାରରାଷ୍ଚ୍ର ଛତିଶ ମଣ୍ଡଳ କହିବି ବିରୋଳି ।୧୯୮।

କଳିଙ୍ଗ ଓଡ଼ଙ୍ଗ ବଙ୍ଗ ଯେ ତେଲଙ୍ଗ ଦେଶ

ଖାଞ୍ଜଣ ତ୍ରିହୁତ ଭୋଟ ଘୋଟ କର୍ଣ୍ଣାଟ ଦେଶ ।୧୯୯।

ମନ୍ଦାର କାଉଂରୀ ଡାହାଳ ବେଲାଳ ଖେଚର ଦେଶ

ଖିନିଖିନା ,ମାଳବ ଗୁଜ୍ଜର ମଘ ମତ୍ସ୍ୟ ଦେଶ ।୨୦୦।

 

କାଶ୍ମୀର ଦରଦ କୌଶିକ ନିର୍ଝର ଦେଶ

କୁବୁଜ ଗାନ୍ଧାର କନାଉଜ କ୍ଷେତ୍ର ବିକ୍ଷେତ୍ର ବିଶେଷ ।୨୦୧।

ପାରିଜାତକ ଭୋପାଳ ମଲ୍ଲାର ନେପାଳ ଗାନ୍ଧାର

ବାରସ୍ୱତୀ ବୃନ୍ଦାରକ ଲାଟ ଯେ କେଦାର।୨୦୨।

ପଦ୍ମଦଳ କରଞ୍ଜ ନୀଳ ଅନିଳ ବଙ୍ଗାଳ

ଚୀର ମହାଚୀର କନ୍ଧ ଚୁହାଣ ବିଂଝମାଳ।୨୦୩।

 

ଗଉଡ ଗୋବିନ୍ଦ ଚୁଡଙ୍ଗ କାଞ୍ଚୀକାବେରୀ କଞ୍ଚଣ

ନୈଷଧ ମେଳେଛ ମଞ୍ଚେଶ୍ୱର କାଶୀ ପଦ୍ମଦଳ ହିରଣ।୨୦୪।

ଶାଖା ମଣ୍ଡଳ ଭାଖା ମଣ୍ଡଳ ଚୋଳ ମଣ୍ଡଳ

ପାଣି ମଣ୍ଡଳ ଉଡଙ୍ଗ ମଣ୍ଡଳ ଭାସ୍କର ମଣ୍ଡଳ।୨୦୫।

ଉଦେ ମଣ୍ଡଳ ନକ୍ଷତ୍ର ମଣ୍ଡଳ ଚନ୍ଦ୍ର ମଣ୍ଡଳ

ମାହେନ୍ଦ୍ର ମଣ୍ଡଳ ସୁବେଳ ମଣ୍ଡଳ ବିଷ୍ଣୁ ମଣ୍ଡଳ।୨୦୬।

 

ରୁଦ୍ର ମଣ୍ଡଳ ଜାନୁ ମଣ୍ଡଳ ଭାନୁ ମଣ୍ଡଳ

ବ୍ରହ୍ମା ମଣ୍ଡଳ କରସ୍ଥଳ ମଣ୍ଡଳ ଭଦ୍ର ଯେ ମଣ୍ଡଳ।୨୦୭।

ଯମ ମଣ୍ଡଳ କୌସ୍ତୁଭ ମଣ୍ଡଳ କଣୟ ମଣ୍ଡଳ

କୋଶଳ ମଣ୍ଡଳ ପଦ୍ମ ମଣ୍ଡଳ ବାରୁଣା ମଣ୍ଡଳ।୨୦୮।

ଇନ୍ଦ୍ରପ୍ରଶସ୍ତ ମଣ୍ଡଳ ବଜ୍ରଗିରି ମଣ୍ଡଳ ଶୋଣିତ ମଣ୍ଡଳ

ମେରୁ ମଣ୍ଡଳ ମଳୟ ମଣ୍ଡଳ ଯେ ମନ୍ଦାର ମଣ୍ଡଳ।୨୦୯।

 

ଅମର ମଣ୍ଡଳ କୁଞ୍ଜଗଳ ମଣ୍ଡଳ ଧ୍ରୁବାଦି ମଣ୍ଡଳ

ମଧୁବନ ମଣ୍ଡଳ ସୁର ମଣ୍ଡଳ ଯେ ଯୋଜନ ମଣ୍ଡଳ।୨୧୦।

ୟେମନ୍ତେ କେଶିନୀ କହଇ ଛତିଶ ମଣ୍ଡଳ ନାମ ଧରି

ଶୁଣିଣ ସାନନ୍ଦ ଯେ ଦ୍ରୋପଦ କୁମାରୀ।୨୧୧।

ଅଙ୍ଗ ରାଷ୍ଟ୍ର ସୋମ ରାଷ୍ଟ୍ର ଭଇରବ ରାଷ୍ଟ୍ର

ଅଯୋଧ୍ୟା ରାଷ୍ଟ୍ର ସିଙ୍ଘମାଳ ରାଷ୍ଟ୍ର ଚିତ୍ର ରାଷ୍ଟ୍ର।୨୧୨।

 

ଓଡ ରାଷ୍ଟ୍ର ଅନୁପାମ ରାଷ୍ଟ୍ର ଯେ ଜୟ ରାଷ୍ଟ୍ର

ଗଙ୍ଗ ରାଷ୍ଟ୍ର ମହାରାଷ୍ଟ୍ର ଯେ ସଉରାଷ୍ଟ୍ର।୨୧୩।

ୟେ ବିଧି ବାର ରାଷ୍ଟ୍ର ଯେ କେଶିନୀ କହିଲା

ଶୁଣି ମହାଦେଈ ମନେ ସନ୍ତୋଷ ହୋଇଲା।୨୧୪।

ଯାଜ ନଗ୍ର ଭଇରୋବ ନଗ୍ର ଯେ ଉଜାଣି ନଗ୍ର

କାଞ୍ଚୀପୁରୀ ବିଜୟା ନଗ୍ର କାମପୁର ନଗ୍ର।୨୧୫।

 

କାଞ୍ଚୀପୁରୀ ଯମୁନାପୁରୀ ମଥୁରାପୁର

ଜେନାବଳୀ ମାଲ୍ୟବନ୍ତ ଜୟନ୍ତା ନଗ୍ର କାମପୁର ।୨୧୬।

ବାରୁଣାବନ୍ତ ନଗ୍ର ବସନ୍ତପୁର ଶିବ ନଗ୍ର

ହସ୍ତିନାପୁର ୟେକ ଚକ୍ରାବିଂଝମାଳି ନଗ୍ର ।୨୧୭।

ପଦ୍ମଦଳ ନଗ୍ର ବିଷ୍ଣୁ ନଗ୍ର କାଞ୍ଚନପୁର ନଗ୍ର

କାଶୀପୁର ବ୍ରହ୍ମପୁର ନଗ୍ର ଜମ୍ବୋ ନଗ୍ର ।୨୧୮।

 

ଅନୁଭବ ନଗ୍ର ଖଡଗ ପୁର ନଗ୍ର ମାହେନ୍ଦ୍ର ନଗ୍ର

ଭୋଜ କୁଣ୍ଡଳ ନଗ୍ର ଯେ ଭୀମାଉର ନଗ୍ର ।୨୧୯।

ହିରଣ ନଗ୍ର କୌଶିକ ନଗ୍ର ବେଦ ନଗ୍ର

ପାଟୋଳି ନଗ୍ର ମାଳତୀ ନଗ୍ର ଗଉରୀ ନଗ୍ର ସଉଦ ନଗ୍ର ।୨୨୦।

କେଶିନୀ ବୋଇଲା ଯେ ପୁର ଆଧିପତିମାନେ

ତୋହୋର ଆଶେ ଗୋ ଅଇଲେ ସନ୍ନିଧାନେ ।୨୧୧।

 

ଭ୍ରଥ ଖଣ୍ଡ ଲବଣ ଖଣ୍ଡ ପ୍ରଚଣ୍ଡ ଖଣ୍ଡ

ଉଦୟ ଖଣ୍ଡ କୌସ୍ତଭ ଖଣ୍ଡ କାଶୀ ଖଣ୍ଡ ।୨୨୨।

କୃତାନ୍ତକ ଖଣ୍ଡ କୌଶିକ ଖଣ୍ଡ ମଣ୍ଡଳ ଖଣ୍ଡ ରାଜା

ସମସ୍ତ ବଞ୍ଚାଇଲି ଗୋ ଦ୍ରୋପଦ ଆତ୍ମଜା ।୨୨୩।

ବ୍ରହ୍ମ କ୍ଷତ୍ରୀୟ ବଶ୍ୟ ଶୂଦ୍ର ଚାରି ଜାତି

ଦଇତ ଦାନବ ରାକ୍ଷାସ ପିଚାଶ ନୃପତି ।୨୨୪।

 

ଅସୁର ଯକ୍ଷ କିନ୍ନର ହରି ବଳ

ଯବନ ବଳ କୃତାନ୍ତେକ ବଳ ଯେ ବୃନ୍ଦାରକ ବଳ ।୨୨୫।

ସୋମସୂର୍ଯ୍ୟ ବଂଶ ଯଦୁ ବଂଶ ଭୋଜ ବଂଶ

କୁରୁ ବଂଶ ଅନ୍ଧକ ବଂଶ ହଇହୟ ବଂଶ ।୨୨୬।

ଚୁହାଣ ବଂଶ ବୃଷିକ ବଂଶ ଗୋପାଳ ଯେ ବଂଶ

କୁକ୍‌କୁର ବଂଶ ବୃନ୍ଦାରକ ବଂଶ ଦକ୍ଷ ବଂଶ ।୨୨୭।

 

ଚୋଳ ଚାଲୁକ୍ୟ ଫୁଲୁକି ଗଙ୍ଗ ଭୋପାଳ ବଂଶ

ୟେ ରୂପେ ସଖୀ ଗୋ ଅଛନ୍ତି ଅଷ୍ଟାଦଶ ବଂଶ ।୨୨୮।

ଅଷ୍ଟାଦଶ ବଂଶର ମଧ୍ୟେ ସଖୀ ଚାରିଉଣା ଲକ୍ଷେକ ନୃପତି

ତୋହୋର ପ୍ରତିଆଶେ ସଭାରେ ବିଜେ କରିଣ ଅଛନ୍ତି ।୨୨୯।

ପୃଥୀର ମଧ୍ୟେ ରାଜା ହୋଇବାକ ଯେତେକ

ମୁହିଂ ସଞ୍ଚପି କରି କହିପାରିବି କେତେକ ।୨୩୦।

 

ପ୍ରସ୍ତାବ ବାକ୍ୟେ ମୁହିଂ ୟେତେକେ ଗୋ ବଞ୍ଚାଇଲି

ଉଞ୍ଚ ଉଞ୍ଚ ରାଜାମାନନ୍ତ ଗୋ ଥୋକାୟେ କହିଲି ।୨୩୧।

କେଶିନୀ ବୋଇଲା ଶୁଣ ଗୋସାମଣୀ

ତୋହୋର ଅର୍ଥେ ଦ୍ରୋପଦେଶ୍ୱର ସବୁନ୍ତି ବରି ଆଣି ।୨୩୨।

ରାଜାମାନଙ୍କୁ ଗୋ ମୁଣୋହି ଯୋଗାଡ଼

ୟେକ ୟେକ ରାଜାଙ୍କୁ ପଲମ ଶତେ ଶତେ ଭାର ।୨୩୩।

 

ମୁହେଣି ସାରିଣ ରାୟେ ଆଚୋବନ କରନ୍ତି ଯେତେବେଳେ

ସେ ରତ୍ନ ଯୋଗାଡ଼ମାନ ନେଇ ପକାନ୍ତି ଅଗାଦ ଜଳେ ।୨୩୪।

ପୁଣି ନବତମ ପଲମ ଯୋଗାଡ଼ କରାଇ

ଆରେକ ଦିନେ ପୁଣ ରାଜାୟେ କରନ୍ତି ମୁଣୋହି ।୨୩୫।

ଲକ୍ଷେ ନୃପତିଙ୍କ ଭିଆଣ ୟେହିମତେ

ଧଂସି ହୋଇଲା ରାଜା ତୋହୋର ନିମନ୍ତେ ।୨୩୬।

 

ଦେବେଣ ଦୁଲ୍ଲଭ ଗୋ ମନୁଷ୍ୟେ ଅଗୋଚର

ଶୁଣିଲା ନାହିଂ ତ ଗୋ ୟେସନେକ ସୟଂବର ।୨୩୭।

ଶତେକ ବଖରାକେ ଘରେକ ନିର୍ବାଣ

ପଞ୍ଚିଶ ବୃନ୍ଦ ଗୋ ଛତ୍ରଶାଳ ମାନ ।୨୩୮।

ଗଜଶାଳ ଅଶ୍ୱଶାଳ କେହୁ ପାରିବ କଳି

ଅନ୍ନଛତ୍ର ବସ୍ତ୍ରଛତ୍ର ଯେ ମାଗନ୍ତି ଯେତେ ଭଳି ।୨୩୯।

 

ଦ୍ରୋପତୀ ବୋଇଲେ ଶୁଣ କେଶିନୀ ମୁଦୁସୁଲୀ

କୋଟିୟେ ପଦ୍ମେ ସାଗରେ କ୍ଷଉଣୀ ଯେ କାହାକୁ ଯେ ବୋଲି ।୨୪୦।

ପଦ୍ମେକ କେତେ ସଖି ଗୋ ସାଗରେକ କେତେ

ୟେହା ସଞ୍ଚପିଣ କହିବା ସଖି ମୋତେ ।୨୪୧।

 

ପ୍ରଣପତ୍ୟ ହୋଇଣ ଯେ କହଇ କେଶିନୀ ମୁଦୁସୁଲୀ

ଶୁଣ ସାବଧାନେ ଗୋସାମଣୀ କ୍ଷଉଣୀୟେ କେତେ ବୋଲି ।୨୪୨।

ରଥ ପଞ୍ଚଷଠି ସହସ୍ର ଗଜ ପଞ୍ଚଷଠି ସହସ୍ର

ଅଶ୍ୱ ପଞ୍ଚଷୋଠି ସହସ୍ର ପାଦାନ୍ତି ପଞ୍ଚଷଠି ସହସ୍ର ।୨୪୩।

ଛତ୍ର ପଞ୍ଚଷଠି ସହସ୍ର ଆଲମ୍ବ ବିଲମ୍ବ ପଞ୍ଚଷଠି ସହସ୍ର ।୨୪୪।

 

ଉଦଣ୍ଡ ପଞ୍ଚଷଠି ସହସ୍ର ପଞ୍ଚଷଠି ସହସ୍ର ମୟୂର ଝାଲପକ୍ଷୀ

ସୂପକାର ପଞ୍ଚଷଠି ସହସ୍ର ପୋଇଲି ପଞ୍ଚଷଠି

ସହସ୍ର ଯେ ଲେଖି ।୨୪୫।

ବାଦ୍ୟକାର ପଞ୍ଚଷଠି ସହସ୍ର ନିର୍ବାଣ

ପଞ୍ଚଷଠି ସହସ୍ର ଫୁଫୁକାର ବାଦ୍ୟମାନ ।୨୪୬।

ପଞ୍ଚଷଠି ସହସ୍ର ବଇଲ ପଲାଣ ।୨୪୭।

 

ଦ୍ରୋପତୀର ଆଗେ କହି କେଶିନୀ ମୁଦୁସୁଲୀ

ୟେତେ ସନ୍ୟକୁ ଠାକୁରାଣୀ ଗୋ ଅହିବ୍ରତେକ ବୋଲି ।୨୪୮।

ଦଶ ଅହିବ୍ରତେ ଗୋ ପଟଳେ ନିର୍ବାଣ

ଦଶ ପଟଳେ ଗୋ ସେନାମୁଖ ବଖାଣ ।୨୪୯।

ଦଶ ସେନାମୁଖେ ଜଳଧାରାୟେ ବୋଲି

ଦଶ ଜଳଧାରା ମୁଖେ ବାରୁଣୀୟେ କହିଲି ।୨୫୦।

 

ଦଶ ବାରୁଣୀ ମୁଖେ ନଳେକ ନିର୍ବାଣ

ଦଶ ନଳେ ଯେ ଉର୍ଦ୍ଧେକ ପ୍ରମାଣ ।୨୫୧।

ଦଶ ଉର୍ଦ୍ଧେ ବୃନ୍ଦେକ ଯେ ବୋଲି

ଦଶ ବୃନ୍ଦେ ଯେ ୟେକ ନକ୍ଷତ୍ର କହିଲି ।୨୫୨।

ଦଶ ନକ୍ଷତ୍ର ମୂଳେ ମନୁ ମୁଖେ ଜାଣି

ଦଶ ମନୁ ମୁଖେ ହୋୟେ ୟେକଇ କ୍ଷଉଣୀ ।୨୫୩।

 

ପୁଣ କେଶିନୀ ବୋଇଲା ଶୁଣ ଗୋ ମାହେଶ୍ୱରୀ

ଗୋଚର ନଗଲା ଗୋ ସଞ୍ଚପି ନୁଆରି ।୨୫୪।

ପଦ୍ମକର ଲେଖା ଗୋ ପଚାରିଲୁ ମୋତେ

ଶୁଣିମା ସାବଧାନେ ଦେବୀ କହଇ ମୁହିଂ ତୋତେ ।୨୫୫।

ଦଶ ଦଶ ୟେକ ଶୟେକ ବୋଲିଜାଣ

ଦଶ ଶୟେ ଗୋ ସହସ୍ରେ ଅଟେ ପୁଣ ।୨୫୬।

 

ଦଶ ସହସ୍ରେ ଅଟଇ ଅହିବ୍ରତେ

ଦଶ ଅହିବ୍ରତେ ଗୋ ଲକ୍ଷେକ ପ୍ରମିତେ ।୨୫୭।

ଦଶ ଲକ୍ଷେ ଗୋ କୋଟିୟେ ଯୁଗତ

ଦଶ କୋଟିୟେ ଗୋ ହୁଅଇ ମର୍ଭୁତ ।୨୫୮।

ଦଶ ମର୍ଭୁତେ ଗୋ ମେବଚ୍ଛେ ବୋଲିଟି ଯୁଗତ ।୨୫୯।

 

ଦଶ ମେବଚ୍ଛେଣ ହୋଅଇ ୟେକ ବୃନ୍ଦ

ଦଶ ବୃନ୍ଦେ ଗୋ ଖର୍ବେକ ଜାଣ ସାଧ୍ୟ ।୨୬୦।

ଦଶ ଖର୍ବେଣ ଗୋ ନିଖର୍ବେକ ବୋଲି ଜାଣି

ଦଶ ନିଖର୍ବେ ଗୋ ଶଙ୍ଖେକ ପରିମାଣି ।୨୬୧।

ଦଶ ଶଙ୍ଖେ ଗୋ ପଦ୍ମେକ ଜାଣ ବୋଲି

ଦଶ ପଦ୍ମେ ଗୋ ସାଗରେ କହିଲି ।୨୬୨।

 

ଦଶ ସାଗରେ ଗୋ ବୋଲିଟି ଅନନ୍ତେ

ୟେତେକ ଗୋଚର ହୋଇଲା ଆନ ନ ଜାଣଇ ଚିତ୍ତେ ।୨୬୩।

ଦଶ ଅନନ୍ତେ ଗୋ ବୋଲିଟି ପରାର୍ଦ୍ଧେ

ଦଶ ପରାର୍ଦ୍ଧେ ଗୋ ବୋଲିଟି ମାରାୟୁଧେ ।୨୬୪।

ଦଶ ମାରାୟୁଧେ ବୋଲିଟି କ୍ଷଉଣୀ

ଦଶ କ୍ଷଉଣୀରେ ସଖୀ ଲେଖ ବିକ୍ଷଉଣୀ ।୨୬୫।

 

ଦଶ ବିକ୍ଷଉଣୀରେ ଅଙ୍କୁଶେକ ଜାଣି

ଦଶ ଅଙ୍କୁଶେଣ ଅନିଳେ ପରିମାଣି ।୨୬୬।

ଦଶ ଅନିଳେ ଗୋ କାଠିୟେ ହୋଇଲା

ଦଶ କାଠିୟେ ସଖି ବିକାଠି ଲିହିଲା ।୨୬୭।

ୟେସନେକ ସରୂପେ ସଖି ୟେସନେକ ଭିଆଣ

ୟେଥେ ପ୍ରବେଶ ହେଲେ ଗୋ ତୋହୋର ସୟେଂବରେଣ ।୨୬୮।

 

କେଶିନୀ ବୋଇଲା ଶୁଣ ଦ୍ରୋପଦ ଦୁଲଣୀ

ୟେହେନେକ ଯାବତ ଲେଖା ଗୋ ସଇନି ଠାକୁରାଣୀ ।୨୬୯।

କେଶିନୀ ବୋଇଲା ନିରାଧାର ବଚନେ

ଶୁଣିଣ ପାଞ୍ଚାଳୀ ଯେ ବିସ୍ମୟେ ପଞ୍ଚୁମନେ ।୨୭୦।

ୟେଥୁ ଅନନ୍ତରେ ଯେ ବିଲଙ୍କ ଆଧିପତି

ଅଗସ୍ତିଙ୍କ ଚରଣେ ଯେ ବିନୟ ଭଗତି ।୨୭୧।

 

ଭୋ ମୁନି କଥାୟେ ଯେ ମୋତେ କହିବାକ ଫେଡ଼ି

ତବ ମୁଖିୁଂ ଶୁଣିଲେ ଯେ ପାତେକ ଅପହରି ।୨୭୨।

ବୋଇଲ ଯେ ଦ୍ରୋପତୀଙ୍କ ଆଗେ ଚିହ୍ନାଇ ଦିଅଇ କେଶିନୀ

କେମନ୍ତେ ଜାଣିଲା ସେ ନଗ୍ର ପୁର ମଣ୍ଡଳ ରାଜାଙ୍କର

ନାମଘେନି ।୨୭୩।

 

ୟେ କଥା ମୋତେ ସଂଶୟ ଲାଗିଲା ମହାମୁନି

କେଶିନୀ ଅଟଇ ଜାତ ମାନବ ଯେ ଯୋନି ।୨୭୪।

ବଦୟନ୍ତି ଅଗସ୍ତି ଶୁଣ ମନୁ ଯେ ଧାର୍ମିକ

ୟେ କଥା ସଞ୍ଚପି ଶୁଣିବାକୁ ତୁହି ସେ ବିବେକ ।୨୭୫।

କହନ୍ତି ଅଗସ୍ତି ଯେ ପୂର୍ବର ୟେ କଥା

ଯେଣୁ ସେ କେଶିନୀ ଯେ ହୋଇଲା ମହାଗ୍ୟାଂତା ।୨୭୬।

 

ଆକାଶଗଙ୍ଗାରେ ସ୍ନାନ ଯେ କରନ୍ତି ନାରଦ ମୁନିବର

ତାହାଙ୍କର ତପ ସ୍ନାନ ବେଳେ ୟେ ଯେ ମିଳିଲା ଛାମୁର ।୨୭୭।

ଅନେକ ବିନୟ ହୋଇ ଶୁତିଲା ଗଡ଼ଘାଲି

ଋଷି ବୋଇଲେ ଗୋ କିସ କାର୍ଯ୍ୟ କହନି ତୋହୋରି ।୨୭୮।

କେଶିନୀ ବୋଇଲା ତୁମ୍ଭେ ଯେ ସର୍ବଗ୍ୟଂ ପୁରୁଷ

ତୁମ୍ଭର ଆଗରେ ମୁହିଂ କହିବଇଂ କିସ ।୨୭୯।

 

ଜାଣିଅନୁଗ୍ରହମୋତେକରିବାମୁନିବର

ତୁମ୍ଭର ହେତୁ ଦୃଶ୍ୟ ମୋତେ ହୋଇବ ଗତ ଯେ ଆଗତର ।୨୮୦।

ୟେହା ଶୁଣି ମୁନି ଯେ କାଢିଲେ କଳିଧୋକଡ଼ିରୁ ଅଞ୍ଜନ

ୟେହା ନୟନେ ଘେନି ଚାହିଂଲେ ତୋତେ

ହୋଇବ ଦୃଶ୍ୟମାନ ।୨୮୧।

 

ଆବର କହିଲେ ଯେ ମନ୍ତ୍ର ସାରସ୍ୱତ

ୟେହା ପଢି ଘେନିଲେ ତୋତେ ଦିଶିବ ୟେ ତିନି ଜଗତ ।୨୮୨।

ସେ ମନ୍ତ୍ର ଅଞ୍ଜନ ଗୁଣ୍ଡି କେଶିନୀ ଘେନିଲା ନୟନେ

ତେଣୁ ସେ ସମସ୍ତ ତାକୁ ଯେ ହୋଇଲା ଦୃଶ୍ୟମାନେ ।୨୮୩।

ତେଣୁସେଦ୍ରୋପତୀକିଚିହ୍ନାଇଦିଅଇସମସ୍ତ

ଶୁଣିଲୁ କି ରାଜା କେଶିନୀର ଅଟଇ ୟେସନେକ ଚରିତ ।୨୮୪।

 

ମନୁ ପୁଚ୍ଛାକଲେ ଅଗସ୍ତି ମହାମୁନ୍ୟେ

ୟେଥୁଂ କିସ ହୋଇଲା ଯେ ଲାଖର ବିଧାନେ ।୨୮୫।

ଦ୍ରୋପତୀ ବୋଇଲେ ଗୋ ମୋର ମନ୍ଦ ଭ୍ରାଥ ବେନି

ଅନମିତ୍ତେ ବରିଲେ କିମ୍ପା ୟେତେ ରାଜାର ସଇନି ।୨୮୬।

ୟେଡ଼େକ ଆରମ୍ଭେ ଯେ କଲେକ ସୟମ୍ବର

ୟେ ସଭାର ମଧ୍ୟେ କେ ମୋତେ ହୋଇବାକ ବର ।୨୮୭।

 

କେଶିନୀ ବୋଇଲା ଗୋ କହିବାକ ସରୂପ ତୋତେ

କେ ତୋହୋର ବର ବୋଲି ନ ଜାଣଇ ନିରୁତାନ୍ତେ ।୨୮୮।

ରାଜାର ବ୍ରତ ଗୋ ନିରାଧାର ଦେଖ

ଯେ ବିନ୍ଧିବ ରାଧାଚକ୍ର ମହାଲାଖ।୨୮୯।

ୟେଥକୁ ତଲୟେ ଗୋ କରିଥିବୁ ପାଞ୍ଚାଳୀ

ଯେ ଲାଖ ବିନ୍ଧିବ , ତୁ ତାହାର ମନର ହିଆଳୀ।୨୯୦।

 

ସୟମ୍ବର ସଞ୍ଚପି କହଇ କେଶିନୀ

ମେଢରେ ନେଇ ବିଜେ କରାଇଲେ ଜିଘ୍ନସେନୀ।୨୯୧।

କରପତ୍ର ଯୋଡିଣ ବୋଲଇ ଧୃଷ୍ଟ ଯେ ଦୃମନେ

ସାବଧାନ ହୋଇ ଶୁଣିମା ରାଜାଗଣମାନେ।୨୯୨।

କନ୍ୟାର ରୂପ ଗୁଣ ତ ନିରୋପିଲ ସମସ୍ତ

ଯେ ଲାଖ ବିନ୍ଧିବ କନ୍ୟା ତାହାକୁ ପରାପତ।୨୯୩।

 

ୟେମନ୍ତର ସମୟେ ରାମ କୃଷ୍ଣ ବେନି

ଶୁଭଯୋଗେ ବିଜେ କଲେ ଛପନ କୋଟି ଯଦୁବଂଶ ଘେନି ।୨୯୪।

ଉଗ୍ରସେନ ନନ୍ଦ ଉପନନ୍ଦ ସହିତେ

ବିଜେ ଜଗମୋହନ କୁତୋହୋଳ ଦେଖିବାର ନିମନ୍ତେ।୨୯୫।

ତୀର୍ଥଯାତ୍ରା ଯେ ଉଚ୍ଛବର ସ୍ଥାନେ

କୁତୋହୋଳ ବିଜେ କରନ୍ତି ଯେ ବୃନ୍ଦାଅର୍କମାନେ।୨୯୬।

 

ପୃଥିବୀକି ଅଳଂକାର ନାରାୟଣଙ୍କର ପ୍ରଭା

ଶରୀର ବିହୁନେ ଅଳଂକାର କାହିଂ ଶୋଭା।୨୯୭।

ଶୟଳ ସଂସାରେ ନାରାୟଣ ହିଂ ବଲ୍ଲଭ

ସଭା ଶୋହିଲା ଯହୁଂ ବିଜେ କଲେ ବାସୁଦେବ।୨୯୮।

ଦାନବ ବଳମାନେ କରନ୍ତି ବୋଲି ତ୍ରାସ

ଶୂନ୍ୟେ ରୁହାଇଲେ ସ୍ୱାମୀ ରଥ ନନ୍ଦିଘୋଷ।୨୯୯।

 

ଶ୍ରୀବଳରାମେ ବିଜେକଲେ ତାଳଧ୍ୱଜ ରଥେ

ରଥରେ ବିଜୟେ ସ୍ୱାମୀ ରେବତୀ ସହିତେ।୩୦୦।

ନାରାୟଣ ବିଜେ ଦେଖିଣ ଦେବ ଅମରାଧି

ବିଦ୍ୟାଧରଗଣ ଘେନି ବିଜୟେ ଜମ୍ବୁଭେଦୀ।୩୦୧।

ଶ୍ରୀଭୁଜେ ବଜ୍ର ଆରୋପଣ ଆରୋହଣ ଅଇରାବ୍ରତ ପିଠି

ହସ୍ତୀ ବେନି ପାରୁଶେ ଖଟନ୍ତି ବିଦ୍ୟାଧରୀ ଚଉଷଠି କୋଟି।୩୦୨।

 

ଅମରଗଣ ଛତ୍ର ଘେନି ଖଟନ୍ତି ଚଉପାଶେ

ଇନ୍ଦ୍ର ଗୋବିନ୍ଦ ୟେକତ୍ୱ ହୋଇ ରହିଲେ

ଶୂନ୍ୟ ଯେ ଆକାଶେ ।୩୦୩।

ଅମରାଧିନାଥ ଯହୁଂ ଅଇଲାକ ଚଳି

ରୁଦ୍ରଗଣ ଘେନି ବିଜୟେ କପାଳୀ।୩୦୪।

ବୃଷଭ ଆରୋହି ବିଜେ କଲେ ଦେବ ଯେ ଈଶାନ

ଗଣପତି କାର୍ତ୍ତିକେଶ୍ୱର ଚଉଦ କୋଟି ଶିବଗଣ।୩୦୫।

 

ହୃଦରେଣ ଗିରିଜା ମଉଳେ ଶଶାଙ୍କ ଧବଳୀ

ଦେଖି ପ୍ରଣିପତ୍ୟ ଶ୍ରୀଜଗନ୍ନାଥ ଦେବହଳୀ।୩୦୬।

ମରୁତ ବଶ୍ୟାନର ଯେ ଦେବଗୁରୁ ବୃହସ୍ପତି

ଭୃଗୁ କାଶ୍ୟପ ଅଙ୍ଗିରା ନାରଦ ବ୍ରହ୍ମଯତି।୩୦୭।

ବରୁଣ ନୈରୁର୍ତ କୁବେର ଚନ୍ଦ୍ର ସୂର୍ଯ୍ୟ

ଅନ୍ତରୀକ୍ଷେ ବିଜୟେ ଦେବେ ଦ୍ରୋପଦେଶ୍ୱର ରାଜ୍ୟ।୩୦୮।

 

ଅନ୍ତରୀକ୍ଷେ ବିଜେ କଲେ ଆସି ଦେବଗଣେ

ସୟମ୍ବର ଦେଖି ପ୍ରଶଂସା କଲେ ଦେବ ନାରାୟଣେ।୩୦୯।

ପୁଷ୍ପ ବୃଷ୍ଟି ହୋଉଅଛି ଆକାଶ ଭୁବନେ

ସଭାରେ ପଡୁଅଛି ଶିଶିର ଗୁଣ୍ଡିମାନେ।୩୧୦।

ଗନ୍ଧ ଆମୋଦଇ ଯେହ୍ନେ ମଳୟାନିଳ ବିଜେ

ସର୍ବେ ବିଚାରନ୍ତି ହୋ ବିଜେ କଲେ ଦେବରାଜେ।୩୧୧।

 

ପୁଷ୍ପ ବୃଷ୍ଟି ଉତ୍ତାରେ ଯେ କଣୟ ହୋଇଲା ବୃଷ୍ଟି

ଦ୍ୱାଦଶ ଯୋଜନ ପରିଯନ୍ତେ ଜନେ ସୁଖେଣ ସାଉଂଟି।୩୧୨।

ରାଜାମାନେ ପ୍ରଶଂସନ୍ତି ସାଧୁ ସାଧୁ ଦ୍ରୋପତ

ତୋହୋର ପ୍ରସାଦେ ହୋ ବିଳସିଲୁ ସମସ୍ତ।୩୧୩।

ବ୍ରହ୍ମାଣ୍ଡେ ଅବତରି ଆସି ଦେଖନ୍ତି ପଦ୍ମଯୋନି

ସୟମ୍ବର ସ୍ଥାନେ ପ୍ରବେଶ ବଶିଷ୍ଠ ମହାମୁନି।୩୧୪।

 

ତୁଲେଣ ଅଛନ୍ତି ନବ ସହସ୍ର ଶିଷି

ଆସ୍ଥାନ ତେଜି ରାଜାଗଣେ ଚରଣେ ନିବେଶି।୩୧୫।

ଅହିବ୍ରତେକ ଶିଷ ଘେନି ଦୁର୍ଭାସାୟେ

ମହାସଭାର ମଧ୍ୟେ କଲେକ ବିଜୟେ।୩୧୬।

ପଉଲୋସ୍ତି ବିଶ୍ରବା ଅଗସ୍ତି ମହାମୁନ୍ୟେ

ଦେବଋଷି ବ୍ରହ୍ମଋଷି ବିଜୟେ ସଭାର ଆସ୍ତାନେ।୩୧୭।

 

ସୁଦେବ ମାରକଣ୍ଡ ଉଦ୍ଦାଳେକ ପୁରେହିତେ

ତୁଲେଣ ଶିଷ ୟେହାଙ୍କର ଅହିବ୍ରତେ।୩୧୮।

ଗଉତମ ଉତଙ୍କ ଆବର ଭାରଦ୍ୱାଦଶେ

ସହସ୍ରେ ସହସ୍ରେ ଶିଷି ୟେହାଙ୍କର ପାଶେ।୩୧୯।

ସନକ ସନାତନ ସନନ୍ଦନ ସନତକୁମାର ବ୍ରହ୍ମଋଷି ଚାରି

ଅହିବ୍ରତେକ ଶିଷ ଘେନି ସୟମ୍ବରେ ବିଜେ କରି।୩୨୦।

 

ମାଣ୍ଡବ୍ୟ ବିଭାଣ୍ଡକ ଋଷିଶୃଙ୍ଗ ସହିତେ

ସଭାରେ ବିଜେ କଲେ ତୁଲେଣ ଶିଷ ଅହିବ୍ରତେ।୩୨୧।

ସୁମନ୍ତକ ବାଲମିକ ଲୋମଶ ସତ୍ୟତପା

ୟେ ତିନି ଅହିବ୍ରତ ଶିଷ୍ୟ ଘେନି ବିଜୟେ ସମୀପା।୩୨୨।

ଶାୟନ୍ତନୁ ପାରେଶ୍ୱର ବିଶ୍ୱାମିତ୍ର ସର୍ବଋଷି

ୟେହାଙ୍କର ତୁଲେ ପନ୍ଦର ସହସ୍ର ଶିଷି।୩୨୩।

 

ଷାଠିୟେ ସହସ୍ର ଶିଷ୍ୟ ଘେନି ବେଦବ୍ୟାସେ

ଶୁକମୁନି ଜଇମିନି ବଇଶମ୍ପାୟନ ଅଛନ୍ତି ପାଶେ ।୩୨୪।

ଲକ୍ଷେ ବ୍ରାହ୍ମଣ ଘେନି ଧୌମ୍ୟ ପୁରୋହିତେ

ଆକାଶୁଂ ଓହ୍ଲାଇଲେ ବିଶ୍ୱଦେବାଙ୍କ ସହିତେ ।୩୨୫।

ଋଷିମାନନ୍ତ ଦେଖି ଦ୍ରୋପଦେଶ୍ୱର ରାଜା

ଚରଣ ଉଦକ ଘେନି କରଇ ପାଦପୂଜା।୩୨୬।

 

କୃଷ୍ଣାଞ୍ଜନ ଛାଲ ଗୋଟିୟେ ଗୋଟିୟେ ଦିଲାକ ସବୁନ୍ତି

ସମ୍ପାଦିଥିଲା ସେ ସବୁ ଦ୍ରୋପଦେଶ୍ୱର ନୃପତି ।୩୨୭।

ପ୍ରଣପତ୍ୟ ହୋଇ ଶୁତିଲା ଦ୍ରୋପଦ ନୃପତ୍ୟ

ଋଷିମାନେ ବୋଇଲେ ତବ ବାଞ୍ଛା ହୋଉ ଯେ ପରାପତ।୩୨୮।

କୁଶହସ୍ତ ହୋଇଣ ଦ୍ରୋପଦେଶ୍ୱର ରାୟେ

ଚାରି ଭଣ୍ଡାର ଧନ ସେ ବ୍ରାହ୍ମଣକୁ ଦାନ ଦିୟେ ।୩୨୯।

 

ସଭାର ଈଶାନ ଭାଗେ ହୋଉଛି ଗୋ ଦହନ

ଦେବୀଙ୍କି ବଳିଭୋଜା ଦେବଙ୍କୁ ଶୀତଳ ଦ୍ରବ୍ୟମାନ।୩୩୦।

ମନୁ ପୁଚ୍ଛାକଲେ ଅଗସ୍ତି ମହଋଷି

କେତେ ଧେନୁ ଦୋହନ କଲେ କହିବା ବିଶେଷି।୩୩୧।

ସହସ୍ରେକ ଗାବେ ଗୋଷ୍ଠ ୟେକ ବୋଲି

ଶତେକ ଗୋଷ୍ଠରେ ଯେ ହୋୟେ ୟେକ ପଲ୍ଲୀ।୩୩୨।

 

ଶତେକ ପଲ୍ଲିରେ ନଉଡ଼ି ୟେକ ବୋଲି

ଶତେକ ନଉଡ଼ରେ ମହାଖୁଡେ କହିଲି।୩୩୩।

ଶତେକ ମହାଖୁଡ଼େ ହୋଇଲା ମହାଭୋଇ

ଦ୍ୱାଦଶ ମହାଭୋଇରେ ଯେତେ ଗୋଧନ ଖଟଇ।୩୩୪।

ଦ୍ୱାଦଶ ମହାଭୋଇରେ ହୋଇଲା ଯେତେ ଗାଈ

ଅପାଦ ଶାନ୍ତି ନିମନ୍ତେ ଦ୍ରୋପଦ ୟେତେ ଗାଈ

ଦେହାନ କରାଇ।୩୩୫।

 

କ୍ଷୀର ନଦୀ ଗୋଟିୟେ ବହିଯାଇଂ ବନେ

ସୁଖେ ପିବନ୍ତି ତହିଂ ଉଦ୍ୟାନ ଜୀବମାନେ।୩୩୬।

ବଦନ୍ତି ଅଗସ୍ତି ଶୁଣ ଶୁଣ ଆଦିବ୍ରହ୍ମା

ଦ୍ରୋପତୀ ସୟମ୍ବର ୟେସନେକ ମହିମା ।୩୩୭।

ଲକ୍ଷେ ଲିଙ୍ଗ ପଞ୍ଚାମୃତେ କରାନ୍ତି ସ୍ରାହାନ

ଯେତେ ଦୂରେ ଅଛନ୍ତି ଶମ୍ଭୁ ଲିଙ୍ଗମାନ ।୩୩୮।

 

ଅନେକ ଶୀତଳ ବଳି ଭୋଜା ଦିଅନ୍ତି ଭଦ୍ରକାଳୀ

ପୋଢୁଅ ମେଷ ଛାଗଳ ଲକ୍ଷେ ଲକ୍ଷେ ବଳି ।୩୩୯।

ଋକ ଯଜୁ ସାମ ଅଥର୍ବ ଚାରିବେଦୀ

ଲକ୍ଷେ ଲକ୍ଷେ ବ୍ରହ୍ମଣେ ବରଣ ସମ୍ପାଦି ।୩୪୦।

ମହାଯାଗ ଶାଳେ ଆହୂତି ଦିଅଇ ହବି

ମହାମନ୍ତ୍ର ବାକ୍ୟେ ସ୍ୱାହା ସ୍ୱଧା ଦେବୀ।୩୪୧।

କରନ୍ତି ନୃତ୍ୟ ଗୀତ ଅନେକ ବିଦ୍ୟାଧରୀ

ଡାକନ୍ତି ଚଣ୍ଡପୁତ୍ରେ ମଙ୍ଗଳ ସୀଉକାରି ।୩୪୨।

 

ଆଦିତ୍ୟ ସୋମ ମଙ୍ଗଳ ବୁଧ ବୃହସ୍ପତି

ଶୁକ୍ର ଶନିଶ୍ଚର ୟେ ରାହୁ କେତୁ ଗ୍ରହ ସ୍ଥିତି ।୩୪୩।

ତିଥି ବାର ନକ୍ଷତ୍ର ଯୋଗ କହନ୍ତି ଗ୍ରହପୁତ୍ରେ

ମଙ୍ଗଳ ପାଠ ଉଚ୍ଚେ ପଢନ୍ତି ଋଷିପୁତ୍ରେ ।୩୪୪।

ୟେସନେକ ସମ୍ପଦ ଦ୍ରୋପଦ ଭୁବନ

ଯେ ଯେତେକେ ତ୍ରିପୁତି ଅବିଚ୍ଛନ୍ନେ ଦିଅନ୍ତି ଦାନ ।୩୪୫।

 

ଉପନେକ ବାଢିଲା ନେଇ ଲାଖର ଚଉକତି

ଧନକୁଢମାନ ଯେ ଦେବାଙ୍ଗ ବସନ ଥୁଅନ୍ତି ।୩୪୬।

ରାଜାକେ ମାଣିକ୍ୟ ଶତେ ଶତେକ ବତୀ

ଦିହୁଡ଼ି ଜଗହୁଳା ଆଲୁଅମୟେ ପୃଥୀ ।୩୪୭।

ଧନୁ ଗୋଟିୟେ ଯେ ତ୍ରୋଣ ଗୋଟିୟେ

ବେଢିଣ ଜଳନ୍ତି ହୀରା ଜଡ଼ିତ ଦୀପ ଶୟେ ।୩୪୮।

 

ଦାସୀନେତ ପତନୀ ଝୀନ ବସନ କୁଢେ

ଶତେ ଶତେ ଦୀପ ଜଳନ୍ତି ମର୍କତ ଜଡ଼ିତ ସମ୍ଭରେ ।୩୪୯।

ପୁଣି ଥାପିଲେ ଅସିପତ୍ର ଗୋଟାୟେ ଫଳକ ଗୋଟାୟେ

ମୁକୁତା ଜଡ଼ିତ ତହିଂ ଜଳନ୍ତି ଦୀପ ଶୟେ ।୩୫୦।

ଗଦା ଗୋଟାୟେ କୋନ୍ତ ଗୋଟାୟେ

ନୀଳା ଜଡ଼ିତ ତହିଂ ଜଳନ୍ତି ଦୀପ ଶୟେ ।୩୫୧।

 

ସୁବର୍ଣ୍ଣର ରୁଖା ମର୍କତ ଜଡ଼ିତ ସହସ୍ରରେ

ରାଜାକେ ୟେତେକ ଦୀପ ଜଳନ୍ତି ଛାମୁରେ ।୩୫୨।

ନେତର ଚନ୍ଦ୍ରାତପ ଉପରେ କନେକ ପୁଷ୍ପମାଳ ଖଞ୍ଜି

ଅଷ୍ଟରତ୍ନେ ଖଞ୍ଜିତ ମାଣିକ୍ୟ ପୁଞ୍ଜି ପୁଞ୍ଜି ।୩୫୩।

ୟେହିମତି ସମ୍ଭର୍ବେ ସମ୍ପାଦି ଅଛି ଲକ୍ଷେକ ରାଜାଙ୍କୁ

କୋବେର ଭୁବନ ନୁହେଂ ଯେ ପଟାନ୍ତର ଦେବାକୁ ।୩୫୪।

 

ଅମର ଭୁବନ ଅବା ପଟାନ୍ତର କରନ୍ତି

କଳପି ନୁହଇ ୟେ ଯହୁଂ ପୁନର୍ଜନ୍ମ ହୁଅନ୍ତି ।୩୫୫।

ୟେସନେକ ସଭା ସମ୍ଭର୍ବ ଯୁଗତେ

ଜଗନ୍ନାଥେ ପୁଚ୍ଛାକଲେ ବଳରାମଙ୍କ ଅଗ୍ରତେ ।୩୫୬।

ୟେ ଯେ ଦୁର୍ଲଭ ଲାଖେକ ପାତିଲା ଦ୍ରୋପତେ

ୟେ ଲାଖ ବିନ୍ଧିବାକୁ ସ୍ୱାମୀ କେ ଅଛି ସାମରଥେ ।୩୫୭।

 

ବଳରାମେ ବୋଇଲେ ବାବୁ ଶୁଣ ଜନାର୍ଦ୍ଦନ

ଦୃଷ୍ଟିଭେଦୀ ଅଟଇ ଯେ ରାଧେବ ସୁତ କର୍ଣ୍ଣ ।୩୫୮।

ନିଶ୍ଚୟେ କର୍ଣ୍ଣ ଯେ ମହାଲାଖ ବିନ୍ଧିବ

ଦ୍ରୋପତୀ କନ୍ୟା ମାନଗୋବିନ୍ଦକଇ ଦେବ ।୩୫୯।

ଅଶକ୍ୟ ଅଗୋଚର ହୋ ୟେ ଅଟଇ ଆନକୁ

ୟେସନେକ ବିଚାରି ଯେ ଦିଶି ଆମ୍ଭର ମନକୁ ।୩୬୦।

 

ୟେତେକ ବିଚାରି ଯହୁଂ କହିଲେ ସଂକ୍ରିଷେଣ

ଶୁଣିଣ ତ୍ରସିଲେ ଯେ ଦେବ ନାରାୟଣ ।୩୬୧।

ଦ୍ରୋପଦ ରାଜା ଯେ ବ୍ୟାସକୂଟ ଲାଖ ପାତିଲା

ତଳେ ତୀର୍ଥଜଳ ଘଟେକ ଥାପିଲା ।୩୬୨।

ତଳକୁ ଦୃଷ୍ଟି କଲେ ଦିଶଇ ଛାୟା ମୀନ

ଅଦୃଷ୍ଟିରେ ଦୃଷ୍ଟି ଭେଦି ପାରିବ କି କର୍ଣ୍ଣ ।୩୬୩।

 

ବଳରାମେ ଅଟନ୍ତି ଭୂତ ଭବିଷ୍ୟ ଗ୍ୟାଂତା

ନଜାଣି କହିଲେ କି ୟେସନେକ ବାରତା ।୩୬୪।

ବଳରାମଙ୍କ ତୁଲେ କଥା ହୁଅନ୍ତେ ନାରାୟଣ

ହୃଦଗତେ ଚିନ୍ତାକଲେ ଚକ୍ର ସୁଦ୍ରିଶେନ ।୩୬୫।

ଆଗ୍ୟାଂଦିଲେ ସ୍ୱାମୀ ଦେବ ଦାମୋଦର

ତୁ ଅନ୍ତରୀଛେ ଭ୍ରମୁଥିବୁଟି ଚାରି ତାଳ ଉଚ୍ଛର୍ଗର ।୩୬୬।

 

ଯେବଣ ନାରାଜ ବିନ୍ଧିବେ ଭୀଷ୍ମ ଦ୍ରୋଣ କର୍ଣ୍ଣ

ଶଲ୍ୟ ଅଶସ୍ତମା ଜଦ୍ୟରଥ କୃପବ୍ରହ୍ମା ।୩୬୭।

ୟେ ସପତ ରଥୀ ଆଦି କରି ଭୂରିସର୍ବା ମହାବୀର

ଯେତେ ନାରାଜ ବିନ୍ଧିବେ ତୋହୋଠାରେ ବାଜି

ପଡିବେ ଭୂମିର ।୩୬୮।

ନାରାୟଣ ଆଗ୍ୟାଂୟେ ସୁଦ୍ରିଶେନ ଚକ୍ର ଗଲା

ଚାରି ତାଳ ଉଚ୍ଛର୍ଗରେ ଯାଇଂଣ ରହିଲା ।୩୬୯।

 

ଦେବ ଦାନବ ମାନବ ଆଦି କରି

କାହାକଇଂ ଦୃଶ୍ୟ ନାହିଂ ଚକ୍ରକୂଟ କଲେ

ଦେବ ହରି ।୩୭୦।

ଚକ୍ରକୂଟ ମାୟା ଯହୁଂ ଶ୍ରୀହରି ଭିଆଇଲେ

ଚକ୍ରକୂଟ ହରି ବୋଲି ବ୍ରହ୍ମା ନାମ ଦିଲେ ।୩୭୧।

ୟେସନେକ ମାୟା କଲେ ଦେବ ଦାମୋଦର

ବଳରାମ ଦେବଙ୍କୁ ସେ ନୋହିଲା ଗୋଚର ।୩୭୨।

 

ଆକାଶେଣ ଦେଖିଲେ ବ୍ରହ୍ମା ଜଗତପିତା

ମଞ୍ଚେଣ ବ୍ୟାସେ ଦେଖିଲେ ଭୂତ ଭବିଷ୍ୟ ଗ୍ୟାତାଂ ।୩୭୩।

ଆପଣେ ଜାଣନ୍ତି ଦେବ ଦାମୋଦର

ତିନିଜଣହୁଂ ଚାରିଜଣଙ୍କୁ ନାହିଂନା ଗୋଚର ।୩୭୪।

ବ୍ରହ୍ମା ଦେଖି ଯେ ଅନେକ ସ୍ତୁତି କଲେ

ମାୟାଧର ବୋଲି ସେ ଅନେକ ବିନୋୟିଲେ ।୩୭୫।

 

ଜୟ ତୁ ମାୟାଧର ମାୟା ମେଖଳୀ

ଜୟ ତୁ ମାୟାଧର ଚକ୍ରକୂଟ ବନମାଳୀ ।୩୭୬।

ଜୟ ତୁ ମାୟାଧର ସୟଳ ସଂସାର ଜନବନ୍ଧୁ

ଜୟ ତୁ ମାୟାଧର ପ୍ରଳୟାନ୍ତକ ସିନ୍ଧୁ ।୩୭୭।

ଜୟ ତୁ ମାୟାଧର ଅନନ୍ତ କାମରୂପୀ

ଜୟ ତୁ ମାଧବ ସୟଳ ତନୁ ବ୍ୟାପି।୩୭୮।

 

ଜୟ ତୁ ମାଧବ ସୟଳ ୟେକ ଆତ୍ମା

ଜୟ ତୁ ମାଧବ ଯୋଗମନ୍ତ୍ର ବ୍ରହ୍ମା।୩୭୯।

ଜୟ ତୁ ମାଧବ ଅନନ୍ତ ଶ୍ରୀରଙ୍ଗୀ

ଜୟ ତୁ ମାଧବ ହୃଦେ ବ୍ୟାସ କୂଟ ଭଙ୍ଗୀ ।୩୮୦।

ଜୟ ତୁ ମାଧବ ସୟଳ ଜନ ସଞ୍ଚା

ଜୟ ତୁ ମାଧବ କୃତାନ୍ତକ କାଳ ବଞ୍ଚା ।୩୮୧।

 

ଜୟ ତୁ ମାଧବ ନୀଳେନ୍ଦୀ ପୁଷ୍ପବର୍ଣ୍ଣ

ଜୟ ତୁ ମାଧବ ମହା ପାତକ ଦହନ ।୩୮୨।

ଜୟ ତୁ ମାଧବ ଭଗତ ବଚ୍ଛଳା

ଜୟ ତୁ ମାଧବ ଅନନ୍ତ ରୂପକଳା ।୩୮୩।

ଜୟ ତୁ ମାଧବ ଭାରତୀର ବଲ୍ଲଭ

ଜୟ ତୁ ମାଧବ ଶରଣ ରକ୍ଷଣ ବାସୁଦେବ ।୩୮୪।

 

ଜୟ ତୁ ମାଧବ ତବ ଚରଣେ ଶରଣ ମମ

ଶୁଦ୍ରମୁନି ସାରୋଳା ଦାସ ଶତେ ସହସ୍ର ଦଣ୍ଡ

ପରିଣାମ ।୩୮୫।

 

Unknown

ଲାଖବିନ୍ଧା

ବଇବସୁତ ମନୁ ପଚାରିଲେ ଶୁଣ ଅଗସ୍ତି ହେ

ଲାଖର ଚରିତ୍ର ମୋତେ କହିବା ସନ୍ଦେହେ ।୧।

ଅଗସ୍ତି ବୋଇଲେ ଶୁଣ ହେ ରାଜନ

କହିତ ଶକ୍ୟ ନୋହଇ ଦ୍ରୋପଦ ଲାଖ ବିଧାନ ।୨।

ଧୃଷ୍ଟଦୃମନ ଯାଇ ବିଜେ କଲେ ସଭା

ଯେ ପାର ଗୋସାଇଂ ଲାଖ ଯେ ବିନ୍ଧିବା।୩।

 

ମୁହିଂ ସୟମ୍ବର କଲି ଯହିଂର ନିମନ୍ତେ

ତହିଂକି କାରଣ ସ୍ଵାମୀ କରିବାନା ମୋତେ ।୪।

ସ୍ଵାମୀ ରାଜାଧିରାଜେଶ୍ଵର ମାନ ଚକ୍ରବ୍ରତୀ

ଲକ୍ଷେ ରାଜା ମଉଡ଼ମଣି ସୋମବଂଶର ଆଧିପତି ।୫।

ଗୁଣ ବିଦ୍ୟାୟେ ବକତା ପରାକ୍ରମେଣ ଶକତା

ଧନେଣ ଗାରିମା ତେଜେଣ ବଳବନ୍ତା ।୬।

 

ବଂଶେଣ ନିକଳଙ୍କ ବେଦମନ୍ତ୍ରେଣ ପ୍ରସିଦ୍ଧି

ସାଂଗ୍ରାମେକ ଇଚ୍ଛାବନ୍ତ ସେ ନିକଳଙ୍କ ଯୋଦ୍ଧି ।୭।

ଧୃଷ୍ଟଦୃମନଙ୍କର ଉପହାର ବଚନେ

କର୍ଣ୍ଣର ବଦନ ଚାହିଂଲା ରାଜା ଦ୍ରିଯୋଧନେ ।୮।

କାହିଂକି ମଇତ୍ର ହୋଇଅଛ ତୂନୀ

ମହାଲାଖ ବିନ୍ଧି ଲଭିବା ଜିଘ୍ନସେନୀ ।୯।

 

କର୍ଣ୍ଣ ବୋଇଲା ତୁମ୍ଭେ ଅତି ମାନେ ମାନଗୋବିନ୍ଦ

ଦ୍ରୋପଦ ବୋଇଲା ତୁମ୍ଭେ ରାଜାମାନେ ଲାଖବିନ୍ଧ ।୧୦।

ତୁମ୍ଭନ୍ତ ସେ ବରିଅଛି ଦ୍ରୋପତୀ ନିମନ୍ତେ

ଅବରଣେ ମଧ୍ୟ ପାତ୍ରେ ପଶିବା କେମନ୍ତେ ।୧୧।

ରାଜାମାନେ ତୁମ୍ଭେ ଆଗ ଲାଖ ବିନ୍ଧିବ ପ୍ରତକ୍ଷେ

ତୁମ୍ଭେମାନେ ବିନ୍ଧି ନୁଆରିଲେ ଆମ୍ଭେ ବିନ୍ଧିବୁ ଯେ ପଛେ ।୧୨।

 

ପାରକି ନପାର ବିନ୍ଧିବ ନା ଯୁଗତେ

ତୁମ୍ଭର ନବିନ୍ଧିଲେ ଆବର କେ ବିନ୍ଧିବ କେମନ୍ତେ ।୧୩।

ସୋମବଂଶ ସ୍ଵର୍ଯ୍ୟବଂଶ ପୃଥୀକି ତୁମ୍ଭେ ମୂଳ

ଆବର ରାଜାମାନେ ତୁମ୍ଭର ବାହୁତଳ ।୧୪।

କର୍ଣ୍ଣର ବଚନେ ରାଜା ମାନ ଚକ୍ରବ୍ରତୀ

ଆସ୍ତାନର ମଧ୍ୟୁଂ ରାଜା ଓହ୍ଲାଇଲା ଧାତି ।୧୫।

 

ବାବୁ ମହିମା ସେ ଯେ ଧୃତରାଷ୍ଟର ତନୟେ

ପ୍ରତକ୍ଷେ ଦିଶୁଅଛି ଅମରାଧିନାଥ ପ୍ରାୟେ ।୧୬।

ଚାଲନ୍ତେ ଶୋଭାବନ ବିକ୍ରମ-ସିଂହ-ଠାଣି

ଝଟକନ୍ତି ଗଜ ମୁକୁତା ଯେ ବିଚିତ୍ର ଶୁଦ୍ଧମଣି ।୧୭।

ଶିରେ ଅନର୍ଘ୍ୟ ମଣି-ମୁକୁଟ କୋଟିୟେ ମାଣିକ୍ୟ ଲାଗି

କୋଟିୟେ ପାଦେ କମଳଣୀ ବିଜୟେ ସଉଭାଗୀ ।୧୮।

 

ଚାଲନ୍ତେ ସୁବର୍ଣ୍ଣ ଅବେଣ୍ଟ ପଦ୍ମ ଫୁଟି

ଚଉରାଶି ଗୁଣ ଲକ୍ଷଣେ ୟେ ନୃପତି ଧୃତରାଷ୍ଟି।୧୯।

ପ୍ରତ୍ୟକ୍ଷେ ୟେ ପନଙ୍ଗାନାରାୟଣ ମୃତି

ମେଢରେ ଥାଇ କେଶିନୀକି ପଚାରଇ ଦ୍ରୋପତୀ ।୨୦।

କେବଣ ଦେଶର ସଖୀ ୟେ ଅଟଇ ରାଜା

ଅମର ସ୍ଵର୍ଗ ତେଜି କି ବିଜୟେ କଲେ ବିଡ଼ୋଜା ।୨୧।

 

କୁଙ୍କୁମ ଚନ୍ଦନ ଲେପନ ଅସରଳ ସୁତା ବରବେଶୀ

ମଙ୍ଗଳ ସରୂପ ତ ବିଭା ଯୋଗ ଦିଶି ।୨୨।

କେଶିନୀ ବୋଇଲା ୟେହାର ଭାରିଯା ଭାନୁବତୀ

ଅଷ୍ଟଦିନେ ପ୍ରଦାନ ହୋଉଥାଇ ଯୁଗତି ।୨୩।

ପନଙ୍ଗାନାରାୟଣ ରୂପ ଅଟଇ ୟେହାର

ପିତା ମାତା ଆଦି କରି କାହାକୁ ନାହିଂ ନମସ୍କାର ।୨୪।

 

ଅତି ସୁକୁମାର ଅଟଇ ୟେହାର କାୟେ

ସରୂପ ଦୁଶଇ ଗୋ ତରୁଣ ଆଦିତ୍ୟର ପ୍ରାୟେ  ।୨୫।

ଇନ୍ଦ୍ରପ୍ରଶସ୍ତ, ଯମପ୍ରଶସ୍ତ, ଜଇନ୍ତା, ହସ୍ତିନା, ବାରୁଣା

ୟେ ପଞ୍ଚୁକଟକର ରାଜା ୟେ ଜମ୍ବୁଦୀପକୁ ଧାରଣା ।୨୬।

ପାଣ୍ଡବନ୍ତ ନାଶ କଲା ୟେ ଜତୁର ଘର ଭିଆଇ

ଉପାୟେ ଚକ୍ରବ୍ରତୀ ୟେହାକୁ ସରିସମ କେହି ନାହିଂ ।୨୭।

 

ଦ୍ରୋପତୀ ବୋଇଲା ୟେହାକୁ ବୟସ ଅଳପ

ୟେତେବେଳହୁଂ ୟେ ହତ୍ୟା ବିବାଦୀ ମହାପାପ ।୨୮।

ପଥର ଘରେ ଲାଇ ନାଶ କଲା ଗାନ୍ଧାରସେନର ବଂଶ

ଜଉ ସଜଳସ ଘର ଭିଆଇ ୟେ ପାଣ୍ଡବନ୍ତ କଲା ନାଶ ।୨୯।

ଛତ୍ରୀଙ୍କ ମହିମା ଜାଣି ଶତ୍ରୁକୁ ଜିଣଇ ଯେବେ ରଣେ

ବିଶ୍ୱାସ ଘାତେ ସୋଦରନ୍ତ ମାଇଲା ଅକାରଣେ ।୩୦।

 

ୟେହାର ସମାନେ ସଖୀ ନାହିଂ ନା ମନ୍ଦ ଦୋଷୀ

ୟେତେ ପାପିଷ୍ଠକୁ କିମ୍ପେ ସଭାରେ ଦିଲେ ବସି ।୩୧।

ବିଷମ ଉଷଧି ସଖୀ ଗୋ ମନ୍ତ୍ରର ଉପାୟେ

ୟେମନ୍ତ ବାଗେଣ ଯେ ପ୍ରାଣୀଙ୍କ ନାଶ କୟେ ।୩୨।

ଇହଲୋକ ତାହାର ବଦନ ନଚାହିଂ

ରଉରବ ନର୍କେ ପଡଇ ପୁନରପି ଜନ୍ମ ନାହିଂ ।୩୩।

 

ୟେହେନେକ ପାପିଷ୍ଠ ଯେବେ ଲାଖ ବିନ୍ଧିବି

ବେଦ ଶାସ୍ର ପୁରାଣମାନନ୍ତ ମିଥ୍ୟା ଯେ ହୋଇବ ।୩୪।

ୟେସନେକ ବିଚାରନ୍ତେ କେଶିନୀ ଜିଘ୍ନସେନୀ

ଲାଖର ତଳେ ପ୍ରବେଶ ଦ୍ରିଯୋଧନ ମହାତେଜ ଘେନି।୩୫।

ଧୃଷ୍ଟଦୃମନକୁ ଚାହିଂ ବୋଲଇ ବଚନ

କହ ଲାଖ ବିନ୍ଧିବାର କେବଣ ଚରିତ ବିଧାନ ।୩୬।

 

ଧୃଷ୍ଟଦୃମନ ବୋଇଲେ ଶୁଣ କୁରୁପତି

ଲାଖ ବିନ୍ଧିବାର କଥା ଶୁଣସି ନୃପତି।୩୭।

ସାତତାଳ ଉଚ୍ଚେ ଅଛି କନକର ମୀନ

ତହିଂ ତଳେ ରାଧାଚକ୍ର ବୁଲେ ଘନ ଘନ ।୩୮।

ତାଳେକ ଉପରେ ଯେ ଅପୂର୍ବ ପଟାୟେ

ତଳେ ଥୋଇଲା ଅଛି ଜଳଘଟ ଗୋଟାୟେ ।୩୯।

 

ଉପର ପଟାରେ ଅଛି ଧନୁ ୟେକ ଲକ୍ଷ୍ୟ

ସେ ଧନୁ ଧରି ପଟାରେ ଉଠିବ ପ୍ରତକ୍ଷ ।୪୦।

ଉପରକୁ ଗଣ୍ଠି ମୁଠି କରିଣ ରହିବ

ତଳେ ଜଳ ଘଟକଇ ନିରେଖି ଚାହିଂବ ।୪୧।

ନାରାଜ ବିନ୍ଧିବ ଆକର୍ଣ୍ଣ ପୂରୋଇ

ମାଛର ବାମ ଚକ୍ଷୁରେ ବାଣ ବିନ୍ଧିବାକ ଯାଇ ।୪୨।

 

ତାହାଣ ଚକ୍ଷୁ ବାଟେ ରହିବ ନିକିଳି ଶର

ତେବେ ସେ ଲଭିବୁ ରାଜା ଦ୍ରୋପତୀ ଆମ୍ଭର ।୪୩।

ୟେସନେକ ବଚନ ଶୁଣି କୁରୁପତି

ମହାଲାଖ ପଟାରେ ଯାଇଂ ଉଠିଲା ତଡ଼ତି ।୪୪।

ଦ୍ରୋପତୀର ବଦନ ଚାହିଂଲା ମାନ ଯେ ଗୋବିନ୍ଦ

ମଦନେ ବେଭଳ ହୋଇଲା ଚଛୁ ଥାଉଂ ଅନ୍ଧ ।୪୫।

 

ଦିବସେଣ କିଛି ନ ଦିଶିଲା ତାହାକୁ

ଲାଖର ତଳେ ରାଜା ଯେ ଦରାଣ୍ଡଇ ଧନୁକୁ ।୪୬।

ଧନୁ ବୋଲିଣ ଯେ ବଢାଇଲା କର

ହସ୍ତ ପଶିଲା ଯାଇ ଜଳ ଘଟର ଉପର ।୪୭।

ଶିଖଣ୍ଡୀ ଧୃଷ୍ଟଦୃମନେ ଯେ ଉପହାସ୍ୟେ ବୋଲି

ପଳାଯା ପଳାଯା ବୋଲିଣ ଦିଲେ ତାକୁ ପେଲି ।୪୮।

 

ଧୃତରାଷ୍ଟ ପରାୟେ ହୋଇଲାକି ତୋହୋର ଚଛୁ

ଚଛୁ ଥାଉଂ ଥାଉଂ ତୁ ଅନ୍ଧ ହୋଉ ଅଛୁ ।୪୯।

ଧନୁ ଜଳଘଟ ତୁ ଯେବେ ନୁଆରିଲୁ ବାରି

ତୁ କିସ ବିନ୍ଧିବୁ ଲାଖ ଯାଅ ଯା ବାହୁଡ଼ି ।୫୦।

ବହୁତ ଝିଘାଂସ ଯେ ବୋଇଲା ଶିଖଣ୍ଡୀ

ବରବେଶ ହୋଇତୁ ରେ ସଂସାର ଜନ ଭଣ୍ଡି ।୫୧।

 

ଲାଜ ପାଇଣ ବସିଲା ମାନଗୋବିନ୍ଦ

ଆଢୋ ଆଢୋ ବୋଲି ବାହାରିଲା ଜାରାସନ୍ଧ ।୫୨।

ଲାଖର ତଳେ ଉଭା ହୋଇଲା ମଗଧେଶ୍ୱର ନାଥେ

ଲକ୍ଷେ ବଳ ଧନୁ ଧଇଲା ବାମ ହାଥେ ।୫୩।

ହୁଳେକ ତୋଳି ଯେ ନୁଆରିଲା ଗୁଣ ଦେଇ

କରତାଳ ମାରି ହସିଲେ ସକଳ ନୃପସାଇଂ ।୫୪।

 

ଲାଜେଣ ବାହୁଡ଼ିଲା ସେ ମଗଧେଶ୍ୱର ରାୟେ

ମୁକୁଟ ପକାଇ ଯାଇସେ ବସିଲା ସଭାୟେ।୫୫।

ତାହାର ଅଭିମାନ ଦେଖିଣ ନରପତି

ଶିଶୁପାଳ କୁମାର ଯେ ବାହାର ହୋଇଲା ଝାତି ।୫୬।

ପ୍ରତଗ୍ୟାଂ ଆରମ୍ଭେ ସେ ଦମଘୋଷର ତନୁ

ଆକ୍ରେଷି ଶିଶୁପାଳ ଧଇଲା ବେଗେ ଧନୁ ।୫୭।

 

ଦୁଇହାଥେ ଧରି ଆକ୍ରେଷିଣ ତୋଳି

ନାସିକା ବାଟେ ରୋଧିର ପଡ଼େତାର ଗଳି ।୫୮।

କୋପେଣ ଶିଖଣ୍ଡୀ ଯେ ଧଇଲା ପଛ କତି

ଗଳଥା ଦେଇଣ ଯେ ସଭାକୁ ନେଲା ଝାତି ।୫୯।

ଶିଶୁପାଳ ଅଭିମାନ ଦେଖିଣ ରୁକ୍ମଣ

ରେ ରେ କାର କରିଣ ସଭାରୁ ବାହାର ତତକ୍ଷଣ ।୬୦।

 

ଆକ୍ରଷଣ କରିଣ ଧନୁ ଯେ ଧଇଲା଼

ଭୂମିରୁ ଧନୁକୁ ସେ ଛଡ଼ାଇ ନ ପାରିଲା ।୬୧।

ପଳାଯା ବୋଲିଣ ଅନେକ ଝିଘାଂସ ବୋଲି

ଶିଖଣ୍ଡୀ ଡିଆଇଂ ଦିଲାକ ଯେ ପେଲି ।୬୨।

ସଭାରେ ଲାଜ ପାଇ ବସିଲା ରୁକ୍ମଣ ମହାଛତ୍ରୀ

ସଭାରୁ ବାହାର ହୋଇଲା ନିର୍ଝର ଗଣପତି ।୬୩।

 

ଲାଖର ତଳେ ଯାଇଂ ପ୍ରବେଶ ହୋଇଲା

ଧନୁ ତୋଳି ସେ ଗୁଣ ଦେଇ ନୁଆରିଲା ।୬୪।

ଲାଖର ତଳେ ସେ ପାଇଲା ମହାଲାଜ

ସଭାକୁ ଆସି ତ ସେ ନୁଆରିଲା ମହାରାଜା ।୬୫।

ଶିଖଣ୍ଡୀ ହସ୍ତ ଧରି ନେଲାକ କୁଣ୍ଢିଆଇଂ

ସଭାରେ ଭିତରେ ଛାଡିଲା ତାକୁ ନେଇଂ ।୬୬।

 

କାଶୀ ଦେଶର ରାଜା ଯେ କାଶୀଶ୍ୱର

ଲାଖ ବିନ୍ଧିବ ବୋଲି ସଭାରୁ ବାହାର ।୬୭।

ଧାଇଂ ଯାଇଣ ଧନୁ ଯେ ଧଇଲା ଆକ୍ରେଷି

ଚାଳି ନୁଆରି ସେ ଅଭିମାନେ ବସି ।୬୮।

ଶିଖଣ୍ଡୀ ତାହାକୁ ବେଗେ ଧରି ତହୁଂ ନେଲା

ଗଳାରେ ହାଥ ଦେଇଣ ସଭାରେ ଛାଡ଼ିଲା ।୬୯।

 

କାଶୀଶ୍ୱର ଅଭିମାନେ ରାଜା କଳିଙ୍ଗସେନ

ସଭାରୁ ବାହାର ହୋଇଲା କୋପ ମନ ।୭୦।

କଳିଙ୍ଗସେନ ଚାଳି ନୁଆରିଲା ଧନୁ

ପଳାଯା ବୋଲି ପେଲି ଦିଲା ଦ୍ରୋପଦର ତନୁ ।୭୧।

କଳିଙ୍ଗସେନ ଅପମାନେ ନୃପତି ଶଅମ୍ବର

ପ୍ରତଗ୍ୟାଂ କରିଣ ରାଜା ସଭାରୁ ବାହାର ।୭୨।

 

ମହା ପ୍ରତାପୀ ସେ ନୃପତି ବଳବନ୍ତା

ଅସୁରେଶ୍ୱର ମହାରାଜା ଯେ ସାଂଗ୍ରାମେଣ ଶକତା ।୭୩।

ଲାଖର ତଳେ ଯାଇଂ ହୋଇଲା ପରବେଶ

ପ୍ରତଗ୍ୟାଂ ସାରଥେ ଧନୁକୁ କରଇ ଆକର୍ଷ ।୭୪।

ଶତେସିଘଂର ଯେ ବଳ ତାହାର ପରାକ୍ରମ

ପୃଥୀର ରାଜା ହୋଇ ସାଂଗ୍ରାମେ ତାକୁ ନାହିଂ ସମ ।୭୫।

 

ଆକ୍ରେଷିଣ ଧନୁୟେ ଧଇଲା ନୃପମଣି

ଆକାଶ କମ୍ପିଲା ତାହାର ଗର୍ଜନ ନାଦ ଶୁଣି ।୭୬।

ଭୁଜେଣ ଧନୁ ଧରି ଉଭା ହୋଇଲା ରାୟେ

କୋପେଣ ଗର୍ଜଇ ସେ ମତ୍ତନାଗ ପ୍ରାୟେ ।୭୭।

ଗୁଣ ଦେବାକୁ ବାମ ଭୁଜେ ଧନୁ ତୋଳି

ଆକ୍ରଷଣ ଘାୟେ ମୁଖୁଂ ରୋଧିର ତାହାର ପଡ଼ିଲା ନିକିଳି ।୭୮।

 

ଲାଜେ ପାଇ ବସିଲା ଅସୁରାଧି ନୃପତି

ସଭାରୁ ବାହାର ହୋଇଲା ବଜ୍ରଲାଭ ମହାଛତ୍ରୀ ।୭୯।

ଲାଖ ସନିଧ୍ୟେ ପ୍ରବେଶ ହୋଇଲା ମହାରାୟେ

ଧନୁ ଆକ୍ରଷଇ ରାହୁର ତେଜ ପ୍ରାୟେ ।୮୦।

ଧନୁ ଧରି ତୋଳି ନୁଆରିଲା ଭୁଜ ବଳେ

ମାଡ଼ି ପଡ଼ିଲା ଧନୁ ବଜ୍ରଲାଭର ବଛ ଥଳେ ।୮୧।

 

ଉତ୍ତାନସାହୀ ହୋଇ ପଡ଼ି ଅଛି ଅସୁରାଧି

ଭୁଜ ତୋଳି ଧଇଲା ଶିଖଣ୍ଡୀ ମହାଯୋଧୀ ।୮୨।

ଶଅମ୍ବର ବଜ୍ରଲାଭ ଯହୁଂ ପାଇଲେ ଅଭିମାନ

ସଭାରୁ ବାହାର କେହି ନୋହିଲେ ଅସୁର ରାଜନ ।୮୩।

ଅନେକ ଦେଶର ଯେ ରାଜାଗଣ ଉଠି

କେହି ଚାଳି ନୁଆରିଲେ ଶିବର ଧନୁ ଗୋଟି ।୮୪।

 

ବସୁଧାର ନନ୍ଦନ ନାରକା ମହାବୀର

ରେ ରେ କାର ଶବଦ କରି ସଭାରୁ ହୋଇଲା ବାହାର ।୮୫।

ଲାଖର ତଳେ ଯାଇଂ ପ୍ରବେଶ ହୋଇଲା

ବାମ ଭୁଜେ ଧନୁ ଧରି ଉର୍ଦ୍ଧ ଗତେ ତେଳିଲା ।୮୬।

ହୁଳେଣ ପାଦ ଦେଇ ମାଡ଼ିଲା ଶିବଧନୁ

ହୁଳେ ଗୁଣ ଦେଇ ନୁଆରିଲେ ସେ ବସୁଧାର ତନୁ ।୮୭।

 

ଲୋଭେଣ ନାରକା ଧନୁ ନ ଛାଡ଼େ ହାଥରୁ

ଶିଖଣ୍ଡୀ ବୋଇଲା ଆବର ଥାଇ କିସ କରୁ ।୮୮।

ପଳାଯା ସଭାକୁ ବୋଲିବୋଇଲା ଧୃଷ୍ଟ ଯେ ଦୃମନ

ଲାଜେଣ ବାହୁଡିଲା ସଭାକୁ ଯାତୁଧାନ ।୮୯।

ସମସ୍ତ ରାଜାମାନେ ବସିଲେ ହେଠମାଥ

ଦେଖିଣ ବିଷାଦ ହୋଇଲା ଦ୍ରୋପଦ ନୃପତ୍ୟ ।୯୦।

 

ସଭାରେ ବିଜେ କଲେ ରାଜାନ୍ତ ସମାର୍ଜ୍ଜି

ସମାଧାନ କରି ରାଜା ଅଭିମାନ ପରିତ୍ୟାଜି ।୯୧।

ଦ୍ରୋପଦ ବୋଇଲା ଗୋସାଇଂ ଛତ୍ରୀଙ୍କର ବିଧାନ

ୟେ କଥାକୁ କେହି ନକରିବା ଅଭିମାନ ।୯୨।

ଯେହୁ ପାର ଲାଖ ବିନ୍ଧସି ନୃପମଣି

ଓହୋ କୁଳେ ଲଜ୍ଜା ଉପୁଜୁ ଅଛି ଜାଣି।୯୩।

 

ରାଜାମାନେ ଯହୁଂ ହୋଇଲେ ମଉନ ବ୍ରତ

ଯୋଦ୍ଧା ଅମନାତ୍ୟଙ୍କୁ ବୋଇଲା ଦ୍ରୋପଦ ନୃପତ୍ୟ।୯୪।

ଛତ୍ରୀ ହୋଇ କରି କେହୁ ଅଛ ସାମରଥ

ଯେ ଲାଖ ବିନ୍ଧିବ କନ୍ୟା ଦେବଇ ୟେ ମୋର ସତ୍ୟ।୯୫।

ଦ୍ରୋପଦର ବଚନେ ମାନ ଚକ୍ରବ୍ରତୀ

କର୍ଣ୍ଣର ବଦନ ରାଜା ଚାହିଂଲା ତଡ଼ତି।୯୬।

 

କାହିଂକି ବିଳମ୍ବ କରୁଅଛ ମଇତ୍ର

ୟେ ବଚନ ଶୁଣି ଯେ ଆଦିତ୍ୟର ସୁତ।୯୭।

ସଭାରୁ ବାହାର ହୋଇଲା ବୀର କର୍ଣ୍ଣ

ଧାର୍ମିକ ବିବେକ ସେ ସୁନ୍ଦର ଲୋହିତ ବର୍ଣ୍ଣ ।୯୮

ଅମୃତ କୁଣ୍ଡଳ ଶୋଭିତ ବେନିକର୍ଣ୍ଣ

ବାଳ ଅର୍କ ଜାତ ହୋଇଲାକି ୟେ ମଞ୍ଚ ଭୁବନ ।୯୯।

 

ଶିରେ ମଣି ମୁକୁଟ ଚାଲନ୍ତେ ସିଘଂ ଠାଣି

ଦ୍ରୋପତୀ ବୋଇଲେ ୟେ କେବଣ ଦେଶର ନୃପମଣି।୧୦୦।

କେଶିନୀ ବୋଇଲା ତୁ ଗୋ ଶୁଣସି ପାଞ୍ଚାଳୀ

କୋଇନ୍ତାୟେ ବୀର୍ଯ୍ୟ ଦିଲେ ଅଂଶୁମାଳୀ।୧୦୧।

ଆଦିତ୍ୟର ବୀର୍ଯ୍ୟେ ଜାତ ୟେ କର୍ଣ୍ଣ ମହାବଳୀ

ଅବିଭାଇତ କାଳେ ବିଦ୍ୟା ପରୀକ୍ଷା କଲେ

ଭୋଜର ଦୁଲାଳୀ।୧୦୨।

 

ଲାଜେ ଦେବୀ ଗର୍ଭେ ନ ଧଇଲେ ଆଦିତ୍ୟଙ୍କ ବୀର୍ଯ୍ୟ

ସଇନ୍ଦୁ କର୍ଣ୍ଣ ବାଟେ ଉପୁଜିଲା ଆତ୍ମଜ।୧୦୩।

କର୍ଣ୍ଣେ ଜାତ ହୋଇଲା କର୍ଣ୍ଣ ୟେହାର ନାମ

ନିତ୍ୟାପତି ବିଧଂସଇ ଶତେଭାର ସୁବର୍ଣ୍ଣ।୧୦୪।

ଗାଢେ ଚାଲନ୍ତେ ଯେ ବସୁଧା ମୁଖରୁ ରୁଧିର ବହି

ଡରେଣ ନିତ୍ୟାପତି ଶତେ ବାର ସୁବର୍ଣ୍ଣ ଲାଞ୍ଚ

ଦିଅଇ ମହୀ।୧୦୫।

 

ଦାନେ ଶୂରବନ୍ତା ମାନେ ଶୂରବନ୍ତା ବଳେଣ ବଳବନ୍ତା

ଦ୍ରିଯୋଧନର ମଇତ୍ର ୟେ ସାଂଗ୍ରାମେ ଶକତା।୧୦୬।

ଲାଖର ତଳେ ଯାଇଂ ପ୍ରବେଶ ବୀର କର୍ଣ୍ଣ

ବଳରାମ ବୋଇଲେ ହୋ ଦେଖ ଜନାର୍ଦ୍ଦନ ।୧୦୭।

ୟେହି କ୍ଷଣି କର୍ଣ୍ଣ ଯେ ମହାଲାଖ ବିନ୍ଧିବ

ଦ୍ରୋପତୀ ଘେନି ରାଜା ମାନଗୋବିନ୍ଦ ଯିବ ।୧୦୮।

 

ଗୋବିନ୍ଦେ ବୋଇଲେ ତୁମ୍ଭେ ଗ୍ୟାନୀଂ ମହାବ୍ରହ୍ମି

ତୁମ୍ଭର ବଚନ ମିଥ୍ୟା ହୋଇବକି ସ୍ୱାମୀ ।୧୦୯।

ୟେମନ୍ତର ସମୟେ କର୍ଣ୍ଣ ମହାରଥୀ

ବାମକରେ ଧନୁ ତୋଳି ଧଇଲା ତତକ୍ଷଣାନ୍ତି ।୧୧୦।

ହୁଳେ ପାଦ ଦେଇ ମାଡ଼ିଲା ବେଗେ ଧନୁ

ଅବନୀଳେ ଗୁଣ ବସାଇଲା ରାଧେବର ତନୁ ।୧୧୧।

 

ଗୁଣ ଦେଇ ଧନୁ ଆମଞ୍ଚନ କଲା

ସାଧୁ ସାଧୁ କର୍ଣ୍ଣ ବୋଲି ସଭାୟେ ଧୁନିୟେ ଶୁଭିଲା ।୧୧୨।

ଧୃଷ୍ଟଦୃମନକୁ ପଚାରିଲେ ବୀର କର୍ଣ୍ଣ

ଲାଖର ଚରିତ କହ ତୋର କେଉଂଣ ବିଧାନ ।୧୧୩।

ଧୃଷ୍ଟଦୃମନ କହଇ ଶୁଣ କର୍ଣ୍ଣ ମହାଛତ୍ରୀ

ସାତତାଳ ଉଚ୍ଛର୍ଗ ଲାଖ ଉର୍ଦ୍ଧ ଗତି ।୧୧୪।

 

ରାଧାଚକ୍ର ଅଛି ସହସ୍ରେକ ଧାର

ଶୂନ୍ୟେଣ ଭ୍ରମଇ ସେ କୁରାଳ ଚକ୍ର ଆକାର ।୧୧୫।

ତହିଂର ଉପରେ ଅଛି ସୁବର୍ଣ୍ଣର ରୋହି

ସେ ରୂପ ନିରୋପିବୁ ଜଳ ଘଟଇ ଚାହିଂ।୧୧୬।

ଛାଇ ନିରୋପନ୍ତେ ତଳକୁ ହୋଇବ ଦୃଷ୍ଟି

ନାରାଜ ବିନ୍ଧିବ ଉପରକୁ କରିବ ମୁଷ୍ଟି।୧୧୭।

 

ଚକ୍ର ନିକିଳି ମାଛର ଫୁଟିବ ବାମ ଆଖି

ୟେସନେକ ସରୂପେ ବିନ୍ଧିଲେ ଦେବଇଂ ଚନ୍ଦ୍ରମୁଖୀ।୧୧୮।

କୁମାର ବଚନ ଶୁଣି କର୍ଣ୍ଣ ମହାରଥୀ

ଲାଖ ପଟା ଉପରେ ଯାଇ ଉଠିଲେ ତତକ୍ଷଣାନ୍ତି।୧୧୯।

କୋଡ଼ା ଆମଞ୍ଚନ କଲା ଗୁଣ ଟଙ୍କାର ଶବଦ

ବିଦ୍ୟାଧର ତ୍ରାସିଲେ ଶବଦ ଘୋରନାଦ।୧୨୦।

 

ତଳକୁ ଦୃଷ୍ଟି ଯେ ଉପରକୁ ମୁଷ୍ଟି

କର୍ଣ୍ଣର ତହିଂକି ଯେ ସବୁଙ୍କରି ଦୃଷ୍ଟି ।୧୨୧।

ଆକ୍ରେଷି କର୍ଣ୍ଣ ବୀର ବିନ୍ଧିଲା ନାରାଜଇ

ଚାରି ତାଳ ଉଚ୍ଛର୍ଗେଣ ଚକ୍ରରେ ଅନ୍ତରୀକ୍ଷେ ବାଜଇ।୧୨୨।

ବାହୁଡ଼ି ନାରାଜ ପଡଇ ଭୂମି ଗତେ

ନୋହିଲା ନୋହିଲା ବୋଲି ବୋଇଲେ ସମସ୍ତେ ।୧୨୩।

 

ଲାଜ ପାଇ କର୍ଣ୍ଣ ବାହୁଡ଼ଇ ତଡ଼ତି

ସଭାରୁ ବାହାର ହୋଇଲେ ଦ୍ରୋଣ ମହାରଥୀ ।୧୨୪।

ପ୍ରତଗ୍ୟାଂ କରି ଭାରଦ୍ୱାଦଶଙ୍କର ତନୁ

ଆକ୍ରେଷି ଧଇଲେ ଦୁତୀ ପିନାକୀ ଧନୁ ।୧୨୫।

ନାରାଜ ପୂରୋଇ ପଟା ଉପରେଣ ଉଠି

ତଳକୁ କରି ଦୃଷ୍ଟି ପଟା ଉପରକୁ ମୁଷ୍ଟି ।୧୨୬।

 

ଆକ୍ରେଷି ନାରାଜ ବିନ୍ଧିଲେ ଦ୍ରୋଣଗୁରୁ

ସୁଦ୍ରିଶେନ ଚକ୍ରେ ବାଜି ନାରାଜ ପଡ଼ିଲାକ ଦୂରୁ ।୧୨୭।

ସଭାରେ ଲାଜ ପାଇଲେ ଗୁରୁ ମହାତମା

ପିତାର ଅଭିମାନ ବାହାର ଅଶସ୍ତମା ।୧୨୮।

ପ୍ରତଗ୍ୟାଂ କରିଣ ସେ ଦ୍ରୋଣଙ୍କର ତନୁ

ଗୁଣ ଟଙ୍କାର କରି କରେ ଧଇଲେ କଧନୁ ।୧୨୯।

 

ପଟାର ଉପରେ ଉଠିଲେ ଯାଇଂ କୋପେ

ଆକ୍ରେଷି ନାରାଜ ବିନ୍ଧିଲେ ପରିତାପେ ।୧୩୦।

ଚାରିତାଳ ଉଚ୍ଛର୍ଗେ ସୁଦ୍ରିଶେନ ଚକ୍ରେ ବାଜି

ବେନି ଖଣ୍ଡ ହୋଇଲେ ନାରାଜ ଭୂମିରେ ପଡ଼ଇ ଭାଜି ।୧୩୧।

ଲାଜ ପାଇ ବସିଲେ ଅଶସ୍ତମା ମହାରଥୀ

ସଭାରୁ ବାହାର ହୋଇଲେ ଭୀଷ୍ମ ସେନାପତି ।୧୩୨।

 

ଲାଖର ସନ୍ନିଧ୍ୟେ ମିଳିଲେ ଗାଙ୍ଗେବ

ଆକ୍ରଷଣ କରି ଘେନିଲେ ଶିବଚାପ ବେଗ ।୧୩୩।

ଭୀଷ୍ମେ ପଚାରିଲେ ଦ୍ରୋପଦର ବାଳେ

ଆମ୍ଭେ ଯେବେ ଲାଖ ବିନ୍ଧିବୁ ଧର୍ମବଳେ ।୧୩୪।

ଦାରା ସଂଘରଣ ଆମ୍ଭେ କରିଅଛୁ ବାବୁ

ଆମ୍ଭେ ଲାଖ ବିନ୍ଧିଲେ କନ୍ୟା ଦ୍ରିଯୋଧନକୁ ଦେବୁ ।୧୩୫।

 

ଶିଖଣ୍ଡୀ ବୋଇଲେ ବିନ୍ଧ ଯେ ତୋହୋର ଆଗ୍ୟାଂ

ୟେବେ ଭୀଷ୍ମ ତୋହୋର ଦେଖିବା ପ୍ରତଗ୍ୟାଂ ।୧୩୬।

ଧନୁ ଧରି ଭୀଷ୍ମେ ପ୍ରତଗ୍ୟାଂ କରୁଥିଲେ

ଶିଖଣ୍ଡୀକି ଦେଖି ସେ ବାହୁଡ଼ି ଅଇଲେ ।୧୩୭।

ଦ୍ରିଯୋଧନ ବୋଇଲା ତାତ ବାହୁଡ଼ିଲେ କିସ ଅର୍ଥେ

ଭୀଷ୍ମେ ବୋଇଲେ ହୋ କଷଣ ପଡ଼ିଲାକ ମୋତେ ।୧୩୮।

 

ସଭାରେ ମଉନ ବ୍ରତେ ବସିଲେ ମହାମଲ୍ଲ

ସଭାରୁ ବାହାର ହୋଇଲେ ରାୟଗୁରୁ ଶଲ୍ୟ  ।୧୩୯।

ଲାଖର ତଳେ ଯାଇଂ ହୋଇଲେ ପରବେଶ

ଧନୁ ବାମ କରେ ଧରି କଲେ ଗୁଣ ଘୋଷ ।୧୪୦।

ପଟାର ଉପରେ ଉଠିଲେ ନାରାଜେକ ପୂରୋଇ

ତଳକୁ ଦୃଷ୍ଟି ଉପରକୁ ମୁଷ୍ଟି କରି ବିନ୍ଧିଲେ ନିଠାଇ ।୧୪୧।

 

ତିନି ତାଳ ନାରାଜ ଯେ ଉପରକୁ ଉଠି

ଭୂମିରେଣ ନାରାଜ ଯେ ପଡ଼ିଲା ଲେଉଟି ।୧୪୨।

ରାଜାମାନେ ହସିଲେ କରତାଳ ଦେଇ

ଶଲ୍ୟ ମହାରଥୀ ବସିଲେ ଅପମାନ ପାଇ ।୧୪୩।

ରାୟଗୁରୁ ଶଲ୍ୟ ଯହୁଂ ବସିଲେକ ଲାଜେ

ଆସ୍ତାନୁ ଓହ୍ଲାଇଲେ କୃପ ଯେ ଆଚାର୍ଯ୍ୟେ ।୧୪୪।

 

ଆଢୋ ଆଢୋ ବୋଲି ଯାଇଂ ଧନୁକୁ ଧଇଲେ

ପଟାର ଉପରେ ଉଠି ନାରାଜ ବିନ୍ଧିଲେ ।୧୪୫।

ସର୍ବେଣ ନାରାଜ ଯେ ଉଠିଲା ତାଳ ତିନି

ବାହୁଡ଼ି ନାରାଜ ପଡିଲା ମେଦିନୀ ।୧୪୬।

ଦେଖିକରି ସମସ୍ତେ ହୋଇଲେ ବ୍ୟାଜ ବ୍ୟାଜ

ଲାଜେଣ ବାହୁଡ଼ିଲେ କୃପ ଯେ ଆଚାର୍ଯ୍ୟ ।୧୪୭।

 

ମଉନବ୍ରତ ହୋଇ ବସିଲେ ମହାଛତ୍ରୀ

ସଭାରୁ ବାହାର ହୋଇ ଭୂରିସର୍ବା ମହାରଥୀ ।୧୪୮।

ରେ ରେ କାର କରି ପଟାରେ ଉଠିଲେ

ଲକ୍ଷେ ବଳ ଧନୁ ଧରି ହସ୍ତରେ ଆମଞ୍ଚିଲେ ।୧୪୯।

ମହା ଭୀଷ୍ମ ମୂର୍ତ୍ତି କରି ନାରାଜେକ ସନ୍ଧି

ରୋଷଭରେ ମହାବୀର ନାରାଜ ଧରି ବିନ୍ଧି ।୧୫୦।

 

ଚାରି ତାଳ ପରିଯନ୍ତେ ଉପରକୁ ବାଣ ଗଲା

ଚକ୍ରେଣ ହାବୋଡ଼ି ବାଣ ବାହୁଡ଼ି ଅଇଲା ।୧୫୧।

ନୋହିଲା ନୋହିଲା ବୋଲି ବୋଇଲେ ସମସ୍ତ ରାଜଦେବା

ତହୁଂ ଲାଜ ପାଇ ଆସ୍ତାନେ ବସିଲେ ଭୂରିସର୍ବା ।୧୫୨।

 

ଆସ୍ତାନୁ ଡେଇଂଣ ପଡ଼ିଲା ଜଦ୍ୟରଥ

ଲାଖର ତଳେ ପରବେଶ ଦୁଶୀଳା ପ୍ରାଣନାଥ ।୧୫୩।

ଧନୁ ଧରି ପଟା ଉପରେଣ ଉଠି

ତଳକୁ ଦୃଷ୍ଟି ଯେ ଉପରକୁ କଲା ମୁଷ୍ଟି ।୧୫୪।

ଆକ୍ରଷଣ କରି ନାରାଜ ପୂରୋଇ ଉଛୁଡିଲା

ବେକର ଉପରେ ଧନୁ ମାଡ଼ିଣ ପଡିଲା ।୧୫୫।

 

ମୁହଂ ମାଡ଼ି ତଳେ ପଡ଼ିଲା ନୃପତି ଜଦ୍ୟରଥ

ନାସିକା ମୁହଂ ବାଟେ ବହଇ ଶୋଣିତ ।୧୫୬।

ପଡ଼ିଣ ଅସାଷ୍ଟମ ଯେ ହୋଇଲା ନୃପମଣି

ଧୃଷ୍ଟଦୃମନେ ଧନୁ ଉପରୁ କାଢି ଆଣି ।୧୫୭।

ପଳାଯା ବୋଲି କରି ପେଲି ଦିଲା ଶିଖଣ୍ଡୀ

ପୁଣ ଥୋକାୟେ ଦୂରେ ପଡିଲା ମୁହଂ ମାଡ଼ି ।୧୫୮।

 

କର୍ଣ୍ଣାଟ ଦେଶର ରାଜା କନ୍ଦର୍ପ ନୃପତି

ଲାଖ ବିନ୍ଧିବାକୁ ଆସଇ ମହାଛତ୍ରୀ ।୧୫୯।

ଆକ୍ରେଷିଣ ଧନୁ ରାଜା କରେଣ ଧଇଲା

ପଟା ଉପରେ ଉଠି କୋଡ଼ା ଆମଞ୍ଚନ କଲା ।୧୬୦।

ମାଡ଼ିଣ ଧନୁ ଯେ ପଡ଼ିଲା ହୃଦଗତେ

ପଟାର ଉପରେ ରାଜା ପଡ଼ିଲା ମୋହଗତେ ।୧୬୧।

 

ଧାଇଂ ଯାଇଂ ପାଖେ ମିଳିଲା ଶିଖଣ୍ଡୀ

ଦୁଇ ହାଥେ ଧନୁ ଧରି ହୃଦରୁ ତାର କାଢି ।୧୬୨।

ୟେମନ୍ତେ ଅପାର ରାଜା ବାହୁଡ଼ି ଅଇଲେ

ଲାଖ ବିନ୍ଧି ନପାରି ଅଭିମାନେ ବସିଲେ ।୧୬୩।

ତବଦ ହୋଇ ସଭାରେ ବସିଲେ ସମସ୍ତ ନୃପତି

ଲାଖ ବିନ୍ଧିବାକୁ କାହାର ନ ବଳଇ ମତି ।୧୬୪।

 

ସଭାରେ ପ୍ରବେଶ ହୋଇଲେ ଧୃଷ୍ଟଦୃମନ

ଭୋ ଦେବ ରାଜାଗଣମାନେ କିମ୍ପେ ହୋଇଲ ମଉନ ।୧୬୫।

ଲାଖ ବିନ୍ଧିବାକୁ ଆସିବ ନା ଗୋସାଇଂ

ୟେଡେ ଆର୍ଦ୍ଦୋଳି ମୁଂ ସହିଲି ଯହିଂର ପାଇଂ।୧୬୬।

ଅନ୍ତେ ଆସି ଯେ ହୋଉଛ ନିଷ୍ଫଳ

ତୁମ୍ଭଙ୍କୁ ଲଜ୍ଜାତ ହୋଉଛ ସର୍ବକାଳ ।୧୬୭।

ପୁଣ ପୁଣ ପଚାରଇ ସେ ଦ୍ରୋପଦର ବଚ୍ଛା

ଲାଖ ବିନ୍ଧିବାକୁ କାହାର ନାହିଂ ନା ଇଚ୍ଛା ।୧୬୮।

 

ଲାଖର କତିକି ନ କରନ୍ତି ନା ନୟନ

କନ୍ୟା ନେମାକୁ ଯେ ସବୁଙ୍କର ମନ ।୧୬୯।

ରାଜାୟେ ବୋଇଲେ ତୁମ୍ଭେ ଶୁଶସି ଶିଖଣ୍ଡୀ

ଦେବଙ୍କୁ ଦୁର୍ଲଭ ଯେବଣ ଲାଖ ଖଣ୍ଡି ।୧୭୦।

କାହିଂ ତୋର ଚକ୍ର କାହିଂ ତୋର ମତ୍ସ

ଆବର ଅଶକ୍ୟ ଦେଖ ଧନୁ ବଳ ୟେକ ଲକ୍ଷ ।୧୭୧।

 

ଅଦୃଷ୍ଟିକୁ ନାରାଜ ହୋ ବିନ୍ଧି ତ କିପାରି

କେବଣ କେବଣ ରାଜା ଅଇଲେ ବାହୁଡ଼ି ।୧୭୨।

ଦ୍ରୋପତୀ ବୋଇଲା ସଖୀ ସରିଲା ସୟମ୍ବର

ଲାଖ ବିନ୍ଧିବାକୁ ରାଜା କେହି ନୋହିଲେ ବାହାର ।୧୭୩।

କେଶିନୀ ବୋଇଲା ବଡ଼ ବଡ଼ ରାଜାମାନେ ବିନ୍ଧି ନୁଆରିଲେ

ସାମାନ୍ୟ ରାଜାୟେ ଡରେ ବାହାର ନୋହିଲେ ।୧୭୪।

 

ଦ୍ରୋପତୀ ବୋଇଲେ ୟେ ଯେତେବେଳେ ଆରମ୍ଭିଲେ ସୟମ୍ବର

ମୁହିଂ ବୋଇଲି ୟେ ଲାଖ ଦେବଙ୍କୁ ଅଗୋଚର ।୧୭୫।

ଦୁଷ୍ଟଭାଇଙ୍କର ବୁଦ୍ଧି ୟେଡ଼େକ ପରପଞ୍ଚ

ଲାଖ ପାତିଲା ଦେବତାଳେ ସାତ ତାଳ ଉଞ୍ଚ ।୧୭୬।

ମାନବ ତାଳକୁ ଅଣଚାଶ ତାଳ ଅଟଇ

ନିରୋପି ଚାହିଂଲେ ଦିଶଇ ଅର୍ଦ୍ଧ ଆକାଶଇ।୧୭୭।

 

ଚକ୍ର ଉପରକୁ ବିନ୍ଧିବେ ନା ପ୍ରତକ୍ଷ

କେମନ୍ତେ ଦୃଷ୍ଟି ପାଇବ ଅଟଇ ନା ବଡ ଓଚ୍ଛ ।୧୭୮।

ମାନବ ତାଳେ ସାତ ତାଳ ଯେବେ ହୁଅନ୍ତା ଯୁଗତେ

ତାହା ବିନ୍ଧିବାକୁ ଅପାର ରାଜା ହୁଅନ୍ତେ।୧୭୯।

ଦେବ ତାଳେ ସାତ ତାଳ ଉଚ୍ଛର୍ଗ କଲା

ତହିଂର ଉପରେ ନେଇ ଚକ୍ରେକ ପାତିଲା ।୧୮୦।

 

ସେ ଚକ୍ର ପୁଣ ନ ଥାଇ ସ୍ଥିର ହୋଇ

ଅନୁବରତେ ଭ୍ରମୁଥାଇ କୁରାଳ ଚକ୍ର ପ୍ରାୟେ ହୋଇ ୧୮୧।

ଆବର ବିପରୀତ ଦେଖ କନକର ମତ୍ସ

ଚକ୍ର ଉପରକୁ ଯେ ବିନ୍ଧିବ ନା ପ୍ରତକ୍ଷ ।୧୮୨।

 

ତାହା ନ କରି ଗୋ ପୁଣ ମାଛେକ ଭିଆଇଲା

ସେ ମାଚ୍ଛର ଦେହକୁ କିମ୍ପେ ଲାଖ ଗୋ ନ କଲା ।୧୮୩।

ସେ ମାଛର ପୁଣ କଲା ବାମ ଆଖି

ୟେହେନେକ ପରପଞ୍ଚ କଲା ବିଚାରନି ସଖୀ ।୧୮୪।

ଭୂମିରେ ଥାଇ ସିନା ବିନ୍ଧିବାକ ଶର

ତାହା ନ କରି ପଟାୟେକ କଣ୍ଟିଲା ତାଳେକ ଉପର ।୧୮୫।

 

ତହିଂ ଉପରେ ଉଠି ଧନୁକୁ ଧଇଲେ

ମୁଣ୍ଡ ବୁଲାଇ ପଡ଼ନ୍ତି ତଳକୁ ଦୁଷ୍ଟି ଦିଲେ ।୧୮୬।

ଯେ ଯାହାର ଧନୁ ତାହାକୁ ସେ କଳ

ତାହା ଛାଡ଼ି ଶିବ ଧନୁ କଲା ଲକ୍ଷେକ ବଳ ।୧୮୭।

ୟେମାନ ସବୁ ଯେବେ କଲାକ ଅଶକ୍ୟ

ନାରାଜ ବିନ୍ଧିବେନା ଉପରକୁ କରି ମୁଖ ୧୮୮।

 

ଆବର ବିପରୀତ ଦେଖ ଉପରକୁ ଥିବ ମୁଷ୍ଟି ତଳକୁ ଥିବ ଦୃଷ୍ଟି

ଚକ୍ର ଭେଦି ମାଛର ବାମ ଚକ୍ଷୁ ଯିବ ଫୁଟି ।୧୮୯।

ୟେହେନେକ ଅଗୋଚର ଲାଖ କାହିଂ ଅଛି

ଯେତେ ଧଂସି ହୋଇଲା କାର୍ଯ୍ୟ ନୋହିଲା କିଛି ।୧୯୦।

ୟେଡ଼େସୟଂବର ସଖୀ ଗୋ ନିଷ୍ଫଳ ହୋଇଲା

କରପତ୍ର ଯୋଡି କେଶିନୀ ମୁଦୁସୁଲୀ କହିଲା ।୧୯୧।

 

ମୋହୋର ବୁଦ୍ଧି ୟେକ କରିବୁକି ଗୋ ମାୟେ

ଯେ ତୋହୋର ଇଚ୍ଛା କରିବୁକି ରାଜା ଗୋଟିୟେ ।୧୯୨।

ପୂର୍ବେ ସୟମ୍ବର କଲା ଭୀଷ୍ମକ ନୃପତି

ଦେବତାନ୍ତ ଛାଡ଼ି ନଳକୁ ବରିଲା ଦମୟନ୍ତୀ ।୧୯୩।

ଚନ୍ଦ୍ରଧ୍ୱଜ ରାଜାର ଦୁହିତା ଇନ୍ଦୁମତୀ

ଇଚ୍ଛାୟେ ବରିଲା ସେହୁ ଅଜ ନରପତି ।୧୯୪।

 

ଇଚ୍ଛାୟେ ବରିଲେ ସୀତା ଦେବ ରଘୁପତି

ଲକ୍ଷ୍ମୀଦେବୀ ଇଚ୍ଛାୟେ ବରିଲେ ଶ୍ରୀପତି ।୧୯୫।

ସମୁଦ୍ର ମଛନୁଂ ଜାତ ବରୁଣର ଦୁହିତ

ବ୍ରହ୍ମା ରୁଦ୍ର ଛାଡ଼ି ବରିଲେ ଜଗନ୍ନାଥ ।୧୯୬।

ପଦ୍ମମାଧବ ଦୁହିତା ବରିଲା ଇନ୍ଦ୍ରଙ୍କୁ

ସୁମିତ୍ରା ବରିଲେ ଯେ ଦଶରଥ ରାଜାଙ୍କୁ ।୧୯୭।

 

ସୂର୍ଯ୍ୟ ସୟମ୍ବର କଲା ନାହିଂ କି ତପତୀ

ଦେବତାନ୍ତ ଛାଡ଼ି ବରିଲା ଶମ୍ଭୁରାଣ ନୃପତି ।୧୯୮।

ଋକ୍ମଣ ଯେ ଶିଶୁପାଳକୁ ବରିଥିଲେ

ସେ ପୁଣି ଗୁପତେ ନାରାୟଣଙ୍କୁ ବରିଲେ ।୧୯୯।

ତୋହୋର ବିଚାରୁ ୟେଥୁ ରାଜା ୟେକ ବର

ୟେ ମୋହୋର ବାକ୍ୟ ଦେବୀ ନିରାଧାର କର ।୨୦୦।

 

ଦ୍ରୋପତୀ ବୋଇଲେ ଗୋ ଯାହା ବୋଇଲୁ ଏ ସତ

ୟେ ରାଜାମାନଙ୍କୁ କାହାକଇଂ ନ ବଳଇ ମୋହୋର ଚିତ୍ତ ।୨୦୧।

କେହେନେକ ଭିଆଣ ଗୋ କରିଅଛି ଚକ୍ରଧର

ସେହି ସେ ଜାଣନ୍ତି ସଖୀ ଆଶା ଯେ ମୋହୋର ।୨୦୨।

ଅଭୟେ ମାହେଶ୍ୱରୀ ଗୋ ଅନାଦି ଶକତି

ସହସ୍ରେକ ଭୁଜେଣ ଯେ ଅଗ୍ନିରୁ ଉତପତ୍ତି ।୨୦୩।

 

ଖଟ୍ୱାଙ୍ଗ ଡମ୍ବୁରୁ ପିନାକ ଶୂଳ ହସ୍ତର

ଶଙ୍ଖ ଚକ୍ର ଗଦା ପଦ୍ମ ଶାରଙ୍ଗ ଧନୁଧର ।୨୦୪।

ଅଦୃଶ୍ୟେ ସୁଦ୍ରିଶେନ ନୀଳ ଚକ୍ରଧାରୀ

ଛେଲ ବାବଲ କୋନ୍ତ ନାରାଜ କରେ ଧରି ।୨୦୫।

ଗଦା ମୁଦୁଗର ଯେ କୋଦଣ୍ଡ ପିନାକୀ

ମତୁଆଳ ତାଳେ ବାଜଇ ନବ ଲକ୍ଷ ଡାକି ।୨୦୬।

 

ଶୂଳ ଶକତି ଅମୋହ ଶକତି ବଜ୍ର ଶକତି

ହିମ ଅସ୍ର ସୂର୍ଯ୍ୟ ଅସ୍ର ଅନଳ ତେଜ କାନ୍ତି ।୨୦୭।

କାଳଫାଶୀ ନାଗଫାଶୀ , ଜଳଫାଶୀ ପରିମାଣି

ଅଭୟା କାନ୍ତାନୀ ମାତାଙ୍ଗୀ ମାର ଘୋର ଖଣ୍ଡଣୀ ।୨୦୮।

କୋଦଣ୍ଡ ଅଜଙ୍ଗ ଧନୁ ଆଦ୍ରାବଳୀ ଧନୁଧାରୀ

ନାରାୟଣ ଶହସ୍ର ମୋହୋନା ଶହସ୍ର ବଜ୍ର ଶହସ୍ର ଉଭାର।୨୦୯।

 

ମାନିନୀ ମାନବତୀ ଗୋ ଅଭୟେ ମହାଘୋର ରୂପା

ଅନନ୍ତ ନାଗଭୂଷଣୀ ଗୋ ଚରଣେ ଗଗନ କ୍ଷେପା ।୨୧୦।

ପାତାଳେ ପାଦ ଯାହାର ଆକାଶେ ମୂର୍ଦ୍ଧନା

ଭସ୍ମ ବିଲେପନ , ଅଙ୍ଗେ ଶୋହେ ବଜ୍ରସେହ୍ନ ।୨୧୧।

ପଟହ କୁଣ୍ଡଳୀ ଅଧାଟି ସରଗୁଣା

ପିନାକୀ ଖଟ୍ୱାଙ୍ଗ ଅଭୟ ବ୍ରହ୍ମସ୍ୱର ବୀଣା ।୨୧୨।

 

ଚଞ୍ଚ ପୁଟ ଚାଞ୍ଚ ପୁଟ ଘଟି ଯେ ଉତ୍‌କଟି

ଭରହର ତାଣ୍ଡବ ଯେ ପଞ୍ଚତାଳେ ଖଟି ।୨୧୩।

ବଂଶୀ ମନ୍ଦିରା ଘର୍ଘରା ବାଜେ ପୁଣି ପୁଣି

ମର୍ଦ୍ଦିଲୁ ଦତ୍ୟ ବଳ ମୋହିନୀ ଗୋସାମଣୀ ।୨୧୪।

ଡିବି ଡିବି ଡମ୍ବରୁ ମାତାଙ୍ଗୀ ମତୁଆଳୀ

ଗାବନ୍ତି ନାଚନ୍ତି ମନ୍ଦିରା ରସ ଭୋଳୀ ।୨୧୫।

 

ଭୋଳ ରସେ ମତୁଆଳୀ ସୁରଙ୍ଗ ରସ ସଙ୍ଗିତା

ସର୍ବ ଭୟ ଭଞ୍ଜନୀ ଗୋ ଭଗତ ଜନଚିନ୍ତା ।୨୧୬।

ଅରଷ୍ଟି ଅପାଦ ଗୋ ପାତକ ମୋର ଖଣ୍ଡି

ପର ଦୁଖେ କାତରା ଗୋ ଚଂଦ୍ରିକା ଚୂଳମଣ୍ଡି ।୨୧୭।

ଚଣ୍ଡୀ ଚାମୁଣ୍ଡୀ ଭୈରବୀ ମିଳିଣ ସକଳେ

ଭୂତ ପ୍ରେତ ପିଚାଶୁଣୀ ନାଚନ୍ତି କୁତୋହୋଳେ ।୨୧୮।

 

ସ୍ତମ୍ଭନ ମୋହନ ବଶ ଉଚ୍ଚାଟନ ଭଜି

ମହା ରସେ ବୁଡ଼ାଇ ଯେ ମହୁ ମାଂସ ଭୋଜୀ  ।୨୧୯।

ଅମାର୍ଗ ମାର୍ଗ ଯାହାର ତ୍ରୈଲୋକ୍ୟ ୟେକ ଖଣ୍ଡ

ତୁହି ଗୋସାମଣୀ ମଣୁ ମନୁକୁ ଚାରି ଦଣ୍ଡ ।୨୨୦।

ଚଞ୍ଚଳା ଚର୍ଚ୍ଚିକା ମେଖଳା ଯେ ମହାଖଳା

ପ୍ରସନ୍ନେ ଅଭୟ ବର ଦେଉ ଗୋ ସର୍ବ ମଙ୍ଗଳା ।୨୨୧।

 

ୟେ କଳି କାଳ ପାତକ ତୁହି ପାରୁ ଖଣ୍ଡି

ଶୂଦ୍ରମୁନି ସାରୋଳାଦାସକୁ ପ୍ରସନ୍ନ ହୋଇବା

ସିଦ୍ଧ ସାରୋଳାଚଣ୍ଡୀ ।୨୨୨।

ୟେସନେକ ସ୍ତୁତି ଯହୁଂ କଲେକ ପାଞ୍ଚାଳୀ

ସଦୟେ ପ୍ରସନ୍ନ ହୋଇଲେ ଭଦ୍ରକାଳୀ ।୨୨୩।

ଧର୍ମ ଉଦିତ ଯେ ହୋଇଲା ପାଞ୍ଚାଳୀକି

ଆଗେ ଦୃଶ୍ୟ ହୋଇଲା ଶଙ୍ଖଚିଲ ଭଦଳିଆ ପକ୍ଷୀ ।୨୨୪।

 

ବାମ ନୟନ ଦେବୀର ଯେ ଘନ ଘନ ଫୁରି

ଶୁଭ ଶକୁନ୍ୟ ଯେ ଦେଖାଇଲେ ଶାକେମ୍ବରୀ ।୨୨୫।

ୟେମନ୍ତର ସମୟେ ଯେ ସ୍ୱାମୀ ବଳରାମ

କଥାୟେ ପୁଚ୍ଛା କରିବା ଶୁଣ ହେ ପୁରୁଷୋତ୍ତମ ।୨୨୬।

ଅସମ୍ଭବ ଲାଖ ଯେ କଲାକ ଦ୍ରୋପଦ

ଲାଖ ବିନ୍ଧି ନପାରିଲେ ରାଜାଗଣ ବୃନ୍ଦ ।୨୨୭।

 

ନାରାୟଣ ବୋଇଲେ ଶୁଣିମା ବଳଦେବ

ତୁମ୍ଭେ ଯେ ବୋଇଲ କର୍ଣ୍ଣ ମହାଲାଖ ବିନ୍ଧିବ ।୨୨୮।

ବଳରାମେ ବୋଇଲେ ସେ ଅଟେ ଦୃଷ୍ଟି ଭେଦୀ

ତେଣୁ ବିଚାରିଲୁ ଅବା କର୍ଣ୍ଣ ପାରେ ଲାଖ ବିନ୍ଧି ।୨୨୯।

ୟେ ଲାଖ ବିନ୍ଧିବାକୁ ହରି କେ ଅଛି ସାମରଥ

ୟେହା ସଞ୍ଚପି ମୋତେ କହସି ବାରତ ।୨୩୦।

 

ଯହୁଂ କଷ୍ଠୋରେଣ ପଚାରିଲେ ସଂକ୍ରିଷେଣ

ବଳରାମଙ୍କ ଅଗ୍ରତେ କହନ୍ତି ନାରାୟଣ ।୨୩୧।

ସାବଧାନେ ଶୁଣ ଦେବ ବଦୟନ୍ତି ଶ୍ରୀବଚ୍ଛି

ତିନି ଭୁବନେ ବିନ୍ଧନ୍ତା ଦେବ ତିନି ଜଣ ଅଛି ।୨୩୨।

ବଳରାମ ବୋଇଲେ ଶୁଣ ଜଗନ୍ନାଥ

ସରୂପ କହ କିନା କେ ବିନ୍ଧିବ ମହାଲାଖ ।୨୩୩।

 

ଜଗନ୍ନାଥେ ବୋଇଲେ ଆକାଶେ ବିନ୍ଧି ପାରଇ ସୁରପତି

ପାତାଳେ ବିନ୍ଧି ପାରଇ ବାସୁକି ଯୁଗତି ।୨୩୪।

ମଞ୍ଚେ ବିନ୍ଧି ପାରଇ ବୀର ଫାଲଗୁନି

ତୈଲୋକ୍ୟର ମଧ୍ୟେ ସର୍ବେ ଅଛନ୍ତି ଜଣ ତିନି ।୨୩୫।

ହଳୀ ବୋଇଲେ ଇନ୍ଦ୍ରଦେବତା ଲାଖ ବିନ୍ଧି ପାରଇ ଯେବେ

ଅମର ପୁରେ ତେଜି କିମ୍ପା ନଇଲା ବାସବେ ।୨୩୬।

 

ଜଗନ୍ନାଥେ ବୋଇଲେ ଶୁଣ ଦେବ ହଳପତି

ପୁରନ୍ଦରକୁ ଅଯୋଗ୍ୟ ଅଟଇ ଦ୍ରୋପତୀ ।୨୩୭।

ବଇବସୁତ ମନୁ ପୁଚ୍ଛା କଲେ ଅଗସ୍ତିଙ୍କି

ପ୍ରତକ୍ଷେ ପାଞ୍ଚାଳୀ ଅନଳୁଂ ଜାତ ଟିକି ।୨୩୮।

ୟେ କଥା କହିଲେ ଜଗନ୍ନାଥେ ବଳଦେବଙ୍କ ଆଗେ

ଇନ୍ଦ୍ର ଦେବତାଙ୍କୁ ଯିଘ୍ନସେନୀ ହୋଇଲା ଅଯୋଗ୍ୟେ ।୨୩୯।

 

ପ୍ରତକ୍ଷେ ଦ୍ରୋପଦ ରାଜା ବ୍ରାହ୍ମଣ ନୃପତି

ମହାଯାଗ ଭେଦି କନ୍ୟା ଅନଳୁଂ ଉତପତ୍ତି ।୨୪୦।

ଅଗସ୍ତି ବୋଇଲେ ଶୁଣ ବଇବସୁତ ମନୁ

ମିଥ୍ୟା ବଚନ ନୁଆସଇ ନାରାୟଣଙ୍କର ବଦନୁଂ ।୨୪୧।

ଅର୍ଜୁନର ଭାରିଯା ସେ ହୋଇବ ଯୁଗତେ

ଇନ୍ଦ୍ର ଦେବତାଙ୍କର କୁଳ ବଧୂ ସେ ଅଟଇ ତେମନ୍ତେ ।୨୪୨।

 

ବଳରାମଙ୍କୁ ବଞ୍ଚାଇଣ କହିଲେ ଦାମୋଦର

ଇନ୍ଦ୍ରକଇ ଅଯୋଗ୍ୟ ବୋଲି ବୋଇଲେ ନୀଳାମ୍ବରେଙ୍କ

ଆଗର ।୨୪୩।

ଶ୍ରୀବଳରାମେ ତାହା ନୁଆରିଲେ ଜାଣି

ଅଯୋଗ୍ୟ ହୋଇଲାରୁ ତ ନୁଆସିବ ବଜ୍ରପାଣି ।୨୪୪।

ତୁ ଯେବେ ଲାଖ ବିନ୍ଧି ପାରିବୁ ବନମାଳୀ

ଦ୍ୱାରିକାକୁ ଅବିଷେକୀ ୟେ ତ ଯୋଗାଇ ପାଞ୍ଚାଳୀ ।୨୪୫।

ପ୍ରତକ୍ଷେ ଉତପତ୍ତି ଅଦାରା ଅଯୋନି

ମହାଯାଗୁଂ ଜାତ କଲେ ବ୍ୟାସ ମହାମୁନି ।୨୪୬।

 

ନୀଳମ୍ବରଙ୍କ ଅଗ୍ରତେ ବଦୟନ୍ତି ଜଗନ୍ନାଥେ

ମୁହିଂ କାହିଂ ବିନ୍ଧିବ ମୋତେ ଦ୍ରୋପତୀ ଅପ୍ରାପତେ ।୨୪୭।

ମନ ଭେଦୀ ନାରାଜ ତ ମୋହୋର ତହିଂ ନାହିଂ

ତେଣୁ ସେ ଅପ୍ରାପତ ଶୁଣ ହଳସାଇଂ ୨୪୮।

ବଳରାମ ବୋଇଲେ ଶୁଣ ମଧୁହାରୀ

ଇନ୍ଦ୍ରକୁ ଅଯୋଗ୍ୟ ତୋତେ ଅପ୍ରାପତ କୁମାରୀ ୨୪୯।

 

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ

ଜଦୁର ଘରେ ଦହନ ହେଲେ ପଞ୍ଚୁ ଯେ ପାଣ୍ଡବ ।୨୫୦।

ଆବର ୟେଥେଂ କିମ୍ପା ଥିବାକ ଦୁଖ ପଡ଼ି

ସଞ୍ଚୟେ ଦ୍ରୋପତୀ ହୋଇଲା ଅବେହାଡ଼ୀ ।୨୫୧।

ଉଠ ବାବୁ ବାସୁଦେବ ଦ୍ୱାରକାକୁ ଯିବା

ଖରା କାକର କୁହୁଡ଼ି ଶୀତରେ କିମ୍ପାଇଂ ପଡିଥିବା ।୨୫୨।

 

ଶ୍ରୀଜଗନ୍ନାଥ ବୋଇଲେ ସ୍ୱାମୀ ରହିବା ଆଜକ

କାଲି ଅବଶ୍ୟ ଦେବ ବିନ୍ଧିବ ଜଣେ ଲାଖ ।୨୫୩।

ବଳରାମ ବୋଇଲେ ମୋତେ କହୁକି ନା କହ୍ନାଇ

ଆପଣେ ବିନ୍ଧିବୁ ଯେବେ ଆବର କିମ୍ପା ଆମ୍ଭନ୍ତ ଲୁଚାଇ ।୨୫୪।

କରପତ୍ର ଯୋଡ଼ିଣ ବୋଲନ୍ତି ଜନାର୍ଦ୍ଦନ

କାଲି ପ୍ରଭାତେ ବିନ୍ଧିବ ଲାଖ ଅରଜୁନ ।୨୫୫।

 

ନାରାୟଣଙ୍କ ବଦନୁ ୟେସନକ ବଚନ ଶୁଣି

ଆତ୍ମା ଉଚ୍ଛର୍ଗିଲା ପ୍ରାୟେ ବିରସ ଦେବ ହଳପାଣି ।୨୫୬।

ଜଦୁର ଘରେ ପାଣ୍ଡବେ ହୋଇଲେ ଦହନ

ଦିବସେ କୃଷ୍ଣ ତୁହିକି ଦେଖିଲୁ ସ୍ୱପନ ।୨୫୭।

ଆମ୍ଭେ ସମସ୍ତେ ପାଣି ଦରଶନେ ଗଲୁ

ପାଣ୍ଡବେ ଦହନ ହୋଉ ଅଛନ୍ତି ପ୍ରତକ୍ଷେ ଦେଖିଲୁ ।୨୫୮।

 

ପଞ୍ଚୁ ପାଣ୍ଡବେ କୋଇନ୍ତା ବ୍ରାହ୍ମଣ ପୁରଞ୍ଚନ

ଦହନ ହୋଇଲାଠାରେ ଯେ ଦେଖିଲୁ ବର୍ଣ୍ଣ ଚିହ୍ନ ।୨୫୯।

ଅଗୋଚର କଥା ବାବୁ କହିଲୁ ବାସୁଦେବ

ଆବର ବ୍ରତି କାହିଂ ଅଛନ୍ତି ପାଣ୍ଡବ।୨୬୦।

ନାରାୟଣ ବୋଇଲେ ସ୍ୱାମୀ ଶୁଣିମା ହଳହସ୍ତେ

ପାଣ୍ଡବେ ଉତପତ୍ତି ଭାରାଭର ନିବାରିବା ଅର୍ଥେ ।୨୬୧।

 

ଦେବ କୁଳେ ଅଛନ୍ତି ଦେବ ସୁରପତି

ଋଷିକୁଳେ ଅଛନ୍ତି ବ୍ୟାସ ମହାଯତି ।୨୬୨।

ରାଜାକୁଳେ ସପକ୍ଷ ଅଛନ୍ତି ବିଦୁର

ମନ୍ତ୍ରୀ ଚୂଡ଼ାମଣି ସହଦେବ ସଙ୍ଗତର ।୨୬୩।

ୟେହାଙ୍କର ଥାନ୍ତେ ପାଣ୍ଡବଙ୍କର ନାହିଂ ମୃତୁ

ମତ୍ତ ଭୋଳନାଥ ନ ଜାଣ ତୁମ୍ଭେ ତତ୍ତୁ ।୨୬୪।

 

ସଞ୍ଚୟେ ଯେବେ ପାଣ୍ଡବଙ୍କର ହୋଅନ୍ତା ନା ମୃତୁ

ମୋତେ କାମପାଳ ସ୍ୱାମୀ କାହିଂ ତୁ ଦେଖନ୍ତୁ ।୨୬୫।

ପାଣ୍ଡବଙ୍କର ମୃତୁ ପିଣ୍ଡକୁ ମୁହିଂ ଅଟଇ ସମିଧ

ଛଡ ଜଣ ଆମ୍ଭେ ଉତପତ୍ତି ହୋଇଛୁ ୟେ ଭୁବନର ମଧ୍ୟ।୨୬୬।

ଜଗନ୍ନାଥଙ୍କର ତହୁଂ ଶୁଣି ନିଷ୍ଠୁର ବାଣୀ

ବଳରାମ ବିସରିଲେ ନାରାୟଣ ବଚନ ଶୁଣି ।୨୬୭।

 

ମୁଂ ତୋର ସୋଦର ହରି ମୋତେ ତୋର ମାୟା

ଆମ୍ଭନ୍ତ ଲୁଚାଇ ପାଣ୍ଡବଙ୍କୁ ତୋହୋର ୟେଡ଼େ ଦୟା ।୨୬୮।

ପାଣି ଦର୍ଶନେ ଯେ ମୋତେ ଘେନିଗଲୁ

ମୃତୁପିଣ୍ଡ ଦେଖି ଯେ ମୃଚ୍ଛାଗତ ହୋଇଲୁ ।୨୬୯।

ଅନେକ ବାଗେ ତୋତେ ମୁହିଂ କଲି ସମାର୍ଜନ

ଭୂମିରେ ଲୋଟି ଯେ କରୁଥିଲୁ ତୁ ରୋଦନ ।୨୭୦।

 

ୟେଡ଼େ କଥା ହରି କାହିଂକି ତୋର ଗଲା

କାଳେ ଆସି ପୁଣ ବାବୁ ୟେମନ୍ତ ହୋଇଲା ।୨୭୧।

ମୋତେ ହରି ହିଆରେ ତୋହୋର ୟେଡ଼େ କଇତବ କଥା

ତୋହୋର ସଙ୍ଗରେ ହରି ନଥାଇ ସର୍ବଥା ।୨୭୨।

ୟେତେ ବୋଲି ବଳରାମେ ରାଗେ ଉଠିଗଲେ

ମୁହଂ ତୋର ନ ଚାହିଂବି ବୋଲିଣ ବୋଇଲେ ।୨୭୩।

 

କାଦମ୍ବରୀ ପାନେ ଭୋଳ ଯାହାର ମତି

ଥୋକାୟେ ଦୂର ଯାଇ ଭାଳନ୍ତି ଶାନ୍ତି ମୃତି ।୨୭୪।

ଆମ୍ଭେ ଯେବେ ୟେଥୁ ରାଗେ ଯିବା ଆଜ

ପାଣ୍ଡବଙ୍କୁ ଅଭାବ ବୋଲି ବୋଲିବେ ଦେବରାଜ ।୨୭୫।

ଥୋକାୟେ ଦୂରୁଂ ବାହୁଡ଼ିଲେ ଦେବ ବଳେବର

ପୁଣିହିଂ ଆସି ବସିଲେ ଜଗନ୍ନାଥଙ୍କର କତିର ।୨୭୬।

 

ପରମ କଲ୍ୟାଣ ବାବୁ ହୁଅସି ଶ୍ରୀପତି

ସତେହେଂ କି ପାଣ୍ଡବେ ଅଛନ୍ତି ନା ବ୍ରତି ।୨୭୭।

ପାଣ୍ଡବେ କୁଶଳେ ଯେବେ ଅଛନ୍ତି ପାଞ୍ଚଭାଇ

ଜଦୁର ଘରେ ଆନ କେ କେ ହୋଇଲେ ଯେ ଦହି ।୨୭୮।

ଗୋବିନ୍ଦେ ବୋଇଲେ ସ୍ୱାମୀ ଶୁଣିମା ନୀଳାମ୍ବର

ପାଣ୍ଡବନ୍ତ ମାରିବା ନିମନ୍ତେ ଭିଆଇଲେ ଜଦୁର ଘର ।୨୭୯।

 

କକଡ଼ା ମାସ ଶୁକ୍ଳ ପକ୍ଷ ପଞ୍ଚମୀ ଭୂମିବାର

ମହା ବରଷଣ କଲାକ ଦେବ ଅତିଘୋର ।୨୮୦।

ଅଜର ନାମେଣ ଦେବ ଯେ ୟେକଇ କିରାତ

କଉଶିକ ବନେ ଗୃହ ବାସ ତାର ସ୍ଥିତ ।୨୮୧।

ସେ କିରାତ ନାଶ ଗଲା ବଜ୍ରର ବିଘାତେ

କିରାତୁଣୀ ପଳାଇଲା ତୁଲେ ଘେନି ପଞ୍ଚ ଗୋଟି ପୁତ୍ରେ ।୨୮୨।

 

ଜଦୁର ଘରେ ଯାଇ ଆଉଜିଲେ ନିଶା ରାତି

ଜୟନ୍ତା ନାମ ଶୁଣି କୋଇନ୍ତାୟେ କଲେକ ପୀରତି ।୨୮୩।

ପଞ୍ଚ ଗୋଟି ପୁତ୍ର ଘେନି ରହିଲା ଜଦୁର ଘରେ

ପୁରଞ୍ଚନ ପଣ୍ଡା ଥିଲା ତାହାଙ୍କର ସଙ୍ଗରେ ।୨୮୪।

ସେହି ରାତି ପଞ୍ଚୁପାଣ୍ଡବେ ବାହାର ହୋଇଗଲେ

ଭୀମସେନ ପୁର ଦହିଲା ସମସ୍ତେହେଂ ନାଶ ଗଲେ ।୨୮୫।

 

ତହୁଂଣ ସୁରନଦୀ ପାର ହୁଅନ୍ତେ ପଞ୍ଚୁବୀରେ

କୁମ୍ଭୀର ଦତ୍ୟ ମାଇଲା ଭୀମସେନ ଜଳର ଭିତରେ ।୨୮୬।

ଶବରୁଣୀ ପଞ୍ଚପୁତ୍ରେ ପୁରଞ୍ଚନ ପଣ୍ଡା ଲାଇ

ୟେ ସାତେହେଂ ଜଦୁର ଘରେ ହୋଇଲେକ ଦହି ।୨୮୭।

ପୂର୍ବର ଦୋଷେ ତାଙ୍କୁ ପଡ଼ିଲା ପ୍ରମାଦ

ପାଣ୍ଡବେ ମଲେ ବୋଲି ଶୁଭିଲା ଶବଦ ।୨୮୮।

 

ବିଦୁର ବୁଦ୍ଧିରେ ପାଣ୍ଡବେ ଗଲେ ବିମ୍ବରେ ଗଳି

ସୁର ନଦୀରେ ନାବ ଚଢି ହୋଇଲେକ ପାରି ।୨୮୯।

କୁମ୍ଭୀରି ଦଇତକୁ ଭୀମ ମାଇଲା ସୁରନଦୀ ଭିତରେ

କୋଇନ୍ତା ଆଦି କରି ତହୁଂ ଚଳିଗଲେ ଖରେ ।୨୯୦।

କିନ୍ନରି ଦଇତକୁ ମାଇଲା ମଧୁବନେ

ହିଡ଼ିମ୍ବକ ବଧ୍ୟ କଲା ହିଡ଼ିମ୍ବକ ବନେ ।୨୯୧।

 

ହିଡ଼ିମ୍ବିକୀକି ବିଭା ହୋଇଲେ ଭୀମସେନ

ତାହାର ହୋଇଲା ଘଟଉତ୍‌କଚ ନନ୍ଦନ ।୨୯୨।

ଓଡ଼ାଦି ଶିବପୁରେ ୟେକ ଚକ୍ରାନଗ୍ର କଲେ

ଚାଣ୍ଡାଳ ବଳ ମାରି ବିଷ୍ଣୁକରକୁ ରାଜ୍ୟ ଦିଲେ  ୨୯୩।

ୟେକଚକ୍ରା ନଗ୍ରେ ମାଇଲା ବକ ରାକ୍ଷାସ

ଅଙ୍ଗାରପନଙ୍ଗ ଯୁଦ୍ଧରେ ଜିଣିଲେ ବିବତ୍ସ ।୨୯୪।

 

ଗୋବିନ୍ଦେ ବୋଇଲେ ସ୍ୱାମୀ ଶୁଣିମା ବଳେବର

ୟେ ବ୍ରାହ୍ମଣ ସଭାରେ ଅଛନ୍ତି ଯୁଝେଷ୍ଠି ଠାକୁର ।୨୯୫।

ନାରାୟଣ ବଚନେ ଯେ କହନ୍ତି ସଂକ୍ରଷେଣ

କୁଶଳେ ବ୍ରତିଥାନ୍ତୁ ଯୁଝେଷ୍ଠି ନକୁଳ ସହଦେବ ଅର୍ଜୁନ ।୨୯୬।

ୟେକା ମରନ୍ତା ଯେବେ ଭୀମା ବଡ଼ ମନ୍ଦ

ଆମ୍ଭର ତୁଲେ ସେ କରି ଲୋଡ଼େ ଦ୍ୱନ୍ଦ ।୨୯୭।

 

ଆମ୍ଭଙ୍କୁ ଦେଖିଲେ ସେ ନ ଉଠଇ ବସଇ ପିଠି କରି

ତାହାକୁ ମାତ୍ର ମୋର ହୃଦେକି ଅଟଇ ମୁରାରି ।୨୯୮।

ଗୋବିନ୍ଦେ ବୋଇଲେ ସ୍ୱାମୀ ଯେବେ ଭୀମା ନାଶ ଯିବ

ପୃଥିବୀର ଭାରା ଆନେ କେ ଉଶ୍ୱାସ କରିବ ।୨୯୯।

ୟେମାନେ ଯେ ବସିଛନ୍ତି ମହା ମହା ବୀର

ସ୍ୱାମୀ ପୃଥୀ ନସହଇ ୟେହାଙ୍କର ଭାର ।୩୦୦।

 

ବଳରାମ ବିସରିଲେ ଜଗନ୍ନାଥଙ୍କ ବଚନେ

ଧୃତିରାଷ୍ଟର ପୋୟେ ଆବର ବ୍ରତିବେ କେସନେ ।୩୦୧।

ପାଣ୍ଡବଙ୍କୁ ଯେବେ ତୋହୋର ୟେଡ଼େକ ସଦୟେ

ନିଶ୍ଚୟେ ନାଶ ଗଲେ ଗାନ୍ଧାରୀ ଶତେ ପୋୟେ ।୩୦୨।

ଶ୍ରୀବଳରାମେ ପଚାରିଲେ ଶୁଣ ହୋ ଗୋବିନ୍ଦି

ଅର୍ଜୁନ କିମ୍ପା ୟେବେ ନୁଆସଇ ଲାଖ ବିନ୍ଧି ।୩୦୩।

 

କାମପାଳ ସ୍ୱାମୀଙ୍କି ନାରାୟଣ ବୁଝାଇ

ଅର୍ଜୁନ କାହୁଂ ଆସିବ ଯୁଧୁଷ୍ଠିରଙ୍କ ଆଗ୍ୟାଂ ନାହିଂ ।୩୦୪।

କିମ୍ପାଇ ଆଗ୍ୟାଂ ତାକୁ ନଦିଅନ୍ତି ଧର୍ମସୁତ

ଦେଖିବା କୁତୋହୋଳ ଲାଖ ବିନ୍ଧୁ ପାଥ ।୩୦୫।

ଗୋବିନ୍ଦ ବୋଇଲେ ତାହୁଂ ଆଗ୍ୟାଂ ସେ ଦେବେ

ଯୁଝେଷ୍ଠି ଠାକୁର

ରାଜାୟେ ଲାଖ ବିନ୍ଧ ବୋଲି ବୋଇଲେ ଦ୍ରୁପଦେଶ୍ୱର ।୩୦୬।

 

ସେ ୟେତେବେଳକୁ ନୋହୋନ୍ତି ଅବିଷେକୀ

ସେ ଘେନି ଯୁଝେଷ୍ଠି ଅର୍ଜୁନକୁ ନଦିଅନ୍ତି ବାକି ।୩୦୭।

ଯେତେବେଳେ ଦ୍ରୋପଦ ବୋଲିବ ଆସନି ବ୍ରାହ୍ମଣ

ଚାଣ୍ଡାଳ ଆଦି ଯେ ବ୍ରତି

ଯେ ଲାଖ ବିନ୍ଧିବ ତାକୁ ଦେବି ଦ୍ରୋପତୀ ଦୁହିତୀ ।୩୦୮।

ତେତେବେଳେ ଆଗ୍ୟାଂ ଦେବେ ଯୁଝେଷ୍ଠି

ନିମିଷକେ ଲାଖ ବିନ୍ଧିବ କିରୀଟୀ  ।୩୦୯।

 

ୟେସନେକ ବିଚାରନ୍ତେ ରାମ କୃଷ୍ଣ ବେନି

ଧର୍ମ ଦେବତାଙ୍କୁ ସୁମରନ୍ତି ଯିଘ୍ନସେନୀ ।୩୧୦।

ସଭାର ମଧ୍ୟେ ବିଜୟେ କଲେ ଦ୍ରୁପଦ ନୃପତ୍ୟେ

ବୋଇଲେ ଗୋସାଇଂ ରାଜା ମାନେ ଲାଖ ବିନ୍ଧିବ ନା

ଯୁଗତେ ।୩୧୧।

ରାଜାମାନେ ଯେବେ ନପାରିବେ ବିନ୍ଧି

ପାତ୍ର ଅମନାତ୍ୟସାମନ୍ତ ଯେତେ ଯୋଧୀ ।୩୧୨।

 

ଯେ ଲାଖ ବିନ୍ଧିବ ଦେବଇ କୁଂମାରୀ

ୟେ ମୋର ବଚନ ସତ୍ୟ ସତ୍ୟ ନିରାଧାରି ।୩୧୩।

ଦଇତ ଦାନବ ପିଚାଶ ରାକ୍ଷାସ ସହିତେ

ଦେବଇଂ ପାଞ୍ଚାଳୀ ୟେ ମୋହୋର ସତ୍ୟେ ସତ୍ୟ ।୩୧୪।

ସମସ୍ତେ ତୁଷ୍ଟ ହୋଇଲେ ତାହା ଶୁଣି

କଟାଳି ଦ୍ରୁପଦ ବୋଲଇ ପୁଣ ପୁଣି ।୩୧୫।

 

ଆଦିହୁଂ ଆସନି ଚାଣ୍ଡାଳ ବ୍ରାହ୍ମଣ ଆଦି କରି

ଯେ ଲାଖ ବିନ୍ଧିବ ଦେବି ଦୁହିତା ମୋହୋରି ।୩୧୬।

ଦ୍ରୁପଦ ବୋଲଇ ଯହୁଂ ନିରାଧାର ବଚନ

ଯୁଝେଷ୍ଠି ଦେବେ ଚାହିଂଲେ ଅର୍ଜୁନ ବଦନ ।୩୧୭।

ସ୍ୱାମୀଙ୍କ ଅନୁମତ ଦେଖିଣ ଫାଲଗୁନି

ଧାତିକାରେ ଉଠିଲା ସ୍ୱାମୀଙ୍କ ଦିବ୍ୟ ଆଗ୍ୟାଂ ଘେନି ।୩୧୮।

 

ଅର୍ଜୁନ ଉଠନ୍ତେ ସଭାର ଦ୍ୱିଜମାନେ

ସମସ୍ତ ବ୍ରାହ୍ମଣେ ଆସି ଧଇଲେ ଫାଲଗୁନେ ।୩୧୯।

ଆହେ ପଣ୍ଡାୟେ ତୁମ୍ଭେ ଉଠିଲ କାହିଂକି

ଲୋଭ କଲକି ସୁନ୍ଦର କନ୍ୟାଦେଖି ।୩୨୦।

ମହା ମହା ରାଜାମାନେ ପାଉଛନ୍ତି ଲାଜ

ତୋହୋ ସାଦ୍ରିଶେ ବାବୁରେ ନାହିଂନା ନିଲ୍ଲଜ ।୩୨୧।

 

ବ୍ରାହ୍ମଣ ବିଶେଷେ ଆମ୍ଭର ଅଟଇ କୁଶ କାଇଂଶ

ରାଜକୁମାରୀକି ତୋର କିପାଇଂ ମୁହାଂଶ ।୩୨୨।

ଲାଖ ବିନ୍ଧି ନପାରିବୁ ପଳାଇବୁ ଝାତି

ବ୍ରାହ୍ମଣକୁ ମାର ବୋଇଲେ ଯେ ମାରିବେ ସବୁନ୍ତି ।୩୨୩।

ଅନେକ ଦୂରୁଂ ଯେ ଅଇଲୁ କରିଅଛୁ ଆଶା

ଜୀବନ ଯାକ ଆମ୍ଭର ଦାନରେ ଭରସା ।୩୨୪।

 

ବ୍ରାହ୍ମଣ କୁଳକୁ କଣ୍ଟକ ହୋଇଲୁରେ ବାବୁ

ଦାନ ହିଂ ନପାଇବୁ ଆବର ପ୍ରାଣେ ନାଶ ଯିବୁ ।୩୨୫।

ଦଦରା ଛତା ଚୀରା ପାଣ୍ଢୋଇ ଆବର ହରିଗୋବିନ୍ଦ ମୁଣି

ତିନିକି ପକାଇତୁ ଯେ ଉଠିଲୁ ଶିର ଝୁଣି ।୩୨୬।

ସମସ୍ତ ବ୍ରାହ୍ମଣମାନେ ଅର୍ଜୁନକୁ ଧରି ବସାଇଲେ

ୟେମନ୍ତ ଚରିତ୍ରମାନ ଦ୍ରୁପଦ ଦେଖିଲେ ।୩୨୭।

 

ବ୍ରାହ୍ମଣ ଗୋଟିୟେ ଯେ ଉଠି ଆସୁଥିଲେ

ସମସ୍ତ ବ୍ରାହ୍ମଣ ହୋଇ ତାହାକୁ ନିରୋଧିଲେ ।୩୨୮।

ଧୃଷ୍ଟଦୃମନକୁ ରାଇଣ ବୋଇଲେ ଦ୍ରୁପତେ

ଆଦି ଛତ୍ରୀ ବିପ୍ରେ ଯେ ଅଟନ୍ତିନା ଯୁଗତେ ।୩୨୯।

ବ୍ରାହ୍ମଣ କୁଳେ ପ୍ରଶୁରାମେ ଉତପତ୍ତି

ସେହି ସେ ୟେକୋଇଶ ବାର ନିଛତ୍ରୀ କଲା ପୃଥୀ ।୩୩୦।

 

କେବଣ ମହାତ୍ମା ଅବା ସେଅଛି ଗୁପତେ

ବ୍ରାହ୍ମଣ ସଭାକୁ ଚାହିଂ ବୋଲଇ ଦ୍ରୋପଦ ନୃପତ୍ୟେ ।୩୩୧।

ଗୋସାଇଂ ଯାହାର ଗୁଣ ବିଦ୍ୟା ଅଛଇ ଶରୀରେ

ଲାଖ ବିନ୍ଧିବା ହୋଉ ଦ୍ରୋପତୀକି ଦେବଇଂ ତାହାରେ ।୩୩୨।

ପୁଣ ଯୁଝେଷ୍ଠି ଚାହିଂଲେ ଅର୍ଜୁନର ମୁଖ

ବାହା ନାଦ କରି ସେ ସଭାରୁ ଉଠିଲା ବିବଚ୍ଛ ।୩୩୩।

 

ପୁଣ ବେଢିଲେ ଆସି ବ୍ରାହ୍ମଣ ଗଣମାନେ

ବଡ଼ାଇ ନିଲ୍ଲଜ ପ୍ରକୃତି ତୁରେ ବହିଲୁ କେସନେ ।୩୩୪।

ବ୍ରାହ୍ମଣ ହୋଇ ତୋର କିମ୍ପେ ୟେଡ଼େକ ଭରସା

ଇନ୍ଦ୍ର ପଦେ ବସିବାକୁ ବଳାଉ ମନସା ।୩୩୫।

ଆମ୍ଭେ ବ୍ରାହ୍ମଣ ଅଟୁ ଭିକ୍ଷାବାସୀ

ରାଜକୁମାରୀ ହୋ ଆମ୍ଭର ନୁଆସି ।୩୩୬।

 

ଅର୍ଜୁନର ହସ୍ତ ଧରି ବ୍ରାହ୍ମଣ ଗଣମାନେ

ପଚାରନ୍ତିବାରତା ଯୁଝେଷ୍ଠିଙ୍କ ସନ୍ନିଧାନେ ।୩୩୭।

ଆହୋ ପଣ୍ଡାୟେ ୟେ ତୁମ୍ଭର କିସ ଯେ ହୁଅନ୍ତି

ଯୁଝେଷ୍ଠି ବୋଇଲେ ଆମ୍ଭରକନିଷ୍ଠ ଭ୍ରାଥ ସେଟି ।୩୩୮।

ୟେ ଯେବେ ପଣ୍ଡାୟେ ଭ୍ରାଥ ଅଟନ୍ତି ତୁମ୍ଭର

ୟେଡ଼େଦୁଷ୍ଟକୁ କିମ୍ପେ ରଖିଛ ସାଙ୍ଗର ।୩୩୯।

 

ଅନେକ ଦୂରୁଂ ଯେ ଅଇଲୁ ଦାନ ଆଶେ

ୟେହାର ପ୍ରମାଦେ ସମସ୍ତେ ଯିବେ ନାଶେ ।୩୪୦।

ଯୁଝେଷ୍ଠି ଦେବେ ବୋଇଲେ ରହ ରହ ଦ୍ୱିଜବରେ

ଲାଖ ବିନ୍ଧିଲା ଲୋକହିଂ ସେ ଲାଜ ପାଇବନା ସଭାରେ ।୩୪୧।

ଯେ ଲାଖ ବିନ୍ଧି ନ ଗଲା ନ ପାଇଲା କିଛି ଲାଜ

ତୁମ୍ଭେ କିମ୍ପେ ବ୍ରାହ୍ମଣେ ନିରୋଧ କର ଆଜ ।୩୪୨।

 

ଯାହା ଶରୀରେ ଅଛି ଗୁଣ ବିଦ୍ୟା

ସାଧନ ନଥିଲେ ସେ କି ଯାଇ ପାରଇ ସିଧା ।୩୪୩।

ଯୁଝେଷ୍ଠି ଦେବ ଦେଖାଇଲେ ଭୀମସେନକୁ

ୟେ ପଣ୍ଡାୟେ କିମ୍ପେ ନଗଲେ ଲାଖ ବିନ୍ଧିବାକୁ ।୩୪୪।

ଅର୍ଜୁନର ହାଥେ ଧଇଲେ ଯୁଝେଷ୍ଠି

ଦେଖ ହୋ ବେନି ଭୁଜେ ଫଳି ଅଛି ଗୁଣ ଘୃଷ୍ଟି ।୩୪୫।

 

ଯାଅ ହେ ପଣ୍ଡାୟେ ସୁଖେ ଲାଖ ବିନ୍ଧ

ସଭିୟେ କଲ୍ୟାଣ କର ନକର ନିଷେଧ ।୩୪୬।

ସମସ୍ତ ବ୍ରାହ୍ମଣ ତହିଂ କଲ୍ୟାଣ ଧୁନି ଭାଷି

ଲାଖ ବିନ୍ଧ ତୋତେ ପ୍ରାପତ ହୋଉ ଶୁଭ୍ରକେଶୀ ।୩୪୭।

କଲ୍ୟାଣ କଲ୍ୟାଣ ବୋଲି ଶୁଭିଲାକ ଧୁନି

ଲାଖ ବିନ୍ଧ ପ୍ରାପତ ହୋଉ ଯିଘ୍ନସେନୀ ।୩୪୮।

 

ସୁମନେଣ ଆଗ୍ୟାଂ ଦିଲେକ ଯୁଝେଷ୍ଠି

ଶତ୍ରୁ ମାରି ଉଭା ହୁଅ ନଶୁ ତୋ ଅରଷ୍ଟି ।୩୪୯।

ସମାସ୍ୟା କରନ୍ତି ବାସୁଦେବ ବଳରାମଙ୍କୁ

ୟେଣେ ଚଛୁ ପଡ଼ି ଅଛି ବ୍ରାହ୍ମଣ ସଭାକୁ ।୩୫୦।

ଦେଖିଲେ ଅର୍ଜୁନର ବିକ୍ରମ ପାଦଗତି

ଆସ୍ତାନ ତେଜି ବାସୁଦେବ ଉଠିଲେକ ଝାତି ।୩୫୧।

ବଦନ୍ତି ନାରାୟଣ ଆଜ ନିସ୍ତରିଲି

ପ୍ରାଣର ସଖା ଅର୍ଜୁନକୁ ମୁଂ ନୟନେ ଦେଖିଲି ।୩୫୨।

 

ଯିସ ଅବା ଦୃଷ୍କୃତ ଶରୀରେ ମୋହୋର ଥିଲା

ତୋହୋର ମୁଖ ଚାହାନ୍ତେ ସର୍ବ କ୍ଷୟ ଗଲା ।୩୫୩।

ୟେମନ୍ତେ କୃତ୍ୟ ହୁଅନ୍ତେ ମଧୁରିପୁ

ଦେଖିଣ ବଳରାମେ ବିରସିଲେ ବପୁ ।୩୫୪।

ପାଦ ଗତି କରି ଚଳଇ ଫାଲଗୁନି

ଦେଖିଣ ସାନନ୍ଦ ହୋଇଲେ ବ୍ୟାସ ମହାମୁନି ।୩୫୫।

ବିଦୁରେ ବୋଇଲେ ନିସ୍ତରିଲି ନିସ୍ତରିଲି ଆଜ

ଦେଖିଲି ଅର୍ଜୁନକୁ ସୁଫଳ ମୋର କାର୍ଯ୍ୟ ।୩୫୬।

 

କର୍ଣ୍ଣର ମୁଖ ଚାହିଂ ବୋଲଇ ଧୁଶାସନ

ବ୍ରାହ୍ମଣ ଚରିତ ଭ୍ରାଥ ବୁଝିଲୁ କେସନ ।୩୫୭।

ହୁନ୍ଦର ଗୋଟାୟେକ କରି ଅଛନ୍ତି ବ୍ରାହ୍ମଣେ

ଉପହାସ ପାଇ ୟେଥୁଂ ଯାଆନ୍ତୁ ରାଜାଗଣମାନେ ।୩୫୮।

ଦୁର୍ଜୟେ ବୋଇଲା ହୋ ସମସ୍ତେ ଖଣ୍ଡା ଘେନ

ମାରିବା ସେହିଠାରେ ମରୁ ୟେବ୍ରାହ୍ମଣ ।୩୫୯।

ଦୁଷ୍ଟଇ ବ୍ରାହ୍ମଣ ଅନର୍ଯ୍ୟାପୀ ଯୋଗୀ

ମନ୍ଦବାଟୀ ସ୍ତିରୀ ତପୋଧନ ବଇରାଗୀ ।୩୬୦।

 

ହଟକର୍ମ ଶାହସ୍ରେ ହେ ୟେସନେକ ଅଛି

ୟେହାନ୍ତ ମାଇଲେ ପାତକ ନାହିଂ କିଛି ।୩୬୧।

ଦ୍ରିଯୋଧନ ବୋଇଲା ରେ ରହ ରହ ଧୁଶାସନ

ସେବ୍ରାହ୍ମଣ ଗୋଟିକି ନଧର ଆନମନ ।୩୬୨।

ଲାଖ ବିନ୍ଧୁ ୟେବେ ସେ ବ୍ରାହ୍ମଣ ଗୋଟି

ରାଜକନ୍ୟା କିସ କରିବ ଭିକ୍ଷାଶୀ ବ୍ରାହ୍ମଣ ସେଟି ।୩୬୩।

 

ଧନଗୁଡ଼ାୟେ ଆମ୍ଭେ ଯେ ୟେହାକଇଂ ଦେବା।

କନ୍ୟାଗୋଟି ଘେନି ଆମ୍ଭେ ହସ୍ତିନାକୁ ଯିବା ।୩୬୪।

ୟେସନେକ ଆଗ୍ୟାଂ ଯହୁଂ ଦିଲେ ମାନଗୋବିନ୍ଦ

ସମସ୍ତେ ବୋଇଲେ ହୋ ବ୍ରାହ୍ମଣ ଲାଖ ବିନ୍ଧ  ।୩୬୫।

ଭୀଷ୍ମେ ପଚାରିଲେ ଦ୍ରୋଣଙ୍କ ମୁଖ ଚାହିଂ

ଚିହ୍ନି ପାରିଲଟି କି ୟେ ବ୍ରାହ୍ମଣ ଗୋଟିକଇ ।୩୬୬।

 

ଦ୍ରୋଣେ ବୋଇଲେ ଆମ୍ଭେ ବରଯାତ୍ରୀମାନେ ଅଛୁ ବସି

ୟେତେବେଳେ ବର ଗୋଟି ମିଳିଲାକ ଆସି ।୩୬୭।

ମହାସାନନ୍ଦେ ଭୀଷ୍ମଙ୍କୁ କହିଲେ ଦ୍ରୋଣ ମହାରଥୀ

ନାଶ ଗଲେ ବୋଲି ବୋଇଲେ ଯେ ପାଣ୍ଡବେ ଛନ୍ତି ବ୍ରତି ।୩୬୮।

ଅର୍ଜୁନର ପ୍ରତଗ୍ୟାଂ ହୋ ୟେହି କ୍ଷଣି ଦେଖ

ସଭା ମଣ୍ଡିଲା ଯେ ବିନ୍ଧିବ ମହା ଲାଖ ।୩୬୯।

 

ଭୀଷ୍ମ ବୋଇଲେ ତ ବଡ଼ାଇ ଦୁଲ୍ଲଭ

ଜଦୁର ଘରେ ଦହନ ଦେଖିଲୁ ସଭାବ ।୩୭୦।

ଭସ୍ମଗଲା ଲୋକ ଅଙ୍କୁରିଲା କେମନ୍ତେ

କିମ୍ଭୂତ ମାୟା ଯେ ନଜାଣିଲୁ ତଥ୍ୟେ ।୩୭୧।

ଭୀଷ୍ମେ ବୋଇଲେ ହୋ ନୁଆରିଲୁ ଚିହ୍ନି

ସତେହେଂ ହୋଇବକି ପାଣ୍ଡବ ଫାଲଗୁନି ।୩୭୨।

 

ଭୀଷ୍ମେ ବୋଇଲେ ଦ୍ରୋଣେ ଥିର ହୋଇ ଥିବା

ଆବର ଘଡିକେ ସତ୍ୟ ତଦନ୍ତ ଜାଣିବା ।୩୭୩।

ଦ୍ରୋପଦ ରାଜା ବାଢିଅଛି ୟେ ଉପନ

ଧନୁ ଶହସ୍ର ଗଦା ମୁଦୁଗର ଧନ ମାନ ।୩୭୪।

ଦରିଦ୍ର ହୋଇଣ ଯେବେ ଆସଇ ଲାଖ ବିନ୍ଧିବାକୁ

ସେ ରହିଣ ଚାହିଂବ ଧନୁ କୁଢ ମାନଙ୍କୁ ।୩୭୫।

 

ବୀର ହୋଇ ଯେବେ ଲାଖ ବିନ୍ଧି ଆସିବ

କୋନ୍ତ ଗଦା ମୁଦୁଗର ଖଡ୍‌ଗ ଧନୁ ଆମଞ୍ଚିବ ।୩୭୬।

ଛତ୍ରୀ ହୋଇ ଯେବେ ଆସଇ ଲାଖ ବିନ୍ଧି

ଧନୁ ଧରି ଆମଞ୍ଚିବ ସେ ନିଚୟେ ବଡ଼ ଯୋଧୀ ।୩୭୭।

ଯେବଣ ଛତ୍ରୀ ଅଟଇ ଶ୍ରୀନାରାୟଣ ଭଗତ

ପୁରାଣ ପୁସ୍ତକ ଲୟେ କରି ସେ ବଖାଣିବ

ଲାଖ ବିନ୍ଧିବା ତଦନ୍ତ ।୩୭୮।

 

ୟେମନ୍ତ ସନ୍ତକମାନ ଥୋଇ ଦ୍ରୁପଦ ନୃପତ୍ୟେ

ଉପହାର ଗୋଟିୟେ ବୋଲି ବୋଲିବେ ଲୋକିତେ ।୩୭୯।

ଅର୍ଜୁନ ସେ ଠାବରେ ହୋଇଲେ ଯେ ପରବେଶ

ଧନକୁଢମାନ ନିନ୍ଦଇ ୟେଥେଂ ପିରୋଜନ କିସ ।୩୮୦।

ଧନକୁଢମାନ ଜିଣିଗଲା ପାଥ

ଧନୁ ଗୋଟି ଦେଖି ଧଇଲା ବାମ ହସ୍ତ ।୩୮୧।

 

ଆମଞ୍ଚନ କରି ବାହୁଡ଼ାଇଂ ଥୋଇ

ରାଜାୟେ ବୋଇଲେ ୟେ ତ ଭିକ୍ଷୁକ ନୋହଇ ।୩୮୨।

ୟେ ଯେବେ ନିଚୟେ ଭିକ୍ଷାବାସୀ ହୁଅନ୍ତା

ରତ୍ନ ଅଳଙ୍କାରମାନ ଶରୀରେ ଆଭରଣ କରନ୍ତା ।୩୮୩।

ଧନୁ ବାହୁଡ଼ାଇ ଥୋଇଲା ଫାଲଗୁନି

ପୁରାଣ ପୁସ୍ତକ ଘେନି ନିରୋପଇ ମନେ ମନେ ଗୁଣି ।୩୮୪।

 

ଦ୍ରୋପତୀ ବୋଇଲେ ସଖୀ ପାଇଲି ସନ୍ଦେଶ

ୟେତେବେଳେ ଶୁଭ ଶଙ୍କୁନ ହୋଇଲା ପରବେଶ ।୩୮୫।

କେଶିନୀ ମୁଦୁସୁଲୀକି ବୋଇଲେ ଦ୍ରୋପତୀ

ଆଗୋ ୟେତେବେଳେ ବର ଅଇଲା

ଆଉମାନେ ବରଯାତ୍ରୀ ।୩୮୬।

ସଖୀ ୟେହି ବ୍ରାହ୍ମଣ ଗୋଟି ହାଦେ ଲାଖ ବିନ୍ଧିବ

ୟେହି ସେ ନିଚୟେ ଅଟଇ ମୋହୋର ବଲ୍ଲଭ ।୩୮୭।

 

କେଶିନୀ ବୋଇଲା ଗୋ ଯେହ୍ନେ ତୋର କର୍ମ

କେହେନ୍ନେ ପାପ ଲକ୍ଷେଣ ଗୋ ହୋଇଲୁ ତୁ ଜନ୍ମ ।୩୮୮।

ୟେ ଲକ୍ଷେ ରାଜା ଯେ ମୃଧୁନା ଅବିଷେକୀ

ଇଚ୍ଛା ନ ବଳିଲା ତୋର ୟେମାନନ୍ତ ଦେଖି ।୩୮୯।

ଭିକ୍ଷାଶୀ ବ୍ରାହ୍ମଣର ହୋଇବୁ ମନୋହାରୀ

ରାଜାନ୍ତ ଛାଡ଼ି ୟେହାର ହୋଇବୁ ଯେ ନାରୀ ।୩୯୦।

 

ଦ୍ରୋପତୀ ବୋଇଲେ ଗୋ ଶୁଣ ମୁଦୁସୁଲୀ

ଯେତେବେଳୁଂ ୟେହାର ମୁଂ ବଦନ ଦେଖିଲି ।୩୯୧।

ପଞ୍ଚୁଶର ଘେନିକି ସତେ ବିଜୟେ ଅନଙ୍ଗ

ସେହି ସରୂପେ ମୋତେ ଦିଶିଲା ୟେହାର ଅଙ୍ଗ ।୩୯୨।

ଯେତେବେଳୁଂ ୟେହାର ମୁଂ ଦେଖିଲି ବଦନ

କାମଶର ଘାତେ ମୋତେ ଯେ ପୀଡ଼ିଲା ମଦନ ।୩୯୩।

 

ଆଗୋ ପ୍ରତକ୍ଷେ ଶଙ୍କୁନ ଯେ ସ୍ଥିର କରି ଦେଖ

ୟେହିକ୍ଷଣି ବ୍ରାହ୍ମଣ ଯେ ବିନ୍ଧିବ ମହାଲାଖ ।୩୯୪।

ପୂର୍ବେଣ ମୁଇଂ ଯେବେ ଅଛଇ ତପ କରି

ବ୍ରାହ୍ମଣର ଦୋହିତା ମୁଂ ବ୍ରାହ୍ମଣର ହୋଇବି

ମନୋହାରୀ ।୩୯୫।

ୟେସନେକ ବିଚାରି ସେ ପରମ ମହାସତୀ

ସୁମରଇ କାତ୍ୟାୟନୀ ଅନାଦି ଶକତି ।୩୯୬।

 

ତୁ ଦେବୀ ବିଜୟେ ଗୋ କର ୟାର କନ୍ଧୁ

ୟେହିକ୍ଷଣି ୟେ ବ୍ରାହ୍ମଣ ମହା ଲାଖ ବିନ୍ଧୁ ।୩୯୭।

ୟେମନ୍ତର ସମୟେ ବୀର ଫାଲଗୁନି

ଲାଖର ତଳେ ଉଭା ତାକୁ କେହି ଯେ ନଚିହ୍ନି ।୩୯୮।

କ୍ଷୀଣ ଦୁର୍ବଳ ଦେଖି ଉପହାସ୍ୟ କରନ୍ତି ସମସ୍ତେ

ଧାତିକାରେ ଅର୍ଜୁନ ଧନୁ ଧଇଲା ବାମହସ୍ତେ ।୩୯୯।

 

ଉର୍ଦ୍ଧ୍ୱ ବାହୁ କରି ଧନୁ ତୋଳିଲାକ ଘେନି

ସାଧୁ ସାଧୁ ବିପ୍ର ବୋଲି ସଭାରେ ଉଠିଲାକ ଧୁନି ।୪୦୦।

ଶିଖଣ୍ଡୀ ଧୃଷ୍ଟଦୃମନ ଅଛନ୍ତି ବେନି ଭ୍ରାଥ

ଅର୍ଜୁନ ପଚାରଇ ଲାଖର ଚରିତ କହନି କେମନ୍ତ ।୪୦୧।

ବ୍ରାହ୍ମଣଙ୍କ ଅଗ୍ରତେ କହଇ ଦୃମନ

ଶୁଣହୋ ଦ୍ୱିଜବର ଲାଖର ବିଧାନ ।୪୦୨।

 

ଆନ ରାଜାମାନଙ୍କୁ ଯେ କରିଥିଲି ଗୋପ୍ୟ

ତୋହୋର ଆଗେ ଆମ୍ଭେ କହୁଛୁଂ ସରୂପ ।୪୦୩।

ଦେବ ତାଳେ ସାତ ତାଳ ଅଟଇ ଲାଖର ଉଞ୍ଚ

ରାଧାଚକ୍ରେକ ତହିଂ ବୁଲଇ ସୁସଞ୍ଚ ।୪୦୪।

ସେ ଚକ୍ର ଅଟଇ ଯେ ସହସ୍ରେକ ଧାର

ପବନୁଂ ବେଗେ ଭ୍ରମଇ କୁରାଳ ଚକ୍ର ଆକାର ।୪୦୫।

 

ତହିଂର ଉପରେ ଅଛି କନକର ମାଛ

ଦୁତୀ ପିନାକୀ ଜାଣ ଧନୁ ବଳ ୟେକ ଲକ୍ଷ ।୪୦୬।

ତାଳେକ ଉପରେଣ ପଟାୟେକ କଣ୍ଟି

ତହିଂର ତଳେ ଅଛି ତୀର୍ଥ ଜଳ ଘଟ ଗୋଟି ।୪୦୭।

ତଳକୁ କରିବ ଦୃଷ୍ଟି ଉପରକୁ କରିବ ମୁଷ୍ଟି

ଜଳଘଟେ ଛାୟା ନିରୋପିବ ମୀନର ଦୃଷ୍ଟି ।୪୦୮।

 

ଚକ୍ର ଭେଦି ମାଛର ବାମ ଚଛୁ ଯିବ ଫୁଟି

ୟେତେ ସରୂପେ ଲାଖ ବିନ୍ଧିଲେ ନେମ କନ୍ୟା ଗୋଟି ।୪୦୯।

ଅର୍ଜୁନ ବୋଇଲା ମୁଂ ଯେବେ ଲାଖ ବିନ୍ଧିବ

ବଳ ଦୁର୍ବଳ ପଡ଼ିଲେ ମୁଂ କେମନ୍ତେ କରିବି ।୪୧୦।

ରାଜାମାନଙ୍କର ସନ୍ୟ ଅଛନ୍ତି ଅପ୍ରମିତେ

ନପୁଣ ଦୁଷ୍ଟରାଜା ବଳାତ୍କାର କରନ୍ତିନା ମୋତେ ।୪୧୧।

 

ଶିଖଣ୍ଡୀ ବୋଇଲା ଦ୍ୱିଜ ନଭାଳ ତୁମ୍ଭେ ୟେହା

ସାତ କ୍ଷଉଣୀ ବଳ ଘେନି ମୁଂ ତୋତେ

ହୋଇବି ଯେ ସାହା ।୪୧୨।

ତୁ ୟେବେ ଯାଇ ରାଜାଗଣନ୍ତ ପଚାର

ଲାଖ ବିନ୍ଧିବାକୁ ମନ ଅଛି କି ତାହାଙ୍କର ।୪୧୩।

ଯେ ପାରନ୍ତୁ ଲାଖ ବିନ୍ଧନ୍ତୁ ଆସି ଆଜ

ବ୍ରାହ୍ମଣ ବିନ୍ଧନ୍ତେନ ପୁଣ ରାଜାମାନେ ପାଅ ବଡ଼ ଲାଜ ।୪୧୪।

 

ପଶ୍ଚାନ୍ତେ କୋପ ମୋତେ କରିତ ନ ଯୋଗାଇ

ଅବରଣେ ମଧ୍ୟ ପାତ୍ର ହୋଇଅଛି ମୁହିଂ ।୪୧୫।

ୟେହା ଶୁଣି ଶିଖଣ୍ଡୀ ଯେ ବେଗେ ଚଳିଗଲା

ସଭା ମଧ୍ୟେ ଶବଦାଇ ରାଜାଙ୍କୁ କହିଲା ।୪୧୬।

ଯେ ପାରିବ ଲାଖ ଆସି ବିନ୍ଧ ରାଜାଗଣ

ନୋହିଲେ ଲାଖ ଗୋଟିକି ବିନ୍ଧୁଛି ବ୍ରାହ୍ମଣ ।୪୧୭।

 

ନ ଶୁଣିଲା ପ୍ରାୟ ରାଜା କିଛି ନ କହିଲେ

ଶିଖଣ୍ଡୀ ଫେରିଯାଇ ବ୍ରାହ୍ମଣ ଅର୍ଜୁନଙ୍କୁ କହିଲେ ।୪୧୮।

ଧନୁ ଧରି ମନେ ବିଚାରଇ ଫାଲଗୁନ୍ୟ

ୟେ ଧନୁରେ ଗୁଣ ଦେଇ ଅଛଇ ବୀରକର୍ଣ୍ଣ ।୪୧୯।

ଗୁଣ ଦିଲା ଛତ୍ରୀଙ୍କି ଅଧେକ ଅଛି ଭାଗ

ଛତ୍ରୀଙ୍କର ଧର୍ମ ୟେ ପୁରୁଷଙ୍କର ଅନୁରାଗ ।୪୨୦।

 

ବାମ ପାଦ ଦିଲା ପାଥ ଡାହାଣ ଜାନୁ ଉପରେ

କିଞ୍ଚିତ ମାତ୍ରେ ଧନୁ ଧଇଲା ବାମ କରେ ।୪୨୧।

ଆଣ୍ଠୁର ଉପରେ ଧନୁ ହୁଳ ବସାଇ

ବାମ କରେ ଦୃଢ ମୁଷ୍ଟି କରି ଧନୁରୁ ଗୁଣ ଯେ ଓଲ୍‌ହାଇ ।୪୨୨।

ଦେଖିଣ ଆଶ୍ରିଯ ଯେ ସକଳ ନୃପତି

ମାନବେ ତ ଗୋଚର ନୋହଇ ୟେସନେକ କୃତି ।୪୨୩।

 

ଗୁଣ ଓଲ୍‌ହାଇ ପାଥ ଭୂମିରେ ଧନୁ ହୁଳ ଦେଇ

ଧନୁ ସଳଖିଲା ବାମ ଆଣ୍ଠୁ ଯେ ପେଲାଇ ।୪୨୪।

ପୁଣ ବିକାଶଇ ଯେ ଭଇରୋବ ମୂରତି

ୟେକା ଚରଣକେ ଉଭା ହୋଇଲାକ ପୃଥୀ ।୪୨୫।

ଡାହାଣ ଆଣ୍ଠୁ ଉପରେ ବାମ ପାଦ ଦିଲା

ଅବନୀଳେ ବାସବି ଯେ ଧନୁରେ ଗୁଣ ଚଢାଇଲା ।୪୨୬।

 

Unknown

ଶୂନ୍ୟେଣ ଯହୁଂ ଗୁଣ ଦିଲାକ ଫାଲଗୁନି

ସଭାରେ ଉଠିଲା ସାଧୁ ସାଧୁ ଧୁନି  ।୪୨୭।

ପଣ୍ଡିତ ଜନେ ବିଚାରନ୍ତି ମନେ

ଲାଖ ବିନ୍ଧନ୍ତା ନୋହିଲା କେହି

ଯହୁଂ ମଧ୍ୟୟେ ଭୁବନେ ।୪୨୮।

ଅଗ୍ନିରୁ ଜାତ ଅଟଇ ପାଞ୍ଚାଳୀ

ଗୋପ୍ୟ ରୂପେ ଅବା ବିଜେ କଲେ ଅଂଶୁମାଳୀ ।୪୨୯।

 

ଆଦିତ୍ୟ ଯେବେ ନୋହିବେଟି ହାଦେ

ଅମରାଧିନାଥ ବିଜେ କଲେ ଦେବ ଇନ୍ଦ୍ରେ ।୪୩୦।

ବଡ଼ ମତେ ସେ ଯେବେ ନୋହିବ ସହସ୍ର ଯୋନି

ଆଦ୍ୟହୁଂ ହରିଲା ୟେ ଗଉତମ ପତନୀ ।୪୩୧।

ବ୍ରାହ୍ମଣ ରୂପ ଧରି ବିଜେ ସୁନାସୀର

ଇନ୍ଦ୍ରଦେବତା ନୋହିଲେକି ୟେ ଅଟଇ କୁବେର ।୪୩୨।

ୟେସନେକ ବୁଦ୍ଧ ଭାଳନ୍ତି ସଭାରେ ରାଜାୟେ

ଧନୁରେ ନାରାଜ ପୂରୋଇଲା ଧନୁର୍ଜୟେ ।୪୩୩।

ମାନଗୋବିନ୍ଦ ସଭାୟେ ଯେ ଦ୍ରୋଣଗୁରୁ ଅଛନ୍ତି

ନମସ୍କାର କରନ୍ତେ ନ ପୁଣି ସମସ୍ତେହେଂ ଜାଣନ୍ତି ।୪୩୪।

ନାରାଜ ପୂରୋଇ ପାଥ ଯେ ଭୂମିକି ବିନ୍ଧିଲା

ଦ୍ରୋଣଙ୍କର ନାମ ଧରି ସେ ମଥାରେ ହାଥ ଦିଲା ।୪୩୫।

 

ସଭାରେ ଥାଇଣ ଯେ ଦ୍ରୋଣଗୁରୁ ଦେଖିଲେ

କରପତ୍ର ପ୍ରସାରିଣ ଯେ କଲ୍ୟାଣ ବାଞ୍ଛିଲେ ।୪୩୬।

ବିଦ୍ୟା ଲାଭ ହୋଉ ତୋତେ କନ୍ୟା ପ୍ରାପତ ହୋଉ

ଯେସନେ ବାଞ୍ଛା ତୋହୋର ସେହୁ ସିଦ୍ଧ ହୋଉ ।୪୩୭।

ଆମ୍ଭର ଆଷ୍ୟ ଘେନି ବ୍ରତ ଶତ୍ରୁ ନିପାତି

ପଞ୍ଚୁକଟକ ମାଡ଼ି ତୁମ୍ଭେ ହୋଅସି ୟେକଛତ୍ରୀ ।୪୩୮।

 

ଅମର ସ୍ୱର୍ଗରେ ଯେ ଅଛନ୍ତି ମଘବାନ

ତହିଂକି ନମସ୍କାର କରଇ କୋଇନ୍ତାଙ୍କର ନନ୍ଦନ ।୪୩୯।

ଦେଖି ଆଶିଷ ଯେ ବାଞ୍ଛା କଲେ ପୁରନ୍ଦରେ

ବିଦ୍ୟାଲାଭ ହୋଉ କନ୍ୟା ପ୍ରାପତ

ହୋଉ ଯେ ତୋହୋରେ ।୪୪୦।

ଶତ୍ରୁମାନନ୍ତ ସମସ୍ତ ନିପାତନ ସମୟେ କରି

ପଞ୍ଚୁକଟକେ ତୁମ୍ଭେ ହୋଅସି ଦଣ୍ଡଧାରୀ ।୪୪୧।

 

ଦକ୍ଷିଣକୁ ମୂର୍ତ୍ତି କରିଣ ଫାଲଗୁନି

ଶ୍ରୀଜଗନ୍ନାଥଙ୍କ ନାମ ଧରି ସେ କରଇ ଦଇନି ।୪୪୨।

ଗୋବିନ୍ଦେ ବୋଇଲେ ସ୍ୱାମୀ ଶୁଣିମା ହଳ ହସ୍ତେ

ତୁମ୍ଭଙ୍କୁ ନମସ୍କାର କରଇ ବୀର ପାଥେ ।୪୪୩।

ତୁମ୍ଭେ ତାହାକୁ ଦେବ କଲ୍ୟାଣ ବାଞ୍ଛା କର

ବାଞ୍ଛା ସିଦ୍ଧ ସ୍ୱାମୀ ହୋଉ ଯେ ତାହାର ।୪୪୪।

 

କଲ୍ୟାଣ ବଚନ ନୁଆସଇ କଦାଶ୍ଚିତେ

ଅକଲ୍ୟାଣ ବାଞ୍ଛା ସେ ଆସଇ ହୃଦଗତେ ।୪୪୫।

ଗୋବିନ୍ଦଙ୍କର ଭୟେ ସେ ବୋଇଲେ କଲ୍ୟାଣ ତୋତେ ହୋଉ

ତୁ ଲାଖ ବିନ୍ଧରେ ବାବୁ କନ୍ୟା ଆନ ନେଉ ।୪୪୬।

ବଳରାମଙ୍କର କିନ୍ତୁ ମନ ଯେ ଜାଣିଲେ ଜଗମୋହନ

ଆପଣେ ଆଶୀଷ ବାଞ୍ଛା କରନ୍ତି ଜନାର୍ଦ୍ଦନ ।୪୪୭।

 

ବିଦ୍ୟା ଲାଭ ହୋଉ କନ୍ୟା ଯେ ପ୍ରାପତ ତୋତେ ହୋଉ

ଶତ୍ରୁ ମାରି ଉଭା ହୋଅ ବଇରି ଭସ୍ମ ଯାଉ ।୪୪୮।

ପୃଥୀ ଭାରା ଉଶ୍ୱାସ କର ସମସ୍ତ ରାଜାନ୍ତ ନିପାତି

ପଞ୍ଚୁକଟକେ ତୁ ହୋଅ ୟେକଛତ୍ରୀ ।୪୪୯।

ବ୍ରାହ୍ମଣଙ୍କର ସଭାରେ ଯେ ଅଛନ୍ତି ଯୁଝେଷ୍ଠି

ତହିଂକି ନମସ୍କାର କରଇ କିରୀଟୀ ।୪୫୦।

 

ଯୁଝେଷ୍ଠି ବୋଇଲେ ଗୋସାଇଂ ବ୍ରାହ୍ମଣଗଣମାନେ

ସେ ଲାଖ ବିନ୍ଧା ପଣ୍ଡା ଗୋ ଟିକି ହୋଇବା ସାବଧାନେ ।୪୫୧।

ସେ ନମସ୍କାର କରୁଅଛି ବ୍ରାହ୍ମଣ ସଭାକୁ

ସମସ୍ତେହେଂ କଲ୍ୟାଣ କରିବା ତାହାକୁ ।୪୫୨।

ସମସ୍ତ ବ୍ରାହ୍ମଣମାନେ କର ପ୍ରସାରିଲେ

ମନବାଞ୍ଛା ସିଦ୍ଧ ହୋଉ ବୋଲିଣ ବୋଇଲେ ।୪୫୩।

 

ବିଦ୍ୟା ଲାଭ ହୋଉକନ୍ୟା ହୋଉ ତୋତେ ପ୍ରାପତ

ତୋତେ ପ୍ରାପତ ହୋଉ ଦ୍ରୋପଦର ଦୋହିତ ।୪୫୪।

ୟେସନେକ ଆଗ୍ୟାଂ ଯହୁଂ ଦିଲେ ବ୍ରାହ୍ମଣସଭା

ଜ୍ୟେଷ୍ଠଭ୍ରାଥମାନଙ୍କୁ ମନେ ଧରି କରଇ ସେବା ।୪୫୫।

ଋଷିଙ୍କ ସଙ୍ଗତେ ଅଛନ୍ତି ବ୍ୟାସ ମହାମିନି

ତହିଂକି ପ୍ରଣପତ୍ୟ କରଇ ଫାଲଗୁନି ।୪୫୬।

 

ମାରକଣ୍ଡେ ବୋଇଲେ ବ୍ୟାସେ ସେ ଲାଖ ବିନ୍ଧା ବ୍ରାହ୍ମଣ

କେ ଟି ତୁମ୍ଭେ ତାକୁ ଜାଣକି ନଜାଣ ।୪୫୭।

ବ୍ୟାସେ ବୋଇଲେ ଆଗତ କହିତ କିପାରି

ଗୁପତ କଥାନ୍ତ ଫେଡିଲୋକେନ ବିସ୍ତାରି ।୪୫୮।

ଯାହାକୁ କାମ ଅର୍ଥ କଲାକ ଦ୍ରୁପଦ ନୃପତି

କାଳେ ପାଇଲା ସେ ଦେବୀ ଯେ ଦ୍ରୋପତୀ ।୪୫୯।

 

ୟେତେକ ବିଚାରି ସମସ୍ତ ମହାମୁନି

କଲ୍ୟାଣ କଲ୍ୟାଣ ଶୁଭିଲେକ ଗୁରୁ ଧୁନି ।୪୬୦।

ଅର୍ଜୁନ ବୋଇଲା ଲକ୍ଷେ ରାଜାର ଯେତେକ ସଇନି

ଅଷ୍ଟାଦଶ ବଂଶର ବ୍ରାହ୍ମଣ ସର୍ବ ମହାମୁନି ।୪୬୧।

ୟେ ମହାସଭାରେ ମୋହୋର ସବୁନ୍ତି ଦଇନି ସେବା

ୟେବେହେଂ ଯେ ପାର ଗୋସାଇଂ ଲାଖ ଯେ ବିନ୍ଧିବା ।୪୬୨।

 

ସହି ନପାରିଦ୍ରୋଣେ ବୋଇଲେ ପଣ୍ଡାହୋ

ଲାଖ ବିନ୍ଧ ଯା ବହନ

ପୋଡନ୍ତା ଘାଆ ଉପରେ କେତେ

ଦେଉଅଛ ହୋ ଚୂନ।୪୬୩।

ସାଧୁ ସାଧୁ ଜୟେ ଜୟେ ଲକ୍ଷେ ରାଜାଙ୍କର ମୁଖେ

ଅଦୃଷ୍ଟି କି ନାରାଜ ବିନ୍ଧୁଛି ପ୍ରତକ୍ଷେ ।୪୬୪।

 

ସମସ୍ତ ଲୋକଙ୍କର ବେନି ଯେ ନୟନ

ୟେକ ଲୟେ କରି ଦେଖନ୍ତି ୟେକା ଅର୍ଜୁନର ବଦନ ।୪୬୫।

ୟେ ମହାସଭାକୁ ମୋହୋର ଶତେ ସହସ୍ର ବାର ଦଣ୍ଡବତ ସେବା

ବିନ୍ଧୁ ଅଛି ଲାଖ ସ୍ୱାମୀ ଆଗ୍ୟାଂ ମୋତେ ଦେବା ।୪୬୬।

ମହାସଭାର ମଧ୍ୟେ ଉଠିଲା ଘୋର ଧୁନି

ସବୁଙ୍କର ବାଞ୍ଛା ତୋତେ ପ୍ରାପତ ହୋଉ ଯିଘ୍ନସେନୀ ।୪୬୭।

 

ପଣ୍ଡିତଜନମାନେ ଯେ ଜଗନ୍ନାଥଙ୍କର ଦାସ

ତେଣୁ ସେମାନେ କରନ୍ତି ଜନମାନଙ୍କର

ମଙ୍ଗଳ ଅଭ୍ୟାସ ।୪୬୮।

ଦୁଷ୍ଟ ରାଜାମାନେ ବିନ୍ଧ ବୋଲି ମଙ୍ଗଳଅଭ୍ୟାସି

ଦରିଦ୍ର ବ୍ରାହ୍ମଣକଇ ଧନ ଦେଇ ନେମା ଶୁଭ୍ରକେଶୀ ।୪୬୯।

କଉଂଦୁ ଷ୍ଟରାଜା ବିଚାରନ୍ତି କନ୍ୟା ନେମାବଳେ

ବ୍ରାହ୍ମଣ ଲାଖ ବିନ୍ଧୁ ବୋଲି ଭାସନ୍ତି ସକଳେ ।୪୭୦।

 

ସନ୍ଥ ଦୁଷ୍ଟ ରାଜାଙ୍କର ସବୁଙ୍କର ମୁଖେ

ମଙ୍ଗଳ ଧୁନି ଯେ ଶୁଭିଲା ପ୍ରତକ୍ଷେ ।୪୭୧।

ତାଳକ ଉଚ୍ଛର୍ଗେ ପଟାୟେ ପାଥ ଉଠି

ଜଗନ୍ନାଥ କାଢି ନେଲେ ସୁଦ୍ରିଶେନ ଚକ୍ର ଗୋଟି ।୪୭୨।

ଧନୁ ଧରି କୋଡ଼ା ଆମଞ୍ଚନ କଲା

ଇନ୍ଦ୍ରଦେବତାକଇ ସୁମରି ମନଭେଦୀ ନାରା ମାଗିଲା ।୪୭୩।

 

ମାତଳି ଆଣି କରେ ଦିଲାକ ନାରାଜ

ଧନୁ ଗୁଣେ ବସାଇଲା ବାସବ ଆତ୍ମଜ ।୪୭୪।

ନାରାଜ ପୂରୋଇ ପାଥ ଉଭା ଠିଆ ଠାଣ

ବାବୁ ମୋର ଆଷ୍ୟ ଘେନି ବ୍ରତ ବୋଇଲେ ଗୁରୁଦ୍ରୋଣ ।୪୭୫।

ଗୋବିନ୍ଦେ ବୋଇଲେ ଗୋସାଇଂ ଚାହିଂବା ନା ହଳପତି

ଶୂରବୀର ପ୍ରତଗ୍ୟାଂ ଦେଖ ଅର୍ଜୁନର ଠିଆ ଠାଣି ମୂର୍ତ୍ତି ।୪୭୬।

ପିଠି କତିକି ଯେ ବଦନ ଲେଉଟି

ଡାହାଣକୁ ଅଙ୍ଗ ସାରି ଦେଇ ଯେ ତଳକୁ କଲା ଦୃଷ୍ଟି ।୪୭୭।

ଉପରକୁ ମୁଷ୍ଟି କରି ରହିଲା ଫାଲଗୁନି

ସର୍ବ ମଙ୍ଗଳ ହୋଉ ବୋଲି ଭାଷିଲେ ଯିଘ୍ନସେନୀ ।୪୭୮।

 

ମନଭେଦୀ ନାରାଜ ପାଥ ଧନୁରେ ବସାଇ

ତିଆରଇ ବାସବି ଶହସ୍ରକୁ ଲୟ ଦେଇ ।୪୭୯।

ଯେତେ ଦୂରେ ଅବା ଅଛି ଲାଖ ମୀନ

ଯାଇଂ ଭେଦ ତାହାର ବାମ ଯେ ନୟନ ।୪୮୦।

ଉଚ୍ଛବ ଆନନ୍ଦ କନ୍ୟା ଭାବ ହରଷେ

ମହାସଭା ଦେଖି ପ୍ରତଗ୍ୟାଂ ଗାଢ ରୋଷେ ।୪୮୧।

 

ଦ୍ରୋଣେ ପ୍ରଶଂସା କଲେକ ପାଥକୁ

କଉଂକ୍ଷଣେ ୟେ ବିଦ୍ୟା ପାଇଲା ଗୁରୁ କହନ୍ତି ଭୀଷ୍ମଙ୍କୁ ।୪୮୨।

ସାତ ଉତ୍ତର ଶତେ ଶିଷ୍ୟଙ୍କର ହୋଇଲୁ ଆମ୍ଭେ ଗୁରୁ

ପୁଣି କାହାକଇଂ ଶକ୍ୟ ନାହିଂ ୟେହାର ଧନୁ ଧରୁ ।୪୮୩।

ଆମ୍ଭ ପିତା ପୁତ୍ରଙ୍କର କମ୍ପଇ ବେନି ଭୁଜ

ଦର୍ପ ଭାଞ୍ଜଇ ଶହସ୍ର ହୋଅଇ ନିସ୍ତେଜ ।୪୮୪।

 

ଭୀଷ୍ମଙ୍କର ଶିର କମ୍ପଇ କର୍ଣ୍ଣର କମ୍ପଇ ଜାନୁ

ହୃଦୟ କମ୍ପଇ ଦ୍ରିଯୋଧନର ଧୁଶାସନର ତନୁ ।୪୮୫।

ଯୁଝେଷ୍ଠି ଭୀମସେନ ଶଲ୍ୟଙ୍କର କମ୍ପଇ ମୁଷ୍ଟି

କୃପ ଭୂରିସର୍ବାଙ୍କର କମ୍ପଇ ଗୁଣ ଘୃଷ୍ଟି ।୪୮୬।

କେସନେକ କ୍ଷଣେ ବିଧାତା ନିର୍ବାଣ କଲାକ ତୋତେ

ନିକଳଙ୍କ ନିକମ୍ପ ଅଟଇ ତୋର ଗାତ୍ରେ ।୪୮୭।

 

ୟେହେନେକ ବିଚାର କରନ୍ତେ ଭୀଷ୍ମ ଦ୍ରୋଣ ବେନି

ଅର୍ଜୁନ ତଲୟେ କରି ସୁମରଇ ଭବାନୀ ।୪୮୮।

ନାରାଜ ପୂରାନ୍ତେ ବିକାଶଇ ଭୀଷ୍ମ ମୂର୍ତ୍ତି

ତ୍ରୈଲୋକ୍ୟେ ବିକାଶିଲା ବିଷ୍ଣୁର ତେଜକାନ୍ତି  ।୪୮୯।

ନାରାୟଣ ସପକ୍ଷ ଯାହାକୁ ବାସବ ସପକ୍ଷ

ବ୍ୟାସ ଦ୍ରୋଣ ସପକ୍ଷ ରୁଦ୍ର ଯେ ସପକ୍ଷ ।୪୯୦।

 

ଶତ୍ରୁ ମିତ୍ର ମୁଖେ ଭାଷନ୍ତି ଶୁଭ ଧୁନି

ତେବେ ସେ ମହାଲାଖ ବିନ୍ଧଇ ଫାଲଗୁନି ।୪୯୧।

ଲକ୍ଷେ ରାଜାର ମଧ୍ୟେ ଅର୍ଜୁନ ୟେକା ଯୋଧୀ

ରେ ରେ କାର ଶବଦ କରି ଅର୍ଜୁନ ଲାଖ ବିନ୍ଧି ।୪୯୨।

 

ଆହୋ ବହୁତ କାଳୁ ଯେ ଧଇଲା ନାହିଂ ଧନୁ

ଗାଢ ରୋଷେ ଛାଡ଼ିଲା ବାସବର ତନୁ ।୪୯୩।

ଦେବ ତାଳେ ସାତ ତାଳ ମାନବେ ଅଣଚାଶ

ବିଚାରି ନିରୋପିଲେ ଲାଖ ଅର୍ଦ୍ଧ ଯେ ଆକାଶ ।୪୯୪।

ରାଧାଚକ୍ର ଭେଦି ମାଛର ବାମ ଚଛୁ ଗଳି

ଡାହାଣ ଚଛୁ ବାଟେ ଶର ହୋଇଲା ନିକିଳି ।୪୯୫।

 

ବାହାର ହୋଇ ନାରାଜ ଗଲା ଅତିବେଗେ

ଛଡ଼ ଲକ୍ଷ ଯୋଜନେ ବିଶ୍ରାମିଲା ଅମର ସ୍ୱର୍ଗେ ।୪୯୬।

ସମସ୍ତ ରାଜାଗଣେ କଲେ ସାଧୁ ସାଧୁ ଧୁନି

ହୁଳହୁଳି ଶବଦ କଲେ ସମସ୍ତ କାମେନୀ ।୪୯୭।

ସେ ମାଛର ବାମ ଚଛୁରେ ଯେ ପୁଷ୍ୟ ମାଳାୟେ ବନ୍ଧା ଥିଲା

ସେ ପୁଷ୍ୟ ମାଳ ଛିଡ଼ିଣି ସଭା ମଧ୍ୟରେ ପଡ଼ିଲା ।୪୯୮।

 

ଆକାଶେ ବୃନ୍ଦା ଅର୍କେ କଲେ ପୁଷ୍ୟ ବୃଷ୍ଟି

ଶ୍ରୀଜଗନ୍ନାଥେ ବାଦ୍ୟ କଲେ ପଞ୍ଚଜନ୍ୟ ଶଙ୍ଖ ଗୋଟି ।୪୯୯।

ପଞ୍ଚଜନ୍ୟ ଶଙ୍ଖ ଶବଦର ଗହ ଗହ ଘୋଷ ବାଣୀ

ଦୁଷ୍ଟ ରାଜାମାନଙ୍କର ହୃଦୟ କମ୍ପିଲା କମ୍ବୁ ଶବଦ ଶୁଣି ।୫୦୦।

ଶୁଣି ରାଜାମାନେ ଆସ୍ତାନୁ ଉଠିଲେକ ଧାତି

ବୋଇଲେ ଜଗନ୍ନାଥ ବିଜୟେ କାହିଂ କରିଛନ୍ତି ୟେଥି ।୫୦୧।

 

ଅସୁର ରାଜାମାନେ କେହି ନରହିଲେ ଭୟେ

ପଳାବନ୍ତି ରାଜାୟେ ଅସମ୍ଭାଳ କାୟେ ।୫୦୨।

ନୀଳୋତ୍ପଳ ରତ୍ନମାଳ କରେ ଘେନିଣ ଦ୍ରୋପତୀ

ବିଜୟେ ମାହେଶ୍ୱରୀ ଅର୍ଜୁନର କତି ।୫୦୩।

ଜୟେ ମଙ୍ଗଳ ଧୁନି ଶୁଭିଲା ତ୍ରୈଲୋକ୍ୟେ

ସଞ୍ଚୟେ ବିଜେ କଲେ କି ପିନାକ ଘେନି ତ୍ରିୟମ୍ବକେ ।୫୦୪।

 

ଦ୍ରିଯୋଧନ ବୋଇଲେ ଧୃଷ୍ଟଦୃମନ ରୁହାସି ବାଳୀ

ଆଗହୁଂ ବ୍ରାହ୍ମଣକୁ ନଦିଅ ବରଣ ଯେ ମାଳି ।୫୦୫।

ସମସ୍ତ ରାଜାମାନେ ବିଚାର କର ଚାହିଂ

ମାଛର ଚଛୁରେ ନାରାଜ ରହି ନାହିଂ ।୫୦୬।

ସରୂପେ ଦିଜବର ନାରାଜ ବିନ୍ଧିଲା

ଚଛୁରେ ନବାଜିଣ ଯେପାରୁଶେ ଲାଗିଗଲା  ।୫୦୭।

 

ଯେବେ ବିନ୍ଧିଲା ବ୍ରାହ୍ମଣ ସରୂପ ହୁଅନ୍ତା

ମାଛର ଚଛୁରେ ଯେବେ ନାରାଜ ରହିଥାନ୍ତା  ।୫୦୮।

ତାହା ସେ ସରୂପ ବୋଲି ବୋଲଇ ଯୁଗତେ

ଚିହ୍ନ ବର୍ଣ୍ଣ ନାହିଂ କନ୍ୟା ନେବ ହୋ କେମନ୍ତେ  ।୫୦୯।

ଦ୍ରୋପଦେ ବୋଇଲେ ଯେବେ ଦିଜବର ଲାଖ ନ ବିନ୍ଧିଲା

ମାଛର ବାମ ଚଛୁରୁ କିମ୍ପା ପୁଷ୍ୟ ମାଳି ଛିଡ଼ିଣ ପଡିଲା ।୫୧୦।

 

ମାନଗୋବିନ୍ଦ ବୋଇଲା ସୁତ୍ରେ ଲାଗିଥିଲା

ନାରାଜ ହାବୋଡ଼ନ୍ତେ ସେ ଛିଡ଼ିଣ ପଡିଲା ।୫୧୧।

ଶିଖଣ୍ଡୀ ବୋଇଲା ଗୋସାଇଂ ଦେଖିଲ ପ୍ରତକ୍ଷ

ଆକାଶୁଂ ପୁଷ୍ୟ ବୃଷ୍ଟି ହେଲା କେ ୟେହା କରି ପାରିବ ମିଛ ।୫୧୨।

ଦୁଷ୍ଟ ରାଜାମାନେ ସମସ୍ତେ କଲେ ନାସ୍ତି

ବ୍ରାହ୍ମଣ ଲାଖ ନବିନ୍ଧିଲା କେମନ୍ତେ ବରିବ ଦ୍ରୋପତୀ ।୫୧୩।

 

ଦ୍ରୁପଦ ବୋଇଲେ ଗୋସାଇଂ ପଞ୍ଚଜନ୍ୟ ଶଙ୍ଖ ଧୁନି

ଆପଣେ ନାରାୟଣ ଶ୍ରୀକରେ ଶଙ୍ଖ ଘେନି  ।୫୧୪।

ଜରାସନ୍ଧ ବୋଇଲା ତୁମ୍ଭେ କିଛିହିଂ ନଜାଣ

ନନ୍ଦ ଗଉଡ଼ ପୁଅ କୃଷ୍ଣ ଅତି ହୀନ ।୫୧୫।

ତୁମ୍ଭେ ତାହାନ୍ତ ବୋଲ ଗୋବିନ୍ଦ ଗୋବିନ୍ଦ

ଗଉଡ଼ କୁଳେ ଜନ୍ମ ସେ ଅଟଇ ବଡ଼ ମନ୍ଦ ।୫୧୬।

 

ଅଗ୍ୟାଂନ ଗଉଡ଼ ସେ ଗ୍ୟାଂନ ତାର ନାହିଂ

ଶଙ୍ଖ ଗୋଟିୟେ ଘେନି ଅବିଚ୍ଛନ୍ନେ ବାଉଥାଇ ।୫୧୭।

ସେ ଯେବେ ନାରାୟଣ ଆସୁନି ମୋର ଆଗେ

ଅଷ୍ଟାଦଶ ବେଳ ଧାଡ଼ି ଦେଲି ଜୁଆଇଂର ରାଗେ ।୫୧୮।

ଗୋପପୁର ତେଜି ସେ ମଥୁରା ରହିଲା

ମୋହୋର ଭୟେ ପୁଣ ମଥୁରା ଛାଡ଼ିଲା ।୫୧୯।

 

ମଧୁବନ ନଗ୍ରେ ସେ ନୁଆରିଲା ରହି

ତାହା ଛାର କଥା କିମ୍ପେ ୟେ ସଭାରେଣ କହି ।୫୨୦।

ଭୀଷ୍ମେ ବୋଇଲେ ତୁ କିମ୍ପେ ନିନ୍ଦୁ ନାରାୟଣ

ପରେ ମରାଇବେଟି ତୋତେ ନ ମାରିବେ ଆପଣ।୫୨୧।

ଅଗସ୍ତିଙ୍କ ଆଗେ ବଇବସୁତ ମନୁ କହିଲା

ଅର୍ଜୁନ ଲାଖ ବିନ୍ଧିବାର ତ ନିଷ୍ଫଳ ହୋଇଲା ।୫୨୨।

ପୁଣ ଆବର ହୋଇଲା କେବଣ ଚରିତ

ୟେହା ସଞ୍ଚପି ମୋତେ କହିବା ତପୋବନ୍ତ ।୫୨୩।

 

ଶୁଣ ହୋ ଯୋଗେଶ୍ୱର ବଦନ୍ତି ଅଗସ୍ତି

ଦୁଷ୍ଟରାଜାମାନେ ଭାଞ୍ଜିଲେ ଅସଂଖ୍ୟ କୀରତି ।୫୨୪।

ମହା ଗୋଳ ଶବଦ ଯେ ଶୁଭିଲା ସଭାରେ

ନାସିକାରେ ହସ୍ତ ଦେଇ ହସିଲେ ବଳେବରେ ।୫୨୫।

ଗୋବିନ୍ଦ ବୋଇଲେ ଦେବ ହସିଲ କିସ ଅର୍ଥେ

ଉପହାସ୍ୟ ପରାୟେ ସ୍ୱାମୀ ଦିଶିଲାକ ମୋତେ ।୫୨୬।

 

ବଳଦେବ ବୋଇଲେ ତୁ ଶୁଣସି ଅଚ୍ୟୁତ

ଶଙ୍ଖ ଧୁନି ଶବଦ ତୋର ଅଟଇ କେମନ୍ତ ।୫୨୭।

କି ତୋତେ ପାଣ୍ଡବେ ଆଣିଲେ ଧନ ଦେଇ

ଲାଖ ନ ବିନ୍ଧୁ ଶଙ୍ଖ ବାଉ ତୁ କିସ ପାଇଂ।୫୨୮।

ଗୋବିନ୍ଦ ବୋଇଲେ ସ୍ୱାମୀ ଶୁଣିମା ନୀଳାମ୍ବର

ଅର୍ଜୁନର ମହିମା ଦେବେ ମାନବେ ଅଗୋଚର ।୫୨୯।

 

ଯଦ୍ୟପି ଗୋଳ ଆଜ କରିବେ ରାଜାଗଣେ

ପୁନରପି ଲାଖ ବିନ୍ଧିବ ସେ ବୀର ଫାଲଗୁନ୍ୟେ ।୫୩୦।

ଦୁଷ୍ଟରାଜାମାନେ ଗୋଳ ଯେ କରିବେ ଶତେ ବାର

ଅର୍ଜୁନହୁଂ ଦ୍ରୋପତୀକି ନୋହିବ ଆନ ବର ।୫୩୧।

ଗାଢ ବାକ୍ୟ ଯହୁଂ ବୋଇଲେ ନାରାୟଣ

ସେ କଥା ବିଶ୍ରମିଲା ଅର୍ଜୁନ କର୍ଣ୍ଣେଣ ।୫୩୨।

 

ଗୋଳ ଶବଦ ଶୁଣି ବିସ୍ମୟେ ଯିଘ୍ନସେନୀ

ସୁମରଇ କାତ୍ୟାୟିନୀ ଗୋ ଦୁରିତ ନାଶନୀ ।୫୩୩।

ତୁ ଦେବୀ ଜଗତ ତାରଣୀ ମହାମାୟେ

ଭଗତ ମଚ୍ଛଳୀ ଗୋ ଖଣ୍ଡୁକି ନା ଅସଦ ଅପଚୟେ ।୫୩୪।

ତୋହୋର ପରସନ୍ନେ ମୁଂ ଲଭିବି ନିଜ ପତି

ତୋହୋର ସଞ୍ଚିଲା ମା ଗୋ ଲଭିଛି ଅନୀତି ।୫୩୫।

 

ଶ୍ରୀହସ୍ତେ ଘେନିଛି ଦେବୀ କନକ ପୁଷ୍ୟମାଳି

ଦୁର୍ଗାକଇଂ ଲୟ କରି ସୁମରଇ ପାଞ୍ଚାଳୀ ।୫୩୬।

ଦ୍ରୋପତୀର ବଇକୁଲ୍ୟ ଅର୍ଜୁନ ଯେ ଦେଖି

ବଦନ ନିରୋପଇ ଶରଦ ଶଶୀମୁଖୀ ।୫୩୭।

 

ଅର୍ଜୁନ ବୋଇଲେ ଗୋ ରହ ରହ ଯିଘ୍ନସେନୀ

ଅନମିତେ କ୍ରୋଧ କିମ୍ପେ କରୁରେ ମାନିନୀ ।୫୩୮।

ଯଦ୍ୟପି ଦୁଷ୍ଟେ ଗୋ କରିବେ ଆଜ ଗୋଳ

ୟେ ମହାଲାଖ ଗୋ ବିନ୍ଧିବି ଶତେ ବଳ ।୫୩୯।

ଶୁଣିଣ ଦ୍ରୋପତୀ ଯେ ପରମ ସାନନ୍ଦେ

ଅନେକ ହରଷ ବାଳୀ ହୋଇଲା ତାର ହୃଦେ ।୫୪୦।

 

ଅର୍ଜୁନ ବୋଇଲେ ଶୁଣ ଧୃଷ୍ଟଦୃମନ

ରାଜାମାନଙ୍କୁ ଯେ ଯାଇ କର ସମାଧାନ।୫୪୧।

ଯେ ଘାନ୍ତି ଆର ବେଳେ ଗୋ ବିନ୍ଧିବି ମହାଲାଖ

ଚକ୍ର ସହିତେ ଛିନାଇବି ସମସ୍ତେହେଂ ଦେଖ ।୫୪୨।

ବାସବିର ବଚନେ ଧୃଷ୍ଟ ଯେ ଦୃମନ

ସଭାରେ ସମ୍ବୋଧନା କରନ୍ତି ରାଜାଗଣମାନ ।୫୪୩।

 

ଭୋ ରାଜାଗଣମାନେ ଶୁଣିମା ସାବଧାନେ

ପୁଣିହିଂ ଲାଖ ଯେ ବିନ୍ଧିବ ବିପ୍ରଜନେ ।୫୪୪।

ପ୍ରତକ୍ଷେ ଧର୍ମବଳଦେଖିବା ୟେହିକ୍ଷଣି

ଧୃଷ୍ଟଦୃମନ ସେ ଯେ କହନ୍ତି ପୁଣ ପୁଣି ।୫୪୫।

ଥିର ହୋଇ ତୁମ୍ଭେ ଲାଖକୁ କରିବା ନୟନ

ୟେ ଘାନ୍ତି ଲାଖ ଯେ ବିନ୍ଧୁଅଛଇ ବ୍ରହ୍ମଣ ।୫୪୬।

 

ଧୃଷ୍ଟଦୃମନ ବଚନ ରାଜାଗଣେ ଶୁଣି

ଯେ ଯାହାର ଆସ୍ତାନେ ବସିଲେ ନୃପମଣି ।୫୪୭।

କରେଣ ଧନୁ ଧରି ବୀର ଅର୍ଜୁନ ଆମଞ୍ଚି

ବିଚାରଇ ବାସବି ଧନୁରେ ବଳ ନାହିଂ କିଛି ।୫୪୮।

ବଳହୀନେ ଯେବେ ମୁଂ ସୁମରିବି ମୋର ଧନୁ

ପୁଣିହିଂ ନାସ୍ତି ଭାଷିବେ ରାଜାଗଣମାନୁଂ।୫୪୯।

 

ଦ୍ରୋପଦର ପୁତ୍ରକୁ ସନ୍ନିଧ୍ୟେ ହକାରି

ପ୍ରିୟ ଭାବ କରିଣ ଯେ ଅର୍ଜୁନ ପଚାରି ।୫୫୦।

ଆହୋ ଧୃଷ୍ଟଦୃମନ ଶୁଣିମା ସାବଧାନେ

ୟେ ଧନୁ ବଳହୀନ ହୋଇଲା ବିନ୍ଧିବି ଟି କି ଆନେ।୫୫୧।

 

ଧୃଷ୍ଟଦୃମନ ବୋଇଲ ଅବା ମୁଂ କରିବି ସନମତ

ରାଜାମାନଙ୍କୁ ପଚାର ତହିଂର ତଦନ୍ତ ।୫୫୨।

ୟେତେ ବୋଲି ଧୃଷ୍ଟଦୃମନ ସଭା ମଧ୍ୟେ କହି

ସାବଧାନ ହୋଇ ଶୁଣ ଆହୋନ ରସାଇଂ।୫୫୩।

ୟେ ଧନୁରେ ବଳ ନାହିଂ ଆରେକ ଧନୁରେ

ବିନ୍ଧିବାକୁ ବ୍ରାହ୍ମଣ କରନ୍ତି ସ୍ୱ ଇଚ୍ଛାରେ ।୫୫୪।

 

ରାଜାମାନେ ବୋଇଲେ ୟେ ନୁହଇ ଯୁଗତ

ତୋହୋର ଆନ ସିନା ହୋଇବ ସତ୍ୟବ୍ରତ ।୫୫୫।

ୟେହା ଶୁଣି ଅର୍ଜୁନ ବିଚାରେ ମନେ ଗୁଣି

ଦୁସହ ସଙ୍କଟ ମୋତେ ନାରାୟଣ ବିହିଲେକ ଆଣି ।୫୫୬।

ପଟାର ଉପରେ ଥାଇ ସୁମରଇ ମଘବା

ଭୋ ପିତା ଗାଣ୍ଡୀମ ଧନୁମୋତେ ଦେବା ।୫୫୭।

 

ଅର୍ଜୁନର ସଙ୍କେତ ଜାଣି ପୁରନ୍ଦର

ଅନ୍ତରୀଛେ ଗାଣ୍ଡୀମ ଆଣି ଦିଲେ ଅର୍ଜୁନର କର ।୫୫୮।

ୟେସନେକ ଚରିତ୍ର କାହାକୁ ନାହିଂ ଦୃଶ୍ୟ

ଇନ୍ଦ୍ର ଆଣି ଦେବା ଜାଣନ୍ତି ନାରାୟଣ ବେଦବ୍ୟାସ ।୫୫୯।

ଅର୍ଜୁନ ବୋଇଲା ୟେ ଧନୁ ଥୋଇବଇଂ କାହିଂ

ରାଜାୟେ ପୁଣ ଗୋଳ କରିବେ ୟେହା ଚାହିଂ ।୫୬୦।

 

ୟେତେକ ବିଚାରି ସେ ବାସବର ତନୁ

ଆକ୍ରେଷି ଅର୍ଜୁନ ଯେ ଧଇଲା ବେନି ଧନୁ ।୫୬୧।

ଗୋବିନ୍ଦେ ବୋଇଲେ ସ୍ୱାମୀ ଶୁଣ ବଳରାମ

ଅର୍ଜୁନ ପ୍ରତଗ୍ୟାଂ ହାଦେ ୟେସନ ଉତକର୍ମ।୫୬୨।

ଦୁତୀ ପିନାକରେ ମନ ଭେଦୀ ଶର ସନ୍ଧି

ଅର୍ଜୁନ ବିନୋୟି ଭଗତ ହୋଇ ଶହସ୍ରକୁ ବନ୍ଦି ।୫୬୩।

 

ଚକ୍ରଭେଦି ମାଛର ବାମ ନୟନେ ଗଳିବୁ

ଡାହାଣ ଚକ୍ଷୁବାଟେ ଝଲକି ନିକିଳି ରହିବୁ ।୫୬୪।

ଆପଣାର ଗାଣ୍ଡୀମରେ ବସାଇଲା ତୀକ୍ଷ ଶର

ତୁ ଯାଇ ପଡିବୁ ରାଧାଚକ୍ରରଉପର ।୫୬୫।

ଚକ୍ର ଛିନାଇ ପକାଇବୁ ଭୂମିଗତେ

ରାଜାଗଣମାନେ ଦେଖନ୍ତୁ ସମସ୍ତେ ।୫୬୬।

 

ଦୁଇ ଧନୁରେ ଅର୍ଜୁନ ଦୁଇ ଶହସ୍ର ଧରି

ଆକ୍ରେଷି ଛାଡିଲା ଗୁଣ ଆମଞ୍ଚନ କରି ।୫୬୭।

ତଳକୁ କଲା ଦୃଷ୍ଟି ଉପରକୁ କଲା ମୁଷ୍ଟି

ବିଶ୍ମରୂପ ପ୍ରକାଶ କଲାକ କିରୀଟୀ ।୫୬୮।

ଅନ୍ତରୀଛ ମାର୍ଗେ ଚଳିଗଲା ବେନିଶର

ଦୁଇ ଲକ୍ଷ ବଳ ଅଟଇ ଯେ ସେ ବେନି ଧନୁର ।୫୬୯।

 

ସଭାର ଅଭିମାନେ ଅର୍ଜୁନ କୋପେ ଶର ସନ୍ଧି

ଶ୍ରୀଜଗନ୍ନାଥ ସୁମରି ଆକ୍ରେଷି ନାରାଜ ବିନ୍ଧି ।୫୭୦।

ମନଭେଦୀ ନାରାଜ ଗଲାକ ଶୂନ୍ୟପଥେ

ଝାତିକାରେ ପଡ଼ିଲା ମାଛର ବାମ ନେତ୍ରେ ।୫୭୧।

ଡାହାଣ ଚଛୁ ବାଟେ ନିକିଳି ରହିଗଲା ଶର

ଆଗ୍ୟାଂ ପ୍ରମାଣେ ରହିଲା ମାଛର ବାମ ଚଛୁର ।୫୭୨।

 

ଆହୋ ପଶୁପତ୍ର ନାରାଜ ଯେ ଗଲା ପଛକତି

ଚକ୍ର ଉପରେଣ ପଡ଼ିଲାକ ଯାଇଂ ଝାତି ।୫୭୩।

ମାଛ ଘେନି ରାଧାଚକ୍ର ଭୂମିରେ ପଡ଼ଇ ଛିଡ଼ି

ଆସ୍ତାନ ସନ୍ନିଧ୍ୟେ ରାଜାଙ୍କ ଛାମୁରେଣ ଯାଇଂ ପଡ଼ି ।୫୭୪।

ଶ୍ରୀହସ୍ତେ ତୋଳି ଘେନିଲେ ଦ୍ରୋପଦେଶ୍ୱର ରାୟେ

ଦ୍ରିଯୋଧନ ଛାମୁରେ ନେଇ ପ୍ରତକ୍ଷେ ଦେଖାୟେ ।୫୭୫।

 

ତୁ ଯେ ନାସ୍ତିକରି ବାବୁ ପାତିଲୁ ମହାଗୋଳ

ଭୀଷ୍ମ ଦ୍ରୋଣ ଆଦି କରି ଦେଖହେ ସକଳ ।୫୭୬।

କରେଣ ଘେନିଲେ ଶିଖଣ୍ଡୀ ଧୃଷ୍ଟ ଯେ ଦୃମନ

ଦୁଜେ ଦେଖାଇଲେ ନେଇ ଜାରାସନ୍ଧ ରାଜାର ସନ୍ନିଧାନ ।୫୭୭।

ମନଭେଦୀ ନାରାଜ ମାଛର ବାମଚଛୁରେ ଭେଦିଅଛି

ଦେଖି ରାଜାଗଣମାନଙ୍କର କିଛି ନଫୁରଇ ବାଚି ।୫୭୮।

 

ଶଙ୍ଖ ଧୁନି ଶବଦ ଯେ କଲେ ଦେବହରି

ତ୍ରୈଲୋକ୍ୟ କମ୍ପିଲା ପଞ୍ଚଜନ୍ୟ ଶଙ୍ଖ ଶବଦରେ କରି ।୫୭୯।

କରେଣ ସୁନ୍ଦରୀ ଘେନିଣ ରତ୍ନମାଳୀ

ଅର୍ଜୁନ ସନ୍ନିଧ୍ୟେ ଯାଇଂବି ଜୟେ ପାଞ୍ଚାଳୀ ।୫୮୦।

ମାଳା କଣ୍ଠେ ଦିଅନ୍ତେ ବୋଲଇ ଫାଲଗୁନି

ମୁକୁ ବରଣ ନ କର ଗୋ ଯିଘ୍ନସେନୀ ।୫୮୧।

 

ଯହୁଂ ଅର୍ଜୁନ ଦ୍ରୋପତୀକି ବରିତ ନ ଦିଲା

ମାନଗୋବିନ୍ଦ ଶଙ୍କୁନିକି ହକାରି ପୁଚ୍ଛା କଲା ।୫୮୨।

ବ୍ରାହ୍ମଣର ଆଶା ଦେଖିଲୁଟିକି ମାତୁଳ

ଧନ ଆଶେ ବ୍ରାହ୍ମଣ ନଘେନିଲା ବରଣ ମାଳ ।୫୮୩।

ଚଳସି ମାତୁଳ ହୋ ଦ୍ୱିଜବର ପାଶ

ଦ୍ରୋପତୀକି ବ୍ରାହ୍ମଣକୁ ସନ୍ନିଧକୁ ଘେନି ଆସ ।୫୮୪।

 

ଧନକୁ ବ୍ରାହ୍ମଣ କଲା ଯେବେ ଇଚ୍ଛା

ଦେବା ଯେତେକ ସେ ରତ୍ନ କରଇ ମନେ ବାଞ୍ଛା ।୫୮୫।

ରାଜାର ଆଗ୍ୟାଂରେ ଗାନ୍ଧାରସେନର ସନ୍ତତି

ତତକ୍ଷଣେ ମିଳିଲା ଯାଇ ବ୍ରାହ୍ମଣର କତି ।୫୮୬।

ୟେକାନ୍ତେ ବ୍ରାହ୍ମଣକୁ ସନ୍ନିଧ୍ୟେଣ ହକାରି

ସାଧୁ ଧନ୍ୟ ବ୍ରାହ୍ମଣ ହୋ ଜୀବନ ତୋହୋରି ।୫୮୭।

 

ଯେବଣ ଲାଖ ବିନ୍ଧି ନପାରିଲେ ତ୍ରଇଲୋକ୍ୟେ

ତୁ ତାହା ଜୟକଲୁ ଲକ୍ଷେ ରାଜାର ସନମୁଖେ ।୫୮୮।

କୁଞ୍ଜଗଳ ଆଧିପତି ରାଜା ମାନ ଯେ ଗୋବିନ୍ଦ

ତାହାର ସନ୍ନିଧକୁ ଆସିବୁ ତୋତେ ଆଗ୍ୟାଂ

ଦେଇଛି ସାନନ୍ଦ ।୫୮୯।

ତୁ ତ ବ୍ରାହ୍ମଣ ହୋ ଅଟୁ ଭିକ୍ଷାବାସୀ

କର୍ମେ ପ୍ରାପତ ତୋତେ ହୋଇଲା ଶୁଭ୍ରକେଶୀ ।୫୯୦।

ରାଜାର କୁମାରୀ ସେ ଅଟଇ ପୁଣ୍ୟମାନୀ

ତୋହୋର ତହୁଂ କନ୍ୟା ଯିବେଟି ବଳେ ଘେନି ।୫୯୧।

 

ଯେତେ ଧନ ଇଚ୍ଛା ତୋତେ ତେତେ ଧନ ଦେବା

ଶତେ ବିଳାସୁଣୀ ତୋତେ ପ୍ରଦାନ କରାଇବା ।୫୯୨।

ବେହେରା ମହାପାତ୍ର ପଣେ ତୋତେ ଦେବା ଶାଢୀ

ତୁହି ସେ ପଞ୍ଚକଟକେ ହୋଇବୁ ଅଧିକାରୀ ।୫୯୩।

ୟେସନକ ବଚନ ଶୁଣି ବୋଲଇ ଅରଜୁନ

ୟେ କଥାମାନ ମୋର ନ ପଶଇ କର୍ଣ୍ଣ ।୫୯୪।

 

ଆହୋ ମନ୍ତ୍ରୀ ଶଙ୍କୁନି ତୋହୋର ସବୁ କଥା ମିଛ

ମୁଂ ପଞ୍ଚୁ ରାଜ୍ୟେ ଅଧିକାରୀ ୟେ କଥା ପ୍ରତ୍ୟକ୍ଷ ।୫୯୫।

ଆଜ ଅବଶ୍ୟ ତୁମ୍ଭେ ଆମ୍ଭର ତୁଲେ ଦ୍ୱନ୍ଦ ଯେ କରିବ

ସାଂଗ୍ରାମ କଲେ କେହି ଜଣେ ଆଜ ବ୍ରତି ଯେ ନଯିବ ।୫୯୬।

ୟେସନ କରି ତୁମ୍ଭଙ୍କୁ ନିର୍ବାଣ କଲା ବିଧାତା

ପାଞ୍ଚାଳ ରାଜ୍ୟେ ହୋ ତୁମ୍ଭର ମୃତ୍ୟୁ ସମାଗତା ।୫୯୭।

 

ଆବର ଧନକଇଂ ଇଚ୍ଛା ଯେବେ ବଳିଲା ତୁମ୍ଭର

ଭାନୁମତୀକି ଆନ କାହାକୁ ଦେଇ ଧନ କାମ୍ୟ କର ।୫୯୮।

ୟେସନେକ ବଚନ ଯହୁଂ ବ୍ରାହ୍ମଣ ବୋଇଲା ଉଚ୍ଚ ସ୍ୱରେ

ଭୂରିସର୍ବା ଗାଙ୍ଗେବ ହସିଲେ ନାସାରେ ଦେଇ କରେ ।୫୯୯।

କୋପେଣ ବୋଇଲା ସେ କୁମାର ଧୁଶାସନ

କ୍ଷତ୍ରୀ ହୋଇ ସହିବାକି ୟେସନେକ ଅଭିମାନ ।୬୦୦।

 

ସମୋଦ୍ର ଲଘିଂଲେ କି ରକ୍ଷା ହୁଅଇ କୂଳ

ମେରୁ ଟଳିଲେ କି ପୃଥୀକି କାହିଂ ଥଳ ।୬୦୧।

ଭିକ୍ଷାଶୀ ବ୍ରାହ୍ମଣକୁ କାହିଂକି ୟେତେକ ବିନୟେ

ଲେଞ୍ଚନ୍ତ ଗଉରୋବ କଲେ ୟେମନ୍ତ କଥା ହୋୟେ ।୬୦୨।

ୟେ ଛାର ଭିକ୍ଷାଶୀକି କିମ୍ପେ ଆମ୍ଭେ ଧନ ଦେବା

ବ୍ରାହ୍ମଣକୁ ହାବୋକା ମାରି କନ୍ୟା ଘେନିଯିବା ।୬୦୩।

 

ୟେତେ ବୋଲି ଧୁଶାସନ ଧାଇଂଲା ଆସ୍ତାନୁ

ଚଉଷଠୀ ଭାର ଗଦା ଘେନି ଧାମଇଂ ଗାନ୍ଧାରୀର ତନୁ ।୬୦୪।

ପ୍ରତଗ୍ୟାଂ ସାମରଥ ରେ ରେ କାର କରି ମୂର୍ତ୍ତି

ଶିଖଣ୍ଡୀ ଧୃଷ୍ଟଦୃମନେ ଅଛନ୍ତି ପାଥ କତି ।୬୦୫।

ଆପଣେ ଦ୍ରୋପଦ ଧୁଶାସନକୁ ପ୍ରବୋଧି

ସତ୍ୟ ଲଘିଂଲେ ବାଭିୟେ ହୋଉଛି ଅବିଧି ।୬୦୬।

 

କୋପେଣ ଧୁଶାସନ ଚାପୋଡ଼େକ ମାରି

ପଡିଲା ଦ୍ରୋପଦେଶ୍ୱର ରୁଧିର ଉଦୁଗାରି ।୬୦୭।

ରାଜାର ଅସାଷ୍ଟମ ଦେଖି ଶିଖଣ୍ଡୀ ବାହୁଡ଼ିଲା

ଧୃଷ୍ଟଦୃମନ ଯାଇ ଧୁଶାସନକୁ ଓଗାଲିଲା ।୬୦୮।

ଶିଖଣ୍ଡୀ ବୋଇଲା ହୋ ଶୁଣ ଦ୍ୱିଜବର

ଦ୍ରୋପତୀକି ଘେନି ହୋ ଯାଅ ଆମ୍ଭପୁର ।୬୦୯।

 

ଧିୁଶାସନ ଯହୁଂ ଆକ୍ରେଷିଲା ଧୃଷ୍ଟଦୃମନକୁ

ଅଶୀ ସହସ୍ର ଯୋଦ୍ଧା ଯାଇଂ ଆବୋରିଲେ ତାହାକୁ ।୬୧୦।

ସାଷ୍ଟମ ହୋଇଣ ଯେ ଦ୍ରୋପଦେଶ୍ୱର ଉଠି

ଆଶ୍ୱାସିଲେ ଯାଇଂଣ ଅର୍ଜୁନ ମୁଖ ଗୋଟି ।୬୧୧।

ମୁହିଂ ତୋର ଅପାଦ ଘେନଇଂ କି ନା ବାବୁ

ଅପସରି ଯାଅ ବାବୁ ୟେଥେ ଥିଲେ ନାଶ ଯିବୁ ।୬୧୨।

 

ଦ୍ରୋପତୀ ପ୍ରଣପତ୍ୟ ଅର୍ଜୁନ ପାଦ ବେନି

ଘୁଞ୍ଚସି ପଣ୍ଡାୟେ ସବୁରି ଦଇନି ଘେନି ।୬୧୩।

କୋପେଣ ଆସୁଅଛି ଯେ ଧୁଶାସନ ମନ୍ଦ

ଭାଇ ମୋହୋର ନସହିବେ ୟେହିକ୍ଷଣି ହୋଇବ ଦ୍ୱନ୍ଦ।୬୧୪।

ଦୃଭାର ରାଜାୟେ ଅଟଇ ମାନଗୋବିନ୍ଦ

କର୍ଣ୍ଣ ଜଦ୍ୟରଥ ଶିଶୁପାଳ ଆବର ଜରାସନ୍ଧ ।୬୧୫।

 

ପୁଣ୍ଡରିକ ଦନ୍ତବକ୍ର ବାଣାସୁର ନାରକା

ଭାଇମାନେ ଭାଞ୍ଜିବେଟି ସଙ୍ଗେ ଥିବୁ ତୁ ୟେକା ।୬୧୬।

ମୁହିଂ ସ୍ୱାମୀ ତୋର ଅପାଦ ଘେନି ଯାଇଂ

ଶରୀର ନାଶ ନ କର ମୁହିଂ ଅନାସ୍ତିନୀ ପାଇଂ ।୬୧୭।

ସ୍ୱାମୀ ୟେକା ପ୍ରାକର୍ମେ କାହିଂ ଧରି ହୋଅଇ ପୃଥୀ

ୟେକା କଇବ୍ରତେ କି ସମୋଦ୍ର ହୋୟେ ମନ୍ଥି  ।୬୧୮।

 

ପର୍ବତ ଟଳଇ କି ୟେକା ଜଣକର ବଳେ

ବହୁତ କ୍ଷୟ ଯାଇକି ୟେକା ଜଣକର କୋପ କଲେ ।୬୧୯।

ଦେବତାହିଂ ହୋଇଲେ ନ ଶୋହଇ ୟେକା

ୟେକା ଜଣକର ଥିଲେ ତୀର୍ଥ ନୋହେ ଲେଖା ।୬୨୦।

ନାଶ ଯିବୁନା ସ୍ୱାମୀ କାର୍ଯ୍ୟ ନୋହିବ କିଛି

ୟେକା ସରଜନନ୍ତ କାହିଂରେ ନପୁଚ୍ଛି ।୬୨୧।

 

ଯହୁଂ କଟାଳ ଆସି କଲାକ ଧୁଶାସନ

କରେଣ ଶହସ୍ର ଧଇଲେ ଧୃଷ୍ଟ ଯେ ଦୃମନ ।୬୨୨।

ଦ୍ରୋପତୀ ବଇଲୁକ୍ୟ ହୋଇ ସୁମରିଲେ ଭଦ୍ରକାଳୀ

ମା ଗୋ ଦ୍ରିଯୋଧନ ପାମର ତ ସତ୍ୟକୁ ନପାଳି ।୬୨୩।

ଆରେ କଉରୋବ ଆମ୍ଭନ୍ତ ଦିଅ କଷ୍ଟ

ସତ୍ୟ ନ ପାଳି ଯେ ଲଂଘୁଛ ପାପିଷ୍ଠ ।୬୨୪।

 

ମୁହିଂ ଯେ କ୍ରୋଧେତ ହୋଉ ଅଛି ବଇକୁଲ

ୟେ ମୋହୋର ଲୁଅ ତୁମ୍ଭଙ୍କୁ ହୋଇବକି ଭଲ ।୬୨୫।

ଯଦ୍ୟପି ମୁହିଂ ନିଶ୍ଚେ ଅଟଇ ଯିଘ୍ନସେନୀ

ଅଗ୍ନିରୁ ଉପୁଜିଲି ଅଦାରା ଅଯୋନି ।୬୨୬।

ଯଦ୍ୟପି ମୁହିଂ ଅଟଇ ସତ୍ୟବତୀ

ମହାମନ୍ତ୍ରେ ଜାତ କଲେ ବ୍ୟାସ ମହାଯତି ।୬୨୭।

 

ୟେ ମୋହୋର ଶାପ୍ୟ ପ୍ରତକ୍ଷେ ତୁମ୍ଭଙ୍କୁ ପଡ଼ୁ

ୟେହୁ ସ୍ୱାମୀଙ୍କର ହାଥରେ କଉରୋବନ୍ତ କନ୍ଧ ଛିଡ଼ୁ ।୬୨୮।

ଶୁଣିଣ ବାସବି ଯେ ମନେ ତ୍ରାସ

ନପୁଣ ଦ୍ରୋପତୀ ବୋଲେ ତୁମ୍ଭର ବଂଶ ଯାଉ ନାଶ ।୬୨୯।

ବେଳେ ବେଳେ ବଢାଇ ଆସୁଅଛି କୋପ

ଆମ୍ଭର କତିକି ୟେହାର ଆସିବ ଅଭିଶାପ ।୬୩୦।

 

ୟେ ମହାସତୀର ଶାପ ନଯିବ ମେଣ୍ଟଣ

ଅର୍ଜୁନ ବୋଇଲେ ଦେବୀ ମୋହୋର ବାକ୍ୟ ଶୁଣ ।୬୩୧।

ତୁ ଯେ ବୋଇଲୁ ଦେବୀ ମୁକୁ ୟେକା

ୟେକା ହନୁମନ୍ତେ ଦହନ କଲା ଲଙ୍କା ।୬୩୨।

ୟେକା ମନ୍ଦରକେ ଖିରୋଦ୍ର ହାଦେ ମନ୍ଥି

ନିଦାଘ ବଳ ଧଂସିଲାଟି ୟେକା ନାରାୟଣ ମୃତି ।୬୩୩।

 

ବିନତାର ନନ୍ଦନ ଗରୁଡ଼ ଅଟଇ ୟେକା

ଧଂସିଲା ନାଗବଳ ନକଲା କିଛି ଶଙ୍କା ।୬୩୪।

ଇଚ୍ଛା କୁରବଂଶେ କୁମର ଭାଗ୍ୟରଥି

ୟେକା ୟେ ଆକାଶଗଙ୍ଗା ଆଣି ବୁହାଇଲା ପୃଥୀ ।୬୩୫।

ୟେକା ନାଗରାଜା ଯେ ଅଟଇ ଅନନ୍ତ

ଫେରୁରେ ଧଇଲା ଅଛି ନବଦୀପ ସିନ୍ଧୁ ସାତ  ।୬୩୬।

 

ୟେକା ପ୍ରଶୁରାମ କଲେ କ୍ଷତିବୃତ୍ତ

ୟେକୋଇଶ ବାର ପୃଥୀ କଲେ ନିଛତ୍ର ।୬୩୭।

ଆମ୍ଭର ଉପର ବଂଶେ ନୃପତି ଯଯାତି

ୟେକା ଜଣକେ ଭିଆଇଲା ନବ ଖଣ୍ଡ ପୃଥୀ ।୬୩୮।

ୟେକା ଅଗସ୍ତି ଋଷି ବାଳବିନୋଦ ଖେଡ଼େ

ସମୋଦ୍ର ଚଳୁୟେ କଲେଟି ସମ୍ପୋଡ଼େ ।୬୩୯।

 

ତୁ ମୋତେ ସଙ୍ଘାତୁଣୀ ନବୋଲନି ୟେକା

ଗଭୀର ସମୋଦ୍ରେ କାହିଂ ଦେଉ କାଠି ଯୋଖା ।୬୪୦।

ୟେହିକ୍ଷଣି ଦେଖ ମୋର ୟେକାର ଚରିତ୍ର

ମାରିବି ଦୁଷ୍ଟନ୍ତ ଆଜ କରିବି ଭଗନସ୍ତ ।୬୪୧।

ଲକ୍ଷେ ଯୋଦ୍ଧା ଘେନି କୁମାର ଶିଖଣ୍ଡୀ

ପବନ ଗତି ଯୋଦ୍ଧାୟେ ଗଜ ଅଶ୍ୱନ୍ତ ମଣ୍ଡି ।୬୪୨।

ଚୋଖାର ତୁରଙ୍ଗ ତୁଲେ ଯୋଦ୍ଧାୟେ ପାଞ୍ଚଲକ୍ଷ

ଶହସ୍ରନ୍ତ ବୁଲାଇ ଅର୍ଜୁନକୁ ହୋଇଲା ସାହାପକ୍ଷ ।୬୪୩।

 

ହସ୍ତେ ଧନୁ ଧରି ଗୁଣ ଟଙ୍କାର କରି

ଲକ୍ଷେ ପୂର କରି ଯେ ଧୁଶାସନକୁ ବେଢି।୬୪୪।

ଧୁଶାସନକୁ ବେଢିବା ଦେଖି କୁରୁପତି

ଆସ୍ତାନ ତେଜି ଉଠିଲା ମାନ ଚକ୍ରବ୍ରତୀ ।୬୪୫।

ମଣିନାଗ ନାମେ ୟେକଇ ମତ୍ତ ଗଜେ

ଧାତିକାରେଣ ତାହାର ପିଠିରେ କଲା ବିଜେ ।୬୪୬।

 

ସତୁରି ସତୁରି ଭାର ବେନି ଗଦା ହସ୍ତେ

ଯୋଦ୍ଧା ଅମନାତ୍ୟମାନେ ବସିଲେ ଯାଇ ରଥେ ।୬୪୭।

ଗଜ ରଥ ଅଶ୍ୱ ଯୋଦ୍ଧା ନଯାଇ ପରିକଳି

ଦୁନ୍ଦୁଭି ଶବଦେ ଯେ କମ୍ପଇ ମହୀଆଳୀ ।୬୪୮।

ପଶୁପତ୍ର ଗଦା ମୁଦୁଗର ଛେଲ ଚକ୍ର କାତି

କୁନ୍ତ ଖଡ଼ଗ ଅସିବର ମୂଷଳ ଶକତି ।୬୪୯।

 

ଧନୁଫଳା ଆଡ଼ଣ ଅସିପତ୍ର ଯାଠି

କମାଣ ଗୁରୁଜ ଉଦ୍ଦଣ୍ଡ ଖଡ଼ଗ ପାଟି ।୬୫୦।

ଧାମରେ ଧାମରେ ମାର ବେଗ ବେଗ ସାଜି

ଘଣ୍ଟାର ଶବଦେ ଗଜେ ଧାମନ୍ତି ଗଳଗାଜି ।୬୫୧।

ଜାରା ନାରକା ଶିଶୁପାଳ ରୁକ୍ମଣ

ରେ ରେ କାର ଶବଦେ ଉଠିଲେ ସମସ୍ତ ରାଜାଗଣ ।୬୫୨।

 

ପଣ୍ଡିତ ଧାର୍ମିକ ବିବେକ ଯେତେ ରାୟେ

ଦୁଷ୍ଟରାଜାମାନନ୍ତ ସମାର୍ଜନା କୟେ ।୬୫୩।

ଅନମିତ୍ତେ ଦ୍ୱନ୍ଦ ତୁମ୍ଭେ ନକର ବ୍ରାହ୍ମଣକୁ

ସାମାନ୍ୟ ପ୍ରାୟେକ ତୁମ୍ଭେ ନମଣ ତାହାକୁ ।୬୫୪।

ତୁମ୍ଭମାନଙ୍କୁ କିମ୍ପେ ଦୃଶ୍ୟ ହୋ ନୋହିଲା

ବ୍ରାହ୍ମଣ ନୋହୋଇ ସେ ନାରାୟଣ ବିଜେକଲା ।୬୫୫।

 

ଅସମ୍ଭବ ଲାଖ ବିନ୍ଧିଲା ଯୁଗତେ

ତୁମ୍ଭେ ତାହାକୁ ଦୂଷିତ କର କୋଉଣସି ମତେ ।୬୫୬।

ଯେ ସେ ଅପଣ୍ଡିତ ମୂର୍ଖ ଦୁଷ୍ଟ ଯେ ପ୍ରକୃତି

ପଣ୍ଡିତଙ୍କ କଥା ସେ ଶ୍ରବଣେ ନଶୁଣନ୍ତି ।୬୫୭।

ଦ୍ରିଯୋଧନ ବୋଇଲା ତୁମ୍ଭେ ନଜାଣ ହୋ କିଛି

ଆକାଶର ଜନ ଯେବେ ସରୂପ କାହିଂ ଅଛି ।୬୫୮।

 

ସେହୁ ଯେହୁ ବିଷ୍ଣୁ ଶଙ୍ଖ ଚକ୍ର ଗଦା କାହିଂ

ହୃଦରେ ୟେହାର ଯେ ଶ୍ରୀବତ୍ସ ଚିହ୍ନ ନାହିଂ ।୬୫୯।

ମର୍ତ୍ତ୍ୟ ଭୁବନରେ ବିଷ୍ଣୁ ଜନମ ହୋଇଲେ

ଗୋପେ ଜନ୍ମ ହୋଇ ନନ୍ଦ ସୁତ ବୋଲାଇଲେ ।୬୬୦।

ମଧୁପୁରେ ପଶି କଂସାସୁରକୁ ମାଇଲେ

ଅଷ୍ଟ ମଲ୍ଲ ଆଦି କରି ସର୍ବ ସଂହାରିଲେ ।୬୬୧।

 

ଉଗ୍ରସେନକୁ ତହିଂ ନୃପତି ପଦ ଦିଲେ

ସେହି ପୁଣି ଜାରାସନ୍ଧ ଭୟେ ପଳାଇଲେ ।୬୬୨।

ଶ୍ରୀଜଗନ୍ନାଥେ ଜାତ ହୋଇଲେ ମଧ୍ୟ ଭୁବନେ

ଜାରାସନ୍ଧ ଡରେ ପଳାଇ ପଶିଲେ ଦ୍ୱାରିକା ଭୁବନେ ।୬୬୩।

ଯଦ୍ୟପି ସମ୍ମୁଖେ ଆସିବ ଦେବରାଜ

କାହାର ଦର୍ପେ ୟେଥୁ କନ୍ୟା ନେଉ ଆଜ ।୬୬୪।

 

କେତେ ସାଂଗ୍ରାମ କରିବ ୟେ ବ୍ରାହ୍ମଣ ବଳବନ୍ତା

ମୋହୋର ଛାମୁରେ କନ୍ୟା କେହୁରେ ନିଅନ୍ତା ।୬୬୫।

ୟେତେ ବୋଲି କୋପ କଲା ଗାନ୍ଧାରୀର ସୁତ

କଦଳୀ ପତ୍ର ପ୍ରାୟେ କମ୍ପଇ ତାର ଗାତ୍ର ।୬୬୬।

ସୁବୁଦ୍ଧି ପଣ୍ଡିତ ରାଜାମାନେ ତିଆରୁଣ ଥିଲେ

ତାହାଙ୍କୁ ମାନଗୋବିନ୍ଦ କୋପେଣ ବୋଇଲେ ।୬୬୭।

ୟେତେକ ରାଜାମାନେ ସାଂଗ୍ରାଂକୁ କର ଅବା ଭୟେ

ଓପ୍ରୋଧ ଘେନି ତୁମ୍ଭେ ଚଳ ସର୍ବ ରାୟେ ।୬୬୮।

 

ପ୍ରତକ୍ଷେ ଦେଖିଲ ସେ ଅଇଲା ଦ୍ୱିଜବର

ଦେଖୁଂ ଦେଖୁଂ ବଣା କିମ୍ପା ଅନ୍ଧ ପରକାର ।୬୬୯।

ଦଦରା ଛତା ଖଣ୍ଡିଆ ପାଣ୍ଢୋଇ ହରିଗୋବିନ୍ଦ ମୁଣି

ତିନିକି ପକାଇ ବ୍ରାହ୍ମଣ ଅଇଲା ୟେହି କ୍ଷଣି ।୬୭୦।

ଲାଖ ଖଣ୍ଡ ଅବା ବିନ୍ଧିଲା ଧର୍ମ ବଳେ

ତାହା ଛାରକୁ ବୋଲ ତୁମ୍ଭେ କେବଣ ଦିଗପାଳେ ।୬୭୧।

 

ସଜ୍ଜନ ରାଜାମାନେ ହୋଇଲେ ଅନ୍ତର

ଜାଣିମା ୟେହିକ୍ଷଣି ପ୍ରତଗ୍ୟାଂ ତୁମ୍ଭର ।୬୭୨।

ଧର ଧର ମାର ମାର ପଡ଼ୁଅଛି ବୋବି

ଚରଣ ବିଘାତେ କମ୍ପୁଅଛି ପୃଥୀ ଦେବୀ ।୬୭୩।

ରଥ ଗଜ ଅଶ୍ୱ ପାଦାନ୍ତି କଳନା ନ ଯାଇ

ଭେରୀ ମହୁରୀ ତାଳ କଂସାଳ ମୁରଜ ବାଜଇ  ।୬୭୪।

 

ମହୀକି ଘୋଟିଲା ଉଛୁଳିଣ ନଦୀରାଜ

ଶବଦ ଶୁଭିଲା ଶୂନ୍ୟେ ଥାଠ ସାଜ ସାଜ ।୬୭୫।

ୟେସନେକ ଶବଦ ଯହୁଂ ଶୁଣିଲେ ବ୍ରାହ୍ମଣେ

ସର୍ବେ ସଭାରୁ ଉଠିଲେ କୋପଭର ମନେ ।୬୭୬।

ଭୀମ ନକୁଳ ଯେ ସହଦେବ ଅଛନ୍ତି ବସି

ଠାକୁରଙ୍କ ଆଗ୍ୟାଂକୁ ସେ ଅଛନ୍ତି ଉଦ୍ଦେଶି ।୬୭୭।

 

ବ୍ରାହ୍ମଣମାନେ ତହିଂ ଧାଇଂଲେ ଧାତିକାରେ

ଆମ୍ଭର ପ୍ରତଗ୍ୟାଂ ଭ୍ରଷ୍ଟ କରି ଲୋଡ଼ଇ କେ ରେ ।୬୭୮।

କେହୁ ପୀଢାନ୍ତି ଘେନିଲେ ଡାହାଣ ହସ୍ତରେ

କେହୁ ଗଡୁ କପୋରା ଘେନିଲେ ବାମ କରେ  ।୬୭୯।

ଶ୍ରୁବଡ଼ାଙ୍ଗ ପ୍ରୋକ୍ଷଣୀ କେ ବୁଲାଇ କୋପଭରେ

ମାର ମାର ବୋଲି ଧାଇଂଲେ ଦ୍ୱିଜବରେ ।୬୮୦।

ଛତାନ୍ତ ଭାଞ୍ଜିଣ କେ ବେଣ୍ଟମାନନ୍ତ ବୁଲାଇ

ଖଣନ୍ତାକର ଯଷ୍ଟି ଘେନି ବିପ୍ରେ ବେଗେ ଧାଇଂ ।୬୮୧।

 

ରେ ରେ କାର କରି ବ୍ରାହ୍ମଣେ ମାଡ଼ି ପଡ଼ିଲେ ତହିଂ ।୬୮୨।

ବ୍ରାହ୍ମଣଙ୍କର ମୂର୍ତ୍ତି ସନ୍ୟଙ୍କର ଉଚ୍ଚ ବାଚେ

ଭୀମସେନ ଶରୀର କମ୍ପଇ ରୋମାଞ୍ଚେ ।୬୮୩।

ଶରୀର କମ୍ପନ୍ତେ ଯେ ଯୁଝେଷ୍ଠି ଦେବେ ଚାହିଂ

କେମନ୍ତ ହେ ପଣ୍ଡାୟେ ତୁମ୍ଭେ ଲୋଡ଼ କି ନା ଯାଇ ।୬୮୪।

 

କିଞ୍ଚିତ ଆଗ୍ୟାଂ ଭୀମା ଲୋଡୁଥିଲ ମନେ

ଯାଇଂ ଲୋଡ଼କି ବୋଲନ୍ତେ ଧାଇଂଲା ଭୀମସେନେ ।୬୮୫।

ଆଗେଣ ଦେଖିଲା ଯେ ତେନ୍ତୁଳି ବେନି ବୃକ୍ଷ

ଧାତିକାରେ ଉପାଡ଼ିଲା ତାହା ପବନର ବଚ୍ଛ ।୬୮୬।

ବଳରାମେ ବୋଇଲେ ତୁ ଦେଖ ଦେଖ ଜଗନ୍ନାଥ

ଅର୍ଜୁନ ଚରିତ୍ର ହୋଇଲା କେମନ୍ତ ।୬୮୭।

 

ଗୋବିନ୍ଦେ ବୋଇଲେ ସ୍ୱାମୀ ଦେଖ ହୋ ବଳରାମ

ବେନି ବୃକ୍ଷ ବୁଲାଇ ରଣେ ବିଜେ କଲା ବୀରଭୀମ ।୬୮୮।

ଉଭା ହୋଇଣ ଚାହିଂଲେ ଦେବ ହଳପତି

ଦେଖିଲେ ଭୀମସେନର ବ୍ରିକୋଦର ମୂରତି ।୬୮୯।

ନୃସିଂହ ମୂରତି ଯେହ୍ନେ ହିରଣ୍ୟ ବିଦାରଣ କାଳେ

ତମ୍ବାଚକ୍ର ଜାଣି ଭୀମର ଭ୍ରମଇ ବେନି ଡୋଳେ ।୬୯୦।

 

ପୋତିଲାର ପର୍ବତ ଯେହ୍ନେ ଆସଇ ଉୁପୁଡି

ଆଗେଣ ପଡିଲାକ ଆସି କୃତାନ୍ତକ ଧାଡ଼ି ।୬୯୧।

ଆରେ ଆରେ ବୋଲି ଭୀମ ରଡ଼ିୟେ ଛାଡ଼ିଲା

ମଧ୍ୟ ଭୁବନ କି ହାଦେ ଲେଉଟି ପଡ଼ିଲା ।୬୯୨।

ପାଞ୍ଚଲକ୍ଷ ଯୋଜନା ଯେ ସଂଯମନୀ ପୁର

ଆସନ ତେଜିଣ ଯେ ତ୍ରାସିଲେ ଦେବ ନାଶକର ।୬୯୩।

 

କୃଷ୍ଣ ବୋଇଲେ ଯେବଣ ବୃକ୍ଷକରେ ଉପାଡ଼ିଲା ଭୀମ

ସେ ବୃକ୍ଷ ଆଝୁଂ ହୋଇଲା ପାଣ୍ଡବ ତରୁ ନାମ।୬୯୪।

ଭୀମସେନ ମୂର୍ତ୍ତି ଯହୁଂ ଦେଖିଲେ ଯୁଝେଷ୍ଠି

ଲଲାଟେ ତାଡ଼ିଲେ ନେଇ ବେନିକର ଗୋଟି ।୬୯୫।

ଶରୀର କମ୍ପନ୍ତେ ବୋଇଲେ ଲୋଡୁ କିରେ ଯାଇ

ୟେତକ ମାତ୍ରକେ ଧାଇଂଲା ଗର୍ଜନ ନାଦ ଦେଇ ।୬୯୬।

 

ଆବର ଆଶ୍ଚର୍ଯ୍ୟ ଦେଖ କରେଣ ବେନି ବୃକ୍ଷ

ପ୍ରତକ୍ଷେ ଦେଖିଲୁଂ ମାଇଲା ବକା ହିଡିମ୍ବକ ।୬୯୭।

ବନସ୍ତରୁ ଅଭିମାନ ଶରୀରେ ଅଛି ଧରି

ଭାଇନ୍ତ ମାରିବ ମୋର ସେ ରାଗ ସୁମରି ।୬୯୮।

ବାବୁ ନକୁଳ ରେ ଯାଅ ବେଗ ହୋଇ

ମୋହୋ ଆନ ପାଡ଼ି ଭୀମକୁ ଯାଇ ଆଣ ବାହୁଡ଼ାଇ ।୬୯୯।

 

ଧାମଇଂ ନକୁଳ ଯେ ସ୍ୱାମୀର ଘେନି ଆଗ୍ୟାଂ

ଭୀମହୁଂ ବଳିଲା ଯେ ନକୁଳର ପ୍ରତଗ୍ୟାଂ ।୭୦୦।

ଭୀମର ତୁଲେ ନକୁଳ ହୋଇଲାକ ସଙ୍ଗ

ସେହି ପୁଣି ବେନି ବୃକ୍ଷ ଉପାଡ଼ି ଧାମଇଂ ଅତି ବେଗ ।୭୦୧।

ନିର୍ଧୂମ ଅଗ୍ନି ଜାଣି ବିକାଶଇ କାୟେ

ପ୍ରତକ୍ଷେ ଦିଶନ୍ତି ସେ କେତୁ ମଙ୍ଗଳର ପ୍ରାୟେ।୭୦୨।

 

ଯୁଝେଷ୍ଠି ବିଷାଦ ହୋଇଲେ କପୋଳେ ଦେଇ ନିଜ ହସ୍ତ

ସହଦେବକୁ ବୋଇଲେ ବାବୁ ହୋଇଲା କେମନ୍ତ ।୭୦୩।

ୟେକରୁ ହୋଇଲେ ଦୁଇ ଦୁଇରୁ ହୋଇଲେ ତିନି

ସଞ୍ଚୟେ ବୁଡ଼ିଲା ଦ୍ରିଯୋଧନ ଆଜ

ଯିବକି ଦେହ ଘେନି।୭୦୪।

ରାଗେଣ ଭୀମସେନ ଆଜ ସବୁନ୍ତି ମାରିବ

ଅନ୍ଧରାଜା ଗୋଟି ମୋର ଆଜ ଅନାସ୍ତ ହୋଇବ ।୭୦୫।

 

ବାବୁ ୟେ କଥା ନଯୋଗାଇରେ ମୋହୋର ମନକୁ

ସ୍ତିରୀ ଛାର ପାଇଂ କିମ୍ପା ମାରିବା ସୋଦରଙ୍କୁ ।୭୦୬।

ବାବୁ ନୋହୁ ନୋହୁ ଦ୍ରୋପତୀରେ ଆମ୍ଭର

ତେଣେ କାର୍ଯ୍ୟ ନାହିଂ

ତୁ ଯାଇ ସହଦେବ ୟେ ସବୁନ୍ତି ଆଣ ବାହୁଡ଼ାଇ ।୭୦୭।

ବାବୁ ତୁ ତ ଧାର୍ମିକ ଭିଗ୍ୟଂବନ୍ତ ପଣ୍ଡିତ ମନ୍ତ୍ରୀ ଚୂଡାମଣି

ସହୋଦ୍ର ମାରିକି ବାବୁ ଆଣିମା ରମଣୀ ।୭୦୮।

 

ନୋହୋଇ କିନା ସେ ରେ ସ୍ତିରୀ ମାତ୍ର ଛାର

ସୋଦର ଥିଲେ ସ୍ତିରୀ ପାଇବା ଅପାର ।୭୦୯।

ଆମ୍ଭର ଶପତ ବାବୁରେ ବେଗେ ଘେନିଆସ ଯାଇ

ସହଦେବ ଧାଇଂଲା ଯୁଝେଷ୍ଠିଙ୍କ ଆଗ୍ୟାଂ ପାଇ।୭୧୦।

ବେଗେଣ ଯହୁଂ ଧାଇଂଲା ମନ୍ତ୍ରୀ ଚୂଡାମଣି

ଯୁଝେଷ୍ଠି ବିଚାରନ୍ତି ୟେ ବାହୁଡ଼ିଇ ଆଣିମ ୟେହି କ୍ଷଣି ।୭୧୧।

 

ସହଦେବ ଯେ ସେ ନୋହଇ ଦ୍ୱନ୍ଦକାରୀ

ୟେହାର ବଚନ ଆମ୍ଭେ ନ ଲଙ୍ଘୁ ଭାଇ ଚାରି।୭୧୨।

ବନସ୍ତର କଷ୍ଟ ଯେ ସୁମରି ଅନୁରାଗେ

ଭୀମ ନକୁଳ ସହଦେବ ଧାଇଂଲେ ଅତିବେଗେ।୭୧୩।

ଦେଖିଣ ଆଶ୍ରିଯ ହୋଇଲେ ଯୁଝେଷ୍ଠି

ସବୁହୁଂ ବଳିଲା ତ ସହଦେବର ଅରଷ୍ଟି ।୭୧୪।

 

ଯୁଝେଷ୍ଠି ବୋଇଲେ ୟେକା ଆମ୍ଭେ ମନ୍ଦ କୃତ୍ୟ କଲୁ

ଗୋଟିୟେ ଗୋଟିୟେ କରି ସବୁନ୍ତି ବରଗିଲୁ।୭୧୫।

ୟେକୁଂ ଦୁଇ ଦୁଇରୁ ତିନି ତିନିରୁ ହୋଇଲେ ଚାରି

କରିବେ ମହାଯୁଦ୍ଧ ବନସ୍ତ କଷ୍ଟନ୍ତ ସୁମରି ।୭୧୬।

ୟେକ ମୁଖ ହୋଇ ଯେ ଧାମଇଂ ବ୍ରିକୋଦର

ରାହୁ ଘୋଟିଲାକି ଜାଣି ନିଶାକର।୭୧୭।

 

ଚନ୍ଦ୍ର ଯେହ୍ନେ ଲୀନ ଯାଇ ରାହୁରେ ତେଜ ଦେଖି

ଭାଞ୍ଜିଲେ ଯୋଦ୍ଧାୟେ ସମର ଉପେଖି।୭୧୮।

ଧୁଶାସନ ଧାମଇଂ ଗଦାକୁ ବୁଲାଇ

ବ୍ରାହ୍ମଣଙ୍କ କତିକି ସେ ୟେକ ମୁଖ ହୋଇ।୭୧୯।

ଶିଖଣ୍ଡୀ ଧୃଷ୍ଟଦୃମନ ଯେ ଅର୍ଜୁନ ପାରୁଶେ ଥିଲେ

ଧୁଶାସନକୁ ଦେଖିଣ ଭାଞ୍ଜି ପଳାଇଲେ ।୭୨୦।

 

ଅର୍ଜୁନ କତିରେ ସେ ହୋଇଲେ ପରବେଶ

ନ ରହନି ପଣ୍ଡା ହେ ଘୁଞ୍ଚିଣ ବେଗେ ଆସ ।୭୨୧।

ସମୋଦ୍ର ପୋତା ହୋଇକି ଧୂଳି ପକାଇଲେ

ପର୍ବତ ଭାଞ୍ଜନ୍ତି କି ଟେଳା ଯେ ମାଇଲେ ।୭୨୨।

ଅର୍ଜୁନ ବୋଇଲେ ତୁମ୍ଭେ ରାଜାର କୁମର ଅଟ

ରାଜ୍ୟ ଭୋଗ ଅଛି ପାଇବ କିମ୍ପେ କଷ୍ଟ ।୭୨୩।

 

ତୁମ୍ଭେ ତ ରାଜ କୁମର ଆମ୍ଭେ ଅଟୁ ବ୍ରାହ୍ମଣ ଜନ

ଘୁଞ୍ଚିଯାଅ ତୁମ୍ଭେ ହୋ ନକର ସାଂଗ୍ରାମ।୭୨୪।

ଭିକ୍ଷାଶୀ ବ୍ରାହ୍ମଣ ଆମ୍ଭେ ଜୀବନକୁ କିସ ଆଶ

ପାଇଲୁ ସାଂଗ୍ରାମ ଆମ୍ଭେ ରଣେ ଦେବୁଂ ଝାସ।୭୨୫।

ଜିଣିଲେ ଉପୁଜିବ ସାଧୁ ସାଧୁ ଧୁନି

ମଲେହେଂ ଜିଣିମାନା ଭୁବନ ସଞ୍ଜୀବନୀ ।୭୨୬।

 

ୟେତେକ ବିଚାରନ୍ତେ ଧାମଇ ଧୁଶାସନ

ଗଦା ବୁଲାଇ ପ୍ରବେଶ ଅର୍ଜୁନ ସନ୍ନିଧାନ ।୭୨୭।

ଆରେ ଆରେ ବ୍ରାହ୍ମଣ ତୋର ୟେଡ଼େକ ସାହାସ

ଜଳନ୍ତା ଜୁଇରେ ଆସି ଦେଉଅଛୁ ଝାସ ।୭୨୮।

ବହନ ଦ୍ରୋପତୀକି ଛାଡ଼ରେ ବ୍ରାହ୍ମଣ

ହତ୍ୟା ନବିଚାରି ମୁଣ୍ଡ ମୋଡ଼ିବି ୟେହିକ୍ଷଣ ।୭୨୯।

 

ଅର୍ଜୁନକୁ ଧୁଶାସନ ୟେମନ୍ତ ବୋଲିବାର ସମୟେ

ରେ ରେ କାର କରି ପଛେ ପ୍ରବେଶ ପବନର ତନୟେ ।୭୩୦।

ଧୁଶାସନର ଗ୍ୟାନଂ ନାହିଂ ବ୍ରାହ୍ମଣ କତି ବୋଲି

ପାଞ୍ଚାଳୀକି ଧରିବ ବୋଲି ଆସୁଅଛି ପେଲି ।୭୩୧।

ଆରେ ଆରେ ବୋଲି ବେନି ବୃକ୍ଷେ ବୁଲାଇଲା ଭୀମେ

ପିଠି କତି ଧୁଶାସନକୁ ପିଟିଲା ଗରୁତମେ ।୭୩୨।

 

ଗର୍ଜିଣ ଧୁଶାସନ ପଡ଼ିଲା ଭୂମିଗତେ

ନାସିକା ବାଟେ ଶ୍ରୋଣିତ ବହଇ ଅପ୍ରମିତେ ।୭୩୩।

ଯାଇଣ ପ୍ରବେଶ ହୋଇଲା ଭୀମ ଅର୍ଜୁନର କତି

ପଡ଼ିଅଛି ଧୁଶାସନ ଡେଇଂ ଗଲା ଝାତି ।୭୩୪।

ଦ୍ରୋପତୀ ବୋଇଲେ ଗୋସାଇଂ ତୁମ୍ଭେ ଶୁଣିମା ପଣ୍ଡାୟେ

ୟେ ପଣ୍ଡାୟେ ତୁମ୍ଭର କିସ ହୋଅନ୍ତି ମହା ପ୍ରଚଣ୍ଡ କାୟେ ।୭୩୫।

 

ଦ୍ରୋପତୀର ଅଗ୍ରତେ କହନ୍ତି ଫାଲଗୁନି

ୟେ ଆମ୍ଭର ଜ୍ୟେଷ୍ଠ ଭ୍ରାଥ ଶୁଣସି ଯିଘ୍ନସେନୀ ।୭୩୬।

ଗର୍ଜିଣ ମାରୁତି ପୁଣ ଧାଇଂଲା କୋପ କରି

ଦରାଣ୍ଡିଣ ବାମ କରେ କେଶ ତାହାର ଧରି ।୭୩୭।

ମୁଣ୍ଡ ମୋଡିବାକୁ ଲୋଡ଼ଇ ମାରୁତି

ଅର୍ଜୁନ ବୋଇଲା ଦେବ କୋପ କର ଶାନ୍ତି ।୭୩୮।

 

ଯୁଝେଷ୍ଠି ଠାକୁରେ ୟେହାଙ୍କୁ ସୋଦର ବୋଲନ୍ତି

କିଞ୍ଚିତ ଦୋଷକୁ ହାଦେ ବହୁତ ନୋହଇ ଶାସ୍ତି ।୭୩୯।

ଅର୍ଜୁନ ଛଡ଼ାଇ ଦିଲା ଧୁଶାସନ ବାଳ

ଭୀମସେନ ଫିଙ୍ଗିଦିଲା ଗଳାଇ ଜାନୁ ତଳ ।୭୪୦।

ଦ୍ରିଯୋଧନ ଅଗ୍ରତେ ଶଙ୍କୁନି କହିଲା

ବ୍ରାହ୍ମଣ ଦର୍ପେ ତୋର ଧୁଶାସନ ନାଶ ଗଲା ।୭୪୧।

 

ଶଙ୍କୁନିର ତହୁଂ ନିରାଧାର ବଚନ ଶୁଣି

କୋପେ ଶିର ଝୁଣି ଉଠିଲା କୁରୁମଣି ।୭୪୨।

କୋପେଣ ହସ୍ତୀ ଯେ କମ୍ପାଇ କୁରୁପତି

ବ୍ରାହ୍ମଣ ବୋଲି ସେ ଛାଡ଼ିଥିଲା କୋପ ମୂର୍ତ୍ତି ।୭୪୩।

ଧୁଶାସନ ଅପମାନ ଦେଖିଣ ସର୍ବ ଭ୍ରାଥେ

ଗର୍ଜି ଧାଇଂଲେ ସେ କୋପାନଳ ଚିତ୍ତେ ।୭୪୪।

 

ନକୁଳ ସହଦେବ ଆସୁଛନ୍ତି ଧାଇଂ

ଦୁର୍ଜୟେ ଦୁରାନ୍ତକ ମୁଖେ ପଡ଼ିଲେକ ଯାଇଂ।୭୪୫।

ନକୁଳକୁ ଦୁର୍ଜୟ ମାଇଲା ନେଇ କୋନ୍ତେ

ବଞ୍ଚାଇ ନକୁଳ ତା ଧଇଲା ବାମହସ୍ତେ ।୭୪୬।

କୋନ୍ତ ଧରିଣ ଦୁର୍ଜୟକୁ ମାଇଲା ପାଦଘାତେ

ଉତ୍ତାନସାହୀ ହୋଇ ପଡ଼ିଲା ଧୁଶାସନ ସାନ ଭ୍ରାତେ ।୭୪୭।

ସେହି କୋନ୍ତ ଘେନି ମାଇଲା ତା’ର ହୃଦେ

ହାଥୀର ଥାଇ ଦେଖଇ ରାଜା ମାନଗୋବିନ୍ଦେ।୭୪୮।

 

ଦୁର୍ଜୟେ ଅସାଷ୍ଟମ ଦେଖି ଧାଇଂଲା ଦୁରାଷ୍ଟଇ

ସହଦେବ ବୃକ୍ଷ ଘେନି ଉପରେ ତାହାର ପିଟଇ ।୭୪୯।

ଘାୟେଣ କଉରୋବ ପଡିଲା ମୁହଂ ମାଡ଼ି

ରୋଧିରମୟେ ହୋଇଲା ପାଷାଣରେ ପଡ଼ି ।୭୫୦।

ସାଂଗ୍ରାମେ ବିଅର୍ଥ ଯହୁଂ ହୋଇଲେ ଭାଇ ତିନି

ସମର ଆବୋରିଲା ମନ୍ତ୍ରୀ ଯେ ଶଙ୍କୁନି ।୭୫୧।

 

ଶଙ୍କୁନିକି ଦେଖି ଧାଇଂଲା ସହଦେବ

ରେ ରେ କାର କରି ବୃକ୍ଷେ କଲା ପରାଭବ ।୭୫୨।

ବୃକ୍ଷର ବିଘାତେଣ ପଡ଼ିଲା ସାରଥୀ

ଭୂମିରେ ରଥ ବସିଲା ତତକ୍ଷଣାନ୍ତି ।୭୫୩।

ରଥ ଉପରୁ ବେଗେ ଡେଇଂପଡ଼ିଲା ଶଙ୍କୁନି

ସହଦେବକଇ ବିନ୍ଧିଲା କରେଣ ଧନୁ ଘେନି।୭୫୪।

 

ନାରାଜ ବଞ୍ଚାଇଲା ମନ୍ତ୍ରୀ ଚୂଡ଼ାମଣି

ଶଙ୍କୁନିକି ବୃକ୍ଷେକ ପ୍ରହାର କଲା ଆଣି ।୭୫୫।

ଘାୟେଣ ନିଚେଷ୍ଟ ଯେ ଶଙ୍କୁନି ମହାମନ୍ତ୍ରୀ

ଶଙ୍କୁନିର କେଶ ସହଦେବ ଧଇଲାକ ଝାତି।୭୫୬।

ଡାହାଣ ପାଦ ସହଦେବ ବଡାଇଂ ଉର୍ଦ୍ଧ୍ୱେ କରି ତୋଳିଲା

ଜାନୁ ତଳେ ତାକୁ ଗଳାଇଂ ଫିଙ୍ଗି ପକାଇଦିଲା ।୭୫୭।

 

ଶଙ୍କୁନିର ରଥ ଘେନି ଗଲେ ଭାଇ ବେନି

ନକୁଳ ସହଦେବ ଯାଇଂ ଅର୍ଜୁନର ପାଦତଳେ କରନ୍ତି ଦଇନି ।୭୫୮।

ଅନେକ ରତ୍ନମଣି ଯେ ମଣ୍ଡିଣ ଅଛି ରଥେ

ଦେଖିଣ ସାନନ୍ଦ ଯେ ଦ୍ରୋପଦର ଦୋହିତେ।୭୫୯।

ୟେମାନେ ସ୍ୱାମୀ ତୁମ୍ଭର କିସ କିସ ହୋଅନ୍ତି

ୟେ ମୋହୋର ସାନୁଜ ଭାଇ ଶୁଣ ଗୋ ଦ୍ରୋପତୀ ।୭୬୦।

 

ଦେଖିଣ ପାଞ୍ଚାଳୀ ପ୍ରଶଂସନ୍ତି କାୟେ

ଚାରିହେଂ ଦିଶନ୍ତି ତ ମକର କେତନ ପ୍ରାୟେ ।୭୬୧।

ବିକ୍ରମ ମୂର୍ତ୍ତି କଲେ କେତୁ ମଙ୍ଗଳ ଜାଣି

ଦେଖି ଅନେକ ସାନନ୍ଦ ଦ୍ରୋପଦ ଦୁଲଣୀ।୭୬୨।

ଭୀମ ବୋଇଲେ ତୁମ୍ଭେ ହେ ବସ ରଥେ

ରଥେ ବସିଲେ ଦ୍ରୋପତୀ କେଶିନୀ ମୁଦୁସୁଲୀ ସହିତେ ।୭୬୩।

 

ୟେସନେକ ସମୟେ କର୍ଣ୍ଣ ମହାରଥୀ

ଦୁଇ ପାଖେ ଅଛି ତାର ଚାରି ଅହିବ୍ରତେ ହାଥୀ।୭୬୪।

କର୍ଣ୍ଣର ମୂରତି ଦେଖି ସାନନ୍ଦ ପାବନି

ଗର୍ଜିଣ ଉଠିଲା ବୁଲାଇଣ ବେନି ବୃକ୍ଷ ଘେନି ।୭୬୫।

ଅର୍ଜୁନ ପ୍ରଣପତ୍ୟ ଭୀମସେନର ପାଦ

ସମ୍ଭାଳି ଯୁଦ୍ଧ କର ସ୍ୱାମୀ ନ କର ପ୍ରମାଦ  ।୭୬୬।

 

ଦର୍ପନ୍ତ ଚୂରକରି ଭଙ୍ଗାଇ ଦେବା ଥାଠ

ପଳାନ୍ତୁ କଉରୋବେ ସାଂଗ୍ରାମେ ପାଇଣ ମହା ଘାଟ ।୭୬୭।

ଶତ୍ରୁ ଦର୍ପ ମର୍ଦ୍ଦନ ବାନା ଦେବ ଭିଆଇଲେ ବିଦ୍ୟମାନ

ଯୁଝେଷ୍ଠି ଠାକୁରଙ୍କର ବିରସ ନୋହୁ ମନ ।୭୬୮।

ୟେସନକ ବିଚାର ସବୁରି ମନେ ଗୁଣି

ୟେମନ୍ତର ସମୟେ କର୍ଣ୍ଣ ନାରାଜ ବିନ୍ଧିଲାକ ଆଣି ।୭୬୯।

 

ଭୀମସେନ ଧୁଶାସନକୁ ସମରେ ଜିଣିଥିଲା

ଚଉଷଠୀ ଭାରଗଦା ତାର ତହୁଂ ଉଡୁଚ୍ଛି ଘେନିଗଲା ।୭୭୦।

ସେ ଗଦା ବେନିକି ଧରିଅଛି ବେନି ହାଥେ

ଦ୍ରୋପଦ ରାଜାର ଧନୁ ଧରିଅଛି ବୀର ପାଥେ ।୭୭୧।

ଆଦ୍ୟେ ଯେବଣ ଧନୁ ରଚିଲେ ବିଶ୍ୱକର୍ମା

ତ୍ରେତାରେ ବହିଲେ ତାହା ଈଶ୍ୱର ମହାତମା ।୭୭୨।

 

ନକୁଳ ଯେ ଜିଣିଲା ଦୁର୍ଜୟେ ବଳବନ୍ତ

ତାହାର ହାଥରୁ ଉଛୁଡ଼ି ଘେନିଲାକ କୁନ୍ତ ।୭୭୩।

ସେହି କୁନ୍ତ ନକୁଳ ଧରିଅଛି କରେ

ଯୋଦ୍ଧାମାନନ୍ତ ଦେଖି ଦନ୍ତ ଚାପଇ ଅଧରେ ।୭୭୪।

ଦୁରରାଷ୍ଟକୁ ସାଂଗ୍ରାମେ ଜିଣିଲା ସହଦେବ

କରେଣ ମନ୍ତ୍ରୀବର ଧରିଅଛି ତାର ଚାବ ।୭୭୫।

ତ୍ରିକଛ ବସନ ଫେଡି ମାଲ କାଛେଣି ପିନ୍ଧି

ଲମ୍ବିତ ଜୂଡା ଫେଡ଼ି ନାଗ ବନ୍ଧେଣ ବାନ୍ଧି ।୭୭୬।

 

ବାମ କରେଣ ବାନ୍ଧିଲା କନ୍ଧର ପଇତା

ଅଧରେ ଦନ୍ତ ଚାପି ରକତ – କୁମୁଦ – ନେତ୍ରା ।୭୭୭।

ତ୍ରିଦଣ୍ଡ ଛତ୍ରୀ ସେ ଛଦ୍ରମେଣ ପଣ୍ଡା

ଉତକଟିତ ରୋମାବଳୀ କରେଣ ଆୟୁଧ ଖଣ୍ଡା ।୭୭୮।

ରେ ରେ କାର ଶବଦେ ଚାରିହେଂ ଉଠିଲେ ଗଳଗଜି

ପବନହୁଂ ପାଦ ଗତି ବିହଡ଼ନ୍ତି ଦ୍ରପିଷ୍ଠ ବଳଗଞ୍ଜି ।୭୭୯।

 

ବିଦୁରେ ଦେଖିଲେ ଯେ ପାଣ୍ଡବଙ୍କର ମୃତି

ବନସ୍ତେ ପୋୟେ ମୋର ପାଇଲେ ଅନ୍ନ ଶାସ୍ତି ।୭୮୦।

ଭୀଷ୍ମେ ବୋଇଲେ ଦ୍ରୋଣେ ୟେମାନେ କେମନ୍ତ

ଦ୍ରୋଣେ ବୋଇଲେ ନକୁଳ ସହଦେବ ଭୀମ ପାଥ ।୭୮୧।

ଚାରି ଭ୍ରାତେ ଆସି ହୋଇଲେକ ୟେକ

ସଞ୍ଚୟେ କଉରୋବ ବଳ ହୋଇବେ ନିରେଖ ।୭୮୨।

 

ଭୀଷ୍ମେ ବୋଇଲେ ଚାଲ ସମାଧାନ କରିବା

ଦ୍ରୋଣେ ବୋଇଲେ ରହ ସାଂଗ୍ରାମ ଦେଖିବା ।୭୮୩।

ଆମ୍ଭେହେଂ ସାଂଗ୍ରାମ କରିବା ନିପ୍ରୋଧି

ଜାଣିମାନା ପାଣ୍ଡବେ କେତେ ମାନଯୋଧି ।୭୮୪।

ଚାରି ଅହିବ୍ରତ ମୁକୁଟବନ୍ଧା ଯୋଦ୍ଧା ଘେନିଣ ବୀର କର୍ଣ୍ଣ

ଦ୍ରିଯୋଧନକୁ ରୁହାଇ ଧାଇଂଲା ରାଧେବ ନନ୍ଦନ ।୭୮୫।

 

କର୍ଣ୍ଣର ରଥେ ବିକର୍ଣ୍ଣ ସାରଥୀ

ବାହଇ ତୁରଙ୍ଗମ ସେ ପବନହୁଂ ବେଗ ଗତି ।୭୮୬।

ଭୀମସେନ ଧାଇଂଲା କରେ ଗଦାନ୍ତ ବୁଲାଇ

କର୍ଣ୍ଣର ରହୁବରେ ହାଦେ ପିଟିଲା ବେଗେ ନେଇ ।୭୮୭।

ଭାଞ୍ଜିଣ ରଥ ଯେ ହୋଇଲା ଶତେ ଚୂନା

ନାଶକର ପ୍ରାୟେ ଭେଟିଲା ବ୍ରିକୋଦର ଜେନା ।୭୮୮।

 

କର୍ଣ୍ଣ ବିରଥି ଦେଖି ଶଲ୍ୟ ଅଶସ୍ତମା

ରଥେ ରଥେ ଚଢି ଆବୋରିଲେ ଦେଖଇ ବୀର ଭୀମା ।୭୮୯।

ଧନୁୟେ ଧନୁୟେ ଧରି ପୁରୋଇଲେ ନାରାଜ

ଭୀମକୁ ବିନ୍ଧିଲେ ଅଶସ୍ତମା ଶଲ୍ୟ ମହାରାଜା ।୭୯୦।

ଅନ୍ତରୀଛେ ଗଦା ବୁଲାଇଂ ଭୀମସେନା

ମାରୁତିର ହୃଦେ ପଡ଼ି ସର୍ବ ନାରାଜ ହୋଇଗଲା ଚୂନା ।୭୯୧।

 

ଗର୍ଜିଣ ବ୍ରିକୋଦର ଦିଅଇ ଘୋର ରଡ଼ି

ଶଲ୍ୟଙ୍କର ରଥ ଭୀମ ଧଇଲା ଦରାଣ୍ଡି ।୭୯୨।

ଧରିଣ ରଥ ବୁଲାଇଲା ଅନ୍ତରୀକ୍ଷେ

ଅଶସ୍ତମା ରଥେ ନେଇ ପିଟିଲା ପ୍ରତକ୍ଷେ ।୭୯୩।

ଭାଞ୍ଜିଣ ବେନି ରଥ ହୋଇଲା ମସ୍ତୀଗୁଣ୍ଡା

ରଣରଙ୍ଗେ ନାଚଇ ମାରୁତି ପରଚଣ୍ଡା ।୭୯୪।

 

ଗଜଙ୍କର ଉପରେ ଯେ ଅଛନ୍ତି ମାହୁନ୍ତେ

ମାରନ୍ତି ଲାଙ୍କିଆ ଯେ ପ୍ରହାର କରନ୍ତି ତୀଖ କୋନ୍ତେ ।୭୯୫।

ବାମ ଅଙ୍ଗ ପାତି ଭୀମସେନ ନ କରଇ ଭୀତି

ଦରାଣ୍ଡି ବେନି ଭୁଜେ ଧଇଲା ବେନି ହାଥୀ ।୭୯୬।

ମହା ମତ୍ତ ନାଗ ଦିଶନ୍ତି ପର୍ବତ ପରାୟେ

କିଞ୍ଚିତେ ବୁଲାୟେ ତାହା ପବନ ତନୟେ ।୭୯୭।

 

ଦୁଇ ହାଥେ ଧରି ଅନ୍ତରୀଛେ ବୁଲାଇ

ଗଜ ଯୋଦ୍ଧାଙ୍କର ଉପରେ ପ୍ରହାରିଲା ନେଇ ।୭୯୮।

ଗଜକୁ ଗଜ ପଡ଼ିତାଳ ଭୂମିରେଣ ଲୋଟି

ହାବୋଡ଼ା ହାବୋଡ଼ି ଘାତେ ରଥେ ଯାଉଛନ୍ତି ଫାଟି ।୭୯୯।

ଆରେ ଆରେ ବୋଲି ଗର୍ଜଇ ମାରଇ ପାଦ ଘାତେ

ଚରଣ ପଡ଼ି ଚୂର ହୋଉଛନ୍ତି ଅଶ୍ୱ ଯେ ରାଉତେ ।୮୦୦।

 

ପଟା କୁନ୍ତ ଲାଙ୍କିଆ ଅସି ପତ୍ର ମୂଷଳୀ

ଝଲକନ୍ତି ଛେଲ ଚକ୍ର ଶ୍ୟାମଳ ମେଘେ କି ବିଜୁଳି ।୮୦୧।

ବେଢିଣ ଯୋଦ୍ଧାୟେ କରନ୍ତି ପ୍ରହାର

ନାରାଜ ନ ଫୁଟଇ ବ୍ରିକୋଦର ଅଙ୍ଗର ।୮୦୨।

ଶତଶିଂଗ ପ୍ରସନ୍ନ ହୋଇ ଅଛି ଜନ୍ମ କାଳେ

ବଜ୍ରଶରୀର ହୋଇବ ତୋହୋ ରବିକ୍ରୋଦର ରୂପ ବେଳେ।୮୦୩।

 

ସେ ରୂପ ବିକାଶିଛି ବୀରବର ପାବନି

ୟେକ ଉତ୍ତର ଶତେସିଘଂର ପ୍ରାକର୍ମ ଅଛି ଘେନି ।୮୦୪।

କହନ୍ତେ ଅସମ୍ଭବ ଯେ ସାଂଗ୍ରାମର କଥା

ଭୟେଣ ଆସ୍ତାନ ଛାଡ଼ଇ ନାଶକର ଦେବତା ।୮୦୫।

ଗହଳ ଧନ୍ଦୋଳ ଯୁଦ୍ଧ ଦେଖି ନାରଦ ମହାମୁନି

ଆରେ ଭୀମାକୁ ବେଢିଲେ ଯୋଦ୍ଧାୟେ ଧାଆଂ

କି ନା ଫାଲଗୁନି ।୮୦୬।

 

ଲାଗୁ ଲାଗୁ ବୋଲି ନୃତ୍ୟ କରନ୍ତି ତପୋନିଷ୍ଠି

ଧାଆଂରେ ବୋଲି ଡାକ ଦିଅନ୍ତି ପାଣ୍ଡବଙ୍କର ଗୁପତ

ନାମଗୋଟି।୮୦୭।

ଧାଆଂରେ କୈରବ ନ ଘୁଞ୍ଚ ସାଂଗ୍ରାମେ

ପାଣ୍ଡାଙ୍କୁ ଗଣ୍ଡାୟେ ନୋହୁ ଅଛଟି କ୍ଷମେ ।୮୦୮।

ଆରେକୋଉରୋବେକିମ୍ପେହେଳୁଂହେଳହୋଉଅଛି

ବ୍ରାହ୍ମଣେ ସାଂଗ୍ରାମ ତୁମ୍ଭନ୍ତ ନୁହନ୍ତି ନା ଓଚ୍ଛ ।୮୦୯।

 

ବ୍ରାହ୍ମଣେ ପରାୟେ ରେ ନ ବୁଝ ୟେହାଙ୍କୁ

ତୁ ଆପଣେ ଉଠ ହୋ ବୋଇଲେ ଦ୍ରିଯୋଧନକୁ।୮୧୦।

କଳି କୁତୋହୋଳ ଦେଖିବାର ନିମନ୍ତେ

ପାଣ୍ଡବନ୍ତ ବୋଲି ମୁନି ନ ବୋଲନ୍ତି ତଥ୍ୟେ ।୮୧୧।

ଚାରି ଗୋଟି ବ୍ରାହ୍ମଣକୁ ଲକ୍ଷେକ ନୃପତି

କାହାର ମୁଖ ଚାହିଂବଟି ଭାଞ୍ଜିଣ ଗଲେ ୟେଥି।୮୧୨।

 

ଲାଗୁ ଲାଗୁ ବୋଲି ଡାକନ୍ତି ବ୍ରହ୍ମାଙ୍କ ତନୁଜା

ନାରଦଙ୍କ ବଚନେ ଧାଇଂଲେ ସର୍ବ ରାଜା ।୮୧୩।

କୁନ୍ତ ନାରାଜ ଖଡଗ ଫଳା ଶକତି ଘେନି

ଦୁନ୍ଦୁଭି ବାଦ୍ୟେ ନାଦ ଶୁଭଇ ଘୋର ଧୁନି ।୮୧୪।

କରେଣ ଧନୁ ଧରି ଅର୍ଜୁନ ନକୁଳ ସହଦେବ

ମହାଘୋର ନାଦେ ଧାଇଂଲେ ସେ ତିନି ପାଣ୍ଡବ ।୮୧୫।

 

ଭୀମକୁ ବେଢିଥିଲେ ଯେ ଶତେକ ମହାରାଜା

ନକୁଳ କୁନ୍ତ ଘାୟେ ଦୁଇ ଭାଗେ ସନ୍ୟ ଭଞ୍ଜା ।୮୧୬।

ଦୁସହ ସାଂଗ୍ରାମ ଦେଖିଣ ଦେବ ସୁରପତି

ଆକାଶୁଂ ତ୍ରୋଣ ଛାଡି ଦିଲେ ତତକ୍ଷଣାନ୍ତି ।୮୧୭।

ମାତଳି ଘେନି ଅଇଲା ଅନ୍ତରୀକ୍ଷେ

ଅର୍ଜୁନର ଛାମୁରେ ସେ ଦିଲାକ ପ୍ରତକ୍ଷେ ।୮୧୮।

 

ଦେବ ସହସ୍ର ପାଇଣ ବୀର ଫାଲଗୁନି

ବିନ୍ଧିଲା ଅବିଚ୍ଛନ୍ନେ ନାରାଜ କରେ ଘେନି ।୮୧୯।

ପଞ୍ଚାଶ ସହସ୍ର ରାଜା ଘେନିଣ ଉଠିଲା ବୀର ଜାରା

ଅର୍ଜୁନକୁ ଶତେ ପୁର କରି ବେଢିଲା ମହାବୀରା ।୮୨୦।

କେ ଶତେ ନାରାଜ କେ ବେନି ଶତ ବାଣ

କେ ଶତେ ଶହସ୍ର ବିନ୍ଧନ୍ତି ଅବିଚ୍ଛନ୍ନ ।୮୨୧।

 

କେ ପାଞ୍ଚ ସହସ୍ର କେ ବିନ୍ଧନ୍ତି ଅହିବ୍ରତେ

କକଡା ବୃଷ୍ଟି ଜାଣି ଦିଶଇ ଶର ପଥେ ।୮୨୨।

ଦୁସହ ନାରାଜ ବିନ୍ଧନ୍ତି ମହାଘୋର

ଆକାଶେ ଅଦୃଶ୍ୟ ହୋଇଲେ କରତାର ।୮୨୩।

ଅନେକ ଯୋଦ୍ଧା ତୁଲେ ବିନ୍ଧନ୍ତି ସର୍ବ ରାୟେ

ଦିବସ ଦିଶିଲା ଯେ ରାତ୍ରକାଳ ପ୍ରାୟେ ।୮୨୪।

 

ସାଧୁ ସାଧୁ ରେ ପାଣ୍ଡବ ତୁମ୍ଭର ମହିମା ଧନି ଧନି

ଚାରିଜଣ ଘୋଟି ଅଛ ଲକ୍ଷେ ରାଜାର ସଇନି ।୮୨୫।

ଗୋବିନ୍ଦେ ବୋଇଲେ ସ୍ୱାମୀ ଦେଖ ବଳରାମ

ପାଣ୍ଡବଙ୍କର ଯୋଦ୍ଧାପଣ ଦୁସହ ସାଂଗ୍ରାମ ।୮୨୬।

ଦଶ ସହସ୍ର ରାଜାୟେ ଯେତେକ ନାରାଜ ବିନ୍ଧି

ୟେକା ଅରଜୁନ ସବୁରି ନାରାଜ ଛେଦି ।୮୨୭।

 

ନକୁଳର ମହିମା ହୋ କହିତ କି ପାରି

ୟେକା କୋନ୍ତକେ ଯେ ସେ ବହୁତ ସନ୍ୟମାରି ।୮୨୮।

ପବନହୁଂ ବହନ ଯେ ସହଦେବ ଯୁଦ୍ଧେ

ଅହିବ୍ରତକେ ରଥ ପାଡ଼ିଲା ଯେ ପହଡକର ମଧ୍ୟେ ।୮୨୯।

ଭୀମସେନର ସାଂଗ୍ରାମ ଦେବଙ୍କୁ ଅଗୋଚର

ରଥୀ ହୟେ ସାରଥୀ ୟେକା ପ୍ରହାରକେ ହ୍ୱନ୍ତି ଚୂର ।୮୩୦।

 

ରତ୍ନମଣି ମୁକୁଟ ସୀମାନ୍ତିନୀ ଶ୍ରୀଭୂଷା

ଗନ୍ଧ ଚନ୍ଦନ ଯାଇଂ ହୋଇଲା ରକତ ମିଶା ।୮୩୧।

ଅର୍ଜୁନ ଛାମୁକୁ ରାଜା ଜରାସନ୍ଧ ଉଠି

ଶ୍ରୀକରେ ଧନୁ ଧରି ନାରାଜ କରଇ ବୃଷ୍ଟି ।୮୩୨।

ତୀକ୍ଷ ମୂନା ଶରେ ମାଇଲା ସର୍ବସାଚୀ

ଅନ୍ତରାଳ ହୋଇଂ ଜାରାସନ୍ଧକୁ ନଦିଶଇ କିଛି ।୮୩୩।

 

ହୃଦରେ ପଡିଲା ତାର ମହା ନାରାଜ ଗୋଟି

ସେନ୍‌ହା ଉପରେ ଭେଦି ଛଇଛାଡ଼େ ଗଲା ଫୁଟି ।୮୩୪।

ଘାୟେଣ ଜାରାସନ୍ଧ ଯେ ପଡ଼ିଲା ଭୂମିରେ ଢଳି

ସାଧୁ ସାଧୁ ପାଥ ବୋଲି ପ୍ରଶଂସା କରନ୍ତି ଦେବହଳୀ ।୮୩୫।

ଆରେ ତୋହୋର ପରା ସଖା ଥାଉଂ ହୋଇଲୁୟେମନ୍ତେ

ୟେହି ଜାରାସନ୍ଧ ଭୟେ ଆମ୍ଭେ ଦୁଖ ପାଇଲୁ ବହୁତ ।୮୩୬।

 

ୟେହେନେକ ମହିମା ଅଟଇ ମଗଧ ମହୀପାଳେ

ତିନି ବେଳେ ହାରିଲି ମୁଂ କୋଟିୟେ ସିଙ୍ଘର ବଳେ ।୮୩୭।

ଆଦ୍ୟହୁଂ ଆମ୍ଭେ ଯେବେ ତୋତେ ବରିଥାନ୍ତୁ

ମଥୁରା ପରା ରାଜ୍ୟ ଆମ୍ଭେ କିମ୍ପାଇଂ ଛାଡ଼ନ୍ତୁ ।୮୩୮।

ହରି ଆପଣେ ତୁ ବିଜେ କରି ସାଂଗ୍ରାମକୁ

ଅର୍ଜୁନକୁ ବୋଲ ଶିରଛେଦ ଯେ ଜାରାସନ୍ଧକୁ ।୮୩୯।

 

ଆମ୍ଭର ଭ୍ରାନ୍ତି ୟେବେ ଛାଡୁ ଜଗନ୍ନାଥ

ଗୋବିନ୍ଦେ ବୋଇଲେ ଛତ୍ରୀ ଧର୍ମ ପାଳଇ ବୀର ପାଥ ।୮୪୦।

ପିଠି ଦେଇ ପଳାଇଲେ ନାରାଜ ଘାତ ବିକଳେ

କଷ୍ଟୀ ଜନଙ୍କୁସେ ନ ମାରଇଂ ସର୍ବ କାଳେ ।୮୪୧।

ତୁମ୍ଭେ ଜାରାକୁ କିଛି ଭୟେ ଭ୍ରାନ୍ତି ନକର ଦେବରାୟେ

ୟେହି ପାଣ୍ଡବଙ୍କ ହାଥେ ତାକୁ କରାଇବି କ୍ଷୟେ ।୮୪୨।

 

ଶୁଣି ବଳରାମେ ହୋଇଲେ ପରମ ସାନନ୍ଦ ମତି

ଆବର କଉରୋବେ କି ଜୀବନ ପାବନ୍ତି ।୮୪୩।

ବଳରାମେ ବୋଇଲେ ହରି ଦ୍ଵାରକା ଚାଲଯିବା

ଧୃତରାଷ୍ଟପୁଅଙ୍କର କଷ୍ଟ ନ ଦେଖିବା ।୮୪୪।

ଗୋବିନ୍ଦେ ବୋଇଲେ ସ୍ଵାମୀ ଆଜ ରହିବାକ ୟେଥେ

ୟେ କନ୍ୟାକୁ ପାଣ୍ଡବେ କରନ୍ତି କେମନ୍ତେ ।୮୪୫।

 

ମହାଲାଖ ପ୍ରତକ୍ଷେ ବିନ୍ଧିଲାକ ଧନୁର୍ଜୟେ

ରଣ ମଛନ କରୁଛି ୟେବେ ପବନ ତନୟେ ।୮୪୬।

ଯୁଝେଷ୍ଠି ଦେବ ଅଛନ୍ତି ଯେ ଜ୍ୟେଷ୍ଠ ଅନୁକ୍ରମେ

ଅର୍ଜୁନ କନ୍ୟାକୁ ବରି ନଦିଲା ବିଚାରିତ ଧର୍ମେ ।୮୪୭।

କେହୁ ପ୍ରଦାନ ହୋଇବ ଯିଘ୍ନସେନୀ

କେମନ୍ତେ ଭିଆଇବ ସେ ବ୍ୟାସ ମହାମୁନି ।୮୪୮।

 

ୟେହେନେକ ବିଚାରି କେଶବ ବଳଦେବ

ବହୁତ ବହୁତ କଥା ଯେ ହୋଇଲା ପ୍ରସ୍ତାବ ।୮୪୯।

ଅଗାଦ ସାଗର ୟେ ଶ୍ରୀମହାଭାରତ

ସବୁ ସଞ୍ଚପନ୍ତେ ଲେଖନକୁ ହୋଇବ ଅପ୍ରମିତ ।୮୫୦।

ୟେ ନିମନ୍ତେ ଠିକ ଠିକ କରି ବଞ୍ଚାଇ କହିଲି

ହୃଦଗତେ ମୋର ବିଜେ କର ହିମବନ୍ତର ଦୁଲାଳୀ ।୮୫୧।

ମୋତେ ଯେତେ ଦୃଶ୍ୟ ଲେଖନକୁ ଯୋଗ୍ୟ ନାହିଂ

ଅତି ଅଗୋଚର ପୁଣି ନୁଆରଇ କହି ।୮୫୨।

 

ୟେମନ୍ତେ କହଇ ଠିକ ଠିକ ଭାବେ

ଶୂଦ୍ରମୁନି ସାରେଳାଦାସ ବଦୟନ୍ତି ପ୍ରସ୍ତାବେ ।୮୫୩।

 

******

 

Unknown

ରାଜାମାନଙ୍କ ସହିତ ପାଣ୍ଡବଙ୍କ ଯୁଦ୍ଧ

 

ଅଗସ୍ତିଙ୍କି ପୁଚ୍ଛାକଲେ ବଇବସୁତ ମନୁ

ରଣରଙ୍ଗ କୁତୋହୋଳ ମୋତେ କହିବା ମହାମନୁ ।୧।

ବଦନ୍ତି ମହାତମା ଯେ ମନୁ ପୁରୁଷଙ୍କୁ

ନିସତ ଦେଖି ଅର୍ଜୁନ ଛାଡ଼ିଲା ଜାରାସନ୍ଧକୁ ।୨।

ବାଣା ନାରକା ବଜ୍ରଲାଭ ଶଅମ୍ଵର

ୟେ ଚାରି ରାଜାଙ୍କ ତୁଲେ ଯୋଦ୍ଧା ଚାରି ଯେ ସାଗର ।୩।

 

ୟେତେକ ଘେନି ଉଠିଲେକ କଉଣୋପେ

ମନ୍ଦର ଗିରି ପ୍ରାୟେକ ଦିଶନ୍ତି ସରୂପେ ।୪।

ଘୋଟନ୍ତି ମେଦିନୀ ଯେ ଉଲୁକା ପାତ ଜାଣି

ବିସ୍ମୟେ ହୋଇଲା ଦେଖି ଦ୍ରୋପଦ ଦୁଲଣୀ ।୫।

ଦ୍ରୋପଦୀ ବୋଇଲେ ତୁ ଶୁଣ ଲୋ କେଶିନୀ

ଘୋର ଅନ୍ଧାର ପ୍ରାୟେକ ଦିଶିଲା ୟେ କାହାର ସଇନି ।୬।

 

ମୁଦୁସୁଲୀ ବୋଇଲା ଗୋ ଶୁଣ ଗୋସାମଣୀ

ଯାହା ପଚାରିଲୁ ମୁଂ କହଇ ପରିମାଣି ।୭।

ୟେ ଅସୁର ବୀରାୟେ ଅଟନ୍ତି ଚାରିହେଂ ରାୟେ

ବାଣା ନାରକା ବଜ୍ରଲାଭ ଶଅମ୍ଵର ପୟାଣ କରି ଆୟେ ।୮।

ଦୁତୀ ସମୋଦ୍ର ପ୍ରାୟେକ ଦିଶୁଅଛି ଥାଠ

ଦେବତାୟେ ଭୟେ ଛାଡ଼ିଲେ ସ୍ଵର୍ଗବାଟ ।୯।

 

ୟେ ଯେବେ ଅସରନ୍ତି ଆଜି ଜିଣିମଟି ହେଳେ

ପ୍ରତକ୍ଷେ ଜାଣିମା ୟେ ଆକାଶ ଦିଗପାଳେ ।୧୦।

ଦ୍ରୋପତୀ ବୋଇଲେ ଲୋ କେଶିନୀ ମୁଦୁସୁଲୀ

ୟେହିକ୍ଷଣି ଜିଣିମେ ମୁଂ ଶୁଭ ଶଙ୍କୁନ ଦେଖିଲି ।୧୧।

 

ଦେବେ ଦାନବେ ଯାହାର ମହିମା ଦୁଲଭ

ଭୀମସେନ ବୋଇଲା ମୋହୋର ଭାଗେ ହୋଇଲା ବଜ୍ରଲାଭ ।୧୨।

ଅର୍ଜୁନ ବୋଇଲା ଭୀମସେନର ଆଗ

ସହସ୍ରଭୁଜ ବାଣା ହୋଇଲା ମୋର ଭାଗ ।୧୩।

ନକୁଳ ବୋଇଲା ୟେ ଅସୁର ନାରକା

ଥାଠଯାକ ୟେହାର ମୁଂ ଆବୋରିଲି ୟେକା ।୧୪।

 

ସହଦେବ ବୋଇଲା ୟେ ନୃପତି ଶଅମ୍ଵର

ୟେ ରାଜା ହୋଇଲା ମୋହୋର ଭାଗର ।୧୫।

ଚାରି ରାଜାଙ୍କୁ ଚାରି ଭାଗ କରି ବାଣ୍ଟି

ପ୍ରଥମେ ମାରୁତି ଯେ ଗର୍ଜନ କରି ଉଠି ।୧୬।

ରଥେକ ଚଢି ଅଛି ବଜ୍ରଲାଭ ମହାବଳ

ସେ ରଥେ ଯୋଚିଲା ଅଛି ସହସ୍ରେକ ଶାର୍ଦ୍ଦୂଳ ।୧୭।

 

ହସ୍ତେଣ ଘେନି ଅଛି ବଜ୍ର ଯେ ଶକତି

ଭୟେଣ ବୃନ୍ଦାଅର୍କେ ନୁଆସନ୍ତି ତାର କତି ।୧୮।

ଆଦିତ୍ୟ ଦେବତା ଅସ୍ତ ହୋଉଅଛି ଯେତେବେଳେ

ଭୀମସେନ ତେଜ ବିକାଶିଲା ମହା କୋପାନଳେ ।୧୯।

ସାରଥୀ ରଥ ବାହୁଛି ଅତି ବେଗେ

ଲୋହସାର ଧନୁ ଧରି ନାରାଜ ବିନ୍ଧଇ ଅତି ରାଗେ ।୨୦।

 

ନିରାଶି ଧାଇଂଲା ସେ ପବନର ବଛେ

ଅନ୍ଧାର ବେଳେ ପ୍ରବେଶ ହୋଇଲା ରଥ ପଛେ ।୨୧।

ଆକ୍ରଷଣ କରି ସେ ଧଇଲା ରଥ ଦଣ୍ଡ

ଭୀମକୁ ସାହା ହୋଇଲା ପବନ ପରଚଣ୍ଡ ।୨୨।

ଅସୁରର ରଥ ଭୀମ ବୁଲାଇଲା ଅତି ବେଗି

ଦକ୍ଷିଣ ମୃତ୍ତି କରିଣ ପକାଇଲା ଫିଙ୍ଗି ।୨୩।

 

କୋପେଣ ଫିଙ୍ଗିଦିଲା ପାଣ୍ଡବ ଭୀମସେନ

ବଜ୍ରଲାଭ ପଡିଲା ଯାଇଂ ପଞ୍ଚଦଶ ଯୋଜନ ।୨୪।

ରାଜାର ବିଅର୍ଥେ ପଳାବନ୍ତି ସଇନି

ଧାମଇ ବ୍ରିକୋଦର କରେଣ ଗଦା ଘେନି ।୨୫।

ପଳାବନ୍ତି ଦୁରାନ୍ତକ ବଳ ସମର ଉପେଛି

ବିକଳେ ବୋଲନ୍ତି ଆସି ଲାଗଇ କିନା ପଛି ।୨୬।

 

ବାସ ଭଗ୍ନ ପକ୍ଷୀ ପ୍ରାୟେ ବିକଳେ ପଳାନ୍ତି

ବିଶା ଶତେ ରଥ ତିନି କୋଟି ହାଥୀ ।୨୭।

ଅଗଣିତ ଅଶ୍ଵ ଅସଂକ୍ଷେଣ ପାଦାନ୍ତି

ମାରିଲେ ନସରଇ ଯେ ଅସୁର ବଳ ଅପ୍ରମିତି ।୨୮।

ୟେତେକ ସଇନି ଭୀମ ମାଇଲାକ ରୋଳେ

ପଡିଲେ ନିଶାଚର ବଳ ସାଂଗ୍ରାମ କୁତୁହୋଳେ ।୨୯।

 

ବାଣା ବାସବିର ଯେ ପଡ଼ିଲା ସମର

ପଞ୍ଚଶତ ଭୁଜେ ବାଣ ବିନ୍ଧଇ ବାଣାସୁର ।୩୦।

ହାବୋଡ଼ା ଶରେକ ଯେ ମାଇଲା ବୀର ପାଥ

ବାଣାସୁର ହୃଦରେ ପଡ଼ିଲା ଯେହ୍ନେ ବଜ୍ର ଘାତ ।୩୧।

ଘାୟେଣ ତ୍ରାସ କଲା ବଳି ରାଜାର ବଳ

ମୋହନା ଶରକେ ମାଇଲା ଛତ୍ରୀୟ ଅଚାର୍ଗଳ ।୩୨।

 

ମୋହେ ବାଣାସୁର ପଡ଼ିଲା ଉତ୍ତନାସାହୀ ହୋଇ

ଅନ୍ତରୀଛେ ସାରଥୀ ତାର ରଥେକ ନେଲା ବାହି ।୩୩।

ରାଜାର ବିଅର୍ଥେ ଦଣ୍ଡ ହୋଇଲାକ ଭଗ୍ନ

ଅନେକ ସନ୍ୟ ଗୋଡ଼ାଇ ମାଇଲା ଭୀମସେନ ।୩୪।

ପଡ଼ିଲେ ଅସୁରେ ଭୂମିରେ ଲୋଟି କାୟେ

ବାତ ବିଘାତେ ଯେହ୍ନେ କଦଳୀ ବନ ପ୍ରାୟେ ।୩୫।

 

ଭୀମସେନ ଅର୍ଜୁନ ଧାଇଂଲେ ବହନ

ନାରକା ଶଅମ୍ଵକରକଇଂ ଭେଟିଲେ କୋପମନ ।୩୬।

ନାରକାର ରଥ ଭୀମସେନ ଧରି

ଶଅମ୍ଵର ନୃପତିର ରଥେ ନେଇଣ କଚାଡ଼ି ।୩୭।

ଯେସନେକ ମଉଦଧି ପବନ ବିଘାତେ ଉଠି

ୟେକା ପାଣ୍ଡବେକ ଲକ୍ଷେ ରାଜା ଘୋଟି ।୩୮।

 

ନାରକା ଶଅମ୍ଵର ବେନି ରଥ ହାଦେ ଚୂରଗଲା

ଭାଳିଲେ ଦନୁଜ ବଳ ଆବୋରନ୍ତା କେହି ନୋହିଲା ।୩୯।

ମହାଘୋର ସଂଗ୍ରାମ ହୋଇଲା ନିଶା ରାତି

ପଳାନ୍ତି ଦାନବ ବଳ ନରହନ୍ତି କତି ।୪୦।

ଆପଣେ ଆପଣେ ମାରନ୍ତି ହୋଅନ୍ତି ଅନ୍ୟାଅନ୍ୟି

ପର ଆପଣାର ବୋଲି ନପାରନ୍ତି ଚିହ୍ନି ।୪୧।

 

କେଶିନୀ ମୁଦୁସୁଲି ବାହଇ ଦ୍ରୋପତୀର ରଥ

ଅନେକ ସଇନି ପାଣ୍ଡବେ କରନ୍ତି ନିପାତ ।୪୨।

ଅସୁର ବଳ ଧଂସି ଧାମଇଂ ବ୍ରିକୋଦର

ତେର ଯୋଜନ ଦାନବନ୍ତ ପଡ଼ଇ ପୟେର ।୪୩।

ରୋଧିର ନଦୀ ବହଇ ବନସ୍ତ ଭିତରେ

କଦଳୀ ଭେଳା ଜାଣି ଉପୁଚିଆଇଲେ ଅସୁରେ ।୪୪।

 

ସମର କରନ୍ତେ ଯେ ରୟଣୀ ପାଇଲା

କୁରୁବଳ ଥାଠ ଘେନି ମାନଗୋବିନ୍ଦ ରହିଲା ।୪୫।

ଦେଖଇ ଭୀମସେନ କଉରୋବ ବଳ

ଚାହିଂଲା ମାରୁତି କଟାକ୍ଷ କୋପାନଳ ।୪୬।

ରକତେ କର୍ଦନ ଚାରି ପାଣ୍ଡବଙ୍କ ଅଙ୍ଗ

ହରିଣ ବିଦାରଣେ ଯେସନେ ଦିଶଇ ନରସିଙ୍ଘ ।୪୭।

 

ଶଲ୍ୟ ଅଶସ୍ତମା କୃପ ଆଚାର୍ଯ୍ୟେ

ଶଙ୍କୁନି ଜଦ୍ୟରଥ କଳିଙ୍ଗସେନ ମହାରାଜେ ।୪୮।

ୟେମାନେ ସମସ୍ତେ ରଥେ ରଥେକ ଆରୋହି

ଗିରିବର ସମାନେଣ ଅଛନ୍ତି ବୀରେ ରହି ।୪୯।

ଅସୁର ବଳ ନିପାତି ଆସନ୍ତି ଚାରି ବୀରେ

ରଥେକ ଆରେହି ଅଛନ୍ତି ଦ୍ରୋପତୀ ସଙ୍ଗରେ ।୫୦।

 

ଦୂରେଣ ଦେଖିଲେ କେଶରୀ ଲାଙ୍ଗୁଡ଼ ଧ୍ଵଜ ଚିହ୍ନ

ଫରହର ଉଡ଼ନ୍ତି ଆଲମ୍ଵ ଧବଳ ବର୍ଣ୍ଣ ।୫୧।

ସାଂଗ୍ରାମେ କରନ୍ତେ ପାଇଲା ରୟଣୀ

ଦେଖିଲା ମହା ସମ୍ଭର୍ବେ କୁରୁବଳ ସଇନି ।୫୨।

ଧାମଇଂ କୋପଭରେ ପାଣ୍ଡବ ସୁନ୍ଦର

ଅସୁରଙ୍କ ତହୁଂ ଉଛୁଡ଼ି ଘେନିଥିଲା ବଜ୍ର ମୁଦୁଗର ।୫୩।

 

ପର୍ବତ ପ୍ରାୟେକ ଦିଶଇ ବେନି ବାହୁ

ନିଶାକର ମେଳେ କିବା କ୍ରୀଡା କରେ ରାହୁ ।୫୪।

ତେସନ ଶୋଭାବନ ପାଣ୍ଡବ ମହାବଳୀ

ଶ୍ରୋଣିତ ବର୍ଣ୍ଣ ହୋଇଛି ସବୁରି ମନ୍ଦାର ପୁଷ୍ପ ଭଳି ।୫୫।

ରେ ରେ କାର ଧାମଇଂ ଭୀମସେନ

ଛାମୁରେ ଓଗାଳିଲା ଆସି ମହାବଳୀ କର୍ଣ୍ଣ ।୫୬।

 

ଅନେକ ଶର ଯେ ବିନ୍ଧିଲା ମହା ରୋଷେ

ଶସ୍ର ସବୁ ଭଗ୍ନ ହୋଇଲା ମାରୁତିର ତ୍ରାସେ ।୫୭।

କର୍ଣ୍ଣର ରଥେ ନେଇ ମାଇଲା ବଜ୍ର ମୁଥେ

ମହା ଭାର ପାଇ ରଥ ଭାଞ୍ଜି ହୋଇଲା ଖଣ୍ଡ ଶତେ ।୫୮।

ସାରଥୀ ହୟେ ଯେ ପଡ଼ିଲେ ମହୀ ଲୋଟି

କର୍ଣ୍ଣର ହୃଦେ ନେଇ ମାଇଲା ବଜ୍ରମୁଷ୍ଟି ।୫୯।

 

ଭୀମସେନର ବଜ୍ର ମୁଥଘାତେ କର୍ଣ୍ଣ ଯେ ଘୁମାଇଂ

ଅଶସ୍ତମା ରଥ ଟେକିଲା ବେଗେ ନେଇଂ ।୬୦।

ଅର୍ଜୁନ ମିଳିଲା ଯାଇ ଅଶସ୍ତମା ପାଶେ

ଦ୍ରୋଣଙ୍କର ନନ୍ଦନ ବିନ୍ଧିଲା ବାଣ ମହାରୋଷେ ।୬୧।

ସହସ୍ରେ ନାରାଜ ଯେ ମାଇଲା ରୋଷଭରେ

ପଡନ୍ତି ନାରାଜ ଯାଇଂ ପାଥର ଉପରେ ।୬୨।

 

ତିନି ଭୁବନ କମ୍ପିଲା ଅଶସ୍ତମାର ବାଣେ

ଦେଖିଣ ଫାଲଗୁନି ଯେ କଲାକ ଆବରଣେ ।୬୩।

ପୁଣ ଅହିବ୍ରତେକ ନାରାଜ ପୂରୋଇଣ ଦ୍ରୋଣି

ଅର୍ଜୁନ ଉପରକୁ ବିନ୍ଧିଲାକ କୋପେ ଟାଣି ।୬୪।

ଜଳଧାରା ପ୍ରାୟକେ ହୋଇଲା ଶର ବୃଷ୍ଟି

ଦେଖିଣ ବଞ୍ଚାଇଲା ତାହା ବୀରବର କିରୀଟୀ ।୬୫।

 

ପୁଣି ଅଶସ୍ତମା ଲକ୍ଷେ ନାରାଜ ଘେନି

ଦ୍ରୋଣଙ୍କର ନନ୍ଦନ ଯେ ବିନ୍ଧିଲା ବେଳ ତିନି ।୬୬।

ଅର୍ଜୁନ ସହିଲା ଅଶସ୍ତମାର ଶର

ନାରାଜ ପୂରୋଇଲା ପାଣ୍ଡବ ସୁନ୍ଦର ।୬୭।

ଅହିବ୍ରତେ ନାରାଜ ପୂରେଇ ଅଶସ୍ତମାକୁ

ଚାରି ଅହିବ୍ରତ ଶର ବିନ୍ଧିଲା ରଥ ଉପରକୁ ।୬୮।

 

ଚାରି ଅଶ୍ଵକୁ ଚାରି ଅହିବ୍ରତ ଶର

ଅହିବ୍ରତେକ ଶର ପେଷିଲା ସାରଥୀ ଉପର ।୬୯।

ୟେକାବେଳକେ ସମସ୍ତ ନିରୋଧି

ଅନ୍ଧାର ଘୋର କରି ଅର୍ଜୁନ ଶର ବିନ୍ଧି ।୭୦।

ପଡ଼ିଲେ ନାରାଜ ଅବିଚ୍ଛନ୍ନେ ମୃତ୍ତି

ପ୍ରଥମେ ଛ଼ିଡ଼ି ପଡ଼ିଲେ ହୟ ଯେ ସାରଥୀ ।୭୧।

ଦୁଜଣେ ଅଶସ୍ତମା ରଥ ପଡଇ ଛିଡ଼ି

ଦ୍ରୋଣିର ଉପରେ ରଥ ପଡ଼ିଲାକ ମାଡ଼ି ।୭୨।

 

ଘାୟେଣ ଅଶସ୍ତମା ପଡ଼ଇ ଅସାଷ୍ଟମେ

ଶଲ୍ୟ ରଥ ଧରି କଚାଡ଼ଇ ବୀର ଭୀମେ ।୭୩।

ନକୁଳ କୁମାର ନେଇ ମାଇଲା ବଜ୍ରକୁନ୍ତେ

କୃପଙ୍କର ରଥ ଭାଜି ପଡ଼ିଲା ସାରଥୀ ସହିତେ ।୭୪।

ସହଦେବ ଶଙ୍କୁନିକି ମାଇଲା ମୁଦୁଗରେ

ରଥ ଭାଞ୍ଜି ପଡ଼ିଲା ଶଙ୍କୁନି ଉପରେ ।୭୫।

 

ଅଶସ୍ତମା କୃପାଚାର୍ଯ୍ୟ ଶଲ୍ୟ ଯେ ଶଙ୍କୁନି

ଚାରିହେଂ ପଳାଇଲେ ଅସାଷ୍ଟମ କାୟେ ଘେନି ।୭୬।

ଥାଠ ଆବୋରି ଯେ ଥିଲେ ଚାରି ବୀରେ

ଭଗନସ୍ତ ହୋଇ ପଶିଲେ ସନ୍ୟର ଭିତରେ ।୭୭।

ଆରେ ଆରେ ବୋଲି ଯେ ଡାକଇ ଭୀମସେନ

ପଶିଲା ରଣ ରଙ୍ଗେ ସୋହୋଡ଼ ଥାଠ ମନ୍ଥନ ।୭୮।

 

ଅଠାଣୋଇଂ ଭାଇ ତୁଲେ ମାନ ଚକ୍ରବ୍ରତୀ

ସମସ୍ତେ ଚଢି ଅଛନ୍ତି ମୟେମତ୍ତ ହାଥୀ ।୭୯।

ହସ୍ତେଣ ଗଦା ପରଶୁ ମୁଦୁଗର

ବେଢିଣ ପ୍ରହାର କଲେ ଭୀମସେନର ଉପର ।୮୦।

ଗହଳ ସମର ଦେଖି କୋପେ କାଳେବର

ଧାମଇ ରଣରଙ୍ଗେ ପାଣ୍ଡବ ସୁନ୍ଦର ।୮୧।

 

ଅନ୍ତରାଳ ନୟନ ସେ ବଦନ ବିକଟା

ଭଇରୋବ ମୃତ୍ତି ସେ କଂକାଳ ରୁଦ୍ର ପେଟା ।୮୨।

ବିହତ ଦାଢ଼ କରାଳ ବିକଟ ବିକରାଳ

ଖାଂକର କେଶ ନୟନ ଭ୍ରମଇ ଅନ୍ତରାଳ ।୮୩।

ବେନି ଭୁଜେ ଦରାଣ୍ଡି ଧଇଲା ଗଜ ବେନି

ଅନ୍ତରୀଛେ ବୁଲାଇଲା ଉର୍ଦ୍ଧ୍ଵବାହୁ ଘେନି ।୮୪।

 

ଘୋର ରଡ଼ି ଶବଦେ କରି ଭୀମସେନ ଉଠି

ଭାଜିଲେ କଉରୋବେ ବଳ ଅନ୍ତରାଳ ଦୃଷ୍ଟି ।୮୫।

ଗଜେ ଗଜ ଧରି ବୀର କୋପେଣ କଚାଡ଼ି

ରାଜା ଆରୋହନ୍ତେ ଗଜ ତହୁଂ ଭୀମ ବାମ ଭୁଜେ ଧରି ।୮୬।

 

ଡାହାଣ କରେ ନେଇ ମାଇଲା ବଜ୍ର ମୁଥେ

ଅସ୍ଥି ମାୟେଂସ ଧୂଳି ହୋଇଲା ହାଥୀ ମୟ ମତ୍ତେ ।୮୭।

ପାଦ ଗତି ହୋଇଣ ଦ୍ରିଯୋଧନ ପଳାଇ

ହାକ ଦିଅଇ ଭୀମସେନ ରହ ରହ ଭାଇ ।୮୮।

ରାଜାକୁ କଟାଳ ଯହୁଂ କଲା ପାଣ୍ଡବ ପଞ୍ଚାଣ

ରଥେ ରଥେ ଚଢିଣ ଧାଇଂଲେ ଭୀଷ୍ମ ଦ୍ରୋଣ ।୮୯।

 

ପବନର ନନ୍ଦନ ଭୀଷ୍ମ ଦ୍ରୋଣଙ୍କୁ ଦେଖି

ଧାମଇଂ ଗର୍ଜିଣ ଗଉରୋବ ଉପେକ୍ଷି ।୯୦।

ମାତଙ୍ଗ ପର୍ବତ ଜାଣି ଭୀମସେନ ଶରୀର

ଭୁବି ଭୁବନ କମ୍ପିଲା ଯାହାର ପାଦଭର ।୯୧।

ଦ୍ରୋଣ ଗୁରୁ ଦେଖିଲେ ପବନର ନନ୍ଦନ

ଭୀଷ୍ମେ ବୋଇଲେ ଦ୍ରୋଣ ବିଜେ କଲା ଭୀମସେନ ।୯୨।

 

ଶତଶଙ୍ଗି ପର୍ବତ ତୁଟିଲା ଯାହାର ପାଦଲାଗି

ବନସ୍ତ କଷ୍ଟ ସୁମରି ଧାମଇ ମହାରାଗୀ ।୯୩।

ମୂର୍ଖ ଅଗ୍ୟାଂନ ୟେ ଦୁର୍ଭାର ଦୁଷ୍ଟ ମନ୍ଦ

ଜିଣିପାରିବା ଟିକି ୟେହାର ତୁଲେ କଲେ ଦ୍ଵନ୍ଦ ।୯୪।

ଦ୍ରୋଣେ ବୋଇଲେ ଆମ୍ଭେ ସାଂଗ୍ରାମେ ନ କଲେ

ଦ୍ରିଯୋଧନ କୋପ କରିବନା ୟେହି ମତେ ବାହୁଡ଼ିଲେ ।୯୫।

 

ଭୀଷ୍ମ ଦ୍ରୋଣ ଦ୍ରିଯୋଧନକୁ ଆବୋରି ହୋଇଛନ୍ତି ଆଗେ

ଧାମଇ ମାରୁତି ଯେ ପବନହୁଂ ଅତି ବେଗେ ।୯୬।

ନୟନ ବିକାଶିଲା ରକତ କୁମୁଦ ଦୃଷ୍ଟି

କୋପେଣ ପାଣ୍ଡବ ଲୋହାର ବେନି ଗଦା ଘେନି ପିଟି ।୯୭।

ଭୀଷ୍ମେ ଚଢ଼ିଥିଲେ ରୂପା ରଥ କଣୟ ଛାୟେଣି

ଗଦା ବିଘାତେ ଭଗ୍ନ କଲା କାଳ ଦଣ୍ଡ ପାଣି ।୯୮।

 

ଭୀଷ୍ମଙ୍କର ରଥ ଯହୁଂ ଭାଜି ଚୂର ଗଲା

ଆରକେ ରଥ ଚଢି ପୁଣିହିଂ ଆବୋରିଲା ।୯୯।

ୟେକ ମୁଖ ହୋଇଣ ଭୀଷ୍ମ ଦ୍ରୋଣ ବେନି ଯୋଧୀ

ଅବିଚ୍ଛନ୍ନେ ବାଣ ଘେନି ଭୀମସେନ ଉପରକୁ ବିନ୍ଧି ।୧୦୦।

ଯେସନେକ ଜଳ ପର୍ବତୁଂ ପଡ଼ଇ ଖସି

ମାରୁତିର ଶରୀରେ ଜୁଳୁଜୁଳା ପୋକ ପ୍ରାୟେ ଦିଶି ।୧୦୧।

 

ଭାଷ୍ମ ଦ୍ରୋଣଙ୍କର ଶହସ୍ରକୁ ତାର କିଛି ନାହିଂ ଭୟେ

ଶହସ୍ରେ ପଡ଼ି ଚୂର ହୋଉଛନ୍ତି ପର୍ବତେ ଟେଳା ପ୍ରାୟେ ।୧୦୨।

ଦୁସହ କଟାଳ ଦେଖି ପାଣ୍ଡବ ମହାତେଜୀ

କୋପେଣ ଭୀଷ୍ମଙ୍କର ରଥ ଧଇଲା ଗଳଗାଜି ।୧୦୩।

ଭୁଜଦଣ୍ଡେ ତୋଳି ରଥ କୋପେଣ ବୁଲାଇ

ଦ୍ରୋଣଙ୍କର ରଥେ ତାହା କଚାଡ଼ିଲା ନେଇ ।୧୦୪।

 

ଭାଞ୍ଜିଣ ବେନି ରଥ ହୋଇଲା ଭଗନସ୍ତି

ଅସାଷ୍ଟମ ହୋଇ ପଡ଼ିଲେ ବେନି ମହାରଥୀ ।୧୦୫।

ଦୂରେ ରହି ଦେଖି କ୍ରୋଧ କରଇ ମାନଗୋବିନ୍ଦ

କିମର୍ଥେ ବୁଡ଼ାଇଲି ମୁଂ ୟେତେକ ସମ୍ପଦ ।୧୦୬।

କର୍ଣ୍ଣ ଅଶସ୍ତମା କୃପ ଭୂରିସର୍ବା ଶଲ୍ୟ

ବିନା କାର୍ଯ୍ୟେ ଦେହ ଗଞ୍ଜାଇଲେ ମହା ମହାମଲ୍ଲ ।୧୦୭।

 

ଶଙ୍କୁନି ଆଦି କରି ଭୀଷ୍ମ ଦ୍ରୋଣ ପଡ଼ିଲେ

ୟେତେକ ବିପଦ ମୋତେ କେଉଣ ପୁରୁଷ ବିହିଲେ ।୧୦୮।

ଶତେଭ୍ରାଥ ଘେନି ମୁଂ ପ୍ରାଣ ପାଇଲି ଯେ ଧର୍ମେ

ବୁଡ଼ାଇଲି ରାଜ୍ୟେ ମୁହିଂ କେବଣ ବିଧାତାର କର୍ମେ ।୧୦୯।

ଭୀଷ୍ମ ଦ୍ରୋଣଙ୍କୁ ଆକ୍ରେଷି ଅଛି ଭୀମ ଊର୍ଦ୍ଧ୍ଵବାହୁ

ଦ୍ରିଯୋଧନ ବିଚାରଇ ୟେ ପ୍ରତକ୍ଷେ ଅଟେ ରାହୁ ।୧୧୦।

 

ଗଦା ପିଟନ୍ତେ ନେଇ ଦ୍ରୋଣଙ୍କ ଉପରେ

ଅର୍ଜୁନ ନକୁଳ ସହଦେବ ଆସି ଧଇଲେ ତିନି ବୀରେ ।୧୧୧।

ଅର୍ଜୁନ ବୋଇଲା ରହ ରହ ଗୋସାଇଂ

ୟେହାଙ୍କୁ ନାଶ କରିବାକୁ ଠାକୁରଙ୍କର ଆଗ୍ୟାଂ ନାହିଂ ।୧୧୨।

ଅର୍ଜୁନ ବୋଇଲେ ସ୍ଵାମୀ ମନେ କିମ୍ଫେ ନଭାଳ

ପିଅର ଗୁରୁ ୟେମାନେ କିମ୍ପେ ଧର୍ମକୁ ନ ପାଳ ।୧୧୩।

 

ଅର୍ଜୁନ ବଚନେ ଭୀମସେନ ଶାନ୍ତି କଲା କୋପ

ସାଷ୍ଟମ ହୋଇ ଦ୍ରୋଣ ବୋଇଲେ ସାଧୁ ସାଧୁ ମୋହୋର ବାପ ।୧୧୪।

ତବ ଜୀବନ ଧନି ପିତା ତୁମ୍ଭର ଧନି

ଧନି ଧନି ସାଧବୀ ଅଟଇ ତୁମ୍ଭର ଜନନୀ ।୧୧୫।

ଅନେକ ପ୍ରଶଂସା ଯହୁଂ କରନ୍ତି ଭୀଷ୍ମ ଦ୍ରୋଣେ

ନମସ୍କାର କରି ବାହୁଡ଼ିଲେ ଚାରି ଜଣେ ।୧୧୬।

ଶାଲୁ ପୁଣ୍ଡରୀକ ଦମଘୋଷ ଋକ୍ମଣ ଶିଶୁପାଳ

ୟେମାନେ ରହିଅଛନ୍ତି ଆବୋରିଣ ବଳ ।୧୧୭।

 

 

ଭୀମସେନ ଧାମଇଂ ତାହାଙ୍କ ଉପରକୁ

ସିଙ୍ଘ ଦେଖି ଯେହ୍ନେ ପୟେଡ଼ ପଡ଼ଇ ବନଜୀବମାନଙ୍କୁ ।୧୧୮।

ବିକଟ ଦୃଷ୍ଟି ଦେଖି ପଳାନ୍ତି ଥାଠ ଭାଞ୍ଜି

ପଞ୍ଚୁ ରାୟେ ୟେକ ହୋଇ ନାରାଜ ବିନ୍ଧିଲେ ଗଳଗାଜି ।୧୧୯।

 

ଶସ୍ରକୁ ବ୍ରିକୋଦର ନକରଇ କିଛି ଭୟେ

ପାଞ୍ଚରାଜାଙ୍କର ଶର ଛେଦଇ ଧନୁର୍ଜୟେ ।୧୨୦।

ଭୀମସେନ ଗଦାପିଟେ କରି ଘୋର ରଡ଼ି

ବେଳ ହୋଇଲାନି ଆସି ଚତୁର୍ଦ୍ଦଶ ଘଡ଼ି ।୧୨୧।

ଗୋଳଯୁଦ୍ଧ ହୋଇଲାନି ରାତ୍ର ଘେନି ତିନି ଯେ ଦିବସ

ନାରାଜ ବିନ୍ଧି ନପାରନ୍ତି ଜନେ ନିରାଶ ଉପବାସ ।୧୨୨।

 

ଭୀମ ଅର୍ଜୁନର ସାଂଗ୍ରାମେ ଶାନ୍ତି ନାହିଂ

ଅନ୍ୟେଣ ଇଚ୍ଛା ନାହିଂ ସାଂଗ୍ରାମେ ଝାସ ଦେଇ ।୧୨୩।

ୟେସନେକ ମହିମା ପାଣ୍ଡବ ପଞ୍ଚାଣ

ପଞ୍ଚଚାଳିଶ କ୍ଷଉଣୀ ବଳେ ପଶି କଲେ ମହାରଣ ।୧୨୪।

ମେରୁ ପ୍ରତିକ୍ଷଣେ ବିଜୟେ ଦିନକର

ଉଦେ ନାଥ ଅସ୍ତ ଯେ ହୋଇଲା ଅନ୍ଧାର ।୧୨୫।

 

ଭୀଷ୍ମ ଦ୍ରୋଣେ ପଳାବନ୍ତି ଶ୍ରୋଣିତ ବର୍ଣ୍ଣ ଅଙ୍ଗ

କିଂଶୁକ ପୁଷ୍ପ ଜାଣି ଦିଶନ୍ତି ବିରଙ୍ଗ ।୧୨୬।

ଦ୍ରିଯୋଧ ନରହିଥିଲା ଯୋଜନେକ ଅନ୍ତରେ

ଭୀଷ୍ମ ଦ୍ରୋଣେ ପ୍ରବେଶ ହୋଇଲେ କୁରୁନାଥ ଛାମୁରେ ।୧୨୭।

ଗଙ୍ଗାକୂଳେ ପର୍ବତ ଗୋଟିୟେ ନାମ ରଣଜୟେ

ଭଗ୍ନବଳ ଘେନି ତହିଂ ରହିଛି କୁରୁରାୟେ ।୧୨୮।

 

ୟେଣେ ଗହଳ ଧନ୍ଦୋଳ କହି ତ କି ପାରି

ବ୍ରହ୍ମାଣ୍ଡ ଉଛୁଳୁ ଅଛି ଭୀମସେନର ଘୋର ରଡ଼ି ।୧୨୯।

ଭୀଷ୍ମ ଦ୍ରୋଣେ ବୋଇଲେ ହୋ ୟେଥି ନଥିବା

ବନଗହନ ଭିତରକୁ ଚାଲ ଅପସରି ଯିବା ।୧୩୦।

ସେ ଥାଠ ଭାଞ୍ଜି ଆସିବ ଆମ୍ଭର କତିକି

ନପାରିବା କେହି ରହି ସବୁ ବୁଡ଼ାଇବା ନିକି ।୧୩୧।

 

ତହୁଂ ଘୁଞ୍ଚି ବନସ୍ତେ ପଶିଲେ କୁରୁରାୟେ

ଜାରାର ଥାଠ ପଳାଇ ନପାରନ୍ତି ଗଦା ଘାୟେ ।୧୩୨।

କାହାର ଅଙ୍ଗ ଭାଞ୍ଜି ଅଛି କାହାର ଚରଣ ଛୋଟା

ଗଜ ଅଶ୍ଵ ଚଳି ନିଆରନ୍ତି ସବୁହେଂ ଶର ଫୁଟା ।୧୩୩।

କଦଳୀବନେ ଯେହ୍ନେ ପଶିଲା ମତ୍ତନାଗ

ଖଗେଶ୍ଵରେ ଦେଖି ବିମ୍ଵରେ ଯେହ୍ନେ ପଶଇ ଉଡ଼ଙ୍ଗ ।୧୩୪।

 

ବିଶେଷେଣ ମହାମତ୍ତ ଆବର ନିଶାକାଳ

ଭାଞ୍ଜିଲା ଦମନ ବଳ କରିଣ ମହାଗୋଳ ।୧୩୫।

କେ ପର କେ ଅପର ଅଟଇ ଆପଣା

କେ ଶତ୍ରୁ ମିତ୍ର ବୋଲି ନହେଲା କଳଣା ।୧୩୬।

ପୟେତର ଘାୟେ ଲିଭିଲା ଦିହୁଡ଼ିର ହୁଳା

ଦୁଗୁଣ ପ୍ରହାର କଲା ପବନର ବଳା ।୧୩୭।

 

ଅର୍ଜୁନର ସାଂଗ୍ରାମ କହିତ କି ପାରି

ଉଭୟ ମୁଖେ ସେ ସନ୍ୟନ୍ତ ସାଂଗ୍ରାମେଣ ମାରି ।୧୩୮।

ବିରଥବିଶହସ୍ରସାଂଗ୍ରାମେ ଦିଅଇ ପିଠି

ନ ମାରଇ ରଣେ କଇଚ୍ଛା ଜଗଜ୍ଜେଠି ।୧୩୯।

ଭୀମସେନ ସଇନ ମାଇଲା ବହୁତ

ଦୁଇ ହସ୍ତେ ଧରି ପିଟଇ ରଥେ ରଥ ।୧୪୦।

 

ବଜ୍ରଲାଭ ରଥ ଶତେ ନଳ ଆୟତନ

ଅହିବ୍ରତେକ ଶାର୍ଦ୍ଦୋଳ ଯୋଚିଲା ଅଛି ବିଦ୍ୟମାନ ।୧୪୧।

ଦଶ ଲକ୍ଷ ଭାର ପାଣିଦ୍ରବ୍ୟ ଲାଗିଥିଲା

ସେ ରଥ ଫିଙ୍ଗିଦିଲା ଯୁଣେକ ପଡିଲା ।୧୪୨।

ରଥ ଭଗ୍ନ ଦେଖି ଭୀଷ୍ମ ଦ୍ରୋଣେ ପଳାଇଲେ

ଆବର କେବଣ ବାପୁଡ଼ା ରହିବ ତାହାର ଛାମୁରେ ।୧୪୩।

 

ଯେସନେକେ କ୍ଷୀର ସିନ୍ଧୁ ମନ୍ଥିଲା ମନ୍ଦର

କାଳଦଣ୍ଡ ଘେନି ବିଜୟେ କି ନାଶକର ।୧୪୪।

ଦୁସହ ସାଂଗ୍ରାମେ ପଶିଲେ ଚାରି ଭାଇ

ସନ୍ୟ ବଳ ନମାରନ୍ତି ଠାକୁରଙ୍କ ଆଗ୍ୟାଂ ନାହିଂ ।୧୪୫।

ୟେକା ବ୍ରିକୋଦର ମାଇଲା ଅନେକ ସଇନି

ଶହସ୍ର ପକାଇଂ ସଇନି ଦନ୍ତେ ତିରଣ ଘେନି ।୧୪୬।

 

ରଥ ଗଜ ଅଶ୍ଵ ଛାଡ଼ିପଳାନ୍ତି ମହା ଦୁଖେ

ରଖ ରଖ ସ୍ଵାମୀ ବୋଲି ଦଶନହ ଭରି ମୁଖେ ।୧୪୭।

ନିର୍ଦ୍ଦୟ ନିରାପକ୍ଷ ଯାହାର ଶରୀର

ଶରଣ ବୋଇଲେ ଦୁଗୁଣ କରଇ ପ୍ରହାର ।୧୪୮।

ଅର୍ଜୁନ ବଇକୁଲ୍ୟ ସନ୍ୟର କଷ୍ଟ ଦେଖି

ସ୍ଵାମୀ ୟେହାନ୍ତ ମାଇଲେ କି ହେବ ସଭିହେଂ ନିରିମାଖି ।୧୪୯।

 

ତିନିନ୍ତ ଠେଂସି ବୀର ମହା ଯୁଦ୍ଧ କଲା

ପଞ୍ଚଦଶ ଯୋଜନ ଯାୟେ ପାୟେଡ଼ା ପଡିଲା ।୧୫୦।

ଦମନକ ଶାଲୁ ପୁଣ୍ଡରୀକ ଶିଶୁପାଳ ରୁକ୍ମଣ

ୟେକା ପ୍ରହାରକେ ବିରଥୀ ହୋଇଲେ ପାଞ୍ଚଜଣ ।୧୫୧।

ଦମନକ ଶାଲୁ ପୁଣ୍ଡରୀକ ରୁକ୍ମଣ ଶିଶୁପାଳ

ବେନି ହସ୍ତେ ଧଇଲା ପାଞ୍ଚଙ୍କର ବାଳ ।୧୫୨।

 

ଆକ୍ରେଷିଣ ଆଣୁ ଅଛି ପବନର ବାଳେ

ଊର୍ଦ୍ଧ୍ଵବାହୁ କରି ଆଣନ୍ତେ ଚରଣ ନ ପଡ଼ଇ ତଳେ ।୧୫୩।

ଯୁଝେଷ୍ଠି ଦେବ ବିଜେ କରିଅଛନ୍ତି ଦକ୍ଷିଣ ଜଗତୀ ଉପରେ

ସନ୍ନିଧ୍ୟେ ପ୍ରବେଶ ହେଲେ ଯାଇଂ ଚାରି ବୀରେ ।୧୫୪।

ମକର ମାସ କୃଷ୍ଣ ପକ୍ଷ ଦଶମୀ ଦିନର

ଚନ୍ଦ୍ର ଦେବତା ଉଦେ ହୋଇ ଅଛି ଅଢାଇ ପ୍ରହର ।୧୫୫।

 

ଯୁଝେଷ୍ଠି ଦେବ ଦେଖିଲେ ଭୀମସେନର ମୂରତି

ଜଗତୀ ଉପରୁ ଓହ୍ଲାଇ ଅଇଲେ ତଡ଼ତି ।୧୫୬।

ପ୍ରଣପତ୍ୟ ହୋଇ ସୁତିଲେ ଚାରିଭ୍ରାଥେ

ଦେଖିଲେ ପାଞ୍ଚ ଜଣଙ୍କ କେଶ ଭୀମସେନ ହାଥେ ।୧୫୭।

ଯୁଝେଷ୍ଠି ଦେବ ବୋଇଲେ ଶୁଣିମା ପଣ୍ଡାୟେ

ଛାଡ଼ି ଦିଅ ପଳାନ୍ତୁ ୟେ ପାଞ୍ଚ ରାଜାୟେ ।୧୫୮।

 

ଆମ୍ଭେ ବ୍ରାହ୍ମଣ ଆମ୍ଭର କିସ ହତ୍ୟାବାଦୀ

ବେଦ ଶାହାସ୍ରେ ଆମ୍ଭର ଶରୀର ସମ୍ପାଦି ।୧୫୯।

ସେ ପାଞ୍ଚରାଜାନ୍ତ ଗଳାଇ ଦିଲା ଜାନୁ ତଳେ

ଛାଡ଼ିଲା ମାତ୍ରକେ ପଳାଇଲେ ପ୍ରାଣର ବିକଳେ ।୧୬୦।

 

ସେ ଭଗ୍ନବଳ ପଳାଇ କୁରୁ ଥାଠେଣ ପଶି

ପଳାନ୍ତି ସମସ୍ତେ ରହିତ ନୁଆରନ୍ତି ଭରସି ।୧୬୧।

ୟେକକୁ ଆରକେ କେହି ପ୍ରତେ ନାହିଂ ରାୟେ

ଅସମ୍ଭାଳେ ପଳାବନ୍ତି କେହି ନେଉଟି ନଚାହାନ୍ତି ଭୟେ ।୧୬୨।

ୟେ ପାଞ୍ଚରାଜାୟେ ଯେ ଗଲେକ ପଳାଇ

ରଜନୀ ପ୍ରଭାତେ ଥାଠେ ଭେଟିଲେକ ଯାଇଂ ।୧୬୩।

 

ମନ୍ଦାଅଗ୍ନି ନଦୀ ତୀରେ ରହି ଅଛନ୍ତି ସଇନି

ସନ୍ନିଧ୍ୟେ ପ୍ରବେଶ ହୋଇଲେ ନିଜଆତ୍ମା ଘେନି ।୧୬୪।

ଦ୍ରିଯୋଧନ ରାଜା ତହିଂ ନିତ୍ୟକର୍ମ ସାରି

ବନସ୍ତେ ପଶି ସଇନି କନ୍ଦମୂଳ ଆହାର କରି ।୧୬୫।

ସଇନି ସମୀକ୍ଷା କରନ୍ତି ରାଜାମାନେ

କାହାର ପାଆକ ପଡିଲା କାହାର ଦୁଇ ଭାଗ ନିଧନେ ।୧୬୬।

 

ଦ୍ରିଯୋଧନ ରାଜାର ଯେ ଅଷ୍ଟାଦଶ କ୍ଷଉଣୀ

ସାତ କ୍ଷଉଣୀ ପଡ଼ିଲେ ପଳାଇଲେ ୟେଗାର କ୍ଷଉଣୀ ।୧୬୭।

ଯେତେକ ସଇନି ଅଇଲେ ଉବୁରି

ସାଷ୍ଟମ ହୋଇ ଆତ୍ମା ନାହିଂନା କାହାରି ।୧୬୮।

ଦ୍ରିଯୋଧନ ପୁଚ୍ଛାକଲା ସେ ପାଞ୍ଚରାଜାନ୍ତି ରାଇ

ତୁମ୍ଭନ୍ତୁ ଯେ ବ୍ରାହ୍ମଣ ଧରିନିଲା ଛାଡିଲା କିସ ପାଇଂ ।୧୬୯।

 

ରୁକ୍ମଣ ବୋଇଲା ସ୍ଵାମୀ ଶୁଣିମା ଧୃତିରାଷ୍ଟି

ଆମ୍ଭନ୍ତ ଆବୋରିଲା ତାହାର ଭାଇ ଗୋଟି ।୧୭୦।

ଦୁର୍ଭାର ଦିଜବର ସେ କଇଚ୍ଛା ଜଗଜ୍ଜେଠି

ଧର୍ମ ବଳେ ନ ମୋଡ଼ିଲା ସେ ପାଞ୍ଚଙ୍କର ମୁଣ୍ଡ ଗୋଟି ।୧୭୧।

ତାହାଙ୍କର ପିଅର କି ସେ ଜ୍ୟେଷ୍ଠ ଭ୍ରାଥ ବ୍ରାହ୍ମଣେକ ଅଛି

ମହା ଭିଗ୍ୟଂବନ୍ତ ସେ ୟେହାନ୍ତ କଲା ବାଚି ।୧୭୨।

 

ଛାଡ଼ହେ ପଣ୍ଡାୟେ ବୋଲି ଦୟା ଭାବ କଲା

ତାହାର ବଚନେ ସେ ଆମ୍ଭନ୍ତ ଛାଡ଼ିଦିଲା ।୧୭୩।

ଦ୍ରିଯୋଧନ ବୋଇଲା ୟେହା ନଗଲା ବୁଝି ତ

ଭିକ୍ଷୁକ ବ୍ରାହ୍ଣଣ ହୋଇ କାହୁଂ ହୋଇଲା ୟେମନ୍ତେ ।୧୭୪।

ଭୀଷ୍ମେ ବୋଇଲେ ତୁ ରାଜାଧିରାଜ ଶିରୋମଣି

ୟେତେବେଳ ପରିଯନ୍ତେ କିମ୍ପେ ତାହାନ୍ତ ନ ଚିହ୍ନି ।୧୭୫।

 

ପୁଣ ପୁଣ ଗାଙ୍ଗେବନ୍ତ ପୁଚ୍ଛେ ଦ୍ରିଯୋଧନ

ସେ କେଟି ତାହାଙ୍କୁତ ନାହିଂ ମୋର ଗ୍ୟାଂନ ।୧୭୬।

ରାଜାର ବଚନେ କହନ୍ତି ଗଙ୍ଗାର ନନ୍ଦନ

ଯାହା ତୁ ପଚାରିଲୁ ଶୁଣ ହୋ ଦ୍ରିଯୋଧନ ।୧୭୭।

ଇନ୍ଦ୍ର କି ଗୋବିନ୍ଦ କହ ଅର୍ଜୁନ ୟେ ତିନି

ଆମକେ ଜିଣନ୍ତା ନାହିଂ ଲକ୍ଷେ ରାଜାର ସଇନି ।୧୭୮।

 

ଇନ୍ଦ୍ର ଦେବତାର ଆମ୍ଭେ ନୋହୁନା ବଇରି

ଅର୍ଜୁନ ଲେଖା ୟେ ତ ପିତାମହ ଆମ୍ଭରି ।୧୭୯।

ଆମ୍ଭର ଗଦାଗୁରୁ ଅଟନ୍ତି ବଳଭଦ୍ରେ

ତାହାଙ୍କ ଦେଖନ୍ତେ ଆମ୍ଭଙ୍କୁ ଦୟା କରନ୍ତି ଗୋବିନ୍ଦେ ।୧୮୦।

ପାଣ୍ଡବ ତ ମଲେ ଜଦୁର ଘରେ ଜଳି

ଆମ୍ଭନ୍ତ ଜିଣିମାକୁ କେ ସାମର୍ଥ ଅଛି ଆନେ ଭଳି ।୧୮୧।

 

ଭୀଷ୍ମେ ବୋଇଲେ ବାବୁ ବୁଡ଼ିଲା ତୋହୋର ଗ୍ୟାଂନ

ଲାଖ ଯେ ବିନ୍ଧିଲା ସେହୁ ପ୍ରତକ୍ଷେ ଅରଜୁନ ।୧୮୨।

ବେନି ବୃକ୍ଷ ବୁଲାଇ ଯେ ଧାଇଂଲା ପ୍ରଥମେ

ପବନର ନନ୍ଦନ ସେ ଯେ ପାଣ୍ଡବ ଭୀମସେନ ।୧୮୩।

ତାହାର ପଛେ ଯେ ବେନି ବୃକ୍ଷ ଧରି କରେ

ନକୁଳ ସହଦେବ ସେ ମାଦ୍ରୀର କୁମରେ ।୧୮୪।

 

ଯୁଝେଷ୍ଠି ମାତ୍ର ନ ଥିଲେ ତାହାଙ୍କର ତୁଲେ

ଚାରିପାଣ୍ଡବେ ଲକ୍ଷେ ରାଜାନ୍ତ ଜିଣିଲେ ।୧୮୫।

ଦ୍ରିଯୋଧନ ବୋଇଲା ୟେ ତ ଅତି ଅଗୋଚର

ପଞ୍ଚୁପାଣ୍ଡବେ କୋଇନ୍ତାୟେ ମଲେ ଜଦୁର ଘର ।୧୮୬।

ପ୍ରତେକ୍ଷ ଦେଖିଲୁ ସାତ ଜଣ ମଲା

ପୁରଞ୍ଚନ ସହିତେ ପ୍ରତେକ୍ଷ ନାଶଗଲା ।୧୮୭।

 

ଭୀଷ୍ମେ ଦ୍ରୋଣେ ବୋଇଲେ ସେମାନେ ସର୍ବ ମିଥ୍ୟା

ପୁରଞ୍ଚନ ନାଶ ଗଲା ସେହି ସେ ସତ କଥା ।୧୮୮।

କହିଲେ ଶଙ୍କୁନି ଧୁଶାସନ କର୍ଣ୍ଣ ଶଲ୍ୟ

ଆଦ୍ୟହୁଂ ଜାଣୁନି ନା ତୁମ୍ଭେ କୁରୁବଳଙ୍କୁ ନକହ ଭଲ ।୧୮୯।

ଜଦୁର ଘରେ ଯେ ପ୍ରତକ୍ଷେ ନାଶଗଲେ ପାଣ୍ଡବେ

ସୋଦ୍ରିମା ପଣ ତୁମ୍ଭେ ନ ଛାଡ଼ କେବେହେଂ ଗାଙ୍ଗବେ ।୧୯୦।

 

ଦ୍ରୋଣଙ୍କୁ କହନ୍ତି ୟେ ଲାଘବ ଚରିତ

ମରନ୍ତା ଲୋକଙ୍କୁ ୟେହାଙ୍କର ଶୋଗ ଯେ ବହୁତ ।୧୯୧।

ପ୍ରଶୁରାମ ଅବା ଦୟା କଲେ ଅନୁରାଗେ

ଯେ ସେ ଭିକ୍ଷାଶୀ ସେହି ସେ ତହିଂର କସଂଯୋଗେ ।୧୯୨।

ଗୁରୁ ତୋଷି ଅବା ବିଦ୍ୟା ପାଇଲେ

ବ୍ରାହ୍ମଣ ଜନମୁ କି ଆନ ଜନମ ହୋଇଲେ ।୧୯୩।

 

ଭୀଷ୍ମେ ବୋଇଲେ ବାବୁ ଆମ୍ଭନ୍ତ ଭାଞ୍ଜିଲ

ଦେହ ଗଞ୍ଜାଇଲ ପ୍ରାଣେ ନାଶ ନଗଲ ।୧୯୪।

ଅଜାତଶତ୍ରୁ ସେ ଯେ ଧର୍ମରାଜ ଯୁଝେଷ୍ଠି

ତାହାଙ୍କର ବଚନ ଅଲଙ୍ଘିତ ସେ ଭାଇ ଚାରିଗୋଟି ।୧୯୫।

ତେଣୁ କରି ନାଶ ନକଲେ ତୁମ୍ଭନ୍ତ ରଣେ

ଜନ୍ମ କଳଙ୍କ ଘେନି ତୁମ୍ଭେ ହୋଇଲ ଜଣେ ଜଣେ ।୧୯୬।

 

ଆରେ ମନ୍ଦ ମତ୍ତ ଗର୍ବ ଭାବେ ତୁମ୍ଭେ ବୁଡାଇଲ ଆମ୍ଭନ୍ତ

ୟେହି ଦିନା ଦୁଇ ଚାରିରେ ଜାଣିମାନା ସତ ମିଛ ତଦନ୍ତ ।୧୯୭।

ଭଗ୍ନବଳ ଘେନି ଚଳଇ ମାନଗୋବିନ୍ଦ

ପାଞ୍ଚାଳୀକି ଦେଖି ଯୁଝେଷ୍ଠି ଅନେକ ସାନନ୍ଦ ।୧୯୮।

ଯାହା ସେ ବୋଇଲେ ବ୍ୟାସ ମହାମୁନି

ମହତଙ୍କର ବାକ୍ୟ ଘେନି ଲଭିଲୁ ଯିଘ୍ନସେନୀ ।୧୯୯।

 

ମଦନଗିରି ପର୍ବତେ ସଇନି ନିବ୍ରତ କଲା

ଦ୍ରୋପଦ ପୁଅଙ୍କର ଚିହ୍ନ ବର୍ଣ୍ଣ ନଦିଶିଲା ।୨୦୦।

ଭୀମସେନ ବୋଇଲା ଦେବ ଦ୍ରୋପତୀ ଘେନିଣ ସଙ୍ଗରେ

ଚାଲ ବିଜେ କରିବା ଦ୍ରୋପଦ ଜଗତୀ ଉପରେ ।୨୦୧।

ତେବେ ସେ ଦ୍ରୋପଦର ଜାଣିମାନା ତଇଥ

ଯୁଝେଷ୍ଠି ଦେବେ ବୋଇଲେ ବାବୁ ନୋହୋଇ ୟେମନ୍ତେ ।୨୦୨।

 

ଆରେ ଆମ୍ଭେ ଅଇଲାଇ ବିପତ୍ତିର କାଳେ

ଦୃଗତି ବଞ୍ଚି ରହିଲାଇ ବାବୁ କୁରାଳର ଶାଳେ ।୨୦୩।

ସମ୍ପଦର କାଳେ ଆନଠାବେ କିମ୍ପେ ଯିବା

ସେହି କୁରାଳ ଶାଳେ ରହି ହୋଇବାକ ବିଭା ।୨୦୪।

ବିପଦର କାଳେ ଆମ୍ଭନ୍ତ ଠାବ ଦିଲା ଚକ୍ରୀ

ମୁକତ ହୋଇବନା ଆମ୍ଭର ବିଭା ଦେଖି ।୨୦୫।

 

ପାଣ୍ଡବେ ପାଞ୍ଚେହେଂ କେଶିନୀ ଦ୍ରୋପତୀ

ବଇଡୁର୍ଯ୍ୟ ପର୍ବତରେ ବସିଣ ଭାଳନ୍ତି ।୨୦୬।

ଲକ୍ଷେକ ନୃପତି ଭଗନସ୍ତେ ପଳାଇଲେ

ସଭିୟେଂ ୟେକ ହୋଇ ଲେଉଟନ୍ତି ବୋଲି ବାଟ ନିରୋଧିଲେ ।୨୦୭।

ଆମ୍ଭର ଥାଉଂ ପ୍ରମାଦ ପଡିବ କି ଦ୍ରୋପଦକୁ

ଦୋହିତା ଗୋଟି ଦେଇ ସମର୍ପି ହୋଇଲା ଆମ୍ଭଙ୍କୁ ।୨୦୮।

 

କେଶିନୀ ବୋଇଲା ତୁମ୍ଭେ ମହତ ପଞ୍ଚୁଜନେ

ଲକ୍ଷେକ ନୃପତି ଜିଣିଲ ତୁମ୍ଭେ ବିଦ୍ୟମାନେ ।୨୦୯।

ପୁତ୍ରନ୍ତ ଘେନ କେଣେ ପଳାଇଲେ ଦ୍ରୋପତ

ଅନେକ ବିକଳ ହୋଉଛନ୍ତି ଲୋଡ଼ିଣ ତୁମ୍ଭନ୍ତ ।୨୧୦।

ଚାଲ ଚାଲ ସ୍ଵାମୀ ଆମ୍ଭେ ନିଜ ଭୁବନକଇ ଯିବା

ପାଞ୍ଚାଳ ଦେଶ ରାଜାର ଦୋଷ ନଧରିବା ।୨୧୧।

 

ସ୍ଵାମୀ ଦ୍ରୋପତୀ ଜାତ କଲା ଯହିଂର ନିମନ୍ତେ

କାଳେ ସୁକାର୍ଯ୍ୟ ଲଭିଲା ଦ୍ରୋପଦ ନୃପତ୍ୟେ ।୨୧୨।

ଯୁଝେଷ୍ଠି ବୋଇଲେ ଆମ୍ଭେ ଅଟୁ ଯେ ଭିଖାରୀ

ଆମ୍ଭନ୍ତ ଦେବ ବୋଲିକି ଦ୍ରୋପଦ ସଞ୍ଚିଲେ କୁମାରୀ ।୨୧୩।

କେଶିନୀ ବୋଇଲା ମୁଂ ଜାଣଇ ୟେଥିରେ ଭାବ

ତୁମ୍ଭନ୍ତ ବୁଝଇ ମୁହିଂ ପଞ୍ଚୁ ଯେ ପାଣ୍ଡବ ।୨୧୪।

 

ଦ୍ରୋପଦ ରାଜାକୁ ଯେବେ ଦ୍ରୋଣେ ଧରି ନେଲେ

ଅର୍ଜୁନର ହାଥେ ନେଇ ବନ୍ଦୀ କରାଇଲେ ।୨୧୫।

ଅନମିତ୍ତେ ଅପମାନ ଦିଲାକ ଦ୍ରିଯୋଧନ

ତାହାର ଅଭିମାନେ ରାୟେ ଖଟିଲା ତ୍ରିଲୋଚନ ।୨୧୬।

ଅଠର ବରଷେ ପ୍ରସନ୍ନ ହୋଇଲେ ଧୃଜଟୀ

ଦ୍ରୋପଦ ବୋଇଲେ ମୋତେ ଦେବା ଦୋହିତା ୟେକ ଗୋଟି ।୨୧୭।

 

ମୁହିଂ ତାହା ପ୍ରଦାନ କରିବି ଅର୍ଜୁନକୁ

ତାହାର ହାଥେ ନଶାଇବି କୌରବଙ୍କୁ ।୨୧୮।

ଈଶ୍ଵରେ ଆଗ୍ୟାଂ ଦିଲେ ବ୍ୟାସ ଦୁର୍ଭାସାଙ୍କୁ

କନ୍ୟା ଗୋଟିୟେ ତୁମ୍ଭେ ଉପୁଜାଇଂ ଦିଅ ଦ୍ରୋପଦଙ୍କୁ ।୨୧୯।

ସ୍ଵାମୀର ଆଗ୍ୟାଂୟେ ମହା ମୁନି କଲେ ଯାଗ

ଶିଖଣ୍ଡୀ ଧୃଷ୍ଟଦୃମନ ସେ ଜାତ ହୋଇଲେ ଆଗ ।୨୨୦।

 

ପଛେଣ ଜାତ ହୋଇଲେ ୟେହୁ ଯିଘ୍ନସେନୀ

ପାଣ୍ଡବେ ଜଦୁର ଘରେ ଦହନ ହୋଇଲେ ଶୁଭିଲାକ ଧୁନି ।୨୨୧।

ବ୍ୟାସଙ୍କୁ ପଚାରିଲେ ଯେସନେ କଲେ କଥା ଫୁଟ

ମହା ଲାଖେକ ଭିଆଇ ପାଡ଼ିଲେ ବ୍ୟାସ କୂଟ ।୨୨୨।

ଅର୍ଜୁନହୁଂ ଆନ ୟେହା ନୋହିବ ବିନ୍ଧନ୍ତା

ୟେ ଲାଖ ଯେ ବିନ୍ଧିବ ଦେବଇଂ ତାହାରେ ଦୋହିତା ।୨୨୩।

 

ୟେସନେକ ଚରିତ ଭିଆଇଲେ ମୁନି ବ୍ୟାସେ

ସୟମ୍ଵର କଲା ରାଜା ତୁମ୍ଭର ପ୍ରତିଆଶେ ।୨୨୪।

ସଦାଶିବର ବାକ୍ୟକେ ଆନ କଲା

ଯାହା ବାଞ୍ଛିଲା ଦ୍ରୋପଦ ତାହା ସେ ପାଇଲା ।୨୨୫।

ଯୁଝେଷ୍ଠି ପୁଛା କଲେ କେଶିନୀ ଅଗ୍ରତେ

ଆମ୍ଭେ ପାଣ୍ଡବେ ବୋଲି ତୁ ଜାଣିଲୁ କେମନ୍ତେ ।୨୨୬।

 

କେଶିନୀ ବୋଇଲା ଯେ ଆଦି ଅବତାରେ

କେତୁକା ନାମ ୟେହାର ଆଦି ସତ୍ୟ ଯୁଗରେ ।୨୨୭।

ମୋହୋର ନାମ ସେ ଅଟଇ ଉଗ୍ରତାରା

ଦାସୀ ପଣେ ଖଟଇ ମୁଂ ୟେହାର ମନୋହରା ।୨୨୮।

ଦୁତୀୟ ଜନମେ ୟେ ୟେକ ବଳା ପାର୍ବତୀ

ମୋହୋର ନାମ ଦେବ କାଉଂରୀ ମାଳତୀ ।୨୨୯।

 

ଜନ୍ମେ ଜନ୍ମେ ମୁଂ ୟେହାର ପରିବାରୀ ଅଟଇ

ଭୃତ୍ୟ ସଭାବେ ମୁଂ ୟେହାର ଚରଣେ ଖଟଇ ।୨୩୦।

ତୃତୀୟ ଜନମେ ୟେ ଅଟଇ ଶଚୀଦେବୀ

ମୁହିଂ ସେ ପ୍ରିୟମ୍ଵଦା ୟେହାର ଚରଣେ ସେବୀ ।୨୩୧।

ଚତୁର୍ଥ ଜନମେ ୟେ ଦ୍ରୋପତୀ ରୂପେ ଅବତରି

କେଶିନୀ ନାମ ମୋହୋର ମୁଂ ଜନ୍ମେ ଜନ୍ମେ ଭୃତ୍ୟକାରୀ ।୨୩୨।

 

ତୁମ୍ଭେ ପାଞ୍ଚ ଇନ୍ଦ୍ର ସିନା ଅଟ ୟେକ ମୂରତି

ମୁଂ ତୁମ୍ଭନ୍ତ ଜାଣି ଅଛିନି ତୁମ୍ଭେ ଜନ୍ମେ ଜନ୍ମେ ପତି ।୨୩୩।

ଅନେକ ଜନ୍ମର କଥା ଯହୁଂ କହିଲା କେଶିନୀ

ଯୁଝେଷ୍ଠି ବୋଇଲେ ତୁ ତ ପୂଜାକୁ ଯୋଗ୍ୟ ମାନି ।୨୩୪।

ଅନେକ ଗଉରବେ କଲେ କେଶିନୀକି

ଅପର୍ଣ୍ଣା ବୃନ୍ଦା ଅର୍କ ମେଳେ ଲେଖିଲେ ପାଞ୍ଚାଳୀକି ।୨୩୫।

 

କନ୍ୟାକୁ ଘେନି ସେ ପଣ୍ଡୁ ପଞ୍ଚୁ ପୁତ୍ରେ

କୁରାଳଶାଳକୁ ଗମନ୍ତି ମାତାଙ୍କର ସମୀପେ ।୨୩୬।

ସେ କନ୍ୟା ଦେଖି ବିଚାରନ୍ତି ଦେବ ଧର୍ମେ

ଲାଖ ବିନ୍ଧିଲା ଅର୍ଜୁନ ବରି ନ ଦିଲା ଜ୍ୟେଷ୍ଠ ଅନୁକ୍ରମେ ।୨୩୭।

ଆମ୍ଭନ୍ତ ସେ କନ୍ୟା ହୋଇବ ଯୁଗତେ

କେମନ୍ତେ ଭିଆଇଛନ୍ତି ବ୍ୟାସ ତପୋବନ୍ତେ ।୨୩୮।

 

କନ୍ୟାର ଲୋଭେ ଯୁଝେଷ୍ଠି ମନରେ ବିଚାରି

ଯୁଗତେ କନ୍ୟା ହୋଇବ ଆମ୍ଭରି ।୨୩୯।

ଭୀମସେନ ବିଚାରଇ ଅର୍ଜୁନ ଅବା ଲାଖ ବିନ୍ଧିଲା

ଦୁଷ୍ଟ ରାଜାମାନନ୍ତ ଘେନି ମାନଗୋବିନ୍ଦ ଗୋଳ କଲା ।୨୪୦।

ମୁଂ ଯେବେ ସାଂଗ୍ରାମ ନକରି ହୋଅନ୍ତି ତୁନୀ

ଅର୍ଜୁନ ଛାର ଦର୍ପେ କି ଆଣନ୍ତା ଯିଘ୍ନସେନୀ ।୨୪୧।

 

ମୋହୋର ସେ କନ୍ୟା ହୋଇବ ଯୁଗତେ

ଅର୍ଜୁନ ୟେକଥା ଅବା ଲଙ୍ଘିବ କେମନ୍ତେ ।୨୪୨।

ଯୁଗତେ ଯେବେ ମୋତେ ନଦେବେ କୁମାରୀ

ବଳାତ୍କାରେ ଅବଶ୍ୟ ମୁଂ ନେମଇଂ ଉଛୁଡ଼ି ।୨୪୩।

ସାଂଗ୍ରାମେ ଚାରିହେଂ ତ ନୋହନ୍ତି ମୋତେ ସରି

ପାଞ୍ଚାଳୀକି ଘେନି ରହିବି ପଛେ ହିଡିମ୍ଵିକୀ ବନ ପୁରୀ ।୨୪୪।

 

ନକୁଳ ବିଚାରଇ ସୁକୁମାର ମୋତେ ଦେଖି

ମୋତେ ସେ ନିଶ୍ଚେ ବରିବ ଶରଦ ଚନ୍ଦ୍ରମୁଖୀ ।୨୪୫।

ସହଦେବ ବିଚାରଇ ମୁଂ ମନ୍ତ୍ରୀ ଚୂଡାମଣି

ମୋତେ ସେ ପ୍ରାପତ ହୋଇବ ଯେ ଦ୍ରୋପଦ ଦୁଲଣୀ ।୨୪୬।

ୟେସନେକ ବିଚାର ଯେ ସବୁଙ୍କର ମନେ

ଯୁଝେଷ୍ଠି ବୋଇଲେ ଆମ୍ଭେ ଲୋଭ କରିବୁଂ କେସନେ ।୨୪୭।

 

ଆମ୍ଭର ଲୋଭ କଲେ ହୋଇବ ବହୁତ ମନ୍ଦ

ସୋଦରେ କଳଙ୍କ ଲାଗିବ ହୋଇବ ବଡ଼ ଦ୍ଵନ୍ଦ ।୨୪୮।

ମାତାଙ୍କର ଅଗ୍ରତେ କହିବା ଗୋପ୍ୟକରି

ଯେହ୍ନେ ଆଗ୍ୟାଂ ଦିଅନ୍ତି କୁନ୍ତଭୋଜର କୁମାରୀ ।୨୪୯।

ରାତ୍ର ଯେ ହୋଇଅଛି ଅଢାଇ ପ୍ରହର

ସୟଂବର କନ୍ୟା ଘେନି ପ୍ରବେଶ କୁରାଳଶାଳ ଦ୍ଵାର ।୨୫୦।

 

ମା ଗୋ ପାଣି କଳସାୟେ ଦେବା ପାଦ ଶଉଚ କରିବା

କୋଇନ୍ତାୟେ ବୋଇଲେ କିସ ପ୍ରାପତ ହୋଇଲାରେ ବାବା ।୨୫୧।

ଯୁଝେଷ୍ଠି ବୋଇଲେ ତୁମ୍ଭେ ଶୁଣସି ଗୋ ମାୟେ

ପ୍ରାପତ ହୋଇଲା ବଡ ସୁସଞ୍ଚ ଫଳ ଗୋଟାୟେ ।୨୫୨।

ମାତା ବୋଇଲେ ଯେବେ ପ୍ରାପତ ୟେକ ଫଳ ଗୋଟି

ପାଞ୍ଚ ଭାଇଯାକ ତୁମ୍ଭେ ଭୁଞ୍ଜ ବାବୁ ବାଣ୍ଟି ।୨୫୩।

 

ଯେସନେକେ ଆଗ୍ୟାଂ ଦିଲେ ସେ ପରମ ଅପର୍ଣ୍ଣା

ତୁମ୍ଭର ଆଗ୍ୟାଂ ଆମ୍ଭନ୍ତ ପାଷାଣ ରେଖ ସିନା ।୨୫୪।

ଭୀମସେନ ବୋଇଲା ମା ଗୋ ସେ ସତେ ନୋହଇ ଫଳ

ଲାଖ ବିନ୍ଧି ଆଣିଲୁ ଗୋ ଦ୍ରୋପଦ ଦୁଲାଳ ।୨୫୫।

କୋଇନ୍ତାୟେ ବୋଇଲେ ବାବୁ ମହତଙ୍କର ବଚନ

ତୁମ୍ଭେ ସାଧୁ ପୁତ୍ର ମୋର ବଚନ ନକର ଆନ ।୨୫୬।

 

ଯେହ୍ନେ ଆଗ୍ୟାଂ ମୁଂ ଦେଲି ନିରାଧାରି

ପାଞ୍ଚେହେଂ ପ୍ରଦାନ ହୋଅ ଦ୍ରୋପଦ କୁମାରୀ ।୨୫୭।

ଯୁଝେଷ୍ଠି ବୋଇଲେ ମା ଗୋ ଯେହି ସେ ଯୁଗତି

କୋଇନ୍ତାୟେ ଜାଣନ୍ତି ଯେ ପାଣ୍ଡବଙ୍କର ପ୍ରକୃତି ।୨୫୮।

କେଶିନୀ ମୁଖ ଚାହିଂ ବୋଇଲେ ଯଘ୍ନିସେନୀ

କେମନ୍ତେ ବୁଲନ୍ତି ଗୋ ଭିକ୍ଷାପାତ୍ର ଘେନି ।୨୫୯।

 

 

ପ୍ରବେଶ ହୋଇଲେ ଯାଇ ମହାନିଶା କାଳେ

ତିରଣ ଲୋଚିୟେ ଜାଳିଲେ କୁରାଳର ଶାଳେ ।୨୬୦।

କେଶିନୀ ବୋଇଲା ଗୋସାମଣୀ ଜାଣିଲି ୟେହାଙ୍କର ବସା

ଦ୍ରୋପଦ ବିକଳ ତେଣେ ହୋଉଥିବନି ମନୀଷା ।୨୬୧।

ରାଜାର ଅଗ୍ରତେ ମୁଂ ବାରତ କରଇଂ ଯାଇଂ

ୟେଥକୁ ଦ୍ରୋପଦଙ୍କୁ ଆଣଇ କଢାଇଂ ।୨୬୨।

 

ୟେଡ଼େକ ତିଆରିଣ ଗଲାକ ମୁଦୁସୁଲୀ

ଦ୍ରୋପଦ ଭୁବନକୁ ସେ ବହନ ହୋଇଂ ଚଳି ।୨୬୩।

କୁମ୍ଭାରଶାଳରେ ପାଉଂଶ ଶେଯ୍ୟା ଗୋଟିୟେକ କଲେ

କରପଟି ଗୋଟିୟେ ପାଡ଼ି କୋଇନ୍ତାୟେ ଶୁତିଲେ ।୨୬୪।

ତାହାଙ୍କର ପାଦ ତଳେ ପାଉଂଶ ଶେଯ୍ୟା ଗୋଟିୟେ ପାଡ଼ି

ତହିଂର ଉପରେ ଯୁଝେଷ୍ଠି ଦେବ ଯେ ପହୁଡ଼ି ।୨୬୫।

 

ତାହାଙ୍କର ପାଦ ତଳେ ପାଉଂଶ ଶେଯ୍ୟା ଚାରିଗୋଟି

ତହିଂରେ ଉପରେ ପହୁଡ଼ିଲେ ଭୀମ ନକୁଳ ସହଦେବ କିରାଟୀ ।୨୬୬।

ତାହାଙ୍କର ପାଦ ତଳେ ପାଉଂଶ ଶେଯ୍ୟା ସୁପାତୀ

କୋଇନ୍ତାୟେ ବୋଇଲେ ଗୋ ସେହିଠାରେ ଶୋଅ ଦ୍ରୋପତୀ ।୨୬୭।

ଛାର ଶେଯ୍ୟା ଦେଖି ସେ ଦ୍ରୋପଦର ଦୋହିତା

ଭୋ ଦଇବ ବୋଲି ସେ କପାଳେ ଦିଲା ହାଥ ।୨୬୮।

 

କୋଇନ୍ତାୟେ ବୋଇଲେ ଗୋ ଭିକ୍ଷାଶୀ ମୋହୋର ପୋୟେ

ତୋହୋର କରମେ ୟେହାନ୍ତ ପାଇଲୁ ଗୋ ମାୟେ ।୨୬୯।

ଯାହା ଅରଜି ମାତା ତାହା ସିନା ଭୁଞ୍ଜି

ସମ୍ପଦ ବିପଦ ମାଗୋ ସଂସାରର ମଝି ।୨୭୦।

ଦ୍ରୋପତୀ ବଇକୂଲ୍ୟ ପାଉଂଶ ଶେଯ୍ୟା ଦେଖି

ଭୋ ଦଇବ ପୁରୁଷ ମୋହୋର କପାଳେ ୟେହା ସେ ଅଛୁ ଲେଖି ।୨୭୧।

 

ହଂସୁଲୀ ତୁଳୀ ଗଜଦନ୍ତ ରତ୍ନ ଖଟୁଲି

ବେଢି ଇଚ୍ଛାରନ୍ତି ମୋତେ ଲକ୍ଷେକ ପୋଇଲି ।୨୭୨।

ସୁପାତୀର ଉପରେ ଦାସୀ ନେତ ପାଡ଼ି

ତହିଂରେ ଉପରେ କର୍ପୂର ଗୁଣ୍ଡି ସେବତୀ ପାଖୁଡ଼ି ।୨୭୩।

ତହିଂରେ ରଗଡ଼ି ହୋଅଇ ମୋହୋର ଶରୀର

କେମନ୍ତେ ଶୋଇବି ମୁଂ ପାଉଂଶ ଶେଯ୍ୟା ଉପର ।୨୭୪।

 

ଲକ୍ଷେକ ବ୍ରାହ୍ମଣ ଘେନି ବ୍ୟାସ ମହାଯତି

ମହାଯାଗ କୁଣ୍ଡୁ ମୋତେ କଲେ ଉତପତ୍ତି ।୨୭୫।

ପାଞ୍ଚାଳ ରାଜାର ମୁଂ ଅଟଇ ଦୁଲଣୀ

ଭୋ ଦଇବ ପୁରୁଷ ମୋତେ ୟେହା କଲୁ ଆଣି ।୨୭୬।

ୟେ ଛାର ପାଉଂଶ ଉଡ଼ି ପଡ଼ିଲେ ଦିନକର ସୁକୃତ ଯାଇ

ୟେହା ମାଡ଼ିଗଲେ ଆଷ୍ୟ ଶ୍ରୀହାନି ହୋଅଇ ।୨୭୭।

 

ମୁହିଂ ପରମ ମାହେଶ୍ଵରୀ ଶରୀରେ ଗ୍ୟାଂନ ଥାଉଂ ଥାଉଂ

ୟେ ଭସ୍ମ ଶେଯ୍ୟାରେ ଶୋଇବି ମୁଂ ଆର କାହୁଂ ।୨୭୮।

ଦେଖିଣ ଭୀମ ସେ କଟାକ୍ଷିଣ ଚାହିଂ

ବୋଲଇ ଦ୍ରୋପତୀ ଗୋ ନଶୁଅ କାହିଂ ପାଇଂ ।୨୭୯।

ଦେଖିଣ ଭୟେ କଲା ଦ୍ରୋପଦ କୁମାରୀ

ୟେ ଦୁଷ୍ଟ ବ୍ରାହ୍ମଣ ଗୋଟି ନ ପୁଣି ମୋତେ ମାରି ।୨୮୦।

 

ଭୟେଣ ପାଞ୍ଚାଳୀ ପହୁଡ଼ିଲେ ବିକଳେ

ପଞ୍ଚୁ ପାଣ୍ଡବଙ୍କର ଚରଣର ତଳେ ।୨୮୧।

ଦେଖଇ ଚକ୍ରଭାର ଯେ ତମ୍ଵା କପୋରା

ଉରା ଗଡୁ ପୀଢା ଯେ ସୀମସ୍ଥାନେ ସବୁ ଡେରା ।୨୮୨।

ଦଦରା ଛତା ଚିରା ପାଣ୍ଡୋଇ ହରିଗୋବିନ୍ଦ ମୁଣି

ସ୍ଵାହା ପ୍ରୋକ୍ଷଣୀ ସଉରୋଭ ପାତ୍ର ପାଣି ।୨୮୩।

 

କୁଶ ତମ୍ଵା ପାତ୍ର ପୁଇଚାନ୍ଦିଆ ପୁଷ୍କର ମାଳୀ

ଦେଖି ମୃଚ୍ଛାଗତ ହୋଇଲା ଦ୍ରୋପଦ ଦୁଲାଳୀ ।୨୮୪।

ରାଜକୁମାରୀ ହୋଇ ୟେହେନେକ କର୍ମ ମୋହୋର

ଭିକ୍ଷାଶୀ ବ୍ରାହ୍ମଣନ୍ତ ମୁହିଂ ପାଇଲଇଂ ବର ।୨୮୫।

ଭୋ ଦଇବ ପୁରୁଷ ତୁ ପାପ ପୁଣ୍ୟ ନବିଚାରୁ

ସ୍ତିରୀ ବୋଲି କରି ଜନମ କିମ୍ପେ କରୁ ।୨୮୬।

 

ଆନ ରାଜା ହୋଇ ଯେବେ ମୋତେ ପାଆନ୍ତା

ମଥାର ଉପରେ ବସାଇ ମୋତେ ଘରେ ନିଅନ୍ତା ।୨୮୭।

ନିର୍ଦ୍ଦୟା ବ୍ରାହ୍ମଣ ୟେଡ଼େ ହରସୋଗୀ

ଅନ୍ତେଣ ହୋଇଲି ମୁଂ ୟେହାଙ୍କର ପାଦ ତଳକୁ ଯୋଗୀ ।୨୮୮।

ଦ୍ରୋପତୀର ଶୋଚନା ହାଦେ କହିତ କି ପାରି

ରାଜାର ନନ୍ଦିନୀ ସେ ବିଶେଷେ ବାଳୁତ କୁମାରୀ ।୨୮୯।

 

ବିକଳେ ପହୁଡ଼ିଲେ ସେ ଭୀମର ତ୍ରାସ କରି

ପୁଣ ପୁଣ ଦ୍ରୋପତୀ ନାରାୟଣ ନାରାୟଣ ସୁମରି ।୨୯୦-୧୧୧୨୦।

 

Unknown

ଦ୍ରୌପଦୀର ପୂର୍ବଜନ୍ମ କଥା

ଶୁଣ ବଇବସୁତ ମନୁ ବଦୟନ୍ତି ଅଗସ୍ତି

କୁଟୁମ୍ଵ ବସାଇ ଭାଳଇ ଦ୍ରୋପଦ ନୃପତି ।୧।

ଅକାରଣେ କିମ୍ପେ ମୁଂସୟମ୍ଵର କଲି

କାର୍ଯ୍ୟ ନପାଇଲି ଧଂସି ହୋଇ ମଲି ।୨।

ପ୍ରତ୍ୟକ୍ଷେ ଲାଖ ବିନ୍ଧିଲେ ସେ ବ୍ରାହ୍ମଣ ଗୋଟି

କାଳକ ଶତ୍ରୁପଣ ମୋତେ କଲାକ ଧୃତିରାଷ୍ଟ୍ରି ।୩।

 

ଯେବଣ ଗୋଳ ସେ କଲେ ଦୁଷ୍ଟରାଜାୟେ

ମୋହୋର କଲା କୃତ ଆବର କାହାକୁ ଦୋଷ ଦିୟେ ।୪।

କେ କେଣେ ମାଇଲା ସେ ବ୍ରାହ୍ମଣ ଗୋଟିକି

ଭୟେ ପଳାଇଲୁ ଆମ୍ଭେ ନୁଆରିଲୁ ଦେଖି ।୫।

କେ ପାଞ୍ଚାଳୀକି ମୋର ଘେନିଗଲା ବଳେ

ରୋବଇ ଦ୍ରୋପଦେଶ୍ଵର ଦୋହିତାର ବିକଳେ ।୬।

 

ଧୃଷ୍ଟଦୃମନର କଷ୍ଟ କହିତେ କେହୁ ପାରି

ଅନେକ ରୋଦନ କରଇ ସେ ଭୂମିରେଣ ପଡ଼ି ।୭।

ଦୋହିତାର ବିକଳେ ରୋବଇ ପଦ୍ମାବତୀ

ମା ଗୋ କାଳକ ପ୍ରତିପାଳି ତୋତେ ମୁଂ ୟେବେ ହୋଇଲି ବିଅର୍ଥୀ ।୮।

କେ ପ୍ରାଣେ ମାଇଲା କେବା କେଣିକି ଘେନିଗଲା

ପୋଡୁ ମୋର ଦେହ ମୋତେ କିମ୍ପେ ମରଣ ନୋହିଲା ।୯।

 

ଆରେ ବାବୁ ମୋହୋର ଶିଖଣ୍ଡୀ ଧୃଷ୍ଟଦୃମନ

ଲୋଡ଼କି ନା ବାବୁ ଆରେ ବ୍ରାହ୍ମଣଙ୍କର ବର୍ଣ୍ଣ ଚିହ୍ନ ।୧୦।

ଗୋଳବେଳେ ଅବା ସେ କେଣେ ଥାନ୍ତି ଲୁଚି

ଭୟେ ପଳାଇଲୁଂ ଆମ୍ଭେ ନ ଗଲା ବିପ୍ର ଘୁଞ୍ଚି ।୧୧।

ତାହାର ତୁଲେ କିନା ରଣ ଯଗ୍ୟଂ ନକଲୁ

ଦ୍ରୋପତୀର ପାଇଂ କିମ୍ପେ ସଭିୟେ ନ ମଲୁଂ ।୧୨।

 

ଦ୍ରୋପଦର ବଚନେ ସେ ଦ୍ରୋପଦର ବେନି ବଳା

ତୁଲେ କୁମାରେ ଘେନିଲେ ସହସ୍ରେକ ହୁଳା ।୧୩।

ସଭାର ଆୟତନ ଯାଉଛନ୍ତି ଲୋଡ଼ି

ଦେଖିଲେ ଅନେକ ରାଜା ଯୋଦ୍ଧା ଛନ୍ତି ପଡ଼ି।୧୪।

ରତ୍ନମଣି ମୁକୁଟ ବିରାଜିତ ଲଲାଟେ

ରକତେ ତ୍ରିପଣ୍ଡ ହୋଇ ପଡ଼ିଛନ୍ତି ରଣ ଥାଟେ ।୧୫।

 

ରକତ ମାୟେଂସ ଦେଖି ବିଜୟେ ଶମଶାନୀ

କରନ୍ତି ରୋଧିର ପାନ ଯୋଗ୍ନୀ ବୃନ୍ଦଘେନି ।୧୬।

ଟହ ଟହ ହାସ୍ୟେ ହୁଳୁ ହୁଳି ଶବଦେ

ବ୍ରହ୍ମାଣ୍ଡ ଉଛୁଳୁ ଅଛି ଡାକି ଡମ୍ଵରୁ ନାଦେ ।୧୭।

ମାତାଙ୍ଗୀବୃନ୍ଦ ଘେନି ଦେବୀ କରନ୍ତି ଭ୍ରମଣି

ଅନେକ କ୍ରୀଡ଼ା ରଙ୍ଗ କରନ୍ତି ଗୋସାମଣୀ ।୧୮।

 

ଚର୍ଚ୍ଚିକା ଚାମୁଣ୍ଡା ଚାଚକେଶ୍ଵରୀ ଭଦ୍ରକାଳୀ

କଙ୍କାଳୀ ବେତାଳୀ ଭୈରୋବୀ ବାସେଳୀ ।୧୯।

ମତୁଆଳ ଖେଡେ ହୃଦେ ବନମାଳା

ଖେଚରୀ ଭୂଚରୀ ଦେବୀ ଚକିତା ଚଞ୍ଚଳା ।୨୦।

କେ ବ୍ୟାଘ୍ର କେ ସିଂହ କେ ଶାର୍ଦ୍ଦୋଳ ବାହିନୀ

ଗଜ ଅଶ୍ଵ ଗର୍ଧଭ ବଳେୟା ପୟାଣି ।୨୧।

 

ନାଚନ୍ତି ଗାବନ୍ତି ବାଦନ୍ତି କୁତୋହୋଳେ ଖେଡ଼ି

ପ୍ରେତ ଭୂତମାନେ ଦିଅନ୍ତି ଘୋରରଡ଼ି ।୨୨।

ମହା ନିଶାକାଳେ ରକତ ମାୟେଂସେ ଭେଳା

ତୋ ରୂପତ ଲୟେ ମା ଗୋ ଉଦ୍ଧର ସର୍ବମଙ୍ଗଳା ।୨୩।

ସେ ନବ କୋଟି କାନ୍ତାନୀ ଚରଣେ ମୋର ସେବା

ଶୂଦ୍ରମୁନି ସାରୋଳାଦାସଙ୍କୁ ପ୍ରସନ୍ନ ହୋଇବା ।୨୪।

 

ହୁଳାନ୍ତ ଲଗାଇ ଚଳି ଯାନ୍ତି ଦୃଷ୍ଟଦୃମନେ

ସମସ୍ତ ଦେବୀମାନେ ହୋଇଲେ ଅନ୍ତର୍ଦ୍ଧାନେ ।୨୫।

ଲୋଡନ୍ତି ମେଢ ମଣ୍ଡପ ଅଣ ଉହାଡ଼ ଥାନ ମାନେ

ତୋଟାପୁର ନାଟପୁର ପଶିଲେ ଗହନବନେ ।୨୬।

ସମସ୍ତ ଗୋପ୍ୟ ଥାନେ ଲୋଡ଼ନ୍ତି ଉପଲେସି

କେବଣ ଠାବେ ଅବା ଗୋପ୍ୟେ ଥାନ୍ତି ବସି ।୨୭।

 

ରୁଧିର ମୃତୁ ପିଣ୍ଡ ପଡ଼ିଛନ୍ତି ଅପ୍ରମିତେ

ଆସ୍ତାନ ଆଦି କରି ଚଉବିଂଶ ଯୋଜନ ପରିଯନ୍ତେ ।୨୮।

ଲୋଡ଼ି ନ ପାଇଲେ ସେ ଦ୍ରୋପଦର ଚାଟେ

ଭ୍ରମନ୍ତେ ପ୍ରବେଶ ହୋଇଲେ କୁରାଳଶାଳ ନିକଟେ ।୨୯।

ଶିଖଣ୍ଡୀ ବୋଇଲେ ୟେ ଅଟଇ ଅଣ ଉହାଡ଼ଥାନ

ୟେଥି ଅବା ବ୍ରାହ୍ମଣେ ହୋଇଥିବେ ଗୋପ୍ୟାନ ।୩୦।

 

ଉତ୍ତାନଶାହା ହୋଇ ପହୁଡ଼ିଛି ପବନର ବାଳ

ନିଶ୍ଵାସ ଘାତେ ଆକାଶକୁ ଉଠୁଅଛି ଚାଳ ।୩୧।

ପାଞ୍ଚଦିନ ପରିଯନ୍ତେ ଆହାର ନିଦ୍ରା ନାହିଂ

ଶତ୍ରୁ ମର୍ଦ୍ଦି ସୁସ୍ତେ ନିଶ୍ଚିନ୍ତେ ଅଛି ଶୋଇ ।୩୨।

ନିଶ୍ଵାସ ଘାତେ ଚାଳ ଗୋଟି ଉଠଇ

ଦ୍ଵାଦଶ ତାଳ ଉପରକୁ ସଞ୍ଚା ଛାଡ଼ି ଉଡ଼ଇ ।୩୩।

 

ନିଶ୍ଵାସ ସଂହରନ୍ତେ ପୁଣ ବାହୁଡ଼ିଣ ବସଇ

ଦୂରେ ଥାଇ ଧୃଷ୍ଟଦୃମନ କଲେ ମହାତ୍ରାସଇ ।୩୪।

ଶିଖଣ୍ଡୀ ବୋଇଲା ବାବୁ ନଯିବା ତହିଂର ପାଶ

ୟେହିକ୍ଷଣି ଭକ୍ଷିବେଟି ଶୋଇଛନ୍ତି ରାକ୍ଷସ ।୩୫।

ଭୟେଣ କୁମାରେ ନଗଲେ ତାହାଙ୍କର କତି

ବାହୁଡ଼ି ଯାଇଂ ପିତା ଦ୍ରୋପଦଙ୍କୁ କହନ୍ତି ।୩୬।

 

ଭୋ ତାତ ଅନେକ ଦୂର ଗଲୁ ଆମ୍ଭେ ଗମି

କାହାକଇଂ ଦେଖି ନୁଆରିଲୁ ଦେବ ସ୍ଵାମୀ ।୩୭।

ଦ୍ରୋପତୀ ବ୍ରାହ୍ମଣଙ୍କର ଯେ ନାହିଂ ବର୍ଣ୍ଣ ଚିହ୍ନ

ଶୁଣି ଦ୍ରୋପଦେଶ୍ଵର ବିଚ୍ଛନ୍ନ କଲା ମନ ।୩୮।

ଉଚ୍ଚ ସ୍ଵରେ ରୋଦନ କରଇ ଭୂଅପତି

ପୁରଜନମାନେ ସମସ୍ତେ ରୋବନ୍ତି ।୩୯।

 

ମା ଗୋ ଅଦାର ଅଯୋନି ଜାତ ଅଗ୍ନିକୁମାରୀ

ପିତାର ଅଦଛ ପଣେ ହୋଇଲୁ ଦୁଖ ଭାରି ।୪୦।

ମୋର ହୃଦର କଥା କହିବି କାହା ଆଗ

ଶରୀର ବିସର୍ଜିବି ଗୋ ନହଉ ଶୋକ ଯୋଗ ।୪୧।

କରନ୍ତି ରୋଦନ ସେ ପୁରର ସମସ୍ତ କାମିନୀ

ୟେମନ୍ତର ସମୟେ ପ୍ରବେଶ କେଶିନୀ ।୪୨।

 

ଜଣାଇଂ ମୁଦୁସୁଲୀ ପଶିଲା ଅନ୍ତେଶ୍ଵର ପୁରେ

ସମସ୍ତେ ଥିର ହୋଇ ବୋଲନ୍ତି ୟେତ ଥିଲା ସଙ୍ଗତରେ ।୪୩।

ଦ୍ରୋପଦ ବୋଇଲେ ଗୋ କେବଣ ବାରତା

କେଶିନୀ ବୋଇଲେ ତୁମ୍ଭେ ଛାଡ ଶୋକ ଚିନ୍ତା ।୪୪।

ସମସ୍ତ କୁଶଳ ଯେ କହଇ ମୁଦୁସୁଲୀ

ଦ୍ରୋପଦ ବୋଇଲେ ମୁଂ ନିସ୍ତରିଲି ନିସ୍ତରିଲି ।୪୫।

 

କେଶିନୀ କହଇ ବସି ସମସ୍ତ ବିଧାନ

ଲାଖ ବିନ୍ଧିଲା ସ୍ଵାମୀ ଯେବଣ ବିଦୁଜନ ।୪୬।

ତାହାନ୍ତ ଗୋଳ ଯହୁଂ କଲେ କୁରୁବୀରେ

ବଡ ଭ୍ରାଥେକ ଆସି ହୋଇଲା ସଙ୍ଗତରେ ।୪୭।

 

ବେନି ବୃକ୍ଷ ଉପାଡ଼ି ଧରିଅଛି ବେନି ହାଥେ

ଦେଖିଣ ଭାଜିଲେ ଦୁଷ୍ଟରାଜାୟେ ସମସ୍ତେ ।୪୮।

ବୃକ୍ଷ ବୁଲାଇ ପବନ ଗତି କରି ପିଟି

ରଥ ଗଜ ଅଶ୍ଵ ପଡିଲେ ଭୂମି ଲୋଟି ।୪୯।

ପୁଣି ଧାଇଂଲେ ବ୍ରାହ୍ମଣ ଜଣ ବେନି

ବୃକ୍ଷେ ବୃକ୍ଷେ ସେ କରେ ଛନ୍ତି ଘେନି ।୫୦।

 

ଆସନ୍ତେଣ ଭେଟିଲେ ମନ୍ତ୍ରୀ ଯେ ଶଙ୍କୁନି

ସେ ତ୍ରାସେ ପଳାଇଲା ୟେ ଅଇଲେ ତାହାର ରଥ ଘେନି ।୫୧।

ଅନେକ ରତ୍ନ ଯେ ମଣ୍ଡିଲା ଅଛି ରଥେ

ତହିଂର ଉପରେ ବସାଇଲେ ଦ୍ରୋପତୀଙ୍କି ମୋତେ ।୫୨।

ଯେବଣ ସାଂଗ୍ରାମ କଲେ ଦିଜବରେ

ଦେବଙ୍କୁ ଦୁଲ୍ଲଭ ସେ ମାନବେ ଅଗୋଚରେ ।୫୩।

 

ଲକ୍ଷେ ରାଜାକଇ ସେ ବ୍ରାହ୍ମଣ ଚାରି ଜଣେ

ତଦନ୍ତ ନାହିଂ ଦେବ ପଡ଼ିଲେ ଯେତେ ରଣେ ।୫୪।

ଯେତେବେଳେ ସାଂଗ୍ରାମ କଲେ ରୁକ୍ମଣ ବାଣାସୁର ସଅମ୍ଵର ବଜ୍ରଲାଭ

ଦେଖିବାକୁ ଅବଶ୍ୟ କହିବାକୁ ଦୁଲ୍ଲଭ ।୫୫।

ରଥେ ରଥେ ଗଜେ ଗଜେ ପିଟିଲେ ଦେବ ଧରି

ୟେକା ଘାନ୍ତିକେ କଚାଡ଼ନ୍ତି ଅଶ୍ଵ ଚାରି ଚାରି ।୫୬।

 

ଭାଜି ପଳାଇଲେ ରାଜାୟେ ନରହିଲେ କେହି

ପଞ୍ଚଦଶ ଯୋଜନ ପରିଯନ୍ତେ ରୁଧିର ନଦୀ ବହି ।୫୭।

ମହା ବଳବନ୍ତା ସେ ଅଟନ୍ତି ବ୍ରାହ୍ମଣେ

ଲକ୍ଷେ ରାଜା ଦର୍ପ ସେ ମର୍ଦ୍ଦିଲେ ଚାରିଜଣେ ।୫୮।

କାଳଦମନ ଶିଶୁପାଳ ପୁଣ୍ଡରୀକ ରୁକ୍ମଣ

ଶାଲୁ ନୃପତିକି ଲାଇ ଦୃଷ୍ଟି ପାଞ୍ଚଜଣ ।୫୯।

 

ୟେହାଙ୍କର ସନ୍ୟ ଦେବ ଅସଂକ୍ଷେପ କରି ମାରି

ଯେ ପାଞ୍ଚ ରାଜାନ୍ତ ଦେବ ଆଣିଲେ କେଶଧରି ।୬୦।

ଜୟଦେବ ବୋଲି କରି ୟେକଇ ପଣ୍ଡାୟେ

ସେହି ବସିଥିଲେ ଦେବ ଦକ୍ଷିଣ ପଞ୍ଚୁ ମଣ୍ଡୋଆୟେ ।୬୧।

ତାହାଙ୍କର ଛାମୁରେ ନେଇ ପାଞ୍ଚନ୍ତି ପକାଇ

ସେ ଚାରିପଣ୍ଡାୟେ ଯେ ଗଡ଼ ଘାଲି ଶୋଇ ।୬୨।

 

ବଡ ଧାର୍ମିକ ବିବେକ ସେ ବଡ଼ ଦୟାବନ୍ତ

ବୋଇଲେ ଛାଡ଼ିଦିଅ ମାରି କିସ ଅର୍ଜିବ ୟେହାନ୍ତ ।୬୩।

ତାହାଙ୍କର ବଚନ ଦେବ ଅଟଇ ଅଲଙ୍ଘିତ

ଆଗ୍ୟାଂ ପ୍ରମାଣେ ଦେବ ଛାଡ଼ିଦିଲେ ତାହାନ୍ତ ।୬୪।

ବେନି ଜାନୁ ତଳରେ ଦେବ ଦିଲେ ତାହାନ୍ତ ଗଳାଇ

ସମସ୍ତ ରାଜାଙ୍କୁ ୟେ ଶାସ୍ତି କହଣା ନଯାଇ ।୬୫।

 

ସଞ୍ଚପି କେଶିନୀ ମୁଦୁସୁଲୀ କହିଲା ସମସ୍ତ

ଶୁଣି ପଞ୍ଚାଳେଶ୍ଵର ଅନେକ ଉଷତ ।୬୬।

ତୁ ମୋହୋର ମାତା ଗୋ ତୋହୋର ଅପାଦ ଘେନଇ ମୁହିଂ

ୟେବେ ତୁ ସେମାନନ୍ତ ଗୋ ଛାଡ଼ି ଅଇଲୁ କାହିଂ ।୬୭।

କହଇ କେଶିନୀ ଯେ ଶୁଣ ନୃପରଣ

ୟେ ମୋହୋର ବଚନ ଦେବ ଶୁଣିମା ସାବଧାନ ।୬୮।

 

ଆମ୍ଭନ୍ତ ଘେନି ଗଲେ ସେ ବ୍ରାହ୍ମଣ ପାଞ୍ଚବୀରେ

ଯାଇଂଣ ରହିଲେ କୁରାଳଶାଳ ଭିତରେ ।୬୯।

ସ୍ଵାମୀ ଅନେକ ବିନୋୟି ମୁଂ କହିଲି ତାହାଙ୍କୁ

ବିଜେ କରିବା ଦେବ ଦ୍ରୋପଦ ଭୁବନକୁ ।୭୦।

ଇଚ୍ଛା କଲେ ଦେବ ତ୍ରିଲୋକ୍ୟ ପାରନ୍ତି ସେ ଗମି

ଇଚ୍ଛା ନ କଲେ ଦେବ ସେ ମେରୁହୁଂ ଅଚଳ ସ୍ଵାମୀ ।୭୧।

 

ଭୋ ଦେବ ଗୋସାମଣୀ ମୋତେ ଆଗ୍ୟାଂ ଦିଲକେ ରାଇ

ବୋଇଲେ ପିତାଙ୍କୁ ମୋହୋର ଘେନି ଆସ ବେଗେ ଯାଇଂ ।୭୨।

ବହନ ବିଜେ ଦେବ କରିବା ମହୀପତ୍ୟେ

ନପୁଣ ଦେଖି ନପାରି ସେ ଚଳନ୍ତି ଶୂନ୍ୟପଥେ ।୭୩।

ଶିଖଣ୍ଡୀ ବୋଇଲା ଦେବ ବ୍ରାହ୍ମଣ ତହିଂ ନାହିଂ

କେବଣ ଦାନବେ ଦେବ ଅଛନ୍ତି ତହିଂ ଶୋଇ ।୭୪।

 

ଆମ୍ଭେ ସେହି କୁରାଳଶାଳେ ଦେଖିଲୁ ଦେବରାୟେ

ସନ୍ନିଧିକୁ ନଗଲୁ ଦେବ ରାକ୍ଷସଙ୍କ ଭୟେ ।୭୫।

ଦ୍ରୋପଦ ବୋଇଲେ ଆୟୀ ଯାଅନି କେଶିନୀ

ଶିଖଣ୍ଡୀ ଧୃଷ୍ଟଦୃମନନ୍ତ ସଙ୍ଗତରେ ଘେନି ।୭୬।

ତିନିହେଂ ଆଡ଼େ ହୋଇଥିବେ ସେ ଗୁପତେ

ଅନ୍ତର ହୋଇ ଦେଖିବ ସେ ବ୍ରାହ୍ମଣ କି ଦଇତେ ।୭୭।

 

ଅଢ଼ାଇ ପ୍ରହର ହୋଇଅଛି ରୟଣୀ

ଚଳିଲେ କେଶିନୀ ରାଜକୁମାରନ୍ତ ଘେନି ।୭୮।

କୁରାଳଶାଳ ସନ୍ନିଧେଣ ସେ ଯାଇଂ

ଭୟେଣ ଦୂର ହୋଇ ରହିଲେ ବେନିଭାଇ ।୭୯।

ହସ୍ତରେ ଦିହୁଡିୟେ ଘେନି କେଶିନୀ ମୃଦୁଗାମିନୀ

ଭିତରେ ପଶିଲା ନିର୍ଭୟେ ନିଭ୍ରମି ।୮୦।

 

ଦେଖିଲା ଶୋଇ ଅଛନ୍ତି ସାତ ଜଣେ

ତୁନୀ କରି ହକାରିଲା ଦେଖ ହୋ ବ୍ରାହ୍ମଣେ ।୮୧।

ଦେଖନ୍ତି ସୀମଥାନେ ଶୋଇଅଛି ୟେକଇ ମହନ୍ତରୀ

ତାହାଙ୍କର ପାଦ ତଳେ ବ୍ରାହ୍ମଣେକ ଶୟନ କରି ।୮୨।

ତାହାଙ୍କର ପାଦତଳେ ଶାଇଛନ୍ତି ବ୍ରାହ୍ମଣ ଚାରି ଗୋଟି

ପାଉଂଶ ଗୁଡାୟେ ପାଡ଼ି ଶୋଇଛନ୍ତି ନାହିଂ କର୍ପଟି ।୮୩।

 

ତାହାଙ୍କର ପାଦତଳେ ଶୋଇଛନ୍ତି ଦ୍ରୋପତୀ

ମା ଗୋ କେବଣ ପାତକ କଲୁ ପାଉଛୁ ୟେଡ଼େ ଶାସ୍ତି ।୮୪।

ରତ୍ନ ବେଲୁରି ଖଟ ନେତର ସୁପାତି ଜାତି ପାଖୁଡ଼ି

ତହିଂ ତୋହୋର କାୟା ଗୋଟି ହୋଅଇ ରଗଡ଼ି ।୮୫।

ଲକ୍ଷେ ମାଢ ତୁଳ କର୍ପୁରର ଧୂଳି

ସେ ଶଯ୍ୟାର ଉପରେ ତାହା ସିଞ୍ଚନ୍ତି ତିନି ଓଳି ।୮୬।

 

ଆଲଟ ଚାମର ଧରି ଲକ୍ଷେକ ମୁଦୁସୁଲୀ

ଅହର୍ନିଶି ଇଚ୍ଛାରନ୍ତି ତୋତେ ଲକ୍ଷେକ ପୋଇଲି ।୮୭।

ଭିକ୍ଷାଶୀ ବ୍ରାହ୍ମଣ କିୟେ ଅସୁର କାମ ରୂପୀ

ୟେହାଙ୍କର ପାଦତଳକୁ ଯୋଗ୍ୟ ହୋଇଲୁ ଅଦ୍ୟାପି ।୮୮।

ରାଗେଣ କୋପଭର ହୋଇଲା ଶିଖଣ୍ଡୀ

ହାଣିବି ବ୍ରାହ୍ମଣନ୍ତ ବୋଲି ଅସିପତ୍ର କାଢି ।୮୯।

 

କେଶିନୀ ବୋଇଲା ତୁମ୍ଭର ୟେ ମରିବାର ବୁଦ୍ଧି

ୟେହି କ୍ଷଣି ବୁଡାଇବ ତୁମ୍ଭେ ଦ୍ରୋପଦର ସମ୍ପ୍ରଦ୍ଧି ।୯୦।

ପର୍ବତ ପଡି ଚୂର ହୁଅନ୍ତି ୟେହାଙ୍କର କାୟେ

କିସ ହୋଇବ ତୋର ଖଣ୍ଡା ଚୋଟ ଘାୟେ ।୯୧।

ଚାଲ ହୋ ଘେନି ଆସିବା ଯାଇଂ ଦ୍ରୋପଦ ରାଜାଙ୍କୁ

ଭଗତି ହୋଇଣ ଘେନିଯିବା ଯେ ୟେହାଙ୍କୁ ।୯୨।

 

ଦୃମନ ବୋଇଲା ୟେ କଥା ହିଂ ଅଟଇ

ଦ୍ରୋପଦ ଆସି ଦେଖନ୍ତୁ ତାହାଙ୍କର ଦୁହିତା କଷ୍ଟଇଂ ।୯୩।

କନ୍ୟା ଗୋଟି ଘେନିୟେ ପଳାଇ ଆସିଲେଗଳି

ୟେଥେ ଲୁଚି ରହିଲେ ଓହଡ଼ ଥାନ ବୋଲି ।୯୪।

ଦଦରା ଛତା ଛିଣ୍ଡା ପାଣ୍ଡୋଇ ହରିଗୋବିନ୍ଦ ମୁଣି

ଜନ୍ମେଣ ପାତକ କରିଅଛି ୟେ ମୋର ଭୟେଣୀ ।୯୫।

 

କେଶିନୀ ବୋଇଲା ବାବୁ ୟେମନ୍ତ ନ ବୋଲ

ବଡ଼କୁ ନିନ୍ଦାକଲେ ଆପଣାକୁ ହୋଅଇ ସଲ ।୯୬।

ପାଦେଣ ଲକ୍ଷ୍ମୀ ତୁମ୍ଭେ ପେଲାଅ କିସ ଅର୍ଥେ

ମରିବାର ବୁଦ୍ଧି ଯେ ପାତିଲେ ବେନି ଭ୍ରାଥେ ।୯୭।

ଦେବତାନ୍ତ ନିନ୍ଦାକଲେ ନର୍କେ ହୋଅଇ ଜାତ

ବ୍ରାହ୍ମଣ ନିନ୍ଦା କଲେ ବଂଶ ହୋଅଇ ନିପାତ ।୯୮।

 

ତପୀ ନିନ୍ଦା କଲେ ଶରୀର ହୋୟେ କ୍ଷତି

ନପୁଂସକ ହୋଇ ପୁରୁଷ ନିନ୍ଦା କଲେ ସତୀ ।୯୯।

ଗୁରୁ ନିନ୍ଦା କଲେ ହୋଅଇ ଶିର ଚ୍ଛେଦ

ମାତାପିତା ନିନ୍ଦା କଲେ ପଡଇ ପରମାଦ ।୧୦୦।

ପାଠ ଗୁରୁ ନିନ୍ଦା କଲେ ପ୍ରାପତ ନୋହଇ ବିଦ୍ୟା

ବାତୁଳ ହୋଇ ବୁଲଇ ଯେ ନିନ୍ଦଇ ଯୋଗସିଦ୍ଧା ।୧୦୧।

 

ନଜାଣି ନିନ୍ଦା କରନ୍ତି ଯେ ବଇଦ ଯୋଗୀ

ଜନ୍ମେ ଜନ୍ମେଣ ସେ ହୋଇଥାଇ ସଦା ରୋଗୀ ।୧୦୨।

କ୍ଷତ୍ରୀଙ୍କି ନିନ୍ଦା ସେ କରଇ ନଜାଣି

ରାଜଦଣ୍ଡେ ଅପ୍ରାଧି ସେ ଅବଶ୍ୟ ହୋଅଇ ହାଣି ।୧୦୩।

ଶହସ୍ର ନିନ୍ଦା କଲେ ନମିଳଇ କ୍ଷତ୍ରୀ ବିଧି

ଶାହାସ୍ର ନିନ୍ଦା କଲେ ହୁଅଇ ଗଳିତ କୋଷ୍ଠ ବ୍ୟାଧି ।୧୦୪।

 

ଲକ୍ଷ୍ମୀ ନିନ୍ଦା କଲେ ଦରିଦ୍ର ହୁଅଇ ଜନ୍ମେ ଜନ୍ମେ

ଭାରତୀ ନିନ୍ଦା କଲେ ଗଜମୂର୍ଖ ଜନ୍ମ ଅନୁକ୍ରମେ ।୧୦୫।

ମନ୍ତ୍ର ନିନ୍ଦା କଲେ ହୁଅନ୍ତି ବଧିର

ଓୌଷଧ ନିନ୍ଦା କଲେ ରୋଗ ହୋଅଇ ଅପାର ।୧୦୬।

ଗୋରୁ ନିନ୍ଦା କଲେ ହାନି ହୋଅଇଟି କୃଷି

ପୁତ୍ର ନିନ୍ଦାକଲେ ଯେ ହୁଅନ୍ତି ନିଅଂଶୀ ।୧୦୭।

 

ସ୍ତିରୀ ନିନ୍ଦାକଲେ ନୋହଇ ଗୃହବାସ

ମହତ ନିନ୍ଦା କଲେ ଅପ୍ରମିତ ଦୋଷ ।୧୦୮।

ତୁମ୍ଭେ ଯେ ମହତ ୟେ ବ୍ରାହ୍ମଣ ଶସ୍ର ଧାରୀ

ଗ୍ୟାଂନବନ୍ତ ହୋଇ କିମ୍ପେ ପରେ ନିନ୍ଦା କରି ।୧୦୯।

ତୁମ୍ଭେ ଯେପଳାଇଲ ମୁହିଂ ଦେଖିଲି ବନୁ ଚଛୁ

ଅଗ୍ୟାଂନେ ନାଶ ଯିବାକୁ କିମ୍ପାଇ ଲୋଡୁ ଅଛୁ ।୧୧୦।

 

କେଶିନୀ ମୁଦୁସୁଲୀ ସଂବୁ ଝାଇଣ କହଇ

ଶିଖଣ୍ଡୀ ଧୃଷ୍ଟିଦୃମନକୁ ନେଲା ଭୟେ କରାଇ ।୧୧୧।

ରାତ୍ର ହୋଇଣ ଅଛି ତୃତୀୟ ପ୍ରହର

କୁମରେ ପ୍ରବେଶ ଆସି ହୋଇଲେ ପିତାଙ୍କ ଛାମୁର ।୧୧୨।

ମହାଯୋଗ କରାଇ ଦେବ ଜାତ କଲୁ ଦୋହିତା

ଚାଣ୍ଡାଳହୁଂ ବଳିଲା ଦେବ ତାହାଙ୍କର ଅବସ୍ତା ।୧୧୩।

 

ଜନ୍ମେ ଦରିଦ୍ର ଭିକ୍ଷାଶୀ ବ୍ରାହ୍ମଣ ପାଞ୍ଚ ବାପୁଡା

ପାଉଂଶେ ପଡ଼ି ଅଛନ୍ତି ଧୂସୁରା ଧୂସୁରା ।୧୧୪।

ୟେ ମାଘମାସ ଶୀତ ପାଉଂଶ ଶଯ୍ୟା ପାଡ଼ିତ ନାହିଂ ବାସ

ଚକ୍ରହରି ଗୋବିନ୍ଦମୁଣି ବ୍ରତନ୍ତି ଭିକ୍ଷା ବାସ ।୧୧୫।

ତୁ ମହା ସୟମ୍ଵର ଦେବ କରାଇଲୁ ଅବା

ତାହାର କର୍ମଗୋଟି କେ ଆନ କରିବା ।୧୧୬।

 

ୟେସନେକ ପ୍ରପଞ୍ଚ ଦେବ ମହାଦୁଖ ଭୋଗୀ

ଦ୍ରୋପତୀକୁ ଦେଖିଲୁ ଦେବ ତାହାଙ୍କର ପାଦ ଯୋଗୀ ।୧୧୭।

ମାଆ ରାଣ୍ଡେକ ଶାଇଅଛି ଦେବ କୁମ୍ଭାର ପାଉଂଶର

ଆବର ବାପୁଡ଼ା ଶୋଇଛି ପାଦ ତଳେ ତାହାର ।୧୧୮।

ୟେହାଙ୍କର ପାଦତଳେ ଶୋଇ ଅଛନ୍ତି ଚାରି ବାପୁଡ଼ା

ବସ୍ର ହୀନେ ଦିଶନ୍ତି ଦେବ ଅଚାର୍ଗଳା ମହାବୀରା ।୧୧୯।

 

ତାହାଙ୍କର ପାଦତଳେ ଶୋଇଅଛି ପାଞ୍ଚାଳୀ

ବିକଳେ ଶୋଇଛି ଛାର ପାଉଂଶର ଧୂଳି ।୧୨୦।

ଦରିଦ୍ର ଭିକ୍ଷୁକ ସେ ଅଟନ୍ତି ହୀନ ଜାତି

କନ୍ୟା ଗୋଟି ଘେନି ସେ ଡରେ ଯାଇଂ ଲୁଚିଣ ଅଛନ୍ତି ।୧୨୧।

ୟେ ମୋଢୀ କେଶିନୀ ଯେ ବଡ଼ ଅନାଚାରୀ

ପରିବାରୀ ପେଷଣକାରୀ ସିହାଣୀ ଚତୁରୀ ।୧୨୨।

 

ଧନ କିଛି ୟେହାକୁ ଯେବେ ଲାଞ୍ଚ ଲୋକ ଦେବ

ରୋଗୀ ଲୋକଙ୍କୁ ୟେ କାମଦେବ କରିବ ।୧୨୩।

ଦ୍ରୋପଦ ବୋଇଲେ ରେ ଶୁଣ ପୁତ୍ର ବେନି

ତୁମ୍ଭେ କିମ୍ପେ ନିନ୍ଦା କଲ ରେ ମୁଦୁସୁଲୀ କେଶିନୀ ।୧୨୪।

ଆରେ ଆନ ରାଜା ହୋଇ ଯେବେ ମୋ ଦୁହିତାକୁ ପାଆନ୍ତା

ଗଙ୍ଗା ପ୍ରାୟେ କରି ମଥାରେ ଘେନି ଥାଆନ୍ତା ।୧୨୫।

 

ତାହାଙ୍କର ପାଦ ତଳକୁ ଯେବେ ଯୋଗ୍ୟ ମୋହୋର କୁମାରୀ

ନୋହନ୍ତି ବ୍ରାହ୍ମଣ ସେ ସ୍ଵର୍ଗୁଂ ଅବତରି ।୧୨୬।

ଦ୍ରୋପତୀର ଭାଗ୍ୟ ମୋହୋର ବଂଶର ବଡ ପୁଣ୍ୟ

ଦେଖି ମୁକତ ହୋଇଲା ଫିଟିଲା କଷ୍ଟମାନ ।୧୨୭।

ବାବୁ ଦେଖି ମୁକତ ହୋଇଲାରେ ରାଜ୍ୟଜନ ମୋହୋର

ବହନ କରି ମୋର ପୁରେ ଉଚ୍ଛବ କର ।୧୨୮।

 

ରାଜାର ଆଗ୍ୟାଂରେ ପୁରେ ଦିଆଇଂ ଘୋଷଣ

ବାଜିଲା ବୀର ତୂର ଟମକ ନିଶାଣ ।୧୨୯।

ସମଦଣ୍ଡ ଘେନି ଦ୍ରୋପଦେଶ୍ଵର ରାୟେ

କୁରାଳଶାଳ ସନ୍ନିଧିରେ ପ୍ରବେଶ ଆସି ହୋୟେ ।୧୩୦।

ୟେଥୁ ଅନନ୍ତରେ କରୁଣାକର ନାମରେ କୁମ୍ଭାର

କୋଇନ୍ତାଙ୍କୁ ତୋଳିଲା ଗୋ କେତେ ନିଦ୍ରାକର ।୧୩୧।

 

କୋଇନ୍ତାୟେ ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବଙ୍କୁ ତୋଳି

ଚିଆଂଇ ଉଠିଲେ ସେ ପାଣ୍ଡବ ମହାବଳୀ ।୧୩୩।

ରସିତା ନାମେଣ ସେ ଅଟଇ କୁମ୍ଭାରୁଣୀ

ଦ୍ରୋପତୀଙ୍କି ତୋଳି ବସାଇଲା ଆଣି ।୧୩୪।

ନବତନ ଘଟରେ ଗଙ୍ଗା ଜଳ ଆଣି ପୂରୋଇ

ସେ ଚକ୍ରୀ ଭାରିଯା ଦ୍ରୋପତୀଙ୍କି ସ୍ନାହାନ କରାଇ ।୧୩୫।

 

ଅନେକ ସୁଗନ୍ଧ ଲଗାଇ କେଶ ପଖାଳି

ଆପଣାର ତହୁଂ ପିନ୍ଧାଇଲା ନବତନ ପାଟୋଳି ।୧୩୬।

ଯୁଝେଷ୍ଠି ବୋଇଲେ ବାବୁ ଶୁଣ ଫାଲଗୁନି

ହୃଦଗତେ ସୁମର ତୁ ରାମ କୃଷ୍ଣ ବେନି ।୧୩୭।

ହୃଦଗତେ ଅର୍ଜୁନ କଲାକ ୟେକ ଲୟେ

ନାରାୟଣଙ୍କୁ ଚିନ୍ତିଲା ସେଛତ୍ରୀ ଧନୁର୍ଜୟେ ।୧୩୮।

 

ହରି ବଳରାମେ ଜାଣିଲେ ଯୋଗବଳେ

ଗରୁଡ଼ ପିଠି ଆରୋହି ଅଛନ୍ତି ଶୂନ୍ୟ ମଣ୍ଡଳେ ।୧୩୯।

ଦ୍ଵାରକା ନାୟେକନ୍ତ ସାତ ବଂଶ ସହିତେ

ଅଷ୍ଟା ପାଟ ବଂଶୀ ନାୟିକାନ୍ତ ଆଣିଲେ ଯୁଝେଷ୍ଠିଙ୍କ ବିଭା ଦେଖିବା ନିମନ୍ତେ ।୧୪୦।

ତାଳଧ୍ଵଜ ରଥେ ବିଜୟେ ନୀଳାମ୍ଵର

ଗରୁଡ଼ ନସହଇ ଯେ ବଳଦେବଙ୍କର ଭାର ।୧୪୧।

 

ଛପନ କୋଟି ଯଦୁଯାଦବ ବୀର ତୁଲେ

କୁରାଳ ଶାଳେ ଆସି ଶ୍ରୀନାରାୟଣେ ବିଜେକଲେ ।୧୪୨।

ବଇନେତ୍ର ପିଠିରୁ ଉତୁରି ନାରାୟଣ

ପ୍ରଳମ୍ଵ କରନ୍ତି ଯୁଝେଷ୍ଠିଙ୍କର ଚରଣ ।୧୪୩।

ବଳଦେବଙ୍କୁ ପୂଜାକଲେକ ଦେବ ଧର୍ମେ

ଭୀମ ଅର୍ଜୁନ ନକୁଳ ସହଦେବ ଚାରି ପ୍ରଳମ୍ଵିତ ଶ୍ରୀପୁରୁଷଙ୍କ ଉତ୍ତମେ ।୧୪୪।

 

ଛପନ କୋଟି ଯାଦବଙ୍କର ସଇନି

ଯୁଝେଷ୍ଠିଙ୍କ ଚରଣେ କରନ୍ତି ସର୍ବେ ମାନି ।୧୪୫।

ଯେତେବେଳେ ବିଜୟେ କଲେ ହୃଷିକେଶୀ

ଷାଠିୟେ ସହସ୍ର ଶିଷ୍ୟ ଘେନି ବିଜୟେ ବ୍ୟାସ ମହଋଷି ।୧୪୬।

ଲକ୍ଷେକ ବ୍ରାହ୍ମଣ ଘେନି ଧୌମ୍ୟ ପୁରୋହିତେ

ବିଭା ଯୋଗାଡ଼ ଘେନି ବିଜୟେ ତୁରିତେ ।୧୪୭।

 

ଲକ୍ଷେ ଶିଷ୍ୟ ଘେନି ଉଦ୍ଦାଳକ ସୁମନ୍ତକ ବଶିଷ୍ଠ ବିଶ୍ଵାମିତ୍ରେ

ସହସ୍ରେ ବାଲଖିଲ୍ୟା ଘେନି ମାରକଣ୍ଡ ବାଲମିକ ଲୋମଶ ସହିତେ ।୧୪୮।

ଦୁର୍ଭାସା ଭାରଦ୍ଵାଦଶ ଜନକ ବିଭାଣ୍ଡକେ

ଯୁଝେଷ୍ଠିଙ୍କ ବିବାହ ଉଚ୍ଛବେ ଆସି ପ୍ରବେଶ ଯାଗନିକେ ।୧୪୯।

ଗଉତମ ଶାୟଂନ୍ତନୁ ମହାଋଷି ପାରେଶ୍ଵର

ଅହିବ୍ରତେକ ଶିଷ୍ୟ ଘେନି ଅଇଲେ ସଙ୍ଗର ।୧୫୦।

 

ମହାଋଷିମାନେ ସମସ୍ତେ ବିଜେ କଲେ

ଦେଖି ଯୁଝେଷ୍ଠି ଦେବେ ପାଦ ଅର୍ଘ୍ୟ ଦିଲେ ।୧୫୧।

ସମସ୍ତ ଋଷିମାନେ ଘେନି ନାରାୟଣ ବିଜେକଲେ ଯହୁଂ

ଅମରଗଣ ଘେ ନିବାସବ ମିଳିଲେକ ତହୁଂ ।୧୫୨।

ସୁଧର୍ମା ସଭାକୁ ଆଣିଲେ ଅମରପୁରୁ

କୁବେର ଅନେକ ରତ୍ନ ଅଳଙ୍କାର କାଢିଲା ଭଣ୍ଡାରୁ ।୧୫୩।

 

ଆକାଶୁ ଅଇଲେ ସମସ୍ତ ଦଇବତ ପୁରୁଷେ

ସମସ୍ତେ ବିଜେକଲେ ଯେ କୁରାଳଶାଳ ପାଶେ ।୧୫୪।

ତହିଂ ରତ୍ନଭୁବନ ଗୋଟି ସଞ୍ଚିଲେ ଦେବତାୟେ

ମାନବଙ୍କୁ ଦିଶଇ ସେ କୁରାଳଶାଳ ପ୍ରାୟେ ।୧୫୫।

ଅଗସ୍ତିଙ୍କି ପୁଚ୍ଛାକଲେ ବଇବସୁତ ମନୁ

କୁରାଳଶାଳ କେସନେକ ହୋଇଲା କଣୟ ଭୁବନୁଂ ।୧୫୬।

 

ଅଗସ୍ତି ବୋଇଲେ ଶୁଣ ହୋ ମନୁ ପୁରୁଷ

ଯେତେବେଳେ ଦ୍ରୋପଦ ସୟମ୍ଵର ବିଧାନ କଲା ପ୍ରକାଶ ।୧୫୭।

ଲକ୍ଷେ ରାଜାଙ୍କୁ ସେ ଲକ୍ଷେ ଭୁବନ କଲା

ପାଣ୍ଡବଙ୍କର ନାମ ସେ ସଭାରେ ନପଡିଲା ।୧୫୮।

ଆକାଶେ ଜାଣିଲେ ଇନ୍ଦ୍ର ଦଇବତ

ବିଶ୍ଵକର୍ମା ରାଇ ଆଗ୍ୟାଂ ଦିଲେ ପୁରୁହୁତ ।୧୫୯।

 

ଆକାଶୁଂ ନିଅ ମୋର ଅନ୍ତରୀଛ ଭୁବନ

ଦ୍ରୋପତ ରାଜ୍ୟ ଅନ୍ତରେଣ ତ୍ରିବେଣୀ ନଦୀ ସନ୍ନିଧାନ ।୧୬୦।

ସେ ଭୁବନ ରକ୍ଷା କରଇ କରୁଣାକର ବିଦ୍ୟାଧର

ଅସୁର ଭୟେ ହୋଇଲେ ତହିଂ ଲୁଚଇ ପୁରନ୍ଦର ।୧୬୧।

ଇନ୍ଦ୍ର ଆଗ୍ୟାଂୟେ ତାହା ବିଶ୍ଵକର୍ମା ନେଲା

ତ୍ରିବେଣୀ ଗଙ୍ଗା କୂଳେ ନେଇଣ ଥୋଇଲା ।୧୬୩।

 

କରୁଣାକର ବିଦ୍ୟାଧରକୁ ବୋଲଇ ସୁନାଶୀର

ଗୋପ୍ୟାନ ରୂପେ ତୁ ହୋଇବୁ କୁମ୍ଭାର ।୧୬୪।

ଅମର ବିଳାସୁଣୀ ୟେ ୟେହାର ନାମ ଋଷିତା

ମେନାକର ଦୁହିତାୟେ ତୋହୋର ବନିତା ।୧୬୫।

ଜାଳ ଅଗ୍ନି ହାଣ୍ଡି ତୁ ୟେମାନ ଥିବୁ ସଞ୍ଚି

ମୋହୋର ହିତେ ପାଣ୍ଡବେ ହୋଉଛନ୍ତି ଦୁଖୀ ।୧୬୬।

 

କୁମ୍ଭିରୀ କିନ୍ନରୀ ହିଡିମ୍ଵକ ବକ ଚାରି

ଅମର ଭୁବନକୁ ୟେ ନିତ୍ୟେ ଦ୍ୟନ୍ତି ଧାଡ଼ି ।୧୬୭।

ତାହାନ୍ତ ବଧ କରାଇବାର ନିମନ୍ତେ

ପାଣ୍ଡବନ୍ତ ବନବାସ କରାଇ ଅଛୁଂ ଯୁଗତେ ।୧୬୮।

ମୋହୋର ନିମନ୍ତେ ୟେ ପାଉଛନ୍ତି ଦୁଖ

ଦ୍ରୋପଦର ଭୁବନେ ପାଇବେ ନାହିଂ କି ସୁଖ ।୧୬୯।

 

ଗହନ ଅଟବ୍ୟା ସେ ଅସୋହତ ଭୂମି

କଣୟ ଭୁବନ ଥାପିଲେ ସୁରନାଥ ସ୍ଵାମୀ ।୧୭୦।

ୟେହେନେକ କରି ସଞ୍ଚିତ କଲେ ଦେବରାୟେ

ସେ ବାରସ୍ଵତୀ ଭୁବନ ଦିଶଇ କୁରାଳଶାଳ ପ୍ରାୟେ ।୧୭୧।

ମୁକୁତା ଚୂରିତହିଂ କର୍ପୂର ଗୁଣ୍ଡି ସିଞ୍ଚି

ବେନି ଦଣ୍ଡ ବହଳ ପକାଇଲେ ବିଞ୍ଚି ।୧୭୨।

 

ୟେହେନେକ ସଞ୍ଚିତ କଲେ ଦେବତାୟେ

ସେ ରତ୍ନକର୍ପୂର ଗୁଣ୍ଡି ଦିଶଇ କୁମ୍ଭାର ପାଉଂଶ ପରାୟେ ।୧୭୩।

କରୁଣାକର ବିଦ୍ୟାଧର ଋଷିତା ନାମେ ବିଦ୍ୟାଧରୀ

ଚକ୍ରୀ ଚକ୍ରିଣୀ ପ୍ରାୟେ ଦିଶନ୍ତି ଗୋପ୍ୟକାରୀ ।୧୭୪।

ପାଣ୍ଡବଙ୍କର ଗୋପ୍ୟେ ସେ ଗୋପ୍ୟେ ହୋଇଥିଲେ

ତାହାଙ୍କର ଗୋପ୍ୟେ ସରିଲା ସେ ଉଦିତ ହୋଇଲେ ।୧୭୫।

 

ପରିମଳ ଭୁବନ ସେ ଦୁତୀ ବାରସ୍ଵତୀ

ଦେଖି କାମପାଳ, ଯାଦବେ ପ୍ରଶଂସା କରନ୍ତି ।୧୭୬।

ବ୍ୟାସେ ପୁଚ୍ଛାକଲେ ସ୍ଵାମୀ ଶୁଣିମା ଶ୍ରୀବାସୁଦେବେ

ଦ୍ରୋପତୀକି ପ୍ରଦାନ ହୋଇବେ ପଞ୍ଚୁ ଯେ ପାଣ୍ଡବେ ।୧୭୭।

ଦ୍ରୋପଦ କିସ ବୋଲିବେ ସେ ୟେହାଙ୍କ ବଚନ ଶୁଣି

କି ଉତ୍ତର ଦେବେ ଦ୍ରୋପଦେଶ୍ଵରଙ୍କ ଦୁଲଣୀ ।୧୭୮।

 

କ୍ଷଣେକ ଆମ୍ଭେ ଗୋପ୍ୟାନେ ହୋଇଥିବା

ଓହୋ କୁଳ ଗୋତ୍ର ବାରତା ଶୁଣିମା ।୧୭୯।

ୟେସନେକ ବିଚାରି ସେ ରହିଲେ କୁରାଳଶାଳ ଭୁବନେ

କୋଟିୟେ ମହଋଷି ତହିଂ ହୋଇଲେ ଗୋପ୍ୟାନେ ।୧୮୦।

ସାତ ବଂଶ ଘେନି ରାମକୃଷ୍ଣ ଉଗ୍ରସେନ

ଦେବତାନ୍ତ ସହିତେ ଗୋପ୍ୟାନ ମଘବାନ ।୧୮୧।

 

ରତ୍ନ ଯୋଗାଡମାନ ଘେନି ଅଳକା ଅଧିପତି

ସେହି ଗୋପ୍ୟାନ ହୋଇଲେ ତହିଂରେ ଅନ୍ତର୍ଗତି ।୧୮୨।

ୟେମନ୍ତର ସମୟେ କେଶିନୀ ମୁଦୁସୁଲୀ

ରତ୍ନବାସ ଅଳଙ୍କାର ଘେନି ଅଇଲା ଦ୍ରୋପତୀଙ୍କି ଅଲେଖ ତିଳକ କରିବ ବୋଲି ।୧୮୩।

ସୂତ୍ରକାର ମାନନ୍ତ ରାଇ ଆଗ୍ୟାଂ ଦିଲେ ନୃପବର

ଦକ୍ଷିଣଦ୍ଵାରୁଂ କୁରାଳଶାଳକୁ ବୋଲି ଛାୟା ମଣ୍ଡୋପ କର ।୧୮୪।

ଦ୍ରୋପଦ ସିଙ୍ଘଦ୍ଵାରଠାରୁ କୁରାଳ ଶାଳ ପାଞ୍ଚଯୁଣ

ପାଞ୍ଚ ଲକ୍ଷ ବିନ୍ଧାଣି ତହିଂ ଲାଗିଲେ ବହନ ।୧୮୫।

 

ସର୍ବ ସଞ୍ଚିତ ରାଜା ଯେ ଅଟଇ ଦ୍ରୋପଦ

ଆଗ୍ୟାଂୟେ ସମସ୍ତ ତହିଂ ହୋଇଲା ସମ୍ପାଦ ।୧୮୬।

ଅଲେଖ ଯୋଗାଡ଼ ଘେନି ଅଇଲା କେଶିନୀ

ଦେଖିଲା ଦେବସଭା ପ୍ରାୟେ ଦିଶଇ ପୂରିଛଇଂ ସଇନି ।୧୮୭।

ଦ୍ରୋପତୀ ବୋଇଲେ ତୁ ଶୁଣ ଗୋ କେଶିନୀ

ମୋହୋର ପିତାମାତାର ଲୋ ଜୀବନ ଧନି ଧନି ।୧୮୮।

 

ମୁହିଂ ତ ଉତ୍ତମ ହୋଇଲି ସ୍ତିରୀ କୁଳେ ଜନ୍ମ

ୟେ ପାଞ୍ଚେ ଆକାଶ ଦଇବତ ଆଦିବ୍ରହ୍ମ ।୧୮୯।

କଣୟ ନିର୍ମାଣ ଲୋ ଅଟଇ ୟେ ଭୁବନ

ମାନବଙ୍କୁ ଦିଶଇ କୁରାଳଶାଳ ଯେସନ ।୧୯୦।

ସମସ୍ତ ଦେବତାୟେ ୟେହିଠାରେ ଥିଲେ

ଦ୍ରୋପଦର ମନ ବିଡ଼ିବାକୁ ୟେହିଠାରୁ ଗୋପ୍ୟ ହୋଇଲେ ।୧୯୧।

 

ପାଉଂଶ ଯେଉଂଣ ଲୋ ସେ କର୍ପୂରର ଗୁଣ୍ଡି

ୟେମାନେ ସବୁ ହାଦେ ସୁବର୍ଣ୍ଣର ହାଣ୍ଡି ।୧୯୨।

ୟେହୁ ଖଣ୍ଡ ଖଣ୍ଡ ଯେ ଦିଶୁଅଛି ଖପରା

ୟେମାନେ ସବୁ ହାଦେ ଗୋ ସୁବର୍ଣ୍ଣ କପୋରା ।୧୯୩।

ପିତାର ଆଗରେ ମୋର କହ ଯାଇଂ ଧାତି

ବ୍ରାହ୍ଣଣେ ପ୍ରାୟେ ବୁଝି ନ ପୁଣ ବୋଲଇ ଅନୀତି ।୧୯୪।

 

କେଶିନୀ ବୋଇଲା ମୋତେ ୟେ ମାନ କିମ୍ପେ କହୁ

ମୁହିଂ ତାହା ସଞ୍ଚପି କହିଅଛଇଂ ଆଗହୁଂ ।୧୯୫।

ଅନେକ ସମ୍ଭରେ ଦ୍ରୋପଦେଶ୍ଵର ରାୟେ

କୁରାଳଶାଳ ଦ୍ଵାରେ ଯାଇଂ କଲେଜ ବିଜୟେ ।୧୯୬।

ଦେଖିଲେ ନାରଖାର ଦିଶଇ ଘରପୁରା

ଦେଖିଣ ଉପହାସ୍ୟ କଲେକ ସର୍ବବୀରା ।୧୯୭।

 

ୟେତେଠାବ ଥାଉଂ ୟେଥେଂ କିମ୍ପେ ଯେ ରହିଲେ

ମନ୍ଦ ଠାବ ବୋଲି ସୟମ୍ଵର କାଳେ କେହି ୟେଥକୁ ନଇଲେ ।୧୯୮।

କଷ୍ଟିଜନମାନେ ସିନାକୁ ସ୍ଥାନେ ଥାଆନ୍ତି

ଜାଣିଲୁ ୟେମାନଙ୍କର ଅସାର୍ଥୁକ ଜୀବତି ।୧୯୯।

ବାହାରେ ଥାଇ ଡାକ ଦିଅନ୍ତି ଦ୍ରୋପଦେଶ୍ଵର ରାୟେ

ବାଭିୟେ ବାହାର ହୋଇ ଆସକିନା ଲାଖବିନ୍ଧା ପଣ୍ଡାୟେ ।୨୦୦।

ଗରୁହଂସୀ ପଣେ ନ ଶୁଣନ୍ତି ଦ୍ରୋପଦ ରାଜାର ବୋଲ

ଯୋଦ୍ଧାୟେ ବୋଲନ୍ତି ୟେ ବିପ୍ରେ ଅଟନ୍ତି ଅବା କାଲ ।୨୦୧।

 

ରାଜାର ଚାରଗଣେ ଅଟନ୍ତି ବଡ଼ ଦୁଷ୍ଟ

କ୍ଷଣେ କ୍ଷଣେ ମନ୍ଦ କହୁଅଛନ୍ତି ଦ୍ରପିଷ୍ଟ ।୨୦୨।

ଯୋଗୀ ତପସ୍ଵୀ ରାଉଳ ପୁଣ ଭିକ୍ଷା ବାସୀ

ମାଗି ବ୍ରତନ୍ତି ୟେମାନେ ମିଛିକା ଗରୁହଂସୀ ।୨୦୩।

ଯୁଝେଷ୍ଠି ବୋଇଲେ ବାବୁ ଯାଅ ଧନଞ୍ଜୟେ

ବାକ୍ୟ ଶୁଣକିନା କିସ ବୋଲନ୍ତି ଦ୍ରୋପଦେଶ୍ଵର ରାୟେ ।୨୦୪।

 

ଅର୍ଜୁନ ବୋଇଲେ ସ୍ଵାମୀ ମୁଂ ଯିବଇଂ କେଉଂଣ ମତେ

ଗଲେ ଦ୍ରୋପଦେଶ୍ଵର ଅବଶ୍ୟ ବରଣ କରିବ ମୋତେ ।୨୦୫।

ତୁମ୍ଭେ ଯିବା ହୋଉ ଦ୍ରୋପଦର ତହିଂକି

ସାବଧାନେ ଶୁଣିମା ସେ ଆଜ୍ଞା ଦିଅଇ କି କି ।୨୦୬।

ଯୁଝେଷ୍ଠି ବୋଇଲେ ସେ ରାଇଲେ ଲାଖବିନ୍ଧା ପଣ୍ଡାକୁ

ଆମ୍ଭେ କିସ ଉତ୍ତର ଯେ କହିବା ତାହାଙ୍କୁ ।୨୦୭।

 

ଆମ୍ଭନ୍ତ ପଚାରିବ ତୁମ୍ଭେ ଲାଖ ବିନ୍ଧିଲ ଟିକି

ହୋଇ ବୋଲି ଆସିବକି ଆମ୍ଭର ମିଥ୍ୟା ବାକି ।୨୦୮।

ଭୀମସେନ ବୋଇଲା ତୁମ୍ଭେ ନଯାଅ ନଯାଉ ବୀରପାଥ

ଡାକ ଦେଇ ତେଣେ ହୋଇଲାନି ବିମୁଖ ଦ୍ରୋପଦେଶ୍ଵର ନାଥ ।୨୦୯।

ମୁହିଂ ଯିବିନି କି ଦ୍ରୋପଦର ତହିଂକି

କିସ ବୋଲଇ ଦ୍ରୋପଦ ଶୁଣଇଂ କିନା ବାକି ।୨୧୦।

 

ଯୁଝେଷ୍ଠି ଦେବ ହସିଲେଭୀମସେନବଚନେ

ତୋହୋର ମନ ଆମ୍ଭେ ଜାଣିଛୁ ନା ଯେହ୍ନେ ।୨୧୧।

ପାଞ୍ଚୁପାଣ୍ଡବ ଯେ ହାତ ଧରା ଧରି

ୟେକ ମୃତ୍ତି ହୋଇ ବାହାର ହୋଇଲେ ଆଗ ସରି ।୨୧୨।

ସେ ପାଞ୍ଚଙ୍କର ମୃତ୍ତି ଦେଖିଣ ପଞ୍ଚାଳ

ପାଦ୍ୟ ଅର୍ଘ୍ୟ ଦେଇ ପୂଜା କଲାକ ପାଦତଳ ।୨୧୩।

 

ବାଭିୟେ କେଉଂଣ ପଣ୍ଡାୟେ ତୁମ୍ଭେ ଲାଖ ବିନ୍ଧିଲଟି

କାହାକୁ ପ୍ରଦାନ କରିବି ମୋହୋର ଦୁହିତା ଗୋଟି ।୨୧୪।

ଯୁଝେଷ୍ଠି ଦେବ ବୋଇଲେ ଆମ୍ଭେ ପଞ୍ଚଭ୍ରାଥ

ୟେକା ଜଣେ ଅର୍ଜିଲେ ପାଞ୍ଚେହେଂ କରୁଂ ଭୁକ୍ତ ।୨୧୫।

ପଦାର୍ଥେ ପାଇଲେ ପାଞ୍ଚେ ହେଂ ଭୁଞ୍ଜୁ ବାଣ୍ଟି

ପାଞ୍ଚଙ୍କରି ହୋଇ ଆମ୍ଭର ୟେକ ଆତ୍ମା ଗୋଟି ।୨୧୬।

 

ଦ୍ରୋପଦ ବୋଇଲେ ୟେ ଅଟଇ ମହତ

ବଡ଼ ବଡ଼ଙ୍କର କଥା ଅଟଇ ୟେମନ୍ତ ।୨୧୭।

ଦ୍ରୋପଦ ବୋଇଲେ ୟେ ଯେ ସ୍ତିରୀ ରତ୍ନକାନ୍ତି

ଜଣକଂର ବିଭା ନା ହୋଇବ ଯୁଗତି ।୨୧୮।

ଯୁଝେଷ୍ଠି ଦେବ ବୋଇଲେ ଆମ୍ଭର ୟେମନ୍ତ ବେଭାର

ୟେକା ଦ୍ରୋପତୀକି ଆମ୍ଭେ ପାଞ୍ଚହେଂ ଅଟୁ ବର ।୨୧୯।

 

କର ହେ ନୃପତି ତୋର ଅଛି ଯେବେ କାର୍ଯ୍ୟ

ୟେ ପାଞ୍ଚଙ୍କୁ ୟେ କନ୍ୟା ପ୍ରଦାନ କରିବୁ ଯେ ଆଜ ।୨୨୦।

ଶୁଣିଣ ମୃଚ୍ଛାଗତ ହୋଇଲା ରାଜନ

ଦୁର୍ଦ୍ଧଂସ ବଚନ ବୋଇଲେ ଧୃଷ୍ଟ ଯେ ଦୃମନ ।୨୨୧।

ଶିଖଣ୍ଡୀ ବୋଇଲା ତୁମ୍ଭେ ଭିକ୍ଷାସି ଜନ ଅଟ

ସଂଚୟେ ଜାଣିଲୁ ତୁମ୍ଭେ ଜନ୍ମହୁଂ ନଷ୍ଟ ।୨୨୨।

 

ୟେମନ୍ତ ବେଭାର ଅଟଇ ନଟକାର ଜାତି

ଗୋଳକୁଣ୍ଡା ଅଟନ୍ତି ତାହାଙ୍କର ଯୁବତୀ ।୨୨୩।

ଦ୍ରୋପଦ ବୋଇଲା ବାଭିୟେ କହିଲୁ ଅନୀତି

ୟେକ ସ୍ତରୀକି କାହିଂ ଅଛି ପାଞ୍ଚ ପତି ।୨୨୪।

ୟେକ ପୁରୁଷକୁ ଯେ ଯୁଗତେ ପଞ୍ଚୁକନ୍ୟା

ଲୋକିତ କର୍ମକୁ ଦିଶିଲା ତୁମ୍ଭର ବାକ୍ୟ ହୀନା ।୨୨୫।

 

ମହତ ହୋଇ କହିଲ ଅମହତ ବାକ୍ୟ

ପୁରୁଷମାନଙ୍କୁ ୟେକଥା ନୁହଇ ନା ଶକ୍ୟ ।୨୨୬।

ବେଳୁଂବେଳ ଦ୍ରୋପଦେଶ୍ଵର କହୁଅଛି ବାକ୍ୟ ଚଳି

ବ୍ୟାସଙ୍କର ବଦନ ଚାହିଂ ବୋଲନ୍ତି ବନମାଳୀ ।୨୨୭।

ଭୀମସେନ ନସହିବଟି ଦ୍ରୋପଦର ଝିଙ୍ଘାସ

ୟେହିକ୍ଷଣି ଦ୍ରୋପଦର ହୋଇବ ପ୍ରାଣନାଶ ।୨୨୮।

 

ତତକ୍ଷଣେ ବ୍ୟାସେ ଯେ ବାହାର ହୋଇଲେ

ଦ୍ରୋପଦ ପାଣ୍ଡବଙ୍କ ମଧ୍ୟେ ବିଜେ କଲେ ।୨୨୯।

ବ୍ୟାସଙ୍କୁ ଦେଖି ଦ୍ରୋପଦେଶ୍ଵର ରାୟେ

ଶତେ ସହସ୍ରେ ଦଣ୍ଡ ପ୍ରଳମ୍ଵିତ ବ୍ୟାସଙ୍କ ପଦ୍ମ ପାୟେ ।୨୩୦।

 

ଦ୍ରୋପଦେଶ୍ଵର ବୋଇଲେ ତୁମ୍ଭର ଯେ ଦୟା ମୋତେ ସର୍ବକାଳେ

ଜାଣିଣ ଅଇଲ ସ୍ଵାମୀ ମୋତେ କଟାଳର ବେଳେ ।୨୩୧।

ଆପଣେ ତୁମ୍ଭେ ତୁଲେ ଘେନି ଦଶ ସହସ୍ର ମୁନି

ମହାଯାଗରୁ ଜାତ କଲ ମୋହୋର ନନ୍ଦିନୀ ।୨୩୨।

ରାଜାନ୍ତ ଆଣିଲି ମୋହୋର ବରଣେ

ଲାଖ ସଞ୍ଚିଲି ତୋହୋର ଆଜ୍ଞା ପରମାଣେ ।୨୩୩।

 

ୟେ ବ୍ରାହ୍ମଣ ଗୋଟି ଲାଖ ବିନ୍ଧିଲା ଅବରଣେ

ୟେବେ ବୋଲନ୍ତି ପ୍ରଦାନ ହୋଇବୁଂ ପାଞ୍ଚଜଣେ ।୨୩୪।

ଷାଠିୟେ ଲକ୍ଷ ଗ୍ରନ୍ଥ କଲ ଯେ ନିର୍ଜିତେ

ୟେକା ସ୍ତିରୀକି କାହିଂ ପଞ୍ଚଭ୍ରଥା ଅଛିକି ତୋହୋର ଶାସ୍ରେ ଯୁଗତେ ।୨୩୫।

ବ୍ୟାସେ ବୋଇଲେ ବାବୁ ଶୁଣ ହୋ ଦ୍ରୋପତ

ତୋହୋର ଦୁହିତାକୁ ପଞ୍ଚଭ୍ରଥା ଅଛି ପୂର୍ବର ଲିଖିତ ।୨୩୬।

 

ତୁ ଯେ ପଚାରିଲୁ ପୂର୍ବର ବାରତା

ଶୁଣ ସାବଧାନେ ତୋତେ କହୁଂ ପୂର୍ବର ଆଦି କଥା ।୨୩୭।

କୃତସର୍ବ ବୋଲି ୟେକ ପ୍ରଳୟ କାଳେ

ନାରାୟଣ ଯୋଗ ଲୟେ ସେ ମହାର୍ଣ୍ଣବ ଜଳେ ।୨୩୮।

ବିରାଳଚକ୍ର ନାମେ ଯେ ୟେକଇ ଉଡଙ୍ଗ

ଅନନ୍ତ ଶଯ୍ୟାରେ ବିଜେ ଦେବ ତାହା ଅଙ୍ଗ ।୨୩୯।

 

ନାହିଂସ୍ଵର୍ଗ ନାହିଂ ମଞ୍ଚ ନାହିଂ ଯେ ପାତାଳ

ପୃଥ୍ଵୀ ଆପ ତେଜ ବାୟୁ ଆକାଶ ନାହିଂ ଯେ ସକଳ ।୨୪୦।

ଦେବ ଦାନବ ପକ୍ଷ କିନ୍ନର ଆଦି କରି

ନାଗ ଲୋକ ଆବର ଜଙ୍ଗମ କୀଟ ପତଙ୍ଗ ସମସ୍ତ ପ୍ରଳୟ ଧାରୀ ।୨୪୧।

ନାହିଂ ଚନ୍ଦ୍ର ନାହିଂ ସୂର୍ଯ୍ୟ ନାହିଂ ଯେ ପବନ

ନାହିଂ ଦିବା ନାହିଂ ରାତ୍ର ନାହିଂ ସନ୍ଧ୍ୟା ଅବକାଶ ମାନ ।୨୪୨।

 

ଦକ୍ଷିଣକୁ ଶିର କରି ମହାସର୍ପ ଅଛଇ ଶୋଇ

ୟେଡ଼େ ପ୍ରଳୟ ପାଣି ତାର ଗର୍ଭକୁ ନଅଣ୍ଟଇ ।୨୪୩।

ସେ ସର୍ପ ଫଣାରେ ଦେବ ଦେଇ ସୀମଥାନ

ମହାଯୋଗ ଶୟନ ଦେବନାରାୟଣ ।୨୪୪।

ସନ୍ନିଧ୍ୟ୍ୟେ ବିଳାସୁଣୀ ଖଟଇ ଆଦିନାରୀ

ଅନାଦି ଅପର୍ଣ୍ଣା ସେ ସମସ୍ତ ଜାତ କରି ।୨୪୫।

 

ସତ୍ୟଯୁଗ ସତର ଲକ୍ଷ ଅଠାଇସି ସହସ୍ର ବରଷ

ଊନପାଦୟେ ଚାରି ଲକ୍ଷ ବତିଶ ସହସ୍ର ବରଷ ।୨୪୬।

ତ୍ରେତୟା ଯୁଗ ବାର ଲକ୍ଷ ଛୟାଣୋଇ ସହସ୍ର ବରଷ

ଊନପାଦ ତିନି ଲକ୍ଷ ଚବିଶ ସହସ୍ର ବରଷ ।୨୪୭।

ଦ୍ଵାପର ଯୁଗ ଆଠ ଲକ୍ଷ ଚଉଷଠି ସହସ୍ର ବରଷ

ଉନପାଦ ଦୁଇ ଲକ୍ଷ ଷୋଳ ସହସ୍ର ବରଷ ।୨୪୮।

 

କଳିଯୁଗ ଚାରିଲକ୍ଷ ବତିଶ ସହସ୍ର ବର୍ଷ

ଊନପାଦ ୟେକ ଲକ୍ଷ ଆଠ ସହସ୍ର ବରଷ ।୨୪୯।

ଗଣ୍ଡାୟେକ ବୋଲି କହି ଚାରିଯୁଗେ

ୟେହି ରୂପେ ସର୍ପକୁ ୟେକ ଦିନ ଭୋଗେ ।୨୫୦।

ୟେହିମତେ ଅଷ୍ଟ ଉତ୍ତର ଶତେ ବରଷ

ୟେତେକାଳ ହୋଇଲେ ଇନ୍ଦ୍ରଦେବତା ଯାଇ ନାଶ ।୨୫୧।

 

ଇନ୍ଦ୍ର ନାଶ ଗଲେ ପିତାକୁ ହୋଅଇ ୟେକ ଦିନେ

ୟେହି ମତେ ବ୍ରହ୍ମାକୁ ଅଷ୍ଟ ଉତ୍ତର ଶତେ ବରଷ ଲେଖନେ ।୨୫୨।

ୟେତେକେ ବ୍ରହ୍ମାର ଆୟୁଷ ଯେବେ ସରଇ

ଈଶ୍ଵର ଦେବତାଙ୍କୁ ଦିବସେ ଅପହରଇ ।୨୫୩।

ୟେ ବିଧିରେ ଅଷ୍ଟ ଉତ୍ତର ଶତେକ ବରଷ

ମହାରୁଦ୍ର ଦେବତାର ଅଟଇ ଆୟୁଷ ।୨୫୪।

 

ରୁଦ୍ର ନାଶ ଗଲେ ଆଦିତ୍ୟଙ୍କୁ ହୁଅଇ ଦିନେ

ଅଷ୍ଟ ଉତ୍ତର ଶତ ବରଷେ ଆଦିତ୍ୟ ହୋୟେ ଲୀନେ ।୨୫୫।

ଶତେକ ଆଦିତ୍ୟ ଗଲେ ଚନ୍ଦ୍ରଙ୍କୁ ହୁଅଇ ଦିନେ

ଅଷ୍ଟ ଉତ୍ତର ଶତ ବରଷେ ଚନ୍ଦ୍ର ହୁଅଇ ନିଧନେ ।୨୫୬।

ୟେହିମତେ ଶତେ ଅଷ୍ଚ ଉତ୍ତର ବରଷେ ଚନ୍ଦ୍ରହିଂ ନାଶ ଯିବ

ଚନ୍ଦ୍ରହିଂ ନାଶ ଗଲେ ବିଷ୍ଣୁଙ୍କୁ ୟେକ ଦିବସ ହୋଇବ ।୨୫୭।

 

ଦିବସ ସରିଲେ ରାତ୍ରେ ଯାଇ ନିଦ୍ରା

ବିଷ୍ଣୁଙ୍କର ନିଦ୍ରା ଗଲେ ଭାଞ୍ଜଇ ଯୋଗ ମୁଦ୍ରା ।୨୫୮।

ଅନାଦି ପୁରୁଷ ଯେତେବେଳେ ନିଦ୍ରା ଯାୟେ

ପୃଥୀ ଆପ ତେଜ ବାୟବ ଆକାଶ ସମସ୍ତ ଯାଇ କ୍ଷୟେ ।୨୫୯।

ତାହାର ନିଦ୍ରା ଗଲେ କିଛିହିଂ ନ ଥାଇଂ

ଦିବସହିଂ ଯେତେ କାଳ ରାତ୍ରହିଂ ତେତେ କାଳ ହୋଇ ।୨୬୦।

 

ନିଦ୍ରା ଭାଞ୍ଜିଲେ ପ୍ରସରଇ ରୟଣୀ

ପୁଣି ଉଦା କରାବନ୍ତି ଶ୍ରୀନାରାୟଣ ଚଛୁ ବେନି ।୨୬୧।

ଦେଖଇ ଜଳମୟେ ସଚରାଚର ନାହିଂ କିଛି

ବସି ଅମୃତ ନୟନେ ଚାହାନ୍ତି ଶ୍ରୀବଚ୍ଛି ।୨୬୨।

ଅମୃତ ଦୃଷ୍ଟିରେ ଯହିଂ ଚାହିଂଲେ ଅନାଦି

ପଞ୍ଚଦଶ ବ୍ରହ୍ମା ଜଳରୁ ଉପୁଜିଲେ ଶୂନ୍ୟ ଭେଦି ।୨୬୩।

 

ପୁଣ ଉଦେ କରନ୍ତି ଶ୍ରୀନାରାୟଣର କାୟେ

ସେ ଧାତୁ ବାଦ୍ୟ ପୁରୁଷଙ୍କୁ ହୋଇଲା ଜଳ ଆଣ୍ଠୁଆୟେ ।୨୬୪।

ସରସ୍ଵତୀଙ୍କି କଟାଳିଲେ ଯୁବା ରୂପ ଦେଖି

କଟାକ୍ଷି ଚାହିଂଲେ ୟେ ଅନାଦି ଧବଳମୁଖୀ ।୨୬୫।

ସେ ଅନାଦି ନାରୀଙ୍କର କଟାକ୍ଷ ନୟନେ

ତ୍ରୈଲୋକ୍ୟ ମୋହିନୀ କନ୍ୟା ହୋଇଲା ଉତପନ୍ନେ ।୨୬୬।

 

ସେ ଅନାଦି ନାରୀ ଯେ ମାଗିଲା ଆଧାର

ବାକ୍ୟ ଦେବୀ ବୋଇଲେ ପଞ୍ଚଦଶ ବ୍ରହ୍ମାଙ୍କୁ ତୁ ମାର ।୨୬୭।

କେତୁ ବୋଲି ବୋଇଲେକ ଯହୁଂ ଆଦି ନାରୀ

କେତୁକା ନାମ ଯେ ହୋଇଲା ତାହାରି ।୨୬୮।

ବାକ୍ୟ ଦେବୀ ବଚନେ ଧାଇଂଲେ କେତୁକା

ସହସ୍ର ବରଷେ ବ୍ରହ୍ମାୟେ ମାରଇ ୟେକା ।୨୬୯।

 

ଚଉଦ ବ୍ରହ୍ମା ମାଇଲା ଚଉଦ ସହସ୍ର ବରଷେ

ରୁଧିର ମାୟେଂସ ସେ ଆପ୍ୟାନ କଲାକ ସନ୍ତୋଷେ ।୨୭୦।

କୋଟିୟେ ବ୍ରହ୍ମାଣ୍ଡ ହୋଇଛି ଜଳମୟେ

ବ୍ରହ୍ମା କେତୁକାକୁ ଜଳ ହୋଇଲା ଆଣ୍ଠୁଆଣି ପ୍ରାୟେ ।୨୭୧।

ଶୂଦ୍ରେକ ବ୍ରହ୍ମାଙ୍କୁ ଧରି ନୁଆରି ପଛେ ଗୋଡ଼ାଇଲା

ନାରାୟଣ ଶରଣ ବୋଲିଣ ଫୁକାରିଲା ।୨୭୨।

 

ମହା ରତି ଶବଦେ ଭାଞ୍ଜିଲା ଯୋଗନିଦ୍ରା

ନୟନ ମଳିଣ ଚାହିଂଲେ ଯୋଗସିଦ୍ଧା ।୨୭୩।

ପଳାଇ ଶୂଦ୍ରେକ ବୋଲଇ ନାରାୟଣ ତ୍ରାହି ତ୍ରାହି

ବିଷ୍ଣୁନାଥ ବୋଇଲେ ଗୋ ରହ ରହ ଆୟୀ ।୨୭୪।

କେତୁକା ବୋଇଲା ୟେ ମୋହୋର ନିଜ ଭକ୍ଷ

ମୁହିଂ ତ୍ରିପୁତି ହୋଇବି ତୁମ୍ଭେ କିମ୍ପେ ୟେହା ରଖ ।୨୭୫।

 

ବିଷ୍ଣୁ ବୋଇଲେ ଆବର ବ୍ରହ୍ମାମାନେ ମୋହୋର ଗଲେ କାହିଂ

ଧବଳାଙ୍ଗୀ ବୋଇଲେ ସ୍ଵାମୀ ଜୀବତେ କେହି ନାହିଂ ।୨୭୬।

ମୋତେ ରମିତେ ଇଚ୍ଛା କଲେ ତୁମ୍ଭର ନିଦ୍ରା କାଳେ

ରାଗେ କେତୁକା ମୁଂ ଜାତ କଲି ବେନି ଡୋଳେ ।୨୭୭।

ଆଗ୍ୟାଂ ଦେଲି କେତୁକାୟେ ୟେହାନ୍ତ ସବୁକୁଇ ଭକ୍ଷ

ୟେ ମୋଢା ବଡ଼ାଇ ଦୁଷ୍ଟ ୟେହାନ୍ତ କିମ୍ପେ ରଖ ।୨୭୮।

 

ଶ୍ରୀନାରାୟଣେ ବୋଇଲେ ଶରଣ ପଶିଲା ଆମ୍ଭନ୍ତ ଯେବେ

ସମୟେକ ରଖ ୟେହାକୁ ଭକ୍ଷ ଦ୍ଵାପର ଯୁଗେ ।୨୭୯।

ବାକ୍ୟ ଦେବୀ ବୋଇଲେ ୟେ ହୋଇବ କେମନ୍ତେ

ୟେହା ବିସ୍ତାରିଣ ଦେବ କହିବା ଆଦି ନାଥେ ।୨୮୦।

ନାରାୟଣ ବୋଇଲେ ୟେବେ ହୋଇବ ସତ୍ୟଯୁଗ

ସତ୍ୟ ଅନ୍ତରେ ହୋଇବ ତ୍ରେତୟା ଯୁଗ ଭୋଗ ।୨୮୧।

 

ତ୍ରେତୟା ଅନ୍ତେ ଯେ ହୋଇବ ଦ୍ଵାପର

ୟେ ଶୂଦ୍ରକ ବ୍ରହ୍ମା ଧୁଶାସନ ରୂପେ ଅବତାର ।୨୮୨।

ୟେ କେତୁକା ଜନ୍ମ ହୋଇବ ଦ୍ରୋପତୀ ରୂପ ହୋଇ

ଦ୍ଵାପର ଯୁଗେ ଧୁଶାସନକୁ ଖାଉ ତହିଂ ।୨୮୩।

ୟେ କେତୁକା ହେଲା ଯହୁଂ ବ୍ରହ୍ମାଙ୍କର ବଇରି

ଚଉଦ ବ୍ରହ୍ମା ଖାଇଲାନି ମୁଣ୍ଡ ମୋଡ଼ି କରି ।୨୮୪।

 

ୟେ ଶୂଦ୍ରକୁ କୋପ ୟେହାକୁ ସର୍ବକାଳେ

ୟେହାର କେଶ ଧରି ନେବ କଉରୋବ ସଭାତଳେ ।୨୮୫।

ଦ୍ରୋପତୀ ବଲ୍ଲଭ ହୋଇବ ଭୀମସେନ

ଭୀମ ଧୁଶାସନରେ ଯେ ହୋଇବ ସାଂଗ୍ରାମେ ।୨୮୬।

ଧୁଶାସନକୁ ସାଂଗ୍ରାମେ ମାରିବ ବିକ୍ରୋଦର

ଭୁଜ ଓପାଡ଼ି ୟେହାର ମଥାରେ ନିଉଡ଼ିବ ରୁଧିର ।୨୮୭।

 

ରକତେ ସ୍ନାହାନ କରିବ ଦ୍ରୋପତୀ

ସେ ରୁଧିର ପାନ କରିଣ ହୋଇବ ତ୍ରିପୁତି ।୨୮୮।

ଶୁଣ ହୋ ଦ୍ରୋପଦେଶ୍ଵର ୟେ ଅନାଦି ସିଦ୍ଧ କଥା

ୟେଡ଼େ ସରୂପେ ତୋହୋର ଦ୍ରୋପତୀ ଦୁହିତା ।୨୮୯।

ୟେ ହାଦେ ଦ୍ରୋପତୀୟେ ହାଦେ ଭୀମସେନ

ଧୁଶାସନ ରୁଧିର ୟେ କରିବ ଆପ୍ୟାନ ।୨୯୦।

 

ୟେହା ଶୁଣି ଦ୍ରୋପଦ ଯେ ବ୍ୟାସଙ୍କୁ ପୁଚ୍ଛାକଲା

ତ୍ରେତୟା ଯୁଗୟେ ପୁଣି କାହିଂ ପୁହାଇଲା ।୨୯୧।

ପ୍ରଥମେ କେତକା ଦୁଜେ ୟେକ ବଳା ପାର୍ବତୀ

ବ୍ୟାସେ ବୋଇଲେ ଶୁଣ ହୋ ଦ୍ରୋପଦ ନୃପତି ।୨୯୨।

ହେମବନ୍ତ ତଳେ ମାଳତୀ ନାମେଣ ଯେ ନଦୀ

ତହିଂ ୟେକ ବଳା ପାର୍ବତୀ ଯୋଗ ସାଧି ।୨୯୩।

 

ୟେକ ବଳାକଇଂ ଇଚ୍ଛା କଲେ ଦେବ ହର

ଆସିଣ ସଦାଶିବ ଖଟନ୍ତି ପାଶର ।୨୯୪।

ମୀନ ମାସ ଶୁକ୍ଳ ପକ୍ଷ ଶ୍ରୀୟେକାଦଶୀ

ବସନ୍ତ ଋତୁ ହସ୍ତା ନକ୍ଷତ୍ର କନ୍ୟ ରାଶି ।୨୯୫।

ସେ ଦିନେ ଗାୟତିରୀ ଆସନ୍ତି ଗଙ୍ଗାକୁ ପାଣି ହେରି

ନିରଞ୍ଜନ ପୁରୁଷ ଭ୍ରଥା ଅଟନ୍ତି ତାହାରି ।୨୯୬।

 

ନିରଞ୍ଜନ ପଞ୍ଚୁ ଆତ୍ମା ପଞ୍ଚୁ ଷଣ୍ଢ ହୋଇ

ସେ ଗାୟତିରୀ ପଛକତି ଅଛନ୍ତି ଗୋଡାଇ ।୨୯୭।

ଈଶ୍ଵର ବୋଇଲେ ଦେଖ ୟେକ ବଳା ପାର୍ବତୀ

ମାତା ତୋର ଗାୟତିରୀ ୟେଡ଼େକ ଅସତୀ ।୨୯୮।

ୟେକା ଗାଈକି ଗୋଡ଼ାଇ ଅଛନ୍ତି ପଞ୍ଚୁଷଣ୍ଢ

ପାଞ୍ଚକଇଂ ଆଶା ଦେଖାଇ କରୁଅଛି ଲଣ୍ଡ ଭଣ୍ଡ ।୨୯୯।

 

ଯେବଣ ଷଣ୍ଢକୁ ତାର ଇଚ୍ଛା ଯେ ହୋଇବ

ଚାରିଙ୍କି ନିରାଶ କରି ୟେକ ଆବୋରିବ ।୩୦୦।

ୟେ ପାଞ୍ଚକଇଂ ଆଶା ଅଛି ଯେ ଦେଖାଇ

ସ୍ତିରୀଜନ୍ମର ୟେ ଧର୍ମକୁ ନୁଆସଇ ।୩୦୧।

କପିଳାକୁ ୟେକ ବଳା ମନେ କଲା ବିକୃତି

ବୋଇଲେ ମାତାର ୟେକଥା ନଯୋଗାଇ ଯୁଗତି ।୩୦୨।

 

ସ୍ତିରୀଜନ୍ମ ହୋଇ ୟେଡ଼େକ ଅବିଶ୍ଵାସୀ

ଈଶ୍ଵରେ ୟେକ ବଳା ଗାୟତିରୀକି ଦୁଷୀ ।୩୦୩।

ୟେସନେକ ଚରିତ ଯେ ଜାଣିଲେ କପିଳା

ବୋଇଲେ ତୁ ମନେ ବିକୃତ ଧଇଲୁ ଗୋ ୟେକ ବଳା ।୩୦୪।

ଭୋ ଈଶ୍ଵର ଦୃଷ୍ଟିରେ ଦେଖି ବିକୃତ ଧଇଲୁ ମନେ

ତୁ ୟେହାର ଭ୍ରାଥ ହୋଇ ଜନ୍ମିବୁ ଧୃଷ୍ଟ ଯେ ଦୃମନେ ।୩୦୫।

 

ତୁ ଯେ ୟେକ ବଳା ମନେ ଧଇଲୁ ବିକୃତି

ଦ୍ରୋପତୀ ରୂପେ ଜାତ ହୁଅ ତୋର ହୋଉ ପଞ୍ଚୁପତି ।୩୦୬।

ୟେତେକ ଶାପ ଦେଇ ଗଲେକ କପିଳା

ମହାଯୋଗ ଘେନି ବସିଲେ ୟେକବଳା ।୩୦୭।

ପାଟୋଳି ବସନ ପଞ୍ଚାଉନ କୋଟି ମାଡ଼ି

ମହାଲୟେ ବସିଲେ ସକଳ ଜଞ୍ଜାଳ ଛାଡ଼ି ।୩୦୮।

 

ଆଦିତ୍ୟର ସୁତ ଯେ ଅଟଇ ଶନିଶ୍ଚର

ତାହାର ଦୃଷ୍ଟି ପଡ଼ିଲେ ଯେ ଦହଇ ସଂସାର ।୩୦୯।

ଡରେଣ ତାହାକୁ କନ୍ୟା ଦିଅନ୍ତା କେହି ନାହିଂ

ଦଶ ଲକ୍ଷ ବରଷ ସେ ଅଛି ଅବିଭାଇ ହୋଇ ।୩୧୦।

ଅନଳସେନ ବୋଲିଣ ଦକ୍ଷ ବଂଶେଣ ରାଜା

କୃତ୍ତିକାବତୀ ବୋଲିଣ ତାହାର ତନୁଜା ।୩୧୧।

 

ଅନଳସେନକୁ ବୋଇଲେ ଦିନକର ଜ୍ୟୋତି

ଆମ୍ଭର ଶନିଶ୍ଚରକୁ ଦେବୁ ତୋର ଦୋହିତା କୃତ୍ତିକାବତୀ ।୩୧୨।

କରତାର ବଚନ ସେ ଭାଞ୍ଜି ନୁଆରିଲା

ଦେବି ମୋହୋର ଦୋହିତା ନିରଞ୍ଜନକୁ ସତ୍ୟ ମନାଇଲା ।୩୧୩।

ସ୍ଵାମୀ ୟେକ ବର୍ଣ୍ଣି ପାଟୋଳି ବସ୍ର ପଞ୍ଚାଉନ କୋଟି

ଦୁହିତାକୁ ଘୋଡାଉଥିବୁ ନପଡିବ ତହିଂ ଶନିଶ୍ଚର ଦୃଷ୍ଟି ।୩୧୪।

 

ସେ ବସ୍ର ତେଜେ ଶନିଶ୍ଚରଙ୍କ ଆକ୍ରଷଣ ହୋଇବାକ ଶାନ୍ତି

ଦେବଇଂ କନ୍ୟା ମୋହୋର ହୋଇଲା ସତି ସତି ।୩୧୫।

ରାଜାର ବଚନେ ଯେ ସ୍ଵାମୀ କରତାର

ଦେଖିଲେ ୟେକ ବର୍ଣ୍ଣ ପାଟୋଳି ବସ୍ର ନାହିଂ ଅନ୍ୟ ଠାବର ।୩୧୬।

ପଞ୍ଚାଉନ କୋଟି ପାଟୋଳି ବସ୍ର ମାଡ଼ି ବସିଅଛି ୟେକ ବଳା ପାର୍ବତୀ

ତାହାଙ୍କୁ ମାଗି ଆଣିବାକୁ ହୋଅନ୍ତି ଭ୍ରାନ୍ତି ।୩୧୭।

 

ଯହିଂ ତପେ ବସିଛନ୍ତି ଅନାଦି କେତୁକା

ଦିନକର ନାଥ ଯାଇ ଭେଟିଲେ ତାଙ୍କୁ ୟେକା ।୩୧୮।

ଆଦିତ୍ୟ ୟେକ ବଳା ପାର୍ବତୀଙ୍କି ବହୁତ କଲେ ତୁସ୍ତି

ବିନୟ ଦେଖି ପ୍ରସନ୍ନ ହୋଇଲା ୟେକ ବଳା ପାର୍ବତୀ ।୩୧୯।

କେବଣ ଆଧ୍ୟାନ ହୋ ମାଗ କରତାର

ବିରଞ୍ଚି ନାରାୟଣ ବୋଲନ୍ତି ଉତ୍ତର ।୩୨୦।

 

ଶନିଶ୍ଚରକୁ ବିଭା କରାଇବି ମହାମାୟେ

ତୁଯେ ସିଦ୍ଧ ଦେବୀ ମୋର ପୁତ୍ରକୁ କରିବୁ ସଦୟେ ।୩୨୧।

ୟେକ ବର୍ଣ୍ଣ ପାଟୋଳି ବସ୍ର ପଞ୍ଚାଉନ କୋଟି

ୟେତେକ ପାଇଲେ ଅନଳସେନ ଦେବ ଦୁହିତା ଗୋଟି ।୩୨୨।

ୟେକବଳା ବୋଇଲେ ଶୁଣିମା ଦେବରାଜ

ୟେ ବସ୍ରେ ନାରାୟଣ ଅଛି ବହୁତ କାର୍ଯ୍ୟ ।୩୨୩।

 

ଆଦିତ୍ୟ ବୋଇଲେ ତୋହୋର କାର୍ଯ୍ୟକାଳେ

ୟେ ବସ୍ର ଦେବୀ ତୋହୋର କଟାଳର ବେଳେ ।୩୨୪।

ଚତୁର୍ଥ ଅବତାରେ ମୁଂ ହୋଇବି ଦ୍ରୋପତୀ

ଗାୟତ୍ରୀ ଶାପ୍ୟେ ମୋର ହୋଇ ପଞ୍ଚୁପତି ।୩୨୫।

କଷଣ ପଡ଼ିବ ମୋତେ କୁରୁ ସଭାତଳେ

କଉରବେ ମୋତେ ବିବସନ କରିବେ ଯେତେବେଳେ ।୩୨୬।

 

ୟେ ମୋହୋର ସତୀପଣ ନାଶିବାର ନିମନ୍ତେ

ସେ କାଳରେ ବସ୍ର ଦେବ ମାଗିବଇଂ ତୋତେ ।୩୨୭।

ପଞ୍ଚାଉନ କୋଟିରେ କୋଟିୟେ ବସ୍ର ଲାଇଂ

ଛପନ କୋଟି ବସ୍ର ମୋତେ ଦେବୁ ତୁ ତୁଲାଇ ।୩୨୮।

କରତାର ବୋଇଲେ ହୋଇଲା ମୋହୋର ସତ୍ୟ ସତ୍ୟ

ମାଗି ପଞ୍ଚାଉନ କୋଟି ବସ୍ର ନେଲେ ଦିନକରନାଥ ।୩୨୯।

 

ଅନଳସେନ ନୃପତିକି ବସ୍ର ଦିଲେ ନେଇ

ବିଭାର କାଳେ ବସ୍ର ଘୋଡ଼ାଇଲେ କନ୍ୟାର ତହିଂ ।୩୩୦।

ଶନିଶ୍ଚରକୁ ପ୍ରଦାନ କରାଇଲେ କୃତ୍ତିକାବତୀ

ରକ୍ତବସ୍ରେ ଦୃଷ୍ଟି ଦେଇ ଶନି ହେଲେ ଶାନ୍ତି ।୩୩୧।

ବିବାହ ଉତ୍ତାରେ ମାଗିନେଲେ କରତାର

ସେ ବସ୍ର ସଂହରିଲେ ନେଇ ରଥର ଉପର ।୩୩୨।

 

ଶୁଣ ହୋ ଦ୍ରୋପଦ ବୋଲନ୍ତି ମୁନି ବ୍ୟାସେ

ଦୁଜ ଅବତାର କଥା କହିଲୁ ଅବଶେଷେ ।୩୩୩।

ତୃତୀୟ ଅବତାର ୟେ ଶଚୀ ରୂପ ଧରି

କ୍ଷେତ୍ରାଧିପତି ପୁଷ୍କର ଘରେ ଅବତରି ।୩୩୪।

ଇନ୍ଦ୍ରଦେବତାକୁ ପ୍ରଦାନ କଲା ସେ ପୁଷ୍କର ରାଜନ

ଅଛୟେ ପାଟବଂଶୀ ବସିଲା ସେ ଅମର ସ୍ଵର୍ଗ ଥାନ ।୩୩୫।

 

ଦଶ ଲକ୍ଷ ବରଷ ପରିଯନ୍ତେ ସେ ବାସବ ମନୋହାରୀ

ନିକଣ୍ଟେକ ରାଜ୍ୟ କଲା ଇନ୍ଦ୍ର ଜମ୍ଵୁ ଦତ୍ୟ ମାରି ।୩୩୬।

ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି

ଅନୁରଥ ବଂଶେଣ ବ୍ରାହ୍ମଣେକ ଉତପତ୍ତି ।୩୩୭।

ସେହି ବ୍ରାହ୍ମଣର ନାମ ଅଟଇ କେଶିରଥ

କେଶିରଥ ପୁତ୍ର ହୋଇଲା ଦାସରଥ ।୩୩୮।

 

ଦାସରଥର ପୁତ୍ର ଯେ ଅଟଇ ମନୁରଥ ନାମ

ଉଦେରଥ ବୋଲି ତାହାର ପୁତ୍ରେକ ମହାବ୍ରହ୍ମ ।୩୩୯।

ୟେହାର ନନ୍ଦନ ବିଷ୍ଣୁ ରଥ ଦ୍ଵିଜ

ଯମରଥ ବୋଲି ତାହାର ତନୁଜ ।୩୪୦।

ଯମରଥର ପୁତ୍ର ବ୍ରହ୍ମରଥ ବୋଲି

ରୁଦ୍ରରଥ ନାମ ତାହାର ପୁତ୍ରେକ କହିଲି ।୩୪୧।

 

ରୁଦ୍ରରଥର ପୁତ୍ର ତ୍ଵଷ୍ଟାରଥ ନାମ

ବେଦଶାସ୍ର ପୁରାଣେ ଜାଣି ଦୁତୀବ୍ରହ୍ମ ।୩୪୨।

ବୈଶାଖ ଶୁକଳ ଦୁତୀୟାର ଦିନ

ଅର୍କବାର ରୋହିଣୀ ନକ୍ଷତ୍ର ବିଦ୍ୟମାନ ।୩୪୩।

ସେ ଦିନ ତ୍ଵଷ୍ଟାରଥ ଅମର ସ୍ଵର୍ଗକୁ ଗଲେ

ବାସବ ଦେବତାତାଙ୍କୁ ବସିତେନ ବୋଇଲେ ।୩୪୪।

 

ଲାଜେଣ ଆସ୍ତାନରୁ ଅଇଲେ ତପଚରୀ

କୋପେଣ ଆଜ୍ଞାଦିଲେ ବୃତ୍ତ୍ରରଥଙ୍କୁ ହକାରି ।୩୪୫।

ଆରେବୃତ୍ତ୍ର ! ତୁ ଯାଇଂରୁଦ୍ରଙ୍କୁ ସେବାକର

ଈଶ୍ଵର ଦେବତାଙ୍କୁ ସେବାକରି ବସ ଅମର ସ୍ଵର୍ଗପୁର ।୩୪୬।

ତ୍ଵଷ୍ଟାର ଆଗ୍ୟାଂ ପାଇ ସେ ବୃତ୍ତ୍ର ମହାଋଷି

କପିଳାସ କନ୍ଦରକୁ ସେ ବିଜେ ବାଳ ଶିଷି ।୩୪୭।

 

ଆନ କିଛି ନଜାଣଇ ସେ ଯେ ବାଳ ସୁତ

ବାସଖିଳା ତପେ ସେ ଖଟଇ ବିଶ୍ଵନାଥ ।୩୪୮।

ସ୍ନାହାନ ଷଟକର୍ମ ନିତ୍ୟକର୍ମ ସାରି

ରାତ୍ର ବେନି ଘଡ଼ି ଥାଉଂ ଯାଇଥାୟେ ଗଡ଼ି ।୩୪୯।

ଶିବ ଶିବ ବୋଲି ସୁମରିଥାଇ ଅନୁବ୍ରତେ

ଗଡ଼ଘାଲି ଶୁୟେ ଦେଢ ପ୍ରହର ପରିଯନ୍ତେ ।୩୫୦।

 

ଚଉବିଂଶ ବରଷ ପରିଯନ୍ତେ ଘୋର ତପ କଲା

ଈଶ୍ଵର ଦେବତାଙ୍କର ଆସନ କମ୍ପିଲା ।୩୫୧।

ମେଷ ମାସ ଶୁକଳ ପକ୍ଷ ପଞ୍ଚମୀର ରାତି

ଶଉରୀ ବାର ମୃଗଶିରା ନକ୍ଷତ୍ର ପାହାନ୍ତି ।୩୫୨।

ଗଡ଼ି ଯାଉଅଛି ନିତ୍ୟକର୍ମର ବିଧାନେ

ସର୍ପବିଘାତ ହୋଇଲା କପିଳାସ ଈଶାନ୍ୟେ ।୩୫୩।

 

ମହାଗରଳ ଜ୍ଵଳା ଲାଗି ସେହୁ ବାଳ

ଶରୀର ବିସର୍ଜନ ମୁଖୁଂ ବହଇ ଗରଳ ।୩୫୪।

ବର ଦେବେ ବୋଲି ଆସୁଛନ୍ତି କାଶୀ

ଉମା ମହେଶ୍ଵର ଦେଖିଲେ ମରିଅଛି ବାଳ ଶିଷି ।୩୫୫।

ଉମା ବୋଇଲେ ସ୍ଵାମୀ ଶିବ ସେବା ୟେମନ୍ତ

ତୁମ୍ଭଙ୍କୁ ସେବାକରି ନାଶଗଲା ୟେ ବାଳୁତ ।୩୫୬।

 

ସଦାଶିବ ବୋଇଲେ ଶୁଣ ଗୋ ଗିରିଜା

ୟେ ପୁତ୍ର ଗୋଟିକି କରିବା ସ୍ଵର୍ଗପୁରେ ରାଜା ।୩୫୭।

ଈଶ୍ଵର ବୋଇଲେ ନାରଦଙ୍କୁ ହକାରି

ୟେ ପୁତ୍ର ଗୋଟି ନିଅ ତୁ ଯଶୋବନ୍ତ ପୁରୀ ।୩୫୮।

ବ୍ରହ୍ମାଙ୍କୁ ବୋଲିବୁ ଯେ ରୁଦ୍ରଙ୍କ ଭଗତା

ତୋହୋର ତହୁଂ ଭଲଠାବେ ଥୋଇବୁ ନେଇ ଧାତା ।୩୫୯।

 

ମୃତୁପିଣ୍ଡ ଗୋଟି ନେଇ ବସାଇଲେ ମନ – ପବନ ଦଣ୍ଡେ

ପୁତ୍ର ଘେନି ପ୍ରବେଶ ହୋଇଲେ ଯଶୋବନ୍ତୀ ବ୍ରହ୍ମାଣ୍ଡେ ।୩୬୦।

ବ୍ରହ୍ମାଙ୍କ ଆଗେ ସମର୍ପିଲେ ବୃତ୍ତ୍ର ମହଋଷି

ସଦାଶିବ ଆଗ୍ୟାଂ ତୋତେ ୟେହାକୁ ଭଲଠାବେ ଥୋଅସି ।୩୬୧।

ମୃତୁପିଣ୍ଡ ଗୋଟି ଘେନିଗଲେ ସୃଷ୍ଟିକରତା

ନିଜ ପ୍ରାଣ ଦେଇ ଜିଆଂଇଲେ ଦେବ ଧାତା ।୩୬୨।

 

ନାରଦଙ୍କୁ ରାଇ ସମର୍ପିଲେ ବାଳ ସୁତ

ମୋହୋର ତହୁଂ ଭଲ ଠାବେ ଅମରପୁର ସିନା ଯୁଗତ ।୩୬୩।

ବାସବ ଦେବତାର ସେ ଫିଟିଲା ଇନ୍ଦ୍ରପଦ

ବୃତ୍ତ୍ରମହଋଷିଙ୍କି ଇନ୍ଦ୍ରପଦେ ବସାଅ ନାରଦ ।୩୬୪।

ପିତାର ଆଗ୍ୟାଂରେ ଚଳନ୍ତି କଳହପ୍ରିୟା

ଇନ୍ଦ୍ରଙ୍କୁ ଜଣାଇଲା ଧାତା ବୋଇଲେ ଯାହା ।୩୬୫।

 

ଇନ୍ଦ୍ରଙ୍କୁ କହିଲେ ତୋହୋର ତହୁଂ ହାଦେ ଫିଟିଲା ଇନ୍ଦ୍ରପଦ

ବୃତ୍ତ୍ରମହଋଷି ସ୍ଵର୍ଗେ ହୋଇବାକ ଇନ୍ଦ୍ର ।୩୬୬।

ଆଗ୍ୟାଂ ପ୍ରମାଣେ ସ୍ଵର୍ଗ ଛାଡ଼ିଲେ ମଘବା

ଯାହା ସେ ସଞ୍ଚିଲେ ପିତାମହ ରୁଦ୍ର ଦେବା ।୩୬୭।

ଇନ୍ଦ୍ର ଦଣ୍ଡ ଛତ୍ର ମାନ ଛାଡ଼ିଲା ସମସ୍ତ

ଶଚୀକି ଘେନି ୟେକା ବାହାର ହୋଇଲେ ପୁରୁହୁତ ।୩୬୮।

 

ଇନ୍ଦ୍ର ଦେବତା ଯେତେବେଳେ ଶଚୀକି ଛାଡ଼ି ଅମରପୁରୁଂ ଗଲେ

ବୃତ୍ତ୍ର ମହଋଷି ଇନ୍ଦ୍ରପଦେ ବସିଲେ ।୩୬୯।

ତପେ ମନାଇଲେ ସେ ଦେବ ତ୍ରିଲୋଚନେ

ଘେନିଲେ ଇନ୍ଦ୍ରପଦ ରୁଦ୍ର ପରଶନେ ।୩୭୦।

ଦିଗପାଳେ ଚଳିଲେ ବୃତ୍ତ୍ର ମହଋଷିର ଆଗ୍ୟାଂ ବର୍ତ୍ତୀ

ଅପକ୍ଷେରାୟେ ଖଟିଲେ ବାହାନ ଅଇରାବତ ହାଥୀ ।୩୭୧।

 

ସମସ୍ତ ବ୍ରହ୍ମାଣ୍ଡେ ଭିଆଇଲା ନୀତି କ୍ରମେ

ସଚରାଚର ପାଳିଲେ ମହଋଷି ଅତି ଧର୍ମେ ।୩୭୨।

ଇନ୍ଦ୍ରଦେବତା ରାଜ୍ୟ ଭ୍ରଷ୍ଟ ହୋଇଗଲା

ପଦ୍ମବନେ ପଶି ନାରାୟଣକଇଂ ଚିନ୍ତା କଲା ।୩୭୩।

ଚଉବିଂଶ ବରଷେ ଜାଣିଲେ ଜନାର୍ଦ୍ଦନେ

ଇନ୍ଦ୍ରଦେବତାଙ୍କୁ ଭେଟିଲେ ଖଗେଶ୍ଵର ବାହାନେ ।୩୭୪।

 

ଅନେକ ବଇକୁଲ୍ୟ ହୋଇଲେ ଆଖଣ୍ଡଳେ

ଶତେ ସହସ୍ର ଦଣ୍ଡପ୍ରଳମ୍ଵ ନାରାୟଣଙ୍କ ପାଦତଳେ ।୩୭୫।

ସ୍ଵାମୀ ଜମ୍ଵୁଦତ୍ୟ ମାରି ସିଞ୍ଚିଲେ ଅମର

ଇନ୍ଦ୍ର ପଦେ ବସିଲି ମୁଂ ମନୁ ଯେ ସତର ।୩୭୬।

ଈଶ୍ଵର ବ୍ରହ୍ମାୟେ ହରିଲେ ମୋହୋର ଇନ୍ଦ୍ର ପଦ

ବୃତ୍ତ୍ରମହଋଷିକି ଦିଲେ ୟେ ମୋହୋର ପଦ ।୩୭୭।

 

ଅନାଥର ବନ୍ଧୁ ତୁ ଜଗଭୂତ ନାରାୟଣ

ତୋହୋର ପ୍ରସାଦେ ଦେବ ମୁଂ ପାଇବି କାରଣ ।୩୭୮।

ନାରାୟଣ ବୋଇଲେ ତୁ ଯାଅସି ଅମର

ବୃତ୍ର ମହଋଷିଙ୍କି ମାରି ଇନ୍ଦ୍ରପଦ ଘେନ ଯେ ତୋହୋର ।୩୭୯।

ଇନ୍ଦ୍ର ବୋଇଲା ମୋହୋର ଘେନିଲା ସମସ୍ତ

କିସ ଘେନିଣ ମୁଂ ସମର କରିବି ଶହସ୍ର ନାହିଂ

ମୋହୋର ହସ୍ତ ।୩୮୦।

 

ସେହିଠାରେ ତପ କରୁଥିଲେ ମହଋଷି ଦଧିଋଚି

ତାହାଙ୍କୁ ରାଇ ଆଗ୍ୟାଂ ଦିଲେ ଶିରୀବଚ୍ଛି ।୩୮୧।

ତୁ ପ୍ରାଣ ଛାଡ଼ ବାବୁ ବାସବର ଅର୍ଥେ

ତୋହୋର ଅସ୍ଥି ଘେନି ମାରୁ ୟେ ଋଷି ବୃତ୍ତ୍ରେ ।୩୮୨।

ୟେସନେକ ଆଗ୍ୟାଂ ଯହୁଂ ଦିଲେ ଶିରୀବତ୍ସି

ପ୍ରାଣ ବିସର୍ଜନ ହୋଇଲା ଦଧିଋଚି ମହଋଷି ।୩୮୩।

 

ଋଷିର ପିଣ୍ଡ ଯେ ଘେନିଲା ସହସ୍ରାକ୍ଷ

ତାହାକଲା ନେଇ ହାଦେ ଅଭେଦ କପଚ ।୩୮୪।

ପଞ୍ଜରା ହାଡ଼କୁ ସେ କଲାକ କୋଦଣ୍ଡ

ତହିଂକି ଗୁଣକଲା ମଝି ଶିରା ଚର୍ମଖଣ୍ଡ ।୩୮୫।

ଅଙ୍ଗୁଷ୍ଠି ମାନଙ୍କୁ ପୁଣ ନାରାଜ ଯେ କଲା

ପାଦର ଅସ୍ଥିକି ସେ ମୁଦୁଗର କଲା ।୩୮୬।

 

ଋଷିର ଚର୍ମ ଯେ ହୋଇଲା ମେଖଳି

ୟେମାନନ୍ତ ଘେନି ତହୁଂ ମଘବାନ ଚଳି ।୩୮୭।

ନାରାୟଣ ବୋଇଲେ ଯାଅ ଦେବ ଇନ୍ଦ୍ର

ବୃତ୍ତ୍ର ମହଋଷିଙ୍କି ମାରି ଘେନ ଇନ୍ଦ୍ରପଦ ।୩୮୮।

କୋପେଣ ଇନ୍ଦ୍ର ଯେ ଚଳଇ ଅତିରାଗେ

କ୍ଷଣମାତ୍ରେ ଯାଇଂ ମିଳିଲା ଅମର ସ୍ଵର୍ଗେ ।୩୮୯।

 

ବୃତ୍ତ୍ର ମହଋଷିର ସଙ୍ଗେ ଅନେକ ଯୁଦ୍ଧକଲା

ବାଳୁତ ନନ୍ଦନ ସେ ସାଂଗ୍ରାମେ ହାରିଲା ।୩୯୦।

ଋଷିଙ୍କର କପଚ ସେ ମାଇଲା ବୁଲାଇ

ଘାୟେଣ ବୃତ୍ତ୍ରଋଷି ପଡିଲା ଘୁମାଇଂ ।୩୯୧।

ଋଷିଙ୍କର ନଖ ଯେ ତୀକ୍ଷ ପ୍ରଶୁ

ୟେମନ୍ତେ ବୃତ୍ତ୍ର ମହଋଷି ହୋଇଲା ଧୂଳି ପାଂଶୁ ।୩୯୨।

 

ବୃତ୍ତ୍ର ମହଋଷିଙ୍କି ମାଇଲାକ ଇନ୍ଦ୍ର

ଆପଣେ ଇନ୍ଦ୍ରପଦେ ବସିଲା ଦେବଇନ୍ଦ୍ର ।୩୯୩।

ନିଜ ସ୍ଵର୍ଗେଣ ସେ ହୋଇଲାକ ରାଜା

ଦିଗପାଳମାନ ସମସ୍ତେ କଲେ ପାଦପୂଜା ।୩୯୪।

ତ୍ଵଷ୍ଟା ମହଋଷିଙ୍କି ଯେ କହିଲେ ନାରଦ

ତୋହୋର ପୁତ୍ରକୁ ନାଶ କଲା ଦେବ ଇନ୍ଦ୍ର ।୩୯୫।

 

ବାହୁଡ଼ାଇ ଇନ୍ଦ୍ର ପଦ ଘେନିଲା ସେ ବଳେ

ତ୍ଵଷ୍ଟାୟେ ସମସ୍ୟା ନ ଦିଲେ ଯୋଗ ଲୟେ ବେଳେ ।୩୯୬।

ରାଗେଣ ଭୂମିକି ମାଇଲେ ଧରି ବାଲି ମୁଠାୟେ

ବାଳ ଖିଳା ବାହାର ହୋଇଲେ ବେନି ଯେ ତନୟେ ।୩୯୭।

ବାଲମ୍ଵିକ ତ୍ରିଅମ୍ଵକ ଦୁଇଙ୍କର ନାମ ଦିଲେ

ଇନ୍ଦ୍ରଦେବତାଙ୍କୁ ମାର ବୋଲି ପେଷିଲେ ।୩୯୮।

 

ପିତାର ଆଗ୍ୟାଂୟେ ସେ ବେନି ଯେ ତନୟେ

ଅମର ସ୍ଵର୍ଗରେ ସେ ପଶିଲେ ନିର୍ଭୟେ ।୩୯୯।

ଚିତ୍ରସେନ ଜୟସେନ ଅଙ୍ଗାରପନ୍ନଙ୍ଗ ପ୍ରଚଣ୍ଡାବଳୀ

ଚାରି କୁମାରେ ଯାଇ ବାଳଖିଳାନ୍ତି ଓଗାଳି ।୪୦୦।

ଅନେକ ସମର କଲେକ ବିଦ୍ୟାଧରେ

ଗନ୍ଧର୍ବନ୍ତ ମାଇଲେ ସେ ଋଷିର କୁମାରେ ।୪୦୧।

 

ମୋହ ଶରେ ପକାଇ ଅଇଲେ ଖର କରି

ଖାଣ୍ଡବ ବନେ ଆସି ଭେଟିଲେ ଅମରାରି ।୪୦୨।

ଇନ୍ଦ୍ର ତୁଲେ ଅନେକ ସମର ହୋଇଲା

ବଜ୍ରଶରେ ଇନ୍ଦ୍ର ଋଷିକୁମାରନ୍ତ ମାଇଲା ।୪୦୩।

ଆପଣାର ପୁତ୍ରକୁ ଆଣି ଦିଲାକ ଅମୃତ

ଅଙ୍ଗାରପନ୍ନଙ୍ଗ ଜୟସେନ ପ୍ରଚଣ୍ଡାବଳୀ ଚିତ୍ରସେନ ପାଇଲେ ଜୀବିତ ।୪୦୪।

 

ନାରଦ ଯାଇ କହିଲେ ତ୍ଵଷ୍ଟା ମହଋଷିଙ୍କି

ଇନ୍ଦ୍ର ନାଶ କଲା ତୋର ପୁତ୍ର ଦୁହିଙ୍କି ।୪୦୫।

ଶୁଣି ତ୍ଵଷ୍ଟାୟେ ଉଠିଲେ ମହାରାଗି

କାଳାନଳ ତେଜ ଜାଣି ଆସଇ ପରମ ଯୋଗୀ ।୪୦୬।

ଇନ୍ଦ୍ରଦେବତାଙ୍କୁ ରକ୍ଷା କରିବ କେହୁ ଆଜ

ବ୍ରହ୍ମା ବିଷ୍ଣୁ ମହେଶ୍ଵର କେ ରଖନ୍ତୁ ଦେବରାଜ ।୪୦୭।

 

ମନ ପବନ ଦଣ୍ଡ ଚଢି ନାରଦେ ଧାତିକାରେ ଅଇଲେ

ଇନ୍ଦ୍ରଦେବତାଙ୍କୁ ଆସିଣ ବାରତା କହିଲେ ।୪୦୮।

ଋଷିପୁତ୍ରନ୍ତ ତୁ ଯେ କଲୁ ପ୍ରାଣେ ଭ୍ରଷ୍ଟ

ତୋହୋର ତହିଂ ଆସୁଅଛି କୋପେ ତ୍ଵଷ୍ଟ ।୪୦୯।

ମନୁଅନ୍ତ ମହାତ୍ମା ସେ କଳ୍ପେ ତପୀ

ବ୍ରହ୍ମାର ଆୟୁଷ ସରି ଯାହାର ଆୟୁଷ ବ୍ୟାପୀ ।୪୧୦।

ତାହାର କୋପ କରନ୍ତେ ଟଳଇ ହାଦେ ମେରୁ

ପଳାଇ ସମୁଦ୍ରେ ପଶ ଯା ଆଉ ୟେଥେ କିସ କରୁ ।୪୧୧।

 

ଇନ୍ଦ୍ର ବୋଇଲା ତ୍ଵଷ୍ଟା ମହଋଷିର କୋପେ

ସମୋଦ୍ର ଦହନ ହୋଇବ ତାହାର ଗରୁତାପେ ।୪୧୨।

ୟେଡ଼େକ ମହାତମା ଯେବେ କୋପ ହିଂ କରିବ

ନାରାୟଣ ଆଦି କରି କେ ମୋତେ ରଖିବ ।୪୧୩।

ପଞ୍ଚୁ ଆତ୍ମା ଶରୀରୁଂ କାଢିଲା ସୁରପତି

ଧର୍ମେଣ ଆତ୍ମାୟେ ନେଇ ଥୋଇଲାକ ଧାତି ।୪୧୪।

 

ଦୁଜ ଆତ୍ମା ନେଇ ପବନେ ଥୋଇଲା

ତିଜ ଆତ୍ମା ନେଇ ଅନ୍ତରୀଛେ କଲା ।୪୧୫।

ଚତୁର୍ଥ ଆତ୍ମା ନେଇ ଅଶ୍ଵିନୀକି ଦିଲା

ପଞ୍ଚମ ଆତ୍ମାକୁ ନେଇ କୁମାରେସମର୍ପିଲା ।୪୧୬।

ପଞ୍ଚୁଆତ୍ମା ପାଞ୍ଚଠାରେ ସୁନାଶୀର କଲା

ପାପ ଆତ୍ମା ଘେନିଣ ପୁରନ୍ଦର ବସିଲା ।୪୧୭।

ତ୍ଵଷ୍ଟାୟେ ଭେଟିଲେ ଆସି ବାସବର ଛାମୁରେ

କ୍ରୋଧଭରେ ଦେହ କମ୍ପଇ ଥରହରେ ।୪୧୮।

 

ବାସବଙ୍କୁ ଚାହିଂ ବାଲନ୍ତି ତପୋନିଷ୍ଠ

ତୁ ମୋହୋର ପୁତ୍ରକୁ ନାଶ କଲୁରେ ଦୁଷ୍ଟ ।୪୧୯।

ଶରୀର ତୋହୋର ଭସ୍ମ ହୋଉ ବୋଇଲେ ଋଷି ତ୍ଵଷ୍ଟ ।୪୨୦।

ବାସବେ ବୋଇଲେ ତୁମେ ଶୁଣିମା ମୁନିବର

ବିଚାରି କୋପ କରିବା ଦୋଷ ନାହିଂ ମୋହୋର ।୪୨୧।

କୋପାନଳେ ଚାହାନ୍ତେ ଅନଳ ଉଠିଲା

ଇନ୍ଦ୍ର ଦେବତାର ଶରୀର ଭସ୍ମ ହୋଇଗଲା ।୪୨୨।

 

ଆପଣେ ତ୍ଵଷ୍ଟାୟେ ଯେ ବସିଲେ ଇନ୍ଦ୍ର ପଦେ

ପାଳିଲେ ତ୍ରୈଲୋକ୍ୟ ସେ ପରମ ସାନନ୍ଦେ ।୪୨୩।

ବ୍ୟାସେ ବୋଇଲେ ହୋ ଶୁଣ ଦ୍ରୋପଦ ନୃପତି

ତ୍ଵଷ୍ଟାର କୋପେ ଇନ୍ଦ୍ର ହେଲା ଭସ୍ମ ଗତି ।୪୨୪।

ତାହାର ଭାରିଯା ଯେ ଅଟଇ ଦେବୀ ଶଚୀ

ଆକାଶଗଙ୍ଗା କୂଳେ ସେ ରୋଦନ କରୁଅଛି ।୪୨୫।

 

ସିଂହ ଶୁକଳ ଦ୍ଵାଦଶୀ ଚନ୍ଦ୍ର ବାର

ଉତ୍ତରାଷାଢା ନକ୍ଷତ୍ର ଭୋଗ ଅଟଇ ସେ ଦିନର ।୪୨୬।

ବୃଷଭ ବାହନେ ବିଜେ ଉମା ମହେଶ୍ଵର

ବିଜେ କରି ଆସୁଅଛନ୍ତି ଆକାଶଗଙ୍ଗା ତୀର ।୪୨୭।

ବୃଷଭ ରୁହାଇଣ ବୋଇଲେ ଶଶୀ ମୁଖୀ

ସ୍ତିରୀୟେ ରୋଦନ କରୁଛି ଅନାସ୍ତ ବଡ଼ ଦୁଖୀ ।୪୨୮।

 

ସଦାଶିବ ବୋଇଲେ ସ୍ତିରୀ ଜନ୍ମ ବଡ ବାଈ

ଅପ୍ରସନ୍ନ ଜନନ୍ତ ଗୋ ଛୁଇଂତ ନ ଯୋଗାଇ ।୪୨୯।

ଗଉରା ବୋଲନ୍ତି ଶୁଣିମା ବିଶେଶ୍ଵର

ସ୍ତିରୀ ଜନ୍ମ ଗୋଟାକୁ ଦେବ ଦୋଷ ଯେ ଅପାର ।୪୩୦।

ୟେକ ସ୍ତିରୀୟେ ରୋଦନ୍ତେ ଆରେକ ସ୍ତିରୀ ଯେ ରୁହାଇବ

ଅନ୍ୟ ଜାତି ହୋଇଲେ ଦୂରୁହୁଂ ସମାର୍ଜିବ ।୪୩୧।

 

କଳି ଦ୍ଵନ୍ଦ ହିଂସା ଯଦ୍ୟପି ସେହୁ କରିଥିବ

ରୋଦନ କାଳେ ଯାଇଂ ଅବଶ୍ୟ ରୁହାଇବ ।୪୩୨।

ୟେହା ବିଚାର ନକରନ୍ତି ଯେଉଂ ସ୍ତିରୀ ଜନେ

କାଠବେଙ୍ଗ କରି ତାହାନ୍ତ ଜନ୍ମ କରଇ ଯମେ ।୪୩୩।

ସ୍ତିରୀଜନଙ୍କୁ ଦେବ ଅଛି ୟେସନେକ ଶାସ୍ତି

ତୁମ୍ଭେ କ୍ଷଣେକ ବିଶ୍ରାମ କର ଦେବ ମୁଂ ତାହାର କ୍ରୋଧ

କରଇ ଶାନ୍ତି ।୪୩୪।

 

ୟେହେନ୍ନକ ଦୋଷକୁ ପାର୍ବତୀ ଭୟେକରି

ସୁଗ୍ୟାଂନୀ ସ୍ତିରୀମାନେ ୟେହା ପରିମାଣି ବିଚାରି ।୪୩୫।

ଈଶ୍ଵରଙ୍କୁ ବୁଝାଇ ଦେବୀ ବୃଷଭୁଂ ଓହ୍ଲାଇଲେ

ନ କାନ୍ଦ ଆୟୀ ବୋଲି ମୁଖେ ହସ୍ତ ଦିଲେ ।୪୩୬।

ସୁନ୍ଦର ସୁଲକ୍ଷଣି ସୁକୁମାର ତୋର କାୟେ

ପ୍ରତ୍ୟକ୍ଷେ ଦିଶୁଅଛି ଅମର ନାୟେକାଣୀ ପ୍ରାୟେ ।୪୩୭।

 

ମାଗ ଗୋ ମହାତ୍ମାଣୀ ମନେ ଯାହା ଇଚ୍ଛୁ

ଅବଶ୍ୟ ପ୍ରାପତ ହୋଇବ ମନେ ଯାହା ବାଞ୍ଛୁ ।୪୩୮।

ଆମ୍ଭେ ସେ ଅଟୁ ହାଦେ ଶଙ୍କର ଗିରଜା

ମନ କାମନା ସିଦ୍ଧ ହୋଉ ତୁ ନିଜ ପୁରକୁ ଯା ଯା ।୪୩୯।

ପତିଂଦେହି ପତିଂଦେହି ବୋଲି ବୋଇଲେ ପାଞ୍ଚଥର

ତୋଷେ ହରପାର୍ବତୀ ବୋଇଲେ ତୋର ହୋଉ ପଞ୍ଚୁବର ।୪୪୦।

 

ଶଚୀ ବୋଇଲେ ତୁମ୍ଭେ ହର ଯେ ପାର୍ବତୀ

ୟେକ ସ୍ତିରୀକି କେହ୍ନେ ହୋଇବ ପାଞ୍ଚ ପତି ।୪୪୧।

ଈଶ୍ଵରେ ବୋଇଲେ ମା ଗୋ ନ ଭାଳ ବିକଳ

ତ୍ଵଷ୍ଟାର କୋପେ ଦହିଜ ହୋଇଲା ଆଖଣ୍ଡଳ ।୪୪୨।

ପଞ୍ଚୁ ଆତ୍ମା ଥୋଇଲେ ଯେ ପଞ୍ଚୁ ଠାବେ କରି

ସେ ପାଞ୍ଚ ଆତ୍ମା ଯେ ମଞ୍ଚେଣ ଅବତରି ।୪୪୩।

 

ଧର୍ମେ ହାଦେ ଯେବଣ ଆତ୍ମାକୁ ଥୋଇଲା

ଧର୍ମତେଜ ଘେନି ଯୁଝେଷ୍ଠି ଉପୁଜିଲା ।୪୪୪।

ପବନେ ଥୋଇଲା ଯେବଣ ହିଂ ଆତ୍ମା

ପବନ ତେଜ ଘେନି ଉପୁଜିଲା ବୀର ଭୀମା ।୪୪୫।

ଇନ୍ଦ୍ର ଯେବଣ ଆତ୍ମା ଶୂନ୍ୟେଣ ଥୋଇ ଥିଲା

ବାସବର ତେଜ ଘେନି ସେ ଅର୍ଜୁନ ଉପୁଜିଲା ।୪୪୬।

 

ଅଶ୍ଵିନୀରେ ଥୋଇଲା ଯେବଣ ଆତ୍ମା ଗୋଟି

ଅଶ୍ଵିନୀ ତେଜ ଘେନି ନକୁଳ କୁମାର ସେଟି ।୪୪୭।

କୁମାରେଣ ଥୋଇଥିଲା ଯେବଣ ଆତ୍ମା ୟେକ

ବେନି ସତ୍ଵ ବାଜି ସେ ସହଦେବ ଧାର୍ମିକ ।୪୪୮।

ତୁ ଶଚୀ ଉପୁଜିବୁଂ ଦ୍ରୋପଦର ଯଗ୍ୟେଂ

ପଞ୍ଚୁ ପାଣ୍ଡବନ୍ତ ନେଇ ଦିଅ ତୋର ଅଙ୍ଗେ ।୪୪୯।

 

ୟେତେ ବୋଲିଣ ହର ପାର୍ବତୀ ଆଗ୍ୟାଂ ଦିଲେ ସେ ଶଚୀ ଦେବୀ ତୋର ଯାଗ ଉପୁଜିଲେ ।୪୫୦।

ବ୍ୟାସେ ବୋଇଲେ ଶୁଣ ଦ୍ରୋପଦ ନୃପତ୍ୟ

ଦୋହିତାର ଆଦି କଥା ତୋହୋର ଅଟଇ ୟେମନ୍ତ ।୪୫୧।

ୟେ ପଞ୍ଚୁ ପାଣ୍ଡବେ ୟେକା ୟେ ଦ୍ରୋପତୀ

ଭାରା ନିବାରଣେ ମଞ୍ଚରେ ଉତପତ୍ତି ।୪୫୨।

 

ୟେ ପଞ୍ଚ ମୂରତି କି ତୁ ନମଣୁ ଭିନ୍ନାଭିନ୍ନ

ୟେକ ଲୟେ କରିଣ ତୁ ପାଣ୍ଡବନ୍ତ ବର୍ଣ୍ଣ ଚିହ୍ନ ।୪୫୩।

ଶୁଣି ପରମ ସାନନ୍ଦ ଚନ୍ଦ୍ର ଧ୍ଵଜର ସୁତ

ବ୍ୟାସଙ୍କୁ ତୁସ୍ତି ସେହୁ କରଇ ବହୁତ ।୪୫୪।

ନମସ୍ତେ ଭୋ ବ୍ୟାସଦେବ ପାରେଶ୍ଵର ଶିଷି

ନାଉକା ବିମାନେ ଯାହାର ତେଜହିଂ ବିକାଶି ।୪୫୫।

ସତ୍ୟବାଦୀ ନନ୍ଦନ ତୁ ଭୂତ ଭବିଷ୍ୟ ଗ୍ୟାଂତା

ସାର୍ଥୁକ ପୁରୁଷ ତୁ ଅଦୃଷ୍ଟିକି ବକତା ।୪୫୬।

 

ଅଗ୍ୟାଂନୀକୁ ଗ୍ୟାଂନ ଦିଅନ୍ତା ଅଗତିକୁ ମୋକ୍ଷ ଗତି

ମୂର୍ଖକଇଂ ପଣ୍ଡିତପଣ ଦିଅଇ ତୋହୋର କୃତ ଶ୍ରୁତି ।୪୫୭।

ଅଣାକାର ପୁରୁଷ ତୁ ବାରିଲୁ ବର୍ଣ୍ଣ ଚିହ୍ନ

ଅଜପା ଲୟ କରି ତୁ ଠୁଳ କଲୁ ଶୂନ୍ୟ ।୪୫୮।

ହେମ ଶିଶିର ବସନ୍ତ ଗ୍ରୀଷମ ବରଷା ଶରଦ ଛଡ଼ ଋତୁ

ଧାତୁ ବାଦ ପୁରୁଷ ତୁ କଲୁ ସମସ୍ତ ହେତୁ ।୪୫୯।

 

କୋଟିୟେ ବ୍ରହ୍ମାଣ୍ଡ ଯାହାର ଉଦର ଭିତରେ

ଶତେ ପ୍ରଳୟ ବଞ୍ଚିଲୁ ତୁ ନାରାୟଣ ଗର୍ଭରେ ।୪୬୦।

ପରମାନନ୍ଦ ପୁରୁଷ ତୁ ଅଟୁ ଗ୍ରନ୍ଥକଇ କବି

ମୁହିଂକି ବର୍ଣ୍ଣନା ତୋତେ କରିତେ ପାରିବି ।୪୬୧।

ଅନର୍ଗଳା ସରସ୍ଵତୀର ତୁ ଭଣ୍ଡାର ଅଧିକାରୀ

ନ କହି ବିଙ୍ଘସିଲୁ ତୁ କଳପ କୋଟି ଚାରି ।୪୬୨।

 

କାଳ ବଞ୍ଚାଇବାକୁ ସାମରଥ ଯେବଣ ଋଷି

ବ୍ରହ୍ମାର ବ୍ରହ୍ମ ପଦକୁ ଯାର ତଲୟେ ଅଭ୍ୟାସି ।୪୬୩।

ତୋହୋର ପଦ୍ମପାଦେ ଶରଣ ମୋର ନିତ୍ୟେ

ଶୂଦ୍ରମୁନି ସାରୋଳଦାସ ବଦନ୍ତି ସୁଚିତ୍ତେ ।୪୬୪।

ଜୟ ତୁ ଭାରତୀ ଭାଷିତ ତୋର ଭାଷା

ସର୍ବଦ୍ଵନ୍ଦ ପରିତ୍ୟାଜି ମୁଂ ବଳାଇଲି ମନୀଷା ।୪୬୫।

 

ନାରାୟଣ ବଲ୍ଲଭୀ ଗୋ ଆଗ୍ୟାଂ ମୋତେ ଦେବା

ଗିରିଜା ବାକ୍ୟରେ ମୁଂ ହୋଇଲି ମାନବା ।୪୬୬।

ଇତିଶ୍ରୀ ମହାଭାରତ ଆଦିପର୍ବ ଥାପି

ସଂସାର ଜନ ହିତେ ମୁଂବ ଞ୍ଚାଇଲି ଅଦ୍ୟାପି ।୪୬୭।-୧୧୫୮୭।

 

*******

 

 

ଦ୍ରୌପଦୀ ପରିଣୟ

ବ୍ୟାସଙ୍କୁ ତୁସ୍ତି ଯହୁଂ କଲେକ ଦ୍ରୋପଦ

ନାରାୟଣ ସ୍ଵାମୀ ଶୁଣି ଚିତ୍ତେ ପରମ ସାନନ୍ଦ ।୧।

ବନ୍ଧୁବର୍ଗ କୁଟୁମ୍ଵ ପତ୍ନୀମାନନ୍ତ ଘେନି

ତତକ୍ଷଣେ ବିଜେ କଲେ ରାମ କୃଷ୍ଣ ବେନି ।୨।

ଦେଖିଣ ଦ୍ରୋପଦ ଯେ ଅନେକ ଭୟ କଲା

ଅଶକ୍ୟ ଦେଖି ଦୂରୁଂ ଦଣ୍ଡ କଲା ସୁତିଲା ।୩।

 

ସ୍ଵାମୀ ଆପଣେ କୋଳ କରି ତୋଳି ଧଇଲେ ଚକ୍ରଧର

ଅପାପୀ ପୁରୁଷ ତୁ ଆମ୍ଭର ଶଶୁର ।୪।

ୟେକା ଦ୍ରୋପତୀ ଯେ ତାରିଲା ତୋର ବଂଶ

ସୁଦୋହିତାୟେ ଜାତ କଲୁ ତୋହୋର ସମସ୍ତେ ହୋଇଲୁଂ ବଶ ।୫।

ୟେକା ଦୋହିତାୟେ ଦେଇ ଜିଣିଲୁ ତ୍ରଇଲୋକ୍ୟ

କୋଟିୟେ ପୁରୁଷର ତୋର ଦହିଜ ହୋଇଲା ପାତକ ।୬।

 

ଯେ ସେ ପଣ୍ଡିତ ଧାର୍ମିକ ସୁଗ୍ୟାଂନ

ବିଚାରି ଭିଆନ୍ତି ସେ ଶୁଭ କାର୍ଯ୍ୟମାନ ।୭।

ସୁବେଳେ ସୁପୁରୁଷ ଅତି ଭାଗ୍ୟେଣ ପାଇ

ସୁରମୋହନ ପୁରୁଷେ ତୁ ପାଇଲୁ ଜୁଆଇଂ ।୮।

ଅନେକ ପ୍ରଶଂସା କଲେ ଯହୁଂ ଦେବ କୃଷ୍ଣ

ଦ୍ରୋପଦ ବୋଇଲା ମୋହୋର ଗ୍ୟାଂନ ଭ୍ରଷ୍ଟ ।୯।

 

ମହତ ପୁରୁଷଙ୍କୁ ମୋର ପୋୟେ ବୋଇଲେ ଝିଙ୍ଘାସ

ଭୋ ସ୍ଵାମୀ ପାଣ୍ଡବେ ମୋର ଉପେକ୍ଷିବା ଦୋଷ ।୧୦।

ଅଶ୍ରୁଜଳ ହୋଇ ଦ୍ରୋପଦେ ଅନେକ ତୁସ୍ତି ବୋଲି

କ୍ଷଣେ କ୍ଷଣେ ମହାରାଜା ସୁତଇ ଗଡ଼ଘାଲି ।୧୧।

ମୁହିଂ ଅଗ୍ୟାଂନ ଦେବ ଦୋଷ ମୋହୋର ନ ଘେନିମା

ଅନେକ ଅପରାଧ ସ୍ଵାମୀ କରିବା ମୋର କ୍ଷମା ।୧୨।

 

ମୁହିଂ ଭିକ୍ଷୁକ ପ୍ରାୟେ ମଣିଥିଲି ସାଂସାରିକା ଧର୍ମେ

ଶଶୁରନ୍ତ ପଦକୁ ମୁହିଂ କିସ କ୍ଷମେ ।୧୩।

ପୁଣ ପୁଣ ଦ୍ରୋପଦ ପୁତ୍ରନ୍ତ ଘେନି ଲୋଟି

ଆପଣେ କୋଳ କରି ଧଇଲେ ଯୁଝେଷ୍ଠି ।୧୪।

ଅପାପୀ ପୁରୁଷ ତୁ ଅଟୁ ପୁଣ୍ୟମାନୀ

ପରମ ସାଧବୀ ଦୋହିତା ତୋହୋର ଯିଘ୍ନସେନୀ ।୧୫।

 

ଇହଲୋକ ପରଲୋକ ତୁ ତାରିଲୁ ସମସ୍ତ

ଅଶ୍ଵମେଧ ଯାଗ କଲୁ ତୁ ଦ୍ରୋପଦ ନୃପତ୍ୟ ।୧୬।

ଯେହେନେକ କର୍ମେଣ ଯେବେ ଉପୁଜଇ ଦୁଲଣୀ

ପୁଣ୍ୟବନ୍ତ ଧାର୍ମିକ ଦେଖି ପ୍ରଦାନ କରିବ ଜାଣି ।୧୭।

ଅହମତ ଅପଣ୍ଡିତ ଅକୁଳୀଣ ଅଜାତି

ଅବିଚାରେ ଦିଲେ ତହିଂ ଉପୁଜଇ ଅନେକ ଶାସ୍ତି ।୧୮।

 

ଓହୋ କୁଳ ନାଶ ଯାଇଂ କଳଙ୍କ ଦୋଷ ଥିଲେ

ବଡ଼ାଇ ଦୁରାପଦ ନବିଚାରି କାର୍ଯ୍ୟ କଲେ ।୧୯।

କଳଙ୍କ କଳିଯୁଗ ୟେ ଅନୀତି ଅପାର

ପଣ୍ଡିତ ଜନମାନେ ୟେହା ବିଚାରି କାର୍ଯ୍ୟ କର ।୨୦।

ପରିମାଣି ବୁଝିଲେ ସମସ୍ତ ପୁଣ୍ୟ ବାଟ

ଅବିଚାରେ କାର୍ଯ୍ୟ କଲେ ସକଳ ଧର୍ମ ନଷ୍ଟ ।୨୧।

 

ତୀର୍ଥେ ଚିତ୍ରଲେଖନ କଲେ ଉତିଷ୍ଠ ମାଠିଆ

ଦେବତା ପ୍ରାୟେ ଆରାଧନା କରି ତାହା ।୨୨।

ନବତନ ଘଟ ଯେ କୁମାର୍ଗେ ପଡ଼ଇ

ଅନୀତି ଯାବେ ପଡ଼ିଲେ କେହିଂ ନ ଛୁଅଇଂ ।୨୩।

ଯୁଝେଷ୍ଠି ବୋଇଲେ ଆମ୍ଭେ ନଥିଲୁ ଆରମ୍ଭେ

ଗୋପ୍ୟାନ ସରୂପ ଚିହ୍ନି ନୁଆଇଲ ତୁମ୍ଭେ ।୨୪।

 

ଧାର୍ମିକ କଥା କହି ଯୁଝେଷ୍ଠି ସମାର୍ଜି

ଛାଡ଼ିଲା ଭୟ ମାନ ଭଗତି ଭାବେ ଭଜି ।୨୫।

କଳଙ୍କ ଛାଡ଼ି ଯେତେବେଳେ ନିକଳଙ୍କ ହୋଇଲା

ଅଦୃଶ୍ୟମାନ ଯେ ସବୁ ଦୃଶ୍ୟ ହୋଇଲା ।୨୬।

ନାରଖାର ଦିଶୁଥିଲା ଯେବଣ କୁରାଳଶାଳ

ଦ୍ରୋପତ ଦେଖିଲା ୟେବେ ବାରସ୍ଵତୀ ମଣ୍ଡଳ ।୨୭।

 

ଶୂନ୍ୟେଣ ଅଇଲେ ଯେ ଦିଗପାଳମାନେ

ଅଇରାବ୍ରତ ଆରୋହି ବିଜୟେ ମଘବାନେ ।୨୮।

ଯେହା ଶୁଣି ଅଗସ୍ତିଙ୍କି ବଇବସୁତ ମନୁ ବୋଇଲେ

ଇନ୍ଦ୍ରଦେବତାଙ୍କୁ ତ୍ଵଷ୍ଟା ମହଋଷି ନାଶ କଲେ ।୨୯।

ୟେବେ କେ ଟି ଇନ୍ଦ୍ର ହୋଇଲା ଅଗସ୍ତିୟେ

ବିଚାରି ଲାଗିଲା ମୋତେ ବଡ଼ାଇ ସନ୍ଦେହେ ।୩୦।

 

ବଦୟନ୍ତି ଅଗସ୍ତିୟେ କୁମ୍ଭଋଷିର ବାଳ

ଶୁଣ ସାବଧାନେ ବିଲଙ୍କ ଦେଶର ଆଖଣ୍ଡଳ ।୩୧।

ରାଗେଣ ତ୍ଵଷ୍ଟାୟେ ଯେ ନାଶକଲେ ଅସ୍କନ୍ଦ

ଅମର ଭୁବନେ ସେ ବସିଲେ ଇନ୍ଦ୍ରପଦ ।୩୨।

ତପୋଧନ ଲୋକ କି ଜାଣଇ ଭିଆଣ

ଅନିର୍ଯାପ ହୋଇଲା ସମସ୍ତ ଅଧାରଣ ।୩୩।

 

ଅମର ବିଳାସୁଣୀ ଚଉଷଠି କୋଟି

ନାୟେକ ନ ପାଇଣ ସେ ସରସେ ନ ଖଟି ।୩୪।

ନିତ୍ୟକର୍ମ ସାରନ୍ତେ ମୁନିଙ୍କର ଅସ୍ତ ହୋୟେ ବେଳ

ଯେ ଯାହାର ଠାବେ ଥାନ୍ତି ନ ଚଳନ୍ତି ଦିଗପାଳ ।୩୫।

ୟେକ ଦିନେ ପିତାମହ ବିଜୟେ ଅମର

ତ୍ଵଷ୍ଟାୟେ ପିଛା କଲେ ପିତାର ଆଗରେ ।୩୬।

 

ରାଗେଣ ସ୍ଵର୍ଗ ଆମ୍ଭେ ଘେନିଲୁଂ ପୁତ୍ର ଛଳେ

ଅମ୍ଭଙ୍କୁ ୟେ ନ ଯୋଗାଇଂ ଆମ୍ଭେ ଥିବୁ ତପବଳେ ।୩୭।

ତୁ ଦେବ ଜଗତ ପିତାମହ ଧାତା

ଅମରକୁ ଆନ ଜଣେ ଭିଆଅ ସୃଷ୍ଟିର କରତା ।୩୮।

ଦହନ ହୋଇଲା ଇନ୍ଦ୍ର ଯେବଣ ଠାବରେ

ସେ ପାଉଂଶ ଘେନିଲେ ବ୍ରହ୍ମା ନିଜ କରେ ।୩୯।

 

କମଣ୍ଡଳୁଂ ଜଳ ସିଞ୍ଚି ତାହା କଲେ ଲୋଚି

ଶରୀର ସରୂପ କରି ପିତୁଳାୟେ ରଞ୍ଚି ।୪୦।

ଅମୃତ ଦୃଷ୍ଟି କରି ଚାହିଂଲେ ଜୀବନ୍ୟାସ ମନ୍ତ୍ରେ

କରତାର ବଚନେ ପୁରୁଷେ ହୋଇଲେ ସମ୍ଭୂତେ ।୪୧।

ସରୂପେଣ ଇନ୍ଦ୍ର ପୁରୁଷ ସମ୍ପାଦି

ଅମର ସ୍ଵର୍ଗ ପଦ ଦିଲେ ଅମରାଧି ।୪୨।

ତୁ ଯାହା ବଇବସୁତ ମନୁ

ସେହି ଅସ୍କନ୍ଦ ପୁରୁଷ ହୋଇଲା ପିତାମହ ଗ୍ୟାନୁଂ ।୪୩।

 

ଆକାଶ ଛାଡ଼ିଲେ ତ୍ଵଷ୍ଟା ମହଋଷି

ଆକାଶଗଙ୍ଗା କୂଳେ ପୁଣିହିଂ ତପେ ବସି ।୪୪।

ଦିଗପାଳମାନଙ୍କୁ ଯହୁଂ ଦେଖିଲା ଦ୍ରୋପତ୍ୟ

ଅନେକ ସାନନ୍ଦେ ରାଜା ହୋଇଲା କୃତ କୃତ୍ୟ ।୪୫।

ଦିଗପାଳମାନେ ଯହୁଂ ବିଜେ କଲେ କୁରାଳଶାଳେ

ଆକାଶ ସଭା ଛାଡ଼ି ବିଜୟେ ଆଖଣ୍ଡଳେ ।୪୬।

ବିଭା ଯୋଗାଡ଼ ଘେନି ଦ୍ରୋପଦେଶ୍ଵର ରାଜା

ଯୁଝେଷ୍ଠିଙ୍କ ପଦ୍ମପାଦେ କଲେ ପାଦ ପୂଜା ।୪୭।

 

ଦେବତାନ୍ତ ଆଦିକରି ବ୍ରହ୍ମା ବରଣ କଲା

ବିଘ୍ନରାଜ ମନ୍ତ୍ରେ ଶୂନ୍ୟ ପୁରୁଷନ୍ତ ତୋଷିଲା ।୪୮।

ଋଷିମାନନ୍ତ ସେ ସବୁନ୍ତି କଲା ପୂଜା

ଅଷ୍ଟକୁଳାନାଗନ୍ତ ସବୁନ୍ତି ବରଣ କଲା ରାଜା ।୪୯।

ପ୍ରଥମ ଦିବସ ସେ ବିଭାର ଯୋଗୋଡ଼ କରି

ବିତକ୍ଷଣ ବ୍ରାହ୍ମଣେ ସେ ଅନ୍ନ ସୂପକାରୀ ।୫୦।

 

ଋଷିମାନନ୍ତ ସେ ଦିଲେ ଗଣ୍ଡା ମାୟେଂସ ଭୋଜି

କନ୍ଦମୂଳ ଦାରାକ୍ଷ ଯେ ଯାହା ପାରେ ଭୁଞ୍ଜି ।୫୧।

ଅମିୟ ରସ ଭୋଜନ ରାମ କୃଷ୍ଣ ଭାଇ ବେନି

ଭୁଞ୍ଜନ୍ତି ଯଦୁବଂଶ ଭୋଜବଂଶ ଦ୍ଵାରକା ସଇନି ।୫୨।

ଅଷ୍ଟାଦଶ ବଂଶ ନାୟେକା ଘେନଇ ଅଚ୍ୟୁତ

କରନ୍ତି କ୍ରୀଡ଼ା ରଙ୍ଗ ଦେବ ଯେ ଅନନ୍ତ ।୫୩।

 

ନିକଟ ରାଜାମାନେ ଦ୍ରୋପଦର ବନ୍ଧୁଗଣ

ସେ ରାଜାମାନନ୍ତ ଦ୍ରୋପଦ କଲା ନିମନ୍ତ୍ରଣ ।୫୪।

ବାରତା ପାଇଣ ସେ ସମସ୍ତ ନୃପତି

ଅନେକ ଦଣ୍ଡରାୟେ ପଲାଣି ଆସନ୍ତି ।୫୫।

କୁମ୍ଭମାସ କୃଷ୍ଣପକ୍ଷ ତୃତୀୟା ଅନ୍ତରେ ଚଉଠି

ବୃହସ୍ପତି ବାର ଉତ୍ତରାଫାଲଗୁନି ନକ୍ଷତ୍ର ହେଟି ।୫୬।

 

ବସନ୍ତ ଋତୁ ମଧ୍ୟେ ବୃହସ୍ପତିଙ୍କର ବେଳ

ବିଭାକୁ ଧଇଲେ ତହିଂ ଶୁଭ ଅନକୂଳ ।୫୭।

କର୍କଟ ଲଗ୍ନରେ ଯେ ପାପ ଗ୍ରହ ଭେଦ ନାହିଂ

ବାଳବ ନାମେ କରଣ ଉତ୍ତାରେ କୌଲବ ଭୋଗ ତହିଂ ।୫୮।

ତାର ଚନ୍ଦ୍ର ଉତ୍ତମ ଯେ ଶୁଭ ନାମେ ଯୋଗ

ମକର ସଂକ୍ରାନ୍ତିଠାରୁ ତିନି ଦିନ ଭୋଗ ।୫୯।

 

ତୃତୀୟରେ ଚନ୍ଦ୍ରଯେ ଦଶମେ ବୃହସ୍ପତି

ସପତମେ ଆଦିତ୍ୟ ମଙ୍ଗଳ ପଞ୍ଚମେ ଥିତି ।୬୦।

ନବମେ ଶନିଚର ୟେକାଦଶେ ଭୋଗ ରାହୁ

ପାପ ଗ୍ରହ ନାହିଂ ବୋଲି ଅନକୂଳ କଲେ ତହୁଂ ।୬୧।

ଯୁଝେଷ୍ଠି ଦେବଙ୍କର ଅଟଇ ଦ୍ଵିଜା ମେକ୍ଷ

ଭୀମସେନଦେବଙ୍କର ଅଟଇ ରୋହିଣୀ ବୃଷ ।୬୨।

 

ଅର୍ଜୁନଦେବଙ୍କର କନ୍ୟ ଉତ୍ତରା ଫାଲଗୁନି

ସ୍ଵାତୀ ତୁଳ ରାଶି ନକୁଳ କୁମାର ଘେନି ।୬୩।

ସହଦେବଙ୍କର ଶତଭିଷା କୁମ୍ଭ ରାଶି

ଜନ୍ମକର୍ମ ଆଦି ବୁଝିଣ ବିନ୍ୟାସି ।୬୪।

ମଙ୍ଗଳ ବିଧିମାନ କରନ୍ତି ପୁରୋହିତେ

କୁଙ୍କୁମ ଲେପନ କରାନ୍ତି ସବୁଙ୍କରି ଗାତ୍ରେ ।୬୫।

 

ୟେକ ଆରକେ ହାସ୍ୟ ପରିହାସ୍ୟ

ଉଚ୍ଛବ ମଙ୍ଗଳ ଯେ ଉପୁଜଇ ବଡ଼ାଇ ହରଷ ।୬୬।

ଯେ ବିଧି କୁତୋହୋଳ ଅପ୍ରମିତ ମଙ୍ଗଳ

ଦେବ ମାନୁଷ୍ୟେ ହୋଇଲେ ସର୍ବେ ମେଳ ।୬୭।

ଗଙ୍ଗାଜଳେ ପଶିଣ ପଖାଳନ୍ତି କାୟେ

ନଦୀଯାକ ଦିଶିଲା ଯେ କୁଙ୍କୁମ ବର୍ଣ୍ଣ ପ୍ରାୟେ ।୬୮।

 

ୟେସନେକ ଉଚ୍ଛବ ଦ୍ରୋପତର ପୁରୀ

ଦେବତା ସେମାନେ ଦିଶନ୍ତି ନରନାରୀ ।୬୯।

ବହୁତ ଜନ ମିଳି ଗୀତ ରସ ଗାଇ

ଦେବୀ ଦେବନ୍ତ ଗନ୍ଧ ପୁଷ୍ୟ ଭୂଷଣ କରାଇ ।୭୦।

ବରକନ୍ୟାକୁ କରାନ୍ତି ବେଶ ଯେ ବେଶନ

ଦ୍ରୋପତୀଙ୍କି ପଚାରନ୍ତି ବ୍ୟାସ ମହାମୁନ୍ୟ ।୭୧।

 

ଆଈ ପାଣ୍ଡବେ ଯେ ଅଛନ୍ତି ପାଞ୍ଚ ମୂରତି

ୟେ ପାଞ୍ଚଙ୍କର ମଧ୍ୟେ କାହାକୁ ବଳଇ ତୋ ମତି ।୭୨।

ବ୍ୟାସଙ୍କର ବଚନେ ବୋଳଇ ଯଘ୍ନିସେନୀ

ୟେ ମୋହୋର ବଚନ ଶୁଣିମା ମହାମୁନି ।୭୩।

ତୁମ୍ଭେ ବ୍ରହ୍ମବେତ୍ତା ଗୁରୁ ପରମଗୁରୁ

ତୁମ୍ଭର ଛାମୁରେ କେ ମିଥ୍ୟା କହିତେ ପାରୁ ।୭୪।

 

ପ୍ରତକ୍ଷେ ବିଜୟେ କରିଛନ୍ତି ପିଅର ମାୟେ

ପାଞ୍ଚେହେଂ ଦିଶନ୍ତି ମୋତେ ୟେକା ଇନ୍ଦ୍ର ପ୍ରାୟେ ।୭୫।

ବ୍ୟାସେ ବୋଇଲେ ହୋ ଦ୍ରୋପଦ ଶୁଣିଲ ଟି କି ପ୍ରତ୍ୟଚ୍ଛ

ଆମ୍ଭର ବଚନ ତୁ ଯେ କରିଥିଲୁ ମିଛ ।୭୬।

ଦ୍ରୋପଦ ବୋଇଲା ତୁମ୍ଭେ ପ୍ରତକ୍ଷେ ବ୍ରହ୍ମବେତ୍ତା

କେ ନିନ୍ଦା କରିବ ତୁମ୍ଭର ଦିବ୍ୟ କଥା ।୭୭।

 

ବ୍ୟାସଙ୍କର କୋଳେ ବସିଲେ ପାଣ୍ଡବେ ପାଞ୍ଚ ଭ୍ରାଥେ

ମହାବାକ୍ୟ କରନ୍ତି ଧୌମ୍ୟ ପୁରୋହିତେ ।୭୮।

ଦେଶ କାଳ ବାକ୍ୟ କରନ୍ତି ପଠନ

ଦେବ ଦେବତାମାନନ୍ତ କରନ୍ତି ନିମନ୍ତ୍ରଣ ।୭୯।

ଶ୍ରୀରାମ ମୁଦ୍ରା ଶିଳା ସ୍ନାହାନର ପାଣି

ପାଣ୍ଡବେ ଦ୍ରୋପତୀ ଶିରେ ନିଉଡ଼ନ୍ତି ଆଣି ।୮୦।

 

ଦେବ ପୂଜା ବ୍ରହ୍ମାବରଣ ଦଇବତ

ଶୀତଳ ଦ୍ରବ୍ୟ ଦିଲେ ଅଷ୍ଟକୁଳା ନାଗନ୍ତ ।୮୧।

ଶଙ୍ଖପଦ୍ମ ମହାପଦ୍ମ କର୍କୋଟକ କୁଳିକ

ବାସୁକୀ ତକ୍ଷକ ଯେ ଅଟେ ଅନନ୍ତକ ।୮୨।

ସଗୋତ୍ର ବାକ୍ୟେଣ ସିଉକାର ସାରି

ସର୍ବେ ଆନନ୍ଦେ ବେଦ ଧୁନି କରି ।୮୩।

 

ଆଷାଢ଼ ସାମ ବାକ୍ୟେ ଦୃଢ଼ ବନ୍ଧନ ସୁତା

କୁଙ୍କୁମ ବର୍ଣ୍ଣ କରି କାନ୍ଧରେ ଭରିଲେ ପଇତା ।୮୪।

ଦୁର୍ବାଙ୍କୁର ଭରି ବଦରି ପତ୍ର ଫାନ୍ଦି

ବରକନ୍ୟାଙ୍କର ଭୁଜରେ ନେଇ ବାନ୍ଧି ।୮୫।

ଗ୍ରହ ପୂଜା କଲେ ଗ୍ରହ ଶାନ୍ତି ମନ୍ତ୍ରେ

ଆଦିତ୍ୟ ସୋମ ମଙ୍ଗଳ ବୁଧ ବୃହସ୍ପତ୍ୟେ ।୮୬।

 

ଶୁକ୍ର ଶନିଶ୍ଚର ଯେ ରାହୁ କେତୁ ସହିତେ

ଆଦିତ୍ୟ କାଶ୍ୟପ ଗୋତ୍ରେ ସୋମ ଆତ୍ରେୟ ଗୋତ୍ରେ ।୮୭।

ମଙ୍ଗଳ ଭାରଦ୍ଵାଦଶ ଗୋତ୍ରେ

ବୁଧ ଆତ୍ରେୟସ ଗୋତ୍ରେ ।୮୮।

ବୃହସ୍ପତି ଆଙ୍ଗିରସ ଗୋତ୍ରେ

ଶୁକ୍ର ଭାର୍ଗବସ ଗୋତ୍ରେ ।୮୯।

 

ଶନିଶ୍ଚର କାଶ୍ୟପସ ଗୋତ୍ରେ

ରାହୁ ପୈଠିନସୀ କେତୁ ଜୈମିନି ଗୋତ୍ରେ ।୯୦।

ବ୍ରହ୍ମ ଦେବତାଙ୍କର ଜଳ ଉଦେକ ଗୋତ୍ରେ

ବରୁଣ ଦେବତାର କୁଣ୍ଡଳୀଶ ଗୋତ୍ରେ ।୯୧।

ଅଷ୍ଟକୁଳାନାଗ ଯେ ଜଟାୟୁସ ଗୋତ୍ରେ

ଅଗ୍ନିଦେବତାଙ୍କ ଦଧୀଚି ଗୋତ୍ରେ ।୯୨।

 

ଗ୍ରାମଦେବତାର ବିମଳସ ଗୋତ୍ରେ

ଶାୟେନ୍ତନୁ ସୋମପାଳ ଗୋତ୍ରେ ।୯୩।

ପାଣ୍ଡୁଦେବସ୍ୟ ଚନ୍ଦ୍ରମସ ଗୋତ୍ରେ

ବିଚିତ୍ର ଦେବଇଂ ସୋମ ପାଳ ଗୋତ୍ରେ ।୯୪।

ପାଣ୍ଡୁଦେବ ସମର୍ପଣେ ପୁତ୍ରାୟ ।୯୫।

ଚନ୍ଦ୍ରଧ୍ଵଜ ଦେବସ୍ୟ ପ୍ରପୌତ୍ରୀ ପୃଷତ ଦେବସ୍ୟ ପୌତ୍ରୀ

ଦ୍ରୁପଦେଶ୍ଵରସ୍ୟ ପୁତ୍ରୀ ।୯୬।

 

ଧୌମ୍ୟ ପ୍ରୋହିତେ ମନ୍ତ୍ର ଉଚ୍ଚାରି ଆପଣେ

ବ୍ୟାସ ମହାମୁନି ଯେ ଆଚାର୍ଯ୍ୟ ବରଣେ ।୯୭।

ତାର ବାର ଚନ୍ଦ୍ର ଯୋଗ କରଣ ମୁହୂର୍ତ୍ତକାଂଶକେଷୁ

ଯଦୁର୍ବେଦୀୟ ବ୍ରାହ୍ମଣ ବ୍ରହ୍ମାବରଣ ପାଦେଷୁ ।୯୮।

ବିଭାମଙ୍ଗଳ କଲେ ଓହୋ କୁଳ ଗୋତ୍ରେ

ପାଞ୍ଚଜନ୍ୟ ଶଙ୍ଖ ଧ୍ଵନି ଶବଦ କରନ୍ତି ଆପଣେ ଜଗନ୍ନାଥେ ।୯୯।

 

ଅଗ୍ରେ ନୃତ୍ୟେ ଆରମ୍ଭେ ଖଟନ୍ତି ଚଞ୍ଚଳା

ହୁଳୁହୁଳି ଶବଦେ ମଙ୍ଗଳ ଗୀତ ଗାବନ୍ତି ଅବଳା ।୧୦୦।

ବ୍ରାହ୍ମଣମାନେ ଯେ କରନ୍ତି ବେଦଧୁନି

ହୁଳହୁଳି ଶବଦ କରନ୍ତି କାମିନୀ ।୧୦୧।

ମାହେନ୍ଦ୍ର ଯୋଗ ଘେନି ଶୁଭ ଲଗ୍ନ ବେଳା

ସତ୍ୟ ବାକ୍ୟ କରନ୍ତି ଅଭିନବ ବାଳା ।୧୦୨।

 

ବରକନ୍ୟାଙ୍କର କର ଧରି ଧୌମ୍ୟ ପ୍ରୋହିତେ

ୟେକ ଯୋଗ କରାବନ୍ତି ବେନି କର ପତ୍ରେ ।୧୦୩।

ଦ୍ରୋପତୀ ଦେବୀଙ୍କର ଜ୍ୟେଷ୍ଠ ଯେ ଅଙ୍ଗୁଷ୍ଠି

ଶ୍ରୀହସ୍ତେ କୁଶ ଯୋଗ ଧର୍ମରାୟେ ଯୁଝେଷ୍ଠି ।୧୦୪।

ଦ୍ରୋପତୀ ଦେବୀଙ୍କର ତର୍ଜନୀ ଅଙ୍ଗୁଳି

ଶ୍ରୀହସ୍ତେ କୁଶ ଯୋଗ ଭୀମ ମହାବଳୀ ।୧୦୫।

 

ଦ୍ରୋପତୀ ଦେବୀଙ୍କର ମଧ୍ୟମା ଅଙ୍ଗୁଳି ଯେ ଟି

ଶ୍ରୀହସ୍ତେ କୁଶ ଯୋଗ କଲେକ କିରୀଟୀ ।୧୦୬।

ଦ୍ରୋପତୀ ଦେବୀଙ୍କର ଅନାମିକା ଅଙ୍ଗୁଳି

ଶ୍ରୀହସ୍ତେ କୁଶ ଯୋଗ ନକୁଳ ମହାବଳୀ ।୧୦୭।

ଦ୍ରୋପତୀ ଦେବୀଙ୍କର କନିଷ୍ଠ ଅଙ୍ଗୁଳି ଯେ ଟି

ଶ୍ରୀହସ୍ତେ କୁଶ ଯୋଗ ସହଦେବକର ଗୋଟି ।୧୦୮।

 

ଦ୍ରୋପତୀ ଦେବୀଙ୍କର ପଞ୍ଚଅଙ୍ଗୁଳିରେ ପଞ୍ଚୁ ପାଣ୍ଡବଙ୍କର ହାଥ

ଶ୍ରୀହସ୍ତେ କୁଶ ଯୋଗକଲେ ଧୌମ୍ୟ ପୁରୋହିତ ।୧୦୯।

ଜୟ ଜୟ ଶବଦ କଲେ ସର୍ବମୁନି

ଆପଣେ ଜଗନ୍ନାଥ କଲେ ଶଙ୍ଖଧୁନି ।୧୧୦।

ବ୍ରହ୍ମାଣ୍ଡ ଉଛୁଳିଲା ଶଙ୍ଖଧୁନି ବାଣୀ

ଆକାଶୁଂ ପୁଷ୍ୟ ବୃଷ୍ଟି କଲେ ବଜ୍ରପାଣି ।୧୧୧।

 

ଆକାଶେ ଶୁଭିଲା ଯହୁଂ ପାଣ୍ଡବଙ୍କର ବିଭା

ଦେବସ୍ତିରୀୟେ ବୋଇଲେ ଦେଖିତେ ଚାଲ ଯିବା ।୧୧୨।

ସର୍ବ ଅଳଙ୍କାରେ ହୋଇ ଅନେକ ବେଶ ଯେ ବେଶନେ

ଦେବ ସ୍ତିରୀୟେ ଦେଖନ୍ତି ରହି ଅନ୍ତର୍ଦ୍ଧାନେ ।୧୧୩।

ସ୍ଵର୍ଗେ ଥାଇଣ ଯେ ସମସ୍ତ ସାଧବୀ

ହୁଳହୁଳି ଧୁନି ଯେ କଲେ ସର୍ବଦେବୀ ।୧୧୪।

 

ସାଧୁ ସାଧୁ ଧୁନି ଯେ କଲେ ଦେବ ସ୍ତିରୀ

ଶୂନ୍ୟ ଭୁବନେ ଥାଇ ମଙ୍ଗଳ ସିଉକାରୀ ।୧୧୫।

ବ୍ରହ୍ମାଙ୍କର ଭାରିଯା ଦେବୀ ଯେ ସାବିତ୍ରୀ

ରୁଦ୍ର ଦେବତାଙ୍କର ଭାରିଯା ପାର୍ବତୀ ।୧୧୬।

 

ବାସବ ଦେବତାଙ୍କର ଭାରିଯା ଯେ ଶଚୀ ମହାସତୀ

କୁବେରଙ୍କ ଭାରିଯା ଯେ ଅପର୍ଣ୍ଣା ହାରାବତୀ ।୧୧୭।

ଚନ୍ଦ୍ରଙ୍କର ଭାରିଯା ଯେ ଅଟଇରୋହିଣୀ

ବୃହସ୍ପତିଙ୍କର ଭାରିଯା ତାରା ମହାରାଣୀ ।୧୧୮।

ଆଦିତ୍ୟଙ୍କର ଭାରିଯା ସାଂଗ୍ୟା ଛାୟା ବେନି ରାଣୀ

ସିଦ୍ଧ ଅପର୍ଣ୍ଣା ସେ ଅଟନ୍ତି ସାଧବୀ ମହାତ୍ମାଣୀ ।୧୧୯।

 

ବଶ୍ୟାନରଙ୍କ ଭାରିଯା ଅଟନ୍ତି ସ୍ଵାହା ସ୍ଵଧା

ଆଗମ ପୁରୁଷଙ୍କ ଭାର୍ଯ୍ୟା ମେଧା ଯେ ସୁମେଧା ।୧୨୦।

ଯମଦେବତାଙ୍କ ଭାରିଯା କାଳୀ ଯେ କରାଳୀ

ମେଘଙ୍କର ଭାରିଯା କୁଣ୍ଡଳୀ ଆର୍ଦ୍ରାବଳୀ ତାରାଳୀ ବିଜୁଳୀ ।୧୨୧।

ବରୁଣ ଦେବତାଙ୍କ ଭାରିଯା ନୀରବତୀ ରାଣୀ

ବସୁଧା ବସୁମତୀ ୟେ ତିନି ଭୟେଣୀ ।୧୨୨।

 

ୟେମାନେ ଦକ୍ଷର ନନ୍ଦିନୀ ଯେ ଚଉଷଠୀ

ପ୍ରଳୟ ଶରୀର ୟେହାଙ୍କର ଆଷ୍ୟ କୋଟି କୋଟି ।୧୨୩।

ୟେମାନେ କରନ୍ତି ସମସ୍ତେ ସାଧୁ ସାଧୁ ବାଞ୍ଛା

ଭାରା ନିବାରିଣୀ ଗୋ ସ୍ଵର୍ଗ ମଞ୍ଚ କର ରକ୍ଷା ।୧୨୪।

ଆକାଶେ ମଙ୍ଗଳ ଧୁନି କଲେ ଅପର୍ଣ୍ଣା ବୃନ୍ଦମାନେ

ହୁଳୁହୁଳି ଶବଦ ଶୁଭିଲା ସ୍ଵର୍ଗ ଯେ ଭୁବନେ ।୧୨୫।

 

ମଞ୍ଚଜନମାନେ ସମସ୍ତେ ଶୁଣିଲେ

ସାଧୁ ସାଧୁ ଦ୍ରୋପତ ବୋଲିଣ ସମସ୍ତେ ବୋଇଲେ ।୧୨୬।

ସ୍ଵର୍ଗ ମଞ୍ଚ ପାତାଳେ ୟେ ତିନି ଭୁବନ

ଅନେକ ମଙ୍ଗଳ ଧୁନି ସାଧୁ ସାଧୁ ବଚନ ।୧୨୭।

ଡାହାଣାବ୍ରତେକ ଶଙ୍ଖେ ଜଳ ତିଳ ଲାଇ

ଧୌମ୍ୟ ପୁରୋହିତେ ଦିଲେ ଦ୍ରୋପଦ ହାଥେ ନେଇ ।୧୨୮।

 

ଦୁହିତା ପ୍ରଦାନ ଯେ କଲୁପାଣ୍ଡବଙ୍କୁ

ଯଉତୁକ ଦିଅ ରାଜା ଯଥା ବିଧାନକୁ ।୧୨୯।

ଯୁଝେଷ୍ଠି ଦେବ ସମର୍ପଣେ ଭୀମସେନ ଦେବ ସମର୍ପଣେ

ଅର୍ଜୁନ ନକୁଳ ସହଦେବ ସମର୍ପଣେ ମହାମନ୍ତ୍ର ଧୁନି ଉଚ୍ଚାରନ୍ତି ବ୍ରାହ୍ମଣେ ।୧୩୦।

ଶ୍ରୀହସ୍ତେ ଶଙ୍ଖେ ଯେ ଘେନିଲେ ଦ୍ରୋପଦେଶ୍ଵର ନୃପତ୍ୟେ

ପାଞ୍ଚ ଲକ୍ଷ ଧେନୁ ଦିଲା ବତ୍ସାନ୍ତ ସହିତେ ।୧୩୧।

 

ଶ୍ରୀହସ୍ତେ ପାଣି ଦେଇ ପଞ୍ଚାଳ ରାଜ୍ୟେଶ୍ଵର

ଅଷ୍ଟରତ୍ନ ପାଣି ଦ୍ରବ୍ୟ ଦିଲା ପଞ୍ଚୁ ଯେ ଭଣ୍ଡାର ।୧୩୨।

ଶ୍ରୀହସ୍ତେ ଶଙ୍ଖ ଘେନି ଦ୍ରୋପଦେଶ୍ଵର ତୋଷି

ପାଣି ଛାଡ଼ି ଦିଲା ପାଞ୍ଚ ଲକ୍ଷ ଦାସୀ ।୧୩୩।

ଶ୍ରୀହସ୍ତେ ଜଳ ଘେନିଣ ଦ୍ରୋପତ ନରନାଥ

ଯୋଦ୍ଧା ଆଦି କରି ଦିଲା ପାଞ୍ଚ ଲକ୍ଷ ରଥ ।୧୩୪।

 

ଶ୍ରୀହସ୍ତେ ଶଙ୍ଖ ଘେନି ଦ୍ରୋପଦେଶ୍ଵର ନୃପତି

ନିଘୋଡ଼ ମଣ୍ଡଣୀ କରିଦିଲା ମର୍ଭୁତେକ ମୟେମତ୍ତ ହାଥୀ ।୧୩୫।

ଶ୍ରୀହସ୍ତେ ଛାଡ଼ି ଦ୍ରୋପଦେଶ୍ଵର ରାୟେ

ଚୋଖାର ତୁରଙ୍ଗମ ଦିଲା ଦଶ ଲକ୍ଷ ହୟେ ।୧୩୬।

ଶ୍ରୀହସ୍ତେ ପାଣି ଘେନି ଦ୍ରୋପଦେଶ୍ଵର ସ୍ଵାମୀ

ରୁଦ୍ରମଣ୍ଡଳ ଯମମଣ୍ଡଳ ଦିଲା ବେନି ରାଜ୍ୟ ଭୂମି ।୧୩୭।

 

 

ପଞ୍ଚଶତ ଯୋଜନ ଆୟେତନ ଯେ ବେନି ମଣ୍ଡଳ

ତୋଷେ ତାକୁ ଦିଲାକ ଦ୍ରୋପଦ ମହୀପାଳ ।୧୩୮।

ସର୍ବାଙ୍ଗ ଅଳଙ୍କାର କରି ଲକ୍ଷେକ ଯୁବତୀ

ତୋଷେ ଯଉତୁକ ଦିଲା ପାଞ୍ଚାଳେଶ୍ଵର ନୃପତି ।୧୩୯।

ସୁବର୍ଣ୍ଣର ପାଞ୍ଚ ପଲଙ୍କ ଶେଯ୍ୟାର ଯୋଗାଡ଼େ

ସୁବର୍ଣ୍ଣର ପଲମ ଦିଲା ଲକ୍ଷେ ଲକ୍ଷେ ମାଢେ ।୧୪୦।

 

ଯଉତୁକ ଦିଲା ରାଜା ଶ୍ରୀହସ୍ତେ ଜଳ ଘେନି

ସମସ୍ତ ସଜ କରି ଦିଲା ବେନି ଲକ୍ଷ ସଇନି ।୧୪୧।

ପାଞ୍ଚ ଲକ୍ଷ ପାଟଛତ୍ର ଯେ ଆଲଟ ଉଦଣ୍ଡ

ପାଞ୍ଚ ଲକ୍ଷ ୟେକ ଲକ୍ଷି ମଜୁରଝାଲି ଖଣ୍ଡ ।୧୪୨।

ପାଞ୍ଚ ଲକ୍ଷ ଆଲମ୍ଵ ପାଞ୍ଚ ଲକ୍ଷ ସୁଆରି

ୟେତେକ ଯଉତୁକ ଦିଲା ଦ୍ରୋପଦ ଦଣ୍ଡଧାରୀ ।୧୪୩।

ଟମକ ନିଶାଣ ନାନା ବାଦ୍ୟ ଆଦି କରି

ସମସ୍ତ ଯଉତୁକ ଦିଲା ବିନୟ ଭାବ କରି ।୧୪୪।

 

ଆସ୍ତାନୁ ଉଠି ଦ୍ରୋପଦ ମହୀପାଳେ

ଦଣ୍ଡଲାଇଂ ସୁତିଲା ଯୁଝେଷ୍ଠି ପାଦ ତଳେ ।୧୪୫।

ଗୋସାଇଂ ପ୍ରତକ୍ଷେ ନିରଞ୍ଜନ ଅନାଦି ସୋମବଂଶୀ

ଯାହାର ବଲ୍ଲଭ ଅଟନ୍ତି ହୃଷିକେଶୀ ।୧୪୬।

ତାହାଙ୍କୁ ଯଉତୁକ ଦେବାକୁ ମୋହୋର ଶକ୍ୟ କିସ

ଦୁହିତା ଗୋଟିୟେ ଦେଇ ସମର୍ପି ହୋଇଲି କ୍ଷମା କରିବାକ ଦଶ ଦୋଷ ।୧୪୭।

 

ଅନେକ ବିନୋୟି ଯେ ଦ୍ରୋପଦେଶ୍ଵର ରାୟେ

ପୁଣ ପୁଣ ପୁତ୍ରନ୍ତ ଘେନି ରାଜା ଗଡ଼ଘାଲି ଶୋୟେ ।୧୪୮।

ପଦ୍ମାବତୀ ବୋଲିଣ ଦ୍ରୋପଦର ପାଟରାଣୀ

ଅନେକ ସମ୍ଭରେ ଯଉତୁକ ଦିଲେ ଆଣି ।୧୪୯।

ପ୍ରାର୍ଥନା ବାକ୍ୟ ଯହୁଂ କରାଇଲେ ଧୌମ୍ୟ ପୁରୋହିତେ

ଅଶ୍ରୁଜଳ ବହଇ ରାଣୀର ବେନି ନେତ୍ରେ ।୧୫୦।

 

କ୍ରୋଧଭର ହୋଇ ବୋଲଇ ରାଜା ଦ୍ରୋପଦ

ପୁନରପି ଦୁହିତା ଯେ ନୋହୁ ନୋହୁ ଜାତ ।୧୫୧।

ଜଗଶ୍ରେଷ୍ଠ ପୁରୁଷର ଦୁହିତା ହୋଇଲେ

ଭୃତ୍ୟର ଭୃତ୍ୟ ହୋଇ ସେ ପରେ ପ୍ରଦାନ ଯେ କଲେ ।୧୫୨।

ଆପଣାର ବଳବୀର୍ଯ୍ୟ ସମସ୍ତ ବୁଡ଼ଇ

ପରେ ପରିଚର୍ଯ୍ୟା କରେ ଭୃତ୍ୟପଣ ହୋଇ ।୧୫୩।

 

ଦୁହିତା ପ୍ରସବଇ ଯେବଣ ଭରିଯା

ତାହାର ସହିତେଣ କରିବାକ ପରିତେଜ୍ୟା ।୧୫୪।

ତାହା ଶୁଣି ବୋଇଲେ ଯେ ବ୍ୟାସ ମହଋଷି

ବିଭା କାଳେ ଅବଶ୍ୟ କ୍ରୋଧେକ ଉପୁଜଇ ଆସି ।୧୫୫।

ଅନାଦି ସରସ୍ଵତୀ ଆଦି ଯେ ଅପର୍ଣ୍ଣା

ତାହାର ତହୁଂ ଆତଯାତ ଉତ୍ପତ୍ତି ପ୍ରଳୟ ସିନା ।୧୫୬।

 

ଆଦି ବ୍ରହ୍ମ ଅଂଶେ ୟେ ଦକ୍ଷ ପ୍ରଜାପତି

ଯଗ୍ୟଂରୁ ଷାଠିୟେ କନ୍ୟା ହେଲେ ଉତ୍ପତ୍ତି ।୧୫୭।

ଦିଗପାଳମାନଙ୍କୁ ଯତନେ ଦିଲା ବାଣ୍ଟି

ଧର୍ମଦେବତାଙ୍କୁ ଦିଲା ଦୁହିତା ଦଶଗୋଟି ।୧୫୮।

ଶ୍ରୁତି ମତି ଧୃତି କାନ୍ତି କ୍ଷାନ୍ତି ତନୁ ଭାନୁ ମେଧା ସୁମେଧା ଶରଧା

ଧର୍ମ ଦେବତାଙ୍କୁ ଦିଲା ହୋଇଣ ଆନନ୍ଦା ।୧୫୯।

 

ଶୁଣ ଦ୍ରୋପଦ ସାବଧାନେ ତୋତେ କହୁଂ

ଶୂନ୍ୟ ପୁରୁଷମାନେ ଉତପତ୍ତି ୟେହାର ତହୁଂ ।୧୬୦।

ଶ୍ରୁତିର ତହୁଂ ଆବର୍ତ୍ତକ ମେଘ ଉପୁଜିଲା

ମତିର ତହୁଂ ସମ୍ଵର୍ତ୍ତକ ମେଘ ଜାତ ହେଲା ।୧୬୧।

ଧୃତିର ତହୁଂ ଉପୁଜିଲା ଦ୍ରୋଣ ମେଘ

କାନ୍ତି ତହୁଂ ଉପୁଜିଲା ପୁଷ୍କର ମେଘ ।୧୬୨।

 

କ୍ଷାନ୍ତିର ତହୁଂ ଜାତ ଆୟୁଦେବ

ତନୁର ତହୁଂ ଜାତ ଜ୍ୟୋତିର ମନ୍ତ୍ରପଦ ।୧୬୩।

ଭାନୁର ତହୁଂ ଜାତ ଧନୁ ମହାମନ୍ତ୍ର

ମେଧାର ତହୁଂ ଜାତ ସୁଷୁମୁନା ଯନ୍ତ୍ର ।୧୬୪।

ସୁମେଧାର ତହୁଂ ଜାତ ହୋଇଲେ ବରୁଣ

ଶରଧାର ତହୁଂ ହେମ ଶିଶିର ବସନ୍ତଗ୍ରୀଷମ ବରଷା ଶରଦ ଛଡ଼ ଋତୁ ଜାଣ ।୧୬୫।

 

ଶୁଣହୋ ଦ୍ରୋପତ ଶାହାସ୍ର ଉକତ ତୋତେ କହୁଂ

ୟେ ଶୂନ୍ୟପୁରୁଷେ ଉପୁଜିଲେ ଦଶ କନ୍ୟାଙ୍କର ତହୁଂ ।୧୬୬।

ଈଶ୍ଵର ଦେବତାଙ୍କୁ ପ୍ରଦାନ କଲେ ଉମା

ପ୍ରଜାପତିଙ୍କର କୋଟିୟେ ପୁରୁଷ ତାରିଲେ ସଦାଶିବର ବାମା ।୧୬୭।

କଶ୍ୟପଙ୍କୁ ଦିଲେ ତେର ଗୋଟି ଯେ କୁମାରୀ

ମହା ବ୍ରହ୍ମବେତ୍ତା ସଚରାଚର ଅଧିକାରୀ ।୧୬୮।

 

ଦିତି ଅଦିତି କଦ୍ରୁ ବିନତା କଳା ଅରିଷ୍ଟା

ସିଂହିକା ସୁରଭି ଗୁହିଜା ଦନୁ ଗନ୍ଧର୍ବା ଋକ୍ଷା ଆବର ପୁରୁଷ ଶ୍ରେଷ୍ଠା ।୧୬୯।

ୟେ ତେର କନ୍ୟାଙ୍କ ଘରୁ ଉତପତ୍ତି ଯେଉଂଣ ଯେଉଂଣ

ଆହୋ ଦ୍ରୋପଦ ରାଜା ତୁ ସାବଧାନେ ଶୁଣ ।୧୭୦।

ଅଦିତି ଦିତି ତହୁଂ ଦେବ ଅସୁର ହାଦେ

କଦ୍ରୁର ତହୁଂ ଉପୁଜିଲେ ନାଗ ବୃନ୍ଦେ ।୧୭୧।

 

ବିନତାର ତହୁଂ ଉପୁଜିଲେ ଅରୁଣ ଗରୁଡ଼ ପଛୀ ଭାଗେ

କଳାର ତହୁଂ ଉପୁଜିଲେ କାଳକେୟ ଯୋଗେ ।୧୭୨।

ଗନ୍ଧର୍ବା ତହୁଂ ଉତପତ୍ତି ଗନ୍ଧର୍ବ ସମସ୍ତେ

ଦକ୍ଷଉଂ ଦକ୍ଷଗଣେ ହୋଇଲେ ସମ୍ଭୂତେ ।୧୭୩।

ଋକ୍ଷାର ତହୁଂ ଉପୁଜିଲେ ଚଉପାୟୀ ଜୀବଜନ୍ତୁ ଯେତେ

ସିଙ୍ଘ ଶାର୍ଦ୍ଦୋଳ ଗଜ ଅଶ୍ଵ ବ୍ୟାଘ୍ର ଭାଲୁକ ମର୍କଟ ବଳୟା ସହିତେ ।୧୭୪।

 

ଅରିଷ୍ଟାର ତହୁଂ ଜନମିଲେ ଅରିଷ୍ଟ ଜୀବମାନେ

ଦନୁଠାରୁ ଉପୁଜିଲେ ଯେ ଦାନବଗଣେ ।୧୭୫।

ମାନୁଷୀର ତହୁଂ ଉପୁଜିଲେ ମାନବମାନେ

ଖଣ୍ଡାୟିତ ଆଦି କରି ଯେତେ ବିଦ୍ୟମାନେ ।୧୭୬।

ସିଂହିକା ତହୁଂ ଜନମିଲେ ରାହୁ ଯେ ରାକ୍ଷସେ

ସୁରଭିର ତହୁଂ ଜାତ ଗୋଧନ ପ୍ରକାଶେ ।୧୭୭।

 

ଗୁହିଜାରୁ ଉପୁଜିଲେ ଗୁହ୍ୟକ ଲୋକମାନେ

ଷାଠିୟେ କନ୍ୟାରୁ ସର୍ବେ ହେଲେ ଉତପନ୍ନେ ।୧୭୮।

ବ୍ୟାସେ ବୋଇଲେ ବାବୁ ଶୁଣହୋ ଦ୍ରୋପତ ନୃପତ୍ୟ

ଦକ୍ଷର ନନ୍ଦିନୀ ତହୁଂ ଜାତ ହୋଇଲେ ସମସ୍ତ ।୧୭୯।

କରପତ୍ର ଯୋଡ଼ି କହଇ ପାଞ୍ଚାଳେଶ୍ଵର ଦେବ

ଭୋ ମୁନି କଥାୟେ ପଚାରିବି ମୋତେ କୋପ ନ କରିବ ।୧୮୦।

 

ସଭାର ସ୍ଥଳେ ଦ୍ରୋପଦେଶ୍ଵର ବୋଇଲା

ଉମା କନ୍ୟା ଛଳେ ଦକ୍ଷ ପ୍ରଜାପତି ନାଶ ଗଲା ।୧୮୧।

ମାରକଣ୍ଡ ବୋଇଲେ କଥା ବଢିବ କହନ୍ତେ

କନ୍ୟାନ୍ତ ସମର୍ପି ୟେବେ ଯାଅ ଯା ଦ୍ରୋପତ ନୃପତ୍ୟେ ।୧୮୨।

ଚଳଇ ଦ୍ରୋପଦ ରାଜା ନିଜ ଯେ ଆଶ୍ରମେ

ଧୌମ୍ୟ ପୁରୋହିତେ କଲେ ଲାଜା ହୋମେ ।୧୮୩।

 

ଅସଂକ୍ଷେପ ଯାଗ କଲେ ଲାଜା ହୋମ ଆହୂତି

ଘୃତ ଆହୂତି ଅମୃତ ଦେଇ ତ୍ରିପୁତି କଲେ ଯେ ବହତି ।୧୮୪।

ଅମର ପୁରୋହିତେ ଯେ ଧର୍ମଣେ ଅଛନ୍ତି

ଅଗ୍ନିର ଜିହ୍ଵାରେ ଦିଲେକ ପୂର୍ଣ୍ଣାହୁତି ।୧୮୫।

ଉତିଷ୍ଟ ଘୃତ ଦିଲେ ବରକନ୍ୟାଙ୍କର ହାଥେ

କନ୍ୟାର ହାଥ ଧରି ପାରଣା କଲେ ପଞ୍ଚୁଭ୍ରାଥେ ।୧୮୬।

 

ଘୃତ ପାରଣା କଲେ ଦେବୀ ଯେ ଦ୍ରୋପତୀ

ଆଞ୍ଚୋବନ ସାରି ୟେକ ଆସନେ ବସନ୍ତି ।୧୮୭।

ନଟ ଭାଟ ଭିକ୍ଷାଶୀ ଥିଲେକ ଯେତେ ଜନ

ଦରିଦ୍ର ଜନେ ଦିଲେ ଅନେକ ରତ୍ନମାନ ।୧୮୮।

ଚାରି ଭଣ୍ଡାରୁ ଯେତେ ଯଉତୁକ ପାଇଥିଲେ

କନ୍ୟା ଦାନ ନିମନ୍ତେ ଅନେକ ଦାନ ଦିଲେ ।୧୮୯।

 

ଗୋଧନ ଧନ ବସ୍ର ସମସ୍ତ ଅଳଙ୍କାର

ସମସ୍ତ ଦାନ ଦିଲେ ପଣ୍ଡୁର କୁମର ।୧୯୦।

ଦ୍ରୋପତୀର ମାତା ଅଟଇ ପଦ୍ମାବତୀ

ଲକ୍ଷେ ସ୍ତିରୀ ଘେନି ବରକନ୍ୟାଙ୍କର ଶିରେ ଅର୍ଘ୍ୟ ବନ୍ଦାପନ୍ତି ।୧୯୧।

ମା ଗୋ ଆଷ୍ୟ ଧନ ପୁତ୍ର ଅନେକ ସମ୍ପଦ ବାଞ୍ଛା

ଅବଶ୍ୟ ଫଳଶ୍ରୂତି ହୋଇବ ଯାହା ତୋହୋର ଇଚ୍ଛା ।୧୯୨।

 

ପ୍ରତକ୍ଷେ ନିରଞ୍ଜନ ଯୁଝେଷ୍ଠିଦେବଙ୍କର ବିଭା

ସମସ୍ତ ଜନେ ଶୁଣି ମୁକତି ହୋଇବା ।୧୯୩।

ଅନେକ ଜନମର ପାତକ ଦୁଖ ଖଣ୍ଡ

ଅଣ ଅପ୍ରାଧ କଷ୍ଟୁଂ ତର ନ ଲାଗୁ ଯମ ଦଣ୍ଡ ।୧୯୪।

ଆପଦ ବିପଦ ଦୁଖ କେଳଶ ସମସ୍ତ ପାରଯାଉ

ଦରିଦ୍ର ଦୋଷ ତୁଟୁ ଶତ୍ରୁ ଶାନ୍ତି ହୋଉ ।୧୯୫।

 

ସୁବେଳେ ସୁଲକ୍ଷଣେ ଶୁଭ ଅନକୂଳେ

ରାଜା ମୁଖେ ଯଶ ହୋଉ ଦେବୀ ସର୍ବ ମଙ୍ଗଳେ ।୧୯୬।

ଯେ ୟେହା ପଢନ୍ତି ଶୁଣନ୍ତି ସାବଧାନେ

କୋଟିୟେ ପାତକ ହରଇ ଯେହ୍ନେ ପୁଷ୍କର ସ୍ନାହାନେ ।୧୯୭।

ଇହ ଲୋକେ ଗତି ପର ଲୋକେ ମୁକତି

ଶ୍ରୀମହାଭାରତ ୟେସନ ଫଳଶ୍ରୁତି ।୧୯୮।

 

ମୁହିଂ ବାଞ୍ଛା କରଇ ୟେ ସଂସାର ଜନଙ୍କୁ

ସମସ୍ତ ଆଶ କର ବଇକୁଣ୍ଠ ଭୁବନକୁ ।୧୯୯।

ସମସ୍ତଜନମାନଙ୍କର ଆପଦ କ୍ଷୟଯାଉ

ଆୟିଷ ଧନ ପୁତ୍ର ବାଞ୍ଛା ସିଦ୍ଧ ହୋଉ ।୨୦୦।

କଳି କାଳ ଦୁରାପଦ ଯହୁଂ କଟାଳିଲା ସଂସାରକୁ

ତଦ ଦର୍ପ ଧଂସିବାକୁ ଶ୍ରୀଜଗନ୍ନାଥେ ଆଗ୍ୟାଂ ଦିଲେ ମୁକୁ ।୨୦୧।

 

ନ ପଢି ପଣ୍ଡିତ ମୁଂ ଆଗ୍ୟାଂ ପରମାଣେ

ଗ୍ରନ୍ଥ ଅର୍ଥ କଲି ମୁଂ ଶ୍ରୀଚଣ୍ଡୀ ସାରୋଳା ପ୍ରସନ୍ନେ ।୨୦୨।

ସେ ଯାହା କହଇ ମୁଂ ଲିହଇ ସେହି ମତେ

ମୂର୍ଖ ହୋଇ ଲେଖନ କଲି ମୁଂ ନୋହଇ ପଣ୍ଡିତେ ।୨୦୩।

ଯେ ଅବା ଭ୍ରାନ୍ତି ହୋଅଇ ମୋର ମନେ

ଆପଣେ ପୂରୋଇ ଦେବୀ ଶ୍ରୀହସ୍ତେ କରନ୍ତି ଲେଖନେ ।୨୦୪।

 

ସରୂପେ ଦେଖାଇଲେ ମୋତେ ଆପଣାର ଚିହ୍ନ ବର୍ଣ୍ଣ

ମୋତେ କାହିଂ ସଖ୍ୟ ହୋଇବ ୟେ ଦିବ୍ୟ ଲେଖନ ।୨୦୫।

ଶ୍ରୀଚଣ୍ଡୀ ସାରୋଳାକୁ ବିନୋୟୀ ଭାବ ଚିତ୍ତେ

ଶତ ସହସ୍ରେ ଦଣ୍ଡ ପ୍ରଳମ୍ଵ ମୋହୋର ନିତ୍ୟେ ।୨୦୬।

ବିଘଂସିତ ଶତ ଦଳ କମଳ ଦିବ୍ୟ କାୟେ

ଇହ ଲୋକ ବର ଦାୟେନୀ ଭଗତ ବତ୍ସଳୀ ମହାମାୟେ ।୨୦୭।

 

ୟେ ମୋହୋର ଶିର ଲୁଳୁ ତାହାଙ୍କ ପଦ୍ମ ପାଦେ

କହିଲି ଆଦ୍ୟପର୍ବ ସିଦ୍ଧ ସାରୋଳା ପ୍ରସାଦେ ।୨୦୮।

ତୁଳସାର ବଲ୍ଲଭ ଚରଣେ ଲୟେ ଆଶ

ବଦୟନ୍ତି ଶୂଦ୍ରମୁନି ଶ୍ରୀସାରୋଳା ଚଣ୍ଡୀ ଦାସ ।୨୦୯।-୧୧୭୯୬।

 

Unknown

ପାଣ୍ଡବଙ୍କ ଅର୍ଦ୍ଧରାଜ୍ୟ ଦାନ

ଶୁଣ ହୋ ରାଜନ ଶିଖଣ୍ଡୀ ଧୃଷ୍ଟଦୃମନ ଯେ ବେନି ଭ୍ରାଥେ

ଅଗ୍ନିକି ଶୀତଳ କରାଇଲେ ସମାପତେ ।୧।

କନ୍ୟାର କର ଯେ ଧରିଣ ଧର୍ମରାୟେ

ଦ୍ରୋପଦର ଭୁବନକୁ ବିଜେ କରିଆୟେ ।୨।

 

ଅନ୍ତେଶ୍ଵର ପୁର ସନ୍ନିଧେ ମୁଣୋହି ଭୁବନେ

ତହିଂ ଯାଇଂ ବିଜୟ କଲେ ଧର୍ମନାନେ ।୩।

ଶ୍ରୀଜଗନ୍ନାଥଙ୍କ ବଲ୍ଲଭୀ ଆଠ ୟେକଶତ ଷୋଳ ସହସ୍ର ବାଳୀ

ସର୍ବ ଅଳଙ୍କାର ହୋଇ କରେଣ ଅର୍ଘ୍ୟ ସ୍ଥାଳୀ ।୪।

ମାଣିକ୍ୟର ଦୀପନ୍ତ ଘେନିଣ ନିଜ କରେ

ଅର୍ଘ୍ୟ ବନ୍ଦାଇଲେ ବରକନ୍ୟାଙ୍କର ଶିରେ ।୫।

 

ଅନେକ ଶୁଭବାଞ୍ଛା କଲେ ସର୍ବେ ବାଳୀ

ଦ୍ଵାରକା ସ୍ତିରୀମାନେ ମଙ୍ଗଳ ଧୁନି ତୋଳି ।୬।

ଦ୍ରୋପଦେଶ୍ଵର ଅନେକ ଭଗତି ହୋଇଲେ

କୁଟୁମ୍ଵ ଘେନିଣ ପ୍ରଣପତ୍ୟେ ସୁତିଲେ ।୭।

ପୂର୍ବ ଜନ୍ମେଣ ମୁଂ କରିଥିଲି ପରମ ଭାଗ୍ୟ

ପାଣ୍ଡବଙ୍କର ପରସନ୍ନେ ମୋତେ ନାରାୟଣଙ୍କର ଅନୁରାଗ ।୮।

 

ସ୍ନାହାନ ସାରି ଭୋଜନ ଦ୍ରୋପତର ପୁରେ

ଯୁଝେଷ୍ଠି ଅଗ୍ରତେ କହିଲେ ବଳେବରେ ।୯।

ଆମ୍ଭେ ଯାଉଂ ଅଛୁ ଦ୍ଵାରକା ଭୁବନେ

କନ୍ୟା ଘେନି ଯାଅ ତୁମ୍ଭେ ପଞ୍ଚଦଶ ଦିନେ ।୧୦।

ଯୁଝେଷ୍ଠି ବୋଇଲେ ସ୍ଵାମୀ ବିଜେ କରି ଯିବା

ଯୋଗାନନ୍ଦ ପୁରୁଷ ମୋତେ ଦୟା କରିଥିବା ।୧୧।

 

ଗୋବିନ୍ଦ ପ୍ରଣପତ୍ୟ ଯୁଝେଷ୍ଠିଙ୍କ ପଦ୍ମପାଦେ

ଉଠିଣ କୋଳ କଲେ ପ୍ରଭୁ ପରମ ସାନନ୍ଦେ ।୧୨।

ଅର୍ଜୁନ ନକୁଳ ଯେ ସହଦେବ ତିନି

ଶ୍ରୀରାମକୃଷ୍ଣଙ୍କ ଚରଣେ କରନ୍ତି ଦୟିନି ।୧୩।

ଦ୍ରୋପଦ ଅନେକ କଲେ ଅର୍ଘ୍ୟ ପୂଜା

ଗରୁଡ଼ ପିଠିରେ ବିଜେ କଲେ ଦେବରାଜା ।୧୪।

 

କନ୍ୟାମାନନ୍ତ ସେ ଘେନିଣ ଦେବ ହରି

ଦ୍ରୋପଦ ଭୁବନୁଂ ଆକାଶ ମାର୍ଗେ ଚଳି ।୧୫।

 

ଯେତେଦୂରେ ଦିଶଇ ଗରୁଡ଼ ଧ୍ଵଜ ଚିହ୍ନ

ହୁଳହୁଳି ଧୁନି କରନ୍ତି ନଗ୍ର ନାରୀଜନ ।୧୬।

ଅଦୃଶ୍ୟ ହୋଇଣ ସ୍ଵାମୀ କଲେକ ଗମନ

ନିଜ ପୁରକଇ ଆସିତେ କାହାର ନ ବଳଇ ମନ ।୧୭।

ନାମ ଧଇଲେ ଯାହାର ମୁକତି ଗତି ପାଇ

ଦ୍ରୋପତୀର ପ୍ରସାଦେ ଚାହିଂଲୁ ଚଛୁ ଯେ ପୂରୋଇ ।୧୮।

 

ସାଧୁ ସାଧୁ ପାଞ୍ଚାଳୀ ଦ୍ରୋପତର ଦୁଲାଳୀ

ସାଧୁ ସାଧୁ ଜୀବନ ତାହା ଯେ ସୁସ୍ତେଣ ପ୍ରତିପାଳି ।୧୯।

ଦ୍ରୋପତୀ ପ୍ରଦାନ ହୋଇଲେ ଯାହାଙ୍କୁ

ଜଗନ୍ନାଥେ ନମସ୍କାର କରନ୍ତି ତାହାଙ୍କୁ ।୨୦।

ତହୁଂ ଅଧିକତ ପାଣ୍ଡବଙ୍କ ଦରଶନେ

ୟେତେ ବୋଲିଣ ବାହୁଡ଼ିଲେ ନଗ୍ରଜନମାନେ ।୨୧।

 

ଚଳନ୍ତି କନ୍ୟାମାନେ ଯେ ଯାହାର ଭୁବନେ

ମୁଣୋହିଂ ଯୁଗତେ କନ୍ୟା ଘେନି ବିଜେ ବରମାନେ ।୨୨।

ଆଞ୍ଚୋବନ ସାରି କର୍ପୂର ତାମ୍ଵୋଳ ଭୁଞ୍ଜି

ଚନ୍ଦ୍ରଶାଳା ପୁରେ ଯାଇଂ ନିଶ୍ଚିନ୍ତେ ଶୟନ ଭଜି ।୨୩।

ୟେକା ପଲଙ୍କେ ଶୟନ ପଞ୍ଚୁଭ୍ରାଥ ଦ୍ରୋପତୀ

ନିଦ୍ରା ଆଳସେ ପାହିଲାକ ନିଶା ରାତି ।୨୪।

 

ସ୍ନାହାନ ନିତ୍ୟକର୍ମ ସାରିଲେ ଧର୍ମସୁତେ

ଦୁତୀ ଉଚ୍ଛବ ବନ୍ଦାପନା ହୋଇଲେ ତୋଷ ଚିତ୍ତେ ।୨୫।

ଚତୃ ଦିବସେଣ ହୋଇଲା ଚଉଠି

ଯେ ବିଧି କାର୍ଯ୍ୟ ସାରିଲେ ନଗ୍ରଘଟି ।୨୬।

କର୍ଦନ ଉଚ୍ଛବ ସାରିଲେ ପଞ୍ଚଇ ଦିବସେ

ଖେଳନ୍ତି କୁତୁହୋଳେ ବିଭା ମଙ୍ଗଳ ହରଷେ ।୨୭।

 

କେହୁ କୁଙ୍କୁମ ଘେନି ଯେ ହୋଅନ୍ତି ମରାମରି

କର୍ଦନ ଦେହ ଯେ ହୋଇଲା ସବୁଙ୍କରି ।୨୮।

ନଦୀର ସ୍ନାହାନେ ବିଜେ ସର୍ବଜନେ

ଗଙ୍ଗାକୁ ଉଚ୍ଛବ ଯେ କରାନ୍ତି ବିଧାନେ ।୨୯।

ସପତମ ଦିବସେ ଇନ୍ଦ୍ର ଉଚ୍ଛବ ଯେ କରି

ଅଷ୍ଟ ଦିବସେ ଅଷ୍ଟମଙ୍ଗଳା ବିଧି ଯେ ସାରି ।୩୦।

ବରବେଶ ସାରି ଆସନ୍ତି ଦ୍ରୋପଦ ଭୁବନୁଂ

ସେହି କୁରାଳଶାଳେ ରହିଲେ ଯେ କୋଇନ୍ତାଙ୍କର ତନୁ ।୩୧।

କୋଇନ୍ତାୟେ ଅନ୍ନ ପରଷନ୍ତି ଭୁଞ୍ଜନ୍ତି ପଞ୍ଚୁଭ୍ରାଥେ

ପଞ୍ଚାଳ ଦେଶେ ପାଣ୍ଡବେ ହୋଇଲେ ଉଦିତେ ।୩୨।

 

ଶ୍ରୀରାମକୃଷ୍ଣ ଗଲେ ଯେ ଦ୍ଵାରକା ଭୁବନେ

ବଳରାମେ ବୋଇଲେ ତୁ ଶୁଣ ଜନାର୍ଦ୍ଦନେ ।୩୩।

ଆମ୍ଭେ ଯିବା ହାଦେ ହସ୍ତିନା ନଗ୍ର ବାଟେ

ହସ୍ତିନାୟେ ବାରତା କରିବା ଧୃତିରାଷ୍ଟେ ।୩୪।

ବଳରାମଙ୍କର ବଚନେ ଅଲଘିଂତେ ଦେବ ହରି

ବିଜେ ନାରାୟଣ ଯେ ହସ୍ତିନା ନଗ୍ରପୁରୀ ।୩୫।

 

ସଞ୍ଜୟେ ଜଣାଇଲେ ଯେ ଶୁଣିମା ଧୃତିରାଷ୍ଟେ

ଦ୍ଵାରକା ସମ୍ପାଦ ଘେନି ବିଜୟେ ରାମକୃଷ୍ଣେ ।୩୬।

ଶୁଣିଣ ଆସ୍ତାନ ତେଜ୍ୟାକରି ଉଠିଲା ଅନ୍ଧରାଜା

ରାମକୃଷ୍ଣ ପଦ୍ମପାଦେ କଲାକ ଦିବ୍ୟ ପୂଜା ।୩୭।

ଶତେ ସହସ୍ର ଦଣ୍ଡ ହୋଇଲା ପରିଣାମି

ଅନେକ ପୁଣ୍ୟ ଅରଜିଲି ଊଦ୍ଧରିବା ଦେବ ସ୍ଵାମୀ ।୩୮।

 

କେଣିକି ବିଜୟ ବଧୂମାନନ୍ତ ଘେନି

ରାଜା ଉଗ୍ରସେନ ସହିତେ ରାମକୃଷ୍ଣ ବେନି ।୩୯।

ଶୁଣ ହୋ ଧୃତିରାଷ୍ଟ ବୋଳନ୍ତି ବଳେବର

ଆମ୍ଭେ ଥିଲୁ ହାଦେ ଅର୍ଜୁନ ସୟମ୍ଵର ।୪୦।

ଧୃତିରାଷ୍ଟ ପଚାରିଲେ ଶୁଣିମା ବଳଦେବ

ବଡ଼ାଇ କଥା ୟେତ କହିଲ ଅସମ୍ଭବ ।୪୧।

 

ସଂସାରେ ଶୁଣିଲୁ ଯେ ଦ୍ରୋପତୀ ସୟମ୍ଵର

ଲକ୍ଷେକ ନୃପତି ମିଳିଲେ ତାହାର ପୁର ।୪୨।

ପାଣ୍ଡବେ ମଲେ ଯେ ଜଦୁର ଘରେ ପଶି

ଅର୍ଜୁନ ସୟମ୍ଵର ବୋଲି କେମନ୍ତେ ପରକାଶି ।୪୩।

ବଳରାମେ ବଦନ୍ତି ଶୁଣ ଅମ୍ଵିକାର ସୁତ

କେହି ଜାଣି ନୁଆରିଲେ ୟେସନେକ କୃତ୍ୟ ।୪୪।

 

ଦ୍ରୋପତ ରାଜା ଯେ ସୟମ୍ଵର କଲା

ଅର୍ଜୁନକୁ ଦେବି ବୋଲିଣ ସେ ଲାଖେକ ପାତିଲା ।୪୫।

ଷୋଳ ଦିବସ ପରିଯନ୍ତେ ହୋଇଲା ସୟମ୍ଵର

ସମସ୍ତ ରାଜାୟେ ଧଂସି ହୋଇଲେ ସେ ଲାଖର ।୪୬।

ଭୀଷ୍ମ ଦ୍ରୋଣ କର୍ଣ୍ଣଶଲ୍ୟ ଆବର ଦ୍ରିଯୋଧନ

ସମସ୍ତ ରାଜାମାନେ ପାଇଲେ ଅପମାନ ।୪୭।

 

ତଦଅନ୍ତେ ପ୍ରବେଶ ହୋଇଲେ ପାଣ୍ଡବ ପାଞ୍ଚଭ୍ରାଥ

ମହାଲାଖ ବିନ୍ଧିଲା ସେ ବାସବର ସୁତ ।୪୮।

ଧୃତିରାଷ୍ଟ ଥମ୍ଭୀଭୂତହୋଇଲା ତାହା ଶୁଣି

କେମନ୍ତ କଥାୟେ ତ କହିଲ ହଳପାଣି ।୪୯।

ଜଦୁର ଘରେ ପାଣ୍ଡବେ ହୋଇଲେ ଦହିଜ

ଆପଣେ ତୁମ୍ଭେ ହୋ ଦେଖିଲ ଦେବରାଜ ।୫୦।

 

ପ୍ରେତ କାର୍ଯ୍ୟ କରାଇଲ ଆପଣେ ତୁମ୍ଭେ ଥାଇ

ଆବର ପାଣ୍ଡବେ ଦେବ ଅଛନ୍ତି ଅବା କାହିଂ ।୫୧।

ପୁଣ୍ଡରୀକ ବାସୁଦେବ ଯେହ୍ନେ ବହେ ନାମ

ତେମନ୍ତ ପାଣ୍ଡବ ଅବା ଦେଖିଲ ବଳରାମ ।୫୨।

ବଳରାମ ବୋଇଲେ ଯେ ନୋହଇ ତେମନ୍ତ

ପ୍ରତକ୍ଷେ ଦେଖିଲୁଟି ପାଣ୍ଡବ ପଞ୍ଚୁଭ୍ରାଥ ।୫୩।

 

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ

କୋଇନ୍ତା ଆଦି କରି ଦେଖିଲୁ ସେହି ଠାବ ।୫୪।

ୟେକା ଦ୍ରୋପତୀକି ବିଭା ହୋଇଲେ ପାଞ୍ଚଭାଇ

ଧୌମ୍ୟ ପୁରୋହିତେ ବ୍ୟାସ ମୁନି ଥିଲେ ତହିଂ ।୫୫।

ବ୍ୟାସଙ୍କର କୋଳେ ବସି ହୋଇଲେ ପ୍ରଦାନ

ଇନ୍ଦ୍ର ଦେବତା ଯେ ବିଜୟେ ସେହି ଥାନ ।୫୬।

 

ପଣ୍ଡୁର ନନ୍ଦନ ବିଚିତ୍ରବୀର୍ଯ୍ୟ ଅଜା

ଶାୟେନ୍ତନୁ ଅଟନ୍ତି ଯେ ତାହାଙ୍କର ପଣଅଜା ।୫୭।

ଅନେକ ଯଉତୁକ ଦିଲାକ ଦ୍ରୋପତ

ଧନ ଧାନ୍ୟ ଗୋଧନ ଗଜ ଅଶ୍ଵ ରଥ ।୫୮।

ଭଣ୍ଡାର ଦେଶ ପାରିଦଣ୍ଡ ଆଦି କରି

ଅନେକ ସମ୍ଭବ କହିତେ କି ପାରି ।୫୯।

 

ଧୃତିରାଷ୍ଟ ବୋଇଲେ ୟେ ହୋଇଲା କେମନ୍ତ

ଭସ୍ମ ଆଙ୍କୋରିଲା ମୁଂ ନ ଜାଣଇ ତଥ୍ୟ ।୬୦।

କେବଣ ମାୟା ୟେ ନୁଆରିଲି ଜାଣି

ଧୃତିରାଷ୍ଟ ଅଗ୍ରତେ କହନ୍ତି ହଳପାଣି ।୬୧।

ଯୁଝେଷ୍ଠିଙ୍କି ପଚାରିଲୁ ସେ କହିଲେ ସମସ୍ତ

ଯେବଣ ଦିନେ ଦହନ ହୋଇଲେ ଗିରି ବାରୁଣାବନ୍ତ ।୬୨।

 

ରାତ୍ରେ ବାହାର ହୋଇ ଜଦୁର ଘରୁ ପଳାଇଲୁ

ସେହି ରାତ୍ରେ ସୁରନଦୀ ତୀରେ ବିଶ୍ରମିଲୁ ।୬୩।

ନାବରେ ବସି ହୋଅନ୍ତେଣ ପାରି

ଭୀମସେନ ମାଇଲା ଦଇତ କୁମ୍ଭିରୀ ।୬୪।

କିନ୍ନରୀ ଦଇତକୁ ମାଇଲା ମଧୁବନେ

ହିଡିମ୍ଵକ ବଧ କଲା ହିଡିମ୍ଵକ ବନେ ।୬୫।

 

ବକ ଦଇତ ମାଇଲା ୟେକଚକ୍ରା ନଗ୍ରରେ

ଅଙ୍ଗାରପନ୍ନଙ୍ଗକଇ ଜିଣିଲୁଂ ବାଟରେ ।୬୬।

ମହାଲାଖ ବିନ୍ଧିଲା ପାଥ ବ୍ରାହ୍ମଣ ସରୂପେ

ବାରିତ ନୁଆରିଲେ ହୋଇଥିଲୁ ଗୋପ୍ୟେ।୬୭।

ଅର୍ଜୁନ ଯେତେବେଳେ ମହାଲାଖ ବିନ୍ଧିଲା

ପୁଅ ତୋ ମାନଗୋବିନ୍ଦ ଅନମିତେ ଗୋଳ କଲା।୬୮।

 

ଅନେକ ସାଂଗ୍ରାମ ତହୁଂ ହୋଇଲା ଅନ୍ୟାଅନ୍ୟି

ଅନେକ ଦେଶ ରାଜା ପଡ଼ିଲେ ଅନେକ ସିଇନି।୬୯।

ତାଳେକ ଉଚ୍ଛର୍ଗେ ସେ ବହିଲା ରକତ ନଦୀ

କାହାର କେତେ ପଡ଼ିଲେ ନୁଆରିଲୁ ସମ୍ପାଦି।୭୦।

ଦମନକ ଶାଲୁ ଶିଶୁପାଳ ପୁଣ୍ଡରୀକ ରୁକ୍ମଣ

ୟେ ପାଞ୍ଚଙ୍କର କେଶ ଧରି ନେଲା ଭୀମସେନ।୭୧।

 

ବାବୁ ଯୁଝେଷ୍ଠି ଧନ୍ୟ ମହିମା ତାହାଙ୍କର

ୟେତେ କଷ୍ଟେ କୋପ ନ ବସେ ଶରୀର।୭୨।

ଛାଡ଼ିଦିଅ ବୋଲି ଭୀମକୁ ଆଗ୍ୟାଂ ଦିଲେ

ଜାନୁ ତଳେ ଗଳାଇ ଭୀମ ଯାଅରେ ଯା ବୋଇଲେ।୭୩।

ଧୃତିରୋଷ୍ଟ ବୋଇଲା ମୋତେ କହିବା ବାକ୍ୟ ସତ୍ୟି

ଗାନ୍ଧାରୀ ପୁତ୍ରମାନେ ଅଛନ୍ତିଟିକି ବ୍ରତି।୭୪।

 

ଗୋବିନ୍ଦେ ବୋଇଲେ ଆମ୍ଭେ ଦିବସେଣ ଦେଖିଲୁ

ରାତ୍ରକାଳେ ଯୁଦ୍ଧ ତ ତଦନ୍ତ କରି ନୁଆରିଲୁ।୭୫।

ଦଣ୍ଡଲଗ୍ନ ହୋଇଲା ଆଜକୁ ବାଇଶ ଦିନ

ରାଜ୍ୟେ କିମ୍ପେ ପ୍ରବେଶ ନୋହିଲା ଦ୍ରିଯୋଧନ।୭୬।

ବଳରାମେ ବୋଇଲେ ବଡ଼ ଅପଚୟେ ଥାଠ

ବହୁତ ଦୂର ଚାଲି ନ ପାରନ୍ତି ବାଟ।୭୭।

 

ଦଣ୍ଡ ସମ୍ଭାଳିଣ ଆସଇ କୁରୁବଇଂ

ତେଣୁ ସେ ବିଳମ୍ବ ହୋଇ ଆସୁଅଛଇ କୁରୁସାଇଂ।୭୮।

ଧୃତିରାଷ୍ଟେ ବୋଇଲେ ତୁମ୍ଭେ କହିଲ ଯେତେ କୃତ୍ୟେ

ଆବରକି ପୋୟେ ମୋର ଅଛନ୍ତି ଜୀବିତେ।୭୯।

ବଳରାମେ ବୋଇଲେ ଯୁଝଷ୍ଠେି ଅଣ କୋପୀ

ୟେତେ କଷ୍ଟେହେଂ ଦୟା ନ ଛାଡ଼ିଲା ଅଦ୍ୟାପି।୮୦।

 

ୟେତେକ କହି ଦେବ ଧୃତିରାଷ୍ଟଙ୍କୁ ସମାର୍ଜି

ନୀଳାମ୍ବରଙ୍କର ବଚନେ କ୍ରୋଧ ରାୟେ ତେଜି।୮୧।

ଗୋବିନ୍ଦ ବୋଇଲେ ହୋ ଶୁଣ ଧୃତିରାଷ୍ଟ

ୟେହି ଦିନା ଚାରିରେ ପୁଅନ୍ତ ପାଉ ସିନା ଭେଟ।୮୨।

ଆମ୍ଭେ ଯାଉଅଛୁ ଦ୍ୱାରକା ଭୁବନକୁ

ୟେବେହେଂ ତିଆର ହୋ ତୋର ପୁଅମାନଙ୍କୁ।୮୩।

 

ପୁଅନ୍ତ ଘେନି ତୋର ଚଳ ପଞ୍ଚାଳ ଦେଶେ

ଯୁଝେଷ୍ଠିଙ୍କୁ ଘେନି ଆସସି ହରଷେ।୮୪।

ଧୃତିରାଷ୍ଟ ବୋଇଲା ଦେବ ହରି ରହିବା ଦିନା ଚାରି

ଦ୍ରିଯୋଧନ ଅଇଲେ ତାକୁ କହିବାକ ତିଆରି।୮୫।

ଗୋବିନ୍ଦେ ବୋଇଲେ ଆମ୍ଭେ କୁଟୁମ୍ବ ସହିତେ

ପଞ୍ଚାଳ ଦେଶେ ଥିଲୁ ସୟମ୍ବର ଦେଖିବା ନିମନ୍ତେ।୮୬।

 

ଦ୍ୱାରକା ଭୁବନେ ୟେହାନ୍ତ ଛାଡ଼ିଣ ଆସିବୁ

ୟେହି ପାଞ୍ଚଦିନ ଅନ୍ତରେ ବାହୁଡ଼ି ପ୍ରବେଶିବୁ।୮୭।

ସର୍ବେ ସାଙ୍ଗରେ ହୋଇ ଯିବା ପଞ୍ଚାଳ ଦେଶକୁ

ଅନେକ ସମ୍ଭର୍ବେ ଆଣିବା ପଣ୍ଡୁର ପୁଅଙ୍କୁ।୮୮।

ୟେସନେକେ ତିଆରି ରାମକୁଷ୍ଣ ବେନି

ଚଳନ୍ତି ନିଜ ଭୁବନେ ଯଦୁବଳ ଘେନି।୮୯।

 

ଦ୍ୱାରକା ଭୁବନେ ହୋଇଲେ ପରବେଶ

ଦେଖିଣ ପୁରଜନେ ହୋଇଲେ ହରଷ।୯୦।

ଦ୍ୱାରକା ଭୁବନେ ଅନେକ ହରଷ ଉଚ୍ଛବ ବଧାଇ

ଯେ ଯାହାର ଭୁବନେ ରହିଲେ ସର୍ବେ ଯାଇଂ।୯୧।

କୁମ୍ଭ ମାସ ଶୁକଳ ପକ୍ଷ ତୃତୀୟା ରବିବାର

ରେବତୀ ନକ୍ଷତ୍ର ଯେ ଭୋଗ ସେ ଦିନର।୯୨।

 

ଭଗ୍ନବଳ ଘେନି କୁରବଇ ମହାରାୟେ

ହସ୍ତିନା ଭୁବନେ ସେ ଯାଇଂ କଲେକ ବିଜୟେ।୯୩।

ସଞ୍ଜୟେ କହିଲେ ଧୃତିରାଷ୍ଟର ପାଣେ

ରାଜ୍ୟେଣ ବିଜେ କଲା ରାଜା ଅନେକ ବିରସେ।।୯୪

ଅଠର କ୍ଷଉଣୀ ବଳ ସନ୍ୟ ଘେନି ଗଲା

ସାତ କ୍ଷଉଣୀ ପଡ଼ିଲା ୟେଗାର କ୍ଷଉଣୀ ଘେନିଣ ଅଇଲା।୯୫।

 

ବ୍ରଣହୀନ ହୋଇ ଦେବ ଜଣେ କେହି ନାହିଂ

ସମସ୍ତେ ଆସୁଛନ୍ତି ଅବସ୍ତା ଦୁଖ ପାଇଂ।୯୬।

ଶୁଣି ଅନେକ ହରଷ ହୋଇଲା ଧୃତିରାଷ୍ଟ

ୟେମନ୍ତେହେଂ ନିସ୍ତରିଲି ମୁଂ ପୁଅନ୍ତ ପାଇଲଇଂ ଭେଟ।୯୭।

ଭୀଷ୍ମ ଦ୍ରୋଣ କର୍ଣ୍ଣ କୃପ ଅଶସ୍ତମା ଭୂରିସର୍ବା

ଯେ ଯାହାର ଅନରୂପେ ମାନ୍ୟ ଭଗତି ସେବା।୯୮।

 

ଅନେଶତ ପୁତ୍ର ସୁତିଲେ ଧୃତିରାଷ୍ଟକୁ ପ୍ରଣପତ୍ୟ ହୋଇ

ଦ୍ରିଯୋଧନ ନମସ୍କାର ନ କଲା ପିତାକଇଂ।୯୯।

ଆସ୍ତାନେ ବିଜେ କଲେ କଉରୋବ ଶିରୋମଣି

ରାଜ୍ୟରେ ଶୁଭଇ ଯେ ଅନେକ କ୍ରୋଧ ଧୁନି।୧୦୦।

ୟେକାନ୍ତେ ବିଦୁରକୁ ହକାରି ଧୃତିରାଷ୍ଟ

ବୋଇଲା ପାଣ୍ଡବଙ୍କର ତୁଲେ ପଡ଼ିଲାଟିକି ତୁମ୍ଭ ଭେଟ।୧୦୧।

 

ବିଦୁରେ ବୋଇଲେ ତୁମ୍ଭେ ଶୁଣ ଜ୍ୟେଷ୍ଠ ଭ୍ରାଥ

ମାନବେ ଶକ୍ୟ କାହିଂ ପାଣ୍ଡବଙ୍କ ଚରିତ।୧୦୨।

ଦ୍ରୋପଦକୁ ଧରାଇ ଆଣିଲେ ଯେ ଗୁରୁଦ୍ରୋଣେ

ଅନେକ ଝିଙ୍ଘାସ ତାଙ୍କୁ କଲେ କୁରୁରାଣେ।୧୦୩।

ସେ ରାଗ ଖଣ୍ଡି ଦ୍ରୋପଦ ଧରିଥାଇ ହୃଦେ

ରାଜ୍ୟକୁ ନ ଯାଇ ଖଟିଲା ସଦାନନ୍ଦେ।୧୦୪।

 

କୌରୋବନ୍ତ ନାଶିବି ବୋଲି ଘୋର ତପ କଲା

ଭୀଷ୍ମ ଦ୍ରୋଣ ଜିଣିମି ବୋଲି ଦ୍ରୋପଦ ବର ଯେ ମାଗିଲା।୧୦୫।

ଈଶ୍ୱରେ ବୋଇଲେ ତୋହୋରେ ନୋହଇ ରେ ସାଧି

ଅର୍ଜୁନ ସେ ସାଂଗ୍ରାମେ ଅଟଇ ପ୍ରତିବାଦୀ।୧୦୬।

ଦୁର୍ଭାସା ରାଇ ଆଗ୍ୟାଂ ଦିଲେ ତ୍ରିପୁରାରି

ମହାଯାଗ୍ୟୁଂ ଜାତ କରିଦିଅସି ଦ୍ରୋପଦକୁ ୟେକଇ କୁମାରୀ।୧୦୭।

 

ଅର୍ଜୁନକୁ ପ୍ରଦାନ କରି ସେ ଦୋହିତ

କୌରୋବନ୍ତ ଝିଙ୍ଘାସ କରାଉ ସେ ଅର୍ଜୁନର ହାଥ।୧୦୮।

ସଦାଶିବଙ୍କ ବଚନେ ରାଜା ଚଳିଲା ନିଜପୁରେ

ମହାଯାଗ ନୃପତି ଆରମ୍ଭ କରାଇଲା ଅନେକ ସମ୍ଭରେ।।୧୦୯

ଯାଗେ ଯାଗନିକ ଦଶଲକ୍ଷ ମହାମୁନି

ମହାଯାଗ୍ୟୁଂ ଜାତ କଲେ ୟେ ଯିଘ୍ନସେନୀ।୧୧୦।

 

ଦୁହିତାକୁ ସମ୍ଭାଳି ରାଜା ଥିଲାକ ଯତନେ

ପାଣ୍ଡବେ ନାଶ ଯହୁଂ ଶୁଣିଲା ଜଦୁ ଘର ଦହନେ।୧୧୧।

ଅର୍ଜୁନ ନ ପାଇ ରାଜା ସୟମ୍ବର କଲା

ଦୁର୍ଲଭ ଲାଖ ପାତିଲା କାହାକୁହିଂ ଶକ୍ୟ ଯେ ନୋହିଲା।୧୧୨।

ଦେବ ତାଳେ ସାତ ତାଳ ମାନବ ତାଳେ ଅଣଚାଶ ଉଚ୍ଚ

ରାଧାଚକ୍ର ଉପରେ ସୁବର୍ଣ୍ଣର ୟେକ ମାଛ।୧୧୩।

 

ଲକ୍ଷେ ବଳ ଧନୁ ଦୁତୀ ଯେ ପିନାକୀ

ଉପରକୁ ମୁଷ୍ଟି ତଳକୁ ଦୃଷ୍ଟି ପାଣି ଘଟ ନିରେଖି।୧୧୪।

ୟେହେନେକ ଅସମ୍ଭବ କରି ଦୁର୍ଲଭ ଲାଖ ସଞ୍ଚି

ମାନବେ ଶକ୍ୟ ନୋହିଲା ଧନୁ ନୁଆରିଲେ କେହି ଆମଞ୍ଚି।୧୧୫।

ଷୋଳଦିନ ପରିଯନ୍ତେ କେହି ବିନ୍ଧିନ୍ତା ନୋହିଲା

ଭିକ୍ଷୁକ ବ୍ରାହ୍ମଣେକ ସଭାରୁ ବାହାର ହୋଇଲା।୧୧୬।

କିଞ୍ଚିତ ମାତ୍ରକେ ଲାଖ ବିନ୍ଧିଲା ଦିଜବର

ରାଧାଚକ୍ର ଫୁଟିଲା ପଡ଼ି ନରାଜ ମାଛର ବାମ ଚଛୁର।୧୧୭।

 

ପ୍ରଥମ ଘାନ୍ତି ଦ୍ରିଯୋଧନ ଗୋଳକଲା

କଇଚ୍ଛା ଜଗଜ୍ଜେଠୀ ସେ ଲାଖ ପୁଣିହିଂ ବିନ୍ଧିଲା।୧୧୮।

ମାଛର ବାମଚଛୁରେ ଫୁଟି ଡାହାଣ ଚଛୁରେ ନିକିଳି

ଚକ୍ରସହିତେ ଛିଡ଼ି ପଡିଲା ମହୀଥଳୀ।୧୧୯।

ଦ୍ରୋପତୀ ଯେତେବେଳେ ବରିତେ ଅଇଲା

ପୁଅ ତୋର ଦ୍ରିଯୋଧନ ଅନମିତେ ଗୋଳକଲା।୧୨୦।

 

ବ୍ରାହ୍ମଣକୁ ମାର ବୋଲି ଧାଇଂଲା ଧୁଶାସନ

ସାଂଗ୍ରାମକୁ ଭୟେ ନକଲା ପଣ୍ଡିତ ବିଦୁଜନ।୧୨୧।

ଆରେକ ବ୍ରାହ୍ମଣ ଗୋଟାୟେ ଦୁଇ ବୃକ୍ଷ ଉପାଡ଼ି

ଗଜ ଯୂଥ ଦେଖି ଯେହ୍ନେ ଧାମଇଂ କେଶରୀ।।୧୨୨

ପ୍ରଥମୁହିଂ ଆଣି ଧୁଶାସନକଇ ପିଟି

ଘାୟେ ନନ୍ଦନ ତୋହୋର ପଡିଲା ମହୀ ଲୋଟି।୧୨୩।

 

ବାଳ ଧରି ମୁଣ୍ଡ ମୋଡ଼ନ୍ତେଣ ହାଥେ

ଲାଖବିନ୍ଧା ବ୍ରାହ୍ମଣ ଧଇଲା ତୁରିତେ।୧୨୪।

ବଡ଼ ଦୟାବନ୍ତ ସେ ଅଟଇ ଦିଜବର

ତାହାର ପ୍ରସାଦେ ରକ୍ଷାଗଲେ ପୋୟେ ତୋହୋର।୧୨୫।

ତେବେହେଂ ନ ଘୁଞ୍ଚିଲା ମୂର୍ଖ ମାନଗୋବିନ୍ଦ

ଚାରି ବ୍ରାହ୍ମଣେ ମାଇଲେ ୟେତେକ ସନ୍ୟବୃନ୍ଦ।୧୨୬।

 

ଦୁଇ ରାତ୍ର ଦୁଇ ଦିବସ ହୋଇଲା ସମର

ଅଷ୍ଟାଦଶ ଯୋଜନ ପରିଯନ୍ତେ ପଡ଼ିଲା ପୟେଡ଼।୧୨୭।

ଅନେକ ସାଂଗ୍ରାମ ଦେଖିଲା ମୋହୋର ଅଛି

ଲକ୍ଷେ ରାଜା ଭାଜିଲେ ଦେଖି ନଫୁରଇ ମୋହୋର କିଛି।୧୨୮।

ଭୀଷ୍ମେ ଦ୍ରୋଣେ କହିଲେ ସାଂଗ୍ରାମର ଅନ୍ତେ

ସଂଚୟେ ପାଣ୍ଡବେ ୟେ ଅଟନ୍ତି ଚାରି ଭ୍ରାଥେ।୧୨୯।

 

ୟେହେନେକ ବାରତା ଶୁଣିଲୁ ଘୋର ବନେ

ସଂଚନେ କରି ଶୁଣିଲୁ ୟେ ପଣ୍ଡୁର ନନ୍ଦନେ।୧୩୦।

ଧୃତିରାଷ୍ଟ ବୋଇଲା ମୁଂ ପାଇଲି ଦିବ୍ୟଗ୍ୟାଂନ

ନିଶ୍ଚୟେ ପାଣ୍ଡବେ ସେ ପଣ୍ଡୁର ପାଞ୍ଚ ନାନ।୧୩୧।

ମୁହିଂ ଅବା ଅନ୍ଧା ହୋଇଲି ତୁମ୍ଭର ବଂଶେ

ଚଛୁ ଥାଉଂ କିମ୍ପେ ତୁମ୍ଭଙ୍କୁ ହୋଇଲା ଅଦୃଶ୍ୟେ।୧୩୨।

 

ତୁମ୍ଭେ ଦଣ୍ଡ ଘେନି ପଳାଇଲ ଯେତେବେଳେ

ପାଣ୍ଡବନ୍ତ ଭେଟିଲା ଦ୍ରୋପତ ମହୀପାଳେ।୧୩୩।

ଶୁଭଯୋଗେ ବିଭାକଲା ଦୋପତ ନନ୍ଦିନୀ

ପାଞ୍ଚୁ ପାଣ୍ଡବେ ପ୍ରଦାନ ହୋଇଲେ ୟେକା ଯିଘ୍ନସେନୀ।୧୩୪।

ଅନେକ ଧନଭଣ୍ଡାର ରଥ ଗଜ ସନ୍ୟବଳ

ଅନେକ ଯଉତୁକ ଦିଲା ନୃପତି ପାଞ୍ଚାଳ।୧୩୫।

 

ଶୁଣି ବିଦୁର ପଚାରଇ ତୋଷ ଚିତ୍ତେ

ୟେହେନେକ ସନ୍ଦେଶ ବାରତ ସ୍ୱାମୀ ପାଇଲ କେମନ୍ତେ।୧୩୬।

ବିଦୁରର ଅଗ୍ରତେ କହିଲେ ଗାନ୍ଧାରୀ

ପାଣ୍ଡବଙ୍କ ବିଭାବେଳେ ଥିଲେ ରାମହରି।୧୩୭।

ସମ୍ଭର୍ବେ ବିଭା ଯୋଗାଡ଼ମାନ ଦେବ ଦେଖି

ଚତୁର୍ଥ ଦିବସ ହୋଇଲା ବିଜେକଲେ ୟେଥିକି।୧୩୮।

 

ବିଭା ଯୋଗାଡ଼ମାନ ଅନେକ ଅଛନ୍ତି ଆଣି

ଆମ୍ଭନ୍ତ ଦେଖାଇଲେ ଶାରଙ୍ଗ ହଳପାଣି।୧୩୯।

ଭୀଷ୍ମ ଦ୍ରୋଣ କର୍ଣ୍ଣ ଶଲ୍ୟ ଶଙ୍କୁନି ଦ୍ରିଯୋଧନ ବସାଇଂ

ସଞ୍ଜୟେ କହିଲେ ସେ ଆସ୍ତାନେଣ ଯାଇଂ।୧୪୦।

ମୂର୍ଖ ଭାବେବାବୁ ତୁ ମରାଇଲୁ ସଇନି

ପାଣ୍ଡବନ୍ତ କେହି ଯେ ନୁଆରିଲ ଚିହ୍ନି।୧୪୧।

 

ବିଭା ବେଳେ ଥିଲେ ଜଗନ୍ନାଥ ବଳଦେବେ

ଦ୍ରୋପତୀକି ପ୍ରଦାନ ହୋଇଲେ ପଞ୍ଚୁ ଯେ ପାଣ୍ଡବେ।୧୪୨।

ଧୃତିରାଷ୍ଟ ବୋଇଲେ ବାବୁ ପଞ୍ଚାଳ ଦେଶକୁ ଯିବା

ଗଉରୋବ କରି ପୁଅନ୍ତ ଘେନିଣ ଆସିବା।୧୪୩।

ସୋଦରେ ସୋଦରେ ସେ ଆନ୍ୟାଅନ୍ୟି

ତହିଂକି ଆବର ବାବୁ କିସ ଅଭିମାନୀ।୧୪୪।

 

ଆନ ଯେବେ ତୁମ୍ଭନ୍ତ ଅପଚୟେ କରନ୍ତା

ତେବେ ସେ ବଂଶକୁ ମୋର ଲଜ୍ଜା ଉପୁଜନ୍ତା।୧୪୫।

ସେ କଥାମାନ ଉପେକ୍ଷା କର ବାବୁ

ଆପଣା ବଡ଼ପଣ ଆପଣେ ରକ୍ଷା କରିବୁ।୧୪୬।

ଧୃତିରାଷ୍ଟ ବଚନେ ବୋଇଲ କୁରୁପତି

ଚିହ୍ନ ଚିହ୍ନ ପାଣ୍ଡବେ ମୋତେ କଲେ ୟେତେ ଶାସ୍ତି।୧୪୭।

 

ତାହାନ୍ତ ଆଣି ମୁଂ ଯିବଇଂ କେମନ୍ତେ

ପାଣ୍ଡବେ ଅଭାବ ମୋତେ ହୋଇଲା ଯୁଗତେ।୧୪୮।

ମୁଂ ଅବା ତାହାନ୍ତ ନ ଚିହ୍ନି କଲଇ ସମର

ଚିହ୍ନୁ ଚିହ୍ନୁ ସନ୍ୟନ୍ତ ମାଇଲେ ମୋହୋର।୧୪୯।

ୟେଥିର ପାଇଂ ମୋତେ ନ ବୋଲ ରାଜଦେବ

ଆବର ପାଣ୍ଡବଙ୍କ ତୁଲେ କାହିଂ ସଦି ଭାବ।୧୫୦।

 

ଭୀଷ୍ମେ ବୋଇଲେ ୟେହା ନ ବୋଲ ଅକାରଣେ

ସେହି ସେ ରଖିଲେଟି ଆମ୍ଭର ବଡ଼ପଣେ।୧୫୧।

ନିଶ୍ଚୟ କରି ଯେବେ କରନ୍ତେ ସମର

ଜଣେ କେହି ଉବୁରି ଆସନ୍ତେ କି ନିଜପୁର।୧୫୨।

ଅର୍ଜୁନର ଆମ୍ଭନ୍ତ ବହୁତ ଅଛଇ ଉପ୍ରୋଧି

ଭୀମସେନର କୋପ ସେହି ସେ ନିରୋଧି।୧୫୩।

 

ଅଗ୍ୟାଂନ କଥାରେ କିଛି ନାହିଂ ଦୋଷ

ଗୌରବ କରି ଆଣିଲେ ଉପୁଜିବ ବହୁତ ଯଶ।୧୫୪।

ତୁ ଯଦ୍ୟପି ତାହାନ୍ତ ନୁଆଣିବୁ କୁରୁ ରାଜଦେବ

ତାହାଙ୍କର ରାଜ୍ୟକୁ କି ଆସିବାର ରହିବ।୧୫୫।

ବହୁତ ମଣାଇ ବୋଇଲେ ଭୀଷ୍ମ ଦ୍ରୋଣେ

ଶୁଣି ସନମତ କଲା କୁରୁରାଣେ।୧୫୬।

 

ଦିନା ଦଶ ସୁସ୍ତ କଲା ନିଜ ସନ୍ୟବଳ

ଦଣ୍ଡ ସାଜିଲା ରାଜା କୁରୁବଇ ମହୀପାଳ।୧୫୭।

ରଥ ଗଜ ଅଶ୍ୱ ସଇନି ପାଦାନ୍ତି

ଭୀଷ୍ମ ଦ୍ରୋଣଙ୍କର ମୂଳେ ସମସ୍ତ ରଥୀ ମହାରଥୀ।୧୫୮।

ମୀନ ମାସ କୃଷ୍ଣ ପକ୍ଷ ଚଉଠୀର ତିଥି

ଅର୍କବାର ସେ ଦିନ ନକ୍ଷତ୍ର ଭୋଗସ୍ୱାତୀ।୧୫୯।

 

ବାଣିଜ୍ୟ ନାମେ କରଣ ହର୍ଷ ନାମେ ଯୋଗ

କୁମ୍ଭ ସଙ୍କରାନ୍ତିକି ଯେ ସତାଇଶ ଦିନ ଭୋଗ।୧୬୦।

ରାତ୍ର ବେନି ଦଣ୍ଡ ଥାଉଂ କୁମ୍ଭ ଲଗ୍ନ ବେଳା

ପାପ ଲଗ୍ନ ନାହିଂ ବର୍ଧୁତ ଚନ୍ଦ୍ରକଳା।୧୬୧।

ସମଦଣ୍ଡ ଘେନିଣ ନୃପତିକୁରୁସାଇଂ

ହସ୍ତିନାରୁ ବାହାର ହୋଇଲା ଥାଠ ଯେ ଚଳାଇ।୧୬୨।

 

ଦ୍ରିଯୋଧନ ଗଲାର ଆରେକ ଦିନର

ଦ୍ୱାରିକାଉଂ ପ୍ରବେଶ ହୋଇଲେ କୃଷ୍ଣ ନୀଳାମ୍ବର।୧୬୩।

ଧୃତିରାଷ୍ଟ ଅଗ୍ରତେ ପ୍ରବେଶ ଦେବରାଜା

ଦେଖିଣ କୁରୁବଇ କଲା ପାଦପୂଜା।୧୬୪।

ଧୃତିରାଷ୍ଟ ବୋଇଲ ତିଆରିଲି ଦ୍ରିଯୋଧନ

ସମଦଣ୍ଡ ଘେନି ଗଲା ପାଞ୍ଚାଳ ଭୁବନ।୧୬୫।

 

ଧୃତିରାଷ୍ଟ ବୋଇଲେ ଦେବ ମୋହୋର ବଚନେ କରିବା

ପାଞ୍ଚାଳ ଦେଶକୁ ଚାଲ ସମସ୍ତେହେଂ ଯିବା।୧୬୬।

ଧୃତିରାଷ୍ଟ ବଚନ କାହ୍ନୁ ସଙ୍କ୍ରିଷେଣ

ଦ୍ରୋପତ ରାଜ୍ୟକୁ ଅନକୂଳ କଲେ ତତକ୍ଷଣ।୧୬୭।

ମୀନ କୃଷ୍ଣ ପଞ୍ଚମୀ ବିଶାଖା ଚନ୍ଦ୍ରବାର

ଧୃତିରାଷ୍ଟ ବିଜେ କଲେ ରଥର ଉପର।୧୬୮।

 

ବିଦୁର ସାରଥୀ ବାହଇ ତୁରଙ୍ଗ

ସଞ୍ଜୟେ ଗାନ୍ଧାରୀ ଭୂରିସର୍ବା ଆଗ।୧୬୯।

ପଛେଣ ଚଳନ୍ତି ରାମକୃଷ୍ଣ ବେନି

ରଥ ଗଜ ତୁରଙ୍ଗମ ସମଦଣ୍ଡ ସଇନି।୧୭୦।

ପ୍ରଥମ ଦିବସରେ ଥାଠ ଚଳାଇ

ବିଶାଶତେ ଯୋଜନ ଉଜାଣ ଦେଶେ ଯାଇଂ।୧୭୧।

 

ଆରେକ ଦିନ ରାଜା ଗଲା ଥାଠ ବଢି

ପଦ୍ମଦଳ ଦେଶେ ରହିଲା ଶତେ ଯୋଜନ ମାଡ଼ି।୧୭୨।

ଆରେକ ଦିବସେ ରାଜା ଥାଠ ପଲାଣିଲା

ଛୟାଣୋଇ ଯୋଜନରେ ମନ୍ଦର ଦେଶେ ରହିଲା।୧୭୩।

ଆର ଦିନ ରାଜା ଥାଠ ଗଲା ଘେନି

ରୋହିଣୀ ଗଙ୍ଗାକୂଳେ ମିଳିଲେ ଯାଇଂ ସଇନି।୧୭୪।

 

ୟେହିମତି ପୟାଣ କଲା ବାଇଶି ଦିବସ

ଉଦ୍ଦାଳେକପାଟଣାରେ ଯାଇଂ ହୋଇଲା ପ୍ରବେଶ।୧୭୫।

ଦ୍ରୋପତ ରାଜ୍ୟ ତହିଂକି ଚଉବିଂଶ ଯୋଜନ

ଆସ୍ତାନେ ଦେଶାଉରେ ବାରତା କରନ୍ତି ଘନ ଘନ।୧୭୬।

ସମଦଣ୍ଡ ଘେନି ବିଜେ ମାନ ଚକ୍ରବ୍ରତୀ

ପାଣ୍ଡବେ ନେମା ନିମନ୍ତେ ଆସଇ କୁରୁପତି।୧୭୭।

 

ଶୁଣିଣ ପାଞ୍ଚଳ ଦେଶର ରାଜା ଆସଇ ଆସ୍ତାନୁ ଉଠି

ବାରତା ଜଣାଇଲେ ଯାଇଂ ଧର୍ମ ଯେ ଯୁଝେଷ୍ଠି।୧୭୮।

ସମଦଣ୍ଡ ଘେନିଣ ନୃପତି ଧୃତିରାଷ୍ଟ

ଭୀଷ୍ମ ଦ୍ରୋଣ ଦ୍ରିଯୋଧନ କର୍ଣ୍ଣ ରାମ କୃଷ୍ଣ।୧୭୯।

ଯୁଝେଷ୍ଟି ବୋଇଲେ ଆହୋ ଶୁଣ ଶିଖଣ୍ଡୀ

ରଥ ଗଜ ଅଶ୍ୱ ସବୁ ବହନ ଆଣ ମଣ୍ଡି।୧୮୦।

 

ଆପଣେ ବିଜେ କଲେ ଧୃତିରାଷ୍ଟ ରାମ କୃଷ୍ଣେ

ପାଛୋଟି ଯିବା ଆମ୍ଭେ ଥୋକାୟେ ଦୂର ବାଟେ।୧୮୧।

ଆଗ୍ୟାଂ ପ୍ରମାଣେ ଧୃଷ୍ଟଦୃମନ ଶିଖଣ୍ତୀ

ରଥ ଗଜ ଅଶ୍ୱ ସଇନି ଧବଳ ମଣ୍ଡି।୧୮୨।

ଅନେକ ରତ୍ନେ ସେ ମଣ୍ଡିଲେ ଶ୍ୱେତ ହାଥୀ

ମୁକୁତା ମାଳମାନ ଲମ୍ବଇ ଚଉକତି।୧୮୩।

 

ଅନେକ ଚାମର ଯେ ଡାଳିମ୍ବା ନେତମାନ

ଶ୍ୱେତ ହାଥୀ ଉପରେ ବିଜେ ଧର୍ମନାନ।୧୮୪।

ହାଥୀ ୟେକ ଚଢିଣ ବିଜେ ପବନ ତନୟେ

ଲକ୍ଷେ ମୁକୁଟବନ୍ଧା ଯୋଦ୍ଧା ଘେନି ଆଗିଆଣି ହୋୟେ।୧୮୫।

ହାଥୀ ୟେକ ଚଢି ବାସବ ତନୟେ

ବେନି ଲକ୍ଷ ମୁକୁଟବନ୍ଧା ଘେନି ଯୁଝେଷ୍ଠିଙ୍କ ଡାହାଣ ପଖାୟେ।୧୮୬।

 

ବେନି ଲକ୍ଷ ମୁକୁଟବନ୍ଧା ଯୋଦ୍ଧା ଘେନିଣ ନକୁଳ

ଯୁଝେଷ୍ଠିଙ୍କ ବାମ ପଖାୟେ ମାଦ୍ରୀର ଦୁଲାଳ।୧୮୭।

ଚାରିଲକ୍ଷ ମୁକୁଟବନ୍ଧା ଯୋଦ୍ଧା ଘେନିଣ ମନ୍ତ୍ରୀ ଚୂଡାମଣି

ଚଳଇ ସହଦେବ କୁମାର ଯୁଝେଷ୍ଠିଙ୍କ ପଛିଆଣି।୧୮୮।

ସୁବର୍ଣ୍ଣ ରଥେ ଚଢି ଦ୍ରୋପତ ନୃପତି

ମର୍ଭୁତେକ ରଥୀ ଘେନି ଯୁଝେଷ୍ଠିଙ୍କ ପଛ କତି।୧୮୯।

 

ସହସ୍ରେକ ଯୋଦ୍ଧା ଘେନି ଧୃଷ୍ଟ ଯେ ଦୃମନ

ବେନି ପଖାୟେ ଉଭାରି ଅଛନ୍ତି ପାଟଛତ୍ରମାନ।୧୯୦।

ସହସ୍ରେ ଯୋଦ୍ଧା ଘେନି ଶିଖଣ୍ଡୀ ମହାବଳୀ

ବେନି ପଖାୟେ କୁମାରେ ଚାମରନ୍ତ ଢାଳି।୧୯୧।

ବୀର ତୂର ବିଜିଘୋଷ ଟମକ ନିଶାଣ

ବେନି ଲକ୍ଷ ବାଦ୍ୟକାର ବଜାନ୍ତି ଆଗେଣ।୧୯୨।

 

ୟେସନେକ ସମୟେ ଯୁଝେଷ୍ଠି ରାଜଦେବେ

ଗଙ୍ଗାର ଉତ୍ତର କୂଳେ ଚଳନ୍ତି ସମ୍ଭର୍ବେ।୧୯୩।

ଗୋବିନ୍ଦେ ବୋଇଲେ ରାଜା ଶୁଣସି କୁରୁପତି

ବାଡ଼ାଇ ସମ୍ଭର୍ବେ ତ ପାଣ୍ଡବଙ୍କର ମୃତ୍ତି।୧୯୪।

ଧୃତିରାଷ୍ଟ ବୋଇଲେ ଶୁଣ ହୋ ବିଦୁର

ବଡ଼ାଇ ସମ୍ଭର୍ବ ତ ବାଜଇ ବୀର ତୂର।୧୯୫।

 

ବିଦୁର ବୋଇଲା ସ୍ୱାମୀ ପାପ କଲୁ ପୂର୍ବେ

ଚଛୁଥିଲେ ଯୁଝେଷ୍ଠି ସମ୍ପଦ ଦେଖନ୍ତୁ ନା ରାଜଦେବେ।୧୯୬।

ଶ୍ୱେତ ହାଥୀୟେ ଆରୋହି ଧର୍ମର ତନୟେ

ପ୍ରତକ୍ଷେ ଦିଶୁଛନ୍ତି ଦେବଇନ୍ଦ୍ରଙ୍କ ପରାୟେ।୧୯୭।

ପାଞ୍ଚ ଲକ୍ଷ ଯୋଦ୍ଧା ଘେନିଣ ଦ୍ରୋପତ ନୃପତ୍ୟେ

ଚାମର ଛତ୍ର ଆଲମ୍ବ ଘେନି ଶିଖଣ୍ଡୀ

ଧୃଷ୍ଟଦୃମନ ବେନି ଭ୍ରାଥେ।୧୯୮।

 

ଶଙ୍କୁନି ବୋଇଲା ଶୁଣ ବାବୁ ଦ୍ରିଯୋଧନ

ଦେଖ ଦେଖ ପାଣ୍ଡବଙ୍କର ମହିମା କୃତ୍ୟମାନ।୧୯୯।

ଦେଖିଣ ବିସ୍ମୟେ ହୋଇଲା କୁରୁରାଣ

ବାରାନିଧି ବଦନ ଗୋଟି କଲାକ ମଳିନ।୨୦୦।

ଭୀଷ୍ମ ଦ୍ରୋଣ ଭୂରିସର୍ବା ସଞ୍ଜୟେ ବିଦୁର

ୟେମାନଙ୍କର ଅନେକ ଉଷତ ଶରୀର।୨୦୧।

 

ଦ୍ରିଯୋଧନ ଶତେ ଭାଇ କର୍ଣ୍ଣ କୃପ ଶଲ୍ୟ ଅଶସ୍ତମା

ୟେମାନଙ୍କର ବିସ୍ମୟେ ଆକୁଳ ପଞ୍ଚୁ ଆତ୍ମା।୨୦୨।

ପାଣ୍ଡବଙ୍କର ସମ୍ପଦ ଦେଖି ଉଷତ ଶଙ୍କୁନି

ପିତୃକାର୍ଯ୍ୟ କରିବି ତ ମୁଂ ପାଣ୍ଡବନ୍ତ ଘେନି।୨୦୩।

ଥୋକାୟେ ଲୋକ ହରଷ ବିରସ ବହୁତ

ଗଙ୍ଗାକୂଳେ ୟେକ ପରବତ ନଇରତ।୨୦୪।

 

ସେ ପର୍ବତ ତଳେ ହୋଇଲେ ଭେଟାଭେଟି

ହାଥୀରୁ ଉତୁରିଲେ ଧର୍ମରାୟେ ଯୁଝେଷ୍ଠି।୨୦୫।

ସଇନି ବେନି ଭାଗ ହୋଇଗଲେ ଯୁଝେଷ୍ଠିନ୍ତ ଦେଖି

ସମସ୍ତ ଯୋଦ୍ଧାମାନେ ବାହାନନ୍ତ ଉପେକ୍ଷି।୨୦୬।

ନନ୍ଦିଘୋଷ ତେଜ୍ୟା କରି ଦେବହରି

ଯୁଝେଷ୍ଠିଙ୍କ ମୁଖଚାହିଂ ନମସ୍କାର କରି।୨୦୭।

 

ବଳରାମଙ୍କ ପଦ୍ମପାଦ ତଳେ ପ୍ରଣମି ଯୁଝେଷ୍ଠି

ତହୁଂ ନମସ୍କାର କଲେ ଯାଇ ରାଜା ଧୃତରାଷ୍ଟି।୨୦୮।

ଭୀଷ୍ମ ଦ୍ରୋଣ ଶଙ୍କୁନିଙ୍କୁ କରି ନମସ୍କାର

ଅଶସ୍ତମା କୃପ ଭୂରିସର୍ବା ଆବର।୨୦୯।

ୟେମାନଙ୍କୁ ନମସ୍କାର କଲେ ଧର୍ମସୁତ

ସମସ୍ତେ ବାଞ୍ଛା କଲେ ଆମ୍ଭର ଆଷ୍ୟ ଘେନି ବ୍ରତ।୨୧୦।

 

ଶତ୍ରୁ ମାରି ଉଭାହୁଅ ବାଞ୍ଛା ହୋଉ ସିଦ୍ଧ

ରାଜ୍ୟ ପ୍ରାପତ ହୋଉ କହିଲୁ ତୋତେ ସିଦ୍ଧ।୨୧୧।

ଶ୍ରୀହସ୍ତେ ଅର୍ଘ୍ୟ ଘେନି ଦ୍ରୋପତେଶ୍ୱର ରାଜା

ଧୃତିରାଷ୍ଟ ପଦ୍ମପାଦେ କଲା ଦିବ୍ୟ ପୂଜା।୨୧୨।

ଭୂରିସର୍ବାଙ୍କୁ ପୂଜା କରି ଭୀଷ୍ମ ଦ୍ରୋଣଙ୍କୁ

ଯେ ବିଧି ପୂଜା କଲା ଜ୍ୟେଷ୍ଠ ଅନୁକ୍ରମଙ୍କୁ।୨୧୩।

 

 

ସୁବିଧାନ କଥା କହନ୍ତି ସମସ୍ତ

କୁଶଳ ବାରତା ପଚାରନ୍ତି ଦ୍ରୋପତ ନୃପତ୍ୟ।।୨୧୪

ସର୍ବକୁଶଳ କହନ୍ତି ଯେ ଯାହାର ଆନନ୍ଦେ

ହେଠମାଥ ହୋଇ ବସିଲା ମାନ ଯେ ଗୋବିନ୍ଦେ।୨୧୫।

ଦୁର୍ଜୟେ ଆଦି କରି ଗାନ୍ଧାରୀ ପୁତ୍ରମାନେ

ଭୀମସେନକଇ ଦେଖି ହେଠ ବଦନ ଅଭିମାନେ।୨୧୬।

 

ଶଙ୍କୁନି ବୋଇଲା ହୋ ତୁମ୍ଭେ ଯେ ହୁଅ ବଡ଼ ଦୁଷ୍ଟ

ହାରିବା ଜିଣିମା କ୍ଷତ୍ରୀବୃତ୍ତି ଅଟଇ ପରମ ଯେ କଷ୍ଟ।୨୧୭।

ସମାର୍ଜି ଦ୍ରୋପତେ ଯେ ନିଲେ ନିଜ ପୁରେ

ଆସ୍ତାନେ ଦ୍ରିଯୋଧନ ବିଜୟେ ସମ୍ଭରେ।୨୧୮।

ବାହାନ ଉପେକ୍ଷି ବିଜୟେ ଶ୍ରୀରାମକୃଷ୍ଣେ

ସଞ୍ଜୟ ବିଦୁର ଆବର ଧୃତିରାଷ୍ଟେ।୨୧୯।

 

ଭୀଷ୍ମ ଦ୍ରୋଣ ଭୂରିସର୍ବା କର୍ଣ୍ଣ ଶଲ୍ୟ ଅଶସ୍ତମା

ବାହୁକ ସୋମଦତ୍ତ ଶଙ୍କୁନି କୃପ ବ୍ରହ୍ମା।୨୨୦।

ଆସ୍ତାନ ମଧ୍ୟେ ବସିଲେ ସର୍ବ ଯୋଦ୍ଧୀ

ଯୁଝେଷ୍ଠି ପୂଜା କଲେ ଯାହାକୁ ଯେହ୍ନେ ବିଧି।୨୨୧।

ଯେ ଯାହାର ଅନରୂପେ ମାନନା ଅପାର

ଦ୍ରିଯୋଧନ କାହାକୁ ହିଂ ନ କଲା ନମସ୍କାର।୨୨୨।

 

ମୂର୍ଖପଣେ କାହାକୁ ହିଂ ନମସ୍କାର ନାହିଂ

ଅନେକ କୁଶଳ ବାରତା ହେଲେ କୁହାକୁହି।୨୨୩।

ଧୃତିରାଷ୍ଟ କୋଳ କରି ନିଲେ ଯୁଝେଷ୍ଠିଙ୍କି

ବାବୁ ତୁମ୍ଭନ୍ତ ପରମାଦ ଶୁଣି ମୁଂ ଦୁଗୁଣେ ନିରିମାଖି।୨୨୪।

କହୁଂ କହୁଂ କ୍ରୋଧଭର ନୃପତି ଧୃତରାଷ୍ଟି

ପ୍ରବୋଧନା କରନ୍ତି ଧର୍ମରାୟେ ଯୁଝେଷ୍ଠି।୨୨୫।.

 

ସ୍ୱାମୀ ଜଦୁର ଘର ଯେତେବେଳେ ହୋଇଲା ଦହନ

ପଳାଇ ପଶିଲୁ ଯାଇଂ ମହାଘୋର ବନ।୨୨୬।.

ବହୁତ ଦୁର୍ଗମେ ଯେ ପଶିଲୁ ଅମାର୍ଗ ମାର୍ଗେ

ବନ ଜୀବଜନ୍ତୁ ଦେଖି କ୍ରୀଡ଼ିଲୁ ଅନେକ ରଙ୍ଗେ।୨୨୭।

ବଜ୍ରକପଚର ବଂଶିକ ଅସୁର ଚାରି ବୀରା

ମେଦିନୀ ସହୁ ନଥିଲା ତାହାଙ୍କର ଭାରା।୨୨୮।

 

 

କୁମ୍ଭାରୀ କିନ୍ନରୀ ବକ ହିଡିମ୍ବୀକା

ଚାରି ଦତ୍ୟ ମାଇଲା ଦେବ ଭୀମସେନ ୟେକା।୨୨୯।

ଅଙ୍ଗାରପନ୍ନଙ୍ଗକୁ ଜିଣିଲା ଫାଲଗୁନି

ପୂଜା କଲା ବିଦ୍ୟାଧର ବହୁତ ଶସ୍ର ଘେନି।୨୩୦।

ୟେ ସୟମ୍ବର ନିମନ୍ତେ ଦ୍ରୋପତ ନୃପତ୍ୟ

ଗଉତମୀ ତୀର୍ଥେ କଲା ସବୁରି ନିମନ୍ତ।୨୩୧।

 

ଆମ୍ଭେ ଥିଲୁ ଦେବ ଗଉତମୀ ତୀର୍ଥେ

ୟେଥକୁ ଅଇଲୁ ସୟମ୍ବର ଦେଖିବା ନିମନ୍ତେ।୨୩୨।

କର୍ମେଣ ଦେବ ଲାଖ ବିନ୍ଧିଲା ବୀର ପାଥ

ଦୁଷ୍ଟ ରାଜାୟେ ମିଳି ୟେଥକୁ କଲେକ ଅନର୍ଥ।୨୩୩।

ଧୃତିରାଷ୍ଟ ବୋଇଲେ ବାବୁ ତୁମ୍ଭର ଦେଖିଲି

ଅନେକ ସାନନ୍ଦେ ମୁହିଂ ନିସ୍ତରିଲି ନିସ୍ତରିଲି।୨୩୪।

 

ରାଜ୍ୟେଣ ଉଚ୍ଛବ କରାଇ ଦ୍ରୋପତ

ମୁଣୋହିଂ ଯୋଗାଡ଼ମାନ କରନ୍ତି ପରମ ସାନନ୍ଦ।୨୩୫।

ସ୍ନାହାନ ଯୋଗାଡ଼ ବୀରମାନନ୍ତ ଦିଲେ

ସୁଗନ୍ଧ ତଇଳ ଘେନି ଗଙ୍ଗାରେ ସ୍ନାହାନ ଯେ କଲେ।୨୩୬।

ଅମୃତ ଯୋଗାଡ଼ମାନ ସଞ୍ଚିଲେ ମିଳି ସୂପକାରେ

ମୁଣୋହିଂରେ ବିଜେ କଲେ କୃଷ୍ଣବଳେବରେ।୨୩୭।

 

ପାରିଦଣ୍ଡ ରାଜାମାନନ୍ତ ଘେନି ଧୃତିରାଷ୍ଟେ

ମୁଣୋହିଂରେ ବିଜେ କଲେ ସକଳ ବଳିଷ୍ଠେ।୨୩୮।

ଗଣ୍ଡା ହରିଣ ମୃଗ ମାୟେଂସ ଭୋଜୀ

ପରଷନ୍ତି ତୁଲାଇ ଯେହୁ ଯେତେକ ଭୁଞ୍ଜି।୨୩୯।

ଭୁଞ୍ଜିଣ ସଇନି ଯେ ଅନେକ ତ୍ରିପୁତି

ହାସ୍ୟ ଲାସ୍ୟ ପରିହାସ୍ୟେ ସୂପକାରେ ପରଷନ୍ତି।୨୪୦।

 

ଶାକ ମୁଗ ବ୍ୟଞ୍ଜନ ଆବର ବ୍ରୀହି ବଡ଼ା

ମଧୁ ରୁଚି ଛେନା ମିଶ୍ରିତ ଝରା ବଡ଼ା।୨୪୧।

ପାଚକ ମଧୁର ଘୃତ ମାୟେଂସ ଭଜା

ପୁତନ୍ତ ଘେନି ପରଷନ୍ତି ଦ୍ରୋପତେଶ୍ୱର ରାଜା।୨୪୨।

ଆମିଷ ନିରାମିଷ ସେ ଆମ୍ବିଳ ଅଲେଖ କାଞ୍ଜି

ବିଶାଶତେ ମେଞ୍ଜନ ଘେନି ସମସ୍ତେ ତ୍ରିପୁତି ହୋଇ ଭୁଞ୍ଜି।୨୪୩।

 

ପିଠାର ମହିମାମାନ କହିତେ କି ପାରି

ଘୃତ ମଧୁରେ ସେ ଅମୃତ ରସ ସରି।୨୪୪।

ବହୁତ ଗୋରସ ପରଷନ୍ତି ଆଣି

ଭୁଞ୍ଜିଣ ତ୍ରିପୁତି ହୋଇଲେ ନୃପମଣି।୨୪୫।

ଆଞ୍ଚୋବନ କଲେ କରେ ଘେନି ରତ୍ନଝରୀ

ସୁବାସିତ ନୀର ଦିଲେ ସମ୍ଭର୍ବ ଯେ କରି।୨୪୬।

 

ସୁବର୍ଣ୍ଣ ଖଡ଼ିକା ଦିଲେ ଦନ୍ତଖୁଣ୍ଟା କାଠି

ବହୁତ ପ୍ରଶଂସିଲେ ନୃପତି ଧୃତରାଷ୍ଟି।୨୪୭।

ଧୃତିରାଷ୍ଟେ ବୋଇଲେ ଦ୍ରୋପତ ମହିମା ତୋର ସାଧୁ ସାଧୁ

ଧନି ଧନି ମହିମା ତୋହୋର ଦୁହିତା ଯେ

ଆମ୍ଭର କୁଳବଧୂ।୨୪୮।

ବହୁତ ତ୍ରିପୁତି ଆମ୍ଭେ ହୋଇଲୁ ପଞ୍ଚାଳ

ୟେହି ସଦିଭାବ ତୋହୋର ପୁଅଙ୍କୁ ମୋର

ଥାଉ ସର୍ବକାଳ।୨୪୯।

 

ଦ୍ରୋପତର ମହିମା କହଇ ଦ୍ରିଯୋଧନ

ଭୋ ତାତ ଆମ୍ଭର ୟେକ ରାଜ୍ୟର କିସ ସନ୍ୟ।୨୫୦।

ଲକ୍ଷେ ରାଜା ସନ୍ୟ ଘେନି ରହିଲେ ଷୋଳଦିନ ପରିଯନ୍ତେ

ସବୁନ୍ତି ଯୋଗାଡ଼ ଦେଉଥିଲା ୟେହି ମତେ।୨୫୧।

ସାଧୁ ସାଧୁ ଦ୍ରୋପତ ମହିମା ତୋର ଧନି ଧନି

ୟେତେ ମହିମା କରିବାକୁ ନାହିଂ ନା ମେଦିନୀ।୨୫୨।

 

ଦ୍ରୋପତ ହୋଇଲେ ବହୁତ ଭଗତିମାନ୍ୟ

ପଞ୍ଚାଳ ଦେଶେ ରହିଲେ କୁରୁପତି ଆଠଦିନ।୨୫୩।

ଯୁଝେଷ୍ଠି ଭୀମ ଅର୍ଜୁନ ନକୁଳ ସହଦେବ

ପୁତ୍ରନ୍ତ ଘେନି ରାଜା ହସ୍ତିନାକୁ ସଜ କଲା ସର୍ବ।୨୫୪।

ଅନେକ ସମ୍ଭର୍ବେ ରାଜା ଥାଠ ଯେ ପଲାଣି

ଅନ୍ତେଶ୍ୱରେ ଥାଇ ଉତ୍ତର ଦିଲେ

କୋନ୍ତଭୋଜର ଦୁଲଣୀ।୨୫୫।

 

ପୁଅନ୍ତ ଘେନି ମୋହୋର ଯିବେ ୟେବେ ହସ୍ତିନାକୁ

କାଳେ ସମ୍ଭାଳି ନୁଆରିବେ ୟେ ମୋହୋର ପୁତ୍ରଙ୍କୁ।୨୫୬।

ପୁରଞ୍ଜନ ପଣ୍ଡାଙ୍କୁ ଘେନି ଯେବଣ କୂଟ

ଘରେକ ଭିଆଇଲେ ଜଉ ସଜଳସ

ଗୁଆ ଘୃତ ଛଣପଟ।୨୫୭।

ରାତ୍ରକାଳେ ସେ ପୁରଞ୍ଚନ ଜୁଇ ଲଗାଇଲା

ପରକୁ ହିଂସା କରି ସେ ଆପଣେ ନାଶଗଲା।୨୫୮।

 

ଧର୍ମେଣ ପାରିହୋଇ ପଳାଇଲୁ ଝାତି

ପୁଅନ୍ତ ଘେନି ମୁହିଂ ତହିଂ ରାତ୍ରେ ନାଶ ଯାଇଥାନ୍ତି।୨୫୯।

ଧୃତିରାଷ୍ଟ ବୋଇଲା ମା ଗୋ ନ ଧର ସେମାନ

ଯେ ୟେହା ସଞ୍ଚିଲା ସେ ହୋଇଲା ନାଶପାନ।୨୬୦।

ଧର୍ମହିଂ ସେ ବର୍ଦ୍ଧୁତ ମା ଗୋ ଚାରିଯୁଗେ

ଧର୍ମଥିଲା ପ୍ରାଣୀ ପାରି ହୁଅନ୍ତି ଶୁଭ ଯୋଗ।୨୬୧।

 

ପାଞ୍ଚଳୀ ଘେନି ଗୋ ରଥେ ବିଜେ କର

ମୂର୍ଖପୁଅଙ୍କର ମା ଗୋ ଦୋଷ ଯେ ନଧର।୨୬୨।

ଯୁଝେଷ୍ଠି ବୋଇଲେ ମା ଗୋ ଧୃତିରାଷ୍ଟ ଥିବା ପାୟେ

ଦ୍ରିଯୋଧନ କଥାକୁ କିସ ଅଭିମାନ ମାୟେ।୨୬୩।

ଯୁଗତେ ଗରବେଶ୍ୱର ବାଳୁତ ବୟସ

ଯେ ଯାହା ବୋଲଇ ସେ ସେହି କଥାରେ ବଶ।୨୬୪।

 

ମାଆନ୍ତ ପ୍ରବୋଧନା କରନ୍ତି ଧର୍ମ ଶିଷ

ଶୁଭ ମଙ୍ଗଳ ଯୋଗେ ମା ଗୋ ବିମାନେଣ ବସ।୨୬୫।

ଆକାଶୁଂ ପୁଷ୍ୟେକ ବିମାନ ଆଣିଲା ମାତଳି

ଦେବ ରଥେ ଆରୋହିଲେ କୋଇନ୍ତାୟେ ପାଞ୍ଚାଳୀ।୨୬୬।

ମାୟେ ଅର୍ଘ୍ୟ ଦିଲେ ପାଞ୍ଚାଳୀର ଶିରେ

ଅନେକ ବାଗେଣ ଖଟିଥିବ ସ୍ୱାମୀଙ୍କ ପୟରେ।୨୬୭।

 

ମା ଗୋ ପ୍ରତକ୍ଷେ ନିରଞ୍ଜନୀ ମାନୁଷ ଅବତାର

ୟେକା ଦୁହିତା କୋଟିୟେ ପୁରୁଷ ମୁକତ କଲୁ ମୋହୋର।୨୬୮।

ଧୃଷ୍ଟଦୃମନ ଶିଖଣ୍ଡୀ ବେନି ଭାଇ

କେଶିନୀ ମୁଦୁସୁଲୀ ତୁଲେ ଥାଉଂ ଯାଇ।୨୬୯।

ଅନେକ ସାନନ୍ଦ ପାଞ୍ଚାଳ ରାଜନ

ଶତେ ରଥେ ପୂରୋଇଲା ପାଣି ଦ୍ରବ୍ୟମାନ।୨୭୦।

 

ମର୍ଭୂତେକ ରଥ ବେନି ମର୍ଭୂତ ହାଥୀ

ପାଞ୍ଚବୃନ୍ଦ ତୁରଙ୍ଗମ ତିନିକ୍ଷଉଣୀ ପାଦାନ୍ତି।୨୭୧।

ପାଟଛତ୍ର ଉଦଣ୍ଡ ଉଲାଖ ୟେକ ଲକ୍ଷି

ଚଉଦ ଲକ୍ଷ ଆଲମ୍ବ ଦ୍ରୋପତ ଦିଲା ଲେଖି।୨୭୨।

ବାଜଣାମାନନ୍ତ ବେନି ବୃନ୍ଦ ସାଜି

ମହୀ ହାନ୍ଦୋଳଇ ଘୋର ବାଜଣା ଶବଦ ବାଜି।୨୭୩।

 

ଲକ୍ଷେ ଗାଈ ଦିଲା ଦୁହାଂଳ ବତ୍ସା ଧେନୁ

ସଙ୍ଗେ ସମର୍ପିଲା ଶିଖଣ୍ଡୀ ନାମେ ତନୁ।୨୭୪।

ଲକ୍ଷେକ ପରିବାରୀ ଘେନିଣ ମୁଦୁସୁଲୀ କେଶିନୀ

ସନ୍ନିଧେ ସୁନ୍ଦରୀ ଖଟନ୍ତି ଯିଘ୍ନସେନୀ।୨୭୫।

କୁମ୍ଭ ମାସ ପୂର୍ଣ୍ଣମୀ ଅନ୍ତେ ଚଉଠୀ

ଶଉରୀ ବାର ସ୍ୱାତୀ ନକ୍ଷତ୍ର ବେଳ ବେନି ଘଟି।୨୭୬।

 

ବେନି ଘଡ଼ି ଉତ୍ତାରୁ ବୃହସ୍ପତିଙ୍କର ବେଳା

ହରଷଣ ନାମେ ଯୋଗ କରଣ ବାଣିଜ୍ୟ ହୋଇଲା।୨୭୬।

ମୀନ ଲଗ୍ନେ ତହିଂ ପାପଗ୍ରହ କିଛି ନାହିଂ

ଦୁତୀୟେ ବୃହସ୍ପତି ଚଳିଲେ ରଥ ବାହି।୨୭୮।

ପାଞ୍ଚାଳ ଦେଶୁଂ ଚଳଇ ସଇନି

ଅନେକ ସ୍ତିରୀଜନେ କଲେ ମଙ୍ଗଳ ଧୁନି।୨୭୯।

 

ଅମୃତ ଲଗ୍ନ ବେଳେ ଚଳିଲେ ଥାଠ ଗୋଟି

ଦଣ୍ଡ ଘେନି ଦ୍ରୋପତ ଆସଇ ପାଛୋଟି।୨୮୦।

ଗନ୍ଧର୍ବ ନଦୀ ବହଇ ସତୁରୀ ଯୋଜନ

ତହିଂ ପରିଯନ୍ତେ ଗଲେ ପଞ୍ଚାଳ ରାଜନ।୨୮୧।

 

ତହୁଂ ମିଳିଲେ ଗନ୍ଧମାର୍ଦ୍ଦନ ପର୍ବତ ନିକଟେ

ରଥୁଂ ଓହ୍ଲାଇଲେ ନୃପତି ଧୃତିରାଷ୍ଟେ।୨୮୨।

କୋଳ କଲେ ଧୃତିରାଷ୍ଟେ ଦ୍ରୋପତ ରାଜାଙ୍କୁ

ଭୋ ସମୁଧି ଗତ ଦୋଷମାନ ନ ଧରିବୁ ମୋହୋର ପୁତ୍ରଙ୍କୁ।୨୮୩।

ବାଳୁତ ଅଗ୍ୟାଂନ ତାହାଙ୍କର କିସ ବୁଦ୍ଧି

ଦ୍ରୋଣଙ୍କ ବଚନେ ତୋତେ ହୋଇଲେ ଅପ୍ରାଧି।୨୮୪।

 

ଅର୍ଜୁନ ତୋହୋର ଯେଣୁ ହୋଇଲା ଜାମାତା

ସେ ସମସ୍ତ ଗଲା ଅର୍ଜୁନ ଦେଖନ୍ତା।୨୮୫।

ଦୁହିତାକୁ ତୋହୋର ତିଆରସି ରାୟେ

ଦୋଷ ନଧରିବ ମୋହୋର ମୂର୍ଖ ଯେ ତନୟେ।୨୮୬।

ଦୋଷ ଉପେକ୍ଷିବା ଦଶ ବେଳ ପରିଯନ୍ତେ

ତହୁଂ ତେଣିକି ଭୁଞ୍ଜିବେ ଯେ ଯାହାର ଲିଖିତେ।୨୮୭।

 

ଦ୍ରୋପତ ବୋଇଲେ ସେ ପରମ ମାହେଶ୍ୱରୀ

ସର୍ବଗ୍ୟଂ ସତୀ ସେ ତାହାକୁ କିସ ମୁଂ ତିଆରି।୨୮୮।

ବାହୁଡ଼ି ଯାଅସି ସମୁଧି ନିଜ ରାଜ୍ୟେ

ତୁଲେଣ ଯାଆନ୍ତୁ ତୋର ବେନି ଯେ ଆତ୍ମଜେ।୨୮୯।

ଚଳନ୍ତି ଦ୍ରୋପତ ସମସ୍ତଙ୍କୁ କଲ୍ୟାଣ କରି

ଜଣେ ଜଣେ ତିଆରଇ ସବୁରି ହାଥ ଧରି।୨୯୦।

 

ଗନ୍ଧର୍ବ ନଦୀ ତୀରୁଂ ବାହୁଡ଼ଇ ନୃପତି

ଚଳିଲେ କୁରୁନାଥ ହୋଇ ଦକ୍ଷିଣ ମୂରତି।୨୯୧।

ମେଷ ମାସ ଶୁକ୍ଳ ପକ୍ଷ ତୃତୀୟା ଗୁରୁବାର

ରୋହିଣୀ ନାମ ନକ୍ଷତ୍ରେ ଭୋଗ ସେ ଦିନର।୨୯୨।

ଗର ନାମେ କରଣ ଶୁଭ ନାମେ ଯୋଗ

ରୋହିଣୀ ନକ୍ଷତ୍ରେ ଚନ୍ଦ୍ର ଚାରି ଦଣ୍ଡେ ଭୋଗ।୨୯୩।

 

ପ୍ରଥମ ତିନିଦଣ୍ଡରେ ବୃହସ୍ପତିଙ୍କ ବେଳା

ବୃଷ ଲଗ୍ନେ ନାହିଂ ପାପ ଗ୍ରହ କଳା।୨୯୪।

ମାହେନ୍ଦ୍ର ଯୋଗ ବାରି ଶୁଭ ଅନକୂଳେ

ହସ୍ତିନା ରାଜ୍ୟେ ପ୍ରବେଶ ଶୁଭମଙ୍ଗଳ ବେଳେ।୨୯୫।

ଦେଖିଣ ରାଜ୍ୟ ଲୋକେ ହୋଇଲେ ଆନନ୍ଦ

ହୁଳହୁଳି ଦ୍ୟନ୍ତି ସାତ ନାରୀବୃନ୍ଦ।୨୯୬।

 

ଯୁଝେଷ୍ଠି ବୋଇଲେ ତାତ ଆମ୍ଭେ ବାରୁଣାବନ୍ତେ ଥାଉଂ

ପରିମଳ ଭୂମିରେ ଯେ ଆମ୍ଭେ ୟେଥି ରହୁଂ।୨୯୭।

ଧୃତିରାଷ୍ଟ ବୋଇଲେ ବାବୁ ନ ବୋଲ ୟେମନ୍ତ

ୟେକ ଆତ୍ମା ହୋଇଥିବ ପାଞ୍ଚଉତ୍ତର ଶତେ ଭ୍ରାଥ।୨୯୮।

ବାବୁ ଅନେକ ହିଂସା ଅପବାଦ କରିଥିଲୁ

ଦହନ ବାରତା ଶୁଣି ଅନେକ ବିକଳ ହୋଇଲୁଂ।୨୯୯।

 

ହେ ପଣ୍ଡିତ ଜନେ ପରିମାଣି ବୁଝିବା

ସୋଦରେ ହିଂସା ଅପବାଦ ନ କରିବା।୩୦୦।

ପୁଅନ୍ତ ସମାର୍ଜି ନୃପତି କୁରୁବୀରେ

ପ୍ରବେଶ ହୋଇଲେ ଯାଇଂ ହସ୍ତିନା ନବରେ।୩୦୧।

ପୁରଜନମାନେ କଲେ ହାହାକାର ଧୁନି

କାହିଂ ଗୋପ୍ୟ ହୋଇଥିଲେ ୟେ କାୟାମାନ ଘେନି।୩୦୨।

 

ଅନେକ ମଙ୍ଗଳ ଜୟ ଜୟ ଧୁନି ତୋଳି

କାମିନୀଗଣମାନେ ଦିଅନ୍ତି ହୁଳହୁଳି।୩୦୩।

ନିଜ ନବରେଣ ପ୍ରବେଶ ତଡ଼ତି

ଅର୍ଘ୍ୟ ଘେନି ବାହାର ହୋଇଲେ ଭାନୁମତୀ।୩୦୪।

ଦ୍ରୋପତୀଙ୍କ ଶିରେ ଅର୍ଘ୍ୟ ଯେ ବନ୍ଦାଇ

ଶତ ସହସ୍ର ଦଣ୍ଡ ପ୍ରଳମ୍ବିତ ହୋଇ।୩୦୫।

 

ଅନେକ ମଙ୍ଗଳ ଯେ କରଇ ଭାନୁମତୀ

ଅନେକ ରତ୍ନ ଯୋଗାଡ଼ ପାଇଲେ ଦ୍ରୋପତୀ।୩୦୬।

ହସ୍ତିନା ନଗ୍ରର ପଛିମ କତିଆଡ଼େ

ରହିଲେ ପାଣ୍ଡବେ ପୁଷ୍ୟାନଦୀ କଇଛାଡ଼େ।୩୦୭।

ଯୁଝେଷ୍ଠି ଦେବଙ୍କୁ ଆସ୍ତାନକୁ ଅଣାଇଂ

ଆସ୍ତାନେ ବିଜେ କରିଛନ୍ତି କୁରୁସାଇଂ।୩୦୮।

 

ସଭାୟେଣ ବାସୁଦେବ ବଚନ ପରକାଶି

ଆହୋ ଦ୍ରିଯୋଧନ ପାଣ୍ଡବଙ୍କୁ ସମ୍ଭାଳି ଥାଅସି।୩୦୯।

ୟେହାହୁଂ ସୋଦର ତୋତେ ନାହିଂଟି ଆନ ଜଣ

ସୋଦର ସମ୍ଭାଳିଲେ ଆପଣାର ଅନେକ ହୋଇ ପୁଣ୍ୟ।୩୧୦।

ତୁ ଯେବେ ପାଣ୍ଡବଙ୍କୁ ନ ସମ୍ଭାଳିବୁ ନୃପତି

ତୁମ୍ଭଙ୍କୁ ସଂସାରେ ଯେ ହୋଇବ ଅପଖ୍ୟାତି।୩୧୧।

ପାଣ୍ଡବେ ତ ନାଶ ନୋହନ୍ତି ଚାରି ଯୁଗେ

ୟେହା ପରିମାଣି ତୁମ୍ଭେ ଥାଅ କଉରୋବେ।୩୧୨।

ଦ୍ରିଯୋଧନ ବୋଇଲା ସ୍ୱାମୀ ଶୁଣ ଦେବହରି

ତୋହୋର ଆଜ୍ଞା ଭ୍ରଷ୍ଟ କଲେ ନିଶ୍ଚେଂ ସେହୁ ମରି।୩୧୩।

ସବୁନ୍ତି ତିଆରିଲେ ଦେବ ଜଗନ୍ନାଥେ

ଦ୍ୱାରକା ଭୁବନକୁ ବିଜୟେ ବେନି ଭ୍ରାଥେ।୩୧୪।

 

ନନ୍ଦ ବସୁଦେବ ପଚାରନ୍ତି ସର୍ବ କଥା

କହିଲେ ଯେ ରାମକୃଷ୍ଣ ପାଣ୍ଡବଙ୍କ ବାରତା।୩୧୫।

ପାଣ୍ଡବେ ଦ୍ରିଯୋଧନର ଅନେକ ପୀରତି

ଭୋଜନେ ଶୟନେ ଅଭେଦ ଦିନ ରାତି।୩୧୬।

ଛାଡ଼ିଲେ ହିଂସା ଅପବାଦମାନ

ବଢିଲା ପୀରତି ଅଭେଦ ଦିନୁ ଦିନ।୩୧୭-୧୨୧୧୩।

 

ମାଳତୀ ଶବରୀ ଉପାଖ୍ୟାନ

ଜୟ ତୁ କେଶବ ନାରାୟଣ ଶବରୀ

ବନଚାରୀ ରୂପେ ଅଟବୀ ବିନୋଦ କରି।୧।

ଅଜମୀଢ କିରାତର ଦୁହିତା ମାଳତୀ

ତାହାକୁ ବିଭା ହୋଇ କିରାତ ଚକ୍ରବ୍ରତୀ।୨।

ସ୍ୱାମୀ ମଉଳିରେ ଶୋଭାବନ ଖାଙ୍କର କବେରୀ

ଗୁଞ୍ଜରା ଗରଗଡ଼ା ମାଳି ଲଲାଟେ ଟୋପରି।୩।

 

ଶିରେ ସୁନାରି ପୁଷ୍ପ ଝଲକନ୍ତି ସୀମନ୍ତିନୀ

କଣ୍ଠେ ଗରଗଡ଼ ମାଳି କର୍ଣ୍ଣେଣ ସ୍ଫଟିକ କୁଣ୍ଡଳ ବେନି।୪।

କେୟୁର ଆରକତ ଶୋଭିତ କର୍ଣ୍ଣାଞ୍ଚଳ

ଅଧର ଉଡ଼ଙ୍ଗ ପ୍ରଳମ୍ବ ଗଣ୍ଡସ୍ଥଳ।୫।

ଅହୋ ଜାଲି ବସନ ଆଭରଣ ହୃଦଗତେ

ମୟୂର ପୁଚ୍ଛ ବାହୀ ଶୋଭିତ ବେନି ହାଥେ।୬।

 

ଲୋହିତ ବର୍ଣ୍ଣ ଚଛୁ ଜୁଲୁଜୁଳା ପୋକ ଚିତା

ଲଲାଟେ କିଂଶୁକ ପୁଷ୍ୟ କମଳ ଦଳ ପବିତ୍ରା।୭।

ଝୀଙ୍କ ପନ୍ଥୀ ଖଣ୍ଡିତ ହୃଦେ ବନମାଳା

ରଙ୍ଗରସ ପାନେ ଅଭୟେ ମତ୍ତ ଭୋଳା।୮।

ମତ୍ତାଳ ନାଟ ଦେବ ଘୋ ଘୋ ଶବଦେ

କ୍ରୀଡ଼ନ୍ତି ବିହଡ଼ନ୍ତି ଦେବୀ କିଳିକିଳା ବ୍ରତନାଦେ।୯।

 

ଶାର୍ଦ୍ଦୋଳ ଚର୍ମ ମେଖଳି ପରିହରଣ କର୍ପଟୀ

ଶୁଦ୍ଧ ସ୍ଫଟିକେଣ ଭୂଷଣ ମୟୂର ଝଲକନ୍ତି।୧୦।

ରଙ୍ଗେ ବିହଡ଼ନ୍ତି ମାଳତୀ ଶବରୀ

ଗଣ୍ଡା ଜୀବ ମାରି ଝାଡ଼ ମୃଗ ହେରି।୧୧।

କର୍ଣ୍ଣାଞ୍ଚଳେ ବିହଙ୍ଗମ କଣ୍ଠେ ନୀଳକଣ୍ଠ ପନ୍ଥୀ

ଘଟିତ ବକ୍ଷସ୍ଥଳେ ରସାଣେ ତାରାପକ୍ଷୀ।୧୨।

 

ପାଦେ ନୁପୂର ଗଣ୍ଡସ୍ଥଳେ କୁଣ୍ଡଳ ଲୁଳି

ଝଲ ଝଲିତ ମର୍କତ ପାବନ କରଥଳୀ।୧୩।

ମାଳତୀ ଶବରୀ ବଲ୍ଲଭ ନାରାୟଣ

ଶୂଦ୍ରମୁନି ସାରୋଳାଦାସ ଶ୍ରୀକୃଷ୍ଣ ଚରଣେ ଶରଣ।୧୪-୧୨୧୨୭।

 

ହରିଜନ୍ମ ବ୍ରତ

ମନୁ ପଚାରିଲେ ଶୁଣ ମହାମୁନ୍ୟ

ଯୁଝେଷ୍ଠି ରହିଲେ ବାରୁଣାବନ୍ତ ସ୍ତାନ।୧।

ଧୃତିରାଷ୍ଟ ଗଲେ ଯେ ହସ୍ତିନା ନବରେ

ଯୁଝେଷ୍ଠି କଦାଚିତେ ହସ୍ତିନା ନ ଗଲେ।୨।

ମାତା ଆଦି ନିଶ୍ଚିନ୍ତେ ରହିଲେ ସପ୍ତଜଣ

ସକଳ ସମ୍ଭାର ମାନ ରଖି ସେ ସ୍ତାନେଣ।୩।

 

ବଇବସୁତ ମନୁ ପୁଚ୍ଛା କଲେ ଅଗନ୍ତିଙ୍କି

କଥାୟେ ପୁଚ୍ଛିବି ହେ କହିବାକ ବ୍ରହ୍ମ ବାକି।୪।

ପନ୍ନଙ୍ଗାନାରାୟଣ ସେ ଯେ ଅଟଇ ମାନଗୋବିନ୍ଦ

ଲକ୍ଷ୍ମୀ କେବଣ ବାଗେ ବିଜେ କଲେ ତାହାଙ୍କର କନ୍ଧ।୫।

ୟେ କଥା ମୁନି ମୋତେ କହିବା ବିସ୍ତାରି

ତବ ମୁଖୁଂ ଶୁଣିଲେ ଯେ ଦୁସ୍ତରୁ ହେବି ପାରି।୬।

 

ଶୁଣ ହେ ମନୁପୁରୁଷ ବଦୟନ୍ତି ଅଗନ୍ତି

ୟେ କଥା ଶୁଣିମାକୁ ତୁହି ସେ ଶକତି।୭।

ସିଙ୍ଘମାସ କୃଷ୍ଣପକ୍ଷ ଅଷ୍ଟମୀ ଯେ ତିଥି

ରୋହିଣୀ ନାମେ ନକ୍ଷତ୍ର ବାର ବୃହସ୍ପତି।୮।

ବୃଷ ଘରେ ଶଶଧର ଭୋଗ ଯେ କରନ୍ତି।୯।

 

ସେହି ଦିନ ହସ୍ତିନା ସଭା ଯେ ଆସ୍ତାନରେ

ଭୀଷ୍ମ ଦ୍ରୋଣ କର୍ଣ୍ଣ ଭୂରିସର୍ବା ସଞ୍ଜୟେ ବିଦୁରେ।୧୦।

ଧୁଶାସନ ଦୁର୍ଧକ୍ଷ ଦୃକର୍ଣ୍ଣ ସହିତେ

ବସିଣ ବିଚାର ୟେ ଯେ କରନ୍ତି ସମସ୍ତେ।୧୧।

ଚାଲଯିବା ଦ୍ୱାରିକାକୁ ଦେଖିବା ହରିଜନ୍ମ ବ୍ରତେ।୧୨।

ୟେମନ୍ତ ବିଚାରି ବାହାରିଲେ କୁରୁବଳ

ଯାଇଂଣ ମିଳିଲେ ସେ ଦ୍ୱାରକା ମଣ୍ଡଳ।୧୩।.

 

ଦେଖିଣ ନାରାୟଣ ସୋମବଂଶ ଆଧିପତି

ଆସ୍ତାନେ ବସାଇ ମହାମାନନା କରନ୍ତି।୧୪।

ଅଛନ୍ତି ଯଦୁବୀରେ ସମସ୍ତ ଉଭାରି

ଆସନେ ବସାଇ ନାରାୟଣ ବଚନ ପଚାରି।୧୫।

କେଉଣ କାରଣେ ତୁମ୍ଭର ଥାଠ ତ ଗହନ।୧୬।

 

କହନ୍ତି ଭୀଷ୍ମେ ତୁମ୍ଭର ହରିଜନ୍ଣ ବ୍ରତ ଶୁଣି

ଦେଖିବାରେ ଅଇଲୁ ଆମ୍ଭର ମନେ ଗୁଣି।୧୭।

ୟେହା ଶୁଣି ଶ୍ରୀହରି ରାତ୍ରେକ ରୁହାଇଲେ

ସେ ରାତ୍ରେ ଜନ୍ମାଷ୍ଟମୀ ଉପବାସ କଲେ।୧୮।

ପ୍ରଭାତୁଂ ଉଠିଣ ସେ ଯେ ସମସ୍ତ କୁରୁବୀର

କମଳାଙ୍କର ଦୃଷ୍ଟି ପଡ଼ିଲା ଯେ ମାନଗୋବିନ୍ଦ ଉପର।୧୯।

 

ମୂର୍ଚ୍ଛି ନ ପାରିଲେ ସେ ଦେବୀ ଦେଖିଣ ଧୃତିରାଷ୍ଟି

ୟେସନେକ ଗୁଣବନ୍ତ ଶ୍ରୀବନ୍ତ ପୁରୁଷ କ୍ଷିତିରେଣ ଅଛି।୨୦।

ୟେହାର କନ୍ଧରେ ମୁଂ କେମନ୍ତେ କରିବି ବିଜୟେ

ୟେତେକ ବୋଲି କମଳା ମନେ ବିଚଳିତ ହୋୟେ।୨୧।

ୟେମନ୍ତେହେଂ ତହିଂ କେତେହେଂ ଦିନ ଗଲା

ଦିନକୁ ଦିନ ମହାଲକ୍ଷ୍ମୀଙ୍କର ତନୁ କ୍ଷୀଣ ଯେ ହୋଇଲା।୨୨।

 

ୟେକ ଦିନେ ୟେକାନ୍ତେ ବସିଣ କମଳାଙ୍କୁ ସରସ୍ୱତୀ ବାକି

ସରସ୍ୱତୀ ପଚାରନ୍ତି ସଙ୍ଗାତ ଚିତ୍ତ ଅନ୍ତର କାହିଂକି।୨୩।

ଲକ୍ଷ୍ମୀ ବୋଇଲେ ଗୋ ସଖୀ ମୋହୃଦୟ ବେଦନା

ତୋହୋ ଆଗେ ନ କହିଲେ କାହା ଆଗେ କହିବି ସିନା।୨୪।

ଶୁଣ ଗୋ ସଖୀ ମୋର ମନ ହେଉଛି ୟେମନ୍ତ

ଦ୍ୱାରକାକୁ ଆସିଥିଲା ଧୃତିରାଷ୍ଟ ସୁତ।୨୫।

 

ତାହାର ତହିଂ ଦେଖିଲି ଶ୍ରୀବନ୍ତ ଲକ୍ଷଣ

ତାହାର କନ୍ଧେ ବସିବାକୁ ବଳଇ ମୋ ମନ।୨୬।

ୟେହି କଥା ହେତୁ ମନ ମୋର ବିକୃତ ଯେ ଜାଣ।୨୭।

ଫେଡ଼ି ନ କହଇ ମୁଂ ପ୍ରଭୁଙ୍କ ଛାମୁର

ଶୁଣିଣ ଶାରଦା ଯେ ବୋଇଲେ ଉତ୍ତର।୨୮।

 

ୟେ ଛାର କଥାକୁ ଗୋ ନକର ବିଚାର।୨୯।

ୟେହି ରାତ୍ରେ ବସିବି ମୁଂ ପ୍ରଭୁଙ୍କର କଣ୍ଠ ଗତେ

ମନାଇଂ ନିଅ କଥା ତାଙ୍କଠାରୁ ପାର ତୁମ୍ଭେ ଯେତେ।୩୦।

ୟେମନ୍ତେ ବିଚାରନ୍ତେ ଆଦିତ୍ୟ ଅସ୍ତଗଲା

ଲକ୍ଷ୍ମୀନାରାୟଣଙ୍କର ୟେକ ଆସନ ହୋଇଲା।୩୧।

ନାରାୟଣେ ବୋଇଲେ ଗୋ କିମ୍ପାଇଂ ବିଚଳିତ

ୟେ କଥା ମୋହୋର ଆଗେ କହ ଗୋ ସଂଘାତ।୩୨।

 

ନାରାୟଣଙ୍କ ଅଗ୍ରତେ କହନ୍ତି ମହାଲକ୍ଷ୍ମୀ

ଦ୍ୱାରକାକୁ ଆସିଥିଲା ଧୃତିରାଷ୍ଟ ବଚ୍ଛି।୩୩।

ତାହାକୁ ଦେଖିଲି ଯେ ଅତୀୟ ବିତପନ

ତାହାର କନ୍ଧେ ବସିବାକୁ ବଳଇ ମୋ ମନ।୩୪।

ସେହି ହେତୁ ଫେଡିଣ ନ କହଇ ତୁମ୍ଭଙ୍କୁ

ଚଳି କରି କ୍ରୋଧ ସ୍ୱାମୀ କରନି କି ମୁକୁ।୩୫।

 

ଶୁଣିଣ ହରଷେ ଅଗ୍ୟାଂ ଦିଲେ ଜଗନ୍ନାଥ

ମାନଗୋବିନ୍ଦର କନ୍ଧେ ବିଜୟେ କରସି ଗୋ ତୁରିତ।୩୬।

ସାନନ୍ଦ ମନ ଯେ ଶୁଣିଣ କମଳେ

ଅବନୀଳେ ଚଳିଲେ ହସ୍ତିନା ମଣ୍ଡଳେ।୩୭।

ଆସ୍ତାନେ ସମ୍ଭର୍ବେ ବିଜୟେ କୁରୁପତି

ଲକ୍ଷ୍ମୀ ମାନଗୋବିନ୍ଦର କନ୍ଧେ କଲେ ଥିତି।୩୮।

 

ମଥା ପୋଡ଼ିଣ ଯେ ବସଇ କୁରୁବୀର

କମଳା କନ୍ଧେ ବସନ୍ତେ ନ ଟେକଇ ଶିର।୩୯।

ସେହି ଦିନୁଂ ଲକ୍ଷ୍ମୀ ବିଜେ କନ୍ଧରେ ତାହାର

ଶିରୀ ସମ୍ପତ୍ତି ବଢିଲା ଧୃତିରାଷ୍ଟ କୁମରର।୪୦।

ଶୁଣିଲୁ କି ରାଜା ଲକ୍ଷ୍ମୀ ୟେମନ୍ତ ରହିଲେ ହସ୍ତିନା ନବର

ଅତି ମାନେ ମାନଗୋବିନ୍ଦ ବୀରଧୁ ନୃପବର।୪୧।

 

ଶୁଣିଣ ସାନନ୍ଦ ହୋଇଲେ ମନୁ ଯେ ନୃପତି

କଥାୟେକ ପୁଚ୍ଛିବି ମୋତେ କହିବାକ ଘଟଋଷିଙ୍କ ସନ୍ତତି।୪୨।

ବୋଇଲ ଲକ୍ଷ୍ମୀ ବିଜେ ତାହାର କନ୍ଧର

ଚତୃ ପାଦେ ଲକ୍ଷ୍ମୀ ବୃଦ୍ଧି ମାନଗୋବିନ୍ଦର।୪୩-୧୨୧୭୦।

ଲକ୍ଷ୍ମଣକୁମାର ଜନ୍ମ

ଲକ୍ଷ୍ମଣକୁମାର କେମନ୍ତେ ହୋଇଲା ଜନମ

ୟେହା ବିସ୍ତାରି କହିବା ମୋତେ ପୁରୁଷଙ୍କ ଉତ୍ତମ।୧।

ତବ ମୁଖୁଂ ଶୁଣି ମୁଂ ଯେ ହୋଇବି ପବିତ୍ର

କେମନ୍ତ ଜନ୍ମ ହୋଇଲା ମାନଗୋବିନ୍ଦର ପୁତ୍ର।୨।

ୟେହା ସଞ୍ଚପି ମୁନି ମୋତେ ଯେ କହିବା

ବଦୟନ୍ତି ଅଗସ୍ତି ବୈବସୁତ ମନୁ ଦେବା।୩।

 

ଋଷଭ ଶୁକଳ ଯେ ପଞ୍ଚମୀର ତିଥି

ଚନ୍ଦ୍ର ବାର ରୋହିଣୀ ନକ୍ଷତ୍ର ବିଖ୍ୟାତି।୪।

ସେ ଦିନ ଭାନୁମତୀ ଯେ ହୋଇଲେ ପାକାସ୍ପର୍ଶନ

ୟେମନ୍ତେ ସାତ ଦିନ ଯେ ଗୁପତେ ଗଲା ଦିନ।୫।

ପ୍ରଭାତୁଂ ସ୍ନାନ ସାରି ଆସିଣ ସୁନ୍ଦରୀ

ଆପଣା ନିଜ ମନ୍ଦିରେ ଅଛନ୍ତି ବିଜେ କରି।୬।

 

ୟେମନ୍ତେ ଆଦିତ୍ୟ ଯେ ହୋଇଲେକ ଅସ୍ତ

ଭାନୁମତୀ ତୁଲେ ମାନଗୋବିନ୍ଦ ବିଳାସ।୭।

ଅନେକ ପ୍ରୀତି ଉପୁଜିଲା ରତି ରଙ୍ଗରସ

ସେହି ଦିନୁଂ ରାଣୀ ଯେ ହୋଇଲା ଗର୍ଭବାସ।୮।

ୟେମନ୍ତେ ମକର ମାସ ଯେ ସଂପୂର୍ଣ୍ଣ ଦଶମାସ।୯।

 

ଦଶ ମାସ ଦଶ ଦିନରେ ପ୍ରସବ ହୋଇଲା କୁମର

ଅତିଅନ୍ତ ସୁନ୍ଦର ଯେ ଦିଶଇ କାୟେ ତାର।୧୦।

ଦେଖିଣ ଆନନ୍ଦ ଯେ ହୋଇଲେକ ସର୍ବେ

ସର୍ବ ସୁଲକ୍ଷଣ କୁମାରେ ହୋଇଲାକ ଜନ୍ମେ।୧୧।

ଗ୍ରହପୁତ୍ର ଡକାଇଣ କଲେକ ଗଣନ

ସେ ବୋଇଲା ସର୍ବ ଶୁଭ ହୋଇଲା ଅଳପେ ମନ୍ଦ ଜାଣ।୧୨।

 

ସମ୍ଭର୍ବେ ଉତ୍ସବ କରନ୍ତି ହାଦେ ପୁଣ

ବିପ୍ରଙ୍କୁ ଡାକି ରାଜା ଦିଅନ୍ତି ସୁବର୍ଣ୍ଣ ଦାନ।୧୩।

ପ୍ରଥମେ କୁମରକୁ ଦିଲେ ଭୂରିସର୍ବାଙ୍କ କୋଳରେ

ଘେନିଲେ କୁଳବୃଦ୍ଧ ଅଲେଖ କୁମାରେ।୧୪।

ଦୁଜେଣ ଘେନିଲେ ଯେ ଭୀଷ୍ମ ସେନାପତି

ତୃତୀୟେ ବିଦୁର ଚତୁର୍ଥେ ସଞ୍ଜୟେ ମହାମନ୍ତ୍ରୀ।୧୫।

 

ଧୃତିରାଷ୍ଟ ବୋଇଲେ ତୁ ଶୁଣସି ସଞ୍ଜୟେ

ୟେ ପୁତ୍ର ଯୋଗ୍ୟ କି କହନି ଉପାୟେ।୧୬।

କୋଳେ ଘେନି ସଞ୍ଜୟେ ବାଛି ତ କଲେ ଗୁଣ

ସର୍ବଗୁଣେ ପରିପୂର୍ଣ୍ଣ ଅଟଇ ନନ୍ଦନ।୧୭।

ସର୍ବଗୁଣେ ଲକ୍ଷଣ ଦେଖିଲେକ ତାର

ନାମ ଦିଲେ ତାର ଯେ ଲକ୍ଷ୍ମଣ କୁମର।୧୮।

 

ସଞ୍ଜୟେ ବଦନ୍ତି ଶୁଣହେ ଧୃତିରାଷ୍ଟ

ୟେ ପୁତ୍ର ହାଥେ କେହି ଅଗ୍ନି ନ ପାଇବ ସଂଜାତ।୧୯।

ୟେ ପୁତ୍ର ହାଦେ ଯେ ହୋଇବ ବିତକ୍ଷଣ

ଅଳପେ ନାଶ ଯିବ ମହାଭାରତ ସମରେଣ।୨୦।

ଶୁଣିଣ ହରଷ ଯେ ହୋଇଲେ ଧୃତିରାଷ୍ଟ ରାଜନ

ମନୁ ବୋଇଲେ ଶୁଣ ଅଗସ୍ତି ମହାମୁନ୍ୟ।୨୧।

 

ଲକ୍ଷ୍ମଣ କୁମର ଜନ୍ମ ଶୁଣି ହୋଇଲି ସଦଗତି

ୟେଥୁଅନ୍ତେ ପାଣ୍ଡବେ କିସ କଲେ କହିବା ମହାଯତି।୨୨-୧୨୧୯୨।

 

Unknown

ପ୍ରଚଣ୍ଡାସୁର ବଧ

ନକୁଳର ପାଟ ଯେ କେମନ୍ତେ ସ୍ୱର୍ଗେ ହେଲା

ୟେହା ଶୁଣିବାକୁ ମୋର ଶରଧା ବଳିଲା।୧।

ଅଗସ୍ତି ବୋଇଲେ ଶୁଣ ହେ ମନୁ ରାଜନ

ନକୁଳକୁ ପାଟ ଯେହ୍ନେ ଦିଲେ ମଘବାନ।୨।

ସାରୋଚି ସତ୍ୟଯୁଗେ ଇଳାବ୍ରତ ଖଣ୍ଡେ

ହନ୍ତକାରଠାରୁ ୟେକ ଜନ୍ମିଲା ଦୁର୍ଦ୍ଦଣ୍ଡେ।୩।

 

ଦୁର୍ଦ୍ଦଣ୍ଡର ପୁତ୍ର ହେଲା ବସୁ ଯେ ଅସୁର

ବସୁଠାରୁ ଉତପତ୍ତି ହୋଇଲା ଲୋହାସୁର।୪।

ଲୋହାସୁର ନନ୍ଦନ ହୋଇଲା କେତୁମାଳା

ସେ କେତୁମାଳା ନନ୍ଦନ ହୋଇଲା ପିଙ୍ଗଳା।୫।

ପିଙ୍ଗଳାର ନନ୍ଦନ ହୋଇଲା କୁଣ୍ଡଳୀ

କୁଣ୍ଡଳୀର ପୁତ୍ର ସେ ଯେ ହୋଇଲା ମୂଷଳୀ।୬।

 

ମୂଷଳୀର ନନ୍ଦନ ହୋଇଲା ଜମ୍ବାସୁର

ଅସ୍କନ୍ଦ ବୋଲିଣ ପୁତ୍ର ହୋଇଲା ୟେହାର।୭।

ଅସ୍କନ୍ଦର ପୁତ୍ର ଯେ ହୋଇଲା କାଳକେତୁ

ସେ ଅସୁର ପ୍ରତାପୀ ଖାଇଲା ଜୀବଜନ୍ତୁ।୮।

ଅସ୍ତି କୁଢକୁଢ ସେ ଥୋଇଲା ନବ ସୃଷ୍ଟି

ଉଗ୍ର ହୁଂକାରେ ବିନାଶ ତାକୁ କଲେ ପରମେଷ୍ଟି।୯।

 

କାଳକେତୁ ନନ୍ଦନ ହୋଇଲା ଧ୍ରୁବାସୁର

ୟେହାର ନନ୍ଦନ ହେଲା ସଙ୍ଘଟ ଅସୁର।୧୦।

ସଙ୍ଘଟର ନନ୍ଦନ ହୋଇଲା ସିଙ୍ଘନାଦ

ସିଙ୍ଘନାଦର ନନ୍ଦନ ହୋଇଲା ବିଷାଦ।୧୧।

ବିଷାଦର ନନ୍ଦନ ହୋଇଲା ବଜ୍ରବାହୁ

କେତୁମାଳା ବୋଲି ପୁତ୍ର ହୋଇଲା ତାର ତହୁଂ।୧୨।

 

କେତୁମାଳା ତହୁଂ ଉପୁଜିଲା ଧୂମାସୁର

ପ୍ରଚଣ୍ଡାସୁର ବୋଲି ୟେହାର କୁମର।୧୩।

ପ୍ରତାପୀ ଅସୁର ସେ ଯେ କୈଳାସକୁ ଗଲା

ଅନଶନ ବ୍ରତେ ସେ ସଦାଶିବଙ୍କୁ ତୋଷିଲା।୧୪।

ସହସ୍ର ବରଷ ସେ ସେବିଲା ଯାତୁଧାନ

ତଥାପି ସେ ନ ଦେଖିଲା ଶିବ ରୂପ ବର୍ଣ୍ଣ।୧୫।

 

ଆରଣ ଲଗାଇ ତାଡ଼ିଲା ବେନି ଆଖି

ସଦାଶିବେ ଚାହିଂଣ ବୋଇଲେ ପଙ୍କଜାକ୍ଷୀ।୧୬।

ତୁମ୍ଭଙ୍କୁ ସେବା କଲା ପ୍ରଚଣ୍ଡା ଅସୁର

ତାର ପକ୍ଷେ ସ୍ୱାମୀ କିଙ୍କେ ୟେଡ଼େକ ନିଷ୍ଠୁର।୧୭।

ଅମ୍ବିକାଙ୍କର ବଚନ ସେ ସଦାଶିବ ଶୁଣି

ବୃଷଭ ଆରୋହି ବିଜେ କଲେ ଶୂଳପାଣି।୧୮।

 

ଦେଖିଲେକ ଅସୁର ଦେହରେ ନାହିଂ ଗ୍ୟାଂନ

ଅମୃତ ନୟନେ ସେ ଚାହିଂଲେ ତ୍ରିଲୋଚନ।୧୯।

ତତକ୍ଷଣେ ଅସୁର ଚେତନା ପାଇଲା

ଦୁଖେ ଆର୍ଜିଲାର ତପ ଭାଞ୍ଜିଣ ବୋଇଲା।୨୦।

ମୁଂ ତୋହୋର ଯତିଆ ନୋହଇ ଦୋଷକାରୀ

ଅକାରଣେ ତପ ମୋ ଭାଞ୍ଜିଲୁ କିପରି।୨୧।

 

ସଦାଶିବ ବୋଇଲେ ତୁ ଯାହାକୁ କରୁ ତପ

ଆମ୍ଭେ ସଦାଶିବ ସିନା ଦେଖ ମୋ ସରୂପ।୨୨।

ଅସୁର ବୋଇଲା ଯେବେ ତୁମ୍ଭେ ସଦାଶିବ

ଦେଖିବଇଂ ନିଜ ରୂପ ଧର ଦେବ ଦେବ।୨୩।

ପ୍ରଚଣ୍ଡାସୁର ବଚନେ ନିଜ ରୁପ ଧରି

ଧବଳ କମଳ ବପୁ ଚର୍ମ ବ୍ୟାଘ୍ରାମ୍ବରୀ।୨୪।

 

କନ୍ଧରେ ଉତ୍ତରୀ ସ୍ୱାମୀ ଅଟଇ ଫଣୀବର

କଣ୍ଠ ତଟ ନିନ୍ଦଇ ନବ ଜଳଧର।୨୫।

ତ୍ରିଶୂଳ ତମ୍ବରୁ ସ୍ୱାମୀ ଅନ୍ତରୀଚ୍ଛେ ସ୍ଫୁରି

ବାମଜାନୁ ଉପରେଣ ବିଜେ କରିଅଛନ୍ତି ଶାକାମ୍ଭେରୀ।୨୬।

ଶିରେ ସପ୍ତପେଣୀ ସେ କାଳୀୟ ନାମେ ଅହି

ତ୍ରିନେତ୍ର ଧାରଣ ସ୍ୱାମୀ ଭାଲରେ ଚନ୍ଦ୍ର ଶୋହି।୨୭।

 

ପଞ୍ଚ ମୁଖେ ପଞ୍ଚବେଦ ସ୍ଫୁରେ ଘନ ଘନ

ଗଣପତି କାର୍ତ୍ତିକେୟ ଛନ୍ତି ସନ୍ନିଧାନ।୨୮।

ଶିରରେ ତ୍ରିମୁଣ୍ଡୀ ଜଟା ପରିଧାନ ବେଶ

ଦେଖିଣ ସନ୍ତୋଷ ହେଲା ପ୍ରଚଣ୍ଡା ରାକ୍ଷସ।୨୯।

ତତକ୍ଷଣେ ଶତସହସ୍ର ଦଣ୍ଡ ପରିଣାମି

କରପତ୍ର ଯୋଡ଼ି ବୋଲେ ଉଦ୍ଧରିବା ସ୍ୱାମୀ।୩୦।

 

ବହୁ ସ୍ତୁତି କରି ପଦ୍ମ ପାଦେ କରେ ନମସ୍କାର

ସନ୍ତୋଷେ ଶିବ ବୋଲନ୍ତି ମାଗ ମାଗ ବର।୩୧।

ପ୍ରଚଣ୍ଡାସୁର ବୋଇଲା ଶୁଣ ଦେବ କାଶୀ

ଭୋ ଦୟାସାଗର ହେ ପ୍ରସନ୍ନ ହେଲ ଆସି।୩୨।

ଦେବତା ଅସୁରଙ୍କର ଅଟଇ ବିବାଦ

ଅସୁରଙ୍କୁ ଦେବତାୟେ କରନ୍ତି ଶିରଚ୍ଛେଦ।୩୩।

 

ଇନ୍ଦ୍ରାଦି ଦେବତା ମୋତେ ନ ଜିଣିମେ ରଣେ

ମୁଂ ସମରେ ପଶନ୍ତେ ଡରିବେ ଦେବ ଗଣେ।୩୪।

ବ୍ରହ୍ମା ବିଷ୍ଣୁଙ୍କର ହାଥେ ନ ହୋଇବି ନାଶ

ବଜ୍ରଅଙ୍ଗ ହେଉ ବର ଦିଅ ଦେବ ଈଶ।୩୫।

ଅନ୍ତରୀଚ୍ଛେ ରଥ ମୋର କରିବ ଭ୍ରମଣ

ତ୍ରିପୁର ମଧ୍ୟରେ ମୋର ଶୁଭିବ ବୀରପଣ।୩୬।

 

ନାନାଶସ୍ରମାନ ମୋର ଦେହରେ ନ ଭେଦିବ

ତଥାପି ମୁଣ୍ଡ ଛିଡ଼ନ୍ତେ ପୁନ ପୁନ ହେବ।୩୭।

ତ୍ରିପୁର ମଧ୍ୟରେ ଭୟ ନୋହିବ କାହାକୁ

ନିଶ୍ଚୟ ମରିବ ମୁଂ ଯେ ମାରିବି ଯାହାକୁ।୩୮।

ନର ଅସୁରଙ୍କର ହାଥେ ନାଶ ମୁଂ ନୋହିବି

ଆବର କଥାୟେ ଶୁଣ ଚିରଞ୍ଜିବୀ ହେବି।୩୯।

 

ସଦାଶିବ ବୋଇଲେ ରେ ସର୍ବ ଅସ୍ତୁ ହେଉ

ନର ସୁର ଅସୁରଙ୍କୁ ଭୟ ତୋ ନଥାଉ।୪୦।

ୟେହା ଶୁଣି ସଦାଶିବେ ବୋଲଇ ଉତ୍ତର

ଭୋ ସ୍ୱାମୀ ୟେହାର ନାମ ଅଟେ ମୃତୁପୁର।୪୧।

ଜନମ ହୋଇଲେ ତ ଅବଶ୍ୟ ମୃତୁ ହୋଇ

ଦେବତା ଜନ୍ମ ଲଭିଲେ ମରନ୍ତି ନା ସେହି।୪୨।

 

କେହ୍ନେ ମୃତୁ ଲଭିବି କହିବା ନିରାଧାର

ଶୁଣି ଆଗ୍ୟାଂ କରନ୍ତି ସେ ବ୍ରହ୍ମାଣ୍ଡ ଈଶ୍ୱର।୪୩।

ଈଶ୍ୱର ବୋଇଲେ ହୋ ପ୍ରଚଣ୍ଡା ଦାନବ

ପଞ୍ଚଇନ୍ଦ୍ର ଜନ୍ମିଲେଣ ସେ ତୋତେ ମାରିବ।୪୪।

ସଦାଶିବ ବଚନେ ଅସୁର ବିଚାରଇ

ଇନ୍ଦ୍ରେକ ହୋଇଲେ ତାକୁ ସ୍ୱର୍ଗ ଯେ ସହଇ।୪୫।

 

ପଞ୍ଚଇନ୍ଦ୍ର କେହ୍ନେ ସେ ହୋଇବେ ଅବତାର

ସଦାଶିବ ବୋଇଲେ ସେ ପୁତ୍ର ଅଶ୍ୱିନୀର।୪୬।

ମାନୁଷୀର ଗର୍ଭରେ ସେ ଅଶ୍ୱିନୀ ବୀର୍ଯ୍ୟରେ

ପଞ୍ଚ ଇନ୍ଦ୍ର ଜନ୍ମ ଯେ ହୋଇବେ ମଞ୍ଚପୁରେ।୪୭।

ତାହାର ହାଥରେ ତୋରଅଟଇ ନିଦାନ

ୟେତେ ବୋଲି ସଦାଶିବ ହେଲେ ଅନ୍ତର୍ଧାନ।୪୮।

 

ବର ପାଇଣ ସେ ପ୍ରଚଣ୍ଡାସୁର ମହାବଳୀ

ଜେନାବଳୀ ନଗ୍ରକୁ ଅସୁର ଗଲା ଚଳି।୪୯।

କୌମୁଦୀ ପର୍ବତ ତଳେ ଜେନାବଳୀ ପୁର

ସେ ଗ୍ରାମେ ଅସୁରଙ୍କର ନବ ଲକ୍ଷ ଘର।୫୦।

ସେ ଗ୍ରାମରେ ପ୍ରବେଶ ଯେ ଅସୁର ମହାବଳୀ

ଦେଖିଣ ସର୍ବ ରାକ୍ଷସେ ହୋଇଲେ ଯେ ମେଳି।୫୧।

 

ହର ବର ପ୍ରସାଦେ ସକଳ ମହାବୀରା

ମେଦିନୀ ନ ସହଇ ୟେ ଅସୁରଙ୍କ ଭାରା।୫୨।

ପ୍ରଚଣ୍ଡାସୁର ପୁରେ ନବ ଲକ୍ଷ ଖଣା

ସେ ପୁରେ ରାକ୍ଷସ ବଳ ଅଟେ ଅକଳଣା।୫୩।

ମେଢ ମଣ୍ଡପ ଜଗତୀ ଦେଉଳ ଅଟାଳି

ପନ୍ଦର ଯୋଜନ ଗ୍ରାମ ନବ ଲକ୍ଷ ଗଳି।୫୪।

 

କୁବେର ସମାନେ ସେ ଅସୁର ଧନବନ୍ତ

ରଥ ଗଜ ତୁରଙ୍ଗମ ପାଦାନ୍ତି ଅପ୍ରମିତ।୫୫।

ଯେଉଂ ଦିଗେ ସମଦଣ୍ଡ ଯାନ୍ତି ତାର ଚଳି

ସେହି ଦିଗମାନଙ୍କରେ ପଡ଼ଇ ବୋବାଳି।୫୬।

ଦଣ୍ଡ ସାଜି ଚରାଚର ବୁଲିଲାକ ମହୀ

ସେ ଅସୁର ଛାମୁରେ ରହି ନୁଆରନ୍ତି କେହି।୫୭।

 

ସତର ଯୋଜନ ମାଡ଼ି ଚଳନ୍ତି ତା ଥାଠ

ଜନ ଜନ୍ତୁ କବଳ ସେ କରନ୍ତି ପାପିଷ୍ଠ।୫୮।

ଯୋଦ୍ଧାଙ୍କର ଧାପ ସେ ବୀରଙ୍କର ରଡ଼ି

ଆଷାଢ଼ ମାସରେ କିବା ମେଘ ଘଡ଼ଘଡ଼ି।୫୯।

ରକ୍ତବୀର୍ଯ୍ୟଠାରୁ ତାର ଚାରିଗୁଣ ସନ୍ୟ

ମୃତ୍ୟମଣ୍ଡଳର ରାଜା ନୁହନ୍ତି ସମାନ।୬୦।

 

ପଶ୍ଚିମ ଦିଗକୁ ସେ ଭେଦଇ ମହାବୀରା

ମେଦିନୀ ନ ସହଇ ପ୍ରଚଣ୍ଡାସୁର ଭାରା।୬୧।

ହେମାଦ୍ରି ଜିଣିଣ ସେ ଚଳଇ ଦଇତ

ମନ୍ଦରକୁ ଦେଖି ବିଚାରଇ ୟେ ଅଟଇ କିଞ୍ଚିତ।୬୨।

ରଖିଲେ ରଖିବି ନରଖିଲେ ଫିଙ୍ଗିଦେବି

ପୃଥିବୀ ଧାରଣା ୟାକୁ କିମ୍ପାଇ ଦଣ୍ଡିବି।୬୩।

 

ମେରୁ ଆଶ୍ରେ ଦେଖିଲା ତା ବଢାଇ ସୁଡ଼ଙ୍ଗ

ଆକାଶକୁ ଲାଗିଅଛି ତାର ଶତେ ଶୃଙ୍ଗ।୬୪।

ନବ ଲକ୍ଷ ଯୋଜନ ଅଟଇ ଆୟତନ

ୟେ ଅବା କିଞ୍ଚିତ ମୋତେ ହୋଇବେ ସମାନ।୬୫।

ୟେମନ୍ତ ବିଚାରି ବୀର ରଡ଼ିୟେ ଛାଡ଼ିଲା

ମେରୁ ପରେ ମନ୍ଦର କି ଝଡ଼ିଣ ପଡିଲା।୬୬।

 

ସେ ରଡ଼ି ଘାୟେ ତରସ୍ତ ହେଲା ମେରୁ ଗିରି

ଲକ୍ଷେ ଭାର ରତ୍ନ ଦେଇ କହେ ପୁରସରି।୬୭।

ଶୁଣ ଦତ୍ୟପତି ତୁମ୍ଭେ ମୋହୋର ଉତ୍ତର

ନିର୍ଦ୍ଦୋଷ ଅଟଇ ମୁଂ ଧରିଛି ଚରାଚର।୬୮।

କାହାରି ସଙ୍ଗତେ ମୁଂ ନୋହଇ ଦ୍ୱନ୍ଦକାରୀ

ପ୍ରସ୍ତର ସ୍ୱଭାବ କାହିଂ ଚଳିତ ନ ପାରି।୬୯।

 

ତଥାପି ମୁହିଂ ତ ତୋର ବଇରୀ ନୋହଇ

ଅକାରଣେ ମୋତେ ତୁମ୍ଭେ ଦଣ୍ଡିଲ କିସ ପାଇଂ।୭୦।

ତୋ ସାମାନ ହେଲେ ହେବେ ଦଶ ଦିଗପାଳ

ୟେ ସନ୍ଧାନ ଦେଲି ଘେନି ତାଙ୍କ ପାଶେ ଚଳ।୭୧।

ୟେ ସମୟେ ଶୂର ଧନ୍ୟା ମନ୍ତ୍ରୀ ତା କହିଲା

ସନ୍ଧାନ ଦେଇ ଯଦ୍ୟପି ଶରଣ ପଶିଲା।୭୨।

 

ଶରଣ ଲୋକେ ଧଂସିବା ନୋହଇ ଉଚିତ

ମନ୍ତ୍ରୀର ବଚନେ ବାହୁଡ଼ିଲା ସେ ଦଇତ।୭୩।

ଅଳକା ଭୁବନେ ସେ ପ୍ରବେଶ ହେଲା ଯାଇଂ

ବୀର ଡାକ ଚମକେ କୁରୁମ ଚମକଇ।୭୪।

ଶୁଣିକରି ଧନାଧିପ ତରସ୍ତ ହୋଇଲା

ରତ୍ନ ଭଣ୍ଡାର ସମର୍ପି କାକୁସ୍ତେ ବୋଇଲା।୭୫।

 

ଚଉରାଶି ଭଣ୍ଡାରର ଅଟେ ଅଧିକାରୀ

ଜାଣିବାରେ ୟେ ଭଣ୍ଡାର ଅଟଇ ତୋହୋରି।୭୬।

ରଖିଲେ ରଖିବୁ ନୋହିଲେ ବୋହିନେବୁ

ଭଣ୍ଡାର ରକ୍ଷକ ମୁଂ ଅଟଇ ତୋର ବାବୁ।୭୭।

ମନ୍ତ୍ରୀ ଯେ ବୋଇଲା ୟେହାର ନାହିଂ ଟାଣ ପଣ

ୟେହାର ସଙ୍ଗେ ଉଚ୍ଚବାଚ ହେବା କି କାରଣ।୭୮।

 

ପ୍ରଚଣ୍ଡାସୁର ବୋଇଲା ପୃଥିବୀ ବୁଲିଲି

ଦଣ୍ଡେ କ୍ଷଣେ ମାତ୍ର କାହିଂ ଯୁଦ୍ଧ ତ ନ କଲି।୭୯।

ମନ୍ତ୍ରୀ ବୋଇଲା ଯେ ବାହାରନ୍ତା ଶତ୍ରୁ ପଣେ

ତାହାର ସଙ୍ଗେ ଯୁଦ୍ଧ ବା କରନ୍ତେ ଦଣ୍ଡେ କ୍ଷଣେ।୮୦।

ନିରେଖ ଲୋଖଙ୍କୁ ତବ ବିନା କେହୁ ରଖି

ୟେମନ୍ତ କରି ଆଗ୍ୟାଂ ଦେଉଛ କାହିଂକି।୮୧।

 

ମନ୍ତ୍ରୀର ବଚନେ ସେ ଅସୁର ଶାନ୍ତି ହେଲା

କୁବେର ପୁରରୁ ସେ ବାହୁଡ଼ି ବିଜେ କଲା।୮୨।

ମନେ ବିଚାରିଲା ୟେ ମର୍ତ୍ତ୍ୟରେ ନାହିଂ କେହି

ପାତାଳକୁ ଯିବା ନାଗରାଜା ବା ଯୁଝଇ।୮୩।

ୟେତେବୋଲି ପାତାଳକୁ ପଲାଣିଲା ଥାଠ

ଆଗରେ ମନ୍ତ୍ରୀବର ତା କଢାଇଲା ବାଟ।୮୪।

 

ହିମାଞ୍ଚଳନ୍ତ ଶେଷେ ହେମାଦ୍ରି ନାମେ ନଦୀ

ପାତାଳ ଗଙ୍ଗା ମଧ୍ୟରୁ ଆସୁଅଛି ଭେଦି।୮୫।

ସେ ନଦୀ ଉତ୍ତର ତୀରେ ପାତାଳରୁ ବାଟ

ସେ ବାଟ ଭେଦି ଚଳିଲେ ଅସୁରର ଥାଠ।୮୬।

ଦଶ ଯୋଜନ ପର୍ଯ୍ୟନ୍ତେ ଅନ୍ଧକାର ଭୂମି

ଯେ ବିମ୍ବରେ ପଶିଣ ଯେ ହେଲେ ପାତାଳ ଗାମୀ।୮୭।

 

ଦେଖିଲା ପାତାଳ ସେ ଅଲେଖ ରତ୍ନ ମୟେ

ରାତ୍ର ଦିବା ସେ ପୁରେଣ ବାରଣ ନ ଯାୟେ।୮୮।

ଲକ୍ଷ ଲକ୍ଷ କରି ରତ୍ନ ପ୍ରଦୀପର ପନ୍ତି

ବିନା ଅଗ୍ନିରେ ସେମାନେ ନିର୍ମଳେ ଜଳନ୍ତି।୮୯।

ଅନନ୍ତ ତକ୍ଷକ ବାସୁକି ଯେ କର୍କୋଟକ

ୟେ ଚାରିଂହେ ଚାରି ଦ୍ୱାରେ ଅଟନ୍ତି ନାୟେକ।୯୦।

 

ପ୍ରଥମ ଦ୍ୱାରେ ଅନନ୍ତ ଥିଲେ ଦ୍ୱାରରକ୍ଷୀ

ଆଶ୍ଚର୍ଯ୍ୟ ହୋଇଲେ ଯେ ଦାନବ ସନ୍ୟ ଦେଖି।୯୧।

ମନେ ବିଚାର କଲେ ୟେ କେବଣ ଅସୁର

ପାତାଳ ବୈକୁଣ୍ଠ ତ ପଶିଲା ନିଶାଚର।୯୨।

ଅଗାଦ ସମୋଦ୍ର ଜାଣି ଖେପୁଛନ୍ତି ଥାଠ

ଦେଖି କରି ନାଗରାଜା ନିରୋଧିଲେ ବାଟ।୯୩।

 

ସହସ୍ରେ ଫଣା ଉଭାରି ନିରୋଧିଲେ ଦ୍ୱାର

ମହା ବିଷ ଜ୍ୱାଳାବଳୀ ଅନଳୁଂ ପ୍ରଖର।୯୪।

ଯୋଜନେ ଥାଉଂ ଦିଶିଲା ଫଣାର ଆକୃତି

ଲକ୍ଷେକ ଯୋଜନ ସେ ବେଷ୍ଟିତ ହୋଇଛନ୍ତି।୯୫।

ନବ ତାଳ ଉତ୍ସର୍ଜିତ ହୋଉଛନ୍ତି ଥାଠ ମୋଟ

ପାତାଳ ବଇକୁଣ୍ଠକଇଂ ଅଟନ୍ତି କବାଟ।୯୬।

 

ଯାହାକୁ ଚିହ୍ନି ଛାଡ଼ିବେ ଯିବ ଅବା ସେହି

ନିରୋଧିଲେ ଯିବାକୁ ପଶିବା କ୍ଷମ ନାହିଂ।୯୭।

ଲାଙ୍ଗୁଡ଼ ଉପରେ ଦେଇଛନ୍ତି ମୁଖ ଡେରି

ସହସ୍ର ବଦନରୁ ପବନ ଆସେ ଫେରି।୯୮।

ବେନି କଳେ ଜିହ୍ନା ସେ ବୁଲାନ୍ତି ବେନି ବେନି

ତା ନାଶା ପବନକି ପ୍ରଳୟ କାଳ ବହ୍ନି।୯୯।

 

ବିଷଜ୍ୱାଳା ପବନ ଘାରିଲା ସର୍ବଅଙ୍ଗ

ମସ୍ତ୍ରୀ ଡାକ ଦିଲା ଫେର, ନ ଘଟେ ସଂଯୋଗ।୧୦୦।

ୟେ ଜଳ ଅନ୍ଧାରି ୟେଣିକି ଯେ ବାଟ ନାହିଂ

ଆବର ଆଶ୍ଚର୍ୟ୍ୟ ଅଗ୍ନି ଦୁଗୁଣ ଜଳଇ।୧୦୧।

ବିଷାଗ୍ନି ଲାଗନ୍ତେ କାହିଂ ଶରୀରେ ଅଛି ବଳ

ଘଡ଼ିୟେ ମାତ୍ର ରହିଲେ ମରିବ ସକଳ।୧୦୨।

 

ପ୍ରଚଣ୍ଡାସୁର ବୋଇଲା ଆସ ବେଗେ ଫେରି

ୟେ ପୁରେ ସର୍ପ ସମୂହ ନୁହନ୍ତି ବଇରୀ।୧୦୩।

ରଥ ଗଜ ଚଳିବାକୁ ସଂକୀର୍ଣ୍ଣ ୟେ ବାଟ

ଅକାରଣେ ଗଞ୍ଜି ହେବ ୟେତେ ବଡ଼େ ଥାଠ।୧୦୪।

ରାଜାର ବଚନେ ଥାଠ ଅଇଲେ ବାହାରି

ପଛେ ଶୂରଧନ୍ୟା ମନ୍ତ୍ରୀ ଅଇଲାକ ଫେରି।୧୦୫।

 

ପ୍ରଚଣ୍ଡାସୁର ବୋଇଲା କିଂକେ ଭୟ କଲୁ

ମନ୍ତ୍ରୀବର ବୋଇଲା ହେ ବାଟ ନ ପାଇଲୁ।୧୦୬।

ତୂନି କରି ମନ୍ତ୍ରୀ କର୍ଣ୍ଣେ କହଇ ଉତ୍ତର

ବଡ଼ ଅକଳିତ ଯେ ଅନନ୍ତ ରାଜାପୁର।୧୦୭।

ସ୍ୱଭାବରେ ସର୍ପ ବିଳ କିସ ପିରୋଜନ

ୟେକ ୟେକ ସର୍ପେ ମେରୁ ମନ୍ଦର ସମାନ।୧୦୮।

 

ତୁଣ୍ଡ ବିସ୍ତାରନ୍ତେ ସ୍ୱର୍ଗ ପାତାଳ ପଶିବ

ସର୍ପ ଜିଣି କିସ ଆମ୍ଭ ପିରୋଜନ ହେବ।୧୦୯।

ଆମ୍ଭର ବଇରୀ ସେ ଅଟଇ ସୁନାଶୀର

ତାକୁ ଜିଣି ଭୋଗ ଆମ୍ଭେ କରିବା ଅମର।୧୧୦।

ଶୂରଧନ୍ୟା ମନ୍ତ୍ରୀ ଯହୁଂ କହିଲା ୟେ ବାଣୀ

ସ୍ୱରାଜକୁ ଥାଠ ଚଳାଇଲା ନୃପମଣି।୧୧୧।

 

ବାଜଇ ଦମା ଦାମଣ୍ଡି ମର୍ଦ୍ଦଳ ମହୁରୀ

ଜେନାବଳୀ ନଗ୍ରକୁ ଥାଠ ଆସନ୍ତି ଯେ ଫେରି।୧୧୨।

ଲକ୍ଷେକ ଚାମର ରାଜା ଅଗ୍ରତେ ଢାଳନ୍ତି

ଲକ୍ଷେ ପାଟଛତ୍ର ସେ ଆବର ଉଡ଼ାବନ୍ତି।୧୧୩।

ୟେକ ଲକ୍ଷୀ ପଞ୍ଚଲକ୍ଷୀ ବେନି ଯେ ମର୍ଭୁତ

ସ୍ୱର୍ଣ୍ଣ ବନ୍ଧା ଶଙ୍ଖ ମିଶି ବାଜଇ ଅୟୁତ।୧୧୪।

 

କୌମୋଡ଼ ପର୍ବତ ତଳେ ସନ୍ୟ ହେଲେ ଯାଇଂ

ଡଗରା କହନ୍ତେ ଦ୍ୱାରପାଳ ଦ୍ୱାର ଫେଇ।୧୧୫।

ପଶିଲେ ଅସଂଖ୍ୟ ବଳ ଗଡ଼ର ଭିତର

ଆଗ୍ୟାଂ ଦିଲା ଯୋଦ୍ଧାୟେ ଚଳିଲେ ନିଜଘର।୧୧୬।

ନିତ୍ୟକର୍ମ ବିଧାନ ସାରିଲେ ଯେ ଯାହାରେ

ଯେ ବିଧି ମୁଣୋହି ପୁଣ କଲେକ ଅସୁରେ।୧୧୭।

 

ପ୍ରଚଣ୍ଡାଅସୁର ନିତ୍ୟ କର୍ମ ଯେ ସାରିଲା

ହାଥୀ ଘୋଡାଙ୍କ ଚରଣୀ ଖାଦ୍ୟ ଦ୍ରବ୍ୟ ଦିଲା।୧୧୮।

ଭଣ୍ଡାର ଚାକରମାନେ ଦିଲେ ନେଇ ବୋହି

ଯେଉଂ ଶାଳେ ଯେତେକ ଖାଦ୍ୟଦ୍ରବ୍ୟ ଅଣ୍ଟଇ।୧୧୯।

ଆପଣେ ପ୍ରଚଣ୍ଡାସୁର ମୁଣୋହି ଯେ କଲା

ଆସୁରୀ ଭୋଜନ ଯେ ତାହାର ଭକ୍ଷ ଥିଲା।୧୨୦।

 

ଆଞ୍ଚୋମନ ସାରିଣ ତାମ୍ବୋଳ ଲାଗି ହୋଇ

ରତ୍ନ ଖଟ ଉପରେ ସେ ପହୁଡ଼ିଲା ଯାଇ।୧୨୧।

ନିଯୋଗୀ ସେବକମାନେ ଯାଇଂ ସେ ଖଟିଲେ

ଟମକ ଦେଇଣ ନଗ୍ରେ ଦୋସାଧୁ ବୁଲିଲେ।୧୨୨।

ରାତ୍ର ଶେଷ ହୋଇଲା ଉଠିଲେ ପୁରଜନେ

ରାଜାର ସିଙ୍ଘଦୁଆରେ ଆସି ମିଳିଲେ ବହନେ।୧୨୩।

 

ସିଂଘାସନେ ବିଜୟେ ଅସୁର କୁଳପତି

ପାତ୍ର ମନ୍ତ୍ରୀ ଅମନାତ୍ୟ ସମସ୍ତେ ମିଳନ୍ତି।୧୨୪।

ଗହ ଗହ ଅସୁରଙ୍କ ସଭାଗରୁ ଟାଣ

ଅମରେ ଯେମନ୍ତ ସଭା କରେ ସୁରରାଣ।୧୨୫।

ୟେମନ୍ତ ସମୟେଣ ନାରଦ ମୁନିବର

ପ୍ରବେଶ ହୋଇଲେ ଯାଇ ଅସୁର ସଭାର।୧୨୬।

 

ଦେଖିଣ ପ୍ରଚଣ୍ଡାସୁର ନମସ୍କାର କଲା

ସୁରର୍ଣ୍ଣ ଆସନ ଦେଇ ଷଡ଼ାର୍ଘେ ପୂଜିଲା।୧୨୭।

ଅସୁର ଭକତି ସେ ଦେଖିଣ ମୁନିବର

କଳହ ପ୍ରିୟ ନାରଦ ବୋଲନ୍ତି ଉତ୍ତର।୧୨୮।

ଭଲେ ଅଛ ଟି କି ଅସୁର କୁଳସାଇଂ

ଦାରା ପୁତ୍ର ବନ୍ଧୁ ଅଛନ୍ତି ନା ଖଟନ୍ତି ନା ସୁସ୍ତେ ରହି।୧୨୯।

 

ପାତ୍ର ମନ୍ତ୍ରୀ ଅମନାତ୍ୟେ ଖଟନ୍ତି ନା ତୋତେ

ଗଜ ଅଶ୍ୱ ଚରଣୀ ଦେଉ ନା ନିତ୍ୟେ ନିତ୍ୟେ।୧୩୦।

ରଥୀ ମହାରଥୀ ଯେ ପାଦାନ୍ତି ବଳ ତୋର

ୟେମାନେ ଚଳନ୍ତି ଟି କି ଆଗ୍ୟାଂରେ ତୋହୋର।୧୩୧।

ଝଡ଼ା ମୁଦୁସୁଲୀ ଦାସୀ ପରିବାରୀଜନେ

ୟେମାନେ ଅଛନ୍ତି ନା ଅନ୍ତପୁର ସୁବିଧାନେ।୧୩୨।

 

ପ୍ରଚଣ୍ଡାସୁର ବୋଇଲା ତୁମ୍ଭର ପ୍ରସାଦେ

ୟେ ସର୍ବେ ମୋହୋର ବାକ୍ୟେ ଥାନ୍ତି ଅପ୍ରମାଦେ।୧୩୩।

ନାରଦ ବୋଇଲେ ତୁ ବଇରୀ ସାଧୁ କିନା

ଶତ୍ରୁଜିତ ପାତଙ୍ଗ ଉଡ଼ାଉ କିନା ବାନା।୧୩୪।

ଅସୁର ବୋଇଲା ମୋର ଶତ୍ରୁ କେହି ନାହିଂ

ଶତ୍ରୁଜିତ ପାତାଙ୍ଗ ବାନ୍ଧିବି କିସ ପାଇଂ।୧୩୫।

 

ନାରଦେ ବୋଇଲେ ତୁ ତ ହୋଇଲୁ ଉଦାସ

ତୋ ପିତା ଧୁମାସୁରକୁ ଇନ୍ଦ୍ର କଲା ନାଶ।୧୩୬।

ପୁତ୍ର ହୋଇ ପିତା କାର୍ଯ୍ୟ ଯେବେ ନ କରଇ

କୁପୁତ୍ର ମଧ୍ୟରେ ସେ ଯେ ଗଣନା ହୋଅଇ।୧୩୭।

ଦେବାସୁର ମଧ୍ୟରେ ଯେ ବିବାଦ ଯୁଗେ ଯୁଗେ

ତୋହ ତାର ଭାବ ଅଛି କେବଣ ସରାଗେ।୧୩୮।

 

ୟେତେ ବୋଲି ମୁନି ଯେ ଚଳିଲେ ଅନ୍ତର୍ଧାନେ

ଶୁଣି କୋପ ଉପୁଜିଲା ଅସୁରର ମନେ।୧୩୯।

ମନ୍ତ୍ରୀକି ବୋଇଲା ମୋର ସାଜ ସମଦଣ୍ଡ

ଅମର ଭୁବନ ମୁଂ କରିବି ଖଣ୍ଡ ଖଣ୍ଡ।୧୪୦।

ଦେବତା ମାତ୍ରକେ ନଥୋଇବି ସ୍ୱର୍ଗପୁର

ୟେମନ୍ତ ଆଗ୍ୟାଂ ମନ୍ତ୍ରୀକି ଦିଲାକ ଅସୁର।୧୪୧।

 

ଶୁଣି ମନ୍ତ୍ରୀବର ବହନ ହୋଇ ଗଲା

ସିଙ୍ଘଦ୍ୱାରେ ଯାଇଣ ଘୋଷଣା ଦିଆଇଲା।୧୪୨।

ସାଜ ସାଜ ବୋଲିଣ ସେ ଶୁଭିଲା ଘୋଷଣ

ଚତୁରଙ୍ଗ ବଳ ସଜ ହୋଇଲେ ତକ୍ଷଣ।୧୪୩।

ଶୁଣି ତଡ଼ବଡ଼ି ସଜ ହୋଇଲେକ ସନ୍ୟ

ବିଚାରନ୍ତି ଆଜ ସ୍ୱର୍ଗେ ଚଳିବେ ରାଜନ।୧୪୪।

 

ଅସଂକ୍ଷେପ ସଇନି ଅଇଲେ ସଜ ହୋଇ

ସିଙ୍ଘଦ୍ୱାରେ ସର୍ବ ସନ୍ୟ ମିଳିଲେକ ଯାଇଂ।୧୪୫।

ମାହୁନ୍ତେ ସଜ ସେ ତିନି ଲକ୍ଷ ହାଥୀ ଘେନି

ଅସୁରଙ୍କ ମୁଖରେ ପୁରିଲା ମେଦିନୀ।୧୪୬।

ରଥୀ ତିନି ସହସ୍ର ଯେ ହୋଇଲେ ବାହାର

ପାଦାନ୍ତି ଯେ ତିନି ଲକ୍ଷ ତେତେ ହୟେବର।୧୪୭।

 

ସର୍ବ ଥାଠ ସିଙ୍ଘଦ୍ୱାରେ ମିଳିଲେକ ଯାଇଂ

ଦିବସେ ରବିଙ୍କ କିରଣ ନ ଦିଶଇ।୧୪୮।

ସହସ୍ରେକ ଢୋଲ ବାଜଇ ନାନା ବର୍ଣ୍ଣ

କଡ଼ା ଘୁମୁରା କାହାଳୀ ବାଜେ ଘନ ଘନ।୧୪୯।

ମଦିରା ଖାଇଣ ସେ ଅସୁରେ ମତୁଆଳ

ମୁଖରାବ ଶବଦରେ ଶୁଭଇ ଚହଳ।୧୫୦।

 

ଶୂରଧନ୍ୟା ମନ୍ତ୍ରୀ ଯେ ଚଢିଣ ହୟେବର

ସଜ ହୋଇ ଘରୁ ତାର ହୋଇଲା ବାହାର।୧୫୧।

ଅଶ୍ୱରୁ ଉତୁରି ରାଜା ନବରେ ପଶିଲା

ଅସୁର ରାଜାକୁ ଯାଇଂ ଦରଶନ କଲା।୧୫୨।

ରାଜାକୁ ବୋଇଲା ରଥ ସାଜ ବେଗ ହୋଇ

ଥାଠ ସନ୍ୟ ସିଙ୍ଘଦ୍ୱାରେ ଅଛନ୍ତି ଗୋସାଇଂ।୧୫୩।

 

ମନ୍ତ୍ରୀର ବଚନେ ପ୍ରଚଣ୍ଡାସୁର ଉଠିଲା

ଯେ ବିଧି ବିଧାନେ ସେ ଅସୁର ବେଶ ହେଲା।୧୫୪।

ଦିବ୍ୟବେଶ ହୋଇ ରଥେ ବସିଲାକ ଯାଇଂ

ଅନକୂଳ ଘେନି ବାହାରିଲା ନର ସାଇଂ।୧୫୫।

ଆକାଶ ମଣ୍ଡଳେ ତାର ଶିଖା ଲାଗି ଅଛି

ଚନ୍ଦ୍ରହାସ ଧରି କରେ ଝମକାଉ ଅଛି।୧୫୬।

 

ଚୈତ୍ର କୃଷ୍ଣ ଅଷ୍ଟମୀ ଅଟେ ଗୁରୁବାର

ମୂଳା ନାମେ ନକ୍ଷତ୍ର ଅଟେ ସେ ଦିନର।୧୫୭।

ନବ ନାମେ କରଣ ପରିଘ ଯେ ଯୋଗ

ମୀନ ସଂକ୍ରାନ୍ତି କି ଅଠର ଦିନ ଭୋଗ।୧୫୮।

ସେ ଦିନ ଅସୁରକଇଂ ସମ୍ପଦ ଯେ ତାର

ବେଳ ଦ୍ୱାଦଶ ଦଣ୍ଡେଣ ହୋଇଲା ବାହାର।୧୫୯।

 

ରଥୀ ହାଥୀ ପାଦାନ୍ତି ଚଳିଲେ ଅତି ଖରେ

ୟେକେ ୟେକେ ଜିଣି ସେ ପାରନ୍ତି ବଜ୍ରଧରେ।୧୬୦।

ଶିବ ବର ପ୍ରସାଦେ ଅମାପ ବଳବନ୍ତା

ଦେବାସୁର ଗନ୍ଧର୍ବଙ୍କୁ କୀଟରେ ଗଣିତା।୧୬୧।

ପଛ ପଟୁଆରେ ଗଲେ ଅନେକ ସଇନି

ଛେଲ ଚକ୍ର ଗଦା କରେ ଅସିପତ୍ର ଘେନି।୧୬୨।

 

ଟମକ ନିଶାଣ ଭେରୀ ଘୁମୁରା ବଜାଇ

ଆଗିଆଣି ଦଣ୍ଡ ଆଗେ ୟେମାନ ବଜାଇ।୧୬୩।

ପଛିଆଣି ଦଣ୍ଡ ମଧ୍ୟେ ରାଜା ଯାଉଅଛି

ଦିବ୍ୟ ସୁଖାସନ ପରେ ଅସୁର ବସିଛି।୧୬୪।

ପାଦଘାତରେ ଗଗନ ନଦିଶଇ

ଉଲୁକାପାତ କି ଜାଣି ଶବଦ ଶୁଭଇ।୧୬୫।

 

ମହାଥାଠ ଚଳାଇଣ ଅସୁର ଚଳିଲା

ଅସୁର ବଳ ବିଘାତେ ପୃଥିବୀ କମ୍ପିଲା।୧୬୬।

ଡରେ ଥର ହର ହୋଇ କମ୍ପିଲା ଧରଣୀ

ଶିର ନ ଟେକିଲା ସେ ବାସୁକି ନାଗଫଣୀ।୧୬୭।

ଅନିର୍ଯ୍ୟାପ ସଇନି ଯେ ଚଳନ୍ତି ସମ୍ଭରେ

ପ୍ରବେଶ ହୋଇଲେ ଯେ ଅମର ନିକଟରେ।୧୬୮।

 

ୟେଥୁ ଅନନ୍ତରେ ତୁମ୍ଭେ ଶୁଣ ନରସାଇଂ

ଦେବତାନ୍ତ ଘେନି ଇନ୍ଦ୍ର ସ୍ୱର୍ଗ ଭ୍ରମି ଯାଇଂ।୧୬୯।

ଐରାବତ ଉପରେ ଚଢିଣ ବଜ୍ରଧର

ଭ୍ରମିଣ ସେ ଯାଉଅଛି ଦକ୍ଷିଣ ସ୍ୱର୍ଗର।୧୭୦।

ଅସୁରଙ୍କ ଆସିବାର ନ ଜାଣନ୍ତି କେହି

ଚିତ୍ରସେନ ଅଙ୍ଗାରପନ୍ନଙ୍ଗ ଛନ୍ତିରହି।୧୭୧।

 

ୟେହି ସମୟେ ପ୍ରଚଣ୍ଡା ଅସୁର ଧାଡ଼ିଦିଲା

ଅମର ମଣ୍ଡଳ ମଧ୍ୟେ ଚମକ ପଡ଼ିଲା।୧୭୨।

ଧର ଧର ମାର ମାର ଶବଦ ଶୁଭଇ

ମୁଖ ରାବ ଶବଦେ କୁରୁମ ଉଛୁଳଇ।୧୭୩।

ଶୁଣି ଗନ୍ଧର୍ବ ଗଣେ ଧାଇଂଲେ କୋପ ହୋଇ

ଚିତ୍ରସେନ ଆଗରେ ଯେ ଓଗାଳିଲା ଯାଇଂ।୧୭୪।

 

ତେଣେ ଇନ୍ଦ୍ର ପାଶକଇଂ ପେଶିଲା ଡଗର

ଇନ୍ଦ୍ର ବିଜେ କରିଥିଲେ ଖାଣ୍ଡବ ବନର।୧୭୫।

ଡଗର ଛାମୁରୁ ଯେ ଶୁଣିଣ ଶଚୀସାଇଂ

ରାଗେଣ ଧାମଇଂ ଐରାବତକୁ ଧୁଆଂଇ।୧୭୬।

ଡଗରାକୁ ପୁଚ୍ଛଇ ଇନ୍ଦ୍ର କିସ ସମାଚାର

ଡଗରା ବୋଇଲା ସ୍ୱାମୀ ପ୍ରଚଣ୍ଡା ଅସୁର।୧୭୭।

 

ଜେନାବଳୀ ନଗ୍ରେ କୌମୋଚ ଦେଶେ ଘର

ସ୍ୱର୍ଗକୁ ବାହିଲା ସନ୍ୟ ଦ୍ୱିତୀୟ ସାଗର।୧୭୮।

ୟେମନ୍ତ ଶୁଣିଣ କ୍ରୋଧେ ଧାମନ୍ତି ମଘବା

ସଙ୍ଗତରେ ଅଛନ୍ତି ସେ ତିନି କୋଟି ଦେବା।୧୭୯।

ଯେ ଯାହା ଯାନବାହାନ ଆରୋହିଣ ଥିଲେ

ଅସୁରଙ୍କ ଥାଠକୁ ସେ ତରାସେଣ ଧାଇଂଲେ।୧୮୦।

 

ଅସୁର ଥାଠ ଭେଟିଲେ ଜଟୀବଟ ତଳେ

ରେ ରେ କାର କରିଣ ସେ ଓଗାଳିଲେ ବଳେ।୧୮୧।

ନାନା ଶସ୍ର ଧରିଣ ସେ ହୋଇଲେ ପିଟା ପିଟି

କେହି କାହାକୁ ସମରେ ନ ଆସନ୍ତି ହଟି।୧୮୨।

ବେନି ବଳ ରିଂଝାଇ ପହରେ ଯୁଦ୍ଧ କଲେ

ପର କେ ଆପଣା ବୋଲି ବାରଣ ନ ଗଲେ।୧୮୩।

 

ଅଶୀ କୋଟି ଗନ୍ଧର୍ବେ ଧାଇଂଲେ ଶସ୍ର ଧରି

ଗନ୍ଧର୍ବା ଶର ସେ ଲକ୍ଷ ଲକ୍ଷ ପ୍ରହାରି।୧୮୪।

ଯେସନେକେ ଶ୍ରାବଣେ ପଡ଼ଇ ଜଳଧାରା

ଲକ୍ଷ ଲକ୍ଷ ଅସୁରେ ହୋଇଲେ ଦର ମରା।୧୮୫।

ଯମ ନୈରୁତ ସେ ଯେ କୁବେର ବରୁଣ

ୟେହାଙ୍କ ଶରେ ଅସୁରେ ହରାଇଲେ ପ୍ରାଣ।୧୮୬।

 

ଅନିର୍ଯାପ ଅସୁରେ ପଡ଼ିଲେ ରଣ ଭୂଇଂ

ସାତ ତାଳ ଗର୍ଭରେ ରକତ ନଦୀ ବହି।୧୮୭।

ସେ ରକ୍ତନଦୀରେ ମଡ଼ା ପଡ଼ିଲେ ପୟେଡ଼

ଗଣ୍ଡି ମୁଣ୍ଡ ଛିଣ୍ଡି ପଡ଼େ କାର ହାତ ଗୋଡ।୧୮୮।

ଐରାବତ ଆରୋହି ସେ ଦେବଙ୍କର ରାୟେ

ବଜ୍ର ପ୍ରହାରନ୍ତେ କୋଟି କୋଟି ହୋନ୍ତି କ୍ଷୟେ।୧୮୯।

 

ତଥାପି ଅସୁରେ ବଳେ ନୁହଂନ୍ତି ବିମୁଖା

ୟେକକୁ ଆରେକ ସେ ଅଟନ୍ତି ରଣ ରଙ୍କା।୧୯୦।

ୟେସନ ସମୟେ ସେ ପ୍ରଚଣ୍ଡାସୁର ରାୟେ

ସନ୍ୟ ଅପହାର ଦେଖି ତା ରଥ ଧୁଆଂୟେ।୧୯୧।

ଅଙ୍ଗାରପନ୍ନଙ୍ଗ ତାଙ୍କୁ ଦୂରରୁ ଦେଖିଲା

ପ୍ରଚଣ୍ଡା ଅସୁରକୁ ଆଗରୁ ଓଗାଳିଲା।୧୯୨।

 

ଦେଖି ପଚାରଲେ ସେ ଅସୁର କୁଳ ରାୟେ

ତୁମ୍ଭେ ବେନି ଅଟ ପରା ଇନ୍ଦ୍ରର ତନୟେ।୧୯୩।

ଅସୁର ପୁଚ୍ଛନ୍ତେ ସେ କୁମରେ କୋପ କଲେ

ଗନ୍ଧର୍ବାଶର ପ୍ରଚଣ୍ଡା ଶିରେ ପ୍ରହାରିଲେ।୧୯୪।

ତା ଅଙ୍ଗର ଶସ୍ର ବାଜି ପଡୁ ଅଛି ଝଡ଼ି

କୋପଭରେ ଅସୁର ଦିଅଇ ସିଙ୍ଘରଡ଼ି।୧୯୫।

 

ଅନେକ ଶର ପ୍ରଚଣ୍ଡାସୁର ଯେ ବିନ୍ଧିଲା

ପ୍ରତି ଶରେ ଅଙ୍ଗାରପନ୍ନଙ୍ଗ ତାହା ନିବାରିଲା।୧୯୬।

ରାଗେ ଶର ବିନ୍ଧିଲା ଅସୁର ଉପରକୁ

ନ ଭେଦିଣ ଶର ଖସି ପଡ଼ିଲା ତଳକୁ।୧୯୭।

ଚିତ୍ରସେନ ଗନ୍ଧର୍ବ ରଥରେ ବିଜେକଲା

ରଣେ ବିଜେ କରିଣ ଅସୁରେ ଓଗାଳିଲା।୧୯୮।

 

ରହ ରହ ବୋଲିଣ ଗଦା ୟେକ ଧରି

ଅସୁରଙ୍କ ଉପରେ ସେ ଗର୍ଜିଣ ପ୍ରହାରି।୧୯୯।

ୟେକା ପ୍ରହାରକେ ସେ ପଡ଼ିଲେ ଶତଶତ

ଗଦାଘାତେ ମସିଗୁଣ୍ଡା ହୁଅନ୍ତି ଦଇତ।୨୦୦।

 

ରାଗେ ଶଚୀପତି ଧୁଆଂଇଲା ଐରାବତ

ତତକ୍ଷଣେ ରଣେ ବିଜେ କଲା ଶଚୀ ନାଥ।୨୦୧।

ଦେଖିଣ ପଚାରେ ତାଙ୍କୁ ଦୃଭାର ଅସୁର

ୟେ ତୋହୋର ନାମ ପରା ଅଟେ ବଜ୍ରଧର।୨୦୨।

ତୁ ସେ ବଜ୍ରଧର ମୋର ପିତାର ବଇରୀ

ଅକାରଣେ ପିତାକୁ ମୋହୋର ବଧ କରି।୨୦୩।

 

ଶୁଣି କ୍ରୋଧଭର ହୋଇ ବୋଇଲେ ମଘବା

ୟେହିକ୍ଷଣି ତୋତେ ପିତା ପାଶ ପଠାଇବା।୨୦୪।

ୟେତେ ବୋଲି ବଜ୍ରକୁ ବୁଲାଇ ବଜ୍ରଧର

ପ୍ରଚଣ୍ଡା ଅସୁର ଉପରେ କଲେକ ପ୍ରହାର।୨୦୫।

ମେରୁଗିରି ଚୂର୍ଣ୍ଣ ହୋୟେ ଯେଉଂ ବଜ୍ରଘାତେ

କିଛିହିଂ ନୋହିଲା ସେ ହସିଲା ଦୁରାପାତେ।୨୦୬।

 

ଇନ୍ଦ୍ରକୁ ଚାହିଂଣ ସେ ବୋଲଇ ଦୁରାଚାର

ଯେତେ ଶସ୍ର ଅଛି ଇନ୍ଦ୍ର କର ତୁ ପ୍ରହାର।୨୦୭।

ବଜ୍ର ନକାଟନ୍ତେ ଇନ୍ଦ୍ର ହେଲା ହୀନ ତେଜ

କରେ ଶୂଳ ବୁଲାଇଣ ଧାଇଂଲା ଦନୁଜ।୨୦୮।

ସେ ଶୂଳ ପିଟିଲା ନେଇ ଇନ୍ଦ୍ରର ଉପର

ଘାୟେ ଅସାଷ୍ଟମ ହେଲା ଐରାବତ ପର।୨୦୯।

 

ଅସାଷ୍ଟମ ଦେଖି ଗଜ ଇନ୍ଦ୍ରେ ଘେନିଗଲା

ନନ୍ଦନ ବନ ଗୁମ୍ପାରେ ନେଇଣ ଥୋଇଲା।୨୧୦।

କଳ୍ପଦ୍ରୁମ ପବନାଦି ବିଷଲ୍ୟ କରଣୀ

ସେ ପବନ ଲାଗନ୍ତେ ଉଠିଲା ବଜ୍ରପାଣି।୨୧୧।

ମନେ ବିଚାରିଲା ସେ ଯେ ଦୃଭାର ଅସୁର

ଆଜ ଜୂର କରିଣ ସେ ନେମଇଂ ଅମର।୨୧୨।

 

ଜୀବନର ଭୟେ ଇନ୍ଦ୍ର ବାହାର ନୋହିଲା

ସେ ଗୌପ୍ୟ ବିମ୍ବରେ ସେ ଆତ୍ମାକୁ ରକ୍ଷାକଲା।୨୧୩।

ୟେଥୁ ଅନନ୍ତରେ ସେ ଗନ୍ଧର୍ବ ଚିତ୍ରସେନ

ମର୍ଭୁତେ ଗନ୍ଧର୍ବ ଘେନି ଧାଇଂଲା ନନ୍ଦନ।୨୧୪।

ଅଙ୍ଗାରପନ୍ନଙ୍ଗ ତେଣେ ବିଜେ କଲା ରଣେ

ଅସଂଖ୍ୟ ଗନ୍ଧର୍ବ ବଳେ ଚଳଇ ଆପଣେ।୨୧୫।

 

ଇନ୍ଦ୍ରୁଧନୁ ଜାଣିଣ ହାଥରେ ଧନୁ ଘେନି

ବିନ୍ଧନ୍ତି ନାରାଜ ସେ ଯେ କିଜାଣି ବହନି।୨୧୬।

ଗନ୍ଧର୍ବ ବଳ ମାରନ୍ତି ନାନା ଶସ୍ର ଧରି

ଲକ୍ଷ ଲକ୍ଷ ଅସୁରେ ପଡ଼ନ୍ତି ପ୍ରାଣହାରି।୨୧୭।

ଚିତ୍ରସେନ ଅଙ୍ଗାରପନ୍ନଙ୍ଗ ବେନି ରଥୀ

ପ୍ରଚଣ୍ଡ ଅସୁର ବଳ ପକାନ୍ତି ନିପାତି।୨୧୮।

 

ଗଦା ପରିଘ ତିମ୍ବୁର ଚକ୍ର ଅସିବର

ଗନ୍ଧର୍ବେ ମାରନ୍ତେ ଭୂମେ ଲୋଟନ୍ତି ଅସୁର।୨୨୯।

ଅସୁରେ ନାନା ଆୟୁଧ ଧରିଣ ପିଟନ୍ତି

ଗନ୍ଧର୍ବ ବଳ ନିଶ୍ଚେଷ୍ଟେ ଭୂମିରେ ଲୋଟନ୍ତି।୨୨୦।

ବେନି ବଳ ଉଚ୍ଚବାଚ ନ କରନ୍ତି ଶଙ୍କା

ଯେକକୁ ଆରୋକ ସେ ଅଟନ୍ତି ରଣରଙ୍କା।୨୨୧।

 

ଦିଗପାଳେ ନାମ ଶୁଣି ଭାଞ୍ଜି ପଳାଇଲେ

ଅମର ଭୁବନ ଛାଡ଼ି ଗୋପ୍ୟାନେ ରହିଲେ।୨୨୨।

ଚିତ୍ରସେନ ଅଙ୍ଗାରପନ୍ନଙ୍ଗ କଲେ ଯୁଦ୍ଧ

ଅନେକ ରାକ୍ଷସ ବଳ ୟେସେ କଲେ ବଧ।୨୨୩।

ତାଳେକ ପର୍ଯ୍ୟନ୍ତେ ରକ୍ତନଦୀ ବହିଗଲା

କୁଢକୁଢ ହୋଇ ମଡ଼ା ଭାସେ ଭେଳା ଭେଳା।୨୨୪।

 

ରଣ ରଙ୍କ କୁତୂହୋଳେ ନାଚନ୍ତି କବନ୍ଧ

ୟେଣୁ ସ୍ୱର୍ଗ ଆଳ ଛାଡ଼ି ଗଲେନି ଅସ୍କନ୍ଦ।୨୨୫।

ଗନ୍ଧର୍ବେ ମାଇଲେ ରଣେ ହୋଇଣ ପ୍ରଚଣ୍ଡ

ଲକ୍ଷ ଲକ୍ଷ ଅସୁରଙ୍କ କଟାଗଲା ମୁଣ୍ଡ।୨୨୬।

ପ୍ରଚଣ୍ଡା ଅସୁର ଇନ୍ଦ୍ର ସଙ୍ଗେ ଯୁଝୁଥିଲା

ଇନ୍ଦ୍ର ସମରେ ଘୁଞ୍ଚନ୍ତେ ସ୍ୱର୍ଗକୁ ଧାଇଂଲା।୨୨୭।

 

ସମର ଭୂମିରେ ବୀର ପଶିଲା ଝସାଇ

ରାକ୍ଷସ ସଭାରେ ସ୍ୱର୍ଗ ହୋଇ ଅଛି ଛାଇ।୨୨୮।

ଦେଖି ହା ହା କାର କଲା ଅସୁର ରାଜନ

ମନେ ବିଚାରଇ କେହୁ କଲାକ ୟେସନ।୨୨୯।

କୋପାନଳେ ରଥ ଧୁଆଂଇଲା ମହାବଳୀ

ଅଙ୍ଗାରପନ୍ନଙ୍ଗ ଆଗେ ତତକ୍ଷଣେ ମିଳି।୨୩୦।

 

ଦେଖିଲା ଅସୁର ବଳ ସେ ମନ୍ଥନ କରେ

ରହି ନପାରନ୍ତି କେହି ତାହାର ଛାମୁରେ।୨୩୧।

ଆପଣାର ସନ୍ୟ ବଳ ଦେଖିଣ ଭଙ୍ଗାଣ

ମହା କ୍ରୋଧେ ଧାଇଂଲା ସେ ଅସୁର କୁଳ ରାଣ।୨୩୨।

ବୋଇଲା ପାମର ମୋର ନାଶ କଲୁ ବଳ

ୟେତେ ବୋଲି ରିଂଝାଇଣ ପିଟିଲା ରୁଦ୍ର ଶୂଳ।୨୩୩।

 

ଅଙ୍ଗାରପନ୍ନଙ୍ଗ ଉପରେ ସେ ଶୂଳ ପଡ଼ିଲା

କଦାପି ସେ ଶୂଳକୁ ସେ ନିବାରି ନପାରିଲା।୨୩୪।

ହୃଦରେ ପଡିଲା ଶୂଳ ଅଗ୍ନି ତେଜ ଜାଣି

ରୁଧିର ଉଦଗାରି ସେ ପଡ଼ିଲା ବୀରମଣି।୨୩୫।

ଦେଖି ଚିତ୍ରସେନ ଆଗେ ଓଗାଳିଲା ଯାଇ

ଶ୍ରାବଣ ବରଷା ଜାଣି ଶର ବରଷଇ।୨୩୬।

 

ବଜ୍ରେଣ ନିର୍ଜିତ ସେ ପ୍ରଚଣ୍ଡାସୁର କାୟେ

ଦେହେ ବାଜିଣ ଶରମାନ ମସିଗୁଣ୍ଡା ହୋୟେ।୨୩୭।

ବାବଲ ସେ ଚିତ୍ରସେନ ବିନ୍ଧିଲା ଓଟାରି

ମହାଗିରି ପରେ ଟେଳା ମାଇଲାର ପରି।୨୩୮।

ଅର୍ଦ୍ଧ ଚନ୍ଦ୍ର ବାଣ ସେ ବିନ୍ଧିଲା ଇନ୍ଦ୍ରସୁତ

ତୁଣ୍ଡ ବିସ୍ତାରିଣ ତାହା ଗିଳିଲା ଦଇତ।୨୩୯।

 

ଜଳଧାରା ନାଗପାଶ କାଳାନଳ ଶର

କୁହୁକା ସୂର୍ଯ୍ୟାବ୍ରତ୍ତେକ ଖଗେନ୍ଦ୍ର ତମ୍ବୁର।୨୪୦।

ବଜ୍ରାଶର କାଳପାଶି ଜଳପାଶି ଆଦି

ୟେ ଦେବଶର ତାହାର ଶରୀରେ ନ ଭେଦି।୨୪୧।

ଗନ୍ଧର୍ବାଶର ଯେ ଜୀବ ହନ୍ତକାରୀ ଯେତେ

ବିନ୍ଧେ ଚିତ୍ରସେନ ପବନହୁଂ ବ୍ୟଗ୍ରଗତେ।୨୪୨।

 

ଚଛୁର ପଲକେ ବିନ୍ଧେ କୋଟି କୋଟି ବାଣ

ଶରୀରେ ନ ଭେଦି ସେ ପଡ଼ନ୍ତି ଉପୁଡ଼ିଣ।୨୪୩।

ପ୍ରଚଣ୍ଡା ବୋଇଲା ତୁ ରେ ଶୁଣ ଇନ୍ଦ୍ରସୁତ

ଯେତେ ଶସ୍ର ଅଛି ତାହା ବିନ୍ଧରେ ତୁରିତ।୨୪୪।

ଦେଖି ଶୁଣି ଚିତ୍ରସେନ ନ ସ୍ଫୁରଇ କିଛି

ବୀରବର ପରାକ୍ରମେ ସମର କରୁଛି।୨୪୫।

 

ପ୍ରଚଣ୍ଡାସୁର ଧଇଲା ଭଇରୋବ ମୂଷଳ

ସେ ଶହସ୍ର ତେଜ ଦିଶେ ଜାଣି ଦାବାନଳ।୨୪୬।

ସେ ଶୂଳ ବୁଲାଇଲା ତିନ ବାର କରି

ଚିତ୍ରସେନ ଉପରକୁ ତକ୍ଷଣେ ପ୍ରହାରି।୨୪୭।

ସେ ଶହସ୍ର ନିବାରିବାକୁ ଚିତ୍ରସେନ ବିନ୍ଧି

ନିବାର ନ ହୋଇ ଧାୟେଂ ଦଶ ଦିଗ ରୁନ୍ଧି।୨୪୮।

 

ହର ବର ପ୍ରସାଦେ ଅସୁର ମହାବଳୀ

ଚିତ୍ରସେନ ହୃଦେ ପଡ଼ି ପିଠିରେ ନିକିଳି।୨୪୯।

ପଡିଲାକ କୁମର ଉତ୍ତାନଶାହୀ ହୋଇ

ଗନ୍ଧର୍ବେ ଛିନ୍ନଛତ୍ରେ ଦେଖିଣ ପଳାଇ।୨୫୦।

ସ୍ୱର୍ଗ ମଣ୍ଡଳ ଛାଡି ଦେବେ ପଳାଇଲେ

ଜୀବନ ବିକଳେ ଯାଇ କେ କେଣେ ଲୁଚିଲେ।୨୫୧।

 

 

ପଶିଲେ ଅସୁରବଳ ସ୍ୱର୍ଗ ମଣ୍ଡଳକୁ

ପଶିଣ ଜୂର କଲେ ଦେବ ଭଣ୍ଡାରକୁ।୨୫୨।

ହୀରା ନୀଳା ମୋତି ଯେ ମାଣିକ୍ୟ ରତ୍ନହାର

ଇଚ୍ଛାୟେ ଲୁଟିଲେ ୟେହା ଦୁର୍ଭାର ଅସୁର।୨୫୩।

ଦେବତାଙ୍କ ଆୟମାନ ନେଲେ ସର୍ବବହି

ପଶିଲେ ଅସୁର ଥାଠ ତିଳେ ସ୍ତାନ ନାହିଂ।୨୫୪।

 

ଗନ୍ଧର୍ବୀ କିନ୍ନରୀ ମାନ ବଳରେ ହରିଲେ

ଅମର ପୁର ଭାଞ୍ଜିଣ ଭଗନସ୍ତ କଲେ।୨୫୫।

କନ୍ଦି ବିକନ୍ଦି ଅସୁରେ ବୁଲିଲେକ ଯାଇଂ

ନିର୍ଭୟ ହୋଇଲେ ଭୟ ତାଙ୍କ ଦେହେ ନାହିଂ।୨୫୬।

ମହା ଦାନବ ସେ ବେଢିଗଲେ ସ୍ୱର୍ଗପୁର

ମନ ଇଚ୍ଛା ଲୁଟ କଲେ ସହସ୍ରେ ଭଣ୍ଡାର।୨୫୭।

 

ଇନ୍ଦ୍ରପୁରେ ପ୍ରଚଣ୍ଡା ଯେ ପଶିଲା ଝସାଇ

ଅପଛରୀମାନଙ୍କୁ ସେ ଧରିଣ ଆଣଇ।୨୫୮।

ଇନ୍ଦ୍ରଚନ୍ଦ୍ର ଶାଳା ପୁରେ ପଶିଲାକ ଯାଇ

ଦେଖିଲା ସେ ପୁରେ ଶଚୀଦେବୀ ଛନ୍ତି ରହି।୨୫୯।

ଶୂରଧନ୍ୟା ମନ୍ତ୍ରୀକଇଂ ପୁଚ୍ଛଇ ଅସୁର

ଅମର ମଣ୍ଡଳ ସାଧ୍ୟ ହୋଇଲା ମୋହୋର।୨୬୦।

 

ଇନ୍ଦ୍ର ଭାରିଯା ଶଚୀ ୟେ ଅଟେ ଟିକି ୟେହି

ୟେହା ଘେନି ଇନ୍ଦ୍ର ରାଜା ପାଟେଣ ବସଇ।୨୬୧।

ଯହୁଂ ଭୋଳାନାଥ ପ୍ରଭୁ ମୋତେ ଦିଲେ ବର

ୟେତେ କାଳେ ତପ ସିଦ୍ଧ ହୋଇଲା ମୋହୋର।୨୬୨।

ୟେତେ ବୋଲି ଚନ୍ଦ୍ରଶାଳା ପୁରକୁ ପଶିଲା

ଶଚୀ ଦେବୀ ହାଥ ଧରି ଓଟାରି ଆଣିଲା।୨୬୩।

 

ଆପଣାର ରଥ ପରେ ନେଇ ବସାଇଲା

ମହାଭୟେ ଶଚୀଦେବୀ ବହୁ ଶୋକ କଲା।୨୬୪।

ଅପଛରୀମାନେ ଶଚୀ ସଙ୍ଗତରେ ଗଲେ

ପରିବାରୀ ସହିତେ ଇନ୍ଦ୍ରାଣୀ ସଙ୍ଗତରେ ନେଲେ।୨୬୫।

ଅମର ଜୟେ କରିଣ ଅସୁର ବାହାର

ସ୍ୱର୍ଗଜୟ ହେଲା ବିଚାରଇ ସେ ମନର।୨୬୬।

 

ଜେନାବଳୀ ନଗ୍ରକୁ ସେ କରଇ ଗବନ

ସଙ୍ଗେ ଗୋଡାଇଲେ ତାର ଚତୁରଙ୍ଗ ସନ୍ୟ।୨୬୭।

ନଗ୍ରରେ ପଶିଣ ସେ ଘୋଷଣା ଦିଆଇଲା

ରଥ ଉପରୁ ଶଚୀଦେବୀଙ୍କି ସେ ଓହ୍ଲାଇଲା।୨୬୮।

ବୋଲଇ ଗୋ ଇନ୍ଦ୍ରାୟଣୀ ଶୁଣ ମୋର ବାଣୀ

ଆଜ ଦିନଠାରୁ ମୋର ହୋଇଲୁ ଘରଣୀ।୨୬୯।

 

ଯକ୍ଷ ବିଦ୍ୟାଧର ପୁଣ ହୋଇଲେ ମୋହୋର

ୟେ ବଚନ ଶଚୀ ଆଗେ କହିଲା ଅସୁର।୨୭୦।

ଐରାବତ ସହିତରେ ଇନ୍ଦ୍ର ଗଲା ନାଶ

ଅପଛରୀମାନେ ତ ଖଟିବେ ମୋର ପାଶ।୨୭୧।

ଅମର ମଣ୍ଡଳେ ମୁଂ ଯେ ସୁଖେ ବିଳସିବି

ଇନ୍ଦ୍ରପଣେ ସୁଧର୍ମାର ସଭାରେ ବସିବି।୨୭୨।

 

ୟେ ପହିଜ୍ୟ ଶଚୀ ଆଗେ କହିଲା ଅସୁର

ଶଚୀ ବୋଇଲେ କର୍ମେ ୟା ଅଛଇ ମୋହୋର।୨୭୩।

ପ୍ରଚଣ୍ଡାସୁର ବୋଇଲା ଶଚୀଙ୍କି ବିନୋୟୀ

ଅମର ମଣ୍ଡଳେ ମୋତେ ଇନ୍ଦ୍ର କର ନେଇ।୨୭୪।

ଶଚୀ ବୋଇଲେ ସେ କଥା କିମ୍ପାଇ ପଚାରୁ

ବଳାତ୍କାରେ କିମ୍ପାଇ ଆଣିଲୁ ସ୍ୱର୍ଗପୁରୁଂ।୨୭୫।

 

ବ୍ରତାଚାରୀ ହୋଇ ତହିଂ ବସିଥିଲି ପୁଣି

ବଳାତ୍କାରେ ହରିଆଣି କଲୁ ହୀନିମାନି।୨୭୬।

ୟେକବିଂଶ ଦିନେ ବ୍ରତ ପୁରିବ ମୋହୋର

ତେବେ ସେ ଭାରିଯା ମୁଂ ଯେ ହୋଇବି ତୋହୋର।୨୭୭।

ତୋତେ ଘେନି ଅମରେ ମୁଂ ଅବିଷେକୀ ହେବି

ବିହି ଯା ଲେଖିଛି କିମ୍ଫେ ଅନ୍ୟସ୍ତା କରିବି।୨୭୮।

 

କପଟ କରିଣ ଶଚୀ ୟେ କଥା କହିଲା

ସେ କଥାକୁ ସତ ପ୍ରାୟେ ଅସୁର ବୁଝିଲା।୨୭୯।

ଶଚୀ ବୋଇଲେ ଆହୁରି କଥା ୟେକ ଅଛି

ୟେକ ମନେ ଶୁଣ ମୁହିଂ ଯାହା ସେ କହୁଛି।୨୮୦।

ଶୁଣ ରାଜା ୟେକୋଇଶ ଦିନ ପରିଯନ୍ତେ

ପୁଂସ ମାତ୍ର ମୁଖ ନ ଚାହିଂବି କଦାଶ୍ଚିତେ।୨୮୧।

 

ଅଭ୍ୟନ୍ତର ସ୍ତାନେ ମୋତେ ରଖିଥାଅ ନେଇ

ୟେକୋଇଶ ଦିନ ପୂର୍ଣ୍ଣେ ଦେଖିବାକ ଯାଇଂ।୨୮୨।

ଦଇବ ଘଟଣା କେ କରିବ ଆନ

ସତ୍ୟ ପ୍ରାୟେ ମଣିଲା ତା ଅସୁର ରାଜନ।୨୮୩।

ମନ୍ତ୍ରୀକି ବୋଇଲା ଆନ ନବରେକ କର

ୟେ ଶଚୀକି ରଖ ନେଇ ୟେକାନ୍ତର ପୁର।୨୮୪।

 

ପ୍ରଚଣ୍ଡାସୁର ବଚନେ ମନ୍ତ୍ରୀ ଚଳିଗଲା

ଭିନ୍ନ ନବର କରିଣ ଶଚୀକି ରଖିଲା।୨୮୫।

ୟେଥୁଅନନ୍ତରେ ହୋ ଶୁଣିମା ନୃପରାଣ

ବିବରେ ଲୁଚିଣ ଥିଲା ଶଚୀର ରମଣ।୨୮୬।

ଅସୁର ଶଚୀକି ହରି ଘେନିଗଲା ଯହୁଂ

ଡଗରେ କହଲେ ହୋ ଶୁଣିମା ଦେବ କହୁଂ।୨୮୭।

 

ଅଙ୍ଗାରପନ୍ନଙ୍ଗ ଚିତ୍ରସେନ ବେନି ସୁତ

ୟାଙ୍କ ବଧ କରି ଶଚୀ ନେଲାକ ଦଇତ।୨୮୮।

ଅନେକ ଗନ୍ଧର୍ବ ବଳ ମାରି କରି ଗଲା

ଶଚୀ ସହିତେଣ ସେ ଅମର ଜୂର କଲା।୨୮୯।

ଶୁଣିଣ ବହୁ କ୍ରୋଧିତ ହୋଇଲେ ସୁରରାଣ

ସୁଧର୍ମା ସଭାକୁ ଚଳିଗଲେକ ଆପଣ।୨୯୦।

 

ଦେଖିଲେ ସେ ଦେବସଭା ହୋଇଅଛି ନଷ୍ଟ

ବିଚାରନ୍ତି ୟେ ଅବସ୍ତା କଲାକ ପାପିଷ୍ଟ।୨୯୧।

ୟେମନ୍ତର ମସୟେ ସେ ମାତଳି ତହିଂ ହୋଇ

ଶିରେ କର ଦେଇ କହେ ସକଳ ବିନୋୟୀ।୨୯୨।

ଇନ୍ଦ୍ର ବୋଇଲେ ମାତଳି ଚଳ ୟେହି କ୍ଷଣ

ବ୍ରହ୍ମାଦି ଦେବତାଙ୍କୁ ବହନ କରି ଆଣ।୨୯୩।

 

ୟେସନେକ ଆଗ୍ୟାଂ ଯହୁଂ ଇନ୍ଦ୍ର ରାୟେ ଦିଲେ

ତତକ୍ଷଣେ ମାତଳି ବାହନ ଚଳିଗଲେ।୨୯୪।

ବ୍ରହ୍ମାଙ୍କର ମନ୍ଦିରେ ମାତଳି ବେଗେଂ ଯାଇଂ

ଦେଖିଲା ବସିଅଛନ୍ତି ସାବିତ୍ରି ଦେବୀ ସାଇଂ।୨୯୫।

ଖଣ୍ଡେ ଦୁରୁଂ ଦେଖି ପାୟେ ପଡ଼ିଣ ଶୋଇଲା

ଶିରେ କର ଦେଇ ପଛକୁ ଘୁଞ୍ଚିଗଲା।୨୯୬।

 

ବ୍ରହ୍ମାୟେ କଲ୍ୟାଣ କରି ତାହାକୁ ପଚାରି

କିମର୍ଥେ ଆଗମ ତାହା କହନି ତଥ୍ୟ କରି।୨୯୭।

ମାତଳି ବୋଇଲା ହୋ ଶୁଣିମା ବେଦବର

ଇନ୍ଦ୍ର ଆଗ୍ର୍ୟାଂ ଦିଲେ ସ୍ୱାମୀ ଯିବ ଧାତିକାର।୨୯୮।

କାଲି ପ୍ରଚଣ୍ଡା ଅସୁର ସ୍ୱର୍ଗକୁ ବାହିଲା

ଚିତ୍ରସେନ ଅଙ୍ଗାରପନ୍ନଙ୍ଗ ବଧ କଲା।୨୯୯।

 

କିନ୍ନରୀ ଯେ ବିଦ୍ୟାଧରୀ ଶଚୀର ସହିତେ

ଦେବ ଭଣ୍ଡାରାଦି ନେଲା ସ୍ୱର୍ଗେ ଥିଲା ଯେତେ।୩୦୦।

ୟେହା ଶୁଣି ବିଧାତା ଯେ ଉଠିଲେ ବହନ

ମରୁଳ ବାହାନେ ଚଢି କଲେକ ଗବନ।୩୦୧।

ବ୍ରହ୍ମାୟେ ଚଳିଲେ ସୁଧର୍ମା ସଭାକୁ

ମାତଳି ଚଳିଲା ବୃହସ୍ପତି ଭୁବନକୁ।୩୦୨।

 

ମାତଳି ବୋଇଲା ଗୁରୁ ଯିବା ବେଗ ହୋଇ

ଇନ୍ଦ୍ରର ଅବସ୍ତା ଚାଲ ଦେଖିବ ଗୋସାଇଂ।୩୦୩।

ୟେହା ଶୁଣି ବୃହସ୍ପତି ବେଗ ହୋଇ ଗଲେ

ଅମର ଆସ୍ତାନେ ଯାଇ ପ୍ରବେଶ ହୋଇଲେ।୩୦୪।

ପିତାଙ୍କୁ ଦେଖିଣ ଗୁରୁ କଲେ ନମସ୍କାର

ବ୍ରହ୍ମାୟେ ବୋଇଲେ ବାବୁ ଶୁଣରେ କୁମର।୩୦୫।

 

କାଲି ପ୍ରଚଣ୍ଡାସୁର ଅମରେ ଧାଡ଼ି ଦିଲା

ଅଙ୍ଗାରପନ୍ନଙ୍ଗ ଚିତ୍ରସେନକୁ ମାଇଲା।୩୦୬।

ଶଚୀ ସହିତରେ ହରି ନେଲାକ ପାମର

ୟେବେ ଜୀଆଂଇଣ ଦିଅ ଇନ୍ଦ୍ରର କୁମର।୩୦୭।

ଆଗ୍ୟାଂ ପାଇ ବୃହସ୍ପତି ଗଲେ ତତ୍‌କ୍ଷଣ

ପ୍ରବେଶ ହୋଇଲେ ଯାଇଂ ସାଂଗ୍ରାମ ମଣ୍ଡଳେଣ।୩୦୮।

 

ଅଙ୍ଗାରପନ୍ନଙ୍ଗ ଚିତ୍ରସେନ ଛନ୍ତି ପଡ଼ି

ଆବରଗନ୍ଧର୍ବଙ୍କୁ ଶୁଆଇଂ ଧାଡ଼ିଧାଡ଼ି।୩୦୯।

କମଣ୍ଡଳୁ ପାଣି ଗୁରୁ ସିଞ୍ଚିଲେ ବହନ

ମୃତୁ ସଞ୍ଜୀବନୀ ମନ୍ତ୍ରେ ଦିଲେ ଜୀବ ଦାନ।୩୧୦।

ଅଙ୍ଗାରପନ୍ନଙ୍ଗ ଚିତ୍ରସେନ ଯେ ଗନ୍ଧର୍ବ

ତତକ୍ଷଣେ ପ୍ରାଣ ପାଇ ଉଠିଲେକ ସର୍ବ।୩୧୧।

 

ନିଦ୍ରାଗତ ପ୍ରାଣୀ ପ୍ରାୟେ ସମସ୍ତେ ଉଠିଲେ

ଯେ ଯାହାର ଶସ୍ରମାନ ଆମଞ୍ଚନ କଲେ।୩୧୨।

ଅଙ୍ଗାରପନ୍ନଙ୍ଗ ଚିତ୍ରସେନ ବେନି ଗଲେ

ଅମର ସଭାରେ ଯାଇଂ ପ୍ରବେଶ ହୋଇଲେ।୩୧୩।

ବୃହସ୍ପତି ଦିଲେ ସର୍ବ ବଳନ୍ତ ଜୀଆଇଂ

ଦେଖିଣ ଆନନ୍ଦ ହୋଇଲେ ତହୁଂ ଶଚୀସାଇଂ।୩୧୪।

 

ବହୁତ ପ୍ରଶଂସା ଇନ୍ଦ୍ର ଗୁରୁଙ୍କୁ ଯେ କଲେ

ତେତିଶ କୋଟି ଦେବତା ସମସ୍ତେ ମିଳିଲେ।୩୧୫।

ନାରଦ ଅଇଲେ ବୀଣା ଯନ୍ତ୍ରକୁ ବଜାଇ

ବରୁଣ ପବନ ପ୍ରବେଶିଲେ ବେଗ ହୋଇ।୩୧୬।

ଚନ୍ଦ୍ର ସୂର୍ଯ୍ୟ ନବଗ୍ରହ ସହିତେ ଅଇଲେ

ଅଶ୍ୱିନୀକୁମାରେ ଅଷ୍ଟବସୁ ବିଜେ କଲେ।୩୧୭।.

 

ଗଣଗନ୍ଧର୍ବ ଦେବତା ଯେ ଯହିଁରେ ଥିଲେ

ଯେ ଯାହାର ମତେ ଆସି ସଭାରେ ମିଳିଲେ।୩୧୮।

ଚଉଦ କୋଟିୟେ ତହିଂ ଶିବଗଣ ଘେନି

ତତକ୍ଷଣେ ବିଜୟ କଲେକ ଶୂଳପାଣି।୩୧୯।

ସୁଧର୍ମା ସଭାରେ ଆସି ମିଳିଲେ ସମସ୍ତେ

ବସିଛନ୍ତି ଇନ୍ଦ୍ର ଦେବତା ହୋଇ ମଉନ ବ୍ରତେ।୩୨୦।

 

ଅଙ୍ଗାରପନ୍ନଙ୍ଗ ଚିତ୍ରସେନ ଯେ ଅଇଲେ

ତାହାଙ୍କରି ପଛେ ବସୁମତୀ ବିଜେ କଲେ।୩୨୧।

ମୁଖରୁ ରୁଧିର ତାର ବହଇ ଝରଝର

ବୋଇଲା ଦେବେ ସମ୍ଭାଳ ମେଦିନୀ ତୁମ୍ଭର।୩୨୨।

ବସୁଧାର ବାକ୍ୟ ସର୍ବ ଦେବତା ଶୁଣିଲେ

ମାନ ଅଭିମାନେ ଶିବଙ୍କ ମୁଖକୁ ଚାହିଂଲେ।୩୨୩।

 

ସଦାଶିବ ବୋଇଲେ ହୋ ଭାଳେଣି କିମ୍ପାଇ

ମରୁତ ବୋଇଲେ ତବ ପ୍ରସାଦେ ଗୋସାଇଂ।୩୨୪।

ଅନିର୍ଯାପ ବର ଦିଅ ଅସୁରମାନଙ୍କୁ

ସେ ବର ପାଇଣ ଧାଡ଼ି ଦ୍ୟନ୍ତି ଅମରକୁ।୩୨୫।

ଦେବତାନ୍ତ ନାଶିଣ ହରନ୍ତି ଦେବସ୍ତିରୀ

ଧନ୍ୟ ତୁମ୍ଭ ଭକ୍ତ ଧନ୍ୟ ମହିମା ତୁମ୍ଭରି।୩୨୬।

 

ସଦାଶିବ ବୋଇଲେ ସେ ଆମ୍ଭର ପ୍ରକୃତି

ବର ଦେଉଂ ଆମ୍ଭଙ୍କୁ ସେ ଯେ ଯେମନ୍ତେଣ ଚିନ୍ତି।୩୨୭।

ଯାହାର ଯହିଂରେ ମୃତୁ ଯହିଂରେ ଘଟାଇ

ଦୁଷ୍ଟ ହୋଇଲେ ମରନ୍ତି କିଛି ଭୋଗି ହୋଇ।୩୨୮।

ବରୁଣ ବୋଇଲେ ଦୁଷ୍ଟ ମରିବ କେମନ୍ତେ

କଦର୍ଥନା ହୋଇଲୁଂ ଆମ୍ଭେ ସକଳ ଦଇବତେ।୩୨୯।

 

ସଦାଶିବ ବୋଇଲେ ଜାଣନ୍ତି ବୃହସ୍ପତି

ଯାହାର ହାତରେ ଅସୁର ହୋଇବ ବିନଶ୍ୟତି।୩୩୦।

ୟେ କଥା ଶୁଣିଣ ସର୍ବେ ଗୁରୁଙ୍କୁ ପଚାରି

ଶୁଣି ବୃହସ୍ପତି ପାଞ୍ଜି ଫେଇଣ ବିଚାରି।୩୩୧।

ବୃହସ୍ପତି ବୋଇଲେ ଶୁଣିମା ବଜ୍ରଧର

ପ୍ରଚଣ୍ଡା ବଧ ହୋଇବ ନକୁଳ ହାଥର।୩୩୨।

 

ଇନ୍ଦ୍ରର କୁମର ସେ ଅଶ୍ୱିନୀ ବୀର୍ଯ୍ୟେ ଜାତ

ସେ କିଞ୍ଚିତେ ବଧ କରି ପାରଇ ଦଇତ।୩୩୩।

ଶୁଣିଣ ଇନ୍ଦ୍ର ବୋଲନ୍ତି ମାତଳି ମୁଖ ଚାହିଂ

ପୁଷ୍ୟେକେ ବସାଇ ଆଣ ମାଦ୍ରୀର ତନୟି।୩୩୪।

ଯୁଝେଷ୍ଠି ଅଗ୍ରତେ ମୋର କଷଣ କହିବୁ

ଶଚୀ ହରି ନେଇଅଛି ତାହା ଜଣାଇବୁ।୩୩୫।

 

ସେ ମୋହୋର ପଞ୍ଚୁପୁତ୍ରେ ଜାଣନ୍ତିନା ମୋତେ

ଲାଖ ବିନ୍ଧି ଲକ୍ଷେ ରାଜା ଜିଣିଲେ କିଞ୍ଚିତେ।୩୩୬।

ୟେବେ ଦ୍ରିଯୋଧନ ଯେ ଗଉରୋବ କଲା ଯାଇ

ଦ୍ରୋପତୀ ସହିତେ ସର୍ବ କୁଟୁମ୍ବ ଘେନାଇଂ।୩୩୭।

ହସ୍ତିନାକୁ ନ ଗଲେ ସେ କଳହ ନିମନ୍ତେ

ମହା ନିଶ୍ଚିନ୍ତେ ଅଛନ୍ତି ସେ ବାରୁଣାବନ୍ତେ।୩୩୮।

 

ଅସଂକ୍ଷେପ ଦ୍ରବ୍ୟ ଦ୍ରୋପଦେଶ୍ୱର ଦିଲା

ତ୍ରିପୁର ମଧ୍ୟରେ ୟେହା କାହିଂ ନ ଦେଖିଲା।୩୩୯।

ପୁତ୍ରଙ୍କ ବିବାହ ମୁଂ ଯେ ଯାଇଥିଲି ଦେଖି

ବାରୁଣାବନ୍ତେ ରହିଲେ ହୋଇ ମହାସୁଖୀ।୩୪୦।

ୟେ ମୋର ଅବସ୍ତା ଯେବେ କର୍ଣ୍ଣରେ ଶୁଣିବେ

ଶୁଣିଲା ମାତ୍ରକେ ନକୁଳକୁ ପଠାଇବେ।୩୪୧।

 

ତାହାର ଅଇଲେ ସ୍ଥିର ହେବ ସ୍ୱର୍ଗପୁର

ତାର ହାଥେ ବଧ ହେବ ଦ୍ରପିଷ୍ଟ ଅସୁର।୩୪୨।

ସର୍ବ ଦେବ ସମୂହେ ବୋଇଲେ ମଘବାନ

ମାତଳି ଯେ ଆରୋହିଲେ ପୁଷ୍ୟେକ ବିମାନ।୩୪୩।

ଆକାଶ ମାର୍ଗରେ ସେ ଯେ ରଥ ବାହିନେଲା

ପବନହୁଂ ରଥ ବେଗେଣ ଚଳିଲା।୩୪୪।

 

ବାରୁଣାବନ୍ତରେ ରଥ ପ୍ରବେଶିଲା ଯାଇଂ

ସିଂଘଦ୍ୱାରେ ରଥ ରଖି ଗଲାକ ଓହ୍ଲାଇ।୩୪୫।

ଦେଖିଲା ଯୁଝେଷ୍ଠି ଯେ ଆସ୍ତାନେ ଛନ୍ତିବସି

ୟେ ସମୟେ ମାତଳି ପ୍ରବେଶ ହେଲା ଆସି।୩୪୬।

ମାତଳିକି ଦେଖିଣ ଉଠିଲେ ପଞ୍ଚୁବୀରେ

ନମସ୍କାର କଲେ ସର୍ବେ ମାତଳି ପୟରେ।୩୪୭।

 

ଗଉରୋବ କରିଣ ଆସ୍ତାନରେ ବସାଇଲେ

କିମର୍ଥେ ଅଇଲତ ବୋଲିଣ ପଚାରିଲେ।୩୪୮।

ମାତଳି ବୋଇଲା ବାବୁ ଇନ୍ଦ୍ରଙ୍କ ଆଗ୍ୟାଂରେ

ରଥେ ବସାଇଣ ନେବି ମାଦ୍ରୀଙ୍କ କୁମରେ।୩୪୯।

ଯୁଝେଷ୍ଠି ବୋଇଲେ ଯେ ଡକରା ମଘବାନ

ନକୁଳ କିମ୍ପାଇ ଯିବ ଯାଉ ନା ଅର୍ଜୁନ।୩୫୦।

 

ମାତଳି ବୋଇଲା ଆଗ୍ୟାଂ ନକୁଳ ନେମଇଂ

ବିନା ଆଗ୍ୟାଂରେ ଅର୍ଜୁନ ନନିଅଇ ମୁହିଂ।୩୫୧।

ଯିଝେଷ୍ଠିର ବୋଲନ୍ତି ସ୍ୱର୍ଗରେ କିସ ଭୟେ

ପ୍ରଚଣ୍ଡାସୁର ବୋଲିଣ ଅସୁର ଗୋଟାୟେ।୩୫୨।

କୌମୋଡ଼ ପର୍ବତର ଉତ୍ତରେ ତାର ଘର

ଜେନାବଳୀ ନଗ୍ର ନାମେ ବଡାଇ ଦୁର୍ଭାର।୩୫୩।

 

ସେ ସେ ଅସୁର ଗଡ଼େ ବେଢି ଅଛି ଖଣା

ଦେବ ଦାନବ ମାନବେ ଅଟେ ଅଳକଣା।୩୫୪।

ସେ ପୁରେଣ ଧୁମାସୁର ଅଟଇ ଯେ ରାଜା

ସ୍ୱର୍ଗକୁ ସେ ଧାଡ଼ି ଦ୍ୟନ୍ତେ ବଧିଲେ ବିଡ଼ୋଜା।୩୫୫।

ବଜ୍ର ଧରି ନିବାରଣ କଲେ ଶକ୍ର ରାୟେ

ତାହାର ନନ୍ଦନ ଯେ ପ୍ରଚଣ୍ଡାସୁର ହୋୟେ।୩୫୬।

 

ରୁଦ୍ର ବର ପାଇଣ ସେ କାହାକୁ ନ ଡରଇ

ରଥ ଚଢି ତିନିପୁରେ ଅସୁର ଭ୍ରମଇ।୩୫୭।

ଗଣ ଗନ୍ଧର୍ବ ଦେବତା ଆଦି ନ ଡରିଲା

ସ୍ୱର୍ଗପୁରେ ପଶି ଦେବଙ୍କ ସଙ୍ଗରେଯୁ ଝିଲା।୩୫୮।

ସ୍ୱର୍ଗେ ଧାଡ଼ି ଦିଲା ଦିନା ଚାରିର ଅନ୍ତରେ

ଅମରପୁରୁ ଶଚୀକି ନେଲା ବଳାତ୍କାରେ।୩୫୯।

 

ସକଳ ଦେବତା ଆସି ଆସ୍ତାନେ ବସିଲେ

ବ୍ରହ୍ମାୟେ ବୃହସ୍ପତିକିଂ ଚାହିଂ ପଚାରିଲେ।୩୬୦।

କାହାର ହାଥରେ ପୁଣ ମରିବ ଅସୁର

ଶୁଣିକରି ବୃହସ୍ପତି କହିଲେ ଉତ୍ତର।୩୬୧।

ୟେ ଅସୁର ଯେ କାହାର ହାଥରେ ନ ମରଇ

ନକୁଳ ହାଥରେ ୟାର ମୃତୁଟି ଅଟଇ।୩୬୨।

 

ବ୍ରହ୍ମା ବୃହସ୍ପତି ଇନ୍ଦ୍ର ଆଗ୍ୟାଂ ଦିଲେ ବେଗେ

ନକୁଳର ହାଥେ ସେ ଅସୁର ବିଯୋଗେ।୩୬୩।

ଦେବତାଙ୍କ ଆଗ୍ୟାଂରେ ମୁଂ ଅଇଲି ବହନ

ରଥରେ ବସାଇ ନେମି ମାଦ୍ରୀର ନନ୍ଦନ।୩୬୪।

ଦେବଦୂତ ବାକ୍ୟ ଯୁଝେଷ୍ଠି ଦେବ ଶୁଣି

ଅର୍ଜୁନ ବୋଇଲେ ପଠାଅ ୟେହି କ୍ଷଣି।୩୬୫।

 

ଅର୍ଜୁନ ବୋଇଲେ ଆଗ୍ୟାଂ ଦିଲେ ସୁରପତି

ନକୁଳ ନ ଗଲେ କାଳେ ବୋଲିବେ ଅନୀତି।୩୬୬।

ଭୀମସେନ ବୋଇଲା ମୁଂ କଥାୟେ ଭାଷଇ

ସହଦେବକୁ ପଚାର ସେ କା ହାଥେ ମରଇ।୩୬୭।

 

ଭୀମସେନ ବଚନେ ଯୁଝେଷ୍ଠି ତୁଷ୍ଟ ହେଲେ

ସହଦେବ ମୁଖ ଚାହିଂ ଯୁଝେଷ୍ଠି ପୁଚ୍ଛିଲେ।୩୬୮।

କହ କହ ଭାଇ ବେଗେ ୟେଥିରେ ବିଚାର

ନକୁଳର ହାଥେ କି ସେ ମରିବ ଅସୁର।୩୬୯।

ମନ୍ତ୍ରୀ ଶୁଣି କରକୁ ଚାହିଂଣ ବୋଲଇ

ନକୁଳ ଠାକୁରେ ତାକୁ ମାରିବେ ଗୋସାଇଂ।୩୭୦।

 

ୟେହା ଶୁଣି ଯୁଝେଷ୍ଠିର ଆନନ୍ଦ ହୋଇଲେ

ବେଗ ହୋଇ ଯାଅ ନକୁଳକୁ ଆଜ୍ଞା ଦିଲେ।୩୭୧।

ଯୁଝେଷ୍ଠିଙ୍କ ମୁଖରୁ ୟେସନ ଆଜ୍ଞା ପାଇ

ଧନୁଶର ଧରି ଉଭା ମାଦ୍ରୀର ତନୟି।୩୭୨।

ଯୁଝେଷ୍ଠିଙ୍କି ନକୁଳ ଯେ ନମସ୍କାର କଲା

ପଛେ ଭୀମସେନ ଅର୍ଜୁନକୁ ଓଳଗିଲା।୩୭୩।

 

ସହଦେବ ନକୁଳକୁ କଲା ନମସ୍କାର

ଯାଉଅଛି ବୋଲି ବସେ ରଥର ଉପର।୩୭୪।

ବହୁତ କଲ୍ୟାଣ ସେ ଯେ କରନ୍ତି ତିନିଭାଇ

ପ୍ରଚଣ୍ଡାସୁରକୁ ମାର ସର୍ବ ଶୁଭେ ଯାଇଂ।୩୭୫।

ମାତଳି ନକୁଳ ଯାଇଂ ବସିଲେ ରଥରେ

ଦେବ ରଥ ଗବନ କରଇ ଧୀରେ ଧୀରେ।୩୭୬।

 

ଅର୍ଦ୍ଧ ଆକାଶରେ ରଥ କରଇ ଗବନ

ନକୁଳ କହଇ ତୁମ୍ଭେ ଶୁଣ ମୋ ବଚନ।୩୭୭।

ୟେହିଠାରେ ରଥ ମୋର ରୁହାଇବା କ୍ଷଣେ

ଯାହାମୁଂ କହଇ ଦେବ ଶୁଣିବା ସାବଧାନେ।୩୭୮।

ଅସୁର ନ ମାଇଲେ ନ ଯିବି ସ୍ୱର୍ଗାଳ

ଅସୁର ସଂଘାରି ମୁଂ ଭେଟିବି ଆଖଣ୍ଡଳ।୩୭୯।

 

ଶଚୀ ଠାକୁରାଣୀଙ୍କି ଆଣିବି ମୁକୁଳାଇ

ତେବେ ସେ ପାଣ୍ଡବେ ନାମେ ବୀରଧୂ ଉଡ଼ାଇ।୩୮୦।

ୟେଥୁ ଅନନ୍ତରେ ସେ ଯେ ବିଲଙ୍କ ଦେଶର ରାୟେ

ଅଗସ୍ତିଙ୍କ ଚରଣରେ ବହୁତ ବିନୟେ।୩୮୧।

ୟେଥୁ ଅନନ୍ତରେ କିସ ହୋଇଲା ଚରିତ

ୟେହା ମୋତେ ସଞ୍ଚପିଣ କହିବା ତଦନ୍ତ।୩୮୨।

 

ଅଗସ୍ତି ବୋଇଲେ ହୋ ଶୁଣିମା ମନୁ ରାୟେ

ବିଚିତ୍ର ଆଖ୍ୟାନ ୟେ ଅମୃତ ରସ ମୟେ।୩୮୩।

ଦେବ ସଭା ମଧ୍ୟରେ ନାରଦ ବସିଥିଲେ

ଅମର ସଭାରୁ ସେ ଯେ ବାହାର ହୋଇଲେ।୩୮୪।

 

ମନ ଦଣ୍ଡ ଚଳିଗଲେ ଅସୁର ରାଜ୍ୟକୁ

ଯାଇଣ ଭେଟିଲେ ମୁନି ପ୍ରଚଣ୍ଡାସୁରକୁ।୩୮୫।

ଆସ୍ତାନ କରିଣ ବସିଅଛି ଅସୁର

ଯାଇଣ ମିଳିଲେ ତହିଂ ବ୍ରହ୍ମାଙ୍କ କୁମର।୩୮୬।

ନାରଦଙ୍କୁ ଦେଖିଣ ଅସୁର କୁଳରାଣ

ପ୍ରଲମ୍ବିତ କଲା ସେ ଯେ ଋଷିଙ୍କ ପୟରେଣ।୩୮୭।

 

ବୋଇଲା ଆଜ କି ଭାଗ୍ୟ ହୋଇଲା ମୋହୋର

ନୟନେ ଦେଖିଲି ଯାହା ବ୍ରହ୍ମାଙ୍କ କୁମର।୩୮୮।

ଅସୁର ଭଗତି ଦେଖି ବ୍ରହ୍ମାଙ୍କର ଶିଷି

କଲ୍ୟାଣ କରିଣ ସେ ଯେ ବୋଇଲେକ ହସି।୩୮୯।

ତୋହୋରଠାରେ ଆମ୍ଭର ବହୁତ ସ୍ନେହ ଥାଇ

ତେଣୁ ଶଙ୍ଖୁଳି ଅଇଲୁ ଶୁଣ ନରସାଇଂ।୩୯୦।

 

ଗୁପତ କଥାୟେ ଅଛି କହିବା ତୋହୋରେ

ଶତ୍ରୁ ଉପଗତ ହେଲା କହିଲି ସତ୍ୱରେ।୩୯୧।

ଯୁଝେଷ୍ଠି ବୋଲିଣ ସେ ଯେ ୟେକଇ ଦଣ୍ଡଧର

ତାହାର କନିଷ୍ଠ ଅଟଇ ଭୀମ ମହାବୀର।୩୯୨।

ତାହାର କନିଷ୍ଠ ନାମ ଅର୍ଜୁନ ଅଟଇ

ଛତ୍ରୀ ପଣେ ତାହାକୁ କେ ସାରି ସକ୍ଷ ନାହିଂ।୩୯୩।

 

ତାହାର ସାନୁଜ ସେ ଯେ ନକୁଳ ମହାବୀର

ଆସିଅଛି ତୋର ସଙ୍ଗେ କରିବ ସମର।୩୯୪।

ତାହା ଶୁଣି ସେ ଅସୁର ଗର୍ଜିଣ ଉଠିଲା

ନାରଦଙ୍କୁ ବହୁତ ସେ ପ୍ରଶଂସିତ କଲା।୩୯୫।

ବୋଇଲା ଗୋସାଇଂ ମୁଂ ଯେ ଶିବଙ୍କ ପ୍ରସାଦେ

ଶତ୍ରୁମାନ କଦାପି ନ ଡରେ ରଣ ମଧ୍ୟେ।୩୯୬।

 

ଅସୁର ବୋଇଲା ସ୍ୱାମୀ ହେବା ଅବଧାନ

କେଉଂଠାରେ ରହିଅଛି ପଣ୍ଡୁର ନନ୍ଦନ।୩୯୭।

ନାରଦ ବୋଇଲେ ଅଛି ସେଅର୍ଦ୍ଧ ସ୍ୱର୍ଗରେ

ମାତଳି ଅଛଇ ପୁଣ ତାର ସଙ୍ଗତରେ।୩୯୮।

ୟେହା ଶୁଣିଣ ଅସୁର ମହାକ୍ରୋଧ କଲା

ମନ୍ତ୍ରୀକି ରାଇଣ ସେ ଯେ ବଚନ ପ୍ରକାଶିଲା।୩୯୯।

 

ବୋଇଲା ତୁ ଥାଠ ସଜ କରାଅ ମୋହୋର

ଆଜ ମାରି ଆସିବଇଂ ପଣ୍ଡୁର କୁମାର।୪୦୦।

ରାଜାର ଆଗ୍ୟାଂରେ ମନ୍ତ୍ରୀ ବେଗେ ଚଳିଗଲା

ସିଘଂଦ୍ୱାରେ ଯାଇଣ ଟମକ ଦିଆଇଲା।୪୦୧।

ଟମକ ଡାକଇ ସଜ ହୁଅ ସର୍ବ ସନ୍ୟ

ରାଇ ଆଗ୍ୟାଂ ଦେଇଛନ୍ତି ଅସୁର ରାଜନ।୪୦୨।

 

ହାଥୀ ରଥୀ ପାଦାନ୍ତି ସମସ୍ତ ସଜ ହୋଇ

ଅଶ୍ୱ ଚଢି ଅସୁଆରେ ଆଗରେ ଧୁଆଂଇ।୪୦୩।

ବାର କୋଟି ରଥୀ ପୁଣ ହୋଇଲେ ବାହାର

ନାନା ଶସ୍ର ଥୋଇଲାକ ରଥର ଉପର।୪୦୪।

ମନ୍ତ୍ରୀକି ବୋଇଲା ମୋର ରଥେ ଆସି ବସ

ନକୁଳ କୁମାର ଆଜ କରି ବିବିନାଶ।୪୦୫।

 

ଇନ୍ଦ୍ର ଯଦ୍ୟପି ତା ପାଇଂ ହେବ ପରିଘାଇ

ତାହା ସହିତରେ ସେହି ଯମପୁର ଯାଇ।୪୦୬।

ଅସଂକ୍ଷେଣ ଥାଠ ଘେନି ଚଳଇ ଅସୁର

ଜେନାବଳୀ ନିଜ ରାଜ୍ୟୁଂ ହୋଇଲା ବାହାର।୪୦୭।

ଗଧ ଶୂକର ମଇଂଷି ଶାର୍ଦ୍ଦୂଳ ବାହାନେ

ଚଳନ୍ତି ଅସୁର ରଥ ଗଜ ଯେ ସଇନେ।୪୦୮।

 

ଦଲ ଦଲ ହୋଇଣ କମ୍ପଇ ମହୀ ଦେବୀ

ବିକଟାଳ ହୋଇଣ ଅସୁର ଦ୍ୟନ୍ତି ବୋବି।୪୦୯।

ଅର୍ଦ୍ଧ ଆକାଶେ ଅସୁର ମିଳିଲାକ ଯାଇ

ସିଂଘରଡ଼ି ଘାତେଣ ସେ ଆକାଶ କମ୍ପଇ।୪୧୦।

ପାଦ ରେଣୁ ଘାତେଣ ଆଦିତ୍ୟ ତେଜ ଗଲା

ମାର ମାର ଧର ଧର ଶବଦ ଶୁଭିଲା।୪୧୧।

 

ଦିବା ଅନ୍ଧାର ଦେଖି ନକୁଳ ପଚାରଇ

ଦିବସରେ ଅନ୍ଧାର ଦିଶଇ କାହିଂ ପାଇଂ।୪୧୨।

ମାତଳି ବୋଇଲା ସେହି ଅସୁର ବାହିଲା

ନାରଦ ମୁଖରୁ ତବ ଆଗମନ ଶୁଣିଲା।୪୧୩।

ୟେହା ଶୁଣି ନକୁଳ ଯେ କୋପ ମନ ହେଲା

ଦ୍ରୋଣଙ୍କୁ ସୁମରି ଧନୁ ଆମଞ୍ଚନ କଲା।୪୧୪।

 

ଗାଣ୍ଡୀମ ସାରିଖ୍ୟେ ଧନୁ ଅଟଇ ଯାହାର

ଗୁଣ ଚଢାଇଣ ଧନୁ କଲାକ ଟଙ୍କାର।୪୧୫।

ଧନୁ ଗୁଣ ଘୋଷ କି ଶୁଭଇ ଘଡ଼ଘଡ଼ି

ରେ ରେ କାର କରିଣ ଛାଡଇ ସିଂଘରଡି।୪୧୬।

ପୁଣ ଜଗନ୍ନାଥଙ୍କୁ କରଇ ସୁମରଣ

କରୁଣା ସାଗର ସ୍ୱାମୀ ମୋ ଦୟିନୀ ଘେନ।୪୧୭।

 

ଦତ୍ୟ ନିଶୋଧନେ ତୁମ୍ଭ ନାମ ଦଇତାରି

ମତ୍ସାଦିୟେ ଦଶ ଅବତାର ରୂପ ଧରି।୪୧୮।

କୂର୍ମ ରୂପ ଧରିଣ ମନ୍ଦର ଗିରି ଧରି

ବରାହ ରୂପରେ ଉଦ୍ଧରିଲ ବସୁନ୍ଧରୀ।୪୧୯।

ମତ୍ସ୍ୟ ଅବତାରେ ଶଙ୍ଖାସୁର ବଧ କରି

ନରସିଂଘ ରୂପ ଧରି ହିରଣାକ୍ଷ ମାରି।୪୨୦।

 

ପୃଥିବୀର ଭାରା ଭର ନିବାରଣ କରି

ଦୀନବାନ୍ଧବ ହେ ଦୀନଶରଣ ଫୁକାରି।୪୨୧।

ଆମ୍ଭେ ପଣ୍ଡୁ ସୁତେ ସ୍ୱାମୀ ତୁମ୍ଭରେ ଶରଣ

ୟେ ସଙ୍କଟୁ ରକ୍ଷା କର କମଳା ରମଣ।୪୨୨।

ଶ୍ରୀହରିଙ୍କି ନକୁଳ ମନରେ ସୁମରିଲା

ଅସଂକ୍ଷେପ ବଳ ତାର ଶରୀରେ ହୋଇଲା।୪୨୩।

 

ୟେ ସମୟେ ପ୍ରବେଶିଲା ପ୍ରଚଣ୍ଡା ଅସୁର

ମର୍ଭୁତେକ ରଥୀ ଯେ ଅଛନ୍ତି ସଙ୍ଗତର।୪୨୪।

ନକୁଳର ରଥକୁ ସେ ବେଢିଲେ ଯାଇ ଖରେ

ମାର ମାର ବୋଲିଣ ସେ ଯେ ଡାକନ୍ତି ନିଶାଚରେ।୪୨୫।

ୟେ ସମୟେ ଅସୁରେ ମାଇଲେ ଶସ୍ରମାନ

ନକୁଳ ଶସ୍ର ପ୍ରହାର କରଇ ଛେଦନ।୪୨୬।

 

ଜଳଧାରା ଜାଣି ଶର ଅସୁରେ ବିନ୍ଧନ୍ତି

ୟେକା ନାରାଜକେ ତାହା ନକୁଳ ବିକୋତି।୪୨୭।

ଲକ୍ଷେ ପୁର କରିଣ ନକୁଳେ ବେଢିଗଲେ

ଛେଲ ଚକ୍ର ନାରାଜ ଲାଙ୍କିଆ ପ୍ରହାରିଲେ।୪୨୮।

ବେଳୁଂ ବେଳ ସମର ହୋଇଲା ଅଗୋଚର

ରାଗେଣ ନକୁଳ ଯେ କମ୍ପଇ ଥରହର।୪୨୯।

 

ନକୁଳ ଶତେ ନାରାଜ ରାଗେଣ ମାଇଲା

ଦ୍ରୋଣ ଗୁରୁ ସୁମରି ସେ ଶରନ୍ତ ପେଷିଲା।୪୩୦।

ଅନିର୍ଯାପ ଶର ସନ୍ୟେ ପଡିଲାକ ଯାଇଂ

ବିଶାଶତେ ରଥୀ ଯେ ପଡ଼ିଲେ ପ୍ରାଣଦେଇ।୪୩୧।

ରଥୀ ହାଥୀ ମାହୁନ୍ତ ହୋଇଲେ ସର୍ବ କ୍ଷୟେ

ସାଂଗ୍ରାମ ଭୂମି ଗୋଟା ହୋଇଲା ରକ୍ତମୟେ।୪୩୨।

 

ଅସଂକ୍ଷ ଦାନବେ ନକୁଳକୁ ବେଢିଛନ୍ତି

କୁନ୍ତ ଶକ୍ତି ମୁଦଗର କୋପେଣ ପ୍ରହାରନ୍ତି।୪୩୩।

ନକୁଳର ଅଙ୍ଗରେ ବାଜିଣ ତୀକ୍ଷ ଶର

ଝରଝର ହୋଇଣ ଯେ ବହଇ ରୋଧିର।୪୩୪।

ଦେଖିଣ ନକୁଳ ଯେ ମହା କ୍ରୋଧଭର ହେଲା

ସହସ୍ରେ ନାରାଜ ପୁଣ ଗୁଣେ ବସାଇଲା।୪୩୫।

 

ମନ୍ତ୍ର ସୁମରି ନାରାଜ ଛାଡ଼ିଲାକ ବେଗେ

ଗଣ୍ଡିମୁଣ୍ଡ ହୋଇ ଅସୁରେ ପଡ଼ିଲେ ମହୀଭାଗେ।୪୩୬।

ରକତରେ କର୍ଦ୍ଦନ ହୋଇଲା ବସୁମତୀ

ଅସୁରେ ଭୂମିରେ ପଡ଼ି ଗଡ଼ିଯାନ୍ତି।୪୩୭।

ୟେହାଙ୍କ ପଡ଼ିବା ଦେଖି ମହାରଥୀମାନ

ଶତେ ପୁର କରି ନକୁଳକୁ ବେଢିଲେ ବହନ।୪୩୮।

 

ତୀକ୍ଷ ଶର ଶକ୍ତି ଭାଲ ବିନ୍ଧିଲେ ଅପାର

ଦୂରୁଂ ନିବାରଇ ତାହା ମାଦ୍ରୀର କୁମର।୪୩୯।

ବେଳୁଂ ବେଳ ଅସୁରେ ହୋଇଲେ କୋପ ଚିତ୍ତ

ନକୁଳ ଉପରେ ନେଇ ପ୍ରହାରିଲେ କୁନ୍ତ।୪୪୦।

ପଞ୍ଚାଶ ଶର ନକୁଳ ରତ୍ନରେ ନିର୍ମିତ

ମନ୍ତ୍ରିଣ ପେଶିଲା ତାହା ମଦନାର ସୁତ।୪୪୧।

 

ସେ ନାରାଜେ ପଡ଼ି ମଲେ ବେନି ସସ୍ର ରଥୀ

ପଞ୍ଚକୋଟି ହୟେବର ମର୍ଭୁତେକ ହାଥୀ।୪୪୨।

ନକୁଳ ବରଶର ବିଘାତେ ଅସୁରେ ପଡ଼ିଲେ

ରକତ ନଦୀ ସୁଅରେ ଥୋକେ ଭାସିଗଲେ।୪୪୩।

ନକୁଳର ଶରେ ଯେ ଅନେକ ସନ୍ୟ ମଲେ

ରଥୀ ହାଥୀ ପାଦାନ୍ତି ଅନେକ ସନ୍ୟ ନାଶ ଗଲେ।୪୪୪।

 

ବାତ ବିଘାତେ କଦଳୀ ବନ ଯେହ୍ନେ ଦହି

ତେସନେ ଅସୁରଙ୍କୁ ଦିଲାକ ଲୋଟାଇ।୪୪୫।

ତାଳେଇ ଉତ୍ସର୍ଗେ ତହିଂ ରକ୍ତ ନଦୀ ବୁହାଇଲା

ଦେଖିଣ ପ୍ରଚଣ୍ଡାସୁର ମହା କ୍ରୋଧ ହେଲା।୪୪୬।

ଅସୁର ବୋଇଲା ତାର ମନ୍ତ୍ରୀ ମୁଖ ଚାହିଂ

ନକୁଳ ଛାମୁକୁ ମୋର ରଥ ନିଅ ବାହି।୪୪୭।

 

ସନ୍ୟ ନିବାରନ୍ତେ ରାତ୍ର ଦିବା ବହିଗଲା

ଦୁତୀୟ ଦିନର ବେଳ ପ୍ରହରେ ହୋଇଲା।୪୪୮।

ସାଗରେକ ଅସୁର ନକୁଳ କଲାନାଶ

ବସୁମତୀର ଭାରା ଥୋକେ ହୋଇଲା ଉଶ୍ୱାସ।୪୪୯।

ପ୍ରଚଣ୍ଡାସୁର ଦେଖିଣ ପ୍ରଶଂସିଲା ମନେ

ଧନ୍ୟରେ ପାଣ୍ଡବା, ଛତ୍ରୀ ନାହିଂ ତୋ ସମାନେ।୪୫୦।

 

କହୁଂ କହୁଂ ମନ୍ତ୍ରୀ ତାର ରଥ ବାହି ନେଲା

ନକୁଳ ଛାମୁରେ ନେଇ ରଥକୁ ଟେକିଲା।୪୫୧।

ମନ୍ତ୍ରୀ ବୋଲେ ୟେ ତୋ ଶତ୍ରୁ ୟା ରୂପକୁ ଦେଖ

ୟେହାକୁ ବିନାଶ ଅନ୍ୟ ଦୁଖ ଯେ ଉପେକ୍ଷ।୪୫୨।

ମନ୍ତ୍ରୀର ବଚନେ ସେ ଅନେକ କୋପ କଲା

ଅନେକ କୋପ କରି ନକୁଳେ ଚାହିଂଣ ଗାଳି ଦିଲା।୪୫୩।

 

ଦୁହେଂ ମହା ଛତ୍ରୀ କେହି ନୁହନ୍ତି ନା ଓଛ

ତ୍ରୋଣୁଂ ବାଛି ବିନ୍ଧନ୍ତି ନାରାଜ ମହାତୀକ୍ଷ।୪୫୪।

ସହସ୍ରେ ବାଣ ଅସୁର ଗୁଣରେ ବସାଇ

ନକୁଳ ଉପରକୁ ତା ବିନ୍ଧିଲା ନିଠାଇଂ।୪୫୫।

ସେ ବାଣ ଆସନ୍ତେଣ ତା ନକୁଳ ଦେଖିଲା

ୟେକା ନାରାଜକେ ତାହା ଦୂରରୁ କାଟିଲା।୪୫୬।

 

ଦେଖିଣ ଅସୁର ଯେ କମ୍ପଇ ଥର ହର

ନକୁଳ ବିନ୍ଧିଲା କୋପେ ଅନିର୍ଯ୍ୟାପ ଶର।୪୫୭।

ଅସୁର ଅଙ୍ଗରେ ପଡ଼ି ଅଗ୍ନି ଝଲକିଲା

ଦାଢ ମୋଡି ନାରାଜ ଯେ ଭୂମିରେ ପଡ଼ିଲା।୪୫୮।

କୋପେଣ ଅସୁର ଯେ ପନ୍ନଙ୍ଗା ଶର ବିନ୍ଧି

ଫଣା ଟେକି ପନ୍ନଙ୍ଗେ ଧାମନ୍ତି ଦିଗ ରୁନ୍ଧି

ଦେଖିଣ ନକୁଳ ଯେ ଗରୁଡ଼ାଶର କଲା

ଅସୁର ସର୍ପମାନଙ୍କୁ ଦୂରୁ ଗିଳି ଦିଲା।୪୬୦।

 

ପୁଣିହିଂ ସେ ମେଘାଶର ଅସୁର ବିନ୍ଧିଲା

ପବନାଶରେ ନକୁଳ ତାକୁ ଉଡ଼ାଇଲା।୪୬୧।

ଶର ଆତଯାତରେ ଗଗନ ନ ଦିଶଇ

ଶ୍ରାବଣ ବରଷା ଜାଣି ଶର ବୃଷ୍ଟି ହୋଇ।୪୬୨।

ୟେକକୁ ଆରକେ ଶର ବିନ୍ଧି ନିବାରନ୍ତି

କେହି କାହାକୁ ନିଓଛ ସମାନ ଅଟନ୍ତି।୪୬୩।

ଯେ ଯାହାର ତ୍ରୋଣେ ଥାଇ ଅପାଲଟ ଶର

ସେହି ବିନ୍ଧୁଛନ୍ତି ତାହା ହୋଇଣ ନିଷ୍ଠୁର।୪୬୪।

 

ଶର ଆତଯାତେ ନଦିଶଇ ରଣ ଭୂଇଂ

ୟେକ ଶରକୁ ସେ ଯେ ଆରେକ ନିବାରଇ।୪୬୫।

ତିନି ଦିବସ ତିନି ରାତ୍ରି ଯୁଦ୍ଧ ହେଲା

କେହି କାହାକୁହିଂ ଯୁଦ୍ଧେ ଜିଣି ନ ପାରିଲା।୪୬୬।

ଶରଙ୍କର ଆତଯାତ ଗୁଣ ଘୋଷ ନାଦ

ଶୂନ୍ୟ ପୁରୁଷେ ଶୂନ୍ୟରେ ହୋଇଲେ ତବଦ।୪୬୭।

 

ପ୍ରଳୟ କାଳ ଜାଣିଣ ଶରଙ୍କ ଗର୍ଜନ

ଦିବା ରାତ୍ର ଗଲାନି ସପ୍ତ ଦିନ।୪୬୮।

ବିଜୁଳି ଝଟକ ଜାଣି ଶରଙ୍କର କାନ୍ତି

ଘଡ଼ଘଡ଼ି ପ୍ରାୟେକ ସେ ଶବଦ କରନ୍ତି।୪୬୯।

ୟେକ ବିନ୍ଧିବାରେ ଶର ଆରେକ ନିବାରେ

କାହାରି ଶର କାହାରି ନ ବାଜେ ଶରୀରେ।୪୭୦।

 

ବିନ୍ଧି ବିନ୍ଧି ଅସମର୍ଥ ହେଲେ ବେନି ଜନ

ନୁହଇ ନିବାରି ଶର ଶରୀରେ ଭେଦନ।୪୭୧।

ବେଳୁଂ ବେଳ ସମର କରନ୍ତି ମହାଘୋର

ଦୁହେଂ ମହାଛତ୍ରୀ ସେ ଯେ ଅଟନ୍ତି ଧନୁର୍ଦ୍ଧର।୪୭୨।

କାଣ୍ଡରେ ନକୁଳ ଦେହ ହୋଇଲାନି ଛାଇ

କାଣ୍ଡ ଘାୟେ ଦେହୁଂ ରକ୍ତ ଝରଝର ବହି।୪୩୭।

 

ମହାକ୍ରୋଧେ ନକୁଳ ଶରନ୍ତ ପ୍ରହାରିଲା

ଅସୁରର ଶରୀରକୁ ବିକୋତି କାଟିଲା।୪୭୪।

ରକତରେ ଜରଜର ସେ ବେନିଙ୍କର କାୟେ

କେହି କାହାକଇଂ ନଘୁଞ୍ଚନ୍ତି ବେନି ପାୟେ।୪୭୫।

ସହସ୍ରେକ ତୀକ୍ଷ ଶର ନକୁଳ ପେଷିଲା

ଅସୁର ଶରୀରକୁ ସେ ବିକୋତି କାଟିଲା ।୪୭୬।

 

ପୁଣିହିଂ ନକୁଳ ବଜ୍ରା ଶର ପ୍ରହାରିଲା

ଅସୁରର ଶରୀରକୁ ସେ କାଟି ପକାଇଲା।୪୭୭।

ବେକ ସଳଖରୁ ବାଣ ଗଳିଗଲା ଯହୁଂ

ମୁଣ୍ଡ ଛିଣ୍ଡି ଭୂମିରେଣ ପଡ଼ିଲାକ ତହୁଂ।୪୭୮।

ପୁଣି ଗର୍ଭ ଭିତରୁ ଶିରେକ ବାହାରିଲା

ଦେଖିଣ ନକୁଳ ମନେ ମହାକ୍ରୋଧ କଲା।୪୭୯।

 

ପୁଣିହିଂ ନକୁଳ କୋପେ ଅର୍ଦ୍ଧଚନ୍ଦ୍ର ପେଶି

ସେ ଶିର ଛିଣ୍ଡିଣ ଭୂମିରେ ପଡ଼ିଲାକ ଆସି ।୪୮୦।

ପୁଣି ଶିର କମଳ ତା ଗର୍ଭୂଂ ଉପୁଜିଲା

ଦେଖିଣ ନକୁଳକଇଂ ବୁଦ୍ଧି ନ ସ୍ଫୁରିଲା ।୪୮୧।

ମନେ ବିଚାରଇ ୟେ ଅନିର୍ବାର ଅସୁର

କି ବିଚାର କରିଣ ଅଛନ୍ତି ଚକ୍ରଧର ।୪୮୨।

 

ପୁଣି ଇନ୍ଦ୍ରାଶର ନକୁଳ ବିନ୍ଧେ ଟାଣି

ପ୍ରଚଣ୍ଡାସୁର ଶିର ପକାଇଲା ହାଣି ।୪୮୩।

ପୁଣି ଶିର ଉଦର ଭିତରୁ ବାହାରିଲା

ଧନୁ ଧରି ନକୁଳ ସଙ୍ଗତେ ଯୁଦ୍ଧକଲା ।୪୮୪।

ନକୁଳର ଦେହେ କାଣ୍ଡ ହୋଇଲା ନିଛାଇ

ରକତ ବହି ପଡ଼ଇ ଯେ ଧାର ଧାର ହୋଇ ।୪୮୫।

 

ନକୁଳ ବିଚାର କରେ କି ବୁଦ୍ଧି କରିବି

କେମନ୍ତ ପ୍ରକାରେଣ ୟେ ଅସୁର ସଂହାରିବି।୪୮୬।

ପୁଣି ପଶୁ ପତ୍ର ବାଣ ବିନ୍ଧିଲା ନକୁଳ

ଅସୁରର ଛିଣ୍ଡି ଗଲା ଶିର ଯେ କମଳ ।୪୮୭।

ପୁଣି ଗର୍ଭରୁ ଶିରେକ ହେଲା ତତକ୍ଷଣ

ବିନ୍ଧଇ ଅସୁର ସେ ଯେ ଅନିର୍ଯାପ ବାଣ ।୪୮୮।

 

ୟେ ବିଧିରେ ଶତେ ବାର ଶିର ତା ଛିଣ୍ଡିଲା

ପୁଣ ପୁଣ ଗର୍ଭରୁ ତା ଶିର ବାହାରିଲା ।୪୮୯।

ନକୁଳ ମୁଖକୁ ଚାହିଂ ବୋଲଇ ଅସୁର

ୟେ ଶରମାନଙ୍କେ କାହିଂ ମୃତୁ ଯେ ମୋହୋର ।୪୯୦।

ଶିର ଛିଣ୍ଡିଗଲେ ମୁଂରେ ଯଦ୍ୟପି ମରନ୍ତି

ୟେତେଦିନ ଯାୟେ କି ୟେ ପୃଥୀରେ ରହିଥାନ୍ତି ।୪୯୧।

 

ସର୍ବ ସୁରଗଣେ ବେଢି ମାରିଥାନ୍ତେ ମୋତେ

ତୁ ୟେ କଥା ମାନ ପୁଣ ନବିଚାରୁ ଚିତ୍ତେ ।୪୯୨।

ତୋହୋର ହାଥରେ କାହିଂ ମୋହୋର ମରଣ

ଯମପୁରକୁ ତୋତେ ରେ ପେଶିବି ୟେହି କ୍ଷଣ ।୪୯୩।

ୟେତେ ବୋଲୁଂ ଅସୁର ବିନ୍ଧଇ ଶରମାନ

ଅତି ବିମୁଖ ହୋଇଲା ମାଦ୍ରୀର ନନ୍ଦନ ।୪୯୪।

 

ନପାରିଲେ କିସଟି ବୋଲିବେ ଦାମୋଦର

କି ବୋଲି ବୋଲିବେ ମୋତେ ଅର୍ଜୁନ ଠାକୁର ।୪୯୫।

ଭୀମସେନ ଠାକୁରେ ବହୁତ ଝିଙ୍ଘାସିବେ

ଶୁଣିଣ କଉରୋବେ ଯେ ଉପହାସ କରିବେ ।୪୯୬।

ମରଣରୁ ଲଜ୍ଜା ମୋତେ ଅଧିକ ହୋଇବ

ନ ଜାଣିକି ମୋତେ ପଠାଇଲା ସହଦେବ।୪୯୭।

 

ୟେମନ୍ତ ଭାବିଣ ମନେ ବିସ୍ମୟ ହୋଇଲା

କରପତ୍ର ଯୋଡ଼ି ମାତଳିକି ପୁଚ୍ଛାକଲା ।୪୯୮।

କି ବୁଦ୍ଧି କରିବି ହୋ ମାତଳି କହ ମୋତେ

ଛିଣ୍ଡିବାର ମୁଣ୍ଡ ପୁଣ ଗର୍ଭୁଂ ଉତପତ୍ତି ଯେ କେମନ୍ତେ ।୪୯୯।

ଯେତେ ଶର ସେ ଅସୁର ମୋତେ ପ୍ରହାରଇ

ମମ ଅଙ୍ଗେ ଭେଦଇ ସେ ବିଅର୍ଥ ନ ଯାଇ ।୫୦୦।

 

ଘାୟେଅନ୍ତରାଳହୋଇମୋହୋରଶରୀର

କେମନ୍ତେ ମାତଳି କହ ମରିବ ଅସୁର ।୫୦୧।

ମାତଳି ବୋଇଲା ଶୁଣ ସାବଧାନ ହୋଇ

ଯେମନ୍ତେ ମରିବ ସେ ତାହା ଜାଣିଅଛି ମୁହିଂ ।୫୦୨।

ଯେତେବେଳେ ସଦାଶିବଙ୍କୁ ୟେ ସେବା କଲା

ସେବାରେ ମନାଇ ବର ପ୍ରାର୍ଥନା ୟେ କଲା ।୫୦୩।

 

ବୋଇଲା ସ୍ଵାମୀ ଅମର ହେବ ମୋର କାୟେ

ଅସ୍ତୁ ହୋଉ ବୋଲିଣ ବୋଇଲେ ଦେବ ରାୟେ ।୫୦୪।

ଆବର ବର ମାଗିଲା ପ୍ରଚଣ୍ଡା ଅସୁର

ଦେବ ଦାନବ ମାନବେ ମୃତୁ ନୋହୁ ମୋର ।୫୦୫।

ସଦାଶିବ ବୋଇଲେରେ ତାହାହିଂ ଅସ୍ତୁ ହୋଉ

ସମର ଭୂଇଂରେ ତୋର ଭୟହିଂ ନଥାଉ ।୫୦୬।

 

ଅସୁର ବୋଇଲା ସ୍ଵାମୀ ୟେ ମୃତୁ ମଣ୍ଡଳ

ୟେଥି ଜନ୍ମ ଲଭିଲେ ମରିବ ଆଖଣ୍ଡଳ ।୫୦୭।

ଜନମ ହୋଇଲେ ତ ଅବଶ୍ୟ ମୃତୁ ହୋଇ

କେଉଂଣ ପ୍ରକାରେ ମୁଂ ମରିବି କହ ତାହି ।୫୦୮।

ଶିବ ବୋଇଲେ ମୁଣ୍ଡ କାଟିଲେ ନମରିବୁ

ବୁକୁ ଫୁଟିଲେ ତୁ ପୁଣ ବିନାଶ ହୋଇବୁ ।୫୦୯।

 

ଅଗ୍ନିଶର ଘେନି ଅବା ତୋତେ ଯେ ମାରିବ

ଅଙ୍ଗ ଜଳିଗଲେ ତୋର ମରଣ ହୋଇବ ।୫୧୦।

ୟେସନ ବଚନ ଯହୁଂ ମାତଳି କହିଲା

ନକୁଳର ମନ ମଧ୍ୟୁ ସଂଶୟ ଛାଡ଼ିଲା ।୫୧୧।

ତ୍ରୋଣ ଭିତରୁ ସେ କାଢିଲା ଅଗ୍ନିଶର

ଗଣେ ବସାଇଲା ତାହା ନକୁଳ କୁମାର ।୫୧୨।

 

ଆକର୍ଣ୍ଣ ପର୍ଯନ୍ତେ ଯହୁଂ ଗୁଣ ଓଟାରିଲା

ପ୍ରଚଣ୍ଡ ଅନଳ ଶିଖା ଆକାଶେ ଘୋଟିଲା ।୫୧୩।

ଦ୍ରୋଣ ଗୁରୁ ସୁମରିଣ ଛାଡ଼ନ୍ତେ ନାରାଜ

ପ୍ରଚଣ୍ଡାସୁର ଶରୀର ହୋଇଲା ଦହିଜ୍ୟ ।୫୧୪।

ମନ୍ତ୍ରୀ ସଙ୍ଗେ ଦହନ ହୋଇଲା ରଥ ଆଦି

ନିକଣ୍ଟକ ହୋଇଲେ ଅମରେ ଜମ୍ଭୋଭେଦୀ  ।୫୧୫।

 

ଯହୁଂ ସେ ମହାଅସୁର ହୋଇଲା ବିନାଶି

ଦେଖିଣ ନୃତ୍ୟ କଲେ ନାରଦ ମହଋଷି ।୫୧୬।

ତାହା ଦେଖି ମାତଳି ଯେ ଆନନ୍ଦ ହୋଇଲା

ନକୁଳ କୁମରକୁ ବହୁତ ପ୍ରଶଂସିଲା ।୫୧୭।

ଶୁଣ ହୋ ବିଲଙ୍କ ରାଜା ବୋଲନ୍ତି ଅଗସ୍ତି

ୟେସନେକେ ପ୍ରଚଣ୍ଡା ହୋଇଲା ବିନଶ୍ୟତି ।୫୧୮।

 

ଅସୁର ମରିବା ଦେଖି ନାରଦେ ଚଳିଲେ

ସୁଧର୍ମା ସଭାରେ ଯାଇଂ ପ୍ରବେଶ ହୋଇଲେ ।୫୧୯।

ସଭା ମଣ୍ଡାଇଣ ଯେ ବସିଛି ସୁରନାଥ

ପ୍ରବେଶ ହୋଇଲେ ଯାଇ ନାରଦ ତପୋବନ୍ତ ।୫୨୦।

ନାରଦଙ୍କ ହରଷିତ ଜାଣି ବଜ୍ରପାଣି

ପଚାରନ୍ତି କାହିଂ କିସ ଦେଖିଅଛ ପୁଣି ।୫୨୧।

 

ନାରଦେ ବୋଇଲେ ଯେ ନକୁଳ ମହାବୀରା

ସ୍ଵର୍ଗେ ପଶନ୍ତେ ଧଂସିଲା ପ୍ରଚଣ୍ଡା ଅସୁରା ।୫୨୨।

ସାତ ଦିନ ସାତ ରାତ୍ର ଯୁଦ୍ଧ ସେ ଯେ କଲା

ସାଗରେକ ଯୋଦ୍ଧାଙ୍କୁ ସେ କିଞ୍ଚିତେ ଜିଣିଲା ।୫୨୩।

ପ୍ରଚଣ୍ଡାସୁରକୁ ସେ ବଧିଲା ନକୁଳ

ଦେଖା ଶୁଣା ନାହିଂ ଯାହା ଦେଖିଲି ଆଖଣ୍ଡଳ ।୫୨୪।

 

ୟେହା ଶୁଣି ସୁର ରାୟେ ଆନନ୍ଦ ହୋଇଲେ

ନକୁଳ କୁମାରକୁ ପ୍ରଶଂସା ବହୁ କଲେ ।୫୨୫।

ସ୍ଵର୍ଗପୁରେ ଜୟ ଜୟ ଶବଦ ଶୁଭିଲା

ପଦ୍ମପୁଷ୍ୟ ପ୍ରାୟେ ଇନ୍ଦ୍ର ମୁଖ ବିକାଶିଲା ।୫୨୬।

ବସନ୍ତ ବହିଲା ତହିଂ ଧୀର ଧୀର ହୋଇ

ଅନେକ ସାନନ୍ଦ ହେଲେ ସ୍ଵର୍ଗବାସୀ ତହିଂ ।୫୨୭।

 

ସଭା ମଣ୍ଡାଇଣ ସୁର ରାୟେ ବିଜେ କଲା

ବୃହସ୍ପତିଙ୍କି ଯେ ଇନ୍ଦ୍ର ହକାରି ଆଣିଲା ।୫୨୮।

ତେତିଶ କୋଟି ଦେବତା ସମସ୍ତେ ଅଇଲେ

ସୁଧର୍ମା ସଭାରେ ଯେ ସମସ୍ତେ ବିଜେକଲେ  ।୫୨୯।

କପିଳାସୁଂ ଈଶ୍ଵରେ ଅଇଲେ ବେଗ ହୋଇ

ୟେକାଦଶ କୋଟି ଶିବଗଣ ସଙ୍ଗେ ଲାଇ ।୫୩୦।

 

ଯେ ଯାହାର ମତେ ସଭା ମଧ୍ୟେ ବିଜେ କଲେ

ଯଶୋବନ୍ତୀ ପୁରୁଂ ବେଦ ବ୍ରହ୍ମା ଯେ ଅଇଲେ ।୫୩୧।

ଦେଖିଣ ଦେବତାମାନେ ଶିରେ କର ଦିଲେ

ସୁବର୍ଣ୍ଣ ଆସନରେ ବିଧାତା ବିଜେ କଲେ ।୫୩୨।

ବ୍ରହ୍ମା ପୁଚ୍ଛାକଲେ ସେ ଇନ୍ଦ୍ରର ମୁଖ ଚାହିଂ

ପ୍ରଚଣ୍ଡା ଅସୁର ମଲା ସ୍ଵର୍ଗେ ଭଲ ମୁଖ ନାହିଂ ।୫୩୩।

 

ବୃହସ୍ପତି ଆଗ୍ୟାଂ ଦିଲେ ଶୁଣ ସୁର ରାଣ

ନକୁଳ କୁମାରକଇଂ ହକାରିଣ ଆଣ ।୫୩୪।

ଇନ୍ଦ୍ରହିଂ ବୋଇଲେ ସୁରସେନ ବେଗେ ଯାଉ

ଆମ୍ଭ ଆଗ୍ୟାଂ ଅଛି ବୋଲି ନକୁଳକୁ କହୁ ।୫୩୫।

ଆଗ୍ୟାଂ ପାଇ ଗନ୍ଧର୍ବ ବହନ ଚଳିଗଲା

ନକୁଳ ଛାମୁରେ ଯାଇଂ ପ୍ରବେଶ ହୋଇଲା  ।୫୩୬।

 

ବୋଇଲା ବାସବଙ୍କର ଆଗ୍ୟାଂ ଅଛି ତୋତେ

ମୁଂ ଆସିଅଛଇ ଘେନିଯିବଇଂ ସଙ୍ଗତେ ।୫୩୭।

ସୁରସେନ ମୁଖରୁ ୟେସନେକ ବାକ୍ୟ ଶୁଣି

ମାତଳିକି ଚାହିଂଣ ବୋଲଇ ମୃଦୁବାଣୀ ।୫୩୮।

ବୋଇଲା ଦତ୍ୟ ନବରେ ଯିବା ଆମ୍ଭେ ଖରେ

ଶଚୀ ଠାକୁରାଣୀ ଛନ୍ତି ତାହାର ମନ୍ଦିରେ ।୫୩୯।

 

ତାହା ଶୁଣି ମାତଳି ଯେ ସନମତ କଲା

ରଥ ସାଜି ନକୁଳ କୁମାର ବିଜେ କଲା ।୫୪୦।

ମାତଳି ଯେ ସୁରସେନ ରଥରେ ବସିଲେ

ଜେନାବଳୀ ପୁରକଇଂ ରଥ ବାହି ନେଲେ ।୫୪୧।

ସେ ପୁର ଜନଙ୍କୁ ଯାଇଂ ପୁଚ୍ଛନ୍ତି ବାରତ

ତୁମ୍ଭେ ଜାଣ କେଉଂଠାରେ ଅଛନ୍ତି ଶଚୀ ମାତ ।୫୪୨।

 

ଡଗରେ ବୋଲନ୍ତି ସେ ଅସୁର ପୁରେ ନାହିଂ

ଅରଡ଼ ପର୍ବତ ତଳେ ଛନ୍ତି ମହାଦେଈ ।୪୫୩।

ଡଗରେ ନକୁଳ କହେ କଢାଅ ସେ ବାଟ

ଆମ୍ଭଙ୍କୁ ନେଇଣ ବାରେ କରାଅନି ଭେଟ ।୫୪୪।

ପ୍ରଚଣ୍ଡାଅସୁର ସ୍ଵର୍ଗକଇଂ ଧାଡ଼ି ଦିଲା

ନକୁଳ କୁମାର ହାଥେ ବଧ ସେ ହୋଇଲା ।୫୪୫।

 

ୟେହା ଶୁଣି ଡଗରେ କଢାଇଲେ ବାଟ

ଶଚୀଙ୍କ ନବରେ ଅଛି ବଜ୍ରର କବାଟ ।୫୪୬।

ୟେହା ଶୁଣି ଡଗରାୟେ ଆଗରେ ଧାଇଂଲେ

ଗନ୍ଧର୍ବ ନାରୀମାନଙ୍କୁ ୟେଣୁ ଡାକ ଦିଲେ ।୫୪୭।

ବୋଇଲେ କେ ଦ୍ଵାରେ ଅଛି ଫିଟାଅ କବାଟ

ଭେଟ କରି ଆସିଅଛି ମଦନାର ଚାଟ ।୪୪୮।

 

ଚିତ୍ରରେଖା ନନ୍ଦିନୀ ଯେ ମଦନୀ ଗନ୍ଧର୍ବୀ

ଶଚୀଙ୍କି ସେ ସର୍ବଦା କାଳରେ ଥାନ୍ତି ସେବି ।୪୪୯।

ସେ ଯାଇ କହିଲା ମା ଗୋ ଶଚୀ ଠାକୁରାଣୀ

ନକୁଳ ଆସିଣ ତବ ଦ୍ଵାରେ ଅଛି ପୁଣି ।୪୫୦।

ଆମ୍ଭଙ୍କୁ ସେ ଆଗ୍ୟାଂ ଦିଲେ ଫିଟାଅ କବାଟ

ସୁରସେନ ଅଛଇଂ ଗୋ ଫିଟିଲା ସଙ୍କଟ ।୪୫୧।

 

ଶଚୀ ବୋଇଲେ ଗୋ ସଖୀ ୟେକି କଥା କହ

ସେ ଯେବେ ଅଇଲା ସତ ଟି କି ମାଦ୍ରୀ ପୁଅ ।୫୫୨।

ଯାଅଲୋ କବାଟ କାଢି ଦିଅ ତୁ ବହନ

ଲେଖାରେ ନକୁଳ ଅଟଇ ମୋହୋର ନନ୍ଦନ ।୫୫୩।

ୟେହା ଶୁଣି ଗନ୍ଧର୍ବୀ ବହନ ହୋଇ ଗଲା

ସେ ଯନ୍ତ୍ର କିଳିଣୀ ଯାଇଂ ଫିଟାଇଣ ଦିଲା ।୫୫୪।

 

ବାଟ କଢା ଡଗରେ ଯେ ପଶିଲେ ଝସାଇ

ଶଚୀଦେବୀଙ୍କି କହନ୍ତି ସକଳ ବୁଝାଇ ।୫୫୫।

ମା ଗୋ ଶୁଣିମା ହେଉ ଇନ୍ଦ୍ରଙ୍କ ପାଟରାଣୀ

ପ୍ରଚଣ୍ଡାସୁର ବାହିଲା ସ୍ଵର୍ଗକଇଂ ପୁଣି ।୫୫୬।

ନକୁଳ ବୋଲିଣ ମା ଗୋ ପଣ୍ଡୁର କୁମର

ସେହି ଯୋଗେ ଆସିଣ ଗୋ ଥିଲା ସ୍ଵର୍ଗପୁର ।୫୫୭।

 

ବୀର ତୂର ଶୁଣିଣ ସେନି ରୋଧିଲା ବାଟ

ଅସୁରଙ୍କ ସଙ୍ଗରେ କଲାକ ମୋଟ ଚୋଟ ।୫୫୮।

ସାତ ଦିନ ସାତ ରାତ୍ର ୟେକାକେ ଯୁଝିଲା

ପ୍ରଚଣ୍ଡାସୁର ସହିତେ ସର୍ବ ନାଶ କଲା ।୫୫୯।

ୟେବେ ସେ ଆସିଛି ଆପଣଙ୍କୁ ଘେନିଯିବ

ଇନ୍ଦ୍ରଙ୍କ ଛାମୁରେ ନେଇ ଭେଟ କରାଇବ ।୫୬୦।

 

ଶୁଣି କରି ଶଚୀଦେବୀ ହୋଇଲେ ଆନନ୍ଦ

ମୁଖ ବିକାଶି ଦିଶିଲାକି ପୂର୍ଣ୍ଣିମାର ଚାନ୍ଦ ।୫୬୧।

ଶଚୀ ପ୍ରଶଂସା କରନ୍ତି ଧନ୍ୟରେ ନକୁଳ

ପ୍ରଚଣ୍ଡା ଦାନବ ଯେ ଅଟଇ ମହାବଳ ।୫୬୨।

ସତସ୍ତରିବାରସେସ୍ଵର୍ଗକୁଧାଡିଦିଲା

ତେତିଶ କୋଟି ଦେବତା କିଞ୍ଚିତେ ଜିଣିଲା ।୫୬୩।

 

ସତଷଠୀ କ୍ଷଉଣୀ ତାହାର ଅଙ୍ଗ ବଳ

ୟେକାକୀ କେମନ୍ତେ ତାହା ନାଶିଲୁ ନକୁଳ ।୫୬୪।

ଧନ୍ୟ ଧନ୍ୟ ମହିମା ତୋ ନକୁଳ କୁମାର

କୀର୍ତ୍ତି ରୁହାଇଲୁ ତୋର ଚତୁର୍ଦ୍ଦଶ ପୁର ।୫୬୫।

ୟେ ସମୟେ ନକୁଳ ଯେ ପ୍ରବେଶ ହୋଇଲେ

ଯେତେଦୂରୁ ସେ ଶଚୀଦେବୀ ଯେ ଦିଶିଲେ  ।୫୬୬।

 

ସେହିଠାରୁ ପାୟେ ପଢି ଶୋଇଲେ ବହନ

ଶଚୀ ଡାକ ଦିଲେ ଯେ ଉଠ ଉଠରେ ନନ୍ଦନ ।୫୬୭।

ନଉଠଇ ନକୁଳ କରଇ ନିଉଛାଳି

ଧାଇଂ ଶଚୀଦେବୀ ସେ ନକୁଳେ ଧରି ତୋଳି  ।୫୬୮।

ଆପଣା ଅଞ୍ଚଳେ ଧୂଳିମାନନ୍ତ ଝାଡ଼ିଲେ

କରଧ ରି ଜାନୁ ପରେ ନେଇ ବସାଇଲେ ।୫୬୯।

 

ରୋବିଲେକ ଶଚୀ ଦେବୀ ହୋଇଣ ବିକଳ

ଗଙ୍ଗା ଯମୁନା ପ୍ରାୟେ ବହେ ଅଶ୍ରୁଜଳ ।୫୭୦।

ନକୁଳ ବୋଇଲେ କ୍ରୋଧ ଶାନ୍ତି କର ମାୟେ

ୟେ ତୁମ୍ଭର ପ୍ରସାଦେ ଅସୁରେ ଗଲେ କ୍ଷୟେ ।୫୭୧।

ଶଚୀ ପ୍ରତିବାଚ ବାବୁ ୟେ ଘୋର ସଂକଟ

ମାନ ଉଦ୍ଧରିଲୁ ଆସି ଧନ୍ୟରେ ତୁ ଚାଟ ।୫୭୨।

 

ୟେ ତୋହୋର ଗୁଣ ବାବୁ ସୁଝିବଇଂ କାହିଂ

ଚତୁର୍ଦ୍ଦଶ ପୁରେ କେ ୟେମନ୍ତ ଦେବ ନାହିଂ ।୫୭୩।

ବହୁତ ପ୍ରଶଂସି ଶଚୀ ନକୁଳେ ବୋଇଲେ

କରପତ୍ର ଯୋଡ଼ିଣ ନକୁଳ ଜଣାଇଲେ ।୫୭୪।

ତୁମ୍ଭର ଆଗ୍ୟାଂରେ ୟେ ଅସୁର କ୍ଷୟେ ଗଲା

ମୁଂ ତୁମ୍ଭର ଭୃତ୍ୟ ସିନା ଯଶ ଉପୁଜିଲା ।୫୭୫।

 

ଶଚୀ ବୋଇଲେ ନନ୍ଦନ ନୁହଇ କି ତାହି

ଅମର ସ୍ଵର୍ଗକୁ ବଳା ରକ୍ଷା କଲୁ ତୁହି ।୫୭୬।

ଦୁତୀୟ ସମୋଦ୍ର ଜାଣି ସେ ଅସୁର ବଳ

ୟେ କାଳେ କେମନ୍ତେ ନାଶ କଲୁ ତୁ ନକୁଳ ।୫୭୭।

ୟେତେ ବୋଲିଣ ନକୁଳ ଶରୀର ଆଉଂଶିଲେ

ବଜ୍ର ଅଙ୍ଗ ହେଉ ବୋଲି ଦେବୀ ଯେ ବୋଇଲେ ।୫୭୮।

 

ନକୁଳ ବୋଇଲେ ମା ଗୋ ରଥେ ବିଜେ କର

ଅମର ମଣ୍ଡଳକଇଂ ଯିବା ନା ସତ୍ଵର ।୫୭୯।

ନକୁଳ ବୋଇଲେ ମା ଗୋ ସ୍ଵର୍ଗ ଠାକୁରାଣୀ

ତୁମ୍ଭ ବିନା ସ୍ଵର୍ଗ ନ ଶୋହଇ ଗୋସାମଣୀ ।୫୮୦।

ନକୁଳ ବଚନେ ଦେବୀ ତକ୍ଷଣେ ଉଠିଲେ

ଅପଛରୀନ୍ତ ଘେନିଣ ରଥରେ ବିଜେକଲେ  ।୫୮୧।

 

ଚମକାଇ ରଥ ତେଣେ ବାହଇ ମାତଳି

ପବନହୁଂ ପୁଷ୍ୟେକ ସେ ଗଲା ବେଗେ ଚଳି  ।୫୮୨।

ସ୍ଵର୍ଗ ମଣ୍ଡଳରେ ପ୍ରବେଶିତ ହେଲା ଯାନ

ଶଚୀ ଦେବୀ ପ୍ରବେଶିତ ଆପଣା ଭୁବନ ।୫୮୩।

ନିଜପୁରେ ପ୍ରବେଶିଲେ ପରିବାରୀ ଘେନି

ଯେ ଯାହା ସେବାରେ ଯାଇଂ ଖଟିଲେ କାମିନୀ ।୫୮୪।

 

ନକୁଳ ଘେନିଣ ମାତଳି ଚଳିଗଲା

ସୁଧର୍ମା ସଭାରେ ଯାଇଂ ତକ୍ଷଣେ ମିଳିଲା ।୫୮୫।

ବ୍ରହ୍ମ ବୃହସ୍ପତି ଇନ୍ଦ୍ର ଶିବଙ୍କୁ ଦେଖିଣ

ପାୟେ ପଡି ଶୋଇଲାକ ମାଦ୍ରୀର ନନ୍ଦନ ।୫୮୬।

ଇନ୍ଦ୍ର ବୋଇଲେରେ ଉଠ ପଣ୍ଡୁରାଜା ପୁଅ

ଯାଅ ଚିତ୍ରସେନ ହୋ ନକୁଳକୁ ଉଠିଆଅ ।୫୮୭।

 

ଧାଇଂ ଯାଇ ଚିତ୍ରସେନ ନକୁଳକୁ ଉଠାଇଲା

କରଯୋଡ଼ିଣ ନକୁଳ ଉଠି ଉଭାହେଲା ।୫୮୮।

ଇନ୍ଦ୍ର ଆଗ୍ୟାଂ ଦିଲେ ସୁଧର୍ମା ସଭାକୁ ଯେ ଆସ

ଧନ୍ୟ ଧନ୍ୟ ନକୁଳରେ ପଣ୍ଡୁରାଜ ଶିଷ ।୫୮୯।

ଆସ୍ତାନ ଉପରକୁ ନକୁଳ ଉଠିଗଲେ

ଦେଖି ଅଶ୍ଵିନୀକୁମାରେ କୋଳରେ ଧଇଲେ ।୫୯୦।

 

ମୁଖରେ ଚୁମ୍ବନ ପିତା ହରଷେ ଦିଅନ୍ତି

ବ୍ରହ୍ମା ବୃହସ୍ପତି ବହୁ କଲ୍ୟାଣ କରନ୍ତି ।୫୯୧।

ଅମରେଣ ଅଧିକାରୀ ହୋଅ ତୁ ବୋଇଲେ

ଗଣଗନ୍ଧର୍ବ ଦେବତା ଯେତେ ବସିଥିଲେ ।୫୯୨।

ୟେକେ ୟେକେ ହୋଇ ସର୍ବେ କଲ୍ୟାଣ ବାଂଛିଲେ

ୟେଥୁ ଅନନ୍ତରେ ଶୁଣ ଅଗସ୍ତି ଭାଷିଲେ ।୫୯୩।

 

ଅମରେ ନକୁଳବୀର ପୁରୁଷାର୍ଥ ପାଇ

ଉଠି ନକୁଳକୁ କୋଳ କଲେ ଶଚୀସାଇଂ ।୫୯୪।

ତୋହୋର ହେତୁ ୟେ ସ୍ଵର୍ଗ ରକ୍ଷା ହେଲା ବାବୁ

ୟେ ଅମରମଣ୍ଡଳ ଅର୍ଜିଲା ତୋର ସବୁ ।୫୯୫।

ନକୁଳକୁ ପୁରନ୍ଦର ଗଉରୋବ କଲେ

ବହୁ ଅଳଙ୍କାର ତାର ଦେହରେ ଖଞ୍ଜିଲେ ।୫୯୬।

 

ଦେବାଙ୍ଗ ପାଟେକ ଇନ୍ଦ୍ର ଘେନିଲେ ଆପଣେ

ନକୁଳର ମସ୍ତକେ ବାନ୍ଧିଲେ ତତକ୍ଷଣେ ।୫୯୭।

ଅଭିଷେକ ବିଧି ପୁରନ୍ଦର ଅଣାଇଲେ

ସୁଧର୍ମା ସଭାରେ ଅଭିଷେକ କରାଇଲେ ।୫୯୮।

ସର୍ବ ଦେବଗଣେ ତହିଂ ଆନନ୍ଦ ହୋଇଣ

ନକୁଳର ଶିରେ ପୁଷ୍ୟ ବୃଷ୍ଟି କଲେ ପୁଣ ।୫୯୯।

 

ଭିତରେଣ ବାରତା ପାଇଲେ ଶଚୀ ଦେଈ

ଅର୍ଘ୍ୟସ୍ଥଳୀ ଘେନିଣ ଅଇଲେ ମହାମାଈ ।୬୦୦।

ସ୍ଵର୍ଗର ନାୟିକାମାନେ ଛନ୍ତି ସଙ୍ଗତରେ

ସର୍ବେ ଆ ସିପ୍ରବେଶିତ ହୋଇଲେ ସଭାରେ ।୬୦୧।

ଦୀପାବଳୀ ଘେନିଣ ନକୁଳେ ବନ୍ଦାଇଲେ

ଅମରମଣ୍ଡଳେ ପାଟ ହୋଇଲା ବୋଇଲେ ।୬୦୨।

 

ଯେତେବେଳେ ବନ୍ଦାଇଲେ ଶଚୀ ଠାକୁରାଣୀ

ଗଣଗନ୍ଧର୍ବ ଦେବତା କଲେ ଜୟ ଧୁନି ।୬୦୩।

ଆଶିଷ୍ୟ ତଣ୍ଡୁଳ ଶିରେ ଦିଲେ ବେଦବର

ଅମରେ ପାଟ ହେଲା ନକୁଳ କୁମର ।୬୦୪।

ରାଜ ଅଭିଷେକ ବିଧି ତକ୍ଷଣେ ସାରିଲେ

ସକଳ ଦେବତା ଜୟ ଜୟ ଶବ୍ଦ କଲେ ।୬୦୫।

 

ଇନ୍ଦ୍ର ଆଗ୍ୟାଂ ଦିଲେ ସେ ନକୁଳ ମୁଖ ଚାହିଂ

ଇନ୍ଦ୍ରାସନେ ବସ ବାବୁ ମୋ କଳ୍ପଣା କିଛି ନାହିଂ ।୬୦୬।

ନକୁଳ ବୋଇଲା ସ୍ଵାମୀ ୟେ କାହୁଂ ହୋଇବ

ପିତା ଥାଉଂ ଥାଉଂ କାହିଂ ପୁତ୍ର ରାଜାହେବ ।୬୦୭।

ସେବକ କାହିଂ ସାମନ୍ତ ଆସନେ ବସିଛି

ୟେମନ୍ତ ଯେ ଅବିହିତ କହିବା ହେଉଛି ।୬୦୮।

 

ସେ କଥାକୁ ଅଙ୍ଗୀକାର ନକଲା ନକୁଳ

ସଭା ମଉଳିଲା ଗଲେ ଦଶ ଦିଗପାଳ ।୬୦୯।

ଇନ୍ଦ୍ର ଭୁବନେ ନକୁଳ ସପ୍ତ ଦିନ ରହି

ୟେଣେ ମନ ବାରୁଣାବନ୍ତକୁ ଯିବା ପାଇଂ ।୬୧୦।

ଇନ୍ଦ୍ରଙ୍କୁ ବୋଇଲା ସ୍ୱାମୀ ମୋତେ ଆଗ୍ୟାଂ ଦେବା

ବାରୁଣାବନ୍ତକୁ ଯିବି ନାହିଂ ନକରିବା।୬୧୧।

 

ଶୁଣିଣ ମଘବା ସ୍ୱାମୀ ଆନନ୍ଦ ହୋଇଲେ

ମାତଳିକି ଚାହିଂ ଇନ୍ଦ୍ର ବଚନ ବୋଇଲେ।୬୧୨।

ପୁଷ୍ୟେକ ବସାଇ ନକୁଳକୁ ଘେନିଯାଅ

ବାରୁଣାବନ୍ତରେ ଛାଡ଼ି ଆସ ପଣ୍ଡୁ ପୁଅ।୬୧୩।

ଶୁଣିଣ ମାତଳି ଯେ ପୁଷ୍ୟେକ ସାଜି ଆଣି

ନକୁଳ ଦେବ ସମୂହୁଂ ହୋଇଲା ମେଲାଣି।୬୧୪।

 

ପୁଷ୍ୟେକ ବିମାନେ ବୀର ବସିଲାକ ଯାଇ

ମାତଳି ସାରଥି ରଥ ଅନ୍ତରୀଛେ ବାହି।୬୧୫।

ଧାରେ ଧୀରେ ଆକାଶରେ ଚଳେ ଦେବ ରଥ

ବାରୁଣାବନ୍ତ ନିକଟରେ ଦେଖିଲେକ ପାଥ।୬୧୬।

ଅର୍ଜୁନ ବୋଇଲେ ଦେବ ବିମାନ ଗୋଟାୟେ

ବାରୁଣାବନ୍ତ ସଳଖୁଂ ଆକାଶୁଂ ଖସାୟେ।୬୧୭।

 

ଭୀନସେନ ବୋଇଲା ୟେ କେଉଣ ରାକ୍ଷସ

ମୋତେ ଆଗ୍ୟାଂ ଦିବା ସ୍ୱାମୀ କରିବଇଂ ନାଶ।୬୧୮।

ଯୁଝେଷ୍ଠି ବୋଇଲେ ଭୀମ ୟେ ତୋର ପ୍ରକୃତି

କେ ଅବା କେଣିକି ଯାୟେ ତୁ ବୋଲୁ ଅନୀତି।୬୧୯।

ସହଦେବ ଶୁଣିଣ ହସିଲେ କରକର

ଯୁଝେଷ୍ଠି ପଚାରନ୍ତି ଶୁଣ ଭାଇ ମୋର।୬୨୦।

 

ୟେ ବିମାନ କାହାର କେ ଯାଉ ଅଛି କାହିଂ

ଶୁଣି କରପତ୍ର ଯୋଡ଼ି ସହଦେବ କହଇ।୬୨୧।

ସ୍ୱାମୀ ନକୁଳ ଠାକୁର ଯେ ସ୍ୱର୍ଗେ ଯାଇଥିଲେ

ପ୍ରଚଣ୍ଡା ଅସୁରକୁ ଅମରେ ବଧ କଲେ।୬୨୨।

ସ୍ୱର୍ଗେପାଟବାନ୍ଧିଲେସକଳଦେବତାୟେ

ଶଚୀସହିତରେଅର୍ଘ୍ୟଦିଲେଦେବରାୟେ।୬୨୩।

 

ବିଦାୟ ହୋଇ ଆସନ୍ତି ତୁମ୍ଭର ଛାମୁକୁ

ବ୍ରିକୋଦର ଲୋଡୁଛନ୍ତି ଯୁଦ୍ଧ କରିବାକୁ।୬୨୪।

ଶୁଣି ଯୁଝେଷ୍ଠି ଠାକୁରେ ତକ୍ଷଣେ ଉଠିଲେ

ସିଘଂଦ୍ୱାର ପର୍ଯ୍ୟନ୍ତେ ସଧୀରେ ଚଳିଗଲେ।୬୨୫।

ପଛେପଛେ ଗୋଡାନ୍ତି ଆବର ତିନି ଭାଇ

ଆକାଶରୁ ଦେବ ରଥ ସଧୀରେ ଖସଇ।୬୨୬।

 

ବାରୁଣାବନ୍ତରେ ଯାଇ ପ୍ରବେଶିଲା ଯାନ

ରଥରୁ ଡେଇଂ ପଡିଲା ମାଦ୍ରୀର ନନ୍ଦନ।୬୨୭।

ଯେତେବେଳେ ଯୁଝେଷ୍ଠିକି ନକୁଳ ଦେଖିଲା

ବିନତି କରିଣ ପାୟେ ପଡ଼ିଣ ଶୁତିଲା।୬୨୮।

ନ ଉଠଇ ନକୁଳ ଭୂମିରେଣ ଲୋଟି

ଧାଇଂ କୋଳ କରିଣ ଯେ ତୋଳିଲେ ଯୁଝେଷ୍ଠି।୬୨୯।

 

ଯୁଝେଷ୍ଠି ତୋଳନ୍ତେ ତହୁଂ ନକୁଳ ଉଠିଲା

ଭୀମ ଅର୍ଜୁନର ପାଦେ ନମସ୍କାର କଲା।୬୩୦।

ଧାଇଂଣ ଭୀମସେନ ନକୁଳ କୋଳକରି

ସହଦେବ ଲୋଟିଲା ନକୁଳ ପାଦ ଧରି।୬୩୧।

ତକ୍ଷଣେ ଭାଇକି ସେ ନକୁଳ ଉଠାଇଲେ

ସେ ଚାରି ପାଣ୍ଡବେ ମାତଳିକି ମାନ୍ୟ କଲେ।୬୩୨।

 

ଛଡ଼ ଜଣେ ସଙ୍ଗ ହୋଇ ଗଲେ ଅସ୍ଥାନକୁ

ମାତଳି କହିଲା ସର୍ବ ଯୁଝେଷ୍ଠି ଦେବଙ୍କୁ।୬୩୩।

ପ୍ରଚଣ୍ଡାସୁର ମାରିବା ଶଚୀଙ୍କି ଆଣିବା

ତେତିଶ କୋଟି ଦେବତା ପାଟକୁ ବାନ୍ଧିବା।୬୩୪।

ସକଳ ଚରିତ ସେ କହିଲା ଦେବ ଦୂତ

ଶୁଣିଣ ଚାରିଭାଇ ଯେ ହୋଇଲେ

ଆନନ୍ଦିତ।୬୩୫।

 

ଯୁଝେଷ୍ଠିଙ୍କଠାରୁ ସେ ମାତଳି ବିଦା ହେଲା

ରଥ ବାହୁଡ଼ାଇ ସେ ସ୍ୱର୍ଗକୁ ବାହିଲା।୬୩୬।

ଇନ୍ଦ୍ରଙ୍କ ଅଗ୍ରତେ ସର୍ବ କହିଲା ବାରତ

ସ୍ୱର୍ଗପୁରେ ଆନନ୍ଦେ ରହିଲେ ଶଚୀକାନ୍ତ।୬୩୭।

ବଇବସୁତ ମନୁ ଆଗେ କହିଲେ ଅଗସ୍ତି

ସ୍ୱର୍ଗରେ ପାଇଲା ପାଟ ମାଦ୍ରୀର ସନ୍ତତି।୬୩୮।

 

ଶୁଣି ବଇବସୁତ ମନୁ କୃତ୍ୟ କୃତ୍ୟ ହେଲା

ୟେ ଆଦି ପର୍ବରେ ଯେତେ ଚରିତ ଶୁଣିଲା।୬୩୯।

ତଦନ୍ତରେ ମଧ୍ୟ ପର୍ବ ହୋଇବ ଲେଖନ

ଆଦି ପର୍ବ ସଦା ଜୟେ ହୋଇଲା ସଂପୂର୍ଣ୍ଣ।୬୪୦।

ଜଙ୍ଖେରପୁର ବାସିନୀ ଶ୍ରୀଚଣ୍ଡୀ ସାରଳା

ସେ ମହାମାୟା ମୋ କଣ୍ଠେ କଲେ

ଯହୁଂ ଖେଳା।୬୪୧।

 

ମୋତେ ଆଗ୍ୟାଂ ଦିଲେ ଲେଖ ଶ୍ରୀମହାଭାରତ

ତେଣୁ କରି ଆଦି ପର୍ବ କରିଲି ବର୍ଣ୍ଣିତ।୬୪୨।

ଧର୍ମ ଅର୍ଥ କାମ ମୋକ୍ଷ ଲଭ ପ୍ରାଣୀ ଶୁଣି

ସେ ସାରଦା ଅନଗୃହେ ଭାରତ ବଖାଣି।୬୪୩।

ସେ ଯାହା କହଇ ତାହା ମୁଂ କରଇ ଲେଖନ

ମୋର ଦୋଷ ନଧରିବ ହେ ବିବେକ ଜନ।୬୪୪।

 

ସେ ସାରଦା ବେନି ପାଦ ତଳେ ଚିତ୍ତ ଧ୍ୟାୟି

ଶୂଦ୍ରମୁନି ସାରୋଳାଦାସ ୟେହା ଗୀତେ ଗାଇ।୬୪୫।

ସୁଜନ ଜନମାନଙ୍କୁ ୟେହି ନିବେଦନ ମୋର

ଲେଖନକାର ଦୋଷାଦୋଷ ଯେ ନଧର।୬୪୬।

ମୁନିଜନମାନଙ୍କର ମନ ହୋୟେ କାଳେଭ୍ରମ

ମୋ ଛାର କେତେ ମାତର ନରଙ୍କ ଅଧମ।୬୪୭-୧୨୮୩୯।

 

ଆଦିପର୍ବର ଅତିରିକ୍ତ ପାଠ

Unknown

ମହୀନ୍ଦ୍ର ଗିରି ବିବରଣ

ୟେଥୁ ଅନନ୍ତରେ ଶୁଣ କେତେ ଦିନ ଅନ୍ତେ

ପଞ୍ଚନନ୍ଦନଙ୍କ ତୁଲେ କୁନ୍ତୀ ଦେବୀ ଯାନ୍ତେ।୧।

ପର୍ବତ ଶିଖେ ଦେଖିଲେ ବିବର ପଲକେ

ପଚାରନ୍ତି ସହଦେବେ ଚାହିଂ ୟେକେ ୟେକେ।୨।

ଶଇଳ ମଧ୍ୟେ ୟେମନ୍ତ ସ୍ଥାନ ଅଛି ପୁଣି

ଜାଣିଥିଲେ କହ ବାବୁ ମନ୍ତ୍ରୀ ଚୂଡ଼ାମଣି।୩।

 

କରଯୋଡ଼ି ବିନୟରେ କହେ ସହଦେବ

ଶୁଣିମା ୟେହି ବିବର କଥା ଆହେ ଦେବ।୪।

କରତଳ ଚାହିଂ କହେ ମନ୍ତ୍ରୀ ଚୂଡାମଣି

ତ୍ରେତା ଯୁଗର ଚରିତ ଶୁଣ ପାଟରାଣୀ।୫।

ଅଯୋଧ୍ୟା କଟକେ ଦଶରଥ ବୋଲି ରାୟେ

ଅପୁତ୍ରିକ ମା ଗୋ ନାହିଂ ତାହାର ତନୟେ।୬।

 

ମହା ବ୍ୟାକୁଳ ଚିତ୍ତରେ ଭାଳେ ନୃପମଣି

ସନ୍ତତି ବିନେ ନିଷ୍ଫଳ ଜୀବନ ପରାଣୀ।୭।

ବଶିଷ୍ଠେ ବୋଲନ୍ତି ନୁହ ବିସ୍ମିତ ନୃନାଥ

କେମନ୍ତେ ଆସିବେ ୟେଥେଂ ବିଭାଣ୍ଡକ ସୁତ।୮।

ଲୋମପାଦ ଦଶରଥ ମଇତ୍ର ସଙ୍ଗତି

ବେଶ୍ୟା ପଠାଇ ଆଣିଲେ ଋଷ୍ୟଶୃଙ୍ଗ ଯତି।୯।

 

ଶାନ୍ତା ନାମେ ଦଶରଥ ନୃପତି ନନ୍ଦିନୀ

ତାହାକୁ ବିଭା ହୋଇଲେ ଋଷ୍ୟଶୃଙ୍ଗ ମୁନି।୧୦।

ଜାମାତା, ରାଜା ବିକଳ ଦେଖି ଯାଗ କଲା

ରତ୍ନଭାଣ୍ଡ ବସାଇଣ ଚରୁ ଫୁଟାଇଲା।୧୧।

କୋଶଲ୍ୟା କୈକେୟୀ ସୁମିତ୍ରା ୟେ ତିନି

ଅଟନ୍ତି ଯେ ଦଶରଥ ରାଜା ପାଟରାଣୀ।୧୨।

 

ଚରୁ ଗ୍ରାସ କଲେ ସୁଖେ ୟେ ତିନି ଯୁବତୀ

ତିନିଙ୍କଠାରୁ ଯେ ଚାରି ପୁତ୍ର ଉତପତ୍ତି।୧୩।

କ୍ରମେଣ ରାଜା ପାଇଲା ଚାରୋଟି ତନୟ

ଯାହାରେ ହୋଇବ ପୃଥୀ ଭାରାଭର କ୍ଷୟ।୧୪।

ଶ୍ରୀରାମ ଲକ୍ଷ୍ମଣ ଆଉ ଭରତ ଶତ୍ରୁଘ୍ନ

ୟେକଦା ମିଳିଲେ ବିଶ୍ୱାମିତ୍ର ତପୋଧନ।୧୫।

 

ଯାଗ ରକ୍ଷା ଅର୍ଥେ ରାମଲକ୍ଷ୍ମଣେ ସେ ନେଲେ

ମନ୍ତ୍ର ସହ ଅସ୍ର ଶସ୍ର ସବୁ ତାଙ୍କୁ ଦିଲେ।୧୬।

ପଥେ ଯାନ୍ତେ ତାଡ଼କାକୁ କଲେ ସେ ନିଧନ

ଅମୋକ୍ଷକୁ ମୋକ୍ଷ କଲେ ଶ୍ରୀରାମ ଲକ୍ଷ୍ମଣ।୧୭।

ତହୁଂ ପ୍ରବେଶ ହୋଇଲେ ମୁନିଙ୍କ ଆଶ୍ରମ

ଶ୍ରୀରାମ ଲକ୍ଷ୍ମଣ କଲେ ଋଷିଙ୍କୁ ପ୍ରଣାମ।୧୮।

 

ମୁନିମାନଙ୍କର ଯଂଗ୍ୟ ରଖି ବାହୁ ବଳେ

ସୁଖ୍ୟାତି ଅର୍ଜିଲେ ରାମ ତ୍ରଇଲୋକ୍ୟ ମଣ୍ଡଳେ।୧୯।

ମୁନିମାନଙ୍କର ଶୁଭ ଆଶୀର୍ବାଦ ପାଇ

ବିଶ୍ୱାମିତ୍ର ମୁନି ତୁଲେ ତହୁଂ ବେନି ଭାଇ।୨୦।

ବିଦେହ ମଣ୍ଡଳେ ଯାଇ ହୋଇଲେ ପ୍ରବେଶ

ଶ୍ରୀରାମ ଚରଣେ ଶରଣ ଶ୍ରୀସାରେଳା ଦାସ।୨୧।

 

ବିଦେହ ମଣ୍ଡଳେ ହୋୟେ ସୀତା ସୟମ୍ବର

ଅନେକ ଦେଶୁଂ ମିଳିଲେ ଆସି ଦଣ୍ଡଧର।୨୨।

ଦେଖନ୍ତି ସେ ପୁର ଗୋଟି ଦିଶେ ଅତି ଶୋଭା

କି ଜାଣି ସେ ପୁର ଚନ୍ଦ୍ର କିରଣର ଆଭା।୨୩।

ଶ୍ରୀରାମ ପ୍ରବେଶ ହେବା ବିଦେହ ଶୁଣିଲେ

ପଟହ ଧ୍ୱନି ଉତ୍ସବେ ପୁର ମଣ୍ଡାଇଲେ।୨୪।

 

ବାଟକୁ ଅଇଲେ ନେବା ପାଇଂ ମୁନିବରେ

ରାମ ଲକ୍ଷ୍ମଣ ପ୍ରବେଶ ଉତ୍ସବ ନବରେ।୨୫।

ରାମଙ୍କୁ ଦେଖି ସନ୍ତୋଷ ସର୍ବ ତପୋଧନ

ପ୍ରତ୍ୟକ୍ଷେ ବିଷ୍ଣୁ କରିବେ ଦାନବ ନିଧନ।୨୬।

ୟେହି ଶ୍ରୀରାମ ମାନବ ରୂପେ ଅବତାର

ୟେହି ଉଶ୍ୱାସ କରିବେ ସିନା ମହୀଭାର।୨୭।

 

ମୁନିଙ୍କୁ ଦେଖିଣ ରାମ ପ୍ରଣିପାତ କଲେ

ଅକଳିତ ବଳ ଧନୁ ନେଇ ଦେଖାଇଲେ।୨୮।

ଶ୍ରୀଭୁଜେ ସେ ଧନୁ କଲେ ରାମ ଆମଞ୍ଚନ

ବେନି ଖଣ୍ଡ ହୋଇ ଧନୁ ଗୋଟି ହେଲା ଭଗ୍ନ।୨୯।

ଶବଦରେ କମ୍ପିଲାକ ସପତ ବ୍ରହ୍ମାଣ୍ଡ

ଦଲ ଦଲ ହୋଇଲା ସେ ପୃଥ୍ୱୀ ନବ ଖଣ୍ଡ।୩୦।

 

ଧନୁ ଭଗ୍ନ ହେବା ଦେଖି ଜନକ କୁମାରୀ

ରାମ କଣ୍ଠେ ଲମ୍ବାଇଲେ ନେଇ ପୁଷ୍ୟ ମାଳୀ।୩୧।

ଜନକ ବୋଇଲେ ଦେବି ତୋତେ ମୋ କୁମାରୀ

ବ୍ରତ ମୋହର ପୂରିଲା ହୋ କୋଦଣ୍ଡଧାରୀ।୩୨।

ଣୁଣିଣ ସମସ୍ୟା ଦିଲେ ରାମ ଚାପଧାରୀ

ଅଯୋଧ୍ୟାକୁ ଦୂତ ପଠିଆଅ ବେଗ କରି।୩୩।

 

ମକର କୃଷ୍ଣ ଉତ୍ତମ ଦିନ ଦେଖି ତହିଂ

ଅଇଲେକ ପିତା ଦଶରଥ ଥାଠ ବାହି।୩୪।

ବିଦେହ ମଣ୍ଡଳେ ଯାଇ ତୁରିତେ ମିଳନ୍ତି

ବିବାହ ବିଧି ସ୍ୱୀକାର ବରଣ କରନ୍ତି।୩୫।

ଛାୟା ମଣ୍ଡପ ବେଦୀରେ ବସି ମୁନିଗଣ

ସତ୍ୟ ବାକ୍ୟ ଉଚ୍ଚାରିଣ କରନ୍ତି ବରଣ।୩୬।

 

ଶ୍ରୀରାମଚନ୍ଦ୍ରଙ୍କୁ କଲେ ସୀତାଙ୍କୁ ପ୍ରଦାନ

ଭରତକୁ ମାଣ୍ଡବୀ ଯେ ଜନକ ରାଜନ।୩୭।

ଲକ୍ଷ୍ମଣେ ଉର୍ମିଳା ଶତ୍ରୁଘନେ ଶ୍ରୁତକୀର୍ତ୍ତି

ଚାରି ପୁତ୍ରେ ଚାରି କନ୍ୟା ଦିଲେ ମନେ ଚିନ୍ତି।୩୮।

ବିଭା ହୋଇ ରାମଚନ୍ଦ୍ର ଅଯୋଧ୍ୟା ଆସନ୍ତେ

ଓଗାଳିଲେ ତାଙ୍କୁ ଯମଦଗ୍ନି ସୁତ ପଥେ।୩୯।

 

ପରଶୁରାମର ଦର୍ପ ମର୍ଦ୍ଦି ରଘୁବୀର

ପ୍ରବେଶିଲେ ଦାଶରଥି ଅଯୋଧ୍ୟା ନଗର।୪୦।

ମୁନି ଯଗ୍ୟଂରେ ଦତ୍ୟଙ୍କୁ ରାମଚନ୍ଦ୍ର ମାରି

ନିଶ୍ଚିନ୍ତେ ଅଯୋଧ୍ୟା ପୁରେ ଥିଲେ ଚାପଧାରୀ।୪୧।

ଶ୍ରୀରାମ ଶଉର୍ଯ୍ୟ ବଳ ଦେଖି ଅଜ ସୁତ

ମନେ ମନେ ଭାଳନ୍ତି ଯେ ରାଜା ଦଶରଥ।୪୨।

 

ପୁତ୍ର ଶ୍ରୀରାମ ମୋହୋର ଜଗତେ ବିଖ୍ୟାତ

ତାହାକୁ ରାଜ୍ୟେ ଦେଇଣ ହେବି ସ୍ୱର୍ଗ ପ୍ରାପ୍ତ।୪୩।

ବଶିଷ୍ଠଙ୍କୁ ଘେନି ବସି ଭାଳେ ନୃପବର

କରିବି ରାମେ ଅଯୋଧ୍ୟା ରାଜ୍ୟେ ଦଣ୍ଡଧର।୪୪।

ମକର ଶୁକ୍ଳ ଦଶମୀ ତିଥି ଗୁରୁବାରେ

ରୋହିଣୀ ନକ୍ଷତ୍ର ଭୋଗ ଅଟେ ସେ ଦିନରେ।୪୫।

 

ଶୁକ୍ଳ ନାମେ ଯୋଗ ବବ ନାମରେ କରଣ

ନରପତି ହେବାର ଯେ ଅଟେ ଶୁଭ ଦିନ।୪୬।

ଶ୍ରୀରାମଙ୍କ ଅଭିଷେକ ଶୁଣିଣ ମନ୍ଥରୀ

କୈକେୟୀ ଆଗେ କହଇ ତାର ହିତ କରି।୪୭।

ଆଗୋ ରୟଣୀ ପ୍ରଭାତେ ରାମ ହେବ ରାଜା

ତୋହୋର ପୁତ୍ର କରିବ ତାର ପାଦ ପୂଜା।୪୮।

 

ଅନେକ ପ୍ରକାରେ ତାକୁ କହିଲା ମଣାଇ

ଶୁଣିଣ କୈକେୟୀ ରାଣୀ ରାଜାକୁ କହଇ।୪୯।

ପୂର୍ବ ବର ଦେବା ସତ୍ୟେ ସତ୍ୟ କରି ରାୟ

ଶ୍ରୀରାମକୁ ବନ, ରାଜ୍ୟ ଭରତକୁ ଦିଅ।୫୦।

ଶ୍ରୀରାମ ଲକ୍ଷ୍ମଣ ତହୁଂ ଗଲେ ବନବାସେ

ସଙ୍ଗତେ ଜାନକୀ ଶୋଭା ପାନ୍ତି ତାଙ୍କ ପାଶେ।୫୧।

 

ହରଷ ହୋଇଣ ତିନି ଜଣ ଚଳିଗଲେ

ରାମ ନଦେଖିଣ ରାଜା ମରଣ ଲଭିଲେ।୫୨।

ମୃତ ଶବକୁ ସଂସ୍କାରି ଭରତ ଶତ୍ରୁଘ୍ନ

ବଶିଷ୍ଠ ମୁନି ସହିତେ ଗଲେ ଘୋର ବନ।୫୩।

ରାମଙ୍କୁ କହିଲେ ଯାଇଂ ଶତ୍ରୁଘ୍ନ ଭରତ

ଚାଲନ୍ତୁ ଅଯୋଧ୍ୟା ପୁରେ ହେବ ନରନାଥ।୫୪।

 

ଯେତେ କହିଲେ ଶ୍ରୀରାମ ନଆସିଲେ ଫେରି

ବାହୁଡ଼ି ଅଇଲେ ଦୁହେଂ ଅଯୋଧ୍ୟା ନଗରୀ।୫୫।

ତହୁଂ ଗମନ୍ତି ବିପିନ ମଧ୍ୟେ ଦାଶରଥୀ

ରହିଲେକ ପଞ୍ଚବଟୀ ବନେ ସୀତାପତି।୫୬।

ପୂର୍ବୁଂ ସୂର୍ପଣଖା ତହିଂ ବାସ କରିଥିଲା

ୟେହି ସମୟେ ଆସିଣ ଉପସ୍ଥିତ ହେଲା।୫୭।

 

ହାବ ଭାବ ଦେଖାଇ ସେରାମଙ୍କ ଅଗ୍ରତେ

ବୋଲଇ ବିଳାସ ତୁମ୍ଭେ ମୋହୋର ସଙ୍ଗତେ।୫୮।

ତଦନ୍ତେ ରାମ ବୋଇଲେ ଲକ୍ଷ୍ମଣଙ୍କୁ ଡାକି

ଯଥୋଚିତ ଦଣ୍ଡ ୟେବେ ଦିଅ ୟେ ମୂଢୀକି।୫୯।

ତହୁଂ ସେ ତାହାର ନାକ କାନ ଦିଲେ ଛେଦି

ଡରେ ଅସୁରୀ ପଳାଇଗଲା କାନ୍ଦି କାନ୍ଦି।୬୦।

 

ରାବଣେଶ୍ୱ ରଅଗ୍ରତେ କହିଲା ସମସ୍ତ

ଯତି ବେନି ଭାଇ କଲେ ୟେସନକ କୃତ୍ୟ।୬୧।

ଖର ଦୂଷଣ ତ୍ରିଶିରା ମୂଳେ ସେନାପତି

ସେ ବେନି ତପସ୍ୱୀ କଲେ ସର୍ବ ବିନଶ୍ୟତି।୬୨।

ଶୁଣିଣ ରାବଣେଶ୍ୱର କୋପେଣ ପ୍ରଚଣ୍ଡ

ଆଜି କାଟିବଇଂ ବେନି ଯତିଙ୍କର ମୁଣ୍ଡ।୬୩।

 

ପୁଷ୍ୟକ ରଥ ଆରୋହି ଚଳେ ଦଶାନନ

ଶ୍ରୀରାମର ତେଜ ଦେଖି ବିଷର୍ଣ୍ଣ ବଦନ।୬୪।

ୟେହି ତ ଅଟଇ ସ୍ୱୟଂ ବିଷ୍ଣୁ ଅବତାର

ୟେହା ହାତେ ନାଶ ଯିବ ସକଳ ଅସୁର।୬୫।

ମୋହୋର ମରଣ ଜାଣ ହୋଇବ ନିକଟେ

ୟେ ଯେ ଜନକ ଦୁହିତା ସ୍ୱୟଂ ଲକ୍ଷ୍ମୀ ଅଟେ।୬୬।

 

ମାୟା ମୃଗେକ ତକ୍ଷଣେ ଭିଆଇଲା ତହିଂ

ଆପେ କପଟେ ତପସ୍ୱୀ ରୂପେ ଗୋଟି ବହି।୬୭।

କନକ କୁରଙ୍ଗୀ ଦେଖି ଲୋଭେ ମହାସତୀ

ଶ୍ରଦ୍ଧା କରି ଶ୍ରୀରାମଙ୍କୁ ଯାଇଣ ମାଗନ୍ତି।୬୮।

ମୃଗ ମାରିବାକୁ ରାମଚନ୍ଦ୍ର ତହୁଂ ଗଲେ

ଲକ୍ଷ୍ମଣଙ୍କୁ ସେ ମଢିଆ ଗୋଟି ଜଗାଇଲେ।୬୯।

 

ନାରାଜ ପୂରୋଇ ଧାଇଂଯାନ୍ତି ରଘୁବୀର

ଅନ୍ତରୀଛ ମାର୍ଗେ ମୃଗ ଯାୟେ ଖରତର।୭୦।

ପଡ଼ନ୍ତେ ଯାଇ ତା ଅଙ୍ଗେ ଶ୍ରୀରାମଙ୍କ ବାଣ

ରାବେକ ଦିଲା ଶରଣ ରଖ ହୋ ଲକ୍ଷ୍ମଣ।୭୧।

ରଖ ହୋ ଲକ୍ଷ୍ମଣ ବୋଲି ଶୁଭେ ଯେଣୁ ବାଣୀ

ଶୁଣିଣ ବିଷାଦ ପାଇ ଜନକ ଦୁଲଣୀ।୭୨।

 

ବିସ୍ମୟ ଚିତ୍ତରେ ଦେବୀ ଲକ୍ଷ୍ମଣେ ନିରୀକ୍ଷି

ବୋଲନ୍ତି ଯେ ଗଦ ଗଦ ବାଣୀ ଚନ୍ଦ୍ରମୁଖୀ।୭୩।

ନିଚୟେ ପଡିଲା ସ୍ୱାମୀଙ୍କୁ ବନେ ଅପଚୟ

ତ୍ରାହି ଶବଦ ଶୁଭଇ ତେଣୁ ମନେ ଭୟ।୭୪।

ସୀତାଙ୍କ ବଚନେ ବୀର ଲକ୍ଷ୍ମଣ ଯେ ଗଲା

ତପସ୍ୱୀ ରୂପେ ରାବଣ ସୀତା ହରିନେଲା।୭୫।

 

ଅଶୋକ ବନେ ଥୋଇଲା ଲଙ୍କାଗଡ଼ ନେଇ

ଅଇଲେ ସେ ମୃଗ ଭାର ଘେନି ବେନି ଭାଇ।୭୬।

ସୀତା ନ ଦେଖି ବ୍ୟାକୁଳ ହେଲା ପଞ୍ଚମାନ

ଖୋଜିଲେ ରାମ ଲକ୍ଷ୍ମଣ ଗହନ ବିପିନ।୭୭।

ଭ୍ରମି ଭ୍ରମି କିସ୍କିନ୍ଧ୍ୟାରେ ପ୍ରବେଶ ହୋଇଲେ

ସୁଗ୍ରୀବର ସଙ୍ଗେ ତହିଂ ମଇତ୍ର ବସିଲେ।୭୮।

 

ଭେଟିଲେ ବୀର ହନୁକୁ ଦାଶରଥି ତହିଂ

ବଜ୍ର କୌପୀନ ଅମୃତ କୁଣ୍ଡଳ ଅଛଇ।୭୯।

ରାମ ଅବତାରେ ହନୁମନ୍ତ ନିଜ ଭୃତ୍ୟ

ସୁଗ୍ରୀବର ହିତେ କଲେ ବାଳିକି ନିପାତ।୮୦।

ସୀତା ଖୋଜିବାକୁ ରାମ ହନୁକୁ ପେଷିଲେ

ଚାରି ଯୂଥପତି ଚାରି ଦିଗକୁ ଲୋଡ଼ିଲେ।୮୧।

 

ଯମଦଗ୍ନି ପର୍ବତରେ ଉଠେ ହନୁମନ୍ତ

ଉଠନ୍ତେ ପର୍ବତେ ଗୋଟି ହେଲା ରାସାଂଗତ।୮୨।

ତହୁଂ ବିକ୍ରମିଣ ହନୁ ୟେ ମହିନ୍ଦ ଉଠି

ଲଙ୍କାଗଡ଼କୁ ପବନସୁତ ଦିଲା ଦୃଷ୍ଟି।୮୩।

ବିକ୍ରମିଣ ତହୁଂ ଗଲା ଅଞ୍ଜନାର ସୁତ

ପାଦଭରେ ବୋଇଲେ ୟେ ଗିରି ରାସାଂଗତ।୮୪।

 

 

ଶୁଣ ସାବଧାନେ କୁନ୍ତଭୋଜର ଦୁହିତେ

ୟେହି ବିବର ହୋଇଲା ହନୁପାଦ ଘାତେ।୮୫।

ମହୀନ୍ଦ୍ର ଗିରି ୟେହାର ନାମ ଆଗୋ ମାତ

ଅମୋକ୍ଷ ଜନ ୟେଠାରେ ହୁଅନ୍ତି ମୁକତ।୮୬।

ପାପନାଶିନୀରେ ସ୍ନାନ କଲେ ଶୁଦ୍ଧକାୟ

ନପାରଇ ପାପୀ ଜନେ ନେଇ ଯମ ରାୟ।୮୭।

 

ଶତ ଶତ ଜନ୍ମର ଗୋ ପାପ ଯାଇ କ୍ଷୟ

ମୁକତି ଗତି ଦିଅନ୍ତି ପ୍ରଭୁ ଦେବ ରାୟ।୮୮।

ଶୁଣିଲଟି ସାବଧାନେ ପଚାରିଲ ଯାହା

ରାମାବତାରେ ହନୁର ପାଦେ ହେଲା ୟେହା।୮୯।

ୟେ ମହାଭାରତ ଜନେ ଶୁଣ ମନ ଦେଇ

ଶ୍ରୀହରି ସାରୋଳାଦାସ ଯେ ଲେଖଇ।୯୦।

 

 

ଅତିରିକ୍ତ

ପଞ୍ଚପାଣ୍ଡବଙ୍କର କ୍ଷୀର ପାନ

ଅଗସ୍ତି ମୁନି କହନ୍ତି ପଞ୍ଚ ଯେ ପାଣ୍ଡବେ।୧।

ବନେ ଭ୍ରମନ୍ତେ ଦେଖିଲେ ଶମ୍ଭୁଙ୍କୁ ସେ ଠାବେ।୨।

ମୁନିଙ୍କୁ ଆଶ୍ରମେ ଦେଖି କଲେ ନମସ୍କାର

ସେ ବୋଇଲେ ତୁମ୍ଭେ ପରା ପଣ୍ଡୁଙ୍କ କୁମର।୩।

 

ଜତୁ ଘର ପାର ହେଲ କେହ୍ନେ ପାଞ୍ଚଜଣ

ଦ୍ରିଯୋଧନ ରାଜା ରାଗ କରିଥିଲା ପୁଣ।୪।

ବଦନ୍ତି ଯୁଝେଷ୍ଠି ଦେବ ଶୁଣ ମୁନିବର

ଦ୍ରିଯୋଧନ କପଟେ ବହୁ ସୁଖ ମୋର।୫।

ତାର ପୁଣ୍ୟରୁ ଦେଖିଲି ସିନା ବନ ଘୋର

ଅନେକ ତୀର୍ଥେ ବୁଡ଼ିଲା ୟେ ମୋହୋର ଶିର।୬।

 

ତା ଯୋଗୁଂ ପାଇଲି ସିନା ତୁମ୍ଭର ଦର୍ଶନ

ତୁମ୍ଭନ୍ତ ଦେଖିଣ ହେଲା ପାତକ ଦହନ।୭।

ଆଗ୍ୟାଂ ମାଗନ୍ତି ତାହାଙ୍କୁ ସେ ଚାରି କୁମର

ବନେ ଅଛନ୍ତି ଦୁହିତା କୁନ୍ତଭୋଜଙ୍କର।୮।

ମୁନି ବୋଇଲେ ହେ ରାଜା କ୍ଷୀର ଖାଇ ଯାଅ

ଅଡ଼ାଇ ଆଣିଲେ ଗାଈ ତିଳୋତ୍ତମା ଝିଅ।୯।

 

ବାଛୁରୀ ଫିଟାଇ ଦେଇ ବସି ତପଚାରୀ

ଦୁଇ ଭାଇ ଦୁହିଂଲେ ସେ ବ୍ୟଗ୍ର ବ୍ୟଗ୍ର କରି।୧୦।

ପଚାରନ୍ତି ଯୁଝେଷ୍ଠିର ଶୁଣ ତପଚାରୀ

ୟେ ଗାଈ ସନ୍ଦେଶ ମୋତେ କହିବା ବିସ୍ତାରି।୧୧।

ବଦନ୍ତି ଯତି କପିଳା ଝିଅ ଯେ ସୁରଭୀ

ସୁରଭୀର ନନ୍ଦିନୀ ଯେ ଅଟଇ ଜାହ୍ନବୀ।୧୨।

 

 

ଜାହ୍ନବୀର ନନ୍ଦିନୀ ଯେ ଅଟଇ ବଉଳା

ବଉଳାର ନନ୍ଦିନୀ ଯେ ଅଟଇ ଚଞ୍ଚଳା।୧୩।

ବଉଳା ଯେ ଯାଇ କୁଶଦ୍ୱୀପକୁ ଚରିଣ

ୟେପାରିରେ ଥାଇ ତାର ଦୁହିତା ଯେ ପୁଣ।୧୪।

ପ୍ରତିଦିନ ଗାଈ ଗୋଟି ଯାଇଣ ଆସଇ

ୟେପାରିରେ ଝିଅକୁ ସେ କ୍ଷୀର ପାନଦେଇ।୧୫।

 

ୟେକ ଦିନକରେ ବଡ଼ ଉଛୁର ହୋଇଲା

ଚିର ଟାଣିବାରୁ ତଦୁତ୍ତାରେ ସେ ଅଇଲା।୧୬।

ବୋଇଲା ଦୁହିତା ତାର ଶୁଣସି ଗୋ ମାତ

ଆଜି କ୍ଷୀର ସ୍ୱାଦୁ ମୋତେ ଲାଗେ ଅପ୍ରମିତ।୧୭।

ସେ ବୋଲେ ସ୍ତନରେ ଲୁଣ ପାଣି ଲାଗିଥିଲା

ତେଣୁ କରି ବଡ ସ୍ୱାଦୁ ତୁଣ୍ଡକୁ ଲାଗିଲା।୧୮।

 

ବୋଲଇ ବାଛୁରୀ ମାତ ନିଅ ମୋତେ ସାଙ୍ଗ

ଦେଖିବି ସାଗର ପାଣି କେମନ୍ତେ ସଂଯୋଗ।୧୯।

ଆରଦିନ ସେ ଝିଅକୁ ସଙ୍ଗରେ ଘେନିଲା

କୂଳେ ରଖି ସେ ପାରିକୁ ପୁଣି ଚଳିଗଲା।୨୦।

 

ମାତାର ଯାଆନ୍ତେ କ୍ଷୁଧା ଯହୁଂ କଟାଳିଲା

ଲୋଭେଣ ବାଛୁରୀ ପାଣିଯାକ ପିଇଦିଲା।୨୧।

ସମୁଦ୍ରରେ ପାଣି ନାହିଂ ପଡିଲା ଶୁଖିଲା

ଅନେକ ଜୀବଜନ୍ତୁଙ୍କ ପ୍ରାଣନାଶ ହେଲା।୨୨।

ବିଧାତାଙ୍କୁ ଜଣାଇଲେ ତହୁଂ ଦେବଗଣ

ମତ୍ସ୍ୟ କଚ୍ଛପ ବିନାଶ ହେଲେ ପଦ୍ମାସନ।୨୩।

 

ବ୍ରହ୍ମା ତହୁଂ କହିଲେକ ଯାଇ ଗୋମାତାଙ୍କୁ

ତୋର ଝିଅ ପିଇଦିଲା ସମୁଦ୍ର ପାଣିକୁ।୨୪।

ବ୍ରହ୍ମା ବଚନେ ସୁରଭୀ ଚିତ୍ତ ହେଲା ଦ୍ରବ

କ୍ଷୀର ପ୍ରସରୁ ପୂରିଲା ସମୁଦ୍ରର ଗର୍ଭ।୨୫।

ସତ୍ୟ ଯୁଗେ ହରି କ୍ଷୀର ସମୁଦ୍ର ମନ୍ଥିଲେ

ଅନେକ ଦ୍ରବ୍ୟ ପାଇଣ ବାଣ୍ଟି ଘେନିଗଲେ।୨୬।

 

ସେହି ଅଂଶରେ ନାତୁଣୀ ଅଟେ ତିଳୋତ୍ତମା

ୟେହାର ବହିଣୀ ନାମ ଅଟଇ ପୃଥୁନା।୨୭।

ଶୁଣିଣ ଯୁଝେଷ୍ଠି ଦେବ ହରଷ ହୋଇଲେ

ସ୍ନାନ ତର୍ପଣ ସାରିଣ କ୍ଷୀର ପାନ କଲେ।୨୮।

ବୋଇଲେ ଯେ ଭୀମସେନ ଶୁଣ ମୁନିବର

ରାଜ୍ୟ ଗଲା ଦିନୁ ନାହିଂ ସମ୍ପୂର୍ଣ୍ଣ ଆହାର।୨୯।

 

ୟେହା ଶୁଣି ମୁନି କାମଧେନୁକୁ ଯେ ରାଇ

ପୁଣି ତିନି ଭାର ଦୁହିଂ ଦିଲେ ତପୀ ସାଇଂ।୩୦।

ଚାରି ଜଣ ବସି ସୁଖେ କ୍ଷୀର ପାନ କର

ଭୀମସେନ ଯେ ବିଚାର କରଇ ମନର।୩୧।

ତିନି ଜଣ ଖାଇଲେଣି କ୍ଷୀର ୟେହି ମତି

ତିନି ଭାର ଖାଇଲେ ମୁଂ ହୋଇବି ତୃପତି।୩୨।

 

ଯୁଝେଷ୍ଠି ବୋଇଲେ ଯେବେ ହୋଇବି ରାଜନ

କନକମୟ ପାତ୍ରରେ ଧୋଇବି ଚରଣ।୩୩।

ସମ୍ପୂର୍ଣ୍ଣ ଆହାର ରାଜ୍ୟ ଗଲା ଦିନୁ ନାହିଂ

ତୁମ୍ଭେ ଥୋକାୟେ ଦେଇଣ ଶାନ୍ତିକି କରାଇ।୩୪।

ମୁନିଙ୍କୁ ଆଗ୍ୟାଂ ମାଗିଣ ଅଇଲେ ଯୁଝେଷ୍ଠି

ଫଳଭାର କାନ୍ଧେ ଘେନି ଅଛଇ କିରୀଟୀ।୩୫।

 

ତତକ୍ଷଣେ ମାତାଙ୍କୁ କଲେ ନମସ୍କାର ସେହି

ୟେତେ ବିଳମ୍ବ କିମ୍ପାଇଂ କଲ ବନେ ଯାଇ।୩୬।

ବହୁତ ଦୂର ପଥ ଗୋ ଯାଇ ଥିଲୁ ମାତ

ଫଳ କିଛି ନପାଇଲୁ ୟେହି ଯେ ବନସ୍ତ।୩୭।

ପତ୍ରକୁଟୀର ଆଶ୍ରମ ଭିଆଇ ସେ ବନେ

ଭ୍ରମନ୍ତି ଯେ କୁତୂହୋଳେ ପଣ୍ଡୁର ନନ୍ଦନେ।୩୮।

ଶ୍ରୀହରିଚରଣ ବନ୍ଦି ଶ୍ରୀସାରୋଳା ଦାସ

ଲେଖଇ ମହାଭାରତ ସାଗର ସଦୃଶ।୩୯।

 

ଆଦିପର୍ବ ଦ୍ୱିତୀୟ ଖଣ୍ଡ ସମାପ୍ତ

 

ଆଦିପର୍ବର ପରିଶିଷ୍ଟ

ସାରଳା ଦେବୀଙ୍କ ବନ୍ଦନା

ଆଦିପର୍ବ ୪ର୍ଥ ପୃଷ୍ଠାର ୧୧।୨ ପାଠ ପରେ ‘ଦ’ ପୋଥିରେ ଅଧିକା ପାଠ-

ସଂସାରେ ଯେତେକ ଦେବା ଦେବୀ ଛନ୍ତି ରହି

ମଉନେ ବସିଥାନ୍ତି ସମାସ୍ୟା ନ ଦେଇ।୧।

ଶ୍ରୀସାରୋଳା ଚଣ୍ଡୀ ମହିଂମା ଅଗୋଚର

ଫୁଫୁକାର ଧୁନି ଶବଦ ଅଗୋଚର ନିରନ୍ତର।୨।

ଅଭାବେ ଯେଉଂ ଜନ ଯାନ୍ତି ତାର ପାଶେ

ସେ ଦେବୀର ନିଶ୍ୱାସେ ସେ ଯାନ୍ତି ପ୍ରାଣନାଶେ।୩।

 

ଭଗତି ଭାବରେ ଯେ ଚରଣେ ଖଟଇ

ଚଉବର୍ଗ ସିଦ୍ଧି ସେ ତାହାକୁ ଦିଅଇ।୪।

ରଣେ ବଣେ କାର୍ଯ୍ୟେ ଅକାର୍ଯ୍ୟେ ଯେ ସୁମରଇ ତାର ନାମ

ସେଠାରେ ଗୋସାମଣୀ ହୁଅନ୍ତି ପ୍ରସନ୍ନ।୫।

 

ସେ ନଗ୍ରେ ଦେବୀ ବିଜୟେ କରିଛନ୍ତି

ଧନଧାନ୍ୟ ବିପୁଳ ତାଂକୁ ଦେଇଛନ୍ତି।୬।

ଦୁଖୀ ହୋଇ ଜଣେହେଂ କେହିଂ ତହିଂ ନାହିଂ

ପ୍ରବାସୀ ଜନେ କେହି ଉପବାସେ ନ ଶୁଅଇ।୭।

ସଂଖୋଳି ଲୋଡ଼ି ତାହାନ୍ତ ଅନ୍ନ ଯେ ଦିଅନ୍ତି

ଉଦୟରୁ ଅସ୍ତଯାୟେ ଦେବୀ ତିନି ମୂରତି ଧରନ୍ତି।୮।

 

ପ୍ରଭାତ କାଳେ ବାଳକ ରୂପେ ବାଳକ ସଙ୍ଗେ ଖେଳୁଥାଇ

ନାନା ରଙ୍ଗେ ବାଳକଂକ ମନ ସେ ତୋଷଇ।୯।

ୟେ ରୂପେ ପ୍ରହରେକ ଖେଳଇ ବାଳକ ରୂପେତ

ତହୁଂଣ ଦେବୀ ବାହାର ହୁଅଇ ତୁରିତ।୧୦।

ବାଳକ ରୂପ ଛାଡ଼ି ହୁଅଇ ଯୁବାନାରୀ

ଯୁବାସ୍ତିରୀମାନଂକ ସଂଗତେ ହୁଅଇ ସେ ମେଳି।୧୧।

 

ସଖୀ ସଂଘାତୁଣୀ ଦାସୀ ରୂପ ସେ ଧରଇ

ସବୁଂକରି ମନ ସେହୁ ମୋହିତ କରଇ।୧୨।

ୟେମନ୍ତେ ପ୍ରହରେକ ହୁଅଇ ମେଳ ମତି

ସେ ନଗ୍ର ସ୍ତିରୀ ନଜାଣନ୍ତି ୟେହାର ଭାବ ଭକ୍ତି।୧୩।

ଆପଣେ ମହାମାୟୀ ୟେ ରୂପେ ଖେଳଇ

ଯୁବାସ୍ତିରୀମାନଂକର ମନ ଯେ ହରଇ।୧୪।

ଯୁବା ରୂପ ଛାଡ଼ି ଦେବୀ ହୁଅଇ ବାହାର

ପ୍ରାଚୀ ନଦୀରେ ଦେବୀ ସ୍ନାନ ସାରି ନିତ୍ୟେ ଯେ ବେହାର।୧୫।

 

ବେଶ ବେଶନ ଯେ ଅଲେଖ ତିଳକ

ଷଡ଼ରସ ବ୍ୟଞ୍ଜନ ଯେ ଭୋଜନ କରଇ ହାକ।୧୬।

ପାଟେ ପିନ୍ଧି ପାଟେକ ଉପରାଣ କରଇ

ନାନା ଅଳଂକାର ଦେବୀ ଆଭରଣ ହୁଅଇ।୧୭।

ଶିରରେ ସୀମନ୍ଥିନୀ ଗଳାରେ ମୋତି ମାଳି

କର୍ଣ୍ଣରେ ସୁବର୍ଣ୍ଣ କାପ ଆବର କଢି ଯୋଡ଼ି।୧୮।

 

ହାଥରେ ତାଡ଼ ଯେ ପୟରେ ନେପୁର

ବିଦ ମୁଦି କଂକଣ ରସାଣ ସୁନ୍ଦର।୧୯।

ଶତେ ସରି ସୁବର୍ଣ୍ଣ କଣ୍ଠରେଣ ଲାଇ

ଦିବ୍ୟ ଶଙ୍ଖା ବାହି ଯେ ହାଥକୁ ଶୋଭା ପାଇ।୨୦।

ଅଷ୍ଟଭୁଜ ତାଂକୁ ଦିଶଇ ଶୋଭାବନ

କାତି ଖପର ଯେ ଘେନିଣ ହାଥରେଣ।୨୧।

 

ସିଂଘ ପିଠିରେ ମହାମାୟୀ କରଇ ବିଜୟେ

ଡାକେଣୀ ପିଚାଶୁଣୀ ଖଟନ୍ତି ତାର ପାୟେ।୨୨।

ତରୁଣୀ ରୁପ ଧରି ଦେବୀ ହୁଅଇ ବାହାର

ବ୍ରହ୍ମାଣ୍ଡରେ କାୟା ଯେ ପୂରଇ ତାହାର।୨୩।

ଉଦ୍ଦାନ ଦୁଇ ପ୍ରହରେ ଦେବୀ କରଇ ଭ୍ରମଣୀ

କ୍ଷଣକେ ବୁଲି ଆସଇ ନବଖଣ୍ଡ ମେଦିନୀ।୨୪।

 

ଭ୍ରମଣ ସାରି ଦେବୀ ସନ୍ଧ୍ୟା ସମୟେ ଆସଇ

ଦୀପ ଦିହୁଡ଼ି ସେ ଯେ ଛାମୁରେ ଜଳୁଥାଇ।୨୫।

ଦେଉଳ ଭିତରେ ବିଜେ କରନ୍ତି ଠାକୁରାଣୀ

ସେହି ସିଂଘ ଉପରେ ବିଜୟେ ଗୋସାମଣୀ।୨୬।

ଶ୍ରୀପୁରୁଷୋତ୍ତମଂକୁ ବିଜେ କରନ୍ତି ଆପଣ

ଶ୍ରୀଜଗନ୍ନାଥଂକୁ ଦ୍ରଶନ କରନ୍ତି ବହନ

ତାଂକର ଯେଉଂ ସେବା କରନ୍ତି ତତକ୍ଷଣ।୨୭।

 

ବଡସିଂଘାର ଖଟଣି ଦେବତାଂକ ମେଲାଣିର ବେଳେ

ମେଲଣି ହୋଇ ଦେବୀ ବାହାର ତତକାଳେ।୨୮।

ସିଂଘର ପିଠିରେ ଯେ ବିଜୟେ କରନ୍ତି

ତତକ୍ଷଣେ ଆପଣାର ମନ୍ଦିରେ ମିଳନ୍ତି।୨୯।

ୟେହି ପରି ନିତି ପ୍ରତି କରନ୍ତି ବେହାର

ୟେଡ଼େକ ମହିମାଂ ଚଣ୍ଡୀ ସାରୋଳା ଦେବୀର।୩୦।

 

ଧନ୍ୟ ସେ ମହାମାୟୀ ତାଂକୁ ପଟାନ୍ତର ନାହିଂ

ରାଜାଂକର ଘରେ ତାଂକୁ ଭୋଗ ଖଞ୍ଜା ନାହିଂ।୩୧।

ଛେଳି ପୋରୁହ ବୋଦା ସେ ଭିଆଇ

କାହିଂ କେତେ ଦୂରରୁ ଆଣଇ ସେ ମୋହି।୩୨।

ନିତ୍ୟେ ହେଂ ଭୋଗ ତାର ପଡ଼ିଆ ନୋହଇ

ଦେବୀଂକର ଆଗ୍ୟାଂୟେ ଯେ ସମସ୍ତ ମିଳଇ।୩୩।

 

ୟେମନ୍ତେ ୟେକ ଚିତ୍ତେ ଯେ ତାହାନ୍ତ ସେବନ୍ତି

ସେ ଯାହା ବାଞ୍ଚଇ ତାକୁ ମନ ଜାଣି ଦ୍ୟନ୍ତି।୩୪।

ମୁହିଂଯେ ସାରୋଲାଦାସ ସେହି ଗ୍ରାମରେ ଥାଇ

ନାନା କଷ୍ଟ ପଡ଼ିଣ ଦିନ ମୁଂ ବଞ୍ଚଇ।୩୫।

ଜାତିରେ ଶୂଦ୍ର ମୁଂ ଯେ ଅଟଇ ମୂରୁଖ

ପାଠ ଶାହାସ୍ରମାନ ମୁଂ ନଜାଣଇ ହାକ।୩୬।

 

ସାରୋଳା ଗ୍ରାମରେ ମୁଂ ଅଟଇ ପ୍ରଧାନ

ପୁରୁଷ ଅନୁକ୍ରମେ ଅଟୁଂ ଯେ ଗ୍ରାମୀନ।୩୭।

ଆମ୍ଭର ଇଷ୍ଟଦେବତା ସାରୋଳା ଚଣ୍ଡୀ ଦେବୀ

ତାହାର ଚରଣେ ଆମ୍ଭେ ସର୍ବଦା ଥାଉ ସେବି।୩୮।

ଅପ୍ରାଧ କଲେ କ୍ଷମା କରଇ ମହାମାୟୀ

ଅନ୍ନ ବସ୍ର ଆମ୍ଭନ୍ତ ସଂଯୋଗେ ମିଳଇ।୩୯।

 

ଚାଷ ଚଷିଣ ଆମ୍ଭେ ନାନା କୃଷି କରି

ଧାନର ଚାଷ କାକୁଡ଼ି ମାଣ୍ଡିଆ ଆଦି କରି।୪୦।

ନାନା କୃଷି କରି ଦୁଖରେ ଦିନ ନେଉ

ୟେଥିରେ ଆହାଲାଦେ ଦିନ ବଞ୍ଚଥାଉ।୪୧।

ଆମ୍ଭର ପିତାଂକର ଯେ ଅଟଇ ଚାରି ପୁତ୍ର

ପିତାମାତା ଆମ୍ଭର ଅଟନ୍ତି ବୃଦ୍ଧଗତ।୪୨।

 

ସବୁହୁଂ ସାନ ମୁଂ ଯେ ଜଡ଼ ଭାବମତି

ଜ୍ୟେଷ୍ଠଭ୍ରାଥମାନେ ଯେ କାର୍ଯ୍ୟ କରୁଥାନ୍ତି।୪୩।

ଯେଉଂ କୃଷିରେ ମୋତେ ଲଗାଇ ଦିଅନ୍ତି

ସେ କାର୍ଯ୍ୟ ସୁଖେଣ ମୁଂ କରୁଥାଇ ନିତି।୪୪।

ଅଗ୍ୟାନ ଭାବେ ମୁଂ ଯେ କିଛିହିଂ ନ ଜାଣଇ

ଆପଣା କର୍ମେ ଯେ ମିଳଇ ତାହା ସୁଖେଣ ଭୁଞ୍ଜଇ।୪୫।

 

ୟେମନ୍ତେଣ ମୁହିଂ ଯେ ବଞ୍ଚୁଥାଇ ଦିନ

କେବଳ ମନ ଥାଇ ମୋର ଗୋବିନ୍ଦ ଚରଣ।୪୬।

ଗୁରୁଂକ ଦୟା ଯହୁଂ ମୋତେ ୟେତେକ ଅଛଇ

ଅଳପ ବୟସେ ମୋ ମନ ଭ୍ରମଣ ହୁଅଇ।୪୭।

ଗୋବିନ୍ଦଂକ କଥାକୁ ୟେଡ଼େ ନବଳଇ ଚିତ୍ତ

ମୂରୁଖ ଜନ ମୁଂ ଯେ ଅଟଇ ଅପଣ୍ଡିତ।୪୮।

 

ଶୂଦ୍ର ମୂରୁଖ ମୁଂ ଅଗ୍ୟାନ ଅଟଇ

ସାଧୁଜନମାନଂକର ଚରଣେ ଚିତ୍ତ ମୁଂ ଖଟାଇ।୪୯।

ୟେହି ରୂପେଣ ଯେ ଥୋକାୟେ ଦିନ ଗଲା

ପୂର୍ବର ବାସନା ଯେ ଆନୁଆନ ନୋହିଲା।୫୦।

ଶୁଣ ହୋ ସାଧୁଜନେ ଦେବୀର ମହିମାଂ

ଲକ୍ଷ ଦେବାକୁ ତାହାନ୍ତ ନାହିଂନା ଉପମା।୫୧।

 

ବଇଶାଖ ଶୁକଳ ଯେ ଅଷ୍ଟମୀ ମଂଗଳ ବାର

ବଡ଼ହିଂ ତପତି ହେ କରିଛି ସେ ଦିନର।୫୨।

ପ୍ରାଚୀ ନଦୀର ଯେ ଉତ୍ତର କୂଳରେ

ଆଖୁ ଭୂମି ଖଣ୍ଡିୟେ ଯେ କରିଛୁ ସେଠାରେ।୫୩।

ଯନ୍ତ ସଜ ବସାଇ ପାଣି ତେଣ୍ଡୁ ତହିଂକି

ଚାରି ସଜ ଗୋଟି ଯେ ବସାଇଣ ହାକି।୫୪।

 

ସେହି ଠାବରେ ଯେ ରାଜପଥ ଅଟଇ

ପ୍ରାଣୀମାନେ ନିତ୍ୟେ ସେ ପଥରେଣ ଯାଇ।୫୫।

ସ୍ତିରୀ ପୁରୁଷ ବାଳକ ନଯାଇ କଳଣା

ଯାଉଂ ଆସୁଛନ୍ତି ଯେ ନଯାଇ ଗଣନା।୫୬।

ମଧ୍ୟ ସ୍ଥାନରେ ପାଣି ତେଣ୍ଡୁଥାଇଂ ମୁହିଂ

ଭଣ୍ଡ ବିଭଣ୍ଡ କରି ଗୀତ ମୁଂ ଫୁକାରଇ।୫୭।

 

ୟେମନ୍ତେଣ ଦେଖ ସେ ଦଇବ ରକୃତ

ଗ୍ରୀଷମ ସେ ଦିନ କରିଛି ବହୁତ।୫୮।

ବେଳ ମଧ୍ୟାହ୍ନ ଦୁଇ ପ୍ରହର ଅଟଇ

ୟେମନ୍ତେଣ ବେଳେ ଦେବୀ ଭ୍ରମଣୀ କରୁଛନ୍ତି ମହାମାୟୀ।୫୯।

ଯାନବାହାନ ନାହିଂ ପାଦରେ ଗବନ

ସଙ୍ଗତେ କେହି ନାହିଂ ୟେକାକେ ଆପଣ।୬୦।

 

ଷୋଡଶା ରୂପ ଯେ ଧରିଣ ମହାମାୟୀ

ଦିବ୍ୟ ବେଶରେ ନାନା ଅଳଂକାର ଲାଇ।୬୧।

ୟେକାନ୍ତ ହୋଇଣ ଯେ ଆସୁଛନ୍ତି ଭ୍ରମି

ମାନିନୀ ରୂପ ଯେ ଧରିଣ ଗୋସାମଣୀ

ମୋହୋର ତୁନି ହୁଅନ୍ତେ ଜାଣିଲେ ଠାକୁରାଣୀ।୬୨।

 

ତାହାନ୍ତ ଦେଖି ମୁଂ ଯେ ଲଜ୍ଜାଗତ ପାଇଲି

ମଥା ପୋତିଣ ମୁଂ କୀର୍ତ୍ତି କରି ବସିଲି।୬୩।

ୟେମନ୍ତେଣ ଦେବୀ ଯେ ଗଲେ ବାହାର ହୋଇ

ଯୁବା ରୂପ ଛାଡ଼ି ବୃଦ୍ଧା ରୂପ ତହିଂ ହୋଇ।୬୪।

ଖଣ୍ତେ ଦୂର ଯାଇଂ ଦେବୀ ହେଲେ ବୃଦ୍ଧା ରୂପ

ଯୁବା କନ୍ୟା ରୂପ କଲେକ ସେହୁ ଗୋପ୍ୟ।୬୫।

 

ୟେମନ୍ତ ହୋଇଣ ସେହୁ ଦେବୀର ଚରିତ

ପ୍ରହରକେ ଭ୍ରମଣୀ କଲେ ଜଗତ ମାତ।୬୬।

ପୁଣ ସେହି ବାଟେ ଆସନ୍ତି ଗୋସାମଣୀ

ସଂକଟ ତାରେଣୀ ସେ ମାନ ଉଦ୍ଧାରଣୀ।୬୭।

ମୋହୋର ମନ ସେହୁ ବିଡ଼ିବାର ପାଇଂ

ବୃଦ୍ଧା ସ୍ତିରୀରୂପ ଧଇଲେ ଗୋ ମାଈ।୬୮।

 

ମୋତେ ଚାହିଂଣ ସେ ବୋଇଲେ ମୃଦୁବାଣୀ

କୋକିଳ ଭାଷିଲା ପ୍ରାୟେ ଶୁଭୁଅଛି ଧୁନି।୬୯।

ଗୀତ ଗାଉଥିଲୁ ତୁନି ଯେ ହୋଇଲୁ

ଲଜ୍ଜା ଭାବକୁ ତୁ ମନରେ ପାଇଲୁ।୭୦।

ମୁହିଂ ବୋଇ ଲିମା ଗୋ ଯାଉଅଛ ତୁମ୍ଭେ

କେସନେ ଭଣ୍ଡ ବିଭଣ୍ଡ ଫୁକାରିବି ତୁଣ୍ଡେ।୭୧।

 

ୟେତେକ କହି ମୁହିଂ ହୋଇଲଇଂ ତୂନି

କି ଗୀତ ଗାଇବି ଯେ କହିଦିଅ ପୁଣି।୭୨।

ଠାକୁରାଣୀ ବୋଇଲେ ତୁ ବିଷ୍ଣୁର ଚରିତ ବଖାଣ

ତୋହୋର ମୁଖରେ ଅନ୍ୟ ବାକ୍ୟ ନଫୁରୁ ବଚନ।୭୩।

ୟେହା ଶୁଣି ମୁଂ ଯେ ଚମତ୍କାର ପାଇ

ଥମ୍ଭୀଭୂତ ହୋଇ ରହିଲଇଂ ମୁହିଂ।୭୪।

 

କ୍ଷଣେକ ରହି ମୁଂ ଯେ ଫୁକାରିଲି ଗୀତ

ହୃଦୟ ଫୁଟି ବାହାର ହୋଇଲା ବିଷ୍ଣୁର ଚରିତ।୭୫।

ଶ୍ରୀକୃଷ୍ଣ ଚରିତ ମୁଖୁଂ ବାହାର ହୋଇଲା

ମୋହୋର ତୁଣ୍ଡରେ ଅନ୍ୟ କଥା ନଫୁରିଲା।୭୬।

ୟେତେକ କହି ଦେବୀ ହୋଇଲେ ଅନ୍ତର୍ଧ୍ୟାନ

ମନେ ମନେ ମୁହିଂ କରିଲଇଂ ବିଚାରଣ।୭୭।

 

ୟେକଥା ଗୋଟି ମୋତେ ଅଦ୍ଭୁତ ଦିଶିଲା

କେଉଂ ଦେବାଦେବୀ ମୋତେ ପ୍ରସନ୍ନ ହୋଇଲା।୭୮।

କେମନ୍ତ ଜାଣିମି ମୁଂ ୟେଥିର ଚରିତ

ମନକୁ ମୋହୋର ଯେ ଲାଗିଲା ଭୟେଭୀତ।୭୯।

ସେ ଦିନ କୀରତି ଯେ ବହନ ସରିଲା

ମନକୁ ମୋହୋର ଯେ ଉଚ୍ଛନ୍ନ ଲାଗିଲା।୮୦।

 

ମନର ଉଚ୍ଛନ୍ନେ ମୁଂ ଅଇଲି ଗୃହବାସ

ମନ ଗୋଟି ମୋହୋର ହୋଉଛି ଉଲ୍ଲାସ।୮୧।

ଶ୍ରୀଜଗନ୍ନାଥଂକୁ ମନରେ ଧ୍ୟାୟେ କରି

ମନରେ ରହିଲି କାହାକୁ ସମାସ୍ୟ ନ ଦେଇକରି।୮୨।

ଅନ୍ନ ପାଣି କିଛି ନ କଲଇଂ ଭୋଜନ

ୟେମନ୍ତେ ରାତ୍ର ଗଲା ପ୍ରହରେକ ଜାଣ।୮୩।

 

ରାତ୍ର ପ୍ରହରକ ଉତ୍ତାରୁ କଲଇଂ ଶୟନ

ନିଦ୍ରାରେ ଶୋଇଲି ଯେ ହରାଇଲି ଗ୍ୟାନ।୮୪।

ରାତ୍ର ଦୁଇପ୍ରହର ହୋଇଲାକ ଯହୁଂ

ଠାକୁରାଣୀ ବିଜୟେ କଲେକ ଆସି ତହୁଂ।୮୫।

ମୋହୋର ସୀମସ୍ଥାନେ ବସିଲେ ମହାମାୟୀ

ନାନା ବେଶ ବେଶନ ଅଳଂକାର ଲାଇ।୮୬।

 

ଅଷ୍ଟଭୂଜରେ ଅଷ୍ଟ ଆଉଧ ଆଭରଣ କରିଣ

ସିନ୍ଦୂରେ ମୁଖଗୋଟି କରିଛି ମଣ୍ଡଣ।୮୭।

ନିର୍ଧୂମ ଅଗ୍ନି ପ୍ରାୟେ ବିରାଜେ ଶରୀର

କାୟା ପୂରିଛି କି ଅସୁରୀ ବ୍ରହ୍ମାଣ୍ଡର।୮୮।

ୟେମନ୍ତେ ବେଶେ ହୋଇ ଜଗତ ଜନନୀ

ମୋହୋର ସୀମସ୍ଥାନେ ବିଜେ କଲେକ ପୁଣି।୮୯।

 

ବୋଇଲେ ସାରୋଳା ଉଠରେ ବହନ

ୟେତେ ବେଗେ ପାସୋରିଲୁ ମୋହୋର ବଚନ।୯୦।

ଯାହା ସେ ଦିବସେ ଆଗ୍ୟାଂ ଦେଲି ତୋତେ

ବିଷ୍ଣୁପୁରାଣ ଫୁରୁ ତୋହୋର କଣ୍ଠ ତଟେ।୯୧।

ୟେତେ ବେଗରେ ପାସୋରିଲୁ ତାହି

ବିଷ୍ଣୁର ଚରିତ ଯେ ଅମୃତ ପୟୋଧି ଅଟଇ।୯୨।

 

ୟେତେକ ବଚନ ଯହୁଂ ଭାଷିଲେ ଠାକୁରାଣୀ

ସତ କି ସପନ ମୁଂ ନୁଆରିଲି ଜାଣି।୯୩।

ନିଦ୍ରାର ପ୍ରସ୍ତାପେ ସପନରେ ମୁହିଂ

ବୋଇଲି ମାତା ଗୋ କେ ତୁମ୍ଭେ ପୁଣ୍ୟଦେହୀ।୯୪।

ହସିଣ ବୋଲନ୍ତି ଯେ ସାରୋଳା ଚଣ୍ଡୀ ଦେବୀ

ମୁହିଂ ସାରୋଳା ଚଣ୍ଡୀ ଅଟଇ ମହାଭେଦୀ।୯୫।

 

ତୁ ଯଂହୁ ସର୍ବଦା ମୋହୋରେ ଭଗତି

ତେଣୁ ସେ ପ୍ରସନ୍ନ ହୋଇଲି ଶୁଦ୍ଧମତି।୯୬।

ବିଷ୍ଣୁର ଚରିତ ତୁ କରିବୁ ବଖାଣ

କୀରତି ରହିବ ମୃତୁ ଭୁବନେଣ।୯୭।

କଳି ଯୁଗେ ପ୍ରାଣୀମାନେ ହୋଇଲେ ଅଗ୍ୟାନ

ଗୋବିନ୍ଦର ନାମ ପାସୋରିଲେ ଢାଳେଣ।୯୮।

 

ଅଗ୍ୟାନ ମୂଢ ପଣେ ଅଳପେ ନିଶା ଯିବେ

ନାନା ପୀରତି ସେ ତରି ନୁଆରିବେ।୯୯।

ୟେଣୁ କରି ତୋ ଆଗେ କହୁଅଛି ସରୂପ

ଶ୍ରୀମହାଭାରଥ ଅଷ୍ଟାଦଶ ପୁରାଣ କରିବୁ ଉକତ।୧୦୦।

ପୁରାଣ ଗ୍ରନ୍ଥ ତୁ ପଦରେ ଛନ୍ଦିବୁ

ତେବେ ସେ ସଂସାର ମୋକନ୍ତ ମୁକତି ଗତି ଦେବୁ।୧୦୧।

 

ୟେ ଶାସ୍ର ପଢି ପ୍ରାଣୀମାନେ ଗ୍ୟାନବନ୍ତ ହେବେ

ତେବେ ସେ ଘୋର ନରକୁ ଉଦ୍ଧାର ଗତି ପାଇବେ।୧୦୨।

ୟେତେକ ବୋଲି ସେ ସାରୋଳା ସଂକଟ ତାରେଣୀ

ଦୟା କରି କହିଲେ ମୋତେ ଅମୃତ ରସ ବାଣୀ।୧୦୩।

ଯହୁଂ ପ୍ରସନ୍ନ ମୁଖ ହୋଇଲେ ମହାମାୟୀ

ସେହି ସପନରେ ମୁଂ ନମସ୍କାର କରଇ।୧୦୪।

 

ନମସ୍କାର ହୋଇପଡିଲାଇଂ ଚରଣେ

ପିମ୍ପୁଡ଼ି ଉପରେ ପର୍ବତ ଲଦୁଛ କେସନେ।୧୦୫।

ଜନ୍ମରୁ ବିଦ୍ୟା ସେତ ପଢିଲା ମୋର ନାହିଂ

କେମନ୍ତେ ଅଷ୍ଟାଦଶ ପୁରାଣ ଲେଛିବଇଂ।୧୦୬।

ଲେଖନ ପତ୍ର ମୁଂ ଯେ ଧରିବି କେମନ୍ତେ

ଅସମ୍ଭବ ଚରିତ ମୋତେ କହିଲ ଜଗତ ମାତେ।୧୦୭।

 

ମୁହିଂ ଯେ ଅରଖିତ ଜାତିରେ ଶୂଦ୍ରଇ

ଗଣ୍ଡ ମୂରୁଖ ସଂଗତେ ମୁଂ ଲେଖା ଯେ ଅଟଇ।୧୦୮।

ତୁ ଯେବେ ଦୟା ମୋତେ କରିବୁ ଗୋ ମାୟେ

ଜଗତେ କୀରତି ରହିବ ଥୋକାୟେ।୧୦୯।

 

ଯହୁଂ ମୁଂ ୟେ ରୂପେ କହିଲି ବଚନ

କ୍ଷଣେ ତୂନି ହୋଇ ଦେବୀ କହନ୍ତି ବୟାଣ।୧୧୦।

ବୋଇଲେ ମନେ ତୁ ନଭାଳ ହୋ କିଛି

ଲେଖନ ପତ୍ର ମୁଂ ତୋତେ ଯାଚି ଦେଉଅଛି।୧୧୧।

ତୋହୋର କଣ୍ଠରେ ମୁଂ ନିଚେଂ ବସିଥିବି

ଗଲା ନ ଗଲା ପଦ ହୃଦୟରେ କହିଦେବି।୧୧୨।